12.06.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ସେହି ରଥରେ ଆସୁଛନ୍ତି, ଯିଏକି ପ୍ରଥମେ ପ୍ରଥମେ ଭକ୍ତି ଆରମ୍ଭ କରିଥିଲେ ଯିଏ ପ୍ରଥମ ନମ୍ବର ପୂଜ୍ୟ ଆତ୍ମାରୁ ପୂଜାରୀ ହୋଇଯାଇଛନ୍ତି । ଏହି ରହସ୍ୟକୁ ତୁମେମାନେ ସମସ୍ତଙ୍କୁ ସ୍ପଷ୍ଟ ଭାବରେ ଶୁଣାଅ ।”

ପ୍ରଶ୍ନ:-
ବାବା ନିଜର ଉତ୍ତରାଧିକାରୀ ପିଲାମାନଙ୍କୁ କେଉଁ ସମ୍ପତ୍ତି ଦେବା ପାଇଁ ଆସିଛନ୍ତି?

ଉତ୍ତର:-
ବାବା ସୁଖ, ଶାନ୍ତି, ପ୍ରେମର ସାଗର ଅଟନ୍ତି । ଏହି ସମସ୍ତ ସମ୍ପତ୍ତି ତୁମକୁ ଉଇଲ୍ କରୁଛନ୍ତି । ଏଭଳି ୱିଲ୍‌ (ଇଚ୍ଛାପତ୍ର) କରି ଦେଉଛନ୍ତି ଯାହାକି ତୁମେ ୨୧ ଜନ୍ମ ପର୍ଯ୍ୟନ୍ତ ଭୋଗ କରୁଥିବ, ଶେଷ ହେବ ନାହିଁ । ତୁମକୁ କଉଡିରୁ ହୀରା ଭଳି ମଧ୍ୟ କରିଦେଉଛନ୍ତି । ତୁମେମାନେ ବାବାଙ୍କଠାରୁ ସାରା ସମ୍ପତ୍ତି ଯୋଗବଳ ଆଧାରରେ ହିଁ ପ୍ରାପ୍ତ କରୁଛ । ଯୋଗ ବିନା ସମ୍ପତ୍ତି ମିଳିପାରିବ ନାହିଁ ।

ଓମ୍ ଶାନ୍ତି ।
ଶିବ ଭଗବାନୁବାଚ । ବର୍ତ୍ତମାନ ନିରାକାର ଶିବ ଭଗବାନଙ୍କୁ ତ ସମସ୍ତେ ମାନୁଛନ୍ତି । ଏକମାତ୍ର ନିରାକାର ଶିବ ହିଁ ଅଟନ୍ତି, ଯାହାଙ୍କର ସମସ୍ତେ ପୂଜା କରୁଛନ୍ତି । ବାକି ଯେତେ ସବୁ ଦେହଧାରୀ ଅଛନ୍ତି, ସମସ୍ତଙ୍କର ସାକାର ରୂପ ଅଛି । ପ୍ରଥମେ ପ୍ରଥମେ ଆତ୍ମା ନିରାକାର ଥିଲା ପୁଣି ସାକାର ହେଲା । ଯେତେବେଳେ ଆତ୍ମା ସାକାର ହେଉଛି ଅର୍ଥାତ୍ ଶରୀରରେ ପ୍ରବେଶ କରୁଛି ସେତେବେଳେ ତା’ର ପାର୍ଟ ଚାଲୁଛି । ବ୍ରହ୍ମଲୋକରେ ତ କୌଣସି ପାର୍ଟ ନାହିଁ । ଯେମିତି ଅଭିନେତାମାନେ ଘରେ ଥିଲା ବେଳେ ଡ୍ରାମାର କୌଣସି ଅଭିନୟ କରନ୍ତି ନାହିଁ । ଷ୍ଟେଜକୁ ଆସିଲା ପରେ ହିଁ ଅଭିନୟ କରିଥା’ନ୍ତି । ସେମିତି ଆତ୍ମାମାନେ ମଧ୍ୟ ଏଠାକୁ ଆସି ଶରୀର ମାଧ୍ୟମରେ ଅଭିନୟ କରୁଛନ୍ତି । ତେବେ ମିଳିଥିବା ଅଭିନୟ ଉପରେ ହିଁ ସବୁକିଛି ନିର୍ଭର କରେ । ଆତ୍ମା ଆତ୍ମା ଭିତରେ ତ କୌଣସି ପ୍ରଭେଦ ନାହିଁ । ଯେମିତି ତୁମର (ପିଲାମାନଙ୍କର) ଆତ୍ମା ସେମିତି ୟାଙ୍କର ଆତ୍ମା । ବାବା ପରମ ଆତ୍ମା କ’ଣ କରୁଛନ୍ତି? ତାଙ୍କର କର୍ତ୍ତବ୍ୟ କ’ଣ, ତାହା ଜାଣିବାକୁ ହେବ । କେହି ରାଷ୍ଟ୍ରପତି ଅଟନ୍ତି, କେହି ରାଜା ଅଟନ୍ତି, ତେବେ ଏହା ଆତ୍ମାର ବୃତ୍ତି ଅଟେ ନା । ଏମାନେ ପବିତ୍ର ଦେବତା ଅଟନ୍ତି, ସେଥିପାଇଁ ଏମାନଙ୍କୁ ପୂଜା କରାଯାଏ । ଏବେ ତୁମେ ବୁଝିପାରୁଛ ଯେ ଲକ୍ଷ୍ମୀ-ନାରାୟଣ ଏହି ପାଠ ପଢି ବିଶ୍ୱର ମାଲିକ ହୋଇଛନ୍ତି । ତେବେ କିଏ କରିଲେ? ପରମ ଆତ୍ମା କରିଲେ । ତୁମେ ଆତ୍ମାମାନେ ମଧ୍ୟ ଏହି ପାଠ ପଢାଉଛ । ସବୁଠାରୁ ବଡ କଥା ଏହା ଯେ ବାବା ଆସି ତୁମମାନଙ୍କୁ ପଢାଉଛନ୍ତି ଏବଂ ରାଜଯୋଗ ମଧ୍ୟ ଶିଖାଉଛନ୍ତି । ଏହା କେତେ ସହଜ । ଏହାକୁ କୁହାଯାଏ ରାଜଯୋଗ । ବାବାଙ୍କୁ ମନେ ପକାଇବା ଦ୍ୱାରା ଆମେ ସତ୍ତ୍ୱପ୍ରଧାନ ହୋଇଯାଉଛୁ । ବାବା ତ ସର୍ବଦା ସତ୍ତ୍ୱପ୍ରଧାନ । ତେଣୁ ମନୁଷ୍ୟ ତାଙ୍କର କେତେ ମହିମା ଗାନ କରୁଛନ୍ତି । ଭକ୍ତିମାର୍ଗରେ କେତେ ଫଳ, କେତେ କ୍ଷୀର ଆଦି ଅର୍ପଣ କରୁଛନ୍ତି । କିନ୍ତୁ କିଛି ବୁଝିନାହାଁନ୍ତି । ଦେବତାମାନଙ୍କର ପୂଜା କରୁଛନ୍ତି, ଶିବଙ୍କ ଉପରେ କ୍ଷୀର, ଫୁଲ ଆଦି ଅର୍ପଣ କରୁଛନ୍ତି, କିନ୍ତୁ କିଛି ବି ଜାଣିନାହାଁନ୍ତି । ଦେବତାମାନେ ତ ରାଜତ୍ୱ କରିଥିଲେ । ଆଚ୍ଛା, ତେବେ ଶିବଙ୍କ ଉପରେ କାହିଁକି ଅର୍ପଣ କରୁଛନ୍ତି? ସିଏ ଏପରି କି କର୍ତ୍ତବ୍ୟ କରିଥିଲେ ଯେଉଁଥି ପାଇଁ ତାଙ୍କୁ ଏତେ ପୂଜା କରୁଛନ୍ତି? ଦେବତାମାନଙ୍କ ବିଷୟରେ ତ ଜଣା ଅଛି ଯେ ସେମାନେ ସ୍ୱର୍ଗର ମାଲିକ ଅଟନ୍ତି । କିନ୍ତୁ ସେମାନଙ୍କୁ ଏଭଳି କିଏ କରାଇଲେ, ଏକଥା ଜଣାନାହିଁ । ସେହିଭଳି ସମସ୍ତେ ଶିବଙ୍କର ମଧ୍ୟ ପୂଜା କରୁଛନ୍ତି କିନ୍ତୁ ବୁଦ୍ଧିରେ ନାହିଁ ଯେ, ଇଏ ଭଗବାନ ଅଟନ୍ତି । ତେବେ ଭଗବାନ ଏମାନଙ୍କୁ ଏହିଭଳି ଦେବତା କରିଛନ୍ତି । ଦୁନିଆରେ କେତେ ଭକ୍ତି କରୁଛନ୍ତି । କିନ୍ତୁ କେହି ତାଙ୍କୁ ଜାଣି ନାହାଁନ୍ତି । ତୁମେମାନେ ମଧ୍ୟ ଶିବଙ୍କର ପୂଜା କରିଥିବ, ଏବେ ତୁମେ ସବୁ କିଛି ବୁଝିପାରୁଛ, ଆଗରୁ କିଛି ଜାଣି ନ ଥିଲ । ତାଙ୍କର କର୍ତ୍ତବ୍ୟ କ’ଣ ଏବଂ ସିଏ କେଉଁ ସୁଖ ଦେଉଛନ୍ତି, ଏ ବିଷୟରେ କିଛି ବି ଜଣା ନ ଥିଲା । କ’ଣ ଏହି ଦେବତାମାନେ ସୁଖ ଦେଉଛନ୍ତି କି? ଯଦିଓ ରାଜା-ରାଣୀ, ପ୍ରଜାମାନଙ୍କୁ ସୁଖ ଦେଉଛନ୍ତି କିନ୍ତୁ ସେମାନଙ୍କୁ ତ ଶିବବାବା ଏହିଭଳି କରିଛନ୍ତି ନା । ତେଣୁ ସବୁ ମହିମା ବାବାଙ୍କର । ଏମାନେ ତ କେବଳ ରାଜତ୍ୱ କରୁଛନ୍ତି । ପ୍ରଜା ବି ହୋଇଯାଆନ୍ତି । ବାକି ଏମାନେ କାହାର କଲ୍ୟାଣ କରୁ ନାହାଁନ୍ତି । ଯଦିଓ କରୁଥିବେ ତେବେ ତାହା ମଧ୍ୟ ଅଳ୍ପ ସମୟ ପାଇଁ । ଏବେ ତୁମ ପିଲାମାନଙ୍କୁ ବାବା ଆସି ପଢାଉଛନ୍ତି । ତାଙ୍କୁ ହିଁ କଲ୍ୟାଣକାରୀ କୁହାଯାଏ । ବାବା ନିଜର ପରିଚୟ ଦେଉଛନ୍ତି, କହୁଛନ୍ତି ମୋତେ ଲିଙ୍ଗ ଆକାରରେ ତୁମେ ପୂଜା କରୁଥିଲ, ପରମ ଆତ୍ମା କହୁଥିଲ । ତେବେ ପରମ ଆତ୍ମାରୁ ପରମାତ୍ମା ହୋଇଥାଏ । କିନ୍ତୁ ଏକଥା ଜାଣି ନ ଥାଆନ୍ତି କି ଇଏ କ’ଣ କରୁଛନ୍ତି । ବାସ୍‌, କେବଳ କହିଦିଅନ୍ତି ଯେ ସେ ସର୍ବବ୍ୟାପୀ । ନାମ ରୂପରୁ ନିଆରା ଅଟନ୍ତି ବୋଲି ମଧ୍ୟ କୁହନ୍ତି । ତେବେ ତାଙ୍କ ଉପରେ କ୍ଷୀର ଆଦି ଅର୍ପଣ କରିବା, ଶୋଭା ପାଉନାହିଁ । ଆକାର ଅଛି ସେଥିପାଇଁ ତ ତାଙ୍କ ଉପରେ ଅର୍ପଣ କରୁଛ ନା । ତେଣୁ ତାଙ୍କୁ ନିରାକାର ବୋଲି ତ କୁହାଯାଇ ପାରିବ ନାହିଁ । ତୁମମାନଙ୍କ ସହିତ ଦୁନିଆର ମନୁଷ୍ୟମାନେ ବହୁତ ଯୁକ୍ତି ତର୍କ କରୁଛନ୍ତି, ବାବାଙ୍କ ଆଗରେ ମଧ୍ୟ ଆସି ଯୁକ୍ତି ତର୍କ କରିବେ । ଫାଲତୁରେ ମୁଣ୍ଡ ଖରାପ କରିଦେବେ କିନ୍ତୁ ଏଥିରେ କିଛି ବି ଲାଭ ନାହିଁ । ଏକଥା ବୁଝାଇବା ତ ତୁମ ପିଲାମାନଙ୍କର କର୍ତ୍ତବ୍ୟ । ତୁମେମାନେ ଜାଣିଛ - ବାବା ଆମକୁ କେତେ ଉଚ୍ଚ କରିଛନ୍ତି । ଏହା ହେଉଛି ପାଠପଢା । ଏଠାରେ ବାବା ଶିକ୍ଷକ ହୋଇ ପଢାଉଛନ୍ତି ଏବଂ ତୁମେମାନେ ମନୁଷ୍ୟରୁ ଦେବତା ହେବା ପାଇଁ ପାଠ ପଢୁଛ । ଦେବୀ-ଦେବତାମାନେ ସତ୍ୟଯୁଗରେ ଥା’ନ୍ତି, କଳିଯୁଗରେ ନ ଥା’ନ୍ତି । କାରଣ ଏଠାରେ ରାମ ରାଜ୍ୟ ହିଁ ନାହିଁ ଯାହାକି ପବିତ୍ର ରହିପାରିବେ । ଯେଉଁମାନେ ଦେବୀ-ଦେବତା ଥିଲେ ସେହିମାନେ ହିଁ ବାମ ମାର୍ଗକୁ ଚାଲିଯାଉଛନ୍ତି । ବାକି ଦୁନିଆରେ ଯେଉଁ ଚିତ୍ର ଦେଖାଉଛନ୍ତି, ବାସ୍ତବରେ ସେଭଳି ନୁହେଁ । ଜଗନ୍ନାଥଙ୍କ ମନ୍ଦିରରେ ସବୁ କଳା ଚିତ୍ର ହିଁ ଦେଖିବାକୁ ପାଇବ । ବାବା କହୁଛନ୍ତି ମାୟାକୁ ଜିତିଲେ ଜଗତଜୀତ୍ ହୋଇଯିବ । ତେଣୁ ସେମାନେ ଜଗତ-ନାଥ ନାମ ରଖି ଦେଇଛନ୍ତି । ମନ୍ଦିରର ଚତୁପାର୍ଶ୍ଵରେ ସବୁ ଅଶ୍ଳୀଳ ଚିତ୍ର ଦର୍ଶାଇଛନ୍ତି । ଦେଖାଇଛନ୍ତି ଦେବତାମାନେ ବାମ ମାର୍ଗରେ ଯିବା ଦ୍ୱାରା କଳା ହୋଇଗଲେ । ସେମାନଙ୍କର ପୂଜା ମଧ୍ୟ କରିଚାଲିଛନ୍ତି । ଆମେ କେବେ ପୂଜ୍ୟ ଥିଲୁ - ଏହା କଥା ତ ମନୁଷ୍ୟମାନଙ୍କୁ ଜଣା ନାହିଁ । ୮୪ ଜନ୍ମର ହିସାବ କାହାର ବି ବୁଦ୍ଧିରେ ନାହିଁ । ପ୍ରଥମେ ପୂଜ୍ୟ ସତ୍ତ୍ୱପ୍ରଧାନ ଥିଲେ ପୁଣି ୮୪ ଜନ୍ମ ନେଇ ନେଇ ତମଃପ୍ରଧାନ ପୂଜାରୀ ହୋଇଯାଇଛନ୍ତି । ରଘୁନାଥ ମନ୍ଦିରରେ କଳା ଚିତ୍ର ଦେଖାଇଛନ୍ତି, ଅର୍ଥାତ୍ ଏହାର କିଛି ବି ଜାଣିନାହାଁନ୍ତି । ଏବେ ତୁମମାନଙ୍କୁ ବାବା ବୁଝାଉଛନ୍ତି । ତୁମେ ଜ୍ଞାନ ଚିତାରେ ବସି ଗୋରା (ପବିତ୍ର) ହେଉଛ ପୁଣି କାମ ବିକାର ରୂପି ଚିତାରେ ବସି କଳା (ପତିତ) ହୋଇଯାଇଥାଅ । ଦେବତାମାନେ ବାମ ମାର୍ଗରେ ଯାଇ ବିକାରୀ ହୋଇଗଲେ, ତେଣୁ ତାଙ୍କର ନାମ ଦେବତା ତ ରଖାଯାଇପାରିବ ନାହିଁ । ବାମମାର୍ଗରେ ଯିବା ଦ୍ୱାରା କଳା ହୋଇଯାଇଛନ୍ତି, ଏହାର ସ୍ମାରକୀ ମନ୍ଦିରମାନଙ୍କରେ ଦେଖାଇଛନ୍ତି । ତୁମେମାନେ ଜାଣିଛ ଯେ ଶିବବାବା କେବେ କଳା (ପତିତ) ହୁଅନ୍ତି ନାହିଁ । ସିଏ ତ ହୀରା ଅଟନ୍ତି, ଯିଏ ତୁମମାନଙ୍କୁ ମଧ୍ୟ ହୀରା ଭଳି କରୁଛନ୍ତି । ସିଏ ତ କେବେ କଳା ହୁଅନ୍ତି ନାହିଁ ପୁଣି ତାଙ୍କୁ କାହିଁକି କଳା କରିଦେଇଛନ୍ତି! କେହି ଚିତ୍ରକାର କଳା ହୋଇଥିବ ସେଥିପାଇଁ ଶିବଙ୍କୁ ମଧ୍ୟ କଳା କରିଦେଇଥିବ । ଶିବବାବା କହୁଛନ୍ତି ମୁଁ କି ଦୋଷ କଲି ଯାହା ଦ୍ୱାରା ମୋତେ କଳା କରିଦେଲ । ମୁଁ ତ ସମସ୍ତଙ୍କୁ ଗୋରା କରିବା ପାଇଁ ଆସୁଛି, ମୁଁ ତ ସର୍ବଦା ଗୋରା ଅଟେ । ମନୁଷ୍ୟମାନଙ୍କର ବୁଦ୍ଧି ଏଭଳି ହୋଇଯାଇଛି ଯେ ସେମାନେ କିଛି ବି ବୁଝୁନାହାଁନ୍ତି । ଶିବବାବା ତ ସମସ୍ତଙ୍କୁ ହୀରା ଭଳି କରିଥାଆନ୍ତି । ମୁଁ ତ ସର୍ବଦା ଗୋରା (ପବିତ୍ର) ଯାତ୍ରୀ ଅଟେ । ମୁଁ କ’ଣ କଲି ଯେ ମୋତେ କଳା କରିଦେଲେ । ଏବେ ତୁମକୁ ଉଚ୍ଚ ପଦ ପ୍ରାପ୍ତ କରିବା ପାଇଁ ମଧ୍ୟ ଗୋରା (ପବିତ୍ର) ହେବାକୁ ପଡିବ । ତେବେ ଉଚ୍ଚ ପଦ କିପରି ପ୍ରାପ୍ତ କରିବ? ତାହା ତ ବାବା ବୁଝାଇଛନ୍ତି ଯେ ବାବାଙ୍କୁ ଅନୁକରଣ କର । ଯେମିତି ଏହି ବ୍ରହ୍ମାବାବା ସବୁ କିଛି ବାବାଙ୍କୁ ସମର୍ପଣ କରିଦେଲେ । ଫାଦରଙ୍କୁ (ବ୍ରହ୍ମାବାବାଙ୍କୁ) ଦେଖ, ସିଏ କିଭଳି ସବୁ କିଛି ଦେଇ ଦେଲେ । ଯଦିଓ ସାଧାରଣ ଥିଲେ, ନା ବହୁତ ଗରୀବ, ନା ବହୁତ ସାହୁକାର ଥିଲେ । ବାବା ଏବେ ବି କହୁଛନ୍ତି - ତୁମର ଖାଦ୍ୟପେୟ ସବୁ କିଛି ମଧ୍ୟମ ହେବା ଦରକାର । ନା ବହୁତ ଉଚ୍ଚ, ନା ବହୁତ ନୀଚ୍ଚ । ବାବା ହିଁ ସବୁ ଶିକ୍ଷା ଦେଉଛନ୍ତି । ଦେଖିବାକୁ ଗଲେ ଇଏ ମଧ୍ୟ ସାଧାରଣ, ବୃଦ୍ଧ ଶରୀରରେ ହିଁ ଆସୁଛନ୍ତି । ତୁମକୁ କହୁଛନ୍ତି କେଉଁଠି ଭଗବାନ ଅଛନ୍ତି, ଦେଖାଅ । ଆରେ, ଆତ୍ମା ତ ବିନ୍ଦୁ ଅଟେ, ତାଙ୍କୁ କ’ଣ ଦେଖି ହେବ କି! ଏହା ତ ଜାଣିଛ - ଆତ୍ମାର ସାକ୍ଷାତ୍‌କାର ଏହି ଚକ୍ଷୁରେ ହୋଇ ପାରିବ ନାହିଁ । ତୁମେ କହୁଛ ଭଗବାନ ପାଠ ପଢାଉଛନ୍ତି, ତେବେ ନିଶ୍ଚିତ କେହି ଶରୀରଧାରୀ ହୋଇଥିବେ । ନିରାକାର କିପରି ପଢାଇବେ । ମନୁଷ୍ୟମାନଙ୍କୁ ତ କିଛି ବି ଜଣା ନାହିଁ । ଯେମିତି ତୁମେ ଆତ୍ମା ଏହି ଶରୀର ଦ୍ୱାରା ଅଭିନୟ କରୁଛ । ତେବେ ଆତ୍ମା ହିଁ ଅଭିନୟ କରୁଛି ନା । ଆତ୍ମା ହିଁ ଶରୀର ମାଧ୍ୟମରେ କଥା କହୁଛି । ତେବେ ଆତ୍ମାବାଚ । କିନ୍ତୁ ଆତ୍ମାବାଚ ବୋଲି କହିବା ଶୋଭା ପାଉ ନାହିଁ । ଆତ୍ମା ତ ବାନପ୍ରସ୍ଥ, ବାଣୀରୁ ଉର୍ଦ୍ଧ୍ୱରେ ଥାଏ । ତେବେ କଥାବାର୍ତ୍ତା ତ ଶରୀର ଦ୍ୱାରା ହିଁ କରିବ । ବାଣୀରୁ ଉର୍ଦ୍ଧ୍ୱରେ କେବଳ ଆତ୍ମା ହିଁ ରହୁଛି । ବାକି ବାଣୀରେ ଆସିବାକୁ ହେଲେ ଶରୀରର ମାଧ୍ୟମ ନିଶ୍ଚିତ ଦରକାର । ବାବା ମଧ୍ୟ ଜ୍ଞାନର ସାଗର ଅଟନ୍ତି ତେବେ ନିଶ୍ଚିତ କାହାର ଶରୀରର ଆଧାର ନେବେ ନା । ତାଙ୍କୁ ରଥ କୁହାଯାଉଛି । ନଚେତ୍ ବାବା ଶୁଣାଇବେ କିପରି? ବାବା ପତିତରୁ ପାବନ ହେବା ପାଇଁ ଶିକ୍ଷା ଦେଉଛନ୍ତି । ଏଥିରେ ପ୍ରେରଣାର କିଛି କଥା ହିଁ ନାହିଁ । ଏହା ତ ଜ୍ଞାନର କଥା । ତେବେ ସିଏ କିପରି ଆସିବେ? କାହା ଶରୀରରେ ଆସିବେ? ସିଏ ତ ନିଶ୍ଚିତ ମନୁଷ୍ୟ ଶରୀରରେ ହିଁ ଆସିବେ । ତେବେ କେଉଁ ମନୁଷ୍ୟ ଶରୀରରେ ଆସିବେ? ଏକଥା ତୁମମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଜଣା ନାହିଁ । ରଚୟିତା ନିଜେ ଆସି ନିଜର ପରିଚୟ ଦେଉଛନ୍ତି । ମୁଁ କିପରି ଏବଂ କାହା ରଥରେ ଆସୁଛି? ପିଲାମାନେ ତ ଜାଣିଛନ୍ତି କି ବାବାଙ୍କର ରଥ କିଏ । ଦୁନିଆର ମନୁଷ୍ୟମାନେ ବହୁତ ଦ୍ୱନ୍ଦ୍ୱରେ ପଡୁଛନ୍ତି । କାହାର କାହାର ସବୁ ରଥ ତିଆରି କରି ଦେଉଛନ୍ତି । ପଶୁପକ୍ଷୀମାନଙ୍କ ଶରୀରରେ ତ ଭଗବାନ ଆସିପାରିବେ ନାହିଁ । ବାବା କହୁଛନ୍ତି ମୁଁ କେଉଁ ମନୁଷ୍ୟ ଶରୀରରେ ଆସିବି । ଏ କଥା ତ ବୁଝିପାରିବେ ନାହିଁ । ବାବାଙ୍କର ଅବତରଣ ଭାରତରେ ହିଁ ହେଉଛି । ତେବେ ଭାରତବାସୀମାନଙ୍କ ଭିତରୁ ମଧ୍ୟ କାହାର ଶରୀରରେ ଆସିବି, କ’ଣ ରାଷ୍ଟ୍ରପତି ବା ସାଧୁ ମହାତ୍ମାଙ୍କ ଶରୀରରେ ଆସିବି? ଏମିତି ବି ନୁହେଁ ଯେ ମୁଁ ପବିତ୍ର ରଥରେ ଆସିବି । ଏହା ତ ହେଉଛି ହିଁ ରାବଣ ରାଜ୍ୟ । ଗାୟନ ମଧ୍ୟ ରହିଛି - ଦୂର ଦେଶ କେ ରହନେ ବାଲା (ଦୂରଦେଶର ନିବାସୀ)....

