11.11.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ନିଜ ଉପରେ ପୂରା ପୂରା ନଜର ରଖ, କୌଣସି ପ୍ରକାରର ଅମର୍ଯ୍ୟାଦା କର୍ମ କର ନାହିଁ, ଯଦି ଶ୍ରୀମତର ଉଲଘଂନ କରିବ ତେବେ ତଳକୁ ଖସିଯିବ ।”

ପ୍ରଶ୍ନ:-
ପଦ୍ମାପଦ୍ମପତି ହେବା ପାଇଁ କେଉଁ ସାବଧାନୀ ରଖିବା ଦରକାର?

ଉତ୍ତର:-
ସର୍ବଦା ଧ୍ୟାନ ରହୁ - ଯେପରି କର୍ମ ମୁଁ କରିବି ମୋତେ ଦେଖି ଅନ୍ୟମାନେ ମଧ୍ୟ କରିବାକୁ ଲାଗିବେ । ତୁମ ଭିତରେ କୌଣସି କଥାର ମିଥ୍ୟା ଅହଂକାର ନ ଆସୁ । ମୁରଲୀ କେବେ ବି ମିସ୍ ନ ହେଉ । ମନ-ବଚନ-କର୍ମରେ ନିଜକୁ ସଂଯତରେ ରଖ । ଏହି ଆଖି ତୁମକୁ ଧୋକା ନ ଦେଉ, ତେବେ ଯାଇ ପଦ୍ମର ରୋଜଗାର ଜମା କରିପାରିବ । ସେଥିପାଇଁ ଅନ୍ତର୍ମୁଖୀ ହୋଇ ବାବାଙ୍କୁ ମନେ ପକାଅ ଏବଂ ବିକର୍ମରୁ ଦୂରେଇ ରୁହ ।

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନଙ୍କୁ ବାବା ବୁଝାଇଛନ୍ତି, ଏଠାରେ ତୁମକୁ ଏହି ସଂକଳ୍ପରେ ନିଶ୍ଚିତ ବସିବାକୁ ହୋଇଥାଏ କି ଇଏ ବାବା ବି ଅଟନ୍ତି, ଶିକ୍ଷକ ଏବଂ ସତଗୁରୁ ମଧ୍ୟ ଅଟନ୍ତି । ଏ କଥା ମଧ୍ୟ ଅନୁଭବ କରୁଛ - ଆମେ ବାବାଙ୍କୁ ୟାଦ କରି-କରି ପବିତ୍ର ହୋଇ, ପବିତ୍ର ଧାମରେ ଯାଇ ପହଞ୍ଚିଯିବୁ । ବାବା ବୁଝାଇଛନ୍ତି ଯେ ପବିତ୍ରଧାମରୁ ହିଁ ତୁମେ ତଳକୁ ଓହ୍ଲାଉଛ । ତାର ନାମ ହିଁ ହେଉଛି ପବିତ୍ରଧାମ । ସତ୍ୱପ୍ରଧାନରୁ ପୁଣି ସତ୍ୱ, ରଜଃ, ତମଃ... ଏବେ ତୁମେ ଜାଣୁଛ ଯେ ଆମେ ତଳକୁ ଖସିଆସିଛୁ ଅର୍ଥାତ୍ ବେଶ୍ୟାଳୟରେ ଅଛୁ । ଯଦିଓ ତୁମେ ସଂଗମଯୁଗରେ ଅଛ, କିନ୍ତୁ ଜ୍ଞାନ ଦ୍ୱାରା ତୁମେ ଜାଣୁଛ ଯେ ଆମେ ବେଶ୍ୟାଳୟଠାରୁ ଦୂରେଇ ଆସି ସାରିଛୁ, ପୁଣି ଆମେ ଯଦି ଶିବବାବାଙ୍କ ୟାଦରେ ରହୁଛୁ, ତେବେ ଆମ ପାଇଁ ଶିବାଳୟ ବେଶୀ ଦୂର ନୁହେଁ । ଶିବବାବାଙ୍କୁ ୟାଦ ନ କଲେ ଶିବାଳୟ ବହୁତ ଦୂର ଅଟେ । ଦଣ୍ଡ ଭୋଗିବାକୁ ପଡିଲେ ଶିବାଳୟ ବହୁତ ଦୂର ହୋଇଯାଏ । ତେବେ ବାବା ପିଲାମାନଙ୍କୁ କିଛି ବେଶୀ କଷ୍ଟ ଦେଉନାହାଁନ୍ତି । କେବଳ ଗୋଟିଏ କଥା ବାରମ୍ବାର କହୁଛନ୍ତି ମନ୍‌ସା-ବାଚା-କର୍ମଣା ପବିତ୍ର ହେବାକୁ ପଡିବ । ଏହି ଆଖି ମଧ୍ୟ ବହୁତ ଧୋକା ଦେଉଛି, ଆଖିର ଧୋକାଠାରୁ ନିଜକୁ ବଞ୍ଚାଇ ଚାଲିବାକୁ ହେବ । ବାବା ବୁଝାଇଛନ୍ତି - ଧ୍ୟାନ ଏବଂ ଯୋଗ ବିଲ୍‌କୁଲ୍ ଅଲଗା ଅଟେ । ଯୋଗ ଅର୍ଥାତ୍ ୟାଦ । ଆଖି ଖୋଲା ଥାଇ ମଧ୍ୟ ତୁମେ ୟାଦ କରିପାରିବ । ଧ୍ୟାନକୁ କୌଣସି ଯୋଗ କୁହାଯିବ ନାହିଁ । ଭୋଗ ସ୍ୱୀକାର କରାଇବା ବେଳେ ମଧ୍ୟ ନିର୍ଦ୍ଦେଶ ଅନୁସାରେ ହିଁ ଯିବାକୁ ହେବ । ଏଥିରେ ମାୟାର ପ୍ରବେଶତା ବହୁତ ହୋଇଥାଏ । ମାୟା ଏପରି ଯେ ଏକଦମ୍ ନାକେଦମ୍ କରିଦେଉଛି । ଯେପରି ବାବା ବଳବାନ୍ ଅଟନ୍ତି, ସେହିପରି ମାୟା ମଧ୍ୟ ବହୁତ ବଡ ବଳବାନ୍ ଅଟେ । ଏତେ ବଳବାନ୍ ଯେ ସମଗ୍ର ଦୁନିଆକୁ ବେଶ୍ୟାଳୟକୁ ଠେଲି ଦେଇଛି, ସେଥିପାଇଁ ଏଥିରେ ବହୁତ ଖବରଦାରୀ ରଖିବାକୁ ହୋଇଥାଏ । ବାବାଙ୍କର ନିର୍ଦ୍ଦେଶ ଅନୁସାରେ ୟାଦ କରିବା ଦରକାର । ବେକାଇଦା କୌଣସି କାମ କଲେ ମାୟା ଏକଦମ୍ ଅଧଃଗତି କରାଇ ଦେଇଥାଏ । ଧ୍ୟାନ ଆଦିର କେବେ ବି ଇଚ୍ଛା ରଖିବା ଅନୁଚିତ୍ । ଇଚ୍ଛା ମାତ୍ରମ୍ ଅବିଦ୍ୟା... ଯଦି ବାବାଙ୍କ ଆଜ୍ଞାରେ ପରିଚାଳିତ ହେବ ତେବେ ବାବା ତୁମର ସବୁ ମନକାମନା ବିନା ମାଗିବାରେ ପୂର୍ଣ୍ଣ କରିଦେଇଥା’ନ୍ତି । ଯଦି ବାବାଙ୍କର ଆଜ୍ଞା ନ ମାନି ଓଲଟା ରାସ୍ତାରେ ଚାଲିଲ, ତେବେ ହୋଇପାରେ ସ୍ୱର୍ଗ ବଦଳରେ ନର୍କରେ ହିଁ ପଡିଯିବ । ଗାୟନ ମଧ୍ୟ ରହିଛି ହାତୀକୁ ଘଡିଆଳ କୁମ୍ଭୀର ଧରିଥିଲା । ଅନେକଙ୍କୁ ଜ୍ଞାନ ମାର୍ଗରେ ପରିଚାଳିତ କରାଇଥିବା ଆତ୍ମା, ଭୋଗ ସ୍ୱୀକାର କରାଉଥିବା ଆତ୍ମା ବି ଆଜି ନାହାଁନ୍ତି? କାହିଁକି ନା ବେକାଇଦା ଚଳଣି ଯୋଗୁଁ ପୂରା ମାୟାବୀ ହୋଇଯାଇଥା’ନ୍ତି । ଦେବତା ହେଉ-ହେଉ ଶଇତାନ୍ ହୋଇଯାଉଛନ୍ତି । ବାବା ଜାଣିଛନ୍ତି ବହୁତ ଭଲ ଭଲ ପୁରୁଷାର୍ଥୀ ଯିଏ ଦେବତା ହେବାର ପ୍ରୟାସ କରୁଥିଲେ ସେମାନେ ବର୍ତ୍ତମାନ ଅସୁର ହୋଇ ଅସୁରଙ୍କ ସାଥିରେ ରହୁଛନ୍ତି । ବିଶ୍ୱାସଘାତକ ହୋଇଯାଉଛନ୍ତି । ବାବାଙ୍କର ହୋଇ ପୁଣି ମାୟାର ହୋଇଯାଉଛନ୍ତି, ତାଙ୍କୁ ଟ୍ରେଟର ଅର୍ଥାତ୍ ବିଶ୍ୱାସଘାତକ କୁହାଯାଏ । ନିଜ ଉପରେ ନଜର ରଖିବାକୁ ପଡିଥାଏ । ଶ୍ରୀମତର ଉଲଘଂନ କଲେ ତଳକୁ ଖସିଯିବ । ଜଣା ମଧ୍ୟ ପଡିବ ନାହିଁ । ବାବା ତ ପିଲାମାନଙ୍କୁ ସାବଧାନ କରୁଛନ୍ତି ଯେ ଏପରି କୌଣସି ଚଳଣି ଚାଲ ନାହିଁ ଯାହା ଫଳରେ ରସାତଳରେ ପହଞ୍ଚିଯିବ ।

