18.01.25    Avyakt Bapdada     Odia Murli     Om Shanti     Madhuban


“ପିତାଶ୍ରୀଙ୍କର ପୂଣ୍ୟ ସ୍ମୃତି ଦିବସରେ ପ୍ରାତଃ କ୍ଲାସ୍‌ରେ ଶୁଣାଇବା ପାଇଁ ବାପଦାଦାଙ୍କର ଅମୂଲ୍ୟ ମଧୁର ମହାବାକ୍ୟ”


ଓମ୍ ଶାନ୍ତି । ଆତ୍ମିକ ପିତା ଏବେ ତୁମମାନଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ କରୁଛନ୍ତି ବା ଶିକ୍ଷା ଦେଉଛନ୍ତି । ଶିକ୍ଷକଙ୍କର କାମ ହେଲା ଶିକ୍ଷା ଦେବା ଏବଂ ଗୁରୁଙ୍କର କାମ ହେଲା ଲକ୍ଷ୍ୟ ସ୍ଥଳର ରାସ୍ତା ଦେଖାଇବା । ତେବେ ତୁମର ଲକ୍ଷ୍ୟ ହେଲା ମୁକ୍ତି ଏବଂ ଜୀବନମୁକ୍ତି । ମୁକ୍ତିଧାମକୁ ଯିବା ପାଇଁ ଯୋଗର ଯାତ୍ରା ବହୁତ ଜରୁରୀ ଅଟେ ଏବଂ ଜୀବନମୁକ୍ତି ଧାମକୁ ଯିବା ପାଇଁ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିବା ଜରୁରୀ ଅଟେ । ଏବେ ତ ୮୪ ଜନ୍ମର ଚକ୍ର ସମାପ୍ତ ହେଉଛି, ତେଣୁ ଘରକୁ ଫେରିବାକୁ ହେବ । ନିଜ ସହିତ ଏହିଭଳି କଥାବାର୍ତ୍ତା କରିବା ଦ୍ୱାରା ବହୁତ ଖୁସି ଲାଗିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସିର ଅନୁଭବ କରାଇପାରିବ । ତୁମକୁ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ଦେଖାଇବାର କୃପା କରିବାକୁ ହେବ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କରିବାର କୃପା କରିବାକୁ ହେବ । ବାବା ତ ତୁମମାନଙ୍କୁ ପାପ ଏବଂ ପୂଣ୍ୟର ଗହନ ଗତି ବିଷୟରେ ମଧ୍ୟ ବୁଝାଇ ଦେଇଛନ୍ତି । ପୂଣ୍ୟ କ’ଣ ଏବଂ ପାପ କ’ଣ? ସବୁଠାରୁ ବଡ ପୂଣ୍ୟ ହେଲା ବାବାଙ୍କୁ ମନେ ପକାଇବା ଏବଂ ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର ସ୍ମରଣ କରାଇଦେବା । ସେଣ୍ଟର ଖୋଲିବା, ଶରୀର-ମନ-ଧନ ଅନ୍ୟମାନଙ୍କ ସେବାରେ ଲଗାଇବା, ଏହା ପୁଣ୍ୟ ଅଟେ । ସଂଗଦୋଷର ପ୍ରଭାବରେ ଆସି ବ୍ୟର୍ଥ ଚିନ୍ତନରେ, ପରଚିନ୍ତନରେ ନିଜର ସମୟ ନଷ୍ଟ କରିବା ପାପ ଅଟେ । ଯଦି କେହି ପାପ କର୍ମ କରିଦେଉଛି ତେବେ ସାରା ପୁଣ୍ୟ ନଷ୍ଟ ହୋଇଯାଉଛି । ଯାହା କିଛି ବି ପୂଣ୍ୟ କରିଥିଲ ତାହା ନଷ୍ଟ ହୋଇଯାଇଥାଏ, ଯାହା ଦ୍ୱାରା ଜମା ହେବା ବଦଳରେ ଖାଲି ହୋଇଯାଇଥାଏ, ପୁଣି ପାପ କର୍ମର ଦଣ୍ଡ ମଧ୍ୟ ଜ୍ଞାନୀ ତୁ ଆତ୍ମା ପିଲାମାନଙ୍କ ପାଇଁ ୧୦୦ ଗୁଣା ଅଟେ କାହିଁକି ନା ସତ୍‌ଗୁରୁଙ୍କର ନିନ୍ଦୁକ ହୋଇଯାଆନ୍ତି, ସେଥିପାଇଁ ବାବା ଶିକ୍ଷା ଦେଉଛନ୍ତି ମିଠେ ବଚ୍ଚେ, ତୁମକୁ କେବେ ବି ପାପ କର୍ମ କରିବାର ନାହିଁ । ବିକାର ଗୁଡିକର ଚୋଟରୁ ଅର୍ଥାତ୍ ଆଘାତରୁ ସୁରକ୍ଷିତ ହୋଇ ରୁହ ।

ଯେହେତୁ ବାବାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ରହିଛି ସେଥିପାଇଁ ଦୟା ମଧ୍ୟ ଲାଗୁଛି । ବାବା ନିଜର ଅନୁଭବ ଶୁଣାଉଛନ୍ତି, ଯେବେ ବି ଏକାନ୍ତରେ ବସିଥାଆନ୍ତି ପ୍ରଥମେ ଅନନ୍ୟ ପିଲାମାନେ ମନେ ପଡନ୍ତି । ହୁଏ ତ ବିଦେଶରେ ବି ଥାଇ ପାରନ୍ତି ବା ଯେଉଁଠି ବି ଥାଆନ୍ତୁ ନା କାହିଁକି ଯଦି କୌଣସି ଯୋଗ୍ୟ ସେବାଧାରୀ ସନ୍ତାନ ଶରୀର ତ୍ୟାଗ କରି ଦିଏ ତେବେ ତା’ର ଆତ୍ମାକୁ ମନେ ପକାଇ ବାବା ସର୍ଚ୍ଚଲାଇଟ୍ ଦିଅନ୍ତି । ଏକଥା ତ ତୁମେ ପିଲାମାନେ ଜାଣିଛ ଯେ, ଏହି ବ୍ରହ୍ମାଙ୍କର ଭ୍ରୃକୁଟୀରେ ୨ଟି ବତୀ ଅର୍ଥାତ୍ ଦୁଇଟି ଲାଇଟ୍ ଏକାଠି ଅଛନ୍ତି ଏବଂ ଦୁଇଟିଯାକ ବହୁତ ଶକ୍ତିଶାଳୀ ଅଟନ୍ତି । ତେବେ ସକାଳ ସମୟ ବହୁତ ଭଲ । ସ୍ନାନ ଆଦି କରି ଏକାନ୍ତରେ ବସି ପଡିବା ଦରକାର । ଭିତରେ ଖୁସି ମଧ୍ୟ ବହୁତ ରହିବା ଦରକାର ।

ବେହଦର ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି - ମିଠେ ବଚ୍ଚେ ନିଜକୁ ଆତ୍ମା ମନେ କରି ମୋତେ ଏବଂ ନିଜର ଘରକୁ ମନେ ପକାଅ । ପିଲାମାନେ ଏହିଭଳି ଯୋଗର ଯାତ୍ରାକୁ କେବେ ବି ଭୁଲିବାର ନାହିଁ, କାରଣ ଯୋଗବଳ ଦ୍ୱାରା ହିଁ ତୁମେମାନେ ପବିତ୍ର ହେବ । ପବିତ୍ର ନ ହେଲେ ତୁମେମାନେ ଘରକୁ ଫେରି ପାରିବ ନାହିଁ । ତେଣୁ ମୁଖ୍ୟ କଥା ହେଲା ଜ୍ଞାନ ଏବଂ ଯୋଗ । ବାବାଙ୍କ ପାଖରେ ଏହା ହିଁ ସବୁଠାରୁ ବଡ ସମ୍ପତ୍ତି ରହିଛି, ଯାହାକି ସେ ପିଲାମାନଙ୍କୁ ଦେଉଛନ୍ତି । ଏଥିରେ ମଧ୍ୟ ଯୋଗ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ପିଲାମାନେ ଯଦି ଭଲ ଭାବରେ ମନେ ପକାଇବେ ତେବେ ବାବା ମଧ୍ୟ ମନେ ପକାଇବେ । ଯୋଗ ଦ୍ୱାରା ପିଲାମାନେ ବାବାଙ୍କୁ ଆକର୍ଷିତ କରିଥାଆନ୍ତି । ପଛରେ ଆସିଥିବା ପିଲାମାନେ ଯେଉଁମାନେ କି ଉଚ୍ଚ ପଦ ପାଉଛନ୍ତି, ତା’ର ଆଧାର ମଧ୍ୟ ଯୋଗ ଅଟେ । ସେମାନେ ବାବାଙ୍କୁ ଆକର୍ଷିତ କରିଥା’ନ୍ତି । କହୁଛନ୍ତି ନା - ବାବା ଦୟା କର, କୃପା କର, ଏଥିରେ ମଧ୍ୟ ମୁଖ୍ୟ ହେଲା ମନେ ପକାଇବା । ଯୋଗ ଦ୍ୱାରା ହିଁ କରେଣ୍ଟ ମିଳିବାକୁ ଲାଗିଥାଏ, ଏହା ଦ୍ୱାରା ଆତ୍ମା ସୁ୍‌ସ୍ଥ ହୋଇଥାଏ ଏବଂ ଭରପୁର ହୋଇଯାଇଥାଏ । କେତେବେଳେ ଯଦି କୌଣସି ପିଲାଙ୍କୁ କରେଣ୍ଟ ଦେବାର ଥାଏ ତେବେ ବାବାଙ୍କର ନିଦ ଆପେ ଆପେ ଭାଙ୍ଗିଯାଏ । ଭିତରେ ଏହି ଚିନ୍ତା ରହିଥାଏ ଯେ ଅମୁକ ପିଲାକୁ କରେଣ୍ଟ ଦେବାର ଅଛି । ତୁମେମାନେ ଜାଣିଛ ଯେ କରେଣ୍ଟ ମିଳିବା ଦ୍ୱାରା ଆୟୁଷ ମଧ୍ୟ ବଢିଯାଇଥାଏ, ସଦା ନିରୋଗ ମଧ୍ୟ ହୋଇଥାଅ । ଏମିତି ବି ନୁହେଁ ଯେ କେବଳ ଗୋଟିଏ ଜାଗାରେ ବସି ଯୋଗ କରିବାର ଅଛି । ବାବା ବୁଝାଉଛନ୍ତି ଚାଲିବା, ବୁଲିବା ଭୋଜନ କରିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଅ । କାର୍ଯ୍ୟ କରିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଅ । ଯଦି କାହାକୁ କରେଣ୍ଟ ଦେବାର ଅଛି ତେବେ ରାତିରେ ମଧ୍ୟ ଜାଗ୍ରତ ରହି କରେଣ୍ଟ ଦିଅ । ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ - ସକାଳୁ ଅମୃତବେଳାରୁ ଉଠି ଯେତେ ଅଧିକ ସମୟ ବାବାଙ୍କୁ ମନେ ପକାଇବ ସେତେ ଅଧିକ ବାବାଙ୍କୁ ଆକର୍ଷିତ କରିବ । ବାବା ମଧ୍ୟ ସର୍ଚ୍ଚ ଲାଇଟ୍ ଦେବେ । ଆତ୍ମାକୁ ମନେ ପକାଇବା ଅର୍ଥ ସର୍ଚ୍ଚ ଲାଇଟ୍ ଦେବା, ପୁଣି ତୁମେ ତାକୁ କୃପା କୁହ ବା ଆଶୀର୍ବାଦ କୁହ ।

