16.02.25 Avyakt Bapdada Odia Murli 02.02.2004 Om Shanti Madhuban
“ପୂର୍ବଜ ଏବଂ ପୂଜ୍ୟ
ସ୍ୱରୂପର ସ୍ୱମାନରେ ରହି ବିଶ୍ୱର ପ୍ରତ୍ୟେକ ଆତ୍ମାଙ୍କର ପାଳନା କର, ଆଶୀର୍ବାଦ ଦିଅ, ଆଶୀର୍ବାଦ
ନିଅ”
ଆଜି ବାପଦାଦା ନିଜର
ଚାରିଆଡର ସର୍ବଶ୍ରେଷ୍ଠ ପିଲାମାନଙ୍କୁ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନ ପୂର୍ବଜ ମଧ୍ୟ ଅଟ ଏବଂ
ପୂଜ୍ୟ ମଧ୍ୟ ଅଟ । ସେଥିପାଇଁ ଏହି ସୃଷ୍ଟି ରୂପୀ କଳ୍ପ ବୃକ୍ଷର ତୁମେମାନେ ମୂଳ ମଧ୍ୟ ଅଟ ଏବଂ
କାଣ୍ଡ ମଧ୍ୟ ଅଟ । ତେବେ କାଣ୍ଡର ସମ୍ପର୍କ ସାରା ବୃକ୍ଷର ଶାଖା ପ୍ରଶାଖା ସହିତ ଏବଂ ପତ୍ର ସହିତ
ସ୍ୱତଃ ହିଁ ରହିଥାଏ । ତେଣୁ ସମସ୍ତେ ନିଜକୁ ଏହିଭଳି ଶ୍ରେଷ୍ଠ ଆତ୍ମା, ସାରା ବୃକ୍ଷର ପୂର୍ବଜ
ଆତ୍ମା ବୋଲି ଭାବୁଛ? ଯେପରି ବ୍ରହ୍ମାଙ୍କୁ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦି ପିତା
କୁହାଯାଉଛି, ସେହିପରି ତାଙ୍କର ସାଥୀ ହିସାବରେ ତୁମେମାନେ ମଧ୍ୟ ମାଷ୍ଟର ଆଦିପିତା ଅଟ । ତେବେ
ପୂର୍ବଜ ଆତ୍ମାମାନଙ୍କର କେତେ ସ୍ୱମାନ ରହିଛି! ସେହି ନିଶାରେ ରହୁଛ ତ? ସାରା ବିଶ୍ୱର
ଆତ୍ମାମାନଙ୍କ ଭିତରେ ଚାହେଁ ଯେକୌଣସି ଧର୍ମର ଆତ୍ମା ହୋଇଥାଉ ନା କାହିଁକି, କିନ୍ତୁ ସର୍ବ
ଆତ୍ମାମାନଙ୍କର ତୁମେମାନେ ବୃକ୍ଷର କାଣ୍ଡ ରୂପରେ ଆଧାରମୂରତ ତଥା ପୂର୍ବଜ ଅଟ ଏବଂ ପୂର୍ବଜ
ହୋଇଥିବା କାରଣରୁ ପୂଜ୍ୟ ମଧ୍ୟ ଅଟ । ତେଣୁ ପୂର୍ବଜ ଆତ୍ମାମାନଙ୍କ ଦ୍ୱାରା ପ୍ରତ୍ୟେକ ଆତ୍ମାଙ୍କୁ
ସ୍ୱତଃ ହିଁ ସକାଶ ଅର୍ଥାତ୍ ଶକ୍ତି ମିଳିଥାଏ । ଯେପରି କୌଣସି ବୃକ୍ଷକୁ ତା’ର କାଣ୍ଡ ଦ୍ୱାରା ଏବଂ
ମୂଳ ବା ଚେର ଦ୍ୱାରା ଶେଷ ପତ୍ରକୁ ମଧ୍ୟ ଭୋଜନ ରୂପୀ ସକାଶ ମିଳିଥାଏ । ସେହିପରି ତୁମ ଭଳି
ପୂର୍ବଜମାନଙ୍କର ମଧ୍ୟ କାର୍ଯ୍ୟ କ’ଣ ହେବା ଦରକାର? ପୂର୍ବଜ ମାନଙ୍କର କାର୍ଯ୍ୟ ହେଲା ସମସ୍ତଙ୍କର
ପାଳନା କରିବା । ଲୌକିକ ହିସାବରେ ମଧ୍ୟ ଦେଖ ପୂର୍ବଜମାନଙ୍କ ଦ୍ୱାରା ହିଁ ଚାହେଁ ଶାରୀରିକ
ଶକ୍ତିର ପାଳନା ହେଉ, ଯାହାକି ଭୋଜନ ଦ୍ୱାରା ବା ପାଠପଢା ଦ୍ୱାରା ଶକ୍ତି ଭରିବାର ପାଳନା ହୋଇଥାଏ
। ତେଣୁ ତୁମେ ପୂର୍ବଜ ଆତ୍ମାମାନଙ୍କୁ ବାବାଙ୍କ ଦ୍ୱାରା ମିଳିଥିବା ଶକ୍ତିଗୁଡିକ ଦ୍ୱାରା ସର୍ବ
ଆତ୍ମାମାନଙ୍କର ପାଳନା କରିବାକୁ ହେବ ।
ଆଜିକାଲିର ସମୟ ଅନୁସାରେ
ସର୍ବ ଆତ୍ମାମାନଙ୍କୁ, ସର୍ବଶକ୍ତିର ପାଳନା ଦେବାର ଆବଶ୍ୟକତା ରହିଛି । ତୁମେମାନେ ତ ଜାଣିଛ ଯେ
ଆଜିକାଲି ଆତ୍ମାମାନଙ୍କ ଭିତରେ ଦୁଃଖ-ଅଶାନ୍ତି ଭରି ରହିଛି । ତେଣୁ ତୁମେ ପୂର୍ବଜ ଏବଂ ପୂଜ୍ୟ
ଆତ୍ମାମାନଙ୍କୁ ନିଜର ବଂଶାବଳୀମାନଙ୍କ ଉପରେ କ’ଣ ଦୟା ଆସୁନାହିଁ? ଯେପରି ଦୁନିଆରେ ଯଦି କୌଣସି
ବିଶେଷ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ ତେବେ ବିଶେଷ ରୂପରେ ମିଲିଟାରୀ ବା ପୋଲିସ୍ ବାହିନୀ
ମଧ୍ୟ ସଜାଗ ହୋଇଯାଆନ୍ତି । ସେହିପରି ଆଜିକାଲିର ବାତାବରଣ ଅନୁସାରେ ତୁମେ ପୂର୍ବଜ ଆତ୍ମାମାନେ
