15.09.24    Avyakt Bapdada     Odia Murli    31.12.2001     Om Shanti     Madhuban


“ଏହି ନୂତନ ବର୍ଷରେ ସଫଳତା ଭବର ବରଦାନ ଦ୍ୱାରା ବାବାଙ୍କର ଏବଂ ନିଜର ପ୍ରତ୍ୟକ୍ଷତାକୁ ନିକଟକୁ ଆଣ”


ଆଜି ନବଯୁଗର ରଚୟିତା ନିଜର ମାଷ୍ଟର ନବଯୁଗ ରଚୟିତା ପିଲାମାନଙ୍କ ସହିତ ମିଶି ନବବର୍ଷ ପାଳନ କରିବା ପାଇଁ ଆସିଛନ୍ତି । ତେବେ ନୂତନ ବର୍ଷର ଉତ୍ସବ ପାଳନ କରିବା - ଏହା ତ ସାରା ବିଶ୍ୱରେ ସମସ୍ତେ କରିଛନ୍ତି, କିନ୍ତୁ ତୁମେମାନେ ତ ନୂଆ ଯୁଗର ନିର୍ମାଣ କରୁଛ । ତେଣୁ ନବଯୁଗର ଖୁସି ପ୍ରତ୍ୟେକ ସନ୍ତାନ ଭିତରେ ଭରି ରହିଛି । ତୁମେ ଜାଣିଛ ଯେ ନୂତନ ଯୁଗ ଏବେ ଆସିଲା କି ଆସିଲା । ଦୁନିଆବାଲାଙ୍କର ଏହି ନବ ବର୍ଷ କେବଳ ଗୋଟିଏ ଦିନ ପାଳନ ହୋଇଥାଏ । କିନ୍ତୁ ତୁମମାନେ ଏହି ନବଯୁଗର ଉତ୍ସବ ସାରା ସଂଗମଯୁଗ ହିଁ ପାଳନ କରୁଛ । ସେମାନେ ନବ ବର୍ଷର ଖୁସି ମଉଜ କରିବା ସହିତ ପରସ୍ପରକୁ ଉପହାର ମଧ୍ୟ ଦେଇଥାଆନ୍ତି । ତେବେ ସେହି ଉପହାର ଗୁଡିକ ମଧ୍ୟ କ’ଣ! ସେଗୁଡିକ ତ ମାତ୍ର ଅଳ୍ପ ସମୟ ପାଇଁ ହିଁ ହୋଇଥାଏ । କିନ୍ତୁ ନବଯୁଗର ରଚୟିତା ବାବା ତୁମ ପିଲାମାନଙ୍କ ପାଇଁ କେଉଁ ଉପହାର ଆଣିଛନ୍ତି? ସୁନାର ଉପହାର, ଯେଉଁ ସୁନାର ଉପହାରର ଅର୍ଥ ହେଲା ଆଗାମୀ ସୁବର୍ଣ୍ଣ ଯୁଗରେ ସବୁ କିଛି ସ୍ୱତଃ ହିଁ ସୁନା ପାଲଟି ଯାଉଛି ଅଥାତ୍ ନୂଆ ହୋଇଯାଉଛି । ଏବେ ତ ଆଉ ଅଳ୍ପ ସମୟ ପରେ ନୂତନ ବର୍ଷ ଆରମ୍ଭ ହୋଇଯିବ କିନ୍ତୁ ସବୁ କିଛି ନୂଆ ତ ହେବ ନାହିଁ । ତୁମର ନୂଆ ଯୁଗରେ ତ ପ୍ରକୃତି ମଧ୍ୟ ନୂଆ ହୋଇଯିବ, ଆତ୍ମା ମଧ୍ୟ ନୂତନ ବସ୍ତ୍ର ଅର୍ଥାତ୍ ନୂତନ ଶରୀର ଧାରଣ କରିବ । ସବୁ କିଛି ସତ୍ତ୍ୱପ୍ରଧାନ ଅର୍ଥାତ୍ ନୂତନ ସୁବର୍ଣ୍ଣ ଯୁଗୀ ହୋଇଯିବ । ତେଣୁ ନୂତନ ବର୍ଷକୁ ପାଳନ କରୁଥିଲେ ମଧ୍ୟ ତୁମମାନଙ୍କ ମନରେ, ବୁଦ୍ଧିରେ ନୂଆ ଯୁଗ ହିଁ ସ୍ମୃତିରେ ଆସିଯାଉଛି । ତେବେ ସମସ୍ତଙ୍କୁ ନୂଆ ଯୁଗ ମନେ ଅଛି ତ, ନା ଆଜି ଦିନରେ କେବଳ ନୂଆ ବର୍ଷ ହିଁ ସ୍ମୃତିରେ ରହିଛି?

