17.11.24 Avyakt Bapdada Odia Murli 30.11.2002 Om Shanti Madhuban
“ବାହୁଡିବା ଶବ୍ଦର
ସ୍ମୃତି ଦ୍ୱାରା ସମାନ ହୁଅ ଏବଂ ବାହୁଡା ଯାତ୍ରାର ସ୍ମୃତି ସ୍ୱରୂପ ହୁଅ”
ଆଜି ବାପଦାଦା ନିଜର
ଚାରିଆଡର ହୃଦୟ ସିଂହାସନର ଅଧିକାରୀ, ଭ୍ରୃକୁଟୀ ସିଂହାସନର ଅଧିକାରୀ, ବିଶ୍ୱର ରାଜ୍ୟ ସିଂହାସନ
ଅଧିକାରୀ ତଥା ସ୍ୱରାଜ୍ୟ ଅଧିକାରୀ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ପରମାତ୍ମାଙ୍କର
ହୃଦୟ ରୂପୀ ସିଂହାସନ ସାରା କଳ୍ପ ଭିତରେ ଏବେ ହିଁ ତୁମମାନଙ୍କ ଭଳି ଗେହ୍ଲା ଏବଂ ଅତିପ୍ରିୟ
ସନ୍ତାମାନଙ୍କୁ ହିଁ ପ୍ରାପ୍ତ ହେଉଛି । ଭ୍ରୃକୁଟୀ ରୂପୀ ସିଂହାସନ ତ ସବୁ ଆତ୍ମାମାନଙ୍କର ଅଛି
କିନ୍ତୁ ପରମାତ୍ମାଙ୍କର ହୃଦୟ ରୂପୀ ସିଂହାସନ କେବଳ ତୁମେ ବ୍ରାହ୍ମଣ ଆତ୍ମାମାନଙ୍କ ବ୍ୟତୀତ ଅନ୍ୟ
କାହାକୁ ବି ପ୍ରାପ୍ତ ହୋଇନାହିଁ । ତେବେ ଏହି ହୃଦୟ ରୂପୀ ସିଂହାସନ ହିଁ ବିଶ୍ୱର ରାଜ୍ୟ
ସିଂହାସନକୁ ପ୍ରାପ୍ତ କରାଇଥାଏ । ବର୍ତ୍ତମାନ ସମୟରେ ତ ସମସ୍ତେ ନିଜ ନିଜର ସ୍ୱରାଜ୍ୟର ଅଧିକାରୀ
ଅଟ କାରଣ ସ୍ୱରାଜ୍ୟ ହିଁ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ଗଳାର ହାର ଅଟେ । ସ୍ୱରାଜ୍ୟ ତୁମମାନଙ୍କର
ଜନ୍ମ ସିଦ୍ଧ ଅଧିକାର । ତେଣୁ ନିଜକୁ ଏହିଭଳି ସ୍ୱରାଜ୍ୟର ଅଧିକାରୀ ଅନୁଭବ କରୁଛ ତ? ମନ ଭିତରେ
ଏହି ଦୃଢ ସଂକଳ୍ପ ମଧ୍ୟ ରହିଛି ଯେ ଆମର ଏହି ଜନ୍ମ ସିଦ୍ଧ ଅଧିକାରକୁ କେହି ବି ଛଡାଇ ନେଇ ପାରିବ
ନାହିଁ । ଏଥି ସହିତ ଏହି ଆତ୍ମିକ ନିଶା ମଧ୍ୟ ଅଛି ଯେ ଆମେ ସବୁ ପରମାତ୍ମାଙ୍କର ହୃଦୟ ସିଂହାସନର
ଅଧିକାରୀ ମଧ୍ୟ ଅଟୁ । ମାନବ ଜୀବନରେ ଶରୀର ମଧ୍ୟରେ ଦିଲ୍ ଅର୍ଥାତ୍ ହୃଦୟକୁ ମହାନ ଅର୍ଥାତ୍
ଶ୍ରେଷ୍ଠ ଅଙ୍ଗ ରୂପରେ ଗାୟନ କରିଥାଆନ୍ତି । ଯଦି ହୃଦୟ କାର୍ଯ୍ୟ କରିବା ବନ୍ଦ କରିଦିଏ ତେବେ
ଜୀବନ ସମାପ୍ତ ହୋଇଯାଏ । ତେଣୁ ଆଧ୍ୟାତ୍ମିକ ଜୀବନରେ ମଧ୍ୟ ଏହି ହୃଦୟ ରୂପୀ ସିଂହାସନର ବହୁତ ମହତ୍ୱ
ରହିଛି । ଯେଉଁମାନେ ଏଠାରେ ପରମାତ୍ମାଙ୍କର ହୃଦୟ ସିଂହାସନର ଅଧିକାରୀ ଅଟନ୍ତି ସେହି ଆତ୍ମାମାନେ
ହିଁ ସାରା ବିଶ୍ୱରେ ବିଶେଷ ଆତ୍ମା ରୂପରେ ଗାୟନ ଯୋଗ୍ୟ ହୋଇଥାଆନ୍ତି ଏବଂ ସେହି ଆତ୍ମାମାନେ ହିଁ
ଭକ୍ତମାନଙ୍କ ପାଇଁ ମାଳାର ଦାନା ରୂପରେ ସ୍ମରଣ ଯୋଗ୍ୟ ହୋଇଥାଆନ୍ତି । ପୁଣି ସେହି ଆତ୍ମାମାନେ
ହିଁ କୋଟିକ ଭିତରେ କେହି ଏବଂ କେହି କେହିଙ୍କ ଭିତରେ ମଧ୍ୟ କେହି ଅର୍ଥାତ୍ ବିଶେଷ ଆତ୍ମା ରୂପରେ
ଗାୟନ ଯୋଗ୍ୟ ହୋଇଥାଆନ୍ତି ତେବେ ସେହି ଆତ୍ମାମାନେ କିଏ? କ’ଣ ତୁମେମାନେ ନା ଆଉ କିଏ? ପାଣ୍ଡବମାନେ
ଅଟ ତ? ମାତାମାନେ ଅଟ ତ? (ସମସ୍ତେ ହାତ ହଲାଉଛନ୍ତି) ତେଣୁ ବାବା କହୁଛନ୍ତି ହେ ଗେହ୍ଲା ପିଲାମାନେ
କେବେ କେବେ ତୁମେମାନେ ବାବାଙ୍କର ହୃଦୟ ସିଂହାସନକୁ ଛାଡି ଦେହ ରୂପୀ ମାଟି ସହିତ କାହିଁକି ମନ
ଲଗାଉଛ? ଦେହ ତ ମାଟି ହିଁ ଅଟେ ଏବଂ ଗେହ୍ଲା ପିଲାମାନେ କେବେ ବି ମାଟି ଉପରେ ପାଦ ରଖନ୍ତି ନାହିଁ,
ସବୁବେଳେ ହୃଦୟ ସିଂହାସନ ଉପରେ ନଚେତ୍ ବାବାଙ୍କ କୋଳରେ ଅଥବା ଅତୀନ୍ଦ୍ରିୟ ହିଁ ସୁଖର ଝୁଲଣାରେ