ମଧ୍ୟ ବିଶେଷ ସେବା ଅର୍ଥେ ନିଜକୁ ନିମିତ୍ତ ମନେ କରୁଛ ତ! ଆମେ ସାରା ବିଶ୍ୱର ଆତ୍ମାମାନଙ୍କର
ନିମିତ୍ତ ଅଟୁ - ଏହି ସ୍ମୃତି ରହୁଛି ତ? ସାରା ବିଶ୍ୱର ଆତ୍ମାମାନଙ୍କୁ ଆଜି ତୁମମାନଙ୍କର ସକାଶର
ଆବଶ୍ୟକତା ରହିଛି । ଏହିଭଳି ବେହଦ ବିଶ୍ୱର ପୂର୍ବଜ ଆତ୍ମା ବୋଲି ନିଜକୁ ଅନୁଭବ କରୁଛ! ବିଶ୍ୱର
ସେବା ମନେ ପଡୁଛି, ନା କେବଳ ନିଜର ସେଣ୍ଟରର ସେବା ମନେ ପଡୁଛି? ଆଜି ସର୍ବ ଆତ୍ମାମାନେ ତୁମେ
ପୂର୍ବଜ ଆତ୍ମାମାନଙ୍କୁ ହିଁ ଡାକୁଛନ୍ତି । ପ୍ରତ୍ୟେକ ଆତ୍ମା ନିଜ ନିଜର ଭିନ୍ନ ଭିନ୍ନ
ଦେବୀମାନଙ୍କୁ ବା ଦେବତାମାନଙ୍କୁ ଡାକୁଛନ୍ତି - ଆପଣ ଆସନ୍ତୁ, ଆମକୁ କ୍ଷମା କରି ଦିଅନ୍ତୁ ଏବଂ
କୃପା କରନ୍ତୁ । ତେଣୁ ଭକ୍ତମାନଙ୍କର ଡାକରା ଶୁଭୁଛି ତ? କ’ଣ ଶୁଭୁଛି ନା ନାହିଁ? ତେବେ ସେ ଯେଉଁ
ଧର୍ମର ଆତ୍ମା ହୋଇଥାଆନ୍ତୁ ନା କାହିଁକି, ଯେତେବେଳେ ସେମାନଙ୍କ ସହିତ ମିଶୁଛ ନିଜକୁ ସର୍ବ
ଆତ୍ମାମାନଙ୍କର ପୂର୍ବଜ ମନେ କରି ମିଶୁଛ ତ? କ’ଣ ଏଭଳି ଅନୁଭବ ହେଉଛି ଯେ ଏମାନେ ମଧ୍ୟ ଆମେ
ପୂର୍ବଜ ଆତ୍ମାମାନଙ୍କର ହିଁ ଶାଖାପ୍ରଶାଖା ଅଟନ୍ତି! ସେମାନଙ୍କୁ ମଧ୍ୟ ସକାଶ ଦେବାବାଲା ତୁମେ
ପୂର୍ବଜ ଆତ୍ମା ଅଟ । ନିଜର କଳ୍ପ ବୃକ୍ଷର ଚିତ୍ରକୁ ସମ୍ମୁଖକୁ ଆଣ । ନିଜକୁ ଦେଖ ତୁମର ସ୍ଥାନ
କେଉଁଠି! ମୂଳରେ ମଧ୍ୟ ତୁମେମାନେ ଅଛ ଏବଂ କାଣ୍ଡ ମଧ୍ୟ ତୁମେମାନେ ହିଁ ଅଟ । ଏହା ସହିତ ପରମଧାମରେ
ମଧ୍ୟ ଦେଖ ତୁମେ ପୂର୍ବଜ ଆତ୍ମାମାନଙ୍କର ସ୍ଥାନ ବାବାଙ୍କ ସହିତ ପାଖାପାଖି ହିଁ ରହିଛି । ଏହା ତ
ଜାଣିଛ ନା! ଯଦି ଏହି ନିଶାରେ ରହି ଯେକୌଣସି ଧର୍ମର ଆତ୍ମା ସହିତ ମିଶୁଛ ତେବେ ସେମାନେ ତୁମକୁ,
ଆପଣାର ମନେ କରୁଛନ୍ତି ଏବଂ ସେହି ଦୃଷ୍ଟିରେ ଦେଖୁଛନ୍ତି । ଯଦି ସେହିଭଳି ପୂର୍ବଜ ପଣିଆର ନିଶାରେ,
ସ୍ମୃତିରେ, ମନୋବୃତ୍ତିରେ ବା ଦୃଷ୍ଟିର ସହିତ ମିଶୁଛ ତେବେ ସେମାନଙ୍କୁ ମଧ୍ୟ ନିଜର ପଣିଆର ଆଭାସ
ହେଉଛି କାହିଁକି ନା ତୁମେ ସମସ୍ତଙ୍କର ପୂର୍ବଜ ଅଟ, ସମସ୍ତଙ୍କର ଅଟ । ଏହି ସ୍ମୃତିରେ ସେବା କରିବା
ଦ୍ୱାରା ପ୍ରତ୍ୟେକ ଆତ୍ମା ଅନୁଭବ କରିବେ ଯେ ଏମାନେ ଆମର ହିଁ ପୂର୍ବଜ ବା ଇଷ୍ଟ ଅଟନ୍ତି ଯିଏକି
ପୁନର୍ବାର ଆମକୁ ମିଳିଗଲେ । ପୁଣି ପୂଜ୍ୟ ହେବାରେ ମଧ୍ୟ ଦେଖ କେତେ ବଡ ପୂଜା ହେଉଛି, କୌଣସି ବି
ଧର୍ମାତ୍ମାଙ୍କର ବା ମହାତ୍ମାଙ୍କର ତୁମ ଦେବୀ-ଦେବତାମାନଙ୍କ ଭଳି ବିଧିପୂର୍ବକ ପୂଜା ହେଉ ନାହିଁ
। ସେମାନେ ମଧ୍ୟ ପୂଜ୍ୟ ହେଉଛନ୍ତି କିନ୍ତୁ ତୁମମାନଙ୍କ ଭଳି ବିଧିପୂର୍ବକ ପୂଜା ହେଉ ନାହିଁ ।
ଗାୟନରେ ମଧ୍ୟ କେତେ ବିଧିପୂର୍ବକ କୀର୍ତ୍ତନ କରୁଛନ୍ତି ଅର୍ଥାତ୍ କୀର୍ତ୍ତୀଗାନ କରୁଛନ୍ତି ଏବଂ
ଆରତୀ କରୁଛନ୍ତି । ତେବେ ଏହିଭଳି ପୂଜ୍ୟ ମଧ୍ୟ ତୁମେ ପୂର୍ବଜ ଆତ୍ମମାନେ ହିଁ ହେଉଛ । ତେଣୁ ନିଜକୁ
ଏହିଭଳି ମନେ କରୁଛ ତ? ଏହିଭଳି ନିଶା ଅଛି ତ? କ’ଣ କହୁଛ? ଯେଉଁମାନେ ଭାବୁଛନ୍ତି ଆମେ ପୂର୍ବଜ
ଆତ୍ମା ଏବଂ ସେହି ନିଶାରେ ଏବଂ ସ୍ମୃତିରେ ରହୁଛନ୍ତି ସେମାନେ ହାତ ଉଠାଅ । କ’ଣ ନିଶା ରହୁଛି ତ?
