15.06.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଅମର ବାବା ଆସିଛନ୍ତି ତୁମକୁ ଜ୍ଞାନର ତୃତୀୟ ନେତ୍ର ଦେବା ପାଇଁ, ଏବେ ତୁମେମାନେ ତିନିଲୋକ ଏବଂ ତିନିକାଳକୁ ଜାଣୁଛ” ।

ପ୍ରଶ୍ନ:-
ଆତ୍ମିକ ପିତା ଆତ୍ମାମାନଙ୍କୁ କେଉଁ ଆଧାରରେ ସମ୍ପତ୍ତି ଦେଇଥାଆନ୍ତି?

ଉତ୍ତର:-
ପାଠପଢା ଆଧାରରେ । ଯେଉଁ ପିଲାମାନେ ଭଲ ଭାବରେ ପାଠ ପଢୁଛନ୍ତି, ଦେହ-ଅଭିମାନକୁ ଛାଡି ଦେହୀ-ଅଭିମାନୀ ହୋଇ ରହିବାର ପୁରୁଷାର୍ଥ କରୁଛନ୍ତି, ସେହିମାନଙ୍କୁ ହିଁ ବାବାଙ୍କର ସମ୍ପତ୍ତି ମିଳିଥାଏ । ଲୌକିକ ପିତା କେବଳ ନିଜର ସନ୍ତାନକୁ ହିଁ ସମ୍ପତ୍ତି ଦେଇଥା’ନ୍ତି କିନ୍ତୁ ପାରଲୌକିକ ପିତାଙ୍କର ସମ୍ବନ୍ଧ ଆତ୍ମାମାନଙ୍କ ସହିତ ରହିଛି, ସେଥିପାଇଁ ଆତ୍ମାମାନଙ୍କୁ ହିଁ ସମ୍ପତ୍ତି ଦେଇଥା’ନ୍ତି ।

ଗୀତ:-
ଭୋଲେନାଥ ସେ ନିରାଲା...

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନେ, ଏହି ମୃତ୍ୟୁଲୋକରୁ ଅମରଲୋକକୁ ଯିବା ପାଇଁ ଆତ୍ମିକ ପିତାଙ୍କଠାରୁ ଅମରକଥା ଶୁଣୁଛନ୍ତି । ନିର୍ବାଣଧାମକୁ ଅମରଲୋକ କୁହାଯାଏ ନାହିଁ । ଅମରଲୋକ ଅର୍ଥାତ୍ ଯେଉଁଠାରେ ତୁମର ଅକାଳମୃତ୍ୟୁ ହୁଏ ନାହିଁ, ସେଥିପାଇଁ ତାକୁ ଅମରଲୋକ କୁହାଯାଉଛି । ରୁହାନୀ ବାବା ଯାହାଙ୍କୁ ଅମରନାଥ ବୋଲି କୁହାଯାଉଛି, ଅମରଲୋକକୁ ନେବା ପାଇଁ ସେ ନିଶ୍ଚିତ ମୃତ୍ୟୁଲୋକରେ ହିଁ କଥା ଶୁଣାଇବେ । ତିନୋଟି କଥା ଭାରତରେ ହିଁ ପ୍ରସିଦ୍ଧ ଅଟେ । ଅମରକଥା, ସତ୍ୟନାରାୟଣଙ୍କର କଥା, ତିଜ୍‌ରୀର କଥା । ଭକ୍ତିମାର୍ଗରେ ତ ତିଜ୍‌ରୀର ଅର୍ଥ କେହି ହେଲେ ବୁଝୁନାହାଁନ୍ତି । ଜ୍ଞାନର ତୃତୀୟ ନେତ୍ର ଜ୍ଞାନର ସାଗର ବାବାଙ୍କ ବିନା ଆଉ କେହି ଦେଇପାରିବେ ନାହିଁ । ଦୁନିଆରେ ମଧ୍ୟ କେବଳ ମିଛ କଥା ହିଁ ଶୁଣାଉଛନ୍ତି । ମିଠା-ମିଠା ରୁହାନୀ ସନ୍ତାନମାନେ ଏବେ ଜାଣିଗଲେଣି ଯେ ଆମକୁ ଏବେ ଜ୍ଞାନର ତୃତୀୟ ନେତ୍ର ମିଳୁଛି, ଯେଉଁ ତୃତୀୟ ନେତ୍ର ଦ୍ୱାରା ତୁମେ ତିନି କାଳକୁ, ତିନି ଲୋକକୁ ଜାଣି ସାରିଛ । ମୂଳବତନ, ସୂକ୍ଷ୍ମବତନ, ସ୍ଥୂଳବତନର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ମଧ୍ୟ ଜାଣି