ଝୁଲୁଥାଆନ୍ତି । ତେବେ ତୁମମାନଙ୍କ ପାଇଁ ତ ବାପଦାଦା ଭିନ୍ନ ଭିନ୍ନ ଝୁଲଣା ସବୁ ଦେଇଛନ୍ତି, କେବେ
ସୁଖର ଝୁଲଣାରେ ଝୁଲ, କେବେ ଖୁସିର ଝୁଲଣାରେ ଝୁଲ, କେବେ ଆନନ୍ଦମୟ ସ୍ଥିତିର ଝୁଲଣାରେ ଝୁଲ ।
ତେବେ ଆଜି ବାପଦାଦା
ଏହିଭଳି ଶ୍ରେଷ୍ଠ ପିଲାମାନଙ୍କୁ ଦେଖୁଥିଲେ ଯେ ଏମାନେ କିପରି ନିଶାର ସହିତ ଝୁଲଣାରେ ଝୁଲୁଛନ୍ତି
। କ’ଣ ପିଲାମାନେ ଝୁଲୁଛ ତ? ମାଟି ଉପରକୁ ଯାଉ ନାହିଁ ତ? କ’ଣ କେବେ କେବେ ମାଟି ଉପରେ ପାଦ ରଖିବା
ପାଇଁ ମନ ହେଉଛି କି? କାହିଁକି ନା ୬୩ ଜନ୍ମ ପର୍ଯ୍ୟନ୍ତ ମାଟି ଉପରେ ହିଁ ପାଦ ରଖି ଆସିଛ ଏବଂ
ମାଟି ସହିତ ଖେଳିଛ । ତେବେ ଏବେ ଆଉ ମାଟି ସହିତ ଖେଳୁ ନାହଁ ତ? କେବେ କେବେ ମାଟି ଉପରକୁ ପାଦ
ଚାଲିଯାଉଛି କି? ଯାଉ ନାହିଁ ନା? ନା କେବେ କେବେ ଚାଲିଯାଉଛି । ତେବେ ଦେହର ସ୍ମୃତି ଆସିବା ମଧ୍ୟ
ମାଟି ଉପରେ ପାଦ ରଖିବା ସହିତ ସମାନ ଅଟେ । ଦେହ-ଅଭିମାନରେ ଆସିବା ତ ଆହୁରି ଅଧିକ ଗଭୀର ଭାବରେ
ମାଟି ଉପରେ ପାଦ ରଖିବା ସହିତ ସମାନ ଅଟେ । କିନ୍ତୁ ଦେହର ସ୍ମୃତି ଆସିବା ମଧ୍ୟ ମାଟି ସହିତ ସମାନ
। ଯେତେଯେତେ ଏହି ସଂଗମ ସମୟରେ ଅଧିକରୁ ଅଧିକ ହୃଦୟ ସିଂହାସନର ଅଧିକାରୀ ହୋଇ ରହିବ ସେହି ଅନୁସାରେ
ଅଧାକଳ୍ପ ପର୍ଯ୍ୟନ୍ତ ସୂର୍ଯ୍ୟବଂଶୀ ରାଜଧାନୀରେ ଏବଂ ଚନ୍ଦ୍ରବଂଶୀ ମାନଙ୍କର ରାଜ୍ୟ ସମୟରେ ମଧ୍ୟ
ସୂର୍ଯ୍ୟବଂଶୀ ରାଜ ପରିବାର ଭିତରେ ଜନ୍ମ ନେବ । ଯଦି ଏବେ ଏହି ସଂଗମଯୁଗରେ କେବେକେବେ ହୃଦୟ
ସିଂହାସନ ଅଧିକାରୀ ହେବ ତେବେ ସୂର୍ଯ୍ୟବଂଶୀ ରାଜ ପରିବାର ଭିତରେ ସେତେ ଅଳ୍ପ ସମୟ ପାଇଁ ଆସିବ ।
ରାଜ୍ୟ ସିଂହାସନର ଅଧିକାରୀ ଅର୍ଥାତ୍ ରାଜା ରାଣୀ ଆତ୍ମାମାନେ ଯଦିଓ ଜଣଙ୍କ ପରେ ଜଣେ କ୍ରମାନ୍ୱୟରେ
ରାଜ୍ୟ ଶାସନ କରିବେ କିନ୍ତୁ ରୟାଲ ଫ୍ୟାମିଲୀ ଅର୍ଥାତ୍ ରାଜ କାର୍ଯ୍ୟ ଚଲାଇବାର ସହଯୋଗୀ ହେଉଥିବା
ଆତ୍ମାମାନଙ୍କର ସର୍ବଦା ରାଜ ପରିବାର ସହିତ ସମ୍ବନ୍ଧ ରହିଥିବ । ତେଣୁ ଚେକ୍ କର ଯେ ସଂଗମଯୁଗର ଆଦି
ସମୟଠାରୁ ଆଜି ପର୍ଯ୍ୟନ୍ତ ଚାହେଁ ୧୦ ବର୍ଷ ହୋଇଥାଉ, ଚାହେଁ ୫୦ ବର୍ଷ ହୋଇଥାଉ, ଚାହେଁ ୬୬ ବର୍ଷ
ସ୍ଥାପନା ସମୟ ଠାରୁ ବିତିଗଲାଣି (୨୦୦୨ ମସିହା ପର୍ଯ୍ୟନ୍ତ) କିନ୍ତୁ ଯେବେଠାରୁ ବ୍ରାହ୍ମଣ ହୋଇଛ
ସେବେଠାରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କେତେ ସମୟ ହୃଦୟ ସିଂହାସନ ଅଧିକାରୀ ହୋଇଛ । ବହୁତ ସମୟ
ପର୍ଯ୍ୟନ୍ତ ହୋଇଛ, ବା ନିରନ୍ତର ହୋଇଛ ବା କେବେ କେବେ ହୋଇଛ? ତେବେ ଯେଉଁ ଆତ୍ମା ପରମାତ୍ମାଙ୍କର
ହୃଦୟ ସିଂହାସନର ଅଧିକାରୀ ହୋଇଥିବ ତା’ର ଲକ୍ଷଣ ହେଲା - ପ୍ରତ୍ୟକ୍ଷ ଚାଲିଚଳନରେ ଏବଂ ଚେହେରାରେ
ସେ ସର୍ବଦା ଚିନ୍ତାମୁକ୍ତ ରାଜା ହୋଇଥିବ । ଯେପରି କୌଣସି ସ୍ଥୁଳ ବୋଝ ମୁଣ୍ଡ ଉପରେ ରହିଥାଏ
ସେହିପରି ସୂକ୍ଷ୍ମ ବୋଝ ମଧ୍ୟ ମନ ଉପରେ ରହିଥାଏ । ତେବେ ସେମାନଙ୍କ ମନ ଉପରେ କୌଣସି ପ୍ରକାରର
ବୋଝ ନ ଥିବ । ତେବେ ଚିନ୍ତା ଅର୍ଥାତ୍ ବୋଝ, ଚିନ୍ତାମୁକ୍ତ ସ୍ଥିତି ଅର୍ଥାତ୍ ଡବଲ ଲାଇଟ୍ ସ୍ଥିତି
। ଯଦି କୌଣସି ପ୍ରକାରର ଚାହେଁ ସେବାର ଚାହେଁ ସମ୍ବନ୍ଧ-ସମ୍ପର୍କର, ଚାହେଁ ସ୍ଥୁଳ ସେବାର ବା
