15.11.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜର
ଯାଞ୍ଚ କର କି କେତେ ସମୟ ବାବାଙ୍କର ସ୍ମୃତି ରହୁଛି, କାହିଁକି ନା ସ୍ମୃତି ଦ୍ୱାରା ହିଁ ଲାଭ ହୁଏ,
ବିସ୍ମୃତିରେ କ୍ଷତି ହୁଏ ।”
ପ୍ରଶ୍ନ:-
ଏହି ପାପ
ଆତ୍ମାମାନଙ୍କର ଦୁନିଆରେ କେଉଁ କଥାଟି ସମ୍ପୂର୍ଣ୍ଣ ଅସମ୍ଭବ ଏବଂ କାହିଁକି?
ଉତ୍ତର:-
ଏଠାରେ ଯଦି କେହି କହୁଛନ୍ତି ଯେ ମୁଁ ଜଣେ ପୁଣ୍ୟ ଆତ୍ମା ତେବେ ଏହା ସମ୍ପୂର୍ଣ୍ଣ ଅସମ୍ଭବ କଥା
କାହିଁକି ନା ଏହି ଦୁନିଆ ହିଁ ହେଉଛି କଳିଯୁଗୀ ତମଃପ୍ରଧାନ ଦୁନିଆ । ମନୁଷ୍ୟ ଯାହାକୁ ପୁଣ୍ୟ
କର୍ମ ବୋଲି ଭାବୁଛନ୍ତି, ତାହା ମଧ୍ୟ ପାପ ହୋଇଯାଉଛି କାହିଁକି ନା ଏଠାରେ ପ୍ରତ୍ୟେକ କର୍ମ
ବିକାରର ବଶବର୍ତ୍ତୀ ହୋଇ କରୁଛନ୍ତି ।
ଓମ୍ ଶାନ୍ତି ।
ଏହା ତ ପିଲାମାନେ
ବୁଝୁଛନ୍ତି, ଏବେ ଆମେ ବ୍ରହ୍ମାଙ୍କ ସନ୍ତାନ ବ୍ରହ୍ମାକୁମାର-ବ୍ରହ୍ମାକୁମାରୀ ଅଟୁ । ପୁଣି
ସତ୍ୟଯୁଗରେ ଦେବୀ-ଦେବତା ହେବୁ । ଏହା ତ ତୁମେ ହିଁ ବୁଝୁଛ, ଅନ୍ୟ କେହି ବି ବୁଝୁ ନାହାଁନ୍ତି ।
ତୁମେ ଜାଣୁଛ, ଆମେ ବ୍ରହ୍ମାକୁମାର-ବ୍ରହ୍ମାକୁମାରୀମାନେ ଅବିନାଶୀ ପାଠ ପଢୁଛୁ । ୮୪ ଜନ୍ମର ପାଠ
ମଧ୍ୟ ପଢୁଛୁ, ସୃଷ୍ଟିଚକ୍ରର ପାଠ ମଧ୍ୟ ପଢୁଛୁ । ତତ୍ସହିତ ତୁମକୁ ଏହି ଶିକ୍ଷା ମଧ୍ୟ ମିଳୁଛି
କି ପବିତ୍ର ହେବାର ଅଛି । ଏଇଠି ବସି ତୁମେ ସନ୍ତାନମାନେ ପବିତ୍ର ହେବା ପାଇଁ ବାବାଙ୍କୁ ନିଶ୍ଚିତ
ରୂପେ ମନେ ପକାଉଛ । ନିଜ ମନକୁ ପଚାର ସତରେ ମୁଁ ବାବାଙ୍କ ସ୍ମୃତିରେ ବସିଥିଲି ନା ମାୟା ରାବଣ
ବୁଦ୍ଧିକୁ ଅନ୍ୟ ଆଡେ ନେଇଯାଇଥିଲା । ବାବା କହୁଛନ୍ତି, ମୋତେ ସର୍ବଦା ମନେ ପକାଅ, ତେବେ ତୁମର
ପାପ କଟିଯିବ । ଏବେ ନିଜକୁ ପଚାରିବାର ଅଛି, ମୁଁ ବାବାଙ୍କ ସ୍ମୃତିରେ ରହିଲି ନା ବୁଦ୍ଧି ଅନ୍ୟ
କେଉଁଆଡେ ଚାଲିଗଲା? ସ୍ମୃତି ରହିବା ଦରକାର - କେତେ ସମୟ ଆମେ ବାବାଙ୍କ ଯାଦରେ ରହିଲୁ? କେତେ ସମୟ
ଆମର ବୁଦ୍ଧି କେଉଁ-କେଉଁ ଆଡେ ଗଲା? ନିଜର ଅବସ୍ଥାକୁ ଦେଖ । ଯେତେ ସମୟ ବାବାଙ୍କୁ ସ୍ମୃତିରେ
ରଖିବା, ତାହା ଦ୍ୱାରା ହିଁ ପବିତ୍ର ହେବା । ଯୋଗବଳ ଜମା ହୋଇଛି ନା ଜମା ହୋଇ ନାହିଁ ତାର ମଧ୍ୟ
ହିସାବ ରଖିବାର ଅଛି । ଅଭ୍ୟାସ ଥିଲେ, ମନେ ପଡିଯିବ । ତେବେ ସ୍ମୃତିର ଚାର୍ଟ ନିଶ୍ଚୟ ରଖିବେ ।
ଡାଏରୀ ତ ସମସ୍ତଙ୍କର ପକେଟରେ ରହିଥାଏ ନା । ଯେଉଁମାନେ ବ୍ୟବସାୟୀ ଥାଆନ୍ତି, ତାଙ୍କ ପାଖରେ ଡାଏରୀ
