18.01.26    Avyakt Bapdada     Odia Murli     Om Shanti     Madhuban


“ପିତାଶ୍ରୀଙ୍କର ପୂଣ୍ୟ ସ୍ମୃତି ଦିବସରେ ପ୍ରାତଃ କ୍ଲାସରେ ଶୁଣାଇବା ପାଇଁ ବାପଦାଦାଙ୍କର ଅମୂଲ୍ୟ ମହାବାକ୍ୟ”
“ମିଠେ ବଚ୍ଚେ:- ଜ୍ଞାନ ରତ୍ନରେ ଅଣ୍ଟି ଭରପୂର କରି ଦାନ ମଧ୍ୟ କରିବାକୁ ହେବ, ଯେତିକି ଅନ୍ୟମାନଙ୍କୁ ରାସ୍ତା ଦେଖାଇବ ସେତିକି ଆଶୀର୍ବାଦ ମିଳିବ ” ।


ଓମ୍ ଶାନ୍ତି । ମିଠା ମିଠା ସନ୍ତାନମାନଙ୍କୁ ଏହି କଥା ଭଲ ଭାବରେ ମନେ ରଖିବାକୁ ହେବ ଯେ ଶିବବାବା ଆମକୁ ପାଠ ପଢାଉଛନ୍ତି । ଶିବବାବା ପତିତ ପାବନ ମଧ୍ୟ ଅଟନ୍ତି ଏବଂ ସଦ୍‌ଗତି ଦାତା ମଧ୍ୟ ଅଟନ୍ତି । ସଦ୍‌ଗତି ଅର୍ଥାତ୍ ସ୍ୱର୍ଗ ଦୁନିଆର ରାଜପଦ ମଧ୍ୟ ଦେଉଛନ୍ତି । ବାବା କେତେ ମିଠା ଅଟନ୍ତି । କେତେ ସ୍ନେହର ସହିତ ପିଲାମାନଙ୍କୁ ପାଠ ପଢାଉଛନ୍ତି । ବାବା ଆମମାନଙ୍କୁ ଦାଦାଙ୍କ ଦ୍ୱାରା ପାଠପଢାଇଛନ୍ତି । ବାବା କେତେ ମିଠା ଅଟନ୍ତି, ପୁଣି କେତେ ସ୍ନେହ କରୁଛନ୍ତି । କୌଣସି କଷ୍ଟ ମଧ୍ୟ ଦେଉ ନାହାଁନ୍ତି । କେବଳ ଏତିକି କହୁଛନ୍ତି ମୋତେ ମନେ ପକାଅ ଏବଂ ଚକ୍ରକୁ ମନେ ପକାଅ । ତେଣୁ ବାବାଙ୍କୁ ମନେ ପକାଇ ଆମର ଦିଲ୍ ପୂରାପୂରି ଶୀତଳ ହୋଇଯିବା ଦରକାର । ଏକମାତ୍ର ବାବାଙ୍କର ସ୍ମୃତି ସଦା ସର୍ବଦା ମନକୁ ଆନ୍ଦୋଳିତ କରିବା ଦରକାର କାହିଁକିନା ବାବାଙ୍କ ଠାରୁ କେତେ ଅମାପ ସମ୍ପତ୍ତି ମିଳୁଛି । ନିଜକୁ ଦେଖିବା ଦରକାର ଯେ ମୋ’ର ବାବାଙ୍କ ପ୍ରତି କେତେ ସ୍ନେହ ଅଛି? ମୋ ଭିତରେ ଦୈବୀଗୁଣ କେତେ ଅଛି, କାହିଁକିନା ତୁମେମାନେ ଏବେ କଣ୍ଟାରୁ ଫୁଲ ହେଉଛ । ଯେତେ ଯେତେ ତୁମେ ଯୋଗଯୁକ୍ତ ସ୍ଥିତିରେ ରହିବ ସେହି ଅନୁସାରେ କଣ୍ଟାରୁ ଫୁଲ ଏବଂ ସତ୍ତ୍ୱପ୍ରଧାନ ହୋଇ ଚାଲିବ । ସମ୍ପୂର୍ଣ୍ଣ ଫୁଲ ହୋଇଯିବା ପରେ ଆଉ ଏଠାରେ ରହିପାରିବ ନାହିଁ । କାହିଁକିନା ସ୍ୱର୍ଗ ଦୁନିଆ ହିଁ ଫୁଲର ବଗିଚା ଅଟେ । ଯେଉଁମାନେ ବହୁତ କଣ୍ଟାଗୁଡିକୁ ଫୁଲ କରୁଛନ୍ତି, ସେହିମାନଙ୍କୁ ହିଁ ସଚ୍ଚା ସୁଗନ୍ଧଯୁକ୍ତ ଫୁଲ କୁହାଯିବ । ସେମାନେ କେବେ ହେଲେ କାହାକୁ କଣ୍ଟା ଫୁଟାଇବେ ନାହିଁ । କ୍ରୋଧ ମଧ୍ୟ ବଡ କଣ୍ଟା ଅଟେ । ବହୁତଙ୍କୁ ଦୁଃଖ ଦେଇଥାଏ । ଏବେ ତୁମେ ପିଲାମାନେ କଣ୍ଟାର ଦୁନିଆ ଭିତରୁ ବାହାରି ଗୋଟିଏ ପାଖକୁ ଆସିଯାଇଛ, ଏବେ ତୁମେମାନେ ସଂଗମରେ ଅର୍ଥାତ୍ ମଝି ସ୍ଥାନରେ ଅଛ । ମାଳୀ ଯେପରି ଫୁଲ ଗୁଡିକୁ ତୋଳି ଅଲଗା ଗୋଟିଏ ପାତ୍ରରେ ରଖିଦିଏ ସେହିପରି ତୁମ ଭଳି ଫୁଲମାନଙ୍କୁ ମଧ୍ୟ ସଂଗମଯୁଗ ରୂପୀ ପାତ୍ରରେ ଅଲଗା ରଖାଯାଇଛି । ଏହା ପରେ ତୁମେ ଫୁଲମାନେ ସ୍ୱର୍ଗ ଦୁନିଆକୁ ଚାଲିଯିବ ଏବଂ କଳିଯୁଗୀ କଣ୍ଟାମାନେ ଭସ୍ମ ହୋଇଯିବେ ।

