10.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏବେ ସତ୍ତ୍ୱପ୍ରଧାନ ହୋଇ ଘରକୁ ଯିବାକୁ ହେବ ସେଥିପାଇଁ ନିଜକୁ ଆତ୍ମା ମନେ କରି ନିରନ୍ତର ବାବାଙ୍କୁ ମନେ ପକାଇବାର ଅଭ୍ୟାସ କର, ସଦାସର୍ବଦା ନିଜର ଉନ୍ନତିର ଚିନ୍ତା କର ।”

ପ୍ରଶ୍ନ:-
ପାଠପଢାରେ ଦିନକୁ ଦିନ ଆଗକୁ ବଢୁଛ ବା ପଛକୁ ଯାଉଛ ତାହାର ଚିହ୍ନ କ’ଣ?

ଉତ୍ତର:-
ପାଠପଢାରେ ଯଦି ଆଗକୁ ବଢୁଥିବ ତେବେ ହାଲୁକା ଅର୍ଥାତ୍ ନିଶ୍ଚିନ୍ତତାର ଅନୁଭବ କରିବ । ବୁଦ୍ଧିରେ ରହିବ ଯେ ଏହି ଶରୀର ତ ଛି ଛି ବା ତମଃପ୍ରଧାନ ଅଟେ, ଏହାକୁ ଛାଡିବାକୁ ହେବ । ମୋତେ ତ ଏବେ ଘରକୁ ଯିବାକୁ ହେବ, ସେଥିପାଇଁ ଦୈବୀଗୁଣ ଧାରଣ କରିଚାଲିବ । ଯଦି ପଛକୁ ହଟୁଥିବେ ତେବେ ଚାଲିଚଳଣୀରେ ଆସୁରୀ ଗୁଣ ଦେଖାଯିବ । ଚାଲିବା-ବୁଲିବା ସମୟରେ ବାବାଙ୍କର ସ୍ମୃତି ରହିବ ନାହିଁ । ସେମାନେ ଫୁଲ ଭଳି ହୋଇ ସମସ୍ତଙ୍କୁ ସୁଖ ଦେଇପାରିବେ ନାହିଁ । ଏହିଭଳି ପିଲାମାନଙ୍କୁ ଆଗକୁ ଗଲେ ସାକ୍ଷାତ୍‌କାର ହେବ ପୁଣି ବହୁତ ଦଣ୍ଡ ଭୋଗ କରିବାକୁ ପଡିବ ।

ଓମ୍ ଶାନ୍ତି ।
ବୁଦ୍ଧିରେ ଏହି ଚିନ୍ତନ ରହୁ ଯେ - ଆମେ ସତ୍ତ୍ୱପ୍ରଧାନ ଅବସ୍ଥାରେ ଆସିଥିଲେ । ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଏଠାରେ ସମସ୍ତେ ବସିଛନ୍ତି କିନ୍ତୁ କେହି ଦେହ-ଅଭିମାନୀ ହୋଇ ବସୁଛନ୍ତି ତ ଆଉ କେହି ଦେହୀ-ଅଭିମାନୀ ହୋଇଥିବେ । କେହି କେହି ଗୋଟିଏ ସେକେଣ୍ଡରେ ଦେହ-ଅଭିମାନୀ ହେଉଛନ୍ତି ତ ପୁଣି ଅନ୍ୟ ସେକେଣ୍ଡରେ ଦେହୀ-ଅଭିମାନୀ ହେଉଛନ୍ତି । ଏଭଳି ତ କେହି କହିପାରିବେ ନାହିଁ ଯେ ଆମେ ପୁରା ସମୟ ଦେହୀ-ଅଭିମାନୀ ହୋଇ ବସୁଛୁ । ନାଁ । ବାବା ବୁଝାଉଛନ୍ତି, କେବେକେବେ ଦେହୀ-ଅଭିମାନୀ ତ କେବେକେବେ ଦେହ-ଅଭିମାନୀ ହେଉଥିବେ । ଏବେ ତୁମେ ପିଲାମାନେ ଜାଣିଛ ଯେ ଆମେ ଏହି ଶରୀର ତ୍ୟାଗ କରି ନିଜ ଘରକୁ ଯିବା । ତେବେ ବହୁତ ଖୁସିରେ ଯିବାକୁ ହେବ । ସାରା ଦିନ ଏହି ଚିନ୍ତନ କରୁଛନ୍ତି - ଆମେ ଶାନ୍ତିଧାମକୁ ଯିବୁ, କାରଣ ବାବା ଆମକୁ ମାର୍ଗ ଦର୍ଶନ କରାଇଲେ । ତେବେ ଅନ୍ୟ ସତସଙ୍ଗରେ ମନୁଷ୍ୟମାନେ ଏଭଳି ବିଚାର ନେଇ ବସୁ ନ ଥିବେ । ଏହି ଶିକ୍ଷା ଅନ୍ୟ କାହାକୁ ବି ମିଳି ନ ଥାଏ । ତେଣୁ ଏଭଳି ବିଚାର ମଧ୍ୟ ସେମାନଙ୍କ ଭିତରେ ଆସିବ ନାହିଁ । ତୁମେ ବୁଝୁଛ ଏହା ହେଉଛି ଦୁଃଖଧାମ । ଏବେ ବାବା ଏଠାକୁ ଆସି ସୁଖଧାମକୁ ଯିବାର ରାସ୍ତା ଦେଖାଉଛନ୍ତି । ଯେତେ ଅଧିକ ବାବାଙ୍କୁ ମନେ ପକାଇବ ସମ୍ପୂର୍ଣ୍ଣ ହୋଇ ଯଥାଯୋଗ୍ୟ ଶାନ୍ତିଧାମକୁ ଯିବ, ଏହାକୁ ହିଁ ମୁକ୍ତି କୁହାଯାଏ । ଯାହା ପାଇଁ ହିଁ ଲୋକମାନେ ଗୁରୁ କରିଥା’ନ୍ତି । କିନ୍ତୁ ମନୁଷ୍ୟମାନଙ୍କୁ ବିଲ୍‌କୁଲ୍ ଜଣାନାହିଁ କି ମୁକ୍ତି-ଜୀବନମୁକ୍ତି ଜିନିଷ କ’ଣ, କାରଣ ଏହା ହେଉଛି ନୂଆ କଥା । ତୁମେମାନେ ଏବେ ବୁଝିପାରୁଛ ଯେ ଏବେ ଆମକୁ ଘରକୁ ଯିବାକୁ ହେବ । ବାବା କହୁଛନ୍ତି ବାବାଙ୍କ ସ୍ମୃତିର ଆଧାରରେ ପବିତ୍ର ହୁଅ । ତୁମେ ପ୍ରଥମେ ଯେତେବେଳେ ଏଠାକୁ ଆସିଲ ସେତେବେଳେ ଶ୍ରେଷ୍ଠାଚାରୀ ଦୁନିଆକୁ ଆସିଥିଲ, ତୁମେ ସତ୍ତ୍ୱପ୍ରଧାନ ଥିଲ । ଆତ୍ମା ସତ୍ତ୍ୱପ୍ରଧାନ ଥିଲା । ଅନ୍ୟ କାହା ସହିତ ସମ୍ବନ୍ଧ ତ ପରେ ହୋଇଥାଏ । ଗର୍ଭକୁ ଯିବା ପରେ ସମ୍ବନ୍ଧ ତିଆରି ହୋଇଥାଏ । ତୁମେ ଜାଣୁଛ ଏବେ ଏହା ଆମର ଅନ୍ତିମ ଜନ୍ମ । ଆମକୁ ଘରକୁ ଫେରିବାକୁ ହେବ । କିନ୍ତୁ ପବିତ୍ର ହେବା ବିନା ଆମେ ଯାଇ ପାରିବା ନାହିଁ । ନିଜ ସହିତ ଏହିଭଳି ଅନ୍ତର୍ମନରେ ବାର୍ତ୍ତାଳାପ କରିବା ଆବଶ୍ୟକ କାରଣ ବାବାଙ୍କ ନିର୍ଦ୍ଦେଶ ହେଉଛି ବସିବା, ଉଠିବା, ଚାଲିବା, ବୁଲିବା ସମୟରେ ବୁଦ୍ଧିରେ ଏହି ଚିନ୍ତନ ରହୁ କି ଆମେ ସତ୍ତ୍ୱପ୍ରଧାନ ହୋଇ ଆସିଥିଲୁ, ଏବେ ପୁନଃ ସତ୍ତ୍ୱପ୍ରଧାନ ହୋଇ ଘରକୁ ଯିବୁ । ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ସତ୍ତ୍ୱପ୍ରଧାନ ହୋଇପାରିବା, କାରଣ ବାବା ହିଁ ହେଉଛନ୍ତି ପତିତ-ପାବନ । ଆମମାନଙ୍କୁ ଉପାୟ ବତାଉଛନ୍ତି ଯେ ତୁମେ ଏହିଭଳି ପବିତ୍ର ହୋଇପାରିବ । ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ତ ବାବା ହିଁ ଜାଣିଛନ୍ତି, ଆଉ ତ କେହି ଅଧିକାରୀ ନାହାଁନ୍ତି । ବାବା ହିଁ ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି । ଭକ୍ତି କେତେ ଦିନ ଚାଲୁଛି ଏହା ମଧ୍ୟ ବାବା ବୁଝାଉଛନ୍ତି । ଏତେ ସମୟ ଜ୍ଞାନମାର୍ଗ, ଏତେ ସମୟ ଭକ୍ତି । ଏହି ସମସ୍ତ ଜ୍ଞାନ ଅର୍ନ୍ତମନରେ ରହିବା ଦରକାର । ଯେପରି ବାବାଙ୍କ ଆତ୍ମାରେ ଜ୍ଞାନ ରହିଛି ସେହିପରି ତୁମର ଆତ୍ମାରେ ମଧ୍ୟ ଜ୍ଞାନ ଅଛି । ଶରୀର ମାଧ୍ୟମରେ ଶୁଣୁଛନ୍ତି ଓ ଶୁଣାଉଛନ୍ତି । ଶରୀର ବିନା ତ ଆତ୍ମା କଥା କହିପାରିବ ନାହିଁ, ଏଥିରେ ପ୍ରେରଣା ବା ଆକାଶବାଣୀର କିଛି କଥା ନାହିଁ । ଯେହେତୁ ଭଗବାନୁବାଚ ଶବ୍ଦ ରହିଛି ତେଣୁ ନିଶ୍ଚିତ ରୂପେ ମୁଖ ଆବଶ୍ୟକ ଓ ରଥ ଆବଶ୍ୟକ । ଗଧ ଘୋଡାଯୁକ୍ତ ରଥର ଆବଶ୍ୟକତା ନାହିଁ । ତୁମେମାନେ ମଧ୍ୟ ପୂର୍ବରୁ ଭାବୁଥିଲ ଯେ - କଳିଯୁଗ ଆହୁରି ୪୦ ହଜାର ବର୍ଷ ଚାଲିବ । ତେବେ ତୁମେମାନେ ଅଜ୍ଞାନ ନିଦ୍ରାରେ ଶୋଇ ଯାଇଥିଲ । ଏବେ ବାବା ଜାଗ୍ରତ କରିଛନ୍ତି । ତୁମେ ମଧ୍ୟ ଅଜ୍ଞାନତାରେ ଥିଲ । ଏବେ ଜ୍ଞାନ ମିଳିଲା । ଭକ୍ତିକୁ ହିଁ ଅଜ୍ଞାନତା କୁହାଯାଏ ।

