16.09.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହା ଏକ
ବିଚିତ୍ର ସତସଙ୍ଗ ଯେଉଁଠି ତୁମମାନଙ୍କୁ ବଞ୍ଚି ଥାଉ ଥାଉ ମରିବାର ଶିକ୍ଷା ଦିଆଯାଉଛି ଯେଉଁମାନେ
ବଞ୍ଚି ଥାଉ ଥାଉ ମରିଯାଆନ୍ତି ସେହିମାନେ ହିଁ ହଂସ ହୋଇଯାଆନ୍ତି ।”
ପ୍ରଶ୍ନ:-
ତୁମ
ସନ୍ତାନମାନଙ୍କୁ ଏବେ କେଉଁ ଗୋଟିଏ ଚିନ୍ତା ରହିଛି?
ଉତ୍ତର:-
ଆମକୁ ବିନାଶ ପୂର୍ବରୁ ସମ୍ପନ୍ନ ଅର୍ଥାତ୍ ସବୁଥିରେ ଭରପୁର ହେବାକୁ ପଡିବ । ଯେଉଁ ପିଲାମାନେ
ଜ୍ଞାନ ଯୋଗରେ ମଜବୁତ ହୋଇ ଚାଲିଛନ୍ତି ସେମାନେ ମନୁଷ୍ୟକୁ ଦେବତା କରିବାର ସେବାରେ ଅଭ୍ୟସ୍ତ
ହୋଇଯାଉଛନ୍ତି । ସେମାନେ ସେବା ନ କରି ରହିପାରିବେ ନାହିଁ, ବେତାଳ ଭଳି ସର୍ବଦା ସେବାରେ ଦୌଡୁଥିବେ
। ସେବା ସହିତ ସେମାନଙ୍କର ନିଜକୁ ମଧ୍ୟ ସମ୍ପନ୍ନ କରିବାର ଚିନ୍ତା ରହିଥିବ ।
ଓମ୍ ଶାନ୍ତି ।
ଆତ୍ମାର ପିତା
ପରମାତ୍ମା ଆତ୍ମାମାନଙ୍କୁ ବୁଝାଉଛନ୍ତି - ଆତ୍ମା ଏବେ ସାକାରରେ ଅଛି ଏବଂ ପ୍ରଜାପିତା
ବ୍ରହ୍ମାଙ୍କର ସନ୍ତାନ ହୋଇଛି ଅର୍ଥାତ୍ ପୋଷ୍ୟ ସନ୍ତାନ ହୋଇଛି । ତୁମମାନଙ୍କ ପାଇଁ ଦୁନିଆରେ
ସମସ୍ତେ କହୁଛନ୍ତି - ଏମାନେ ଭାଇ-ଭଉଣୀ କରିଦେଉଛନ୍ତି । ବାବା ପିଲାମାନଙ୍କୁ ବୁଝାଇଛନ୍ତି -
ପ୍ରକୃତରେ ତୁମେମାନେ ଭାଇ ଭାଇ ଅଟ । ଏବେ ନୂଆ ସୃଷ୍ଟିର ନିର୍ମାଣ ହେଉଛି ତେଣୁ ପ୍ରଥମେ
ବ୍ରାହ୍ମଣ ଚୁଟି ଆବଶ୍ୟକ । ତୁମେମାନେ ପୂର୍ବରୁ ଶୁଦ୍ର ଥିଲ, ଏବେ ବ୍ରାହ୍ମଣକୁ ପରିବର୍ତ୍ତନ
ହୋଇଛ । କାରଣ ଏଥିପାଇଁ ବ୍ରାହ୍ମଣ ତ ନିଶ୍ଚିତ ଦରକାର । ପ୍ରଜାପିତା ବ୍ରହ୍ମାଙ୍କର ନାମ ତ
ପ୍ରସିଦ୍ଧ ଅଟେ । ଏହି ହିସାବରେ ତୁମେମାନେ ଜାଣୁଛ ଯେ, ଆମେ ସବୁ ସନ୍ତାନ ଭାଇ ଭଉଣୀ ଅଟୁ ।
ଯେଉଁମାନେ ନିଜକୁ ବ୍ରହ୍ମାକୁମାର କୁମାରୀ କହୁଛନ୍ତି ସେମାନେ ନିଶ୍ଚିତ ଭାଇ ଭଉଣୀ ଅଟନ୍ତି ।
ସମସ୍ତେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟନ୍ତି, ତେଣୁ ନିଶ୍ଚିତ ଭାଇ ଭଉଣୀ ହେବା ଦରକାର । ଏ
କଥା ଅଜ୍ଞାନୀମାନଙ୍କୁ ବୁଝାଇବାକୁ ହେବ । ଦୁନିଆର ମନୁଷ୍ୟ ଅଜ୍ଞାନୀ ହେବା ସହିତ ଅନ୍ଧବିଶ୍ୱାସୀ
ମଧ୍ୟ ଅଟନ୍ତି । ଯାହାଙ୍କୁ ପୂଜା କରୁଛନ୍ତି, ବିଶ୍ୱାସ କରୁଛନ୍ତି କିନ୍ତୁ ତାଙ୍କୁ ଜାଣି
ନାହାଁନ୍ତି । ଲକ୍ଷ୍ମୀ-ନାରାୟଣଙ୍କର ପୂଜା କରୁଛନ୍ତି କିନ୍ତୁ ସିଏ କେବେ ଆସିଲେ, ଏଭଳି କିପରି
ହେଲେ, ପୁଣି କେଉଁଆଡେ ଗଲେ? ଏହି କଥାକୁ କେହି ମଧ୍ୟ ଜାଣି ନାହାଁନ୍ତି । କେହି ଯଦି ନେହେରୁଙ୍କୁ