ସାରିଛ, ତେଣୁ ନିଜକୁ ତ୍ରିକାଳଦର୍ଶୀ ବୋଲି ଭାବୁଛ । ତୁମ ମିଠା-ମିଠା ସନ୍ତାନମାନଙ୍କ ବ୍ୟତୀତ ସୃଷ୍ଟିରେ ଆଉ କେହି ତ୍ରିକାଳଦର୍ଶୀ ହୋଇ ନ ଥା’ନ୍ତି । ତିନି କାଳ ଅର୍ଥାତ୍ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣି ନ ଥା’ନ୍ତି । ମୂଳବତନ, ସୂକ୍ଷ୍ମବତନ, ସ୍ଥୂଳବତନକୁ ଅନେକ ଜାଣିଛନ୍ତି । କିନ୍ତୁ ତିନି କାଳର ଆଦି-ମଧ୍ୟ-ଅନ୍ତକୁ କେହି ହେଲେ ଜାଣିନାହାଁନ୍ତି । ଏବେ ମିଠା ମିଠା ରୁହାନୀ ସନ୍ତାନମାନେ ରୁହାନୀ ବାବାଙ୍କଠାରୁ ଜ୍ଞାନ ଶୁଣୁଛନ୍ତି । ଆମେ ତାଙ୍କର ସନ୍ତାନ ହୋଇଛୁ । ଥରେ ମାତ୍ର ତୁମ ରୁହାନୀ ସନ୍ତାନମାନଙ୍କୁ ରୁହାନୀ ବାବା ମିଳିଛନ୍ତି । ବାବା ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି ଏବଂ ଅନ୍ୟମାନେ ସମସ୍ତେ ଦେହ-ଅଭିମାନୀ ହୋଇଥିବା କାରଣରୁ କହୁଛନ୍ତି - ମୁଁ ଏହି ପାଠ ପଢୁଛି । ମୁଁ ଏହା କରୁଛି । ତେଣୁ ଦେହ-ଅଭିମାନ ଆସିଯାଉଛି । ବର୍ତ୍ତମାନ ଏହି ସଂଗମଯୁଗରେ ରୁହାନୀ ବାବା ଆସି ରୁହାନୀ ପିଲାମାନଙ୍କୁ କହୁଛନ୍ତି ତୁମେ ଭଲ ଭାବରେ ପାଠପଢ । ପ୍ରତ୍ୟେକ ସନ୍ତାନ ବାବାଙ୍କଠାରୁ ସମ୍ପତ୍ତି ନେବାର ଅଧିକାରୀ ଅଟନ୍ତି କାହିଁକି ନା ସମସ୍ତେ ତାଙ୍କର ରୁହାନୀ ସନ୍ତାନ ଅଟନ୍ତି ନା । ଲୌକିକ ସମ୍ବନ୍ଧରେ କେବଳ ସନ୍ତାନ ହିଁ ସମ୍ପତ୍ତିର ଅଧିକାରୀ ହୋଇଥାଏ । କିନ୍ତୁ ଏହି ପାରଲୌକିକ ସମ୍ବନ୍ଧରେ ସମସ୍ତ ସନ୍ତାନମାନଙ୍କୁ, ଆତ୍ମାମାନଙ୍କୁ ସମ୍ପତ୍ତି ମିଳୁଛି । ବାବା ଅମରନାଥର ମଧ୍ୟ କଥା ଶୁଣାଉଛନ୍ତି । କହୁଛନ୍ତି ପାର୍ବତୀଙ୍କୁ ପାହାଡ ଉପରେ, ଗୁମ୍ପାରେ ଯାଇ କଥା ଶୁଣାଇଥିଲେ । ଏହା ତ ଭୁଲ୍ ଅଟେ ନା । ଏବେ ତୁମେ ସନ୍ତାନମାନେ ଜାଣିଛ ଯେ ମିଥ୍ୟା କ’ଣ, ସତ୍ୟ କ’ଣ । ସତ୍ୟ କଥା ତ ନିଶ୍ଚିତ ସତ୍ୟପିତା ହିଁ ଶୁଣାଇବେ । ବାବା ଥରେ ମାତ୍ର ସତ୍ୟ କଥା ଶୁଣାଇ ସତ୍ୟ ରାଷ୍ଟ୍ରର ମାଲିକ କରାଉଛନ୍ତି । ତୁମେ ଜାଣିଛ ଯେ ଏହି ମିଛ ଦୁନିଆରେ ନିଆଁ ଲାଗିବ । ଏହି ଆଖି ଦ୍ୱାରା ଯାହା କିଛି ଦେଖାଯାଉଛି, ଏ ସବୁ ରହିବ ନାହିଁ । ବାକି ଆଉ ଅଳ୍ପ ସମୟ ଅଛି । ଏହା ଶିବବାବାଙ୍କର ଜ୍ଞାନ ଯଜ୍ଞ । ଯେପରି ଲୌକିକ ସମ୍ବନ୍ଧରେ ମଧ୍ୟ ପିତା ଯଜ୍ଞ ରଚନା କରିଥା’ନ୍ତି । କେହି ରୁଦ୍ର ଯଜ୍ଞ ରଚନା କରିଥା’ନ୍ତି, କେହି ଗୀତା ଯଜ୍ଞ । କେହି ପୁଣି ରାମାୟଣ ଯଜ୍ଞ ରଚନା କରିଥାନ୍ତି । ଏହା ହେଉଛି ଶିବବାବା ଅଥବା ରୁଦ୍ର ଜ୍ଞାନ ଯଜ୍ଞ । ଏହା ଅନ୍ତିମ ଯଜ୍ଞ ଅଟେ ।

ତୁମେ ଜାଣିଛ ଏବେ ଆମେ ଅମରପୁରୀକୁ ଯାଉଛୁ । ବାକି ଆଉ ଅଳ୍ପ କେତେ ମିନିଟ୍‌ର ରାସ୍ତା ଅଛି । କୌଣସି ବି ମନୁଷ୍ୟଙ୍କୁ ଏକଥା ଜଣା ନାହିଁ । ସେମାନେ ତ କହିଦେଉଛନ୍ତି - ମୃତ୍ୟୁଲୋକରୁ ଅମରଲୋକକୁ ଯିବା ପାଇଁ ଏବେ ଆହୁରି ୪୦ ହଜାର ବର୍ଷ ବାକି ଅଛି । ସତ୍ୟଯୁଗକୁ ଅମରଲୋକ କୁହାଯାଉଛି । ବର୍ତ୍ତମାନ ବାବା ସମ୍ମୁଖରେ ବସି ତୁମ ସନ୍ତାନମାନଙ୍କୁ ଅମରକଥା, ତିଜରୀର କଥା, ସତ୍ୟ ନାରାୟଣର କଥା ଶୁଣାଉଛନ୍ତି । ଭକ୍ତିମାର୍ଗରେ କ’ଣ କ’ଣ ସବୁ ହେଉଛି, ତାହା ତ ଦେଖିଲ । ଭକ୍ତିମାର୍ଗର କେତେ ବିସ୍ତାର ରହିଛି । ଯେପରି ବୃକ୍ଷର ବଡ ବିସ୍ତାର ହୋଇଥାଏ, ସେହିପରି ଭକ୍ତିର ମଧ୍ୟ ବଡ କର୍ମକାଣ୍ଡର ବୃକ୍ଷ ରହିଛି । ଯଜ୍ଞ, ବ୍ରତ, ନିୟମ, ଜପ-ତପ ଆଦି କେତେ କରୁଛନ୍ତି । ଏହି ଜନ୍ମର ଭକ୍ତ ତ ବହୁତ ବସିଛନ୍ତି । ମନୁଷ୍ୟମାନଙ୍କର ବୃଦ୍ଧି ହୋଇଚାଲିଛି । ଯେବେଠାରୁ ତୁମେ ଭକ୍ତିମାର୍ଗକୁ ଆସିଛ ସେବେଠାରୁ ଅନ୍ୟ ଧର୍ମ ସବୁ ସ୍ଥାପନ ହୋଇଛି । ପ୍ରତ୍ୟେକଙ୍କର ନିଜ ଧର୍ମ ସହିତ ସମ୍ପର୍କ ରହିଛି । ପ୍ରତ୍ୟେକଙ୍କର ନୀତି-ପ୍ରଥା ଅଲଗା ଅଲଗା । ଭାରତ ଅମରପୁରୀ ଥିଲା, ଭାରତ ଏବେ ମୃତ୍ୟୁଲୋକ ହୋଇଯାଇଛି । ତୁମେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲ । କିନ୍ତୁ ଏବେ ପତିତ ହୋଇଥିବା କାରଣରୁ ନିଜକୁ ଦେବତା ବୋଲି କହିପାରୁ ନାହିଁ । ଏକଥା ତୁମେ ଭୁଲି ଯାଇଛ ଯେ ଆମେ ହିଁ ଦେବତା ଥିଲୁ । ଖ୍ରୀଷ୍ଟିୟାନମାନେ ଯେପରି କହୁଛନ୍ତି କି ଖ୍ରୀଷ୍ଟ ଆମ ଧର୍ମର ସ୍ଥାପନା କରିଥିଲେ, ସେଥିପାଇଁ ଆମର ଖ୍ରୀଷ୍ଟିୟାନ ଧର୍ମ ଚାଲିଆସୁଛି । ଏପରି ନୁହେଁ ଯେ ସେମାନେ ୟୁରୋପିଅନ ଧର୍ମର ଅଟନ୍ତି । ସେହିପରି ତୁମେ ହିନ୍ଦୁସ୍ଥାନରେ ରହିଲାବାଲା ଅଥବା ଭାରତବାସୀ ଦେବୀ-ଦେବତା ଧର୍ମର ଅଟ । କିନ୍ତୁ ନିଜକୁ ଦେବତା ବୋଲି