10.11.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯଦି
ନିଜର ଭାଗ୍ୟକୁ ଉଚ୍ଚ କରିବାର ଅଛି ତେବେ ଆତ୍ମିକ ସେବାର ସଉକ ରଖ, ସମସ୍ତଙ୍କୁ ଜ୍ଞାନ ଧନର ଦାନ
କରିଚାଲ ।”
ପ୍ରଶ୍ନ:-
ଆତ୍ମିକ ପିତା
ଏଭଳି କେଉଁ ଶ୍ରୀମତ ଦେଉଛନ୍ତି ଯାହା ଆଜି ପର୍ଯ୍ୟନ୍ତ କୌଣସି ମନୁଷ୍ୟ ଦେଇନାହାଁନ୍ତି?
ଉତ୍ତର:-
ହେ ଆତ୍ମିକ ସନ୍ତାନମାନେ, ତୁମେ ଦଧୀଚି ଋଷିଙ୍କ ଭଳି ଆତ୍ମିକ ସେବାରେ ନିଜର ହାଡ ମଧ୍ୟ ଦାନ
କରିଦିଅ ଅର୍ଥାତ୍ ସର୍ବସ୍ୱ ସେବାରେ ଲଗାଇ ଦିଅ । ବାବାଙ୍କଠାରୁ ଯେଉଁ ସବୁ ଅବିନାଶୀ ଜ୍ଞାନ ରତ୍ନ
ମିଳିଛି ସେଗୁଡିକୁ ଦାନ କର । ଏହା ହିଁ ହେଉଛି ପ୍ରକୃତ ସେବା । ଏହିଭଳି ସେବା କରିବାର ମତ କୌଣସି
ମନୁଷ୍ୟ ଦେଇ ପାରିବେ ନାହିଁ । ଆତ୍ମିକ ସେବା କରୁଥିବା ପିଲାମାନେ ଖୁସିରେ ନାଚୁଥିବେ ।
ସେମାନଙ୍କର ଭାଗ୍ୟ ଉଚ୍ଚରୁ ଉଚ୍ଚ ହୋଇଚାଲିବ ।
ଗୀତ:-
ବଦଲ ଯାଏ ଦୁନିଆ
...
ଓମ୍ ଶାନ୍ତି ।
ପିଲାମାନେ ଗୀତର
ଦୁଇଟି ଧାଡି ଶୁଣିଲେ । ସେମାନେ ତ ଗୀତ ରଚନା କରିଦେଇଛନ୍ତି । ଯେପରି କାହାର ନିର୍ବନ୍ଧ ହୋଇଗଲେ
ଏହା ନିଶ୍ଚିତ ଯେ ଏହି ସ୍ତ୍ରୀ-ପୁରୁଷ କେବେ ପରସ୍ପରକୁ ଛାଡିବେ ନାହିଁ । କାଁ ଭାଁ କେହି ଏପରି
ହୋଇଥାନ୍ତି ଯିଏକି ଯଦି ପରସ୍ପର ଭିତରେ ନ ପଡେ ତେବେ ଛାଡି ଦିଅନ୍ତି । ଏଠାରେ ତୁମେ ସନ୍ତାନମାନେ
କାହା ପାଖରେ ପ୍ରତିଜ୍ଞା କରୁଛ? ଈଶ୍ୱରଙ୍କ ପାଖରେ । ଯାହାଙ୍କ ସାଥିରେ ତୁମ୍ଭମାନଙ୍କର ଅଥବା
ସଜନୀମାନଙ୍କର ନିର୍ବନ୍ଧ ହୋଇଛି । କିନ୍ତୁ ଏଭଳି ପତି ଯିଏକି ବିଶ୍ୱର ମାଲିକ କରୁଛନ୍ତି ତାଙ୍କୁ
ମଧ୍ୟ ଛାଡିଦେଉଛନ୍ତି । ଏଠାରେ ତୁମେ ସନ୍ତାନମାନେ ବସିଛ । ଏଠାରେ ତୁମ୍ଭେମାନେ ଜାଣିଛ ଯେ ଏବେ
ଅବିନାଶୀ ବାବା ଆସିଗଲେଣି । ଏହି ଅବସ୍ଥା ଯାହାକି ତୁମର ଏହି ମଧୁବନରେ ରହୁଛି, ବାହାରେ ସେଣ୍ଟରରେ
ରହିପାରିବ ନାହିଁ । ଏଠାରେ ତୁମେ ଜାଣୁଛ ଯେ ବାପଦାଦା ଆସିଲେ କି ଆସିଲେ । ବାହାର ସେଣ୍ଟରରେ
ବୁଝିବେ ଯେ ବାବାଙ୍କ ଦ୍ୱାରା ଚାଲିଥିବା ମୁରଲୀ ଆସିଲା କି ଆସିଲା । ଏଠାକାର ଏବଂ ସେଠାକାର
ଅବସ୍ଥା ମଧ୍ୟରେ ବହୁତ ପାର୍ଥକ୍ୟ ରହିଥାଏ କାହିଁକି ନା ଏଠାରେ ତୁମ୍ଭେମାନେ ବେହଦର ବାବାଙ୍କ
ସମ୍ମୁଖରେ ବସିଛ । ସେଠାରେ ତୁମେ ସମ୍ମୁଖରେ ରହୁନାହଁ । ତୁମର ଇଚ୍ଛା ହେଉଛି ଯେ ସମ୍ମୁଖରେ ଯାଇ
ମୁରଲୀ ଶୁଣିବୁ । ଏଠାରେ ପିଲାମାନଙ୍କ ବୁଦ୍ଧିରେ ଆସୁଛି କି ବାବା ଆସିଲେ କି ଆସିଲେ । ଯେପରି
