12.06.26 Morning Odia Murli Om Shanti BapDada Madhuban
“ମିଠା ମିଠା ଜ୍ଞାନୀ
ସନ୍ତାନମାନେ: - ସର୍ବଦା ସ୍ମୃତିରେ ରଖ ଯେ ମୁଁ ଅବିନାଶୀ ଆତ୍ମା, ମୋତେ ଏବେ ବାବାଙ୍କ ସହିତ
ପ୍ରଥମ ମହଲା ଶାନ୍ତିଧାମକୁ ଯିବାକୁ ହେବ ।”
ପ୍ରଶ୍ନ:-
କେଉଁ ପ୍ରକାରର
ପରିଶ୍ରମ ତୁମ ପ୍ରତ୍ୟେକ ସନ୍ତାନମାନଙ୍କୁ ନିଶ୍ଚିତ କରିବାକୁ ହେବ?
ଉତ୍ତର:-
ବାବା ତୁମକୁ ଯେଉଁ ଏତେ ଜ୍ଞାନ ଦେଉଛନ୍ତି, ତାକୁ ନିଜ ହୃଦୟରେ ରଖ । ଭିତରେ ଭିତରେ ଏହାର ଚିନ୍ତନ
ମନ୍ଥନ କରି ତାକୁ ହଜମ କର, ଯାହା ଦ୍ୱାରା ଶକ୍ତି ମିଳିବ । ଏହି ପରିଶ୍ରମ ପ୍ରତ୍ୟେକଙ୍କୁ ଅବଶ୍ୟ
କରିବା ଦରକାର । ଯେଉଁମାନେ ଏହିଭଳି ଗୁପ୍ତ ମେହନତ କରୁଛନ୍ତି, ସେମାନେ ସର୍ବଦା ହର୍ଷିତ
ରହିଥା’ନ୍ତି, ସେମାନଙ୍କର ନିଶା ରହିଥାଏ ଯେ ଆମକୁ ପଢାଇଲାବାଲା କିଏ! ଆମେ କାହା ସମ୍ମୁଖରେ ବସିଛୁ!
ଓମ୍ ଶାନ୍ତି ।
ଏକଥା କିଏ କହୁଛନ୍ତି? ଦୁଇଥର କହୁଛନ୍ତି ଓମ୍ ଶାନ୍ତି, ଓମ୍ ଶାନ୍ତି । ଥରେ ଶିବବାବା କହିଲେ, ଆଉ
ଥରେ ବ୍ରହ୍ମାବାବା କହିଲେ । ଏହି ବାପଦାଦା ଉଭୟ ଏକତ୍ର ରହିଛନ୍ତି । ତେଣୁ ଉଭୟଙ୍କୁ କହିବାକୁ
ପଡିବ ଓମ୍ ଶାନ୍ତି, ଓମ୍ ଶାନ୍ତି । ତେବେ ପ୍ରଥମେ କିଏ କହିଲେ? ପରେ କିଏ କହିଲେ? ପ୍ରଥମେ
ଶିବବାବା କହିଲେ ଓମ୍ ଶାନ୍ତି । ମୁଁ ଶାନ୍ତିର ସାଗର ଅଟେ, ପରେ କିଏ କହିଲେ? ଦାଦାଙ୍କ ଆତ୍ମା
କହିଲେ । ପିଲାମାନଙ୍କୁ ମନେ ପକାଇ ଦେଉଛନ୍ତି ଓମ୍ ଶାନ୍ତି । ମୁଁ ତ ସର୍ବଦା ଦେହୀ-ଅଭିମାନୀ ଅଟେ,
କେବେ ହେଲେ ଦେହ-ଅଭିମାନରେ ଆସେ ନାହିଁ । ଏକମାତ୍ର ବାବା ହିଁ ସର୍ବଦା ଦେହୀ-ଅଭିମାନୀ ହୋଇ
ରହିଥା’ନ୍ତି । ବ୍ରହ୍ମା, ବିଷ୍ଣୁ, ଶଙ୍କର ଏପରି କହିବେ ନାହିଁ । ତୁମେ ଜାଣିଛ ବ୍ରହ୍ମା, ବିଷ୍ଣୁ,
ଶଙ୍କରଙ୍କର ମଧ୍ୟ ସୂକ୍ଷ୍ମ ରୂପ ଅଛି । ଶରୀର ରହିତ ଏକମାତ୍ର ଶିବବାବା ହିଁ ଓମ୍ ଶାନ୍ତି
କହୁଛନ୍ତି । ବାବା ତୁମକୁ ଭଲ ଭାବରେ ବୁଝାଉଛନ୍ତି ଏବଂ କହୁଛନ୍ତି ମୁଁ କଳ୍ପରେ ଥରେ ମାତ୍ର ଆସୁଛି,
ମୁଁ ସର୍ବଦା ଦେହୀ-ଅଭିମାନୀ ଅଟେ । ମୁଁ ପୁନର୍ଜନ୍ମରେ ଆସୁନାହିଁ ସେଥିପାଇଁ ମୋର ମହିମା ହିଁ
ଅଲଗା ଅଟେ । ମୋତେ ନିରାକାର ପରମପିତା ପରମାତ୍ମା ବୋଲି କହୁଛନ୍ତି । ଭକ୍ତିମାର୍ଗରେ ମଧ୍ୟ
ଶିବଙ୍କ ପାଇଁ ନିରାକାର ପରମପିତା ପରମାତ୍ମା ବୋଲି କହିଥାନ୍ତି । ନିରାକାରଙ୍କର ପୂଜା ହୋଇଥାଏ ।
ସେ କେବେହେଲେ ଦେହରେ ଆସୁନାହାଁନ୍ତି ଅର୍ଥାତ୍ ଦେହ-ଅଭିମାନୀ ହେଉ ନାହାଁନ୍ତି । ଆଚ୍ଛା ପୁଣି ତା
ତଳକୁ ସୁକ୍ଷ୍ମବତନକୁ ଆସନ୍ତୁ, ଯେଉଁଠାରେ ବ୍ରହ୍ମା-ବିଷ୍ଣୁ-ଶଙ୍କର ରହୁଛନ୍ତି । ଶିବଙ୍କର ନାମ
ରୂପ ତ ଦେଖାଯାଏ ନାହିଁ । ଚିତ୍ର ତିଆରି ହେଉଛି କିନ୍ତୁ ସେ ନିରାକାର, ସେ କେବେ ସାକାରର ହୁଅନ୍ତି
ହିଁ ନାହାଁନ୍ତି । ପୂଜା ମଧ୍ୟ ନିରାକାରଙ୍କର ହୋଇଥାଏ । ପିଲାମାନଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ
ରହିଥାଏ । ତୁମେ ଅନେକ ଜନ୍ମ ଭକ୍ତି ତ କରିଛ । ପିଲାମାନେ ତ ଚିତ୍ର ଦେଖୁଛନ୍ତି, ତୁମେମାନେ
ଜାଣିଛ ଯେ ସତ୍ୟଯୁଗ-ତ୍ରେତାରେ ନା ଚିତ୍ରର ଭକ୍ତି କରିବେ, ନା ବିଚିତ୍ରର । ବୁଦ୍ଧିରେ ରହୁ ଯେ
ପରମପିତା ପରମାତ୍ମା ବିଚିତ୍ର ଅଟନ୍ତି । ତାଙ୍କର ନା ସୂକ୍ଷ୍ମ ନା ସ୍ଥୂଳ ଚିତ୍ର ରହିଛି ।
ତାଙ୍କର ମହିମା ଦୁଃଖହର୍ତ୍ତା, ସୁଖକର୍ତ୍ତା, ପତିତ-ପାବନ ବୋଲି ଗାୟନ କରାଯାଉଛି । ତୁମେ ଆଉ
କାହାର ଚିତ୍ରକୁ ପତିତ-ପାବନ କହିପାରିବ ନାହିଁ । କେହି ବି ମନୁଷ୍ୟ ନାହାଁନ୍ତି ଯାହାଙ୍କ
ବୁଦ୍ଧିରେ ଏ କଥା ରହିଥିବ । ବ୍ରହ୍ମା-ବିଷ୍ଣୁ-ଶଙ୍କର ହେଲେ ସୂକ୍ଷ୍ମବତନବାସୀ । ପ୍ରଥମ ମହଲା
ପୁଣି ଦ୍ୱିତୀୟ ମହଲା ରହିଛି । ସବୁଠାରୁ ସର୍ବୋଚ୍ଚ ସ୍ଥାନ ହେଲା ମୂଳବତନ, ପରମପିତା ପରମାତ୍ମା
ସେହି ମହଲାରେ ରୁହନ୍ତି । ଦ୍ୱିତୀୟ ମହଲାରେ ସୂକ୍ଷ୍ମ ଶରୀରଧାରୀ ରହିଛନ୍ତି । ତୃତୀୟ ମହଲାରେ
ସ୍ଥୂଳ ଶରୀରଧାରୀମାନେ ଅଛନ୍ତି, ଏଥିରେ ସନ୍ଦେହ କରିବାର ନାହିଁ । ଏହି କଥା ପରମପିତା
ପରମାତ୍ମାଙ୍କ ବ୍ୟତୀତ କେହି ବୁଝାଇପାରିବେ ନାହିଁ । ଉପରେ ଆତ୍ମାମାନଙ୍କର ସୃଷ୍ଟି ରହିଛି । ତାକୁ
କୁହାଯାଉଛି ନିରାକାରୀ ଦୁନିଆ, ଆମ ସମସ୍ତ ଆତ୍ମାମାନଙ୍କର ଦୁନିଆ ଅଶରୀରୀ ଦୁନିଆ । ପୁଣି ଆମେ
ଆତ୍ମାମାନେ ସାକାରୀ ଦୁନିଆକୁ ଆସୁଛୁ । ସେଠାରେ ଆତ୍ମାମାନେ ରହିଥାଆନ୍ତି ଏଠାରେ ଜୀବାତ୍ମାମାନେ
ଅଛନ୍ତି । ଏହା ବୁଦ୍ଧିରେ ରହିବା ଉଚିତ୍ । ବାସ୍ତବରେ ଆମେ ନିରାକାରୀ ବାବାଙ୍କର ସନ୍ତାନ ଅଟୁ ।
ଆମେ ମଧ୍ୟ ପ୍ରଥମେ ନିରାକାର ବାବାଙ୍କ ପାଖରେ ରହୁଥିଲୁ । ନିରାକାରୀ ଦୁନିଆରେ ହିଁ ଆତ୍ମାମାନେ
