10.04.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ଆସିଛନ୍ତି, ଭାରତକୁ ଉଦ୍ଧାର କରିବା ପାଇଁ, ତୁମେ ପିଲାମାନେ ବର୍ତ୍ତମାନ ସମୟରେ ହିଁ ବାବାଙ୍କର ସହଯୋଗୀ ହେଉଛ, ଭାରତ ହିଁ ପ୍ରାଚୀନ ଭୂଖଣ୍ଡ ଅଟେ ।”

ପ୍ରଶ୍ନ:-
ଉଚ୍ଚ ଲକ୍ଷ୍ୟରେ ପହଞ୍ଚିବାରେ ବାଧା ସୃଷ୍ଟି କରୁଥିବା ଛୋଟ ଛୋଟ କଥା ଗୁଡିକ କ’ଣ?

ଉତ୍ତର:-
ଯଦି ଟିକିଏ ବି କୌଣସି ସଉକ ଅଛି, ଅନାସକ୍ତ ବୃତ୍ତି ନାହିଁ । ଭଲ ଭଲ ଖାଇବାରେ, ପିନ୍ଧିବାରେ ବୁଦ୍ଧି ଆକର୍ଷିତ ହେଉଛି... ତେବେ ଏହି କଥା ସବୁ ଉଚ୍ଚ ଲକ୍ଷ୍ୟରେ ପହଞ୍ଚିବାରେ ବାଧା ସୃଷ୍ଟି କରିଥାଏ । ସେଥିପାଇଁ ବାବା କହୁଛନ୍ତି ପିଲାମାନେ ବନବାହ ଅର୍ଥାତ୍ ବୈରାଗ୍ୟ ଅବସ୍ଥାରେ ରୁହ । ତୁମକୁ ତ ସବୁ କିଛି ଭୁଲିବାର ଅଛି । ଏହି ଶରୀର ମଧ୍ୟ ମନେ ନ ରହୁ ।

ଓମ୍ ଶାନ୍ତି ।
ପିଲାମାନଙ୍କୁ ଏହି କଥା ବୁଝାଇ ଦିଆଯାଇଛି ଯେ, ଏହି ଭାରତ ହିଁ ଅବିନାଶୀ ରାଷ୍ଟ୍ର ଯାହାର ପ୍ରକୃତ ନାମ ହେଲା ଭାରତ । ହିନ୍ଦୁସ୍ତାନ ନାମ ତ ପରେ ରଖାଯାଇଛି । ଭାରତକୁ ସ୍ପିରିଚୁଆଲ୍ ଖଣ୍ଡ ବା ଆଧ୍ୟାତ୍ମିକତାର ଭୂମି ମଧ୍ୟ କୁହାଯାଏ । ଏହା ସର୍ବ ପ୍ରାଚୀନ ଭୂମି ଅଟେ । ଯେତେବେଳେ ଭାରତରେ ନୂଆ ଦୁନିଆ ଥିଲା ସେତେବେଳେ ଅନ୍ୟ କୌଣସି ଦେଶ ନ ଥିଲା । ମୁଖ୍ୟ ଧର୍ମ ହିଁ ହେଉଛି ଇସ୍‌ଲାମୀ, ବୌଦ୍ଧି ଏବଂ ଖ୍ରୀଷ୍ଟିୟାନ । ଏବେ ତ ବହୁତ ଦେଶ, ମହାଦେଶ ହୋଇଗଲାଣି । ଭାରତ ଅବିନାଶୀ ଭୂମି ଅଟେ, ଯାହାକୁ ହେଭେନ୍ ଅର୍ଥାତ୍ ସ୍ୱର୍ଗ କୁହାଯାଉଛି । ନୂଆ ଦୁନିଆରେ କେବଳ ଗୋଟିଏ ଦେଶ ଭାରତ ହିଁ ଥିଲା ଏବଂ ଯାହାର ରଚୟିତା ହେଲେ ପରମପିତା ପରମାତ୍ମା, ସ୍ୱର୍ଗୀୟ ଈଶ୍ୱର ପିତା । ଭାରତବାସୀ ଜାଣିଛନ୍ତି ଯେ, ଏହି ଭାରତ ଅବିନାଶୀ ଭୂମି ଅଟେ । ଭାରତ ଦିନେ ସ୍ୱର୍ଗ ଥିଲା । ଯଦି କାହାର ମୃତ୍ୟୁ ହୋଇଯାଏ ତେବେ କହନ୍ତି ସିଏ ସ୍ୱର୍ଗକୁ ଗଲା, ସେମାନେ ଭାବୁଛନ୍ତି, ସ୍ୱର୍ଗ କେଉଁଠି ଉପରେ ଅଛି । ଦିଲ୍‌ୱାଡା ମନ୍ଦିରରେ ମଧ୍ୟ ବୈକୁଣ୍ଠ ଅର୍ଥାତ୍ ସ୍ୱର୍ଗର ଚିତ୍ର ଉପରେ ଦେଖାଇଛନ୍ତି । କିନ୍ତୁ ଏକଥା କାହା ବୁଦ୍ଧିରେ ନାହିଁ ଯେ ଭାରତ ହିଁ ସ୍ୱର୍ଗ ଥିଲା, ଯାହାକି ଏବେ ନାହିଁ । ଏବେ ତ ନର୍କ ପାଲଟି ଯାଇଛି । ତେବେ ଏହାକୁ ମଧ୍ୟ ଅଜ୍ଞାନତା କୁହାଯିବ । ଜ୍ଞାନ ଏବଂ ଅଜ୍ଞାନ ଦୁଇଟି ଜିନିଷ । ଜ୍ଞାନକୁ କୁହାଯାଏ ଦିନ, ଅଜ୍ଞାନକୁ ରାତି । ଘୋର ଆଲୋକ ଏବଂ ଘୋର ଅନ୍ଧକାର କୁହାଯାଏ । ତେବେ ଆଲୋକ ଅର୍ଥାତ୍ ଉତ୍‌ଥାନ, ଅନ୍ଧକାର ଅର୍ଥାତ୍ ପତନ । ମନୁଷ୍ୟ ସୂର୍ଯ୍ୟ ଅସ୍ତ ଦେଖିବା ପାଇଁ ସନ୍‌ସେଟ୍ ପଏଣ୍ଟକୁ ଯାଇଥା’ନ୍ତି । ତେବେ ତାହା ତ ହଦର କଥା । ଏହାକୁ ହିଁ କୁହାଯାଏ ବ୍ରହ୍ମାଙ୍କର ଦିନ ଏବଂ ବ୍ରହ୍ମାଙ୍କର ରାତି । ବ୍ରହ୍ମାଙ୍କୁ ପ୍ରଜାପିତା ବୋଲି କୁହାଯାଉଛି । ତେବେ ନିଶ୍ଚିତ ଭାବରେ ସିଏ ସବୁ ପ୍ରଜାମାନଙ୍କର ପିତା ହୋଇଗଲେ । କୁହାଯାଏ ଜ୍ଞାନ ଅଞ୍ଜନ ସଦଗୁରୁ ଦେଲେ, ଅଜ୍ଞାନ ଅନ୍ଧକାର ବିନାଶ । ଏହାର ଅର୍ଥକୁ ଦୁନିଆରେ କେହି ବି ଜାଣିନାହାଁନ୍ତି । ଏହା ହେଲା ନୂଆ ଦୁନିଆ ପାଇଁ ନୂଆ ଜ୍ଞାନ । ସ୍ୱର୍ଗ ସ୍ଥାପନା କରିବା ପାଇଁ ସ୍ୱର୍ଗୀୟ ଈଶ୍ୱର ପିତାଙ୍କର ଜ୍ଞାନ ଆବଶ୍ୟକ । ଗାୟନ କରୁଛନ୍ତି - ପରମପିତା ପରମାତ୍ମା ଜ୍ଞାନର ଭଣ୍ଡାର ଅଟନ୍ତି । ତେବେ ସିଏ ଶିକ୍ଷକ ମଧ୍ୟ ହୋଇଗଲେ । ଯାହାଙ୍କୁ ପତିତ-ପାବନ ବୋଲି କୁହାଯାଉଛି । ଆଉ କାହାକୁ ପତିତ ପାବନ କୁହାଯାଇପାରିବ ନାହିଁ । ଶ୍ରୀକୃଷ୍ଣଙ୍କୁ ମଧ୍ୟ କୁହାଯାଇପାରିବ ନାହିଁ । ପିତା ତ ସମସ୍ତଙ୍କର ଜଣେ ହିଁ ଅଟନ୍ତି । ଶ୍ରୀକୃଷ୍ଣ ତ ସମସ୍ତଙ୍କର ପିତା ନୁହଁନ୍ତି । ସିଏ ଯେତେବେଳେ ବଡ ହେବେ ଏବଂ ବିବାହ କରିବେ, ତାପରେ ଗୋଟିଏ ଦୁଇଟି ପିଲାଙ୍କର ପିତା ହେବେ । ରାଧେ-କୃଷ୍ଣଙ୍କୁ ରାଜକୁମାର ରାଜକୁମାରୀ କୁହାଯାଏ । ତେଣୁ କେବେ ତାଙ୍କର ସ୍ୱୟଂମ୍ବର ମଧ୍ୟ ହୋଇଥିବ ଏବଂ ବିବାହ ପରେ ହିଁ ମା-ବାପା ହୋଇପାରିବେ । ତାଙ୍କୁ କେବେ କେହି ୱାଲର୍ଡ ଗଡ୍ ଫାଦର ଅର୍ଥାତ୍ ସାରା ବିଶ୍ୱର ଈଶ୍ୱର ପିତା କୁହାଯାଇପାରିବ ନାହିଁ । ବିଶ୍ୱର ଈଶ୍ୱର ପିତା ଏକମାତ୍ର ନିରାକାର ବାବାଙ୍କୁ କୁହାଯାଏ । ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦିପିତା ଶିବବାବାଙ୍କୁ କୁହାଯାଏ ନାହିଁ । ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର (ଆଦିପିତା) ହେଲେ ପ୍ରଜାପିତା ବ୍ରହ୍ମା । ତାଙ୍କଠାରୁ ବଂଶ ଆରମ୍ଭ ହେଉଛି । ସିଏ ହେଲେ ନିରାକାର ଈଶ୍ୱର ପିତା, ନିରାକାର ଆତ୍ମାମାନଙ୍କର ପିତା । ନିରାକାରୀ ଆତ୍ମାମାନେ ଏଠାରେ ଶରୀର ଧାରଣ କରିଛନ୍ତି, ତେଣୁ ଭକ୍ତିମାର୍ଗରେ ତାଙ୍କୁ ଡାକୁଛନ୍ତି । ଏସବୁ ନୂଆ କଥା ତୁମେମାନେ ଏବେ ଶୁଣୁଛ, ଯେଉଁ କଥା ଯଥାର୍ଥ ଭାବରେ କୌଣସି ଶାସ୍ତ୍ରରେ ନାହିଁ । ବାବା କହୁଛନ୍ତି ମୁଁ ସମ୍ମୁଖରେ ବସି ପିଲାମାନଙ୍କୁ ବୁଝାଉଛି । ପୁଣି ଏହି ଜ୍ଞାନ ଗୁପ୍ତ ହୋଇଯାଉଛି । ଯେତେବେଳେ ବାବା ଆସିବେ ସେତେବେଳେ ଯାଇ ଯଥାର୍ଥ ଜ୍ଞାନ ଶୁଣାଇବେ । ବାବା ନିଜର ପିଲାମାନଙ୍କୁ ହିଁ ସମ୍ମୁଖରେ ବୁଝାଇ ସମ୍ପତ୍ତି ଦେଉଛନ୍ତି । ପୁଣି ପରେ ଏହାର ଶାସ୍ତ୍ର ତିଆରି ହେଉଛି । ତେଣୁ ଯଥାର୍ଥ ଭାବରେ ତ ହୋଇପାରିବ ନାହିଁ । କାରଣ ସତ୍ୟର