ଜାଣିଥା’ନ୍ତି ତେବେ ତାଙ୍କ ପାଖରେ ନେହେରୁଙ୍କର ଇତିହାସ ଭୂଗୋଳର ସବୁ ଜ୍ଞାନ ରହିଥାଏ । ଯଦି
ତାଙ୍କର ଜୀବନ କାହାଣୀ ଜାଣି ନ ଥିବେ ତେବେ କେଉଁ କାମର । ସେହିଭଳି ମନୁଷ୍ୟ ଦେବୀ-ଦେବତାମାନଙ୍କର
ପୂଜା କରୁଛନ୍ତି କିନ୍ତୁ ତାଙ୍କର ଜୀବନ କାହାଣୀକୁ ଜାଣନ୍ତି ନାହିଁ । ମନୁଷ୍ୟମାନଙ୍କର ଜୀବନ
କାହାଣୀକୁ ତ ଜାଣିଛନ୍ତି କିନ୍ତୁ ଯେଉଁ ଦେବୀ-ଦେବତାମାନେ ଅତୀତ ହୋଇଯାଇଛନ୍ତି ସେମାନଙ୍କ ଭିତରୁ
ଜଣକର ମଧ୍ୟ ଜୀବନ କାହାଣୀକୁ ଜାଣି ନାହାଁନ୍ତି । ଶିବଙ୍କର କେତେ ପୂଜାରୀ ଅଛନ୍ତି, ତାଙ୍କର ପୂଜା
କରୁଛନ୍ତି, ପୁଣି ମୁଖରେ କହୁଛନ୍ତି ସିଏ ତ ଗୋଡି ମାଟି ପଥରରେ ଅଛନ୍ତି । କୋଣେ-ଅନୁକୋଣେ ଅଛନ୍ତି
। ତେବେ ଏହା କ’ଣ ତାଙ୍କର ଜୀବନ କାହାଣୀ? ଏହା ତ ବୁଦ୍ଧିମାନର କଥା ହେଲା ନାହିଁ । ସେମାନେ ନିଜକୁ
ମଧ୍ୟ ପତିତ କହୁଛନ୍ତି । ପତିତ ଅକ୍ଷର ହିଁ ଯଥାର୍ଥ ଅଟେ । ପତିତର ଅର୍ଥ ହିଁ ହେଉଛି ବିକାରୀ ।
ତୁମେମାନେ ସେମାନଙ୍କୁ ବୁଝାଇ ପାରିବ ଯେ, ଆମେ ନିଜକୁ ବ୍ରହ୍ମାକୁମାର କୁମାରୀ କାହିଁକି କହୁଛୁ?
କାହିଁକି ନା ଆମେ ବ୍ରହ୍ମାଙ୍କର ପୋଷ୍ୟ ସନ୍ତାନ ହୋଇଛୁ । ଆମେ ଗର୍ଭଜାତ ସନ୍ତାନ ନୋହୁଁ, ଆମେ
ମୁଖ ବଂଶାବଳୀ ଅଟୁ । ବ୍ରାହ୍ମଣ ବ୍ରାହ୍ମଣୀମାନେ ସବୁ ଭାଇ ଭଉଣୀ ହେଲେ ନା । ତେବେ ସେମାନଙ୍କର
ପରସ୍ପର ପ୍ରତି ବିକାରୀ ଦୃଷ୍ଟି ରହିପାରିବ ନାହିଁ । ଖରାପ ଚିନ୍ତନ ମୁଖ୍ୟତଃ କାମ ବିକାରର
ହୋଇଥାଏ । ତୁମେମାନେ କହୁଛ ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଭାଇ ଭଉଣୀ ହୋଇଛୁ । ତୁମେମାନେ
ହିଁ ବୁଝୁଛ ଯେ, ଆମେ ସମସ୍ତେ ଶିବବାବାଙ୍କର ସନ୍ତାନ ଭାଇ ଭାଇ ଅଟୁ । ଏହା ମଧ୍ୟ ପକ୍କା ଅଟେ ।
ଦୁନିଆକୁ ଏ କଥା କିଛି ବି ଜଣା ନାହିଁ । କେବଳ ଏହିପରି କହିଦେଉଛନ୍ତି । ତୁମେମାନେ ଅନ୍ୟକୁ
ବୁଝାଇପାରିବ ଯେ ସବୁ ଆତ୍ମାଙ୍କର ପିତା ସେହି ଜଣେ ଅଟନ୍ତି । ତାଙ୍କୁ ହିଁ ସମସ୍ତେ ଡାକୁଛନ୍ତି ।
ତୁମେ ତାଙ୍କର ଚିତ୍ର ମଧ୍ୟ ଦେଖାଉଛ । ବଡ-ବଡ ଧର୍ମର ଲୋକମାନେ ମଧ୍ୟ ଏହି ନିରାକାର ପିତାଙ୍କୁ
ମାନୁଛନ୍ତି । ଇଏ ହେଉଛନ୍ତି ନିରାକାର ଆତ୍ମାମାନଙ୍କର ପିତା ଏବଂ ସାକାରରେ ସମସ୍ତଙ୍କର ପିତା
ପ୍ରଜାପିତା ବ୍ରହ୍ମା ଅଟନ୍ତି ଯାହାଙ୍କ ଦ୍ୱାରା ମନୁଷ୍ୟ ସୃଷ୍ଟିରୂପି ବୃକ୍ଷର ବୃଦ୍ଧି ହେଉଛି ।
ଭିନ୍ନ ଭିନ୍ନ ଧର୍ମଗୁଡିକରେ ଆଘାତ ଦେଉଛନ୍ତି । ଆତ୍ମା ତ ଏହି ଶରୀରଠାରୁ ଅଲଗା ଅଟେ । ଶରୀରକୁ
ଦେଖି କୁହନ୍ତି - ଇଏ ଆମେରିକାନ୍, ଇଏ ଅମୁକ । ଆତ୍ମାକୁ ତ କେହି କହୁ ନାହାଁନ୍ତି । ସବୁ ଆତ୍ମା
