11.01.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯୋଗ,
ଅଗ୍ନି ସଦୃଶ ଅଟେ, ଯେଉଁଥିରେ ତୁମର ସବୁ ପାପ ଜଳିଯାଇଥାଏ, ଆତ୍ମା ସତ୍ତ୍ୱପ୍ରଧାନ ହୋଇଯାଇଥାଏ,
ସେଥିପାଇଁ ଏକମାତ୍ର ବାବାଙ୍କ ୟାଦରେ ଅର୍ଥାତ୍ ଯୋଗରେ ରୁହ ।”
ପ୍ରଶ୍ନ:-
ପୁଣ୍ୟ ଆତ୍ମା
ହେଉଥିବା ସନ୍ତାନମାନଙ୍କୁ କେଉଁ କଥା ପ୍ରତି ବହୁତ-ବହୁତ ଧ୍ୟାନ ରଖିବାକୁ ହେବ?
ଉତ୍ତର:-
ପଇସା ଦାନ କାହାକୁ ଦିଆଯାଇ ପାରିବ, ଏହି କଥା ଉପରେ ପୂରା-ପୂରା ଧ୍ୟାନ ଦେବାକୁ ପଡିବ । ଯଦି
କାହାକୁ ପଇସା ଦେଲ ଏବଂ ସିଏ ଯାଇ ମଦ ପିଇଲା, ଖରାପ କର୍ମ କଲା ତେବେ ତା’ର ପାପ ତୁମ ଉପରକୁ
ଆସିଯିବ । ବର୍ତ୍ତମାନ ତୁମକୁ ପାପାତ୍ମାମାନଙ୍କ ସହିତ ନେଣଦେଣ କରିବାର ନାହିଁ । ଏଠାରେ ତ ତୁମକୁ
ପୁଣ୍ୟ ଆତ୍ମା ହେବାର ଅଛି ।
ଗୀତ:-
ନ ୱହ ହମସେ ଜୁଦା
ହୋଙ୍ଗେ...
ଓମ୍ ଶାନ୍ତି ।
ଏହାକୁ
କୁହାଯାଉଛି ଯୋଗର ଅଗ୍ନି । ଯୋଗ ଅଗ୍ନି ଅର୍ଥାତ୍ ୟାଦର ଅଗ୍ନି । ଅଗ୍ନି ଅକ୍ଷର କାହିଁକି
କୁହାଯାଉଛି? କାହିଁକି ନା ଏଥିରେ ପାପ ଜଳିଯାଇଥାଏ । ଏ କଥା କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ
- କିପରି ଆମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛୁ । ସତ୍ତ୍ୱପ୍ରଧାନର ଅର୍ଥ ହିଁ ହେଉଛି ପୁଣ୍ୟ
ଆତ୍ମା ଓ ତମଃପ୍ରଧାନ ଅର୍ଥ ହିଁ ହେଲା ପାପ ଆତ୍ମା । କୁହାଯାଏ ମଧ୍ୟ ଇଏ ବହୁତ ପୁଣ୍ୟ ଆତ୍ମା ଓ
ଇଏ ବହୁତ ପାପ ଆତ୍ମା ଅଟନ୍ତି । ଏଥିରୁ ପ୍ରମାଣିତ ହେଉଛି ଆତ୍ମା ହିଁ ସତ୍ତ୍ୱପ୍ରଧାନ ହେଉଛି ପୁଣି
ପୁର୍ନଜନ୍ମ ନେଇ-ନେଇ ତମଃପ୍ରଧାନ ହେଉଛି ସେଥିପାଇଁ ଏହାଙ୍କୁ ପାପ ଆତ୍ମା କୁହାଯାଉଛି ।
ପତିତ-ପାବନ ବାବାଙ୍କୁ ମଧ୍ୟ ଏଇଥି ପାଇଁ ମନେ ପକାଉଛନ୍ତି କି ଆପଣ ଆସି ଆମକୁ ପବିତ୍ର ଆତ୍ମା
କରାଅ । ଆତ୍ମାକୁ ପତିତ କିଏ କରାଇଲା? ଏ କଥା କେହି ଜାଣି ନାହାଁନ୍ତି । ତୁମେ ଜାଣିଛ ଯେତେବେଳେ
ପବିତ୍ର ଆତ୍ମା ଥିଲେ ସେତେବେଳେ ତାହାକୁ ରାମରାଜ୍ୟ କୁହାଯାଉଥିଲା । ଏବେ ପତିତ ଆତ୍ମା
ହୋଇଯାଇଛନ୍ତି ସେଥିପାଇଁ ଏହାକୁ ରାବଣରାଜ୍ୟ କୁହାଯାଉଛି । ଭାରତ ହିଁ ପବିତ୍ର ପୁଣି ଭାରତ ହିଁ
ପତିତ ହୋଇଥାଏ ବାବା ହିଁ ଆସି ଭାରତକୁ ପବିତ୍ର କରାଇଥା’ନ୍ତି । ବାକି ସବୁ ଆତ୍ମାମାନେ ପବିତ୍ର
ହୋଇ ଶାନ୍ତିଧାମକୁ ଚାଲିଯାଇଥାଆନ୍ତି । ବର୍ତ୍ତମାନ ହେଉଛି ଦୁଃଖଧାମ । ଏତେ ସହଜ କଥା ମଧ୍ୟ
