09.07.24          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ସଚ୍ଚା ବାବାଙ୍କ ସହିତ ଭିତରେ ଏବଂ ବାହାରେ ସଚ୍ଚା ହୁଅ, ତେବେ ଯାଇ ଦେବତା ହୋଇପାରିବ । ତୁମେ ବ୍ରାହ୍ମଣମାନେ ହିଁ ଫରିସ୍ତାରୁ ଦେବତା ହେଉଛ ।

ପ୍ରଶ୍ନ:-
ଏହି ଜ୍ଞାନକୁ ଶୁଣିବାର ବା ଧାରଣ କରିବାର ଅଧିକାରୀ କିଏ ହୋଇପାରିବେ?

ଉତ୍ତର:-
ଯେଉଁମାନେ ମୂଳରୁ ଶେଷ ପର୍ଯ୍ୟନ୍ତ ପାର୍ଟ କରିଆସିଛନ୍ତି, ଯେଉଁମାନେ ସବୁଠାରୁ ଅଧିକ ଭକ୍ତି କରିଛନ୍ତି, ସେହିମାନେ ହିଁ ଜ୍ଞାନକୁ ବହୁତ ଶୀଘ୍ର ଧାରଣ କରିବାରେ ସକ୍ଷମ ହେବେ । ଉଚ୍ଚ ପଦ ମଧ୍ୟ ସେହିମାନେ ହିଁ ପାଇବେ । ତୁମମାନଙ୍କୁ କେହି କେହି ପଚାରୁଛନ୍ତି - ତୁମେମାନେ ଶାସ୍ତ୍ରକୁ ମାନୁନାହଁ? ତାଙ୍କୁ କୁହ ଯେ ଆମେ ଯେତିକି ଶାସ୍ତ୍ର ପଢିଛୁ ବା ଭକ୍ତି କରିଛୁ ସାରା ଦୁନିଆରେ କେହି କରି ନାହାଁନ୍ତି । ଆମକୁ ଏବେ ଭକ୍ତିର ଫଳ ମିଳିଛି, ସେଥିପାଇଁ ଏବେ ଭକ୍ତି କରିବାର ଆବଶ୍ୟକତା ନାହିଁ ।

ଓମ୍ ଶାନ୍ତି ।
ଅବିନାଶୀ ପିତା ଅବିନାଶୀ ସନ୍ତାନମାନଙ୍କୁ ବୁଝାଉଛନ୍ତି, ସର୍ବ ଆତ୍ମାଙ୍କର ପିତା ସର୍ବ ଆତ୍ମାମାନଙ୍କୁ ବୁଝାଉଛନ୍ତି କାରଣ ସେ ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ସମସ୍ତ ଆତ୍ମାମାନଙ୍କୁ ଜୀବାତ୍ମା ହିଁ କୁହାଯିବ । ଶରୀର ବିନା ତ ଆତ୍ମା ଦେଖିପାରିବ ନାହିଁ । ଭଲେ ଡ୍ରାମାର ଯୋଜନା ଅନୁଯାୟୀ ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି କିନ୍ତୁ ବାବା କହୁଛନ୍ତି ମୁଁ ସ୍ୱର୍ଗ ଦେଖୁନାହିଁ । ଯେଉଁମାନଙ୍କ ପାଇଁ ସ୍ଥାପନା କରୁଛି ସେହିମାନେ ହିଁ ଦେଖୁଛନ୍ତି । ତୁମକୁ ଶିକ୍ଷା ଦେଇ ସାରିବା ପରେ ମୁଁ ତ କୌଣସି ଶରୀର ଧାରଣ କରୁନାହିଁ, ତେବେ ଶରୀର ବିନା କିପରି ଦେଖିପାରିବି । ଏମିତି ବି ନୁହେଁ ଯେ, ମୁଁ ସବୁଠାରେ ଅଛି ଓ ସବୁ ଦେଖୁଛି । ନା, ବାବା କେବଳ ତୁମ ଫୁଲ ରୂପୀ ସନ୍ତାନମାନଙ୍କୁ ଦେଖୁଛନ୍ତି, ଯେଉଁମାନଙ୍କୁ ଫୁଲ ଭଳି ସୁନ୍ଦର କରି ଯୋଗର ଯାତ୍ରା ଶିଖାଉଛନ୍ତି । ଯୋଗ ଅକ୍ଷର ଭକ୍ତିମାର୍ଗରୁ ଆସିଛି । ଜ୍ଞାନଦାତା ଜଣେ ହିଁ ଜ୍ଞାନର ସାଗର ଅଟନ୍ତି, ତାଙ୍କୁ ହିଁ ସଦ୍‌ଗୁରୁ କୁହାଯାଉଛି । ବାକି ଅନ୍ୟ ସମସ୍ତେ ହେଉଛନ୍ତି ଗୁରୁ । ସତ୍ୟ କହୁଥିବା ସତ୍ୟ ଦୁନିଆର ସ୍ଥାପନକର୍ତ୍ତା ଏକମାତ୍ର