ଆଚ୍ଛା! ତେବେ ନିଶା ରହୁଛି ଏଥିରେ ହାତ ଉଠାଇଲ, ବହୁତ ଭଲ କଥା । ଏବେ ଦ୍ୱିତୀୟ ପ୍ରଶ୍ନଟି କ’ଣ
ହୋଇଥିବ? ସବୁବେଳେ ନିଶା ରହୁଛି? କାହିଁକି ନା ବାପଦାଦା ସବୁ ପିଲାଙ୍କୁ ସର୍ବ ପ୍ରାପ୍ତିରେ
ଅବିନାଶୀ ଦେଖିବାକୁ ଚାହୁଁଛନ୍ତି । କେବେ କେବେ ନୁହେଁ, କାହିଁକି ଜାଣିଛ? ଏହାର ଉତ୍ତର ମଧ୍ୟ
ବହୁତ ଚତୁରତା ପୂର୍ବକ ଦେଉଛନ୍ତି, କ’ଣ କହୁଛନ୍ତି ଜାଣିଛ? ରହୁଛୁ ତ.... ଆଚ୍ଛା, ତେବେ ରହୁଛ ।
ତା’ପରେ ଧୀରେ ଧୀରେ କହୁଛନ୍ତି ଟିକିଏ କେବେ କେବେ ହୋଇଯାଉଛି । ଦେଖ ବାବା ମଧ୍ୟ ଅବିନାଶୀ, ତୁମେ
ଆତ୍ମାମାନେ ମଧ୍ୟ ଅବିନାଶୀ, ପ୍ରାପ୍ତିଗୁଡିକ ମଧ୍ୟ ଅବିନାଶୀ ଏବଂ ଜ୍ଞାନ ମଧ୍ୟ ଅବିନାଶୀ,
ପରମାତ୍ମାଙ୍କ ଦ୍ୱାରା ଅବିନାଶୀ ଅଟେ । ତେଣୁ ଧାରଣା ମଧ୍ୟ କେଉଁ ଭଳି ହେବା ଦରକାର? ଅବିନାଶୀ
ହେବା ଦରକାର, ନା କେବେ କେବେ ହେବା ଦରକାର?
ବାପଦାଦା ବର୍ତ୍ତମାନ ସବୁ
ପିଲାଙ୍କୁ ସମୟ ଏବଂ ପରିସ୍ଥିତି ଅନୁସାରେ ବେହଦର ସେବାରେ ସର୍ବଦା ବ୍ୟସ୍ତ ରହିବାର ଦେଖିବାକୁ
ଚାହୁଁଛନ୍ତି କାହିଁକି ନା ସେବାରେ ବ୍ୟସ୍ତ ରହିବା କାରଣରୁ ଅନେକ ପ୍ରକାରର ହଲଚଲ୍ରୁ ସୁରକ୍ଷିତ
ରହିଯାଉଛ । କିନ୍ତୁ ଯେତେବେଳେ ବି କୌଣସି ସେବା କରୁଛ, ବା ସେବାର ଯୋଜନା କରୁଛ ବା ଯୋଜନା
ଅନୁସାରେ କର୍ମ ମଧ୍ୟ କରୁଛ ଏବଂ ସେଥିରେ ସଫଳତା ମଧ୍ୟ ମିଳୁଛି କିନ୍ତୁ ବାପଦାଦା ଚାହୁଁଛନ୍ତି ଯେ
ଏକା ସମୟରେ ତିନି ପ୍ରକାରର ସେବା ଏକାଠି ହେବା ଦରକାର । କେବଳ ବାଣୀ ସେବା ନ ହେଉ, ସଂକଳ୍ପ
ଦ୍ୱାରା ମଧ୍ୟ ହେଉ ଏବଂ କର୍ମଣା ଅର୍ଥାତ୍ ସମ୍ବନ୍ଧ-ସମ୍ପର୍କରେ ଆସିବା ସମୟରେ ମଧ୍ୟ ସେବା ହେଉ ।
ସର୍ବଦା ସେବାର ଭାବ ଏବଂ ସେବାର ଭାବନା ରହୁ । ବର୍ତ୍ତମାନ ସମୟରେ କିନ୍ତୁ ବାଣୀ ଦ୍ୱାରା ସେବା
କରିବାର ପରିମାଣ ଅଧିକ ଅଟେ, ମାନସୀକ ସେବା ମଧ୍ୟ କରୁଛ କିନ୍ତୁ ବାଣୀ ଦ୍ୱାରା ସେବାର ମାତ୍ରା
ଅଧିକ ଅଟେ । ତେଣୁ ଗୋଟିଏ ସମୟରେ ତିନି ପ୍ରକାରର ସେବା ଏକାଠି ହେବା ଦ୍ୱାରା ସେବାରେ ସଫଳତା
ମଧ୍ୟ ଅଧିକ ମିଳିବ ।
ବାପଦାଦା ସମାଚାର
ଶୁଣିଛନ୍ତି ଯେ ଏହି ଗ୍ରୃପରେ ମଧ୍ୟ ଭିନ୍ନ ଭିନ୍ନ ବର୍ଗର ପିଲାମାନେ ଆସିଛନ୍ତି ଏବଂ ଭଲ ଭଲ
ସେବାର ଯୋଜନା ସବୁ କରୁଛନ୍ତି । ଭଲ ସେବା ତ କରୁଛ କିନ୍ତୁ ତିନି ପ୍ରକାରର ସେବା ଏକାଠି ହେବା
ଦ୍ୱାରା ସେବାର ଗତିରେ ଅଧିକ ବୃଦ୍ଧି ହୋଇଯିବ । ଏବେ ତ ଚାରିଆଡୁ ସବୁ ପିଲାମାନେ ଆସି ପହଞ୍ଚି
ଗଲେଣି । ଏହା ଦେଖି ବାପଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି । ନୂଆ ନୂଆ ପିଲାମାନେ ଉମଙ୍ଗ-ଉତ୍ସାହର
ସହିତ ଆସି ପହଞ୍ଚି ଯାଉଛନ୍ତି ।
ଏବେ ବାପଦାଦା ସବୁ
ପିଲାଙ୍କୁ ସଦା ନିର୍ବିଘ୍ନ ସ୍ୱରୂପରେ ଦେଖିବାକୁ ଚାହୁଁଛନ୍ତି, କାହିଁକି ଜାଣିଛ? ଯଦି ତୁମେ
ନିମିତ୍ତ ହୋଇଥିବା ଆତ୍ମାମାନେ ନିର୍ବିଘ୍ନ ସ୍ଥିତିରେ ସ୍ଥିତ ରହିବ ତେବେ ଯାଇ ବିଶ୍ୱର