କାଲି ମଧ୍ୟ ବାବା ବୁଝାଇଥିଲେ - ବହୁତ ଗୋପ ଅର୍ଥାତ୍ ଭାଇମାନେ ଅଛନ୍ତି, ପରସ୍ପର ମଧ୍ୟରେ କମିଟି ଆଦି କରୁଛନ୍ତି, ଯାହା କିଛି କରୁଛନ୍ତି, ଶ୍ରୀମତ ଆଧାର ବିନା କରୁଛନ୍ତି ତେଣୁ ଡିସ୍ ସର୍ଭିସ୍ କରୁଛନ୍ତି । ବିନା ଶ୍ରୀମତରେ କଲେ ତଳକୁ ଖସିଯିବେ । ବାବା ଆରମ୍ଭରୁ ମାତାମାନଙ୍କର କମିଟି କରିଥିଲେ କାହିଁକି ନା କଳସ ମାତାମାନଙ୍କୁ ହିଁ ମିଳିଛି । ବନ୍ଦେ ମାତରମ୍‌ର ଗାୟନ ରହିଛି ନା । ଯଦି ଗୋପମାନେ କମିଟି କରୁଛନ୍ତି ତେବେ ବନ୍ଦେ ଗୋପର ତ ଗାୟନ ନାହିଁ । ଶ୍ରୀମତକୁ ମାନୁ ନ ଥିବାରୁ ମାୟା ଜାଲରେ ଫସି ଯାଉଛନ୍ତି । ବାବା ତ ମାତାମାନଙ୍କର କମିଟି କରି ତାଙ୍କ ଦାୟିତ୍ୱରେ ସବୁ କିଛି ଦେଇଦେଲେ । ପୁରୁଷମାନେ ପ୍ରାୟତଃ ଦେବାଳିଆ ହୋଇଥାନ୍ତି, ସ୍ତ୍ରୀମାନେ ହୁଅନ୍ତି ନାହିଁ । ତେଣୁ ବାବା ମଧ୍ୟ ମାତାମାନଙ୍କ ଉପରେ କଳସ ରଖୁଛନ୍ତି । ଏହି ଜ୍ଞାନ ମାର୍ଗରେ ମାତାମାନେ ମଧ୍ୟ ଦେବାଳିଆ ହୋଇପାରନ୍ତି । ଯେଉଁମାନେ ପଦମାପଦମ ଭାଗ୍ୟଶାଳୀ ହେବା କଥା, ଶ୍ରୀମତର ଅବଜ୍ଞା କଲେ ମାୟାଠାରୁ ହାର ଖାଇ ଦେବାଳିଆ ମଧ୍ୟ ହୋଇପାରିବେ ଅର୍ଥାତ୍ ଧୋକା ଖାଇପାରିବେ । ଏହି ମାର୍ଗରେ ସ୍ତ୍ରୀ-ପୁରୁଷ ଉଭୟ ଧୋକା ଖାଇ ପାରିବେ ଏବଂ ଖାଉଛନ୍ତି ମଧ୍ୟ । ଅନେକ ମାୟାଠାରୁ ହାରି ଚାଲିଗଲେ ଅର୍ଥାତ୍ ଦେବାଳିଆ ହୋଇଗଲେ ନା । ବାବା ବୁଝାଉଛନ୍ତି ଭାରତବାସୀମାନେ ତ ପୂରା ଦେବାଳିଆ ହୋଇଯାଇଛନ୍ତି । ମାୟା କେତେ ଶକ୍ତିଶାଳୀ ଅଟେ । ଯାହାକି ବୁଝିପାରୁ ନାହାଁନ୍ତି ଯେ ଆମେ କ’ଣ ଥିଲୁ, ଏବେ କେଉଁଠାରୁ ଆସି ଏକଦମ୍ ତଳେ ପଡିଛୁ । ଏଠାରେ ମଧ୍ୟ ଉଚ୍ଚକୁ ଚଢୁ-ଚଢୁ ପୁଣି ଶ୍ରୀମତକୁ ଭୁଲି ନିଜ ମତରେ ଚାଲୁଛନ୍ତି, ତେଣୁ ଦେବାଳିଆ ହୋଇଯାଇଛନ୍ତି । ଦୁନିଆର ଲୋକେ ତ ଦେବାଳିଆ ହୋଇ ପୁଣି ୫-୭ ବର୍ଷ ପରେ ନିଜ ଅବସ୍ଥାକୁ ସୁଧାରି ନେଇଥା’ନ୍ତି । ଏଠାରେ ତ ୮୪ ଜନ୍ମ ପାଇଁ ଦେବାଳିଆ ହେଉଛନ୍ତି । ସେମାନେ ଉଚ୍ଚ ପଦ ପାଇପାରିବେ ନାହିଁ । ଦେବାଳିଆ ହୋଇ ଚାଲିଛନ୍ତି । ବାବାଙ୍କ ପାଖରେ ଫଟୋ ଥିଲେ ବତାଇଥାନ୍ତେ । ତୁମେ କହିବ ବାବା ତ ବିଲ୍‌କୁଲ୍ ଠିକ୍ କହୁଛନ୍ତି । ଇଏ କେତେ ବଡ ମହାରଥୀ ଥିଲେ, ଅନେକଙ୍କର ଉନ୍ନତି କରୁଥିଲେ । ସେ ଆଜି ନାହାଁନ୍ତି । ଦେବାଳିଆ ହୋଇଯାଇଛନ୍ତି । ବାବା ବାରମ୍ବାର ପିଲାମାନଙ୍କୁ ସାବଧାନ କରାଉଛନ୍ତି । ନିଜ ମତରେ କମିଟି ଆଦି କରିବା ଏଥିରେ ଉନ୍ନତି ହୁଏ ନାହିଁ । ପରସ୍ପର ମଧ୍ୟରେ ମିଶି ପରଦର୍ଶନ ପରଚିନ୍ତନ କରିବା, ଇଏ ଏପରି କରୁଥିଲେ ଅମୁକ ଏପରି କରୁଥିଲା... ସାରା ଦିନ ଏହା ହିଁ କରି ଚାଲିଥା’ନ୍ତି । ବାବାଙ୍କ ସହିତ ବୁଦ୍ଧିଯୋଗ ଲଗାଇବା ଦ୍ୱାରା ହିଁ ସତ୍ୱପ୍ରଧାନ ହେବ । ବାବାଙ୍କର ହୋଇ ବାବାଙ୍କ ସହିତ ଯୋଗ ନ ଲାଗିଲେ ପ୍ରତି ମୂହୁର୍ତ୍ତରେ ତଳକୁ ଖସି ଚାଲିବ । ବାବାଙ୍କ ସହିତ ସମ୍ପର୍କ ହିଁ ତୁଟିଯିବ । ବାବାଙ୍କ ସହ ସମ୍ପର୍କ ତୁଟି ଗଲେ ବିଚଳିତ ହେବା ଅନୁଚିତ୍ । ନିଜକୁ ନିରୀକ୍ଷଣ କରିବା ଦରକାର ଯେ ମାୟା ଆମକୁ ଏତେ ହଇରାଣ କାହିଁକି କରୁଛି । ଚେଷ୍ଟା କରି ବାବାଙ୍କ ସହିତ ପୁନଃ ସମ୍ପର୍କ ଯୋଡିବା ଉଚିତ୍ । ନଚେତ୍ ବ୍ୟାଟେରୀ କିପରି ଚାର୍ଜ ହେବ । ବିକର୍ମ ହେଲେ ବ୍ୟାଟେରୀ ଡିସ୍‌ଚାର୍ଜ ହୋଇଯାଏ । ଆରମ୍ଭରୁ କେତେ କେତେ ସଂଖ୍ୟାରେ ଆତ୍ମାମାନେ ଆସି ବାବାଙ୍କର ସନ୍ତାନ ହେଲେ । ଭଟ୍ଟୀରେ ମଧ୍ୟ ରହିଲେ ପୁଣି ଆଜି କେଉଁଠି ଅଛନ୍ତି । ଚାଲି ଗଲେ, କାହିଁକି ନା ପୁରୁଣା ଦୁନିଆ ମନେ ପଡିଲା । ଏବେ ବାବା କହୁଛନ୍ତି, ମୁଁ ତୁମକୁ ବେହଦର ବୈରାଗୀ କରାଉଛି, ଏହି ପୁରୁଣା ଦୁନିଆରେ ମନ ଲଗାଅ ନାହିଁ । ମନ ସ୍ୱର୍ଗରେ ଲଗାଇବା ଦରକାର । ଯଦି ଏପରି ଲକ୍ଷ୍ମୀ-ନାରାୟଣ ହେବାର ଅଛି ତେବେ ପରିଶ୍ରମ କରିବାକୁ ପଡିବ । ବୁଦ୍ଧିଯୋଗ ଏକମାତ୍ର ବାବାଙ୍କ ସହିତ ରହିବା ଉଚିତ୍ । ପୁରୁଣା ଦୁନିଆରୁ ବୈରାଗ୍ୟ । ସୁଖଧାମ ଓ ଶାନ୍ତିଧାମକୁ ୟାଦ କର । ଯେତେ ଦୂର ସମ୍ଭବ ଉଠିବା, ବସିବା, ଚାଲିବା, ବୁଲିବା ସମୟରେ ବାବାଙ୍କୁ ୟାଦ କର । ଏହା ତ ବିଲ୍‌କୁଲ୍ ହିଁ ସହଜ ଅଟେ । ତୁମେ ଏଠାକୁ ନରରୁ ନାରାୟଣ ହେବା ପାଇଁ ଆସିଛ । ସମସ୍ତଙ୍କୁ କହିବାକୁ ହେବ ଯେ ଏବେ ତମଃପ୍ରଧାନରୁ ସତ୍ୱପ୍ରଧାନ ହେବାକୁ ପଡିବ, କାହିଁକି ନା ଘରକୁ ଫେରିବାର ଅଛି । ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ଅର୍ଥ ନର୍କରୁ ସ୍ୱର୍ଗ, ପୁଣି ସ୍ୱର୍ଗରୁ ନର୍କ । ଏହିପରି ଚକ୍ର ଘୂରି ଚାଲିଛି ।