ଶାନ୍ତିଧାମରେ ନିବାସ କରନ୍ତି । ସେଠାରୁ ଏଠାକୁ ପାର୍ଟ କରିବା ପାଇଁ ଆସନ୍ତି । ତୁମେମାନେ କୌଣସି
ବି ଧର୍ମର ଲୋକଙ୍କୁ ବୁଝାଇ ପାରିବ । ପୁନର୍ଜନ୍ମ ତ ସମସ୍ତେ ନେଉଛନ୍ତି ଏବଂ ଉପରୁ ମଧ୍ୟ ନୂଆ
ଆତ୍ମା ଆସି ଚାଲିଛନ୍ତି । ତେଣୁ ବାବା ବୁଝାଉଛନ୍ତି - ତୁମେମାନେ ମନୁଷ୍ୟ ଅଟ, ମନୁଷ୍ୟକୁ ହିଁ
ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଜଣାଥିବା ଦରକାର ଯେ ଏହି ସୃଷ୍ଟିଚକ୍ର କିପରି ଘୁରୁଛି, ଏହାର
ରଚୟିତା କିଏ, ଏହାକୁ ଘୂରିବାକୁ କେତେ ସମୟ ଲାଗୁଛି? ଏ କଥା ତୁମେମାନେ ହିଁ ଜାଣୁଛ, ଦେବତାମାନେ
ତ ଜାଣିନାହାଁନ୍ତି । ମନୁଷ୍ୟମାନେ ହିଁ ସୃଷ୍ଟିର ରହସ୍ୟକୁ ଜାଣି ଦେବତା ହେଉଛନ୍ତି । ମନୁଷ୍ୟକୁ
ଦେବତା ତ ଏକମାତ୍ର ବାବା ହିଁ କରୁଛନ୍ତି । ବାବା ଏବେ ନିଜର ଏବଂ ରଚନାର ପରିଚୟ ଦେଉଛନ୍ତି ।
ତୁମେମାନେ ଜାଣିଛ, ଆମେ ବୀଜରୂପ ବାବାଙ୍କର ବୀଜରୂପ ସନ୍ତାନ ଅଟୁ । ଯେମିତି ବାବା ଏହି ଓଲଟା
ବୃକ୍ଷର ଜ୍ଞାନକୁ ଜାଣିଛନ୍ତି, ସେମିତି ଆମେ ମଧ୍ୟ ଏହି ଜ୍ଞାନକୁ ଏବେ ତାଙ୍କଠାରୁ ନେଉଛୁ ।
ମନୁଷ୍ୟ, ମନୁଷ୍ୟଙ୍କୁ କେବେ ବି ଏହି ଜ୍ଞାନ ଦେଇପାରିବ ନାହିଁ । କିନ୍ତୁ ତୁମମାନଙ୍କୁ ବାବା
ବୁଝାଇଛନ୍ତି ।
ଯେ ପର୍ଯ୍ୟନ୍ତ ତୁମେମାନେ
ବ୍ରହ୍ମାଙ୍କର ସନ୍ତାନ ହୋଇନାହଁ ସେ ପର୍ଯ୍ୟନ୍ତ ଏଠାକୁ ଆସିପାରିବ ନାହିଁ । ଯେପର୍ଯ୍ୟନ୍ତ କେହି
ସାତ ଦିନର ପାଠ୍ୟକ୍ରମ ନେଇ ନାହାଁନ୍ତି, ସେ ପର୍ଯ୍ୟନ୍ତ ତୁମ ବ୍ରାହ୍ମଣମାନଙ୍କ ସଭାରେ କିପରି
ବସିପାରିବେ । ଏହାକୁ ଇନ୍ଦ୍ରସଭା ମଧ୍ୟ କୁହାଯାଏ । ଇନ୍ଦ୍ର କୌଣସି ପାଣିର ବର୍ସା କରନ୍ତି ନାହିଁ
। ଏହାକୁ ହିଁ ଇନ୍ଦ୍ରସଭା କୁହାଯାଏ । ତୁମକୁ ପରୀ ମଧ୍ୟ ହେବାକୁ ପଡିବ । ଅନେକ ପ୍ରକାରର
ପରୀମାନଙ୍କର ଗାୟନ କରାଯାଇଛି ନା । କେହି କେହି ସନ୍ତାନ ଯଦି ଭଲ ସ୍ୱଭାବର ହୋଇଥା’ନ୍ତି ତେବେ
ତାଙ୍କୁ ପରୀ ବୋଲି ଭାବିଥା’ନ୍ତି । ଆଜିକାଲି ପାଉଡର ଆଦି ଲଗାଇ ସୁନ୍ଦର ହେଉଛନ୍ତି । ସତ୍ୟଯୁଗରେ
ତୁମେମାନେ ହିଁ ପରୀ, ପରୀଜାଦା, ହେଉଛ । ଏବେ ତୁମେମାନେ ଜ୍ଞାନ ସାଗରରେ ଜ୍ଞାନସ୍ନାନ କରି ପରୀ
ଅର୍ଥାତ୍ ଦେବୀ-ଦେବତା ହୋଇଯାଉଛ । ତୁମେ ଜାଣିଛ ଆମେ କ’ଣରୁ କ’ଣ ହେଉଛୁ । ଯେଉଁ ପିତା ସଦା
ପବିତ୍ର ଅଟନ୍ତି, ସଦା ସୁନ୍ଦର ଅଟନ୍ତି, ସେହି ଯାତ୍ରୀ ଏବେ ତୁମମାନଙ୍କୁ ଏଭଳି ଦେବୀ-ଦେବତା
କରିବା ପାଇଁ ପତିତ ଶରୀରରେ ପ୍ରବେଶ କରୁଛନ୍ତି । ତେବେ ଗୋରା ଅର୍ଥାତ୍ ପବିତ୍ର କିଏ କରିବେ?