ରହିଥା’ନ୍ତି । ଯେଉଁମାନେ କି ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସାକାର ଦୁନିଆକୁ ଅଭିନୟ କରିବା ପାଇଁ
ଆସୁଛନ୍ତି । ତାହା ହୋଇଗଲା ନିରାକାର ବାବାଙ୍କର ବତନ ବା ଦେଶ । ଆମେ ଆତ୍ମା ଅଟୁ, ଏହି ନିଶା
ରହିବା ଉଚିତ୍ । ଅବିନାଶୀ ଜିନିଷର ନିଶା ରହିବା ଦରକାର । ବିନାଶୀ ଜିନିଷର ନିଶା ରହିବା ଉଚିତ୍
ନୁହେଁ । ଦେହକୁ ନେଇ ଗର୍ବ କରୁଥିବା ଆତ୍ମାଙ୍କୁ ଦେହ-ଅଭିମାନୀ କୁହାଯାଉଛି । ଦେହ-ଅଭିମାନୀ ଭଲ
ନା ଆତ୍ମ-ଅଭିମାନୀ ଭଲ? ତେବେ ବୁଦ୍ଧିମାନ କିଏ? ଆତ୍ମ-ଅଭିମାନୀ । ଆତ୍ମା ହିଁ ଅବିନାଶୀ ଅଟେ,
ଦେହ ତ ବିନାଶୀ । ଆତ୍ମା କହୁଛି ମୁଁ ୮୪ ଶରୀର ନେଉଛି । ମୁଁ ଆତ୍ମା ପରମଧାମରେ ବାବାଙ୍କ ସାଥିରେ
ରହିଥାଏ । ସେଠାରୁ ଏଠାକୁ ଆସୁଛି ଅଭିନୟ କରିବା ପାଇଁ । ଆତ୍ମା କହୁଛି ଓ ବାବା । ସାକାରୀ
ସୃଷ୍ଟିରେ ସାକାରୀ ବାବା ରହିଛନ୍ତି । ନିରାକାରୀ ସୃଷ୍ଟିରେ ଅଛନ୍ତି ନିରାକାର ବାବା । ଏହା ତ
ବିଲକୁଲ୍ ସହଜ କଥା । ଏବେ ବ୍ରହ୍ମାଙ୍କୁ ପ୍ରଜାପିତା ବୋଲି କହୁଛନ୍ତି । ସିଏ ତ ଏଠାରେ ଅଛନ୍ତି
ନା । ନିରାକାରୀ ଦୁନିଆରେ ଆମେ ଆତ୍ମାମାନେ ସମସ୍ତେ ଏକ ବାବାଙ୍କର ସନ୍ତାନ ପରସ୍ପର ଭାଇ ଭାଇ ଅଟୁ
। ସମସ୍ତେ ଶିବବାବାଙ୍କ ସହିତ ରହିଥାଉ । ପରମାତ୍ମାଙ୍କ ନାମ ହେଲା ଶିବ । ଆତ୍ମାର ନାମ ହେଉଛି
ଶାଳଗ୍ରାମ । ଆତ୍ମାର ମଧ୍ୟ କେହି ରଚୟିତା ଥିବେ ନା । ମନେ ମନେ ସର୍ବଦା ଏହିପରି କଥା ହେଉଥାଅ ।
ଯେଉଁ ଜ୍ଞାନ ମିଳିଛି ତାକୁ ନିଜ ହୃଦୟରେ ରଖିବା ପାଇଁ ପରିଶ୍ରମ କରିବାକୁ ହେବ । ଆତ୍ମା ହିଁ
ବିଚାର କରୁଛି । ପ୍ରଥମେ ତ ଏହି ନିଶ୍ଚୟ କର ଯେ ମୁଁ ଆତ୍ମା ବାବାଙ୍କ ସାଥିରେ ହିଁ ରହିଥାଏ ।
ମୁଁ ତାଙ୍କର ସନ୍ତାନ, ତେଣୁ ନିଶ୍ଚୟ ମୋତେ ସମ୍ପତ୍ତି ମିଳିବା ଉଚିତ୍ । ଏକଥା ମଧ୍ୟ ତୁମେ ଜାଣିଛ
ଯେ ଏହି ଯେଉଁ ଆତ୍ମାମାନଙ୍କର ବୃକ୍ଷ ରହିଛି ତା ପୂର୍ବରୁ ନିଶ୍ଚିତ ବୀଜ ରହିଥିବ । ଯେପରି
ବଂଶାବଳୀ ତିଆରି କରିଥାନ୍ତି । ପ୍ରଥମେ ପିତା ତାଙ୍କଠାରୁ ୨-୪ ସନ୍ତାନ ଜନ୍ମ ନେଉଛନ୍ତି, ପୁଣି
ତାଙ୍କଠାରୁ ଆହୁରି ସଂଖ୍ୟା ବୃଦ୍ଧି ହେଉଛନ୍ତି । ଗୋଟିଏ ଦୁଇଟି କରି ବୃଦ୍ଧି ହୋଇ-ହୋଇ ବୃକ୍ଷ ବଡ