ଥାଏ କିନ୍ତୁ ତାହା ହେଉଛି ବିନାଶୀ ବ୍ୟବସାୟର ଡାଇରୀ । ତୁମର ହେଉଛି ଅବିନାଶୀ ବ୍ୟବସାୟର ଡାଇରୀ
। ତେବେ ତୁମକୁ ନିଜର ଚାର୍ଟ ନୋଟ୍ କରିବାର ଅଛି । ବାବାଙ୍କ ନିର୍ଦ୍ଦେଶ ହେଉଛି - ଧନ୍ଦା ଆଦି ସବୁ
କିଛି କର, କିନ୍ତୁ କିଛି ସମୟ ବାହାର କରି ମୋତେ ମନେ ପକାଅ । ନିଜର ପୋତାମେଲ ଅର୍ଥାତ୍
ହିସାବପତ୍ରକୁ ଦେଖି ଯୋଗବଳର ଜମା ବଢାଇଚାଲ । ନିଜର କ୍ଷତି କର ନାହିଁ । ତୁମର ମାୟା ସହ ଯୁଦ୍ଧ ତ
ଚାଲିଛି ନା । ଏକ ସେକେଣ୍ଡରେ ଲାଭ ଏବଂ ଏକ ସେକେଣ୍ଡରେ କ୍ଷତି ହେଉଛି । ତୁରନ୍ତ ଜଣାପଡିଯାଏ,
ମୁଁ ଲାଭ କରିଛି ନା କ୍ଷତି କରିଛି? ତୁମେ ବ୍ୟାପାରୀ ଅଟ ନା । କିନ୍ତୁ କେହି ବିରଳ ବ୍ୟକ୍ତି ଏହି
ବ୍ୟାପାର କରନ୍ତି । ବାବାଙ୍କ ସ୍ମୃତିରେ ରହିଲେ ଲାଭ, ବିସ୍ମୃତିରେ କ୍ଷତି । ଏହିପରି ସୂକ୍ଷ୍ମ
ଭାବେ ନିଜର ଯାଞ୍ଚ କରିବାର ଅଛି, ଯାହାଙ୍କର ଉଚ୍ଚ ପଦ ପାଇବାର ଅଛି, ତାଙ୍କର ତ ଚିନ୍ତା ଥାଏ -
ଦେଖିବା ମୁଁ କେତେ ସମୟ ବିସ୍ମୃତିରେ ରହିଲି? ଏହା ତ ତୁମେ ପିଲାମାନେ ଜାଣୁଛ ଯେ ଆମ ସମସ୍ତ
ଆତ୍ମାମାନଙ୍କର ପିତା ପତିତ ପାବନ ଅଟନ୍ତି । ଆମ୍ଭେମାନେ ପ୍ରକୃତରେ ଆତ୍ମା ଅଟୁ । ନିଜ ଘର
ପରମଧାମରୁ ଏଠାକୁ ଆସିଛୁ, ଏହି ଶରୀର ଧାରଣ କରି ଅଭିନୟ କରୁଛୁ । ଶରୀର ହେଉଛି ବିନାଶୀ, ଆତ୍ମା
ଅବିନାଶୀ ଅଟେ । ସଂସ୍କାର ମଧ୍ୟ ଆତ୍ମାରେ ହିଁ ରହିଥାଏ । ବାବା ପଚାରୁଛନ୍ତି - ହେ ଆତ୍ମା
ମନେପକାଅ, ଏହି ଜନ୍ମର ବାଲ୍ୟ ଅବସ୍ଥାରୁ କୌଣସି ଓଲଟା କାମ କରି ନାହଁ ତ? ମନେ ପକାଅ । ୩-୪
ବର୍ଷଠାରୁ ସବୁକଥା ମନେ ରହିଥାଏ, ମୁଁ ଛୋଟ ବୟସ କିପରି ବିତାଇଛି, କ’ଣ-କ’ଣ କରିଛି? କୌଣସି କଥା
ମନକୁ ଭିତରେ ଭିତରେ ଆନ୍ଦୋଳିତ କରୁନାହିଁ ତ? ମନେ ପକାଅ । ସତ୍ୟଯୁଗରେ ପାପ କର୍ମ ହୁଏ ହିଁ ନାହିଁ,
ତେଣୁ ସେଠାରେ ମନକୁ ପଚାରିବାର ଆବଶ୍ୟକତା ନ ଥାଏ । ଏଇଠି ତ ପାପ ହିଁ ହେଉଛି । ମନୁଷ୍ୟ ଯାହାକୁ
ପୁଣ୍ୟର କର୍ମ ବୋଲି ଭାବୁଛନ୍ତି, ତାହା ମଧ୍ୟ ପାପ ହିଁ ଅଟେ । ଏହା ହେଉଛି ହିଁ ପାପ
ଆତ୍ମାମାନଙ୍କର ଦୁନିଆ । ତୁମର ଦେଣ-ନେଣ ମଧ୍ୟ ପାପ ଆତ୍ମାମାନଙ୍କ ସହିତ ହିଁ ହେଉଛି । ଏଠି କେହି
ପୁଣ୍ୟ ଆତ୍ମା ହିଁ ନାହାଁନ୍ତି । ପୁଣ୍ୟ ଆତ୍ମାମାନଙ୍କର ଦୁନିଆରେ ପୁଣି ଜଣେ ମଧ୍ୟ ପାପ ଆତ୍ମା ନ
ଥା’ନ୍ତି । ପାପ ଆତ୍ମାମାନଙ୍କର ଦୁନିଆରେ ଜଣେ ବି ପୁଣ୍ୟ ଆତ୍ମା ରହିପାରିବେ ନାହିଁ । ଯେଉଁ ସବୁ
ଗୁରୁମାନଙ୍କ ଚରଣରେ ପଡୁଛନ୍ତି, ସେମାନେ ବି କେହି ପୁଣ୍ୟ ଆତ୍ମା ନୁହଁନ୍ତି । ଏହା ତ’ ହେଉଛି