ଆତ୍ମିକ ସେବାର ମଧ୍ୟ ବୋଝ ନ ରହୁ । କ’ଣ ହେବ, କିପରି ହେବ... ସଫଳତା ମିଳିବ କି ନାହିଁ! ସେବାର
ଯୋଜନା କରିବା, ଭାବିବା ତାହା ଅଲଗା ଜିନିଷ କିନ୍ତୁ ବୋଝ ଅନୁଭବ ହେବା ଅଲଗା ଜିନିଷ । ବୋଝବାଲାର
ଲକ୍ଷଣ ହେଲା ମୁଖମଣ୍ଡଳରେ ସର୍ବଦା କମ ହେଉ ବା ବେଶୀ ହେଉ ଥକି ପଡିବାର ଚିହ୍ନ ଦେଖାଯାଉଥିବ ।
ଅଧିକ ମେହନତ କାରଣରୁ କ୍ଳାନ୍ତ ହୋଇଯିବା ଅଲଗା ଜିନିଷ କିନ୍ତୁ କ୍ଳାନ୍ତିର ଚିହ୍ନ ଦେଖାଯିବା
ବୋଝର ଲକ୍ଷଣ ଅଟେ । ଏହା ଛଡା ସମ୍ରାଟ ହେବାର ଅର୍ଥ ଏହା ନୁହେଁ ଯେ ବେପରୁଆ ହୋଇ ଚାଲୁଥିବ,
ପ୍ରକୃତରେ ଅବହେଳା ପଣିଆର ବଶୀଭୂତ ହୋଇଥିବ କିନ୍ତୁ କହୁଥିବ ମୁଁ ତ ଚିନ୍ତାମୁକ୍ତ ସ୍ଥିତିରେ
ରହୁଛି । ତେବେ ଅବହେଳାପଣିଆ ମଧ୍ୟ ବହୁତ ଧୋକା ଦେଇଥାଏ । ତୀବ୍ର ପୁରୁଷାର୍ଥର ଏବଂ ଅବହେଳା
ପଣିଆର ଶବ୍ଦ ବା ଭାଷା ଏକା ହିଁ ଅଟେ । ତୀବ୍ର ପୁରୁଷାର୍ଥୀର ସର୍ବଦା ଦୃଢ ନିଶ୍ଚୟ ଥିବା କାରଣରୁ
ସେ ଏହିଭଳି ଭାବୁଥାଏ ଯେ ମୋ’ର ପ୍ରତ୍ୟେକ କାର୍ଯ୍ୟ ସାହାସ ଏବଂ ବାବାଙ୍କର ସହଯୋଗ ଆଧାରରେ ସଫଳ
ନିଶ୍ଚିତ ହେବ ଏବଂ ଅବହେଳା ପଣିଆର ଭାଷା ମଧ୍ୟ ଏହା ହିଁ ଅଟେ - ହୋଇ ହିଁ ଯିବ, ନିଶ୍ଚିତ ହେବ,
ହୋଇ କରି ରହିଛି.... । ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ବାକି ରହିଛି କି, ତେଣୁ ନିଶ୍ଚିତ
ହୋଇଯିବ । ତେଣୁ ଶବ୍ଦ ଏକା ହେଲେ ମଧ୍ୟ ରୂପ ଅଲଗା ଅଲଗା ଅଟେ ।
ତେବେ ବର୍ତ୍ତମାନ ସମୟରେ
ମାୟାର ଦୁଇଟି ରୂପ ପିଲାମାନଙ୍କର ପରୀକ୍ଷା ଦେଉଛି । ଗୋଟିଏ ହେଲା ବ୍ୟର୍ଥ ସଂକଳ୍ପ, ବିକଳ୍ପ ନୁହେଁ,
ବ୍ୟର୍ଥ ସଂକଳ୍ପ, ଦ୍ୱିତୀୟଟି ହେଲା - “ମୁଁ ହିଁ ଠିକ୍ ଅଟେ” । ମୁଁ ଯାହା କରୁଛି, ଯାହା କହୁଛି,
ଯାହା ଭାବୁଛି - ସବୁ ଠିକ୍, ମୁଁ କିଛି କମ୍ ନୁହେଁ । ବାପଦାଦା ମଧ୍ୟ ସମୟକୁ ଦୃଷ୍ଟିରେ ରଖି ଏବେ
ଏହି କଥା ଚାହୁଁଛନ୍ତି ଯେ କେବଳ ଗୋଟିଏ ଶବ୍ଦକୁ ସର୍ବଦା ସ୍ମୃତିରେ ରଖ - ବାବାଙ୍କଠାରୁ ମିଳିଥିବା
ସର୍ବ ପ୍ରାପ୍ତି ଗୁଡିକୁ, ସ୍ନେହକୁ ତଥା ସହଯୋଗକୁ ରିଟର୍ଣ୍ଣ କରିବାକୁ ହେବ ଅର୍ଥାତ୍ ଫେରାଇବାକୁ
ହେବ । ତେବେ ଫେରେଇ ବାବା ପ୍ରତିଦାନ ଦେବା ଅର୍ଥାତ୍ ସମାନ ହେବା । ଦ୍ୱିତୀୟରେ ହେଲା - ଏବେ ଆମର
ରିଟର୍ଣ୍ଣ ଜର୍ଣ୍ଣି ଅର୍ଥାତ୍ ବାହୁଡା ଯାତ୍ରାର ସମୟ ବା ଘରକୁ ଫେରିବାର ସମୟ । ତେବେ ଗୋଟିଏ ହିଁ
ଶବ୍ଦ ରିଟର୍ଣ୍ଣ ଅର୍ଥାତ୍ ଫେରାଇବାକୁ ହେବ ଏବଂ ଫେରିବାକୁ ହେବ, ଏହି ଶବ୍ଦ ସର୍ବଦା ସ୍ମୃତିରେ
ରହିଥାଉ । ଏଥିପାଇଁ ଗୋଟିଏ ବହୁତ ସହଜ ଉପାୟ ଅଛି, ତାହା ହେଲା ନିଜର ପ୍ରତ୍ୟେକ ସଂକଳ୍ପ,
ପ୍ରତ୍ୟେକ ବାଣୀ ଏବଂ ପ୍ରତ୍ୟେକ କର୍ମକୁ ବ୍ରହ୍ମାବାବାଙ୍କ ସହିତ ମିଶାଅ । ବ୍ରହ୍ମାବାବାଙ୍କର
ସଂକଳ୍ପ କିପରି ଥିଲା? ତାଙ୍କର ବାଣୀ କିପରି ଥିଲା, ତାଙ୍କର କର୍ମ କିପରି ଥିଲା? ଏହାକୁ ହିଁ
କୁହାଯାଏ ଫଲୋ ଫାଦର କରିବା ଅର୍ଥାତ୍ ପିତାଙ୍କୁ ଅନୁକରଣ କରିବା । ତେବେ କାହାକୁ ଅନୁକରଣ କରିବା
ତ ସହଜ ହୋଇଥାଏ ନା! କିଛି ନୂଆ ଭାବିବା, ନୂଆ କରିବାର ଆବଶ୍ୟକତା ହିଁ ନାହିଁ, ଯାହା ବାବା
କରିଛନ୍ତି ତାକୁ ଅନୁକରଣ କରିବାର ଅଛି । ଏହା ତ ସହଜ ଅଟେ ନା!
