13.10.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମକୁ ଦେବତା ହେବାର ଅଛି ସେଥିପାଇଁ ମାୟାର ଅବଗୁଣଗୁଡିକୁ ତ୍ୟାଗ କର । ରାଗିବା, ମାଡ ମାରିବା, ହଇରାଣ କରିବା, ଖରାପ କାମ କରିବା, ଚୋରୀ ଆଦି କରିବା ଏସବୁ ମହାପାପ ଅଟେ ।”

ପ୍ରଶ୍ନ:-
ଏହି ଜ୍ଞାନରେ କେଉଁ ସନ୍ତାନମାନେ ତୀକ୍ଷ୍ମ (ବୁଦ୍ଧିମାନ) ହୋଇପାରିବେ? କେଉଁମାନଙ୍କର କ୍ଷତି ହେଉଛି?

ଉତ୍ତର:-
ଯେଉଁମାନଙ୍କୁ ନିଜର ହିସାବ ରଖିବା ଅର୍ଥାତ୍ ଚାର୍ଟ ରଖିବା ଜଣା ଅଛି ସେମାନେ ଏହି ଜ୍ଞାନରେ ବହୁତ ତୀବ୍ରଗତିରେ ଆଗକୁ ଯାଇପାରିବେ । ଯେଉଁମାନେ ଦେହୀ-ଅଭିମାନୀ ହୋଇ ରହୁନାହାଁନ୍ତି ସେହିମାନଙ୍କର ହିଁ କ୍ଷତି ହେଉଛି । ବାବା କହୁଛନ୍ତି ବେପାରୀମାନଙ୍କର ହିସାବ ରଖିବାର ଅଭ୍ୟାସ ଥାଏ, ସେମାନେ ଏଠାରେ ମଧ୍ୟ ଶୀଘ୍ର ଶୀଘ୍ର ଆଗକୁ ବଢିପାରିବେ ।

ଗୀତ:-
ମୁଖଡା ଦେଖ୍ ଲେ ପ୍ରାଣୀ...

ଓମ୍ ଶାନ୍ତି ।
ଆତ୍ମିକ ପାର୍ଟଧାରୀ ସନ୍ତାନମାନଙ୍କୁ ବାବା ବୁଝାଉଛନ୍ତି କାହିଁକି ନା ବେହଦର ନାଟକରେ ଆତ୍ମା ହିଁ ପାର୍ଟ କରୁଛି । ନାଟକ ମନୁଷ୍ୟମାନଙ୍କର ଅଟେ ନା । ବର୍ତ୍ତମାନ ପିଲାମାନେ ପୁରୁଷାର୍ଥ କରୁଛନ୍ତି । ଯଦିଓ ବେଦ-ଶାସ୍ତ୍ର ପଢୁଛନ୍ତି, ଶିବଙ୍କର ପୂଜା କରୁଛନ୍ତି କିନ୍ତୁ ବାବା କହୁଛନ୍ତି ଏହାଦ୍ୱାରା ମୋତେ କେହି ପ୍ରାପ୍ତ କରିପାରିବେ ନାହିଁ କାହିଁକି ନା ଭକ୍ତି ହେଉଛି ପତନର କଳା । ଜ୍ଞାନ ଦ୍ୱାରା ସଦ୍‌ଗତି ହେଉଛି ତେବେ ନିଶ୍ଚୟ କାହା ଦ୍ୱାରା ତଳକୁ ଓହ୍ଲାଉଥିବେ ମଧ୍ୟ । ଏହା ଏକ ଖେଳ ଅଟେ । ଏହି ଖେଳକୁ କେହି ବି ଜାଣି ନାହାଁନ୍ତି । ଶିବଲିଙ୍ଗକୁ ପୂଜା କଲେ ମଧ୍ୟ ତାଙ୍କୁ ବ୍ରହ୍ମ କୁହାଯିବ ନାହିଁ । ତେବେ ସେ କିଏ ଯାହାଙ୍କୁ ପୂଜା କରୁଛନ୍ତି । ତାଙ୍କୁ ମଧ୍ୟ ଈଶ୍ୱର ଭାବି ପୂଜା କରୁଛନ୍ତି । ତୁମେ ଯେତେବେଳେ ପ୍ରଥମେ ଭକ୍ତି ଆରମ୍ଭ କରୁଛ ସେତେବେଳେ ହୀରାର ଶିବଲିଙ୍ଗ ତିଆରି କରୁଥିଲ । ଏବେ ତ’ ଗରିବ ହୋଇଯାଇଥିବାରୁ ପଥରର ଲିଙ୍ଗ ତିଆରି କରୁଛନ୍ତି । ହୀରାର ଲିଙ୍ଗ ସେ ସମୟରେ ୪-୫ ହଜାରର ହୋଇଥିବ । ବର୍ତ୍ତମାନ ତ’ ତାର ଦାମ ୫-୭ ଲକ୍ଷ ହେବ । ଏପରି ହୀରା ଏବେ ବହୁତ ମୁସ୍‌କିଲ୍‌ରେ ବାହାରୁଛି । ପଥରବୁଦ୍ଧି ହୋଇଯାଇଛନ୍ତି ତେଣୁ ଜ୍ଞାନ ବିନା ପୂଜା ମଧ୍ୟ ପଥରର କରୁଛନ୍ତି । ଜ୍ଞାନ ଥିବା ସମୟରେ ତୁମେ ପୂଜା କରୁ ନାହିଁ । ଏବେ ଚୈତନ୍ୟରେ ସମ୍ମୁଖରେ ଅଛନ୍ତି ଏବଂ ତାଙ୍କୁ ହିଁ ତୁମେମାନେ ସ୍ମରଣ କରୁଛ । ତୁମେମାନେ ଜାଣିଛ ଯେ ସ୍ମରଣ ଦ୍ୱାରା ବିକର୍ମ ବିନାଶ ହେବ । ଗୀତରେ ମଧ୍ୟ କହୁଛନ୍ତି - ହେ ସନ୍ତାନମାନେ, ଆତ୍ମାକୁ ପ୍ରାଣୀ ବୋଲି କୁହାଯାଉଛି । ପ୍ରାଣ ବାହାରିଗଲେ ଶରୀର ମୁର୍ଦାର ହୋଇଯାଇଥାଏ । ଆତ୍ମା ବାହାରିଯାଇଥାଏ । ଆତ୍ମା ହେଉଛି ଅବିନାଶୀ । ଶରୀରରେ ଆତ୍ମା ପ୍ରବେଶ କରିବା ପରେ ଚୈତନ୍ୟ ହେଉଛି । ବାବା କହୁଛନ୍ତି - ହେ ଆତ୍ମାମାନେ, ନିଜକୁ ଯାଞ୍ଚ କର ମୁଁ କେତେ ଦୈବୀଗୁଣର ଧାରଣା କରିଛି? କୌଣସି ବିକାର ନାହିଁ ତ? ଚୋରୀ ଆଦିର କୌଣସି ଆସୁରୀ ଗୁଣ ତ’ ମୋ ଭିତରେ ନାହିଁ ନା? ଆସୁରୀ କର୍ମ କଲେ ପୁଣି ତଳକୁ ଖସିଯିବ । ଏତେ ଉଚ୍ଚ ପଦ ପାଇପାରିବ ନାହିଁ । ତେଣୁ ଖରାପ ଅଭ୍ୟାସକୁ ଛାଡିବା ଜରୁରୀ ଅଟେ । ଦେବତାମାନେ କେବେ କାହା ଉପରେ କ୍ରୋଧ କରିନଥା’ନ୍ତି । ଏଠାରେ ଅସୁରମାନଙ୍କ ଦ୍ୱାରା କେତେ ମାଡ ଖାଉଛନ୍ତି କାହିଁକି ନା ତୁମେ ଦୈବୀ ସମ୍ପ୍ରଦାୟର ହେବାକୁ ଯାଉଛ ତେଣୁ ମାୟା କେତେ ଶତ୍ରୁ ହୋଇଯାଉଛି । ମାୟାର ଅବଗୁଣ କାମ କରୁଛି । ମାରିବା, ହଇରାଣ କରିବା, ଖରାପ କାମ କରିବା ଏସବୁ ପାପ ଅଟେ । ତୁମ ପିଲାମାନଙ୍କୁ ତ’ ବହୁତ ଶୁଦ୍ଧ ରହିବାକୁ ହେବ । ଚୋରୀ ଆଦି କରିବା ତ’ ବଡ ପାପ ଅଟେ । ବାବାଙ୍କ ସହିତ ତୁମେ ପ୍ରତିଜ୍ଞା କରିଆସିଛ - ବାବା ମୋର ତ କେବଳ ଆପଣ ହିଁ ଅଛନ୍ତି ଦ୍ୱିତୀୟ କେହି ହେଲେ ନାହାଁନ୍ତି । ମୁଁ ଆପଣଙ୍କୁ ହିଁ ମନେ ପକାଇବି । ଭକ୍ତିମାର୍ଗରେ ଯଦିଓ ଗାୟନ କରୁଛନ୍ତି କିନ୍ତୁ ସେମାନଙ୍କୁ ଜଣାନାହିଁ ଯେ ସ୍ମରଣ ଦ୍ୱାରା କ’ଣ ହେଉଛି । ସେମାନେ ତ ବାବାଙ୍କୁ ଜାଣି ହିଁ ନାହାଁନ୍ତି । ଗୋଟିଏ ପାର୍ଶ୍ୱରେ ନାମ-ରୂପରୁ ଅଲଗା କହି, ଅନ୍ୟ ପାର୍ଶ୍ୱରେ ଲିଙ୍ଗର ପୂଜା କରୁଛନ୍ତି । ଏହି କଥାକୁ ତୁମକୁ ଭଲ ଭାବରେ ବୁଝି