କଳିଯୁଗ, ତାହା ପୁଣି ତମଃପ୍ରଧାନ । ତେଣୁ ଏଠାରେ କେହି ପୁଣ୍ୟ ଆତ୍ମା ରହିବା ହିଁ ଅସମ୍ଭବ ।
ପୁଣ୍ୟ ଆତ୍ମା ହେବା ପାଇଁ ହିଁ ବାବାଙ୍କୁ ଡାକୁଛନ୍ତି କି ଆସି ଆମକୁ ପବିତ୍ର ଆତ୍ମା କର । ଏପରି
ନୁହେଁ ଯେ, କେହି ବହୁତ ଦାନ ପୁଣ୍ୟ ଆଦି କଲେ କିମ୍ବା ଧର୍ମଶାଳା ଆଦି ତିଆରି କରିଲେ, ସେମାନେ
କିଛି ପୁଣ୍ୟ ଆତ୍ମା ହୋଇଯାଆନ୍ତି । ନା, ବିବାହ ଇତ୍ୟାଦି ପାଇଁ ହଲ୍ ଆଦି ମଧ୍ୟ ତିଆରି କରୁଛନ୍ତି,
ଏହା କିଛି ପୁଣ୍ୟ ନୁହେଁ? ଏ ସବୁ ବୁଝିବାର କଥା । ଏହା ହେଉଛି ରାବଣ ରାଜ୍ୟ, ପାପ ଆତ୍ମାମାନଙ୍କର
ଆସୁରୀ ଦୁନିଆ । ଏହି କଥାକୁ ତୁମ ବ୍ୟତୀତ ଆଉ କେହି ଜାଣି ନାହାଁନ୍ତି । ଯଦିଓ କହୁଛନ୍ତି ରାବଣ
ଅଛି କିନ୍ତୁ ତାକୁ କେହି ଚିହ୍ନନ୍ତି ନାହିଁ । ଶିବଙ୍କର ମଧ୍ୟ ଚିତ୍ର ଅଛି କିନ୍ତୁ କାହା ପାଖରେ
ତାଙ୍କର ପ୍ରକୃତ ପରିଚୟ ନାହିଁ । ବଡ-ବଡ ଶିବଲିଙ୍ଗ ଆଦି ତିଆରି କରୁଛନ୍ତି, ତଥାପି ବି
କହିଦେଉଛନ୍ତି ନାମ-ରୂପରୁ ଅଲଗା ସର୍ବବ୍ୟାପୀ ଅଟନ୍ତି । ସେଥିପାଇଁ ବାବା କହିଛନ୍ତି ୟଦା-ୟଦା ହି
ଧର୍ମସ୍ୟ... ଭାରତରେ ହିଁ ଶିବବାବାଙ୍କର ଗ୍ଲାନି (ନିନ୍ଦା) ହୁଏ । ଯେଉଁ ବାବା ତୁମକୁ ବିଶ୍ୱର
ମାଲିକ କରୁଛନ୍ତି, ତୁମେ ମନୁଷ୍ୟ ମତରେ ପରିଚାଳିତ ହୋଇ ତାଙ୍କର କେତେ ଗ୍ଲାନି କରୁଛ । ତୁମ ପାଖରେ
ମନୁଷ୍ୟ ମତ ଓ ଈଶ୍ୱରୀୟ ମତର ବହି ମଧ୍ୟ ଅଛି ନା । ଏହା ତ ତୁମେ ହିଁ ଜାଣୁଛ ଏବଂ ବୁଝାଉଛ ଯେ ଆମେ
ଶ୍ରୀମତରେ ରହି ଦେବତା ହେଉଛୁ । ରାବଣ ମତ ଦ୍ୱାରା ପୁଣି ଆସୁରୀ ମନୁଷ୍ୟ ହୋଇଯାଇଥା’ନ୍ତି ।
ବର୍ତ୍ତମାନର ମନୁଷ୍ୟ ମତକୁ ଆସୁରୀମତ କୁହାଯିବ । ସମସ୍ତେ ଆସୁରୀ କର୍ତ୍ତବ୍ୟ ହିଁ କରି ଚାଲିଛନ୍ତି
। ମୂଳ କଥା ହେଉଛି, ଈଶ୍ୱରଙ୍କୁ ସର୍ବବ୍ୟାପୀ ବୋଲି କହି ଦେଇଛନ୍ତି । ଭଗବାନ କଇଁଛ ଅବତାର, ମାଛ
ଅବତାର ନେଉଛନ୍ତି ବୋଲି କହୁଛନ୍ତି, ତେଣୁ କେତେ ଆସୁରୀ ଛି-ଛି ଅର୍ଥାତ୍ ହୀନ ହୋଇଯାଇଛନ୍ତି ।
ତୁମର ଆତ୍ମା ତ କଇଁଛ-ମାଛ ଅବତାର ନିଏ ନାହିଁ । ମନୁଷ୍ୟ ଶରୀରରେ ହିଁ ଆସିଥାଏ । ଏବେ ତୁମେ
ବୁଝୁଛ, ଆମେ କ’ଣ କେବେ କଇଁଛ-ମାଛ ହେଉଛୁ, ୮୪ ଲକ୍ଷ ଯୋନିରେ କ’ଣ କେବେ ଆସୁଛୁ? ଏବେ ତୁମକୁ
ବାବାଙ୍କର ଶ୍ରୀମତ ମିଳୁଛି - ସନ୍ତାନମାନେ, ତୁମେ ୮୪ ଜନ୍ମ ନେଉଛ । ୮୪ ଜନ୍ମକୁ ୮୪ ଲକ୍ଷ କହିବା
ଶତକଡା କେତେ ମିଛ! ମିଛ ତ ପୁରା ମିଛ, ସତ୍ୟ ତିଳେମାତ୍ର ନାହିଁ । ଏହାର ମଧ୍ୟ ଅର୍ଥ ବୁଝିବା