ବାବାଙ୍କୁ ହିଁ କରିବାକୁ ପଡିବ ନା । ସୃଷ୍ଟି ଚକ୍ରକୁ ତ ଘୂରିବାକୁ ହେବ ନା । ଏବେ ତୁମକୁ ଗୋରା
ହେବାର ଅଛି । ଏକମାତ୍ର ଜ୍ଞାନର ସାଗର ବାବା ତୁମମାନଙ୍କୁ ପାଠ ପଢାଉଛନ୍ତି । ସିଏ ହିଁ ଜ୍ଞାନର
ସାଗର, ପ୍ରେମର ସାଗର ଅଟନ୍ତି । ସେହି ପିତାଙ୍କ ପାଇଁ ଯେଉଁ ମହିମା ଗାୟନ କରାଯାଇଛି ତାହା ଲୌକିକ
ପିତାଙ୍କ ପାଇଁ କରାଯାଇପାରିବ ନାହିଁ । ଏହା ବେହଦ ପିତାଙ୍କର ହିଁ ମହିମା ଅଟେ । ତାଙ୍କୁ ହିଁ
ସମସ୍ତେ ଡାକୁଛନ୍ତି ଯେ ଆସି ଆମକୁ ନିଜ ଭଳି ମହିମା ଯୋଗ୍ୟ କରାଅ । ଏବେ ତୁମେମାନେ ପୁରୁଷାର୍ଥର
କ୍ରମାନୁସାରେ ମହିମାର ଯୋଗ୍ୟ ହେଉଛ ନା । ପାଠପଢାରେ ସମସ୍ତେ ଏକାଭଳି ହୋଇ ନ ଥା’ନ୍ତି ।
ସମସ୍ତଙ୍କ ଭିତରେ ରାତି ଦିନର ଫରକ ରହିଛି । ତୁମମାନଙ୍କ ନିକଟକୁ ମଧ୍ୟ ବହୁତ ଆସିବେ । ବ୍ରାହ୍ମଣ
ତ ନିଶ୍ଚିତ ହେବାର ଅଛି । ପୁଣି ସେଥିରୁ କେହି ଭଲ ଭାବରେ ପଢୁଛନ୍ତି ପୁଣି କେହି କମ୍ । ଯିଏ
ପାଠପଢାରେ ସବୁଠୁ ହୋସିୟାର ଥିବେ ସିଏ ଅନ୍ୟମାନଙ୍କୁ ମଧ୍ୟ ପଢାଇପାରିବ । ତୁମେମାନେ ଜାଣିଛ କେତେ
କଲେଜ ଖୋଲି ଚାଲିଛି । ବାବା ମଧ୍ୟ କହୁଛନ୍ତି ଏଭଳି କଲେଜ ତିଆରି କର ଯେଉଁଠି କେହି ବି ଜାଣି
ପାରିବେ ଯେ, ଏହି କଲେଜରେ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ମିଳୁଛି । ବାବା ଭାରତକୁ
ହିଁ ଆସୁଛନ୍ତି ତେଣୁ ଭାରତରେ ହିଁ କଲେଜ ଖୋଲୁଛନ୍ତି । ଭବିଷ୍ୟତରେ ବିଦେଶରେ ମଧ୍ୟ ଖୋଲି ଚାଲିବ
। ବହୁତ କଲେଜ, ୟୁନିଭରସିଟି (ବିଶ୍ୱ ବିଦ୍ୟାଳୟ) ଦରକାର ନା । ଯେଉଁଠି ବହୁତ ଆତ୍ମା ଆସି ପଢିବେ
। ଯେତେବେଳେ ପାଠପଢା ପୂରା ହୋଇଯିବ ସେତେବେଳେ ସମସ୍ତେ ଦେବୀ-ଦେବତା ଧର୍ମକୁ ଚାଲିଯିବେ ଅର୍ଥାତ୍
ମନୁଷ୍ୟରୁ ଦେବତା ହୋଇଯିବେ । ତୁମେ ପିଲାମାନେ ହିଁ ମନୁଷ୍ୟରୁ ଦେବତା ହେଉଛ ନା । ଗାୟନ ମଧ୍ୟ
ରହିଛି - ମନୁଷ୍ୟରୁ ଦେବତା..... । ଏଠାରେ ଏହା ହେଉଛି ମନୁଷ୍ୟମାନଙ୍କର ଦୁନିଆ, ତାହା
ଦେବତାମାନଙ୍କର ଦୁନିଆ । ଦେବତା ଏବଂ ମନୁଷ୍ୟମାନଙ୍କ ଭିତରେ ରାତି ଦିନର ଫରକ ରହିଛି! ଦିନରେ
ହେଉଛନ୍ତି ଦେବତା ଏବଂ ରାତିରେ ମନୁଷ୍ୟ ରହିଥାଆନ୍ତି । ବର୍ତ୍ତମାନ ସମସ୍ତେ ଭକ୍ତ ଅଟନ୍ତି,
ପୂଜାରୀ ଅଟନ୍ତି । ଏବେ ତୁମେମାନେ ପୂଜାରୀରୁ ପୂଜ୍ୟ ହେଉଛ । ସତ୍ୟଯୁଗରେ ଶାସ୍ତ୍ର, ଭକ୍ତି ଆଦିର
ନାମ ନ ଥାଏ । ସେଠାରେ ସମସ୍ତେ ଦେବତା ସ୍ୱରୂପରେ ଥାଆନ୍ତି । ଏଠାରେ ସମସ୍ତ ମନୁଷ୍ୟ ଭକ୍ତ ଅଟନ୍ତି