ଆତ୍ମାମାନଙ୍କୁ ସର୍ବ ସମସ୍ୟାଗୁଡିକରୁ ନିର୍ବିଘ୍ନ କରିପାରିବ । ଏଥିପାଇଁ ବିଶେଷ କରି ଦୁଇଟି କଥା
ଉପରେ ଅଧିକ ଗୁରୁତ୍ୱ ଦିଅ । ଯଦିଓ ତାହା କରୁଛ କିନ୍ତୁ ଏବେ ଆହୁରି ଅଧିକ ଗୁରୁତ୍ୱ ଦିଅ । ଗୋଟିଏ
ହେଲା ପ୍ରତ୍ୟେକ ଆତ୍ମାଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖ, ଆତ୍ମାର ମୂଳ ସଂସ୍କାରର ସ୍ୱରୂପରେ ଦେଖ ।
ଚାହେଁ ଯେଉଁଭଳି ସଂସ୍କାରର ଆତ୍ମା ହୋଇଥାଉ କିନ୍ତୁ ତୁମମାନଙ୍କର ପ୍ରତ୍ୟେକ ଆତ୍ମା ପ୍ରତି
ଶୁଭଭାବନା, ଶୁଭକାମନା, ପରିବର୍ତ୍ତନର ଶ୍ରେଷ୍ଠ ଭାବନା ସେମାନଙ୍କର ସଂସ୍କାରକୁ କିଛି ସମୟ ପାଇଁ
ପରିବର୍ତ୍ତନ କରିପାରିବ । ତେଣୁ ନିଜର ଆତ୍ମିକ ଭାବକୁ ଏବେ ଜାଗ୍ରତ କର । ଯେପରି ଆରମ୍ଭ ସମୟରେ
ଦେଖିଥିଲ, ସଂଗଠନ ଭିତରେ ରହି, ଆତ୍ମିକ ଦୃଷ୍ଟି, ଆତ୍ମିକ ବୃତ୍ତି ଆତ୍ମା ଆତ୍ମା ସହିତ ମିଶୁଛି,
କଥା ହେଉଛି - ଏହିଭଳି ଦୃଷ୍ଟି ରଖିବା ଦ୍ୱାରା ପିଲାମାନଙ୍କର ମୂଳଦୁଆ କେତେ ପକ୍କା ହୋଇଗଲା । ଏବେ
ସେବାର ବିସ୍ତାର ଭିତରେ, ସେବାର ବିସ୍ତାରର ସମ୍ବନ୍ଧରେ ଆତ୍ମିକ ଭାବ, ରଖି ଚାଲିବା, କଥା କହିବା,
ସମ୍ପର୍କରେ ଆସିବା ସୁପ୍ତ ହୋଇଯାଇଛି । ସମାପ୍ତ ହୋଇ ନାହିଁ କିନ୍ତୁ ସୁପ୍ତ ହୋଇଯାଇଛି । ତେବେ
ଆତ୍ମିକ ସ୍ୱମାନ ହିଁ ଆତ୍ମାକୁ ସହଜରେ ସଫଳତା ପ୍ରାପ୍ତ କରାଇଥାଏ କାହିଁକି ନା ତୁମେ ସବୁ କେଉଁଭଳି
ଆତ୍ମାମାନେ ଏଠାରେ ଏକାଠି ହୋଇଛ? ସେହି କଳ୍ପ ପୂର୍ବର ଦେବାତ୍ମାମାନେ, ବ୍ରାହ୍ମଣ ଆତ୍ମାମାନେ
ହିଁ ଏଠାରେ ଏକାଠି ହୋଇଛ । ତେବେ ବ୍ରାହ୍ମଣ ଆତ୍ମା ରୂପରେ ମଧ୍ୟ ସମସ୍ତେ ଶ୍ରେଷ୍ଠ ଆତ୍ମା ଅଟ ।
ଦେବାତ୍ମା ହିସାବରେ ମଧ୍ୟ ସମସ୍ତେ ଶ୍ରେଷ୍ଠ ଆତ୍ମା ଅଟ । ତେଣୁ ସେହି ସ୍ୱରୂପରେ ରହି ସମସ୍ତଙ୍କର
ସହିତ ସମ୍ବନ୍ଧ-ସମ୍ପର୍କରେ ଆସ । ସବୁ ସମୟରେ ଚେକ୍ କର ଯେ ମୋ ଭଳି ଦେବାତ୍ମା ବା ବ୍ରାହ୍ମଣ
ଆତ୍ମାର ଶ୍ରେଷ୍ଠ କର୍ତ୍ତବ୍ୟ ଏବଂ ଶ୍ରେଷ୍ଠ ସେବା କ’ଣ? “ଆଶୀର୍ବାଦ ଦେବା ଏବଂ ଆଶୀର୍ବାଦ ନେବା”
ତୁମମାନଙ୍କର ଜଡ ଚିତ୍ର କେଉଁ ସେବା କରୁଛି? ଯେପରି ବି ଆତ୍ମା ହୋଇଥାଉ ନା କାହିଁକି,ସେ
ଆଶୀର୍ବାଦ ନେବା ପାଇଁ ହିଁ ଯାଇଥାଏ ଏବଂ ଆଶୀର୍ବାଦ ନେଇଆସିଥାଏ । ଅନ୍ୟ କୌଣସି ପୁରୁଷାର୍ଥ
କରିବାକୁ ଯଦି ମେହନତ ଲାଗୁଛି ତେବେ ସବୁଠାରୁ ସହଜ ପୁରୁଷାର୍ଥ ହେଲା ସାରା ଦିନ ଦୃଷ୍ଟି ଦ୍ୱାରା,
ବୃତ୍ତି ଦ୍ୱାରା, ବାଣୀ ଦ୍ୱାରା ଏବଂ ଭାବନା ଦ୍ୱାରା ଆଶୀର୍ବାଦ ଦିଅ ଏବଂ ଆଶୀର୍ବାଦ ନିଅ ।
ତୁମମାନଙ୍କର ଉପାଧି ତଥା ବରଦାନ ହିଁ ହେଉଛି ମହାଦାନୀ । ସେବା କରିବା ସମୟରେ, କାର୍ଯ୍ୟକ୍ଷେତ୍ରରେ
ସମସ୍ତଙ୍କର ସହିତ ସମ୍ବନ୍ଧ-ସମ୍ପର୍କରେ ଆସିବାରେ କେବଳ ଏହି କାର୍ଯ୍ୟ କର - ଆଶୀର୍ବାଦ ଦିଅ ଏବଂ
ଆଶୀର୍ବାଦ ନିଅ । ଏହା କ’ଣ ମୁଶକିଲ୍ ଅଟେ କି? ନା ସହଜ ଅଟେ? ଯେଉଁମାନେ ଭାବୁଛନ୍ତି ସହଜ ଅଟେ
ସେମାନେ ହାତ ଉଠାଅ । ଯଦି କେହି ତୁମକୁ ବିରୋଧ କରୁଛି ତେବେ ବି ତା’କୁ ଆଶୀର୍ବାଦ ଦେଇପାରିବ?
