14.12.25 Avyakt Bapdada Odia Murli 18.02.2008 Om Shanti Madhuban
“ବିଶ୍ୱର ପରିବର୍ତ୍ତନ
ପାଇଁ ଶାନ୍ତିର ଶକ୍ତିକୁ ପ୍ରୟୋଗ କର”
ଆଜି ବାପଦାଦା ନିଜର
ଅର୍ଥାତ୍ ବିଶ୍ୱ ପରିବର୍ତ୍ତକ ପିତାଙ୍କର ଚାରିଆଡର ଆଶାର ପ୍ରଦୀପ ପିଲାମାନଙ୍କୁ ଦେଖି ହର୍ଷିତ
ହେଉଛନ୍ତି । ବାପଦାଦା ଜାଣିଛନ୍ତି ଯେ ପିଲାମାନଙ୍କର ବାପଦାଦାଙ୍କ ସହିତ ଅତି ଅତି ଅତି ସ୍ନେହ
ରହିଛି ଏବଂ ବାପଦାଦାଙ୍କର ମଧ୍ୟ ପ୍ରତ୍ୟେକ ସନ୍ତାନ ପ୍ରତି ପଦ୍ମଗୁଣାଠାରୁ ମଧ୍ୟ ଅଧିକ ସ୍ନେହ ଅଛି
। ଏହି ସ୍ନେହ ସଂଗମଯୁଗର ସବୁ ସମୟରେ ପିଲାମାନଙ୍କୁ ମିଳିବା ସୁନିଶ୍ଚିତ ଅଟେ । ବାପଦାଦା
ଜାଣିଛନ୍ତି ଯେ ସମୟ ଯେତେ ଯେତେ ପାଖେଇ ଆସୁଛି ସେହି ଅନୁସାରେ ପ୍ରତ୍ୟେକ ସନ୍ତାନର ହୃଦୟରେ ଏହି
ସଂକଳ୍ପ ବା ଏହି ଉମଙ୍ଗ-ଉତ୍ସାହ ନିଶ୍ଚିତ ରହିଛି ଯେ ଏବେ କିଛି ନା କିଛି କରିବାକୁ ହିଁ ହେବ
କାହିଁକି ନା ତୁମେମାନେ ତ ଦେଖୁଛ ଆଜିର ଦୁନିଆରେ ତିନୋଟିଯାକ ସତ୍ତା ବା ଶକ୍ତି ଅତି ହଲ୍ଚଲ୍
ଭିତରେ ଅଛନ୍ତି । ଚାହେଁ ଧର୍ମ ସତ୍ତା ହେଉ ବା ରାଜ୍ୟ ସତ୍ତା ହେଉ ବା ବିଜ୍ଞାନ ସତ୍ତା ହେଉ,
କାହିଁକି ନା ବିଜ୍ଞାନ ମଧ୍ୟ ପ୍ରକୃତିକୁ ଯଥାର୍ଥ ରୂପରେ ଚଲାଇ ପାରୁନାହିଁ, ତେଣୁ ଏହି କଥା
କହୁଛନ୍ତି ଯେ ଏସବୁ ହେବାର ହିଁ ଅଛି କାହିଁକି ନା ବିଜ୍ଞାନର ସତ୍ତା ମଧ୍ୟ ପ୍ରକୃତି ଦ୍ୱାରା
କାର୍ଯ୍ୟ କରୁଛି । ତେଣୁ ବିଜ୍ଞାନର ସାଧନଗୁଡିକ ଥାଇ ମଧ୍ୟ, ବହୁତ ଚେଷ୍ଟା କରୁଥିଲେ ମଧ୍ୟ
ପ୍ରକୃତି ଏବେ ନିୟନ୍ତ୍ରଣ ଭିତରେ ନାହିଁ ଏବଂ ଆଗକୁ ଗଲେ ପ୍ରକୃତିର ଏହି ସବୁ ଖେଳଗୁଡିକ ଆହୁରି
ଅଧିକ ବଢି ବଢି ଚାଲିବ କାହିଁକି ନା ପ୍ରକୃତି ପାଖରେ ମଧ୍ୟ ଏବେ ଆଦି ସମୟର ଶକ୍ତି ନାହିଁ । ତେବେ
ଏହିଭଳି ସମୟରେ ତୁମେମାନେ ବିଚାର କର, ଏବେ କେଉଁ ସତ୍ତା ବିଶ୍ୱକୁ ପରିବର୍ତ୍ତନ କରିପାରିବ? କେବଳ
ଶାନ୍ତିର ଶକ୍ତି ହିଁ ବିଶ୍ୱର ପରିବର୍ତ୍ତନ କରିବ । ତେଣୁ ଚାରିଆଡର ହଲ୍ଚଲ୍କୁ ସମାପ୍ତ
କରିବାବାଲା କିଏ? ତୁମେମାନେ ତ ଜାଣିଛ ନା! ଏହା କେବଳ ପରମାତ୍ମ ପାଳନାର ଅଧିକାରୀ ଆତ୍ମାମାନଙ୍କ
ବ୍ୟତୀତ ଅନ୍ୟ କେହି ବି କରିପାରିବେ ନାହିଁ । ତେଣୁ ତୁମ ସମସ୍ତଙ୍କ ଭିତରେ ଏହି ଉମଙ୍ଗ-ଉତ୍ସାହ
ରହିଛି ଯେ ଆମେ ବ୍ରାହ୍ମଣ ଆତ୍ମାମାନେ ହିଁ ବାପଦାଦାଙ୍କର ସଂଗରେ ମଧ୍ୟ ଅଛୁ ଏବଂ ପରିବର୍ତ୍ତନର
କାର୍ଯ୍ୟରେ ସାଥୀ ମଧ୍ୟ ଅଟୁ ।
ବାପଦାଦା ବିଶେଷ କରି
ଅମୃତବେଳାରେ ଏବଂ ସାରା ଦିନ ଭିତରେ ଚାଲିବା ବୁଲିବା ସମୟରେ ମଧ୍ୟ ଦେଖୁଛନ୍ତି ଯେ ଦୁନିଆରେ
ତିନୋଟିଯାକ ସତ୍ତା ଯେଉଁ ଭଳି ହଲଚଲ୍ ଭିତରେ ଅଛନ୍ତି ସେହି ଅନୁସାରେ ତୁମେ ଶାନ୍ତିର ଦେବୀମାନେ
ବା ଦେବତାମାନେ ଯେତିକି ଶକ୍ତିଶାଳୀ ଶାନ୍ତିର ପ୍ରୟୋଗ କରିବା ଉଚିତ୍ ସେଥିରେ ଏବେ କମୀ ରହିଛି ।
ତେଣୁ ବାପଦାଦା ଏବେ ସବୁ ପିଲାମାନଙ୍କୁ ଏଥିପାଇଁ ଉମଙ୍ଗ-ଉତ୍ସାହ ଦେଉଛନ୍ତି । ଯଦିଓ ସେବା
କ୍ଷେତ୍ରରେ ବହୁତ ଭଲ ପ୍ରଚାର ପ୍ରସାର କରିଚାଲିଛ କିନ୍ତୁ ଏବେ ଶାନ୍ତିର ଶକ୍ତିକୁ ଆହୁରି ଅଧିକ
ଚାରିଆଡେ ଖେଳାଅ । (ଆଜି ବାରମ୍ବାର କାଶ ହେବାରେ ଲାଗିଛି) ଆଜି ବାଜା ଟିକିଏ ଖରାପ ଅଛି ପୁଣି ବି
ବାପଦାଦା ପିଲାମାନଙ୍କ ସହିତ ମିଳନ ନ କରି ରହିପାରିବେ ନାହିଁ କି ପିଲାମାନେ ମଧ୍ୟ ରହିପାରିବେ
ନାହିଁ । ତେଣୁ ବାପଦାଦା ଏବେ ବିଶେଷ କରି ଏହି ନିର୍ଦ୍ଦେଶ ଦେଉଛନ୍ତି ଯେ ବର୍ତ୍ତମାନ ଶାନ୍ତିର
ଶକ୍ତିର ପ୍ରକମ୍ପନକୁ ଚାରିଆଡେ ବିଚ୍ଛୁରିତ କର ।
ତେବେ ତୁମେମାନେ ତ
ବିଶେଷ କରି ବ୍ରହ୍ମାବାବାଙ୍କକୁ ଏବଂ ଜଗଦମ୍ବାଙ୍କୁ ଦେଖିଛ, ନିଜେ ଆଦିଦେବ ହୋଇ ମଧ୍ୟ ଶାନ୍ତିର
ଶକ୍ତିକୁ ଧାରଣ କରିବା ପାଇଁ କେତେ ଗୁପ୍ତ ପୁରୁଷାର୍ଥ କରିଛନ୍ତି । ତୁମର ଦାଦୀ ମଧ୍ୟ କର୍ମାତୀତ
ହେବା ପାଇଁ ଏହି କଥା ଉପରେ କେତେ ଦୃଢ ରହିଥିଲେ! ସବୁ ପ୍ରକାରର ଦାୟିତ୍ୱ ଭିତରେ ଥିଲେ ମଧ୍ୟ,
ସେବାର ଯୋଜନାଗୁଡିକୁ ପ୍ରସ୍ତୁତ କରୁଥିଲେ ମଧ୍ୟ ଶାନ୍ତିର ଶକ୍ତିକୁ ଜମା କରିଚାଲିଥିଲେ । (ଆଜି
ବାରମ୍ବାର କାଶ ହେଉଛି) ତେବେ ବାଜା ଯେତେ ବି ଖରାପ ହୋଇଥାଉ କିନ୍ତୁ ବାପଦାଦାଙ୍କର ସ୍ନେହ ଅଛି ।
ତେଣୁ ଯେତେ ବଡ ସେବାର ଦାୟିତ୍ୱ ହୋଇଥାଉ ନା କାହିଁକି, କିନ୍ତୁ ସଫଳତାର ପ୍ରତ୍ୟକ୍ଷ ଫଳ ଶାନ୍ତିର
ଶକ୍ତି ବିନା ଯେତିକି ମିଳିବା ଦରକାର ସେତିକି ମିଳିପାରିବ ନାହିଁ ଏବଂ ନିଜ ପାଇଁ ସାରା କଳ୍ପର
ପ୍ରାରବ୍ଧ ମଧ୍ୟ ଶାନ୍ତିର ଶକ୍ତି ଆଧାରରେ ହିଁ ଜମା କରିପାରିବ । ସେଥିପାଇଁ ଏବେ ସମସ୍ତଙ୍କୁ ନିଜ
ପ୍ରତି ସାରା କଳ୍ପର ପ୍ରାରବ୍ଧ, ରାଜ୍ୟପଦର ଏବଂ ପୂଜ୍ୟ ପଦର ଜମା କରିବାର ସମୟ ବର୍ତ୍ତମାନ ହିଁ
ଅଟେ, କାହିଁକି ନା ଆଗକୁ ଆହୁରି ଖରାପ ସମୟ ଆସିବାର ଅଛି । ଏହିଭଳି ସମୟରେ ଶାନ୍ତିର ଶକ୍ତି
ଦ୍ୱାରା ଟଚିଙ୍ଗ୍ ପାୱାର ଏବଂ କ୍ୟାଚିଙ୍ଗ୍ ପାୱାର ଅର୍ଥାତ୍ ଅନୁଭବ କରିବାର ଶକ୍ତି ଏବଂ ଗ୍ରହଣ
କରିବାର ଶକ୍ତି ବହୁତ ଆବଶ୍ୟକତା ପଡିବ । ଆଗକୁ ଏଭଳି ସମୟ ଆସିବ ଯାହାକି ଏହି ସବୁ ସାଧନଗୁଡିକ
କୌଣସି କାର୍ଯ୍ୟ କରିପାରିବ ନାହିଁ, କେବଳ ଆଧ୍ୟାତ୍ମିକ ବଳ ଏବଂ ବାପଦାଦାଙ୍କର ନିର୍ଦ୍ଦେଶ