। ମନୁଷ୍ୟ ହିଁ ପୁଣି ଦେବତା ହେଉଛନ୍ତି । ତାହା ହେଉଛି ଦୈବୀ ଦୁନିଆ ରାମରାଜ୍ୟ । ଏହାକୁ
କୁହାଯାଏ ଆସୁରୀ ଦୁନିଆ ରାବଣ ରାଜ୍ୟ । ଆଗରୁ ତୁମମାନଙ୍କ ବୁଦ୍ଧିରେ ମଧ୍ୟ ନ ଥିଲା ଯେ ରାବଣ
ରାଜ୍ୟ କାହାକୁ କୁହାଯାଏ? ରାବଣ କେବେ ଆସିଲା? କିଛି ବି ଜଣା ନ ଥିଲା । ଦୁନିଆର ମନୁଷ୍ୟ
କହୁଛନ୍ତି ଲଙ୍କା ସମୁଦ୍ରରେ ବୁଡି ଗଲା । ଦ୍ୱାରିକା ପାଇଁ ମଧ୍ୟ ଏହିଭଳି କହୁଛନ୍ତି । ଏବେ
ତୁମେମାନେ ଜାଣୁଛ ଯେ, ସାରା ଦୁନିଆ ବେହଦର ଲଙ୍କା ଅଟେ । ଯାହାକି ଏବେ ବୁଡିବାକୁ ଯାଉଛି । ଏ ସବୁ
କିଛି ବୁଡିଯିବ, ସବୁ ଜଳମୟ ହୋଇଯିବ । କିନ୍ତୁ ସ୍ୱର୍ଗ କେବେ ବୁଡେ ନାହିଁ । ସେଠାରେ କେତେ
ଅସରନ୍ତି ଧନ ଥିଲା । ବାବା ବୁଝାଉଛନ୍ତି - ଗୋଟିଏ ସୋମନାଥ ମନ୍ଦିରକୁ ମୁସଲମାନ୍ମାନେ କେତେ ଥର
ଲୁଣ୍ଠନ କରିଛନ୍ତି । ଏବେ ଦେଖ କିଛି ବି ଧନ ନାହିଁ । ଭାରତରେ କେତେ ଅସରନ୍ତି ଧନ ଥିଲା । ଯାହାକୁ
ହିଁ ସ୍ୱର୍ଗ କୁହାଯାଉଥିଲା । ଏବେ କ’ଣ ଏହାକୁ ସ୍ୱର୍ଗ ବୋଲି କୁହାଯିବ? ଏବେ ତ ନର୍କ ହୋଇଯାଇଛି
। ପୁଣି ସ୍ୱର୍ଗ ହୋଇଯିବ । ତେବେ ସ୍ୱର୍ଗ କିଏ ତିଆରି କରୁଛନ୍ତି ଏବଂ ନର୍କ କିଏ ତିଆରି କରୁଛନ୍ତି?
ଏକଥା ତୁମେମାନେ ଏବେ ଜାଣିଗଲଣି । ରାବଣ ରାଜ୍ୟ କେତେ ସମୟ ଚାଲୁଛି ତାହା ମଧ୍ୟ ବାବା ବତାଇ
ଦେଇଛନ୍ତି । ରାବଣ ରାଜ୍ୟରେ ଅନେକ ଧର୍ମ ରହିଛି । ରାମ ରାଜ୍ୟରେ ତ କେବଳ ସୂର୍ଯ୍ୟବଂଶୀ
ଚନ୍ଦ୍ରବଂଶୀମାନେ ଥା’ନ୍ତି । ଏବେ ତୁମେମାନେ ପାଠ ପଢୁଛ । ଏହି ପାଠ ଅନ୍ୟ କାହା ବୁଦ୍ଧିରେ ନାହିଁ
। ସମସ୍ତେ ତ ଏବେ ରାବଣ ରାଜ୍ୟରେ ଅଛନ୍ତି । ସତ୍ୟଯୁଗରେ ହିଁ ରାମରାଜ୍ୟ ହୋଇଥାଏ । ବାବା
କହୁଛନ୍ତି - ସେଥିପାଇଁ ମୁଁ ତୁମମାନଙ୍କୁ ଯୋଗ୍ୟ କରୁଛି । ପୁଣି ତୁମେମାନେ ଅଯୋଗ୍ୟ ହୋଇଯାଉଛ ।
ତେବେ ଅଯୋଗ୍ୟ କାହିଁକି କୁହାଯାଉଛି? କାହିଁକି ନା ପତିତ ହୋଇଯାଉଛ । ମନୁଷ୍ୟ ଦେବତାମାନଙ୍କର
ଗୁଣର ମହିମା କରୁଛନ୍ତି ଏବଂ ନିଜର ଅବଗୁଣର ମହିମା ଗାୟନ କରୁଛନ୍ତି ।
ବାବା କହୁଛନ୍ତି - ତୁମେ
ଯେତେବେଳେ ପୂଜ୍ୟ ଥିଲ ସେତେବେଳେ ଦୁନିଆ ନୂଆ ଥିଲା । ସାରା ବିଶ୍ୱରେ ତୁମେମାନେ ହିଁ ମାଲିକ ଥିଲ
। ତେବେ ଏବେ ତୁମମାନଙ୍କୁ ବହୁତ ଖୁସି ଲାଗିବା ଦରକାର । ତୁମେ ଭାଇ ଭଉଣୀ ହିଁ ବିଶ୍ୱର ମାଲିକ
ହେଉଛ ନା । ଦୁନିଆର ମନୁଷ୍ୟ କହୁଛନ୍ତି - ଏମାନେ ଘର ଭାଙ୍ଗି ଦେଉଛନ୍ତି । ପୁଣି ସେମାନେ
ଯେତେବେଳେ ଏଠାକୁ ଆସି ଶିକ୍ଷା ନେଉଛନ୍ତି, ସେତେବେଳେ ଜାଣୁଛନ୍ତି ଯେ, ଏହି ଜ୍ଞାନ ତ ବହୁତ ଭଲ ।
