10.02.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କ ଦ୍ୱାରା ତୁମକୁ ଯେଉଁ ଅଦ୍ୱୈତ ମତ ମିଳୁଛି, ସେହି ମତରେ ଚାଲି କଳିଯୁଗୀ ମନୁଷ୍ୟମାନଙ୍କୁ ସତ୍ୟଯୁଗୀ ଦେବତା କରିବାର ଶ୍ରେଷ୍ଠ କର୍ତ୍ତବ୍ୟ କରିବାକୁ ହେବ ।”

ପ୍ରଶ୍ନ:-
ସମସ୍ତ ମନୁଷ୍ୟ ମାତ୍ରକେ ଦୁଃଖୀ କାହିଁକି ହୋଇଯାଇଛନ୍ତି, ଏହାର ମୂଳ କାରଣ କ’ଣ?

ଉତ୍ତର:-
ରାବଣ ସମସ୍ତଙ୍କୁ ଅଭିଶପ୍ତ କରିଦେଇଛି, ସେଥିପାଇଁ ସମସ୍ତେ ଦୁଃଖୀ ହୋଇଯାଇଛନ୍ତି । ବାବା ସମ୍ପତ୍ତି ଦେଉଛନ୍ତି, ରାବଣ ଅଭିଶାପ ଦେଉଛି - ଏକଥା ମଧ୍ୟ ଦୁନିଆରେ କେହି ଜାଣିନାହାଁନ୍ତି । ବାବା ପିଲାମାନଙ୍କୁ ସମ୍ପତ୍ତି ଦେଇଥିଲେ ସେଥିପାଇଁ ତ ଭାରତବାସୀ ଏତେ ସୁଖୀ, ସ୍ୱର୍ଗର ମାଲିକ, ପୂଜ୍ୟ ହୋଇଥିଲେ । ପରେ ରାବଣର ଅଭିଶାପ ମିଳିବା ଦ୍ୱାରା ପୂଜାରୀ ହୋଇଗଲେ ।

ଓମ୍ ଶାନ୍ତି ।
ପିଲାମାନେ ମଧୁବନ ବାପଦାଦାଙ୍କ ପାଖକୁ ଆସୁଛନ୍ତି । ହଲକୁ ଯେତେବେଳେ ଆସୁଛ ପ୍ରଥମେ ଦେଖୁଛ ଭାଇ-ଭଉଣୀମାନେ ବସିଛନ୍ତି ତାପରେ ଦେଖୁଛ ଯେ ବାପଦାଦା ମଧ୍ୟ ଆସିଛନ୍ତି । ତେଣୁ ବାବାଙ୍କର ସ୍ମୃତି ଆସିଯାଉଛି । ତୁମେମାନେ ବ୍ରାହ୍ମଣ ଏବଂ ବ୍ରାହ୍ମଣୀମାନେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟ । ଦୁନିଆର ଲୌକିକ ବ୍ରାହ୍ମଣମାନେ ତ ବ୍ରହ୍ମାବାବାଙ୍କୁ ଜାଣିନାହାଁନ୍ତି । ତୁମେ ପିଲାମାନେ ଜାଣୁଛ - ବାବା ଯେତେବେଳେ ଆସୁଛନ୍ତି ସେତେବେଳେ ବ୍ରହ୍ମା-ବିଷ୍ଣୁ-ଶଙ୍କର ମଧ୍ୟ ନିଶ୍ଚିତ ଆବଶ୍ୟକ । କୁହାଯାଇଥାଏ ତ୍ରିମୂର୍ତ୍ତି ଶିବ ଭଗବାନୁବାଚ । କିନ୍ତୁ ତିନି ଜଣଙ୍କ ଦ୍ୱାରା ତ ଜ୍ଞାନ ଶୁଣାଇବେ ନାହିଁ ନା । ଏହି କଥାକୁ ଭଲ ଭାବରେ ବୁଦ୍ଧିରେ ଧାରଣ କରିବାକୁ ହେବ । ବେହଦର ବାବାଙ୍କଠାରୁ ନିଶ୍ଚିତ ଭାବରେ ସ୍ୱର୍ଗର ସମ୍ପତ୍ତି ମିଳୁଛି, ସେଥିପାଇଁ ସମସ୍ତ ଭକ୍ତ ଭଗବାନଙ୍କଠାରୁ କ’ଣ ଚାହୁଁଛନ୍ତି? ଜୀବନମୁକ୍ତି । ଏବେ ଜୀବନ-ବନ୍ଧନରେ ଅଛନ୍ତି । ସମସ୍ତେ ବାବାଙ୍କୁ ମନେ ପକାଉଛନ୍ତି, କହୁଛନ୍ତି ଏଠାକୁ ଆସି ଆମକୁ ଏହି ବନ୍ଧନରୁ ମୁକ୍ତ କର । ଏବେ ତୁମେ ପିଲାମାନେ ହିଁ ଜାଣିଛ ଯେ ବାବା ଆସିଛନ୍ତି । ବାବା କଳ୍ପ କଳ୍ପ ଆସୁଛନ୍ତି । ଡାକୁଛନ୍ତି ମଧ୍ୟ - ତୁମେ ମାତା ପିତା.... କିନ୍ତୁ ଏହାର ଅର୍ଥକୁ କେହି ବି ବୁଝିପାରୁ ନାହାଁନ୍ତି । ନିରାକାର ବାବାଙ୍କ ଉଦ୍ଦେଶ୍ୟରେ ହିଁ ଡାକିଥା’ନ୍ତି । ଗାୟନ କରୁଛନ୍ତି କିନ୍ତୁ କିଛି ବି ପ୍ରାପ୍ତି ହେଉ ନାହିଁ । ଏବେ ତୁମ ପିଲାମାନଙ୍କୁ ତାଙ୍କଠାରୁ ସମ୍ପତ୍ତି ମିଳୁଛି । ପୁଣି କଳ୍ପ ପରେ ମଧ୍ୟ ମିଳିବ । ପିଲାମାନେ ଜାଣିଛନ୍ତି ବାବା ଆସି ଅଧାକଳ୍ପ ନିମନ୍ତେ ସମ୍ପତ୍ତି ଦେଉଛନ୍ତି, ରାବଣ ପୁଣି ଅଭିଶାପ ଦେଉଛି । ଏକଥା ମଧ୍ୟ ଦୁନିଆ ଜାଣିନାହିଁ ଯେ, ଆମେ ସମସ୍ତେ ଅଭିଶପ୍ତ ଅଟୁ । ରାବଣର ଅଭିଶାପ ପଡିଯାଇଛି, ସେଥିପାଇଁ ସମସ୍ତେ ଦୁଃଖୀ ହୋଇଯାଇଛନ୍ତି । ଭାରତବାସୀ ବହୁତ ସୁଖୀ ଥିଲେ । କାଲି ଅର୍ଥାତ୍ ସତ୍ୟଯୁଗୀ ଭାରତରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଦେବତାମାନଙ୍କ ଆଗରେ ମୁଣ୍ଡ ନୁଆଁଉଛନ୍ତି, ପୂଜା କରୁଛନ୍ତି କିନ୍ତୁ ସତ୍ୟଯୁଗ କେବେ ଥିଲା, ଏକଥା କେହି ଜାଣି ନାହାଁନ୍ତି । ଦେଖ କେବଳ ସତ୍ୟଯୁଗର ଆୟୁଷ ହିଁ ଲକ୍ଷ ଲକ୍ଷ ବର୍ଷ ଦେଖାଇଛନ୍ତି, ପୁଣି ତ୍ରେତା ଯୁଗ, ଦ୍ୱାପର ଯୁଗ, କଳିଯୁଗର ଆୟୁଷ କେତେ ହେବ, ସେହି ହିସାବରେ ଲୋକସଂଖ୍ୟା କେତେ ଅଧିକ ହୋଇଯିବା କଥା । ଯଦି ସତ୍ୟଯୁଗ ଲକ୍ଷେ ବର୍ଷ ହେବ, ତେବେ କେବଳ ସତ୍ୟଯୁଗରେ ହିଁ ଅନେକ ମନୁଷ୍ୟ ହୋଇଯାଇଥାନ୍ତେ । କିନ୍ତୁ କୌଣସି ମନୁଷ୍ୟଙ୍କ ବୁଦ୍ଧିରେ ଏକଥା ଆସୁନାହିଁ । ବାବା ବସି ବୁଝାଉଛନ୍ତି, ଦେଖ ଗାୟନ ମଧ୍ୟ କରାଯାଉଛି ଯେ, ୩୩ କୋଟି ଦେବୀ-ଦେବତା ରହିବେ । ଏକଥା କ’ଣ ସମ୍ଭବ ଯେ ଲକ୍ଷ-ଲକ୍ଷ ବର୍ଷରେ ମାତ୍ର ୩୩ କୋଟି ଦେବୀ-ଦେବତା ହେବେ । ତେଣୁ ଏକଥା ମଧ୍ୟ ମନୁଷ୍ୟମାନଙ୍କୁ ବୁଝାଇବାକୁ ପଡ଼ିବ ।

ବର୍ତ୍ତମାନ ତୁମେମାନେ ଜାଣିପାରୁଛ ଯେ, ବାବା ଆମକୁ ସ୍ୱଚ୍ଛ ବୁଦ୍ଧି କରାଉଛନ୍ତି । ରାବଣ ମ୍ଲେଚ୍ଛ ଅର୍ଥାତ୍ ବିକାରୀ ବୁଦ୍ଧି କରାଉଛି । ଏହା ହିଁ ମୁଖ୍ୟ କଥା । ସତ୍ୟଯୁଗରେ ପବିତ୍ରତା ରହିବ, ଏଠାରେ ଅପବିତ୍ରତା ରହିଛି । ଏ କଥା ମଧ୍ୟ କେହି ଜାଣିନାହାଁନ୍ତି ଯେ, ରାମରାଜ୍ୟ କେବେଠାରୁ କେବେ ପର୍ଯ୍ୟନ୍ତ ଚାଲୁଛି? ରାବଣ ରାଜ୍ୟ କେବେଠାରୁ କେବେ ପର୍ଯ୍ୟନ୍ତ ହେଉଛି? ଭାବୁଛନ୍ତି ଏହିଠାରେ ହିଁ ରାମରାଜ୍ୟ, ଏହିଠାରେ ହିଁ ରାବଣ ରାଜ୍ୟ ମଧ୍ୟ ହେଉଛି । ଅନେକ ମତ ମତାନ୍ତର ରହିଛି ନା । ଏଠାରେ ଯେତେ ମନୁଷ୍ୟ, ସେତେ ମତ ରହିଛି । ବର୍ତ୍ତମାନ ଏଠାରେ ତୁମ ପିଲାମାନଙ୍କୁ ଏକମାତ୍ର ଅଦ୍ୱୈତ ମତ ମିଳୁଛି ଯାହାକୁ ବାବା ହିଁ ଦେଉଛନ୍ତି । ତୁମେ ଏବେ ବ୍ରହ୍ମାଙ୍କ ଦ୍ୱାରା ଦେବତା ହେଉଛ । ଦେବତାମାନଙ୍କର ମହିମାର ଗାୟନ କରାଯାଏ - ସର୍ବଗୁଣ ସମ୍ପନ୍ନ, ୧୬ କଳା ସଂପୂର୍ଣ୍ଣ... ସେମାନେ ମଧ୍ୟ ମନୁଷ୍ୟ ଅଟନ୍ତି, ତେବେ ସେମାନଙ୍କର ମହିମାର ଗାୟନ କରୁଛନ୍ତି କାହିଁକି? ନିଶ୍ଚିତ କିଛି ଫରକ ଥିବ ନା । ଏବେ ତୁମେ ପିଲାମାନେ ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ ମନୁଷ୍ୟକୁ ଦେବତା କରାଇବାର କର୍ତ୍ତବ୍ୟ ଶିଖୁଛ । କଳିଯୁଗୀ ମନୁଷ୍ୟମାନଙ୍କୁ ତୁମେ ସତ୍ୟଯୁଗୀ ଦେବତା କରାଉଛ ଅର୍ଥାତ୍ ଶାନ୍ତିଧାମ, ବ୍ରହ୍ମାଣ୍ଡର ଏବଂ ବିଶ୍ୱର ମାଲିକ କରାଉଛ, ଏହା ତ ଶାନ୍ତିଧାମ ନୁହେଁ ନା । ଏଠାରେ ତ କର୍ମ ନିଶ୍ଚିତ କରିବାକୁ ପଡ଼ିବ । ତାହା ହେଉଛି ସୁଇଟ୍ ସାଇଲେନ୍ସ ହୋମ୍ ଅର୍ଥାତ୍ ମିଠା ଶାନ୍ତିର ଘର । ଏବେ ତୁମେମାନେ ଜାଣୁଛ, ଆମେ ଆତ୍ମାମାନେ ସୁଇଟ୍‌ ହୋମ, ବ୍ରହ୍ମାଣ୍ଡର ମାଲିକ ଅଟୁ । ସେଠାରେ ଆତ୍ମାମାନେ ସୁଖ-ଦୁଃଖରୁ ଉର୍ଦ୍ଧ୍ୱରେ ଥା’ନ୍ତି । ପୁଣି ସତ୍ୟଯୁଗରେ ବିଶ୍ୱର ମାଲିକ ହୋଇଥା’ନ୍ତି । ଏବେ ତୁମେ ପିଲାମାନେ ଯୋଗ୍ୟ ହେବାକୁ ଯାଉଛ । ପ୍ରକୃତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତୁମ ସମ୍ମୁଖରେ ରହିଛି । ତୁମେ ପିଲାମାନେ ହିଁ ଯୋଗବଳର ଅଧିକାରୀ ଅଟ । ସେମାନେ ହେଲେ ବାହୁବଳର ଅଧିକାରୀ । ତୁମେମାନେ ମଧ୍ୟ ଯୁଦ୍ଧ ଭୁମିରେ ଛିଡ଼ା ହୋଇଛ, କିନ୍ତୁ ତୁମେ ଡବଲ ଅହିଂସକ ଅଟ । ସେମାନେ ହିଂସକ ଅଟନ୍ତି । କାମ ବିକାରକୁ ହିଂସା କୁହାଯାଉଛି । ସନ୍ନ୍ୟାସୀମାନେ ମଧ୍ୟ ଜାଣିଛନ୍ତି ଯେ ଏହା ହିଂସା ଅଟେ ସେଥିପାଇଁ ପବିତ୍ର ହେଉଛନ୍ତି, କିନ୍ତୁ ତୁମମାନଙ୍କ ବ୍ୟତୀତ ବାବାଙ୍କ ସହିତ ପ୍ରୀତି କାହାର ମଧ୍ୟ ନାହିଁ । ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ପ୍ରୀତ ଥାଏ ନା । ସେମାନେ ତ ଗୋଟିଏ ଜନ୍ମ ପାଇଁ ପ୍ରେମିକ ପ୍ରେମିକା ହୋଇଥା’ନ୍ତି । ସେହିପରି ମୁଁ ତୁମର ପ୍ରେମିକ ଏବଂ ତୁମେ ସମସ୍ତେ ମୋର ପ୍ରେମିକା ଅଟ । ଭକ୍ତିମାର୍ଗରେ ଏକମାତ୍ର ମୋତେ ହିଁ ମନେପକାଇ ଆସିଛ । ଏବେ ମୁଁ କହୁଛି କେବଳ ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ ଏବଂ ଯଥାର୍ଥ ରୂପେ ମୋତେ ମନେ ପକାଅ ତେବେ ପୁନର୍ବାର ମୋତେ ମନେ ପକାଇବାରୁ ମୁକ୍ତ ହୋଇଯିବ । ସତ୍ୟଯୁଗରେ ମନେ ପକାଇବାର କୌଣସି ଆବଶ୍ୟକତା ହିଁ ରହିବ ନାହିଁ । ଦୁଃଖରେ ସମସ୍ତେ ଈଶ୍ୱରଙ୍କୁ ସ୍ମରଣ କରିଥା’ନ୍ତି । ଏହା ହେଉଛି ନର୍କ । ଏହାକୁ ସ୍ୱର୍ଗ ତ କୁହାଯିବ ନାହିଁ ନା । ଯେଉଁମାନେ ଧନବାନ୍ ସେମାନେ ଭାବନ୍ତି ଯେ, ଆମ ପାଇଁ ତ ଏହା ହିଁ ସ୍ୱର୍ଗ ଅଟେ । ବିମାନ ଆଦି ସବୁ କିଛି ବୈଭବ ମାନ ରହିଛି, କେତେ ଅନ୍ଧଶ୍ରଦ୍ଧାରେ ରହିଛନ୍ତି । ଗାୟନ ମଧ୍ୟ କରୁଛନ୍ତି ତୁମେ ମାତା ପିତା .... କିନ୍ତୁ କିଛି ହେଲେ ବୁଝି ନାହିାଁନ୍ତି । ବାବାଙ୍କଠାରୁ କେତେ ଅସରନ୍ତି ସୁଖ ମିଳୁଛି - ଏ କଥା କେହି ମଧ୍ୟ ଜାଣିନାହାଁନ୍ତି । ଏ ସବୁ କଥା ଆତ୍ମା ହିଁ କହୁଛି ନା । ତୁମେ ଆତ୍ମାମାନେ ଭାବୁଛ ଆମକୁ ଅସରନ୍ତି ସୁଖ ମିଳିବାର ଅଛି । ତା’ର ନାମ ହିଁ ହେଉଛି - ସ୍ୱର୍ଗ, ସୁଖଧାମ । ସ୍ୱର୍ଗ ସମସ୍ତଙ୍କୁ ବହୁତ ପ୍ରିୟ ମଧ୍ୟ ଲାଗିଥାଏ । ତୁମେ ଏବେ ଜାଣୁଛ ସ୍ୱର୍ଗରେ ହୀରା ନୀଳାର କେତେ ମହଲ ଥିଲା । ଭକ୍ତିମାର୍ଗରେ ମଧ୍ୟ କେତେ ଅସରନ୍ତି ଧନ ଥିଲା, ଯେଉଁଥିରେ କି ସୋମନାଥ ମନ୍ଦିର ତିଆରି କରାଯାଇଥିଲା । ଗୋଟିଏ - ଗୋଟିଏ ଚିତ୍ରର ମୂଲ୍ୟ ଲକ୍ଷ-ଲକ୍ଷ ଟଙ୍କା ଥିଲା । ସେ ସବୁ କୁଆଡ଼େ ଚାଲିଗଲା? କେତେ ଲୁଟ୍ କରି ନେଇଗଲେ! ଏତେ ଅସରନ୍ତି ଧନ ଥିଲା । ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ବାବାଙ୍କ ଦ୍ୱାରା ପୁନର୍ବାର ସ୍ୱର୍ଗର ମାଲିକ ହେଉଛୁ । ଆମର ମହଲ ସୁନାର ହେବ । କବାଟ ଇତ୍ୟାଦିରେ ମଧ୍ୟ ରତ୍ନ ଲାଗି ରହିଥିବ । ଜୈନମାନଙ୍କର ମନ୍ଦିର ମଧ୍ୟ ଏହିପରି ତିଆରି ହୋଇଥାଏ । ଏବେ ସେହି ହୀରା ଆଦି ତ ନାହିଁ ନା ଯାହାକି ପୂର୍ବରୁ ଥିଲା । ଏବେ ତୁମେ ଜାଣୁଛ ଆମେ ବାବାଙ୍କଠାରୁ ସ୍ୱର୍ଗର ବର୍ସା ନେଉଛୁ । ଶିବବାବା ଭାରତକୁ ହିଁ ଆସୁଛନ୍ତି । ଭାରତକୁ ହିଁ ଶିବ ଭଗବାନଙ୍କଠାରୁ ସ୍ୱର୍ଗର ବର୍ସା ମିଳୁଛି । ଖ୍ରୀଷ୍ଟିୟାନମାନେ ମଧ୍ୟ କହୁଛନ୍ତି ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । କିଏ ରାଜ୍ୟ କରୁଥିଲେ? ଏକଥା କେହି ଜାଣିନାହାଁନ୍ତି । ବାକି ଏକଥା ଭାବୁଛନ୍ତି ଯେ ଭାରତ ବହୁତ ପୁରୁଣା ଅଟେ । ତେବେ ଏହି ଭାରତ ସ୍ୱର୍ଗ ଥିଲା