ଅନ୍ୟ ସତ୍ସଙ୍ଗମାନଙ୍କରେ ହୋଇଥାଏ । ସେଠାରେ ଜାଣିଥାନ୍ତି ଯେ ଅମୁକ ସ୍ୱାମୀ ଆସିବେ କିନ୍ତୁ ଏହି
ବିଚାର ମଧ୍ୟ ସମସ୍ତଙ୍କର ଏକରସ ରହି ନ ଥାଏ । କାହା କାହାର ସମ୍ବନ୍ଧୀମାନେ ମନେ ପଡିଥାନ୍ତି ।
ବୁଦ୍ଧି ଏକ ଗୁରୁଙ୍କ ପାଖରେ ମଧ୍ୟ ରହି ନ ଥାଏ । ଏପରି କେହି କ୍ୱଚିତ୍ ଥିବେ, ଯିଏକି ସ୍ୱାମୀଙ୍କ
ସ୍ମୃତିରେ ବସିଥିବେ । ଏଠାରେ ମଧ୍ୟ ସେହିପରି ହୋଇଥାଏ । ଏପରି ନୁହେଁ କି ସମସ୍ତେ ଶିବବାବାଙ୍କର
ସ୍ମୃତିରେ ରହିଥାନ୍ତି । ସେମାନଙ୍କର ବୁଦ୍ଧି ବାହାରକୁ ଚାଲିଯାଇଥାଏ । ତାଙ୍କର ମିତ୍ର ସମ୍ବନ୍ଧୀ
ମନେ ପଡିଥାନ୍ତି । ସବୁ ସମୟରେ ଏକମାତ୍ର ଶିବବାବାଙ୍କ ସମ୍ମୁଖରେ ରହିବା ତ ଅହୋ ସୌଭାଗ୍ୟ ।
ସ୍ଥାୟୀ ୟାଦରେ କେହି କ୍ୱଚିତ୍ ରହିଥାନ୍ତି । ଏଠାରେ ଶିବବାବାଙ୍କ ସମ୍ମୁଖରେ ରହିବାରେ ତ ବହୁତ
ଖୁସି ରହିବା ଦରକାର । ଅତିନ୍ଦ୍ରିୟ ସୁଖ ଗୋପୀ ବଲ୍ଲଭଙ୍କର ଗୋପ ଗୋପୀମାନଙ୍କୁ ପଚାର, ଏହା
ଏଇଠିକାର ଗାୟନ ଅଟେ । ଏଠାରେ ତୁମେ ବାବାଙ୍କର ସ୍ମୃତିରେ ବସିଛ । ଜାଣିଛ ଯେ ଏବେ ଆମେ
ଈଶ୍ୱରଙ୍କର ହୋଇଛୁ ପୁଣି ଦୈବୀ କୋଳକୁ ଯିବୁ । ଯଦିଓ କାହାରି କାହାରି ବୁଦ୍ଧିରେ ସେବାର ବିସ୍ତାର
ଚାଲୁଛି । ଏହି ଚିତ୍ରରେ ଏହି ସଂଶୋଧନ କରିବା, ଏହି କଥା ଲେଖିବା । କିନ୍ତୁ ଯଦି ଉତ୍ତମ ସନ୍ତାନ
ହୋଇଥିବେ ତେବେ ବୁଝିବେ ଯେ ଏବେ ତ ବାବାଙ୍କଠାରୁ ହିଁ ଶୁଣିବାକୁ ହେବ, ଆଉ କୌଣସି ସଂକଳ୍ପ ମନରେ
ଆସିବାକୁ ଦେବେ ନାହିଁ । ବାବା ଜ୍ଞାନ ରତ୍ନରେ ଆମର ଝୁଲାମୁଣି ପୂର୍ଣ୍ଣ କରିବାକୁ ଆସିଛନ୍ତି ।
ତେଣୁ ବାବାଙ୍କ ସହିତ ହିଁ ବୁଦ୍ଧିଯୋଗ ଲଗାଇବାକୁ ହେବ । କ୍ରମାନୁସାରେ ଧାରଣ କରିଲାବାଲା ତ
ରହିଥାନ୍ତି । କେହି କେହି ଭଲ ଭାବରେ ଧାରଣା କରିଥାନ୍ତି, କେହି କମ୍ କରିଥାନ୍ତି । ଯଦି
ବୁଦ୍ଧିଯୋଗ ଅନ୍ୟ ଆଡେ ଦୌଡୁଥିବ, ତେବେ ଧାରଣା ହେବ ନାହିଁ । ଅପରିପକ୍ୱ ହୋଇ ରହିଯିବେ । ଥରେ
ଦୁଇଥର ମୁରଲୀ ଶୁଣିଲେ, ଯଦି ଧାରଣା ହେଲା ନାହିଁ ତେବେ ଏହି ଅଭ୍ୟାସ ଦୃଢ ହୋଇଯାଇଥାଏ । ପୁଣି
ଯେତେ ବି ଶୁଣିଲେ ମଧ୍ୟ ଧାରଣା ହେବ ନାହିଁ । କାହାକୁ ଶୁଣାଇ ପାରିବେ ନାହିଁ । ଯାହାଙ୍କର ଧାରଣା
ହୋଇଥିବ ତାଙ୍କର ସେବାରେ ଆଗ୍ରହ ଥିବ, ସେମାନେ ଖୁସିରେ ଉଛୁଳୁଥିବେ । ଆମେ ଯାଇ ଜ୍ଞାନ ଧନ ଦାନ
କରିବୁ, କାରଣ ଏହି ଧନ ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହା ପାଖରେ ନାହିଁ । ବାବା ଏକଥା ମଧ୍ୟ
ଜାଣିଛନ୍ତି ଯେ ସମସ୍ତଙ୍କର ଧାରଣା ହୋଇପାରିବ ନାହିଁ । ସମସ୍ତେ ଏକାପରି ଉଚ୍ଚ ପଦ ପାଇପାରିବେ
ନାହିଁ, ସେଥିପାଇଁ ବୁଦ୍ଧି ଅନ୍ୟ ଦିଗକୁ ଚାଲିଯାଉଛି । ଭବିଷ୍ୟତରେ ତାଙ୍କର ଭାଗ୍ୟ ଏତେ ଉଚ୍ଚ
ହୋଇପାରିବ ନାହିଁ । ପୁଣି କେହି ସ୍ଥୂଳ ସେବାରେ ବହୁତ ପରିଶ୍ରମ କରୁଛନ୍ତି, ସମସ୍ତଙ୍କୁ ରାଜି
କରୁଛନ୍ତି । ଯେପରି ଭୋଜନ ତିଆରି କରିଥାନ୍ତି, ଖୁଆଇଥାନ୍ତି, ଏହା ମଧ୍ୟ ଈଶ୍ୱରୀୟ ସେବାର ଏକ
ବିଷୟ ଅଟେ ନା । ଯେଉଁମାନଙ୍କର ସେବାର ସଉକ ଥିବ ସେମାନେ ମୁଖ ଦ୍ୱାରା କହିବା ବିନା ରହିପାରିବେ
ନାହିଁ । ପୁଣି ବାବା ମଧ୍ୟ ଦେଖିଥାନ୍ତି କେଉଁଠି ଦେହ-ଅଭିମାନ ତ ନାହିଁ । ବଡମାନଙ୍କୁ ସମ୍ମାନ
କରୁଛନ୍ତି ନା ନାହିଁ । ବଡ-ବଡ ମହାରଥୀମାନଙ୍କର ତ ସମ୍ମାନ ରଖିବାକୁ ହୋଇଥାଏ । ହଁ, କେହି ଛୋଟ
ହୋଇ ମଧ୍ୟ ବହୁତ ହୁସିଆର ହୋଇଥିଲେ ବଡମାନଙ୍କୁ ମଧ୍ୟ ତାଙ୍କର ସମ୍ମାନ ରଖିବାକୁ ପଡିବ - କାରଣ
ସେମାନଙ୍କର ବୁଦ୍ଧି ଶୀଘ୍ର ଅଗ୍ରଗତି କରି ନେଇଥାଏ । ସେବାର ସଉକ ଦେଖି ବାବା ତ ଖୁସି ହେବେ ନା ।
କହିବେ ଇଏ ଭଲ ସେବା କରିବେ । ସାରାଦିନ ପ୍ରଦର୍ଶନୀ ବୁଝାଇବାର ମଧ୍ୟ ଅଭ୍ୟାସ କରିବା ଆବଶ୍ୟକ ।
ଅନେକ ପ୍ରଜା ହେବେ ନା । ଲକ୍ଷ-ଲକ୍ଷ ପ୍ରଜା ଆବଶ୍ୟକ । ଆଉ ତ କୌଣସି ଉପାୟ ନାହିଁ । ସୂର୍ଯ୍ୟବଂଶୀ,
ଚନ୍ଦ୍ରବଂଶୀ ରାଜାରାଣୀ, ପ୍ରଜା ସବୁ ଏହିଠାରେ ହିଁ ତିଆରି ହେବେ । ତେଣୁ କେତେ ସେବା କରିବା
ଦରକାର । ପିଲାମାନଙ୍କ ବୁଦ୍ଧିରେ ରହିଛି ଯେ ଏବେ ଆମ୍ଭେମାନେ ବ୍ରାହ୍ମଣ ହୋଇଛୁ । ଘର ଗୃହସ୍ଥରେ
ରହିବା ଦ୍ୱାରା ପ୍ରତ୍ୟେକଙ୍କର ନିଜ ନିଜର ଅବସ୍ଥା ରହିଥାଏ ନା । ଘରଦ୍ୱାର ତ ଛାଡିବାର ନାହିଁ ।
ବାବା କହୁଛନ୍ତି ଯଦିଓ ଘରେ ରହୁଛ, କିନ୍ତୁ ବୁଦ୍ଧିରେ ଏହି ନିଶ୍ଚୟ ରଖିବାକୁ ହେବ ଯେ ଏହି ପୁରୁଣା
ଦୁନିଆ ଶେଷ ହୋଇଯାଇଛି । ଏବେ ଆମର ବାବାଙ୍କ ସହିତ କାମ ଅଛି । ଏକଥା ମଧ୍ୟ ଜାଣିଛ ଯେ କଳ୍ପ
ପୂର୍ବରୁ ଯେଉଁମାନେ ଏହି ଜ୍ଞାନ ନେଇଥିଲେ, ସେହିମାନେ ହିଁ ନେବେ । ସେକେଣ୍ଡ ପରେ ସେକେଣ୍ଡ
ପୂର୍ବଭଳି ପୁନରାବୃତ୍ତି ହୋଇଚାଲିଛି । ଆତ୍ମାରେ ଜ୍ଞାନ ରହିଛି ନା । ବାବାଙ୍କ ପାଖରେ ମଧ୍ୟ
ଜ୍ଞାନ ରହିଛି । ତୁମ ସନ୍ତାନମାନଙ୍କୁ ମଧ୍ୟ ବାବାଙ୍କ ଭଳି ହେବାକୁ ପଡିବ । ଜ୍ଞାନ ଧାରଣ କରିବାକୁ
ହେବ । ସବୁ ଜ୍ଞାନବିନ୍ଦୁ ଏକାଥରକେ ବୁଝାଯାଉ ନାହିଁ । ଦୃଢ ଲକ୍ଷ୍ୟ ରଖିବାକୁ ହେବ । ବିନାଶ
ମଧ୍ୟ ସମ୍ମୁଖରେ ଉପସ୍ଥିତ । ଏହା ସେହି ବିନାଶ ଅଟେ । ସତ୍ୟଯୁଗ, ତ୍ରେତାରେ କୌଣସି ଲଢେଇ ଆଦି
ହୋଇ ନ ଥାଏ । ଏହା ତ ପରେ ହୁଏ ଯେତେବେଳେ ଅନେକ ଧର୍ମ ସ୍ଥାପନ ହୋଇଯାଏ, ଏବଂ ବହୁତ ସୈନ୍ୟସାମନ୍ତ
ହୋଇଯାଆନ୍ତି, ସେତେବେଳେ ଯାଇ ଲଢେଇ ଆରମ୍ଭ ହୁଏ । ପ୍ରଥମେ ପ୍ରଥମେ ଆତ୍ମାମାନେ ସତ୍ତ୍ୱପ୍ରଧାନ
ସ୍ଥିତିରୁ ତଳକୁ ଓହ୍ଲାଉଛନ୍ତି ପୁଣି ସତ୍ତ୍ୱ, ରଜୋ, ତମୋରେ ଆସୁଛନ୍ତି । ଏ ସବୁ ବୁଦ୍ଧିରେ
ରଖିବାକୁ ହେବ । କିପରି ରାଜଧାନୀ ସ୍ଥାପନ ହେଉଛି । ଯଦି ଏଠାରେ ବସିଛ ତେବେ ଏହି କଥା ବୁଦ୍ଧିରେ
ଧାରଣ କରିବାକୁ ହେବ । ଶିବବାବା ଆସି ଆମକୁ ସମ୍ପତ୍ତି ଦେଉଛନ୍ତି, ଯାହାକୁ ବୁଦ୍ଧିରେ ଧାରଣ
କରିବାକୁ ହେବ । ଭଲ-ଭଲ ପିଲାମାନେ ନୋଟ୍ ନେଇଥାନ୍ତି ଅର୍ଥାତ୍ ପଏଣ୍ଟ୍ ଲେଖି ରଖନ୍ତି, ନୋଟ୍
କରିବା ଭଲ, ତେବେ ବୁଦ୍ଧିରେ ବିଷୟବସ୍ତୁ ପ୍ରସଙ୍ଗ ମନେ ପଡିବ । ଆଜି ମୁଁ ଏହି ବିଷୟ ଉପରେ
ବୁଝାଇବି ।
ବାବା କହୁଛନ୍ତି ମୁଁ
ତୁମକୁ କେତେ ସମ୍ପତ୍ତି ଦେଇଥିଲି । ସତ୍ୟଯୁଗ ଓ ତ୍ରେତାରେ ତୁମ ପାଖରେ ଅମାପ ଧନ ସମ୍ପତ୍ତି ଥିଲା
ପୁଣି ବାମମାର୍ଗରେ ଯିବା ଦ୍ୱାରା ତାହା କ୍ଷୟ ହୋଇ ଚାଲିଲା । ଖୁସି ମଧ୍ୟ କମ୍ ହୋଇ ଚାଲିଲା ।
କିଛି ନା କିଛି ବିକର୍ମ ହେବାକୁ ଲାଗିଲା । ତଳକୁ ଓହ୍ଲାଇ-ଓହ୍ଲାଇ କଳା କମ୍ ହୋଇଯାଇଥାଏ ।
ସତ୍ତ୍ୱପ୍ରଧାନ, ସତ୍ୱ, ରଜୋ, ତମୋର ସ୍ଥିତି ହୋଇଥାଏ ନା । ଯେବେ ସତ୍ତ୍ୱରୁ ରଜୋଗୁଣକୁ ଆସିଥାନ୍ତି
ତେବେ ଏମିତି ନୁହେଁ ଯେ ତୁରନ୍ତ ତଳକୁ ଆସିଯାଇଥାନ୍ତି । ତମୋପ୍ରଧାନରେ ମଧ୍ୟ ଧିରେ ଧିରେ ତଳକୁ
ଓହ୍ଲାଇଥାଅ, ସେଥିରେ ମଧ୍ୟ ସତ୍ତ୍ୱ, ରଜୋ, ତମୋର ସୋପାନ ଆସିବ । ତୁରନ୍ତ କେହି ତମୋପ୍ରଧାନ
ହୋଇଯିବେ ନାହିଁ । ଧିରେ ଧିରେ ସିଢିରେ ତଳକୁ ଓହ୍ଲାଇଥାନ୍ତି । କଳା କମ୍ ହୋଇଥାଏ । ଏବେ ଆମକୁ
ଲମ୍ଫ ଦେବାକୁ ହେବ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଏଥିପାଇଁ ଆଉ କମ୍ ସମୟ ବାକି
ଅଛି । ଗାୟନ ମଧ୍ୟ ରହିଛି ଯେ ଉପରକୁ ଚଢିଲେ ବୈକୁଣ୍ଠ ରସ ଚାଖିବ । କାମ ବିକାରର ଚାପୁଡା ଲାଗିଗଲେ
ଏକଦମ୍ ଚୁରମାର ହୋଇଯିବ । ହାଡଗୋଡ ଭାଙ୍ଗି ଯାଇଥାଏ, ଯେପରି କେହି କେହି ମନୁଷ୍ୟ ନିଜର ଜୀବଘାତ
କରିଥାନ୍ତି । ଆତ୍ମଘାତ ନୁହେଁ, ଜୀବଘାତ କୁହାଯାଇଥାଏ । ସେହିପରି ଏହା ମଧ୍ୟ ଆତ୍ମାର ହତ୍ୟା
ହୋଇଯାଉଛି । ଜମା କରିଥିବା ପୁଣ୍ୟ ସବୁ ଶେଷ ହୋଇଯାଇଥାଏ । ଏଠାରେ ତ ବାବାଙ୍କଠାରୁ ସମ୍ପତ୍ତି
ନେବାକୁ ହେବ, ବାବାଙ୍କୁ ମନେ ପକାଇବାକୁ ହେବ କାରଣ ବାବାଙ୍କଠାରୁ ବାଦଶାହୀ ମିଳିଥାଏ । ନିଜକୁ
ନିଜେ ପଚାରିବା ଉଚିତ୍ ଯେ ଆମେ ବାବାଙ୍କୁ ୟାଦ କରି ଭବିଷ୍ୟତ ପାଇଁ କେତେ ଜମା କରିଛୁ? କେତେ
ଅନ୍ଧମାନଙ୍କର ଲାଠି ହୋଇଛୁ? ଘରେ-ଘରେ ଏହି ସନ୍ଦେଶ ଦେବାକୁ ହେବ ଯେ ଏହି ପୁରୁଣା ଦୁନିଆ
ପରିବର୍ତ୍ତନ ହେଉଛି । ବାବା ନୂଆ ଦୁନିଆ ପାଇଁ ରାଜଯୋଗ ଶିଖାଉଛନ୍ତି । ସିଢି ଚିତ୍ରରେ ଏହା
ଦେଖାଇଛନ୍ତି । ଏସବୁ ତିଆରି କରିବାରେ ପରିଶ୍ରମ ଲାଗିଥାଏ । ସାରାଦିନ ଏହି ଚିନ୍ତନ ଚାଲିଥାଏ ଯେ
ଏପରି ସହଜ ଚିତ୍ର ତିଆରି କରିବୁ ଯେ କେହି ବି ଏହାକୁ ବୁଝିପାରିବ । ସାରା ଦୁନିଆ ତ ଏଠାକୁ ଆସିବେ
ନାହିଁ । ଦେବୀ-ଦେବତା ଧର୍ମର ଆତ୍ମାମାନେ ହିଁ ଆସିବେ । ତୁମ୍ଭମାନଙ୍କର ସେବା ତ ବହୁତ ଚାଲିବ ।
ତୁମେମାନେ ଜାଣିଛ ଆମର ପାଠପଢା କେଉଁ ପର୍ଯ୍ୟନ୍ତ ଚାଲିବ! ସେମାନେ ତ କଳ୍ପର ଆୟୁଷ ଲକ୍ଷ ଲକ୍ଷ
ବର୍ଷ ବୋଲି ଭାବୁଛନ୍ତି । ତେଣୁ ଶାସ୍ତ୍ର ଆଦି ଶୁଣାଇ ଚାଲିଛନ୍ତି । ଭାବୁଛନ୍ତି ଯେ ଯେବେ
ଅନ୍ତିମ ସମୟ ହେବ ସେତେବେଳେ ସମସ୍ତଙ୍କର ସଦ୍ଗତି ଦାତା ଆସିବେ । ପୁଣି ଯେଉଁମାନେ ମୋ’ର ଚେଲା
ଅଛନ୍ତି ସେମାନଙ୍କର ଗତି ହୋଇଯିବ । ପୁଣି ମୁଁ ମଧ୍ୟ ଯାଇ ଜ୍ୟୋତିରେ ଲୀନ ହୋଇଯିବି, କିନ୍ତୁ ଏପରି
ତ ହୁଏ ନାହିଁ । ତୁମ୍ଭେମାନେ ଜାଣିଛ ଯେ ଆମେ ଅମର ପିତାଙ୍କ ଦ୍ୱାରା ସଚ୍ଚା ସଚ୍ଚା ଅମରକଥା
ଶୁଣୁଛୁ । ତେଣୁ ଅମରବାବା ଯାହା କହୁଛନ୍ତି ତାକୁ ମାନିବା ମଧ୍ୟ ଆବଶ୍ୟକ । ସିଏ କେବଳ କହୁଛନ୍ତି,
ମୋତେ ମନେ ପକାଅ ଏବଂ ପବିତ୍ର ହୁଅ । ନଚେତ୍ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ, ପଦ ମଧ୍ୟ କନିଷ୍ଠ
ମିଳିବ । ସେବାରେ ବହୁତ ପରିଶ୍ରମ କରିବାକୁ ହେବ । ଯେପରି ଦଧିଚି ଋଷିଙ୍କର ଉଦାହରଣ ରହିଛି, ନିଜର
ଅସ୍ଥି ମଧ୍ୟ ସେବାରେ ସ୍ୱାହା କରିଦେଲେ । ନିଜ ଶରୀରର ମଧ୍ୟ ଖିଆଲ ନକରି ସେବା କରିବାକୁ ହେବ,
ଏହାକୁ କୁହାଯାଏ ହାଡଭଙ୍ଗା ସେବା ଏବଂ ଅନ୍ୟଟି ହେଉଛି ଆତ୍ମିକ ହାଡଭଙ୍ଗା ସେବା । ଆତ୍ମିକ
ସେବାଧାରୀମାନେ ଆତ୍ମିକ ଜ୍ଞାନ ହିଁ ଶୁଣାଇ ଚାଲିବେ । ଜ୍ଞାନ ଧନ ଦାନ କରି ଖୁସିରେ ନାଚୁଥିବେ ।
ଦୁନିଆରେ ମନୁଷ୍ୟମାନେ ଯେଉଁ ସେବା କରୁଛନ୍ତି ତାହା ହେଉଛି ଶାରୀରିକ ସେବା । ସେମାନେ ବସି
ଶାସ୍ତ୍ର ଶୁଣାଉଛନ୍ତି ତାହା କୌଣସି ଆତ୍ମିକ ସେବା ନୁହେଁ । ଆତ୍ମିକ ସେବା କେବଳ ବାବା ହିଁ
ଶିଖାଉଛନ୍ତି । ଆଧ୍ୟାତ୍ମିକ ବାବା ଆସି ଆଧ୍ୟାତ୍ମିକ ପିଲାମାନଙ୍କୁ ଅର୍ଥାତ୍ ଆତ୍ମାମାନଙ୍କୁ
ପଢାଉଛନ୍ତି । ତୁମ୍ଭେମାନେ ଏବେ ପ୍ରସ୍ତୁତ ହେଉଛ - ସତ୍ୟଯୁଗ ନୁଆ ଦୁନିଆକୁ ଯିବା ପାଇଁ । ସେଠାରେ