କାହାର ବୁଦ୍ଧିରେ ରହୁ ନାହିଁ । ଯେବେ ହୃଦୟର ସହିତ ବୁଝିବେ ସେତେବେଳେ ପ୍ରକୃତ ବ୍ରାହ୍ମଣ ହେବେ
। ବ୍ରାହ୍ମଣ ନ ହେଲେ ବାବାଙ୍କଠାରୁ ସମ୍ପତ୍ତି ମିଳିପାରିବ ନାହିଁ ।
ବର୍ତ୍ତମାନ ଏହା ହେଉଛି
ସଂଗମଯୁଗର ଯଜ୍ଞ । ଯଜ୍ଞ ନିମନ୍ତେ ବ୍ରାହ୍ମଣ ତ ନିଶ୍ଚୟ ଆବଶ୍ୟକ । ଏବେ ତୁମେ ବ୍ରାହ୍ମଣ ହୋଇଛ ।
ତୁମେ ଜାଣିଛ ମୃତ୍ୟୁଲୋକର ଏହା ଅନ୍ତିମ ଯଜ୍ଞ ଅଟେ । ମୃତ୍ୟୁଲୋକରେ ହିଁ ଯଜ୍ଞ ହୋଇଥାଏ ।
ଅମରଲୋକରେ କୌଣସି ଯଜ୍ଞ ହୋଇ ନ ଥାଏ । ଭକ୍ତମାନଙ୍କର ବୁଦ୍ଧିରେ ଏ କଥା ପଶିବ ନାହିଁ । ଭକ୍ତି
ବିଲ୍କୁଲ୍ ଅଲଗା ମାର୍ଗ ଓ ଜ୍ଞାନ ଅଲଗା ମାର୍ଗ ଅଟେ । ମନୁଷ୍ୟ ପୁଣି ବେଦ-ଶାସ୍ତ୍ରଗୁଡିକୁ ହିଁ
ଜ୍ଞାନ ବୋଲି ଭାବିନେଇଛନ୍ତି । ଯଦି ବେଦ ଶାସ୍ତ୍ରରେ ଜ୍ଞାନ ଥା’ନ୍ତା ତେବେ ମନୁଷ୍ୟ ତା’
ମାଧ୍ୟମରେ ଘରକୁ ଫେରି ଯାଇଥା’ନ୍ତେ । କିନ୍ତୁ ଡ୍ରାମା ଅନୁସାରେ କେହି ବି ଘରକୁ ଫେରିଯାଇପାରିବେ
ନାହିଁ । ବାବା ବୁଝାଇଛନ୍ତି ପ୍ରଥମ ନମ୍ବରର ଆତ୍ମା (ଶ୍ରୀକୃଷ୍ଣ)ଙ୍କୁ ହିଁ ସତ୍ତ୍ୱ, ରଜଃ, ତମଃରେ
ଆସିବାକୁ ପଡୁଛି ତେବେ ଅନ୍ୟମାନେ ପୁଣି ସତ୍ତ୍ୱର ଅଭିନୟ କରି ଘରକୁ କିପରି ଫେରି ଯାଇପାରିବେ?
ତାଙ୍କୁ ତ ପୁଣି ତମଃପ୍ରଧାନ ପର୍ଯ୍ୟନ୍ତ ଆସି ଅଭିନୟ କରିବାକୁ ହିଁ ପଡିବ । ପ୍ରତ୍ୟେକ
ଅଭିନେତାଙ୍କର ନିଜସ୍ୱ ଶକ୍ତି ରହିଛି ନା । ବଡ-ବଡ ଅଭିନେତାମାନେ କେତେ ନାମୀଗ୍ରାମୀ ହୋଇଥା’ନ୍ତି
। ସବୁଠାରୁ ମୁଖ୍ୟ ରଚୟିତା, ନିର୍ଦ୍ଦେଶକ ଏବଂ ମୁଖ୍ୟ ଅଭିନେତା କିଏ ଅଟନ୍ତି? ଏବେ ତୁମେମାନେ
ବୁଝୁଛ ଗଡ ଫାଦର ହେଉଛନ୍ତି ମୁଖ୍ୟ, ତାଙ୍କ ପଛକୁ ପୁଣି ଜଗତଅମ୍ବା, ଜଗତପିତା ଅଛନ୍ତି । ଜଗତର
ମାଲିକ, ବିଶ୍ୱର ମାଲିକ ହେଉଛନ୍ତି, ଏମାନଙ୍କର ଅଭିନୟ ନିଶ୍ଚୟ ଶ୍ରେଷ୍ଠ ଅଟେ । ତେଣୁ ତାଙ୍କର
ପ୍ରାପ୍ତି ମଧ୍ୟ ଅଧିକ ଅଟେ । ପ୍ରାପ୍ତି ତ ବାବା ଦେଉଛନ୍ତି, ଯିଏ ସବୁଠାରୁ ଉଚ୍ଚ ଅଟନ୍ତି ।
କହୁଛନ୍ତି ତୁମେ ମୋତେ ଏତେ ସାହାଯ୍ୟ କରୁଛ, ତେଣୁ ତୁମକୁ ଦରମା ଅର୍ଥାତ୍ ପ୍ରାପ୍ତି ମଧ୍ୟ
ସେହିଭଳି ନିଶ୍ଚିତ ମିଳିବ । ଯଦି ବାରିଷ୍ଟର ପଢାଇବେ ତେବେ କହିବେ ନା, ଏତେ ଉଚ୍ଚପଦ ପ୍ରାପ୍ତ
କରାଉଛି ତେଣୁ ଏହି ପାଠପଢା ପ୍ରତି ପିଲାମାନଙ୍କୁ କେତେ ଧ୍ୟାନ ଦେବା ଦରକାର । ଗୃହସ୍ଥରେ ମଧ୍ୟ
ରହିବାକୁ ହେବ, କର୍ମଯୋଗ ସନ୍ନ୍ୟାସ ଅଟେ ନା । ଗୃହସ୍ଥ ବ୍ୟବହାରରେ ରହି, ସବୁ କିଛି କରି ମଧ୍ୟ
ବାବାଙ୍କଠାରୁ ସମ୍ପତ୍ତି ପାଇବା ପାଇଁ ପୁରୁଷାର୍ଥ କରିପାରିବ, ଏଥିରେ କୌଣସି ଅସୁବିଧା ନାହିଁ ।