ନା । ବାବାଙ୍କୁ ସ୍ୱର୍ଗର ଇଶ୍ୱର ପିତା ବୋଲି ମଧ୍ୟ କହୁଛନ୍ତି ଅର୍ଥାତ୍ ସିଏ ସ୍ୱର୍ଗ ସ୍ଥାପନ କରୁଥିବା ପିତା ଅଟନ୍ତି । ତେବେ ନିଶ୍ଚିତ ଏଠାକୁ ଆସିଥିବେ, ତେବେ ଯାଇ ତୁମେ ସ୍ୱର୍ଗର ମାଲିକ ହୋଇଥିବ । ତୁମେମାନେ ପ୍ରତ୍ୟେକ ୫ ହଜାର ବର୍ଷ ପରେ ସ୍ୱର୍ଗର ମାଲିକ ହେଉଛ ପୁଣି ଅଧାକଳ୍ପ ପରେ ରାବଣ ରାଜ୍ୟ ଆରମ୍ଭ ହେଉଛି । ଚିତ୍ରରେ ଏପରି ସ୍ପଷ୍ଟ ଭାବରେ ବୁଝାଅ ଯେ ଲକ୍ଷ-ଲକ୍ଷ ବର୍ଷର କଥା ଯେପରି ସମସ୍ତଙ୍କ ବୁଦ୍ଧିରୁ ବାହାରି ଯିବ । ଲକ୍ଷ୍ମୀ-ନାରାୟଣ କେବଳ ଏକା ନୁହଁନ୍ତି, ସେମାନଙ୍କର ବଂଶାବଳୀ ମଧ୍ୟ ଥିବେ ନା ପୁଣି ତାଙ୍କର ପିଲାମାନେ ରାଜା ହେଉଥିବେ । ରାଜା ତ ବହୁତ ହେବେ ନା । ସମ୍ପୂର୍ଣ୍ଣ ମାଳା ତିଆରି ହୋଇଛି । ମାଳାକୁ ହିଁ ସ୍ମରଣ କରିଥା’ନ୍ତି ନା । ଯେଉଁମାନେ ବାବାଙ୍କର ସହଯୋଗୀ ହୋଇ ବାବାଙ୍କର ସେବା କରିଥା’ନ୍ତି ତାଙ୍କର ହିଁ ମାଳା ତିଆରି ହୋଇଥାଏ । ଯେଉଁମାନେ ପୂରା ଚକ୍ରରେ ଆସିଥା’ନ୍ତି, ପୂଜ୍ୟ ଓ ପୂଜାରୀ ହୋଇଥା’ନ୍ତି ସେମାନଙ୍କର ହିଁ ଏହା ସ୍ମୃତି ଚିହ୍ନ ଅଟେ । ତୁମେ ପୂଜ୍ୟରୁ ପୂଜାରୀ ହେଉଛ ତେଣୁ ନିଜର ମାଳାକୁ ବସି ପୂଜା କରୁଛ । ପ୍ରଥମେ ମାଳାରେ ହାତ ଲଗାଇ ମୁଣ୍ଡିଆ ମାରିଥା’ନ୍ତି । ତା’ ପରେ ମାଳା ଗଡ଼ାଇବା ଆରମ୍ଭ କରିଥା’ନ୍ତି । ତୁମେମାନେ ମଧ୍ୟ ସାରା ଚକ୍ର ଲଗାଇ ସାରିବା ପରେ ଶିବବାବାଙ୍କଠାରୁ ସମ୍ପତ୍ତି ପାଉଛ । ଏହି ରହସ୍ୟକୁ କେବଳ ତୁମେମାନେ ହିଁ ଜାଣିଛ । ମନୁଷ୍ୟମାନେ ତ କିଏ କାହାର, ପୁଣି ଆଉ କିଏ ଆଉ କାହାର ନାମକୁ ଜପି ମାଳା ଗଡ଼ାଇଥା’ନ୍ତି । କାରଣ ସେମାନେ କିଛି ହେଲେ ଜାଣି ନାହାଁନ୍ତି । ଏବେ ତୁମ ପାଖରେ ମାଳାର ସମସ୍ତ ଜ୍ଞାନ ରହିଛି, ଆଉ କାହା ପାଖରେ ଏହି ଜ୍ଞାନ ନାହିଁ । ଖ୍ରୀଷ୍ଟିୟାନମାନେ ଜାଣିନାହାଁନ୍ତି ଯେ ଏମାନେ କାହାର ମାଳା ଗଡ଼ାଉଛନ୍ତି । ଏହି ମାଳା ସେହିମାନଙ୍କର ଅଟେ ଯେଉଁମାନେ ବାବାଙ୍କର ସହଯୋଗୀ ହୋଇ ସେବା କରୁଛନ୍ତି । ବର୍ତ୍ତମାନ ସମସ୍ତେ ପତିତ, ଯେଉଁମାନେ ପବିତ୍ର ଥିଲେ ସେମାନେ ସମସ୍ତେ ଏଠାକୁ ଆସି ଏବେ ପତିତ ହୋଇଯାଇଛନ୍ତି । ପୁଣି କ୍ରମାନୁସାରେ ସମସ୍ତେ ଯିବେ । କ୍ରମାନୁସାରେ ଆସୁଛନ୍ତି, ପୁଣି କ୍ରମାନୁସାରେ ଯିବେ । ଏ ସବୁ କେତେ ବୁଝିବାର କଥା । ଏହା ମନୁଷ୍ୟ ସୃଷ୍ଟିରୂପି