ହୋଇଯାଇଥାଏ । ଯେପରି ଜାତି ବା ସମ୍ପ୍ରଦାୟର ନକ୍ସା ରହିଥାଏ । ଅମୁକରୁ ଅମୁକ ଜନ୍ମ ନେଲା ।
ତୁମେ ସନ୍ତାନମାନେ ଜାଣିଛ ମୂଳବତନରେ ସବୁ ଆତ୍ମାମାନେ ରହିଥା’ନ୍ତି । ତା’ର ମଧ୍ୟ ଚିତ୍ର ରହିଛି
। ସର୍ବୋଚ୍ଚ ହେଉଛନ୍ତି ବାବା । ତୁମ ସନ୍ତାନମାନଙ୍କର ବୁଦ୍ଧିରେ ରହିଛି - ବାବା ଏହି ଶରୀରରେ
ଆସିଛନ୍ତି । ଆତ୍ମିକ ପିତା ଏହି ବ୍ରହ୍ମାଙ୍କର ଶରୀରରେ ଆସି ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି ।
ସୂକ୍ଷ୍ମବତନରେ ତ ପାଠ ପଢାଇବେ ନାହିଁ । ସତ୍ୟଯୁଗରେ ତ ଏହି ଜ୍ଞାନ ମଧ୍ୟ କାହା ପାଖରେ ରହିବ ନାହିଁ
। ବାବା ହିଁ ସଂଗମଯୁଗରେ ଆସି ଏହି ଜ୍ଞାନ ଦେଉଛନ୍ତି । ଏହି ମନୁଷ୍ୟ ସୃଷ୍ଟିରୂପୀ ବୃକ୍ଷର ଜ୍ଞାନ
ଅନ୍ୟ କାହା ପାଖରେ ନାହିଁ । କଳ୍ପର ଆୟୁକୁ ହିଁ ବହୁତ ଲମ୍ବା ଚଉଡା କରି ଲେଖି ଦେଇଛନ୍ତି । ଏବେ
ବାବା ତୁମକୁ ବୁଝାଉଛନ୍ତି - ପିଲାମାନେ ଏବେ ତୁମକୁ ପୁଣି ଘରକୁ ଯିବାକୁ ହେବ । ତାହା ହେଲା
ଆତ୍ମାମାନଙ୍କର ଘର । ସେଠାରେ ବାବା ଏବଂ ପିଲାମାନେ ରହିଥା’ନ୍ତି, ସମସ୍ତେ ଭାଇ-ଭାଇ ଅଟନ୍ତି ।
ଏଠାରେ ଯେତେବେଳେ ଶରୀର ଧାରଣ କରିଥା’ନ୍ତି, ସେତେବେଳେ ଭାଇ ଏବଂ ଭଉଣୀ ବୋଲି କୁହାଯାଉଛି । ଆମେ
ଆତ୍ମାମାନେ ସବୁ ଭାଇ-ଭାଇ ଅଟୁ । ଭାଇର ନିଶ୍ଚିତ କେହି ପିତା ତ ଥିବେ ନା । ସେ ହେଉଛନ୍ତି
ପରମପିତା ପରମାତ୍ମା । ସବୁ ଆତ୍ମାମାନେ ଶରୀରରେ ଥାଇ ମଧ୍ୟ ତାଙ୍କୁ ମନେ ପକାଉଛନ୍ତି ।
ସତ୍ୟଯୁଗ-ତ୍ରେତାରେ କେହି ସ୍ମରଣ କରନ୍ତି ନାହିଁ । ପତିତ ଦୁନିଆରେ ହିଁ ସମସ୍ତେ ତାଙ୍କୁ ସ୍ମରଣ
କରିଥା’ନ୍ତି କାହିଁକି ନା ସମସ୍ତେ ରାବଣର ଜେଲ୍ରେ ଅଛନ୍ତି । ରାବଣ କବଳରୁ ତାଙ୍କୁ ମୁକ୍ତ କରିବା
ପାଇଁ ସୀତା ଡାକୁଥିଲେ ହେ ରାମ । ତେବେ ବାବା ବୁଝାଉଛନ୍ତି ସିଏ କୌଣସି ତ୍ରେତାରେ ଥିବା ରାମଙ୍କୁ
ସ୍ମରଣ କରୁ ନ ଥିଲେ । ରାମ ପରମପିତା ପରମାତ୍ମାଙ୍କୁ ଭାବି ସ୍ମରଣ କରୁଥିଲେ । ଆତ୍ମା ହିଁ ଡାକୁଛି
। ଏବେ ତୁମେ ଜାଣୁଛ ଅଧାକଳ୍ପ ପୁଣି ଆମେ କାହାକୁ ଡାକିବୁ ନାହିଁ କାହିଁକି ନା ଆମେ ସୁଖଧାମରେ
ରହିବୁ । ଏହି ସମୟରେ ଏସବୁ କଥା ବାବା ହିଁ ବୁଝାଉଛନ୍ତି, ଅନ୍ୟମାନେ କେହି ଜାଣି ହିଁ ନାହାଁନ୍ତି