ବାପଦାଦା ତ ପ୍ରଥମେ ନୂତନ ଯୁଗ ପାଇଁ ଅଭିନନ୍ଦନ ଦେଉଛନ୍ତି, ତା’ପରେ ନୂତନ ବର୍ଷ ପାଇଁ ମଧ୍ୟ ଅଭିନନ୍ଦନ ଦେଉଛନ୍ତି କାହିଁକି ନା ତୁମେ ସମସ୍ତେ ନୂତନ ବର୍ଷ ପାଳନ କରିବା ପାଇଁ ଆସିଛ ନା! ତେଣୁ ପାଳନ କର, ଖୁବ୍ ଧୂମ୍‌ଧାମରେ ପାଳନ କର । ବାପଦାଦାଙ୍କ ଦ୍ୱାରା ତୁମକୁ ଯେଉଁ ଅବିନାଶୀ ଉପହାର ଗୁଡିକ ମିଳିଛି ତା’ର ମଧ୍ୟ ଅବିନାଶୀ ଅଭିନନ୍ଦନର ଉତ୍ସବ ପାଳନ କର । ସଦାସର୍ବଦା ପରସ୍ପରକୁ ଶୁଭଭାବନାର ଅଭିନନ୍ଦନ ଦିଅ । ଏହା ହିଁ ହେଉଛି ସଚ୍ଚା ସଚ୍ଚା ଅଭିନନ୍ଦନ ଦେବା । ତେବେ ଯେତେବେଳେ ବି ତୁମେ କାହାକୁ ଅଭିନନ୍ଦନ ଦେଉଛ ସେତେବେଳେ ତୁମେ ନିଜେ ମଧ୍ୟ ଖୁସି ହେଉଛ ଏବଂ ଅନ୍ୟମାନେ ମଧ୍ୟ ଖୁସି ହେଉଛନ୍ତି । ତେଣୁ ସଚ୍ଚା ଦିଲ୍‌ର ଅଭିନନ୍ଦନ ହେଲା ପରସ୍ପର ପ୍ରତି ଆନ୍ତରିକ ଶୁଭଭାବନା ଏବଂ ଶୁଭକାମନାର ଅଭିନନ୍ଦନ ଦେବା, ତେବେ ଏହି ଶୁଭଭାବନା ମଧ୍ୟ ଏଭଳି ଶ୍ରେଷ୍ଠ ଅଭିନନ୍ଦନ ଅଟେ ଯାହାକି ଯେକୌଣସି ଆତ୍ମାର ଯେପରି ବି ଭାବନା ହୋଇଥାଉ ନା କାହିଁକି, ଭଲ ଭାବନା ବା ଭଲ ଉଦ୍ଦେଶ୍ୟ ନ ଥିଲେ ମଧ୍ୟ ତୁମର ଶୁଭଭାବନା ସେମାନଙ୍କର ଭାବନାକୁ ମଧ୍ୟ ପରିବର୍ତ୍ତନ କରି ଦେଇପାରିବ ଏବଂ ସ୍ୱଭାବକୁ ମଧ୍ୟ ପରିବର୍ତ୍ତନ କରିଦେଇପାରିବ । ଏମିତି ବି ସ୍ୱଭାବ ଶବ୍ଦର ଅର୍ଥ ହିଁ ହେଉଛି - ସ୍ୱ ଅର୍ଥାତ୍ ଆତ୍ମାର ଭାବ ଅର୍ଥାତ୍ ଶୁଭଭାବ । ତେଣୁ ସବୁ ସମୟରେ, ସବୁ ଆତ୍ମାଙ୍କୁ ଏହି ଅବିନାଶୀ ଅଭିନନ୍ଦନ ଦେଇଚାଲ । ତୁମକୁ କେହି କିଛି ବି ଦେଉ ନା କାହିଁକି ତୁମେ କିନ୍ତୁ ସମସ୍ତଙ୍କୁ ଶୁଭଭାବନା ଦିଅ । ଅବିନାଶୀ ଆତ୍ମାର ଅବିନାଶୀ ଆତ୍ମିକ ସ୍ଥିତିରେ ସ୍ଥିତ ହେବା ଦ୍ୱାରା ସେହି ଆତ୍ମା ମଧ୍ୟ ପରିବର୍ତ୍ତିତ ହୋଇଯିବ । ତେବେ ଏହି ନୂତନ ବର୍ଷରେ କେଉଁ ବିଶେଷତା କରିବ? ନିଜ ପ୍ରତି, ସମସ୍ତଙ୍କ ପ୍ରତି ଏବଂ ସେବା ପ୍ରତି ଶୁଭଭାବନା । ଯେହେତୁ ନୂତନ ବର୍ଷ ବୋଲି କହୁଛ ତେଣୁ କୌଣସି ନା କୌଣସି ନବୀନତା ତ କରିବ ନା! ତା’ହେଲେ କେଉଁ ନବୀନତା କରିବ? ସମସ୍ତେ ନିଜ ନିଜର ନବୀନତାର ଯୋଜନାଗୁଡିକ ପ୍ରସ୍ତୁତ କରିସାରିଛ, ନା ଏବେ କେବଳ ନୂଆ ବର୍ଷ ପାଳନ କରିଦେବ? ମିଳନ ତ କରିଲ, ନୂଆ ବର୍ଷ ତ ପାଳନ କରିଲ କିନ୍ତୁ ନବୀନତାର ଯୋଜନା କ’ଣ କରିଛ?

ବାପଦାଦା ସବୁ ପିଲାଙ୍କୁ ଏହି ବର୍ଷ ପାଇଁ ବିଶେଷ କରି ଏହି ସଂକେତ ତ ଦେଉଛନ୍ତି ଯେ ସମୟ ଅନୁସାରେ ଏବେ ସବୁ ପିଲାଙ୍କୁ ଚାହେଁ ଏଠାରେ ସାକାର ରୂପରେ ଯେଉଁମାନେ ସମ୍ମୁଖରେ ବସିଛନ୍ତି ବା ଦେଶ-ବିଦେଶରେ ଯେଉଁଠାରେ ବି ବିଜ୍ଞାନର ସାଧନ ଗୁଡିକ ଦ୍ୱାରା ଶୁଣୁଛନ୍ତି ବା ଦେଖୁଛନ୍ତି, ବାପଦାଦା ସମସ୍ତଙ୍କୁ ଦେଖି ପାରୁଛନ୍ତି, ସମସ୍ତେ ବଡ ଆରାମରେ ଏବଂ ମଜାରେ ବସି ଦେଖୁଛନ୍ତି, ତେଣୁ ସାରା ବିଶ୍ୱର, ବାପଦାଦାଙ୍କର ଅତିପ୍ରିୟ ଏବଂ ଅତି ମିଠା ସନ୍ତାନମାନଙ୍କୁ ବାପଦାଦା ଏହି ସଂକେତ ଦେଉଛନ୍ତି ଯେ “ଏବେ ନିଜର ଏହି ବ୍ରାହ୍ମଣ ଜୀବନରେ ଅମୃତବେଳା ଠାରୁ ଆରମ୍ଭ କରି ରାତ୍ରି ପର୍ଯ୍ୟନ୍ତ ସଞ୍ଚୟର ଖାତାକୁ ବଢାଅ ଅର୍ଥାତ୍ ଜମାର ଖାତାକୁ ବଢାଅ” । ସମସ୍ତେ ନିଜ ନିଜର କର୍ମ ଅନୁସାରେ ନିଜ ପାଇଁ ଯୋଜନା ପ୍ରସ୍ତୁତ କରିବେ, ବ୍ରାହ୍ମଣ ଜୀବନରେ ତୁମକୁ ଯେଉଁ ସବୁ ସମ୍ପତ୍ତି ଗୁଡିକ ମିଳିଛି ସେଗୁଡିକୁ ସଞ୍ଚୟ କରିବାର ବା ଜମା କରିବାର ଖାତାକୁ ବଢାଅ, କାହିଁକି ନା ବାପଦାଦା ଆଜି ଏହି ବର୍ଷର ଅନ୍ତିମ ଦିନ ପର୍ଯ୍ୟନ୍ତ ଚାରିଆଡର ପିଲାମାନଙ୍କର ଫଳାଫଳକୁ ଦେଖୁଥିଲେ ଏବଂ ସେଥିରେ କ’ଣ ଦେଖିଲେ ଜାଣିଛ? ଜାଣି ତ ଗଲଣି ନା । ଟୀଚରମାନେ ମଧ୍ୟ ଜାଣିସାରିଲେଣି । ଡବଲ ବିଦେଶୀମାନେ ମଧ୍ୟ ଜାଣିଗଲେଣି, ମହାରଥୀମାନେ ମଧ୍ୟ ଜାଣିଗଲେଣି । ଜମାର ଖାତା ଯେତିକି ହେବା ଉଚିତ୍ ସେତିକି..... କ’ଣ କହିବା? ତୁମେମାନେ ନିଜେ କୁହ, କାହିଁକି ନା ବାପଦାଦା ଜାଣିଛନ୍ତି ଯେ ସର୍ବ ସମ୍ପତ୍ତି ଜମା କରିବାର ସମୟ କେବଳ ଏହି ସଂଗମଯୁଗ ହିଁ ଅଟେ । ଏହି ଛୋଟିଆ ଯୁଗଟିରେ ଯେତିକି ଜମା କରିବ ସେହି ଅନୁସାରେ ସାରା କଳ୍ପ ପ୍ରାରବ୍ଧ ପ୍ରାପ୍ତ କରିଚାଲିବ । ତୁମମାନଙ୍କର ଯେଉଁ ସ୍ଳୋଗାନ ଅଛି ତାହା କ’ଣ? ଏବେ ନୁହେଁ ତ ..... ତା’ପରେ କ’ଣ? “ଏବେ ନୁହେଁ ତ କେବେ ନୁହେଁ” । ଏହି ସ୍ଳୋଗାନ ବୁଦ୍ଧିରେ ତ ଭଲ ଭାବରେ ମନେ ରହିଛି । କିନ୍ତୁ ଦିଲ୍‌ରେ, ସ୍ମୃତିରେ ତ କେବେ ରହୁଛି କେବେ ଭୁଲି ହୋଇଯାଉଛି । ସବୁଠାରୁ ବଡରୁ ବଡ ସମ୍ପତ୍ତି ଯାହାକି ଏହି ବ୍ରାହ୍ମଣ ଜୀବନର ଶ୍ରେଷ୍ଠତାର ଆଧାର ଅଟେ, ତାହା ହେଲା - ସଂକଳ୍ପ ରୂପୀ ସମ୍ପତ୍ତି, ସମୟ ରୂପୀ ସମ୍ପତ୍ତି, ଶକ୍ତି ଏବଂ ଜ୍ଞାନ ରୂପୀ ସମ୍ପତ୍ତି, ବାକି ସ୍ଥୂଳ ଧନ ରୂପୀ ସମ୍ପତ୍ତି ତ ସାଧାରଣ କଥା । ତେଣୁ ବାପଦାଦା ଦେଖିଲେ ଯେ ତୁମେ ସବୁ ବ୍ରାହ୍ମଣ ମାନେ ନିଜର ଶ୍ରେଷ୍ଠ ସଂକଳ୍ପ ରୂପୀ ସମ୍ପତ୍ତି ଦ୍ୱାରା ନିଜକୁ ବା ସେବାକୁ ଯେତିକି ଶ୍ରେଷ୍ଠ କରିପାରିବ, ସେଥିରେ ଏବେ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ପଡିବ । ତୁମ ବ୍ରାହ୍ମଣମାନଙ୍କର ମାତ୍ର ଗୋଟିଏ ଶ୍ରେଷ୍ଠ ସଂକଳ୍ପରେ ବା ଶୁଭ ସଂକଳ୍ପରେ ଏତେ ଶକ୍ତି ରହିଛି ଯାହାକି ଆତ୍ମାମାନଙ୍କୁ ବହୁତ ସହଯୋଗ ଦେଇପାରିବ । ତେଣୁ ନିଜର ସଂକଳ୍ପ ଶକ୍ତିର ମହତ୍ୱକୁ ଏବେ ଯେତେ ଚାହିଁବ ସେତେ ଅଧିକ ବୃଦ୍ଧି କରିପାରିବ । ଯେବେକି ବିଜ୍ଞାନର ସାଧନ ରକେଟ୍‌କୁ ଦୂରରେ ବସି ମଧ୍ୟ ଯେଉଁଠି ଚାହିଁବ ଯେତେବେଳେ ଚାହିଁବ, ଯେଉଁ ସ୍ଥାନରେ ପହଞ୍ଚାଇବାକୁ ଚାହିଁବ ଗୋଟିଏ ସେକେଣ୍ଡରେ ପହଞ୍ଚାଇ ଦେଇ ପାରିବ । ତେବେ ତୁମମାନଙ୍କର ଶୁଭ ଏବଂ ଶ୍ରେଷ୍ଠ ସଂକଳ୍ପ ତୁଳନାରେ ସେହି ରକେଟ୍ ମଧ୍ୟ କିଛି ନୁହେଁ? କେବଳ ଏହାକୁ ରିଫାଇନ୍ ବିଧିରେ କାର୍ଯ୍ୟରେ ଲଗାଇ ଦେଖ, ତୁମମାନଙ୍କର ବିଧିର ସିଦ୍ଧି ବହୁତ ଶ୍ରେଷ୍ଠ ଅଟେ । କିନ୍ତୁ ତୁମମାନଙ୍କୁ ଏବେ ଅନ୍ତର୍ମୁଖତାର ଭଟ୍ଟୀରେ ରହିବାକୁ ହେବ । ତେଣୁ ଏହି ନୂତନ ବର୍ଷରେ ନିଜେ ନିଜେ ସର୍ବ ସମ୍ପତ୍ତିକୁ ସଞ୍ଚୟ କରିବାର ଯୋଜନା ତିଆରି କର । ଜମାର ଖାତାକୁ ବଢାଅ । ସାରା ଦିନ ଭିତରେ ନିଜେ ନିଜ ପାଇଁ ଅନ୍ତର୍ମୁଖତାର ଭଟ୍ଟୀରେ ରହିବା ପାଇଁ ସମୟ ନିଧାର୍ଯ୍ୟ କର । କେବଳ ନିଜେ ହିଁ ନିଜ ପାଇଁ କରିପାରିବ, ଅନ୍ୟ କେହି ବି ତୁମ ପାଇଁ କରିପାରିବେ ନାହିଁ । ବାପଦାଦା ତ ପ୍ରତ୍ୟକ୍ଷତା ବର୍ଷ ପୂର୍ବରୁ ଏହି ବର୍ଷକୁ “ସଫଳତା ଭବର ବର୍ଷ” ବୋଲି କହୁଛନ୍ତି । ତେବେ ସଫଳତାର ଆଧାର ହେଲା ନିଜର ପ୍ରତ୍ୟେକ ସମ୍ପତ୍ତିକୁ ସଫଳ କରିବା । ତେଣୁ ସଫଳ କର ଏବଂ ସଫଳତା ପ୍ରାପ୍ତ କର ଏବଂ ସଫଳତା ପ୍ରତ୍ୟକ୍ଷତାକୁ ଆପେ ଆପେ ପ୍ରତ୍ୟକ୍ଷ କରିଦେବ । ବାଣୀର ସେବା ତ ବହୁତ ଭଲ କରିଛ କିନ୍ତୁ ଏବେ ସଫଳତାର ବରଦାନ ଦ୍ୱାରା ବାବାଙ୍କର ଏବଂ ନିଜର ପ୍ରତ୍ୟକ୍ଷତାର ସମୟକୁ ନିକଟକୁ ଆଣ । ତେବେ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ଜୀବନରେ ସର୍ବ ସମ୍ପତ୍ତିରେ ସମ୍ପନ୍ନ ହେବାର ସ୍ଥିତି ଅନ୍ୟ ଆତ୍ମାମାନଙ୍କୁ ଅନୁଭବ ହେଉ । ଆଜିକାଲିର ଆତ୍ମାମାନେ ତୁମମାନଙ୍କର ଅନୁଭବୀ ମୂରତ ସ୍ଥିତି ଦ୍ୱାରା ହିଁ ଅନୁଭୂତି କରିବାକୁ ପାଇଁ ଚାହୁଁଛନ୍ତି । ଶୁଣିବାକୁ କମ୍ ଚାହୁଁଛନ୍ତି କିନ୍ତୁ ଅନୁଭୂତି କରିବା ପାଇଁ ଅଧିକ ଚାହୁଁଛନ୍ତି । ତେବେ ଅନୁଭୂତିର ଆଧାର ହେଲା “ସର୍ବ ସମ୍ପତ୍ତିର ଜମା ଖାତା” । ତେଣୁ ଏବେ ସାରା ଦିନ ଭିତରେ ମଝିରେ ମଝିରେ ନିଜର ଏହି ଚାର୍ଟକୁ ଚେକ୍ କର ଯେ ସର୍ବ ସମ୍ପତ୍ତିର ଖାତା କେତେ ଜମା କରିଛି? ଏହିଭଳି ଜମାର ଖାତାକୁ ଯାଞ୍ଚ କର, ହିସାବ ବାହାର କର । ଗୋଟିଏ ମିନିଟ୍ ଭିତରେ କେତେ ସଂକଳ୍ପ ଚାଲୁଛି? କାରଣ ସଂକଳ୍ପର ଗତି ବହୁତ ତୀବ୍ର ଅଟେ ନା । ତେଣୁ କେତେ ସଫଳ ହେଲା ଏବଂ କେତେ ବ୍ୟର୍ଥରେ ଗଲା? କେତେ ସମର୍ଥ ହେଲା ଓ କେତେ ସାଧାରଣ ହେଲା? ତେବେ ଚେକ୍ କରିବାର ମେସିନ୍ ତ ତୁମ ପାଖରେ ଅଛି ନା, ନା ନାହିଁ? ସମସ୍ତଙ୍କ ପାଖରେ ଚେକିଙ୍ଗ୍ କରିବାର ମେସିନ ଅଛି ତ? ଟୀଚରମାନଙ୍କ ପାଖରେ ଅଛି ତ? ସେମାନଙ୍କ ସେଣ୍ଟରରେ ଯେପରି କମ୍ପ୍ୟୂଟର ଅଛି, ଇ-ମେଲ୍ ଅଛି, ସେହିପରି ଏହି ଚେକିଙ୍ଗ୍ ମେସିନ୍ ମଧ୍ୟ ଅଛି ତ? ଡବଲ ବିଦେଶୀଙ୍କ ପାଖରେ ଅଛି ତ? ଚାଲୁ ଅବସ୍ଥାରେ ଅଛି, ନା ବନ୍ଦ ହୋଇ ପଡି ରହିଛି? ପାଣ୍ଡବମାନଙ୍କ ପାଖରେ ଚେକିଙ୍ଗ୍ ମେସିନ୍ ଅଛି ତ? ଯଦି କାହା ପାଖରେ ନାହିଁ ତେବେ ଦରଖାସ୍ତ ଦିଅ । ଯେପରି କେଉଁଠି ଯଦି ନୂଆ କରି ଅଫିସ୍ ଖୋଲୁଛ ତେବେ ପ୍ରଥମରୁ ହିଁ ଚିନ୍ତା କରୁଛ ଯେ ଅଫିସ୍ ଖୋଲିବା ପୂବରୁ, ଆଜିକାଲିର ସମୟ ଅନୁସାରେ କମ୍ପ୍ୟୁଟର ଦରକାର, ଇମେଲ୍ ଦରକାର, ଟାଇପ୍ ମେସିନ୍ ଦରକାର । କପି କରିବାର ମେସିନ୍ ଅର୍ଥାତ୍ ଜେରକ୍ସ ମେସିନ ମଧ୍ୟ ଦରକାର, ଏସବୁ ଦରକାର ନା! ତେଣୁ ବ୍ରାହ୍ମଣ ଜୀବନରେ ତୁମମାନଙ୍କର ଦିଲ୍ ରୂପୀ ଅଫିସରେ ଏହି ସବୁ ମେସିନ୍‌ଗୁଡିକ ଅଛି ନା ନାହିଁ?

ବାପଦାଦା ତ ପୂର୍ବରୁ ମଧ୍ୟ ଶୁଣାଇଛନ୍ତି ଯେ ବାପଦାଦାଙ୍କ ପାଖକୁ ପ୍ରକୃତି ମଧ୍ୟ ଆସୁଛି । ଏହି କଥା କହୁଛି ଯେ ମୁଁ ସଦା ପ୍ରସ୍ତୁତ ଅଟେ, ସମୟ ମଧ୍ୟ ବ୍ରାହ୍ମଣମାନଙ୍କୁ ବାରମ୍ବାର ଦେଖିବାରେ ଲାଗିଛି ଯେ ବ୍ରାହ୍ମଣମାନେ ପ୍ରସ୍ତୁତ ହେଲେଣି କି ନାହିଁ? ତେଣୁ ସେ ବାରମ୍ବାର ବ୍ରାହ୍ମଣମାନଙ୍କ ଚାରିପାଖରେ ଚକ୍ର ଲଗାଉଛି । ସେଥିପାଇଁ ବାପଦାଦା ପଚାରୁଛନ୍ତି ହାତ ତ ବହୁତ ଭଲ ଉଠାଉଛ, ବାପଦାଦା ମଧ୍ୟ ଖୁସି ହୋଇଯାଉଛନ୍ତି, କିନ୍ତୁ ଏବେ ଏଭଳି ପ୍ରସ୍ତୁତ ହୋଇ ରୁହ ଯାହାକି ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ମୂହୁର୍ତ୍ତ, ପ୍ରତ୍ୟେକ ଶ୍ୱାସ-ପ୍ରଶ୍ୱାସ ଯାହା ବିତିଯାଉଛି ତାହା ବାଃ ବାଃ ହେଉ । ହ୍ୱାଇ ଅର୍ଥାତ୍ କାହିଁକି, କ’ଣର ପ୍ରଶ୍ନ ନ ରହୁ । ବାଃ ବାଃ ହେଉ । ଏବେ ତ କିଛି ସମୟ ବାଃ ବାଃ ହେଉଛି, ଆଉ କିଛି ସମୟ ହ୍ୱାଇ ହୋଇଯାଉଛି । କେତେବେଳେ ବିନ୍ଦୁ ଲଗାଉଛ, ଆଉ କେତେବେଳେ ପ୍ରଶ୍ନବାଚକ ଚିହ୍ନ ବା ବିସ୍ମୟର ଚିହ୍ନ ଲଗାଇ ଦେଉଛ । ତେଣୁ ତୁମମାନଙ୍କର ମନ ମଧ୍ୟ କହୁ ବାଃ ଏବଂ ଯେଉଁମାନଙ୍କର ସମ୍ବନ୍ଧ-ସମ୍ପର୍କରେ ଆସୁଛ, ଚାହେଁ ବ୍ରାହ୍ମଣ ହୁଅନ୍ତୁ ବା ଯେଉଁମାନଙ୍କର ସେବା କରୁଛ ସେମାମାନଙ୍କ ମନ ଭିତରୁ ବାଃ ବାଃ ଶବ୍ଦ ବାହାରୁ । ଆଚ୍ଛା!

ଆଜି ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦି ପିତା ବ୍ରହ୍ମାବାବାଙ୍କ ଭିତରେ ଗୋଟିଏ ଶୁଭ ଆଶା ଥିଲା ସେ କହିଲେ ଯେ ମୋ’ର ଆଦି ସନ୍ତାନମାନଙ୍କୁ ଗୋଟିଏ କଥା କହିବାର ଅଛି, ତାହା କ’ଣ ଜାଣିଛ? ମୋ’ର ପ୍ରତ୍ୟେକ ସନ୍ତାନର ଚେହେରାରେ ସର୍ବଦା ଆତ୍ମିକ ସ୍ଥିତିର ସ୍ମିତହାସ୍ୟ ରହିଥାଉ, ଶୁଣିଲ ତ! ଭଲ ଭାବରେ କାନ ଖୋଲି ଶୁଣି ନିଅ । ଦ୍ୱିତୀୟରେ - ମୁଖରେ ସର୍ବଦା ମଧୁରତା ରହିଥାଉ । ଗୋଟିଏ ଶବ୍ଦ ବି ମଧୁରତା ବିନା ନ ବାହାରୁ । ଚେହେରାରେ ସର୍ବଦା ସ୍ମିତହାସ୍ୟ ରହୁ ଏବଂ ମୁଖରେ ମଧୁରତା, ମନ-ବୁଦ୍ଧିରେ ସର୍ବଦା ଶୁଭଭାବନା, ଦୟାର ଭାବନା, ଦାତାପଣିଆର ଭାବନା ରହୁ । ପ୍ରତିପାଦରେ ଫଲୋ ଫାଦର କରୁଥାଅ । କ’ଣ ଏହା କରିପାରିବ? ଟୀଚରମାନେ କରିପାରିବ? ଯୁବା ବର୍ଗବାଲା କରିପାରିବ? (ଜ୍ଞାନ ସରୋବରରେ ଦେଶ ବିଦେଶର ଯୁବା ବର୍ଗବାଲାଙ୍କର କାର୍ଯ୍ୟକ୍ରମ ଚାଲିଛି) । ବାପଦାଦାଙ୍କ ନିକଟକୁ ଯୁବାବର୍ଗର ବହୁତ ଭଲ ସମାଚାର ଆସିଛି । ସେଥିପାଇଁ ପଦ୍ମଗୁଣା ଅଭିନନ୍ଦନ । ଫଳାଫଳର ସମାଚାର ବହୁତ ଭଲ ଆସିଛି । ତେଣୁ ପଦ୍ମଗୁଣା ଅଭିନନ୍ଦନ । ଫଳାଫଳ ମଧ୍ୟ ବହୁତ ଭଲ ଅଛି, ଅନୁଭବ ମଧ୍ୟ ଭଲ କରୁଛନ୍ତି, ତେଣୁ ବାପଦାଦା ମଧ୍ୟ ଖୁସି ହେଉଛନ୍ତି । ବାପଦାଦା ପିଲାମାନଙ୍କର ଅନୁଭବ ମଧ୍ୟ ଶୁଣିଛନ୍ତି । କାହା ମାଧ୍ୟମରେ ଶୁଣି ନାହାଁନ୍ତି, ସିଧାସଳଖ ତୁମମାନଙ୍କର ଅନୁଭବ ଶୁଣିଛନ୍ତି କିନ୍ତୁ ଏବେ ଏହି ଅନୁଭବକୁ ଅମର ଭବର ବରଦାନ ଦ୍ୱାରା ଅବିନାଶୀ ରଖିବାକୁ ହେବ । ଯାହା ବି ହୋଇଯାଉ ନା କାହିଁକି ନିଜର ଆଧ୍ୟାତ୍ମିକ ଅନୁଭବକୁ ସର୍ବଦା ଆଗକୁ ବଢାଇ ଚାଲିବ । କମ୍ କରିବ ନାହିଁ । ତିନି ମାସ ପରେ ମଧୁବନକୁ ଆସ, ନ ଆସ କାରଣ ତିନି ମାସ ପରେ ବିଦେଶରୁ ତ ଆସିବ ନାହିଁ, କିନ୍ତୁ ନିଜର ଚାର୍ଟ ରଖ ଏବଂ ବାପଦାଦାଙ୍କ ପାଖକୁ ପଠାଅ, ବାପଦାଦା ରାଇଟ୍ ଚିହ୍ନ ଲଗାଇବେ । ନଚେତ୍ ଯାହା ହୋଇଥିବ ସେହି ଅନୁସାରେ ନମ୍ବର ଦେବେ, ଠିକ୍ ଅଛି ନା? ତେଣୁ ଗୋଟିଏ ହାତର ତାଳି ବଜାଅ । ଆଚ୍ଛା! ଆଜି ଯେହେତୁ ଅଭିନନ୍ଦନ ଦେବାର ଦିନ ତେଣୁ ବାପଦାଦା ଆହୁରି ମଧ୍ୟ ଖୁସିର ଖବର ଶୁଣିଛନ୍ତି ଏବଂ ଦେଖିଛନ୍ତି ମଧ୍ୟ । ଛୋଟ ଛୋଟ ପିଲାମାନେ ମୁକୁଟଧାରୀ ହୋଇ ବସିଛନ୍ତି । ତୁମମାନଙ୍କୁ ତ ଭବିଷ୍ୟରେ ମୁକୁଟ ମିଳିବ କିନ୍ତୁ ଏମାନଙ୍କୁ ଏବେଠାରୁ ମୁକୁଟ ମିଳିଗଲାଣି । ସମସ୍ତେ ଛିଡା ହୋଇଯାଅ । ଦେଖ, ମୁକୁଟଧାରୀ ଗ୍ରୃପକୁ ଦେଖ । ବଚ୍ଚେ ସଦା ଦିଲ୍‌ର ସଚ୍ଚେ ଅଟନ୍ତି । ସଚ୍ଚା ଦିଲ୍‌ବାଲା ଅଟ ନା । ପିଲାମାନଙ୍କର ଫଳାଫଳ ମଧ୍ୟ ବାପଦାଦା ଦେଖୁଛନ୍ତି । ବହୁତ ଭଲ ଅଛି । ତେଣୁ ଅଭିନନ୍ଦନ । ଆଚ୍ଛା ।