ପୁଣି ବୁଝାଇବା ଉଚିତ୍ । ବାବା କହୁଛନ୍ତି ବିଚାର କର ଯେ ମହାନ୍ ଆତ୍ମା କାହାକୁ କୁହାଯାଉଛି? ଶ୍ରୀକୃଷ୍ଣ ଯିଏକି ଛୋଟ ପିଲା ସ୍ୱର୍ଗର ରାଜକୁମାର, ସେ ମହାତ୍ମା ଅଟନ୍ତି ଅଥବା ଆଜିକାଲିର କଳିଯୁଗୀ ମନୁଷ୍ୟ? ସେ ବିକାର ଦ୍ୱାରା ଜନ୍ମ ହେଉ ନାହାଁନ୍ତି ନା । ତାହା ନିର୍ବିକାରୀ, ଏହା ବିକାରୀ ଦୁନିଆ ଅଟେ । ନିର୍ବିକାରୀଙ୍କୁ ବହୁତ ଉପାଧି ଦିଆଯାଇପାରିବ । ବିକାରୀର ଉପାଧି କ’ଣ? ଏକମାତ୍ର ବାବା ହିଁ ଶ୍ରେଷ୍ଠାଚାରୀ କରାଉଛନ୍ତି । ସେ ସବୁଠାରୁ ଉଚ୍ଚ ଆଉ ସବୁ ମନୁଷ୍ୟ ହେଉଛନ୍ତି ପାର୍ଟଧାରୀ ତେଣୁ ପାର୍ଟ ନିଶ୍ଚୟ କରିବାକୁ ହିଁ ପଡିବ । ସତ୍ୟଯୁଗ ହେଲା ଶ୍ରେଷ୍ଠ ମନୁଷ୍ୟମାନଙ୍କ ଦୁନିଆ । ସେଠାରେ ଜୀବଜନ୍ତୁ ଆଦି ସବୁ ଶ୍ରେଷ୍ଠ ହେବେ । ସେଠାରେ ମାୟା ରାବଣ ହିଁ ରହିବ ନାହିଁ । ସତ୍ୟଯୁଗରେ ଏଭଳି କୌଣସି ତମୋଗୁଣୀ ଜୀବଜନ୍ତୁ ରହିବେ ନାହିଁ । ସତ୍ୟଯୁଗରେ ତ ବିକାରର ନାମ ହିଁ ନଥାଏ । ପୁଣି ସେଠାରେ କିପରି ପିଲା ଜନ୍ମ ହେବେ! ଏକଥା ତ ତୁମେ ପିଲାମାନେ ଜାଣିଛ । ସେଠାରେ ବିକାର ନ ଥାଏ, ତାହା ହେଉଛି ଯୋଗବଳ । ବାବା କହୁଛନ୍ତି ତୁମମାନଙ୍କୁ ଦେବତା କରୁଛି, ତେଣୁ ନିଜର ପୂରା ଯାଞ୍ଚ କର । ବିନା ପରିଶ୍ରମରେ ବିଶ୍ୱର ମାଲିକ କ’ଣ ହୋଇପାରିବ କି ।

ଯେପରି ତୁମର ଆତ୍ମା ବିନ୍ଦୁ ସେହିପରି ବାବା ମଧ୍ୟ ବିନ୍ଦୁ ଅଟନ୍ତି । ଏଥିରେ ଦ୍ୱନ୍ଦ୍ୱର କୌଣସି କଥା ହିଁ ନାହିଁ । କେହି କେହି କହୁଛନ୍ତି ଆମେ ଦେଖିବୁ । ବାବା କହୁଛନ୍ତି ଦେଖିଲାବାଲାଙ୍କର ତ ତୁମେ ବହୁତ ପୂଜା କରିଛ । ଫାଇଦା କିଛି ହେଲା ନାହିଁ । ଏବେ ଯଥାର୍ଥ ଭାବେ ମୁଁ ତୁମକୁ ବୁଝାଉଛି । ମୋ ଠାରେ ସମସ୍ତ ପାର୍ଟ ଭରି ରହିଛି । ମୁଁ ସୁପ୍ରିମ ସୋଲ୍‌, ସୁପ୍ରିମ ଫାଦର ଅଟେ ନା । କୌଣସି ବି ସନ୍ତାନ ନିଜର ଲୌକିକ ପିତାଙ୍କୁ ଏପରି କହିବେ ନାହିଁ । କେବଳ ଜଣଙ୍କୁ ହିଁ ସୁପ୍ରିମ ଫାଦର କୁହାଯାଉଛି । ସନ୍ନ୍ୟାସୀମାନଙ୍କର ତ ସନ୍ତାନ ନାହାଁନ୍ତି ଯିଏକି ବାପା ବୋଲି କହିବେ । ଇଏ ସମସ୍ତ ଆତ୍ମାମାନଙ୍କର ପିତା, ଯିଏକି ବର୍ସା ଦେଉଛନ୍ତି । ସେମାନଙ୍କର କୌଣସି