16.06.24    Avyakt Bapdada     Odia Murli    03.03.20     Om Shanti     Madhuban


“ଶୁଭଭାବ ଏବଂ ପ୍ରେମ ଭାବକୁ ଜାଗ୍ରତ କରି କ୍ରୋଧ ମହାଶତ୍ରୁ ଉପରେ ବିଜୟୀ ହୁଅ”


ଆଜି ବାପଦାଦା ନିଜର ଜନ୍ମ ସମୟର ସାଥୀମାନଙ୍କୁ ଏବଂ ସେବାର ସାଥୀମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ଆଜି ତୁମମାନଙ୍କୁ ମଧ୍ୟ ବାପଦାଦାଙ୍କର ଅଲୌକିକ ଜନ୍ମ ଦିବସର ତଥା ଜନ୍ମ ସାଥୀମାନଙ୍କର ମଧ୍ୟ ଜନ୍ମ ଦିବସର ଖୁସି ଅନୁଭବ ହେଉଛି, କାହିଁକି ହେଉଛି? କାରଣ ଏହିଭଳି ଅତି ନ୍ୟାରା ଅର୍ଥାତ୍ ସ୍ୱତନ୍ତ୍ର ଏବଂ ଅତି ପ୍ୟାରା ଅର୍ଥାତ୍ ପ୍ରିୟ ଅଲୌକିକ ଜନ୍ମ ଅନ୍ୟ କାହାର ବି ହୋଇପାରିବ ନାହିଁ । ଏଭଳି କେବେ ବି ଶୁଣି ନ ଥିବ ଯେ ପିତାଙ୍କର ଜନ୍ମ ଦିବସ ଯେଉଁ ଦିନ ତାଙ୍କର ପିଲାମାନଙ୍କର ଜନ୍ମ ଦିବସ ମଧ୍ୟ ସେହି ଦିନ । ଏହିଭଳି ନ୍ୟାରା ଏବଂ ପ୍ୟାରା ଅଲୌକିକ ହୀରା ତୁଲ୍ୟ ଜନ୍ମ ଦିବସ ଆଜି ତୁମେମାନେ ପାଳନ କରୁଛ । ଏହା ସହିତ ସମସ୍ତଙ୍କ ସ୍ମୃତିରେ ଏକଥା ମଧ୍ୟ ରହିଛି ଯେ ଏହି ନ୍ୟାରା ଏବଂ ପ୍ୟାରା ଜନ୍ମ ଦିବସ ଏତେ ବିଚିତ୍ର ଅଟେ ଯାହାକି ସ୍ୱୟଂ ଭଗବାନ ପିତା ତାଙ୍କର ପିଲାମାନଙ୍କର ଜନ୍ମଦିନ ପାଳନ କରୁଛନ୍ତି । ସ୍ୱୟଂ ପରମ ଆତ୍ମା ନିଜର ସନ୍ତାନମାନଙ୍କର ବା ଶ୍ରେଷ୍ଠ ଆତ୍ମାମାନଙ୍କର ଜନ୍ମ ଦିବସ ପାଳନ କରୁଛନ୍ତି । ଦୁନିଆରେ ତ କେହି କେହି କହିବା ହିସାବରେ କହି ଦେଇଥାଆନ୍ତି ଯେ ଆମର ଜନ୍ମଦାତା ଭଗବାନ ଅଟନ୍ତି ବା ପରମାତ୍ମା ଅଟନ୍ତି । କିନ୍ତୁ ସେମାନେ ନା କିଛି ଜାଣିଛନ୍ତି, ନା ସେହିଭଳି ସ୍ମୃତିରେ ଚାଲୁଛନ୍ତି । ତୁମେମାନେ ତ ଅନୁଭବ ସହିତ କହୁଛ - ଆମେ ପରମାତ୍ମବଂଶୀ ଅଟୁ, ବ୍ରହ୍ମାବଂଶୀ ଅଟୁ । ପରମାତ୍ମା ଆମର ଜନ୍ମ ଦିବସ ପାଳନ କରୁଛନ୍ତି, ଆମେ ପରମାତ୍ମାଙ୍କର ଜନ୍ମ ଦିବସ ପାଳନ କରୁଛୁ ।

ଆଜି ସମସ୍ତେ ଚାରିଆଡୁ ଆସି ଏଠାରେ କାହିଁକି ପହଞ୍ଚିଛନ୍ତି? ଅଭିନନ୍ଦନ ଦେବା ପାଇଁ ଏବଂ ନେବା ପାଇଁ । ତେଣୁ ବାପଦାଦା ବିଶେଷ କରି ନିଜର ଜନ୍ମ ସାଥୀମାନଙ୍କୁ ଅଭିନନ୍ଦନ ଦେଉଛନ୍ତି । ସେବାର ସାଥୀମାନଙ୍କୁ ମଧ୍ୟ ଅଭିନନ୍ଦନ ଦେଉଛନ୍ତି । ଅଭିନନ୍ଦନ ଦେବା ସହିତ ପରମ ପ୍ରେମର ମୋତି ଗୁଡିକୁ ହୀରା-ନିଳା, ମଣୀ-ମାଣିକା ରୂପରେ ବର୍ଷା କରୁଛନ୍ତି । ପ୍ରେମର ମୋତି ତ ଦେଖିଛ ନା! ପ୍ରେମର ମୋତି ଗୁଡିକୁ ତ ଜାଣିଛ ନା? ଫୁଲର ବର୍ଷା, ସୁନାର ବର୍ଷା ତ ସମସ୍ତେ କରୁଛନ୍ତି କିନ୍ତୁ ବାପଦାଦା ତୁମ ସମସ୍ତଙ୍କ ଉପରେ ପରମ ପ୍ରେମର, ଅଲୌକିକ ସ୍ନେହର ମୋତି ଗୁଡିକୁ ବର୍ଷା କରୁଛନ୍ତି ଏବଂ ଅଭିନନ୍ଦନ ମଧ୍ୟ ଏକଗୁଣା ନୁହେଁ, ପଦ୍ମ-ପଦ୍ମ-ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି । ତୁମେମାନେ ମଧ୍ୟ ଆନ୍ତରିକ ଅଭିନନ୍ଦନ ଦେଉଛ, ତାହା ମଧ୍ୟ ବାପଦାଦାଙ୍କ ପାଖରେ ପହଞ୍ଚି ଯାଉଛି । ତେଣୁ ଆଜି ପାଳନ କରିବାର ଦିନ ଏବଂ ଅଭିନନ୍ଦନ ଦେବାର ଦିନ । ତେବେ ଜନ୍ମ ଦିନ ପାଳନ କରିବା ସମୟରେ କ’ଣ ସବୁ କରନ୍ତି? ବ୍ୟାଣ୍ଡ ବାଜା ଆଦି ବଜାଇଥାଆନ୍ତି । ତେଣୁ ବାପଦାଦା ମଧ୍ୟ ସବୁ ପିଲାଙ୍କର ମାନସୀକ ଖୁସିର ବ୍ୟାଣ୍ଡ ବାଜା କୁହ ବା ଅନ୍ୟ କୌଣସି ବାଜା କୁହ ଶୁଣିପାରୁଛନ୍ତି । ଭକ୍ତ ଆତ୍ମାମାନେ ଡାକିବାରେ ଲାଗିଛନ୍ତି କିନ୍ତୁ ତୁମେମାନେ ବାବାଙ୍କ ସ୍ନେହରେ ମଜ୍ଜି ଯାଉଛ । ତେବେ ସମସ୍ତଙ୍କୁ ସ୍ନେହରେ ମଜ୍ଜି ଯିବା ଜଣା ଅଛି ତ? ଏହିଭଳି ମଜ୍ଜି ଯିବା ଅର୍ଥାତ୍ ସମାହିତ ହୋଇଯିବା ହିଁ ତୁମକୁ ପିତାଙ୍କ ସମାନ କରିଦେଇଥାଏ ।

ବାପଦାଦା ପିଲାମାନଙ୍କୁ ନିଜଠାରୁ ଅଲଗା କରିପାରିବେ ନାହିଁ ଏବଂ ପିଲାମାନେ ମଧ୍ୟ ଅଲଗା ହେବା ପାଇଁ ଚାହୁଁ ନାହାଁନ୍ତି କିନ୍ତୁ କେବେ କେବେ ମାୟାର ଖେଳ ଭିତରେ ଟିକିଏ ଆଡ ହୋଇଯାଉଛନ୍ତି । ବାପଦାଦା କହୁଛନ୍ତି ମୁଁ ତ ତୁମମାନଙ୍କର ସାହାରା ଅଟେ କିନ୍ତୁ ପିଲାମାନେ ତ ଟିକିଏ ଚଗଲା ହୋଇଥାଆନ୍ତି ନା । ଆରମ୍ଭରୁ ନ ଥାଆନ୍ତି କିନ୍ତୁ ପରେ ମାୟା ଚଗଲା କରିଦିଏ, ତେଣୁ ସାହାରାଠାରୁ ମଧ୍ୟ କିନାରା କରାଇ ଦିଏ ଅର୍ଥାତ୍ ଦୂରେଇ ନେଇଯାଏ । ପୁଣି ବି ବାପଦାଦା ସାହାରା ହୋଇ ପିଲାମାନଙ୍କୁ ନିଜ ପାଖକୁ ନେଇ ଆସନ୍ତି । ବାପଦାଦା ସବୁ ପିଲାଙ୍କୁ ପଚାରୁଛନ୍ତି ଯେ ପ୍ରତ୍ୟେକ ମନୁଷ୍ୟକୁ ଜୀବନରେ କ’ଣ ଆବଶ୍ୟକ? ବିଦେଶୀମାନେ ଦୁଇଟି କଥାକୁ ବହୁତ ପସନ୍ଦ କରିଥାଆନ୍ତି । ଡବଲ ବିଦେଶୀମାନଙ୍କର କେଉଁ ଦୁଇଟି ଶବ୍ଦ ଅତି ପ୍ରିୟ ଅଟେ? (କମ୍ପାନିୟନ ଏବଂ କମ୍ପାନୀ) ଅର୍ଥାତ୍ ସାଥୀ ଏବଂ ସଙ୍ଗ, ଏହି ଦୁଇଟି ଶବ୍ଦ ବହୁତ ପସନ୍ଦ ଅଟେ । ଯଦି ପସନ୍ଦ ତେବେ ଗୋଟିଏ ହାତ ଉଠାଅ । କ’ଣ ଭାରତବାସୀଙ୍କୁ ମଧ୍ୟ ପସନ୍ଦ? ଭଲ ସାଥୀ ମଧ୍ୟ ଜରୁରୀ ଏବଂ ଭଲ ସଙ୍ଗ ମଧ୍ୟ ଜରୁରୀ । କମ୍ପାନୀ ବିନା ମଧ୍ୟ ରହିପାରିବ ନାହିଁ ଏବଂ କମ୍ପାନୀୟନ ବିନା ମଧ୍ୟ ରହିପାରିବ ନାହିଁ । ତେବେ ତୁମ ସମସ୍ତଙ୍କୁ କ’ଣ ମିଳିଛି? ସାଥୀ ମିଳିଛନ୍ତି ନା? କୁହ ହାଁ ଜୀ ନା ନାଜୀ? (ହାଁ ଜୀ) କମ୍ପାନୀ ମିଳିଛି? (ହାଁ ଜୀ) ଏଭଳି କମ୍ପାନୀ ଅର୍ଥାତ୍ ସଙ୍ଗ ଏବଂ କମ୍ପାନୀୟନ ଅର୍ଥାତ୍ ସାଥୀ ସାରା କଳ୍ପରେ କେବେ ମିଳିଥିଲା? କଳ୍ପ ପୂର୍ବରୁ ମିଳିଥିଲା? ଏଭଳି ସାଥୀ ଯିଏକି କେବେ ବି ଆଡେଇ ଦିଅନ୍ତି ନାହିଁ, ତୁମେ ଯେତେ ବି ଚଗଲା ହୋଇଥାଅ କିନ୍ତୁ ପୁଣି ବି ସେ ସାହାରା ହୋଇଥାଆନ୍ତି । ଏହା ବ୍ୟତୀତ ତୁମର ଯାହା ସବୁ ଆନ୍ତରିକ ଇଚ୍ଛା ସହିତ ବା ପ୍ରାପ୍ତି କରିବାକୁ ଚାହୁଁଛ ସେଗୁଡିକୁ ମଧ୍ୟ ପୂର୍ଣ୍ଣ କରୁଛନ୍ତି । ଏବେ ତୁମର କୌଣସି ଅପ୍ରାପ୍ତି ଅଛି କି? ସମସ୍ତଙ୍କର ଅନ୍ତର କହୁଛି, ନା ମର୍ଯ୍ୟାଦା ହିସାବରେ କହିଦେଉଛ? ଗୀତ ତ ଗାଉଛ - ଯାହା ପାଇବାର ଥିଲା ତାହା ପାଇଗଲି, ନା ଏବେ ପାଇବାର ଅଛି? ପାଇଯାଇଛ? ପାଇଯାଇଛ? ଏବେ ଆଉ କିଛି ବି ପାଇବାର ନାହିଁ, ନା କିଛି କିଛି ଇଚ୍ଛା ବାକି ରହିଯାଇଛି? ସବୁ ଆଶା ପୂରଣ ହୋଇ ଯାଇଛି, ନା କିଛି ରହିଯାଇଛି? ବାପଦାଦା କହୁଛନ୍ତି କିଛି ରହିଯାଇଛି । (ବାବାଙ୍କୁ ପ୍ରତ୍ୟକ୍ଷ କରିବାର ଆଶା ରହିଯାଇଛି) ଏହା ତ ବାବାଙ୍କର ଆଶା ଯାହାକି ମୋ’ର ସବୁ ପିଲାଙ୍କୁ ଜଣାପଡିଯାଉ । ବାବା ଆସିଗଲେ କିନ୍ତୁ କେହି ସନ୍ତାନ ବଞ୍ଚିତ ରହିଯିବ...