12.01.25    Avyakt Bapdada     Odia Murli    15.11.2003     Om Shanti     Madhuban


“ମନକୁ ଏକାଗ୍ର କରି ଏକାଗ୍ରତାର ଶକ୍ତି ଦ୍ୱାରା ଫରିସ୍ତା ସ୍ଥିତିର ଅନୁଭବ କର ”


ଆଜି ସର୍ବ ସମ୍ପତ୍ତିର ମାଲିକ ନିଜର ଚାରିଆଡର ସମ୍ପନ୍ନ ପିଲାମାନଙ୍କୁ ଦେଖୁଛନ୍ତି ଏବଂ ପ୍ରତ୍ୟେକ ସନ୍ତାନକୁ ନିଜର ସର୍ବ ସମ୍ପତ୍ତିର ମାଲିକ କରିଛନ୍ତି । ଏମାନଙ୍କୁ ଏଭଳି ସମ୍ପତ୍ତି ମିଳିଛି ଯାହାକି ଅନ୍ୟ କେହି କାହାକୁ ଦେଇପାରିବ ନାହିଁ । ତେଣୁ ତୁମେ ସମସ୍ତେ ନିଜକୁ ସମ୍ପତ୍ତି ଗୁଡିକରେ ସମ୍ପନ୍ନ ବା ଭରପୂର ଅନୁଭବ କରୁଛ ତ? ତେବେ ସବୁଠାରୁ ଶ୍ରେଷ୍ଠ ସମ୍ପତ୍ତି ଗୁଡିକ ହେଲା ଜ୍ଞାନର ସମ୍ପତ୍ତି, ସର୍ବଶକ୍ତିର ସମ୍ପତ୍ତି, ସର୍ବଗୁଣର ସମ୍ପତ୍ତି, ଏହା ସହିତ ବାବା ତଥା ସର୍ବ ବ୍ରାହ୍ମଣ ଆତ୍ମାମାନଙ୍କର ଆଶୀର୍ବାଦର ସମ୍ପତ୍ତି । ତେଣୁ ଚେକ୍ କର ଯେ ଏହି ସବୁ ସମ୍ପତ୍ତିଗୁଡିକ ମୋତେ ପ୍ରାପ୍ତ ହୋଇଛି ତ? ଏବଂ ସର୍ବ ସମ୍ପତ୍ତିରେ ଯେଉଁ ଆତ୍ମାମାନେ ସମ୍ପନ୍ନ ହୋଇଥିବେ ସେମାନଙ୍କର ଲକ୍ଷଣ ହେଲା ସର୍ବଦା ନୟନ ଦ୍ୱାରା, ଚେହେରା ଦ୍ୱାରା, ଚାଲି-ଚଳନ ଦ୍ୱାରା ଅନ୍ୟମାନଙ୍କୁ ଖୁସିର ଅନୁଭବ ହେବ । ଯେଉଁ ଆତ୍ମାମାନେ ସେମାନଙ୍କର ସମ୍ପର୍କରେ ଆସିବେ ସେମାନେ ଅନୁଭବ କରିବେ ଯେ ଏହି ଆତ୍ମା ଅଲୌକିକ ଖୁସିରେ ଭରପୁର ଏକ ସ୍ୱତନ୍ତ୍ର ଅଲୌକିକ ଆତ୍ମା ଦେଖାଯାଉଛନ୍ତି । ତୁମମାନଙ୍କର ଖୁସିକୁ ଦେଖି ଅନ୍ୟ ଆତ୍ମାମାନେ ମଧ୍ୟ ଅଳ୍ପ ସମୟ ପାଇଁ ଖୁସିର ଅନୁଭବ କରିବେ । ଯେପରି ତୁମେ ବ୍ରାହ୍ମଣ ଆତ୍ମାମାନଙ୍କର ଶ୍ୱେତ ବସ୍ତ୍ର ସମସ୍ତଙ୍କୁ କେତେ ନ୍ୟାରା ଏବଂ ପ୍ୟାରା ଲାଗୁଛି । ସେମାନଙ୍କୁ ତୁମ ଭିତରେ ସ୍ୱଚ୍ଛତା, ସରଳତା ଏବଂ ପବିତ୍ରତାର ଅନୁଭବ ହେଉଛି । ଦୂରରୁ ହିଁ ଜାଣିଯାଉଛନ୍ତି ଯେ ଏମାନେ ବ୍ରହ୍ମାକୁମାର ବା ବ୍ରହ୍ମାକୁମାରୀ ଅଟନ୍ତି । ସେହିପରି ତୁମ ବ୍ରାହ୍ମଣ ଆତ୍ମାମାନଙ୍କର ଚାଲିଚଳନ ଏବଂ ଚେହେରା ଦ୍ୱାରା ସର୍ବଦା ଖୁସିର ଝଲକ ତଥା ସୌଭାଗ୍ୟର ଫଲକ ଅର୍ଥାତ୍ ନିଶା ଦେଖାଯାଉ । ଆଜି ସର୍ବ ଆତ୍ମାମାନେ ମହାନ ଦୁଃଖୀ ହୋଇଯାଇଛନ୍ତି, ଏହିଭଳି ଆତ୍ମମାନେ ତୁମମାନଙ୍କର ଖୁସିବାସିଆ ଚେହେରାକୁ ଦେଖି, ଚାଲିଚଳନକୁ ଦେଖି କ୍ଷଣିକ ପାଇଁ ହେଉ ପଛକେ ଖୁସିର ଅନୁଭୂତି କରନ୍ତୁ, ଯେପରି ତୃଷାର୍ତ୍ତ ଆତ୍ମାକୁ ଯଦି ପାଣିର ଗୋଟିଏ ବୁନ୍ଦା ମଧ୍ୟ ମିଳିଯାଉଛି ତେବେ ସେ କେତେ ଖୁସି ହୋଇଯାଉଛି । ଏହିଭଳି ଖୁସିର ଆଞ୍ଜୁଳୀ ମଧ୍ୟ ଆତ୍ମାମାନଙ୍କ ପାଇଁ ବହୁତ ଆବଶ୍ୟକ । କ’ଣ ତୁମେମାନେ ଏହିଭଳି ସର୍ବସମ୍ପତ୍ତିରେ ସଦା ସମ୍ପନ୍ନ ଅଟ ତ? ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ନିଜକୁ ସର୍ବ ସମ୍ପତ୍ତିରେ ସଦା ଭରପୁର ଅନୁଭବ କରୁଛ ନା କେବେ କେବେ ଭରପୁର ଅନୁଭବ କରୁଛ? ସମ୍ପତ୍ତି ମଧ୍ୟ ଅବିନାଶୀ ଏବଂ ଦେଲାବାଲା ଦାତା ମଧ୍ୟ ଅବିନାଶୀ ତେଣୁ ଏହା ଅବିନାଶୀ ରୂପରେ ପାଖରେ ରହିବା ଦରକାର କାହିଁକି ନା ତୁମମାନଙ୍କ ଭଳି ଅଲୌକିକ ଖୁସି ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟ କାହାକୁ ବି ସାରା କଳ୍ପ ଭିତରେ କେବେ ବି ପ୍ରାପ୍ତ ହେଉ ନାହିଁ ଏବଂ ବର୍ତ୍ତମାନର ଏହି ଅଲୌକିକ ଖୁସିକୁ ଅଧାକଳ୍ପ ପର୍ଯ୍ୟନ୍ତ ତୁମେମାନେ ପ୍ରାରବ୍ଧ ରୂପରେ ଭୋଗ କରୁଛ, ତେଣୁ ସମସ୍ତେ ଖୁସି ଅଛ ତ! ଏଥିରେ ତ ସମସ୍ତେ ହାତ ଉଠାଉଛ, ଆଚ୍ଛା - ସବୁବେଳେ ଖୁସିରେ ରହୁଛ? କେବେ କେବେ ଖୁସି ହଜିଯାଉ ନାହିଁ ତ? କେବେ କେବେ ତ ହଜିଯାଉଥିବ ନା! ଖୁସିରେ ତ ରହୁଛ କିନ୍ତୁ ସର୍ବଦା ଏବଂ ଏକରସ ଖୁସିରେ ରହିବା - ଏଥିରେ ଅନ୍ତର ଆସିଯାଉଛି, ଶତକଡା ହିସାବରେ ଅନ୍ତର ଆସିଯାଉଛି ।

ବାପଦାଦା ତ ଅଟୋମେଟିକ୍ ଟି.ଭି. ଦ୍ୱାରା ସବୁ ପିଲାଙ୍କର ଚେହେରାକୁ ଦେଖୁଛନ୍ତି । ତେବେ ସେଥିରେ କ’ଣ ଦେଖାଯାଉଥିବ? କେବେ ଦିନେ ତୁମେମାନେ ମଧ୍ୟ ନିଜର ଖୁସିର ଚାର୍ଟକୁ ଚେକ୍ କର - ଅମୃତବେଳାଠାରୁ ରାତ୍ରି ପର୍ଯ୍ୟନ୍ତ ଖୁସିର ମାତ୍ରା ଏକାଭଳି ରହୁଛି? ନା ବଦଳିଯାଉଛି? ଚେକ୍ କରିବା ତ ଜଣା ଅଛି ନା! ଆଜିକାଲି ତ ବିଜ୍ଞାନ ମଧ୍ୟ ଚେକିଙ୍ଗ୍ କରିବାର ଯନ୍ତ୍ରପାତି ଗୁଡିକୁ ବହୁତ ଶକ୍ତିଶାଳୀ କରିଦେଲାଣି । ତେଣୁ ତୁମେମାନେ ମଧ୍ୟ ନିଜର ଖୁସିକୁ ଚେକ୍ କର ଏବଂ ତାକୁ ଅବିନାଶୀ କର । ବାପଦାଦା ସବୁ ପିଲାଙ୍କର ବର୍ତ୍ତମାନର ପୁରୁଷାର୍ଥକୁ ମଧ୍ୟ ଚେକ୍ କରିଛନ୍ତି । ପୁରୁଷାର୍ଥ ତ ସମସ୍ତେ କରୁଛନ୍ତି – କେହି ଯଥାଶକ୍ତି ହିସାବରେ, କେହି ଶକ୍ତିଶାଳୀ ପୁରୁଷାର୍ଥ ମଧ୍ୟ କରୁଛନ୍ତି । ତେବେ ଆଜି ବାପଦାଦା ସବୁ ପିଲାଙ୍କର ମନର ସ୍ଥିତିକୁ ଚେକ୍ କରିଛନ୍ତି କାହିଁକି ନା ମୂଳମନ୍ତ୍ରଟି ହେଲା ମନମନାଭବ । ସେବାକ୍ଷେତ୍ରରେ ମଧ୍ୟ ଦେଖ, ମାନସିକ ସେବା ସବୁଠାରୁ ଶ୍ରେଷ୍ଠ ସେବା ଅଟେ । ଏକଥା ମଧ୍ୟ କହୁଛ ମନକୁ ଜିତିଲେ ଜଗତକୁ ଜିତିବ । ତେଣୁ ବାପଦାଦାଙ୍କର ମନର ଗତିକୁ ଚେକ୍ କରିଛନ୍ତି । ତେବେ କ’ଣ ଦେଖିଲେ ଜାଣିଛ? ମନର ମାଲିକ ହୋଇ ମନକୁ ତ ଚଲାଉଛ କିନ୍ତୁ କେବେ କେବେ ମନ ତୁମକୁ ମଧ୍ୟ ଚଲାଉଛି । ମନ ତୁମକୁ ବଶୀଭୂତ ମଧ୍ୟ କରିଦେଉଛି । ବାପଦାଦା ଦେଖିଲେ ଯେ ପିଲାମାନେ ମନ ଲଗାଇ ପୁରୁଷାର୍ଥ କରୁଛନ୍ତି କିନ୍ତୁ ମନର ସ୍ଥିତି ଏକାଗ୍ର ହେଉ ନାହିଁ ।