। ସେମାନେ ତ କହି ଦେଉଛନ୍ତି ଆତ୍ମା ହିଁ ପରମାତ୍ମା, ଆତ୍ମା ପରମାତ୍ମାଙ୍କଠାରେ ଲୀନ ହୋଇଯାଉଛି ।
ବାବା ବୁଝାଉଛନ୍ତି, ଆତ୍ମା ତ ଅବିନାଶୀ ଅଟେ । ଗୋଟିଏ ଆତ୍ମାର ବି ବିନାଶ ହୋଇପାରିବ ନାହିଁ ।
ଯେପରି ବାବା ଅବିନାଶୀ ଅଟନ୍ତି, ସେହିପରି ଆତ୍ମା ମଧ୍ୟ ଅବିନାଶୀ ଅଟେ । ଏଠାରେ ଆତ୍ମା ପତିତ
ତମୋପ୍ରଧାନ ହେଉଛି, ପୁଣି ବାବା ସତ୍ତ୍ୱପ୍ରଧାନ ପବିତ୍ର କରାଉଛନ୍ତି । ସାରା ଦୁନିଆକୁ
ତମୋପ୍ରଧାନ ହେବାକୁ ହିଁ ପଡିବ । ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ପତିତ ଦୁନିଆକୁ ପବିତ୍ର
କରିବା ପାଇଁ ବାବାଙ୍କୁ ଆସିବାକୁ ପଡୁଛି । ତାଙ୍କୁ ଈଶ୍ୱର ପିତା ବୋଲି କୁହାଯାଉଛି । ବାବା ମଧ୍ୟ
ଅବିନାଶୀ ଅଟନ୍ତି, ଆମେ ଆତ୍ମାମାନେ ମଧ୍ୟ ଅବିନାଶୀ ଅଟୁ, ଏହି ଡ୍ରାମା ମଧ୍ୟ ଅବିନାଶୀ ଅଟେ ।
ତୁମେ ସନ୍ତାନମାନେ ଜାଣିଛ ଯେ ଏହି ବିଶ୍ୱର ଇତିହାସ-ଭୂଗୋଳର କିପରି ପୁନରାବୃତ୍ତି ହେଉଛି । ଏହି
ଚାରୋଟିଯାକ ଯୁଗରେ ଆମର ଅଭିନୟ ଚାଲୁଛି । ଆମେ ସୂର୍ଯ୍ୟବଂଶୀ ପୁଣି ଚନ୍ଦ୍ରବଂଶୀ ହୋଇଥାଉ ।
ଚନ୍ଦ୍ରବଂଶୀ ଯେପରି ଦ୍ୱିତୀୟ ଶ୍ରେଣୀର ହୋଇଗଲେ । ୧୪ କଳା ସମ୍ପନ୍ନଙ୍କୁ ସୂର୍ଯ୍ୟବଂଶୀ କୁହାଯାଇ
ପାରିବ ନାହିଁ । ବାସ୍ତବରେ ତାଙ୍କୁ ଦେବୀ-ଦେବତା ମଧ୍ୟ କୁହାଯାଇ ପାରିବ ନାହିଁ । ଦେବୀ-ଦେବତା
ସମ୍ପୂର୍ଣ୍ଣ ନିର୍ବିକାରୀ, ୧୬ କଳା ସମ୍ପୂର୍ଣ୍ଣ ଆତ୍ମାଙ୍କୁ କୁହାଯାଇଥାଏ । ରାମଙ୍କୁ ୧୪ କଳା
ସମ୍ପନ୍ନ କୁହାଯିବ । ତୁମର ହିଁ ୮୪ ଜନ୍ମର ହିସାବ ବୋଲି ବୁଝାଯାଉଛି । ନୂଆ ଜିନିଷ ପୁଣି ପୁରୁଣା
ହୋଇଗଲେ ତାର ମଜା ଆଉ ରହି ନ ଥାଏ । ପ୍ରଥମେ ସମ୍ପୂର୍ଣ୍ଣ ପବିତ୍ର ରହିଥାଆନ୍ତି, ପୁଣି ଅଳ୍ପ କିଛି
ବର୍ଷ ବିତିଗଲେ ଟିକିଏ ପୁରୁଣା କୁହାଯିବ । ଏଥିପାଇଁ ଘରର ମଧ୍ୟ ଉଦାହରଣ ଦିଆଯାଉଛି । ଏହିପରି
ପ୍ରତ୍ୟେକ ଜିନିଷ ନୂଆରୁ ପୁରୁଣା ହୋଇଥାଏ । ଏହି ଦୁନିଆ ମଧ୍ୟ ଏକ ବଡ ରଂଗମଞ୍ଚ ଅଟେ । ଏହି ଆକାଶ
ତତ୍ତ୍ୱ ବହୁତ ବଡ, ଏହାର କୌଣସି ଅନ୍ତ ନାହିଁ । ଏହାର ଅନ୍ତ କେଉଁଠାରେ ହୋଇଛି, ଏହା କେହି
କହିପାରିବେ ନାହିଁ । ଚାଲୁଥାଅ, ଏହାର ଅନ୍ତ ହୋଇପାରିବ ନାହିଁ । ବ୍ରହ୍ମ ମହତତ୍ତ୍ୱର ମଧ୍ୟ କୌଣସି
ଅନ୍ତ ହୋଇପାରିବ ନାହିଁ । ଏପରି ତ ବୈଜ୍ଞାନିକ ମାନେ କେତେ ଚେଷ୍ଟା କରୁଛନ୍ତି, ଏହାର ଅନ୍ତ
ଦେଖିବା ପାଇଁ କିନ୍ତୁ ଏହାର ଅନ୍ତ ପାଇପାରିବେ ନାହିଁ । ବ୍ରହ୍ମତତ୍ତ୍ୱ ବହୁତ ବିଶାଳ, ଅନ୍ତହୀନ
ଅଟେ । ଆମେ ଆତ୍ମାମାନେ ବହୁତ ଛୋଟ ସ୍ଥାନରେ ରହିଥାଉ । ଏଠାରେ କେତେ ବଡ-ବଡ କୋଠା ତିଆରି
କରୁଛନ୍ତି । ଏହି ଧରିତ୍ରୀର ସ୍ଥାନ ବହୁତ ବଡ । କ୍ଷେତ ଆଦି ମଧ୍ୟ ଦରକାର ନା । ସେଠାରେ ତ କେବଳ
ଆତ୍ମାମାନେ ରହିଥା’ନ୍ତି । ଆତ୍ମା ଶରୀର ବିନା କିପରି ଖାଇବ? ସେଠାରେ ଆତ୍ମା ଅଭୋକ୍ତା ରହିବ ।
ଖାଇବା ଅଥବା ଭୋଗ କରିବାର କୌଣସି ଜିନିଷ ରହିବ ନାହିଁ । ବାବା ବୁଝାଉଛନ୍ତି ଏହି ଜ୍ଞାନ ତୁମ
ସନ୍ତାନମାନଙ୍କୁ ଥରେ ମାତ୍ର ମିଳୁଛି । ପୁଣି କଳ୍ପ ପରେ ତୁମ ସନ୍ତାନମାନଙ୍କୁ ଦିଆଯାଇଥାଏ । ତେଣୁ
ଏହି ନିଶା ରହିବା ଉଚିତ୍ । ଆମେ ଦେବତା ଧର୍ମର ଥିଲୁ । ତୁମେ କହୁଛ ବାବା ଆଜିଠାରୁ ୫ ହଜାର ବର୍ଷ
ପୂର୍ବରୁ ଆମେ ଆପଣଙ୍କ ପାଖକୁ ଆସିଥିଲୁ - ଶୁଦ୍ରରୁ ବ୍ରାହ୍ମଣ ହେବା ପାଇଁ । ଏବେ ପୁଣି ଆମେ
ଆପଣଙ୍କ ପାଖକୁ ଆସିଛୁ । ଶିବବାବା ନିରାକାର ହୋଇଥିବା କାରଣରୁ ତୁମେ କହୁଛ ଆମେ ଦାଦାଙ୍କ ପାଖକୁ
ଆସିଛୁ । ବାବା ଏହାଙ୍କ ଶରୀରରେ ପ୍ରବେଶ କରିଛନ୍ତି । ବାବା କହୁଛନ୍ତି - ଯେପରି ତୁମେ
କର୍ମେନ୍ଦ୍ରିୟ ଦ୍ୱାରା ଅଭିନୟ କରୁଛ ସେହିପରି ମୁଁ ମଧ୍ୟ କର୍ମେନ୍ଦ୍ରିୟର ଆଧାର ନେଉଛି । ନଚେତ୍
ମୁଁ ଅଭିନୟ କିପରି କରିବି? ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି । ଶିବ ତ ନିରାକାର ଅଟନ୍ତି ।
ତାଙ୍କର ଜୟନ୍ତୀ କିପରି ହେଲା? ମନୁଷ୍ୟ ତ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଶରୀର ନେଉଛନ୍ତି । ବାବା
କହୁଛନ୍ତି - ମୁଁ କିପରି ଆସି ତୁମ ସନ୍ତାନମାନଙ୍କୁ ରାଜଯୋଗ ଶିଖାଇବି । ମନୁଷ୍ୟରୁ ଦେବତା କରାଇବା
ପାଇଁ ବାବା ହିଁ ଆସି ରାଜଯୋଗ ଶିଖାଉଛନ୍ତି । ମୋତେ ହିଁ ପତିତ-ପାବନ, ଜ୍ଞାନର ସାଗର କହୁଛନ୍ତି ।
ମୋତେ ଏହି କଳ୍ପ ବୃକ୍ଷର ଆଦି-ମଧ୍ୟ-ଅନ୍ତ ବିଷୟରେ ଜଣାଅଛି ।
ତୁମେ ସନ୍ତାନମାନେ ବୁଝୁଛ ଯେ ବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ଆମକୁ ସମସ୍ତ ଜ୍ଞାନ
ବୁଝାଉଛନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର ଅଭିନୟକୁ ମଧ୍ୟ ବୁଝିବା ଦରକାର । ତୁମେ ବାବାଙ୍କୁ
