14.02.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମକୁ ଶ୍ରୀମତ ମିଳିଛି ଯେ ଆତ୍ମ-ଅଭିମାନୀ ହୋଇ ବାବାଙ୍କୁ ମନେ ପକାଅ, କୌଣସି କଥାରେ ତୁମେ ଯୁକ୍ତିତର୍କ କର ନାହିଁ ।

ପ୍ରଶ୍ନ:-
ବୁଦ୍ଧିର ଯୋଗ ସ୍ୱଚ୍ଛ ହୋଇ ବାବାଙ୍କ ସହିତ ଲାଗିପାରିବ, ଏଥିପାଇଁ କେଉଁ ଉପାୟ ରଚନା କରାଯାଇଛି?

ଉତ୍ତର:-
୭ ଦିନର ଭଟ୍ଟୀ ଅର୍ଥାତ୍ ସାତ ଦିନର କୋର୍ସ । କେହି ଯଦି ନୂଆ ଆସୁଛନ୍ତି ତେବେ ତାଙ୍କୁ ୭ ଦିନର କୋର୍ସ କରାଅ ଯାହା ଫଳରେ ତାଙ୍କ ବୁଦ୍ଧିରୁ ସମସ୍ତ ଆବର୍ଜନା ବାହାରିଯିବ ଏବଂ ସେ ଗୁପ୍ତ ପିତା, ଗୁପ୍ତ ପାଠପଢା ଏବଂ ଗୁପ୍ତ ସମ୍ପତ୍ତିକୁ ଜାଣିପାରିବେ । ଯଦି ସିଧାସଳଖ କ୍ଲାସରେ ବସି ଗଲେ ତେବେ ଦ୍ୱନ୍ଦ୍ୱରେ ପଡି ଯିବେ, କିଛି ବି ବୁଝି ପାରିବେ ନାହିଁ ।

ଗୀତ:-
ଜାଗ ସଜନିଆଁ ଜାଗ...

ଓମ୍ ଶାନ୍ତି ।
ପିଲାମାନଙ୍କୁ ଜ୍ଞାନୀ ତୁ ଆତ୍ମା କରିବା ପାଇଁ ଯେଉଁ ଗୀତ ସବୁ ଅଛି ତାକୁ ଶୁଣାଇ ତା’ର ଅର୍ଥ କରିବା ଦରକାର ତେବେ ବାଣୀ ଖୋଲିବ । ଜଣାପଡ଼ିବ ଯେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବୁଦ୍ଧିରେ କେତେ ଅଛି । ତୁମ ବୁଦ୍ଧିରେ ଉପରୁ ଆରମ୍ଭ କରି ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୂଳଲୋକର ଆଦି-ମଧ୍ୟ-ଅନ୍ତର ସାରା ରହସ୍ୟ ଯେପରି ଚମକୁଛି । ବାବାଙ୍କ ପାଖରେ ମଧ୍ୟ ଏହି ଜ୍ଞାନ ଅଛି ଯାହା ତୁମମାନଙ୍କୁ ଶୁଣାଉଛନ୍ତି । ଏହା ସଂପୂର୍ଣ୍ଣ ନୂଆ ଜ୍ଞାନ । ଯଦିଓ ଶାସ୍ତ୍ର ଆଦିରେ ନାମ ଅଛି, କିନ୍ତୁ ସେହି ନାମ ନେବା ଦ୍ୱାରା ଅଟକି ଯିବେ, ଯୁକ୍ତିତର୍କ କରିବାରେ ଲାଗି ପଡ଼ିବେ । ବାବା ଏଠାରେ ବିଲ୍‌କୁଲ୍ ସାଧାରଣ ରୀତିରେ ବୁଝାଉଛନ୍ତି - ଭଗବାନୁବାଚ, ମୋତେ ମନେ ପକାଅ, ମୁଁ ହିଁ ପତିତ-ପାବନ ଅଟେ । କୃଷ୍ଣଙ୍କୁ ଅଥବା ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ କେବେହେଲେ ପତିତ-ପାବନ କୁହାଯାଇ ପାରିବ ନାହିଁ । ସୂକ୍ଷ୍ମଲୋକ ନିବାସୀଙ୍କୁ ମଧ୍ୟ ପତିତ-ପାବନ କୁହାଯାଇପାରିବ ନାହିଁ, ତେବେ ସ୍ଥୂଳଲୋକର ମନୁଷ୍ୟ ପତିତ-ପାବନ କିପରି ହୋଇପାରିବେ? ଏହି ଜ୍ଞାନ ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି । ଶାସ୍ତ୍ର ବିଷୟରେ ଅଧିକ ଯୁକ୍ତି ତର୍କ କରିବା ଠିକ୍ ନୁହେଁ । ବହୁତ ବାଦ-ବିବାଦ ହୋଇଯିବ । ପରସ୍ପରକୁ ଲାଠିରେ ମଧ୍ୟ ମାରିବାକୁ ଲାଗିପଡ଼ିବେ । ତୁମମାନଙ୍କୁ ତ ବହୁତ ସହଜରେ ବୁଝାଯାଉଛି । ଶାସ୍ତ୍ରର କଥାରେ ଅଧିକ ଭିତରକୁ ଯିବା ଉଚିତ୍ ନୁହେଁ । ମୂଳ କଥା ହେଲା ଆତ୍ମ-ଅଭିମାନୀ ହେବା, ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଇବାକୁ ହେବ । ଏହା ହିଁ ମୁଖ୍ୟ ଶ୍ରୀମତ । ବାକି ତ ସବୁ ବିସ୍ତାର ରୂପେ ରହିଛି । ବୀଜ କେତେ ଛୋଟ, ବାକି ବୃକ୍ଷ ବିସ୍ତାରିତ ହୋଇ ରହିଛି । ଯେପରି ବୀଜରେ ସମସ୍ତ ଜ୍ଞାନ ରହିଥାଏ ସେହିପରି ଏହି ସମସ୍ତ ଜ୍ଞାନ ମଧ୍ୟ ବୀଜରେ ରହିଛି । ତୁମମାନଙ୍କ ବୁଦ୍ଧିରେ ବୀଜ ଏବଂ ବୃକ୍ଷ ଉଭୟ ଆସିଯାଉଛି । ତୁମେମାନେ ଯେପରି ଜାଣିଛ, ଆଉ କେହି ବୁଝିପାରିବେ ନାହିଁ । ବୃକ୍ଷର ଆୟୁଷ ହିଁ ଲମ୍ବା ଲେଖି ଦେଇଛନ୍ତି । ବାବା ବସି ବୀଜ ଏବଂ ବୃକ୍ଷ ଅଥବା ଡ଼୍ରାମା ଚକ୍ରର ରହସ୍ୟକୁ ବୁଝାଉଛନ୍ତି । ତୁମେ ହେଲ ସ୍ୱଦର୍ଶନ ଚକ୍ରଧାରୀ । କେହି ଯଦି ନୂଆ ଆସିବେ ଏବଂ ବାବା ମହିମା କରିବେ ଯେ, ହେ ସ୍ୱଦର୍ଶନ ଚକ୍ରଧାରୀ ସନ୍ତାନମାନେ, ତେବେ କେହି ବୁଝିପାରିବେ ନାହିଁ । ସେମାନେ ନିଜକୁ ବାବାଙ୍କ ସନ୍ତାନ ବୋଲି ଭାବନ୍ତି ନାହିଁ । ଏଠାରେ ବାବାଙ୍କ ସହିତ ଜ୍ଞାନ ଏବଂ ସମ୍ପତ୍ତି ମଧ୍ୟ ଗୁପ୍ତ ଅଟେ । ନୂଆ କେହି ଶୁଣିଲେ ଝାଉଁଳି ପଡ଼ିବେ, ସେଥିପାଇଁ ୭ ଦିନର ଭଟ୍ଟୀରେ ବସାଯାଇଥାଏ । ଯେପରି ଭାଗବତ ଏବଂ ରାମାୟଣ ଆଦିର ସାତ ଦିନର ପାଠଚକ୍ର ରଖୁଛନ୍ତି, ବାସ୍ତବରେ ଏହି ସମୟରେ ହିଁ ୭ ଦିନର ଭଟ୍ଟୀ ରଖାଯାଉଥିଲା, ତେବେ ବୁଦ୍ଧିରେ ଯାହା କିଛି ଆବର୍ଜନା ଥିବ ତାହା ସବୁ ବାହାରିଯିବ ଏବଂ ବାବାଙ୍କ ସହିତ ବୁଦ୍ଧିଯୋଗ ଲାଗିଯିବ । ଏଠାରେ ସମସ୍ତେ ହେଉଛନ୍ତି ରୋଗୀ । ସତ୍ୟଯୁଗରେ ଏହି ରୋଗ ରହିବ ନାହିଁ । ଏହା ଅଧାକଳ୍ପର ରୋଗ, ୫ ବିକାରର ରୋଗ ବହୁତ ବଡ଼ ରୋଗ । ସେଠାରେ ସମସ୍ତେ ଦେହୀ-ଅଭିମାନୀ ହୋଇ ରହିବେ । ତୁମେମାନେ ଜାଣିଛ, ଆମେ ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ନେଉଛୁ । ସେଠାରେ ପୂର୍ବରୁ ଏହାର ସାକ୍ଷାତ୍‌କାର ହୋଇଯାଏ । ଅକାଳ ମୃତ୍ୟୁ କେବେ ହୁଏ ନାହିଁ । ତୁମମାନଙ୍କୁ ବାବା ଏବେ କାଳ ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି । ଶିଖ୍ ଧର୍ମରେ ପୁଣି