ତୁମ ଦ୍ୱାରା କୌଣସି ବିକର୍ମ ହେବ ନାହିଁ । ତାହା ହେଉଛି ରାମରାଜ୍ୟ । ସେଠାରେ ଅଳ୍ପ ସଂଖ୍ୟକ ଲୋକ
ରହିବେ । ସେହି ଅଳ୍ପ ମନୁଷ୍ୟ ଆସି ଏଠାରେ ପାଠ ପଢିବେ । ଏବେ ତ ରାବଣ ରାଜ୍ୟରେ ସମସ୍ତେ ଦୁଃଖୀ
ଅଟନ୍ତି ନା । ଏହି ସବୁ ଜ୍ଞାନ ତୁମ୍ଭମାନଙ୍କ ବୁଦ୍ଧିରେ ରହିଛି, ପୁରୁଷାର୍ଥର କ୍ରମ ଅନୁସାରେ ।
ଏହି ସିଢିର ଚିତ୍ରରେ ହିଁ ସମସ୍ତ ଜ୍ଞାନ ଆସିଯାଉଛି । ଏହି ଚିତ୍ର ସବୁ ତିଆରି କରିବା ପାଇଁ
ମେସିନ୍ ଆବଶ୍ୟକ । ସରକାରଙ୍କର ପ୍ରତ୍ୟେକ ଦିନ କେତେ ଖବରକାଗଜ ଛପା ଯାଉଛି । କେତେ କାରବାର
ଚାଲୁଛି । ଏଠାରେ ତ ସବୁ କିଛି ହାତରେ ତିଆରି କରିବାକୁ ପଡୁଛି ।
ବାବା କହୁଛନ୍ତି - ଏହି
ଅନ୍ତିମ ଜନ୍ମରେ ତୁମେ ପବିତ୍ର ହୁଅ, ତେବେ ପବିତ୍ର ଦୁନିଆର ମାଲିକ ହୋଇଯିବ । ଏହି ଜ୍ଞାନ ଆଉ
କାହା ପାଖରେ ନାହିଁ । କହିବେ ଏହି ସିଢିର ଚିତ୍ରରେ ଅନ୍ୟ ଧର୍ମଗୁଡିକର ସମାଚାର କେଉଁଠି ଅଛି?
ତାହା ମଧ୍ୟ ଏହି ସୃଷ୍ଟି ଚକ୍ରର ଚିତ୍ରରେ ରହିଛି । ସେମାନେ ତ ନୂଆ ଦୁନିଆରେ ଆସୁ ହିଁ ନାହାଁନ୍ତି
। ସେମାନଙ୍କୁ ଶାନ୍ତି ମିଳିଯାଇଥାଏ । ଭାରତବାସୀ ହିଁ ସ୍ୱର୍ଗରେ ଥିଲେ ନା । ଭାରତକୁ ହିଁ ବାବା
ରାଜଯୋଗ ଶିଖାଇବାକୁ ଆସୁଛନ୍ତି, ସେଥିପାଇଁ ଭାରତର ପ୍ରାଚୀନ ରାଜଯୋଗ ସମସ୍ତେ ପସନ୍ଦ କରୁଛନ୍ତି ।
ଏହି ଚିତ୍ରରୁ ସେମାନେ ନିଜେ ହିଁ ବୁଝିଯିବେ, ବାସ୍ତବରେ ନୂଆ ଦୁନିଆରେ କେବଳ ଭାରତ ହିଁ ଥିଲା ।
ସେମାନେ ନିଜର ଧର୍ମକୁ ମଧ୍ୟ ବୁଝିଯିବେ । ଯେପରି ଖ୍ରୀଷ୍ଟ ଆସିଥିଲେ ଧର୍ମ ସ୍ଥାପନ କରିବା ପାଇଁ
। ବର୍ତ୍ତମାନ ସମୟରେ ସିଏ ମଧ୍ୟ ଭିକାରୀ ରୂପରେ ଅଛନ୍ତି, ସମସ୍ତେ ତମୋପ୍ରଧାନ ଅଟନ୍ତି । ରଚୟିତା
ଏବଂ ରଚନାର ଏହା କେତେ ବଡ ଜ୍ଞାନ ଅଟେ । ତୁମେ କହିପାରିବ ଯେ ଆମକୁ କାହାର ପଇସାର ଆବଶ୍ୟକତା ନାହିଁ
। ପଇସା ଆମେ କ’ଣ କରିବୁ! ତୁମେ ଏହି କଥା ଶୁଣ ଏବଂ ଶୁଣାଇବା ପାଇଁ ଏହି ଚିତ୍ର ଆଦି ଛପାଅ । ଏହି
ଚିତ୍ର ଦ୍ୱାରା ସେବା କରିବାକୁ ହେବ । ସଭାଗୃହ ତିଆରି କର, ଯେଉଁଠାରେ ଏହି ଜ୍ଞାନ ଶୁଣାଯାଇପାରିବ
। ବାକି ମୁଁ ପଇସା ନେଇ କ’ଣ କରିବି । ତୁମର ହିଁ ଘରର କଲ୍ୟାଣ ହେବ । ତୁମେ କେବଳ ପ୍ରବନ୍ଧ କର,
ବହୁତ ଆସି ଶୁଣିବେ । ରଚନା ଏବଂ ରଚୟିତାର ଜ୍ଞାନ ତ ବହୁତ ଶ୍ରେଷ୍ଠ । ଏହା ମନୁଷ୍ୟମାନଙ୍କୁ ତ
ବୁଝିବାକୁ ହେବ, ବିଦେଶୀମାନେ ଏହି ଜ୍ଞାନ ଶୁଣି ବହୁତ ପସନ୍ଦ କରିବେ । ବହୁତ ଖୁସି ହେବେ ।