ଗୃହସ୍ଥ ଆଶ୍ରମ ତ ନୁହେଁ । ବାବା ବସି ବୁଝାଉଛନ୍ତି - ତୁମେ ହିଁ ୮୪ ଜନ୍ମ ଭୋଗ କରିଛ । ପ୍ରଥମେ ପ୍ରଥମେ ତୁମେ ସତ୍ତ୍ୱପ୍ରଧାନ ଥିଲ ପୁଣି ତଳକୁ ଖସିଆସିଛ । ଏବେ କ’ଣ କେହି ନିଜକୁ ସୁପ୍ରିମ କହିପାରିବେ କି, ଏବେ ତ ନୀଚ୍ଚ ବୋଲି ଭାବୁଛନ୍ତି । ବାବା ବାରମ୍ବାର ବୁଝାଉଛନ୍ତି ମୂଳ କଥା ହେଉଛି ନିଜ ଭିତରକୁ ଦେଖ ଯେ ଆମ ପାଖରେ କୌଣସି ବିକାର ନାହିଁ ତ’? ପ୍ରତିଦିନ ରାତ୍ରିରେ ନିଜର ହିସାବ ବାହାର କର । ବ୍ୟାପାରୀମାନେ ସବୁବେଳେ ତାଙ୍କର ହିସାବ ନିକାସ ବାହାର କରିଥାନ୍ତି । ସରକାରୀ କର୍ମଚାରୀ ହିସାବ ନିକାସ ବାହାର କରିପାରିବେ ନାହିଁ । ତାଙ୍କୁ ତ’ ନିଧାର୍ଯ୍ୟ ଦରମା ମିଳିଥାଏ । ଏହି ଜ୍ଞାନ ମାର୍ଗରେ ମଧ୍ୟ ବ୍ୟାପାରୀମାନେ ବହୁତ ଆଗକୁ ଯାଉଛନ୍ତି, ପାଠୁଆ, ଅଫିସରମାନେ ଏତେ ନୁହେଁ । ବ୍ୟାପାରରେ ତ ଆଜି ୫୦ କାଲି ୬୦ ରୋଜଗାର କରିବେ । କେବେ କେବେ କ୍ଷତି ମଧ୍ୟ ହୋଇଥାଏ । ସରକାରୀ ଚାକିରିଆଙ୍କର ଦରମା ନିର୍ଦ୍ଦିଷ୍ଟ ଥାଏ । ଏହି ରୋଜଗାରରେ ମଧ୍ୟ ଯଦି ଦେହୀ-ଅଭିମାନୀ ନ ହେବେ ତେବେ କ୍ଷତି ହୋଇଯିବ । ମାତାମାନେ ତ’ ବ୍ୟାପାର କରନ୍ତି ନାହିଁ । ତାଙ୍କ ପାଇଁ ତ ଆହୁରି ସହଜ । କନ୍ୟାମାନଙ୍କ ପାଇଁ ମଧ୍ୟ ସହଜ କାହିଁକି ନା ମାତାମାନଙ୍କୁ ତ ସିଡି ଓହ୍ଲାଇବାକୁ ପଡୁଛି । ଯିଏ ଏତେ ପରିଶ୍ରମ କରୁଛନ୍ତି ତାଙ୍କର ସମର୍ପଣ କୁହାଯିବ । କନ୍ୟାମାନେ ତ’ ବିକାରରେ ହିଁ ଯାଇନାହାନ୍ତି ପୁଣି ଛାଡିବେ କ’ଣ । ପୁରୁଷମାନଙ୍କୁ ତ ପରିଶ୍ରମ କରିବାକୁ ପଡୁଛି । ପରିବାର କୁଟୁମ୍ବର ପାଳନା କରିବାକୁ ପଡୁଛି । ଯେଉଁ ସିଢ଼ି ଚଢ଼ିଛନ୍ତି ସେଥିରୁ ଓହ୍ଲାଇବାକୁ ପଡୁଛି । ବାରମ୍ବାର ମାୟା ଚାପୁଡା ମାରି ତଳେ ପକାଇ ଦେଉଛି । ଏବେ ତୁମେ ବି.କେ. ହୋଇଛ । କୁମାରୀମାନେ ପବିତ୍ର ହିଁ ଥା’ନ୍ତି । ସବୁଠାରୁ ଅଧିକ ହେଉଛି ପତିଙ୍କ ପ୍ରେମ । ତୁମକୁ ତ ପତିମାନଙ୍କର ପତି ପରମାତ୍ମାଙ୍କୁ ମନେ ପକାଇବାକୁ ହେବ, ଅନ୍ୟ ସମସ୍ତଙ୍କୁ ଭୁଲିବାକୁ ହେବ । ମାତା-ପିତାଙ୍କର ପିଲାମାନଙ୍କ ପ୍ରତି ମୋହ ରହିଥାଏ । ଶିଶୁ ତ’ ହେଉଛନ୍ତି ଅଜ୍ଞ । ବିବାହ ପରେ ମୋହ ଆରମ୍ଭ ହୋଇଥାଏ । ପ୍ରଥମେ ସ୍ତ୍ରୀ ପ୍ରିୟ ଲାଗିଥାଏ, ପୁଣି ବିକାରରେ ଯିବା ପାଇଁ ସିଡି ଆରମ୍ଭ କରିଦେଇଥା’ନ୍ତି । କୁମାରୀମାନେ ନିର୍ବିକାରୀ ତେଣୁ ସେମାନଙ୍କର ପୂଜା କରାଯାଇଥାଏ । ତୁମର ନାମ ବି.