କହିପାରିବ ନାହିଁ । ଜାଣିଛ ଯେ ଆମେ ତ ପାପୀ ନୀଚ, କାଙ୍ଗାଳ, ବିକାରୀ ଅଟୁ । ଭକ୍ତିମାର୍ଗରେ ମନୁଷ୍ୟ ଦୁଃଖୀ ହେଲେ ବାବାଙ୍କୁ ହିଁ ଡାକିଥା’ନ୍ତି । ଏକଥା କେବଳ ତୁମେ ବ୍ରାହ୍ମଣ ପିଲାମାନେ ହିଁ ଜାଣିଛ ଯେ ଯେଉଁ ବାବାଙ୍କୁ ସମସ୍ତେ ଡାକି ଆସିଛନ୍ତି, ସେ ହିଁ ଆମକୁ ବେହଦର ସମ୍ପତ୍ତି ଦେବା ପାଇଁ ଅମରକଥା ଶୁଣାଉଛନ୍ତି । ଆମେ ଅମରପୁରୀର ମାଲିକ ହେବୁ । ଅମରପୁରୀକୁ ସ୍ୱର୍ଗ କୁହାଯାଉଛି । ତୁମେ କହୁଛ ଆମେ ସ୍ୱର୍ଗବାସୀ ହେବା ପାଇଁ ପୁରୁଷାର୍ଥ କରୁଛୁ । କଳିଯୁଗରେ ମନୁଷ୍ୟ ମୃତ୍ୟୁବରଣ କଲେ କହିଥା’ନ୍ତି ସ୍ୱର୍ଗବାସୀ ହେଲେ । ତେବେ ସିଏ କ’ଣ ସ୍ୱର୍ଗକୁ ଯିବା ପାଇଁ କିଛି ପୁରୁଷାର୍ଥ କରିଛନ୍ତି? ତୁମେ ତ ଅମରପୁରୀ ବୈକୁଣ୍ଠକୁ ଯିବା ପାଇଁ ପୁରୁଷାର୍ଥ କରୁଛ । ତେବେ ପୁରୁଷାର୍ଥ କରାଇଲାବାଲା କିଏ? ଅମରବାବା, ଯାହାଙ୍କୁ ଅମରନାଥ ମଧ୍ୟ କୁହାଯାଉଛି । ଏହି ଯଜ୍ଞକୁ ପାଠଶାଳା ମଧ୍ୟ କୁହାଯାଏ । ଅନ୍ୟ କୌଣସି ପାଠଶାଳାକୁ ଯଜ୍ଞ କୁହାଯିବ ନାହିଁ । ସ୍ଥୂଳ ଯଜ୍ଞ ଅଲଗା ରଚନା କରାଯାଇଥାଏ, ଯେଉଁଠାରେ ବ୍ରାହ୍ମଣ ବସି ମନ୍ତ୍ର ପଢିଥା’ନ୍ତି । ବାବା କହୁଛନ୍ତି ଏହା ତୁମର କଲେଜ ମଧ୍ୟ ଅଟେ, ଯଜ୍ଞ ମଧ୍ୟ ଅଟେ, ଉଭୟ ଏକତ୍ର ରହିଛି । ତୁମେ ଜାଣିଛ ଏହି ଜ୍ଞାନ ଯଜ୍ଞରୁ ବିନାଶର ଜ୍ୱାଳା ପ୍ରଜ୍ୱଳିତ ହୋଇଛି, ଏଥିରେ ସାରା ଦୁନିଆ ସ୍ୱାହା ହୋଇଯିବ । ପୁଣି ନୂଆ ଦୁନିଆ ତିଆରି ହେବ, ଏହାର ନାମ ହିଁ ହେଲା ମହାଭାରୀ ମହାଭାରତ ଲଢେଇ । ଏପରି ଲଢେଇ ଆଉ କେବେ ହୋଇ ନ ଥାଏ । କୁହନ୍ତି ଯୁଦ୍ଧରେ ମୁଷଳ (ମିସାଇଲ୍‌) ଦ୍ୱାରା ଲଢେଇ ହୋଇଥିଲା । ତୁମ ସାଥିରେ ତ ଲଢେଇ ହେଉ ନାହିଁ । ଏହାକୁ ମହାଭାରତ ଲଢେଇ କାହିଁକି କହୁଛନ୍ତି? ଭାରତରେ ତ ଗୋଟିଏ ଧର୍ମ ହେବ ନା । ମୃତ୍ୟୁ ତ ଅନ୍ୟମାନଙ୍କର ହେବ । ଏଠାରେ ଲଢେଇର ତ କୌଣସି କଥା ନାହିଁ । ବାବା ବୁଝାଉଛନ୍ତି - ତୁମ ପାଇଁ ନୂଆ ଦୁନିଆ ଦରକାର ତେବେ ନିଶ୍ଚିତ ପୁରୁଣା ଦୁନିଆର ବିନାଶ ହେବ ।