ଦରକାର । ଭାରତର ଅବସ୍ଥା ଦେଖ କ’ଣ ହୋଇଯାଇଛି । ଭାରତ ସତ୍ୟଖଣ୍ଡ ଥିଲା, ଯାହାକୁ ସ୍ୱର୍ଗ ହିଁ
କୁହାଯାଏ । ଅଧାକଳ୍ପ ହେଉଛି ରାମରାଜ୍ୟ, ଅଧାକଳ୍ପ ହେଲା ରାବଣ ରାଜ୍ୟ । ରାବଣ ରାଜ୍ୟକୁ ଆସୁରୀ
ସମ୍ପ୍ରଦାୟ କୁହାଯିବ । କେତେ କଡା ଶବ୍ଦ । ଅଧା କଳ୍ପ ଦେବତାମାନଙ୍କର ରାଜ୍ୟ ଚାଲେ । ବାବା
ବୁଝାଇଛନ୍ତି ଲକ୍ଷ୍ମୀ-ନାରାୟଣ ପ୍ରଥମ, ଦ୍ୱିତୀୟ, ତୃତୀୟ କୁହଯାଏ । ଯେପରି ଏଡ୍ୱାର୍ଡ ଫାଷ୍ଟ,
ସେକେଣ୍ଡ ହୋଇଥା’ନ୍ତି ନା । ପ୍ରଥମ ପିଢି, ପୁଣି ଦ୍ୱିତୀୟ ପିଢି ଏହିପରି ଚାଲିଥାଏ । ତୁମର ମଧ୍ୟ
ପ୍ରଥମେ ହୁଏ ସୂର୍ଯ୍ୟବଂଶୀ ରାଜ୍ୟ ପୁଣି ଚନ୍ଦ୍ରବଂଶୀ ରାଜ୍ୟ । ବାବା ଆସି ଡ୍ରାମାର ରହସ୍ୟ ମଧ୍ୟ
ଭଲ ଭାବରେ ବୁଝାଇଛନ୍ତି । ତୁମେ ପଢୁଥିବା ଶାସ୍ତ୍ରରେ ଏହି ସବୁ କଥା ନ ଥିଲା । କୌଣସି କୌଣସି
ଶାସ୍ତ୍ରରେ ବହୁତ କମ୍ ଜ୍ଞାନ ରହିଛି କିନ୍ତୁ ସେହି ସମୟରେ ଯେଉଁମାନେ ପୁସ୍ତକ ତିଆରି କରିଛନ୍ତି,
ସେମାନେ କିଛି ବୁଝି ନ ଥା’ନ୍ତି ।
ବାବା ମଧ୍ୟ ଯେତେବେଳେ
ବନାରସ ଯାଇଥିଲେ, ସେତେବେଳେ ତାଙ୍କୁ ଏହି ଦୁନିଆ ଭଲ ଲାଗୁ ନ ଥିଲା, ସେଠାରେ ବସି କାନ୍ଥରେ ଗାର
ଟାଣୁଥିଲେ । ଶିବବାବା ଏ ସବୁ କରାଉଥିଲେ କିନ୍ତୁ ସେ ସମୟରେ ମୁଁ ତ ଛୋଟ ପିଲା ଥିଲି ନା ଅର୍ଥାତ୍
ବୁଦ୍ଧି ପରିପକ୍ୱ ନ ଥିଲା । ପୁରା ବୁଝିପାରୁ ନ ଥିଲି । ବାସ୍ କେହି ଅଛନ୍ତି, ଯିଏ ମୋ ଦ୍ୱାରା
ଏହା କରାଉଛନ୍ତି । ବିନାଶର ଦୃଶ୍ୟ ଦେଖିଲି ତେଣୁ ନିଜ ଭିତରେ ଖୁସି ମଧ୍ୟ ଥିଲା । ରାତିରେ
ଶୋଉଥିଲି ତଥାପି ବି ଯେପରି ଉଡୁଥିଲି କିନ୍ତୁ କିଛି ବୁଝି ହେଉ ନ ଥିଲା । କେବଳ ଏହିପରି ଗାର ସବୁ
ଟାଣୁଥିଲି । କୌଣସି ଶକ୍ତି ଅଛି, ଯିଏକି ମୋ ଭିତରେ ପ୍ରବେଶ କରିଛି । ମୁଁ ଆଶ୍ଚର୍ଯ୍ୟ ହେଉଥିଲି
। ପ୍ରଥମେ ତ ବ୍ୟବସାୟ ଆଦି କରୁଥିଲି ପୁଣି କ’ଣ ହେଲା, ଯଦି କାହାକୁ ଚାହିଁ ଦେଉଥିଲି ତେବେ ସେ
ହଠାତ୍ ଧ୍ୟାନରେ ଚାଲି ଯାଉଥିଲେ । ଭାବୁଥିଲି, ଏହା କ’ଣ ହେଉଛି ମୁଁ ଯାହାକୁ ଚାହିଁଦେଉଛି, ତାର
ଆଖି ବନ୍ଦ ହୋଇଯାଉଛି ଅର୍ଥାତ୍ ଧ୍ୟାନରେ ଚାଲିଯାଉଛି, ପଚାରୁଥିଲି କ’ଣ ଦେଖିଲ, ତେବେ କହୁଥିଲେ
ବୈକୁଣ୍ଠ ଦେଖିଲି, କୃଷ୍ଣଙ୍କୁ ଦେଖିଲି । ଏହା ମଧ୍ୟ ସବୁ ବୁଝିବାର କଥା ଅଟେ ନା, ତେଣୁ ଏହାର
ଅର୍ଥ ବୁଝିବା ପାଇଁ ସବୁ କିଛି ଛାଡି ବନାରସ ଚାଲିଗଲି । ସାରା ଦିନ ବସି ରହୁଥିଲି । ପେନ୍ସିଲ୍
ଏବଂ କାନ୍ଥ, ଏହା ବ୍ୟତୀତ ଆଉ କିଛି ଧନ୍ଦା ହିଁ ନ ଥିଲା । ଛୋଟ ପିଲା ଭଳି ଥିଲି ନା (ଯେତେବେଳେ
ଶିବବାବା ବ୍ରହ୍ମାଙ୍କ ଶରୀରରେ ପ୍ରଥମେ ପ୍ରଥମେ ପ୍ରବେଶ କଲେ ସେହି ସମୟର କଥା) । ତେଣୁ ଏହିପରି
ଯେବେ ଦେଖିଲି, ତେବେ ବୁଝିଲି ଯେ ଏବେ ଆଉ କିଛି ବ୍ୟବସାୟ ଆଦି କରିବାର ନାହିଁ । ବ୍ୟବସାୟ ଆଦି
ଛାଡିବାକୁ ପଡିବ । ମନରେ ଖୁସି ଥିଲା, ଭାବିଲି ଏହି ମୂଲ୍ୟହୀନ ବ୍ୟବସାୟ ଛାଡିବାର ଅଛି । ରାବଣ
ରାଜ୍ୟ ଅଟେ ନା । ରାବଣର ମୁକୁଟ ଉପରେ ଗଧର ମୁଣ୍ଡ ଦେଖାଇଥା’ନ୍ତି ନା, ତେଣୁ ଚେତନା ଆସିଲା ଏହି
ଧନ-ସମ୍ପତ୍ତି ଆଦି ସବୁ ରାଜତ୍ୱ ନୁହେଁ, ଏହା ଗଦାଇ ଅର୍ଥାତ୍ ମୂଲ୍ୟହୀନ ଅଟେ । ଗଧ ବାରମ୍ବାର
ମାଟିରେ ଗଡି ଯାଇ ଧୋବାର କପଡା ସବୁ ଖରାପ କରିଦିଏ । ବାବା ମଧ୍ୟ କହୁଛନ୍ତି, ତୁମେ କ’ଣ ଥିଲ, ଏବେ
ତୁମର କ’ଣ ଅବସ୍ଥା ହୋଇଯାଇଛି । ଏହା ବାବା ହିଁ ବସି ବୁଝାଉଛନ୍ତି ଏବଂ ଏହି ଦାଦା ମଧ୍ୟ
ବୁଝାଉଛନ୍ତି । ଉଭୟଙ୍କର ବୁଝାଇବା ଚାଲିଛି । ଯିଏ ଜ୍ଞାନ ଭଲ ଭାବେ ବୁଝାନ୍ତି, ତାଙ୍କୁ ତୀକ୍ଷ୍ଣ
ବୁଦ୍ଧି କୁହାଯିବ । କ୍ରମାନୁସାରେ ତ ଅଛନ୍ତି ନା । ତୁମେ ସନ୍ତାନମାନେ ମଧ୍ୟ ବୁଝାଉଛ, ଏବେ
ରାଜଧାନୀ ସ୍ଥାପନ ହେଉଛି । ତେଣୁ ନିଶ୍ଚୟର କ୍ରମାନୁସାରେ ପଦ ପାଇବେ । ଆତ୍ମା ହିଁ ନିଜର ଅଭିନୟ
କଳ୍ପ-କଳ୍ପ କରିଥାଏ । ସମସ୍ତେ ଏକ ସମାନ ଜ୍ଞାନ ଧାରଣ କରିବେ ନାହିଁ । ଏହି ସ୍ଥାପନାର କାର୍ଯ୍ୟ
ହିଁ ହେଉଛି ଆଶ୍ଚର୍ଯ୍ୟଜନକ । ଅନ୍ୟ କେହି ସ୍ଥାପନାର ଜ୍ଞାନ ଦେଇପାରିବେ ନାହିଁ । ମନେକର ଶିଖ୍
ଧର୍ମର ସ୍ଥାପନା ହେଲା । ଶୁଦ୍ଧ ଆତ୍ମା ଆସି ଶରୀରରେ ପ୍ରବେଶ କଲା, କିଛି ସମୟ ପରେ ଶିଖ୍ ଧର୍ମର
ସ୍ଥାପନା ହେଲା । ତାଙ୍କର ମୁଖ୍ୟ କିଏ? ଗୁରୁନାନକ । ସେ ଆସି ଜପ ସାହେବ ଗ୍ରନ୍ଥ ଲେଖିଲେ ।
ପ୍ରଥମେ ତ ନୂଆ ଆତ୍ମାମାନେ ହିଁ ଥିବେ, କାହିଁକି ନା ପବିତ୍ର ଆତ୍ମା ଆସିଥା’ନ୍ତି । ପବିତ୍ର
ଆତ୍ମାକୁ ହିଁ ମହାନ ଆତ୍ମା କୁହାଯାଏ । ସର୍ବୋଚ୍ଚ ତ ଏକମାତ୍ର ବାବାଙ୍କୁ ହିଁ କୁହାଯାଏ ।
ପବିତ୍ର ଆତ୍ମାମାନେ ମଧ୍ୟ ଧର୍ମ ସ୍ଥାପନା କରୁଛନ୍ତି ତେଣୁ ତାଙ୍କୁ ମହାନ କୁହାଯିବ । କିନ୍ତୁ
କ୍ରମାନୁସାରେ ପଛେ ପଛେ ଆସିଥା’ନ୍ତି । ୫୦୦ ବର୍ଷ ପୂର୍ବେ ଜଣେ ଆତ୍ମା ଆସିଲେ ଏବଂ ଶିଖ୍ ଧର୍ମ
ସ୍ଥାପନା କଲେ, ସେହି ସମୟରେ ତାଙ୍କର ଧର୍ମଶାସ୍ତ୍ର କେଉଁଠୁ ଆସିବ । ନିଶ୍ଚୟ ସୁଖମଣୀ, ଜପ ସାହେବ
ଶାସ୍ତ୍ର ଆଦି ପରେ ରଚନା ହୋଇଥିବ ନା! ସେମାନେ କି ଶିକ୍ଷା ଦେଇଥାନ୍ତି କି । ତାଙ୍କ ମନରେ
ପ୍ରେରଣା ଆସେ, ତେଣୁ ଈଶ୍ୱରଙ୍କର ମହିମା କରିଥା’ନ୍ତି । ବାକି ଏହି ପୁସ୍ତକ ଆଦି ତ ପରେ ତିଆରି
ହୁଏ, ଯେତେବେଳେ ବହୁତ ଅନୁସରଣକାରୀ ହୋଇଯାଆନ୍ତି । ପଢିବା ପାଇଁ ଆତ୍ମା ଦରକାର ନା । ସମସ୍ତଙ୍କର
ଶାସ୍ତ୍ର ପରେ ତିଆରି ହୋଇଥିବ । ଯେବେ ଭକ୍ତିମାର୍ଗ ଆରମ୍ଭ ହୁଏ, ତେବେ ଶାସ୍ତ୍ର ପଢିଥା’ନ୍ତି ।
ଜ୍ଞାନ ଦରକାର ନା । ପ୍ରଥମେ ସତ୍ୱପ୍ରଧାନ ଥା’ନ୍ତି ପୁଣି ସତ୍ୱ, ରଜଃ, ତମଃରେ ଆସିଥା’ନ୍ତି ।
ଯେତେବେଳେ ବହୁତ ବୃଦ୍ଧି ହୋଇଯାଏ, ସେତେବେଳେ ବହୁତ ମହିମା ହୋଇଥାଏ ଏବଂ ଶାସ୍ତ୍ର ଆଦି ତିଆରି
ହୁଏ । ନଚେତ୍ କିପରି ବୃଦ୍ଧି ହେବ । ଅନୁଗାମୀ ହେଲେ ସିନା କରିବେ । ଶିଖ୍ ଧର୍ମର ଆତ୍ମାମାନେ
ଉପରୁ ଆସିବେ, ଯିଏକି ଆସି ଏହି ଧର୍ମକୁ ଅନୁସରଣ କରିବେ । ସେଥିପାଇଁ ବହୁତ ସମୟ ଦରକାର ।
ଯେଉଁ ନୂଆ ଆତ୍ମାମାନେ
ପରମଧାମରୁ ଆସିଥା’ନ୍ତି ତାଙ୍କୁ ଦୁଃଖ ହୋଇପାରିବ ନାହିଁ । ଏପରି ନିୟମ ନାହିଁ । ଆତ୍ମା
ସତ୍ୱପ୍ରଧାନରୁ ସତ୍ୱ, ରଜଃ, ତମଃପ୍ରଧାନ ହେଲେ, ଯାଇ ଦୁଃଖ ଭୋଗିବ । ନିୟମ ମଧ୍ୟ ରହିଛି ନା!
ଏଠାରେ ସବୁ ପ୍ରକାରର ଆତ୍ମା ଅଛନ୍ତି, ରାବଣ ସମ୍ପ୍ରଦାୟ ବି ଅଛନ୍ତି ତ ରାମ ସମ୍ପ୍ରଦାୟ ମଧ୍ୟ
ଅଛନ୍ତି । ଏବେ ତ ସମ୍ପୂର୍ଣ୍ଣ ହୋଇ ନାହାଁନ୍ତି । ସମ୍ପୂର୍ଣ୍ଣ ହୋଇଗଲେ ପୁଣି ଶରୀର ଛାଡିଦେବେ ।
କର୍ମାତୀତ ଅବସ୍ଥାରେ କିଛି ଦୁଃଖର ଅନୁଭବ ହୋଇପାରିବ ନାହିଁ । ସେମାନେ ଏହି ଛି-ଛି ନର୍କ ଦୁନିଆରେ
ରହି ପାରିବେ ନାହିଁ । ଯେଉଁମାନେ କର୍ମାତୀତ ହୋଇଥିବେ ସେମାନେ ଚାଲିଯିବେ ବାକି ଯେଉଁମାନେ ରହିବେ,
ସେମାନେ କର୍ମାତୀତ ହୋଇ ନ ଥିବେ । ସମସ୍ତେ ତ ଏକା ସାଥିରେ କର୍ମାତୀତ ହୋଇପାରିବେ ନାହିଁ । ଯଦିଓ
ବିନାଶ ହୁଏ ତେବେ ମଧ୍ୟ କିଛି ଆତ୍ମା ବଞ୍ଚିବେ । ପ୍ରଳୟ ତ ହୁଏ ନାହିଁ । ଗାୟନ ମଧ୍ୟ ରହିଛି ରାମ
ଗଲେ ରାବଣ ଗଲେ... ରାବଣର ବହୁତ ପରିବାର ଥିଲା । ଆମର ପରିବାର ତ ଛୋଟ ଅଟେ । ସେମାନେ କେତେ
ପ୍ରକାରର ଧର୍ମର ଅଛନ୍ତି । ବାସ୍ତବରେ ଆମର ସବୁଠାରୁ ବଡ ପରିବାର ହେବା କଥା, କାହିଁକି ନା
ଦେବୀ-ଦେବତା ଧର୍ମ ହେଉଛି ସବୁଠାରୁ ପ୍ରଥମ ଧର୍ମ । ଏବେ ତ ସମସ୍ତେ ଅନ୍ୟ ସବୁ ଧର୍ମରେ
ମିଶିଯାଇଛନ୍ତି, ତେଣୁ ଖ୍ରୀଷ୍ଟିୟାନ୍ ବହୁତ ହୋଇଯାଇଛନ୍ତି । ଯେଉଁଠି ମନୁଷ୍ୟ ସୁଖ ଦେଖନ୍ତି,
ଉଚ୍ଚ ଆସନ ପାଆନ୍ତି, ତେବେ ସେହି ଧର୍ମର ହୋଇଯାଆନ୍ତି । ଯେବେ-ଯେବେ ପୋପ୍ ଆସିଥା’ନ୍ତି,