କେ. । ତୁମେ ମହିମା ଯୋଗ୍ୟ ହୋଇ ପୁଣି ପୂଜା ଯୋଗ୍ୟ ହେଉଛ । ବାବା ତୁମର ଶିକ୍ଷକ ମଧ୍ୟ ଅଟନ୍ତି । ତେଣୁ ତୁମ ପିଲାମାନଙ୍କର ନିଶା ରହିବା ଉଚିତ୍ ଯେ, ଆମେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟୁ । ତେବେ ଭଗବାନ ନିଶ୍ଚୟ ଭଗବାନ ଭଗବତୀ ହିଁ କରାଇବେ । କେବଳ ବୁଝାଯାଉଛି - ଭଗବାନ ହେଉଛନ୍ତି ଜଣେ । ବାକି ସମସ୍ତେ ଭାଇ-ଭାଇ, ଦ୍ୱିତୀୟ କୌଣସି ସମ୍ପର୍କ ନାହିଁ । ପ୍ରଜାପିତା ବ୍ରହ୍ମାଙ୍କଠାରୁ ରଚନା ହୋଇ ପୁଣି ବୃଦ୍ଧି ହେଉଛି । ଆତ୍ମାମାନଙ୍କର ବୃଦ୍ଧି ହେଉଛି ବୋଲି କୁହାଯିବ ନାହିଁ । ମନୁଷ୍ୟମାନଙ୍କର ବୃଦ୍ଧି ହେଉଛି । ଆତ୍ମାମାନଙ୍କର ତ’ ନିର୍ଦ୍ଦିଷ୍ଟ ସଂଖ୍ୟା ଅଛି । ବହୁତ ଆସୁଛନ୍ତି । ସେଠାରେ ଥିବା ପର୍ଯ୍ୟନ୍ତ, ଆସିବାକୁ ଲାଗିବେ । ବୃକ୍ଷ ବଢି ଚାଲିବ । ଏପରି ନୁହେଁ ଯେ ଶୁଖିଯିବ । ଏହାର ତୁଳନା ବରଗଛ ସହିତ କରାଯାଉଛି, ଯାହାର ମୂଳ ନାହିଁ । ବାକି ସାରା ବୃକ୍ଷ ଛିଡା ହୋଇଛି । ତୁମର ମଧ୍ୟ ଏହିପରି ହେଉଛି । ମୂଳଦୁଆ ନାହିଁ । କେବଳ କିଛି ନା କିଛି ଚିହ୍ନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ମନ୍ଦିର ତିଆରି କରୁଛନ୍ତି । ମନୁଷ୍ୟମାନଙ୍କୁ କ’ଣ ଜଣା ଅଛି କି ଯେ ଦେବତାମାନଙ୍କର ରାଜ୍ୟ କେବେ ଥିଲା । ପୁଣି କେଉଁଆଡେ ଗଲା? ଏହି ଜ୍ଞାନ ତୁମ ବ୍ରାହ୍ମଣମାନଙ୍କ ପାଖରେ ରହିଛି । ମନୁଷ୍ୟମାନଙ୍କୁ ଏକଥା ଜଣା ନାହିଁ ଯେ ପରମାତ୍ମାଙ୍କ ସ୍ୱରୂପ ହେଉଛି ବିନ୍ଦୁ । ଗୀତାରେ ଅଖଣ୍ଡ ଜ୍ୟୋତି ସ୍ୱରୂପ ବୋଲି ଲେଖିଦେଇଛନ୍ତି । ପୂର୍ବରୁ ଭାବନା ଅନୁସାରେ ବହୁତଙ୍କୁ ସାକ୍ଷାତ୍‌କାର ହେଉଥିଲା । ବହୁତ ଲାଲ୍ ଲାଲ୍ ହୋଇଯାଉଥିଲେ । ବାସ୍ ମୁଁ ସହନ କରିପାରୁ ନାହିଁ । ବାସ୍ତବରେ ତାହା ତ’ ସାକ୍ଷାତ୍କାର ଥିଲା । ବାବା କହୁଛନ୍ତି ସାକ୍ଷାତ୍‌କାର ଦ୍ୱାରା କୌଣସି କଲ୍ୟାଣ ହେବ ନାହିଁ । ଏଠାରେ ତ ମୁଖ୍ୟ ହେଉଛି ୟାଦର ଯାତ୍ରା । ଯେପରି ପାରଦ ଖସି ଚାଲିଥାଏ ନା । ସେହିପରି ବାବାଙ୍କର ସ୍ମୃତି ମଧ୍ୟ ଘଡି ଘଡି ଖସି ଯାଉଛି । କେତେ ଇଚ୍ଛା କରୁଛନ୍ତି ବାବାଙ୍କୁ ସ୍ମରଣ କରିବୁ ପୁଣି ଅନ୍ୟ ସବୁ ଖିଆଲ ଆସିଯାଉଛି । ଏଥିରେ ହିଁ ତୁମର ରେସ୍ (ପ୍ରତିଯୋଗିତା) ହେଉଛି । ଏପରି ନୁହେଁ ଯେ ତୁରନ୍ତ ପାପ କଟିଯିବ । ଏଥିପାଇଁ ସମୟ ଲାଗିବ । କର୍ମାତୀତ ଅବସ୍ଥା ହୋଇଗଲେ ଏହି ଶରୀର ହିଁ ରହିବ ନାହିଁ । କିନ୍ତୁ ବର୍ତ୍ତମାନ କେହି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିପାରିବେ ନାହିଁ । ପୁଣି ତାଙ୍କୁ ସତ୍ୟଯୁଗୀ ଶରୀର ଆବଶ୍ୟକ । ତେଣୁ ଏବେ ତୁମ ପିଲାମାନଙ୍କୁ ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ନିଜକୁ ଦେଖ - ମୋ’ ଦ୍ୱାରା କୌଣସି ଖରାପ କାମ ହେଉ ନାହିଁ ତ’? ନିଜର ଚାର୍ଟ ନିଶ୍ଚୟ ରଖିବାକୁ ପଡିବ । ଏହିପରି ବ୍ୟାପାରୀ ତୁରନ୍ତ ସାହୁକାର ହୋଇପାରିବେ ।

ବାବାଙ୍କ ପାଖରେ ଯେଉଁ ଜ୍ଞାନ ରହିଛି ତାହା ଦେଉଛନ୍ତି । ବାବା କହୁଛନ୍ତି ମୋ ଆତ୍ମାରେ ଏହି ଜ୍ଞାନ ନିଧାର୍ଯ୍ୟ ହୋଇ ରହିଛି । ଅବିକଳ ତାହା ହିଁ କହିବି ଯେଉଁ ଜ୍ଞାନ କଳ୍ପ ପୂର୍ବେ ଦେଇଥିଲି । ପିଲାମାନଙ୍କୁ ହିଁ ବୁଝାଇବି, ଅନ୍ୟମାନେ କ’ଣ ଜାଣିବେ! ତୁମେ ଏହି ସୃଷ୍ଟି ଚକ୍ରକୁ ଜାଣିଛ, ଏଥିରେ ସବୁ ଅଭିନେତାଙ୍କର ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ଅଦଳ ବଦଳ ହୋଇପାରିବ ନାହିଁ । ନାଁ, କେହି ମୁକ୍ତ ହୋଇପାରିବେ । ହଁ, ବାକି ସମୟ ମୁକ୍ତି ମିଳୁଛି । ତୁମେ ତ’ ହେଉଛ ଅଲରାଉଣ୍ଡର । ୮୪ ଜନ୍ମ ନେଉଛ । ବାକି ସମସ୍ତେ ନିଜ ଘରେ ରହିବେ, ପରେ ଆସିବେ । ମୋକ୍ଷ ଚାହୁଁଥିବା ଆତ୍ମା ଏଠାକୁ ଆସିବେ ନାହିଁ । ସେମାନେ ପୁଣି ଶେଷରେ ଚାଲିଯିବେ । ଜ୍ଞାନ କେବେ ହେଲେ ଶୁଣିବେ ନାହିଁ । ମଶା ସଦୃଶ ଆସିବେ ଏବଂ ଯିବେ । ତୁମେ ତ’ ଡ୍ରାମା ଅନୁସାରେ ପାଠ ପଢୁଛ । ଜାଣିଛ ବାବା ୫ ହଜାର ବର୍ଷ ପୂର୍ବେ ମଧ୍ୟ ଏହିପରି ରାଜଯୋଗ ଶିଖାଇଥିଲେ । ତୁମେ ପୁଣି