ଟୀଚରମାନେ ହାତ ଉଠାଅ -
ଅନୁକରଣ କରିବା ସହଜ ନା ମୁଶକିଲ୍? ସହଜ ଅଟେ ନା! ବାସ୍ ଏବେ ଫଲୋଫାଦର କର । ପ୍ରଥମେ ଚେକ୍ କର,
ଯେପରି କଥାରେ ଅଛି “ପ୍ରଥମେ ଚିନ୍ତା କର” ତା’ପରେ କର, ପ୍ରଥମରୁ ମାପିଚୁପି କଥା କୁହ । ତେବେ
ଟୀଚରମାନେ ଏହି ବର୍ଷରେ, ଏବେ ତ ଏହି ବର୍ଷର ଶେଷ ମାସ ଆରମ୍ଭ ହେଲା, ପୁରୁଣା ବର୍ଷ ଯିବ ନୂଆ
ଆସିବ । ତେବେ ନୂତନ ବର୍ଷ ଆସିବା ପୂର୍ବରୁ କ’ଣ କରିବ, ତା’ର ପ୍ରସ୍ତୁତି କରିନିଅ । ଏହି ସଂକଳ୍ପ
କର ଯେ ବାବାଙ୍କର ପାଦ ଚିହ୍ନ ଉପରେ ପାଦ ରଖିବା ବିନା ଅନ୍ୟ କୌଣସି କାର୍ଯ୍ୟ କରିବି ନାହିଁ ।
ବାସ୍ କେବଳ ପାଦ ଚିହ୍ନ ଉପରେ ପାଦ ପକାଅ । ତେବେ ପାଦ ଚିହ୍ନ ଉପରେ ପାଦ ରଖିବା ତ ସହଜ ଅଟେ ନା!
ତେବେ ନୂତନ ବର୍ଷ ପାଇଁ ଏବେଠାରୁ ହିଁ ସଂକଳ୍ପରେ ଯୋଜନା କରିଦିଅ, ବ୍ରହ୍ମାବାବା ଯେପରି ସର୍ବଦା
ନିମିତ୍ତ ଏବଂ ନିର୍ମାଣଚିତ୍ତ ହୋଇ ରହିଥିଲେ, ସେହିପରି ମୁଁ ମଧ୍ୟ ନିମିତ୍ତ ଭାବ ଏବଂ ନିର୍ମାଣ
ଭାବକୁ ଆପଣାଇବି । କେବଳ ନିମିତ୍ତ ଭାବ ନୁହେଁ, ନିମିତ୍ତ ଭାବ ସହିତ ନିର୍ମାଣ ଭାବ ମଧ୍ୟ ଆବଶ୍ୟକ
କାହିଁକି ନା ଟୀଚରମାନେ ତ ନିମିତ୍ତ ଅଟନ୍ତି ନା! ତେଣୁ ସଂକଳ୍ପରେ, ବାଣୀରେ ବା କାହା ସହିତ
ସମ୍ବନ୍ଧ-ସମ୍ପର୍କରେ ଆସିବାରେ, କର୍ମରେ ତଥା ପ୍ରତ୍ୟେକ ଶବ୍ଦରେ ନିର୍ମାଣତା । ଯିଏ
ନିର୍ମାଣଚିତ୍ତ ଅଟନ୍ତି ତାଙ୍କ ଭିତରେ ହିଁ ନିମିତ୍ତ ଭାବ ରହିଥାଏ । ଯିଏ ନିର୍ମାଣଚିତ୍ତ
ନୁହଁନ୍ତି ତାଙ୍କ ଭିତରେ କିଛି ନା କିଛି ସୂକ୍ଷ୍ମ ରୂପରେ, ମହାନ ରୂପରେ ଅଭିମାନ ନ ଥାଇପାରେ
କିନ୍ତୁ ସୂକ୍ଷ୍ମରେ ରୋବ୍ ଅର୍ଥାତ୍ ମାଲିକ ପଣିଆର ଭାବ ନିଶ୍ଚିତ ଥିବ ଯାହାକି ଅଭିମାନର ଅଂଶ ଅଟେ
। ତେଣୁ ନିମିତ୍ତ ଭାବ, ନିର୍ମାଣ ଭାବ ସହିତ ବାଣୀରେ ସର୍ବଦା ନିର୍ମଳ ଭାଷୀ, ମଧୁର ଭାଷୀ ହୁଅ ।
ସମ୍ବନ୍ଧ-ସମ୍ପର୍କରେ ଯେତେବେଳେ ଆତ୍ମିକ ସ୍ୱରୂପର ସ୍ମୃତି ରହିଥାଏ ସେତେବେଳେ ନିରାକାରୀ ଏବଂ
ନିରହଂକାରୀ ସ୍ଥିତି ସ୍ୱତଃ ହିଁ ଆସିଯାଏ । ତୁମମାନଙ୍କୁ ବ୍ରହ୍ମାବାବାଙ୍କର ଶେଷ ସମୟରେ ଉଚ୍ଚାରଣ
କରିଥିବା ତିନୋଟି ଶବ୍ଦ ମନେ ଅଛି ନା? ଯିଏ ନିରାକାରୀ ଏବଂ ନିରହଂକାରୀ ସେହିଁ ନିର୍ବିକାରୀ ଅଟେ
। ଆଚ୍ଛା, ଫଲୋ ଫାଦର କର । କ’ଣ ପକ୍କା ଅଟେ ତ!