କାମଧନ୍ଦା କରି ଶିବବାବାଙ୍କ ୟାଦରେ ରହିବାକୁ ହେବ । ଜ୍ଞାନ ତ ବହୁତ ସହଜ ଅଟେ । ଗାୟନ ମଧ୍ୟ
କରୁଛନ୍ତି - ହେ ପତିତ-ପାବନ ଆସ, ଆସି ଆମକୁ ପବିତ୍ର କର । ପବିତ୍ର ଦୁନିଆରେ ତ ରାଜଧାନୀ ଅଛି,
ତେଣୁ ବାବା ସେହି ରାଜଧାନୀର ମଧ୍ୟ ଯୋଗ୍ୟ କରାଉଛନ୍ତି ।
ଏହି ଜ୍ଞାନରେ ଦୁଇଟି
ମୁଖ୍ୟ ବିଷୟ ରହିଛି - ଅଲଫ (ବାବା) ଏବଂ ବେ (ସମ୍ପତ୍ତି) । ସ୍ୱଦର୍ଶନ ଚକ୍ରଧାରୀ ହୁଅ ଏବଂ
ବାବାଙ୍କୁ ୟାଦ କର ତେବେ ତୁମେ ସଦା ସୁସ୍ଥ ଏବଂ ଧନବାନ୍ ହୋଇଯିବ । ବାବା କହୁଛନ୍ତି ମୋତେ ସେଠାରେ
ଅର୍ଥାତ୍ ପରମଧାମରେ ୟାଦ କର । ଘରକୁ ମଧ୍ୟ ମନେ ପକାଅ, ମୋତେ ମନେ ପକାଇଲେ ତୁମେ ଘରକୁ ଯାଇପାରିବ
। ସ୍ୱଦର୍ଶନ ଚକ୍ରଧାରୀ ହେଲେ ତୁମେ ଚକ୍ରବର୍ତ୍ତୀ ରାଜା ହେବ । ଏହିକଥା ବୁଦ୍ଧିରେ ଭଲ ରୂପେ
ରହିବା ଦରକାର । ବର୍ତ୍ତମାନ ତ ସମସ୍ତେ ତମଃପ୍ରଧାନ ଅଟନ୍ତି । ସୁଖଧାମରେ ସୁଖ, ଶାନ୍ତି,
ସମ୍ପତ୍ତି ସବୁ ମିଳିଥାଏ । ସେଠାରେ ଗୋଟିଏ ଧର୍ମ ରହିଥାଏ । ଏବେ ତ ଦେଖ ଘରେ-ଘରେ କେତେ ଅଶାନ୍ତି
ରହିଛି । ଦେଖ ଛାତ୍ରମାନେ କେତେ ହଙ୍ଗାମା କରୁଛନ୍ତି । ନିଜର ଗରମ ରକ୍ତ ଦେଖାଉଛନ୍ତି । ଏହା
ହେଉଛି ତମଃପ୍ରଧାନ ଦୁନିଆ, ସତ୍ୟଯୁଗ ହେଲା ନୂଆ ଦୁନିଆ । ବାବା ସଂଗମରେ ହିଁ ଆସିଛନ୍ତି ।
ମହାଭାରତ ଲଢେଇ ମଧ୍ୟ ସଂଗମର ହିଁ ଅଟେ । ଏବେ ଏହି ଦୁନିଆ ବଦଳିବ । ବାବା ମଧ୍ୟ କହୁଛନ୍ତି ମୁଁ
ନୂଆ ଦୁନିଆର ସ୍ଥାପନା କରିବା ପାଇଁ ସଂଗମରେ ଆସୁଛି, ଏହାକୁ ହିଁ ପୁରୁଷୋତ୍ତମ ସଂଗମଯୁଗ କହୁଛନ୍ତି
। ପୁରୁଷୋତ୍ତମ ମାସ, ପୁରୁଷୋତ୍ତମ ସଂବତ (ବର୍ଷ) ମଧ୍ୟ ପାଳନ କରୁଛନ୍ତି । କିନ୍ତୁ ଏହି
ପୁରୁଷୋତ୍ତମ ସଂଗମଯୁଗ ବିଷୟରେ କାହାକୁ ଜଣା ନାହିଁ । ସଂଗମରେ ହିଁ ବାବା ଆସି ତୁମକୁ ହୀରାତୁଲ୍ୟ
କରାଉଛନ୍ତି । ପୁଣି ଏଥିରେ ମଧ୍ୟ କ୍ରମାନୁସାରେ ତ ଥା’ନ୍ତି ନା । ହୀରା ସଦୃଶ ରାଜା ହୋଇଯାଉଛନ୍ତି,
ବାକି ଯିଏ ସୁନା ସଦୃଶ ହେବେ ସେ ପ୍ରଜା ହୋଇଯାଉଛନ୍ତି । ପିଲା ଜନ୍ମ ନେଲା ଏବଂ ସମ୍ପତ୍ତିର
ହକଦାର ହୋଇଗଲା । ବର୍ତ୍ତମାନ ତୁମେ ପବିତ୍ର ଦୁନିଆର ହକଦାର ହୋଇଯାଉଛ । ପୁଣି ସେଥିରେ ଉଚ୍ଚ ପଦ
ପାଇବା ପାଇଁ ପୁରୁଷାର୍ଥ କରିବାକୁ ପଡିବ । ବର୍ତ୍ତମାନ ସମୟର ପୁରୁଷାର୍ଥ ତୁମର କଳ୍ପ-କଳ୍ପର
ପୁରୁଷାର୍ଥର ଆଧାର ହୋଇଯିବ । ଜଣାପଡିଯାଇଥାଏ ଇଏ କଳ୍ପ-କଳ୍ପ ଏହିପରି ପୁରୁଷାର୍ଥ କରିବେ ।
ଏହାଙ୍କ ଦ୍ୱାରା ଏହାଠାରୁ ଆଉ ଅଧିକ ପୁରୁଷାର୍ଥ ହେବ ନାହିଁ । ଜନ୍ମ-ଜନ୍ତାନ୍ତର,