ବାବା ହିଁ ଅଟନ୍ତି । ଭାରତ ସତ୍ୟତାର ଭୂଖଣ୍ଡ ଥିଲା, ସେଠାରେ ସମସ୍ତ ଦେବୀ-ଦେବତାମାନେ ନିବାସ କରୁଥିଲେ । ଏବେ ତୁମେ ମନୁଷ୍ୟରୁ ଦେବତା ହେଉଛ । ତେଣୁ ପିଲାମାନଙ୍କୁ ବୁଝାଉଛନ୍ତି - ସତ୍ୟ ପିତାଙ୍କ ସହ ଅନ୍ତର୍ମନରେ ଓ ବାହ୍ୟ ରୂପରେ ମଧ୍ୟ ସ୍ୱଚ୍ଛ ରହିବାକୁ ହେବ । ପୂର୍ବରୁ ତ ପ୍ରତି ପାଦରେ ମିଥ୍ୟାର ଆଶ୍ରୟ ନେଉଥିଲ, ଯଦି ସ୍ୱର୍ଗରେ ଉଚ୍ଚ ପଦ ପାଇବା ପାଇଁ ଚାହୁଁଛ ତେବେ ଏ ସବୁ ଛାଡିବାକୁ ହେବ । ଭଲେ ସ୍ୱର୍ଗକୁ ତ ବହୁତ ଆସିବେ କିନ୍ତୁ ବାବାଙ୍କୁ ଜାଣି ଯଦି ବିକର୍ମ ବିନାଶ ନ କରିବେ ତେବେ ଦଣ୍ଡ ଭୋଗ କରି ହିସାବ-କିତାବ ଚୁକ୍ତ କରିବାକୁ ହେବ ଏବଂ ପଦ ମଧ୍ୟ ବହୁତ ନୀଚ୍ଚ ମିଳିବ । ଏହି ପୁରୁଷୋତ୍ତମ ସଂଗମଯୁଗରେ ରାଜଧାନୀର ସ୍ଥାପନା ହେଉଛି । ରାଜଧାନୀ ନା ସତ୍ୟଯୁଗରେ ସ୍ଥାପନା ହୋଇପାରିବ ନା କଳିଯୁଗରେ କାରଣ ବାବା ସତ୍ୟଯୁଗ କିମ୍ବା କଳିଯୁଗରେ ଆସୁନାହାଁନ୍ତି । ଏହି ଯୁଗକୁ ପୁରୁଷୋତ୍ତମ କଲ୍ୟାଣକାରୀ ଯୁଗ କୁହାଯାଇଥାଏ । ଏହି ଯୁଗରେ ବାବା ଆସି ସମସ୍ତଙ୍କର କଲ୍ୟାଣ କରିଥାଆନ୍ତି । କଳିଯୁଗ ପରେ ସତ୍ୟଯୁଗ ଆସିବ ତେଣୁ ସଂଗମଯୁଗ ମଧ୍ୟ ନିଶ୍ଚିତ ରୂପେ ଦରକାର । ବାବା କହିଛନ୍ତି - ଏହା ହେଉଛି ପୁରୁଣା ପତିତ ଦୁନିଆ । ଗାୟନ ମଧ୍ୟ ରହିଛି ଦୂରଦେଶ କା ରହେନେ ବାଲା ....ତେବେ ପର ରାଜ୍ୟରେ ନିଜର ସନ୍ତାନ କେଉଁଠୁ ଆସିବେ । ପର ରାଜ୍ୟରେ ପୁଣି ପର ପିଲା ହିଁ ମିଳିଥାନ୍ତି । ସେମାନଙ୍କୁ ଭଲ ଭାବରେ ବୁଝାଉଛନ୍ତି ଯେ ମୁଁ କାହା ଶରୀରରେ ପ୍ରବେଶ କରୁଛି । ନିଜର ପରିଚୟ ମଧ୍ୟ ଦେଉଛି ଏବଂ ଯାହାଙ୍କ ଶରୀରରେ ପ୍ରବେଶ କରୁଛି ତାଙ୍କୁ ମଧ୍ୟ ବୁଝାଉଛି ଯେ ଏହା ତୁମର ବହୁତ ଜନ୍ମର ଅନ୍ତିମ ଜନ୍ମ । କେତେ ସ୍ପଷ୍ଟ ଭାବରେ ବୁଝାଉଛନ୍ତି ।

ଏବେ ତୁମେ ଏଠାରେ ପୁରୁଷାର୍ଥୀ ଅଟ । ସମ୍ପୂର୍ଣ୍ଣ ପବିତ୍ର ହୋଇନାହଁ । ସମ୍ପୂର୍ଣ୍ଣ ପବିତ୍ରକୁ ଫରିସ୍ତା କୁହାଯାଇଥାଏ । ଯେଉଁମାନେ ପବିତ୍ର ନୁହଁନ୍ତି ତାଙ୍କୁ ପତିତ ହିଁ କୁହାଯାଏ । ଫରିସ୍ତା ହେବା ପରେ ତୁମେ ଦେବତା ହେଉଛ । ସୂକ୍ଷ୍ମଲୋକରେ ତୁମେ ସମ୍ପୂର୍ଣ୍ଣ ଫରିସ୍ତାଙ୍କୁ ଦେଖୁଛ, ସେମାନଙ୍କୁ ଫରିସ୍ତା କୁହାଯାଏ । ତେଣୁ ବାବା ବୁଝାଉଛନ୍ତି - ପିଲାମାନେ, ଏବେ ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ । ଅଲଫ୍ ଅର୍ଥାତ୍ ବାବା, ତାଙ୍କୁ ଆଲ୍ଲା ମଧ୍ୟ କୁହାଯାଇଥାଏ । ପିଲାମାନେ ବୁଝିଗଲେଣି ଯେ ବାବାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି । ସ୍ୱର୍ଗ କିପରି ରଚନା କରାଯାଉଛି? ଯୋଗର ଶକ୍ତି ଓ ଜ୍ଞାନ ଦ୍ୱାରା । ଭକ୍ତିମାର୍ଗରେ ଜ୍ଞାନ ନ ଥାଏ । ଜ୍ଞାନ ତ କେବଳ ଏକମାତ୍ର ବାବା ହିଁ ଦେଉଛନ୍ତି ଏବଂ ବ୍ରାହ୍ମଣମାନଙ୍କୁ ହିଁ ଦେଉଛନ୍ତି । ବ୍ରାହ୍ମଣ ଚୁଟୀ ଅଟନ୍ତି ନା । ଏବେ ତୁମେ ବ୍ରାହ୍ମଣ ହୋଇ ପୁଣି ଡ୍ରାମାର ଚକ୍ରିରେ ଘୂରିବ । ବ୍ରାହ୍ମଣ, ଦେବତା, କ୍ଷତ୍ରିୟ... ଏହାକୁ କୁହାଯାଉଛି ବିରାଟ ରୂପ । ବିରାଟ ରୂପ ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର କୁହାଯିବ ନାହିଁ । ସେଠାରେ ବ୍ରାହ୍ମଣ ରୂପୀ ଚୁଟୀ ଦର୍ଶାଯାଇନାହିଁ । ବାବା ବ୍ରହ୍ମାଙ୍କ ଶରୀରରେ ଆସୁଛନ୍ତି - ଏ କଥା ତ କେହି ଜାଣିନାହାଁନ୍ତି । ବ୍ରାହ୍ମଣ କୂଳ ତ ସର୍ବୋତ୍ତମ କୂଳ, ଯେତେବେଳେ କି ବାବା ଆସି ପଢାଉଛନ୍ତି । ବାବା ତ ଶୁଦ୍ରମାନଙ୍କୁ ପଢାଇବେ ନାହିଁ, ବ୍ରାହ୍ମଣମାନଙ୍କୁ ହିଁ ପଢାଇବେ । ପାଠପଢାରେ ମଧ୍ୟ ସମୟ ଲାଗୁଛି । ରାଜଧାନୀର ସ୍ଥାପନା ହେବ । ତୁମେ ଉଚ୍ଚରୁ ଉଚ୍ଚ ସର୍ବୋଚ୍ଚ ପୁରୁଷୋତ୍ତମ ହୁଅ । ନୂଆ ଦୁନିଆ କିଏ ରଚନା କରିବେ? ବାବା ହିଁ ଚରନା କରିବେ । ଏ କଥା କେବେ ଭୂଲିଯାଅ ନାହିଁ । କିନ୍ତୁ ମାୟା ତୁମକୁ ଭୂଲାଇ ଦେଉଛି, ତାର କାମ ହିଁ ହେଲା ତୁମକୁ ଭୁଲାଇବା । ମାୟା ଜ୍ଞାନରେ କୌଣସି ବିଘ୍ନ ପକାଉନାହିଁ, ବାବାଙ୍କୁ ମନେ ପକାଇବାରେ ହିଁ ବିଘ୍ନ ପକାଉଛି । ଆତ୍ମାରେ ବହୁତ ଆବର୍ଜନା ଭରି ହୋଇ ରହିଛି । ତାହା ବାବାଙ୍କ ସ୍ମୃତି ବିନା ସଫା ହୋଇପାରିବ ନାହିଁ । ଯୋଗ ଶବ୍ଦ ଶୁଣି ପିଲାମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି । କହୁଛନ୍ତି ବାବା ଆମର ଯୋଗ ଲାଗୁନାହିଁ । ବାସ୍ତବରେ ଯୋଗ ଶବ୍ଦ ହଠଯୋଗୀମାନଙ୍କ ପାଇଁ ଉଦ୍ଧିଷ୍ଟ । ସନ୍ନ୍ୟାସୀମାନେ କହିଥାନ୍ତି ବ୍ରହ୍ମ ସହ ଯୋଗ ଲଗାଇବାକୁ ହେବ । ବ୍ରହ୍ମତତ୍ତ୍ୱ ତ ବହୁତ ବିଶାଳ, ଯେପରି ଆକାଶରେ ତାରକା ଦୃଶ୍ୟମାନ ହୁଅନ୍ତି, ସେହିଭଳି ସେଠାରେ ମଧ୍ୟ ଛୋଟ ଛୋଟ ତାରା ସଦୃଶ ଆତ୍ମାମାନେ ରହିଥାଆନ୍ତି । ତାହା ନୀଳ ଗଗନରୁ ଉର୍ଦ୍ଧ୍ୱ, ସୂର୍ଯ୍ୟ, ଚନ୍ଦ୍ରର ଆଲୋକରୁ ଉର୍ଦ୍ଧ୍ୱ ଦୁନିଆ । ତେବେ ନିଜକୁ ଦେଖ ତୁମେ କେତେ ଛୋଟ ଛୋଟ ରକେଟ୍ ଅଟ । ତେଣୁ ବାବା କହୁଛନ୍ତି - ପ୍ରଥମେ ଆତ୍ମାର ଜ୍ଞାନ ପ୍ରଦାନ କରିବା ଆବଶ୍ୟକ । ତାହା ତ ଏକମାତ୍ର ଭଗବାନ ହିଁ ଦେଇପାରିବେ । ଏପରି ନୁହେଁ କି ସେମାନେ କେବଳ ପରମାତ୍ମାଙ୍କୁ ଜାଣିନାହାଁନ୍ତି, କିନ୍ତୁ ଆତ୍ମାକୁ ମଧ୍ୟ ଜାଣିନାହାଁନ୍ତି । ଏତେ ଛୋଟ ଆତ୍ମାରେ ୮୪ ଜନ୍ମ ଚକ୍ରର ଅବିନାଶୀ ଅଭିନୟ ଭରି ହୋଇ ରହିଛି । ଏହାକୁ ହିଁ ପ୍ରକୃତିର ଖେଳ କୁହାଯିବ, ଆଉ କିଛି କୁହାଯାଇପାରିବ ନାହିଁ । ଆତ୍ମା ୮୪ ଜନ୍ମର ଚକ୍ର ଲଗାଇ ଚାଲିଛି । ପ୍ରତି ୫ ହଜାର ବର୍ଷ ପରେ ଏହି ଚକ୍ରର ପୁନରାବୃତ୍ତି ହେଉଛି । ଏ ସବୁ ଡ୍ରାମାରେ ନିର୍ଦ୍ଧାରିତ । ଦୁନିଆ ଅବିନାଶୀ, ଏହାର କେବେ ହେଲେ ସଂପୂର୍ଣ୍ଣ ବିନାଶ ହୁଏ ନାହିଁ । ଦୁନିଆରେ ତ ଲୋକମାନେ ଦର୍ଶାଇଛନ୍ତି ଯେ ବଡ ପ୍ରଳୟ ହୋଇଥାଏ, ପୁଣି ଅଶ୍ୱତଥ୍ ପତ୍ର ଉପରେ କୃଷ୍ଣ ଆଙ୍ଗୁଠି ଚୁଚୁମି ଚୁଚୁମି ଭାସି ଭାସି ଆସିଥାନ୍ତି । କିନ୍ତୁ ବାସ୍ତବରେ ଏମିତି ହୁଏ ନାହିଁ । ଏହା ତ ବେକାଇଦାର କଥା । ମହାପ୍ରଳୟ କେବେହେଲେ ହୁଏ ନାହିଁ । ଗୋଟିଏ ଧର୍ମର ସ୍ଥାପନା ଏବଂ ଅନେକ ଧର୍ମର ବିନାଶର ପ୍ରକ୍ରିୟା ନିରନ୍ତର ଚାଲୁଛି । ବର୍ତ୍ତମାନ ସମୟରେ ମୁଖ୍ୟ ତିନୋଟି ଧର୍ମ ରହିଛି । ଏହା ତ ଅସ୍ପିସିୟସ୍ (ଦୁର୍ଲଭ) ସଂଗମଯୁଗ ଅଟେ । ପୁରୁଣା ଦୁନିଆ ଏବଂ ନୂଆ ଦୁନିଆ ଭିତରେ ରାତି-ଦିନର ଅନ୍ତର ରହିଛି । କାଲି ନୂଆ ଦୁନିଆ ଥିଲା ଆଜି ପୁରଣା ହୋଇଯାଇଛି । କାଲିର ଦୁନିଆରେ କଣ ଥିଲା ଏହା ତୁମେ ବୁଝିପାରୁଛ । ଯିଏ ଯେଉଁ ଧର୍ମର ଆତ୍ମା ସେହି ଧର୍ମର ହିଁ ସ୍ଥାପନା କରିଥାନ୍ତି । ପ୍ରଥମେ ତ ଧର୍ମସ୍ଥାପକ ଏକୁଟିଆ ଆସିଥାନ୍ତି, ବହୁତ ଆସି ନ ଥାଆନ୍ତି । ପୁଣି ଧୀରେ ଧୀର ବୃଦ୍ଧି ହୋଇଥାଏ ।

ବାବା କହୁଛନ୍ତି ମୁଁ ତୁମ ପିଲାମାନଙ୍କୁ କୌଣସି କଷ୍ଟ ଦେଉନାହିଁ । ବାବା ପିଲାମାନଙ୍କୁ କେମିତି କଷ୍ଟ ଦେବେ । ବାବା ଅତି ପ୍ରିୟ ଅଟନ୍ତି ନା । କହୁଛନ୍ତି ମୁଁ ତୁମର ସଦ୍‌ଗତି ଦାତା, ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟେ । ସମସ୍ତେ କେବଳ ମୋତେ ହିଁ ମନେ ପକାଇଥାନ୍ତି । କିନ୍ତୁ ଭକ୍ତିମାର୍ଗରେ କଣ କଣ ସବୁ କରିଦେଇଛନ୍ତି । ମୋତେ କେତେ ଗାଳି ଦେଉଛନ୍ତି । କହୁଛନ୍ତି, ଈଶ୍ୱର ଏକ । ସୃଷ୍ଟିର ଚକ୍ର ମଧ୍ୟ ଗୋଟିଏ, ଏମିତି