11.02.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମକୁ ଭଗବାନ ପାଠ ପଢ଼ାଉଛନ୍ତି, ତୁମ ପାଖରେ ଜ୍ଞାନ ରୂପକ ରତ୍ନ ରହିଛି, ତୁମକୁ ଏହି ଜ୍ଞାନ ରତ୍ନର ବ୍ୟବସାୟ କରିବାକୁ ହେବ, ତୁମେମାନେ ଏଠାରେ ଜ୍ଞାନ ଶିଖୁଛ, ଭକ୍ତି ନୁହେଁ ।”

ପ୍ରଶ୍ନ:-
ମନୁଷ୍ୟ ଡ୍ରାମାର କେଉଁ ଆଶ୍ଚର୍ଯ୍ୟଜନକ ନିଧାର୍ଯ୍ୟକୁ ଭଗବାନଙ୍କର ଲୀଳା ମନେ କରି ତାଙ୍କର ମହିମା କରିଥା’ନ୍ତି?

ଉତ୍ତର:-
ଯିଏ ଯେଉଁ ଦେବୀ-ଦେବତାଙ୍କ ପ୍ରତି ଭାବନା ରଖିଥା’ନ୍ତି ଅର୍ଥାତ୍ ନିଷ୍ଠାପୂର୍ବକ ଭକ୍ତି କରିଥା’ନ୍ତି, ତାଙ୍କୁ ସେହି ଦେବୀ ବା ଦେବତାଙ୍କର ସାକ୍ଷାତ୍‌କାର ହୋଇଥାଏ ତେଣୁ ସେମାନେ ଭାବନ୍ତି ଭଗବାନ ହିଁ ମୋତେ ସାକ୍ଷାତ୍‌କାର କରାଇଲେ କିନ୍ତୁ ଏ ସବୁ କିଛି ଡ୍ରାମା ଅନୁସାରେ ହିଁ ହୋଇଥାଏ । ଏହିଭଳି ଗୋଟିଏ ପଟେ ଭଗବାନଙ୍କର ମହିମା କରୁଛନ୍ତି, ଅନ୍ୟ ପଟେ ସର୍ବବ୍ୟାପୀ କହି ଗ୍ଲାନି ମଧ୍ୟ କରି ଦେଉଛନ୍ତି ।

ଓମ୍ ଶାନ୍ତି ।
ଭଗବାନୁବାଚ - ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ମନୁଷ୍ୟକୁ ଅଥବା ଦେବତାଙ୍କୁ ଭଗବାନ କୁହାଯିବ ନାହିଁ । ଗାୟନ ମଧ୍ୟ କରୁଛନ୍ତି ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ, ଶଙ୍କର ଦେବତାୟ ନମଃ ପୁଣି କୁହାଯାଏ ଶିବ ପରମାତ୍ମାୟ ନମଃ । ଏ କଥା ମଧ୍ୟ ତୁମେ ଜାଣିଛ ଯେ, ଶିବଙ୍କର ନିଜର ଶରୀର ନାହିଁ । ବ୍ରହ୍ମଲୋକରେ ଶିବବାବା ଏବଂ ଆତ୍ମା ରୂପି ଶାଳଗ୍ରାମ ରହିଥା’ନ୍ତି । ପିଲାମାନେ ଜାଣିଛନ୍ତି ଯେ, ଏବେ ଆମ ଆତ୍ମାମାନଙ୍କୁ ବାବା ପାଠ ପଢ଼ାଉଛନ୍ତି ଆଉ ଯେଉଁ ସବୁ ସତସଙ୍ଗ ଅଛି ବାସ୍ତବରେ ତାହା କୌଣସି ସତ୍‌ର ସଙ୍ଗ ନୁହେଁ । ବାବା କହୁଛନ୍ତି ତାହା ତ ମାୟାର ସଙ୍ଗ ଅଟେ । ସେଠାରେ ଏପରି କେହି ଭାବିବେ ନାହିଁ ଯେ, ଆମକୁ ଭଗବାନ ପାଠ ପଢ଼ାଉଛନ୍ତି । ଯଦି ଗୀତା ଶୁଣିବେ ତେବେ କୃଷ୍ଣ ଭଗବାନୁବାଚ ବୋଲି ଭାବିବେ । ଦିନକୁ ଦିନ ଗୀତାର ପାଠ କରିବାର ଅଭ୍ୟାସ କମ୍ ହୋଇ ଯାଉଛି କାହିଁକିନା ନିଜର ଧର୍ମକୁ ହିଁ ଜାଣିନାହାଁନ୍ତି । କୃଷ୍ଣଙ୍କ ସହିତ ତ ସମସ୍ତଙ୍କର ସ୍ନେହ ରହିଛି, କୃଷ୍ଣଙ୍କୁ ହିଁ ଝୁଲାରେ ଝୁଲାଇଥା’ନ୍ତି । ଏବେ ତୁମେମାନେ ଭାବୁଛ, ଆମେ କାହାକୁ ଝୁଲାଇବୁ? ପିଲାମାନଙ୍କୁ ଝୁଲାଯାଇଥାଏ, ବାପକୁ ତ ଝୁଲାଯାଇ ପାରିବ ନାହିଁ । ତୁମେ କ’ଣ ଶିବବାବାଙ୍କୁ ଝୁଲାଇବ? ସେ ତ ବାଳକ ହେଉନାହାଁନ୍ତି, ପୁନର୍ଜନ୍ମରେ ମଧ୍ୟ ଆସୁନାହାଁନ୍ତି । ସେ ତ ବିନ୍ଦୁ ଅଟନ୍ତି, ତାଙ୍କୁ କ’ଣ ଝୁଲାଇବ । ଅନେକଙ୍କୁ କୃଷ୍ଣଙ୍କର ସାକ୍ଷାତ୍‌କାର ହୋଇଥାଏ । କୃଷ୍ଣଙ୍କ ମୁଖରେ ତ ସାରା ବିଶ୍ୱ ଅଛି କାହିଁକି ନା ସେ ବିଶ୍ୱର ମାଲିକ ହେଉଛନ୍ତି । ତେଣୁ ମୁଖରେ ବିଶ୍ୱ ରୂପକ ଲହୁଣୀ ରହିଛି । ଯେଉଁମାନେ ପରସ୍ପର ସହିତ ଲଢ଼େଇ କରୁଛନ୍ତି ତାହା ମଧ୍ୟ ସୃଷ୍ଟି ରୂପୀ ଲହୁଣୀ ନିମନ୍ତେ ହିଁ ଲଢ଼ୁଛନ୍ତି । ଭାବୁଛନ୍ତି ଆମେ ବିଜୟ ପ୍ରାପ୍ତ କରିବୁ । କୃଷ୍ଣଙ୍କ ମୁଖରେ ଲହୁଣୀ ରୂପୀ ଗୋଲକ ଦର୍ଶାଇଥା’ନ୍ତି, ଏହିପରି ଅନେକ ପ୍ରକାରର ସାକ୍ଷାତ୍କାର ହୋଇଥାଏ । କିନ୍ତୁ ଅର୍ଥ କିଛି ହେଲେ ବୁଝନ୍ତି ନାହିଁ । ଏଠାରେ ତୁମକୁ ସାକ୍ଷାତ୍‌କାରର ଅର୍ଥ ବୁଝାଯାଉଛି । ମନୁଷ୍ୟ ଭାବୁଛନ୍ତି ଆମକୁ ଭଗବାନ ସାକ୍ଷାତ୍‌କାର କରାଉଛନ୍ତି । ଏକଥା ମଧ୍ୟ ବାବା ବୁଝାଉଛନ୍ତି - ଯାହାଙ୍କୁ ମନେ ପକାଉଛନ୍ତି - ଧରିନିଅ କେହି କୃଷ୍ଣଙ୍କର ନବଧା ଭକ୍ତି କରୁଛନ୍ତି ତେବେ ଅଳ୍ପ କାଳ ପାଇଁ ତାଙ୍କର ମନୋକାମନା ପୂର୍ଣ୍ଣ ହୋଇଥାଏ । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଏପରି କୁହାଯିବ ନାହିଁ ଯେ, ଭଗବାନ ସାକ୍ଷାତ୍‌କାର କରାଇଲେ । ଯିଏ ଯେଉଁ ଭାବନାରେ ଯାହାର ପୂଜା କରିଥା’ନ୍ତି ତାଙ୍କୁ ତାଙ୍କର ହିଁ ସାକ୍ଷାତ୍‌କାର ହୋଇଥାଏ । ଏକଥା ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ଏହା ତ ଭଗବାନଙ୍କର କରୁଣା ଅଟେ ଯେ ସେ ଭକ୍ତମାନଙ୍କର ଖୁସି ପାଇଁ ସାକ୍ଷାତ୍‌କାର କରାଉଛନ୍ତି । ଗୋଟିଏ ପଟେ ଏତେ ପ୍ରଶଂସା ମଧ୍ୟ କରୁଛନ୍ତି, ଅନ୍ୟ ପଟେ ପୁଣି କହିଦେଉଛନ୍ତି ଗୋଡ଼ି ମାଟିରେ ମଧ୍ୟ ଭଗବାନ ଅଛନ୍ତି । କେତେ ଅନ୍ଧଶ୍ରଦ୍ଧାର ସହିତ ଭକ୍ତି କରୁଛନ୍ତି । ଭାବୁଛନ୍ତି - ବାସ୍ କୃଷ୍ଣଙ୍କର ସାକ୍ଷାତ୍‌କାର ହେଲା, କୃଷ୍ଣପୂରୀକୁ ଆମେ ନିଶ୍ଚୟ ଯିବୁ । କିନ୍ତୁ କୃଷ୍ଣପୁରୀ ଆସିବ କେଉଁଠୁ? ଏହି ସବୁ ରହସ୍ୟ ବାବା ତୁମ ପିଲାମାନଙ୍କୁ ଏବେ ବୁଝାଉଛନ୍ତି । ଏବେ କୃଷ୍ଣପୁରୀର ସ୍ଥାପନା ହେଉଛି । ଏହା ହେଉଛି କଂସପୁରୀ । କଂସ, ଅକାସୁର, ବକାସୁର, କୁମ୍ଭକର୍ଣ୍ଣ, ରାବଣ ଏସବୁ ଅସୁରମାନଙ୍କର ନାମ ଅଟେ । ଶାସ୍ତ୍ରରେ କ’ଣ-କ’ଣ ସବୁ ବସି ଲେଖି ଦେଇଛନ୍ତି ।

ଏକଥା ମଧ୍ୟ ବୁଝାଇବାକୁ ହେବ ଯେ ଗୁରୁ ଦୁଇ ପ୍ରକାରର ଅଛନ୍ତି, ପ୍ରଥମତଃ ଭକ୍ତିମାର୍ଗର ଗୁରୁ, ସେ ଭକ୍ତି ହିଁ ଶିଖାଇଥା’ନ୍ତି । ଏହି ବାବା ତ ଜ୍ଞାନର ସାଗର ଅଟନ୍ତି, ଏହାଙ୍କୁ ସତଗୁରୁ କୁହାଯାଉଛି । ଇଏ କେବେ ହେଲେ ଭକ୍ତି ଶିଖାଉ ନାହାଁନ୍ତି, ଜ୍ଞାନ ହିଁ ଶିଖାଉଛନ୍ତି । ମନୁଷ୍ୟ ତ ଭକ୍ତି କରି କେତେ ଖୁସି ହେଉଛନ୍ତି, ଝାଞ୍ଜ ବଜାଉଛନ୍ତି । ବନାରସରେ ତୁମେ ଦେଖିବ ସବୁ ଦେବତାମାନଙ୍କର ମନ୍ଦିର ତିଆରି କରିଦେଇଛନ୍ତି । ଏସବୁ ହେଉଛି ଭକ୍ତିମାର୍ଗର ଦୋକାନଦାରୀ, ଭକ୍ତିର ଧନ୍ଦା । ତୁମ ପିଲାମାନଙ୍କର ଧନ୍ଦା ହେଲା ଜ୍ଞାନ ରତ୍ନର, ଏହାକୁ ହିଁ ବ୍ୟାପାର ବୋଲି କୁହାଯାଏ । ବାବା ମଧ୍ୟ ରତ୍ନର ବ୍ୟପାରୀ ଅଟନ୍ତି । ତୁମେମାନେ ଜାଣିଛ ଏହା କେଉଁ ପ୍ରକାରର ରତ୍ନ! ଏହି କଥାକୁ ସେହିମାନେ ବୁଝିପାରିବେ ଯିଏ କଳ୍ପ ପୂର୍ବରୁ ବୁଝିଥିବେ, ଅନ୍ୟମାନେ ଏ କଥାକୁ ବୁଝିପାରିବେ ନାହିଁ । ଦୁନିଆରେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ଅଛନ୍ତି ସେମାନେ ପଛରେ ଆସି ବୁଝିବେ । ଏ ଧର୍ମରୁ ଅନ୍ୟ ଧର୍ମକୁ ଅନେକ ପରିବର୍ତ୍ତିତ ମଧ୍ୟ ହୋଇଛନ୍ତି ନା । ରାଜା ଜନକଙ୍କର ଏକ କାହାଣୀ ଶୁଣାଇଥା’ନ୍ତି ଜନକ ପୁଣି ଅନୁଜନକ ହେଲେ । ଯେପରି କାହାର ନାମ କୃଷ୍ଣ ଅଟେ ତେବେ କହିଥା’ନ୍ତି - ତୁମେ ଦୈବୀ/ ଅନୁଦୈବୀ କୃଷ୍ଣ ହେବ । କେଉଁଠି ସେହି ସର୍ବଗୁଣ ସମ୍ପନ୍ନ କୃଷ୍ଣ, କେଉଁଠି ଇଏ! କାହାର ନାମ ଲକ୍ଷ୍ମୀ ହୋଇଥାଏ କିନ୍ତୁ ସେ ଏହି ଲକ୍ଷ୍ମୀ-ନାରାୟଣଙ୍କ ଆଗରେ ଯାଇ ତାଙ୍କର ମହିମା ଗାନ କରିଥା’ନ୍ତି । ଏମାନେ ବୁଝି ପାରୁନାହାଁନ୍ତି ଯେ ତାଙ୍କ ଏବଂ ଆମ ମଧ୍ୟରେ ଫରକ କ’ଣ ଅଛି? ଏବେ ତୁମ ପିଲାମାନଙ୍କୁ ଜ୍ଞାନ ମିଳୁଛି । ଏହି ସୃଷ୍ଟିଚକ୍ର କିପରି ଘୂରୁଛି? ତୁମେ ହିଁ ୮୪ ଜନ୍ମ ନେବ । ଏହି ଚକ୍ର ଅନେକ ଥର ଘୂରିସାରିଛି । ଚକ୍ର କେବେ ବନ୍ଦ ହୋଇପାରିବ ନାହିଁ । ତୁମେ ଏହି ନାଟକର ଅଭିନେତା ଅଟ । ମନୁଷ୍ୟମାନେ ଏତିକି ନିଶ୍ଚିତ ବୁଝୁଛନ୍ତି ଯେ ଆମେ ଏହି ନାଟକରେ ଅଭିନୟ କରିବାକୁ ଆସିଛୁ । ବାକି ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ଜାଣି ନାହାଁନ୍ତି ।