ଗୁଡିକର ପ୍ରେରଣା ହିଁ କାର୍ଯ୍ୟ କରାଇପାରିବ । ତେଣୁ ନିଜେ ନିଜକୁ ଚେକ୍ କର - ଏହିଭଳି ସମୟରେ
ମୋ’ର ମନ ବୁଦ୍ଧିରେ ବାପଦାଦାଙ୍କର ଟଚିଙ୍ଗ୍ ଆସିପାରିବ ତ? ଏଥିରେ ବହୁତ କାଳର ଅଭ୍ୟାସର ଆବଶ୍ୟକତା
ରହିଛି ।
ଏହାର ଆଧାର ହେଲା ମନ ଏବଂ
ବୁଦ୍ଧି କେବେ କେବେ ନୁହେଁ ସଦାସର୍ବଦା ସ୍ପଷ୍ଟ ଏବଂ ସ୍ୱଚ୍ଛ ରହିବା ଦରକାର । ଏବେ କେବଳ
ରିହର୍ସଲ ଅର୍ଥାତ୍ ଅଭ୍ୟାସ କରିବା ବଢି ବଢି ଚାଲିବ, ଏହା ପରେ ଗୋଟିଏ ସେକେଣ୍ଡ ଭିତରେ ରିୟଲ୍
ଅର୍ଥାତ୍ ପ୍ରକୃତ ବିନାଶ ହୋଇଯିବ । ଟିକିଏ ବି ଯଦି ମନରେ ବା ବୁଦ୍ଧିରେ କୌଣସି ବି ଆତ୍ମା ପ୍ରତି
ବା କୌଣସି କାର୍ଯ୍ୟ ପ୍ରତି, ବା କୌଣସି ସହଯୋଗୀ ସାଥୀ ପ୍ରତି ଟିକିଏ ବି ନକାରାତ୍ମକ ଭାବନା
ରହିଥିବ ତେବେ ତା’କୁ କ୍ଲିନ୍ ଏବଂ କ୍ଲିୟର୍ ବୁଦ୍ଧି କୁହାଯିବ ନାହିଁ ସେଥିପାଇଁ ବାପଦାଦା
ଏଥିପ୍ରତି ବିଶେଷ ଧ୍ୟାନ ଆକର୍ଷଣ କରାଉଛନ୍ତି । ତେଣୁ ଚେକ୍ କର - ସାରା ଦିନ ଭିତରେ ସାଇଲେନ୍ସ
ପାୱାର ଅର୍ଥାତ୍ ଶାନ୍ତିର ଶକ୍ତି କେତେ ଜମା କରିଛି? ସେବା କରୁଥିଲେ ମଧ୍ୟ ଯଦି ବାଣୀରେ ଶାନ୍ତିର
ଶକ୍ତିର କମୀ ରହିଥିବ ତେବେ ସଫଳତା ରୂପୀ ପ୍ରତ୍ୟକ୍ଷ ଫଳ ଯେତିକି ଚାହୁଁଥିବ ସେତିକି ମିଳିବ ନାହିଁ
। ମେହନତ ଅଧିକ ଲାଗିବ ଫଳ କମ୍ ମିଳିବ । ତେଣୁ ସେବା କର କିନ୍ତୁ ଶାନ୍ତିର ଶକ୍ତି ସମ୍ପନ୍ନ ସେବା
କର, ଯାହାଦ୍ୱାରା ଆଶାଠାରୁ ଅଧିକ ଫଳ ମିଳିବ । ତେଣୁ ବାରମ୍ବାର ଚେକ୍ କର । ବାକି ବାପଦାଦାଙ୍କୁ
ଖୁସି ଲାଗୁଛି ଯେ ଦିନକୁ ଦିନ ଯେଉଁମାନେ ବି, ଯେଉଁଠି ବି ସେବା କରୁଛନ୍ତି ସେମାନେ ବହୁତ ଭଲ ସେବା
କରୁଛନ୍ତି କିନ୍ତୁ ନିଜ ପ୍ରତି ଶାନ୍ତିର ଶକ୍ତିକୁ ଜମା କରିବା ଉପରେ ଏବଂ ପରିବର୍ତ୍ତନ ଉପରେ
ଆହୁରି ଅଧିକ ଧ୍ୟାନ ଦିଅ ।
ଏବେ ତ ସାରା ଦୁନିଆ
ଖୋଜିବାରେ ଲାଗିଛି ଯେ ପ୍ରକୃତରେ ବିଶ୍ୱ ପରିବର୍ତ୍ତନର ନିମିତ୍ତ କିଏ ହେବ! କାହିଁକି ନା ଦିନକୁ
ଦିନ ଦୁଃଖ ଏବଂ ଅଶାନ୍ତି ବଢିବାରେ ଲାଗିଛି ଏବଂ ଆହୁରି ବଢିବ ମଧ୍ୟ । ତେଣୁ ଭକ୍ତ ଆତ୍ମାମାନେ
ନିଜର ଇଷ୍ଟ ଦେବମାନଙ୍କୁ ମନେ ପକାଉଛନ୍ତି, କେହି ତ ଅତ୍ୟଧିକ ଦୁଃଖ-ଅଶାନ୍ତିରେ ଜୀବନ ବିତାଉଛନ୍ତି,
ଧର୍ମଗୁରୁମାନଙ୍କ ପ୍ରତି ମଧ୍ୟ ସମସ୍ତଙ୍କର ଦୃଷ୍ଟି ଯାଉଛି ଏବଂ ବୈଜ୍ଞାନିକମାନେ ମଧ୍ୟ ଏହି କଥା
ଭାବୁଛନ୍ତି ଯେ - କିପରି କରିବୁ, କ’ଣ କରିବୁ, ଆଉ କେତେ ଦିନ ଏହିଭଳି ଚାଲିବ! ତେବେ ଏମାନଙ୍କୁ
ଉତ୍ତର ଦେବାବାଲା କିଏ? ସମସ୍ତଙ୍କର ଦିଲ୍ ଭିତରେ - ଏହି ଶବ୍ଦ ଗୁଞ୍ଜରିତ ହେଉଛି ଯେ - ପ୍ରକୃତରେ