ଡବଲ ବିଦେଶୀମାନେ ଉଠ -
ବହୁତ ଭଲ ଗ୍ରୃଫ୍ଟି ଆସିଛି । ବାପଦାଦାଙ୍କୁ ଡବଲ ବିଦେଶୀମାନଙ୍କର ଗୋଟିଏ କଥା ପାଇଁ ଖୁସି
ଲାଗିଥାଏ, ଜାଣିଛ ତାହା କ’ଣ? ଦେଖ ତୁମେମାନେ କେତେ ଦୂରଦେଶରୁ ଆସିଛ, ଯଦି ନିର୍ଦ୍ଦେଶ ମିଳିଲା
ଯେ ଏହି ପାଳିରେ ଆସିପାରିବ ତେବେ ତୁରନ୍ତ ପହଞ୍ଚିଯାଇଥାଆନ୍ତି । ଯେମିତି ବି ହେଉ ପୁରୁଷାର୍ଥ କରି
ବଡ ସଂଗଠନଟିଏ ଆସି ପହଞ୍ଚିଯାଇଛି । ଦାଦୀଜୀଙ୍କର ନିର୍ଦ୍ଦେଶକୁ ଠିକ୍ ରୂପରେ ପାଳନ କରିଛନ୍ତି
ନା! ସେଥିପାଇଁ ଅଭିନନ୍ଦନ । ବାପଦାଦା ଜଣ ଜଣଙ୍କୁ ଦେଖୁଛନ୍ତି, ଦୃଷ୍ଟି ମଧ୍ୟ ଦେଉଛନ୍ତି । ଏମିତି
ନୁହେଁ ଯେ କେବଳ ଷ୍ଟେଜ ଉପରକୁ ଆସିଲେ ଯାଇ ଦୃଷ୍ଟି ମିଳିବ । ଦୂରରୂ ତ ଆହୁରି ଅଧିକ ଭଲ
ଦେଖାଯାଉଛି । ଡବଲ ବିଦେଶୀମାନେ ହାଁ ଜୀ କରିବାର ପାଠକୁ ଭଲ ଭାବରେ ପଢି ନେଇଛନ୍ତି ।
ବାପଦାଦାଙ୍କୁ ଡବଲ ବିଦେଶୀ ପିଲାମାନଙ୍କ ପ୍ରତି ସ୍ନେହ ତ ନିଶ୍ଚିତ ରହିଛି । କିନ୍ତୁ ଗର୍ବ ମଧ୍ୟ
କରୁଛନ୍ତି । କାହିଁକି ନା ବିଶ୍ୱର କୋଣ ଅନୁକୋଣରେ ବାବାଙ୍କର ସନ୍ଦେଶ ପହଞ୍ଚାଇବା ପାଇଁ ଡବଲ
ବିଦେଶୀମାନେ ହିଁ ନିମିତ୍ତ ହୋଇଛନ୍ତି । ବିଦେଶରେ ଏବେ କୌଣସି ବିଶେଷ ସ୍ଥାନ ବାକି ରହିଯାଇଛି
କି? ତେବେ କେଉଁ ସ୍ଥାନ ବାକି ରହିଛି? (ମଧ୍ୟ ପ୍ରାଚ୍ୟ ଦେଶମାନଙ୍କ ଭିତରେ କିଛି ଦେଶ ବାକି
ରହିଯାଇଛି) ଏବେ ଯେଉଁ ଗ୍ରୃପ୍ଟି ଆସିଛି ଏମାନେ କେତୋଟି ଦେଶରୁ ଆସିଛନ୍ତି? ପୁଣି ବି ବାପଦାଦା
ଜାଣିଛନ୍ତି ଯେ ବିଶ୍ୱର ଅନେକ ଭିନ୍ନ ଭିନ୍ନ ଦେଶରେ ତୁମେମାନେ ହିଁ ନିମିତ୍ତ ହୋଇ ସେବା କରିଛ ।
ବାପଦାଦା ତ ସବୁବେଳେ କହୁଛନ୍ତି ଯେ ବାବାଙ୍କର ବିଶ୍ୱ କଲ୍ୟାରକାରୀ ଉପାଧିକୁ ଡବଲ ବିଦେଶୀ
ପିଲାମାନେ ହିଁ ପ୍ରତ୍ୟକ୍ଷ ରୂପରେ ପ୍ରମାଣିତ କରିଛନ୍ତି । ତେବେ ଏହା ବହୁତ ଭଲ କଥା ନା । ସମସ୍ତେ
ନିଜ ନିଜ ସ୍ଥାନରେ ନିଜର ପୁରୁଷାର୍ଥ ଏବଂ ସେବାରେ ଆଗକୁ ଆଗକୁ ବଢି ଚାଲିଛନ୍ତି ଏବଂ ସର୍ବଦା ଆଗକୁ
ବଢି ଚାଲିଥିବେ । କାରଣ ସଫଳତାର ତାରକା ଅଟନ୍ତି ନା । ବହୁତ ଭଲ କଥା ।
କୁମାରମାନଙ୍କ ସହିତ:-
ମଧୁବନର କୁମାରମାନେ ମଧ୍ୟ ଏଠାରେ ଅଛନ୍ତି । ତେବେ କୁମାରମାନଙ୍କର ସଂଖ୍ୟା ଦେଖ କେତେ ଅଛନ୍ତି!
ଅଧା କ୍ଲାସ ତ କୁମାରମାନଙ୍କର ଅଟେ । କୁମାରମାନେ ଏବେ ଆଉ ସାଧାରଣ କୁମାର ନୁହଁନ୍ତି । ତେବେ କେଉଁ
ଭଳି କୁମାର ଅଟ! ବ୍ରହ୍ମାକୁମାର ତ ନିଶ୍ଚିତ ଅଟ, କିନ୍ତୁ ବ୍ରହ୍ମାକୁମାର ମାନଙ୍କର ବିଶେଷତା କ’ଣ?