କ’ଣ କହୁଛ? ଏତିକି ଆଶୀର୍ବାଦର ଷ୍ଟକ୍ ତୁମ ପାଖରେ ଅଛି ତ? ତେବେ ବିରୋଧ ତ ନିଶ୍ଚିତ ହେବ କାହିଁକି
ନା ବିରୋଧ ଅର୍ଥାତ୍ ଅପୋଜିସନ୍ ହିଁ ତୁମମାନଙ୍କୁ ତୁମର ପୋଜିଶନ୍ରେ ଅର୍ଥାତ୍ ଯଥାର୍ଥ ପଦରେ
ପହଞ୍ଚାଇ ଦେବ । ଦେଖ ସବୁଠାରୁ ଅଧିକ ଅପୋଜିଶନ୍ ବ୍ରହ୍ମାବାବାଙ୍କ ପ୍ରତି ହୋଇଥିଲା ନା! ଏବଂ
ନମ୍ବରୱାନ ପୋଜିଶନ ମଧ୍ୟ କିଏ ପାଇଲା? ବ୍ରହ୍ମା ହିଁ ପାଇଲେ ନା । ତେଣୁ ଯାହା ବି ହୋଇଯାଉ କିନ୍ତୁ
ମୋତେ ବ୍ରହ୍ମାବାବାଙ୍କ ଭଳି ସମସ୍ତଙ୍କୁ ଆଶୀର୍ବାଦ ଦେବାର ଅଛି । କ’ଣ ବ୍ରହ୍ମାବାବାଙ୍କ ସାମନାରେ
ବ୍ୟର୍ଥ କହିବାବାଲା, ବ୍ୟର୍ଥ କରିବାବାଲା ନଥିଲେ? କିନ୍ତୁ ବ୍ରହ୍ମାବାବା ସେମାନଙ୍କୁ ମଧ୍ୟ
ଆଶୀର୍ବାଦ ଅର୍ଥାତ୍ ଦୁଆ ଦେଇଥିଲେ ଏବଂ ଦୁଆ ନେଇଥିଲେ । ସାମହିତ କରିବାର ଶକ୍ତିକୁ ଧାରଣ କରିଥିଲେ
। କହୁଥିଲେ ଏବେ ତ ଛୋଟ ପିଲା ଅଛି ଆଗକୁ ନିଶ୍ଚିତ ବଦଳିଯିବ । ସେହିପରି ତୁମେମାନେ ମଧ୍ୟ
ସମସ୍ତଙ୍କ ପ୍ରତି ଏହିଭଳି ଦୃଷ୍ଟି-ବୃତ୍ତି ରଖ - ଇଏ କଳ୍ପ ପୂର୍ବର ଆମରି ପରିବାରର ଆତ୍ମା,
ବ୍ରାହ୍ମଣ ପରିବାରର ଆତ୍ମା । ତେଣୁ ପ୍ରଥମେ ମୁଁ ପରିବର୍ତ୍ତନ ହୋଇ ଏହାକୁ ମଧ୍ୟ ପରିବର୍ତ୍ତନ
କରିବି । ଇଏ ବଦଳିଲେ ଯାଇ ମୁଁ ବଦଳିବି - ଏହା ନୁହେଁ । ମୋତେ ହିଁ ପରିବର୍ତ୍ତନ ହେବାକୁ ପଡିବ
ଏବଂ ଏମାନଙ୍କୁ ପରିବର୍ତ୍ତନ କରିବାକୁ ପଡିବ, ଏହା ମୋ’ର ଦାୟିତ୍ୱ, ତେବେ ଯାଇ ଦୁଆ ବାହାରିବ ଏବଂ
ଦୁଆ ମିଳିବ । ଏବେ ତ ସମୟ ଦୃତ ଗତିରେ ପରିବର୍ତ୍ତନ ଆଡକୁ ଗତି କରୁଛି, ଅତି ଆଡକୁ ଯାଉଛି କିନ୍ତୁ
ସମୟ ପରିବର୍ତ୍ତନ ପୂର୍ବରୁ ତୁମେ ବିଶ୍ୱ ପରିବର୍ତ୍ତକ ଶ୍ରେଷ୍ଠ ଆତ୍ମାମାନେ ନିଜର ସ୍ୱ
ପରିବର୍ତ୍ତନ ଦ୍ୱାରା ସମସ୍ତଙ୍କର ପରିବର୍ତ୍ତନର ଆଧାର ମୂରତ ହୁଅ । କାହିଁକି ନା ତୁମେମାନେ ହିଁ
ବିଶ୍ୱର ଆଧାର ମୂରତ ଉଦ୍ଧାର ମୂରତ ଅଟ । ତେଣୁ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ଏହି ଲକ୍ଷ୍ୟ ରଖ ଯେ
ମୋତେ ନିମିତ୍ତ ହେବାକୁ ପଡିବ । ଏଥିପାଇଁ କେବଳ ତିନୋଟି କଥା ସଂକଳ୍ପ ମାତ୍ରରେ ମଧ୍ୟ ନ ରହୁ,
ଏଭଳି ପରିବର୍ତ୍ତନ କର । ଗୋଟିଏ ହେଲା - ପରଚିନ୍ତନ, ଦ୍ୱିତୀୟରେ - ପରଦର୍ଶନ । ସ୍ୱଦର୍ଶନ
ପରିବର୍ତ୍ତେ ପରଦର୍ଶନ ନ ହେଉ । ତୃତୀୟରେ - ପରମତ ବା ପରସଂଗ ବା କୁସଙ୍ଗ । ସର୍ବଦା ଶ୍ରେଷ୍ଠ
ସଂଗ କର କାହିଁକି ନା ସଂଗଦୋଷ ବହୁତ କ୍ଷତି କରିଥାଏ । ପୂର୍ବରୁ ମଧ୍ୟ ବାପଦାଦା କହିଥିଲେ - କେବଳ
ଗୋଟିଏ ପରଉପକାରୀ ହୁଅ, ଆଉ ତିନୋଟି ପର କାଟିଦିଅ, ପରଚିନ୍ତନ, ପରଦର୍ଶନ୍, ପରମତ ଅର୍ଥାତ୍
କୁସଙ୍ଗ ବା ଫାଲତୁ ସଂଗ । କେବଳ ପରଉପକାରୀ ହୁଅ ତେବେ ଯାଇ ଆଶୀର୍ବାଦ ବା ଦୁଆ ମିଳିବ ଏବଂ ଦୁଆ
ଦେଇପାରିବ । ଯିଏ ଯାହା ବି ଦେଉ କିନ୍ତୁ ତୁମେ ଦୁଆ ହିଁ ଦିଅ । ଏତିକି ସାହସ ଅଛି ତ? ଅଛି ସାହସ?