ନୁହେଁ କି ଆକାଶରେ ଆଉ କେଉଁଠି ଦୁନିଆ ଅଛି । ଆକାଶରେ ତ ତାରାମାନେ ରହିଛନ୍ତି । ମନୁଷ୍ୟମାନେ ଭାବୁଛନ୍ତି ପ୍ରତ୍ୟେକ ତାରାରେ ମଧ୍ୟ ସୃଷ୍ଟି ରହିଛି । ପୃଥିବୀର ତଳେ ମଧ୍ୟ ଦୁନିଆ ଅଛି । ଏ ସବୁ ଭକ୍ତିମାର୍ଗର କଥା । ସର୍ବୋଚ୍ଚ ଭଗବାନ କେବଳ ଜଣେ ଅଟନ୍ତି । କହୁଛନ୍ତି ମଧ୍ୟ ସାରା ସୃଷ୍ଟିର ଆତ୍ମାମାନେ ତୁମ ସହିତ ଗୁନ୍ଥା ହୋଇ ରହିଛନ୍ତି, ମାଳା ସଦୃଶ । ଏହାକୁ ବେହଦର ରୁଦ୍ରମାଳା ମଧ୍ୟ କୁହାଯାଇପାରିବ । ସମସ୍ତେ ଗୋଟିଏ ସୁତାରେ ଗୁନ୍ଥା ହୋଇଛନ୍ତି । ଏ ସବୁର ଗାୟନ କରୁଛନ୍ତି କିନ୍ତୁ କିଛି ମଧ୍ୟ ବୁଝୁନାହାଁନ୍ତି । ବାବା ଆସି ବୁଝାଉଛନ୍ତି - ପିଲାମାନେ ମୁଁ ତୁମକୁ ଟିକେ ହେଲେ କଷ୍ଟ ଦେଉନାହିଁ । ଏକଥା ମଧ୍ୟ କହିଛନ୍ତି ଯେ ଯେଉଁମାନେ ପ୍ରାରମ୍ଭରୁ ଭକ୍ତି କରିଛନ୍ତି ସେହିମାନେ ହିଁ ଜ୍ଞାନମାର୍ଗରେ ଆଗକୁ ଯିବେ । ଅଧିକ ଭକ୍ତି କରିଛନ୍ତି ତେଣୁ ସେମାନଙ୍କୁ ଫଳ ମଧ୍ୟ ଅଧିକ ମିଳିବା ଦରକାର । କହୁଛନ୍ତି ଭକ୍ତିର ଫଳ ଭଗବାନ ଦିଅନ୍ତି, ସେ ହେଉଛନ୍ତି ଜ୍ଞାନର ସାଗର । ତେଣୁ ନିଶ୍ଚିତ ରୂପେ ଜ୍ଞାନ ଦ୍ୱାରା ହିଁ ଫଳ ପ୍ରାପ୍ତ କରାଇବେ ନା । କିନ୍ତୁ ଭକ୍ତିର ଫଳ ବିଷୟରେ କାହାକୁ ଜଣାନାହିଁ । ଭକ୍ତିର ଫଳ ହେଉଛି ଜ୍ଞାନ, ଯାହା ଦ୍ୱାରା ସ୍ୱର୍ଗର ସମ୍ପତ୍ତିର ସୁଖ ମିଳୁଛି । ତେବେ ବାବା ଫଳ ଦେଉଛନ୍ତି ଅର୍ଥାତ୍ ନର୍କବାସୀରୁ ସ୍ୱର୍ଗବାସୀ କରୁଛନ୍ତି । ରାବଣ ସମ୍ବନ୍ଧରେ ମଧ୍ୟ କାହାକୁ ଜଣାନାହିଁ । କହୁଛନ୍ତି ମଧ୍ୟ ଯେ ଏହା ପୁରୁଣା ଦୁନିଆ ଅଟେ । ତେବେ କେବେଠାରୁ ପୁରୁଣା ହେଲା - ତାହାର ହିସାବ କେହି ବାହାର କରିପାରିବେ ନାହିଁ । ବାବା ହେଉଛନ୍ତି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ବୀଜ । ଏହା ହିଁ ସତ୍ୟ । ତାହା କେବେ ବିନାଶ ହୁଏ ନାହିଁ । ଏହାକୁ ଓଲଟ ବୃକ୍ଷ କୁହାଯାଏ । ବାବା ଉପରେ ଅଛନ୍ତି, ସେଥିପାଇଁ ଆତ୍ମାମାନେ ବାବାଙ୍କୁ ଡାକିବା ସମୟରେ ଉପରକୁ ଇଙ୍ଗିତ କରିଥାନ୍ତି । ଶରୀର ତ ବାବାଙ୍କୁ ଡାକିପାରିବ ନାହିଁ । ଆତ୍ମା ତ ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଏକ ଶରୀରରେ ପ୍ରବେଶ କରିଥାଏ । ଆତ୍ମାର କ୍ଷୟ ବୃଦ୍ଧି ହୁଏ ନାହିଁ, ନା ଆତ୍ମାର ମୃତ୍ୟୁ ହୋଇଥାଏ । ଏହି ଖେଳ ଏହିପରି ତିଆରି ହୋଇଛି । ଏବେ ସାରା ଖେଳର