ଏହା ମଧ୍ୟ ତୁମେମାନେ ଜାଣିଛ ଯେ ଭାରତ ହେଉଛି ଅବିନାଶୀ ଖଣ୍ଡ । ଏହାର କେବେ ବିନାଶ ହୁଏ ନାହିଁ । ଅବିନାଶୀ ପିତା ଅବିନାଶୀ ଭାରତ ଖଣ୍ଡରେ ହିଁ ଆସୁଛନ୍ତି । ତେବେ ସିଏ କାହା ଶରୀରରେ ଆସୁଛନ୍ତି, ଏକଥା ସିଏ ନିଜେ ହିଁ କହୁଛନ୍ତି । ଅନ୍ୟମାନେ ତ କେହି ଜାଣିପାରିବେ ନାହିଁ । ତୁମେ ଜାଣିଛ ବାବା କୌଣସି ସାଧୁ ମହାତ୍ମାଙ୍କ ଶରୀରରେ ଆସିବେ ନାହିଁ । ସେମାନେ ହେଉଛନ୍ତି ହଠଯୋଗୀ, ନିବୃତ୍ତିମାର୍ଗୀ । ବାକି ରହିଲେ ଭାରତବାସୀ ଭକ୍ତ । ତେବେ ଭକ୍ତମାନଙ୍କ ଭିତରୁ କେଉଁ ଭକ୍ତର ଶରୀରରେ ଆସିବେ? ଭକ୍ତ ମଧ୍ୟ ପୁରୁଣା ହୋଇଥିବା ଦରକାର, ଯିଏକି ବହୁତ ଭକ୍ତି କରିଥିବେ । ଭକ୍ତିର ଫଳ ଭଗବାନଙ୍କୁ ଦେବା ପାଇଁ ତ ନିଶ୍ଚିତ ଆସିବାକୁ ପଡିବ । ଭାରତରେ ଭକ୍ତ ତ ଅନେକ ଅଛନ୍ତି । କହିବେ ଇଏ ବହୁତ ବଡ ଭକ୍ତ, ୟାଙ୍କ ଶରୀରରେ ଆସିବା ଦରକାର । ଏମିତି ତ ବହୁତ ଭକ୍ତ ଥାଆନ୍ତି । କାଲିକି ଯଦି କାହାର ବୈରାଗ୍ୟ ଆସିଯିବ, ତେବେ ସିଏ ମଧ୍ୟ ଭକ୍ତ ହୋଇଯିବ । କିନ୍ତୁ ସିଏ ଏହି ଜନ୍ମର ଭକ୍ତ ହୋଇଗଲା ନା । ତେବେ ତାଙ୍କ ଶରୀରରେ ତ ବାବା ଆସିବେ ନାହିଁ । ମୁଁ ତାଙ୍କରି ଶରୀରରେ ଆସୁଛି, ଯିଏ ପ୍ରଥମେ ପ୍ରଥମେ ଭକ୍ତି ଆରମ୍ଭ କରିଛନ୍ତି । ଦ୍ୱାପରରୁ ହିଁ ଭକ୍ତି ଆରମ୍ଭ ହୋଇଛି । ଏହି ହିସାବ-କିତାବ କେହି ବୁଝିପାରିବେ ନାହିଁ । ଏହା ସବୁ କେତେ ଗୁପ୍ତ କଥା । ମୁଁ ତାଙ୍କ ଶରୀରରେ ହିଁ ଆସୁଛି ଯିଏ ପ୍ରଥମେ ପ୍ରଥମେ ଭକ୍ତି ଆରମ୍ଭ କରିଛନ୍ତି । ଯିଏ ପ୍ରଥମ ନମ୍ବରର ପୂଜ୍ୟ ଥିଲେ ସିଏ ହିଁ ପ୍ରଥମ ନମ୍ବରର ପୂଜାରୀ ହେବ । ବାବା ନିଜେ କହୁଛନ୍ତି - ଏହି ରଥ ହିଁ ପ୍ରଥମ ନମ୍ବରରେ ଜନ୍ମ ନେଉ ଯାଉଛନ୍ତି । ପୁଣି ୮୪ ଜନ୍ମ ମଧ୍ୟ ଇଏ ନେଉଛନ୍ତି । ମୁଁ ୟାଙ୍କର ହିଁ ବହୁତ ଜନ୍ମର ଶେଷ ଜନ୍ମର, ଶେଷ ସମୟରେ ପ୍ରବେଶ କରୁଛି । ୟାଙ୍କୁ ହିଁ ପୁଣି ପ୍ରଥମ ନମ୍ବରର ରାଜା ହେବାର ଅଛି । ଇଏ ବହୁତ ଭକ୍ତି କରିଥିଲେ । ତେବେ ଭକ୍ତିର ଫଳ ମଧ୍ୟ ୟାଙ୍କୁ ମିଳିବା ଦରକାର । ବାବା ପିଲାମାନଙ୍କୁ ଦେଖାଉଛନ୍ତି ଯେ ଦେଖ ଇଏ (ବ୍ରହ୍ମା) କିଭଳି ମୋ ଉପରେ ସମର୍ପଣ ହୋଇଗଲେ । ସବୁକିଛି ଦେଇ ଦେଲେ । ଏତେ ସବୁ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ଧନ ମଧ୍ୟ ଦରକାର । ଈଶ୍ୱରଙ୍କର ଯଜ୍ଞ ରଚନା କରାଯାଇଛି । ଭଗବାନ ଏହାଙ୍କ (ବ୍ରହ୍ମାଙ୍କ) ଶରୀରରେ ଆସି ରୁଦ୍ର ଜ୍ଞାନ ଯଜ୍ଞ ରଚନା କରୁଛନ୍ତି, ଏହାକୁ ପାଠପଢା ମଧ୍ୟ କୁହାଯାଏ । ରୁଦ୍ର ଶିବବାବା ଯିଏକି ଜ୍ଞାନର ସାଗର ଅଟନ୍ତି ସିଏ ଜ୍ଞାନ ଦେବା ପାଇଁ ଯଜ୍ଞ ରଚନା କରିଛନ୍ତି । ଏହି ଅକ୍ଷର ମଧ୍ୟ ବିଲ୍‌କୁଲ୍ ଠିକ୍ । ଏହି