ଏହା ନ ହେଉ । ତେଣୁ ଏହା ତ ବାପଦାଦାଙ୍କର ବିଶେଷ ଆଶା ଯାହାକି ଅତି କମ୍‌ରେ ସମସ୍ତଙ୍କୁ ଜଣା ତ ପଡିଯାଉ ଯେ ଆମର ସଦାକାଳର ପିତା ଆସିଯାଇଛନ୍ତି । ତେବେ ପିଲାମାନଙ୍କର ଅନ୍ୟ ସବୁ ବିନାଶୀ ଆଶା ଗୁଡିକ ତ ପୂରଣ ହୋଇଯାଇଛି କିନ୍ତୁ ପ୍ରେମର ଆଶା ବାକି ରହିଛି! ସମସ୍ତେ ଚାହୁଁଛନ୍ତି ମୁଁ ଟିକିଏ ଷ୍ଟେଜ ଉପରକୁ ଯାଆନ୍ତି, ଏହି ଆଶା ଅଛି କି? (ଏବେ ତ ବାବା ନିଜେ ସମସ୍ତଙ୍କ ପାଖକୁ ଆସୁଛନ୍ତି) ଏହି ଆଶା ମଧ୍ୟ ପୂରଣ ହୋଇଗଲା ନା? ସମସ୍ତେ ସନ୍ତୁଷ୍ଟ ଆତ୍ମା ଅଟ, ତେଣୁ ସମସ୍ତଙ୍କୁ ଅଭିନନ୍ଦନ କାହିଁକି ନା ସବୁ ପିଲା ବୁଦ୍ଧିମାନ ଅଟନ୍ତି । ଜାଣିଛନ୍ତି ଯେଉଁଭଳି ସମୟ ସେହିଭଳି ସ୍ୱରୂପ ନିଶ୍ଚିତ ଧାରଣ କରିବାକୁ ପଡିବ ସେଥିପାଇଁ ବାବା ମଧ୍ୟ ଡ୍ରାମାର ବନ୍ଧନ ଭିତରେ ତ ଅଛନ୍ତି ନା! ତେଣୁ ସବୁ ପିଲାମାନେ ସବୁ ପ୍ରକାରର ସମୟ ଅନୁସାରେ ସନ୍ତୁଷ୍ଟ ଅଛନ୍ତି ଏବଂ ସର୍ବଦା ସନ୍ତୁଷ୍ଟମଣୀ ହୋଇ ଚମକୁଛନ୍ତି । କାହିଁକି ଜାଣିଛ? ତୁମେମାନେ ନିଜେ ମଧ୍ୟ କହୁଛ - ଯାହା କିଛି ପାଇବାର ଥିଲା ତାହା ପାଇଗଲୁ । ଏହା ହେଉଛି ବ୍ରହ୍ମାବାବାଙ୍କର ଆଦି ସମୟର ଅନୁଭବର ଭାଷା, ତେଣୁ ଯାହା ବ୍ରହ୍ମାବାବାଙ୍କର ଭାଷା, ତାହା ସର୍ବ ବ୍ରାହ୍ମଣମାନଙ୍କର ମଧ୍ୟ ଭାଷା । ତେଣୁ ବାପଦାଦା ସବୁ ପିଲାଙ୍କୁ ଏହି କଥା ଦୋହରାଉଛନ୍ତି ଯେ ସର୍ବଦା ବାବାଙ୍କର କମ୍ପାନୀରେ ଅର୍ଥାତ୍ ସଙ୍ଗରେ ହିଁ ରୁହ । ବାବା ତ ସର୍ବ ସମ୍ବନ୍ଧର ମଧ୍ୟ ଅନୁଭବ କରାଇ ଦେଇଛନ୍ତି । ତୁମେମାନେ ମଧ୍ୟ କହୁଛ ଯେ ବାବା ହିଁ ମୋର ସର୍ବ ସମ୍ବନ୍ଧୀ ଅଟନ୍ତି । ଯଦି ସର୍ବ ସମ୍ବନ୍ଧୀ ଅଟନ୍ତି ତେବେ ଯେଉଁ ଭଳି ସମୟ ସେହିଭଳି ସମ୍ବନ୍ଧକୁ କାହିଁକି କାର୍ଯ୍ୟରେ ଲଗାଉ ନାହଁ! ଏବଂ ଏହି ସର୍ବ ସମ୍ବନ୍ଧର ଅନୁଭବକୁ ସଦା ସର୍ବଦା ମନେ ପକାଉଥାଅ, ତାହା ହେଲେ ସର୍ବଦା ବାବା ତୁମର ସଙ୍ଗରେ ମଧ୍ୟ ରହିବେ ଏବଂ ସାଥୀ ମଧ୍ୟ ହୋଇଯିବେ । ଯାହା ଦ୍ୱାରା ଅନ୍ୟ କୌଣସି ସାଥୀମାନଙ୍କ ଆଡକୁ ମନ-ବୁଦ୍ଧି ଯାଇପାରିବ ନାହିଁ । ବାପଦାଦା ତ ନିଜ ଆଡୁ ହିଁ ଅଫର ଦେଉଛନ୍ତି ଅର୍ଥାତ୍ ପ୍ରସ୍ତାବ ଦେଉଛନ୍ତି, ଯେବେକି ମୁଁ ତୁମକୁ ସର୍ବ ସମ୍ବନ୍ଧର ଅଫର ଦେଉଛି ତେବେ ମୋ’ଠାରୁ ସର୍ବ ସମ୍ବନ୍ଧର ସୁଖ ନିଅ । ସମ୍ବନ୍ଧକୁ କାର୍ଯ୍ୟରେ ଲଗାଅ ।