ତୁମେ ପିଲାମାନେ ଜାଣିଛ ଯେ ଏହା ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ଏହା ଏକ ହାରିବା-ଜିତିବାର ଖେଳ ମଧ୍ୟ ଅଟେ । ତେଣୁ ଏଥିରେ ଯାହା ସବୁ ଘଟୁଛି ତାହା ଠିକ୍ ଅଟେ । ବାକି ରଚୟିତାଙ୍କୁ ଏହି ଡ୍ରାମା ତ ନିଶ୍ଚିତ ପସନ୍ଦ ଅଟେ ନା । ତେଣୁ ରଚୟିତାଙ୍କର ପିଲାମାନଙ୍କୁ ମଧ୍ୟ ପସନ୍ଦ ଅଟେ । ଏହି ଡ୍ରାମାରେ ବାବା ଥରେ ମାତ୍ର ପିଲାମାନଙ୍କ ପାଖକୁ ଆସିଥାଆନ୍ତି ଏବଂ ଅତି ସ୍ନେହରର ସହିତ ମନ-ପ୍ରାଣ ଦେଇ ପିଲାମାନଙ୍କ ସେବା କରିଥାଆନ୍ତି । ବାବାଙ୍କୁ ତ ସବୁ ପିଲା ପ୍ରିୟ ଅଟନ୍ତି ନା । ତୁମେମାନେ ଜାଣିଛ ଯେ ସତ୍ୟଯୁଗରେ ମଧ୍ୟ ସମସ୍ତେ ପରସ୍ପରକୁ ବହୁତ ସ୍ନେହ କରିବେ । ପଶୁପକ୍ଷୀମାନଙ୍କ ଭିତରେ ମଧ୍ୟ ବହୁତ ସ୍ନେହ ରହିବ । ଏଭଳି କୌଣସି ଜୀବଜନ୍ତୁ ସେଠାରେ ନଥିବେ ଯିଏକି ସ୍ନେହରେ ରହୁ ନ ଥିବେ । ତେଣୁ ତୁମମାନଙ୍କୁ ଏଠାରେ ମାଷ୍ଟର ସ୍ନେହର ସାଗର ହେବାକୁ ପଡିବ । ଯଦି ଏଠାରେ ଏହିଭଳି ହେବ ତେବେ ତୁମର ଏହି ସଂସ୍କାର ପୁଣି ଅବିନାଶୀ ହୋଇଯିବ । ବାବା କହୁଛନ୍ତି ମୁଁ ତୁମମାନଙ୍କୁ ଅବିକଳ କଳ୍ପ ପୂର୍ବଭଳି ପୁନର୍ବାର ସତ୍ତ୍ୱପ୍ରଧାନ କରିବା ପାଇଁ ଆସିଛି । କେବେ ଯଦି କୌଣସି ପିଲାର କ୍ରୋଧ କରିବାର ଶବ୍ଦ ଶୁଣୁଛନ୍ତି ତେବେ ବାବା ତାକୁ ଶିକ୍ଷା ଦେଉଛନ୍ତି କ୍ରୋଧ କରିବା ଠିକ୍ ନୁହେଁ, ଏହାଦ୍ୱାରା ତୁମେ ମଧ୍ୟ ଦୁଃଖୀ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଦୁଃଖୀ କରିବ । ବାବା ଯେହେତୁ ସଦାକାଳର ସୁଖଦାତା ଅଟନ୍ତି, ତେଣୁ ପିଲାମାନଙ୍କୁ ମଧ୍ୟ ବାବାଙ୍କ ସମାନ ହେବାର ଅଛି । ତେଣୁ ପରସ୍ପରକୁ କେବେ ବି ଦୁଃଖ ଦେବାର ନାହିଁ । ବହୁତ ବହୁତ ଗେହ୍ଲା ହୋଇ ରହିବାକୁ ହେବ । ସ୍ନେହୀ ପିତାଙ୍କୁ ଯଦି ବହୁତ ସ୍ନେହର ସହିତ ମନେ ପକାଇବ ତେବେ ନିଜର ମଧ୍ୟ କଲ୍ୟାଣ ଏବଂ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିପାରିବ । ଏବେ ତ ବିଶ୍ୱର ମାଲିକ ତୁମମାନଙ୍କୁ ପାଖକୁ ଅତିଥି ହୋଇ ଆସିଛନ୍ତି । ତୁମମାନଙ୍କର ସହଯୋଗ ଦ୍ୱାରା ହିଁ ବିଶ୍ୱର କଲ୍ୟାଣ ହେବ । ଯେପରି ତୁମେ ଆତ୍ମିକ ପିଲାମାନଙ୍କୁ ବାବା ବହୁତ ପ୍ରିୟ ଲାଗୁଛନ୍ତି ସେହିପରି ବାବାଙ୍କୁ ମଧ୍ୟ ତୁମେ ଆତ୍ମିକ ସନ୍ତାନମାନେ ବହୁତ ପ୍ରିୟ ଲାଗୁଛି କାହିଁକି ନା ତୁମେମାନେ ହିଁ ଶ୍ରୀମତ ଅନୁସାରେ ସାରା ବିଶ୍ୱର କଲ୍ୟାଣ କରିବାବାଲା ଅଟ । ଏବେ ତୁମେମାନେ ଏଠାରେ ଈଶ୍ୱରୀୟ ପରିବାରରେ ବସିଛ । ବାବା ମଧ୍ୟ ତୁମମାନଙ୍କ ସମ୍ମୁଖରେ ବସିଛନ୍ତି । ତୁମ ସହିତ ହିଁ ଖାଇବି, ତୁମ ସହିତ ହିଁ ବସିବି... ଏହିଭଳି କହୁଥିଲା ନା । ତୁମେମାନେ ଜାଣିଛ ଶିବବାବା ଏହାଙ୍କ ଶରୀରରେ ଆସି କହୁଛନ୍ତି ମିଠା ମିଠା ପିଲାମାନେ, ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲି କେବଳ ମୋତେ ହିଁ ମନେ ପକାଅ । ଏହା ତୁମର ଅନ୍ତିମ ଜନ୍ମ ଅଟେ । ଏହି ପୁରୁଣା ଦୁନିଆ, ପୁରୁଣା ଦେହ ସବୁ କିଛି ନଷ୍ଟ ହୋଇଯିବ । ଗାୟନ ମଧ୍ୟ ରହିଛି - ତୁମେ ମରିଗଲେ ଦୁନିଆ ମରିଗଲା । ତେବେ ପୁରୁଷାର୍ଥ କରିବା ପାଇଁ ସଂଗମଯୁଗର ଏହି ଅଳ୍ପ ସମୟ ବାକି ରହିଛି । ପିଲାମାନେ ପଚାରୁଛନ୍ତି ବାବା - ଏହି ପାଠପଢା ଆଉ କେତେ ଦିନ ଚାଲିବ! ଯେପର୍ଯ୍ୟନ୍ତ ଦୈବୀ ରାଜଧାନୀ ସ୍ଥାପନ ହୋଇ ନାହିଁ ସେପର୍ଯ୍ୟନ୍ତ ଶୁଣାଉଥିବି । ତା’ପରେ ତୁମେମାନେ ନୂଆ ଦୁନିଆକୁ ସ୍ଥାନାନ୍ତରିତ ହୋଇଯିବ । ବାବା କେତେ ନିରହଂକାରୀ ହୋଇ ତୁମମାନଙ୍କର ସେବା କରୁଛନ୍ତି, ତେଣୁ ତୁମମାନଙ୍କୁ ମଧ୍ୟ ଏତିକି ସେବା କରିବା ଦରକାର । ଶ୍ରୀମତ ଅନୁସାରେ ଚାଲିବା ଦରକାର । ଯଦି କେଉଁଠି ବି ନିଜ ମତରେ ଚାଲିଲ ତେବେ ଭାଗ୍ୟରେ ପୂର୍ଣ୍ଣ ଚ୍ଛେଦ ଲାଗିଯିବ । ତୁମେ ବ୍ରାହ୍ମଣମାନେ ଈଶ୍ୱରୀୟ ସନ୍ତାନ ଅଟ । ବ୍ରହ୍ମାଙ୍କର ସନ୍ତାନ ହିସାବରେ ଭାଇ-ଭଉଣୀ ଅଟ, ଈଶ୍ୱରଙ୍କର ନାତି-ନାତୁଣୀ ଅଟ ଏବଂ ଈଶ୍ୱର ପିତାଙ୍କଠାରୁ ହିଁ ପୈତୃକ ସମ୍ପତ୍ତି ପ୍ରାପ୍ତ କରୁଛ । ଏଥିରେ ଯିଏ ଯେତେ ଅଧିକ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ । ଏଥିରେ ସାକ୍ଷୀ ସ୍ଥିତିରେ ରହିବାର ମଧ୍ୟ ବହୁତ ଅଭ୍ୟାସ ରହିବା ଦରକାର । ବାବାଙ୍କର ପ୍ରଥମ ନିର୍ଦ୍ଦେଶ ହେଲା, ଅଶରୀରୀ ହୁଅ, ଦେହୀ-ଅଭିମାନୀ ହୁଅ । ନିଜକୁ ଆତ୍ମା ମନେ କରି ମୋତେ ମନେ ପକାଅ ତେବେ ଯାଇ ଆତ୍ମାରୁ ଖାଦ ବାହାରିବ ଏବଂ ଆତ୍ମା ସହି ସୁନା ହୋଇଯିବ । ତୁମେ ପିଲାମାନେ ଅଧିକାରର ସହିତ କହିପାରିବ ବାବା - ଓ ମିଠା ବାବା, ଆପଣ ମୋତେ ନିଜର ସନ୍ତାନ କରି ସବୁ କିଛି ପୈତୃକ ସମ୍ପତ୍ତି ରୂପରେ ଦେଇ ଦେଇଛନ୍ତି । ଏହି ସମ୍ପତ୍ତିକୁ କେହି ଛଡାଇ ନେଇ ପାରିବ ନାହିଁ । ତେଣୁ ଏତିକି ନିଶା ତୁମମାନଙ୍କର ଭିତରେ ରହିବା ଦରକାର । ତୁମେମାନେ ହିଁ ସମସ୍ତଙ୍କୁ ମୁକ୍ତି ଜୀବନମୁକ୍ତିର ରାସ୍ତା ଦେଖାଉଥିବା ଲାଇଟ୍‌ହାଉସ୍ ଅଟ, ଉଠିବା-ବସିବା ବେଳେ, ଚାଲିବା ବୁଲିବା ବେଳେ ତୁମେମାନେ ଲାଇଟ୍ ହାଉସ୍ ହୋଇ ରୁହ ।

ବାବା କହୁଛନ୍ତି ପିଲାମାନେ, ଏବେ ସମୟ ବହୁତ କମ୍ ଅଛି । ଗାୟନ ମଧ୍ୟ ରହିଛି - ଏକ ଘଡି, ଅଧା ଘଡି, ଅର୍ଥାତ୍ ଅଳ୍ପ ଅଳ୍ପ ସମୟ ବାହାର କରି ଯେତେ ଦୂର ସମ୍ଭବ ବାବାଙ୍କୁ ମନେ ପକାଇବାରେ ଲାଗିପଡ ଏବଂ ଧୀରେ ଧୀରେ ଚାର୍ଟକୁ ବଢାଇଚାଲ । ଆଚ୍ଛା!