ସ୍ୱର୍ଣ୍ଣିମ ପ୍ରଭାତ କେବେ ଆସିବ? ତେବେ ତୁମେମାନେ ତ ଆଣିବ ନା! ହଁ ନା ନାହିଁ? ହାତ ଉଠାଅ,
ଯେଉଁମାନେ ଭାବୁଛନ୍ତି ଆମେ ହିଁ ନିମିତ୍ତ ଅଟୁ । କ’ଣ ନିମିତ୍ତ ଅଟ ତ? (ସମସ୍ତେ ହାତ ଉଠାଇଲେ)
ଆଚ୍ଛା! ଯଦି ଏତେଜଣ ନିମିତ୍ତ ଅଟ, ତେବେ କେତେ ସମୟ ଭିତରେ ହୋଇଯିବା ଦରକାର! ଏଥିରେ ତୁମେମାନେ
ଖୁସି ହୋଇଯାଉଛ ଏବଂ ବାପଦାଦା ମଧ୍ୟ ଖୁସି ହୋଇଯାଉଛନ୍ତି । ଦେଖ ଏହିଭଳି ସୁବର୍ଣ୍ଣ ସୁଯୋଗ
ସମସ୍ତଙ୍କୁ ସୁବର୍ଣ୍ଣ ସମୟ ଅନୁରୂପକ ହିଁ ପ୍ରାପ୍ତ ହୋଇଛି ।
ଏବେ ସମସ୍ତେ ପରସ୍ପର
ମିଶି ଯେପରି ସେବାର ମିଟିଙ୍ଗ୍ ସବୁ କରୁଛ, ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ମଧ୍ୟ ମିଟିଙ୍ଗ୍
କରୁଛ, ସେହିପରି ଏହାର ମଧ୍ୟ ମିଟିଙ୍ଗ୍ କର, ଯୋଜନା ତିଆରି କର । ଯୋଗ ଏବଂ ସେବା । ଯୋଗର ଅର୍ଥ
ହେଲା ଶାନ୍ତିର ଶକ୍ତି, ଏବଂ ତାହା ମଧ୍ୟ ସେତେବେଳେ ପ୍ରାପ୍ତ ହୋଇପାରିବ ଯେତେବେଳେ ତୁମେ ବହୁତ
ଉଚ୍ଚ ସ୍ଥିତିରେ ରହିବ । ଯେପରି କୌଣସି ଉଚ୍ଚ ସ୍ଥାନରେ ଛିଡା ହୋଇଗଲେ ସବୁ ଜିନିଷ ସ୍ପଷ୍ଟ ଭାବରେ
ଦେଖି ହୁଏ, ସେହିପରି ତୁମର ସବୁଠାରୁ ଉଚ୍ଚ ସ୍ଥିତି କ’ଣ? ପରମଧାମର ସ୍ଥିତି । ସେବା ଶେଷ କରିଲ
ତା’ପରେ ସର୍ବୋଚ୍ଚ ସ୍ଥାନ ପରମଧାମକୁ ଯାଇ ବାବାଙ୍କ ସାଥୀରେ ବସିପଡ । ଯେପରି କେହି ଯଦି ଥକିଯାଏ
ତେବେ ୫ ମିନିଟ୍ ପାଇଁ ହେଉ ପଛକେ କେଉଁଠି ଶାନ୍ତିରେ ବସିପଡେ ଯାହାଦ୍ୱାରା କିଛିଟା ପରିବର୍ତ୍ତରନ
ଅନୁଭବ ହୁଏ । ସେହିପରି ତୁମେମାନେ ମଧ୍ୟ ମଝିରେ ମଝିରେ ବାବାଙ୍କ ପାଖକୁ ଯାଇ ବସି ପଡ ଏବଂ ଆଉ
ଗୋଟିଏ ଉଚ୍ଚ ସ୍ଥାନ ହେଲା ସୃଷ୍ଟିଚକ୍ରକୁ ଦେଖ ଏବଂ ସୃଷ୍ଟିଚକ୍ରରେ ମଧ୍ୟ ସର୍ବୋଚ୍ଚ ସ୍ଥାନ କ’ଣ?
ଘଡିର କଣ୍ଟାକୁ ସଂଗମଯୁଗରେ ହିଁ ସର୍ବୋଚ୍ଚ ଦେଖାଉଛ ନା! ତେଣୁ ତଳକୁ ଆସିଲ, ସେବା କରିଲ, ପୁଣି
ଉଚ୍ଚ ସ୍ଥାନକୁ ଚାଲିଗଲ । ଏବେ ବୁଝିଲ ତ କ’ଣ କରିବ? ସମୟ ତୁମକୁ ଡାକୁଛି, ନା ତୁମେମାନେ ସମୟକୁ
ପାଖକୁ ଆଣୁଛ? ସମୟର ମଧ୍ୟ ରଚୟିତା କିଏ? ତେଣୁ ପରସ୍ପର ଭିତରେ ଏହିଭଳି ଯୋଜନା କର । ଆଚ୍ଛା ।
ପିଲାମାନେ କହିଲେ
ଆସିବାକୁ ହିଁ ପଡିବ, ତେଣୁ ବାବା କହିଲେ ହାଁ ଜୀ । ଏହିଭଳି ପରସ୍ପରର କଥାକୁ, ସ୍ୱଭାବକୁ,
ମନୋବୃତ୍ତିକୁ ବୁଝି ହାଁ ଜୀ, ହାଁ ଜୀ କରିବା ଦ୍ୱାରା ସଂଗଠନର ଶକ୍ତି ଶାନ୍ତିର ଜ୍ୱାଳା ପ୍ରକଟ
କରିବ । ଜ୍ୱାଳାମୁଖୀ ଦେଖିଛ ନା । ସେହିପରି ସଂଗଠନର ଶକ୍ତି ମଧ୍ୟ ଶାନ୍ତିର ଜ୍ୱାଳା ପ୍ରକଟ କରିବ
। ଆଚ୍ଛା!