ତୁମ ସନ୍ତାନମାନଙ୍କ ବୁଦ୍ଧିରେ ବିରାଟ ରୂପର ମଧ୍ୟ ସମସ୍ତ ଜ୍ଞାନ ରହିଛି । ଏକଥା ମଧ୍ୟ ବୁଝୁଛ ଯେ ଯେଉଁମାନେ କଳ୍ପ ପୂର୍ବରୁ ଦେବତା ହେବା ପାଇଁ ଆସିଥିଲେ ବର୍ତ୍ତମାନ ସେହିମାନେ ହିଁ ଆସିବେ । ଏହା ବୁଦ୍ଧିର କାମ ଅଟେ । ଆମେ ଯେତେ ଜଣ ବ୍ରାହ୍ମଣ ହୋଇଛୁ, ଏବେ ପୁଣି ଦେବତା ହେବୁ । ପ୍ରଜାପିତା ବ୍ରହ୍ମାଙ୍କର ମଧ୍ୟ ଗାୟନ ରହିଛି । ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ମନୁଷ୍ୟ ସୃଷ୍ଟି ରଚନା କରୁଛନ୍ତି, ସେଥିପାଇଁ ବ୍ରହ୍ମାଙ୍କୁ ପ୍ରଜାପିତା କୁହାଯାଉଛି । କିନ୍ତୁ କିପରି, କେବେ ରଚନା କରୁଛନ୍ତି? ଏ କଥା କେହି ଜାଣିନାହାଁନ୍ତି । କ’ଣ ଆରମ୍ଭରୁ ମନୁଷ୍ୟ ନ ଥିଲେ ଯାହାଙ୍କୁ ରଚନା କରୁଛନ୍ତି? ଡାକୁଛନ୍ତି ମଧ୍ୟ ପତିତ-ପାବନ ଆସ । ତେବେ ଯେତେବେଳେ ମନୁଷ୍ୟମାନେ ପତିତ ହୋଇଥା’ନ୍ତି ତେବେ ଯାଇ ବାବା ଆସିଥା’ନ୍ତି । ଏହି ଦୁନିଆର ତ ନିଶ୍ଚିତ ପରିବର୍ତ୍ତନ ହେବ । ତୁମକୁ ବାବା ନୂଆ ଦୁନିଆ ପାଇଁ ଯୋଗ୍ୟ କରାଉଛନ୍ତି । ଏବେ ତୁମେ ସମସ୍ତେ ତମୋପ୍ରଧାନ ପୁରୁଣା ଦୁନିଆରେ ଅଛ, ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବାବା ବୁଝାଇଛନ୍ତି - ପ୍ରତ୍ୟେକ ମନୁଷ୍ୟଙ୍କୁ, ପ୍ରତ୍ୟେକ ବସ୍ତୁକୁ ସତ୍ତ୍ୱ-ରଜୋ-ତମୋ ଅବସ୍ଥାରେ ଆସିବାକୁ ପଡିଥାଏ । ଦୁନିଆ ନୂଆରୁ ପୁରୁଣା ନିଶ୍ଚିତ ହୋଇଥାଏ । ବସ୍ତ୍ର ମଧ୍ୟ ନୂଆ ପିନ୍ଧିଥା’ନ୍ତି ତାହା ପୁଣି ପୁରୁଣା ହୋଇଥାଏ । ତୁମକୁ ଜ୍ଞାନ ମିଳୁଛି, ସତ୍ୟ ନାରାୟଣଙ୍କ କଥା ତୁମେ ଏବେ ଶୁଣୁଛ । ଗୀତା ହେଲା ସର୍ବଶାସ୍ତ୍ରମୟୀ ଶିରୋମଣୀ । ବାକି ସବୁ ହେଲେ ତା’ର ସନ୍ତାନ-ସନ୍ତତି । ଯେପରି ବ୍ରହ୍ମାଙ୍କ ବଂଶାବଳୀ ରହିଛି, ସେହିପରି ଗୀତା ହେଲା ମୁଖ୍ୟ । ସର୍ବୋଚ୍ଚ ହେଲେ ମାତା-ପିତା, ବାକି ସବୁ ସନ୍ତାନ ଅଟନ୍ତି । ଏବେ ମାତା-ପିତାଙ୍କଠାରୁ ସମ୍ପତ୍ତି ମିଳିପାରିବ । ବାକି ଯେତେ ବି ଶାସ୍ତ୍ର ପଢ, କିଛି ବି କର, ସମ୍ପତ୍ତି ମିଳିପାରିବ ନାହିଁ । ଯେଉଁମାନେ ଶାସ୍ତ୍ର ପଢୁଛନ୍ତି, ତାଙ୍କର ବହୁତ ରୋଜଗାର ହେଉଛି । ତାହା ତ ହେଲା ଅଳ୍ପକାଳ ପାଇଁ । ଏଠାରେ ତୁମେ ସନ୍ତାନମାନେ ଶୁଣୁଛ ତେଣୁ କେତେ ରୋଜଗାର କରୁଛ - ୨୧ ଜନ୍ମ ପାଇଁ କରୁଛ ନା, ଏକଥା ବିଚାର କର । ସେମାନେ ଗୋଟିଏ କଥା ଶୁଣାଇ ଦେଲେ, ସମସ୍ତେ ତାଙ୍କୁ ପଇସା