ମିଠା ମିଠା ଗେହ୍ଲା ଭାଗ୍ୟବାନ ତଥା ସ୍ନେହୀ ଜ୍ଞାନ ତାରକାମାନଙ୍କୁ ମାତାପିତା ବାପଦାଦାଙ୍କର ହାର୍ଦ୍ଦିକ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଅବ୍ୟକ୍ତ ମହାବାକ୍ୟ - “ନିରନ୍ତର ଯୋଗୀ ହୁଅ”

ଯେପରି ଗୋଟିଏ ସେକେଣ୍ଡରେ ସ୍ୱୀଚ୍ ଅଫ୍ ଏବଂ ଅନ୍ କରାଯାଉଛି, ସେହିପରି ଗୋଟିଏ ସେକେଣ୍ଡରେ ଶରୀରର ଆଧାର ନିଅ ଏବଂ ଗୋଟିଏ ସେକେଣ୍ଡରେ ଶରୀରଠାରୁ ଅଲଗା ଅଶରୀରୀ ସ୍ଥିତିରେ ସ୍ଥିତ ହୋଇଯାଅ । ଏବେ ଏବେ ଶରୀରକୁ ଆସିଲ, ପୁଣି ଏବେ ଏବେ ଅଶରୀରୀ ହୋଇଗଲ, ଏହିଭଳି ଅଭ୍ୟାସ କରିବାକୁ ହେବ, ଏହାକୁ ହିଁ କର୍ମାତୀତ ଅବସ୍ଥା କୁହାଯାଉଛି । ଯେପରି କୌଣସି ବସ୍ତ୍ରକୁ ଧାରଣ କରିବା ବା ନ କରିବା ନିଜ ହାତରେ ଥାଏ । ଯଦି ଆବଶ୍ୟକ ପଡିଲା ତେବେ ପିନ୍ଧିଲ, ଯଦି ଆବଶ୍ୟକ ନାହିଁ ତେବେ ଓହ୍ଲାଇ ଦେଲ । ଏହିଭଳି ଅଭ୍ୟାସ ଏହି ଶରୀର ରୂପୀ ବସ୍ତ୍ରକୁ ଧାରଣ କରିବା ଏବଂ ତା’ଠାରୁ ଅଲଗା ହୋଇଯିବାର ହେବା ଦରକାର । କର୍ମ କରିବା ସମୟରେ ମଧ୍ୟ ଏହିଭଳି ଅନୁଭବ ହେବା ଦରକାର । ଯେପରି କୌଣସି ବସ୍ତ୍ରକୁ ଧାରଣ କରି କାର୍ଯ୍ୟ କରିଥାଆନ୍ତି, କାର୍ଯ୍ୟ ଶେଷ ହେବା ପରେ ବସ୍ତ୍ରଠାରୁ ଅଲଗା ହୋଇ ଯାଆନ୍ତି । ତେବେ ଶରୀର ଏବଂ ଆତ୍ମାର ପୃଥକ ପଣିଆ ଚାଲିବା-ବୁଲିବା ସମୟରେ ମଧ୍ୟ ଅନୁଭବ ହେଉ । ଯେପରି କୌଣସି କଥାର ଅଭ୍ୟାସ ହୋଇଯାଏ ସେହିପରି ହେଉ, କିନ୍ତୁ ଏହି ଅଭ୍ୟାସ ମଧ୍ୟ କେଉଁମାନଙ୍କୁ ହୋଇପାରିବ? ଯେଉଁମାନେ ଶରୀର ସହିତ ବା ଶରୀର ସମ୍ବନ୍ଧରେ ଯେଉଁ ସବୁ କଥା ରହୁଛି, ଶରୀରର ଦୁନିଆ, ଶରୀରର ସମ୍ବନ୍ଧ ବା ଯେଉଁ ସବୁ ଅନେକ ବସ୍ତୁଗୁଡିକ ରହିଛି ସେଗୁଡିକଠାରୁ ସମ୍ପୂର୍ଣ୍ଣ ଅନାସକ୍ତ ରହୁଥିବେ, ଟିକିଏ ବି ଆକର୍ଷଣ ନ ଥିବ ତେବେ ଯାଇ ଦେହଠାରୁ ନିଆରା ହୋଇପାରିବ । ଯଦି ସୂକ୍ଷ୍ମ ରୂପରେ ସଂକଳ୍ପରେ ମଧ୍ୟ ହାଲୁକାପଣିଆ ନାହିଁ, ସେଥିରୁ ଅଲଗା ହୋଇପାରୁ ନାହିଁ ତେବେ ନିଆରା ପଣିଆର ଅନୁଭବ କରିପାରିବ ନାହିଁ । ତେଣୁ ପ୍ରତ୍ୟେକଙ୍କୁ ଏବେ ଏହି ଅଭ୍ୟାସ କରିବାକୁ ହେବ । ସମ୍ପୂର୍ଣ୍ଣ ନିଆରା ପଣିଆର ଅନୁଭବ ହେବା ଦରକାର । ଏହିଭଳି ସ୍ଥିତିରେ ରହିବା ଦ୍ୱାରା ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ତୁମମାନଙ୍କ ଭିତରେ ନିଆରା ପଣିଆର ଅନୁଭବ ହେବ, ସେମାନେ ମଧ୍ୟ ହୃଦ୍‌ବୋଧ କରିବେ । ଯେପରି ଯୋଗରେ ବସିବା ସମୟରେ ଅନେକ ଆତ୍ମାଙ୍କୁ ଅନୁଭବ ହୋଇଥାଏ ନା । ଡ୍ରିଲ୍ କରାଉଥିବା ଏହି ଆତ୍ମା ଏକ ଭିନ୍ନ ସ୍ଥିତିରେ ଅଛନ୍ତି, ଏହିଭଳି ଚାଲିବା ବୁଲିବା ସମୟରେ ମଧ୍ୟ ଫରିସ୍ତା ସ୍ୱରୂପର ସାକ୍ଷାତ୍‌କାର ହେବ । ଏଠାରେ ବସିଥିଲେ ମଧ୍ୟ ଅନେକ ଆତ୍ମାକୁ । ଯେଉଁମାନେ ବି ତୁମର ସତ୍ୟଯୁଗୀ ପରିବାରରେ ଆସିବେ ସେମାନଙ୍କୁ ତୁମମାନଙ୍କର ଫରିସ୍ତା ସ୍ୱରୂପର ଏବଂ ଭବିଷ୍ୟତର ରାଜ୍ୟ ପଦର ଦୁଇଟିଯାକର ସାକ୍ଷାତ୍‌କାର ଏକାଠି ହେବ । ଯେପରି ଆରମ୍ଭ ସମୟରେ ବ୍ରହ୍ମାଙ୍କ ଭିତରେ ବ୍ରହ୍ମାଙ୍କର ସମ୍ପୂର୍ଣ୍ଣ ସ୍ୱରୂପ ଏବଂ ଶ୍ରୀକୃଷ୍ଣ ଉଭୟଙ୍କୁ ଏକାଠି ସାକ୍ଷାତ୍‌କାର କରୁଥିଲେ । ସେହିଭଳି ଏବେ ସେମାନଙ୍କୁ ତୁମମାନଙ୍କର ଡବଲ ରୂପର ସାକ୍ଷାତ୍‌କାର ହେବ । ଯେତେ ଯେତେ କ୍ରମାନ୍ୱୟ ହିସାବରେ ଏହିଭଳି ନିଆରା ସ୍ଥିତିରେ ସ୍ଥିତ ହୋଇ ଚାଲିବ ତୁମମାନଙ୍କର ମଧ୍ୟ ଡବଲ ରୂପର ସାକ୍ଷାତ୍‌କାର ହେବ । ଏବେ ଯଦି ଏହାର ପୂରା ଅଭ୍ୟାସ ହୋଇଯିବ ତେବେ ଚାରିଆଡୁ ଏହି ସମାଚାର ଆସିବା ଆରମ୍ଭ ହୋଇଯିବ । ଯେପରି ଆରମ୍ଭ ସମୟରେ ଘରେ ବସି ମଧ୍ୟ ଅନେକ ନିକଟ ସମ୍ବନ୍ଧରେ ଆସିବାବାଲା ଆତ୍ମାମାନଙ୍କୁ ସାକ୍ଷାତ୍‌କାର ହୋଇଥିଲା ନା । ସେହିପରି ଏବେ ମଧ୍ୟ ହେବ । ଏଠାରେ ବସିଥିଲେ ମଧ୍ୟ ତୁମମାନଙ୍କର ସୂକ୍ଷ୍ମ ସ୍ୱରୂପ ସେବା କରିବ । ଏବେ ଏହି ସେବା ବାକି ରହିଛି । ସାକାର ବାବାଙ୍କ ଦ୍ୱାରା ଏହି ସବୁ ଦୃଷ୍ଟାନ୍ତ ତ ଦେଖିସାରିଛ । ସବୁ କଥା ଡ୍ରାମା ଅନୁସାରେ ଧୀରେ ଧୀରେ ପୁନର୍ବାର ହେବ । ଯେତେଯେତେ ନିଜେ ଆକାରୀ ଫରିସ୍ତା ସ୍ୱରୂପରେ ରହିବ ସେତେସେତେ ତୁମର ଫରିସ୍ତା ରୂପ ସେବା କରିବ । ଆତ୍ମାକୁ ସାରା ବିଶ୍ୱକୁ ଚକ୍ର ଲଗାଇବା ପାଇଁ କେତେ ସମୟ ଲାଗୁଛି? ତେଣୁ ଏବେ ତୁମମାନଙ୍କର ସୂକ୍ଷ୍ମ ସ୍ୱରୂପ ମଧ୍ୟ ସେବା କରିବ କିନ୍ତୁ ଯେଉଁମାନେ ଏହିଭଳି ନିଆରା ହେବାର ସ୍ଥିତିରେ ସ୍ଥିତ ରହୁଥିବେ । ନିଜେ ସର୍ବଦା ଫରିସ୍ତା ସ୍ୱରୂପରେ ସ୍ଥିତ ରହୁଥିବେ । ଆରମ୍ଭ ସମୟରେ ତ ସବୁ କଥାର ସାକ୍ଷାତ୍‌କାର ମଧ୍ୟ ହୋଇ ସାରିଛି । ଫରିସ୍ତା ରୂପରେ ସମ୍ପୂର୍ଣ୍ଣ ସ୍ଥିତିର ଏବଂ ବର୍ତ୍ତମାନର ପୁରୁଷାର୍ଥୀ ସ୍ଥିତିର ଦୁଇଟିଯାକ ଅଲଗା ଅଲଗା ସାକ୍ଷାତ୍‌କାର ହେଉଥିଲା । ଯେପରି ସାକାର ବ୍ରହ୍ମା ଏବଂ ସମ୍ପୂର୍ଣ୍ଣ ବ୍ରହ୍ମାଙ୍କର ଅଲଗା ଅଲଗା ସାକ୍ଷାତ୍‌କାର ହେଉଥିଲା, ସେହିପରି ଅନନ୍ୟ ପିଲାମାନଙ୍କର ମଧ୍ୟ ସାକ୍ଷାତ୍କାର ହେବ । ଯେତେବେଳେ ଦୁନିଆରେ ବିଶୃଖଳା ଆରମ୍ଭ ହୋଇଯିବ ସେତେବେଳେ ସାକାର ଶରୀର ଦ୍ୱାରା ତ କିଛି କରିପାରିବ ନାହିଁ ଏବଂ ତେଣୁ ସେବା ଦ୍ୱାରା ହିଁ ଅଧିକ ପ୍ରଭାବ ପଡିବ । ଅନୁଭବ ହିଁ ପ୍ରଭାବ ପକାଇଥିଲା । ସେହିପରି ଅନ୍ତିମ ସମୟରେ ମଧ୍ୟ ଏହି ସେବା ହେବ । ତେବେ ନିଜର ସମ୍ପୂର୍ଣ୍ଣ ସ୍ୱରୂପର ସାକ୍ଷାତ୍କାର ନିଜକୁ ହେଉଛି ତ? ଏବେ ତ ଶକ୍ତିମାନଙ୍କୁ ଡାକିବା ଆରମ୍ଭ ହୋଇଗଲାଣି । ତେଣୁ ଏହିଭଳି ଅଭ୍ୟାସ ମଝିରେ ମଝିରେ କରିବାକୁ ହେବ । ଅଭ୍ୟାସ ପଡିଗଲେ ବହୁତ ଆନନ୍ଦର ଅନୁଭବ ହେବ । ଗୋଟିଏ ସେକେଣ୍ଡରେ ଆତ୍ମା ଶରୀରଠାରୁ ଅଲଗା ହୋଇଯିବ, ଅଭ୍ୟାସରେ ପଡିଯିବ । ଏବେ ଏହି ପୁରୁଷାର୍ଥ କରିବାକୁ ହେବ ।