ତ ଜାଣିଛ ଯେ ସେ ପତିତ-ପାବନ ଅଟନ୍ତି । ପ୍ରତ୍ୟେକଙ୍କର ମହିମା ଅଲଗା-ଅଲଗା, କର୍ତ୍ତବ୍ୟ
ଅଲଗା-ଅଲଗା ହୋଇଥାଏ । କେହି ରାଷ୍ଟ୍ରପତି, କେହି ପ୍ରଧାନମନ୍ତ୍ରୀ ହୋଇଥା’ନ୍ତି । ଆତ୍ମା କହୁଛି
ଏହା ମୋର ଶରୀର । ମୁଁ ପ୍ରଧାନମନ୍ତ୍ରୀ ଅଟେ । ଆତ୍ମା ଶରୀର ସହିତ ଏକତ୍ର ନ ରହିଲେ କଥା
କହିପାରିବ ନାହିଁ । ଶିବବାବା ମଧ୍ୟ ନିରାକାର ଅଟନ୍ତି । ତାଙ୍କୁ ମଧ୍ୟ କଥା ହେବା ପାଇଁ
କର୍ମେନ୍ଦ୍ରିୟର ଆଧାର ନେବାକୁ ପଡୁଛି, ସେଥିପାଇଁ ଚିତ୍ରରେ ଦେଖାଉଛନ୍ତି - ମୁଖରୁ ଗଙ୍ଗା
ବାହାରିଲା । ଶିବ ତ ହେଉଛନ୍ତି ବିନ୍ଦୁ । ତାଙ୍କର ମୁଖ କେଉଁଆଡୁ ଆସିବ? ତେଣୁ ବ୍ରହ୍ମାଙ୍କ
ଶରୀରରେ ଆସି ବସୁଛନ୍ତି ଏବଂ ତାଙ୍କଠାରୁ ଜ୍ଞାନଗଙ୍ଗା ବାହାରୁଛି । ବାବାଙ୍କୁ ହିଁ ସମସ୍ତେ
ସ୍ମରଣ କରୁଛନ୍ତି ହେ ପତିତ-ପାବନ ଆସ । ଆମକୁ ଏହି ଦୁଃଖରୁ ମୁକ୍ତ କର । ଶିବବାବା ହିଁ ବଡରୁ ବଡ
ସର୍ଜନ ଅଟନ୍ତି । ତାଙ୍କ ପାଖରେ ହିଁ ପତିତଙ୍କୁ ପବିତ୍ର କରିବାର ଜ୍ଞାନ ରହିଛି । ସମସ୍ତ
ପତିତମାନଙ୍କୁ ପବିତ୍ର କରିବା ପାଇଁ ଜଣେ ସର୍ଜନ ରହିଛନ୍ତି । ସତ୍ୟଯୁଗରେ ସମସ୍ତେ ନିରୋଗୀ ହେବେ
। ଏହି ଲକ୍ଷ୍ମୀ-ନାରାୟଣ ସତ୍ୟଯୁଗର ମାଲିକ ଅଟନ୍ତି । ଏହାଙ୍କୁ ଏଭଳି କର୍ମ କିଏ ଶିଖାଇଲା ଯାହାକି
ଏପରି ନିରୋଗୀ ହୋଇଛନ୍ତି । ବାବା ହିଁ ଆସି ଶ୍ରେଷ୍ଠ କର୍ମ ଶିଖାଇଥା’ନ୍ତି । ଏଠାରେ ତ କର୍ମର
ଭୋଗ ଭୋଗିବାକୁ ପଡୁଛି । ସତ୍ୟଯୁଗରେ ଏପରି କହିବେ ନାହିଁ ଯେ ଆମର କର୍ମ ଏଭଳି ଅଟେ । ସେଠାରେ
କୌଣସି ଦୁଃଖ, ରୋଗ ହେବ ନାହିଁ । ଏଠାରେ ତ ପରସ୍ପରକୁ ଦୁଃଖ ହିଁ ଦେଉଛନ୍ତି । ସତ୍ୟଯୁଗ-ତ୍ରେତାରେ
ଦୁଃଖର କୌଣସି କଥା ରହିବ ନାହିଁ, ଯାହା ଫଳରେ କହିବାକୁ ପଡିବ ଯେ ଏହା କର୍ମର ଭୋଗ ଅଟେ ।
କର୍ମ-ଅକର୍ମ-ବିକର୍ମର ଅର୍ଥ କେହି ବୁଝି ହିଁ ପାରୁ ନାହାଁନ୍ତି । ତୁମେ ଜାଣିଛ ପ୍ରତ୍ୟେକ ଜିନିଷ
ପ୍ରଥମେ ସତ୍ତ୍ୱପ୍ରଧାନ ପୁଣି ସତ୍ୱ-ରଜୋ-ତମୋ ହୋଇଥାଏ । ସତ୍ୟଯୁଗରେ ୫ ତତ୍ତ୍ୱ ମଧ୍ୟ
ସତ୍ତ୍ୱପ୍ରଧାନ ରହିଥାଏ । ଆମ ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ପ୍ରକୃତିର ହୋଇଥାଏ, ପୁଣି ଆତ୍ମାର
ଦୁଇକଳା କମ୍ ହେବା ଦ୍ୱାରା ଶରୀର ମଧ୍ୟ ସେହିପରି ହୋଇଥାଏ । ସେହିପରି ସୃଷ୍ଟିର ମଧ୍ୟ ଦୁଇକଳା କମ୍