ବର୍ତ୍ତମାନ ସମୟରେ ମନର ଏକାଗ୍ରତା ହିଁ ଏକରସ ସ୍ଥିତିର ଅନୁଭବ କରାଇ ପାରିବ । ଏବେ ଫଳାଫଳ ରୂପରେ ବାପଦାଦା ଦେଖିଲେ ଯେ ପିଲାମାନେ ମନକୁ ଏକାଗ୍ର କରିବା ପାଇଁ ଚାହୁଁଛନ୍ତି କିନ୍ତୁ ମଝିରେ ମଝିରେ ମନ ଭଟକିଯାଉଛି । କିନ୍ତୁ ତୁମମାନଙ୍କର ଏକାଗ୍ରତାର ଶକ୍ତି ହିଁ ଅବ୍ୟକ୍ତ ଫରିସ୍ତା ସ୍ଥିତିର ସହଜ ଅନୁଭବ କରାଇବ । ଏବେ ତ ତୁମର ମନ ଭଟକି ଯାଉଛି । ଚାହେଁ ବ୍ୟର୍ଥ କଥାରେ, ଚାହେଁ ବ୍ୟର୍ଥ ସଂକଳ୍ପରେ, ଚାହେଁ ବ୍ୟର୍ଥ ବ୍ୟବହାରରେ । ଯେପରି କାହାକୁ କାହାକୁ ଶରୀର ଦ୍ୱାରା ମଧ୍ୟ ଏକାଗ୍ର ହୋଇ ବସିବାର ଅଭ୍ୟାସ ନ ଥାଏ, ଆଉ କାହାର ଅଭ୍ୟାସ ଥାଏ । ତେଣୁ ମନକୁ ଯେଉଁଠି ଚାହିଁବ, ଯେପରି ଚାହିଁବ, ଯେତେ ସମୟ ଚାହିଁବ ସେତେ ସମୟ ପର୍ଯ୍ୟନ୍ତ ଏହିଭଳି ଏକାଗ୍ର, ଏହାକୁ କୁହାଯାଏ ମନକୁ ବଶ କରିଦେବା । ଏକାଗ୍ରତାର ଶକ୍ତି, ମାଲିକପଣିଆର ଶକ୍ତି ସହଜରେ ନିର୍ବିଘ୍ନ କରିଦେଇଥାଏ । ଯୁଦ୍ଧ କରିବାକୁ ପଡେ ନାହିଁ । ଏକାଗ୍ରତାର ଶକ୍ତି ଆଧାରରେ ସ୍ୱତଃ ହିଁ ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ - ଏହାର ଅନୁଭୂତି ହୋଇଥାଏ ଏବଂ ଆପେ ଆପେ ହୋଇଥାଏ । ମେହନତ କରିବାକୁ ପଡେ ନାହିଁ । ଏକାଗ୍ରତାର ଶକ୍ତି ଦ୍ୱାରା ସ୍ୱତଃ ହିଁ ଏକରସ ଫରିସ୍ତା ସ୍ୱରୂପର ଅନୁଭୂତି ହୋଇଥାଏ । ତୁମମାନଙ୍କ ତ ବ୍ରହ୍ମାବାବାଙ୍କ ସହିତ ସ୍ନେହ ଅଛି ନା - ତେଣୁ ବ୍ରହ୍ମାବାବାଙ୍କ ସମାନ ହେବା ଅର୍ଥ ଫରିସ୍ତା ହେବା । ଏକାଗ୍ରତାର ଶକ୍ତି ଦ୍ୱାରା ସ୍ୱତଃ ହିଁ ସମସ୍ତଙ୍କ ପ୍ରତି ସ୍ନେହର, କଲ୍ୟାଣର ଏବଂ ସମ୍ମାନର ମନୋବୃତ୍ତି ରହିଥାଏ କାହିଁକି ନା ଏକାଗ୍ରତା ଅର୍ଥାତ୍ ସ୍ୱମାନଯୁକ୍ତ ସ୍ଥିତି । ଫରିସ୍ତା ସ୍ଥିତି ମଧ୍ୟ ଏକ ସ୍ୱମାନ ଅଟେ । ଯେପରି ବ୍ରହ୍ମାବାବାଙ୍କୁ ତ ଦେଖିଛ ଏବଂ ବର୍ଣ୍ଣନା ମଧ୍ୟ କରୁଛ ଯେତେଯେତେ ସମ୍ପନ୍ନତାର ସମୟ ପାଖେଇ ଆସୁଥିଲା ସେତେବେଳେ କ’ଣ ଦେଖୁଥିଲ? ଚାଲୁଥିବା, ବୁଲିଥିବା, ଫରିସ୍ତା ରୂପ, ଦୈହିକ ସ୍ମୃତି ନଥିବା ସ୍ଥିତି । କ’ଣ ଦେହର ଅନୁଭୂତି ହେଉଥିଲା? ଯେତେବେଳେ ତାଙ୍କ ସମ୍ମୁଖକୁ ଯାଉଥିଲ ସେତେବେଳେ ତାଙ୍କର ଦେହ ଦେଖାଯାଉଥିଲା ନା ଫରିସ୍ତା ରୂପର ଅନୁଭୂତି ହେଉଥିଲା? କର୍ମ କରୁଥିଲେ ମଧ୍ୟ, କଥାବାର୍ତ୍ତା କରୁଥିଲେ ମଧ୍ୟ, ନିର୍ଦ୍ଦେଶ-ଆଦେଶ ଦେଉଥିଲେ ମଧ୍ୟ, ସମସ୍ତଙ୍କର ଉମଙ୍ଗ-ଉତ୍ସାହ ବଢାଉଥିଲେ ମଧ୍ୟ ଦେହଠାରୁ ଅଲଗା ସୂକ୍ଷ୍ମ ପ୍ରକାଶମୟ ରୂପର ଅନୁଭୂତି କରୁଥିଲ । କହୁଛ ନା ବ୍ରହ୍ମାବାବା କଥାବାର୍ତ୍ତା କରୁ କରୁ ଏଭଳି ଲାଗୁଥିଲା ଯେପରି କଥାବାର୍ତ୍ତା ତ କରୁଛନ୍ତି କିନ୍ତୁ ଏଠାରେ ନାହାଁନ୍ତି, ଦେଖୁଛନ୍ତି କିନ୍ତୁ ତାଙ୍କର ଦୃଷ୍ଟି ଅଲୌକିକ - ସ୍ଥଳୂ ଦୃଷ୍ଟି ନୁହେଁ । ସେଭଳି ଦୈହିକ ସ୍ମୃତିଠାରୁ ଉର୍ଦ୍ଧ୍ୱରେ ରୁହ, ଅନ୍ୟମାନଙ୍କୁ ମଧ୍ୟ ଦେହର ସ୍ମୃତି ନ ଆସୁ, ଦେହଠାରୁ ଅଲଗା ରୂପ ଦେଖାଯାଉ, ଏହାକୁ କୁହାଯାଏ ଦେହ ଭିତରେ ଥାଇ ମଧ୍ୟ ଫରିସ୍ତା ସ୍ୱରୂପ ସ୍ଥିତି । ସବୁ କଥାରେ, ଦୃଷ୍ଟିରେ, ବୃତ୍ତିରେ, କର୍ମରେ ନିଆରା ପଣିଆର ଅନୁଭବ ହେଉ । କଥା କହୁଥିବ କିନ୍ତୁ ନ୍ୟାରା ନ୍ୟାରା ଏବଂ ପ୍ୟାରା ପ୍ୟାରା ଲାଗୁଥିବ । ଆତ୍ମିକ ପ୍ୟାରା, ତେବେ ଏହିଭଳି