ବର୍ତ୍ତମାନ ସମୟରେ ମନନ କରିବାର ଶକ୍ତି ଦ୍ୱାରା ଆତ୍ମା ଭିତରେ ସର୍ବଶକ୍ତି ଭରିବାର ଆବଶ୍ୟକତା ରହିଛି । ତେବେ ଯାଇ ମଗନ ଅବସ୍ଥାରେ ରହିପାରିବ ଏବଂ ସବୁ ବିଘ୍ନ ହଟିଯିବ । ବିଘ୍ନର ଢେଉ ମଧ୍ୟ ସେତେବେଳେ ଆସିଥାଏ ଯେତେବେଳେ ଆତ୍ମ ଅଭିମାନୀ ହେବାର ଫୋର୍ସ କମ୍ ହୋଇଯାଏ । ତେଣୁ ବର୍ତ୍ତମାନ ସମୟରେ ଶିବରାତ୍ରିର ସେବା କରିବା ପୂର୍ବରୁ ନିଜ ଭିତରେ ଶକ୍ତି ଭରିବାର ଲଗନ ଆସିବା ଦରକାର । ଯଦିଓ ଯୋଗ କରିବାର କାର୍ଯ୍ୟକ୍ରମମାନ ରଖୁଛ କିନ୍ତୁ ଯୋଗ ଦ୍ୱାରା ଶକ୍ତିଗୁଡିକର ଅନୁଭବ କରିବା ଏବଂ କରାଇବା - ଏବେ ଏହିଭଳି କ୍ଲାସ୍ ସବୁ ହେବା ଆବଶ୍ୟକ । ବାସ୍ତବିକ ରୂପରେ ନିଜର ଯୋଗବଳ ଆଧାରରେ ଅନ୍ୟମାନଙ୍କୁ ବଳ ଦେବାକୁ ହେବ । କେବଳ ବାହାରର ସେବା କରିବାର ଯୋଜନା କର ନାହିଁ କିନ୍ତୁ ସବୁ ଆଡକୁ ପୂରା ଧ୍ୟାନ ଦେବା ଦରକାର । ଯେଉଁମାନେ ନିମିତ୍ତ ଅଟନ୍ତି ସେମାନଙ୍କୁ ଏହି ବିଚାର ଆସିବା ଦରକାର ଯେ ଆମର ଫୁଲ ବଗୀଚାଟି କେଉଁ କଥାରେ ଦୁର୍ବଳ ଅଛି । ଯେକୌଣସି ପ୍ରକାରରେ ନିଜର ବଗୀଚାର ଦୁର୍ବଳତା ଉପରେ କଡା ନଜର ରଖିବା ଦରକାର । ସମୟ ଦେବାକୁ ପଡିଲେ ମଧ୍ୟ ଦୁର୍ବଳତାକୁ ସମାପ୍ତ କରିବା ଦରକାର ।

ଯେପରି ସାକାର ବ୍ରହ୍ମାଙ୍କୁ ତ ଦେଖିଛ, ଯଦି ସେଭଳି କୌଣସି ଅସୁବିଧା ସମୟ ଆସୁଥିଲା ତେବେ ରାତି ଦିନ ସକାଶ ଦେବାର ବିଶେଷ ସେବା କରୁଥିଲେ ବା ବିଶେଷ ଯୋଜନା କରୁଥିଲେ । ନିର୍ବଳ ଆତ୍ମାମାନଙ୍କ ଭିତରେ ବଳ ଭରିବାର ବିଶେଷ ଧ୍ୟାନ ରହୁଥିଲା । ଯାହାଦ୍ୱାରା ଅନେକ ଆତ୍ମାଙ୍କୁ ଅନୁଭବ ମଧ୍ୟ ହେଉଥିଲା । ରାତି ରାତି ସମୟ ଦେଇ ଆତ୍ମାମାନଙ୍କ ଭିତରେ ସକାଶ ଭରିବାର ବିଶେଷ ସେବା କରୁଥିଲେ ତେଣୁ ଏବେ ସେହିଭଳି ବିଶେଷ ସକାଶ ଅର୍ଥାତ୍ ସୂକ୍ଷ୍ମ ଶକ୍ତି ଭରିବାର ସେବା କରିବାକୁ ହେବ, ଯାହାଦ୍ୱାରା ଚାରିଆଡେ ଲାଇଟ୍ ମାଇଟ୍‌ର ପ୍ରଭାବ ଖେଳିଯିବ । ଏବେ ଏହି ସେବା ବହୁତ ଆବଶ୍ୟକ । ଯେପରି କେହି ଯଦି ଧନୀ ହୋଇଯାଏ, ତେବେ ସେ ତା’ର ନିକଟ ସମ୍ବନ୍ଧୀମାନଙ୍କୁ ମଧ୍ୟ ସାହାଯ୍ୟ ଦେଇ ଉପରକୁ ଉଠାଇ ଦେଇଥାଏ, ସେହିପରି ବର୍ତ୍ତମାନ ସମୟରେ ତୁମମାନଙ୍କ ସମ୍ବନ୍ଧ-ସମ୍ପର୍କରେ ଯେଉଁ ସବୁ ଦୁର୍ବଳ ଆତ୍ମାମାନେ ଅଛନ୍ତି ସେମାନଙ୍କୁ ବିଶେଷ ସକାଶ ଦେବାକୁ ହେବ । ଆଚ୍ଛା!