ତୁମମାନଙ୍କୁ ବିଚାର କରିବା ଦରକାର ଯେ ଆମେ ନିଜର ଉନ୍ନତି କିପରି କରିବୁ, ଉଚ୍ଚପଦ କିପରି ପାଇବୁ । ନିଜ ଘରକୁ ଯାଇ ନୂଆ ରାଜଧାନୀକୁ ଆସି ଉଚ୍ଚ ପଦ ପାଇବୁ । ସେଥିପାଇଁ ଆବଶ୍ୟକ ବାବାଙ୍କର ସ୍ମୃତି । ତେଣୁ ନିଶ୍ଚିତ ରୂପେ ନିଜକୁ ଆତ୍ମା ଭାବିବାକୁ ହେବ । ଆମ ସମସ୍ତ ଆତ୍ମାଙ୍କର ପିତା ପରମାତ୍ମା ଅଟନ୍ତି । ଏହା ତ ବହୁତ ସହଜ କଥା । କିନ୍ତୁ ମନୁଷ୍ୟମାନେ ଏତେ ସହଜ କଥାକୁ ମଧ୍ୟ ବୁଝିପାରୁ ନାହାଁନ୍ତି । ତୁମେ ସେମାନଙ୍କୁ ବୁଝାଇପାରିବ ଯେ - ଏହା ହେଉଛି ରାବଣ ରାଜ୍ୟ । ତେଣୁ ତୁମର ବୁଦ୍ଧି ଭ୍ରଷ୍ଟାଚାରୀ ହୋଇଯାଇଛି । ମନୁଷ୍ୟ ଭାବୁଛନ୍ତି ଯିଏ ବିକାରଗ୍ରସ୍ତ ନୁହଁନ୍ତି ସେ ହିଁ ପବିତ୍ର, ଯେପରି ସନ୍ନ୍ୟାସୀମାନେ ଅଟନ୍ତି । ବାବା କହୁଛନ୍ତି ସେ ତ ଅଳ୍ପକାଳ ପାଇଁ ପାବନ ହେଉଛନ୍ତି । କିନ୍ତୁ ତଥାପି ଦୁନିଆ ତ ପତିତ ନା । ପବିତ୍ର ଦୁନିଆ ହେଉଛି ସତ୍ୟଯୁଗ । ପତିତ ଦୁନିଆରେ ସତ୍ୟଯୁଗ ଭଳି ପବିତ୍ର କେହି ହୋଇପାରିବେ ନାହିଁ । ସେଠାରେ ରାବଣ ରାଜ୍ୟ ହିଁ ନାହିଁ । ବିକାରର କଥା ହିଁ ନାହିଁ । ତେଣୁ ଚକ୍କର ଲଗାଉଥିବା ସମୟରେ ବା ଚାଲିବା-ବୁଲିବା ସମୟରେ ମଧ୍ୟ ବୁଦ୍ଧିରେ ଏହି ଚିନ୍ତନ ରହିବା ଆବଶ୍ୟକ । ବାବାଙ୍କ ଭିତରେ ଏହି ଜ୍ଞାନ ରହିଛି ନା । ସିଏ ଜ୍ଞାନର ସାଗର ତେଣୁ ନିଶ୍ଚିତ ରୂପେ ଜ୍ଞାନର ଚିନ୍ତନ ଚାଲିବ । ତୁମେ ମଧ୍ୟ ଜ୍ଞାନ ସାଗରଙ୍କଠାରୁ ବାହାରିଥିବା ଜ୍ଞାନ ନଦୀ । ବାବା ତ ସଦା ସାଗର ହିଁ ଅଟନ୍ତି । କିନ୍ତୁ ତୁମେ ସଦା ସାଗର ନୁହଁ । ତୁମେ ପିଲାମାନେ ବୁଝୁଛ - ଆମେ ସମସ୍ତେ ଭାଇ ଭାଇ । ତୁମେ ପିଲାମାନେ ପାଠ ପଢୁଛ, ବାସ୍ତବରେ ନଦୀ ଆଦିର କିଛି କଥା ହିଁ ନାହିଁ । ନଦୀ କହିବା ଦ୍ୱାରା ଗଙ୍ଗା ଯମୁନା ଆଦିକୁ ଭାବି ନେଉଛନ୍ତି । ତୁମେ ଏବେ ବେହଦରେ ଉପସ୍ଥିତ ଅଛ । ଆମେ ସମସ୍ତେ ଆତ୍ମାମାନେ ଏକ ପିତାଙ୍କର ସନ୍ତାନ । ଭାଇ ଭାଇ ଅଟୁ । ଏବେ ଆମକୁ ଘରକୁ ଫେରିବାକୁ ହେବ । ଯେଉଁଠାରୁ ଆସି ଏହି ଶରୀର ରୂପୀ ସିଂହାସନରେ ବିରାଜମାନ ହୋଇଛୁ । ଆତ୍ମାର ବହୁତ ସୂକ୍ଷ୍ମ ସାକ୍ଷାତ୍‌କାର ହେଲେ ମଧ୍ୟ ବୁଝିପାରିବେ ନାହିଁ । ଆତ୍ମା ଶରୀର ତ୍ୟାଗ କରିବା ସମୟରେ କହିଥା’ନ୍ତି ମସ୍ତକ ବା ଆଖି ବା ମୁଖ ବାଟ ଦେଇ ଆତ୍ମା ଚାଲିଗଲା, ମୁଖ ଖୋଲିଯାଇଥାଏ । ଆତ୍ମା ଶରୀର ତ୍ୟାଗ କରିଦେବା ପରେ ଶରୀର ଜଡ ହୋଇଯାଏ । ଏହା ହେଉଛି ଜ୍ଞାନ । ଯେପରି ବିଦ୍ୟାର୍ଥୀମାନଙ୍କ ବୁଦ୍ଧିରେ ସାରା ଦିନ ଜ୍ଞାନ ହିଁ ରହିଥାଏ । ତୁମମାନଙ୍କ ଭିତରେ ମଧ୍ୟ ସାରା ଦିନ ପାଠପଢାର ବିଚାର ଆସିବା ଦରକାର । ଭଲ ଭଲ ଛାତ୍ରମାନଙ୍କ ହାତରେ ସର୍ବଦା କୌଣସି ନା କୌଣସି ବହି ରହିଥାଏ । ପଢିବାରେ ଲାଗିରହିଥା’ନ୍ତି ।

ବାବା କହୁଛନ୍ତି ଏହା ତୁମର ଅନ୍ତିମ ଜନ୍ମ, ସାରା ଚକ୍ର ପରିକ୍ରମା କରି ଏବେ ଅନ୍ତିମ ସମୟରେ ଆସି ପହଞ୍ଚିଛ, ତେଣୁ ବୁଦ୍ଧିରେ ଏହି କଥା ସର୍ବଦା ସ୍ମରଣ ରହିବା ଉଚିତ୍ । ଏହି ସବୁ କଥା ନିଜେ ଧାରଣ କରି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବା ଉଚିତ୍ । କାହା କାହାର ତ ଆଦୌ ଧାରଣା ହେଉ ହିଁ ନାହିଁ । ସ୍କୁଲରେ ମଧ୍ୟ ଛାତ୍ରମାନେ କ୍ରମାନୁସାରେ ରହିଥା’ନ୍ତି । ଅନେକ ପ୍ରକାର ବିଷୟବସ୍ତୁ ରହିଥାଏ । ଏଠାରେ ତ ହେଉଛି ଗୋଟିଏ ବିଷୟ ବସ୍ତୁ । ଦେବତା ହେବାକୁ ପଡିବ, ତେଣୁ ସର୍ବଦା ଏହି ପାଠପଢାର ଚିନ୍ତନ ଚାଲିବା ଆବଶ୍ୟକ । ଏମିତି ନୁହେଁ, ପାଠପଢାକୁ ଭୁଲିଯିବ ବାକି ଅନ୍ୟ ସବୁ ଚିନ୍ତନ ଚାଲୁଥିବ । ଯଦି ବ୍ୟବସାୟୀ ହୋଇଥିବେ ତେବେ ନିଜର ବ୍ୟବସାୟର ଚିନ୍ତନରେ ହିଁ ବୁଡି ରହିବେ । କିନ୍ତୁ ବିଦ୍ୟାର୍ଥୀମାନେ ନିଜର ପାଠପଢାରେ ହିଁ ଲାଗି ରହିଥା’ନ୍ତି । ତୁମମାନଙ୍କୁ ମଧ୍ୟ ନିଜର ପାଠପଢାରେ ଲାଗି ରହିବାକୁ ହେବ ।

କାଲି ଆନ୍ତର୍ଜାତୀୟ ଯୋଗ ସମ୍ମିଳନୀ ପାଇଁ ଏକ ନିମନ୍ତ୍ରଣ ପତ୍ର ଆସିଥିଲା । ତୁମେ ତାଙ୍କୁ ଲେଖିପାରିବ ଯେ - ଏହା ତୁମର ହଠଯୋଗ, ଏହାର ଲକ୍ଷ୍ୟ ଉଦ୍ଦେଶ୍ୟ କ’ଣ? ଏହାଦ୍ୱାରା କ’ଣ ଉପକାର ହେଉଛି? ଆମେ ରାଜଯୋଗର ଶିକ୍ଷା କରୁଛୁ । ପରମପିତା ପରମାତ୍ମା ଯିଏକି ଜ୍ଞାନର ସାଗର, ସେ ସୃଷ୍ଟିର ରଚୟିତା ଆମକୁ ନିଜର ଏବଂ ରଚନାର ଜ୍ଞାନ ଶୁଣାଉଛନ୍ତି । ଏବେ ଆମକୁ ଘରକୁ ଫେରିବାକୁ ହେବ । ମନମନାଭବ - ଏହା ହେଉଛି ତୁମର ମନ୍ତ୍ର । ଆମେ ବାବାଙ୍କୁ ଏବଂ ବାବାଙ୍କ ଦ୍ୱାରା ଯେଉଁ ସମ୍ପତ୍ତି ମିଳୁଛି, ତାକୁ ମନେ ପକାଉଛୁ । ତୁମେ ଯେଉଁ ହଠଯୋଗ ଆଦି କରି ଆସୁଛ, ତାହାର ଲକ୍ଷ୍ୟ ଉଦ୍ଦେଶ୍ୟ କ’ଣ? ଆମେ ତ ଯାହା ଶିଖୁଛୁ ସେ ବିଷୟରେ ଜଣାଇଲୁ, ଏବେ କୁହ ତୁମର ଏ ହଠଯୋଗରୁ କ’ଣ ପ୍ରାପ୍ତି