ତୁମେ ପିଲାମାନେ ଜାଣିଛ ଆମ ଆତ୍ମାମାନଙ୍କର ରହିବାର ସ୍ଥାନ ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱରେ ଅଟେ । ସେଠାରେ ସୂର୍ଯ୍ୟ-ଚନ୍ଦ୍ରଙ୍କର ମଧ୍ୟ ଆଲୋକ ନ ଥାଏ । ପ୍ରାୟତଃ ସାଧାରଣ ଗରୀବ ପିଲାମାନେ ଏତକଥା ବୁଝିଥା’ନ୍ତି କାହିଁକିନା ଭାରତ ହିଁ ସବୁଠାରୁ ସାହୁକାର ଥିଲା, ଏବେ ଭାରତ ହିଁ ସବୁଠାରୁ ଗରୀବ ହୋଇଯାଇଛି । ସମସ୍ତ ଖେଳ ଭାରତ ଉପରେ ଆଧାରିତ । ଭାରତ ସଦୃଶ ପବିତ୍ର ଅନ୍ୟ କୌଣସି ଖଣ୍ଡ ନାହିଁ । ପବିତ୍ର ଦୁନିଆରେ ପବିତ୍ର ଖଣ୍ଡ ରହିଥାଏ, ଅନ୍ୟ କୌଣସି ଖଣ୍ଡ ସେଠାରେ ରହିବ ନାହିଁ । ବାବା ବୁଝାଉଛନ୍ତି ଏହି ସାରା ଦୁନିଆ ଏକ ବେହଦର ଦୀପପୁଞ୍ଜ ଅଟେ । ଯେପରି ଲଙ୍କା ଟାପୁ ରହିଛି । ଦେଖାନ୍ତି ଯେ ରାବଣ ଲଙ୍କାରେ ରହୁଥିଲା । ଏବେ ତୁମେ ବୁଝୁଛ ଯେ ରାବଣର ରାଜ୍ୟ ସାରା ବେହଦର ସୃଷ୍ଟିରୂପି ଲଙ୍କା ଉପରେ ରହିଛି । ଏହି ସାରା ସୃଷ୍ଟି ସମୁଦ୍ର ମଧ୍ୟରେ ଅବସ୍ଥିତ । ତେଣୁ ଏହା ଟାପୁ ଅଟେ । ଏହି ଟାପୁରେ ରାବଣର ରାଜ୍ୟ ଚାଲିଛି । ସବୁ ସୀତାମାନେ ରାବଣର ଜେଲ୍‌ରେ ଅଛନ୍ତି । ସେମାନେ ତ ହଦର କଥା ସବୁ ଲେଖିଛନ୍ତି । ଏ ସବୁ କଥା ବେହଦର ଅଟେ । ଏହା ବେହଦର ନାଟକ ଅଟେ, ବେହଦ ନାଟକରୁ ହିଁ ପୁଣି ଛୋଟ-ଛୋଟ ନାଟକ ଲେଖିଛନ୍ତି । ଏହି ସିନେମା ଆଦି ସବୁ ଏବେ ତିଆରି ହୋଇଛି, ତେଣୁ ବାବାଙ୍କୁ ମଧ୍ୟ ବୁଝାଇବାରେ ସହଜ ହେଉଛି । ବେହଦର ସାରା ଡ୍ରାମା ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି । ବ୍ରହ୍ମଲୋକ, ସୂକ୍ଷ୍ମଲୋକ ଆଉ କାହା ବୁଦ୍ଧିରେ ଆସିବ ନାହିଁ । ତୁମେମାନେ ଜାଣିଛ, ଆମେ ଆତ୍ମାମାନେ ବ୍ରହ୍ମଲୋକ ନିବାସୀ ଅଟୁ । ଦେବତାମାନେ ସୂକ୍ଷ୍ମଲୋକ ନିବାସୀ ଅଟନ୍ତି, ତାଙ୍କୁ ଫରିସ୍ତା ବୋଲି ମଧ୍ୟ କହୁଛନ୍ତି । ସେଠାରେ ହାଡ଼ ମାଂସର ଶରୀର ନଥାଏ । ଏହି ସୂକ୍ଷ୍ମଲୋକର ପାର୍ଟ ମଧ୍ୟ ଅଳ୍ପ ସମୟ ପାଇଁ ରହିଛି । ଏବେ ତୁମେମାନେ ବୁଦ୍ଧି ଦ୍ୱାରା ଯାତ୍ରା କରୁଛ ଭବିଷ୍ୟରେ ଏହି ଯାତ୍ରା ରହିବ ନାହିଁ । ତୁମେ ଆତ୍ମାମାନେ ଯେତେବେଳେ ବ୍ରହ୍ମଲୋକରୁ ଆସୁଛ ସେତେବେଳେ ଭାୟା ସୂକ୍ଷ୍ମଲୋକ ଦେଇ ଆସୁନାହଁ, ସିଧାସଳଖ ଆସୁଛ । କିନ୍ତୁ ଏବେ ଭାୟା ସୂକ୍ଷ୍ମଲୋକ ଦେଇ ଯାଉଛ । ଏବେ ସୂକ୍ଷ୍ମଲୋକର ପାର୍ଟ ଚାଲିଛି । ଏହି ସବୁ ରହସ୍ୟ ପିଲାମାନଙ୍କୁ ବୁଝାଉଛନ୍ତି । ବାବା ଜାଣିଛନ୍ତି ଯେ, ମୁଁ ଆତ୍ମାମାନଙ୍କୁ ବୁଝାଉଛି । ସାଧୁ - ସନ୍ଥ ଆଦି କେହି ମଧ୍ୟ ଏହି କଥାକୁ ଜାଣିନାହାଁନ୍ତି । ସେମାନେ କେବେହେଲେ ଏପରି କଥାବାର୍ତ୍ତା କରିପାରିବେ ନାହିଁ । ବାବା ହିଁ ପିଲାମାନଙ୍କ ସହିତ କଥା ହେଉଛନ୍ତି । କର୍ମେନ୍ଦ୍ରିୟ ବିନା ତ କଥାବାର୍ତ୍ତା ହୋଇପାରିବ ନାହିଁ । କହୁଛନ୍ତି ମୁଁ ଏହି ଶରୀରର ଆଧାର ନେଇ ତୁମ ପିଲାମାନଙ୍କୁ ପାଠ ପଢ଼ାଉଛି । ତେଣୁ ତୁମ ଆତ୍ମାମାନଙ୍କର ଦୃଷ୍ଟି ମଧ୍ୟ ବାବାଙ୍କ ଆଡ଼କୁ ଚାଲିଯାଉଛି । ଏସବୁ ହେଉଛି ନୂଆ କଥା । ନିରାକାର ବାବା, ତାଙ୍କର ନାମ ହେଉଛି ଶିବବାବା । ତୁମ ଆତ୍ମାମାନଙ୍କର କେବଳ ଗୋଟିଏ ନାମ ଆତ୍ମା ହିଁ ଅଟେ, ଶରୀରର ନାମ ବଦଳିଯାଉଛି । ମନୁଷ୍ୟମାନେ କହୁଛନ୍ତି ପରମାତ୍ମା ନାମ ରୂପରୁ ଅଲଗା ଅଟନ୍ତି, କିନ୍ତୁ ନାମ ତ ଶିବ ବୋଲି କହୁଛନ୍ତି ନା । ଶିବଙ୍କର ପୂଜା ମଧ୍ୟ କରୁଛନ୍ତି । ଗୋଟିଏ ପ୍ରକାରର ବୁଝିଥା’ନ୍ତି, ଅନ୍ୟ ପ୍ରକାରରେ କରିଥା’ନ୍ତି । ଏବେ ତୁମେ ବାବାଙ୍କର ନାମ ରୂପ ଦେଶ କାଳକୁ ମଧ୍ୟ ବୁଝିଗଲଣି । ତୁମେ ଜାଣିଛ ନାମ ରୂପ ବିନା କୌଣସି ଜିନିଷର ଅସ୍ତିତ୍ୱ ରହିପାରିବ ନାହିଁ । ଏହା ମଧ୍ୟ ବୁଝିବା ନିମନ୍ତେ ବହୁତ ସୂକ୍ଷ୍ମ କଥା ଅଟେ । ବାବା ବୁଝାଉଛନ୍ତି - ଗାୟନ ମଧ୍ୟ ଅଛି ସେକେଣ୍ଡରେ ଜୀବନମୁକ୍ତି ଅର୍ଥାତ୍ ମନୁଷ୍ୟ ନରରୁ ନାରାୟଣ ହୋଇପାରିବେ । ଯଦି ବାବା ସ୍ୱର୍ଗର ଈଶ୍ୱର ପିତା ଅଟନ୍ତି, ଆମେ ତାଙ୍କର ସନ୍ତାନ ହୋଇଛୁ ତେବେ ଆମେ ମଧ୍ୟ ସ୍ୱର୍ଗର ମାଲିକ ନା । କିନ୍ତୁ ଏକଥା ମଧ୍ୟ ସମସ୍ତେ ବୁଝିପାରୁ ନାହାଁନ୍ତି । ବାବା କହୁଛନ୍ତି - ପିଲାମାନେ ନରରୁ ନାରାୟଣ ହେଉଛନ୍ତି । ନରରୁ ନାରାୟଣ ହେବା ଏହା ହିଁ ତୁମର ଲକ୍ଷ୍ୟ ଅଟେ । ରାଜଯୋଗ ଅଟେ ନା । ଅନେକଙ୍କୁ ଚତୁର୍ଭୁଜର ସାକ୍ଷାତ୍‌କାର ହୋଇଥାଏ, ଏଥିରୁ ପ୍ରମାଣିତ ହେଉଛି ଯେ - ଆମେ ବିଷ୍ଣୁପୁରୀର ମାଲିକ ହେବୁ । ତୁମେମାନେ ଜାଣିଛ - ସ୍ୱର୍ଗରେ ମଧ୍ୟ ଲକ୍ଷ୍ମୀ-ନାରାୟଣଙ୍କ ସିଂହାସନ ପଛରେ ବିଷ୍ଣୁଙ୍କର ଚିତ୍ର ରଖିଥା’ନ୍ତି ଅର୍ଥାତ୍ ବିଷ୍ଣୁପୁରୀରେ ଏହାଙ୍କର ରାଜ୍ୟ ଥାଏ । ଏହି ଲକ୍ଷ୍ମୀ-ନାରାୟଣ ବିଷ୍ଣୁପୁରୀର ମାଲିକ ଅଟନ୍ତି । ତାହା କୃଷ୍ଣପୁରୀ, ଏହା ହେଉଛି କଂସପୁରୀ । ଡ୍ରାମା ଅନୁସାରେ ଏହିପରି ନାମ ମଧ୍ୟ ରଖାଯାଇଛି । ବାବା ବୁଝାଉଛନ୍ତି ମୋର ରୂପ ବହୁତ ସୂକ୍ଷ୍ମ ଅଟେ । କେହି ବି ବୁଝିପାରିବେ ନାହିଁ । କହୁଛନ୍ତି ଯେ, ଆତ୍ମା ଏକ ତାରକା ଅଟେ ପୁଣି ଲିଙ୍ଗ ରୂପ କରିଦେଉଛନ୍ତି, ନଚେତ୍ ପୂଜା କିପରି ହେବ । ରୁଦ୍ର ଯଜ୍ଞ ରଚନା କଲେ ଆଙ୍ଗୁଠି ସଦୃଶ ଶାଳଗ୍ରାମ ତିଆରି କରିଥା’ନ୍ତି । ଅନ୍ୟ ପଟେ ତାକୁ ଏକ ଅଜବ ତାରକା ବୋଲି କହୁଛନ୍ତି । ଆତ୍ମାକୁ ଦେଖିବାକୁ ବହୁତ ଚେଷ୍ଟା କରୁଛନ୍ତି କିନ୍ତୁ କେହି ମଧ୍ୟ ଦେଖିପାରୁ ନାହାଁନ୍ତି । ରାମକୃଷ୍ଣ ଓ ବିବେକାନନ୍ଦଙ୍କର ପ୍ରସଙ୍ଗ ମଧ୍ୟ କହିଥା’ନ୍ତି, ଯେ ବିବେକାନନ୍ଦ ଦେଖିଲେ ରାମକୃଷ୍ଣଙ୍କର ଆତ୍ମା ତାଙ୍କ ଶରୀରରୁ ବାହାରି ମୋ ଶରୀରରେ ପ୍ରବେଶ କଲା । ତାଙ୍କୁ କାହାର ସାକ୍ଷାତ୍‌କାର ହୋଇଥିବ? ଆତ୍ମା ଏବଂ ପରମାତ୍ମାଙ୍କର ରୂପ ତ ଏକ ହିଁ ଅଟେ । ବିନ୍ଦୁ ଦେଖିଲେ, କିଛି ହେଲେ ବୁଝିପାରିବେ ନାହିଁ । ଆତ୍ମାର ସାକ୍ଷାତ୍‌କାର ତ କେହି ଚାହୁଁ ନାହାଁନ୍ତି । ଇଚ୍ଛା କରୁଛନ୍ତି ଯେ ପରମାତ୍ମାଙ୍କର ସାକ୍ଷାତ୍‌କାର କରିବୁ । ସେ ବସିଥିଲେ ଯେ ଗୁରୁଙ୍କ ଦ୍ୱାରା ପରମାତ୍ମାଙ୍କର ସାକ୍ଷାତ୍‌କାର ହେଉ । ବାସ୍‌, କହିଦେଲେ ଜ୍ୟୋତି ଥିଲା ତାହା ମୋ ଶରୀରର ପ୍ରବେଶ କରିଗଲା । ଏହି କଥାରେ ହିଁ ବହୁତ ଖୁସି ହୋଇଗଲେ । ବୁଝିଗଲେ ଯେ, ଏହାହିଁ ପରମାତ୍ମାଙ୍କର ରୂପ ଅଟେ । ଗୁରୁଙ୍କଠାରେ ଭଗବାନଙ୍କର ଭାବନା ରହିଥାଏ, ଭଗବାନଙ୍କର ସାକ୍ଷାତ୍‌କାର କରିବା ପାଇଁ । କିଛି ହେଲେ ବୁଝିପାରୁ ନାହାଁନ୍ତି । ଭଲା ଭକ୍ତିମାର୍ଗରେ ବୁଝାଇବ କିଏ? ଏବେ ବାବା ବସି ବୁଝାଉଛନ୍ତି - ଯିଏ ଯେଉଁ ରୂପରେ ଯେପରି ଭାବନା ରଖିଥା’ନ୍ତି, ଯେଉଁ ଚେହେରାର ସ୍ମରଣ କରିଥା’ନ୍ତି, ସେହିପରି ସାକ୍ଷାତ୍‌କାର ହୋଇଥାଏ । ଯେପରି ଗଣେଶଙ୍କର ବହୁତ ପୂଜା କରିଥା’ନ୍ତି ତେଣୁ ତାଙ୍କର ଚୈତନ୍ୟ ରୂପର ସାକ୍ଷାତ୍କାର ହୋଇଯାଏ । ନଚେତ୍ ଭକ୍ତଙ୍କୁ ନିଶ୍ଚୟ କିପରି ହେବ? ତେଜୋମୟ ରୂପ ଦେଖି ଭାବନ୍ତି ଯେ ଆମେ ଭଗବାନଙ୍କର ସାକ୍ଷାତ୍‌କାର କଲୁ । ସେଥିରେ ହିଁ ଖୁସି ହୋଇଯାଆନ୍ତି । ଏସବୁ ହେଉଛି ଭକ୍ତି ମାର୍ଗ, ଆରୋହଣ କଳା । ପ୍ରଥମ ଜନ୍ମ ବହୁତ ଶ୍ରେଷ୍ଠ ହୋଇଥାଏ ପୁଣି କମ୍ ହୋଇ-ହୋଇ ଅନ୍ତିମ ସମୟ ଆସିଯାଏ । କିନ୍ତୁ ଏହି କଥାକୁ କେବଳ ପିଲାମାନେ ହିଁ ବୁଝୁଛନ୍ତି । ଯାହାଙ୍କୁ କଳ୍ପ ପୂର୍ବରୁ ଜ୍ଞାନ ବୁଝାଇଥିଲେ ତାଙ୍କୁ ହିଁ ବୁଝାଉଛନ୍ତି, କଳ୍ପ ପୂର୍ବରୁ ଆସିଥିବା ଆତ୍ମାମାନେ ହିଁ ଆସିବେ, ବାକି ଅନ୍ୟମାନଙ୍କର ତ ଧର୍ମ ହିଁ ଅଲଗା । ବାବା ବୁଝାଉଛନ୍ତି, ପ୍ରତ୍ୟେକ ଚିତ୍ରରେ ଭଗବାନୁବାଚ ଲେଖିଦିଅ । ବହୁତ ଯୁକ୍ତିରେ ବୁଝାଇବାକୁ ହେବ । ଭଗବାନୁବାଚ ରହିଛି ନା - ଯାଦବ, କୌରବ ଏବଂ ପାଣ୍ଡବ କ’ଣ କରୁଛନ୍ତି, ତା’ର ଏହି ଚିତ୍ର ଅଟେ । ସେମାନଙ୍କୁ ପଚାର - ତୁମେ କୁହ ନିଜର ପିତାଙ୍କୁ ଜାଣିଛ? ଜାଣି