ତେବେ ବାପଦାଦା ଚାରିଆଡର ସମସ୍ତ ସେଣ୍ଟରରୁ ଆସିଥିବା ପିଲାମାନଙ୍କୁ କହୁଛନ୍ତି - ଯଦି ତୁମେ
ସମସ୍ତେ ସାହସ ରଖିବ, ଯିଏ ଯାହା ବି ଦେଉ କିନ୍ତୁ ଆମକୁ ଦୁଆ ହିଁ ଦେବାର ଅଛି, ତେବେ ବାପଦାଦା ଏହି
ବର୍ଷ ସାହସ ରଖିବା କାରଣରୁ ଅତିରିକ୍ତ ସହଯୋଗ ମଧ୍ୟ ଦେବେ । କିଛି ଅଧିକ ସାହାଯ୍ୟ କରିବେ ।
କିନ୍ତୁ ଆଶୀର୍ବାଦ ସମସ୍ତଙ୍କୁ ଦେବାକୁ ହେବ । ଏଥିରେ କୌଣସି ଗୋଳମାଳ କରିବ ନାହିଁ ।
ବାପଦାଦାଙ୍କ ପାଖକୁ ତ ସାରା ରେକର୍ଡ ଆସୁଛି ନା! ସଂକଳ୍ପରେ ମଧ୍ୟ ଆଶୀର୍ବାଦ ବ୍ୟତୀତ ଅନ୍ୟ କିଛି
ବି ନ ରହୁ । କ’ଣ ଅଛି ସାହସ? ଯଦି ଅଛି ତେବେ ହାତ ଉଠାଅ । ଦେଖ କରିବାକୁ ପଡିବ । କେବଳ ହାତ
ଉଠାଇ ଦିଅ ନାହିଁ । କରିବ ତ? ମଧୁବନ ନିବାସୀ ଏବଂ ଟୀଚରମାନେ କରିବ ତ? ଆଚ୍ଛା - ଏକ୍ସଟ୍ରା
ମାକର୍ସ ଜମା କରିବ ତ? ଅଭିନନ୍ଦନ । କାହିଁକି ଜାଣିଛ? ବାପଦାଦାଙ୍କ ପାଖକୁ ଆଡଭାନ୍ସ ପାର୍ଟୀ ବାଲା
ବାରମ୍ବାର ଆସୁଛନ୍ତି । ସେମାନେ କହୁଛନ୍ତି ଆମକୁ ତ ଆଡଭାନ୍ସ ପାର୍ଟୀର ପାର୍ଟ ଦେଇଛନ୍ତି, ତାକୁ
ତ ଆମେ କରୁଛୁ କିନ୍ତୁ ଆମର ସାଥୀମାନେ ନିଜର ଆଡଭାନ୍ସ ସ୍ଥିତି କାହିଁକି କରୁ ନାହାଁନ୍ତି, ଏବେ
ମୁଁ ତାଙ୍କୁ କ’ଣ ଉତ୍ତର ଦେବି? କ’ଣ ଉତ୍ତର ଦେବି? ତେବେ ତୁମମାନଙ୍କର ଆଡଭାନ୍ସ ସ୍ଥିତି ଏବଂ
ଆଡଭାନ୍ସ ପାର୍ଟୀ ବାଲାଙ୍କର ପାର୍ଟ ଉଭୟ ମିଶିଲେ ଯାଇ ସମାପ୍ତି ହେବ । ତେଣୁ ସେମାନେ ଯେତେବେଳେ
ପଚାରୁଛନ୍ତି ମୁଁ ତାଙ୍କୁ କ’ଣ ଉତ୍ତର ଦେବି? କେତେ ବର୍ଷରେ ହେବ? ସବୁ ତ ପାଳନ କରିନେଲ । ସିଲଭର୍
ଜୁବଲୀ, ଗୋଲ୍ଡେନ୍ ଜୁବଲୀ, ଡାଇମଣ୍ଡ ଜୁବଲୀ, ସବୁ ତ ପାଳନ କରିଦେଲ । ଏବେ ନିଜର ଆଡଭାନ୍ସ
ସ୍ଥିତିର ସମାରୋହ ପାଳନ କର । ଏହାର ତାରିଖ ନିଧାର୍ଯ୍ୟ କର । ପାଣ୍ଡବମାନେ କୁହ, କ’ଣ ଏହାର କୌଣସି
ତିଥି ନିଧାର୍ଯ୍ୟ ହେବ? କ’ଣ ହେବ! କ’ଣ ଅଚାନକ ହେବ ନା ଧୀରେ ଧୀରେ ହୋଇଯିବ । କୁହ, କିଛି ତ କୁହ
। କ’ଣ କିଛି ଭାବୁଛ କି? ନିବୈରକୁ ପଚରା ଯାଉଛି । କ’ଣ ଏହାର ଉତ୍ସବ ପାଳନ ହେବ, ନା ଅଚାନକ ହେବ?