ଯଜ୍ଞ ସ୍ୱରାଜ୍ୟ ପ୍ରାପ୍ତ କରିବା ପାଇଁ ଅଟେ । ତେବେ ଏହାକୁ ଯଜ୍ଞ କାହିଁକି କୁହାଯାଉଛି? ଦୁନିଆରେ ତ ଯଜ୍ଞରେ ବହୁତ ଆହୁତି ଆଦି ଦେଇଥାଆନ୍ତି । ତୁମେ ତ ଏଠାରେ ପାଠ ପଢୁଛ ଆହୁତି କ’ଣ ଦେଉଛ? ତୁମେ ଜାଣିଛ ଆମେ ପାଠପଢି ହୁସିଆର ହୋଇଯିବୁ । ପୁଣି ସାରା ଦୁନିଆ ଏଥିରେ ସ୍ୱାହା ହୋଇଯିବ । ଯଜ୍ଞ ଶେଷରେ ଯେତେ ସବୁ ସାମଗ୍ରୀ ଥାଏ, ସେସବୁକୁ ଆହୁତି ଦେଇ ଥାଆନ୍ତି ।

ତୁମେମାନେ ଜାଣିଛ ଯେ ଏବେ ଆମକୁ ବାବା ପାଠ ପଢାଉଛନ୍ତି । ବାବା ତ ବହୁତ ସାଧାରଣ ଅଟନ୍ତି । ଏ କଥା ମନୁଷ୍ୟମାନେ କ’ଣ ଜାଣିବେ । ଦୁନିଆରେ ବଡ-ବଡ ଲୋକମାନଙ୍କର ତ ବହୁତ ମହିମା ହୋଇଥାଏ । ବାବା ତ ବହୁତ ସାଧାରଣ ରୂପରେ ବସିଛନ୍ତି । ଏ କଥା ମନୁଷ୍ୟମାନେ କିପରି ଜାଣିବେ । ଏହି ବ୍ରହ୍ମାବାବା ତ ହୀରା ବ୍ୟବସାୟୀ ଥିଲେ । ଶକ୍ତି ତ କିଛି ଦୃଶ୍ୟମାନ ହେଉନାହିଁ । କେବଳ ଏତିକି କହିଦେଉଛନ୍ତି ୟାଙ୍କ ଭିତରେ କିଛି ଶକ୍ତି ଅଛି । ବାସ୍ । ଏକଥା ବୁଝୁନାହାଁନ୍ତି କି ୟାଙ୍କ ଶରୀରରେ ସର୍ବଶକ୍ତିମାନ ବାବା ଅଛନ୍ତି । ୟାଙ୍କ ଭିତରେ ଶକ୍ତି ଅଛି, ତେବେ ସେହି ଶକ୍ତି ମଧ୍ୟ ଆସିଲା କେଉଁଠାରୁ? ବାବା ହିଁ ପ୍ରବେଶ କରିଛନ୍ତି ନା । ତାଙ୍କର ଯାହା ସବୁ ସମ୍ପତ୍ତି ଅଛି ସିଏ କ’ଣ ଏମିତି ଦେଇଦେବେ କି! ତୁମେ ତାଙ୍କଠାରୁ ଯୋଗବଳ ଦ୍ୱାରା ନେଉଛ । ସିଏ ତ ସର୍ବଶକ୍ତିମାନ ହିଁ ଅଟନ୍ତି । ତାଙ୍କର ଶକ୍ତି କୁଆଡେ ଚାଲିଯାଉ ନାହିଁ । ପରମାତ୍ମାଙ୍କୁ ସର୍ବଶକ୍ତିମାନ ବୋଲି କାହିଁକି କୁହାଯାଉଛି, ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ବାବା ଆସି ସବୁ କଥା ବୁଝାଉଛନ୍ତି । ବାବା କହୁଛନ୍ତି ମୁଁ ଯାହାଙ୍କ ଶରୀରରେ ପ୍ରବେଶ କରୁଛି, ତାଙ୍କ ଭିତରେ ତ ପୁରା କଳଙ୍କ ଭରି ରହିଥିଲା - କାରଣ ମୁଁ ପୁରୁଣା ଦେଶ, ପୁରୁଣା ଶରୀର ଏବଂ ତାଙ୍କର ବହୁତ ଜନ୍ମର ଶେଷ ସମୟରେ ଆସୁଛି, ତେଣୁ ଯେଉଁ କଳଙ୍କ ସବୁ ଭରି ରହିଛି, ମୋ ବ୍ୟତୀତ ତାକୁ ଅନ୍ୟ କେହି ଛଡାଇ ପାରିବେ ନାହିଁ । କଳଙ୍କ ଛଡାଇଲାବାଲା ଏକମାତ୍ର ସତ୍‌ଗୁରୁ ହିଁ ଅଟନ୍ତି, ସିଏ ପରମ ପବିତ୍ର ଅଟନ୍ତି । ଏହି କଥାକୁ କେବଳ ତୁମେମାନେ ହିଁ ବୁଝୁଛ । ଏ ସବୁ କଥା ବୁଝିବା ପାଇଁ ମଧ୍ୟ ସମୟ ଦରକାର । ତୁମ, ପିଲାମାନଙ୍କୁ ବାବା ସବୁ କିଛି ଉଇଲ୍ କରି ଦେଉଛନ୍ତି । ବାବା ଜ୍ଞାନର ସାଗର, ଶାନ୍ତିର ସାଗର ଅଟନ୍ତି, ସିଏ ସବୁ କିଛି ପିଲାମାନଙ୍କୁ ଉଇଲ୍ କରିଦେଇଛନ୍ତି ଏବଂ ଆସୁଛନ୍ତି ମଧ୍ୟ ପୁରୁଣା ଦୁନିଆରେ । ପ୍ରବେଶ ମଧ୍ୟ ତାଙ୍କ ଶରୀରରେ କରୁଛନ୍ତି, ଯିଏ ହୀରା ତୁଲ୍ୟ ଥିଲେ ପୁଣି କଉଡି ତୁଲ୍ୟ ହୋଇଯାଇଛନ୍ତି । ଦୁନିଆରେ ଯଦି କେହି କୋଟିପତି