କଳ୍ପ-କଳ୍ପାନ୍ତର ଇଏ ପ୍ରଜାରେ ହିଁ ଆସିବେ । ଇଏ ସାହୁକାର ପ୍ରଜାମାନଙ୍କ ମଧ୍ୟରେ ଦାସ-ଦାସୀ ହେବେ
। କ୍ରମାନୁସାରେ ତ ହେବେ ନା । ପାଠପଢା ଆଧାରରେ ସବୁ କିଛି ଜଣା ପଡିଯାଇଥାଏ । ବାବା ତୁରନ୍ତ
କହିଦେଇ ପାରିବେ ଯେ ଏହି ଅବସ୍ଥାରେ ଯଦି ତୁମେ କାଲି ଶରୀର ଛାଡିଦେଲ ତେବେ କି ପଦ ପାଇବ? ଦିନକୁ
ଦିନ ସମୟ କମ୍ ହୋଇଚାଲିଛି । ଯଦି କେହି ଶରୀର ଛାଡିଦେବେ ତେବେ ପୁଣି ଆଉ ପଢିପାରିବେ ନାହିଁ, ହଁ,
କେବଳ ଅଳ୍ପ କିଛି ବୁଦ୍ଧିରେ ରହିବ । ଶିବବାବାଙ୍କୁ ୟାଦ କରିବେ । ଯେପରି ଛୋଟ-ପିଲାକୁ ମଧ୍ୟ ତୁମେ
ୟାଦ କରାଉଛ ତେବେ ସେ ଶିବବାବା-ଶିବବାବା କହିଚାଲିଥାଏ । ତେଣୁ ତାଙ୍କୁ ମଧ୍ୟ କିଛି
ମିଳିଯାଇପାରିବ । ଛୋଟ ପିଲା ତ ମହାତ୍ମା ସଦୃଶ ହୋଇଥା’ନ୍ତି, ବିକାର ବିଷୟରେ କିଛି ଜାଣି ନ
ଥାଆନ୍ତି । ଯେତେ ଯେତେ ବଡ ହୋଇ ଚାଲିବ, ବିକାରର ପ୍ରଭାବ ପଡି ଚାଲିବ, କ୍ରୋଧ ହେବ, ମୋହ ହେବ...
। ବର୍ତ୍ତମାନ ତୁମକୁ ବୁଝାଯାଉଛି ଏହି ଦୁନିଆରେ ଆଖି ଦ୍ୱାରା ଯାହା କିଛି ଦେଖୁଛ ସେଥିରୁ ମମତ୍ୱ
ତୁଟାଇ ଦେବା ଉଚିତ୍ । ଆତ୍ମା ଜାଣିଛି ଯେ ଏ ସବୁ କବରଦାଖିଲ ଅର୍ଥାତ୍ ପୋତି ହୋଇଯିବ । ସବୁ
ଜିନିଷ ତମଃପ୍ରଧାନ ଅଟେ । ମନୁଷ୍ୟ ମରିଗଲେ ତାଙ୍କର ପୁରୁଣା ଜିନିଷ ଗୁଡିକୁ କରଣିଘୋର (ଧୋବୀ)କୁ
ଦେଇ ଦେଇଥା’ନ୍ତି । ବାବା ତ ବେହଦର କରନୀ ଘୋର ଅଟନ୍ତି, ଧୋବା ମଧ୍ୟ ଅଟନ୍ତି । ତୁମଠାରୁ
ନେଉଛନ୍ତି କ’ଣ ଓ ଦେଉଛନ୍ତି କ’ଣ? ତୁମେ ଯାହା ଅଳ୍ପ କିଛି ଧନ ବି ଦେଉଛ ତାହା ତ ନଷ୍ଟ ହିଁ
ହେବାର ଅଛି । ତଥାପି ମଧ୍ୟ ବାବା କହୁଛନ୍ତି ଏହି ଧନ ନିଜ ପାଖରେ ରଖ । କେବଳ ଏଥିରୁ ମମତ୍ୱ
ତୁଟାଇଦିଅ । ହିସାବ-କିତାବର ପୁରା ସମାଚାର ବାବାଙ୍କୁ ଦେଇଚାଲ । ପୁଣି ନିର୍ଦ୍ଦେଶ ମିଳି ଚାଲିବ
। ତୁମର ଯାହା କିଛି ଅଛି, ଏହି ବିଶ୍ୱବିଦ୍ୟାଳୟ ଓ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି
ପ୍ରାପ୍ତି ନିମନ୍ତେ ଲଗାଇଦେଉଛ । ରୋଗ ପାଇଁ ଡାକ୍ତରଖାନା ରହିଥାଏ, ବିଶ୍ୱବିଦ୍ୟାଳୟ ଥାଏ ପଢାଇବା
ପାଇଁ । ଏଠାରେ ତ କଲେଜ ଏବଂ ଡାକ୍ତରଖାନା ଉଭୟ ଏକତ୍ର ରହିଛି । ଏଥିପାଇଁ ତ କେବଳ ତିନିପାଦ ଭୂମି
ଆବଶ୍ୟକ । ବାସ୍, ଯାହାଙ୍କ ପାଖରେ ଆଉ କିଛି ନାହିଁ ସେ କେବଳ ୩ ପାଦ ଜାଗା ଦେଇ ଦିଅନ୍ତୁ ।
ସେଠାରେ କ୍ଳାସ୍ ଆରମ୍ଭ କରିଦିଅନ୍ତୁ । ୩ ପାଦ ପୃଥିବୀ, ତାହା ତ କେବଳ ବସିବା ପାଇଁ ଜାଗା ହେଲା
ନା । ତିନି ପାଦର ହିଁ ଆସନ ହୋଇଥାଏ । ୩ ପାଦ ପୃଥିବୀକୁ ଅର୍ଥାତ୍ ସେବାକେନ୍ଦ୍ରକୁ କେହି ବି
ଆସିଲେ, ଭଲ ଭାବରେ ବୁଝି କରି ଯାଇପାରିବେ । କେହି ଆସିଲେ, ଆସନରେ ବସାଇ ବାବାଙ୍କ ପରିଚୟ ଦିଅ ।
ବ୍ୟାଜ୍ ମଧ୍ୟ ବହୁତ ତିଆରି କରୁଛି ସେବା ନିମନ୍ତେ, ଏହା ବହୁତ ସାଧାରଣ ଅଟେ । ଭଲ ଚିତ୍ର ମଧ୍ୟ
ରହିଛି, ସଂମ୍ପୂର୍ଣ୍ଣ ରୂପେ ମଧ୍ୟ ଲେଖାଯାଇଛି । ଏହାଦ୍ୱାରା ତୁମର ବହୁତ ସେବା ହେବ । ଦିନକୁ
ଦିନ ଯେତେ ବିପଦ ଆସି ଚାଲିବ ସେତେ ମନୁଷ୍ୟମାନଙ୍କର ମଧ୍ୟ ବୈରାଗ୍ୟ ଆସିବ ଏବଂ ବାବାଙ୍କୁ ୟାଦ
କରିବାରେ ଲାଗିପଡିବେ - ମୁଁ ଆତ୍ମା ଅବିନାଶୀ ଅଟେ, ନିଜର ଅବିନାଶୀ ବାବାଙ୍କୁ ୟାଦ କରିବି । ବାବା
ନିଜେ କହୁଛନ୍ତି ମୋତେ ୟାଦ କଲେ ତୁମର ଜନ୍ମ-ଜନ୍ମାନ୍ତରର ପାପ ସମାପ୍ତ ହୋଇଯିବ । ନିଜକୁ ଆତ୍ମା
ନିଶ୍ଚୟ କରି ବାବାଙ୍କ ପ୍ରତି ପୂରା ସ୍ନେହ ରଖିବାକୁ ହେବ । ଦେହ-ଅଭିମାନୀ ହୁଅ ନାହିଁ । ହଁ,
ପିଲାମାନଙ୍କ ପ୍ରତି ବାହ୍ୟ ସ୍ନେହ ଭଲେ ରଖ । କିନ୍ତୁ ଆତ୍ମାର ପ୍ରକୃତ ସ୍ନେହ ରୁହାନୀ ବାବାଙ୍କ
ପ୍ରତି ରହୁ । ତାଙ୍କର ୟାଦ ଦ୍ୱାରା ହିଁ ବିକର୍ମ ବିନାଶ ହେବ । ମିତ୍ର-ସମ୍ବନ୍ଧୀ, ପିଲାମାନଙ୍କୁ
ଦେଖି ମଧ୍ୟ ବୁଦ୍ଧି ବାବାଙ୍କ ୟାଦରେ ଲଟକି ରହିଥାଉ । ତୁମେ ପିଲାମାନେ ଯେପରି ୟାଦର ଫାଶୀରେ ଲଟକି
ରହିଛ । ଆତ୍ମାକୁ ନିଜର ପିତା ପରମାତ୍ମାଙ୍କୁ ହିଁ ୟାଦ କରିବାକୁ ପଡିବ । ବୁଦ୍ଧି ଉପରେ ଲଟକି ରହୁ
। ବାବାଙ୍କ ଘର ମଧ୍ୟ ଉପରେ ନା । ମୂଳବତନ, ସୂକ୍ଷ୍ମବତନ ଏବଂ ଏହା ହେଉଛି ସ୍ଥୂଳବତନ । ଏବେ ପୁଣି
ଘରକୁ ଫେରି ଯିବାକୁ ହେବ ।
ଏବେ ତୁମର ଯାତ୍ରା ପୁରା
ହେଲା । ତୁମେ ଏବେ ଯାତ୍ରାରୁ ଫେରୁଛ । ତେଣୁ ନିଜର ଘର ପ୍ରିୟ ଲାଗୁଛି । ତାହା ହେଉଛି ବେହଦର ଘର
। ନିଜର ଘରକୁ ଫେରିବାକୁ ହେବ । ମନୁଷ୍ୟ ଭକ୍ତି କରିଥା’ନ୍ତି - ଘରକୁ ଯିବା ପାଇଁ, କିନ୍ତୁ
ଜ୍ଞାନ ପୂରା ନ ଥିବାରୁ ଘରକୁ ଯାଇପାରିବେ ନାହିଁ । ଭଗବାନଙ୍କ ପାଖକୁ ଯିବା ପାଇଁ ଅଥବା
ନିର୍ବାଣଧାମକୁ ଯିବା ପାଇଁ କେତେ ତୀର୍ଥ ଯାତ୍ରା ଆଦି କରୁଛନ୍ତି, ପରିଶ୍ରମ କରୁଛନ୍ତି ।
ସନ୍ନ୍ୟାସୀମାନେ କେବଳ ଶାନ୍ତିର ରାସ୍ତା ହିଁ ବତାଇଥା’ନ୍ତି । ସୁଖଧାମକୁ ତ ଜାଣି ହିଁ ନାହାଁନ୍ତି
। ସୁଖଧାମର ରାସ୍ତା କେବଳ ବାବା ହିଁ ବତାଉଛନ୍ତି । ପ୍ରଥମେ ନିଶ୍ଚୟ ନିର୍ବାଣଧାମ, ବାନପ୍ରସ୍ଥକୁ
ଯିବାକୁ ହେବ ଯାହାକୁ ବ୍ରହ୍ମାଣ୍ଡ ମଧ୍ୟ କୁହାଯାଏ । ସେମାନେ ପୁଣି ବ୍ରହ୍ମକୁ ଅର୍ଥାତ୍ ଘରକୁ