ବାପଦାଦା ଯେତେବେଳେ ଦେଖୁଛନ୍ତି - କେହି କେହି ପିଲା କେବେ କେବେ ଯଦି ନିଜକୁ ଏକୁଟିଆ ବା ଟିକିଏ ନିରସ ଅନୁଭବ କରୁଛନ୍ତି ସେତେବେଳେ ବାପଦାଦାଙ୍କୁ ଦୟା ଲାଗୁଛି, ଭାବୁଛନ୍ତି ଏଭଳି ଶ୍ରେଷ୍ଠ ସଙ୍ଗ ଥାଇ ମଧ୍ୟ ସଂଗକୁ କାର୍ଯ୍ୟରେ କାହିଁକି ଲଗାଉ ନାହାଁନ୍ତି? ପୁଣି କ’ଣ କହୁଛନ୍ତି? ଏହା କାହିଁକି, ତାହା କାହିଁକି ଅର୍ଥାତ୍ ହ୍ୱାଇ-ହ୍ୱାଇ କହି ଚାଲିଛନ୍ତି, କିନ୍ତୁ ବାପଦାଦା ତ କହିଛନ୍ତି ହ୍ୱାଇ ଶବ୍ଦ କହିବ ନାହିଁ, କାରଣ ଏହା ନକାରାତ୍ମକ ଶବ୍ଦ ଅଟେ, ତେଣୁ ଯେତେବେଳେ ବି ଏହି ଶବ୍ଦ ଆସୁଛି ସେତେବେଳେ ତା’ର ସକାରାତ୍ମକ ଶବ୍ଦକୁ ବୁଦ୍ଧିକୁ ଆଣ, ତାହା ହେଲା ଫ୍ଲାଇ ଅର୍ଥାତ୍ ଉଡ, ତେଣୁ ହ୍ୱାଇ-ହ୍ୱାଇ କେବେ ବି କର ନାହିଁ । ଫ୍ଲାଇ ଶବ୍ଦ ମନେ ରଖ । ବାବାଙ୍କୁ ସାଥୀ କରି ଫ୍ଲାଇ କର ତେବେ ବହୁତ ମଜା ଲାଗିବ । ତାଙ୍କୁ ସାଥୀ ରୂପରେ ଅନୁଭବ କରିବା ଏବଂ ତାଙ୍କର ସଙ୍ଗରେ ରହିବାର ଅନୁଭବ ସାରା ଦିନ କରୁଥାଅ । ଏଭଳି ସାଥୀ କ’ଣ ଆଉ କେବେ ମିଳିବେ? ବାପଦାଦା ତ ଏକଥା ମଧ୍ୟ କହୁଛନ୍ତି ଯଦି ତୁମେ ବୁଦ୍ଧିରେ ଏବଂ ଶରୀରରେ ଦୁଇ ପ୍ରକାରର ଥକିଯାଇଛ ତେବେ ଏହି ସାଥୀ ତୁମର ଦୁଇ ପ୍ରକାରରେ ମାଲିଶ୍ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ତୁମର ମନୋରଞ୍ଚନ କରାଇବା ପାଇଁ ମଧ୍ୟ ସଦା ପ୍ରସ୍ତୁତ ଅଛନ୍ତି । ଯାହା ଦ୍ୱାରା ଆଉ ବିନାଶୀ ମନୋରଞ୍ଚନର ଆବଶ୍ୟକ୍ତା ହିଁ ପଡିବ ନାହିଁ । ତେବେ ସାଥୀକୁ ଏହିଭଳି କାର୍ଯ୍ୟରେ ଲଗାଇବା ଜଣାଅଛି, ନା ଭାବୁଛ ଏବେ ବଡ ବାବା ଅଟନ୍ତି, ଶିକ୍ଷକ ଅଟନ୍ତି, ସଦ୍‌ଗୁରୁ ମଧ୍ୟ ଅଟନ୍ତି....? କିନ୍ତୁ ସର୍ବ ସମ୍ବନ୍ଧୀ ମଧ୍ୟ ଅଟନ୍ତି । ବୁଝିଲ, ଡବଲ ବିଦେଶୀ ପିଲାମାନେ?

ଆଚ୍ଛା ସମସ୍ତେ, ଜନ୍ମ ଦିନ ପାଳନ କରିବା ପାଇଁ ଆସିଛ ନା! ପାଳନ କରିବ ନା! ଆଚ୍ଛା! ଯେତେବେଳେ କାହାର ଜନ୍ମ ଦିନ ପାଳନ କରୁଛ, ତା’କୁ କୌଣସି ଉପହାର ଦେଉଛ ନା ନାହିଁ? (ଦେଉଛୁ) ତେବେ ଆଜି ତ ତୁମେମାନେ ବାବାଙ୍କର ଜନ୍ମ ଦିନ ପାଳନ କରିବାକୁ ଆସିଛ । ନାମ ତ ଶିବରାତ୍ରି ରଖିଛ, ତେଣୁ ତୁମେମାନେ ବି ଶେଷ କରି ବାବାଙ୍କର ଜନ୍ମଦିନ ପାଳନ କରିବାକୁ ଆସିଛ । ଆସିଛ ନା! ତେବେ ଆଜିର ଜନ୍ମ ଦିନର ଉପହାର କ’ଣ ଦେଇଛ? ନା କେବଳ ମହମବତୀ ଜଳାଇ ଦେବ କେକ୍ କାଟିଦେବ.... ଏତିକି ପାଳନ କରିବ? ଆଜି କେଉଁ ଉପହାର ଦେଇଛ? ନା କାଲି ଦେବ? ଚାହେଁ ଛୋଟ ଦିଅ ବା ବଡ ଦିଅନ୍ତୁ କିନ୍ତୁ ଉପହାର ତ ଦିଅନ୍ତୁ ନା । ତେଣୁ ତୁମେମାନେ କ’ଣ ଦେଇଛ? ଭାବୁଛନ୍ତି । ଆଚ୍ଛା । ଏବେ ଦେବ କି? ଦେବା ପାଇଁ ପ୍ରସ୍ତୁତ ଅଛ? ତେବେ ବାପଦାଦା ଯାହା କହିବେ ତାହା ଦେବ, ନା ତୁମେ ନିଜ ଇଚ୍ଛାରେ ଦେବ? କ’ଣ କରିବ? (ଯାହା ବାପଦାଦା କହିବେ ତାହା ଦେବୁ) ଦେଖ, ଟିକିଏ ସାହସ ରଖିବାକୁ ପଡିବ । ସାହସ ଅଛି ତ? ମଧୁବନବାଲା ସାହସ ଅଛି ତ? ଡବଲ ବିଦେଶୀଙ୍କ ଭିତରେ ସାହସ ଅଛି? ଭାରତବାସୀଙ୍କ ଭିତରେ ସାହସ ଅଛି? ବହୁତ ଭଲ କଥା । ଏହା ହିଁ ବାବାଙ୍କ ପାଇଁ ଅଭିନନ୍ଦନ ଅଟେ । ଆଚ୍ଛା, ଶୁଣାଇବୁ? ଏମିତି କହିବ ନାହିଁ ତ - ଏଥିପାଇଁ ତ ଭାବିବାକୁ ପଡିବ? ତେଣୁ ଭାବି ଚିନ୍ତି ହେବାର ନାହିଁ । ଗୋଟିଏ କଥା ବାପଦାଦା ଅଧିକାଂଶ ପିଲାଙ୍କ ଭିତରେ ଦେଖିଛନ୍ତି । ଅଳ୍ପ ନୁହେଁ କିନ୍ତୁ ଅଧିକାଂଶଙ୍କ ଭିତରେ କ’ଣ ଦେଖିଛନ୍ତି? ଯେତେବେଳେ କୌଣସି ସେଭଳି ପରିସ୍ଥିତି ସାମ୍‌ନାକୁ ଆସୁଛି ସେତେବେଳେ ଅଧିକାଂଶ ପିଲାଙ୍କ ଭିତରେ ନ ଚାହିଁଲେ ମଧ୍ୟ ଏକ, ଦୁଇ, ତିନି ନମ୍ବର ହିସାବରେ କ୍ରୋଧର ଅଂଶ ପ୍ରକଟ ହୋଇଯାଉଛି । କାହା ଭିତରେ ମହାନ କ୍ରୋଧ ରୂପରେ ଆସୁଛି, କାହା ଭିତରେ ଉତ୍ତେଜନା ରୂପରେ ଆସୁଛି ଆଉ କାହା ଭିତରେ ତୃତୀୟ ନମ୍ବର ଚିଡଚିଡାପଣିଆ ରୂପରେ ମଧ୍ୟ ପ୍ରକଟ ହୋଇଯାଉଛି । ତେବେ ଚିଡଚିଡା ପଣିଆକୁ ତ ବୁଝିପାରୁଛ ନା? ତାହା ମଧ୍ୟ କ୍ରୋଧର ଅଂଶ ହିଁ ଅଟେ । କିନ୍ତୁ ଟିକିଏ ହାଲୁକା ଅଟେ । ତୃତୀୟ ନମ୍ବର ଅଟେ ନା । ତେଣୁ ଟିକିଏ ହାଲୁକା ଅଟେ । ପ୍ରଥମ ନମ୍ବର ହେଲା ଜୋରରେ କ୍ରୋଧ କରିବା, ଦ୍ୱିତୀୟ ନମ୍ବର ତା’ଠାରୁ ଟିକିଏ କମ୍ । ପୁଣି ଭାଷା ତ ଆଜିକାଲି ସମସ୍ତଙ୍କର ରାଜକୀୟ ହୋଇଗଲାଣି । ତେଣୁ ରାଜକୀୟ ଭାଷା କ’ଣ କହୁଛନ୍ତି? କଥା ତ ସେହିଭଳି ଥିଲା ନା, ରାଗ ତ ଲାଗିବ ନା । ତେଣୁ ଆଜି ବାପଦାଦା ସମସ୍ତଙ୍କଠାରୁ ଏହି ଉପହାର ନେବା ପାଇଁ ଚାହୁଁଛନ୍ତି ଯେ କ୍ରୋଧକୁ ତ ଛାଡିବ କିନ୍ତୁ କ୍ରୋଧର ଅଂଶ ମାତ୍ର ମଧ୍ୟ ନ ରହୁ । କାହିଁକି ଜାଣିଛ? କ୍ରୋଧର ବଶୀଭୂତ ହୋଇ ଅପସେବା ବହୁତ କରୁଛ କାରଣ କ୍ରୋଧ ସର୍ବଦା ଦୁଇ ଜଣଙ୍କ ଭିତରେ ହିଁ ହୋଇଥାଏ । ଏକା ଏକା ହୋଇପାରିବ ନାହିଁ, ଯେହେତୁ ଦୁଇ ଜଣଙ୍କ ଭିତରେ ହୋଇଥାଏ ତେଣୁ ବାହାରକୁ ଦେଖାଯାଇଥାଏ । ଯଦି ମନରେ କୌଣସି ଆତ୍ମା ପ୍ରତି ଘୃଣା ଭାବନାର ଅଂଶ ମଧ୍ୟ ରହିଥିବ ତେବେ ମନ ଭିତରେ ସେହି ଆତ୍ମା ପ୍ରତି ବିରକ୍ତି ଭାବ ନିଶ୍ଚିତ ଆସିବ । ତେଣୁ ବାପଦାଦାଙ୍କୁ ଏହି ଅପସେବାର କାରଣ ଆଦୌ ଭଲ ଲାଗୁନାହିଁ । ତେଣୁ କ୍ରୋଧର ଭାବ ଅଂଶ ମାତ୍ରରେ ମଧ୍ୟ ଉତ୍ପନ୍ନ ନ ହେଉ । ଯେପରି ବ୍ରହ୍ମଚର୍ଯ୍ୟ ବ୍ରତକୁ ଧାରଣ କରିବା ଉପରେ ବିଶେଷ ଧ୍ୟାନ ଦେଉଛ, ସେହିପରି କାମ ମହାଶତ୍ରୁ ସହିତ କ୍ରୋଧ ମହାଶତ୍ରୁର ମଧ୍ୟ ଗାୟନ କରିଥାଆନ୍ତି । ଯାହା ଫଳରେ ଶୁଭଭାବ ଏବଂ ପ୍ରେମଭାବ ଉତ୍ପନ୍ନ ହୋଇପାରେ ନାହିଁ । ତା’ପରେ ମୁଡ୍ ଅଫ୍ କରି ଦିଅନ୍ତି ଏବଂ ସେହି ଆତ୍ମାଠାରୁ ଦୂରେଇ ଯାଆନ୍ତି । ସମ୍ମୁଖକୁ ଆସିବେ ନାହିଁ କିମ୍ବା କଥାବାର୍ତ୍ତା ମଧ୍ୟ କରିବେ ନାହିଁ । ତା’ର କଥାକୁ ନାକଚ କରି ଚାଲିବେ, ଆଗକୁ ବଢିବାକୁ ଦେବେ ନାହିଁ । ଏହି ସବୁ କଥା ବାହାରବାଲାଙ୍କୁ ମଧ୍ୟ ଜଣାପଡିଯାଏ ଯଦିଓ କହିଦିଅନ୍ତି ଆଜି ଏହାଙ୍କର ଦେହ ଭଲ ନାହିଁ, ବାକି ଆଉ କିଛି କଥା ନାହିଁ । ତେବେ କ’ଣ ଜନ୍ମ-ଦିବସରେ ଏହି ଉପହାର ଦେଇପାରିବ? ଯେଉଁମାନେ ଭାବୁଛନ୍ତି ଚେଷ୍ଟା କରିବୁ ସେମାନେ ହାତ ଉଠାଅ । ଉପହାର ଦେବା ପାଇଁ ଯେଉଁମାନେ ଭାବୁଛନ୍ତି ଭାବିବା, ଚେଷ୍ଟା କରିବା ସେମାନେ ହାତ ଉଠାଅ । ସଚ୍ଚା ହୃଦୟବାନ ଆତ୍ମାଙ୍କ ଉପରେ ମଧ୍ୟ ସାହେବ ବାବା ସନ୍ତୁଷ୍ଟ ଥାଆନ୍ତି । (କେତେକ ଭାଇ ଭଉଣୀ ଛିଡା ହେଲେ) ଧୀରେ ଧୀରେ ଉଠୁଛନ୍ତି । ସତ କଥା କହିବାର ଅଭିନନ୍ଦନ ମଧ୍ୟ ସ୍ୱୀକାର କର । ଆଚ୍ଛା! ଯେଉଁମାନେ କହିଲେ ଚେଷ୍ଟା କରିବୁ, ଠିକ୍ ଅଛି ଚେଷ୍ଟା ପଛକେ କର କିନ୍ତୁ ଚେଷ୍ଟା କରିବା ପାଇଁ କେତେ ସମୟ ଦରକାର? ଏକ ମାସ ଦରକାର, ୬ ମାସ ଦରକାର, କେତେ ଦରକାର? କ’ଣ ଛାଡିବ ନା ଛାଡିବାର ଲକ୍ଷ୍ୟ ହିଁ ନାହିଁ? ଯେଉଁମାନେ କହୁଛନ୍ତି ଚେଷ୍ଟା କରିବୁ ସେମାନେ ପୁଣି ଥରେ ଉଠ । ଯେଉଁମାନେ ଭାବୁଛନ୍ତି ଯେ ଆମେ ଦୁଇ ତିନି ମାସ ଭିତରେ ଚେଷ୍ଟା କରି ଛାଡି ଦେବୁ ସେମାନେ ବସି ପଡ । ଆଉ ଯେଉଁମାନେ ଭାବୁଛନ୍ତି ଆମକୁ ୬ ମାସ ଦରକାର, ଯଦି ପୂରା ପୁରି ୬ ମାସ ମଧ୍ୟ ଲାଗିଯାଏ । ତେବେ ବି ଏହାକୁ ଛାଡିବାର ନାହିଁ କାହିଁକି ନା ଏହା ବହୁତ ଜରୁରୀ ଅଟେ । ଏହି ଅପସେବା ସମସ୍ତଙ୍କୁ ଦେଖାଯାଉଛି । ଯଦି ତୁମେ ମୁଖରେ କିଛି ବି ନ କହିବ ତେବେ ତୁମର ଚେହେରା ମଧ୍ୟ କହିଦେବ । ସେଥିପାଇଁ ଯେଉଁମାନେ ବି ସାହସ ରଖି ହାତ ଉଠାଇଛନ୍ତି ବାପଦାଦା ସେମାନଙ୍କ ଉପରେ ଜ୍ଞାନର, ପ୍ରେମର, ସୁଖ, ଶାନ୍ତି, ମୋତିର ବର୍ଷା କରୁଛନ୍ତି । ଆଚ୍ଛା!

ବାପଦାଦା ଏହାର ପ୍ରତିଦାନରେ ସମସ୍ତଙ୍କୁ ବିଶେଷ ଭାବରେ ଏହି ବରଦାନ ଦେଉଛନ୍ତି ଯେ ତୁମେ ନ ଚାହିଁଲେ ମଧ୍ୟ ଭୁଲ୍‌ରେ ବି ଯଦି କେବେ କ୍ରୋଧ ଆସିଗଲା ତେବେ କେବଳ ଦିଲ୍ ର ସହିତ “ମିଠା ବାବା” ଶବ୍ଦ କହିଦେବ, ତାହା ହେଲେ ବାବାଙ୍କର ଅତିରିକ୍ତ ସହଯୋଗ ସାହସ ରଖିଥିବା ପିଲାମାନଙ୍କୁ ନିଶ୍ଚିତ ମିଳିବ । ମିଠା ବାବା କହିବ, କେବଳ ବାବା ନୁହେଁ, “ମିଠା ବାବା” ତେବେ ସାହାଯ୍ୟ ନିଶ୍ଚିତ ମିଳିବ । କାହିଁକି ନା ଲକ୍ଷ୍ୟ ରଖିଛ ନା । ତେଣୁ ଲକ୍ଷ୍ୟ ରଖିବା ଦ୍ୱାରା ଲକ୍ଷଣ ନିଶ୍ଚିତ ଆସିବ । ଏବେ ମଧୁବନ ବାଲା ହାତ ଉଠାଅ । ଆଚ୍ଛା - କରିବାକୁ ହିଁ ହେବ ନା! (ହାଁ ଜୀ) ଅଭିନନ୍ଦନ । ବହୁତ ଭଲ କଥା । ଆଜି ବିଶେଷ କରି ମଧୁବନବାଲାଙ୍କୁ ଟୋଲୀ ଦିଆଯିବ । ମେହନତ ବହୁତ କରୁଛନ୍ତି । କ୍ରୋଧ ଛାଡିବା ପାଇଁ ଦିଆଯାଉ ନାହିଁ, ମେହନତ ପାଇଁ ଦିଆଯାଉଛି । ସମସ୍ତେ ଭାବୁଥିବ ହାତ ଉଠାଇଲେ ବୋଲି ଟୋଲୀ ଦିଆଯାଉଛି । ଏମାନେ ବହୁତ ଭଲ ମେହନତ କରୁଛନ୍ତି । ସମସ୍ତଙ୍କୁ ସେବା ଦ୍ୱାରା ସନ୍ତୁଷ୍ଟ କରିବାରେ, ମଧୁବନ ଉଦାହରଣ ଅଟେ ସେଥିପାଇଁ ଆଜି ମୁଖ ମିଠା କରାଯିବ । ତୁମେ ସମସ୍ତେ ଏମାନଙ୍କର ମୁଖ ମିଠା ହେବାର ଦେଖି ନିଜର ମୁଖ ମିଠା କରିନେବ, ଖୁସି ଲାଗିବ ନା । ଏହା ମଧ୍ୟ ବ୍ରାହ୍ମଣ ପରିବାରର ଏକ କଲଚର୍ ଅର୍ଥାତ୍ ସଭ୍ୟତା । ଆଜିକାଲି ତୁମେମାନେ “କଲ୍‌ଚର ଅଫ୍ ପିସ୍‌”ର କାର୍ଯ୍ୟକ୍ରମ କରୁଛ ନା । ତେଣୁ ଏହା ମଧ୍ୟ ପ୍ରଥମ ନମ୍ବରର କଲ୍‌ଚର - ଅର୍ଥାତ୍ “ବ୍ରାହ୍ମଣ କୁଳର ସଭ୍ୟତା’ ଅଟେ । ବାପଦାଦା ଦେଖିଛନ୍ତି ଏହି ଦାଦୀ ଯେତେବେଳେ କୌଣସି ସୌଗାତ ବା ଉପହାର ଦେଇଥାଆନ୍ତି ନା, ସେଥିରେ ଅଖାରେ ତିଆରି ଗୋଟିଏ ଥଳି ଉପହାର ରୂପରେ ଦେଇଥାଆନ୍ତି । ସେଥିରେ ଲେଖାଯାଏ - “କମ୍ ବୋଲୋ, ଧୀରେ ବୋଲୋ, ମିଠା ବୋଲୋ” । ତେଣୁ ବାପଦାଦା ଆଜି ଏହି ଉପହାର ପିଲାମାନଙ୍କୁ ଦେଉଛନ୍ତି । ଅଖାର ଥଳି ଦେଉ ନାହାଁନ୍ତି । ବରଦାନର ଶବ୍ଦ ଦେଉଛନ୍ତି । ପ୍ରତ୍ୟେକ ବ୍ରାହ୍ମଣର ଚେହେରାରେ ଏବଂ ଚାଲିଚଳଣରେ ବ୍ରାହ୍ମଣ କଲଚର ପ୍ରତ୍ୟକ୍ଷ ହେଉ । କାର୍ଯ୍ୟକ୍ରମ ତ କରିବ, ଭାଷଣ ମଧ୍ୟ କରିବ କିନ୍ତୁ ପ୍ରଥମେ ନିଜ ଭିତରେ ଏହି ସଭ୍ୟତା ରହିବା ଦରକାର । ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ହସ ହସ ଚେହେରାରେ ପରସ୍ପର ସହିତ ସମ୍ପର୍କରେ ଆସୁଥିବେ । କାହା ସହିତ କିପରି ସମ୍ପର୍କ କାହା ସହିତ କିପରି ସମ୍ପର୍କ ନୁହେଁ । କାହାକୁ ଦେଖି ନିଜର କଲଚରକୁ ଛାଡ ନାହିଁ । ବିତିଯାଇଥିବା କଥା ସବୁ ଭୁଲିଯାଅ । ନୂଆ ସଂସ୍କାର, ନୂଆ ସଭ୍ୟତାର ଜୀବନ ସମସ୍ତଙ୍କୁ ଦେଖାଅ । ଏବେ ଠାରୁ ଦେଖାଇବାକୁ ହିଁ ହେବ, ଠିକ୍ କଥା ନା! (ସମସ୍ତେ କହିଲେ ହାଁ ଜୀ)

ଏହା ତ ବହୁତ ଭଲ କଥା, ଡବଲ ବିଦେଶୀମାନେ ଅଧିକାଂଶ ହାଁ ଜୀ କରିବାରେ ବହୁତ ଭଲ ଅଟନ୍ତି । ଭଲ କଥା । ଭାରତବାସୀଙ୍କର ହାଁ ଜୀ କରିବା ଯେମତି ଗୋଟିଏ ମର୍ଯ୍ୟାଦା ହିଁ ଅଟେ । କେବଳ ମାୟାକୁ ନା ଜୀ କର, ବାସ୍ ଅନ୍ୟ ସମସ୍ତଙ୍କୁ ହାଁ ଜୀ କର । ମାୟାକୁ ନା - ଜୀ କର । ଆଚ୍ଛା ସମସ୍ତେ ଜନ୍ମ ଦିନ ପାଳନ କରିଲ ତ? ପାଳନ ମଧ୍ୟ କରିଲ, ଉପହାର ମଧ୍ୟ ଦେଲ ଏବଂ ଉପହାର ନେଲ । ଆଚ୍ଛା - ତୁମମାନଙ୍କ ସହିତ ଅନ୍ୟ କେତେ ଜାଗାରେ ମଧ୍ୟ ସଭା ଲାଗିଛି । କେଉଁଠି ଛୋଟ ସଭା, କେଉଁଠି ବଡ ସଭା ସମସ୍ତେ ଶୁଣୁଛନ୍ତି ଏବଂ ଦେଖୁଛନ୍ତି । ସେମାନଙ୍କୁ ବାପଦାଦା ଏହି କଥା କହୁଛନ୍ତି ଯେ ଆଜି ଦିନରେ ତୁମେ ସମସ୍ତେ ଉପହାର ଦେଲ ନା ନାହିଁ? ସମସ୍ତେ କହୁଛନ୍ତି ହାଁ ଜୀ ବାବା । ସମସ୍ତେ ବହୁତ ଭଲ, ଦୂରରେ ବସି ମଧ୍ୟ ଯେପରି ସମ୍ମୁଖରେ ଶୁଣୁଛନ୍ତି, କାହିଁକି ନା ବୈଜ୍ଞାନିକମାନେ ବହୁତ ମେହନତ କରୁଛନ୍ତି ନା । ତେଣୁ ସବୁଠାରୁ ଅଧିକ ଲାଭ ବ୍ରାହ୍ମଣମାନଙ୍କର ହେବା ଦରକାର ନା! ସେଥିପାଇଁ ଯେବେଠାରୁ ସଂଗମଯୁଗ ଆରମ୍ଭ ହେଲାଣି ସେବେଠାରୁ ବିଜ୍ଞାନର ସାଧନଗୁଡିକ ମଧ୍ୟ ବଢି ବଢି ଚାଲିଛି । ସତ୍ୟଯୁଗରେ ଦେବତା ଅବସ୍ଥାରେ ତ ଏହି ବିଜ୍ଞାନ ହିଁ ତୁମର ସେବା କରିବ କିନ୍ତୁ ସଂଗମଯୁଗରେ ମଧ୍ୟ ବିଜ୍ଞାନର ସାଧନ ଗୁଡିକୁ ତୁମକୁ ମିଳିଯାଉଛି । ଏହାଛଡା ସେବା କରିବାରେ ଏବଂ ପ୍ରତ୍ୟକ୍ଷତା କରିବାରେ ମଧ୍ୟ ଏହି ବିଜ୍ଞାନର ସାଧନଗୁଡିକ ବହୁତ ବିଶାଳ ରୂପରେ ସହଯୋଗୀ ହେବେ ସେଥିପାଇଁ ବିଜ୍ଞାନ କ୍ଷେତ୍ରରେ ନିମିତ୍ତ ହୋଇଥିବା ପିଲାମାନଙ୍କୁ ମଧ୍ୟ ବାପଦାଦା ସେମାନଙ୍କର ମେହନତ ପାଇଁ ଅଭିନନ୍ଦନ ଦେଉଛନ୍ତି ।

ବାକି ବାପଦାଦା ଦେଖିଲେ ଯେ ମଧୁବନକୁ ମଧ୍ୟ ଦେଶ-ବିଦେଶରୁ ବହୁତ ଗୁଡିଏ ସୁନ୍ଦର ସୁନ୍ଦର କାର୍ଡ, ପତ୍ର ଏବଂ କାହା ନା କାହା ଦ୍ୱାରା ଶୁଭେଚ୍ଛା ବାର୍ତ୍ତା ମଧ୍ୟ ପଠାଇଛନ୍ତି । ବାପଦାଦା ସେମାନଙ୍କୁ ମଧ୍ୟ ବିଶେଷ ଶୁଭେଚ୍ଛା ଦେବା ସହିତ ଜନ୍ମ ଦିବସର ପଦ୍ମ, ପଦ୍ମ, ପଦ୍ମ, ପଦ୍ମ, ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି । ସବୁ ପିଲାମାନେ ବାପଦାଦାଙ୍କର ନୟନ ସମ୍ମୁଖକୁ ଆସିଯାଉଛନ୍ତି । ତୁମେମାନେ ତ କେବଳ କାର୍ଡକୁ ଦେଖୁଛ କିନ୍ତୁ ବାପଦାଦା କାର୍ଡ ପଠାଇଥିବା ପିଲାମାନଙ୍କୁ ମଧ୍ୟ ଆଖିରେ ଦେଖୁଛନ୍ତି । ପିଲାମାନେ ବହୁତ ସ୍ନେହର ସହିତ କାର୍ଡ ଇତ୍ୟାଦି ପଠାଇଛନ୍ତି ସେଥିପାଇଁ ବାପଦାଦା ସେତିକି ସ୍ନେହର ସହିତ ସ୍ୱୀକାର ମଧ୍ୟ କରୁଛନ୍ତି । କେତେକ ପିଲା ତ ସେମାନଙ୍କର ଅବସ୍ଥାର ସମାଚାର ମଧ୍ୟ ଲେଖିଛନ୍ତି ତେଣୁ ବାପଦାଦା କହୁଛନ୍ତି - ଉଡ ଏବଂ ଉଡାଅ । ଉପରେ ଉଡିବା ଦ୍ୱାରା ସବୁ କଥା ତଳେ ରହିଯିବ ଏବଂ ତୁମେ ଉଚ୍ଚରୁ ଉଚ୍ଚ ପିତାଙ୍କ ସହିତ ସର୍ବଦା ଉଚ୍ଚରେ ରହିଥିବ । ଗୋଟିଏ ସେକେଣ୍ଡରେ ଷ୍ଟପ୍ କର ଏବଂ ସର୍ବଶକ୍ତିର, ସର୍ବଗୁଣର ଷ୍ଟକକୁ ଜମା କର । ଆଚ୍ଛା!

ଚାରିଆଡର ସର୍ବଶ୍ରେଷ୍ଠ ବ୍ରାହ୍ମଣ ଆତ୍ମାମାନଙ୍କୁ, ସର୍ବଦା ବାବାଙ୍କର କମ୍ପାନୀରେ ରହୁଥିବା, ବାବାଙ୍କୁ ନିଜର କମ୍ପାନିୟନ କରିଥିବା ସ୍ନେହୀ ଆତ୍ମାମାନଙ୍କୁ, ସର୍ବଦା ବାବାଙ୍କର ଗୁଣର ସାଗରରେ ସମାହିତ ହୋଇ ରହିଥିବା ବାପଦାଦାଙ୍କର ସମାସ୍କନ୍ଧ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ଗୋଟିଏ ସେକେଣ୍ଡରେ ବିନ୍ଦୁ ଲଗାଉଥିବା ମାଷ୍ଟର ସିନ୍ଧୁ ସ୍ୱରୂପ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ବହୁତ ବହୁତ ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ । ନମସ୍ତେ ତ ବାପଦାଦା ସବୁ ସମୟରେ ସବୁ ପିଲାଙ୍କୁ କରୁଛନ୍ତି ତେଣୁ ଆଜି ମଧ୍ୟ ନମସ୍ତେ ।

ବରଦାନ:-
ପବିତ୍ରତାର ଶକ୍ତିଶାଳୀ ଦୃଷ୍ଟି-ବୃତ୍ତି ଦ୍ୱାରା ସର୍ବ ପ୍ରାପ୍ତି କରାଉଥିବା ଦୁଃଖହର୍ତ୍ତା-ସୁଖକର୍ତ୍ତା ହୁଅ ।

ବିଜ୍ଞାନର ଔଷଧ ଭିତରେ ଅଳ୍ପକାଳର ଶକ୍ତି ଅଛି ଯାହାକି ଦୁଃଖ-କଷ୍ଟକୁ ସମାପ୍ତ କରିଦେଉଛି । କିନ୍ତୁ ପବିତ୍ରତାର ଶକ୍ତି ଅର୍ଥାତ୍ ଶାନ୍ତିର ଶକ୍ତି ଭିତରେ ତ ଦୁଆ ଅର୍ଥାତ୍ ଆଶୀର୍ବାଦର ଶକ୍ତି ରହିଛି । ପବିତ୍ରତାର ଏହି ଶକ୍ତିଶାଳୀ ଦୃଷ୍ଟି ବା ବୃତ୍ତି ସଦାକାଳର ପ୍ରାପ୍ତି କରାଇଥାଏ ସେଥିପାଇଁ ତୁମମାନଙ୍କର ଜଡ ଚିତ୍ର ସମ୍ମୁଖରେ ହେ ଦୟାଳୁ, ଦୟା କର କହି ଦୟା ମାଗୁଛନ୍ତି ବା ଦୁଆ ମାଗୁଛନ୍ତି । ଯେହେତୁ ତୁମେମାନେ ଚୈତନ୍ୟରେ ଏହିଭଳି ମାଷ୍ଟର ଦୁଃଖହର୍ତ୍ତା ସୁଖକର୍ତ୍ତା ହୋଇ ଦୟା କରିଛ ସେଥିପାଇଁ ତ ଭକ୍ତିରେ ପୂଜା ପାଉଛ ।

ସ୍ଲୋଗାନ:-
ସମୟର ନିକଟତା ଅନୁସାରେ ସଚ୍ଚା ତପସ୍ୟା ବା ସାଧନା ହେଉଛି ବେହଦର ବୈରାଗୀ ବୃତ୍ତି ।

ସୂଚନା:- ଆଜି ମାସର ତୃତୀୟ ରହିବାର ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ, ସମସ୍ତ ବ୍ରହ୍ମାବତ୍ସମାନେ ସଂଗଠିତ ରୂପରେ ସନ୍ଧ୍ୟା ୬.୩୦ମି. ଠାରୁ ୭.୩୦ ମି. ପର୍ଯ୍ୟନ୍ତ ବିଶେଷ କରି ନିଜର ଦାତା ସ୍ୱରୂପରେ ସ୍ଥିତି ହୋଇ ସର୍ବ ଆତ୍ମାମାନଙ୍କୁ ମାନସିକ ସେବା ଦ୍ୱାରା ଶକ୍ତିଗୁଡିକର ଦାନ ଦିଅନ୍ତୁ ବରଦାନ ଦିଅନ୍ତୁ ତଥା ଭରପୂରତାର ଅନୁଭବ କରାନ୍ତୁ ।