ବରଦାନ:-
ହଜାର ଭୁଜାବାଲା ବ୍ରହ୍ମାଙ୍କର ସଂଗର ନିରନ୍ତର ଅନୁଭବ କରୁଥିବା ସଚ୍ଚା ସ୍ନେହୀ ଭବ ।

ବର୍ତ୍ତମାନ ସମୟରେ ବ୍ରହ୍ମାଙ୍କର ହଜାର ଭୁଜାବାଲା ରୂପର ପାର୍ଟ ଚାଲିଛି । ଯେପରି ଆତ୍ମା ଭୁଜା ଅର୍ଥାତ୍ ହାତ ବିନା କିଛି ବି କାମ କରିପାରିବ ନାହିଁ, ସେହିପରି ବାପଦାଦାଙ୍କ ବିନା ଭୁଜା ରୂପୀ ପିଲାମାନେ ମଧ୍ୟ କିଛି ବି କରିପାରିବେ ନାହିଁ । ପ୍ରତ୍ୟେକ କାର୍ଯ୍ୟରେ ପ୍ରଥମେ ବାବାଙ୍କର ହିଁ ସହଯୋଗ ରହିଛି । ଯେତେ ଦିନ ପର୍ଯ୍ୟନ୍ତ ସ୍ଥାପନାର ପାର୍ଟ ଚାଲିଥିବ ସେତେ ଦିନ ପର୍ଯ୍ୟନ୍ତ ବାପଦାଦା ପିଲାମାନଙ୍କର ପ୍ରତ୍ୟେକ ସଂକଳ୍ପରେ ଏବଂ ପ୍ରତ୍ୟେକ ସେକେଣ୍ଡରେ ସାଥୀରେ ଅଛନ୍ତି ସେଥିପାଇଁ କେବେ ବି ଅଲଗା ହେବାର ପରଦା ପକାଇ ବିୟୋଗୀ ଆତ୍ମା ହୁଅ ନାହିଁ । ସର୍ବଦା ପ୍ରେମର ସାଗରଙ୍କର ଲହଡିରେ ଖେଳୁଥାଅ, ବାବାଙ୍କର ଗୁଣଗାନ କରୁଥାଅ କିନ୍ତୁ ମାୟା ଦ୍ୱାରା ଘାୟଲ ହୁଅ ନାହିଁ । ତେବେ ବାବାଙ୍କ ପ୍ରତି ସ୍ନେହର ପ୍ରତ୍ୟକ୍ଷ ସ୍ୱରୂପ ହେଲା ସେବାର ସ୍ନେହୀ ହୁଅ ।

ସ୍ଲୋଗାନ:-
ଅଶରୀରୀ ସ୍ଥିତିର ଅନୁଭବ ବା ଅଭ୍ୟାସ ହିଁ ନମ୍ବରକୁ ଆଗକୁ ବଢାଇବାର ଆଧାର ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର (୧୮) ସବୁ ସମୟରେ, ସବୁ ଆତ୍ମାଙ୍କ ପ୍ରତି ତୁମର ମାନସୀକ ସ୍ଥିତି ସ୍ୱତଃ ହିଁ ଶୁଭଭାବନା ଏବଂ ଶୁଭକାମନାର ଶୁଦ୍ଧ ପ୍ରକମ୍ପନ ବିତରଣ କରୁଥିବାର ଅନୁଭବ ନିଜକୁ ଏବଂ ଅନ୍ୟମାନଙ୍କୁ ହେଉ । ମନ ଭିତରୁ ସବୁ ସମୟରେ ସର୍ବ ଆତ୍ମାଙ୍କ ପ୍ରତି ଆଶୀର୍ବାଦ ବାହାରୁଥାଉ । ତୁମର ମନ ସର୍ବଦା ଏହି ସେବାରେ ବ୍ୟସ୍ତ ରହୁ । ଯେପରି ବାଣୀର ସେବା କରିବାର ଅନୁଭବୀ ହୋଇଯାଇଛ, ଯଦି ସେବା ନ ମିଳୁଛି ତେବେ ନିଜକୁ ଖାଲି ଅନୁଭବ କରୁଛ, ସେହିପରି ସବୁ ସମୟରେ ବାଣୀ ସହିତ ମାନସୀକ ସେବା ମଧ୍ୟ ଏକାଠି ହେଉଥାଉ ।