କାରଣ ଏଠାକୁ ଆସିବା ପରେ ବୁଝୁଛନ୍ତି ନା । ଭାଇ ଭଉଣୀର ଦୃଷ୍ଟି ନ ରହିଲେ ପବିତ୍ର କିପରି
ହୋଇପାରିବ । ସମସ୍ତ ଆଧାର ପବିତ୍ରତା ଉପରେ ରହିଛି । ବାବା ମଧ୍ୟ ଏହି ମଗଧ ଦେଶକୁ ଆସୁଛନ୍ତି,
ଯାହାକି ବହୁତ ତଳକୁ ଖସିଯାଇଛି, ବହୁତ ପତିତ ହୋଇଯାଇଛି, ଖାଦ୍ୟ ପାନୀୟ ମଧ୍ୟ ଅଶୁଦ୍ଧ ହୋଇଯାଇଛି
। ବାବା କହୁଛନ୍ତି-ମୁଁ ବହୁତ ଜନ୍ମ ନେଇଥିବା ଆତ୍ମାର ଅନ୍ତିମ ଶରୀରରେ ପ୍ରବେଶ କରୁଛି । ଇଏ ହିଁ
୮୪ ଜନ୍ମ ନେଉଛନ୍ତି । ଶେଷ ଜନ୍ମ ପରେ ପ୍ରଥମ ଜନ୍ମ ହୁଏ ଏବଂ ତା’ପରେ ଜନ୍ମ ନେଇ ନେଇ ଶେଷ ଜନ୍ମ
ହୋଇଥାଏ । ବାବା ଉଦାହରଣ ଜଣଙ୍କର ହିଁ ବୁଝାଉଛନ୍ତି । ଏବେ ତୁମର ରାଜଧାନୀ ସ୍ଥାପନା ହେବାକୁ
ଯାଉଛି । ତେବେ ଏ କଥା ତୁମେମାନେ ଯେତେବେଳେ ଭଲ ଭାବରେ ବୁଝିଯିବ, ତୁମ ନିକଟକୁ ବୁଝିବା ପାଇଁ
ବହୁତ ଆସିବେ । ଏବେ ଏହି ବୃକ୍ଷ ବହୁତ ଛୋଟ । ଏହାକୁ ତୋଫାନ ମଧ୍ୟ ବହୁତ ଲାଗୁଛି । ସତ୍ୟଯୁଗରେ
କିନ୍ତୁ ତୋଫାନର କୌଣସି କଥା ନାହିଁ । ଏବେ ଉପରୁ ନୂଆ ନୂଆ ଆତ୍ମା ସବୁ ଆସୁଛନ୍ତି । ପୁଣି ତୋଫାନ
ଲାଗିବା ଦ୍ୱାରା ଅଧୋପତିତ ହୋଇଯାଉଛନ୍ତି । ସତ୍ୟଯୁଗରେ ତ ମାୟାର ତୋଫାନ ନ ଥାଏ । ଏଠାରେ ତ ବସି
ବସି ମରିଯାଉଛନ୍ତି । ତୁମର ଏଠାରେ ମାୟା ସହିତ ଯୁଦ୍ଧ ଚାଲୁଛି, ସିଏ ମଧ୍ୟ ତୁମକୁ ହଇରାଣ କରୁଛି
। କିନ୍ତୁ ସତ୍ୟଯୁଗରେ ଏ ସବୁ ହେବ ନାହିଁ । ଅନ୍ୟ କୌଣସି ଧର୍ମରେ ରାବଣକୁ ଜାଣନ୍ତି ନାହିଁ ।
କାରଣ ରାବଣ ରାଜ୍ୟ ଏବଂ ରାମ ରାଜ୍ୟର ଅର୍ଥ ଅନ୍ୟ କେହି ବି ଜାଣି ନାହାଁନ୍ତି । ଯଦିଓ ସତସଂଗକୁ
ଯାଉଛନ୍ତି, କିନ୍ତୁ ସେଠାରେ ଜୀବନ ମୃତ୍ୟୁର କଥା କୁହନ୍ତି ନାହିଁ । ଏଠାରେ ତ ବାବା ପିଲାମାନଙ୍କୁ
ପୋଷ୍ୟ ରୂପରେ ଗ୍ରହଣ କରୁଛନ୍ତି । ତୁମେ ସମସ୍ତେ କହୁଛ - ଆମେ ଶିବବାବାଙ୍କର ସନ୍ତାନ, ତାଙ୍କଠାରୁ
ଏବେ ସ୍ୱର୍ଗର ସମ୍ପତ୍ତି ନେଉଛୁ । ସମ୍ପତ୍ତି ନେଇ ଅଧିକାରୀ ହେବା ସମୟରେ ମାୟାର ଅଧୀନ ହୋଇଗଲେ
ସମ୍ପତ୍ତି ମଧ୍ୟ ମିଳିବା ବନ୍ଦ ହୋଇଯାଉଛି । ହଂସରୁ ବଦଳି ବଗୁଲା ହୋଇଯାଉଛନ୍ତି । କିନ୍ତୁ ବାବା
ଦୟାର ସାଗର ଅଟନ୍ତି ତେଣୁ ପିଲାମାନଙ୍କୁ ସର୍ବଦା ବୁଝାଇ ଚାଲୁଛନ୍ତି । କେହି ପୁଣି ନିଜର ଉନ୍ନତି
କରି ଉପରକୁ ଚଢିଯାଉଛନ୍ତି । ଯେଉଁମାନେ ସ୍ଥିର ଅବସ୍ଥାରେ ରହୁଛନ୍ତି, ସେମାନଙ୍କୁ ମହାବୀର,
ହନୁମାନ କୁହାଯାଏ । ତୁମେମାନେ ହିଁ ମହାବୀର-ମହାବୀରିଣୀ ଅଟ । ସମସ୍ତେ ତ କ୍ରମାନୁସାରେ ଅଛ ।