ଅଛନ୍ତି କିନ୍ତୁ ତାହା ଅଳ୍ପ ସମୟ ପାଇଁ । କାରଣ ସମସ୍ତଙ୍କର ସବୁ କିଛି ବିନାଶ ହୋଇଯିବ । ତୁମେମାନେ ହିଁ ସାହୁକାର ହେଉଛ । ଏବେ ତୁମେମାନେ ମଧ୍ୟ ବିଦ୍ୟାର୍ଥୀ ଅଟ । ଇଏ (ବ୍ରହ୍ମା) ମଧ୍ୟ ବିଦ୍ୟାର୍ଥୀ ଅଟନ୍ତି ଏବଂ ବହୁତ ଜନ୍ମର ଅନ୍ତିମ ସମୟରେ ଅଛନ୍ତି । କଳଙ୍କ ଭରି ରହିଛି । ଯିଏ ବହୁତ ଭଲ ପଢିଥା’ନ୍ତି, ତାଙ୍କ ଭିତରେ ହିଁ କଳଙ୍କ ଭରି ଯାଇଛି । ଇଏ ହିଁ ସବୁଠାରୁ ଅଧିକ ପତିତ ହୋଇଯାଇଛନ୍ତି । ପୁଣି ତାଙ୍କୁ ହିଁ ପବିତ୍ର ହେବାକୁ ହେବ । ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ । ବାବା ତ ସତ୍ୟ କଥା କହୁଛନ୍ତି । କାରଣ ବାବା ହେଉଛନ୍ତି ସତ୍ୟ । ସିଏ କେବେ ଓଲଟା କଥା କୁହନ୍ତି ନାହିଁ । ଏ ସବୁ କଥା କୌଣସି ମନୁଷ୍ୟ ବୁଝିପାରିବେ ନାହିଁ । ତୁମମାନଙ୍କ ବ୍ୟତୀତ ଏକଥା ମନୁଷ୍ୟମାନେ କିପରି ଜାଣିପାରିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଉଚ୍ଚ ପଦ ପ୍ରାପ୍ତ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପିତାକୁ ଅନୁକରଣ କରିବାକୁ ହେବ । ସବୁ କିଛି ବାବାଙ୍କୁ ସମର୍ପି ଦେଇ ନିଜେ ନିମିତ୍ତ ହୋଇ ସେସବୁ ବୁଝା ସୁଝା କରିବାକୁ ହେବ, ସମ୍ପୂର୍ଣ୍ଣ ସମର୍ପିତ ହେବାକୁ ପଡିବ । ଖାଇବା-ପିଇବା-ରହିବା ସବୁ କିଛି ମଝି-ମଝିଆ ସାଧାରଣ ରଖିବାକୁ ହେବ, ବହୁତ ଆଡମ୍ବର ପୂର୍ଣ୍ଣ ନୁହେଁ କିମ୍ବା ଅତି ନିମ୍ନ ସ୍ତରର ନୁହେଁ ।

(୨) ବାବା ଯେଉଁ ସୁଖ-ଶାନ୍ତି, ଜ୍ଞାନ ରୂପକ ସମ୍ପତ୍ତି ୱିଲ୍ କରିଛନ୍ତି, ସେଗୁଡିକୁ ଅନ୍ୟମାନଙ୍କୁ ମଧ୍ୟ ବାଣ୍ଟିବାକୁ ହେବ । ସମସ୍ତଙ୍କର କଲ୍ୟାଣକାରୀ ହେବାକୁ ପଡିବ ।

ବରଦାନ:-
ପବିତ୍ରତାର ଗହନ ରହସ୍ୟକୁ ଜାଣି ସୁଖ-ଶାନ୍ତିରେ ସମ୍ପନ୍ନ ହେଉଥିବା ମହାନ ଆତ୍ମା ହୁଅ ।

ପବିତ୍ରତା ଶକ୍ତିର ମହାନତାକୁ ଜାଣି ପବିତ୍ର ଅର୍ଥାତ୍ ପୂଜ୍ୟ ଦେବାତ୍ମା ଏବେଠାରୁ ହୁଅ । ଏମିତି ନୁହେଁ ଯେ ଏବେ ନ ହୋଇ ପାରିଲେ ଶେଷ ସମୟରେ ହୋଇଯିବ । ନା । ବହୁତ ସମୟର ଜମା ହୋଇଥିବା ଶକ୍ତି ଶେଷ ସମୟରେ କାମରେ ଆସିବ । ପବିତ୍ର ହେବା କୌଣସି ସାଧାରଣ କଥା ନୁହେଁ । ବ୍ରହ୍ମଚାରୀ ହୋଇ ରହୁଛ, ପବିତ୍ର ହୋଇ ଯାଇଛ.... କିନ୍ତୁ ପବିତ୍ରତା ତ ସୁଖ ଶାନ୍ତିର ଜନନୀ ଅଟେ, ଚାହେଁ ସଂକଳ୍ପ ଦ୍ୱାରା, ଚାହେଁ ନିଜର ମନୋବୃତ୍ତି ଦ୍ୱାରା, ବାୟୁମଣ୍ଡଳ ଦ୍ୱାରା, ବାଣୀ ଦ୍ୱାରା, ସମ୍ପର୍କ ଦ୍ୱାରା ସୁଖ-ଶାନ୍ତିର ଜନନୀ ହେବା - ଏହାକୁ କୁହାଯାଏ ମହାନ ଆତ୍ମା ।

ସ୍ଲୋଗାନ:-
ଉଚ୍ଚ ସ୍ଥିତିରେ ସ୍ଥିତ ହୋଇ ସର୍ବ ଆତ୍ମାମାନଙ୍କୁ ଦୟାର ଦୃଷ୍ଟି ଦିଅ ଏବଂ ଏହାର ପ୍ରକମ୍ପନ ଚାରିଆଡେ ବିଚ୍ଛୁରିତ କର ।