ଦେବେ । ଏଠାରେ ବାବା ତୁମ ସନ୍ତାନମାନଙ୍କୁ ଜ୍ଞାନ ଶୁଣାଉଛନ୍ତି - ତୁମେମାନେ ୨୧ ଜନ୍ମ ପାଇଁ କେତେ ସାହୁକାର ହୋଇଯାଉଛ । ଦୁନିଆରେ ବକ୍ତାମାନଙ୍କର ପକେଟ ଭର୍ତ୍ତି ହୋଇଥାଏ । ଭକ୍ତି ଆଦି କରିବା ପ୍ରବୃତ୍ତି ମାର୍ଗବାଲାଙ୍କର କାମ ଅଟେ । ତୁମେ ହେଲ ପ୍ରବୃତ୍ତିମାର୍ଗର, ତୁମେ ଜାଣିଛ ଯେ - ସ୍ୱର୍ଗଲୋକରେ ଆମେ ପୂଜ୍ୟ ଥିଲୁ । ନଚେତ୍ ୮୪ ଜନ୍ମର ହିସାବ କେଉଁଠାରୁ ମିଳିବ? ଏହା ହେଲା ରୁହାନୀ ଜ୍ଞାନ ଯାହାକି ପରମଆତ୍ମା ଜ୍ଞାନର ସାଗରଙ୍କଠାରୁ ମିଳୁଛି । ପତିତ-ପାବନ ବାବା ହିଁ ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ସେ ଆମ ସନ୍ତାନମାନଙ୍କୁ ଅମରକଥା ଶୁଣାଉଛନ୍ତି । ତୁମେମାନେ ଜନ୍ମ-ଜନ୍ମାନ୍ତର ମିଛ କଥା ଶୁଣି ଶୁଣି ଆସିଛ । ଏବେ ସତ୍ୟକଥା ଶୁଣି ତୁମେ ୧୬ କଳା ସମ୍ପୂର୍ଣ୍ଣ ହେଉଛ । ଚନ୍ଦ୍ରମାକୁ ୧୬ କଳା ସମ୍ପୂର୍ଣ୍ଣ କୁହାଯାଏ । ସୂର୍ଯ୍ୟଙ୍କ ପାଇଁ ଏପରି କୁହାଯାଏ ନାହିଁ ।

ତୁମେ ଜାଣିଛ ଆମେ ଆତ୍ମାମାନେ ଭବିଷ୍ୟତରେ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ ହେବୁ । ପୁଣି ଅଧାକଳ୍ପ ପରେ ଏଥିରେ ଖାଦ ପଡିଯାଇଥାଏ । ଏବେ ତୁମେ ଜାଣୁଛ ଯେ ଆମେ ପୁନର୍ବାର ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ.... ଦେବତା ହେଉଛୁ । ଆମେ ଆତ୍ମାମାନେ ପ୍ରଥମେ ନିଜର ଘରକୁ ଯିବୁ ପୁଣି ଶରୀର ଧାରଣ କରି ଦେବତା ହେବୁ ପୁଣି ଚନ୍ଦ୍ରବଂଶୀ କୂଳରେ ଆସିବୁ । ୮୪ ଜନ୍ମର ହିସାବ-କିତାବ ଦରକାର । କେଉଁ ଯୁଗରେ, କେଉଁ ବର୍ଷରେ କେତେ ଜନ୍ମ ହେଲା, ବାବା ୮୪ ଜନ୍ମର ସତ୍ୟ କଥା ଏବେ ଶୁଣାଉଛନ୍ତି । ତୁମମାନଙ୍କୁ କହୁଛନ୍ତି ତୁମେ ଭାରତବାସୀମାନେ ୮୪ ଜନ୍ମ ନେଉଛ । ତେଣୁ ପ୍ରଥମେ ନିଜକୁ ବ୍ରାହ୍ମଣ ବୋଲି ବୁଝିବାକୁ ହେବ । ତୁମେ ମମ୍ମା ବାବା ବୋଲି କହୁଛ ନା । ବ୍ରହ୍ମାବାବାଙ୍କ ଦ୍ୱାରା ଶିବବାବାଙ୍କଠାରୁ ସମ୍ପତ୍ତି ନେଉଛ । ବ୍ରହ୍ମା ମଧ୍ୟ ଶିବବାବାଙ୍କର ହୋଇଗଲେ । ବ୍ରହ୍ମାଙ୍କଠାରୁ ସମ୍ପତ୍ତି ମିଳିପାରିବ ନାହିଁ । ଇଏ ମଧ୍ୟ ତୁମର ଭାଇ ହୋଇଗଲେ । ଇଏ ବ୍ରହ୍ମା ଶରୀରଧାରୀ ଅଟନ୍ତି ନା । ତୁମେ ସମସ୍ତେ ଶିବବାବାଙ୍କଠାରୁ ସମ୍ପତ୍ତି ନେଉଛ । ବ୍ରହ୍ମାଙ୍କଠାରୁ ନୁହେଁ । ଯାହାଙ୍କଠାରୁ ସମ୍ପତ୍ତି ପାଇବାର ନାହିଁ, ତାଙ୍କୁ ମନେ ପକାଇବାର ଆବଶ୍ୟକତା ନାହିଁ । ଏକମାତ୍ର ଶିବବାବାଙ୍କୁ ହିଁ ମନେ ପକାଇବାକୁ ହେବ । ତାଙ୍କୁ ହିଁ କହୁଛନ୍ତି ତୁମେ ମାତା-ପିତା ଆମେ ତୁମର ସନ୍ତାନ । ତୁମେ ଏହାଙ୍କ ପାଖକୁ ଆସୁଛ ତେବେ ବୁଦ୍ଧିରେ ରହୁଛି ଯେ, ଆମେ ଶିବବାବାଙ୍କ ପାଖକୁ ଯାଉଛୁ । ଶିବବାବାଙ୍କୁ ହିଁ ମନେ ପକାଇବାକୁ ପଡିବ । ଆତ୍ମା ବିନ୍ଦୁ ଅଟେ, ଏଥିରେ ୮୪ ଜନ୍ମର ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି । ଆତ୍ମା ଭ୍ରୁକୁଟୀ ମଧ୍ୟରେ ରହିଥାଏ । ଗୋଟିଏ ସେକେଣ୍ଡରେ ମଧ୍ୟ ଉଡିଯାଇଥାଏ । ମୁଁ ଆତ୍ମା ଗୋଟିଏ ଶରୀର ଛାଡି ଆଉ ଏକ ଶରୀର ନେଉଛି । ଭ୍ରୃକୁଟୀ ମଧ୍ୟରେ ଯାଇ ବିରାଜମାନ କରୁଛି । ବୁଦ୍ଧିରେ ଏହି ଜ୍ଞାନ ରହିଛି ଯେ ଆମର ଆତ୍ମା ଏହିପରି ଅଟେ । ସତ୍ୟଯୁଗରେ ତ ଏଭଳି କୌଣସି ଜିନିଷ ଦେଖିବାର ଆଶା ରୁହେ ନାହିଁ । ଦିବ୍ୟଦୃଷ୍ଟି ଦ୍ୱାରା ଆତ୍ମାକୁ ଦେଖିପାରିବ । ଏହି ଆଖି ଦ୍ୱାରା ଦେଖିବାର କୌଣସି କଥା ନାହିଁ । ଭକ୍ତିମାର୍ଗରେ ହିଁ ସାକ୍ଷାତ୍‌କାର କରିଥା’ନ୍ତି । ଯେପରି ରାମକୃଷ୍ଣଙ୍କର ଶିଷ୍ୟ ବିବେକାନନ୍ଦ ଥିଲେ, ସେ କହିଲେ ଯେ, ମୁଁ ସମ୍ମୁଖରେ ବସିଥିବା ସମୟରେ ଅନୁଭବ କଲି ଯେ ତାଙ୍କଠାରୁ ଆତ୍ମା ବାହାରି ମୋ ଶରୀରରେ ପ୍ରବେଶ କରିଗଲା । କିନ୍ତୁ ଏହିପରି କିଛି ହୋଇ ନ ଥାଏ । ଆତ୍ମା କିପରି ଗୋଟିଏ ଶରୀର ଛାଡି ଅନ୍ୟ ଶରୀରରେ ପ୍ରବେଶ କରିଥାଏ, ଏସବୁ କଥା ତୁମମାନଙ୍କୁ ବୁଝାଯାଉଛି । ଏବେ ତୁମେ ବୁଝୁଛ ଆମେ ଅମରଲୋକକୁ ଯିବା ପାଇଁ ପୁରୁଷାର୍ଥ କରୁଛୁ, ଅମରଲୋକରେ ଆମେ ଜନ୍ମ ନେବୁ । ସେଠାରେ ଆମେ ଗର୍ଭମହଲରେ ରହିବୁ । ଏଠାରେ ତ ଗର୍ଭ ଜେଲରେ ରହି ବହୁତ ତ୍ରାହି-ତ୍ରାହି କରୁଛନ୍ତି । ବର୍ତ୍ତମାନ ଅଧାକଳ୍ପ ପାଇଁ ବାବା ତୁମକୁ ସବୁ ଦୁଃଖରୁ ମୁକ୍ତ କରୁଛନ୍ତି । ତେଣୁ କେତେ ସ୍ନେହର ସହିତ ଏପରି ବାବାଙ୍କୁ ମନେ ପକାଇବା ଉଚିତ୍ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜକୁ ଆତ୍ମା ମନେ କରି, ରୁହାନୀ ବାବାଙ୍କ ଠାରୁ ପାଠପଢି ପୂରା ସମ୍ପତ୍ତି ନେବାକୁ ହେବ । ସତ୍ୟରାଷ୍ଟ୍ରର ମାଲିକ ହେବା ପାଇଁ ସତ୍ୟ କଥା ଶୁଣିବାକୁ ହେବ ଏବଂ ଶୁଣାଇବାକୁ ହେବ ।