ମହାରାଷ୍ଟ୍ର,
ଆନ୍ଦ୍ରପ୍ରଦେଶ, ମୁମ୍ବାଇର ସେବା ପାଳି:-
ଯେହେତୁ ନାମ ହିଁ
ମହାରାଷ୍ଟ୍ର ଅଟେ, ତେଣୁ ମହାରାଷ୍ଟ୍ରକୁ ଡ୍ରାମା ଅନୁସାରେ ବିଶେଷ ଭାବରେ ସୁବର୍ଣ୍ଣ ଉପହାର
ପ୍ରାପ୍ତ ହୋଇଛି । ତାହା କ’ଣ ଜାଣିଛ? ବ୍ରହ୍ମାବାବା ଏବଂ ମା’ ଅର୍ଥାତ୍ ମମ୍ମାଙ୍କର ପ୍ରତ୍ୟକ୍ଷ
ପାଳନା ମହାରାଷ୍ଟ୍ରକୁ ମିଳିଛି । ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶକୁ ମଧ୍ୟ ମିଳିଛି କିନ୍ତୁ
ମହାରାଷ୍ଟ୍ରକୁ ଅଧିକ ମିଳିଛି ।
ତେବେ ମହାରାଷ୍ଟ୍ର ମହା
ତ ନିଶ୍ଚିତ ଅଟେ କିନ୍ତୁ ଏବେ କ’ଣ କରିବ? ମହାରାଷ୍ଟ୍ରର ସମସ୍ତେ ମିଶି ଏଭଳି ଯୋଜନା କର, ଏଭଳି
ମିଟିଙ୍ଗ୍ କର ଯେଉଁଥିରେ ସମସ୍ତଙ୍କର ଏକ ପ୍ରକାରର ସ୍ୱଭାବ, ଏକାଭଳି ସଂସ୍କାର, ଗୋଟିଏ ହିଁ
ସେବାର ଲକ୍ଷ୍ୟ ବା ଶାନ୍ତିର ଶକ୍ତିକୁ କିପରି ଚାରିଆଡେ ଖେଳାଇପାରିବ, ତା’ର ଯୋଜନା ପ୍ରସ୍ତୁତ କର
। କ’ଣ ଏହିଭଳି କରିବ ତ? କରିବ ତ? ଆଚ୍ଛା ବାପଦାଦାଙ୍କୁ ଗୋଟିଏ ମାସ ପରେ ରିପୋର୍ଟ ଦେବ ଯେ କ’ଣ
ସବୁ ଯୋଜନା କରିଛ । ତୁମମାନଙ୍କର ଏହିଭଳି ବାର୍ତ୍ତାଳାପ ଆଧାରରେ ଅନ୍ୟମାନେ ମଧ୍ୟ ଯୋଡି ହେବେ
କାରଣ ଭିନ୍ନ ଭିନ୍ନ ଜୋନ୍ ସବୁ ଅଛନ୍ତି ନା, ତେଣୁ ସେମାନେ ମଧ୍ୟ ସେବାରେ ବୃଦ୍ଧି କରିଚାଲିବେ ।
ସେଥିରେ ମୂଳ ଆଧାର ତୁମେ ହୁଅ ଏବଂ ଅନ୍ୟମାନେ ମଧ୍ୟ ଏଥିରେ ଭାଗ ନେବେ । କ’ଣ ସାହସ ଅଛି ତ?
ଟୀଚରମାନେ ସାହସ ଅଛି ତ? ପ୍ରଥମ ଧାଡିବାଲା କୁହ, ସାହସ ଅଛି ତ? ସଂସ୍କାର ମିଳନର ରାସ କେଉଁ ଜୋନ୍
କରିବ? ଶୁଭ ଦୃଷ୍ଟି, ଶୁଭ ବୃତ୍ତି, ଶୁଭ କୃତି କିପରି ହେବ, ଏହାକୁ ଆଉ କେଉଁ ଜୋନ୍ କରୁ । ଯଦି
କୌଣସି ଆତ୍ମା ନିଜର ସଂସ୍କାରକୁ ନିଜେ ପରିବର୍ତ୍ତନ କରିପାରୁ ନାହିଁ, ଚାହୁଁଛି କରିବା ପାଇଁ
କିନ୍ତୁ କରିପାରୁ ନାହିଁ, ତେବେ ସେମାନଙ୍କ ପ୍ରତି ଦୟାଳୁ ହୋଇ, କ୍ଷମା, ସହଯୋଗ ଏବଂ ସ୍ନେହ ଦେଇ
କିପରି ନିଜର ବ୍ରାହ୍ମଣ ପରିବାରକୁ ଶକ୍ତିଶାଳୀ କରିବୁ - ଆଉ ଗୋଟିଏ ଜୋନ୍ ଏହାର ଯୋଜନା କରୁ ।
କ’ଣ ଏହା ହୋଇପାରିବ ତ? ହୋଇପାରିବ? ପ୍ରଥମ ଧାଡି ବାଲା କୁହ ହୋଇପାରିବ? ହାତ ଉଠାଅ, ହୋଇପାରିବ!
କାହିଁକି ନା ପ୍ରଥମ ଧାଡିରେ ସବୁ ମହାରଥୀ ମାନେ ବସିଛନ୍ତି । ଏବେ ବାପଦାଦା ନାମ ଶୁଣାଉ
ନାହାଁନ୍ତି । ପ୍ରତ୍ୟେକ ଜୋନ୍କୁ ଯାହା ଭଲ ଲାଗୁଛି ତା’କୁ ନିଜ ଭିତରେ କଥାବାର୍ତ୍ତା ହୋଇ
ଶିବରାତ୍ରି ପରେ ଗୋଟିଏ ମାସ ସମୟ ନେଇ ଫଳାଫଳ ଶୁଣାଅ । ମହାରାଷ୍ଟ୍ର ଅଟେ ନା ତେଣୁ ବହୁତ ଭଲ ଜୋନ୍
ଅଟେ । ବୃଦ୍ଧି ତ ସବୁ ଜାଗାରେ ହେଉଛି ସେଥିପାଇଁ ମଧ୍ୟ ବାପଦାଦା ଅଭିନନ୍ଦନ ଦେଉଛନ୍ତି ।
ଅଭିନନ୍ଦନ, ଅଭିନନ୍ଦନ । ଏବେ ଯାହା ସବୁ କରିଆସିଛ ସେଥିପାଇଁ ତ ଅଭିନନ୍ଦନ ଦିଆଯାଉଛି କିନ୍ତୁ ଏବେ
କ୍ୱାଲିଟୀ ବାଲା ଆତ୍ମାମାନଙ୍କର ବୃଦ୍ଧି କର । ତେବେ କ୍ୱାଲିଟୀର ଅର୍ଥ ଏହା ନୁହେଁ ଯେ ବହୁତ ଧନୀ
ହୋଇଥିବ, କ୍ୱାଲିଟୀର ଅର୍ଥ ହେଲା ଯୋଗକୁ ନିୟମ ଅନୁସାରେ ନିଜ ଜୀବନରେ ଦୃଷ୍ଟାନ୍ତ ହୋଇ ଦେଖାଉଥିବ
। ବାକି ମାଇକ୍ ଏବଂ ୱାରିସ୍ ଆତ୍ମାର ଲକ୍ଷଣ ତ ତୁମେମାନେ ଜାଣିଛ । ସେମାନେ ନିଶ୍ଚୟବୁଦ୍ଧି ଏବଂ
ନିଶ୍ଚିନ୍ତ ଆତ୍ମା ହୋଇଥିବ । ଆଚ୍ଛା!