ଈଶ୍ୱର ଭାବି ବସିଛନ୍ତି । ମୁଁ ଆତ୍ମା ବିନ୍ଦୁ ଅଟେ । ବ୍ରହ୍ମାଣ୍ଡ ଆମର ରହିବାର ସ୍ଥାନ ଅଟେ ।
ତୁମର ବି ପୂଜା ତ ହେଉଛି ନା । ତେବେ ବିନ୍ଦୁର ପୂଜା କେମିତି କରିବେ । ଯେତେବେଳେ ପୂଜା କରୁଛନ୍ତି,
ସେତେବେଳେ ଶାଳଗ୍ରାମ ତିଆରି କରି ଗୋଟିଏ-ଗୋଟିଏ ଆତ୍ମାର ପୂଜା କରିଥା’ନ୍ତି । ବିନ୍ଦୁର ପୂଜା
କିପରି ହେବ - ସେଥିପାଇଁ ବଡ-ବଡ ଶାଳଗ୍ରାମ ତିଆରି କରିଥା’ନ୍ତି । ବାବାଙ୍କର ତ ନିଜର ଶରୀର ନାହିଁ
। ଏହି କଥା ବର୍ତ୍ତମାନ ତୁମେମାନେ ଜାଣୁଛ । ଚିତ୍ରରେ ମଧ୍ୟ ତୁମକୁ ବଡ ରୂପ ଦେଖାଇବାକୁ ହେବ ।
ବିନ୍ଦୁକୁ କିପରି ବୁଝିବେ? ଏମିତି ତ ତାରକା ସଦୃଶ ଚିତ୍ର କରିବା ଉଚିତ୍ । ଏହିପରି ତାରାଭଳି
ତିଳକ ମଧ୍ୟ ବହୁତ ମାତାମାନେ ଲଗାଇଥା’ନ୍ତି, ଧଳା ରଙ୍ଗରେ ତିଳକ ମଧ୍ୟ ତିଆରି ହୋଇ ମିଳିଥାଏ ।
ଆତ୍ମା ମଧ୍ୟ ଧଳା ଅଟେ ନା, ତାରକା ସଦୃଶ । ଏହି ବିନ୍ଦି ମଧ୍ୟ ଏକ ପ୍ରତୀକ ଅଟେ । ଭ୍ରୃକୁଟୀ
ମଧ୍ୟରେ ଆତ୍ମା ରହିଥାଏ । ବାକି ଏହାର ଅର୍ଥ ତ କେହି ଜାଣିନାହାଁନ୍ତି । ଏ କଥା ବାବା ବୁଝାଉଛନ୍ତି
ଯେ ଏତେ ଛୋଟ ଆତ୍ମାରେ କେତେ ଜ୍ଞାନ ରହିଛି । ଏତେ ବମ୍ ଆଦି ତିଆରି କରି ଚାଲିଛନ୍ତି ।
ଆଶ୍ଚର୍ଯ୍ୟ, ଆତ୍ମାରେ ଏତେ ଅଭିନୟ ଭରି ହୋଇ ରହିଛି । ଏହା ବହୁତ ଗୁହ୍ୟ କଥା । ଏତେ ଛୋଟ ଆତ୍ମା
ଶରୀର ଦ୍ୱାରା କେତେ କାମ କରୁଛି । ଆତ୍ମା ଅବିନାଶୀ, ଆତ୍ମାର ପାର୍ଟର କେବେ ବିନାଶ ହୁଏ ନାହିଁ,
ନା ଅଭିନୟ ବଦଳିଥାଏ । ଏବେ ବୃକ୍ଷ ବହୁତ ବଡ ହୋଇଗଲାଣି ଅର୍ଥାତ୍ ଜନସଂଖ୍ୟା ବଢି ଗଲାଣି ।
ସତ୍ୟଯୁଗରେ ବୃକ୍ଷ କେତେ ଛୋଟ ହୋଇଥାଏ । ପୁରୁଣା ତ ହୁଏ ନାହିଁ । ପବିତ୍ର ଛୋଟ ବୃକ୍ଷର କଲମୀ ଏବେ
ଲାଗୁଛି । ତୁମେ ପତିତ ହୋଇଥିଲ ଏବେ ପୁଣି ପବିତ୍ର ହେଉଛ । ଛୋଟ ଆତ୍ମାରେ କେତେ ପାର୍ଟ ଭରି ହୋଇ
ରହିଛି । ଏହା ପ୍ରକୃତିର ବିଚିତ୍ରତା ଅଟେ, ଆତ୍ମା ଅବିନାଶୀ ଅଭିନୟ କରି ଚାଲିଛି । ଏହା କେବେ
ବନ୍ଦ ହୁଏ ନାହିଁ, ଆତ୍ମା ଅବିନାଶୀ ଜିନିଷ ଅଟେ, ସେଥିରେ ଅବିନାଶୀ ଅଭିନୟ ଭରି ହୋଇ ରହିଛି । ଏହା
ଆଶ୍ଚର୍ଯ୍ୟ ଅଟେ ନା । ବାବା ବୁଝାଉଛନ୍ତି - ପିଲାମାନେ ତୁମକୁ ଦେହୀ-ଅଭିମାନୀ ହେବାକୁ ପଡିବ ।
ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କର, ଏହିଥିରେ ହିଁ ମେହନତ କରିବାକୁ ପଡୁଛି, ଅଧିକ ଅଭିନୟ
ତୁମର ରହିଛି । ବାବାଙ୍କର ଏତେ ଅଭିନୟ ନାହିଁ, ଯେତେ ତୁମର ଅଛି ।
ବାବା କହୁଛନ୍ତି ତୁମେ