ଡବଲ ବିଦେଶୀ ଗ୍ରୃପ:- ଏମାନଙ୍କର ପତ୍ର ଏବଂ ଚିଟକିଗୁଡିକୁ ମଧ୍ୟ ଦେଖିଲୁ । ବହୁତ ଉମଙ୍ଗ-ଉତ୍ସାହବାଲା ଚିଟକି ଅର୍ଥାତ୍ ଛୋଟ ଛୋଟ ପତ୍ର ସବୁ ଲେଖିଛନ୍ତି, କିନ୍ତୁ ଗୋଟିଏ କଥା ବାପଦାଦା ଦେଖିଲେ ଯାହାକି କାହାର କାହାର ଚିଟକିରେ ଅଛି । କେହି କେହି ତ ବହୁତ ଭଲ ଉମଙ୍ଗ-ଉତ୍ସାହ ଦ୍ୱାରା ପରିବର୍ତ୍ତନ ବିଷୟରେ ମଧ୍ୟ ଲେଖିଛନ୍ତି, ଉତ୍ସାହର କଥା ମଧ୍ୟ ଲେଖିଛନ୍ତି କିନ୍ତୁ ଆଉ କେହି କେହି ଟିକିଏ ନିଜର ଅବହେଳା ପଣିଆ ଦେଖାଇଛନ୍ତି । ତେଣୁ ବେପରୁଆ କେବେ ବି ହେବାର ନାହିଁ । ସର୍ବଦା ସଜାଗ ରୁହ । ବାପଦାଦାଙ୍କୁ ଗୋଟିଏ ତ ଅବହେଳାପଣିଆ ଭଲ ଲାଗେ ନାହିଁ, ଦ୍ୱିତୀୟରେ ନିରାଶ ବା ହତାଶ ହେବା ଭଳି କଥା ଭଲ ଲାଗେ ନାହିଁ । ଯାହା ବି ହୋଇଯାଉ ବଡ ଦିଲ୍ ରଖ । ଛୋଟ ଦିଲ୍‌ବାଲା ହିଁ ନିରାଶ ହୋଇଥାଆନ୍ତି । ବଡ ଦିଲ୍‌ବାଲା ସର୍ବଦା ଦିଲ୍‌ଖୁସ୍ ରହିଥାଆନ୍ତି । ତେଣୁ କେବେ ବି ନିରାଶ ହୁଅ ନାହିଁ ବା ଭାଙ୍ଗି ପଡ ନାହିଁ ଏବଂ ବେପରୁଆ ମଧ୍ୟ ହୁଅ ନାହିଁ । ଉମଙ୍ଗ-ଉତ୍ସାହର ସହିତ ସର୍ବଦା ଉଡିଚାଲ । ବାପଦାଦାଙ୍କୁ ଡବଲ ବିଦେଶୀମାନଙ୍କ ପ୍ରତି ଅର୍ବ-ଖର୍ବ ପରିମାଣର ଆଶା ରହିଛି । ଡବଲ ବିଦେଶୀମାନେ ଏଭଳି ଚମତ୍କାରୀ ଦେଖାଇବେ ଯାହାକି ଭାରତର ଆତ୍ମାମାନେ ଚକିତ ହୋଇଯିବେ । ଆସିବ ଆସିବ, ସେହିଦିନ ମଧ୍ୟ ଖୁବ୍ ଶୀଘ୍ର ଆସିବ । ଆସିବ ନା? ସେହିଦିନ ମଧ୍ୟ ଆସିବାକୁ ଯାଉଛି ନା! କ’ଣ ଆସିବ ନା? (ଶୀଘ୍ର-ଆସିବ) ହାଁ ଜୀ କୁହ । ବାପଦାଦା ଆଗୁଆ ଭାବରେ ଅଭିନନ୍ଦନର ଥାଳି ଭରି ଭରି ଦେଉଛନ୍ତି । ସେତିକି ସାହସ ବାପଦାଦା ଡବଲ ବିଦେଶୀମାନଙ୍କ ଭିତରେ ଦେଖୁଛନ୍ତି, ଏହା ଠିକ୍ ନା? ବିଦେଶ ଉପରେ ବହୁତ ଆଶା ରହିଛି । ଆଚ୍ଛା! ଯୁବାବର୍ଗବାଲା ମଧ୍ୟ ଭଲ ଅଛନ୍ତି, ଗୃହସ୍ଥୀବାଲା ମଧ୍ୟ ଭଲ ଅଛନ୍ତି, କୁମାରୀମାନେ ମଧ୍ୟ ବହୁତ ଅଛନ୍ତି, ତେଣୁ କମାଲ ହିଁ କମାଲ କରିବେ । ଠିକ୍ ଅଛି ନା? ସିନ୍ଧୀ ପରିବାରବାଲା କୁହ, କ’ଣ କମାଲ କରିବ? ନିମିତ୍ତ ମାତ୍ର ସିନ୍ଧୀ ଅଟ, କିନ୍ତୁ ପ୍ରକୃତରେ ତ ବ୍ରାହ୍ମଣ ଅଟ ନା । କ’ଣ କରିବ, କୁହ? (ବାବାଙ୍କର ନାମ ଉଜ୍ଜଳ କରିବୁ) କେବେ କରିବ? (ଏହି ବର୍ଷ) ତୁମ ମୁଖରେ ଗୋଲାପଜାମୁ । ସାହସୀ ଅଟ । (ଆପଣଙ୍କର ବରଦାନ ଆମ ସାଥୀରେ ଅଛି) ଯେହେତୁ ବରଦାତା ହିଁ ସାଥୀରେ ଅଛନ୍ତି, ତେଣୁ ବରଦାନ କ’ଣ ବଡ କଥା । ଆଚ୍ଛା!