କୁମାରମାନଙ୍କର ବିଶେଷତା ହେଲା ଯେଉଁଠାରେ ବି ଅଶାନ୍ତି ରହିଥିବ ସେଠାରେ ଶାନ୍ତି ସ୍ଥାପନ କରିବାରେ
ଶାନ୍ତିଦୂତ ଅଟନ୍ତି । ନା ମନର ଅଶାନ୍ତି, ନା ବାହାରର ଅଶାନ୍ତି । କୁମାରମାନଙ୍କର କାର୍ଯ୍ୟ ହିଁ
ହେଉଛି ମୁଶକିଲ୍ କାର୍ଯ୍ୟ କରିବା । ହାର୍ଡ ୱାର୍କର ଅର୍ଥାତ୍ କଠିନ ପରିଶ୍ରମୀ ଅଟନ୍ତି ନା! ତେବେ
ଆଜି ବିଶ୍ୱରେ ସବୁଠାରୁ କଠିନରୁ କଠିନ କାର୍ଯ୍ୟ ହେଲା - ଅଶାନ୍ତିକୁ ଦୂର କର ଶାନ୍ତିର ଦୂତ ହୋଇ
ଶାନ୍ତି ସ୍ଥାପନ କରିବା । କ’ଣ ଏହିଭଳି କୁମାର ଅଟ ତ? ଅଶାନ୍ତିର ନାମ-ଗନ୍ଧ ଯେପରି ନ ରହେ - ନା
ସାରା ବିଶ୍ୱରେ, ନା ନିଜର ସମ୍ବନ୍ଧ-ସମ୍ପର୍କରେ । ଏହିଭଳି ଶାନ୍ତିଦୂତ ଅଟ ତ? ଯେପରି ନିଆଁ
ଲିଭାଳିମାନଙ୍କର କାମ ହେଲା ଯେଉଁଠାରେ ବି ନିଆଁ ଲାଗିଥିବ ସେମାନେ ତାକୁ ତୁରନ୍ତ ଲିଭାଇବେ,
ସେହିପରି ଶାନ୍ତି ଦୂତମାନଙ୍କର କାର୍ଯ୍ୟ ହେଲ ଅଶାନ୍ତିକୁ ଶାନ୍ତିରେ ପରିବର୍ତ୍ତିତ କରିବା । ତେବେ
ସମସ୍ତେ ଶାନ୍ତିଦୂତ ଅଟ ନା! ପକ୍କା! ପକ୍କା? ଦେଖିବାକୁ ବହୁତ ଭଲ ଲାଗୁଛି । ବାପଦାଦ ଏତେ ସବୁ
କୁମାରମାନଙ୍କୁ ଦେଖି ଖୁସି ହେଉଛନ୍ତି । ପୂର୍ବରୁ ମଧ୍ୟ ବାପଦାଦା ପ୍ରସ୍ତାବ ଦେଇଥିଲେ ଯେ
ଦିଲ୍ଲୀରେ ଅଧିକରୁ ଅଧିକ କୁମାରମାନଙ୍କୁ ଏକତ୍ରିତ କର ଯାହାଙ୍କୁ ସରକାର ଭାବୁଛି ଯେ କୁମାର
ଅର୍ଥାତ୍ ଯୁବକମାନେ କେବଳ ଲଢେଇ ଝଗଡା ହିଁ କରନ୍ତି, ସେଥିପାଇଁ କୁମାରମାନଙ୍କୁ ସରକାର ମଧ୍ୟ ଭୟ
କରିଥାଏ । ଏହିଭଳି ଭୟ କରୁଥିବା ସରକାର ସବୁ ବ୍ରହ୍ମାକୁମାରମାନଙ୍କୁ ଶାନ୍ତିଦୂତର ଉପାଧି ଦେଇ
ସ୍ୱାଗତ ଜଣାଉ, ତେବେ କୁହାଯିବ କୁମାରମାନଙ୍କର କମାଲ । ସାରା ବିଶ୍ୱରେ ପ୍ରଚାର ହୋଇଯାଉ ଯେ,
ବ୍ରହ୍ମାକୁମାର ଶାନ୍ତିଦୂତ ଅଟନ୍ତି । କ’ଣ ଏହା ହୋଇପାରିବ ତ? ଦିଲ୍ଲୀରେ ହିଁ କରିବାକୁ ହେବ ।
କରିବ ନା - ଦାଦିମାନେ କରିବ? ଗୋଟିଏ ଗ୍ରୃପରେ ଯଦି ଏତେ କୁମାର ଅଛନ୍ତି ତେବେ ସବୁ ଗ୍ରୃପରେ କେତେ
କୁମାର ଥିବେ? ସାରା ବିଶ୍ୱରେ କେତେ ଥିବେ? (ପ୍ରାୟ ଏକ ଲକ୍ଷ) ତେବେ କୁମାରମାନେ କମାଲ କରି
ଦେଖାଅ । ସରକାରଙ୍କ ମନ ଭିତରେ କୁମାର ଅର୍ଥାତ୍ ଯୁବକମାନଙ୍କ ପ୍ରତି ଯେଉଁ ଓଲଟା ଭାବନା ଭରି
ରହିଛି ତାକୁ ଠିକ୍ କରିଦିଅ । କିନ୍ତୁ ତୁମମାନଙ୍କ ମନ ଭିତରେ ମଧ୍ୟ ଅଶାନ୍ତିର ଚିହ୍ନ ନ ରହୁ,
ସାଥୀମାନଙ୍କ ସହିତ ମଧ୍ୟ ଅଶାନ୍ତି ନ ରହୁ ଏବଂ ନିଜ ନିଜର ସ୍ଥାନରେ ମଧ୍ୟ ଅଶାନ୍ତି ନ ରହୁ ।
ନିଜର ସହରରେ ମଧ୍ୟ ଅଶାନ୍ତି ନ ରହୁ । ବାସ୍ - କୁମାରମାନଙ୍କର ଚେହେରାରେ ବୋର୍ଡ ଲଗାଇବାର ମଧ୍ୟ
ଆବଶ୍ୟକତା ନାହିଁ କିନ୍ତୁ ମସ୍ତକରେ ଆପେ ଆପେ ଲେଖା ହୋଇଥିବା ଅନୁଭବ କରିବେ ଯେ ଏମାନେ
ଶାନ୍ତିଦୂତ ଅଟନ୍ତି । ଠିକ୍ ଅଛି ନା!
କୁମାରୀମାନଙ୍କ ସହିତ:-
କୁମାରୀମାନେ ମଧ୍ୟ ବହୁତ
ଅଛନ୍ତି । ଏହି ସବୁ କୁମାରୀମାନଙ୍କର ଲକ୍ଷ୍ୟ କ’ଣ? ଚାକିରୀ କରିବ ନା ବିଶ୍ୱ ସେବା କରିବ? ମୁଣ୍ଡ
ଉପରେ ମୁକୁଟ ରଖିବ ନା ଟୋକେଇ ରଖିବ? କ’ଣ ରଖିବ? ଦେଖ, ସବୁ କୁମାରୀମାନଙ୍କୁ ଦୟାଳୁ ହେବାକୁ
ପଡିବ । ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହୋଇଯାଉ, କୁମାରୀମାନଙ୍କ ପାଇଁ ତ ଗାୟନ ରହିଛି ଯେ ଏମାନେ
୨୧ କୁଳର ଉଦ୍ଧାର କରିଥାଆନ୍ତି ତେବେ ଅଧାକଳ୍ପରେ ୨୧ କୁଳ ହୋଇଯିବ । ଏହିଭଳି କୁମାରୀ ଅଟ ତ?