ବୃକ୍ଷ । କେତେ ଶାଖା-ପ୍ରଶାଖା ମଠ ପନ୍ଥ ରହିଛି । ଏବେ ଏହି ସୃଷ୍ଟି ସଂପୂର୍ଣ୍ଣ ସମାପ୍ତ ହୋଇଯିବ, ପୁଣି ଥରେ ତୁମର ମୂଳଦୁଆ ପଡିବ । ତୁମେମାନେ ଏହି ମନୁଷ୍ୟ ସୃଷ୍ଟି ରୂପି ବୃକ୍ଷର ମୂଳଦୁଆ ଅଟ । ଏଥିରେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଉଭୟ ଅଛନ୍ତି । ସତ୍ୟଯୁଗ ଏବଂ ତ୍ରେତାଯୁଗରେ ଯେଉଁମାନେ ରାଜତ୍ୱ କରିଥିଲେ, ତାଙ୍କର ଧର୍ମ ହିଁ ନାହିଁ, କେବଳ ଚିତ୍ର ରହିଛି । ଯାହାଙ୍କର ଚିତ୍ର ଅଛି ତାଙ୍କର ଜୀବନ କାହାଣୀକୁ ତ ଜାଣିବା ଦରକାର ନା । କହିଦେଉଛନ୍ତି ଅମୁକ ଜିନିଷ ଲକ୍ଷ-ଲକ୍ଷ ବର୍ଷର ପୁରୁଣା ଅଟେ । କିନ୍ତୁ ବାସ୍ତବରେ ଅତି ପୁରୁଣା ହେଉଛି ଆଦି ସନାତନ ଦେବୀ-ଦେବତା ଧର୍ମ । ଏହାଠାରୁ ତ କୌଣସି ଜିନିଷ ଅଧିକ ପୁରୁଣା ହୋଇ ପାରିବ ନାହିଁ । ବାକି ସବୁ ୨୫୦୦ ବର୍ଷର ପୁରୁଣା ଜିନିଷ ହୋଇଥିବ, ସେ ସବୁକୁ ତଳୁ ଖୋଳି ବାହାର କରୁଛନ୍ତି ନା । ଭକ୍ତି ମାର୍ଗରେ ଯେଉଁମାନଙ୍କର ପୂଜା କରୁଛନ୍ତି ସେହି ପୁରୁଣା ଚିତ୍ରକୁ ବାହାର କରୁଛନ୍ତି କାହିଁକିନା ଭୂମିକମ୍ପରେ ସବୁ ମନ୍ଦିର ଆଦି ଭାଙ୍ଗିଯାଇଛି ପୁଣି ନୂଆ ତିଆରି କରିଛନ୍ତି । ହୀରା, ସୁନା ଆଦିର ଖଣି ଯାହା ଏବେ ଖାଲି ହୋଇଯାଇଛି ତାହା ପୁଣି ସେଠାରେ ଭରପୁର ହୋଇଯିବ । ଏହି ସବୁ କଥା ଏବେ ତୁମମାନଙ୍କ ବୁଦ୍ଧିରେ ରହିଛି ନା । ବିଶ୍ୱର ଇତିହାସ-ଭୂଗୋଳ ବାବା ବୁଝାଇଛନ୍ତି । ସତ୍ୟଯୁଗରେ କେତେ କମ୍ ମନୁଷ୍ୟ ରହିବେ ପୁଣି ଜନସଂଖ୍ୟା ବୃଦ୍ଧି ହୋଇଚାଲିବ । ଏ ପର୍ଯ୍ୟନ୍ତ ମଧ୍ୟ ଆତ୍ମାମାନେ ପରମଧାମରୁ ଆସୁଛନ୍ତି । ଆତ୍ମାମାନେ ଆସିବା ଦ୍ୱାରା ଜନସଂଖ୍ୟା ବଢ଼ିଚାଲିଛି । ପୁଣି ଯେତେବେଳେ ବୃକ୍ଷର ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥା ହୋଇଯାଏ ତେବେ କୁହାଯାଏ ରାମ ଗଲେ ରାବଣ ଗଲେ, ଯାହାଙ୍କର ବହୁତ ପରିବାର ଅଛି, ସମସ୍ତେ ଯିବେ । ଅନେକ ଧର୍ମ ରହିଛି ନା । ବର୍ତ୍ତମାନ ଆମର ପରିବାର କେତେ ଛୋଟ ଅଟେ । ଏହା କେବଳ ବ୍ରାହ୍ମଣମାନଙ୍କର ହିଁ ପରିବାର ଅଟେ । ଦୁନିଆରେ ଅନେକ ଧର୍ମ ରହିଛି, ଜନଗଣନା କରି ଜନସଂଖ୍ୟାର ହିସାବ କହୁଛନ୍ତି ନା । ସେମାନେ ସମସ୍ତେ ରାବଣ ସମ୍ପ୍ରଦାୟର ଅଟନ୍ତି । ଏମାନେ ସମସ୍ତେ ଘରକୁ ଯିବେ ବାକି ଅଳ୍ପ ଆତ୍ମା ହିଁ ରହିବେ । ରାବଣ ସମ୍ପ୍ରଦାୟ ଆଉ ସ୍ୱର୍ଗକୁ ଆସିବେ ନାହିଁ, ସମସ୍ତେ ମୁକ୍ତିଧାମରେ ହିଁ ରହିବେ । ବାକି ତୁମେ ଯେଉଁମାନେ ଏଠି ପାଠ ପଢ଼ୁଛ ସେମାନେ କ୍ରମାନୁସାରେ ସ୍ୱର୍ଗକୁ ଆସିବ ।