ଯେଉଁମାନେ ବି ଏହି କଳ୍ପରେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଉଠ । ଯେଉଁମାନେ ପ୍ରଥମ ଥର ଆସିଛନ୍ତି ସେମାନଙ୍କୁ ବାପଦାଦା କହୁଛନ୍ତି ଆସିଛ ତ ପଛରେ କିନ୍ତୁ ତୁମକୁ ଆଗକୁ ଯିବାକୁ ପଡିବ । ତେଣୁ ଏତେ ଆଗକୁ ବଢିଚାଲ ଯାହାକି ତୁମକୁ ଦେଖି ସମସ୍ତେ ଖୁସି ହୋଇଯିବେ ଏବଂ ସମସ୍ତଙ୍କ ମୁଖରୁ ବାହାରିବ - କମାଲ, କମାଲ, କମାଲ । ଏହିଭଳି ସାହସ ଅଛି ତ? ପ୍ରଥମ ଥର ବାଲାଙ୍କ ଭିତରେ ସାହସ ଅଛି ତ! ନୂତନ ବର୍ଷ ପାଳନ କରିବା ପାଇଁ ଆସିଛ, ତେଣୁ ନୂତନ ବର୍ଷରେ କୌଣସି କମାଲ ତ କରିବ ନା! ପୁଣି ବି ବାପଦାଦାଙ୍କୁ ସବୁ ପିଲା ଅତି ପ୍ରିୟ ଅଟନ୍ତି, କାରଣ ବହୁତ କମାଲ କାର୍ଯ୍ୟ କରିଛ ଯାହାକି ଠୁ ଲେଟ୍ ଅର୍ଥାତ୍ ଅତି ବିଳମ୍ବ ହୋଇଯିବା ପୂର୍ବରୁ ଆସିଯାଇଛ । ଏବେ ତ ପୁଣି ବି ଏହି ହଲ୍ ଭିତରେ ବସିବା ପାଇଁ ଜାଗା ତ ମିଳିଛି ନା! ରହିବା ପାଇଁ ଖଟିଆ ହେଉ ବା ତଳ ହେଉ, କିଛି ତ ମିଳିଛି ନା! କିନ୍ତୁ ଯେତେବେଳେ ଅତି ବିଳମ୍ବର ବୋର୍ଡ ଲାଗିଯିବ ସେତେବେଳେ ଧାଡିରେ ଛିଡା କରିବାକୁ ପଡିବ, ସେଥିପାଇଁ ପୁଣି ବି ଭଲ ସମୟରେ ବାପଦାଦାଙ୍କୁ ଚିହ୍ନି ପାରିଛ, ଯାହାକି ବଡ ବୁଦ୍ଧିମାନର କାର୍ଯ୍ୟ କରିଦେଇଛ । ଆଚ୍ଛା!

ବିଶ୍ୱର ଚାରିଆଡର ସମସ୍ତ ସଫଳତା ମୂରତ ପିଲାମାନଙ୍କୁ, ସମସ୍ତ କମାଲ କରୁଥିବା ଚେକର ଏବଂ ଭବିଷ୍ୟତର ମେକର ଅର୍ଥାତ୍ ନିର୍ମାତା ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ନିଜର ପ୍ରତି ପଦକ୍ଷେପରେ ବାବାଙ୍କୁ ପ୍ରତ୍ୟକ୍ଷ କରୁଥିବା ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦରଙ୍କର ସମସ୍ତ ଗ୍ରାଣ୍ଡ ସନ୍ସ ଅର୍ଥାତ୍ ଆଦି ସନ୍ତାନମାନଙ୍କୁ ବାପ ଏବଂ ଦାଦାଙ୍କର ବହୁତ-ବହୁତ-ବହୁତ ସ୍ନେହଭରା ଶୁଭେଚ୍ଛା, ଅଭିନନ୍ଦନ ଏବଂ ନମସ୍ତେ ।

ବାପଦାଦା ଦେଶ-ବିଦେଶର ସବୁ ପିଲାଙ୍କୁ ନୂତନ ବର୍ଷର ଅଭିନନ୍ଦନ ଦେଲେ:-

ଚାରିଆଡର ସଫଳତାର ତାରକାମାନଙ୍କୁ ପୁରୁଣା ବର୍ଷକୁ ବିଦାୟ ଦେବାର ଏବଂ ନୂତନ ବର୍ଷକୁ ଅଭିନନ୍ଦନ ଦେବାର ସଂଗମ ସମୟର ଅଭିନନ୍ଦନ, କାଣର ସଂଗମ ସମୟରେ ପୁରୁଣାକୁ ବିଦାୟ ଦେବା ମଧ୍ୟ ହୋଇଥାଏ ଏବଂ ନୂତନକୁ ବଧାଇ ଅର୍ଥାତ୍ ଅଭିନନ୍ଦନ ଦେବା ମଧ୍ୟ ହୋଇଥାଏ । ତେଣୁ ସର୍ବଦା ସଫଳ ଅଟ ଏବଂ ସଫଳ ହୋଇ ରହିବ କେବେ ବି ଅସଫଳତାର ଚିହ୍ନ ବର୍ଣ୍ଣ ମଧ୍ୟ ରହିବ ନାହିଁ କାରଣ ବାପଦାଦାଙ୍କର ଅତି ଗେହ୍ଲା, ଅତି ପ୍ରିୟ ଏବଂ ଅତି ମିଠା, ନୟନର ଜ୍ୟୋତି ଅଟ । ତେଣୁ ସମସ୍ତଙ୍କୁ ନମ୍ବରୱାନ ହେବାକୁ ହିଁ ପଡିବ, ଏହି ଦୃଢ ସଂକଳ୍ପ ସହିତ ପ୍ରତି ପଦକ୍ଷେପକୁ ବାବାଙ୍କ ସମାନ କରିଚାଲ, ତେଣୁ ସମସ୍ତଙ୍କୁ ପଦ୍ମଗୁଣା ଅର୍ବ-ଖର୍ବ ଗୁଣା ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ । ବାପଦାଦାଙ୍କର ବହୁତ-ବହୁତ ଅମୂଲ୍ୟ ହୀରାମାନଙ୍କୁ, ହୀରାତୁଲ୍ୟ ସୁପ୍ରଭାତ, ସୁପ୍ରଭାତ, ସୁପ୍ରଭାତ । ଓମ୍ ଶାନ୍ତି ।

ବରଦାନ:-
ସେବାର ଉମଙ୍ଗ-ଉତ୍ସାହ ଦ୍ୱାରା ନିରାପଦର ଅନୁଭବ କରୁଥିବା ମାୟାଜିତ୍ ଭବ ।

ଯେଉଁମାନେ ସ୍ଥୂଳ କାର୍ଯ୍ୟ କରିବା ସହିତ ଆତ୍ମିକ ସେବା କରିବା ପାଇଁ ମଧ୍ୟ ଧାଇଁଥାଆନ୍ତି ସର୍ବଦା ପ୍ରସ୍ତୁତ ରହିଥାଆନ୍ତି, ସେମାନଙ୍କର ଏହି ସେବା କରିବାର ଉମଙ୍ଗ-ଉତ୍ସାହ ମଧ୍ୟ ସୁରକ୍ଷାର ସାଧନ ପାଲିଟିଯାଏ । ଯେଉଁମାନେ ସର୍ବଦା ସେବାରେ ଲାଗି ରହିଥା’ନ୍ତି ସେମାନେ ମାୟାଠାରୁ ମଧ୍ୟ ସୁରକ୍ଷିତ ରହିଥାଆନ୍ତି । ମାୟା ମଧ୍ୟ ଦେଖିଥାଏ ଏହାଙ୍କୁ ତ ସେବାରୁ ଫୁରସତ ମିଳୁ ନାହିଁ, ତେଣୁ ସେ ମଧ୍ୟ ଫେରି ଚାଲିଯାଏ ଏବଂ ଯେଉଁ ପିଲାଙ୍କର ବାବାଙ୍କ ସହିତ ଏବଂ ସେବା ସହିତ ସ୍ନେହ ରହିଥାଏ ସେମାନଙ୍କୁ ଅତିରିକ୍ତ ସହଯୋଗ ମଧ୍ୟ ମିଳିଥାଏ, ଯାହା ଦ୍ୱାରା ସେମାନେ ସହଜରେ ମାୟାଜିତ୍ ହୋଇଯାଆନ୍ତି ।

ସ୍ଲୋଗାନ:-
ଯଦି ଜ୍ଞାନ ଏବଂ ଯୋଗକୁ ନିଜ ଜୀବନର ସ୍ୱଭାବରେ ପରିଣତ କରିଦେବ ତେବେ ପୁରୁଣା ସ୍ୱଭାବ ସହଜରେ ବଦଳିଯିବ ।

ସୂଚନା:- ଆଜି ମାସର ତୃତୀୟ ରବିବାର ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ, ତେଣୁ ସମସ୍ତ ବ୍ରହ୍ମାବତ୍ସମାନେ ସଂଗଠିତ ରୂପରେ ସନ୍ଧ୍ୟା ୬.୩୦ ମିନିଟ୍ ଠାରୁ ୭.୩୦ ମିନିଟ୍ ପର୍ଯ୍ୟନ୍ତ ବିଶେଷ କରି ସନ୍ତୁଷ୍ଟମଣୀ ହୋଇ ବାୟୁମଣ୍ଡଳରେ ସନ୍ତୁଷ୍ଟତା କିରଣ ବିଚ୍ଛୁରିତ କରିବା ସହିତ, ଅସନ୍ତୁଷ୍ଟ ଆତ୍ମାମାନଙ୍କୁ ସନ୍ତୁଷ୍ଟ ରହିବାର ଶକ୍ତି ଦେବେ ଏବଂ ମାନସିକ ସେବା କରିବେ ।