କ’ଣ ତୁମେ ଦାଦୀଙ୍କୁ ପଚାରୁଛ କି? ଇଏ ଦାଦି ଆଡକୁ ଦେଖୁଛି ଯେ ଦାଦୀ କିଛି କୁହନ୍ତୁ । ତୁମେ କୁହ,
ରମେଶକୁ କୁହାଯାଉଛି ତୁମେ ଶୁଣାଅ? (ଶେଷରେ ତ ଏହା ହେବ ନିଶ୍ଚିତ) ଶେଷ ମଧ୍ୟ କେବେ? (ଆପଣ ତାରିଖ
କୁହନ୍ତୁ ସେହି ତାରିଖ ଭିତରେ କରିନେବୁ) ଆଚ୍ଛା ବାପଦାଦା ଆଉ ଗୋଟିଏ ବର୍ଷ ଅତିରିକ୍ତ ସମୟ
ଦେଉଛନ୍ତି । ସାହସ ରଖିଲେ ଅତିରିକ୍ତ ସାହାଯ୍ୟ ମଧ୍ୟ ମିଳିବ । ଏତିକି କରିପାରିବ ନା! ପ୍ରଥମେ
ଏହାକୁ କରି ଦେଖାଅ ତା’ପରେ ବାବା ତାରିଖ ନିଧାର୍ଯ୍ୟ କରିବେ । (ଆପଣଙ୍କର ନିର୍ଦ୍ଦେଶ ମିଳିଲେ ଏହି
୨୦୦୪ ବର୍ଷକୁ ଏହିଭଳି ପାଳନ କରିଦେବୁ) ଏହାର ଅର୍ଥ ହେଲା ଏବେ ଶୁଦ୍ଧା ସେତିକି ପ୍ରସ୍ତୁତି ହୋଇ
ନାହିଁ । ତେଣୁ ଆଡଭାନ୍ସ ପାର୍ଟୀକୁ ଏବେ ଆଉ ଏକ ବର୍ଷ ତ ରହିବାକୁ ପଡିବ ନା । ଆଚ୍ଛା, କାହିଁକି
ନା ଏବେ ଠାରୁ ଯଦି ଲକ୍ଷ୍ୟ ରଖିବ ଆମେ ନିଶ୍ଚିତ କରିବୁ ତେବେ ବହୁତ କାଳର ପ୍ରାରବ୍ଧରେ ମିଶି
ଯାଇପାରିବ କାରଣ ବହୁତ କାଳର ମଧ୍ୟ ହିସାବ ରହିଛି ନା! ଯଦି ଶେଷରେ କରିବ ତେବେ ବହୁତ କାଳର ହିସାବ
ଠିକ୍ ହେବ ନାହିଁ । ସେଥିପାଇଁ ଏବେଠାରୁ ଏହା ଉପରେ ଅଧିକ ଧ୍ୟାନ ଦିଅ । ଆଚ୍ଛା!
ଏବେ ରୁହାନୀ ଡ୍ରିଲ୍
ସମସ୍ତଙ୍କର ମନେ ଅଛି ତ? ଗୋଟିଏ ସେକେଣ୍ଡ ଭିତରେ ନିଜର ପୂର୍ବଜ ସ୍ଥିତିରେ ସ୍ଥିତି ହୋଇ ପରମଧାମ
ନିବାସୀ ବାବାଙ୍କ ସହିତ ଲାଇଟ୍ ହାଉସ୍ ହୋଇ ବିଶ୍ୱକୁ ଲାଇଟ୍ ଦେଇପାରିବ? ତେବେ ଗୋଟିଏ ସେକେଣ୍ଡ
ଭିତରେ ଦେଶ-ବିଦେଶ ଯେଉଁଠି ବି ଶୁଣୁଛ ବା ଦେଖୁଛ ସମସ୍ତେ ଲାଇଟ୍ ହାଉସ୍ ହୋଇ ସାରା ବିଶ୍ୱରେ
ଚାରିଆଡର ସର୍ବ ଆତ୍ମାଙ୍କୁ ଲାଇଟ୍ ଦିଅ, ସକାଶ ଦିଅ, ଶକ୍ତି ଦିଅ । ଆଚ୍ଛା!
ଚାରିଆଡର ବିଶ୍ୱର
ପୂର୍ବଜ ଏବଂ ପୂଜ୍ୟ ଆତ୍ମାମାନଙ୍କୁ, ସର୍ବଦା ଦାତା ହୋଇ ସମସ୍ତଙ୍କୁ ଆଶୀର୍ବାଦ ଦେଉଥିବା ମହାଦାନୀ
ଆତ୍ମାମାନଙ୍କୁ, ସର୍ବଦା ଦୃଢତା ଦ୍ୱାରା ସ୍ୱପରିବର୍ତ୍ତନ ଆଧାରରେ ସମସ୍ତଙ୍କର ପରିବର୍ତ୍ତନ
କରୁଥିବା ବିଶ୍ୱ ପରିବର୍ତ୍ତକ ଆତ୍ମାମାନଙ୍କୁ, ସର୍ବଦା ଲାଇଟ୍ ହାଉସ୍ ହୋଇ ସର୍ବ ଆତ୍ମାଙ୍କୁ
ଲାଇଟ୍ ଦେଉଥିବା ସମୀପ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ହାର୍ଦ୍ଦିକ
ଆଶୀର୍ବାଦ ସହିତ ନମସ୍ତେ ।
ଦାଦୀଜୀ ଏବଂ ଦାଦୀ ଜାନକୀ
ଜୀଙ୍କ ସହିତ:-
ଭଲ କଥା ଦୁଇ ଜଣ ଦାଦୀ ବହୁତ ଭଲ ପାଳନା ଦେଉଛ । ଭଲ ଭାବରେ ପାଳନା ହେଉଛି ନା! ସମସ୍ତଙ୍କଠାରୁ
କେତେ ଦୁଆ ମିଳୁଛି! ସମସ୍ତଙ୍କୁ ଖୁସି ଲାଗୁଛି, (ଦୁଇଜଣ ଯାକ ଦାଦୀ ବାପଦାଦାଙ୍କ ଗଳାରେ ଲାଗିଲେ)
ଯେପରି ଏହାକୁ ଦେଖି ତୁମମାନଙ୍କୁ ଖୁସି ଲାଗୁଛି ସେହିପରି ଏମାନଙ୍କ ଭଳି ହୋଇଗଲେ କେତେ ଖୁସି
ଲାଗିବ, କାହିଁକି ନା ବାପଦାଦା ଯେହେତୁ ଏମାନଙ୍କୁ ନିମିତ୍ତ କରିଛନ୍ତି ତେବେ ନିଶ୍ଚିତ କିଛି
ବିଶେଷତା ଥିବ, ସେଥିପାଇଁ ତ ନିମିତ୍ତ କରାଯାଇଛି ନା । ଏବଂ ସେହି ବିଶେଷତା ଗୁଡିକ ତୁମ
ସମସ୍ତଙ୍କ ଭିତରେ ଯଦି ଆସିଯିବ ତେବେ କ’ଣ ହେବ? ତୁମର ରାଜ୍ୟ ଆସିଯିବ । ବାପଦାଦା ଯେଉଁ ତାରିଖ
