12.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:— ତୁମକୁ ସାହେବ ଜାଦେ ଅର୍ଥାତ୍ ବାବାଙ୍କର ସନ୍ତାନରୁ ଶାହଜାଦା ବା ରାଜକୁମାର ହେବାର ଅଛି ସେଥିପାଇଁ ଯୋଗର ଯାତ୍ରା ଦ୍ୱାରା ନିଜର ବିକର୍ମକୁ ଭସ୍ମ କର ।”

ପ୍ରଶ୍ନ:-
କେଉଁ ଗୋଟିଏ ବିଧି ଦ୍ୱାରା ତୁମର ସବୁ ଦୁଃଖ ଦୂର ହୋଇଯାଉଛି?

ଉତ୍ତର:-
ଯେତେବେଳେ ତୁମେ ନିଜର ଦୃଷ୍ଟିକୁ ବାବାଙ୍କ ଦୃଷ୍ଟି ସହିତ ମିଶାଉଛ ସେତେବେଳେ ଦୃଷ୍ଟିରେ ଦୃଷ୍ଟି ମିଶିବା ଦ୍ୱାରା ତୁମର ସବୁ ଦୁଃଖ ଦୂର ହୋଇଯାଉଛି କାରଣ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବା ଦ୍ୱାରା ସବୁ ପାପ କଟିଯାଉଛି । ଏହା ହେଉଛି ତୁମର ଯୋଗର ଯାତ୍ରା । ତୁମେ ଦେହର ସବୁ ଧର୍ମକୁ ଛାଡି ବାବାଙ୍କୁ ମନେ ପକାଉଛ ଯାହାଦ୍ୱାରା ଆତ୍ମା ସତ୍ତ୍ୱପ୍ରଧାନ ହୋଇଯାଉଛି, ତୁମେ ସୁଖଧାମର ମାଲିକ ହୋଇଯାଉଛ ।

ଓମ୍ ଶାନ୍ତି ।
ଶିବଭଗବାନଉବାଚ, ନିଜକୁ ଆତ୍ମା ମନେ କରି ବସ । ବାବାଙ୍କର ଆଜ୍ଞା ହେଉଛି ଶିବ ଭଗବାନଉବାଚ ଅର୍ଥାତ୍ ଶିବବାବା ବୁଝାଉଛନ୍ତି ହେ ପିଲାମାନେ ନିଜକୁ ଆତ୍ମା ମନେ କରି ବସ କାହିଁକି ନା ତୁମେ ସବୁ ଏକ ପିତାଙ୍କର ସନ୍ତାନ ପରସ୍ପର ଭାଇ ଭାଇ ଅଟ । ତୁମମାନଙ୍କୁ ଏକ ବାବାଙ୍କଠାରୁ ହିଁ ବର୍ସା(ସମ୍ପତ୍ତି) ନେବାକୁ ହେବ, ଠିକ୍ ଯେପରି ୫ ହଜାର ବର୍ଷ ପୂର୍ବରୁ ବାବାଙ୍କଠାରୁ ବର୍ସା ନେଇଥିଲ । ତୁମେ ଆଦି ସନାତନ ଦେବୀ-ଦେବତା ମାନଙ୍କର ରାଜଧାନୀରେ ଥିଲ । ତୁମେ ସୂର୍ଯ୍ୟବଂଶୀ ଅର୍ଥାତ୍ ବିଶ୍ୱର ମାଲିକ କିପରି ହୋଇପାରିବ ତାହା ବାବା ବସି ବୁଝାଉଛନ୍ତି । ମୋତେ ଅର୍ଥାତ୍ ନିଜ ବାବାଙ୍କୁ ମନେ ପକାଅ । ତୁମେ ସବୁ ଆତ୍ମାମାନେ ପରସ୍ପର ଭାଇ ଭାଇ ଅଟ । ଉଚ୍ଚରୁ ଉଚ୍ଚ ଭଗବାନ ହେଉଛନ୍ତି ଜଣେ । ସେହି ସତ୍ୟ ସାହେବଙ୍କର ତୁମେ ସନ୍ତାନମାନେ ହେଉଛ ସାହେବ ଜାଦେ ଅର୍ଥାତ୍ ରାଜକୁମାର । ବାବା ଏହି କଥା ବୁଝାଉଛନ୍ତି ଯେ, ତାଙ୍କର ଶ୍ରୀମତ ଅନୁସାରେ ବୁଦ୍ଧିର ଯୋଗ ଲଗାଇଲେ ତୁମର ସବୁ ପାପ କଟିଯିବ । ସବୁ ଦୁଃଖ ଦୂର ହୋଇଯିବ । ବାବାଙ୍କ ସହିତ ଯେତେବେଳେ ଆମର ଆଖି ମିଶିଯାଏ ସେତେବେଳେ ସବୁ ଦୁଃଖ ଦୂର ହୋଇଯାଏ । ଆଖି ମିଶାଇବାର ଅର୍ଥକୁ ମଧ୍ୟ ବାବା ବୁଝାଉଛନ୍ତି । ନିଜକୁ ଆତ୍ମା ମନେକରି ବାବାଙ୍କୁ ସ୍ମରଣ କର, ଏହା ହିଁ ହେଉଛି ଯୋଗର ଯାତ୍ରା । ଏହାକୁ ଯୋଗ ଅଗ୍ନି ମଧ୍ୟ କୁହାଯାଏ । ଏହି ଯୋଗ ଅଗ୍ନି ଦ୍ୱାରା ତୁମର ଜନ୍ମ ଜନ୍ମାନ୍ତରର ଯେଉଁ ପାପ ସବୁ ରହିଛି, ତାହା ଭସ୍ମ ହୋଇଯିବ । ଏହା ହେଉଛି ଦୁଃଖଧାମ । ଏଠାରେ ସମସ୍ତେ ନର୍କବାସୀ ଅଟନ୍ତି । ତୁମେମାନେ ବହୁତ ପାପ କରିଛ, ଏହାକୁ କୁହାଯାଉଛି ରାବଣ ରାଜ୍ୟ । ସତ୍ୟଯୁଗକୁ କୁହାଯାଏ ରାମରାଜ୍ୟ । ତୁମେ ଏହିପରି ଭାବେ ବୁଝାଇପାରିବ । କେତେ ବି ବଡ ସଭା ବସିଥାଉ, ଭାଷଣ କରିବାରେ କିଛି ଅସୁବିଧା ନାହିଁ । ତୁମେ ତ ଭଗବାନଉବାଚ ବୋଲି କହିଚାଲୁଛ । ଶିବଭଗବାନଉବାଚ - ଆମେ ସବୁ ଆତ୍ମାମାନେ ତାଙ୍କର ସନ୍ତାନ, ଭାଇ ଭାଇ ଅଟୁ । ବାକି ଶ୍ରୀକୃଷ୍ଣଙ୍କର କେହି ସନ୍ତାନ ଥିଲେ, ଏପରି କୁହାଯାଇ ପାରିବ ନାହିଁ । ତାଙ୍କର ଏତେ ରାଣୀ ମଧ୍ୟ ନ ଥିଲେ । କୃଷ୍ଣଙ୍କର ତ ସ୍ୱୟଂବର ହେଲା ପରେ ନାମ ହିଁ ବଦଳିଯାଏ । ହଁ, ଏପରି କୁହାଯାଇପାରିବ ଯେ ଲକ୍ଷ୍ମୀ-ନାରାୟଣଙ୍କର ସନ୍ତାନସନ୍ତତି ଥିଲେ । ରାଧା-କୃଷ୍ଣ ହିଁ ସ୍ୱୟଂବର ପରେ ଲକ୍ଷ୍ମୀ-ନାରାୟଣ ହୁଅନ୍ତି ତେବେ ଯାଇ ତାଙ୍କର ଗୋଟିଏ ସନ୍ତାନ ହୋଇଥାଏ । ପୁଣି ତାଙ୍କର ରାଜତ୍ୱ ଚାଲେ । ତୁମ ପିଲାମାନଙ୍କୁ ଏବେ ମୋତେ ମନେ ପକାଇବାକୁ ହେବ । ଦେହର ସବୁ ଧର୍ମକୁ ତ୍ୟାଗ କରି, କେବଳ ବାବାଙ୍କୁ ପକାଇଲେ ତୁମର ସବୁ ପାପ କଟିଯିବ । ସତ୍ତ୍ୱପ୍ରଧାନ ହୋଇ ସ୍ୱର୍ଗକୁ ଯିବ । ସ୍ୱର୍ଗରେ କୌଣସି ଦୁଃଖ ନ ଥାଏ । ନର୍କରେ ବହୁତ ଦୁଃଖ ରହିଥାଏ । ଏଠାରେ ସୁଖର ଚିହ୍ନବର୍ଣ୍ଣ ନାହିଁ । ଏହିପରି ଯୁକ୍ତିର ସହିତ ବୁଝାଇବାକୁ ହେବ । ଶିବଭଗବାନଉବାଚ - ହେ ସନ୍ତାନଗଣ, ବର୍ତ୍ତମାନ ତୁମେ ଆତ୍ମାମାନେ ପତିତ ହୋଇଯାଇଛ, ତେବେ ପବିତ୍ର କିପରି ହେବ? ମୋତେ ହିଁ ପତିତ-ପାବନ ବୋଲି କହି ଡାକି ଆସିଛ । ପବିତ୍ର ସତ୍ୟଯୁଗରେ, ପତିତ କଳିଯୁଗରେ ହୋଇଥା’ନ୍ତି । କଳିଯୁଗ ପରେ ପୁଣି ସତ୍ୟଯୁଗ ନିଶ୍ଚିତ ହେବ । ନୂଆ ଦୁନିଆର ସ୍ଥାପନା, ପୁରୁଣା ଦୁନିଆର ବିନାଶ ହୋଇଥାଏ । ଗାୟନ ମଧ୍ୟ ରହିଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା । ଆମେ ବ୍ରହ୍ମାକୁମାର-କୁମାରୀମାନେ ହେଉଛୁ ପୋଷ୍ୟ ସନ୍ତାନ । ଆମେ ହେଉଛୁ ବ୍ରାହ୍ମଣ ଚୁଟୀ । ବିରାଟ ରୂପ ମଧ୍ୟ ରହିଛି ନା । ପ୍ରଥମେ ନିଶ୍ଚିତ ଭାବେ ବ୍ରାହ୍ମଣ ହେବାକୁ ପଡିବ । ବ୍ରହ୍ମା ମଧ୍ୟ ବ୍ରାହ୍ମଣ ଅଟନ୍ତି । ଦେବତାମାନେ ତ ସତ୍ୟଯୁଗରେ ଥାଆନ୍ତି । ସତ୍ୟଯୁଗରେ ସର୍ବଦା ସୁଖ ରହିଥାଏ । ସେଠାରେ ଦୁଃଖର ନାମ ହିଁ ନ ଥାଏ । କଳିଯୁଗରେ ଅଶେଷ ଦୁଃଖ ରହିଛି, ଏଠାରେ ସମସ୍ତେ ଦୁଃଖୀ ହୋଇଯାଇଛନ୍ତି । ଏପରି କେହି ନାହାଁନ୍ତି ଯାହାର ଦୁଃଖ ନାହିଁ । ଏହା ହେଉଛି ରାବଣ ରାଜ୍ୟ । ଏହି ରାବଣ ହେଉଛି ଭାରତର ପ୍ରଥମ ନମ୍ବରର ଶତ୍ରୁ । ପ୍ରତ୍ୟେକଙ୍କ ଭିତରେ ୫ ବିକାର ରହିଛି । ସତ୍ୟଯୁଗରେ କୌଣସି ବିକାର ରହିବ ନାହିଁ । ସେଠାରେ ହେବ ପବିତ୍ର ଗୃହସ୍ଥ ଧର୍ମ । ବର୍ତ୍ତମାନ ତ ଯେପରି ଦୁଃଖର ପାହାଡ ଖସି ପଡିଛି, ଆହୁରି ମଧ୍ୟ ପଡିବ । ସେମାନେ ଏତେ ସବୁ ବୋମା ରଖିବା ପାଇଁ ତିଆରି କରି ନାହାଁନ୍ତି? ବହୁତ ରିଫାଇନ୍ ବା ମାର୍ଜିତ କରୁଛନ୍ତି ପୁଣି ରିହର୍ସଲ ବା ପୂର୍ବାଭିନୟ ହେବ, ପୁଣି ଫାଇନାଲ୍ ବା ଚୁଡାନ୍ତ ହେବ । ବର୍ତ୍ତମାନ ବହୁତ କମ୍ ସମୟ ରହିଛି, ଡ୍ରାମା ତ ନିଜ ସମୟରେ ହିଁ ସମାପ୍ତ ହେବ ନା ।

ପ୍ରଥମେ ପ୍ରଥମେ ତ ଶିବବାବାଙ୍କର ଜ୍ଞାନ ରହିବା ଦରକାର । କୌଣସି ଭାଷଣ ଆଦି ଆରମ୍ଭ କରିବା ପୂର୍ବରୁ କହିବା ଦରକାର ଶିବାୟ ନମଃ.... କାରଣ ଶିବବାବାଙ୍କର ଯେଉଁ ମହିମା ରହିଛି ତାହା ଆଉ କାହାର ହୋଇପାରିବ ନାହିଁ । ଶିବଜୟନ୍ତୀ ହିଁ ହୀରାତୁଲ୍ୟ ଅଟେ । କୃଷ୍ଣଙ୍କର ଚରିତ୍ର ଆଦି କିଛି ନାହିଁ । ସତ୍ୟଯୁଗରେ ତ ଛୋଟ ପିଲାମାନେ ମଧ୍ୟ ସତ୍ତ୍ୱପ୍ରଧାନ ହୋଇଥା’ନ୍ତି । ପିଲାମାନଙ୍କଠାରେ କୌଣସି ଚଳଚଞ୍ଚଳ ସ୍ୱଭାବ ରହିବ ନାହିଁ । କୃଷ୍ଣଙ୍କ ପାଇଁ କହୁଛନ୍ତି - ଲହୁଣୀ ଆଦି ଖାଉଥିଲେ, ଏମିତି କରୁଥିଲେ, ଏହା ତ ମହିମା ବଦଳରେ ଆହୁରି ଗ୍ଲାନୀ କରୁଛନ୍ତି । କେତେ ଖୁସିରେ ଈଶ୍ୱର ସର୍ବବ୍ୟାପୀ ବୋଲି କହୁଛନ୍ତି । ତୁମ ଭିତରେ ବି ଅଛନ୍ତି, ମୋ ଭିତରେ ବି ଅଛନ୍ତି । ଏହା ବହୁତ ବଡ ଗ୍ଲାନୀ, କିନ୍ତୁ ତମଃପ୍ରଧାନ ମନୁଷ୍ୟ ଏ କଥାକୁ ବୁଝିପାରୁ ନାହାଁନ୍ତି । ତେଣୁ ପ୍ରଥମେ ପ୍ରଥମେ ବାବାଙ୍କର ପରିଚୟ ଦେବା ଉଚିତ୍‌ - ସେ ନିରାକାର ବାବା ଅଟନ୍ତି ଯାହାଙ୍କର ନାମ ହେଉଛି କଲ୍ୟାଣକାରୀ ଶିବ, ସମସ୍ତଙ୍କର ସଦ୍‌ଗତିଦାତା । ସେହି ନିରାକାର ବାବା ସୁଖର ସାଗର, ଶାନ୍ତିର ସାଗର ଅଟନ୍ତି । ବର୍ତ୍ତମାନ ଏତେ ଦୁଃଖ କାହିଁକି ହୋଇଯାଇଛି, କାହିଁକି ନା ବର୍ତ୍ତମାନ ହେଉଛି ରାବଣ ରାଜ୍ୟ । ରାବଣ ସମସ୍ତଙ୍କର ଶତ୍ରୁ, ତାକୁ ମାରୁଛନ୍ତି