ଯେଉଁମାନେ ୨୧ କୁଳର କଲ୍ୟାଣ କରିବେ ସେମାନେ ହାତ ଉଠାଅ । ଗୋଟିଏ ପରିବାରର ନୁହେଁ । ୨୧ ପରିବାରର
କଲ୍ୟାଣ । କରିବ ତ? ଦେଖ ତୁମମାନଙ୍କର ନାମ ନୋଟ କରାଯିବ ଏବଂ ଦେଖାଯିବ ଯେ ଇଏ ଦୟାଳୁ ଅଟେ କି ଆଉ
କିଛି ହିସାବ କିତାବ ବାକି ରହିଛି? ଏବେ ତ ସମୟ ମଧ୍ୟ ସୂଚନା ଦେଉଛି ଯେ ସମୟ ଆସିବା ପୂର୍ବରୁ ହିଁ
ପ୍ରସ୍ତୁତ ହୋଇଯାଅ । ଯଦି ସମୟକୁ ଅପେକ୍ଷା କରିବ ତେବେ ସମୟ ବିତିଯିବ, ସେଥିପାଇଁ ଲକ୍ଷ୍ୟ ରଖ ଯେ
ଆମେ ସବୁ ବିଶ୍ୱ କଲ୍ୟାଣୀ ଦୟାର ସାଗର ପିତାଙ୍କର ସନ୍ତାନ ଦୟାଳୁ ଅଟୁ । କ’ଣ ଠିକ୍ କଥା ନା?
ଦୟାଳୁ ଅଟ ନା! ଏବେ ଆହୁରି ଅଧିକ ଦୟାଳୁ ହୁଅ । ଆଉ ଟିକିଏ ତୀବ୍ରଗତିରେ ହୁଅ । କୁମାରୀମାନଙ୍କୁ
ତ ବହୁତ ସହଜ ଭାବରେ ବାବାଙ୍କର ଆସନ ମିଳିଯାଉଛି । ଦେଖିବା, ନୂଆ ବର୍ଷରେ କ’ଣ ସବୁ କରି ଦେଖାଉଛ
। ଆଚ୍ଛା!
ମିଡିଆ ଅର୍ଥାତ୍
ସମ୍ବାଦଦାତାମାନଙ୍କର ବର୍ଗରୁ ୧୦୮ ଜଣ ରତ୍ନ ଆସିଛନ୍ତି:-
ବହୁତ ଭଲ କଥା । ମିଡିଆ ବର୍ଗବାଲା ଏଭଳି କମାଲ କରି ଦେଖାଇବେ ଯାହାକି ସମସ୍ତଙ୍କର ବୁଦ୍ଧିରେ
ଆସିଯିବ ଯେ ଆମକୁ ନିଶ୍ଚିତ ଭାବରେ ବାବାଙ୍କଠାରୁ ସମ୍ପତ୍ତି ନେବାକୁ ହେବ । କେହି ଜଣେ ବି ଯେପରି
ବଞ୍ଚିତ ରହି ନ ଯାଏ । ତେବେ ମିଡିଆ ବର୍ଗର କାମ ହେଲା ପ୍ରଚାର ପ୍ରସାର କରିବା । ତେଣୁ ଏହି ଖବର
ସବୁଆଡେ ପଚାର କରିଦିଅ ଯେ ବାବାଙ୍କଠାରୁ ସମ୍ପତ୍ତି ନେଇଯାଅ । କେହି ବି ଯେପରି ବଞ୍ଚିତ ନ ରହୁ ।
ଏବେ ବିଦେଶରେ ମଧ୍ୟ ମିଡିଆ ମାନଙ୍କର କାର୍ଯ୍ୟକ୍ରମ ଚାଲୁଛି ନା! ଭଲ କଥା । ଭିନ୍ନ ଭିନ୍ନ ରୂପରେ
ଯେଉଁ ସବୁ କାର୍ଯ୍ୟକ୍ରମ ଗୁଡିକ କରୁଛ ସେଥିରେ ବହୁତ ଭଲ ଆଗ୍ରହ ରଖୁଛନ୍ତି । ଭଲ କରୁଛ ଏବଂ କରିବ
ମଧ୍ୟ । ସଫଳତା ମଧ୍ୟ ନିଶ୍ଚିତ ରହିଛି । ତେବେ ସବୁ ବର୍ଗବାଲା ଯାହା ବି ସବୁ ସେବା କରୁଛନ୍ତି
ତା’ର ସମାଚାର ମଧ୍ୟ ବାପଦାଦାଙ୍କ ପାଖକୁ ଆସିଯାଉଛି । ପ୍ରତ୍ୟେକ ବର୍ଗର ନିଜ ନିଜର ସେବାର
ସ୍ୱତନ୍ତ୍ର ବିଧି ଏବଂ ସ୍ୱତନ୍ତ୍ର ରୂପରେଖା ରହିଛି କିନ୍ତୁ ବାପଦାଦା ଏହି କଥା ଦେଖିଲେ ଯେ
ସମସ୍ତଙ୍କର ବର୍ଗ ଅଲଗା ଅଲଗା ହେବା ଦ୍ୱାରା ପ୍ରତ୍ୟେକ ବର୍ଗ ପରସ୍ପର ସହିତ ରେସ୍ ଅର୍ଥାତ୍
ପ୍ରତିଯୋଗୀତା ମଧ୍ୟ କରୁଛନ୍ତି ଯାହାକି ବହୁତ ଭଲ କଥା । କିନ୍ତୁ ରିସ୍ ଅର୍ଥାତ୍ ଈର୍ଷା କରିବାର
ନାହିଁ, ରେସ୍ ପଛକେ କର । ତେବେ ପ୍ରତ୍ୟେକ ବର୍ଗର ଫଳାଫଳରେ, ସେହି ବର୍ଗରେ ସେବାର କାର୍ଯ୍ୟକ୍ରମ
ସରିବା ପରେ ଆଇ.ପି. ଏବଂ ଭି.ଆଇ.ପି. ମାନେ ବହୁ ମାତ୍ରାରେ ସମ୍ପର୍କରେ ଆସିଛନ୍ତି । ଯଦିଓ ଏବେ
କୌଣସି ମାଇକ୍ ଆତ୍ମାଙ୍କୁ ଆଣି କରି ଆସି ନାହାଁନ୍ତି କିନ୍ତୁ ସମ୍ବନ୍ଧ-ସମ୍ପର୍କରେ ନିଶ୍ଚିତ
ଆସିଛନ୍ତି । ଆଚ୍ଛା!