ଫରିସ୍ତା ପଣିଆର ଅନୁଭୂତି ନିଜେ ମଧ୍ୟ କର ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ କାହିଁକି ନା ଫରିସ୍ତା ହେବା ବିନା ଦେବତା ହୋଇ ପାରିବ ନାହିଁ । ଫରିସ୍ତା ହିଁ ଦେବତା ହେବ । ତେଣୁ ନମ୍ବରୱାନ ବ୍ରହ୍ମାଙ୍କର ଆତ୍ମା ମଧ୍ୟ ପ୍ରତ୍ୟକ୍ଷରେ ସାକାର ରୂପରେ ମଧ୍ୟ ଫରିସ୍ତା ଜୀବନର ଅନୁଭବ କରାଇଛନ୍ତି ଏବଂ ଫରିସ୍ତା ରୂପ ହୋଇଯାଇଛନ୍ତି । ସେହି ଫରିସ୍ତା ରୂପ ବ୍ରହ୍ମାଙ୍କ ସହିତ ତୁମମାନଙ୍କୁ ମଧ୍ୟ ଫରିସ୍ତା ହୋଇ ପରମଧାମକୁ ଯିବାକୁ ହେବ । ସେଥିପାଇଁ ମନର ଏକାଗ୍ରତା ଉପରେ ଅଧିକ ଧ୍ୟାନ ଦିଅ । ମନକୁ ନିର୍ଦ୍ଦେଶ ଅନୁସାରେ ଚଲାଅ । ଯଦି କୌଣସି କର୍ମ କରିବାର ଅଛି ତେବେ ମନ ଦ୍ୱାରା କର୍ମ ହେଉ, ଯଦି କରିବାର ନାହିଁ କିନ୍ତୁ ମନ କହୁଛି କର ତେବେ ଏହାକୁ ମାଲିକ ପଣିଆ କୁହାଯିବ ନାହିଁ । ଏବେ କେହି କେହି ପିଲା କହୁଛନ୍ତି ମୁଁ ଚାହୁଁ ନ ଥିଲି କିନ୍ତୁ ହୋଇଗଲା । ଭାବୁନଥିଲି କିନ୍ତୁ ହୋଇଗଲା, କରିବାକୁ ଚାହୁଁ ନାହିଁ କିନ୍ତୁ ହୋଇଯାଉଛି - ଏହା ହେଉଛି ମନର ବଶୀଭୂତ ଅବସ୍ଥା, ତେବେ ଏଭଳି ଅବସ୍ଥା, ଭଲ ତ ଲାଗୁ ନଥିବ ନା! ତେଣୁ ବ୍ରହ୍ମାବାବାଙ୍କୁ ଅନୁକରଣ କର । ବ୍ରହ୍ମାବାବାଙ୍କୁ ତ ଦେଖିଛ ସମ୍ମୁଖରେ ଛିଡା ହୋଇଥିଲେ ମଧ୍ୟ କ’ଣ ଅନୁଭବ ହେଉଥିଲା? ଫରିସ୍ତା ଛିଡା ହୋଇଛି, ଫରିସ୍ତା ଦୃଷ୍ଟି ଦେଉଛି ତେଣୁ ମନର ଏକାଗ୍ରତାର ଶକ୍ତି ସହଜରେ ଫରିସ୍ତା କରିଦେବ । ବ୍ରହ୍ମାବାବା ମଧ୍ୟ ପିଲମାନଙ୍କୁ ଏହି କଥା କହୁଛନ୍ତି - ସମାନ ହୁଅ । ଶିବବାବା କହୁଛନ୍ତି ନିରାକାରୀ ହୁଅ, ବ୍ରହ୍ମାବାବା କହୁଛନ୍ତି ଫରିସ୍ତା ହୁଅ । କ’ଣ ବୁଝିଲ? ତେବେ ବାପଦାଦା ଫଳାଫଳ ରୂପରେ କ’ଣ ଦେଖିଲେ? ମନର ଏକାଗ୍ରତା କମ୍ ଅଛି । ମଝିରେ ମଝିରେ ମନ ବହୁତ ଆଡେ ଚକ୍ର ଲଗାଇ ଦେଉଛି, ବହୁତ ଭଟକୁଛି । ଯେଉଁଆଡେ ଯିବା ଉଚିତ୍ ନୁହେଁ ସେଠାକୁ ଚାଲିଯାଉଛି, ତେବେ ଏହାକୁ କ’ଣ କୁହାଯିବ? ଭଟକିବା କୁହାଯିବ ନା! ତେଣୁ ଏକାଗ୍ରତାର ଶକ୍ତିକୁ ବଢାଅ । ମାଲିକପଣିଆର ସିଟ୍ ଉପରେ ସେଟ୍ ରୁହ । ଯେତେବେଳେ ପୂରା ସେଟ୍ ହୋଇଯିବ, ଆଉ ଅପସେଟ୍ ହେବ ନାହିଁ ଅର୍ଥାତ୍ ତଳ ଉପର ହେବ ନାହିଁ । ସେଟ୍ ନ ହେବା କାରଣରୁ ଅପସେଟ୍ ହୋଇଯାଉଛ । ତେଣୁ ଭିନ୍ନ ଭିନ୍ନ ଶ୍ରେଷ୍ଠ ସ୍ଥିତି ରୂପୀ ସିଟ୍ ଉପରେ ସେଟ୍ ରୁହ । ଏହାକୁ କୁହାଯାଏ ଏକାଗ୍ରତାର ଶକ୍ତି । ଠିକ୍ ଅଛି ନା? ବ୍ରହ୍ମାବାବାଙ୍କ ସହିତ ସ୍ନେହ ଅଛି ନା! କେତେ ସ୍ନେହ ଅଛି? କେତେ ଅଛି? ବହୁତ ଅଛି! ତେବେ ସ୍ନେହର ପ୍ରତିଦାନରେ ବାବାଙ୍କୁ କ’ଣ ଦେଇଛ? ବାବାଙ୍କର ମଧ୍ୟ ତୁମମାନଙ୍କ ପ୍ରତି ସ୍ନେହ ଅଛି ସେଥିପାଇଁ ତ ତୁମମାନଙ୍କର ସ୍ନେହ ରହିଛି ନା! ତେଣୁ ପ୍ରତିଦାନ କ’ଣ ଦେଇଛ? ବାବାଙ୍କ ସମାନ ହେବା - ଏହା ହିଁ ପ୍ରତିଦାନ ଅଟେ । ଆଚ୍ଛା!