ଡବଲ ବିଦେଶୀମାନଙ୍କ
ଭିତରୁ ଯୁଗଳ ଏବଂ କୁମାରୀମାନଙ୍କର ବିଶେଷ ଯୋଗ ତପସ୍ୟାର କାର୍ଯ୍ୟକ୍ରମ ରଖାଯାଇଥିଲା :-
ଏମାନେ ସବୁ ବିଶେଷ ଧରଣର
ଚିହ୍ନ ଲଗାଇ ବସିଛନ୍ତି । ଭଲ ଦେଖାଯାଉଛି । କୁମାରୀମାନେ ପଛ ଆଡକୁ ବୁଲିପଡ ଯାହାକି ସମସ୍ତେ
ଦେଖିପାରିବେ, ପୂରା ବୁଲିଯାଅ । ବହୁତ ଭଲ । ଏମିତି ତ ସମସ୍ତେ ଭାଗ୍ୟବାନ ଅଟ କିନ୍ତୁ କୁମାରୀମାନେ
ଡବଲ ଭାଗ୍ୟବାନ ଅଟନ୍ତି, କାହିଁକି ଜାଣିଛ? ଏମିତି ବି କୁମାରୀମାନେ ମଧ୍ୟ ଭାଗ୍ୟବାନ ଅଟନ୍ତି,
କିନ୍ତୁ କୁମାରୀମାନେ ଯଦି ନିଜର କୁମାରୀ ଜୀବନରେ ଅମର ହୋଇ ରହିଯାଆନ୍ତି, ତେବେ ସେମାନଙ୍କୁ
ବାପଦାଦାଙ୍କର ଗୁରୁଭାଇ ହେବାର ଆସନ ମିଳିଯାଏ । ଏମିତି ତ ବସିବା ପାଇଁ ଆସନ ତ ସମସ୍ତଙ୍କୁ ମିଳିଛି
କିନ୍ତୁ ଗୁରୁର ଆସନ ହେଲା ଯାହା ଉପରେ ବସି ମୁରଲୀ ଶୁଣାଇଥାଆନ୍ତି । ଟୀଚର ହୋଇ ଶିକ୍ଷା ଦେଉଛ
ନା! ସେଥିପାଇଁ ବାପଦାଦା କହୁଛନ୍ତି କୁମାରୀମାନେ ଡବଲ ଭାଗ୍ୟବାନ ଅଟନ୍ତି । ତେବେ ତୁମେମାନେ
ନିଜର ୨୧ ଜନ୍ମ ତ ଉଦ୍ଧାର କରିଦେଇଛ କିନ୍ତୁ ଅନ୍ୟ ଯେଉଁମାନଙ୍କ ପାଇଁ ନିମିତ୍ତ ହୋଇଛ,
ସେମାନଙ୍କର ମଧ୍ୟ ୨୧ ଜନ୍ମ ଉଦ୍ଧାର ହୋଇଯାଉଛି । ତେବେ ଏହିଭଳି କୁମାରୀ ଅଟ ନା! କ’ଣ ଏହିଭଳି ଅଟ
ତ? ଯେଉଁମାନେ କିଛି କିଛି କଞ୍ଚା ଅଛନ୍ତି, ସେମାନେ ହାତ ଉଠାଅ । ତେବେ ସମସ୍ତେ ପକ୍କା ଅଟ । କ’ଣ
ଦାଦିମାନେ ଦେଖୁଛ ତ, ଏମାନେ ପକ୍କା କୁମାରୀ ଅଟନ୍ତି? ପକ୍କା ଅଟନ୍ତି ତ? ନ୍ୟୁୟର୍କର ମୋହିନୀ
ଭଉଣୀକୁ କୁହ, ଏମାନେ ପକ୍କା ଅଟନ୍ତି ତ? ଏହି କୁମାରୀମାନଙ୍କର ଗ୍ରୃପ୍ ପକ୍କା ଅଟେ ତ? ଏମାନଙ୍କର
ସବୁ ଟୀଚର କିଏ? (ମୀରା ଭଉଣୀ) ଯଦି ପକ୍କା ଅଟ, ତେବେ ତାଳି ବଜାଅ । ବାପଦାଦାଙ୍କୁ ମଧ୍ୟ ଖୁସି
ଲାଗୁଛି । ଆଚ୍ଛା! (କୁମାରୀମାନଙ୍କର ଏହା ଅଷ୍ଟମ କାର୍ଯ୍ୟକ୍ରମ ଏମାନଙ୍କର ବିଷୟ ଥିଲା ନିଜର
ପଣିଆର ଅନୁଭବ, ତେବେ ୩୦ଟି ଦେଶରୁ ୮୦ ଜଣ କୁମାରୀ ଆସିଛନ୍ତି । ସମସ୍ତେ ଆପଣାର ପଣିଆର ଅନୁଭବ
ବହୁତ ଭଲ କରିଛନ୍ତି) ସେଥିପାଇଁ ଅଭିନନ୍ଦନ । ତେବେ ଏମାନେ ତ ହେଲେ କୁମାରୀ, କିନ୍ତୁ ତୁମେ ସବୁ
କିଏ? ତୁମେମାନେ କୁହ ଏମାନେ ହେଲେ କୁମାରୀ, କିନ୍ତୁ ଆମେ ହେଲୁ ବ୍ରହ୍ମାକୁମାର ଏବଂ
ବ୍ରହ୍ମାକୁମାରୀ । ତେଣୁ ତୁମେମାନେ ମଧ୍ୟ କମ୍ ନୁହେଁ । ଏହା କୁମାରମାନଙ୍କର ଗ୍ରୃପ୍ ଅଟେ,
ମିଶାମିଶି ଗ୍ରୃପ । ବହୁତ ଭଲ । ତେବେ ଯୁଗଳମାନଙ୍କ ଭିତରେ କେଉଁ ନିଶା ଅଛି? ଅଧିକ ନିଶା କ’ଣ ଅଛି,
ଜାଣିଛ? ଯେବେଠାରୁ ଘର ଗୃହସ୍ଥବାଲା ଏହି ଜ୍ଞାନକୁ ଧାରଣ କରିବାକୁ ଲାଗିଲେଣି, ସେବେଠାରୁ
ଅଧିକାଂଶ ଲୋକମାନଙ୍କ ଭିତରେ ଏବେ ସାହସ ଆସିଲାଣି ଯେ ଆମେ ବି କରିପାରିବୁ । ପୂର୍ବରୁ ଭାବୁଥିଲେ
ଯେ ବ୍ରହ୍ମାକୁମାରୀ ହେବା ଅର୍ଥ ସବୁ କିଛି ଛାଡି ଦେବା, କିନ୍ତୁ ଏବେ ଭାବୁଛନ୍ତି ବ୍ରହ୍ମାକୁମାର
କୁମାରୀ ହୋଇ ମଧ୍ୟ ପରିବାର ଏବଂ ଗୃହସ୍ଥ ବ୍ୟବହାର ସବୁ କିଛି ଚାଲିପାରିବ ।
ଏହାଛଡା ଯୁଗଳମାନଙ୍କର
ଆଉ ଗୋଟିଏ ବିଶେଷତା ମଧ୍ୟ ଅଛି, ସେମାନେ ମହାତ୍ମାମାନଙ୍କୁ ମଧ୍ୟ ଚାଲେଞ୍ଚ କରୁଛନ୍ତି ଯେ ଆମେ
ଏକାଠି ରହି ମଧ୍ୟ କର୍ମଧନ୍ଦା କରି ମଧ୍ୟ ଆମର ପରମାର୍ଥ ଶ୍ରେଷ୍ଠ ଅଟେ । ତେଣୁ ବିଜୟୀ ଅଟୁ ।
ଏହିଭଳି ବିଜୟୀ ହେବାର ସାହସ ଭରିବାର କାମ ଯୁଗଳମାନଙ୍କର ଅଟେ । ସେଥିପାଇଁ ବାପଦାଦା ଯୁଗଳମାନଙ୍କୁ
ମଧ୍ୟ ଅଭିନନ୍ଦନ ଦେଉଛନ୍ତି । ଠିକ୍ କଥା ନା । ଚାଲେଞ୍ଚ କରିବାବାଲା ଅଟ ନା! ପକ୍କା ତ! ଯଦି କେହି
ତୁମ ପାଖକୁ ଗୁପ୍ତ ରୂପରେ ଆସି ଯାଞ୍ଚ କରିବ, ତେବେ ତାକୁ କୁହ ଯେତେ ଯାଞ୍ଚ କରିବାର ଅଛି କର ।
କ’ଣ ସାହସ ଅଛି ତ? ଅଛି ତ? ହାତ ଉଠାଅ । ଆଚ୍ଛା!
ବାପଦାଦା ସବୁବେଳେ ଡବଲ
ବିଦେଶୀମାନଙ୍କୁ ସାହସୀ ମନେ କରିଥାଆନ୍ତି । କାହିଁକି ଜାଣିଛ? ବାପଦାଦା ଦେଖୁଛନ୍ତି ସେମାନେ
ଚାକିରି ଆଦି ମଧ୍ୟ କରୁଛନ୍ତି, ପ୍ରତିଦିନ ମୁରଲୀ କ୍ଲାସ ମଧ୍ୟ କରୁଛନ୍ତି ଏବଂ କେହି କେହି ତ
କ୍ଲାସ କରାଉଛନ୍ତି ମଧ୍ୟ, ତା’ ସହିତ ସେଣ୍ଟରର ସବୁ ପ୍ରକାରର ସେବାରେ ମଧ୍ୟ ସହଯୋଗ କରୁଛନ୍ତି ।
ସେଥିପାଇଁ ବାପଦାଦା ସେମାନଙ୍କୁ ଅଲରାଉଣ୍ଡର ଗ୍ରୃପ୍ର ଉପାଧି ଦେଉଛନ୍ତି । ଆଚ୍ଛା ଏହିଭଳି
ସର୍ବଦା ଆଗକୁ ଆଗକୁ ବଢିଚାଲ ଏବଂ ଅନ୍ୟମାନଙ୍କୁ ମଧ୍ୟ ବଢାଇଚାଲ । ଆଚ୍ଛା!
ଟୀଚରମାନଙ୍କ ସହିତ:-
ଟୀଚରମାନେ ଠିକ୍ ଅଛି ତ?