ଦୁନିଆ ସମାପ୍ତ ହୋଇ ମିଥ୍ୟା ଦୁନିଆ ହୋଇଯାଏ । ତେଣୁ ଏଠାରେ ମିଥ୍ୟା ଜିନିଷ ହିଁ ଥିବ କାରଣ ଏଠାରେ ସମସ୍ତଙ୍କର ତଳକୁ ଖସିବାର କଳା ହୋଇଯାଇଥାଏ । ସତ୍ୟତା ଦ୍ୱାରା ତ ଉନ୍ନତିର କଳା ହୋଇଥାଏ । ଭକ୍ତି ହେଲା ରାତି ଏବଂ ଅନ୍ଧକାର ରାତିରେ ଝୁଣ୍ଟିବାକୁ ପଡିଥାଏ । ଏଠାରେ ସମସ୍ତେ ମୁଣ୍ଡ ନୁଆଁଇ ଚାଲିଛନ୍ତି କାରଣ ଏଠାରେ ଅଜ୍ଞାନତା ରୂପି ଘୋର ଅନ୍ଧକାର ରହିଛି । ମନୁଷ୍ୟମାନେ ତ କିଛି ବି ଜାଣି ପାରୁ ନାହାଁନ୍ତି । ଦ୍ୱାର ଦ୍ୱାର ଧକ୍କା ଖାଇ ଚାଲିଛନ୍ତି । ସୂର୍ଯ୍ୟର ମଧ୍ୟ ଉଦୟ ଏବଂ ଅସ୍ତ ହୋଇଥାଏ, ଯାହାକି ପିଲାମାନେ ଯାଇ ଦେଖନ୍ତି । ଏବେ ତ ତୁମ ପିଲାମାନଙ୍କୁ ଜ୍ଞାନ ସୂର୍ଯ୍ୟଙ୍କର ଉଦୟ ହେବା ଦେଖିବାକୁ ହେବ । ଭାରତର ଉତ୍‌ଥାନ ଏବଂ ପତନ । ଯେଭଳି ସୂର୍ଯ୍ୟ ବୁଡି ଯାଉଛି । ସେହିଭଳି ଭାରତ ମଧ୍ୟ ବୁଡିଯାଉଛି । ସତ୍ୟ ନାରାୟଣ କାହାଣୀରେ ମଧ୍ୟ ଏଭଳି ଦେଖାଇଛନ୍ତି ଯେ, ଭାରତର ନୌକା ତଳକୁ ଚାଲିଯାଉଛି ପୁଣି ବାବା ଆସି ତାକୁ ଉଦ୍ଧାର କରୁଛନ୍ତି । ତୁମେମାନେ ଏହି ଭାରତକୁ ପୁନର୍ବାର ଉଦ୍ଧାର କରୁଛ । ଏକଥା କେବଳ ତୁମେ ପିଲାମାନେ ହିଁ ଜାଣିଛ । ତୁମେମାନେ ସମସ୍ତଙ୍କୁ ନିମନ୍ତ୍ରଣ ମଧ୍ୟ ଦେଉଛ, ନବ-ନିର୍ମାଣ ପ୍ରଦର୍ଶନୀ ନାମ ମଧ୍ୟ ଠିକ୍ ଅଛି । ନୂଆ ଦୁନିଆ କିପରି ସ୍ଥାପନା ହେଉଛି, ତାର ଜ୍ଞାନ ପ୍ରଦର୍ଶନୀ ଚିତ୍ର ଦ୍ୱାରା ଦିଆଯାଇଥାଏ । ତେବେ ସେହି ନାମ ଚାଲି ଆସିଥିଲେ ଭଲ । ନୂଆ ଦୁନିଆ କିପରି ସ୍ଥାପନ ହେଉଛି ବା ଉତ୍‌ଥାନ କିପରି ହେଉଛି, ଏକଥା ତୁମେମାନେ ପ୍ରଦର୍ଶନୀ ଚିତ୍ରରେ ଦେଖାଉଛ । ତେବେ ନିଶ୍ଚିତ ପୁରୁଣା ଦୁନିଆ ଅସ୍ତ ହେଉଛି ସେଥିପାଇଁ ଦେଖାଉଛନ୍ତି ଯେ, ଉତ୍‌ଥାନ କିପରି ହେଉଛି । ରାଜ୍ୟ ନେବା ଏବଂ ହରାଇବା ଏହା ମଧ୍ୟ ଏକ କାହାଣୀ ଅଟେ । ୫ ହଜାର ବର୍ଷ ପୂର୍ବେ ଭାରତ କ’ଣ ଥିଲା? ତେବେ କୁହାଯିବ ସୂର୍ଯ୍ୟବଂଶୀମାନଙ୍କର ରାଜ୍ୟ ଥିଲା । ପରେ ପୁଣି ଚନ୍ଦ୍ରବଂଶୀ ରାଜ୍ୟ ସ୍ଥାପନ ହେଲା । ସେମାନେ ତ ଜଣେ ଅନ୍ୟଜଣଙ୍କଠାରୁ ରାଜ୍ୟ ନେଇଥା’ନ୍ତି । ଏଭଳି ମଧ୍ୟ ଦେଖାଉଥା’ନ୍ତି ଯେ, ସିଏ ଅମୁକଙ୍କଠାରୁ ରାଜ୍ୟ ନେଲେ । ସେମାନେ ସିଢି ଚିତ୍ରର ଅର୍ଥକୁ ବୁଝିନାହାଁନ୍ତି । ଏକଥା ତ ବାବା ବୁଝାଉଛନ୍ତି ଯେ, ତୁମେମାନେ ସୁବର୍ଣ୍ଣଯୁଗରୁ ରୌପ୍ୟ ଯୁଗକୁ ଗଲ, ସିଢିରେ ତଳକୁ ଖସି ଖସି ଆସିଲ । ଏହା ୮୪ ଜନ୍ମର ସିଢି ଅଟେ । ସମସ୍ତଙ୍କୁ ସିଢିରେ ଓହ୍ଲାଇବାକୁ ପଡିଥାଏ, ପୁଣି ଚଢିବାକୁ ମଧ୍ୟ ପଡିଥାଏ । ପତନର ରହସ୍ୟକୁ ମଧ୍ୟ ବୁଝାଇବାକୁ ପଡିଥାଏ । ଭାରତର ପତନ କେତେ ସମୟ ଏବଂ ଉତ୍‌ଥାନ କେତେ ସମୟ? ଭାରତବାସୀଙ୍କର ପତନ ଏବଂ ଉତ୍‌ଥାନ । ବିଚାର ସାଗର ମନ୍ଥନ କରିବାକୁ ପଡିଥାଏ ଯେ ମନୁଷ୍ୟମାନଙ୍କୁ କିପରି ପ୍ରଲୋଭିତ କରିବାକୁ ହେବ ଏବଂ ନିମନ୍ତ୍ରଣ ମଧ୍ୟ ଦେବାକୁ ହେବ । ଭାଇମାନେ-ଭଉଣୀମାନେ ଏଠାକୁ ଆସି ବୁଝ । ବାବାଙ୍କର ମହିମା ତ ପ୍ରଥମେ କହିବାକୁ ହେବ । ଶିବବାବାଙ୍କର ମହିମାର ଗୋଟିଏ ବୋର୍ଡ ହେବା ଦରକାର । ପତିତ-ପାବନ ଜ୍ଞାନର ସାଗର, ପବିତ୍ରତାର, ସୁଖ-ଶାନ୍ତିର ସାଗର, ସମ୍ପତ୍ତିର ସାଗର, ସମସ୍ତଙ୍କର ସଦଗତି ଦାତା, ଜଗତପିତା, ଜଗତ-ଶିକ୍ଷକ, ଜଗତଗୁରୁ ଶିବବାବାଙ୍କଠାରୁ ଆସି ନିଜର ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ସମ୍ପତ୍ତି ନିଅ । ତେବେ ଯାଇ ମନୁଷ୍ୟମାନଙ୍କୁ ବାବାଙ୍କର ପରିଚୟ ଜଣାପଡିବ । ବାବାଙ୍କର ମହିମା ଅଲଗା ଏବଂ ଶ୍ରୀକୃଷ୍ଣଙ୍କର ଅଲଗା । ଏହି କଥା ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ଆସିଯାଇଛି । ଯେଉଁମାନେ ସେବାଧାରୀ ସନ୍ତାନ ସେମାନେ ସାରା ଦିନ ଦୌଡି-ଦୌଡି ସେବା କରିଚାଲିଥା’ନ୍ତି । ନିଜର ଲୌକିକ ଚାକିରି ଥାଇ ମଧ୍ୟ ସେଥିରୁ ଛୁଟୀ ନେଇ ସେବାରେ ଲାଗିଯାଉଛନ୍ତି । ଏହା ଈଶ୍ୱରୀୟ ସରକାର । ବିଶେଷକରି କନ୍ୟାମାନେ ଯଦି ଏହି ସେବାରେ ଲାଗିଯିବେ, ତେବେ ଏହାର ନାମ ବହୁତ ବିଖ୍ୟାତ ହୋଇପାରିବ । ଯୋଗ୍ୟ ସେବାଧାରୀ ପିଲାମାନଙ୍କର ପାଳନା ତ ବହୁତ ଭଲ ଭାବରେ ହେଉଛି, କାରଣ ଶିବବାବାଙ୍କର ଭଣ୍ଡାର ଭରପୂର ଅଛି । ତୁମେମାନେ ଯେଉଁ ଭଣ୍ଡାରରୁ ଖାଉଛ ସେହି ଭଣ୍ଡାର ସଦା ଭରପୂର ରହିବ ଏବଂ କାଳକଣ୍ଟକ ଅର୍ଥାତ୍ ଦୁଃଖ, କ୍ଳେଶ ଦୂରେଇଯିବ ।

ତୁମେ ହେଲ ଶିବବଂଶୀ । ସିଏ ହେଲେ ରଚୟିତା ଏବଂ ଇଏ (ବ୍ରହ୍ମା) ରଚନା । ବାବୁଲ ନାମଟି କେତେ ମିଠା । ଶିବ ସାଜନ ଅର୍ଥାତ୍ ପତି ମଧ୍ୟ ଅଟନ୍ତି ନା । ଶିବବାବାଙ୍କର ମହିମା ହିଁ ଅଲଗା । ନିରାକାର ଶବ୍ଦ ଲେଖିବା ଦ୍ୱାରା ଭାବୁଛନ୍ତି, ତାଙ୍କର କୌଣସି ଆକାର ନାହିଁ । ପରମପ୍ରିୟ ଏକମାତ୍ର ଶିବବାବା ହିଁ ଅଟନ୍ତି - ଏହି ଶବ୍ଦ ଲେଖିବାକୁ ହିଁ ହେବ । ବର୍ତ୍ତମାନ ଏହା ଏକ ଯୁଦ୍ଧକ୍ଷେତ୍ର ଅଟେ, ସେମାନଙ୍କ ପାଇଁ ମଧ୍ୟ ଏବଂ ତୁମପାଇଁ ମଧ୍ୟ । ଶିବଶକ୍ତି ଅହିଂସକ ସେନାର ଗାୟନ ଅଛି । କିନ୍ତୁ ଚିତ୍ରରେ ଦେବୀମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ଧାରଣ କରାଇ ହିଂସା ଦେଖାଇ ଦେଇଛନ୍ତି । ବାସ୍ତବରେ ତୁମେ ଯୋଗବଳ ଦ୍ୱାରା ବିଶ୍ୱର ରାଜତ୍ୱ ପ୍ରାପ୍ତ କରୁଛ । ଏଥିରେ ଅସ୍ତ୍ରଶସ୍ତ୍ରର କୌଣସି କଥା ହିଁ ନାହିଁ । ଜ୍ଞାନ ଗଙ୍ଗା ନଦୀର ପ୍ରଭାବ ମଧ୍ୟ ବହୁତ ରହିଛି । ଆଗକୁ ବହୁତଙ୍କୁ ସାକ୍ଷାତ୍‌କାର ମଧ୍ୟ ହେବ । ଭକ୍ତିମାର୍ଗରେ ଭାବିଥାନ୍ତି ଯେ, ଗଙ୍ଗାଜଳ ଟିକିଏ ମିଳିଗଲେ ଉଦ୍ଧାର ପାଇଯିବେ, ସେଥିପାଇଁ ଗୁପ୍ତ ଗଙ୍ଗା ବୋଲି କହି ଚାଲିଛନ୍ତି । ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଅର୍ଜୁନ ବାଣ ମାରିଲେ ଏବଂ ଗଙ୍ଗା ବାହାରି ଆସିଲେ । ଗୋମୁଖରୁ ମଧ୍ୟ ଗଙ୍ଗା ବାହାରିଛି ବୋଲି ଦେଖାଉଛନ୍ତି । ଯଦି ତୁମେ ପଚାରିବ, ତେବେ ସେମାନେ କହିବେ ଗୁପ୍ତଗଙ୍ଗା ବାହାରିଛି । ତ୍ରିବେଣୀ ସଂଗମରେ ମଧ୍ୟ ସରସ୍ୱତୀ ନଦୀକୁ ଗୁପ୍ତ ଥିବାର ଦେଖାଉଛନ୍ତି । ମନୁଷ୍ୟ ତ ବହୁତଗୁଡିଏ କାହାଣୀ ରଚନା କରିଦେଇଛନ୍ତି । ଏଠାରେ ତ ଗୋଟିଏ କଥା । କେବଳ ଅଲଫ ବାବା, ବାସ୍ । ଆଲ୍ଲା ଆସି ବହିସ୍ଥ ଅର୍ଥାତ୍ ସ୍ୱର୍ଗ ସ୍ଥାପନ କରୁଛନ୍ତି । ସେହି ଖୁଦା ଆସି ହେଭେନ୍ ଅର୍ଥାତ୍ ସ୍ୱର୍ଗର ସ୍ଥାପନା କରୁଛନ୍ତି । ଈଶ୍ୱର ସ୍ୱର୍ଗ ସ୍ଥାପନ କରୁଛନ୍ତି । ତେବେ ବାସ୍ତବରେ ଈଶ୍ୱର ତ ଜଣେ ହିଁ ଅଟନ୍ତି । ମନୁଷ୍ୟମାନେ ତ ନିଜ ନିଜ ଭାଷାରେ ତାଙ୍କର ଭିନ୍ନ ଭିନ୍ନ ନାମ ରଖି ଦେଇଛନ୍ତି କିନ୍ତୁ ଏକଥା ଜାଣିଛନ୍ତି ଯେ, ଆଲ୍ଲାଙ୍କଠାରୁ ନିଶ୍ଚିତ ଭାବରେ ସ୍ୱର୍ଗର ରାଜତ୍ୱ ମିଳିବ । ଏଠାରେ ତ ବାବା କହୁଛନ୍ତି, ମନମନାଭବ । ବାବାଙ୍କୁ ମନେ ପକାଇଲେ ବର୍ସା ନିଶ୍ଚିତ ମନେ ପଡିବ । ସ୍ୱର୍ଗ ଦୁନିଆ ରଚୟିତାଙ୍କର ରଚନା ଅଟେ । ଏମିତି କ’ଣ କୁହାଯିବ ଯେ, ରାମ ନର୍କର ରଚନା କରିଛନ୍ତି । ଭାରତବାସୀଙ୍କୁ ଏକଥା ଜଣା ନାହିଁ ଯେ, ନିରକାର ରଚୟିତା କିଏ? ତୁମେ ଜାଣିଛ ଯେ, ନର୍କର ରଚୟିତା ରାବଣ, ଯାହାକୁ ପ୍ରତିବର୍ଷ ଜଳାଉଛନ୍ତି । ରାବଣ ରାଜ୍ୟରେ ଭକ୍ତିମାର୍ଗର ବୃକ୍ଷ ବହୁତ ବଡ ହୋଇଗଲାଣି । ରାବଣର ରୂପକୁ ମଧ୍ୟ ବହୁତ ଭୟଙ୍କର ରୂପେ ତିଆରି କରୁଛନ୍ତି । ଏଭଳି ମଧ୍ୟ କହୁଛନ୍ତି, ରାବଣ ଆମର ଶତ୍ରୁ । ବାବା ଏହାର ଅର୍ଥକୁ ବୁଝାଇଛନ୍ତି - ରାବଣ ରାଜ୍ୟର ବିସ୍ତାର ବହୁତ ହୋଇଥିବା କାରଣରୁ ରାବଣର ଶରୀରକୁ ମଧ୍ୟ ବହୁତ ବଡ କରୁଛନ୍ତି । ଶିବବାବା ତ ରୂପରେ ବିନ୍ଦୁ ଅଟନ୍ତି କିନ୍ତୁ ତାଙ୍କ ଚିତ୍ରକୁ ମଧ୍ୟ ବହୁତ ବଡ କରିଦେଇଛନ୍ତି । ନଚେତ୍ ବିନ୍ଦୁର ପୂଜା କିପରି ହେବ । ସମସ୍ତଙ୍କୁ ପୂଜାରୀ ତ ହେବାକୁ ପଡିବ ନା । ଆତ୍ମା ପାଇଁ ତ କହୁଛନ୍ତି - ଭ୍ରୃକୁଟୀ ମଝିରେ ଚମକୁଛି ଦିବ୍ୟ ତାରକା । ପୁଣି ଏଭଳି ମଧ୍ୟ କହୁଛନ୍ତି ଯେ, ଆତ୍ମା ହିଁ ପରମାତ୍ମା । ତେବେ ସିଏ ହଜାର ସୂର୍ଯ୍ୟଠାରୁ ତେଜୋମୟ କିପରି ହୋଇପାରିବେ? ଆତ୍ମାର ବର୍ଣ୍ଣନା ତ କରୁଛନ୍ତି କିନ୍ତୁ କିଛି ଜାଣି ନାହାଁନ୍ତି । ଯଦି ପରମାତ୍ମା