ଡବଲ ବିଦେଶୀମାନେ ମଧ୍ୟ ଆସିଛନ୍ତି । ଭଲ କଥା, ଡବଲ ବିଦେଶୀ ପିଲାମାନଙ୍କ ଦ୍ୱାର ମଧୁବନର ମଧ୍ୟ ଶୃଙ୍ଗାର ହୋଇଯାଉଛି । ଅନ୍ତର୍ରାଷ୍ଟ୍ରୀୟ ମଧୁବନ ହୋଇଯାଉଛି ନା! ଦେଖ, ମଧୁବନରେ ବର୍ଗୀକରଣର ସେବା ହେଉଛି ତା’ଦ୍ୱାରା ଚାରିଆଡକୁ ସମାଚାର ଚାଲିଯାଉଛି । ତୁମେ ଦେଖ - ଯେବେଠାରୁ ଏହିଭଳି ବର୍ଗୀକରଣ ସେବା ଆରମ୍ଭ ହେଲାଣି ସେବେଠାରୁ ଆଇ.ପି. ଅର୍ଥାତ୍ ବିଶିଷ୍ଟ ଲୋକମାନଙ୍କୁ ଅଧିକ ସନ୍ଦେଶ ମିଳିପାରୁଛି । ଭି.ଆଇ.ପି. ଅର୍ଥାତ୍ ଅତି ବିଶିଷ୍ଟ ବ୍ୟକ୍ତିମାନଙ୍କ କଥା ଛାଡି ଦିଅ, ସେମାନଙ୍କ ପାଖରେ ସମୟ କାହିଁ! ଆହୁରି ମଧ୍ୟ ବଡ ବଡ କାର୍ଯ୍ୟକ୍ରମ ସବୁ କରୁଛ, ତା’ ଦ୍ୱାରା ମଧ୍ୟ ସମାଚାର ପ୍ରସାରିତ ହେଉଛି । ଏବେ ତ ଦିଲ୍ଲୀ ଏବଂ କଲିକତା ମଧ୍ୟ କାର୍ଯ୍ୟକ୍ରମ କରୁଛନ୍ତି ନା! ବହୁତ ଭଲ ଯୋଜନା କରୁଛନ୍ତି । ମେହନତ ମଧ୍ୟ ବହୁତ ଭଲ କରୁଛନ୍ତି । ବାପଦାଦାଙ୍କ ପାଖରେ ମଧ୍ୟ ସମାଚାର ପହଞ୍ଚିଯାଉଛି । ଦିଲ୍ଲୀର ସମାଚାର ବିଦେଶ ପର୍ଯ୍ୟନ୍ତ ପହଞ୍ଚିବା ଦରକାର । ସାମ୍ବାଦିକ ବର୍ଗବାଲା କ’ଣ କରୁଛନ୍ତି? କେବଳ ଭାରତ ପର୍ଯ୍ୟନ୍ତ ସମାଚାର ଦେଉଛନ୍ତି । କିନ୍ତୁ ବିଦେଶରୁ ମଧ୍ୟ ସମାଚାର ଆସିବା ଦରକାର ଯେ ଦିଲ୍ଲୀରେ ଏହିଭଳି କାର୍ଯ୍ୟକ୍ରମ ହୋଇଛି । ଏହିଭଳି ସେଠିକାର ସମାଚାର ଭାରତକୁ ଆସୁ । ଭାରତର କୁମ୍ଭକର୍ଣ୍ଣମାନେ ତ ବିଦେଶ ଦ୍ୱାରା ହିଁ ଜାଗ୍ରତ ହେବେ ନା । ତେଣୁ ବିଦେଶର ଖବରର ମହତ୍ୱ ରହିଛି । କାର୍ଯ୍ୟକ୍ରମ ଭାରତରେ ହେଉ କିନ୍ତୁ ସମାଚାର ବିଦେଶର ସମାଚାର ପତ୍ରରୁ ମିଳୁ ତେବେ ଯାଇ ଅଧିକ ପ୍ରସାରିତ ହେବ । ଭାରତର ସମାଚାର ବିଦେଶରେ ପହଞ୍ଚୁ ଏବଂ ବିଦେଶର ସମାଚାର ଭାରତରେ ପହଞ୍ଚୁ - ଏହାର ମଧ୍ୟ ବିଶେଷ ପ୍ରଭାବ ରହିଛି । ଭଲ କଥା - ଯାହା ବି ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛ ଭଲ କରୁଛ । ବାପଦାଦା ଦିଲ୍ଲୀବାଲାଙ୍କୁ ମଧ୍ୟ ସ୍ନେହର ସହିତ କରିଥିବା ମେହନତ ପାଇଁ ଅଭିନନ୍ଦନ ଦେଉଛନ୍ତି । କଲିକତାବାଲାଙ୍କୁ ମଧ୍ୟ ଆଗୁଆ ଅଭିନନ୍ଦନ ଦେଉଛନ୍ତି କାହିଁକି ନା ସହଯୋଗ, ସ୍ନେହ ଏବଂ ସାହସ, ଏହି ତିନୋଟି କଥା ଯେତେବେଳେ ଏକାଠି ହୋଇଯାଏ, ସେତେବେଳେ ଖୁବ୍ ଜୋରରେ ସାମଚାର ଖେଳିଯାଇଥାଏ । ତେବେ ତୁମର ସନ୍ଦେଶ ଦେବାର ସମାଚାର ମଧ୍ୟ ନିଶ୍ଚିତ ପ୍ରସାରିତ ହେବ, ନ ହେବ କାହିଁକି? ଏବେ ତ ସାମ୍ବାଦିକ ବର୍ଗବାଲାଙ୍କୁ ଏହି କମାଲ କରିବାକୁ ହେବ । ସମସ୍ତେ ଟି.ଭି.ରେ ମଧ୍ୟ ଦେଖୁଛନ୍ତି, ଏହା ଟିଭିରେ ଆସିଛି । କେବଳ ଏତିକିରେ ହେବ ନାହିଁ, ଏହା ତ କେବଳ ଭାରତରେ ହିଁ ଟିଭିରେ ଦେଖି ହେଉଛି । ଏବେ ତ ଆହୁରି ବିଦେଶ ପର୍ଯ୍ୟନ୍ତ ପହଞ୍ଚାଇବାକୁ ହେବ । ଏବେ ଦେଖିବା ଏହି ବର୍ଷ ସମାଚାର ପ୍ରସାରିତ କରିବାର କାର୍ଯ୍ୟକ୍ରମ କେତେ ସାହସର ସହିତ ଏବଂ ଜୋର ସୋରରେ ପାଳନ କରୁଛ । ବାପଦାଦାଙ୍କୁ ସମାଚାର ମିଳିଛି ଯେ ଡବଲ ବିଦେଶୀମାନଙ୍କର ବହୁତ ଉମଙ୍ଗ-ଉତ୍ସାହ ଅଛି । ଅଛି ନା! ଭଲ କଥା । ପରସ୍ପରକୁ ଦେଖି ଅଧିକ ଉତ୍ସାହ ଆସୁଛି । ଏଥିରେ ଯିଏ କରିବ ସିଏ ବ୍ରହ୍ମାଙ୍କ ସମାନ ହୋଇଯିବ । ଭଲ କଥା । ତେଣୁ ଦାଦିଙ୍କର ମଧ୍ୟ ସଂକଳ୍ପ ଆସୁଛି - ସମସ୍ତଙ୍କୁ ସେବାରେ ବ୍ୟସ୍ତ ରଖିବାର ବିଧି ବହୁତ ଭଲ ଭାବରେ ଜଣା ଅଛି । ଏହା ବି ବହୁତ ଭଲ କଥା, କାରଣ ସେ ତ ନିମିତ୍ତ ଅଟନ୍ତି ନା!