(୨) ଯେଉଁ ବାବାଙ୍କଠାରୁ ବେହଦର ସମ୍ପତ୍ତି ମିଳୁଛି, ତାଙ୍କୁ ହିଁ ମନେ ପକାଇବାକୁ ହେବ । କୌଣସି ଦେହଧାରୀଙ୍କୁ ନୁହେଁ । ଏହି ପୁରୁଣା ଦୁନିଆରେ ଏବେ ନିଆଁ ଲାଗିବାକୁ ଯାଉଛି, ତେଣୁ ଏହାକୁ ଦେଖୁଥିଲେ ମଧ୍ୟ ଦେଖିବାର ନାହିଁ ।

ବରଦାନ:-
ଶାନ୍ତିର ଶକ୍ତି ଦ୍ୱାରା ନିଜର ମନ-ବୁଦ୍ଧିର ରେଜିଷ୍ଟରକୁ ସଫା ରଖୁଥିବା ଲୋକପ୍ରିୟ, ପ୍ରଭୁପ୍ରିୟ ଭବ ।

ଯେପରି ବୈଜ୍ଞାନିକମାନେ ଏଭଳି ଉଦ୍ଭାବନ କରିଛନ୍ତି ଯାହାକି ଲେଖାଯାଇଥିବା କଥା ସବୁ ଲିଭିଯାଇ ପାରିବ, କିଛି ବି ଜଣା ପଡିବ ନାହିଁ । ସେହିପରି ତୁମେମାନେ ମଧ୍ୟ ଶାନ୍ତିର ଶକ୍ତି ଦ୍ୱାରା ନିଜର ରେଜିଷ୍ଟରକୁ ପ୍ରତିଦିନ ସଫା କର ଯାହାଦ୍ୱାରା ପ୍ରଭୁପ୍ରିୟ ବା ଦୈବୀଲୋକ ପ୍ରିୟ ହୋଇଯିବ । ଦୁନିଆର ସମସ୍ତେ ସ୍ୱଚ୍ଛତା ଏବଂ ସତ୍ୟତାକୁ ପସନ୍ଦ କରିଥାଆନ୍ତି ସେଥିପାଇଁ ଗୋଟିଏ ଦିନରେ କରିଥିବା ବ୍ୟର୍ଥ ସଂକଳ୍ପ ବା ବ୍ୟର୍ଥ କର୍ମର ଟିକିଏ ବି ଚିହ୍ନ ଆର ଦିନକୁ ନ ରହୁ, ବିତିଯାଇଥିବା କଥାକୁ ଭୁଲିଯାଇ ବିନ୍ଦୁ ଲଗାଇ ଦିଅ, ତାହା ହେଲେ ରେଜିଷ୍ଟର ସଫା ରହିବ ଏବଂ ସାହେବ ବାବା ସନ୍ତୁଷ୍ଟ ହୋଇଯିବେ ।

ସ୍ଲୋଗାନ:-
ନିଜେ ବ୍ୟର୍ଥ ସଂକଳ୍ପ କରିବା ବା ଅନ୍ୟର ବ୍ୟର୍ଥ ସଂକଳ୍ପ ଚାଲିବାରେ ନିମିତ୍ତ ହେବା - ଏହା ମଧ୍ୟ ଅପବିତ୍ରତା ଅଟେ ।

ଅବ୍ୟକ୍ତ ଈଶାରା - ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।

ମନ-ବାଣୀ-କର୍ମରେ ସରଳତା ଏବଂ ସହନଶୀଳତା ଦୁଇଟିଯାକ ଆବଶ୍ୟକ ଅଟେ । ଯଦି ସରଳତା ଥିବା କିନ୍ତୁ ସହନଶୀଳତା ନ ଥିବ ତେବେ ବି ଶ୍ରେଷ୍ଠ କୁହାଯିବ ନାହିଁ । ସରଳତା ସହିତ ଯଦି ସହନଶୀଳତା ରହିଥିବ ତେବେ ଶକ୍ତି ସ୍ୱରୂପ କୁହାଯିବ । ଶକ୍ତିମାନଙ୍କର ଚିତ୍ରରେ ସରଳତା ଏବଂ ସହନଶୀଳତା, ଦୁଇଟିଯାକ ଗୁଣକୁ ଦେଖାଇଥାଆନ୍ତି । ବର୍ତ୍ତମାନର ଫଳାଫଳ ଅନୁସାରେ କେଉଁଠି ସହନଶକ୍ତି ଅଧିକ ଅଛି ତ କେଉଁଠି ସରଳତା ଅଧିକ ରହିଛି । ଏବେ ଏହି ଦୁଇଟିଯାକକୁ ସମାନ କର ।