ମଧ୍ୟ, କିନ୍ତୁ ସେ ମରୁନାହିଁ । ଏଠାରେ କେବଳ ଗୋଟିଏ ମାତ୍ର ଦୁଃଖ ନାହିଁ, ଅନେକ ଦୁଃଖ ରହିଛି । ସତ୍ୟଯୁଗରେ ହେଉଛି ଅସୀମ ସୁଖ । ୫ ହଜାର ବର୍ଷ ପୂର୍ବରୁ ବେହଦ ବାବାଙ୍କର ସନ୍ତାନ ହୋଇଥିଲୁ ଏବଂ ବର୍ସା ମଧ୍ୟ ବାବାଙ୍କଠାରୁ ନେଇଥିଲୁ । ଶିବବାବା ନିଶ୍ଚିତ ଆସୁଛନ୍ତି, ଏଠାକୁ ଆସି କିଛି ତ କରୁଛନ୍ତି ନା । ଯଥାର୍ଥ ଭାବରେ କରୁଛନ୍ତି, ତେଣୁ ତ ତାଙ୍କର ମହିମାର ଗାୟନ ହେଉଛି । ଶିବରାତ୍ରି କହିବା ସହ କୃଷ୍ଣଙ୍କର ରାତ୍ରୀ ମଧ୍ୟ କହୁଛନ୍ତି । ବର୍ତ୍ତମାନ ଶିବରାତ୍ରୀ ଏବଂ କୃଷ୍ଣଙ୍କର ରାତ୍ରିକୁ ମଧ୍ୟ ବୁଝିବା ଦରକାର । ଶିବ ତ ଘନ ଅନ୍ଧକାର ରାତ୍ରିରେ ଆସୁଛନ୍ତି । କୃଷ୍ଣଙ୍କର ଜନ୍ମ ଅମୃତବେଳାରେ ହୋଇଥାଏ, ରାତ୍ରିରେ ନୁହେଁ । ଶିବଙ୍କର ରାତ୍ରି ପାଳନ କରୁଛନ୍ତି କିନ୍ତୁ ତାଙ୍କର କୌଣସି ତିଥି ତାରିଖ ନାହିଁ । କୃଷ୍ଣଙ୍କର ଜନ୍ମ ଅମୃତବେଳାରେ ହୋଇଥାଏ । ଅମୃତବେଳାକୁ ସବୁଠାରୁ ଶୁଭମୂହୁର୍ତ୍ତ ବୋଲି କୁହାଯାଏ । ଦୁନିଆରେ କୃଷ୍ଣଙ୍କର ଜନ୍ମ ରାତି ୧୨ଟା ବେଳେ ପାଳନ କରୁଛନ୍ତି କିନ୍ତୁ ସେହି ସମୟକୁ ପ୍ରଭାତ କୁହାଯିବ ନାହିଁ । ପ୍ରଭାତ ଭୋର ୨-୩ଟାକୁ କୁହାଯାଏ, ଯେତେବେଳେ କି ସୁମରଣା ମଧ୍ୟ କରାଯାଇ ପାରିବ । ଏମିତି ନୁହେଁ ଯେ ୧୨ଟାରେ ବିକାରରୁ ଉଠି କେହି ଭଗବାନଙ୍କର ନାମ ସ୍ମରଣ କରୁଥିବେ, ବିଲ୍‌କୁଲ୍ ନୁହେଁ । ୧୨ଟାକୁ ଅମୃତବେଳା କୁହାଯାଏ ନାହିଁ । ସେ ସମୟରେ ତ ମଣିଷ ପତିତ ଦୁର୍ଗନ୍ଧଯୁକ୍ତ ହୋଇଥାନ୍ତି । ସାରା ବାୟୁମଣ୍ଡଳ ହିଁ ଖରାପ ହୋଇଯାଇଥାଏ । ରାତ୍ରୀ ଅଢେଇଟାରେ କେହି ଉଠନ୍ତି ନାହିଁ । ୩-୪ଟା ସମୟକୁ ଅମୃତବେଳା କୁହାଯାଏ । ସେହି ସମୟରେ ମନୁଷ୍ୟମାନେ ଉଠି ଭକ୍ତି କରିଥାନ୍ତି । ଏହି ସମୟ ତ ମନୁଷ୍ୟମାନେ ତିଆରି କରିଛନ୍ତି, କିନ୍ତୁ ସେପରି କିଛି ସମୟ ନାହିଁ । ତେବେ ତୁମେ କୃଷ୍ଣଙ୍କର ଜନ୍ମ ସମୟ ବାହାର କରିପାରିବ । କିନ୍ତୁ ଶିବଙ୍କର ବେଳା କିଛି ବି ବାହାର କରିପାରିବ ନାହିଁ । ସେ ତ ନିଜେ ହିଁ ଆସି ବୁଝାଉଛନ୍ତି । ତେଣୁ ପ୍ରଥମେ ପ୍ରଥମେ ଶିବବାବାଙ୍କର ମହିମା ବୁଝାଇବାକୁ ପଡିବ । ଗୀତ ପଛରେ ନୁହେଁ, ପ୍ରଥମେ ବଜାଇବାକୁ ହେବ । ଶିବବାବା ସବୁଠାରୁ ମିଠାବାବା, ତାଙ୍କଠାରୁ ଅସୀମ ସମ୍ପତ୍ତି ମିଳୁଛି । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଏହି ଶ୍ରୀକୃଷ୍ଣ ସତ୍ୟଯୁଗର ପ୍ରଥମ ରାଜକୁମାର ଥିଲେ । ସେଠାରେ ଅପରମଅପାର ସୁଖ ଥିଲା । ଏବେ ମଧ୍ୟ ସ୍ୱର୍ଗର ମହିମା କରୁଛନ୍ତି । କାହାର ମୃତ୍ୟୁ ହେଲେ କହୁଛନ୍ତି ଅମୁକ ସ୍ୱର୍ଗକୁ ଗଲା । ଆରେ, ବର୍ତ୍ତମାନ ତ ନର୍କ । ସ୍ୱର୍ଗ ଥିଲେ ତ ସ୍ୱର୍ଗରେ ପୂନର୍ଜନ୍ମ ନେଇପାରିଥାନ୍ତେ । ଯେତେବେଳେ ଅନ୍ୟମାନଙ୍କୁ ବୁଝାଉଛ ତେବେ କହିବା ଦରକାର ଯେ ମୋ ପାଖରେ ତ ଏତେ ବର୍ଷର ଅନୁଭବ ରହିଛି, ତାହା କେବଳ ୧୫ ମିନିଟ୍‌ରେ ବୁଝାଇ ପାରିବି ନାହିଁ । ସେଥିପାଇଁ ତ ସମୟ ଦରକାର । ପ୍ରଥମେ ତ ଗୋଟିଏ ସେକେଣ୍ଡର କଥା ଶୁଣାଉଛି, ବେହଦର ବାବା ଯିଏ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି ତାଙ୍କର ପରିଚୟ ଦେଉଛି । ସେ ଆମ ସମସ୍ତ ଆତ୍ମାମାନଙ୍କର ପିତା । ଆମେ ସବୁ ବି.କେ. ଶିବବାବାଙ୍କର ଶ୍ରୀମତରେ ଚାଲୁଛୁ । ବାବା କହୁଛନ୍ତି ତୁମେ ସବୁ ଭାଇ ଭାଇ ଅଟ, ମୁଁ ତୁମମାନଙ୍କର ପିତା । ମୁଁ ୫ ହଜାର ବର୍ଷ ପୂର୍ବରୁ ଆସିଥିଲି, ସେଥିପାଇଁ ତ ଶିବଜୟନ୍ତୀ ପାଳନ କରୁଛ । କିନ୍ତୁ ସ୍ୱର୍ଗରେ କେବେ କିଛି ପାଳନ କରାଯାଏ ନାହିଁ । ଶିବଜୟନ୍ତୀ ହୁଏ, ଯାହାକୁ ପୁଣି ମନେ ପକାଇବା ପାଇଁ ଭକ୍ତିମାର୍ଗରେ ପର୍ବ ଆଦି ପାଳନ କରିଥା’ନ୍ତି । ବର୍ତ୍ତମାନ ଏହା ଗୀତାର ଅଧ୍ୟାୟ ଚାଲିଛି । ନୂଆ ଦୁନିଆର ସ୍ଥାପନା ବ୍ରହ୍ମାଙ୍କ ଦ୍ୱାରା, ପୁରୁଣା ଦୁନିଆର ବିନାଶ ଶଙ୍କରଙ୍କ ଦ୍ୱାରା ହେଉଛି । ବର୍ତ୍ତମାନ ଏହି ପୁରୁଣା ଦୁନିଆର ବାୟୁମଣ୍ଡଳ ତ ତୁମେ ଦେଖୁଛ, ଏହି ପତିତ ଦୁନିଆର ବିନାଶ ତ ନିଶ୍ଚିତ ହେବାର ଅଛି, ଏଥିପାଇଁ କହୁଛନ୍ତି ପବିତ୍ର ଦୁନିଆକୁ ନେଇଚାଲ । ଅସୀମ ଦୁଃଖ ରହିଛି -ଲଢେଇ, ମୃତ୍ୟୁ, ବୈଧବ୍ୟ, ଜୀବଘାତ କରିବା..... । ସତ୍ୟଯୁଗରେ ତ ଅପାର ସୁଖର ରାଜ୍ୟ ଥିଲା । ଏହି ଲକ୍ଷ୍ୟ ଉଦ୍ଦେଶ୍ୟର ଚିତ୍ର ତ ନିଶ୍ଚିତ ଭାବେ ସେଠାକୁ ନେଇଯିବା ଦରକାର । ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ । ମୁଁ ତୁମକୁ ୫ ହଜାର ବର୍ଷର କଥା ଶୁଣାଉଛି - ସେମାନେ କିପରି ଏହି ଜନ୍ମ ପାଇଲେ ? ଏପରି କେଉଁ କର୍ମ କରିଥିଲେ ଯାହା ଦ୍ୱାରା ଏହି ପଦର ଅଧିକାରୀ ହେଲେ? କର୍ମ, ଅକର୍ମ, ବିକର୍ମର ଗତିକୁ ବାବା ହିଁ ବୁଝାଉଛନ୍ତି । ସତ୍ୟଯୁଗରେ କର୍ମ, ଅକର୍ମ ହୋଇଥାଏ । ଏଠାରେ ରାବଣ ରାଜ୍ୟ ହୋଇଥିବାରୁ କର୍ମ, ବିକର୍ମ ହୋଇଯାଉଛି, ସେଥିପାଇଁ ଏହାକୁ ପାପ ଆତ୍ମାମାନଙ୍କର ଦୁନିଆ କୁହାଯାଉଛି । ଦେବା-ନେବା ମଧ୍ୟ ଏଠାରେ ପାପ ଆତ୍ମାମାନଙ୍କ ସହିତ ହିଁ ହେଉଛି । ଗର୍ଭରେ ପିଲା ଥିବା ସମୟରୁ ହିଁ ନିର୍ବନ୍ଧ କରାଇ ଦେଉଛନ୍ତି । କେତେ ବିକାରୀ ଦୃଷ୍ଟି । ଏଠାରେ ହେଉଛି ହିଁ ବିକାରୀ ଦୁନିଆ । ସତ୍ୟଯୁଗକୁ କୁହାଯାଏ ସିଭିଲ୍ ଆଇଜ୍‌ଡ (ପବିତ୍ର ଦୃଷ୍ଟି) । ଏଠାରେ ଆଖି ବହୁତ ପାପ କରିଥାଏ । ସେଠାରେ କେହି ପାପ କରନ୍ତି ନାହିଁ । ସତ୍ୟଯୁଗ ଠାରୁ ଆରମ୍ଭ କରି କଳିଯୁଗ ଶେଷ ପର୍ଯ୍ୟନ୍ତ ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି । ଏହା ତ ଜାଣିବା ଦରକାର ନା । ଦୁଃଖଧାମ ସୁଖଧାମ କାହିଁକି କୁହାଯାଏ? ସବୁ କିଛି ପତିତ ଏବଂ ପବିତ୍ର ହେବା ଉପରେ ହିଁ ନିର୍ଭର କରେ । ଏଥିପାଇଁ ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ, ତାକୁ ଜିତିଲେ ତୁମେ ଜଗତଜିତ ହେବ । ଅଧାକଳ୍ପ ପବିତ୍ର ଦୁନିଆ ଥିଲା, ଯେଉଁଥିରେ ଶ୍ରେଷ୍ଠାଚାରୀ ଦେବତାମାନେ ଥିଲେ । ଏବେ ତ ଭ୍ରଷ୍ଟାଚାରୀ ହୋଇଯାଇଛନ୍ତି । ଗୋଟିଏ ପଟେ କହୁଛନ୍ତି ଏହା ଭ୍ରଷ୍ଟାଚାରୀ ଦୁନିଆ ଅଟେ ପୁଣି ସମସ୍ତଙ୍କୁ ଶ୍ରୀ ଶ୍ରୀ କହି ଚାଲିଛନ୍ତି, ଯାହା ଆସୁଛି ତାହା କହିଦେଉଛନ୍ତି । ଏ ସବୁକୁ ବୁଝିବା ଦରକାର । ଏବେ ତ ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ । ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ପାପ କଟିଯିବ । ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ସୁଖଧାମର ମାଲିକ ହୋଇଯିବ । ବର୍ତ୍ତମାନ ତ ହେଉଛି ଦୁଃଖ । ସେମାନେ କେତେ ବି କନଫରେନସ୍ (ସଭା) କରନ୍ତୁ, ସଂଗଠନ କରନ୍ତୁ କିନ୍ତୁ ଏଥିରେ କିଛି ହେବାର ହିଁ ନାହିଁ । ସିଢି ତଳକୁ ତଳକୁ ଓହ୍ଲାଇ ଚାଲିଛନ୍ତି । ବାବା ନିଜର କାର୍ଯ୍ୟ ନିଜ ପିଲାମାନଙ୍କ ଦ୍ୱାରା କରୁଛନ୍ତି । ତୁମେ ଡାକିଲ ହେ ପତିତ-ପାବନ ଆସ, ତେଣୁ ମୁଁ ନିଜ ସମୟରେ ଆସୁଛି । ୟଦା ୟଦା ହିଁ ଧର୍ମସ୍ୟ.... ଏହାର ଅର୍ଥକୁ ମଧ୍ୟ ଜାଣିନାହାଁନ୍ତି । ଡାକୁଛନ୍ତି ତେଣୁ ନିଶ୍ଚିତ ଭାବେ ନିଜେ ପତିତ ଅଟନ୍ତି । ବାବା କହୁଛନ୍ତି ରାବଣ ତୁମକୁ ପତିତ କରିଦେଇଛି । ଏବେ ମୁଁ ପବିତ୍ର କରିବା ପାଇଁ ଆସିଛି । ତାହା ପବିତ୍ର ଦୁନିଆ ଥିଲା । ଏବେ ପତିତ ଦୁନିଆ ହୋଇଯାଇଛି । ସମସ୍ତଙ୍କ ଭିତରେ ୫ ବିକାର ରହିଛି । ଅପରମଅପାର ଦୁଃଖ ରହିଛି । ଚାରିଆଡେ ଅଶାନ୍ତି ହିଁ ଅଶାନ୍ତି ରହିଛି । ଯେତେବେଳେ ତୁମେ ସଂପୂର୍ଣ୍ଣ ତମଃପ୍ରଧାନ, ପାପ ଆତ୍ମା ହୋଇଯାଉଛ ସେତେବେଳେ ମୁଁ ଆସୁଛି । ମୋତେ ସର୍ବବ୍ୟାପୀ କହି ଯେଉଁମାନେ ମୋର ଅପକାର କରିଛନ୍ତି ସେମାନଙ୍କର ବି ମୁଁ ଉପକାର କରିବା ପାଇଁ ଆସୁଛି । ମୋତେ ତୁମେ ନିମନ୍ତ୍ରଣ ଦେଇଛ କି ଏହି ପତିତ ରାବଣ ଦୁନିଆରେ ଆସ । ପତିତ ଶରୀରରେ ଆସ । ମୋତେ ବି ରଥ ତ ଦରକାର ନା । ପବିତ୍ର ରଥ ତ ଦରକାର ନାହିଁ । ଏହି ରାବଣ ରାଜ୍ୟରେ ସମସ୍ତେ ପତିତ, କେହି ପବିତ୍ର ନାହାଁନ୍ତି । ଏଠାରେ ସମସ୍ତେ ବିକାରରୁ ହିଁ ଜନ୍ମ ନେଉଛନ୍ତି । ଏହା ବିକାରୀ ଦୁନିଆ, ତାହା ହେଉଛି ନିର୍ବିକାରୀ ଦୁନିଆ । ଏବେ ତୁମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ କିପରି ହେବ? ମୁଁ ହିଁ ପତିତ-ପାବନ ଅଟେ, କହୁଛନ୍ତି ମୋ ସହିତ ଯୋଗ ଲଗାଅ । ଏହା ହେଉଛି ଭାରତର ପ୍ରାଚୀନ ରାଜଯୋଗ । ତେବେ ନିଶ୍ଚିତ ଭାବେ ଗୃହସ୍ଥ ମାର୍ଗରେ ହିଁ ଆସିବେ । କିପରି ଆଶ୍ଚର୍ଯ୍ୟଜନକ ରୀତିରେ ଆସୁଛନ୍ତି, ସେ ପିତା ବି ଅଟନ୍ତି ତ ମାତା ମଧ୍ୟ ଅଟନ୍ତି କାହିଁକି ନା ଗୋମୁଖ ଦରକାର, ଯେଉଁଥିରୁ ଅମୃତ ବାହାରିବ । ତେବେ ଇଏ ତ ମାତାପିତା ହେଲେ, ପୁଣି ମାତାମାନଙ୍କର ଦାୟିତ୍ୱ ନେବା ପାଇଁ ସରସ୍ୱତୀଙ୍କୁ ମୂଖ୍ୟ ଭାବେ ରଖିଛନ୍ତି । ତାଙ୍କୁ ଜଗତଅମ୍ବା ବୋଲି କୁହାଯାଉଛି । ଭକ୍ତମାନେ ମା’ କାଳୀ ବୋଲି କହୁଛନ୍ତି । ଏମିତି କ’ଣ କାହାର ଶରୀର କଳା ହୋଇଥାଏ କି! କୃଷ୍ଣଙ୍କୁ କଳା କରିଦେଇଛନ୍ତି କାହିଁକି ନା କାମ ଚିତା ଉପରେ ଚଢି କଳା ହୋଇଯାଇଛନ୍ତି । ଶ୍ରୀକୃଷ୍ଣ ହିଁ କଳାରୁ ପୁଣି ଗୋରା ହୋଇଥା’ନ୍ତି । ଏହି ସବୁ କଥାକୁ ବୁଝିବା ପାଇଁ ମଧ୍ୟ ସମୟ ଦରକାର । କୋଟିଏରୁ କେହି ଜଣେ ଏବଂ ସେହି ଜଣଙ୍କ ଭିତରୁ ମଧ୍ୟ କେହି ଜଣେ ଜଣେ ଏହି କଥାକୁ ବୁଝୁଥିବେ କାରଣ ସମସ୍ତଙ୍କ ଭିତରେ ୫ ବିକାରର ପ୍ରବେଶତା ହୋଇଛି । ଏହି କଥାକୁ ତୁମେ ସଭାମାନଙ୍କରେ ମଧ୍ୟ ବୁଝାଇ ପାରିବ, କାହିଁକି ନା କାହାକୁ ମଧ୍ୟ ବୁଝାଇବାର ଅଧିକାର ତୁମର ଅଛି । ଏହାର ସୁଯୋଗ ନେବା ଦରକାର । ଅଫିସିଆଲ ଅର୍ଥାତ୍ ବିଧିବଦ୍ଧ ଭାବରେ ଆୟୋଜିତ ହେଉଥିବା ସଭାରେ କେହି ମଝିରେ ପ୍ରଶ୍ନ କରନ୍ତି ନାହିଁ । ନ ଶୁଣିବାର ଅଛି ତ ଶାନ୍ତିରେ ଚାଲିଯାଅ, ପାଟି କର ନାହିଁ । ଏହିଭଳି ଭାବରେ ବସି ବୁଝାଅ । ବର୍ତ୍ତମାନ ତ ଅପାର ଦୁଃଖ ରହିଛି, ଆଗକୁ ଆହୁରି ଦୁଃଖର ପାହାଡ ଖସିବ । ଏବେ ଆମେ ବାବାଙ୍କୁ ଏବଂ ରଚନାକୁ ମଧ୍ୟ ଜାଣିଛୁ । ତୁମେ ତ କାହାର କାର୍ଯ୍ୟକଳାପକୁ ଜାଣିନାହଁ, ବାବା ଭାରତକୁ ପାରାଡାଇଜ୍ (ସ୍ୱର୍ଗ) କେବେ ଆଉ କିପରି କରିଥିଲେ - ଏ କଥା ତୁମେମାନେ ଜାଣିନାହଁ, ଯଦି ତୁମେ ଏଠାକୁ ଆସିବ ତେବେ ଏ ସମ୍ବନ୍ଧରେ ବୁଝାଇଦେବୁ । ୮୪ ଜନ୍ମ କିପରି ନେଉଛ? ୭ ଦିନର କୋର୍ସ କରନ୍ତୁ ତା’ହେଲେ ଆପଣଙ୍କୁ ୨୧ ଜନ୍ମ ପାଇଁ ପାପ ଆତ୍ମାରୁ ପୁଣ୍ୟ ଆତ୍ମା କରିଦେବୁ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କର୍ମ-ଅକର୍ମ-ବିକର୍ମର ଗୁହ୍ୟ ଗତି ଯାହାକୁ କି ବାବା ଶୁଣାଇଛନ୍ତି ତାହାକୁ ବୁଦ୍ଧିରେ ରଖି ଏବେ ପାପାତ୍ମାମାନଙ୍କ ସହିତ କୌଣସି ନେଣ-ଦେଣ କରିବାର ନାହିଁ ।

(୨) ଶ୍ରୀମତ ଅନୁସାରେ ନିଜର ବୁଦ୍ଧିଯୋଗ ଏକମାତ୍ର ବାବାଙ୍କ ସହିତ ଲଗାଇବାକୁ ହେବ । ସତ୍ତ୍ୱପ୍ରଧାନ ହେବାର ପୁରୁଷାର୍ଥ କରିବାକୁ ହେବ । ଦୁଃଖଧାମକୁ ସୁଖଧାମ କରିବା ପାଇଁ ପତିତରୁ ପବିତ୍ର ହେବାର ପୁରୁଷାର୍ଥ କରିବାକୁ ହେବ । ବିକାରୀ ଦୃଷ୍ଟିକୁ ପରିବର୍ତ୍ତନ କରିବାକୁ ହେବ ।

ବରଦାନ:-
ଜ୍ଞାନବାନ ଆତ୍ମା ହୋଇ ସମସ୍ତ ବ୍ୟର୍ଥ ପ୍ରଶ୍ନଗୁଡିକୁ ଯଜ୍ଞରେ ସ୍ୱାହା କରି ନିର୍ବିଘ୍ନ ଆତ୍ମା ହୁଅ ।

ଯେତେବେଳେ କୌଣସି ବିଘ୍ନ ଆସିଥାଏ ସେତେବେଳେ ତୁମେମାନେ କାହିଁକି, କ’ଣ ଭଳି ଅନେକ ଗୁଡିଏ ପ୍ରଶ୍ନ ଭିତରକୁ ଚାଲିଯାଇଥାଅ । ତେବେ ଏହିଭଳି ପ୍ରଶ୍ନଚିତ୍ତ ହେବା ଅର୍ଥାତ୍ ଦୁଃଖୀ ହେବା । ଯଦି ଜ୍ଞାନବାନ ଆତ୍ମା ହୋଇ ନିଜର ସମସ୍ତ ବ୍ୟର୍ଥ ପ୍ରଶ୍ନଗୁଡିକୁ ଏହି ଈଶ୍ୱରୀୟ ଜ୍ଞାନ ଯଜ୍ଞରେ ସ୍ୱାହା କରିଦେବ ତେବେ ତୁମର ମଧ୍ୟ ସମୟ ବଞ୍ଚିଯିବ ଏବଂ ଅନ୍ୟମାନଙ୍କର ମଧ୍ୟ ସମୟ ବଞ୍ଚିଯିବ, ଏହାଦ୍ୱାରା ତୁମେ ସହଜରେ ନିର୍ବିଘ୍ନ ହୋଇଯିବ । ତେବେ ନିଶ୍ଚୟ ଏବଂ ବିଜୟ ତୁମମାନଙ୍କର ଜନ୍ମସିଦ୍ଧ ଅଧିକାର ଅଟେ - ଯଦି ସର୍ବଦା ସ୍ୱାଭିମାନରେ ରହିବ ତେବେ କେବେ ବି ଦୁଃଖୀ ହେବ ନାହିଁ ।

ସ୍ଲୋଗାନ:-
ସର୍ବଦା ନିଜେ ଉତ୍ସାହରେ ରହିବା ଏବଂ ଅନ୍ୟମାନଙ୍କୁ ଉତ୍ସାହିତ କରିବା - ଏହା ହିଁ ତୁମମାନଙ୍କର କାର୍ଯ୍ୟ ।