ଏବେ ତୁମେ ପିଲାମାନେ ଜାଣୁଛ ତାହା ନିରାକାରୀ ବୃକ୍ଷ ଏବଂ ଏହା ହେଉଛି ମନୁଷ୍ୟ ସୃଷ୍ଟି ରୂପକ ବୃକ୍ଷ । ଏକଥା ତୁମମାନଙ୍କ ବୁଦ୍ଧିରେ ରହିଛି । ପାଠପଢ଼ା ପ୍ରତି ଧ୍ୟାନ ନ ଦେଲେ ପରୀକ୍ଷାରେ ଫେଲ୍ ହୋଇଯିବ । ନିଜେ ପଢ଼ି ଏବଂ ଅନ୍ୟମାନଙ୍କୁ ପଢ଼ାଉଥିଲେ ଖୁସି ମଧ୍ୟ ରହିବ । ଯଦି ବିକାରଗ୍ରସ୍ତ ହୋଇଗଲ ତେବେ ସବୁ କିଛି ଭୁଲିଯିବ । ଆତ୍ମା ଯେତେବେଳେ ପବିତ୍ର ଖାଣ୍ଟି ସୁନା ହୋଇଯିବ ସେତେବେଳେ ବହୁତ ଭଲ ଧାରଣା ହୋଇପାରିବ । ସୁବର୍ଣ୍ଣ ପାତ୍ର ଅର୍ଥାତ୍ ପବିତ୍ର ସ୍ୱର୍ଣ୍ଣିମ ବୁଦ୍ଧି । ଯଦି କେହି ପତିତ ହେଉଛନ୍ତି ତେବେ ଜ୍ଞାନ ଶୁଣାଇ ପାରିବେ ନାହିଁ । ଏବେ ତୁମେମାନେ ସମ୍ମୁଖରେ ବସିଛ, ଜାଣିଛ ଇଶ୍ୱର ପିତା ଶିବବାବା ଆମ ଆତ୍ମାମାନଙ୍କୁ ପାଠ ପଢ଼ାଉଛନ୍ତି । ଆମେ ଆତ୍ମାମାନେ ଏହି କର୍ମେନ୍ଦ୍ରିୟ ଦ୍ୱାରା ଶୁଣୁଛୁ । ସ୍ୱୟଂ ଭଗବାନ ପାଠ ପଢ଼ାଉଛନ୍ତି, ଏପରି ପାଠଶାଳା କ’ଣ ସାରା ଦୁନିଆରେ ଆଉ କେଉଁଠି ଥିବ । ସେ ଈଶ୍ୱର ପିତା, ଶିକ୍ଷକ, ସତ୍‌ଗୁରୁ ମଧ୍ୟ ଅଟନ୍ତି, ସମସ୍ତଙ୍କୁ ସାଥିରେ ଘରକୁ ନେଇଯିବେ । ଏବେ ତୁମେମାନେ ବାବାଙ୍କ ସମ୍ମୁଖରେ ବସିଛ । ସମ୍ମୁଖରେ ମୁରଲୀ ଶୁଣିବାରେ କେତେ ଫରକ ରହିଛି । ଯେପରି ଏହି ଟେପ୍ ମେସିନ୍ ବାହାରିଛି, ଦିନେ ନା ଦିନେ ସମସ୍ତଙ୍କ ପାଖରେ ପହଞ୍ଚିଯିବ । ପିଲାମାନଙ୍କ ସୁଖ ନିମନ୍ତେ ବାବା ଏପରି ଜିନିଷ ତିଆରି କରାଉଛନ୍ତି, ଏହା କୌଣସି ବଡ଼ କଥା ନୁହେଁ ନା । ଇଏ ସାବଲଶାହ ଅଟନ୍ତି ନା, ପ୍ରଥମେ ଗୋରା ଥିଲେ, ଏବେ ଶ୍ୟାମଳ ହୋଇଯାଇଛନ୍ତି, ସେଥିପାଇଁ ତ ଶ୍ୟାମ ସୁନ୍ଦର କହୁଛନ୍ତି । ତୁମେମାନେ ଜାଣିଛ, ଆମେ ଦିନେ ସୁନ୍ଦର ଥିଲୁ, ଏବେ ଶ୍ୟାମଳ ହୋଇଯାଇଛୁ ପୁଣି ସୁନ୍ଦର ହେବୁ । କ’ଣ କେବଳ ଜଣେ ହେବ? କ’ଣ ଜଣଙ୍କୁ ସର୍ପ ଦଂଶନ କରିଛି? ସର୍ପ ତ ମାୟାକୁ କୁହାଯାଉଛି ନା । ବିକାରର ବଶୀଭୂତ ହେବା ଦ୍ୱାରା ଶ୍ୟାମଳ ହୋଇଯାଉଛନ୍ତି । ଏହା କେତେ ବୁଝିବାର କଥା ଅଟେ । ବେହଦର ବାବା କହୁଛନ୍ତି ଗୃହସ୍ଥ ବ୍ୟବହାରରେ ରହି ଏହି ଅନ୍ତିମ ଜନ୍ମ ମୋ ନିମନ୍ତେ ପବିତ୍ର ହୁଅ । ବାବା