ସ୍ୱର୍ଗରେ ସୁଖୀ ହୋଇ ଗଲେ ମୁଁ ବିଶ୍ରାମ କରୁଛି । ସେ ସମୟରେ ମୋର ଆଉ କୌଣସି ଅଭିନୟ ନ ଥାଏ ।
ବର୍ତ୍ତମାନ ସମୟରେ ଏତେ ସେବା କରୁଛି ନା । ଏହି ଜ୍ଞାନ ଏତେ ଆଶ୍ଚର୍ଯ୍ୟଜନକ, ଯାହାକି ତୁମ ବିନା
ଆଉ କେହି ଟିକିଏ ବି ଜାଣିନାହାଁନ୍ତି । ବାବାଙ୍କ ୟାଦରେ ନ ରହିଲେ ଧାରଣା ମଧ୍ୟ ହେବ ନାହିଁ ।
ଖାଦ୍ୟ-ପାନୀୟ ଆଦିରେ ଫରକ ପଡିବା ଦ୍ୱାରା ଧାରଣାରେ ମଧ୍ୟ ଫରକ ପଡିଯାଇଥାଏ, ଏଥିରେ ପବିତ୍ରତା
ବହୁତ ଆବଶ୍ୟକ । ବାବାଙ୍କୁ ୟାଦ କରିବା ବହୁତ ସହଜ ଅଟେ । ବାବାଙ୍କୁ ୟାଦ କରିବାକୁ ହେବ ଏବଂ
ବର୍ସା ପାଇବାକୁ ହେବ, ସେଥିପାଇଁ ବାବା କହିଛନ୍ତି ତୁମେ ନିଜ ପାଖରେ ମଧ୍ୟ ଚିତ୍ର ରଖ । ଯୋଗର ଏବଂ
ବର୍ସା ଅର୍ଥାତ୍ ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ତିଆରି କରି ରଖ ତେବେ ନିଶା ରହିବ । ମୁଁ
ବ୍ରାହ୍ମଣରୁ ଦେବତା ହେଉଛି । ପୁଣି ଦେବତାରୁ କ୍ଷତ୍ରିୟ ହେବି । ବ୍ରାହ୍ମଣ ହେଉଛନ୍ତି
ପୁରୁଷୋତ୍ତମ ସଂଗମଯୁଗୀ । ତୁମେ ପୁରୁଷୋତ୍ତମ ହେଉଛ ନା । ମନୁଷ୍ୟମାନଙ୍କୁ ଏହି କଥା ବୁଝାଇବା
ପାଇଁ କେତେ ମେହନତ କରିବାକୁ ପଡୁଛି । ଦିନକୁ ଦିନ ଯେତେ ଯେତେ ଜ୍ଞାନକୁ ବୁଝିବେ ସେତେ ଖୁସି
ମଧ୍ୟ ବଢିବ ।
ତୁମେ ସନ୍ତାନମାନେ
ଜାଣିଛ ବାବା ଆମର ବହୁତ କଲ୍ୟାଣ କରୁଛନ୍ତି । କଳ୍ପ-କଳ୍ପ ଆମର ଉନ୍ନତିର କଳା ହୋଇଥାଏ । ଏଠାରେ
ରହି ଥିବାରୁ ଶରୀର ନିର୍ବାହ ଅର୍ଥେ ସବୁ କିଛି କରିବାକୁ ପଡୁଛି । ବୁଦ୍ଧିରେ ରହୁ ଯେ ଆମେ
ଶିବବାବାଙ୍କ ଭଣ୍ଡାରରୁ ଖାଉଛୁ ଶିବବାବାଙ୍କୁ ୟାଦ କଲେ କାଳକଣ୍ଟକ ଦୂର ହୋଇଯିବ । ପୁଣି ଆତ୍ମା
ଏହି ପୁରୁଣା ଶରୀର ଛାଡି ଚାଲିଯିବ । ପିଲାମାନେ ବୁଝୁଛନ୍ତି - ବାବା କାହାଠାରୁ କିଛି ବି ନେଉ
ନାହାଁନ୍ତି । ସେ ତ ଦାତା ଅଟନ୍ତି । ବାବା କହୁଛନ୍ତି ମୋର ଶ୍ରୀମତରେ ଚାଲ । ତୁମର କାହାକୁ ପଇସା
ଦାନ କରିବା ଉଚିତ୍ ଏହି କଥା ଉପରେ ପୂରା ଧ୍ୟାନ ଦେବାକୁ ପଡିବ । ଯଦି କାହାକୁ ପଇସା ଦେଲ ଏବଂ ସେ
ଯାଇ ମଦ୍ୟପାନ କଲେ, ଖରାପ କାର୍ଯ୍ୟ କଲେ ତେବେ ତାର ପାପ ତୁମ ଉପରକୁ ଆସିଯିବ । ପାପ
ଆତ୍ମାମାନଙ୍କ ସହିତ ନେଣ-ଦେଣ କରି ପାପ ଆତ୍ମା ହୋଇଯାଉଛନ୍ତି । କେତେ ଫରକ ରହିଛି । ପାପ ଆତ୍ମା,
ପାପ ଆତ୍ମାଙ୍କ ସହିତ ନେଣ-ଦେଣ କରି ପାପ ଆତ୍ମା ହୋଇଯାଉଛନ୍ତି । ଏଠାରେ ତ ତୁମକୁ ପୁଣ୍ୟ ଆତ୍ମା
ହେବାର ଅଛି, ସେଥିପାଇଁ ପାପ ଆତ୍ମାଙ୍କ ସହିତ ଆଦାନ-ପ୍ରଦାନ କର ନାହିଁ । ବାବା କହୁଛନ୍ତି କାହାକୁ