ଅକାଳ ତଖତ୍ ରହିଛି । ବାସ୍ତବରେ ଅକାଳ ତଖତ୍ ଏହି ଭ୍ରୁକୁଟୀ ଅଟେ, ଯେଉଁଠି ଆତ୍ମା ବିରାଜମାନ କରୁଛି । ସବୁ ଆତ୍ମାମାନେ ଏହି ଅକାଳ ତଖତ୍ ଉପରେ ବସିଛନ୍ତି । ଏହି କଥା ବାବା ବସି ବୁଝାଉଛନ୍ତି । ବାବାଙ୍କର ନିଜର କୌଣସି ଭ୍ରୁକୁଟୀ ସିଂହାସନ ନାହିଁ । ସେ ଆସି ବ୍ରହ୍ମାଙ୍କର ଭ୍ରୃକୁଟୀ ସିଂହାସନରେ ବିରାଜମାନ କରୁଛନ୍ତି ଏବଂ ସେହି ସିଂହାସନ ଉପରେ ବସି ତୁମମାନଙ୍କୁ ସତ୍ୟଯୁଗର ରାଜ୍ୟ ସିଂହାସନର ଅଧିକାରୀ କରାଉଛନ୍ତି । ତୁମେମାନେ ଜାଣିଛ ସେହି ରାଜ୍ୟ ସିଂହାସନ କିପରି ହୋଇଥିବ ଯାହା ଉପରେ ଲକ୍ଷ୍ମୀ-ନାରାୟଣ ବିରାଜମାନ କରିବେ । ସେହି ରାଜ୍ୟ ସିଂହାସନର ଗାୟନ ମଧ୍ୟ ରହିଛି ନା ।

ବିଚାର କରିବାକୁ ହେବ ଯେ, ତାଙ୍କୁ ଭୋଳାନାଥ ଭଗବାନ କାହିଁକି କୁହାଯାଉଛି? ଭୋଳାନାଥ ଭଗବାନ କହିବା ଦ୍ୱାରା ବୁଦ୍ଧି ଉପରକୁ ଚାଲିଯାଉଛି । ସାଧୁ-ସନ୍ଥମାନେ ମଧ୍ୟ ଅଙ୍ଗୁଳିରେ ଉପରକୁ ଇଶାରା କରିଥା’ନ୍ତି ଅର୍ଥାତ୍ ସେମାନେ କୁହନ୍ତି ତାଙ୍କୁ ମନେପକାଅ । କିନ୍ତୁ ଯଥାର୍ଥ ଭାବରେ କେହି ବି ତାଙ୍କୁ ଜାଣିପାରିବେ ନାହିଁ । ଏବେ ପତିତ-ପାବନ ବାବା ସମ୍ମୁଖରେ ଆସି କହୁଛନ୍ତି ମୋତେ ମନେପକାଇଲେ ତୁମର ବିକର୍ମ ବିନାଶ ହୋଇଯିବ । ବାବା ଗ୍ୟାରେଣ୍ଟି ଦେଉନ୍ତି । ଗୀତାରେ ମଧ୍ୟ ଲେଖାଯାଇଛି କିନ୍ତୁ ତୁମେମାନେ ଗୀତାର ଗୋଟିଏ ଉଦାହରଣ ବାହାର କରିଲେ ସେମାନେ ୧୦ଟି ବାହାର କରିବେ, ସେଥିପାଇଁ ଏହାର କୌଣସି ଆବଶ୍ୟକତା ନାହିଁ । ଯେଉଁମାନେ ଶାସ୍ତ୍ର ଆଦି ପଢିଛନ୍ତି, ସେମାନେ ବୁଝିଯାଆନ୍ତି ଯେ ଆମେ ଲଢି ପାରିବୁ । ତୁମେ ସନ୍ତାନମାନେ ଶାସ୍ତ୍ର ଆଦିକୁ ଜାଣିନାହଁ, ତେଣୁ ତୁମେମାନେ ତା’ର ନାମ ମଧ୍ୟ ନେବା ଉଚିତ୍ ନୁହେଁ । କେବଳ କୁହ ଭଗବାନ କହୁଛନ୍ତି ନିଜର ପିତା ପରମାତ୍ମାଙ୍କୁ ମନେ ପକାଅ , ତାଙ୍କୁ ହିଁ ପତିତ-ପାବନ କୁହାଯାଉଛି । ଗାୟନ ମଧ୍ୟ କରିଥା’ନ୍ତି ହେ ପତିତ-ପାବନ ସୀତାରାମ... ସନ୍ନ୍ୟାସୀମାନେ ମଧ୍ୟ ଯେଉଁଠି ସେଠି ଧୁନ ଲଗାଇ ଚାଲିଥା’ନ୍ତି । ଏହିପରି ବହୁତ ମତ ମତାନ୍ତର ରହିଛି । ଏହି ଗୀତ କେତେ ସୁନ୍ଦର, ଡ଼୍ରାମା ପ୍ଲାନ ଅନୁସାରେ କଳ୍ପ-କଳ୍ପ ଏହିପରି ଗୀତ ରଚନା ହେଉଛି, ଯେପରି ଏହା ତୁମ ପାଇଁ ହିଁ ରଚନା କରାଯାଇଛି । ବହୁତ ଭଲ-ଭଲ ଗୀତ ମଧ୍ୟ ରହିଛି । ଯେପରି ନୟନହୀନକୁ ରାହ ଦେଖାଅ ପ୍ରଭୁ । ବାସ୍ତବରେ ଶ୍ରୀକୃଷ୍ଣଙ୍କୁ ପ୍ରଭୁ କୁହାଯିବ ନାହିଁ । ପ୍ରଭୁ ବା ଈଶ୍ୱର ନିରାକାରଙ୍କୁ ହିଁ କୁହାଯିବ । ଏଠାରେ ତୁମେ କହୁଛ, ବାବା ପରମପିତା ପରମାତ୍ମା ଅଟନ୍ତି । ସେ ମଧ୍ୟ ଆତ୍ମା ଅଟନ୍ତି ନା । ଭକ୍ତି ମାର୍ଗରେ ବହୁତ ଗଭୀରତାକୁ ଚାଲିଯାଇଛନ୍ତି । ଏଠାରେ ତ ବିଲ୍‌କୁଲ୍ ସାଧାରଣ କଥା ରହିଛି । ଅଲଫ ଅର୍ଥାତ୍ ଆଲ୍ଲା ବେ ଅର୍ଥାତ୍ ବାଦଶାହୀ - କେତେ ସାଧାରଣ କଥା । ବାବାଙ୍କୁ ମନେ ପକାଇଲେ ହିଁ ତୁମେମାନେ ଏହିପରି ସଂପୂର୍ଣ୍ଣ ହେବ । ଯିଏ ଯେତେ ଯୋଗଯୁକ୍ତ ହୋଇ ସେବା କରିଥା’ନ୍ତି ସେତେ ଉଚ୍ଚପଦ ପାଇଥା’ନ୍ତି ଏବଂ ସେମାନେ ବୁଝି ମଧ୍ୟ ପାରିଥା’ନ୍ତି । ସ୍କୁଲରେ ବିଦ୍ୟାର୍ଥୀମାନେ କ’ଣ ବୁଝିପାରନ୍ତି ନାହିଁ ଯେ ଆମେ କମ୍ ପଢୁଛୁ! ଯେଉଁମାନେ ପାଠପଢାରେ ସଂପୂର୍ଣ୍ଣ ଧ୍ୟାନ ନ ଦିଅନ୍ତି ପଛରେ ବସିଥା’ନ୍ତି, ତେବେ ସେମାନେ ନିଶ୍ଚୟ ଫେଲ ହୋଇଯାଇଥାଆନ୍ତି ।

ନିଜେ ନିଜକୁ ରିଫ୍ରେସ କରିବା ପାଇଁ ଭଲ-ଭଲ ଯେଉଁ ଜ୍ଞାନଯୁକ୍ତ ଗୀତ ଅଛି ତାକୁ ଶୁଣିବା ଦରକାର । ଏହିପରି ଗୀତ ନିଜ ଘରେ ମଧ୍ୟ ରଖିବା ଉଚିତ୍ । ତେବେ କାହାକୁ ମଧ୍ୟ ଏହା ଉପରେ ବୁଝାଇ ପାରିବ । କିପରି ମାୟାର ପୁଣି ଥରେ ପରଛାୟା ପଡ଼ୁଛି । ଶାସ୍ତ୍ରରେ ଏ କଥା ନାହିଁ ଯେ, କଳ୍ପର ଆୟୁଷ ୫ ହଜାର ବର୍ଷ । ବ୍ରହ୍ମାଙ୍କର ଦିନ ଏବଂ ବ୍ରହ୍ମାଙ୍କର ରାତି, ଅଧା-ଅଧା ଅଟେ । ଏହି ଗୀତ ମଧ୍ୟ କେହି ଜଣେ ରଚନା କରିଛନ୍ତି । ବାବା ବୁଦ୍ଧିମାନଙ୍କର ବୁଦ୍ଧି ଅଟନ୍ତି ତେଣୁ କାହାର ବୁଦ୍ଧିରେ ଏଭଳି କିଛି କଥା ଆସିଲା ଏବଂ ସିଏ ବସି ଗୀତ ରଚନା କଲେ । ଏହି ଗୀତ ଆଦି ଶୁଣି ମଧ୍ୟ ଅନେକ ଧ୍ୟାନରେ ଚାଲିଯାଉଥିଲେ । ଦିନ ଆସିବ ଯେଉଁମାନେ ଏହି ଜ୍ଞାନର ଗୀତ ଗାଉଛନ୍ତି, ସେମାନେ ମଧ୍ୟ ତୁମମାନଙ୍କ ପାଖକୁ ଆସିବେ । ବାବାଙ୍କ ମହିମାରେ ଏପରି ଗୀତ ଗାଇବେ ଯେ ଘାଇଲା କରିଦେବେ, ଏପରି ମଧ୍ୟ ଆସିବେ । ତେବେ ଟିୟୁନ (ସ୍ୱର) ଉପରେ ମଧ୍ୟ ଆଧାର ରହିଥାଏ । ଗାୟନ ବିଦ୍ୟାର ମଧ୍ୟ ବହୁତ ନାମ ରହିଛି । ବର୍ତ୍ତମାନ ଏପରି କେହି ନାହାଁନ୍ତି । କେବଳ ଗୋଟିଏ ଗୀତ ବନାଇ ଥିଲେ କିତିନା ମିଠା କିତିନା ପ୍ୟାରା..... ତେବେ ବାବା ବହୁତ ମିଠା ବହୁତ ସ୍ନେହୀ ଅଟନ୍ତି । ତେଣୁ ସମସ୍ତେ ତାଙ୍କୁ ମନେ ପକାଉଛନ୍ତି । ଏପରି ନୁହେଁ ଯେ ଦେବତାମାନେ ତାଙ୍କୁ ମନେ ପକାଉଛନ୍ତି । ଚିତ୍ରରେ ରାମଙ୍କ ଆଗରେ ମଧ୍ୟ ଶିବ ଦେଖାଇଛନ୍ତି, ରାମଙ୍କର ପୂଜା କରୁଛନ୍ତି । ଏହା ଭୁଲ୍ । ଦେବତାମାନେ କାହାକୁ ମନେ ପକାଇ ନ ଥା’ନ୍ତି । ମନୁଷ୍ୟମାନେ ମନେ ପକାଇଥା’ନ୍ତି । ତୁମେମାନେ ମଧ୍ୟ ବର୍ତ୍ତମାନ ମନୁଷ୍ୟ ଅଟ ପୁଣି ଦେବତା ହେବ । ଦେବତା ଏବଂ ମନୁଷ୍ୟମାନଙ୍କ ଭିତରେ ରାତି-ଦିନର ଫରକ ରହିଛି । ସେହି ଦେବତାମାନେ ହିଁ ପୁଣି ମନୁଷ୍ୟ ହେଉଛନ୍ତି । ଚକ୍ର କିପରି ଘୂରୁଛି, ଏକଥା କେହି ବି ଜାଣି ନାହାଁନ୍ତି । ତୁମେମାନେ ଏବେ ଜାଣୁଛ ଯେ, ଆମେ ବାସ୍ତବରେ ଦେବତା ହେବାକୁ ଯାଉଛୁ । ବର୍ତ୍ତମାନ ଆମେ ବ୍ରାହ୍ମଣ ହୋଇଛୁ, ନୂଆ ଦୁନିଆରେ ଦେବତା ହେବୁ । ଏବେ ତୁମେମାନେ ଆଶ୍ଚର୍ଯ୍ୟ ହେଉଛ । ବ୍ରହ୍ମା ନିଜେ ଏହି ଜନ୍ମ ପୂର୍ବରୁ ପୂଜାରୀ ଥିଲେ, ଶ୍ରୀ ନାରାୟଣଙ୍କ ମହିମାର ଗାୟନ କରୁଥିଲେ, ନାରାୟଣଙ୍କ ସହିତ ତାଙ୍କର ବହୁତ ପ୍ରେମ ଥିଲା । ଏବେ ଆଶ୍ଚର୍ଯ୍ୟ ଲାଗୁଛି, ଆମେ ପୁଣି ସେହିପରି ହେଉଛୁ । ତେଣୁ କେତେ ଖୁସିର ନିଶା ଚଢିବା ଉଚିତ୍ । ତୁମେ ହେଉଛ ଅନନୋନ୍ ୱାରିୟର୍ସ (ଗୁପ୍ତ ଯୋଦ୍ଧା) କିନ୍ତୁ ନନ୍ ଭାଇଲେନ୍ସ ଅର୍ଥାତ୍ ଅହିଂସକ । ସତରେ ତୁମେ ଡ଼ବଲ ଅହିଂସକ ଅଟ ନା । ତୁମ ପାଖରେ କାମ ବିକାର ନାହିଁ, ନା ସେହି ଲଢେଇ ଅଛି । କାମ ଅଲଗା ଏବଂ କ୍ରୋଧ ଅଲଗା । ତୁମେମାନେ ହେଉଛ ଡ଼ବଲ ଅହିଂସକ, ନନ୍ ଭାଓଲେନ୍ସ ସେନା । ସେନା ଅକ୍ଷରରୁ ସେମାନେ ପୁଣି ସେହି ସେନାବାହିନୀକୁ ଛିଡ଼ା କରିଦେଇଛନ୍ତି । ମହାଭାରତ ଲଢେଇରେ ମେଲ୍ସ (ପୁରୁଷଙ୍କ)ର ନାମ ଦେଖାଇଛନ୍ତି, ଫିମେଲ୍ସ (ସ୍ତ୍ରୀଙ୍କର) ନାହାଁନ୍ତି । ବାସ୍ତବରେ ତୁମେମାନେ ହେଉଛ ଶିବ ଶକ୍ତି । ତୁମର ସଂଖ୍ୟା ଅଧିକ ଥିବା କାରଣରୁ ଶିବ ଶକ୍ତି ସେନା କୁହାଯାଉଛି । ଏହି କଥା ବାବା ହିଁ ବସି ବୁଝାଉଛନ୍ତି ।

ଏବେ ତୁମେ ନବଯୁଗକୁ ମନେ ପକାଉଛ । ଦୁନିଆରେ କାହାକୁ ହେଲେ ନବଯୁଗ ବିଷୟରେ ଜଣାନାହିଁ । ସେମାନେ ଭାବୁଛନ୍ତି ନବଯୁଗ ୪୦ ହଜାର ବର୍ଷ ପରେ ଆସିବ । ସତ୍ୟଯୁଗ ହେଉଛି ନବଯୁଗ । ଏ କଥା ବହୁତ କ୍ଲିୟର ଭାବରେ ରହିଛି । ବାବା ରାୟ ଦେଉଛନ୍ତି, ଏହିପରି ଭଲ ଭଲ ଗୀତ ଶୁଣି ମଧ୍ୟ ରିଫ୍ରେସ୍ ହେବ ଏବଂ କାହାକୁ ବୁଝାଇ ମଧ୍ୟ ପାରିବ । ଏସବୁ ହେଉଛି ଅନ୍ୟମାନଙ୍କୁ ବୁଝାଇବାର ଉପାୟ । ଏହାର ଅର୍ଥକୁ ମଧ୍ୟ ତୁମେମାନେ ହିଁ ବୁଝିପାରିବ । ନିଜକୁ ରିଫ୍ରେସ୍ କରିବା ପାଇଁ ବହୁତ ଭଲ ଭଲ ଗୀତ ରହିଛି । ଏହି ଗୀତ ବହୁତ ସାହାଯ୍ୟ କରୁଛି । ଅର୍ଥକୁ ବୁଝିବା ଦରକାର ତେବେ ମୁଖ ମଧ୍ୟ ଖୋଲିବ, ଖୁସି ମଧ୍ୟ ମିଳିବ । ବାକି ଯିଏ ଅଧିକ ଧାରଣ କରିପାରୁନାହାଁନ୍ତି ତାଙ୍କ ନିମନ୍ତେ ବାବା କହୁଛନ୍ତି ଘରେ ବସି ବାବାଙ୍କୁ ମନେ ପକାଅ । ଗୃହସ୍ଥ ବ୍ୟବହାରରେ ରହି କେବଳ ଏହି ମନ୍ତ୍ର ମନେ ରଖ- ବାବାଙ୍କୁ ମନେ ପକାଅ ଏବଂ ପବିତ୍ର ହୁଅ । ଆଗରୁ ପୁରୁଷ ଲୋକମାନେ ପତ୍ନୀଙ୍କୁ କହୁଥିଲେ ଭଗବାନଙ୍କୁ ଘରେ ମଧ୍ୟ ମନେ ପକାଇ ପାରିବ ପୁଣି ମନ୍ଦିର ଆଦିରେ ଘୁରି ବୁଲିବାର କ’ଣ ଆବଶ୍ୟକତା ରହିଛି? ମୁଁ ତୁମକୁ ଘରେ ମୂର୍ତ୍ତି ଦେଇ ଦେଉଛି, ଏହିଠାରେ ବସି ମନେ ପକାଅ, ବାହାରକୁ ଧକ୍କା ଖାଇବାକୁ କାହିଁକି ଯାଉଛ? ଏହିପରି ବହୁତ ପୁରୁଷ ଲୋକମାନେ ସ୍ତ୍ରୀଙ୍କୁ ବାହାରକୁ ଯିବାକୁ ଦେଉନଥିଲେ । ପୂଜା କରିବା ଏବଂ ମନେ ପକାଇବା ଏକା କଥା । ଥରେ ଦେଖି ଦେଲେ ପୁଣି ତ ସେହିପରି ମନେ ପକାଇ ପାରିବେ । ଶ୍ରୀକୃଷ୍ଣଙ୍କ ଚିତ୍ର କେତେ ସାଧାରଣ ଅଟେ - ମୟୁର ମୁକୁଟଧାରୀ । ତୁମେ ସାକ୍ଷାତ୍‌କାର ମଧ୍ୟ କରିଛ - କିପରି ସେଠାରେ ଜନ୍ମ ହେଉଛି, ତାହା ମଧ୍ୟ ସାକ୍ଷାତ୍‌କାର କରିଛ, କିନ୍ତୁ ତୁମେ କ’ଣ ତା’ର ଫଟୋ ବାହାର କରିପାରିବ? ସଠିକ୍ କେହି ବାହାର କରିପାରିବେ ନାହିଁ । ଦିବ୍ୟ ଦୃଷ୍ଟି ଦ୍ୱାରା ହିଁ କେବଳ ଦେଖିପାରିବ, କିନ୍ତୁ ଚିତ୍ର ତିଆରି କରିପାରିବ ନାହିଁ, ହଁ ଦେଖି ବର୍ଣ୍ଣନା କରିପାରିବ, ବାକି ଚିତ୍ର ଆଦି କରିପାରିବ ନାହିଁ । ହୁସିଆର ପେଣ୍ଟର୍ ହୋଇଥିଲେ ବି ସାକ୍ଷାତ୍‌କାର କଲେ ମଧ୍ୟ ସଠିକ୍ ଫିଚର୍ସ (ଚିତ୍ର) ବାହାର କରିପାରିବେ ନାହିଁ । ତେଣୁ ବାବା ବୁଝାଉଛନ୍ତି, କାହା ସହିତ ଅଧିକ ଯୁକ୍ତିତର୍କ କର ନାହିଁ । କୁହ, ତୁମର କାମ ହେଉଛି ପବିତ୍ର ହେବା । ଶାନ୍ତି ମାଗୁଛ ତେଣୁ ବାବାଙ୍କୁ ମନେ ପକାଅ ଏବଂ ପବିତ୍ର ହୁଅ । ପବିତ୍ର ଆତ୍ମା ଏଠାରେ ରହିପାରିବେ ନାହିଁ । ସେମାନେ ସେଠାକୁ ଚାଲିଯିବେ । ଆତ୍ମାମାନଙ୍କୁ ପବିତ୍ର କରିବାର ଶକ୍ତି ଏକମାତ୍ର ବାବାଙ୍କ ପାଖରେ ଅଛି, ଆଉ କେହି ପବିତ୍ର କରିପାରିବେ ନାହିଁ । ତୁମେମାନେ ଜାଣିଛ ଏହା ଏକ ଷ୍ଟେଜ ଅଟେ, ଏହା ଉପରେ ନାଟକ ହେଉଛି । ବର୍ତ୍ତମାନ ସମୟରେ ସମଗ୍ର ଷ୍ଟେଜ ଉପରେ ରାବଣର ରାଜ୍ୟ ଚାଲିଛି । ସମୁଦ୍ର ଉପରେ ସୃଷ୍ଟି ଦଣ୍ଡାୟମାନ ହୋଇଛି । ଏହା ହେଉଛି ବେହଦର ଟାପୁ । ତାହା ହେଉଛି ହଦର । ଏହା ବେହଦର କଥା । ଯାହା ଉପରେ ଅଧାକଳ୍ପ ଦୈବୀରାଜ୍ୟ, ଅଧାକଳ୍ପ ଆସୁରୀରାଜ୍ୟ ଚାଲୁଛି । ଦେଶ ତ ଅଲଗା-ଅଲଗା ରହିଛି, ତେବେ ସବୁ ହେଲା ବେହଦର କଥା । ତୁମେମାନେ ଜାଣିଛ, ଆମେ ଗଙ୍ଗା ଯମୁନା ନଦୀର ମିଠାପାଣିର କୂଳରେ ରହିବା । ସମୁଦ୍ର ଆଦିକୁ ଯିବାର କୌଣସି ଆବଶ୍ୟକତା ନାହିଁ । ଯେଉଁ ଦ୍ୱାରିକା କଥା କହୁଛନ୍ତି, ତାହା କୌଣସି ସମୁଦ୍ର ମଝିରେ ନାହିଁ । ଦ୍ୱାରିକା କୌଣସି ଅନ୍ୟ ଜିନିଷ ନୁହେଁ । ତୁମେ ସବୁ ସାକ୍ଷାତ୍‌କାର କରିଛ । ଆରମ୍ଭରୁ ଏହି ସନ୍ଦେଶୀ ଏବଂ ଗୁଲଜାର ବହୁତ ସାକ୍ଷାତ୍‌କାର କରୁଥିଲେ । ଏମାନେ ଏହି ଡ୍ରାମାରେ ଶ୍ରେଷ୍ଠ ଅଭିନୟ କରିଛନ୍ତି କାହିଁକିନା ଭଟ୍ଟୀ କରି ପିଲାମାନଙ୍କୁ ବହୁତ ଖୁସି କରିବାର ଥିଲା । ତେଣୁ ସାକ୍ଷାତ୍‌କାର ଦ୍ୱାରା ବହୁତ ଖୁସି କରାଉଛନ୍ତି । ବାବା କହୁଛନ୍ତି ପୁଣି ଶେଷ ସମୟରେ ମଧ୍ୟ ସେହିପରି କରିବେ । ସେହି ପାର୍ଟ ମଧ୍ୟ ଅଲଗା ଥିଲା । ଗୀତ ମଧ୍ୟ ଅଛି ନା - ଆମେ ଯାହା ଦେଖିଛୁ ତୁମେମାନେ ଦେଖିନାହଁ । ତୁମେମାନେ ଜଲ୍‌ଦି-ଜଲ୍‌ଦି ସାକ୍ଷାତ୍‌କାର କରିବ । ଯେପରି ପରୀକ୍ଷା ଦିନ ନିକଟ ହୋଇ ଆସିଲେ ଜଣାପଡ଼ିଯାଏ ଯେ, ଆମେ କେତେ ନମ୍ବର ରଖି ପାସ୍ ହେବୁ । ତୁମର ମଧ୍ୟ ଏହା ପାଠପଢା ଅଟେ । ଏବେ ତୁମେ ଯେପରି ନଲେଜଫୁଲ ହୋଇ ଯାଇଛ । ସମସ୍ତେ ତ ଫୁଲ ହେବେ ନାହିଁ । ସ୍କୁଲରେ ମଧ୍ୟ ବିଦ୍ୟାର୍ଥୀମାନେ କ୍ରମାନ୍ୱୟରେ ରହିଥା’ନ୍ତି । ଏହା ମଧ୍ୟ ନଲେଜ୍ ଅଟେ । ବ୍ରହ୍ମଲୋକ, ସୂକ୍ଷ୍ମଲୋକ ଏବଂ ସ୍ଥୂଳଲୋକ । ବର୍ତ୍ତମାନ ତିନିଲୋକର ଜ୍ଞାନ ତୁମ ପାଖରେ ରହିଛି । ଏହି ସୃଷ୍ଟି ଚକ୍ରକୁ ତୁମେମାନେ ଜାଣିଛ, ଚକ୍ର ଘୂରି ଚାଲିଛି । ବାବା କହୁଛନ୍ତି - ତୁମକୁ ଯେଉଁ ଜ୍ଞାନ ଦେଇଛି, ତାହାକୁ ଆଉ କେହି ବୁଝାଇ ପାରିବେ ନାହିଁ । ତୁମମାନଙ୍କ ଉପରେ ବେହଦର ଦଶା ରହିଛି । କାହା ଉପରେ ବୃହସ୍ପତିର ଦଶା, କାହା ଉପରେ ରାହୁର ଦଶା ରହୁଛି, ତେବେ ସେମାନେ ସେଠାରେ ଯାଇ ଚଣ୍ଡାଳ ଆଦି ହେବେ । ଏହା ହେଉଛି ବେହଦର ଦଶା, ତାହା ହେଉଛି ହଦର ଦଶା । ବେହଦର ବାବା ବେହଦର କଥା ଶୁଣାଉଛନ୍ତି, ବେହଦର ବର୍ସା ଦେଉଛନ୍ତି । ତେଣୁ ତୁମେ କେତେ ଖୁସୀରେ ରହିବା ଉଚିତ୍ । ତୁମେମାନେ ଅନେକଥର ରାଜତ୍ୱ ନେଇଛ ଏବଂ ହରାଇଛ, ଏହା ବିଲ୍‌କୁଲ୍ ପକ୍କା କଥା । କିଛି ନୂଆ କଥା ନୁହେଁ । ତେବେ ଯାଇ ତୁମେ ସର୍ବଦା ହର୍ଷିତ ହୋଇ ରହିପାରିବ । ନଚେତ୍ ମାୟା ଅଣନିଶ୍ୱାସୀ କରିଦେବ ।

ଏବେ ତୁମେ ସମସ୍ତେ ଏକ ପ୍ରିୟତମଙ୍କର ପ୍ରିୟତମା ଅଟେ । ସବୁ ପ୍ରିୟତମାମାନେ ସେହି ଏକମାତ୍ର ପ୍ରିୟତମଙ୍କୁ ମନେ ପକାଉଛନ୍ତି । ସେ ଆସି ସମସ୍ତଙ୍କୁ ସୁଖ ଦେଉଛନ୍ତି । ଅଧାକଳ୍ପ ତାଙ୍କୁ ମନେ ପକାଇ ଆସିଛ, ଏବେ ସିଏ ମିଳିଛନ୍ତି ତେଣୁ କେତେ ଖୁସି ହେବା ଉଚିତ୍ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସଦାସର୍ବଦା ହର୍ଷିତ ହୋଇ ରହିବା ପାଇଁ ନଥିଙ୍ଗ୍‌ ନ୍ୟୁ ଅର୍ଥାତ୍ କିଛି ବି ନୂଆ ନୁହେଁ - ଏହି ପାଠକୁ ପକ୍କା କରିବାକୁ ହେବ । ବେହଦର ବାବା ଆମକୁ ବେହଦର ରାଜତ୍ୱ ପ୍ରଦାନ କରୁଛନ୍ତି - ଏହି ଖୁସିରେ ରହିବାକୁ ହେବ ।

(୨) ଜ୍ଞାନ ମାର୍ଗର ଭଲ-ଭଲ ଗୀତ ଶୁଣି ନିଜକୁ ତାଜା ଅର୍ଥାତ୍ ପ୍ରଫୁଲ୍ଲିତ କରିବାକୁ ହେବ । ତା’ ସହିତ ଗୀତର ଜ୍ଞାନଯୁକ୍ତ ଅର୍ଥ ବାହାର କରି ଅନ୍ୟକୁ ଶୁଣାଇବାକୁ ହେବ ।

ବରଦାନ:-
ମାୟାର ସମ୍ବନ୍ଧ ଗୁଡିକୁ ଛାଡପତ୍ର ଦେଇ ବାବାଙ୍କ ସହିତ ସମ୍ବନ୍ଧ ରଖି ସଉଦା କରୁଥିବା ମାୟାଜିତ୍ ମୋହଜିତ୍ ହୁଅ ।

ଏବେ ସ୍ମୃତି ଦ୍ୱାରା ପୁରୁଣା ସଉଦା ଅର୍ଥାତ୍ ସମ୍ବନ୍ଧଗୁଡିକୁ ରଦ୍ କରି ଏକା ହୋଇଯାଅ । ପରସ୍ପର ସହିତ ଜଣେ ଅନ୍ୟ ଜଣଙ୍କର ସହଯୋଗୀ ହୋଇ ଯଦିଓ ରୁହ କିନ୍ତୁ ସାଥୀ ସମ୍ବନ୍ଧରେ ନୁହେଁ । ଯଦି କେବଳ ଜଣଙ୍କୁ ହିଁ ନିଜର ସାଥୀ କରିଦେବ ତେବେ ମାୟାର ସମ୍ବନ୍ଧ ଗୁଡିକ ଠାରୁ ଆପେ ଆପେ ଛାଡପତ୍ର ହୋଇଯିବ ଏବଂ ତୁମେ ମାୟାଜିତ୍‌, ମୋହଜିତ୍ ବିଜୟୀ ହୋଇଯିବ । ଯଦି ଟିକିଏ ବି କାହା ପ୍ରତି ମୋହ ଥିବ ତେବେ ତୀବ୍ର ପୁରୁଷାର୍ଥୀ ହେବା ପରିବର୍ତ୍ତେ ସାଧାରଣ ପୁରୁଷାର୍ଥୀ ହୋଇଯିବ, ସେଥିପାଇଁ ଯାହା ବି ହୋଇଯାଉ ତୁମେ ସର୍ବଦା ଖୁସିରେ ନାଚୁଥାଅ, ମୃଗ ପାଇଁ ମରଣ ଯନ୍ତ୍ରଣା କିନ୍ତୁ ଶିକାରୀକୁ ଶିକାର ମିଳିବାର ଖୁସି, ଏହାକୁ କୁହାଯାଏ ନଷ୍ଟୋମୋହା । ଏହିଭଳି ନଷ୍ଟୋମୋହା ସ୍ମୃତିରେ ରହୁଥିବା ଆତ୍ମାମାନେ ହିଁ ବିଜୟ ମାଳାର ଦାନା ହୋଇଥାଆନ୍ତି ।

ସ୍ଲୋଗାନ:-
ସତ୍ୟତାର ବିଶେଷତା ଦ୍ୱାରା ଆତ୍ମା ରୂପୀ ହୀରାର ଚମକକୁ ବଢାଅ ।