ହଜାର ସୂର୍ଯ୍ୟଙ୍କଠାରୁ ତୋଜୋମୟ ତେବେ ସିଏ ପ୍ରତ୍ୟେକଙ୍କ ଭିତରେ ପ୍ରବେଶ କିପରି କରିବେ? କେତେ ଅଯଥାର୍ଥ କଥା, ଯାହାକୁ ଶୁଣି ମନୁଷ୍ୟ କ’ଣରୁ କ’ଣ ହୋଇଯାଇଛନ୍ତି । କହୁଛନ୍ତି ଆତ୍ମା ହିଁ ପରମାତ୍ମା ଅଟେ, ତେବେ ପରମାତ୍ମାଙ୍କର ରୂପ ମଧ୍ୟ ସେହିଭଳି ହୋଇଥିବ ନା, କିନ୍ତୁ ପୂଜା କରିବା ପାଇଁ ବଡ କରିଦେଇଛନ୍ତି । ପଥରର କେତେ ବଡ ବଡ ମୂର୍ତ୍ତି ତିଆରି କରୁଛନ୍ତି । ଯେପରି ଗୁମ୍ଫା ମଧ୍ୟରେ ପାଣ୍ଡବମାନଙ୍କର ବଡ ବଡ ମୂର୍ତ୍ତି ଦେଖାଇଛନ୍ତି କିନ୍ତୁ ସେମାନଙ୍କ ବିଷୟରେ କିଛି ଜାଣିନାହାଁନ୍ତି । ଏହା ହେଲା ପାଠପଢା । ବ୍ୟବସାୟ ଅଲଗା ଏବଂ ପାଠପଢା ଅଲଗା । ବାବା ପାଠ ମଧ୍ୟ ପଢାଉଛନ୍ତି ଏବଂ ବ୍ୟବସାୟ ମଧ୍ୟ ଶିଖାଉଛନ୍ତି । ବୋର୍ଡରେ ମଧ୍ୟ ପ୍ରଥମେ ବାବାଙ୍କର ମହିମା ରହିବା ଦରକାର । ବାବାଙ୍କର ସମ୍ପୂର୍ଣ୍ଣ ମହିମାକୁ ଲେଖିବାକୁ ହେବ । ଏହିସବୁ କଥା ତୁମ ପିଲାମାନଙ୍କ ବୁଦ୍ଧିରେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଧାରଣ ହେଉଛି । ସେଥିପାଇଁ କୁହାଯାଉଛି ମହାରଥୀ, ଘୋଡାସବାର ଅର୍ଥାତ୍ ଅଶ୍ୱାରୋହୀ । ଏଠାରେ ହାତ-ହତିଆର ଆଦିର କୌଣସି କଥା ନାହିଁ । ବାବା ତୁମମାନଙ୍କର ବୁଦ୍ଧିର ତାଲା ଖୋଲି ଦେଉଛନ୍ତି । ତୁମମାନଙ୍କ ବୁଦ୍ଧିରେ ଯେଉଁ ଗଡରେଜ୍‌ର ତାଲା ଲାଗିଛି ତାହା ଆଉ କେହି ଖୋଲି ପାରିବେ ନାହିଁ । ଯେତେବେଳେ ବାବାଙ୍କ ପାଖକୁ ପିଲାମାନେ ମିଶିବା ପାଇଁ ଆସୁଛନ୍ତି, ବାବା ପଚାରୁଛନ୍ତି ଯେ, ଆଗରୁ କେବେ ବାବାଙ୍କ ସହିତ ମିଶିଛ? ଏହି ସ୍ଥାନରେ, ଏହି ଦିନ କେବେ ମିଶିଥିଲ? ତେଣୁ ପିଲାମାନେ କହୁଛନ୍ତି, ହଁ ବାବା, ୫ ହଜାର ବର୍ଷ ପୂର୍ବରୁ ମିଶିଥିଲେ । ତେବେ ଏହିସବୁ କଥାକୁ ଏଭଳି ଭାବରେ କେହି ପଚାରିପାରିବେ ନାହିଁ । ଏହା କେତେ ଗୁହ୍ୟ ଏବଂ ବୁଝିବାର କଥା । ଜ୍ଞାନର କେତେ ଉପାୟ ବାବା ବୁଝାଉଛନ୍ତି । କିନ୍ତୁ ଧାରଣା କ୍ରମଅନୁସାରେ ହେଉଛି । ଶିବବାବାଙ୍କର ମହିମା ଅଲଗା, ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ମହିମା ଅଲଗା । ପ୍ରତ୍ୟେକଙ୍କର ପାର୍ଟ ଅଲଗା ଅଲଗା । ଯାହାକି ଜଣଙ୍କ ପାର୍ଟ ଅନ୍ୟ ଜଣଙ୍କ ସହିତ ମିଶିପାରିବ ନାହିଁ । ଏହା ଅନାଦି ଡ୍ରାମା ଅଟେ, ଯାହାର ପୁଣି ପୁନରାବୃତ୍ତି ହେବ । ଏବେ ତୁମମାନଙ୍କ ବୁଦ୍ଧିରେ ପକ୍କା ହୋଇଗଲାଣି ଯେ, ଆମେ କିପରି ବ୍ରହ୍ମଲୋକକୁ ଯାଉଛୁ ପୁଣି ପାର୍ଟ କରିବା ପାଇଁ ଏଠାକୁ ଆସୁଛୁ । ଆତ୍ମା ସୂକ୍ଷ୍ମଲୋକ ଦେଇ ବ୍ରହ୍ମଲୋକକୁ ଯାଏ କିନ୍ତୁ ସତ୍ୟଯୁଗକୁ ଆସିବା ସମୟରେ ସୂକ୍ଷ୍ମଲୋକ ନ ଥାଏ । ସୂକ୍ଷ୍ମଲୋକର