ଅନ୍ୟମାନଙ୍କୁ ବୁଝାଉଛ ଯେ ଶିବବାବା ଏପରି କହୁଛନ୍ତି । ବର୍ତ୍ତମାନ ତୁମେ ଜାଣୁଛ ଯେ ଆମେ କେତେ ଉଚ୍ଚ ଥିଲୁ, ଏବେ କେତେ ନୀଚ୍ଚ ହୋଇଯାଇଛୁ । ପୁନର୍ବାର ବାବା ଉଚ୍ଚ କରାଉଛନ୍ତି ତେଣୁ ସେହିପରି ପୁରୁଷାର୍ଥ କରିବା ଦରକାର ନା । ତୁମେ ଏଠାକୁ ରିଫ୍ରେସ୍ (ସତେଜ) ହେବାକୁ ଆସିଛ । ଏହାର ନାମ ହିଁ ମଧୁବନ ରଖାଯାଇଛି । ତୁମର କଲିକତା ଅଥବା ବମ୍ବେରେ କ’ଣ ମୁରଲୀ ଚଲାଉଛନ୍ତି କି । ମଧୁବନରେ ହିଁ ମୁରଲୀ ବାଜିଥାଏ । ମୁରଲୀ ଶୁଣି ରିଫ୍ରେସ୍ ହେବା ପାଇଁ ବାବାଙ୍କ ପାଖକୁ ଆସିବାକୁ ପଡିବ । ଦିନକୁ ଦିନ ନୂଆ-ନୂଆ ପଏଣ୍ଟସ୍ ବାହାରୁଛି । ସମ୍ମୁଖରେ ଶୁଣିବା ଦ୍ୱାରା ଅନୁଭବ କରୁଛ, ବହୁତ ଫରକ ରହୁଛି । ଆଗକୁ ଗଲେ ବହୁତ ପାର୍ଟ ଦେଖିବ । ବାବା ପ୍ରଥମରୁ ସବୁ ଶୁଣାଇ ଦେଲେ ମଜା ଚାଲିଯିବ । ତେଣୁ ଧିରେ-ଧିରେ ଜ୍ଞାନ ପ୍ରକାଶିତ (ଇମର୍ଜ) ହେବ । ଗୋଟିଏ ସେକେଣ୍ଡ ଅନ୍ୟ ସେକେଣ୍ଡ ସହିତ ସମାନ ହୋଇପାରିବ ନାହିଁ । ବାବା ଆତ୍ମାର ସେବା କରିବା ପାଇଁ ଆସିଛନ୍ତି, ତେଣୁ ପିଲାମାନଙ୍କର ମଧ୍ୟ କର୍ତ୍ତବ୍ୟ ହେଉଛି ଆତ୍ମାର ସେବା କରିବା । ଅତି କମ୍‌ରେ ଏହି କଥା ତ’ କୁହ - ବାବାଙ୍କୁ ମନେ ପକାଅ ଏବଂ ପବିତ୍ର ହୁଅ । ପବିତ୍ରତାରେ ହିଁ ଫେଲ୍ ହେଉଛନ୍ତି କାହିଁକି ନା ବାବାଙ୍କୁ ମନେ ପକାଉ ନାହାଁନ୍ତି । ତୁମେ ପିଲାମାନେ ବହୁତ ଖୁସି ହେବା ଦରକାର । ଆମେ ବେହଦ ବାବାଙ୍କ ସମ୍ମୁଖରେ ବସିଛୁ ଯାହାଙ୍କୁ କେହି ମଧ୍ୟ ଜାଣି ନାହାଁନ୍ତି । ସେହି ଶିବବାବା ହିଁ ହେଉଛନ୍ତି ଜ୍ଞାନର ସାଗର । ଦେହଧାରୀ ମାନଙ୍କଠାରୁ ବୁଦ୍ଧିଯୋଗ ବାହାର କରିଦେବା ଉଚିତ୍ । ଏହା ଶିବବାବାଙ୍କର ରଥ ଅଟେ । ଏହାଙ୍କର ରିଗାର୍ଡ (ସମ୍ମାନ) ନ ରଖିଲେ ଧର୍ମରାଜଙ୍କ ଦ୍ୱାରା ବହୁତ ମାଡ ଖାଇବାକୁ ପଡିବ । ବଡମାନଙ୍କର ସମ୍ମାନ ତ’ ରଖିବାକୁ ପଡିବ ନା । ଆଦିଦେବଙ୍କର କେତେ ରିଗାର୍ଡ ରଖୁଛନ୍ତି । ଜଡ ଚିତ୍ରର ଏତେ ରିଗାର୍ଡ ରହିଛି ତେଣୁ ଚୈତନ୍ୟଙ୍କର କେତେ ରଖିବା ଦରକାର । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଭିତରେ ଭିତରେ ନିଜକୁ ଯାଞ୍ଚ କରି ଦୈବୀଗୁଣ ଧାରଣ କରିବାକୁ ହେବ । ଖରାପ ଅଭ୍ୟାସକୁ ତ୍ୟାଗ କରିବାକୁ ହେବ । ପ୍ରତିଜ୍ଞା କରିବାକୁ ହେବ - ବାବା ମୁଁ କେବେ ବି ଖରାପ କାମ କରିବି ନାହିଁ ।