ବହୁତ ଟୀଚର ଆସିଛନ୍ତି । ବହୁତ ଭଲ କଥା ଦେଖ - ବାବାଙ୍କ ସମାନ ଉପାଧି ତୁମମାନଙ୍କୁ ମଧ୍ୟ ମିଳିଛି
। ବାବା ମଧ୍ୟ ଟୀଚର ହୋଇ ଆସୁଛନ୍ତି, ତେଣୁ ଟୀଚରର ଅର୍ଥ ହେଲା ସ୍ୱ ଅନୁଭବ ଆଧାରରେ ଅନ୍ୟମାନଙ୍କୁ
ମଧ୍ୟ ଅନୁଭବୀ କରିବା । ଅନୁଭବର ଅଧିକାରୀ ପଣିଆ ହିଁ ସବୁଠାରୁ ଶ୍ରେଷ୍ଠ ଅଟେ । ଯଦି ଥରେ ମାତ୍ର
ବି କୌଣସି କଥାର ଅନୁଭବ କରିନିଆଯାଏ ତେବେ ସାରା ଜୀବନ ଭୁଲି ହୁଏ ନାହିଁ । ଶୁଣିଥିବା କଥା ବା
ଦେଖିଥିବା କଥା ଭୁଲି ହୋଇଯାଏ କିନ୍ତୁ ଅନୁଭବ କରିଥିବା କଥା କେବେ ବି ଭୁଲି ହୁଏ ନାହିଁ । ତେବେ
ଟୀଚର ହେବା ଅର୍ଥ ନିଜେ ଅନୁଭବୀ ହୋଇ ଅନ୍ୟମାନଙ୍କୁ ଅନୁଭବୀ କରିବା । ଏହି କାମ କରୁଛ ନା! ଭଲ କଥା
। ଯଦି କୌଣସି କଥାରେ ଅନୁଭବରେ କମୀ ରହିଥିବ, ତେବେ ତାକୁ ୧ ମାସ ଭିତରେ ଭରିନିଅ । ତା’ପରେ
ବାପଦାଦା ଫଳାଫଳ ଚେକ୍ କରିବେ । ଆଚ୍ଛା!
ଚାରିଆଡର ବାପଦାଦାଙ୍କର
ହୃଦୟ ସିଂହାସନ ଅଧିକାରୀ ଏବଂ ବିଶ୍ୱ ରାଜ୍ୟ ସିଂହାସନ ଅଧିକାରୀ, ସର୍ବଦା ନିଜର ଶାନ୍ତିର ଶକ୍ତିକୁ
ଆଗକୁ ବଢାଇବା ସହିତ ଅନ୍ୟମାନଙ୍କୁ ଆଗକୁ ବଢାଇବାର ଉମଙ୍ଗ-ଉତ୍ସାହ ଦେଉଥିବା, ସର୍ବଦା ନିଜେ
ଖୁସିରେ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଖୁସିର ଉପହାର ଦେଉଥିବା ଚାରିଆଡର ବାପଦାଦାଙ୍କର
ଭାଗ୍ୟବାନ ଗେହ୍ଲା ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଶୁଭ ଆଶୀର୍ବାଦ
ସହିତ ନମସ୍ତେ ।
ବରଦାନ:-
ସବୁ ପ୍ରକାରର
କଣ୍ଡିଶନ୍ରେ ଅର୍ଥାତ୍ ପରିସ୍ଥିତିରେ ସୁରକ୍ଷିତ ରହୁଥିବା ଏୟାର କଣ୍ଡିଶନ ଟିକେଟ୍ର ଅଧିକାରୀ
ଭବ ।
ଏୟାର କଣ୍ଡିଶନ୍ର
ଟିକେଟ୍ ସେହି ପିଲାମାନଙ୍କୁ ମିଳୁଛି ଯେଉଁମାନେ ଏଠାରେ ସବୁ କଣ୍ଡିଶନ୍ରେ ସୁରକ୍ଷିତ ରହୁଛନ୍ତି
। ଯେକୌଣସି ପରିସ୍ଥିତି ହେଉ ବା ସମସ୍ୟା ହେଉ କିନ୍ତୁ ସବୁ ପ୍ରକାରର ସମସ୍ୟାକୁ ଗୋଟିଏ ସେକେଣ୍ଡ
ଭିତରେ ଅତିକ୍ରମ କରିବାର ସାର୍ଟିଫିକେଟ୍ ଦରକାର ଯେପରି ସେ ଟିକେଟ୍ ପାଇଁ ପଇସା ଦେଉଛ, ସେହିପରି
ଏଠାରେ ମଧ୍ୟ “ସଦା ବିଜୟୀ” ହେବାର ପଇସା ଦରକାର - ଯାହାଦ୍ୱାରା ତୁମକୁ ଟିକେଟ୍ ମିଳିପାରିବ ।
ତେବେ ଏହି ଧନ ପ୍ରାପ୍ତି କରିବା ପାଇଁ ମେହନତ କରିବାର ଆବଶ୍ୟକତା ନାହିଁ, କେବଳ ସଦାସର୍ବଦା
ବାବାଙ୍କ ସାଥୀରେ ରହିଥାଅ ଯାହାଦ୍ୱାରା ଅଗଣିତ ଧନ ରୋଜଗାର ହୋଇ ଚାଲିବ ।
ସ୍ଲୋଗାନ:-
ପରିସ୍ଥିତି
ଯେମିତିକା ହେଉ ନା କାହିଁକି, ପରିସ୍ଥିତି ଚାଲିଯାଉ କିନ୍ତୁ ଖୁସି ନ ଯାଉ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର । ଯେପରି ତୁମର ରଚନା କଇଁଛ ଗୋଟିଏ
ସେକେଣ୍ଡ ଭିତରେ ନିଜର ସବୁ ଅଙ୍ଗକୁ ନିଜ ଭିତରେ ଏକତ୍ରିତ କରିଦିଏ ଅର୍ଥାତ୍ ଏକତ୍ରିକରଣର ଶକ୍ତି
ତୁମର ରଚନା ଭିତରେ ମଧ୍ୟ ରହିଛି । ତେଣୁ ତୁମେ ମାଷ୍ଟର ରଚୟିତା ପିଲାମାନେ ଏକତ୍ରିକରଣର ଶକ୍ତି
ଆଧାରରେ ଗୋଟିଏ ସେକେଣ୍ଡ ଭିତରେ ସର୍ବ ସଂକଳ୍ପକୁ ଏକତ୍ରିତ କରି ଗୋଟିଏ ସଂକଳ୍ପରେ ସ୍ଥିତ ହୋଇଯାଅ
। ଯେତେବେଳେ ତୁମେ ସମସ୍ତ କର୍ମେନ୍ଦ୍ରିୟ ଦ୍ୱାରା କରୁଥିବା କର୍ମର ସ୍ମୃତିଠାରୁ ଉର୍ଦ୍ଧ୍ୱରେ
ଏକମାତ୍ର ଆତ୍ମିକ ସ୍ୱରୂପରେ ସ୍ଥିତ ହୋଇଯିବ ସେତେବେଳେ ଯାଇ କର୍ମାତୀତ ଅବସ୍ଥାର ଅନୁଭବ ହେବ ।