ସାକ୍ଷାତ୍‌କାର କେବେ କାହାକୁ ହୁଏ ହିଁ ନାହିଁ । ସୂକ୍ଷ୍ମଲୋକର ସାକ୍ଷାତ୍‌କାର କରିବା ପାଇଁ କେହି ତପସ୍ୟା କରନ୍ତି ନାହିଁ କାରଣ ତାକୁ କେହି ଜାଣି ନାହାଁନ୍ତି । ସୂକ୍ଷ୍ମଲୋକର ଭକ୍ତ ମଧ୍ୟ କେହି ନଥିବେ । ସୂକ୍ଷ୍ମଲୋକର ରଚନା ବାବା ଏବେ କରିଛନ୍ତି, ଆମେମାନେ ଭାୟା ସୂକ୍ଷ୍ମଲୋକ ଦେଇ ବ୍ରହ୍ମଲୋକକୁ ଯାଇ ପୁଣି ନୂଆ ଦୁନିଆକୁ ଆସିବା । ବର୍ତ୍ତମାନ ତୁମେମାନେ ସେଠାକୁ ଯିବା ଆସିବା କରୁଛ । ଏବେ ତୁମର ନିର୍ବନ୍ଧ ହୋଇଯାଇଛି, ଏହା ତୁମର ବାପଘର । ବିଷ୍ଣୁଙ୍କୁ ପିତା କୁହାଯିବ ନାହିଁ । ବିଷ୍ଣୁପୁରୀ ହେଲା ତୁମମାନଙ୍କର ଶ୍ୱଶୁରଘର । ଯେତେବେଳେ କନ୍ୟା ଶ୍ୱଶୁର ଘରକୁ ଯାଏ, ସେତେବେଳେ ସବୁ ପୁରୁଣା ବସ୍ତ୍ରକୁ ବାପ ଘରେ ଛାଡି ଦେଇଯାଏ । ତେବେ ତୁମେମାନେ ପୁରୁଣା ଦୁନିଆକୁ ହିଁ ଛାଡି ଦେଉଛ । ତୁମର ଏବଂ ସେହି କନ୍ୟାମାନଙ୍କର ବନବାହ ଅର୍ଥାତ୍ ମଙ୍ଗୁଳା ହେବାରେ କେତେ ଅନ୍ତର ରହିଛି । ତେବେ ତୁମକୁ ମଧ୍ୟ ବହୁତ ଅନାସକ୍ତ ହୋଇ ରହିବା ଉଚିତ୍ । ଦେହ-ଅଭିମାନକୁ ତୁଟେଇ ଦେବା ଉଚିତ୍‌! ମୂଲ୍ୟବାନ ଶାଢୀ ପିନ୍ଧିବା ଦ୍ୱାରା ତୁରନ୍ତ ଦେହ-ଅଭିମାନ ଆସିଯିବ । ମୁଁ ଆତ୍ମା, ଏହି କଥା ଭୁଲି ହୋଇଯିବ । ବର୍ତ୍ତମାନ ତୁମେମାନେ ବନବାହରେ ଅଛ । ବନବାହ ଏବଂ ବାନପ୍ରସ୍ଥ ଏକା କଥା । ଯଦି ଏହି ଶରୀରକୁ ହିଁ ଛାଡିବାକୁ ପଡିବ ତେବେ କ’ଣ ଏହି ଶାଢୀକୁ ଛାଡିପାରିବ ନାହିଁ! ଯଦି କାହାକୁ ଶସ୍ତା ଶାଢୀ ମିଳିଯାଉଛି ତେବେ ତାର ମନ ଦୁଃଖ ହୋଇଯାଉଛି । ଏଥିରେ ତ ମନ ଖୁସି ହେବା ଦରକାର - ଭଲ ହେଲା ଯାହାକି ଶସ୍ତା ଶାଢୀ ମିଳିଲା । ଅଧିକ ମୂଲ୍ୟବାନ ଜିନିଷର ତ ଅଧିକ ଯତ୍ନ ନେବାକୁ ପଡିଥାଏ । ଭଲ ପିନ୍ଧିବା, ଭଲ ଖାଇବା ଏହିଭଳି ଛୋଟ ଛୋଟ କଥା ମଧ୍ୟ ଉଚ୍ଚ ଲକ୍ଷ୍ୟରେ ପହଞ୍ଚିବାରେ ବାଧା ସୃଷ୍ଟି କରିଥାଏ । ଲକ୍ଷ୍ୟ ତ ବହୁତ ଶ୍ରେଷ୍ଠ । କାହାଣୀରେ ମଧ୍ୟ ଶୁଣୁଛ ଯେ, ସ୍ୱାମୀକୁ କହିଲା ଏହି ବାଡିଟିକୁ ମଧ୍ୟ ଛାଡି ଦେଇଯାଅ । ବାବା କହୁଛନ୍ତି ଏହି ପୁରୁଣା ଦେହ, ପୁରୁଣା ଦୁନିଆ ସବୁ ସମାପ୍ତ ହୋଇଯିବ, ସେଥିପାଇଁ ଏହି ଦୁନିଆରୁ ବୁଦ୍ଧିର ଯୋଗକୁ ତୁଟେଇବାକୁ ହେବ, ଏହାକୁ ହିଁ ବେହଦର ସନ୍ନ୍ୟାସ କୁହାଯାଏ । ସନ୍ନ୍ୟାସୀମାନେ ତ ହଦର ସନ୍ନ୍ୟାସ କରିଥା’ନ୍ତି । ଏବେ ତ ସେମାନେ ସହର ଭିତରକୁ ଆସିଗଲେଣି । ଆଗରୁ ତ ସେମାନଙ୍କ ଭିତରେ ବହୁତ ଶକ୍ତି ଥିଲା । ଏବେ ସେମାନେ ମଧ୍ୟ ତଳକୁ ଖସି ଯାଉଛନ୍ତି, ତେଣୁ ତାଙ୍କର କ’ଣ ମହିମା ହେବ । ନୂଆ ନୂଆ ଆତ୍ମାମାନେ ଶେଷ ପର୍ଯ୍ୟନ୍ତ ପାର୍ଟ କରିବା ପାଇଁ ଆସିବାରେ ଲାଗିଛନ୍ତି । ତେବେ ସେମାନଙ୍କ ଭିତରେ କ’ଣ ଶକ୍ତି ଥିବ । ତୁମେ ତ ପୁରା ୮୪ ଜନ୍ମ ନେଉଛ । ଏହି ସବୁ କଥାକୁ ବୁଝିବା ପାଇଁ କେତେ ଭଲ ବୁଦ୍ଧି ଦରକାର । ଯେଉଁମାନେ ସେବାଧାରୀ ସେମାନେ ନିଶ୍ଚିତ ଭାବରେ ସେବାରେ ଉଚ୍ଛୁଳିବେ ଅର୍ଥାତ୍ ସେମାନଙ୍କ ଭିତରେ ସେବାର ଉମଙ୍ଗ-ଉତ୍ସାହ ରହିବ । ଜ୍ଞାନର ସାଗରଙ୍କ ସନ୍ତାନ ଏଭଳି ଭାଷଣ କରିବା ଉଚିତ୍ ଯେଭଳି ବାବା ଉଛୁଳୁଛନ୍ତି, ଏଥିରେ ଡରିବା ଉଚିତ୍ ନୁହେଁ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବୁଦ୍ଧି ଦ୍ୱାରା ବେହଦର ସନ୍ନ୍ୟାସ କରିବାକୁ ହେବ । ବର୍ତ୍ତମାନ ଘରକୁ ଫେରିବାର ସମୟ ସେଥିପାଇଁ ପୁରୁଣା ଦୁନିଆ ଏବଂ ପୁରୁଣା ଶରୀରଠାରୁ ଅନାସକ୍ତ ଅର୍ଥାତ୍ ନିର୍ମୋହୀ ହୋଇ ରହିବାକୁ ହେବ ।

(୨) ଡ୍ରାମାର ପ୍ରତ୍ୟେକ ଦୃଶ୍ୟକୁ ଦେଖି ସର୍ବଦା ହର୍ଷିତ ହୋଇ ରହିବାକୁ ହେବ ।

ବରଦାନ:-
ବାପଦାଦାଙ୍କୁ ନିଜର ସାଥୀ ମନେ କରି ଦୁଇଗୁଣା ଶକ୍ତିଶାଳୀ ହୋଇ କାର୍ଯ୍ୟ କରୁଥିବା ସହଜଯୋଗୀ ଭବ ।

ଯେ କୌଣସି କାର୍ଯ୍ୟ କରିବା ସମୟରେ ଯଦି ବାପଦାଦାଙ୍କୁ ନିଜର ସାଥୀ କରିଦେବ, ତେବେ ଦୁଇଗୁଣା ଶକ୍ତିର ସହିତ କାର୍ଯ୍ୟ ହେବ ଏବଂ ସ୍ମୃତି ମଧ୍ୟ ବହୁତ ସହଜରେ ରହିପାରିବ କାହିଁକିନା ଯିଏ ସର୍ବଦା ସାଥୀରେ ରହିଥାଏ ତା’ର ସ୍ମୃତି ସ୍ୱତଃ ଭାବରେ ବୁଦ୍ଧିରେ ରହିଥାଏ । ତେଣୁ ଏହିଭଳି ସାଥୀ ହୋଇ ରହିବା ଦ୍ୱାରା ବା ବୁଦ୍ଧି ଦ୍ୱାରା ନିରନ୍ତର ସତ୍ୟ ପିତାଙ୍କର ସଂଗ କରିବା ଦ୍ୱାରା ସହଜଯୋଗୀ ହୋଇଯିବ ଏବଂ ସଂଗ ଶକ୍ତିଶାଳୀ ହେବା କାରଣରୁ ପ୍ରତ୍ୟେକ କର୍ତ୍ତବ୍ୟ କରିବାରେ ଦୁଇଗୁଣା ଶକ୍ତି ରହିବ, ଯାହାଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତାର ଅନୁଭୂତି ହେବ ।

ସ୍ଲୋଗାନ:-
ମହାରଥୀ ତାଙ୍କୁ କୁହାଯିବ, ଯେଉଁମାନେ କେବେ ବି ମାୟାର ପ୍ରଭାବରେ ପରବଶ ହୁଅନ୍ତି ନାହିଁ ।

ଅବ୍ୟକ୍ତ ଈଶାରା:- ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।

ମଧୁରତା ହିଁ ବ୍ରାହ୍ମଣ ଜୀବନର ମହାନତା ଅଟେ । ଯେଉଁଠାରେ ମଧୁରତା ରହିଛି ସେଠାରେ ପବିତ୍ରତା ମଧ୍ୟ ରହିଛି । ପବିତ୍ରତା ବିନା ମଧୁରତା ଆସିପାରିବ ନାହିଁ । ବୁଦ୍ଧିରେ ଯେତିକି ନିଶା ରହିଥିବ, ସେତିକି କର୍ମରେ ନମ୍ରତା ଏବଂ ବାଣୀରେ ମଧୁରତା ମଧ୍ୟ ରହୁଥିବ । ଏହିଭଳି ନିଶାରେ ରହିବା ଦ୍ୱାରା କେବେ କୌଣସି ପ୍ରକାରର କ୍ଷତି ହେବ ନାହିଁ । ସିଦ୍ଧି ପ୍ରାପ୍ତ କରୁଥିବା ପିଲାମାନେ ନିଜକୁ ସର୍ବଦା ନିମ୍ରଚିତ୍ତ, ନିର୍ମାଣ, ପ୍ରତ୍ୟେକ କଥାରେ ନିଜକୁ ଗୁଣଗ୍ରାହୀ ଏବଂ ମଧୁରତା ସମ୍ପନ୍ନ କରିଥାଆନ୍ତି ।