ଆଚ୍ଛା - ସମସ୍ତେ ଉଡିବାର କଳାବାଲା ଅଟ ତ? ଉଡିବାର କଳା ହେଉଛି ତୀବ୍ର ଗତିର କଳା । ଚାଲି ଚାଲି ଆଗକୁ ଯିବାର କଳା, ଚଢିବାର କଳା, ଏସବୁ ତୀବ୍ର ଗତିର କଳା ନୁହେଁ । ଉଡିବାର କଳା ତୀବ୍ରଗତିର କଳା ମଧ୍ୟ ଅଟେ ଏବଂ ପ୍ରଥମ ନମ୍ବରରେ ପହଞ୍ଚାଇବା ବାଲା କଳା ମଧ୍ୟ ଅଟେ । ଆଚ୍ଛା!

ମାତାମାନେ କ’ଣ କରିବ? ମାତାମାନେ ନିଜର ସମସ୍କନ୍ଧ ସାଥୀମାନଙ୍କୁ ଉଠାଅ । ଅତି କମ୍‌ରେ ମାତାମାନଙ୍କ ଭିତରେ କେହି ଯେପରି ଉଲୁଗୁଣା ନ ଦେବେ । ମାତାମାନଙ୍କର ସଂଖ୍ୟା ସବୁବେଳେ ଅଧିକ ଥାଏ । ବାପଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି ଏବଂ ଏହି ଗ୍ରୃପ୍‌ରେ ସମସ୍ତଙ୍କର ସଂଖ୍ୟା ବହୁତ ଅଧିକ ଅଛି । କୁମାରମାନେ ମଧ୍ୟ ଅଧିକ ଆସିଛନ୍ତି । ଦେଖ କୁମାରମାନେ ନିଜର ସମାସ୍କନ୍ଧବାଲାଙ୍କୁ ଜାଗ୍ରତ କର । ଏହା ତ ବହୁତ ଭଲ କଥା ଯାହାକି କୁମାରମାନେ ଏହି କମାଲ ଦେଖାନ୍ତୁ ଯେ ଆମେ ସ୍ୱପ୍ନ ମାତ୍ରରେ ମଧ୍ୟ ପବିତ୍ରତାକୁ ଧାରଣ କରିବାରେ ପରିପକ୍କ ଅଟୁ । ବାପଦାଦା ସାରା ବିଶ୍ୱରେ ଚାଲେଞ୍ଚ କରି କହିବେ ଯେ ବ୍ରହ୍ମାକୁମାର, ଯୁବକ କୁମାର । ଡବଲ କୁମାର ହେଲେ ନା । ବ୍ରହ୍ମାକୁମାର ମଧ୍ୟ ଅଟୁ ଏବଂ ଶାରୀରିକ ହିସାବରେ ମଧ୍ୟ କୁମାର ଅଟ । ତେବେ ପବିତ୍ରତାର ପରିଭାଷା ବାସ୍ତବିକ ରୂପରେ ରହିବା ଦରକାର । ତାହା ହେଲେ ସେମାନଙ୍କୁ ମଧ୍ୟ ଆଦେଶ ଦିଆଯିବ, ତୁମମାନଙ୍କର ପବିତ୍ରତାକୁ ଚେକ୍ କରନ୍ତୁ । କ’ଣ ଆଦେଶ ଦେବା? ଏଥିରେ ହାତ ଉଠାଉ ନାହାଁନ୍ତି । ଚେକ୍ କରିବାର ମେସିନ୍ ମଧ୍ୟ ଅଛି । ସ୍ୱପ୍ନରେ ମଧ୍ୟ ଅପବିତ୍ରତା ଆସିବାକୁ ସାହସ ନ କରୁ । କୁମାରୀମାନଙ୍କୁ ମଧ୍ୟ ଏହିଭଳି ହେବାର ଅଛି କୁମାରୀ ଅର୍ଥାତ୍ ପୂଜ୍ୟ ପବିତ୍ର କୁମାରୀ । କୁମାର ଏବଂ କୁମାରୀମାନେ ବାପଦାଦାଙ୍କ ପାଖରେ ପ୍ରତିଜ୍ଞା କରନ୍ତୁ ଯେ ଆମେମାନେ ଏତେ ପବିତ୍ର ଅଟୁ ଯାହାକି ସ୍ୱପ୍ନରେ ମଧ୍ୟ ଅପବିତ୍ର ସଂକଳ୍ପ ଆସିପାରିବ ନାହିଁ । ତେବେ ଯାଇ କୁମାର ଏବଂ କୁମାରୀମାନଙ୍କର ପବିତ୍ରତାର ଉତ୍ସବ ପାଳନ କରାଯିବ । ଏବେ ଅଳ୍ପ ଅଳ୍ପ ପବିତ୍ରତା ଅଛି । ବାପଦାଦାଙ୍କୁ ଜଣା ଅଛି । ଅପବିତ୍ରତାର ଅବିଦ୍ୟା ହେବା ଦରକାର, କାହିଁକି ନା ନୂଆ ଜନ୍ମ ନେଇଛ ନା । ଅପବିତ୍ରତା ତୁମମାନଙ୍କର ପୂର୍ବଜନ୍ମର ସଂସ୍କାର । ମରଜୀବା ଜନ୍ମର ଅର୍ଥ ହେଲା ବ୍ରହ୍ମାଙ୍କ ମୁଖ ଦ୍ୱାରା ପବିତ୍ର ଜନ୍ମ । ତେଣୁ ପବିତ୍ର ଜନ୍ମର ମର୍ଯ୍ୟାଦା ମଧ୍ୟ ବହୁତ ଆବଶ୍ୟକ । କୁମାର କୁମାରୀମାନଙ୍କୁ ଏହି ପତାକା ଉଡାଇବା ଦରକାର । ଆମେ ପବିତ୍ର ଅଟୁ ଏବଂ ପବିତ୍ରତାର ସଂସ୍କାର ସାରା ବିଶ୍ୱରେ ପ୍ରସାରିତ କରିବୁ - ଏହିଭଳି ସ୍ଳୋଗାନ ଚାରିଆଡେ ଶୁଣାଯିବା ଦରକାର । ଶୁଣିଲ ତ କୁମାରୀମାନେ? ଦେଖ କୁମାରୀମାନେ କେତେ ଆସୁଛନ୍ତି । ଏବେ ଦେଖିବା କୁମାରୀମାନେ ଏହି ସମାଚାର ଅଧିକ ପ୍ରଚାର କରୁଛନ୍ତି କି କୁମାରମାନେ ଅଧିକ କରୁଛନ୍ତି? ତେଣୁ ବ୍ରହ୍ମାବାବାଙ୍କୁ ଅନୁକରଣ କର । ଅପବିତ୍ରାର ଚିହ୍ନବର୍ଣ୍ଣ ନ ଥିବ- ବ୍ରାହ୍ମଣ ଜୀବନର ଅର୍ଥ ହିଁ ଏହା ଅଟେ । ମାତାମାନଙ୍କ ଭିତରେ ଯଦି ମୋହ ରହିଛି ତେବେ ଏହା ମଧ୍ୟ ଅପବିତ୍ରତା ଅଟେ । ମାତାମନେ ମଧ୍ୟ ବ୍ରାହ୍ମଣ ଅଟନ୍ତି ନା । ତେଣୁ ନା ମାତାମାନଙ୍କ ଭିତରେ, ନା କୁମାରୀମାନଙ୍କ ଭିତରେ ଅପବିତ୍ରତାର ଅଂଶ ରହୁ । ବ୍ରାହ୍ମଣର ଅର୍ଥ ହେଲା ପବିତ୍ର ଆତ୍ମା । ଯଦି ତୁମ ଦ୍ୱାରା କୌଣସି ଅପବିତ୍ରତାର କାର୍ଯ୍ୟ ହେଉଛି, ତେବେ ଏହା ମଧ୍ୟ ମହାପାପ ଅଟେ । ଏହି ପାପର ଦଣ୍ଡ ମଧ୍ୟ ବହୁତ କଡା ଅଟେ । ଏମିତି ଭାବ ନାହିଁ ଯେ ଏମିତି ତ ହୋଇ ଆସୁଛି... । କିଛି କିଛି ତ ରହିବ ନିଶ୍ଚିତ.. ନା, ଏହା ପ୍ରଥମ ବିଷୟ ଅଟେ । ଏଠାରେ ପବିତ୍ରତାର ହିଁ ନବୀନତା ରହିଛି । ବ୍ରହ୍ମାବାବା ଯଦି ଗାଳି ଖାଇଛନ୍ତି ତେବେ ଏହି ପବ୍ରିତତା କାରଣରୁ ହିଁ ଗାଳି ଖାଇଛନ୍ତି । ତେଣୁ ହୋଇଗଲା... ବୋଲି କହି ଖସି ଯାଇପାରିବ ନାହିଁ । ଏଥିରେ ବେପରୁଆ ହୁଅ ନାହିଁ । କୌଣସି ବି ବ୍ରାହ୍ମଣ ଚାହେଁ ସମର୍ପିତ ହୋଇଥାଆନ୍ତୁ, ଚାହେଁ ସେବାଧାରୀ ହୋଇଥାଆନ୍ତୁ, ଚାହେଁ ଘର ଗୃହସ୍ଥବାଲା ହୋଇଥାଆନ୍ତୁ - ଏହି କଥା ଉପରେ ଧର୍ମରାଜ ମଧ୍ୟ ଛାଡିବେ ନାହିଁ । ବ୍ରହ୍ମାବାବା ମଧ୍ୟ ଧର୍ମରାଜଙ୍କୁ ସହଯୋଗ ଦେବେ । ସେଥିପାଇଁ କୁମାର-କୁମାରୀମାନେ ଯେଉଁଠି ବି ରହିଥାଅ, ମଧୁବନରେ ରହିଥାଅ ବା ସେଣ୍ଟରରେ ରହିଥାଅ କିନ୍ତୁ ସଂକଳ୍ପ ମାତ୍ରାରେ ଅବିତ୍ରତାର ଚୋଟ ଲାଗିବା ମଧ୍ୟ ବହୁତ ବଡ ଚୋଟ କୁହାଯିବ । ଗୋଟିଏ ଗୀତ ଗାଉଛ ନା, ପବିତ୍ର ମନ ରଖୋ, ପବିତ୍ର ତନ ରଖୋ... ଏହା ତୁମମାନଙ୍କର ଗୀତ ଅଟେ ନା! ତେଣୁ ମନ ଯଦି ପବିତ୍ର ଅଛି ତେବେ ଜୀବନ ପବିତ୍ର ଅଛି । ଏଥିରେ ଢିଲା ହେବାର ନାହିଁ । ଏମିତି ଭାବ ନାହିଁ ଯେ ଟିକିଏ ତ ଢିଲା ହୋଇଯାଇଛି, ଏଥିରେ କ’ଣ ଅଛି...! ଏହାକୁ ଅଳ୍ପ ଭାବ ନାହିଁ ଏଥିରେ ଅଳ୍ପ ମଧ୍ୟ ବହୁତ କିଛି ଅଟେ । ବାପଦାଦା ବହୁତ ଗମ୍ଭୀରତା ପୂର୍ବକ ସାବଧାନ କରାଉଛନ୍ତି, ଏଥିରେ କେହି ବି ରକ୍ଷା ପାଇପାରିବ ନାହିଁ । ଏହାର ହିସାବ-କିତାବ ମଧ୍ୟ ଭଲ ଭାବରେ ଦେଖାଯିବ । ଯିଏବି ହୋଇଥାଅ - ସେଥିପାଇଁ କୁହାଯାଉଛି ସାବଧାନ ରୁହ, ଭଲ ଭାବରେ ଧ୍ୟାନ ଦିଅ । ଶୁଣିଲ ତ - ସମସ୍ତେ ଧ୍ୟାନ ଦେଇ ଶୁଣିଲ ତ? ଦୁଇଟି ଯାକ କାନ ଖୋଲି ଶୁଣିନିଅ । ଅପବିତ୍ରତାର ମନର ବୃତ୍ତିକୁ ମଧ୍ୟ ସ୍ପର୍ଶ ନ କରୁ, ଦୃଷ୍ଟିକୁ ମଧ୍ୟ ସ୍ପର୍ଶ ନ କରୁ, ଯଦି ସଂକଳ୍ପରେ ମଧ୍ୟ ଆସିବା ଉଚିତ୍ ନୁହେଁ ତେବେ ବୃତ୍ତି ବା ଦୃଷ୍ଟିରେ କିପରି ଚଳିବ! କାହିଁକି ନା ସମୟ ସମ୍ପନ୍ନତା ଆଡକୁ ଆଗେଇ ଚାଲିଛି । ବର୍ତ୍ତମାନ ତ ସମ୍ପୂର୍ଣ୍ଣ ପବିତ୍ର ହେବାକୁ ହିଁ ପଡିବ । ଏହିଭଳି ସମୟରେ ଏହା ଯେପରି ଧଳା କାଗଜ ଉପରେ କଳାଦାଗ ସଦୃଶ ଅଟେ । ଆଚ୍ଛା - ସମସ୍ତେ ଯେଉଁଠୁ ଯେଉଁଠୁ ବି ଆସିଛ, ସମସ୍ତଙ୍କୁ ଅଭିନନ୍ଦନ ।