ସେତେବେଳେ ବହୁତ ଆତ୍ମା ଖ୍ରୀଷ୍ଟିୟାନ୍ ଧର୍ମ ଗ୍ରହଣ କରିନିଅନ୍ତି । ପୁଣି ବୃଦ୍ଧି ମଧ୍ୟ ବହୁତ
ହୁଏ । ସତ୍ୟଯୁଗରେ ତ ଗୋଟିଏ ପୁଅ ଓ ଗୋଟିଏ ଝିଅ ହିଁ ହୁଅନ୍ତି । ଆଉ କୌଣସି ଧର୍ମରେ ଏପରି ବୃଦ୍ଧି
ହୁଏ ନାହିଁ । ଏବେ ଦେଖ ସବୁଠାରୁ ଖ୍ରୀଷ୍ଟିୟାନମାନେ ଆଗରେ ଅଛନ୍ତି । ଯିଏ ବହୁତ ସନ୍ତାନ ଜନ୍ମ
କରନ୍ତି, ତାଙ୍କୁ ପୁରସ୍କାର ମିଳୁଛି କାହିଁକି ନା ତାଙ୍କୁ ତ ବହୁତ ମନୁଷ୍ୟ ଦରକାର । ଯେଉଁମାନେ
କି ସୈନ୍ୟ ବାହିନୀରେ ମିଶିପାରିବେ । ଏବେ ପ୍ରାୟ ସମସ୍ତେ ତ ଖ୍ରୀଷ୍ଟିୟାନ । ଋଷିଆ, ଆମେରିକା,
ସବୁ ଖ୍ରୀଷ୍ଟିୟାନ ହିଁ ଅଟନ୍ତି । ଗୋଟିଏ କାହାଣୀ ଅଛି, ଦୁଇଟି ବିଲେଇ ଲଢେଇ କଲେ, ଲହୁଣୀ
ମାଙ୍କଡ ଖାଇଗଲା । ଏହିପରି ଡ୍ରାମା ମଧ୍ୟ ତିଆରି ହୋଇଛି । ପୂର୍ବରୁ ତ ହିନ୍ଦୁ, ମୁସଲମାନ ଏକାଠି
ରହୁଥିଲେ । ଯେତେବେଳେ ଅଲଗା ହେଲେ ତେବେ ପାକିସ୍ଥାନ ନୂଆ ଦେଶର ସ୍ଥାପନ ହୋଇଗଲା । ଡ୍ରାମା ମଧ୍ୟ
ଏହିପରି ତିଆରି ହୋଇଛି । ଦୁଇଜଣଙ୍କ ଲଢେଇ ଲାଗିଲେ ବାରୁଦ କିଣିବେ, ସେମାନଙ୍କର ବ୍ୟବସାୟ ବଢିଯିବ
। ତାଙ୍କର ଅର୍ଥାତ୍ ଋଷିଆ, ଆମେରିକାର । ଏହା ହେଉଛି ଏକ ଲାଭଜନକ ବ୍ୟବସାୟ । କିନ୍ତୁ ଡ୍ରାମାରେ
ତୁମର ବିଜୟ ହେବାର ଅଛି । ଏହା ଶତ ପ୍ରତିଶତ ନିଶ୍ଚିତ ଯେ ତୁମ୍ଭମାନଙ୍କୁ କେହି ବି ଜିତି ପାରିବେ
ନାହିଁ । ବାକି ସମସ୍ତେ ସମାପ୍ତ ହୋଇଯିବେ । ତୁମେ ଜାଣୁଛ ନୂଆ ଦୁନିଆରେ ଆମର ହିଁ ରାଜ୍ୟ ହେବ,
ଯେଉଁଥି ପାଇଁ ହିଁ ତୁମେ ପାଠ ପଢୁଛ । ଯୋଗ୍ୟ ହେଉଛ । ତୁମେ ଯୋଗ୍ୟ ଥିଲ, ଏବେ ଅଯୋଗ୍ୟ ହୋଇଯାଇଛ,
ପୁଣି ଯୋଗ୍ୟ ହେବାର ଅଛି । ଡାକୁଛନ୍ତି ମଧ୍ୟ ପତିତ ପାବନ ଆସ । କିନ୍ତୁ ଅର୍ଥ କିଛି ବୁଝି
ନାହାଁନ୍ତି । ଏହି ସାରା ଦୁନିଆ ଜଙ୍ଗଲ ଅଟେ । ଏବେ ବାବା ଆସିଛନ୍ତି, ଆସି କଣ୍ଟାର ଜଙ୍ଗଲକୁ
ଫୁଲର ବଗିଚା କରୁଛନ୍ତି । ତାହା ହେଉଛି ହିଁ ଦୈବୀ ଦୁନିଆ । ଏହା ହେଉଛି ଆସୁରୀ ଦୁନିଆ । ବାବା
ସାରା ମନୁଷ୍ୟ ସୃଷ୍ଟିର ରହସ୍ୟକୁ ବୁଝାଇଛନ୍ତି । ତୁମେ ଏବେ ବୁଝୁଛ, ଆମେ ନିଜ ଧର୍ମକୁ ଭୁଲି
ଧର୍ମ ଭ୍ରଷ୍ଟ ହୋଇଯାଇଛୁ । ତେଣୁ ସବୁ କର୍ମ ବିକର୍ମ ହିଁ ହେଉଛି । ବାବା ତୁମକୁ କର୍ମ, ବିକର୍ମ,
ଅକର୍ମର ଗତି ବୁଝାଇ କରି ଯାଇଥିଲେ । ତୁମେ ବୁଝୁଛ, ବାସ୍ତବରେ କାଲି ଆମେ ଏପରି ଶ୍ରେଷ୍ଠ ଥିଲୁ
ପୁଣି ଆଜି ଆମେ ଏପରି ଭ୍ରଷ୍ଟ ହୋଇଯାଇଛୁ । ସତ୍ୟଯୁଗ ନିକଟରେ ଅଛି ନା । ବାବା କହୁଛନ୍ତି କାଲି