ହେଉଛି । ଏହିଭଳି ଉତ୍ତର ସଂକ୍ଷେପରେ ଲେଖିବାକୁ ହେବ । ଏହିଭଳି ନିମନ୍ତ୍ରଣ ତ ତୁମ ପାଖକୁ ବହୁତ ଆସୁଛି । ସର୍ବ ଭାରତୀୟ ଧର୍ମ ସମ୍ମିଳନୀ ତରଫରୁ ଯଦି ତୁମକୁ ନିମନ୍ତ୍ରଣ ଆସିବ ଏବଂ ସେମାନେ ପଚାରିବେ ଯେ ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ କ’ଣ? ତେବେ କୁହ ଆମେ ଏହି ରାଜଯୋଗ ଶିକ୍ଷା କରୁଛୁ । ନିଜ ବିଷୟରେ ନିଶ୍ଚିତ ରୂପେ କହିବା ଆବଶ୍ୟକ କାରଣ ତୁମେ ଏହି ଶ୍ରେଷ୍ଠ ରାଜଯୋଗ ଶିଖୁଛ । କୁହ ଆମେ ଏହି ପାଠ ପଢୁଛୁ । ଆମର ଶିକ୍ଷାଦାତା ସ୍ୱୟଂ ଭଗବାନ ଅଟନ୍ତି, ଆମେ ସବୁ ଭାଇ ଭାଇ । ଆମେ ନିଜକୁ ଆତ୍ମା ନିଶ୍ଚୟ କରୁଛୁ । ଅବିନାଶୀ ପିତା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେପକାଅ ତେବେ ତୁମର ପାପ ନାଶ ହେବ । ଏହିଭଳି ଲେଖା ସବୁ ବହୁତ ଭଲ ଭାବରେ ଛପାଇ ରଖ । ପୁଣି ଯେଉଁ ସବୁ ସ୍ଥାନରେ ସମ୍ମିଳନୀ ଆଦି ହେଉଛି ସେଠାକୁ ପଠାଇ ଦିଅ । ତେବେ ସେମାନେ କହିବେ ଏମାନେ ତ ବହୁତ ଲାଭଦାୟୀ କାଇଦାର ଶିକ୍ଷା ଗ୍ରହଣ କରୁଛନ୍ତି । ଏହି ରାଜଯୋଗ ଦ୍ୱାରା ରାଜାମାନଙ୍କର ରାଜା ବିଶ୍ୱର ମାଲିକ ହେଉଛନ୍ତି । ପ୍ରତି ୫ ହଜାର ବର୍ଷ ପରେ ଆମେ ଦେବତା ହେଉଛୁ ପୁଣି ମନୁଷ୍ୟ ହେଉଛୁ । ଏହିଭଳି ଭାବେ ବିଚାର ସାଗର ମନ୍ଥନ କରି ବହୁତ ସୁନ୍ଦର ଲେଖା ଛପାଇବା ଦରକାର । ସେମାନେ ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ପଚାରିପାରନ୍ତି । ତେଣୁ ତୁମେ ଏ ସବୁ ଛପାଇ କରି ରଖିଦିଅ ଯେ ଏହା ହେଉଛି ଆମର ଲକ୍ଷ୍ୟ-ଉଦ୍ଦେଶ୍ୟ । ଏହିଭଳି ଲେଖିବା ଦ୍ୱାରା ତାଙ୍କ ଭିତରେ ପ୍ରଲୋଭନ ଆସିବ । ଏଠାରେ କୌଣସି ହଠଯୋଗ ବା ଶାସ୍ତ୍ରବାଦ କରିବାର କଥା ନାହିଁ । ସେମାନଙ୍କର ଶାସ୍ତ୍ରାର୍ଥ କରିବାରେ ମଧ୍ୟ କେତେ ଅହଂକାର ରହିଥାଏ । ସେମାନେ ନିଜକୁ ଶାସ୍ତ୍ରର ବିଷାରଦ ବୋଲି ଭାବୁଛନ୍ତି । ବାସ୍ତବରେ ସେମାନେ ତ ପୂଜାରୀ ଅଟନ୍ତି, ଅଧିକାରୀ ତ ପୂଜ୍ୟ ଆତ୍ମାମାନଙ୍କୁ କୁହାଯିବ । ପୂଜାରୀକୁ କ’ଣ କୁହାଯିବ? ଏ ସବୁ କଥା ସ୍ପଷ୍ଟ ରୂପେ ଲେଖିବା ଦରକାର ଯେ ଆମେ କ’ଣ ଶିଖୁଛୁ । ବ୍ରହ୍ମାକୁମାର କୁମାରୀମାନଙ୍କ ନାମ ତ ଏବେ ପ୍ରସିଦ୍ଧ ହୋଇଗଲାଣି ।

ଯୋଗ ତ ଦୁଇ ପ୍ରକାରର ଅଟେ, ଗୋଟିଏ ହେଲା ହଠଯୋଗ ଏବଂ ଅନ୍ୟଟି ହେଲା ସହଜଯୋଗ । ରାଜଯୋଗ କୌଣସି ମନୁଷ୍ୟ ତ ଶିଖାଇ ପାରିବେ ନାହିଁ । ରାଜଯୋଗ ତ ଏକମାତ୍ର ପରମାତ୍ମା ହିଁ ଶିଖାଇ ପାରିବେ । ବାକି ଏସବୁ ହେଲା ଅନେକ ପ୍ରକାରର ଯୋଗ ଯାହାକି ମନୁଷ୍ୟ ମତ ଉପରେ ଆଧାରିତ । ସେଠାରେ ଦେବତାମାନଙ୍କୁ କାହାର ମତର ଆବଶ୍ୟକତା ନାହିଁ । କାରଣ ବାବାଙ୍କଠାରୁ ସମ୍ପତ୍ତି ନେଉଛନ୍ତି । ସେମାନେ ତ ହେଉଛନ୍ତି ଦେବତା ଅର୍ଥାତ୍ ଦୈବୀ ଗୁଣଧାରୀ, ଯାହାଙ୍କଠାରେ କୌଣସି ଆସୁରୀ ଗୁଣ ନ ଥାଏ । ଏଠାରେ ଦେବତାମାନଙ୍କର ରାଜ୍ୟ ଥିଲା ପୁଣି ତାହା କେଉଁଆଡେ ଗଲା? ୮୪ ଜନ୍ମ କିପରି ନେଲେ? ସିଢି ଚିତ୍ର ସମ୍ବନ୍ଧରେ ବୁଝାଇବା ଦରକାର । ସିଢି ଚିତ୍ର ବହୁତ ଉପଯୋଗୀ । ଯେଉଁ କଥା ତୁମ ମନରେ ଅଛି ସେସବୁ ଏହି ସିଢିରେ ଅଛି । ସବୁ କିଛି ଶିକ୍ଷା ଉପରେ ନିର୍ଭର କରେ । ପାଠପଢା ହେଉଛି ରୋଜଗାରର ଉତ୍ସ । ଏହା ହେଉଛି ସବୁଠାରୁ ଶ୍ରେଷ୍ଠ ପାଠପଢା । ଦି ବେଷ୍ଟ ଦୁନିଆ ଜାଣିନାହିଁକି ଦି ବେଷ୍ଟ କେଉଁ ପାଠପଢା । ଏହି ଶିକ୍ଷା ଦ୍ୱାରା ଆମେ ମନୁଷ୍ୟରୁ ଦେବତା ଦ୍ୱିମୁକୁଟଧାରୀ ହେଉଛେ । ଏବେ ତୁମେ ଦ୍ୱିମୁକୁଟଧାରୀ ହେବାର ପୁରୁଷାର୍ଥ କରୁଛ । ପାଠପଢା ତ ଗୋଟିଏ ପୁଣି ସେଠାରେ କିଏ କ’ଣ ହେଉଛନ୍ତି ତ କିଏ କ’ଣ! ଆଶ୍ଚର୍ଯ୍ୟର କଥା ନା । ଏହି ଗୋଟିଏ ଶିକ୍ଷା ଦ୍ୱାରା ରାଜଧାନୀର ସ୍ଥାପନା ହୋଇଯାଉଛି । ରାଜା ହେଉଛନ୍ତି ପୁଣି ଭିକାରୀ ମଧ୍ୟ ହେଉଛନ୍ତି । ବାକି ସେଠାରେ ଦୁଃଖର କୌଣସି କଥା ନ ଥାଏ । ଅନେକ ପ୍ରକାରର ପଦବୀ ରହିଥାଏ ନା । ଏଠାରେ ତ ଅନେକ ପ୍ରକାରର ଦୁଃଖ ରହିଛି । ମରୁଡି, ବେମାରୀ ପୁଣି ଶସ୍ୟ ଆଦି ମିଳୁନାହିଁ । ବନ୍ୟା ଆଦି ହେଉଛି । ଯଦିଓ ଲକ୍ଷପତି, କୋଟିପତି ସବୁ ଅଛନ୍ତି କିନ୍ତୁ ଜନ୍ମ ତ ବିକାରରୁ ହିଁ ନେଉଛନ୍ତି ନା । ଧକ୍କା ହେବା, ମଶା କାମୁଡିବା, ଏ ସବୁ ଦୁଃଖ ଅଟେ ନା । ଏହାର ନାମ ହିଁ ହେଉଛି ରୌରବ ନର୍କ । ତଥାପି ମଧ୍ୟ କହୁଛନ୍ତି ଅମୁକ ସ୍ୱର୍ଗକୁ ଗଲେ । ଆରେ, ସ୍ୱର୍ଗ ତ ଆସୁଛି ପୁଣି କେହି ସ୍ୱର୍ଗକୁ ଗଲେ କିପରି । ଏ ସବୁ କଥା କାହାକୁ ମଧ୍ୟ ବୁଝାଇବା ବହୁତ ସହଜ । ଏବେ ବାବା ଏହିଭଳି ପ୍ରବନ୍ଧ ଲେଖିବା ପାଇଁ କହିଛନ୍ତି, ଲେଖିବା ପିଲାମାନଙ୍କର କାମ । ଧାରଣା ଥିଲେ ନିଶ୍ଚିତ ଲେଖିବେ । ମୂଖ୍ୟ କଥା ପିଲାମାନଙ୍କୁ ବୁଝାଉଛନ୍ତି ଯେ ନିଜକୁ ଆତ୍ମା ମନେ କର, ଏବେ ଘରକୁ ଫେରି ଯିବାକୁ ହେବ । ଆମେ ଯେତେବେଳେ ସତ୍ତ୍ୱପ୍ରଧାନ ଥିଲେ ସେତେବେଳେ ଖୁସିର ପାରାବାର ନ ଥିଲା । ଏବେ ତମଃପ୍ରଧାନ ହୋଇଯାଇଛୁ । ଏହା କେତେ ସହଜ କଥା । ପଏଣ୍ଟ ତ ବାବା ବହୁତ ଶୁଣାଉଛନ୍ତି ତେଣୁ ଭଲ ଭାବେ ବୁଝାଇବା ଆବଶ୍ୟକ । ଯଦି ନ ମାନିଲେ ତେବେ ଜଣାପଡିଯିବ ଯେ ଇଏ ଆମ କୁଳର ନୁହଁନ୍ତି । ପ୍ରତିଦିନ ପାଠପଢାରେ ଆଗକୁ ଆଗକୁ ବଢିବା ଦରକାର । ପଛକୁ ହଟିବାର ନାହିଁ । ଦୈବୀଗୁଣ ପରିବର୍ତ୍ତେ ଆସୁରୀଗୁଣ ଧାରଣ କରିବା - ଏହା ତ ପଛକୁ ହଟିଯିବା ହୋଇଗଲା ନା । ବାବା କହୁଛନ୍ତି ବିକାରକୁ ପରିତ୍ୟାଗ କର । ଦୈବୀଗୁଣ ଧାରଣ କର । ତେବେ ବହୁତ ହାଲୁକା ରହିବାକୁ ହେବ । ଏହି ଛି ଛି ଶରୀରକୁ ତ୍ୟାଗ କରିବାକୁ ହେବ । ଆମକୁ ତ ଏବେ ଘରକୁ ଯିବାକୁ ହେବ । ବାବାଙ୍କୁ ମନେ ନ ପକାଇଲେ ଫୁଲ ଭଳି ସୁନ୍ଦର ହୋଇପାରିବ ନାହିଁ । ବହୁତ ଦଣ୍ଡ ଭୋଗିବାକୁ ପଡିବ । ଆଗକୁ ଗଲେ ତୁମକୁ ସବୁକିଛିର ସାକ୍ଷାତ୍‌କାର ହେବ । ପଚାରିବେ, ତୁମେ କେଉଁ ସେବା କରିଛ? ତୁମେ କେବେ କୋର୍ଟକୁ ଯାଇନାହଁ? ବାବା ସବୁ କିଛି ଦେଖିଛନ୍ତି । କିଭଳି ଏହି ଲୋକମାନେ ଚୋରକୁ ଧରୁଛନ୍ତି । ପୁଣି କେସ୍ ଚାଲୁଛି, ଠିକ୍ ସେହିଭଳି ସେଠାରେ ମଧ୍ୟ ତୁମକୁ ସାକ୍ଷାତ୍‌କାର କରାଇବେ । ଦଣ୍ଡ ଭୋଗ କରି ପୁଣି ପାଇ ପଇସା କର ପଦ ପାଇବେ । ଶିକ୍ଷକଙ୍କୁ ଦୟା ଆସୁଛି ଯେ ଏହି ପିଲା ଫେଲ୍ ହୋଇଯିବେ । ବାବାଙ୍କୁ ମନେ ପକାଇବାର ବିଷୟବସ୍ତୁ ସବୁଠାରୁ ଭଲ । ଏହା ଦ୍ୱାରା ପାପ ଧୋଇ ହୋଇଯାଏ । ବାବା ଆମକୁ ପଢାଉଛନ୍ତି । ଚାଲିବା-ବୁଲିବା ସମୟରେ ମଧ୍ୟ ଏହି କଥାକୁ ସ୍ମରଣ କରିବା ଆବଶ୍ୟକ । ଯେପରି ଶିକ୍ଷକଙ୍କୁ ଛାତ୍ର ମନେ ପକାଇଥା’ନ୍ତି ଏବଂ ପାଠପଢା ମଧ୍ୟ ବୁଦ୍ଧିରେ ଥାଏ । ଶିକ୍ଷକଙ୍କ ସହ ନିଶ୍ଚିତ ବୁଦ୍ଧିଯୋଗ ତ ରହିବ ନା । ଏ କଥା ବୁଦ୍ଧିରେ ରହିବା ଆବଶ୍ୟକ ଯେ - ଆମେ ସବୁ ଭାଇମାନଙ୍କର ଶିକ୍ଷକ ଜଣେ । ସେ ହେଲେ ସୁପ୍ରିମ ଶିକ୍ଷକ । ଆଗକୁ ଗଲେ ବହୁତଙ୍କୁ ଜଣାପଡିଯିବ ଯେ - ଅହୋ ପ୍ରଭୁ ତେରି ଲୀଲା... । ମହିମା କରି ପ୍ରାଣ ତ୍ୟାଗ କରିବେ କିନ୍ତୁ କିଛି ବି ପାଇପାରିବେ ନାହିଁ । ଦେହ-ଅଭିମାନରେ ଆସିବା ଦ୍ୱାରା ହିଁ ଓଲଟା କର୍ମ କରିଥାଆନ୍ତି । ଦେହୀ-ଅଭିମାନୀ ହେବା ଦ୍ୱାରା ଭଲ କାମ କରିବେ । ବାବା କହୁଛନ୍ତି ଏବେ ତୁମର ବାନପ୍ରସ୍ଥ ଅବସ୍ଥା ହୋଇଗଲାଣି, ଘରକୁ ଫେରିବାକୁ ହେବ । ହିସାବ-କିତାବ ଚୁକ୍ତ କରି ସମସ୍ତଙ୍କୁ ଯିବାକୁ ହେବ । ତୁମେ ଚାହଁ ବା ନ ଚାହଁ ନିଶ୍ଚିତ ଯିବାକୁ ପଡିବ । ଏପରି ସମୟ ଆସିବ ଯେତେବେଳେ ଏହି ଦୁନିଆ ବହୁତ ପରିମାଣରେ ଖାଲି ହୋଇଯିବ । କେବଳ ଭାରତ ହିଁ ରହିବ । ଅଧାକଳ୍ପ କେବଳ ଭାରତ ହିଁ ରହିବ । ତେବେ ଦୁନିଆ କେତେ ଖାଲି ହୋଇଯିବ । ତୁମମାନଙ୍କ ବ୍ୟତୀତ ଏଭଳି ବିଚାର କାହାର ବୁଦ୍ଧିରେ ଆସୁ ନାହିଁ । ପୁଣି ତୁମର ତ କେହି ଶତ୍ରୁ ମଧ୍ୟ ରହିବେ ନାହିଁ । ଶତ୍ରୁ କାହିଁକି ଆସିଥା’ନ୍ତି? ଧନ ନେବା ପାଇଁ । ଭାରତକୁ ଏତେ ମୁସଲମାନ ଏବଂ ଇଂରେଜ କାହିଁକି ଆସିଲେ? ଧନ ସମ୍ପତ୍ତିକୁ ଦେଖି । ସେ ସମୟରେ ଧନ ସମ୍ପତ୍ତି ବହୁତ ଥିଲା, ଏବେ ନାହିଁ । ତେଣୁ ଏବେ କେହି ଆସୁନାହାଁନ୍ତି । ଧନ ସମ୍ପତ୍ତି ନେଇ ଖାଲି କରିଦେଲେ । ଅନ୍ୟ ମନୁଷ୍ୟମାନେ ଏକଥା ଜାଣିନାହାଁନ୍ତି । ବାବା କହୁଛନ୍ତି ଡ୍ରାମାର ନିୟମ ଅନୁଯାୟୀ ତୁମେ ନିଜେ ହିଁ ନିଜର ସବୁ ଧନ ସମ୍ପତ୍ତି ଶେଷ କରିଦେଲ । ତୁମକୁ ନିଶ୍ଚୟ ଅଛି ଯେ ଆମେ ଅବିନାଶୀ ବାବାଙ୍କ ପାଖକୁ ଆସିଛୁ । ଏକଥା କେବେ କାହା ବିଚାରରେ ମଧ୍ୟ ଆସିବ ନାହିଁ କି ଏହା ଈଶ୍ୱରୀୟ ପରିବାର ଅଟେ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଚାଲିବା-ବୁଲିବା ସମୟରେ ବୁଦ୍ଧିରେ ପାଠପଢାର ହିଁ ଚିନ୍ତନ କରିବାକୁ ହେବ । ଯେ କୌଣସି କାର୍ଯ୍ୟ କରୁଥିଲେ ମଧ୍ୟ ବୁଦ୍ଧିରେ ସର୍ବଦା ଜ୍ଞାନର ଚିନ୍ତନ ମନ୍ଥନ ଚାଲିଥାଉ । ଏହା ହିଁ ସର୍ବଶ୍ରେଷ୍ଠ ପାଠପଢା ଅଟେ, ଯାହାକୁ ପଢି ଦ୍ୱିମୁକୁଟଧାରୀ ହେବାକୁ ପଡିବ ।

(୨) ଅଭ୍ୟାସ କରିବାକୁ ହେବ ଯେ ଆମେ ଆତ୍ମା ଭାଇ ଭାଇ ଅଟୁ । ଦେହ-ଅଭିମାନରେ ଆସିବା ଦ୍ୱାରା ଓଲଟା କାମ ହୋଇଯାଇଥାଏ ସେଥିପାଇଁ ଯେତେ ଦୂର ସମ୍ଭବ ଦେହୀ-ଅଭିମାନୀ ହୋଇ ରହିବାକୁ ହେବ ।

ବରଦାନ:-
ସତ୍ୟତାର ଶକ୍ତି ଦ୍ୱାରା ସର୍ବଦା ଖୁସିରେ ନାଚୁଥିବା ଶକ୍ତିଶାଳୀ ମହାନ ଆତ୍ମା ହୁଅ ।

କଥାରେ ଅଛି ”ସଚ୍ ତୋ ବିଠୋ ନଚ୍‌” ଅର୍ଥାତ୍ ସତ୍ୟ ପଥରେ ଚାଲୁଥିବା ବ୍ୟକ୍ତି ସର୍ବଦା ଖୁସିରେ ନାଚୁଥାଏ । ସତ୍ୟତାର ଶକ୍ତିରେ ସମ୍ପନ୍ନ ଆତ୍ମା ସର୍ବଦା ନାଚୁଥାଏ, କେବେ ଝାଉଁଳୀ ଯାଏ ନାହିଁ, ଦ୍ୱନ୍ଦ୍ୱରେ ପଡେ ନାହିଁ, ଭୟଭୀତ ହୁଏ ନାହିଁ କିମ୍ବା ଦୁର୍ବଳ ମଧ୍ୟ ହୁଏ ନାହିଁ । ସେ ସର୍ବଦା ଖୁସିରେ ନାଚୁଥାଏ । ଶକ୍ତିଶାଳୀ ମଧ୍ୟ ହୋଇଥାଏ । ତା’ ଭିତରେ ସମ୍ମୁଖୀନ କରିବାର ଶକ୍ତି ମଧ୍ୟ ଥାଏ । ତା’ର ସତ୍ୟତା କେବେ ବି ହଲଚଲ୍ ହୁଏ ନାହିଁ । ଅଚଳ ରହିଥାଏ । କୁହାଯାଏ ସତ୍ୟତାର ନାବ ଟଳମଳ ହୁଏ କିନ୍ତୁ ବୁଡେ ନାହିଁ । ତେଣୁ ସତ୍ୟତାର ଶକ୍ତିକୁ ଧାରଣ କରିଥିବା ଆତ୍ମା ହିଁ ମହାନ ଅଟେ ।

ସ୍ଲୋଗାନ:-
ବ୍ୟସ୍ତ ମନ ବୁଦ୍ଧିକୁ ଗୋଟିଏ ସେକେଣ୍ଡରେ ଷ୍ଟପ୍ କରିଦେବା ହିଁ ସର୍ବଶ୍ରେଷ୍ଠ ଅଭ୍ୟାସ ଅଟେ ।