ତେବେ ସମସ୍ତଙ୍କୁ
ବାପଦାଦାଙ୍କର ବ୍ୟାୟାମ ମନେ ଅଛି ତ? ଏବେ ଏବେ ନିରାକାରୀ ଏବେ ଏବେ ଫରିସ୍ତା.... ଏହା ହେଉଛି
ଚାଲିବା ବୁଲିବା ସମୟରେ ବାବାଙ୍କର ଏବଂ ଦାଦାଙ୍କର ସ୍ନେହର ପ୍ରତିଦାନ ଦେବା । ତେଣୁ ଏବେ ଏବେ ଏହି
ଆତ୍ମିକ ବ୍ୟାୟାମ କର । ଗୋଟିଏ ସେକେଣ୍ଡରେ ନିରାକାରୀ, ଗୋଟିଏ ସେକେଣ୍ଡରେ ଫରିସ୍ତା । (ବାପଦାଦା
ଡ୍ରିଲ୍ କରାଇଲେ) । ଆଚ୍ଛା - ସାରା ଦିନ ଭିତରେ ଚାଲିବା-ବୁଲିବା ସମୟରେ ଏହି ବ୍ୟାୟାମ ସହଜରେ
ବାବାଙ୍କର ସ୍ମୃତିକୁ ଜାଗ୍ରତ କରିଦେବ ।
ଚାରିଆଡର ପିଲାମାନଙ୍କର
ମନେ ପକାଇବା ବାପଦାଦାଙ୍କ ପାଖରେ ପହଞ୍ଚିଯାଇଛି । ସବୁ ପିଲା କହିଛନ୍ତି ମୋ’ କଥା କହିବ, ମୋ’ କଥା
କହିବ । କେହି ତ ପତ୍ର ଦ୍ୱାରା ପଠାଇଛନ୍ତି, କେହି କାର୍ଡ ଦ୍ୱାରା, ଆଉ କେହି ମୁଖ ଦ୍ୱାରା ମଧ୍ୟ
କହିଛନ୍ତି କିନ୍ତୁ ବାପଦାଦା ଚାରିଆଡର ପିଲାମାନଙ୍କୁ ଜଣ ଜଣ କରି ସମସ୍ତଙ୍କୁ ନିଜର ନୟନରେ
ସମାହିତ କରିବା ସହିତ ମନେ ପକାଇବାର ପ୍ରତିଦାନରେ ପଦ୍ମଗୁଣା ଶୁଭେଚ୍ଛା ଦେଉଛନ୍ତି । ବାପଦାଦା
ଦେଖୁଛନ୍ତି ଯେ ଏହି ସମୟରେ ଘଣ୍ଟାରେ ଯେତେ ବି ବାଜିଥାଉ ନା କାହିଁକି, କିନ୍ତୁ ଅଧିକାଂଶ
ପିଲାଙ୍କ ଭିତରେ ମଧୁବନ ଏବଂ ମଧୁବନର ବାପଦାଦା ସ୍ମୃତିରେ ଅଛନ୍ତି । ଆଚ୍ଛା!
ଚାରିଆଡର ତିନୋଟିଯାକ
ସିଂହାସନର ଅଧିକାରୀ ତଥା ସ୍ୱରାଜ୍ୟ ଅଧିକାରୀ ପିଲାମାନଙ୍କୁ, ସର୍ବଦା ବାପଦାଦାଙ୍କର ସ୍ନେହର
ପ୍ରତିଦାନ ରୂପରେ ବାବାଙ୍କ ସମାନ ହେଉଥିବା ପିଲାମାନଙ୍କୁ, ସର୍ବଦା ଘରକୁ ବାହୁଡିବାର ସ୍ମୃତି
ସ୍ୱରୂପ ପିଲାମାନଙ୍କୁ, ସର୍ବଦା ସଂକଳ୍ପ, ବାଣୀ ଏବଂ କର୍ମରେ ଫଲୋ ଫାଦର କରୁଥିବା ପ୍ରତ୍ୟେକ
ସନ୍ତାନକୁ ବାପଦାଦାଙ୍କର ବହୁତ, ବହୁତ, ବହୁତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
ବରଦାନ:-
ସର୍ବ ଆତ୍ମାଙ୍କ
ଭିତରେ ନିଜର ଶୁଭଭାବନାର ବୀଜ ବପନ କରୁଥିବା ମାଷ୍ଟର ଦାତା ହୁଅ ।
ଫଳକୁ ଅପେକ୍ଷା ନ କରି
ତୁମେମାନେ ନିଜର ଶୁଭଭାବନାର ବୀଜକୁ ପ୍ରତ୍ୟେକ ଆତ୍ମାଙ୍କ ଭିତରେ ବପନ କରିଚାଲ । ତାହା ହେଲା ଯଥା
ସମୟରେ ସର୍ବ ଆତ୍ମାଙ୍କୁ ଜାଗ୍ରତ ହେବାକୁ ହିଁ ପଡିବ । ଯଦି କେହି ତୁମକୁ ବିରୋଧ ମଧ୍ୟ କରୁଛି
ତେବେ ବି ତୁମମାନଙ୍କୁ ଦୟାର ଭାବନାକୁ ଛାଡିବାର ନାହିଁ । ଏହି ସବୁ ବିରୋଧ, ଅପମାନ ଏବଂ
ଗାଳି-ଗୁଲଜ ଭବିଷ୍ୟତରେ ବୃକ୍ଷକୁ ଖତ ଦେବା ଭଳି କାର୍ଯ୍ୟ କରିବ ଏବଂ ବହୁତ ଭଲ ଫଳ ମଧ୍ୟ ଫଳିବ ।
ଏବେ ଯେତିକି ଗାଳି ଦେଉଛନ୍ତି ଆଗକୁ ସେତିକି ଗୁଣଗାନ କରିବେ, ସେଥିପାଇଁ ପ୍ରତ୍ୟେକ ଆତ୍ମାକୁ
ନିଜର ବୃତ୍ତି ଦ୍ୱାରା ଭାଇବ୍ରେଶନ ଦ୍ୱାରା, ବାଣୀ ଦ୍ୱାରା, ମାଷ୍ଟର ଦାତା ହୋଇ କେବଳ ଦେଇଚାଲ ।
ସ୍ଲୋଗାନ:-
ସର୍ବଦା ପ୍ରେମର,
ସୁଖର, ଶାନ୍ତିର ଏବଂ ଆନନ୍ଦର ସାଗରରେ ସମାହିତ ହୋଇ ରହୁଥିବା ପିଲାମାନେ ହିଁ ସଚ୍ଚା ତପସ୍ୱୀ
ଅଟନ୍ତି ।
ସୂଚନା:- ଆଜି ମାସର
ତୃତୀୟ ରବିବାର ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ, ସମସ୍ତ ବ୍ରହ୍ମାବତ୍ସ ସଂଗଠିତ ରୂପରେ ସଂଧ୍ୟା ୬.୩୦
ମି. ଠାରୁ ୭.୩୦ମି. ପର୍ଯ୍ୟନ୍ତ ବିଶେଷ କରି ବରଦାତା, ଭାଗ୍ୟ ବିଧାତା ବାପଦାଦାଙ୍କ ସହିତ
କମ୍ବାଇଣ୍ଡ ଅର୍ଥାତ୍ ଯୁଗଳ ସ୍ୱରୂପରେ ସ୍ଥିତ ହୋଇ ଅବ୍ୟକ୍ତ ଲୋକରୁ ସର୍ବ ଆତ୍ମାଙ୍କୁ ସୁଖ,
ଶାନ୍ତିର ବରଦାନ ଦେବାର ସେବା କରିବା ହେବେ ।