ତୁମକୁ ଦେବତା କରିଥିଲି । ରାଜ୍ୟ ଭାଗ୍ୟ ଦେଇଥିଲି ପୁଣି ସେ ସବୁ କ’ଣ କଲ? ତୁମର ସ୍ମୃତି ଆସିଛି
- ଭକ୍ତିମାର୍ଗରେ ଆମେ କେତେ ଧନ ହରାଇଛୁ । ଏହା କାଲିର କଥା ଅଟେ ନା । ବାବା ତ ଆସି ତୁମ ହାତରେ
ସ୍ୱର୍ଗ ଦେଉଛନ୍ତି । ଏହି ଜ୍ଞାନ ବୁଦ୍ଧିରେ ରହିବା ଦରକାର ।
ବାବା ଏ କଥା ମଧ୍ୟ
ବୁଝାଇଛନ୍ତି ଯେ ଏହି ଆଖି କେତେ ଧୋକା ଦେଉଛି, ବିକାରୀ ଦୃଷ୍ଟିକୁ ଜ୍ଞାନ ଦ୍ୱାରା ନିର୍ବିକାରୀ
କରିବାକୁ ପଡିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ବେହଦର ଡାଏରୀରେ ଏହି ଚାର୍ଟ ନୋଟ୍ କରିବାର ଅଛି କି ମୁଁ ଯୋଗରେ ରହି କେତେ ଲାଭ ଆଗକୁ କଲି? କୌଣସି
କ୍ଷତି ହୋଇନାହିଁ ତ? ୟାଦ ସମୟରେ ବୁଦ୍ଧି କେଉଁ କେଉଁ ଆଡେ ଗଲା?
(୨) ଏହି ଜନ୍ମରେ ଛୋଟ
ଅବସ୍ଥାରୁ ନେଇ ଆଜି ପର୍ଯ୍ୟନ୍ତ ମୁଁ କ’ଣ-କ’ଣ ଓଲଟା କର୍ମ ଅଥବା ପାପ କର୍ମ କରିଛି, ତାହା ନୋଟ୍
କରିବାକୁ ହେବ । ଯେଉଁ କଥା ପାଇଁ ମନ ଭିତରେ-ଭିତରେ ଆନ୍ଦୋଳିତ ହେଉଛି ତାହା ବାବାଙ୍କୁ ଶୁଣାଇ
ହାଲୁକା ହୋଇଯିବାର ଅଛି । ଏବେ କୌଣସି ପାପ କର୍ମ କରିବାର ନାହିଁ ।
ବରଦାନ:-
କର୍ମବନ୍ଧନକୁ
ସେବାର ବନ୍ଧନରେ ପରିବର୍ତ୍ତନ କରି ସମସ୍ତଙ୍କ ଠାରୁ ନିଆରା ଏବଂ ପରମାତ୍ମାଙ୍କର ପ୍ରିୟ ହୁଅ ।
ପରମାତ୍ମ ସ୍ନେହ ହିଁ
ବ୍ରାହ୍ମଣ ଜୀବନର ଆଧାର କିନ୍ତୁ ଏହା ସେତେବେଳେ ପ୍ରାପ୍ତ ହେବ ଯେତେବେଳେ ତୁମେ ଅନ୍ୟମାନଙ୍କଠାରୁ
ସ୍ୱତନ୍ତ୍ର ହୋଇଥିବ । ଯଦି ଘର ଗୃହସ୍ଥରେ ମଧ୍ୟ ରହୁଛ ତେବେ ବି ସେବା ଅର୍ଥେ ହିଁ ରହୁଛ । ତେଣୁ
ଟିକିଏ ବି ଏଭଳି ଭାବ ନାହିଁ ଯେ ମୋ’ର ଏମାନଙ୍କ ସାଥୀରେ ହିସାବ-କିତାବ ରହିଛି, ବା ଏହା ମୋ’ର
କର୍ମବନ୍ଧନ ଅଟେ.... କିନ୍ତୁ ସେବା ମନେ କରି ରୁହ । ସେବାର ବନ୍ଧନରେ ବାନ୍ଧି ହେବା ଦ୍ୱାରା
କର୍ମବନ୍ଧନ ସମାପ୍ତ ହୋଇଯିବ । ଯଦି ସେବା ଭାବ ନାହିଁ ତେବେ କର୍ମବନ୍ଧନ ଆକର୍ଷିତ କରିଥାଏ ଏବଂ
ଯେଉଁଠାରେ କର୍ମବନ୍ଧନ ରହିଛି ସେଠାରେ ଦୁଃଖର ଅନୁଭବ ହୋଇଥାଏ, କିନ୍ତୁ ସେବାର ବନ୍ଧନରେ ଖୁସିର
ଅନୁଭୂତି ହୋଇଥାଏ ସେଥିପାଇଁ କର୍ମବନ୍ଧନକୁ ସେବାର ବନ୍ଧନରେ ପରିବର୍ତ୍ତନ କରି ନ୍ୟାରା-ପ୍ୟାରା
ସ୍ଥିତିରେ ରୁହ ଯାହା ଦ୍ୱାରା ପରମାତ୍ମା ପିତାଙ୍କର ପ୍ରିୟ ପାତ୍ର ହୋଇପାରିବ ।
ସ୍ଲୋଗାନ:-
ଶ୍ରେଷ୍ଠ ଆତ୍ମା
ସେହିମାନେ ଅଟନ୍ତି ଯେଉଁମାନେ ନିଜର ସ୍ୱସ୍ଥିତି ଦ୍ୱାରା ପ୍ରତ୍ୟେକ ପରିସ୍ଥିତି ଅତିକ୍ରମ
କରିଯାଆନ୍ତି ।