ପିଲାମାନଙ୍କୁ ଏହି ଭିକ ମାଗୁଛନ୍ତି । କମଳ ପୁଷ୍ପ ସମାନ ପବିତ୍ର ହୁଅ ଏବଂ ମୋତେ ମନେପକାଅ ତେବେ ତୁମର ଏହି ଜନ୍ମ ମଧ୍ୟ ପବିତ୍ର ହୋଇଯିବ ଏବଂ ଯୋଗବଳ ଦ୍ୱାରା ଅତୀତର ବିକର୍ମ ମଧ୍ୟ ବିନାଶ ହୋଇଯିବ । ଏହା ହେଉଛି ଯୋଗ ଅଗ୍ନି, ଯାହା ଦ୍ୱାରା ଜନ୍ମ-ଜନ୍ମାନ୍ତରର ପାପ ଦଗ୍‌ଧ ହେବ । ସତ୍ତ୍ୱପ୍ରଧାନରୁ ସତ୍ତ୍ୱ, ରଜଃ, ତମଃରେ ଆସୁଛନ୍ତି ତେଣୁ କଳା କମ୍ ହୋଇଯାଉଛି । ଆତ୍ମାରେ ବିକାରର ଖାଦ ମିଶିଯାଉଛି । ଏବେ ବାବା କହୁଛନ୍ତି କେବଳ ମୋତେ ମନେ ପକାଅ, ବାକି ପାଣିର ନଦୀରେ ସ୍ନାନ କରିବା ଦ୍ୱାରା ପବିତ୍ର ହୋଇପାରିବ ନାହିଁ । ପାଣି ମଧ୍ୟ ତତ୍ତ୍ୱ ଅଟେ ନା । ୫ ତତ୍ତ୍ୱ ବୋଲି କୁହାଯାଇଥାଏ । ଏହି ନଦୀମାନେ କିପରି ପତିତ-ପାବନୀ ହୋଇପାରିବେ । ନଦୀମାନେ ତ ସାଗରରୁ ବାହାରିଛନ୍ତି । ତେବେ ପ୍ରଥମେ ତ ସାଗର ପତିତ-ପାବନ ହେବା ଦରକାର ନା । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବିଜୟ ମାଳାରେ ଆସିବା ପାଇଁ ବାବାଙ୍କର ସହଯୋଗୀ ହୋଇ ସେବା କରିବାକୁ ହେବ । ଏକମାତ୍ର ପ୍ରେମିକଙ୍କ ସହିତ ସଚ୍ଚା ପ୍ରୀତି ରଖିବାକୁ ହେବ ଏବଂ ସେହି ଜଣଙ୍କୁ ହିଁ ମନେ ପକାଇବାକୁ ହେବ ।

(୨) ନିଜର ସଠିକ୍ ଲକ୍ଷ୍ୟକୁ ସମ୍ମୁଖରେ ରଖି ପୂରା ପୂରା ପୁରୁଷାର୍ଥ କରିବାକୁ ହେବ । ଡବଲ ଅହିଂସକ ହୋଇ ମନୁଷ୍ୟକୁ ଦେବତା କରିବାର ଶ୍ରେଷ୍ଠ କର୍ତ୍ତବ୍ୟ କରି ଚାଲିବାକୁ ପଡ଼ିବ ।

ବରଦାନ:-
ବିଜୟୀ ପଣିଆର ନିଶା ଦ୍ୱାରା ସର୍ବଦା ହର୍ଷିତ ରହୁଥିବା ସର୍ବ ଆକର୍ଷଣଠାରୁ ମୁକ୍ତ ଭବ ।

ବିଜୟୀ ରତ୍ନ ପିଲାମାନଙ୍କର ସ୍ମାରକୀ ରୂପରେ ବାବାଙ୍କର ଗଳାର ହାର ଆଜି ପର୍ଯ୍ୟନ୍ତ ପୂଜା ପାଉଛି । ତେଣୁ ସର୍ବଦା ଏହି ନିଶା ରହୁ ଯେ - ମୁଁ ବାବାଙ୍କର ଗଳାର ହାର ବିଜୟୀ ରତ୍ନ ଅଟେ । ମୁଁ ବିଶ୍ୱର ମାଲିକଙ୍କର ବାଳକ ଅଟେ । ମୋତେ ଯାହା ମିଳିଛି ତାହା କାହାକୁ ବି ମିଳିପାରିବ ନାହିଁ - ଏହି ନିଶା ଏବଂ ଖୁସି ଯଦି ସ୍ଥାୟୀ ଭାବରେ ରହିବ ତେବେ ସବୁ ପ୍ରକାରର ଆକର୍ଷଣଠାରୁ ଉର୍ଦ୍ଧ୍ୱରେ ରହିବ । ଯେଉଁମାନେ ସଦା ବିଜୟୀ ଅଟନ୍ତି ସେମାନେ ସଦା ହର୍ଷିତ ଅଟନ୍ତି । ଏକମାତ୍ର ବାବାଙ୍କର ସ୍ମୃତିର ଆକର୍ଷଣରେ ହିଁ ଆକର୍ଷିତ ଅଟନ୍ତି ।

ସ୍ଲୋଗାନ:-
ଜଣଙ୍କର ସ୍ମୃତିରେ ହଜିଯିବା ହିଁ ଏକାନ୍ତବାସୀ ହେବା ।