ଆଚ୍ଛା - ମନକୁ ଆଦେଶ ଦେଇ ଚଲାଅ । ଗୋଟିଏ ସେକେଣ୍ଡ ଭିତରେ ଯେଉଁଠି ଚାହିଁବ ମନ ସେଠାରେ ଲାଗି ଯାଉଥିବ ଏବଂ ସହଜରେ ସ୍ଥିତ ହୋଇଯାଉଥିବ । ଏହାର ଅଭ୍ୟାସ କର (ଡ୍ରିଲ କରାଇଲେ) ଆଚ୍ଛା - ଅନେକ ଜାଗାରେ ପିଲାମାନେ ଶୁଣୁଛନ୍ତି । ଯୋଗ ମଧ୍ୟ କରୁଛନ୍ତି ଏବଂ ଶୁଣୁଛନ୍ତି ମଧ୍ୟ, ଏକଥା ଶୁଣି ଖୁସି ମଧ୍ୟ ହେଉଛନ୍ତି ଯେ, ବିଜ୍ଞାନର ସାଧନ ଗୁଡିକ ବାସ୍ତବରେ ତୁମମାନଙ୍କ ପାଇଁ ହିଁ ସୁଖଦାୟୀ ଅଟେ ।

ଚାରିଆଡର ସର୍ବ ସମ୍ପତ୍ତିରେ ସଦା ସମ୍ପନ୍ନ ପିଲାମାନଙ୍କୁ, ସଦା ସୌଭାଗ୍ୟଶାଳୀ, ଖୁସିବାସିଆ ଚେହେରା ଏବଂ ଚାଲିଚଳନ ଦ୍ୱାରା ଖୁସିର ଆଞ୍ଜୁଳୀ ଦେଉଥିବା ବିଶ୍ୱକଲ୍ୟାଣକାରୀ ପିଲାମାନଙ୍କୁ, ସର୍ବଦା ନିଜର ମାଲିକ ହୋଇ ଏକାଗ୍ରତାର ଶକ୍ତି ଦ୍ୱାରା ମନକୁ ନିୟନ୍ତ୍ରଣ କରୁଥିବା ମନଜିତ୍ ଜଗତଜିତ୍ ପିଲାମାନଙ୍କୁ, ସର୍ବଦା ବ୍ରାହ୍ମଣ ଜୀବନର ବିଶେଷତା ପବିତ୍ରତାର ବ୍ୟକ୍ତିତ୍ୱରେ ରହୁଥିବା ପବିତ୍ର ବ୍ରାହ୍ମଣ ଆତ୍ମାମାନଙ୍କୁ, ସର୍ବଦା ଡବଲ ଲାଇଟ୍ ହୋଇ ଫରିସ୍ତା ଜୀବନରେ ବ୍ରହ୍ମାବାବାଙ୍କୁ ଅନୁକରଣ କରୁଥିବା ବ୍ରହ୍ମାବାବାଙ୍କ ସମାନ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ । ଚାରିଆଡର ଶୁଣୁଥିବା, ମନେ ପକାଉଥିବା ସବୁ ପିଲାମାନଙ୍କୁ ମଧ୍ୟ ବହୁତ ଆନ୍ତରିକ, ଆଶୀର୍ବାଦ ସହିତ ୟାଦପ୍ୟାର ଏବଂ ସମସ୍ତଙ୍କୁ ନମସ୍କାର ।

ବରଦାନ:-
ସାକାର ପିତାଙ୍କୁ ଅନୁକରଣ କରି ନମ୍ବରୱାନ ପଦ ପ୍ରାପ୍ତ କରୁଥିବା ସମ୍ପୂର୍ଣ୍ଣ ଫରିସ୍ତା ହୁଅ ।

ନମ୍ବର ୱାନରେ ଆସିବାର ସହଜ ସାଧନ ହେଲା - ବ୍ରହ୍ମାବାବା ଯିଏକି ନମ୍ବରୱାନ ଅଟନ୍ତି ସେହି ୱାନ ନମ୍ବର ବାଲାଙ୍କୁ ଦେଖ । ଅନେକଙ୍କୁ ଦେଖିବା ପରିବର୍ତ୍ତେ ଜଣଙ୍କୁ ହିଁ ଦେଖ ଏବଂ ଜଣଙ୍କୁ ହିଁ ଅନୁକରଣ କର । ଆମେ ହିଁ ଫରିସ୍ତା ଅଟୁ - ଏହି ମନ୍ତ୍ରକୁ ଯଦି ପକ୍କା କରି ନେବ ତେବେ ବ୍ରହ୍ମାବାବା ଏବଂ ତୁମ ଭିତରେ ଯେଉଁ ଅନ୍ତର ରହିଛି ତାହା ସମାପ୍ତ ହୋଇଯିବ । ତା’ପରେ ବିଜ୍ଞାନର ଯନ୍ତ୍ରଗୁଡିକ ସେମାନଙ୍କର କାମ ଆରମ୍ଭ କରିଦେବେ ଏବଂ ତୁମେ ସମ୍ପୂର୍ଣ୍ଣ ଫରିସ୍ତାମାନେ ଦେବତା ହୋଇ ନୂଆ ଦୁନିଆରେ ଅବତରିତ ହୋଇଯିବ । ତେଣୁ ସମ୍ପୂର୍ଣ୍ଣ ଫରିସ୍ତା ହେବା ଅର୍ଥ ସାକାର ପିତାଙ୍କୁ ଫଲୋ କରିବା ।

ସ୍ଲୋଗାନ:-
ସମ୍ମାନର ତ୍ୟାଗ ଭିତରେ ସମସ୍ତଙ୍କର ମାନନୀୟ ହେବାର ଭାଗ୍ୟ ଅର୍ନ୍ତନିହିତ ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର (୧୨) ଯେପରି ବାପଦାଦାଙ୍କୁ ଦୟା ଲାଗୁଛି, ସେହିପରି ତୁମେ ପିଲାମାନେ ମଧ୍ୟ ମାଷ୍ଟର ଦୟାଳୁ ହୋଇ ମନର ବୃତ୍ତି ଦ୍ୱାରା ସୃଷ୍ଟି କରୁଥିବା ବାତାବରଣ ଆଧାରରେ ଆତ୍ମାମାନଙ୍କୁ ବାବାଙ୍କ ଦ୍ୱାରା ମିଳିଥିବା ଶକ୍ତିଗୁଡିକ ଦିଅ । ଯେହେତୁ ଅଳ୍ପ ସମୟ ଭିତରେ ସାରା ବିଶ୍ୱର ସେବା ସମ୍ପନ୍ନ କରିବାକୁ ହେବ, ତତ୍ୱ ସହିତ ସମସ୍ତଙ୍କୁ ପବିତ୍ର କରିବାକୁ ହେବ ତେଣୁ ତୀବ୍ରଗତିରେ ସେବା କର ।