ବୁଝିବେ ଯେ ଯଦି ଆମ୍ଭେମାନେ ମଧ୍ୟ ବାବାଙ୍କ ସାଥିରେ ଯୋଗ ଲଗାଇବୁ ତେବେ ବିକର୍ମ ବିନାଶ ହୋଇଯିବ
। ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ସେମାନେ ବୁଝିଯିବେ ଯେ ଏହି ଜ୍ଞାନ ଈଶ୍ୱର
ପିତାଙ୍କ ବ୍ୟତୀତ ଆଉ କେହି ଦେଇ ପାରିବେ ନାହିଁ । କହୁଛନ୍ତି ଈଶ୍ୱର ସ୍ୱର୍ଗ ସ୍ଥାପନ କରିଥିଲେ ।
କିନ୍ତୁ ସିଏ କିପରି ଆସନ୍ତି, ଏକଥା କେହି ଜାଣିନାହାଁନ୍ତି । ସେମାନେ ତୁମ କଥା ଶୁଣି ବହୁତ ଖୁସି
ହେବେ । ପୁଣି ପୁରୁଷାର୍ଥ କରି ଯୋଗ ଶିଖିବେ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବା ପାଇଁ ମଧ୍ୟ
ପୁରୁଷାର୍ଥ କରିବେ । ସେବା ପାଇଁ ତ ବହୁତ ଚିନ୍ତନ କରିବା ଆବଶ୍ୟକ । ଯଦି ଭାରତରେ ନିଜର କୌଶଳ ବା
ଦକ୍ଷତା ଦେଖାଇବ ତେବେ ବାହାରକୁ ସେବା ପାଇଁ ପଠାଇବି । ଏକଥା ମନୁଷ୍ୟମାନେ ଜାଣିଯିବେ ଯେ, ନୂଆ
ଦୁନିଆ ତିଆରି ହେବାରେ ଡେରି ହୋଇ ନ ଥାଏ । ଯଦି କେଉଁଠି ଭୂମିକମ୍ପ ଆଦି ହୁଏ, ତେବେ ୨-୩ ବର୍ଷରେ
ସମ୍ପୂର୍ଣ୍ଣ ନୂଆ ଘର ତିଆରି ହୋଇଯାଇଥାଏ । ଯେତେ ଅଧିକ କାରୀଗର ହେବେ, ସେତେ ଜଲଦି ଘର ତିଆରି
ହେବ । ଗୋଟିଏ ମାସରେ ମଧ୍ୟ ଘର ତିଆରି ହୋଇପାରିବ । କାରୀଗର, ସାମଗ୍ରୀ ଆଦି ସବୁ ପ୍ରସ୍ତୁତ ଥିଲେ,
ତିଆରି କରିବାରେ କ’ଣ ବେଶୀ ସମୟ ଲାଗିବ! ବିଦେଶରେ ବହୁତ କମ ସମୟରେ ଘର ତିଆରି ହୋଇଥାଏ । ତେବେ
ସ୍ୱର୍ଗରେ କେତେ ଶୀଘ୍ର ତିଆରି ହେଉଥିବ! ସେଠାରେ ସୁନା, ଚାନ୍ଦି ତୁମକୁ ବହୁତ ମିଳିଯାଇଥାଏ ।
ଖଣିମାନଙ୍କରୁ ସୁନା, ଚାନ୍ଦି, ହୀରା ଆଦି ନେଇଆସିଥାନ୍ତି । କଳା କୌଶଳ ତ ସମସ୍ତେ ଶିଖୁଛନ୍ତି ।
ବିଜ୍ଞାନର କେତେ ବଡିମା ରହିଛି । ଏହି ବିଜ୍ଞାନ ପୁଣି ସେଠାରେ କାମରେ ଆସିବ । ଏଠାରେ ଏହି କୌଶଳ
ଶିଖିଲାବାଲା ସେଠାରେ ଜନ୍ମ ନେଇ ଆମ କାମରେ ଆସିବେ । ସେ ସମୟରେ ତ ସାରା ଦୁନିଆ ନୂଆ ହୋଇଯାଇଥାଏ,
ରାବଣ ରାଜ୍ୟ ହିଁ ଶେଷ ହୋଇଯାଇଥାଏ । ପଞ୍ଚ ତତ୍ତ୍ୱ ମଧ୍ୟ ନିୟମ ପୂର୍ବକ ସେବାରେ ରହିଥାନ୍ତି ।
ତାହା ସ୍ୱର୍ଗ ହୋଇଯାଇଥାଏ । ସେଠାରେ କୌଣସି ଉପଦ୍ରବ ହୋଇ ନ ଥାଏ । ସେଠାରେ ରାବଣ ରାଜ୍ୟ ହିଁ
ନାହିଁ, ସମସ୍ତେ ସତ୍ତ୍ୱପ୍ରଧାନ ଅଟନ୍ତି । ସବୁଠାରୁ ଶ୍ରେଷ୍ଠ କଥା ହେଲା ବାବାଙ୍କ ସହ ବହୁତ
ନିବିଡ ସ୍ନେହ ରହିବା । ବାବା ଯେଉଁ ଶିକ୍ଷା ଦେଉଛନ୍ତି ତାକୁ ଧାରଣ କରିବାକୁ ହେବ ଏବଂ ଅନ୍ୟକୁ
ଦାନ ଦେବାକୁ ହେବ । ଯେତେ ଦାନ ଦେବ ସେତେ ବଢିଚାଲିବ । ଯଦି ସେବା ନ କରିବ ତେବେ ଧାରଣା କିପରି