ଆଦି-ମଧ୍ୟ-ଅନ୍ତର ରହସ୍ୟ ବାବା ଜଣାଉଛନ୍ତି । ଆମମାନଙ୍କୁ ଆସ୍ତିକ କରିଛନ୍ତି । ଏହା ମଧ୍ୟ ଜଣାଇଲେ ଯେ - ଲକ୍ଷ୍ମୀ-ନାରାୟଣଙ୍କ ଭିତରେ ମଧ୍ୟ ଏହି ଜ୍ଞାନ ନ ଥାଏ । ସେଠାରେ ତ ଆସ୍ତିକ-ନାସ୍ତିକ କଣ ସେ ଜ୍ଞାନ ମଧ୍ୟ ରହିବ ନାହିଁ । ଏହି ସମୟରେ ବାବା ହିଁ ଏହାର ଅର୍ଥକୁ ବୁଝାଉଛନ୍ତି । ନାସ୍ତିକ ତାଙ୍କୁ କୁହାଯାଏ ଯିଏ ନା ବାବାଙ୍କୁ ନା ରଚନାର ଆଦି-ମଧ୍ୟ-ଅନ୍ତକୁ, ନା ଡ୍ରାମାର ଅବଧିକୁ ଜାଣିଛନ୍ତି । ବର୍ତ୍ତମାନ ତୁମେ ଆସ୍ତିକ ହୋଇଛ । ସେଠାରେ ଏ ସବୁ କଥା ନ ଥାଏ । ଏହା ଏକ ଖେଳ ଅଟେ ନା । ଗୋଟିଏ ସେକେଣ୍ଡରେ ଘଟୁଥିବା ଘଟଣା ପରବର୍ତ୍ତୀ ସେକେଣ୍ଡରେ ବଦଳିଯାଇଥାଏ । ଡ୍ରାମା ଟିକ୍‌ଟିକ୍ ହୋଇ ଚାଲିଛି । ଯାହା ଘଟିଗଲା, ଚକ୍ର ଘୁରି ଯିବ । ଯେପରି ବାଇସ୍କୋପରେ ହୁଏ, ଦୁଇ ତିନି ଘଣ୍ଟା ପରେ ପୁନଃ ବାଇସ୍କୋପର ସେହି ଅବିକଳ ପୁନରାବୃତ୍ତି ହୁଏ । ଘର ଆଦି ଭାଙ୍ଗି ଦେଇଥାନ୍ତି ପୁଣି ତିଆରି ହୋଇଥିବାର ଦେଖାଯାଇଥାଏ । ତାହାର ଅବିକଳ ପୁନରାବୃତ୍ତି ହୋଇଥାଏ । ଏଥିରେ ଦ୍ୱନ୍ଦ୍ୱରେ ପଡିବାର କିଛି କଥା ହିଁ ନାହିଁ । ମୁଖ୍ୟ କଥା ହେଉଛି ସମସ୍ତ ଆତ୍ମାମାନଙ୍କର ପିତା ହେଲେ ପରମାତ୍ମା । ଆତ୍ମାମାନେ ପରମାତ୍ମାଙ୍କଠାରୁ ଅଲଗା ରହିଲେ ବହୁକାଳ... । ଅଲଗା ହୋଇଥାଏ, ଏଠାକୁ ଅଭିନୟ କରିବା ପାଇଁ ଆସିଥାଏ । ତୁମେ ପୁରା ୫ ହଜାର ବର୍ଷ ଅଲଗା ରହୁଛ । ତୁମ ମଧୁର ସନ୍ତାନମାନଙ୍କୁ ଅଲରାଉଣ୍ଡର ଅର୍ଥାତ୍ ପୂରା ନାଟକରେ ଅଭିନୟ ମିଳିଛି ତେଣୁ ମୁଁ ତୁମମାନଙ୍କୁ ହିଁ ବୁଝାଉଛି । ତୁମେମାନେ ହିଁ ଏହି ଜ୍ଞାନର ଅଧିକାରୀ ଅଟ । ସବୁଠାରୁ ଅଧିକ ଭକ୍ତି କରିଥିବା ଆତ୍ମା ହିଁ ଜ୍ଞାନରେ ମଧ୍ୟ ଅଧିକ ଉନ୍ନତି କରିବେ ଓ ଉଚ୍ଚ ପଦ ପାଇବେ । ପ୍ରଥମେ ପ୍ରଥମେ ଏକମାତ୍ର ଶିବବାବାଙ୍କର ଭକ୍ତି ହୋଇଥାଏ, ତାପରେ ଦେବତାମାନଙ୍କର ଭକ୍ତି ଆରମ୍ଭ ହୁଏ । ଏହା ପରେ ପୁଣି ୫ ତତ୍ତ୍ୱର ମଧ୍ୟ ଭକ୍ତି କରି ବ୍ୟଭିଚାରୀ ହୋଇଯାଉଛନ୍ତି । ଏବେ ବେହଦର ବାବା ତୁମକୁ ବେହଦକୁ ନେଇଯାଉଛନ୍ତି, ସେମାନେ ପୁଣି ବେହଦର ଭକ୍ତି ଦ୍ୱାରା ଅଜ୍ଞାନତା ଆଡକୁ ଟାଣି ନେଉଛନ୍ତି । ଏବେ ବାବା ତୁମମାନଙ୍କୁ ବୁଝାଉଛନ୍ତି, ନିଜକୁ ଆତ୍ମା ଭାବି ମୋତେ (ଏକ ବାବାଙ୍କୁ) ମନେ ପକାଅ । ତଥାପି ମଧ୍ୟ ଏଠାରୁ ବାହାରକୁ ଗଲେ ମାୟା ଭୁଲାଇ ଦେଉଛି । ଯେପରି ଗର୍ଭରେ ଥାଇ ପଶ୍ଚାତାପ କରିଥାନ୍ତି ଯେ ଆମେ ଆଉ ଏଭଳି ଭୁଲ କରିବୁ ନାହିଁ, ପୁଣି ବାହାରକୁ ଆସିଲେ ଭୁଲିଯାଇଥାନ୍ତି । ଏଠାରେ ମଧ୍ୟ ଠିକ୍ ସେହିପରି, ବାହାରକୁ ଗଲେ ହିଁ ଭୁଲିଯାଉଛନ୍ତି । ଏହା ଭୁଲ୍ ଠିକ୍‌ର ଖେଳ । ଏବେ ତୁମେ ବାବାଙ୍କର ପୋଷ୍ୟ ସନ୍ତାନ ହୋଇଛ । ଶିବବାବା ସମସ୍ତ ଆତ୍ମାମାନଙ୍କର ଅବିନାଶୀ ପିତା । ବାବା କେତେ ଦୂରରୂ ଆସୁଛନ୍ତି । ତାଙ୍କର ଘର ହେଉଛି ପରମଧାମରେ । ପରମଧାମରୁ ଆସିଲେ ନିଶ୍ଚିତ ରୂପେ ପିଲାମାନଙ୍କ ପାଇଁ କିଛି ଉପହାର ନେଇ ଆସିବେ । ତେବେ ହାତରେ ବହିଃସ୍ଥ ଅର୍ଥାତ୍ ସ୍ୱର୍ଗର ଉପହାର ନେଇ ଆସୁଛନ୍ତି । ବାବା କହୁଛନ୍ତି ସେକେଣ୍ଡରେ ସ୍ୱର୍ଗର ବାଦଶାହୀ ନିଅ । କେବଳ ବାବାଙ୍କୁ ଜାଣ । ସେ ସମସ୍ତ ଆତ୍ମାଙ୍କର ପିତା ଅଟନ୍ତି ନା । କହୁଛନ୍ତି ମୁଁ ତୁମର ପିତା ଅଟେ । ମୁଁ କିପରି ଆସୁଛି - ସେ କଥା ମଧ୍ୟ ତୁମକୁ ବୁଝାଉଛି । ମୋତେ ରଥ ତ ନିଶ୍ଚିତ ଦରକାର । କାହାର ରଥ? କୌଣସି ମହାତ୍ମାଙ୍କର ଶରୀର ରୂପି ରଥ ତ ନେଇପାରିବି ନାହିଁ । ମନୁଷ୍ୟ କହୁଛନ୍ତି - ତୁମେ ବ୍ରହ୍ମାକୁମାର କୁମାରୀମାନେ ବ୍ରହ୍ମାଙ୍କୁ ଭଗବାନ, ବ୍ରହ୍ମାଙ୍କୁ ଦେବତା କହୁଛ । ଆରେ ଆମେ କେଉଁଠି କହୁଛୁ! ତମଃପ୍ରଧାନ ବୃକ୍ଷର ଏକଦମ ଶେଷରେ ଠିଆ ହୋଇଛୁ । ବ୍ରହ୍ମା ମଧ୍ୟ ସେଠାରେ ଠିଆ ହୋଇଛନ୍ତି, ତେଣୁ ବହୁତ ଜନ୍ମର ଅନ୍ତିମ ଜନ୍ମ ହେଲା ନା । ବାବା ନିଜେ କହୁଛନ୍ତି ମୋର ବହୁତ ଜନ୍ମର ଅନ୍ତିମ ଜନ୍ମର ବାନପ୍ରସ୍ଥ ଅବସ୍ଥାରେ ଶିବବାବା ଆସୁଛନ୍ତି । ବାବା ଆସି ମୋତେ ଧନ୍ଦା ଆଦିରୁ ମୁକ୍ତ କଲେ । ଷାଠିଏ ବର୍ଷ ପରେ ମନୁଷ୍ୟ ଭଗବାନଙ୍କୁ ପାଇବା ପାଇଁ ଭକ୍ତି କରିଥାଆନ୍ତି ।

ବାବା କହୁଛନ୍ତି ତୁମେ ସମସ୍ତେ ମନୁଷ୍ୟ ମତରେ ଥିଲ, ଏବେ ବାବା ତୁମକୁ ଶ୍ରୀମତ ଦେଉଛନ୍ତି । ଶାସ୍ତ୍ରର ରଚନାକାରୀ ମଧ୍ୟ ମନୁଷ୍ୟ ଅଟନ୍ତି । ଦେବତାମାନେ ନା ଶାସ୍ତ୍ର ଲେଖନ୍ତି ନା ପଢନ୍ତି । ସତ୍ୟଯୁଗରେ ଶାସ୍ତ୍ର ନ ଥାଏ । ଭକ୍ତି ମଧ୍ୟ ନ ଥାଏ । ଶାସ୍ତ୍ରରେ ସମସ୍ତ କର୍ମକାଣ୍ଡ ଲିଖିତ ଅଛି । ଏଠାରେ ସେ ସବୁ କଥା ନାହିଁ । ତୁମେ ଦେଖୁଛ ଯେ ବାବା ଜ୍ଞାନ ପ୍ରଦାନ କରୁଛନ୍ତି । ଭକ୍ତିମାର୍ଗରେ ତ ଆମେ ବହୁତ ଶାସ୍ତ୍ର ପଢିଛୁ । କେହି ଯଦି ପଚାରନ୍ତି ତୁମେ ବେଦଶାସ୍ତ୍ର ଆଦିକୁ ଅବମାନନା କରୁଛ? ତେବେ କୁହ, ସବୁ ମନୁଷ୍ୟମାନଙ୍କ ଠାରୁ ଆମେ ଅଧିକ ମାନୁଛୁ ବା ଗ୍ରହଣ କରୁଛୁ । ପ୍ରାରମ୍ଭରୁ ଆମେ ହିଁ ଅବ୍ୟଭିଚାରୀ ଭକ୍ତି ଆରମ୍ଭ କରିଥିଲୁ । ଏବେ ଆମକୁ ଜ୍ଞାନ ମିଳିଛି । ଜ୍ଞାନ ଦ୍ୱାରା ସଦ୍‌ଗତି ହୋଇଥାଏ, ତେବେ ଆମେ ଭକ୍ତି କାହିଁକି କରିବୁ? ବାବା କହୁଛନ୍ତି - ପିଲାମାନେ, ଖରାପ ଶୁଣ ନାହିଁ, ଖରାପ ଦେଖ ନାହିଁ... । ବାବା କେତେ ସରଳ ଭାବେ ବୁଝାଉଛନ୍ତି - ମଧୁର ସନ୍ତାନଗଣ, ନିଜକୁ ଆତ୍ମା ନିଶ୍ଚୟ କର । ମୁଁ ଆତ୍ମା ଅଟେ, କିନ୍ତୁ ସେମାନେ କହିଦେଉଛନ୍ତି ମୁଁ ଆଲ୍ଲା ଅଟେ । ଏବେ ତୁମକୁ ଶିକ୍ଷା ମିଳୁଛି ମୁଁ ଆତ୍ମା, ବାବାଙ୍କର ସନ୍ତାନ ଅଟେ । କିନ୍ତୁ ଏହି କଥାକୁ ମାୟା ଘଡି ଘଡି ଭୁଲାଇ ଦେଉଛି । ଦେହ-ଅଭିମାନୀ ହେବା ଦ୍ୱାରା ଓଲଟା କର୍ମ ହୋଇଥାଏ । ଏବେ ବାବା କହୁଛନ୍ତି ପିଲାମାନେ - ବାବାଙ୍କୁ ଭୁଲ ନାହିଁ । ସମୟ ନଷ୍ଟ କର ନାହିଁ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ରଚୟିତା ଏବଂ ରଚନାର ରହସ୍ୟକୁ ଯଥାର୍ଥ ଭାବରେ ବୁଝି ଆସ୍ତିକ ହେବାକୁ ପଡିବ । ଡ୍ରାମାର ଜ୍ଞାନକୁ ବୁଝିବାରେ ସଂଶୟ ଆଣିବାର ନାହିଁ । ନିଜର ବୁଦ୍ଧିକୁ ହଦ୍ ଅର୍ଥାତ୍ ଲୌକିକରୁ ମୁକ୍ତ କରି ବେହଦ ଅର୍ଥାତ୍ ଅଲୌକିକ କରିବାକୁ ହେବ ।

(୨) ସୂକ୍ଷ୍ମଲୋକ ନିବାସୀ ଫରିସ୍ତା ହେବା ପାଇଁ ସମ୍ପୂର୍ଣ୍ଣ ପବିତ୍ର ହେବାକୁ ପଡିବ । ଆତ୍ମାରେ ଯେଉଁ ଆବର୍ଜନା ଭରି ରହିଛି, ସେଗୁଡିକୁ ଯୋଗବଳ ଆଧାରରେ ବାହାର କରି ସ୍ୱଚ୍ଛ ହେବାକୁ ପଡିବ ।

ବରଦାନ:-
ଈଶ୍ୱରୀୟ ରସର ଅନୁଭବ କରି ଏକରସ ସ୍ଥିତିରେ ସ୍ଥିତ ରହୁଥିବା ଶ୍ରେଷ୍ଠ ଆତ୍ମା ଭବ ।

ଯେଉଁ ପିଲାମାନେ ଈଶ୍ୱରୀୟ ରସକୁ ଅନୁଭବ କରିନିଅନ୍ତି ସେମାନଙ୍କୁ ଦୁନିଆର ଅନ୍ୟ ସବୁ ରସ ଫିକା ଲାଗିଥାଏ । ଯେହେତୁ ଏହି ଗୋଟିଏ ରସ ହିଁ ମିଠା ଅଟେ ତେଣୁ ସେହି ଗୋଟିଏ ଆଡକୁ ଆକର୍ଷିତ ହେବେ ନା । ଅତି ସହଜରେ ଗୋଟିଏ ଆଡକୁ ମନ ଲାଗିଯାଏ, ମେହନତ କରିବାକୁ ପଡେ ନାହିଁ । ବାବାଙ୍କର ସ୍ନେହ, ବାବାଙ୍କର ସହଯୋଗ, ବାବାଙ୍କର ସଙ୍ଗ ବାବାଙ୍କ ଦ୍ୱାରା ହେଉଥିବା ସର୍ବପ୍ରାପ୍ତିଗୁଡିକ ସହଜରେ ଅବସ୍ଥାକୁ ଏକରସ କରିଦିଏ । ତେବେ ଏହିଭଳି ଏକରସ ଅବସ୍ଥାରେ ରହୁଥିବା ଆତ୍ମାମାନେ ହିଁ ଶ୍ରେଷ୍ଠ ଅଟନ୍ତି ।

ସ୍ଲୋଗାନ:-
ପଙ୍କକୁ ନିଜ ଭିତରେ ରଖି ରତ୍ନ ପ୍ରଦାନ କରିବା ହିଁ ମାଷ୍ଟର ସାଗର ହେବା ।