ଯେଉଁମାନେ ସବୁଠାରୁ ବଳବାନ୍ ତାଙ୍କୁ ମହାବୀର କୁହାଯାଏ । ଆଦିଦେବଙ୍କୁ ମଧ୍ୟ ମହାବୀର କୁହାଯାଏ,
ଯାହାଙ୍କଠାରୁ ଏହିଭଳି ମହାବୀର ଜାତ ହୁଅନ୍ତି ଯେଉଁମାନେ କି ବିଶ୍ୱ ଉପରେ ରାଜତ୍ୱ କରନ୍ତି ।
ସେମାନେ ହିଁ ରାବଣ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ କ୍ରମାନୁସାରେ ପୁରୁଷାର୍ଥ କରିଚାଲିଛନ୍ତି
। ତେବେ ରାବଣ ହେଉଛି ୫ ବିକାର । ଏହା ତ ବୁଝିବାର କଥା । ଏବେ ତୁମମାନଙ୍କର ବୁଦ୍ଧିର ତାଲା ବାବା
ଖୋଲୁଛନ୍ତି । ଏବେ ସେହି ତାଲା ଏକଦମ୍ ବନ୍ଦ ହୋଇଯାଇଛି । ଏଠାରେ ମଧ୍ୟ ସେହିଭଳି ହେଉଛି
ଯେଉଁମାନଙ୍କ ବୁଦ୍ଧିର ତାଲା ଖୋଲୁଛି ସେମାନେ ଯାଇ ସେବା କରୁଛନ୍ତି । ବାବା କହୁଛନ୍ତି - ସେବା
କର, ଯେଉଁମାନେ ବିକାର ରୂପୀ ନଳାରେ ପଡିଛନ୍ତି ସେମାନଙ୍କୁ ଉଦ୍ଧାର କର । ଏମିତି ନୁହେଁ ଯେ,
ତୁମେମାନେ ମଧ୍ୟ ନଳାରେ ଖସିପଡ । ତୁମମାନଙ୍କୁ ତ ନିଜେ ବାହାରକୁ ବାହାରି ଅନ୍ୟମାନଙ୍କୁ ମଧ୍ୟ
ବାହାର କରିବାକୁ ହେବ । କାରଣ ବିଷୟ ବୈତରଣୀ ନଦୀରେ ଅପରଂପାର ଦୁଃଖ ରହିଛି । ଏବେ ତୁମକୁ
ଅପରଂପାର ସୁଖକୁ ଯିବାକୁ ହେବ । ଯିଏ ଅପରଂପାର ସୁଖ ଦେଉଛନ୍ତି, ତାଙ୍କର ମହିମାର ହିଁ ଗାୟନ
କରାଯାଉଛି । ରାବଣ ଯିଏକି ଦୁଃଖ ଦେଉଛି, ତା’ର କ’ଣ କେବେ ମହିମା ହୋଇପାରିବ କି? ରାବଣକୁ ଅସୁର
କୁହାଯାଏ । ବାବା କହୁଛନ୍ତି - ତୁମେମାନେ ରାବଣ ରାଜ୍ୟରେ ଥିଲ, ଅପାର ସୁଖ ପ୍ରାପ୍ତ କରିବା ପାଇଁ
ତୁମେ ଏବେ ଏଠାକୁ ଆସିଛ । ତୁମକୁ ଅସରନ୍ତି ସୁଖ ମିଳୁଛି ତେଣୁ ଖୁସି ରହିବା ଦରକାର ଏବଂ ତା’
ସହିତ ସାବଧାନ ମଧ୍ୟ ରହିବା ଦରକାର । ପଦବୀ ତ କ୍ରମାନୁସାରେ ହୋଇଥାଏ । ପ୍ରତ୍ୟେକ ଅଭିନେତାଙ୍କର
ପଦବୀ ଅଲଗା ଅଲଗା । ସମସ୍ତଙ୍କ ଭିତରେ ତ ଈଶ୍ୱର ରହିପାରିବେ ନାହିଁ । ବାବା ଆସି ପ୍ରତ୍ୟେକ କଥା
ବୁଝାଉଛନ୍ତି । ତୁମେମାନେ ପୁରୁଷାର୍ଥର କ୍ରମାନୁସାରେ ବାବାଙ୍କୁ ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ
ଜାଣୁଛ । ପାଠପଢା ଆଧାରରେ ହିଁ କ୍ରମାନୁସାରେ ନମ୍ବର ମିଳିଥାଏ । ଏହା ହେଉଛି ବେହଦର ପାଠପଢା,
ଏଥିରେ ପିଲାମାନଙ୍କର ବହୁତ ଧ୍ୟାନ ରହିବା ଦରକାର । ପାଠପଢା କେବେ ମିସ୍ କରିବା ଉଚିତ୍ ନୁହେଁ ।
ଆମେ ସବୁ ବିଦ୍ୟାର୍ଥୀ ଅଟୁ, ଆମକୁ ଈଶ୍ୱର ପିତା ପାଠ ପଢାଉଛନ୍ତି - ସେହି ନିଶା ପିଲାମାନଙ୍କ
ମଧ୍ୟରେ ସର୍ବଦା ରହିବା ଦରକାର । ଭଗବାନୁବାଚ - ସେମାନେ କେବଳ ମୋର ନାମ ବଦଳରେ କୃଷ୍ଣଙ୍କ ନାମ