(୨) କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ୟାଦର ରେସ୍ କରିବାକୁ ହେବ । ଆତ୍ମିକ ସେବାରେ ତତ୍ପର ରହିବାକୁ ହେବ । ବଡମାନଙ୍କର ସମ୍ମାନ ରଖିବାକୁ ହେବ ।

ବରଦାନ:-
ଫଲୋ ଫାଦର ଅର୍ଥାତ୍ ପିତାଙ୍କୁ ଅନୁକରଣ କରିବାର ଶିକ୍ଷା ଦ୍ୱାରା ମୁଶକିଲ୍‌କୁ ସହଜ କରୁଥିବା ତୀବ୍ର ପୁରୁଷାର୍ଥୀ ହୁଅ ।

ମୁଶକିଲ୍‌କୁ ସହଜ କରିବା ପାଇଁ ବା ଶେଷ ସମୟରେ ପୁରୁଷାର୍ଥରେ ସଫଳତା ପ୍ରାପ୍ତ କରିବାର ପ୍ରଥମ ପାଠ ହେଲା “ଫଲୋ ଫାଦର” - ଏହି ପ୍ରଥମ ପାଠ ହିଁ ଅନ୍ତିମ ସ୍ଥିତିକୁ ନିକଟକୁ ଆଣିବ । ଏହି ପାଠ ଦ୍ୱାରା ଅଭୁଲ ଅର୍ଥାତ୍ ଭୁଲୁ ନ ଥିବା, ଏକରସ ଅର୍ଥାତ୍ ସ୍ଥିର ଏବଂ ତୀବ୍ର ପୁରୁଷାର୍ଥୀ ହୋଇଯିବ କାହିଁକି ନା କୌଣସି ବି କଥା ସେତେବେଳେ କଷ୍ଟକର ଅନୁଭବ ହୋଇଥାଏ ଯେତେବେଳେ ଅନୁକରଣ କରିବା ପରିବର୍ତ୍ତେ ନିଜର ବୁଦ୍ଧି ଖର୍ଚ୍ଚ କରିଥାଅ । ଏହାଦ୍ୱାରା ନିଜର ହିଁ ସଂକଳ୍ପର ଜାଲରେ ଛନ୍ଦି ହୋଇଯାଅ ଯେଉଁଥିରୁ ବାହାରିବା ପାଇଁ ସମୟ ମଧ୍ୟ ଲାଗିଥାଏ ଏବଂ ଶକ୍ତି ମଧ୍ୟ ଲାଗିଥାଏ । ଯଦି କେବଳ ନିଜର ପିତାଙ୍କୁ ଅନୁକରଣ କରି ଚାଲିବ ତେବେ ସମୟ ଏବଂ ଶକ୍ତି ଦୁଇଟିଯାକର ରକ୍ଷା ହୋଇଯିବ ଏବଂ ଜମା ହୋଇଯିବ ।

ସ୍ଲୋଗାନ:-
ସତ୍ୟତା ଏବଂ ସ୍ୱଚ୍ଛତାକୁ ଧାରଣ କରିବା ପାଇଁ ନିଜର ସ୍ୱଭାବକୁ ସରଳ କର ।

ଅବ୍ୟକ୍ତ ଈଶାରା:- ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।

ଯେତେଯେତେ ନିଜକୁ ମାନସୀକ ସେବାରେ ବ୍ୟସ୍ତ ରଖିବ ସେତେ ସହଜରେ ମାୟାଜିତ୍ ହୋଇଯିବ । କେବଳ ନିଜ ପାଇଁ ଭାବୁକ ହୁଅ ନାହିଁ କିନ୍ତୁ ଅନ୍ୟମାନଙ୍କୁ ମଧ୍ୟ ନିଜର ଶୁଭଭାବନା ଏବଂ ଶୁଭକାମନା ଦ୍ୱାରା ପରିବର୍ତ୍ତନ କରିବାର ସେବା କର । ଭାବନା ଏବଂ ଜ୍ଞାନ, ସ୍ନେହ ଏବଂ ଯୋଗ ଉଭୟର ସନ୍ତୁଳନ ରହିବା ଦରକାର । କଲ୍ୟାଣକାରୀ ତ ହୋଇଯାଇଛ, ଏବେ ବେହଦ ବିଶ୍ୱ କଲ୍ୟାଣକାରୀ ହୁଅ ।