ହେବ । ସେବା କରିବା ପାଇଁ ବୁଦ୍ଧି ଚାଲିବା ଦରକାର । ସେବା ତ ବହୁତ ପ୍ରକାରର ହୋଇପାରିବ । କେହି
କେହି ଏହିପରି ସେବା କରିଚାଲନ୍ତୁ । ଦିନକୁ ଦିନ ସେବାରେ ଉନ୍ନତି କରିବାକୁ ହେବ । ନିଜର ମଧ୍ୟ
ଉନ୍ନତି କରିବାକୁ ହେବ । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପରସ୍ପର
ମଧ୍ୟରେ ଜଣେ ଅନ୍ୟ ଜଣଙ୍କୁ ସମ୍ମାନ ଦେବାକୁ ହେବ । ସେବା କରିବାର ବହୁତ-ବହୁତ ସଉକ ରଖିବାକୁ ହେବ
। ଜ୍ଞାନ ରତ୍ନରେ ନିଜର ବୁଦ୍ଧିରୂପକ ଝୁଲାମୁଣିକୁ ଭରପୁର କରି ପୁଣି ତାକୁ ଦାନ କରିବାକୁ ହେବ ।
(୨) ଏକମାତ୍ର
ବାବାଙ୍କଠାରୁ ହିଁ ଶୁଣିବାର ସଂକଳ୍ପ ରଖିବାକୁ ହେବ । ଅନ୍ୟାନ୍ୟ ବିଚାରରେ ନିଜର ବୁଦ୍ଧିକୁ
ବିଚଳିତ କରିବାର ନାହିଁ ।
ବରଦାନ:-
ଭାବିବା ଏବଂ
କରିବା ଭିତରେ ରହୁଥିବା ପାର୍ଥକ୍ୟକୁ ସମାପ୍ତ କରୁଥିବା ସ୍ୱପରିବର୍ତ୍ତକ ତଥା ବିଶ୍ୱପରିବର୍ତ୍ତକ
ଭବ ।
କୌଣସି ବି ସଂସ୍କାର,
ସ୍ୱଭାବ, ବାଣୀ ବା ସମ୍ପର୍କ ଯାହାକି ଯଥାର୍ଥ ନୁହେଁ ବ୍ୟର୍ଥ ଅଟେ, ସେହି ବ୍ୟର୍ଥକୁ ପରିବର୍ତ୍ତନ
କରିବାର ପ୍ରକିୟାକୁ ତୀବ୍ର କର । ଭାବିଲ ଏବଂ କରିଲ... ତେବେ ଯାଇ ବିଶ୍ୱ ପରିବର୍ତ୍ତନର ପ୍ରକିୟା
ତୀବ୍ର ହେବ । ଏବେ ସ୍ଥାପନା କାର୍ଯ୍ୟରେ ନିମିତ୍ତ ହୋଇଥିବା ଆତ୍ମାମାନଙ୍କର ଭାବିବା ଏବଂ କରିବାରେ
ପାର୍ଥକ୍ୟ ଦେଖାଯାଉଛି, ଏହି ପାର୍ଥକ୍ୟକୁ ସମାପ୍ତ କର । ତେବେ ଯାଇ ସ୍ୱପରିବର୍ତ୍ତକ ତଥା ବିଶ୍ୱ
ପରିବର୍ତ୍ତକ ହୋଇପାରିବ ।
ସ୍ଲୋଗାନ:-
ସବୁଠାରୁ
ଭାଗ୍ୟବାନ ଆତ୍ମା ସିଏ ଯିଏକି ନିଜ ଜୀବନରେ ଅନୁଭୂତି ରୂପକ ଉପହାର ପ୍ରାପ୍ତ କରିଛି ।
ଅବ୍ୟକ୍ତ ଈଶାରା:-
ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।
ସଂଗମଯୁଗର ସମ୍ପୂର୍ଣ୍ଣ
ସ୍ଥିତିର ଚିତ୍ର ହେଲା ଫରିସ୍ତା । ଫରିସ୍ତା ସମ୍ପୂର୍ଣ୍ଣ ହାଲୁକା ଅଟେ ଏବଂ ଯାହାଙ୍କ ଭିତରେ
ହାଲୁକା ପଣିଆ ରହିଥାଏ, ସେ ପ୍ରତ୍ୟେକ ପରିସ୍ଥିତିରେ ନିଜର ଶ୍ରେଷ୍ଠ ସ୍ଥିତି ନିର୍ମାଣ
କରିଦିଅନ୍ତି । ଫରିସ୍ତାମାନେ ସଂକଳ୍ପରେ ମଧ୍ୟ ହାଲୁକା, ବାଣୀରେ ମଧ୍ୟ ହାଲୁକା ଏବଂ କର୍ମ
କରିବାରେ ମଧ୍ୟ ହାଲୁକା ଏବଂ ସମ୍ବନ୍ଧ ରଖିବାରେ ମଧ୍ୟ ହାଲୁକା ରହିଥାଆନ୍ତି ଏବଂ ଯେଉଁମାନେ
ହାଲୁକା ହୋଇଥିବେ ସେମାନେ ଗୋଟିଏ ସେକେଣ୍ଡରେ ଯେ କୌଣସି ପ୍ରକାରର ଆତ୍ମାର ସଂସ୍କାରକୁ
ପରଖିପାରିବେ । ଯେତେବେଳେ ଏହି ସମସ୍ତ ଗୁଣ ତୁମର ପ୍ରତ୍ୟେକ କର୍ମରେ ପ୍ରତ୍ୟକ୍ଷ ଭାବରେ ଦେଖାଯିବ
ତେବେ ଜାଣିନିଅ ଏବେ ସମ୍ପୂର୍ଣ୍ଣ ସ୍ଥିତିର ପାଖାପାଖି ଅଛ ।