ବାବା କହିଛନ୍ତି ଏଠାରେ ସ୍ୱଦର୍ଶନ ଚକ୍ରଧାରୀ ହୋଇ ବସ । ଏହି ୟାଦରେ ରୁହ ଯେ ଆମେ କେତେ ଥର ଏହି ଚକ୍ର ଲଗାଇଛୁ । ଏବେ ପୁଣି ଆମେ ଦେବତା ହେବାକୁ ଯାଉଛୁ । ଦୁନିଆରେ କେହି ହେଲେ ବି ଏହି ରହସ୍ୟକୁ ଜାଣି ନାହାଁନ୍ତି । ଏହି ଜ୍ଞାନ ଦେବତାମାନଙ୍କୁ ଜଣା ନାହିଁ । ସେମାନେ ତ ପବିତ୍ର ଅଟନ୍ତି । ତାଙ୍କ ପାଖରେ ଜ୍ଞାନ ହିଁ ନାହିଁ ତେଣୁ କିପରି କାହାକୁ ଶୁଣାଇବେ ଅର୍ଥାତ୍ ଶଙ୍ଖ ଧ୍ୱନି କରିବେ । ସେମାନେ ପବିତ୍ର ହୋଇଥିବାରୁ ତାଙ୍କୁ ଏହି ଚିହ୍ନ (ଶଙ୍ଖ) ଆଦି ଦେବାର ଆବଶ୍ୟକତା ନାହିଁ । ଚିହ୍ନ ସେତେବେଳେ ଦିଆଯାଏ ଯେତେବେଳେ ଉଭୟ ଏକତ୍ର ରହିଥା’ନ୍ତି । ତୁମର ମଧ୍ୟ କୌଣସି ଚିହ୍ନ ନାହିଁ, କାହିଁକି ନା ତୁମେ ଆଜି ଦେବତା ହେଉ-ହେଉ କାଲି ଅସୁର ହୋଇଯାଉଛ । ବାବା ଦେବତା କରାଉଛନ୍ତି, ମାୟା ଅସୁର କରି ଦେଉଛି । ବାବା ଯେତେବେଳେ ବୁଝାଉଛନ୍ତି ସେତେବେଳେ ଜଣାପଡୁଛି ଯେ ସତରେ ଆମର ଅବସ୍ଥା କେତେ ତଳକୁ ଖସିଯାଇଛି । କେତେକ ବିଚରା ଶିବବାବାଙ୍କର ଭଣ୍ଡାରରେ ଜମା କରାଉଛନ୍ତି, ପୁଣି ମାଗି କରି ନେଇଯାଇ ଅସୁର ହୋଇଯାଉଛନ୍ତି । ଏଥିରେ ଯୋଗର ହିଁ ଅଭାବ ରହିଛି ବୋଲି କୁହାଯିବ । ଯୋଗ ଦ୍ୱାରା ହିଁ ପବିତ୍ର ହେବାକୁ ପଡିବ । ଡାକୁଛ ମଧ୍ୟ ବାବା ଆସ, ଆମକୁ ପତିତରୁ ପବିତ୍ର କର, ଯାହା ଦ୍ୱାରା ଆମେ ସ୍ୱର୍ଗକୁ ଯାଇପାରିବୁ । ୟାଦର ଯାତ୍ରା ହିଁ ହେଉଛି ପବିତ୍ର ହୋଇ ଉଚ୍ଚ ପଦ ପାଇବା ପାଇଁ । କିନ୍ତୁ କେହି ଚାଲୁ ଚାଲୁ ମରିଯାଉଛନ୍ତି ଅର୍ଥାତ୍ ପୁରୁଣା ଦୁନିଆକୁ ଚାଲିଯାଉଛନ୍ତି ତଥାପି ବି କିଛି ମଧ୍ୟ ଶୁଣିଥିବାରୁ ଶିବାଳୟକୁ ନିଶ୍ଚୟ ଆସିବେ । ପଦ ଯେପରି ବି ପାଆନ୍ତୁ ପଛେ, ଥରେ ୟାଦ କଲେ ତ ସ୍ୱର୍ଗକୁ ନିଶ୍ଚୟ ଆସିବେ । ବାକି ଉଚ୍ଚ ପଦ ପାଇପାରିବେ ନାହିଁ । ସ୍ୱର୍ଗର ନାମ ଶୁଣି ଖୁସି ହେବା ଦରକାର । ଫେଲ୍ ହୋଇ ପାଇ ପଇସାର ପଦ ପାଇବା, ଏଥିରେ ଖୁସି ହେବାର ନାହିଁ । ଅନୁଭବ ତ ହୋଇଥାଏ ନା - ମୁଁ ଚାକର ଅଟେ । ଶେଷ ବେଳକୁ ତୁମକୁ ସବୁ ସାକ୍ଷାତ୍‌କାର ହେବ କି ମୁଁ କ’ଣ ହେବି, ମୋ ଦ୍ୱାରା କେଉଁ ବିକର୍ମ ହୋଇଛି, ଯାହା ଫଳରେ ଏପରି ଅବସ୍ଥା ହେଲା । ମୁଁ କାହିଁକି ମହାରାଣୀ ନ ହେବି । ପ୍ରତ୍ୟେକ ପାଦରେ ସାବଧାନ ହୋଇ ଚାଲିଲେ ତୁମେ ପଦ୍‌ମାପଦମପତି ହୋଇପାରିବ । ମନ୍ଦିରରେ ଦେବତାମାନଙ୍କୁ ପଦ୍ମ ଚିହ୍ନ ଦେଖାଇଥାନ୍ତି । ପଦରେ ଫରକ ହୋଇଥାଏ ନା । ଆଜିର ଦୁନିଆରେ ରାଜତ୍ୱର କେତେ ପ୍ରଭାବ ରହିଛି । ଏହା ତ ଅଳ୍ପକାଳର ରାଜତ୍ୱ ଅଟେ ନା । ସଦାକାଳର ରାଜା ତ ହୋଇ ପାରିବେ ନାହିଁ । ତେଣୁ ଏବେ ବାବା କହୁଛନ୍ତି - ତୁମକୁ ଯଦି ଲକ୍ଷ୍ମୀ-ନାରାୟଣ ହେବାକୁ ଅଛି ତେବେ ପୁରୁଷାର୍ଥ ମଧ୍ୟ ସେହିପରି କରିବା ଦରକାର । ନିଜକୁ ଦେଖ, ଆମେ ଅନ୍ୟମାନଙ୍କର କେତେ କଲ୍ୟାଣ କରୁଛୁ? ଅନ୍ତର୍ମୂଖୀ ହୋଇ କେତେ ସମୟ ବାବାଙ୍କ ୟାଦରେ ରହୁଛୁ? ଏବେ ଆମେ ନିଜର ମିଠା ଘର ଶାନ୍ତିଧାମକୁ ଯାଉଛୁ । ପୁଣି ସୁଖଧାମକୁ ଆସିବୁ । ଏହି ସବୁ ଜ୍ଞାନର ମନ୍ଥନ ମନ ଭିତରେ ଚାଲିବା ଦରକାର । ବାବାଙ୍କ ପାଖରେ ଜ୍ଞାନ ଏବଂ ଯୋଗ ଉଭୟ ରହିଛି । ତୁମ ପାଖରେ ମଧ୍ୟ ଉଭୟ ରହିବା ଉଚିତ୍ । ତୁମେ ଜାଣିଛ ଆମକୁ ଶିବବାବା ପଢାଉଛନ୍ତି, ତେଣୁ ଏହା ଜ୍ଞାନ ବି ହେଲା, ସମ୍ମୁଖରେ ଥିବାରୁ ଯୋଗ ମଧ୍ୟ ହେଲା । ଜ୍ଞାନ ଏବଂ ଯୋଗ ଉଭୟ ଏକତ୍ର ଚାଲିଥାଏ । ଏପରି ନୁହେଁ କି ଯୋଗରେ ରହି, ବାବାଙ୍କୁ ୟାଦ କରୁଥିବ ଏବଂ ଜ୍ଞାନକୁ ଭୁଲିଯାଉଥିବ । ବାବା ଯୋଗ ଶିଖାଉଛନ୍ତି ବୋଲି କ’ଣ ଜ୍ଞାନ ଭୁଲି ଯାଉଛନ୍ତି? ସାରା ଜ୍ଞାନ ତାଙ୍କ ପାଖରେ ରହିଥାଏ । ତୁମମାନଙ୍କ ପାଖରେ ମଧ୍ୟ ଜ୍ଞାନ ରହିବା ଉଚିତ୍ । ପାଠ ମଧ୍ୟ ପଢିବା ଦରକାର । ଯେପରି କର୍ମ ମୁଁ କରିବି ମୋତେ ଦେଖି ଅନ୍ୟମାନେ ମଧ୍ୟ କରିବେ । ମୁଁ ମୁରଲୀ ନ ପଢିଲେ ଅନ୍ୟମାନେ ମଧ୍ୟ ପଢିବେ ନାହିଁ । ମିଥ୍ୟା ଅଂହକାର ଆସିଗଲେ ମାୟା ତୁରନ୍ତ ଆକ୍ରମଣ କରି ଦେଇଥାଏ । ପ୍ରତ୍ୟେକ ପାଦରେ ବାବାଙ୍କଠାରୁ ଶ୍ରୀମତ ନେବା ଉଚିତ୍ । ନଚେତ୍ କିଛି ନା କିଛି ବିକର୍ମ ହୋଇଯିବ । ବହୁତ ସନ୍ତାନ ଭୁଲ୍ କରି, ବାବାଙ୍କୁ ନ ବତାଉ ଥିବାରୁ ନିଜର ହିଁ ସତ୍ୟାନାଶ କରିଦେଉଛନ୍ତି । ଭୁଲ୍ ହେଲେ ମାୟା ଚାପୁଡା ଲଗାଇ ଦେଇଥାଏ । ୱର୍ଥ ନଟ୍ ଏ ପେନୀ ଅର୍ଥାତ୍ ମୂଲ୍ୟହୀନ କରିଦେଇଥାଏ । ଅଂହକାର ଆସିଲେ ମାୟା ବହୁତ ବିକର୍ମ କରାଇଥାଏ । ବାବା ଏପରି କହି ନାହାଁନ୍ତି ଯେ, ପୁରୁଷମାନଙ୍କର କୌଣସି କମିଟି ଗଢ । କମିଟିରେ ଜଣେ ଦୁଇଜଣ ଜାଣିବା ଶୁଣିବା ବୁଦ୍ଧିମାନ ଭଉଣୀ ନିଶ୍ଚୟ ରହିବା ଦରକାର । ଯାହାଙ୍କର ରାୟରେ କାମ ହେବ । କଳସ ତ ଲକ୍ଷ୍ମୀଙ୍କ ହାତରେ ରଖାଯାଥାଏ ନା । ଗାୟନ ମଧ୍ୟ ଅଛି, ଅସୁରମାନଙ୍କୁ ଅମୃତ ପିଆଉ ଥିଲେ, ପୁଣି ବି ସେମାନେ ଯଜ୍ଞରେ ବିଘ୍ନ ପକାଉଥିଲେ । ଅନେକ ପ୍ରକାରର ବିଘ୍ନକାରୀ ଅଛନ୍ତି । ସାରା ଦିନ ପରଦର୍ଶନ, ପରଚିନ୍ତନର ଆଲୋଚନା କରିଚାଲିଥା’ନ୍ତି । ଏହା ବହୁତ ଖରାପ ଅଟେ । କୌଣସି କଥା ହେଲେ ବାବାଙ୍କୁ ରିପୋର୍ଟ କରିବା ଉଚିତ୍ । ସୁଧାରିବାବାଲା ତ କେବଳ ବାବା ହିଁ ଅଟନ୍ତି । ତୁମେ କାହାରିକୁ ଦଣ୍ଡ ଦେଇପାରିବ ନାହିଁ । ତୁମେ ବାବାଙ୍କ ୟାଦରେ ରୁହ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେଇଚାଲ, ତେବେ ଏହିପରି ଦେବତା ହୋଇପାରିବ । ମାୟା ବହୁତ କଠୋର ଅଟେ । କାହାକୁ ଛାଡେ ନାହିଁ । ସର୍ବଦା ବାବାଙ୍କୁ ସମାଚାର ଲେଖିବା ଦରକାର । ନିର୍ଦ୍ଦେଶ ନେବା ଉଚିତ୍ । ଏମିତି ତ ସର୍ବଦା ନିର୍ଦ୍ଦେଶ ମିଳି ଚାଲିଛି । ପିଲାମାନେ ତ ଏପରି ଭାବୁଛନ୍ତି ଯେ ବାବା ତ ସ୍ୱତଃ ଏହି କଥା ଉପରେ ବୁଝାଇ ଦେଲେ, ବାବା ତ ଅନ୍ତର୍ଯ୍ୟାମୀ ଅଟନ୍ତି । ବାବା କହୁଛନ୍ତି ନା, ମୁଁ ତ ଜ୍ଞାନ ପଢାଉଛି । ଏଥିରେ ଅର୍ନ୍ତଯ୍ୟାମୀର କୌଣସି କଥା ହିଁ ନାହିଁ । ହଁ, ଏକଥା ଜାଣିଛି ଯେ ଏମାନେ ସମସ୍ତେ ମୋର ସନ୍ତାନ । ପ୍ରତ୍ୟେକଙ୍କ ଶରୀର ଭିତରେ ମୋର ଆତ୍ମା ରୂପୀ ସନ୍ତାନ ରହିଛି । ବାକି ଏପରି ନୁହେଁ ଯେ ବାବା ସମସ୍ତଙ୍କ ଭିତରେ ବିରାଜମାନ ଅଛନ୍ତି । ଲୋକମାନେ ତ ଓଲଟା ବୁଝୁଛନ୍ତି । ବାବା କହୁଛନ୍ତି ମୁଁ ଜାଣିଛି କି ସବୁ ତଖତ ଅର୍ଥାତ୍ ଭ୍ରୁକୁଟୀ ସିଂହାସନରେ ଆତ୍ମା ବିରାଜମାନ ରହିଛି । ଏହା ତ କେତେ ସହଜ କଥା । ସମସ୍ତ ଚୈତନ୍ୟ ଆତ୍ମାମାନେ ନିଜ-ନିଜର ଭ୍ରୃକୁଟୀ ସିଂହାସନରେ ବସିଛନ୍ତି ତଥାପି ବି ପରମାତ୍ମାଙ୍କୁ ସର୍ବବ୍ୟାପୀ କହିଦେଉଛନ୍ତି, ଏହା ହେଉଛି ମୂଳ ଭୁଲ୍ । ଏହି କାରଣରୁ ହିଁ ଭାରତ ଏତେ ତଳକୁ ଖସିଯାଇଛି । ବାବା କହୁଛନ୍ତି ତୁମେମାନେ ମୋର ବହୁତ ଗ୍ଲାନି କରିଛ । ତୁମକୁ ବିଶ୍ୱର ଯିଏ ମାଲିକ କରାଉଛନ୍ତି ତୁମେ ତାଙ୍କୁ ଗାଳି ଦେଇଛ, ସେଥିପାଇଁ ବାବା କହୁଛନ୍ତି, ୟଦା ୟଦା ହି ଧର୍ମସ୍ୟ.... । ବାହାରର ଲୋକେ ଏହି