ବି ଦୁଃଖ ଦିଅ ନାହିଁ, କାହା ପ୍ରତି ମୋହ ରଖ ନାହିଁ । ବାବା ମଧ୍ୟ ସାକାରିନ୍ ହୋଇ ଆସୁଛନ୍ତି
ଅର୍ଥାତ୍ ମିଠା ସୁଖ ଦେବା ପାଇଁ ଆସୁଛନ୍ତି । ପୁରୁଣା ଅବଗୁଣ ନେଇ ଦେଖ କେତେ ସୁଧ ଦେଉଛନ୍ତି ।
ବହୁତ ଅଧିକ ସୁଧ ମିଳୁଛି । କେତେ ଭୋଳା ଅଟନ୍ତି, ଦୁଇ ମୁଠା ବଦଳରେ ମହଲ ଦେଇ ଦେଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏବେ ତୁମର
ଯାତ୍ରା ସମାପ୍ତ ହେଲା, ତୁମକୁ ନିଜ ଘରକୁ ଫେରିବାକୁ ହେବ ତେଣୁ ଏହି ପୁରୁଣା ଦୁନିଆ ପ୍ରତି
ବେହଦର ବୈରାଗ୍ୟ ରଖି ବୁଦ୍ଧିଯୋଗ ବାବାଙ୍କ ସ୍ମୃତିରେ ଉପରେ ସ୍ଥିର ରଖିବାକୁ ହେବ ।
(୨) ସଂଗମଯୁଗରେ ବାବା
ଯେଉଁ ଯଜ୍ଞ ରଚନା କରିଛନ୍ତି, ସେହି ଯଜ୍ଞର ରକ୍ଷା କରିବା ପାଇଁ ସଚ୍ଚା-ସଚ୍ଚା ପବିତ୍ର ବ୍ରାହ୍ମଣ
ହେବାକୁ ପଡିବ । କର୍ମଧନ୍ଦା ଆଦି କରି ମଧ୍ୟ ବାବାଙ୍କର ୟାଦରେ ରହିବାକୁ ହେବ ।
ବରଦାନ:-
ଆଦି ରତ୍ନର
ସ୍ମୃତି ଦ୍ୱାରା ନିଜର ଜୀବନର ମୂଲ୍ୟକୁ ଜାଣିପାରୁଥିବା ସଦା ସମର୍ଥ ଆତ୍ମା ଭବ ।
ଯେପରି ବ୍ରହ୍ମାବାବା ଆଦି
ଦେବ ଅଟନ୍ତି ସେହିପରି ବ୍ରହ୍ମାକୁମାର, କୁମାରୀମାନେ ମଧ୍ୟ ଆଦିରତ୍ନ ଅଟନ୍ତି, ଆଦିଦେବଙ୍କର
ସନ୍ତାନ ମାଷ୍ଟର ଆଦିଦେବ ଅଟନ୍ତି । ନିଜକୁ ଆଦି ରତ୍ନ ଭାବିବା ଦ୍ୱାରା ହିଁ ନିଜର ଜୀବନର ମୂଲ୍ୟକୁ
ଜାଣିପାରିବ କାହିଁକି ନା ଆଦିରତ୍ନ ଅର୍ଥାତ୍ ପ୍ରଭୁଙ୍କର ରତ୍ନ ବା ଈଶ୍ୱରୀୟ ରତ୍ନ, ତେଣୁ କେତେ
ମୂଲ୍ୟ ବଢିଗଲା, ସେଥିପାଇଁ ନିଜକୁ ସର୍ବଦା ଆଦିଦେବଙ୍କର ସନ୍ତାନ ମାଷ୍ଟର ଆଦିଦେବ, ଆଦି ରତ୍ନ ମନେ
କରି ସବୁ କାର୍ଯ୍ୟ କର, ତାହା ହେଲେ ସମର୍ଥ ଭବର ବରଦାନ ମିଳିଯିବ । କିଛି ବି ବ୍ୟର୍ଥରେ ନଷ୍ଟ
ହୋଇପାରିବ ନାହିଁ ।
ସ୍ଲୋଗାନ:-
ଜ୍ଞାନୀ ତୁ
ଆତ୍ମା ତାଙ୍କୁ କୁହାଯିବ ଯେଉଁମାନେ ଧୋକା ଖାଇବା ପୂର୍ବରୁ ପରଖି ନେଇ ନିଜକୁ ସୁରକ୍ଷିତ
କରିଦିଅନ୍ତି ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର:-
(୧୧) ଏବେ
ସେବାକ୍ଷେତ୍ରରେ ସୂକ୍ଷ୍ମ ଶକ୍ତିର ପ୍ରୟୋଗ କରି ସମସ୍ତଙ୍କର ବୁଦ୍ଧିକୁ ପରିବର୍ତ୍ତନ କରିବାର
ସେବାକୁ ଯୋଡିଦିଅ । ତା’ପରେ ଦେଖିବ ସଫଳତା ତୁମ ନିକଟରେ ଆପେ ଆପେ ନତମସ୍ତକ ହୋଇଯିବ । ତେବେ ସେବା
କ୍ଷେତ୍ରରେ ଯାହା ବି ସବୁ ବିଘ୍ନ ଗୁଡିକ ଆସୁଛି ସେହି ବିଘ୍ନ ରୂପୀ ପରଦା ପଛ ପଟେ କଲ୍ୟାଣର
ଦୃଶ୍ୟ ଲୁଚି ରହିଛି, କେବଳ ସଂକଳ୍ପର ଏବଂ ବାଣୀର ଶକ୍ତି ଦ୍ୱାରା ବିଘ୍ନ ରୂପୀ ପରଦାକୁ ହଟେଇ ଦିଅ,
ତେବେ ଭିତରେ ଲୁଚିଥିବା କଲ୍ୟାଣର ଦୃଶ୍ୟ ଦେଖାଯିବ ।