ଲେଖି ଦେଇଛନ୍ତି । ଭୁଲ୍ ବଶତଃ କୃଷ୍ଣ ଭଗବାନୁବାଚ ଭାବି ନେଇଛନ୍ତି, କାହିଁକି ନା କୃଷ୍ଣ
ହେଉଛନ୍ତି ଭଗବାନଙ୍କର ପରେ ଦ୍ୱିତୀୟ ଭଗବାନ । ବାବା ଯେଉଁ ସ୍ୱର୍ଗ ସ୍ଥାପନ କରୁଛନ୍ତି ସେଥିରେ
ଇଏ ପ୍ରଥମ ନମ୍ବରର ନା । ଏହି ଜ୍ଞାନ ତୁମମାନଙ୍କୁ ଏବେ ହିଁ ମିଳିଛି । ଯେଉଁମାନେ ପୁରୁଷାର୍ଥର
କ୍ରମାନୁସାରେ ନିଜର କଲ୍ୟାଣ କରିବା ସହିତ ଅନ୍ୟମାନଙ୍କର କଲ୍ୟାଣ କରୁଛନ୍ତି, ସେମାନଙ୍କୁ ସେବା
ବ୍ୟତୀତ କେଉଁଥିରେ ବି ସୁଖ ଲାଗିବ ନାହିଁ ।
ତୁମେ ପିଲାମାନେ ଯୋଗ ଏବଂ
ଜ୍ଞାନରେ ଏତେ ଶକ୍ତିଶାଳୀ ହୋଇଯିବ ଯାହାକି ଜିନ୍ ଭଳି କାର୍ଯ୍ୟ କରିବ । ତୁମକୁ ମନୁଷ୍ୟରୁ ଦେବତା
କରାଇବାର ସେବାର ଅଭ୍ୟାସ ହୋଇଯିବ । ତୁମମାନଙ୍କୁ ମୃତ୍ୟୁ ପୂର୍ବରୁ ଉତ୍ତୀର୍ଣ୍ଣ ହେବାକୁ ପଡିବ ।
ସେଥିପାଇଁ ବହୁତ ସେବା କରିବାକୁ ହେବ । ପରବର୍ତ୍ତୀ ସମୟରେ ତ ଲଢେଇ ଆରମ୍ଭ ହୋଇଯିବ, ପ୍ରାକୃତିକ
ବିପର୍ଯ୍ୟୟ ମଧ୍ୟ ମାଡି ଆସିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଶେଷ ସମୟରେ
ଆସିଥିଲେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ମହାବୀର ହୋଇ ପୁରୁଷାର୍ଥ କରିବାକୁ ହେବ ।
ମାୟାର ତୋଫାନରେ ହଲଚଲ୍ ହେବାର ନାହିଁ । ବାବାଙ୍କ ଭଳି ଦୟାଶୀଳ ହୋଇ ମନୁଷ୍ୟମାନଙ୍କର ବୁଦ୍ଧିର
ତାଲାକୁ ଖୋଲିବାର ସେବା କରିବାକୁ ହେବ ।
(୨) ପ୍ରତିଦିନ ଜ୍ଞାନ
ସାଗରରେ ଜ୍ଞାନ ସ୍ନାନ କରି ପରୀଜାଦା ରାଜକୁମାର ହେବାର ଅଛି । ଗୋଟିଏ ଦିନ ବି ପାଠପଢାକୁ ବନ୍ଦ
କରିବାର ନାହିଁ । ଆମେ ସବୁ ଭଗବାନଙ୍କର ଛାତ୍ର - ଏହି ନିଶାରେ ରହିବାର ଅଛି ।
ବରଦାନ:-
ଗମ୍ଭୀରତାର ଗୁଣ
ଦ୍ୱାରା ଫୁଲ ମାର୍କ ଅର୍ଥାତ୍ ୧୦୦ ନମ୍ବର ଜମା କରୁଥିବା ଗମ୍ଭୀରତାର ଦେବୀ ବା ଦେବତା ଭବ ।
ବର୍ତ୍ତମାନ ସମୟରେ
ଗମ୍ଭୀରତାର ଗୁଣର ବହୁତ-ବହୁତ ଆବଶ୍ୟକତା ରହିଛି, କାହିଁକି ନା କହିବାର ଅଭ୍ୟାସ ବହୁତ ବଢିଯାଇଛି,
ତେଣୁ ଯାହା ଇଚ୍ଛା ତାହା କହିଦେଉଛ । କେହି ଯଦି କୌଣସି ଭଲ କରିଲା ଏବଂ ତାକୁ କହିଦେଲା ତେବେ
ସେଥିରୁ ଅଧାଫଳ ସମାପ୍ତ ହୋଇଗଲା ଆଉ ଅଧା ହିଁ ଜମା ହେଲା । କିନ୍ତୁ ଯିଏ ଗମ୍ଭୀର ରହିଥାଏ ତା’ର
ସମ୍ପୂର୍ଣ୍ଣ ନମ୍ବର ଜମା ହୋଇଥାଏ ସେଥିପାଇଁ ଗମ୍ଭୀରତାର ଦେବୀ ବା ଦେବତା ହୁଅ ଏବଂ ନିଜର ଫୁଲ
ମାର୍କ ଜମା କର । ବର୍ଣ୍ଣନା କରିବା ଦ୍ୱାରା ନମ୍ବର କମ୍ ହୋଇଯାଉଛି ।
ସ୍ଲୋଗାନ:-
ଯଦି ବିନ୍ଦୁ
ସ୍ୱରୂପରେ ସ୍ଥିତ ରହିବ ତେବେ ସମସ୍ୟା ଗୁଡିକୁ ଗୋଟିଏ ସେକେଣ୍ଡରେ ବିନ୍ଦୁ ଲଗାଇପାରିବ ।