ସର୍ବବ୍ୟାପୀର ଜ୍ଞାନ ଭାରତବାସୀଙ୍କଠାରୁ ଶିଖିଥା’ନ୍ତି । ଯେପରି ଭାରତବାସୀ ତାଙ୍କଠାରୁ ହୁନର ଅର୍ଥାତ୍ କାରୀଗରୀ କୌଶଳ ଶିଖୁଛନ୍ତି ସେମାନେ ପୁଣି ଓଲଟା ଏହି ସର୍ବବ୍ୟାପୀର ଜ୍ଞାନ ଶିଖୁଛନ୍ତି । ତୁମକୁ ତ ଏକମାତ୍ର ବାବାଙ୍କୁ ୟାଦ କରିବାକୁ ହେବ ଏବଂ ବାବାଙ୍କର ପରିଚୟ ମଧ୍ୟ ସମସ୍ତଙ୍କୁ ଦେବାକୁ ହେବ । ତୁମେ ହେଉଛ ଅନ୍ଧମାନଙ୍କର ବାଡି । ବାଡି ଦ୍ୱାରା ରାସ୍ତା ବତାଇଥାନ୍ତି ନା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କର ଆଜ୍ଞା ଅନୁସାରେ ପ୍ରତ୍ୟେକ କାର୍ଯ୍ୟ କରିବାକୁ ହେବ । ଯଦି ତୁମ ଦ୍ୱାରା କେବେ ବି ଶ୍ରୀମତର ଉଲଘଂନ ନ ହେଉ ତେବେ ଯାଇ ସର୍ବ ମନକାମନା ମାଗିବା ପୂର୍ବରୁ ପୂର୍ଣ୍ଣ ହେବ । କେବେ ବି ଧ୍ୟାନରେ ଯିବା ବା ସାକ୍ଷାତ୍‌କାର କରିବାର ଇଚ୍ଛା ରଖିବାର ନାହିଁ, ଇଚ୍ଛା ମାତ୍ରମ୍ ଅବିଦ୍ୟା ହେବାର ଅଛି ।

(୨) ପରସ୍ପର ମିଶି କାହାର ପରଚିନ୍ତନ କରିବାର ନାହିଁ । ଅନ୍ତର୍ମୁଖୀ ହୋଇ ନିଜକୁ ଯାଞ୍ଚ କରିବାକୁ ହେବ ଯେ ମୁଁ ବାବାଙ୍କ ସ୍ମୃତିରେ କେତେ ସମୟ ରହୁଛି, ମୋ ଭିତରେ ଜ୍ଞାନର ଚିନ୍ତନ ମନ୍ଥନ ଚାଲୁଛି?

ବରଦାନ:-
ସମସ୍ତଙ୍କ ସହିତ ସମ୍ବନ୍ଧ-ସମ୍ପର୍କରେ ଆସିବା ସମୟରେ ସମସ୍ତଙ୍କୁ କିଛି ନା କିଛି ଦାନ କରୁଥିବା ମହାଦାନୀ, ବରଦାନୀ ହୁଅ ।

ସାରା ଦିନ ଭିତରେ ଯିଏ ବି ତୁମ ସହିତ ସମ୍ବନ୍ଧ-ସମ୍ପର୍କରେ ଆସୁଛି ତାକୁ କୌଣସି ନା କୌଣସି ଶକ୍ତିର, ଜ୍ଞାନର, ଗୁଣର ଦାନ ଦିଅ । ତୁମ ନିକଟରେ ଜ୍ଞାନର ସମ୍ପତ୍ତି ମଧ୍ୟ ଅଛି ଏବଂ ସର୍ବଶକ୍ତିର ତଥା ସର୍ବଗୁଣର ସମ୍ପତ୍ତି ମଧ୍ୟ ଅଛି । ତେଣୁ କୌଣସି ବି ଦିନ, ବିନା ଦାନ କରିବାରେ ବିତି ନ ଯାଉ, ତେବେ କୁହାଯିବ ମହାଦାନୀ (୨) ଦାନ ଶବ୍ଦର ଆଧ୍ୟାତ୍ମିକ ଅର୍ଥ ହେଲା ସହଯୋଗ ଦେବା । ତେଣୁ ନିଜର ଶ୍ରେଷ୍ଠ ସ୍ଥିତିର ବାୟୁମଣ୍ଡଳ ଦ୍ୱାରା ଏବଂ ନିଜର ମନୋବୃତ୍ତିର ପ୍ରକମ୍ପନ ଦ୍ୱାରା ପ୍ରତି ଆତ୍ମାକୁ ସହଯୋଗ ଦିଅ ତେବେ କୁହାଯିବ ବରଦାନୀ ।

ସ୍ଲୋଗାନ:-
ଯେଉଁମାନେ ବାପଦାଦାଙ୍କର ଏବଂ ପରିବାରର ପାଖାପାଖି ରହିଛନ୍ତି, ସେମାନଙ୍କ ଚେହେରାରେ ସନ୍ତୁଷ୍ଟତା, ପ୍ରସନ୍ନତା ଏବଂ ଆତ୍ମିକ ସ୍ଥିତିର ସ୍ମିତହାସ୍ୟ ରହିଥାଏ ।