ନିଧାର୍ଯ୍ୟ କରୁଛନ୍ତି ନା ତାହା ଆସିଯିବ । ଏବେ ସମସ୍ତଙ୍କର ମନେ ଅଛି ତ ଏହାର ଡେଟ୍ ଫିକ୍ସ
କରିବାକୁ ପଡିବ । ପ୍ରତ୍ୟେକ ପିଲା ଭାବ ଯେ ମୋତେ ହିଁ ଏହାର ଡେଟ୍ ଫିକ୍ସ୍ କରିବାକୁ ପଡିବ ।
ଏହିଭଳି ଯଦି ସମସ୍ତେ ନିମିତ୍ତ ହୋଇଯିବ ତେବେ ବିଶ୍ୱର ନବ ନିର୍ମାଣ ହୋଇଯିବ । ତେବେ ନିମିତ୍ତ
ଭାବ ହିଁ ସର୍ବଗୁଣର ଖଣି ଅଟେ । କେବଳ ସବୁ ସମୟରେ ଯଦି ଏହି ନିମିତ୍ତ ଭାବ ରହିବ ତେବେ ଅନ୍ୟ ସବୁ
ଗୁଣ ଗୁଡିକ ସହଜରେ ଆସିଯିବ କାହିଁକି ନା ନିମିତ୍ତ ଭାବ ଭିତରେ ମୁଁ ପଣିଆ ନାହିଁ ଏବଂ ଏହି ମୁଁ
ପଣିଆ ହିଁ ତୁମକୁ ହଲଚଲ୍ରେ ନେଇ ଆସୁଛି । ନିମିତ୍ତ ହେବା ଦ୍ୱାରା ମୋ’ର ପଣିଆ ମଧ୍ୟ ସମାପ୍ତ
ହୋଇ ତୋ’ର ତୋ’ର ହୋଇଯିବ ଏବଂ ତୁମେ ସହଜଯୋଗୀ ହୋଇଯିବ । ତେବେ ସମସ୍ତଙ୍କର ଦାଦୀମାନଙ୍କ ପ୍ରତି
ସ୍ନେହ ରହିଛି । ବାପଦାଦାଙ୍କ ପ୍ରତି ମଧ୍ୟ ସ୍ନେହ ଅଛି ତେଣୁ ଏହି ସ୍ନେହର ପ୍ରତିଦାନ ହେଲା -
ବିଶେଷତା ଗୁଡିକରେ ସମାନ ହେବା । ତେଣୁ ଏହିଭଳି ଲକ୍ଷ୍ୟ ରଖ ସେମାନଙ୍କର ବିଶେଷତା ସହିତ ନିଜର
ବିଶେଷତାକୁ ନିଶ୍ଚିତ ସମାନ କରିବୁ । ଯାହା ଭିତରେ ବି କିଛି ବିଶେଷତା ଥିବାର ଦେଖିଛ ତେବେ ତାକୁ
ଅନୁକରଣ କରିପାରିବ । ଯଦି ଆତ୍ମାକୁ ବା ବ୍ୟକ୍ତିକୁ ଦେଖିବ ତେବେ ବିଶେଷତା ଏବଂ ଅବତରଣ ଆକର୍ଷଣ
ଉଭୟ ଦେଖାଯିବ ତେଣୁ ବିଶେଷତାକୁ ଦେଖ ଏବଂ ସେଥିରେ ସମାନ ହୁଅ । ଆଚ୍ଛା!
ବରଦାନ:-
ନିଶ୍ଚୟର ଅଖଣ୍ଡ
ରେଖା ଦ୍ୱାରା ନମ୍ବରୱାନ ଭାଗ୍ୟ ତିଆରି କରୁଥିବା ବିଜୟର ତିଳକ ଧାରୀ ହୁଅ ।
ଯେଉଁମାନେ ନିଶ୍ଚୟ
ବୁଦ୍ଧି ସନ୍ତାନ ସେମାନେ କେବେ ହେଲେ କେମିତି, କିପରିର ବିସ୍ତାରକୁ ଯାଆନ୍ତି ନାହିଁ ।
ସେମାନଙ୍କର ନିଶ୍ଚୟର ଅତୁଟ ରେଖା ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ସ୍ପଷ୍ଟ ଦେଖାଯାଉଥାଏ । ସେମାନଙ୍କର
ନିଶ୍ଚୟର ରେଖା ମଝିରେ ମଝିରେ ଖଣ୍ଡିତ ହୋଇ ନଥାଏ । ଏହିଭଳି ରେଖାଥିବା ଆତ୍ମାର ମସ୍ତକରେ ଅର୍ଥାତ୍
ସ୍ମୃତିରେ ସର୍ବଦା ବିଜୟର ତିଳକ ଦେଖିବାକୁ ମିଳିଥାଏ । ସେମାନେ ଜନ୍ମ ହେବା ମାତ୍ରକେ ସେବାର
ଦାୟିତ୍ୱର ମୁକୁଟଧାରୀ ହୋଇଥା’ନ୍ତି । ସର୍ବଦା ଜ୍ଞାନ ରତ୍ନରେ ହିଁ ଖେଳୁଥାଆନ୍ତି । ସର୍ବଦା
ଯୋଗର ଏବଂ ଖୁସିର ଝୁଲଣାରେ ଝୁଲି ଝୁଲି ଜୀବନ କଟାଉଛନ୍ତି । ଏହା ହିଁ ହେଉଛି ନମ୍ବରୱାନ ଭାଗ୍ୟର
ରେଖା ।
ସ୍ଲୋଗାନ:-
ବୁଦ୍ଧି ରୂପୀ
କମ୍ପୁଟରରେ ଫୁଲଷ୍ଟପ୍ ଅର୍ଥାତ୍ ବିନ୍ଦୁର ମାତ୍ରା ଆସିବା ଅର୍ଥ ପ୍ରସନ୍ନଚିତ୍ତ ସ୍ଥିତିରେ ରହିବ
।
ସୂଚନା:- ଆଜି
ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମାସର ତୃତୀୟ ରବିବାର, ତେଣୁ ସନ୍ଧ୍ୟା ୬.୩୦ମି. ଠାରୁ ୭.୩୦ ମି.
ପର୍ଯ୍ୟନ୍ତ ସବୁ ଭାଇ ଭଉଣୀ ମାନେ ସଂଗଠିତ ରୂପରେ ଏକତ୍ରିତ ହୋଇ ଯୋଗାଭ୍ୟାସ ସମୟରେ ଏହି ଶୁଭ
ସଂକଳ୍ପ କରିବେ ଯେ ମୁଁ ଆତ୍ମା ଅଟେ, ମୋ’ ଠାରୁ ପବିତ୍ରତାର କିରଣ ବାହାରି ସାରା ବିଶ୍ୱକୁ
ପବିତ୍ର କରୁଛି । ମୁଁ ମାଷ୍ଟର ପତିତ ପାବନୀ ଆତ୍ମା ଅଟେ ।