ନାହଁ ଅର୍ଥାତ୍‌ ଏହାର ବାବାଙ୍କ ସହିତ ପ୍ରୀତି ନାହିଁ ନା, ତେଣୁ ବିପରୀତ ବୁଦ୍ଧି ହେଲେ । ବାବାଙ୍କ ସହିତ ପ୍ରୀତି ନାହିଁ ତେବେ ଶ୍ରେଷ୍ଠ ପ୍ରାପ୍ତିରୁ ବଞ୍ଚିତ ହୋଇଯିବେ । ପ୍ରୀତି ବୁଦ୍ଧି ବିଜୟନ୍ତୀ, ସତ୍ୟମେବ ଜୟତେ ଏହାର ଅର୍ଥ ମଧ୍ୟ ଠିକ୍ ଅଛି । ଯଦି ବାବାଙ୍କର ସ୍ମୃତି ହିଁ ନାହିଁ ତେବେ ବିଜୟୀ ପାଇପାରିବ ନାହିଁ ।

ଏବେ ତୁମେମାନେ ସିଦ୍ଧି କରି କହୁଛ - ଗୀତା ଭଗବାନ ଶିବ ଶୁଣାଇଥିଲେ, ସେ ହିଁ ବ୍ରହ୍ମାଙ୍କ ଦ୍ୱାରା ରାଜଯୋଗ ଶିଖାଇଥିଲେ । ଏମାନେ ତ ଗୀତାକୁ କୃଷ୍ଣ ଭଗବାନଉବାଚ ଭାବି ପ୍ରତିଜ୍ଞା କରୁଛନ୍ତି । ତାଙ୍କୁ ପଚାରିବା ଦରକାର - ଶ୍ରୀକୃଷ୍ଣଙ୍କୁ ହାଜିର-ନାଜିର ଭାବିବା ଉଚିତ୍ ନା ଭଗବାନଙ୍କୁ । କହିଥା’ନ୍ତି ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତି ଭାବି ସତ୍ୟ କୁହ । କିନ୍ତୁ ଶ୍ରୀକୃଷ୍ଣଙ୍କ ନାମ ଲେଖିଦେଇଛନ୍ତି ତେଣୁ ସବୁ ଗଡବଡ ହୋଇଗଲା । ପ୍ରତିଜ୍ଞା ମଧ୍ୟ ମିଥ୍ୟା ହୋଇଗଲା ନା । ସେବାଧାରୀ ପିଲାମାନଙ୍କର ଗୁପ୍ତ ନିଶା ରହିଥାଏ । ଯଦି ନିଶାର ସହିତ ବୁଝାଇବେ ତେବେ ସଫଳତା ମିଳିବ । ତୁମର ଏହି ପାଠପଢ଼ା ବହୁତ ଗୁପ୍ତ, ଯିଏ ପଢ଼ାଉଛନ୍ତି ସେ ମଧ୍ୟ ଗୁପ୍ତ ଅଟନ୍ତି । ତୁମେମାନେ ଜାଣିଛ ଆମେ ନୂଆ ଦୁନିଆକୁ ଯାଇ ଏହିପରି ହେବୁ । ମହାଭାରତ ଲଢ଼େଇ ପରେ ନୂଆ ଦୁନିଆର ସ୍ଥାପନା ହେବ । ପିଲାମାନଙ୍କୁ ଏବେ ଜ୍ଞାନ ମିଳୁଛି । ସେମାନେ ମଧ୍ୟ କ୍ରମାନୁସାରେ ଧାରଣ କରୁଛନ୍ତି । ଯୋଗରେ ମଧ୍ୟ କ୍ରମାନୁସାରେ ରହୁଛନ୍ତି । ନିଜର ଯାଞ୍ଚ ମଧ୍ୟ କରିବା ଦରକାର - ଆମେ କେତେ ଯୋଗଯୁକ୍ତ ହୋଇ ରହୁଛୁ? ବାବା କହୁଛନ୍ତି - ତୁମର ବର୍ତ୍ତମାନର ଏହି ପୁରୁଷାର୍ଥ ଭବିଷ୍ୟତ ୨୧ ଜନ୍ମ ପାଇଁ ହୋଇଯିବ । ଏବେ ଫେଲ ହୋଇଗଲେ କଳ୍ପ-କଳ୍ପାନ୍ତର ଫେଲ୍ ହୋଇଯିବ, ଉଚ୍ଚପଦ ପାଇପାରିବ ନାହିଁ । ତେଣୁ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବା ଉଚିତ୍ । ଏପରି ଅନେକ ସେଣ୍ଟରକୁ ଆସୁଛନ୍ତି ଯେଉଁମାନେ ବିକାରର ବଶୀଭୁତ ବି ହେଉଛନ୍ତି ଏବଂ ସେଣ୍ଟରକୁ ମଧ୍ୟ ଆସୁଛନ୍ତି । ଭାବୁଛନ୍ତି ଇଶ୍ୱର ତ ସବୁ ଦେଖୁଛନ୍ତି, ଜାଣୁଛନ୍ତି । ବାବାଙ୍କର କ’ଣ ଦରକାର ଏସବୁ ବସି ଦେଖିବେ । ତୁମେମାନେ ମିଥ୍ୟା କହିବ, ବିକର୍ମ କରିବ ତେବେ ନିଜର ହିଁ କ୍ଷତି କରିବ । ଏକଥା ତ ତୁମେମାନେ ଜାଣିଛ, ମୁହଁ କଳା କଲେ ଉଚ୍ଚ ପଦ ପାଇପାରିବୁ ନାହିଁ । ତାହା ବାବା ଜାଣିଲେ ତେବେ ବି କଥା ଏକା ହେଲା ନା । ତାଙ୍କର ଜାଣିବାର କ’ଣ ଆବଶ୍ୟକ ଅଛି । ନିଜେ ବୁଝିବା ଦରକାର ଯେ, ମୁଁ ଏପରି କର୍ମ କଲେ ମୋର ଦୁର୍ଗତି ହେବ । ବାବା କ’ଣ ବତାଇବେ? ହଁ, ଡ୍ରାମାରେ ଅଛି ତ କହୁଛନ୍ତି ମଧ୍ୟ । ବାବାଙ୍କୁ ଲୁଚାଇବା ଅର୍ଥାତ୍ ନିଜର ସତ୍ୟାନାଶ କରିବା । ପବିତ୍ର ହେବା ପାଇଁ ବାବାଙ୍କୁ ୟାଦ କରିବାକୁ ପଡ଼ିବ । ତୁମର ଏହି ଚିନ୍ତା ରହିବା ଉଚିତ୍ ଯେ, ଆମେ ଭଲ ଭାବରେ ପାଠପଢ଼ି ଉଚ୍ଚପଦ ପାଇବୁ । କେହି ମରନ୍ତୁ ଅଥବା ବଞ୍ଚନ୍ତୁ, ତାଙ୍କ ଚିନ୍ତା କର ନାହିଁ । ଚିନ୍ତା ରଖିବାକୁ ହେବ ଯେ ବାବାଙ୍କଠାରୁ ପୁରା ବର୍ସା କିପରି ନେବୁ? ଅନ୍ୟମାନଙ୍କୁ ମଧ୍ୟ ସଂକ୍ଷେପରେ ବାବାଙ୍କ ଜ୍ଞାନ ସମ୍ବନ୍ଧରେ ବୁଝାଇବାକୁ ହେବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଗୁପ୍ତ ନିଶାରେ ରହି ସେବା କରିବାକୁ ହେବ । ଏଭଳି କୌଣସି କର୍ମ କରିବା ଉଚିତ୍ ନୁହେଁ ଯେଉଁ କର୍ମ ମନକୁ ଖାଉଥିବ । ନିଜକୁ ଯାଞ୍ଚ କରିବାକୁ ହେବ ଯେ ମୁଁ କେତେ ସମୟ ବାବାଙ୍କ ସ୍ମୃତିରେ ରହୁଛି?

(୨) ସର୍ବଦା ଏହି ଚିନ୍ତା ରହୁ ଯେ ମୋତେ ଭଲ ଭାବରେ ପାଠପଢ଼ି ଉଚ୍ଚପଦ ପାଇବାକୁ ହେବ । କୌଣସି ବିକର୍ମ କରି, ମିଛ କହି ନିଜର କ୍ଷତି କରିବାର ନାହିଁ ।

ବରଦାନ:-
ମନମନାଭବର ମହାମନ୍ତ୍ର ଦ୍ୱାରା ସର୍ବ ଦୁଃଖ ଅଶାନ୍ତି ଠାରୁ ଉର୍ଦ୍ଧ୍ୱରେ ରହୁଥିବା ସଦା ସୁଖ ସ୍ୱରୂପ ଭବ ।

ଯେତେବେଳେ ବି କୌଣସି ପ୍ରକାରର ଦୁଃଖ ଆସୁଛି ସେତେବେଳେ ମନ୍ତ୍ରକୁ ମନେ ପକାଅ ତେବେ ଦୁଃଖ ଦୂର ହୋଇଯିବ । ସ୍ୱପ୍ନ ମାତ୍ରରେ ମଧ୍ୟ ଟିକିଏ ବି ଦୁଃଖର ଅନୁଭବ ନ ହେଉ, ଶରୀର ରୋଗୀ ହୋଇଯାଉ, ଆର୍ଥିକ ଅବସ୍ଥା ହଲଚଲ୍ ହୋଇଯାଉ ବା କିଛି ବି ହୋଇଯାଉ କିନ୍ତୁ ଦୁଃଖର ଢେଉ ତୁମ ଭିତରକୁ ଆସିବା ଉଚିତ୍ ନୁହେଁ । ଯେପରି ସାଗରରେ ଲହଡି ଆସୁଛି ଏବଂ ଚାଲିଯାଉଛି କିନ୍ତୁ ଯେଉଁମାନଙ୍କୁ ସେହି ଲହଡି ସହିତ ଖେଳିବା ଜଣା ଅଛି ସେମାନେ ସେଥିରୁ ସୁଖର ଅନୁଭବ କରିଥାଆନ୍ତି, ଲହଡିକୁ ଡେଇଁ ଡେଉଁ ଏଭଳି ଅତିକ୍ରମ କରିଯାଆନ୍ତି ଯେପରି ଖେଳ ଖେଳୁଛନ୍ତି । ତେଣୁ ସାଗରଙ୍କର ପିଲାମାନେ ସୁଖ ସ୍ୱରୂପ ଅଟ, ଦୁଃଖର ଲହଡି ମଧ୍ୟ ନ ଆସୁ ।

ସ୍ଲୋଗାନ:-
ପ୍ରତ୍ୟେକ ସଂକଳ୍ପରେ ଦୃଢତାର ବିଶେଷତାକୁ ବାସ୍ତବିକ ରୂପରେ କାର୍ଯ୍ୟରେ ଲଗାଅ ତେବେ ପ୍ରତ୍ୟକ୍ଷତା ହୋଇଯିବ ।