ହୋଇଯାଇଥାଏ । ଏସବୁ କଥା ବାବା ହିଁ ବସି ବୁଝାଉଛନ୍ତି, ଅନ୍ୟ କେହି ବୁଝାଇ ପାରିବେ ନାହିଁ ।
ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏବେଠାରୁ
ହିଁ ବାବାଙ୍କ ଶ୍ରୀମତ ଅନୁସାରେ ଏଭଳି ଶ୍ରେଷ୍ଠ କର୍ମ କରିବାକୁ ହେବ, ଯାହାଦ୍ୱାରା କେବେ କର୍ମ
ଫଳ ଭୋଗିବାକୁ ପଡିବ ନାହିଁ ଅର୍ଥାତ୍ କର୍ମର ଦଣ୍ଡ ଭୋଗ କରିବାକୁ ପଡିବ ନାହିଁ ।
(୨) କୌଣସି ବି ବିନାଶୀ
ଜିନିଷର ନିଶା ରଖିବା ଉଚିତ୍ ନୁହେଁ । ଏହି ଦେହ ମଧ୍ୟ ବିନାଶୀ ଅଟେ, ଏହାର ମଧ୍ୟ ନିଶା ରଖିବାର
ନାହିଁ । ଜ୍ଞାନୀ ହେବାର ଅଛି ।
ବରଦାନ:-
ଏହି ପୁରୁଣା
ଦୁନିଆକୁ ବିଦେଶ ମନେ କରି ଏହା ପ୍ରତି ନିର୍ମୋହୀ ସ୍ଥିତିରେ ରହୁଥିବା ସ୍ୱଦେଶୀ ଭବ ।
ଯେପରି କେତେକ ଲୋକ
ବିଦେଶର ଜିନିଷକୁ ସ୍ପର୍ଶ ମଧ୍ୟ କରନ୍ତି ନାହିଁ, ଭାବନ୍ତି ନିଜ ଦେଶର ଜିନିଷକୁ ହିଁ ବ୍ୟବହାର
କରିବୁ । ସେହିପରି ତୁମମାନଙ୍କ ପାଇଁ ଏହି ପୁରୁଣା ଦୁନିଆ ହିଁ ବିଦେଶ ଅଟେ, ସେଥିପାଇଁ ଏହା ପ୍ରତି
ନିର୍ମୋହୀ ହୁଅ ଅର୍ଥାତ୍ ପୁରୁଣା ଦୁନିଆର ଯେଉଁ ସବୁ ଜିନିଷ ଅଛି ବା ସ୍ୱଭାବ ସଂସ୍କାର ଅଛି
ସେଥିପ୍ରତି ଟିକିଏ ବି ଆକର୍ଷଣ ନ ରହୁ । ସ୍ୱଦେଶୀ ହୁଅ ଅର୍ଥାତ୍ ଆତ୍ମିକ ରୂପରେ ନିଜର ଉଚ୍ଚରୁ
ଉଚ୍ଚ ପରମଧାମ ଏବଂ ଏହି ଈଶ୍ୱରୀୟ ପରିବାର ହିସାବରେ ନିଜକୁ ମଧୁବନର ନିବାସୀ ମନେକରି ସେହି ନିଶାରେ
ରୁହ ।
ସ୍ଲୋଗାନ:-
ଜଞ୍ଜାଳ ଜାଲରେ
ଛନ୍ଦି ହେବା ପରିବର୍ତ୍ତେ ସର୍ବଦା ମିଳନ ମେଳାରେ ରୁହ ।
ଅବ୍ୟକ୍ତ ଈଶାରା -
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ହୋଲୀହଂସର ବିଶେଷତା ହେଲା
- ସରଳଚିତ୍ତ, ସରଳବାଣୀ, ସରଳବୃତ୍ତି ଏବଂ ସରଳ ଦୃଷ୍ଟି । ସ୍ୱ-ହୃଦୟବାନ ପିଲାମାନେ ହିଁ
ବାପଦାଦାଙ୍କର ସବୁଠାରୁ ପ୍ରିୟ ଏବଂ ସବୁଠାରୁ ନିକଟତ୍ତମ ଅଟନ୍ତି । ସ୍ୱଚ୍ଛ ହୃଦୟବାନ ପିଲାମାନେ
ସର୍ବଦା ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ହୋଇଥାଆନ୍ତି । ସେମାନେ ସର୍ବ ଶ୍ରେଷ୍ଠ
ସଂକଳ୍ପରେ ପରିପୂର୍ଣ୍ଣ ହୋଇଥିବା କାରଣରୁ ବୃତ୍ତିରେ, ଦୃଷ୍ଟିରେ, ବାଣୀରେ ଏବଂ
ସମ୍ବନ୍ଧ-ସମ୍ପର୍କରେ ସରଳ, ସ୍ପଷ୍ଟ ଏବଂ ଏକାଭଳି ଦେଖାଯାଇଥାଆନ୍ତି ।