ମିଠା ମିଠା ପିଲାମାନେ ଜାଣିଛନ୍ତି ପାରଲୌକିକ ପିତାଙ୍କଠାରୁ ଆମକୁ ଅବିନାଶୀ ସମ୍ପତ୍ତି ମିଳୁଛି । ଯେଉଁମାନେ ସଚ୍ଚା ସଚ୍ଚା ସନ୍ତାନ ଅଟନ୍ତି, ଯେଉଁମାନଙ୍କର ବାପଦାଦାଙ୍କ ସହିତ ପୂରା ସ୍ନେହ ରହିଛି ସେମାନଙ୍କ ଭିତରେ ବହୁତ ଖୁସି ରହିବ ଯେ ଆମେ ବିଶ୍ୱର ମାଲିକ ହେଉଛୁ । ଯଦିଓ ପୁରୁଷାର୍ଥ ଦ୍ୱାରା ହିଁ ବିଶ୍ୱର ମାଲିକ ହେବାକୁ ହୋଇଥାଏ, କେବଳ କହିବାରେ ନୁହେଁ । ଯେଉଁମାନେ ଅନନ୍ୟ ସନ୍ତାନ ସେମାନଙ୍କ ଭିତରେ ସର୍ବଦା ଏହି କଥା ମନେ ରହିବ ଯେ ଆମେ ନିଜ ପାଇଁ ପୁ୍‌ନର୍ବାର ସେହି ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ରାଜଧାନୀ ସ୍ଥାପନ କରୁଛୁ । ବାବା କହୁଛନ୍ତି ମିଠା ମିଠା ସନ୍ତାନମାନେ ଯେତେ ଯେତେ ତୁମେ ବହୁତ ଆତ୍ମାଙ୍କର କଲ୍ୟାଣ କରିବ ସେହି ଅନୁସାରେ ତୁମକୁ ହିଁ ଫଳ ମିଳିବ । ଯଦି ବହୁତ ଆତ୍ମାଙ୍କୁ ରାସ୍ତା ଦେଖାଇବ ତେବେ ବହୁତଙ୍କର ଆଶୀର୍ବାଦ ମିଳିବ । ଜ୍ଞାନ ରତ୍ନରେ ନିଜର ଅଣ୍ଟିଭରି ଦାନ କରିବାକୁ ହେବ । ଜ୍ଞାନର ସାଗର ତୁମମାନଙ୍କୁ ଜ୍ଞାନ ରତ୍ନର ଥାଳି ଭର୍ତ୍ତି କରି ଦେଉଛନ୍ତି, ସେହି ରତ୍ନଗୁଡିକୁ ଯେଉଁମାନେ ଦାନ କରିଥାଆନ୍ତି ସେହିମାନେ ହିଁ ସମସ୍ତଙ୍କୁ ପ୍ରିୟ ଲାଗିଥାଆନ୍ତି । ତେଣୁ ପିଲାମାନଙ୍କ ଭିତରେ କେତେ ଖୁସି ରହିବା ଦରକାର । ଯେଉଁ ସନ୍ତାନମାନେ ଜ୍ଞାନବାନ ହୋଇଥିବେ ସେମାନେ ତ କହିବେ ଆମେ ବାବାଙ୍କଠାରୁ ପୂରା ସମ୍ପତ୍ତି ନିଶ୍ଚିତ ନେବୁ । ସେମାନେ ବାବାଙ୍କୁ ଏକଦମ୍ ଜାବୁଡି ଧରିବେ । ବାବାଙ୍କ ସହିତ ସେମାନଙ୍କର ବହୁତ ସ୍ନେହ ରହିବ କାହିଁକିନା ସେମାନେ ଜାଣିଛନ୍ତି ଯେ ଆମକୁ ପ୍ରାଣଦାନ ଦେବାବାଲା ବାବା ମିଳିଯାଇଛନ୍ତି । ବାବା ଆମକୁ ଏଭଳି ଜ୍ଞାନ ରୂପକ ବରଦାନ ଦେଉଛନ୍ତି ଯାହାଦ୍ୱାରା ଆମେ କ’ଣରୁ କ’ଣ ହୋଇଯାଉଛୁ । ଦରିଦ୍ରରୁ ସମ୍ପତ୍ତିବାନ ହୋଇଯାଉଛୁ । ବାବା ଆମର ଭଣ୍ଡାର ଏହିଭଳି ଭରପୂର କରିଦେଉଛନ୍ତି । ଯେତେ ଯେତେ ବାବାଙ୍କୁ ମନେ ପକାଇବ ସେହି ଅନୁସାରେ ସ୍ନେହ ମଧ୍ୟ ରହିବ, ଏବଂ ଆକର୍ଷଣ ମଧ୍ୟ ରହିବ । ଯେପରି ଛୁଞ୍ଚି କଳଙ୍କି ମୁକ୍ତ ଥିଲେ ଚୁମ୍ବକ ଆଡକୁ ଆକର୍ଷିତ ହୋଇଥାଏ, ସେହିପରି ବାବାଙ୍କୁ ମନେ ପକାଇବା ଦ୍ୱାରା କଳଙ୍କି ଛାଡିବାକୁ ଲାଗିଥାଏ, ତେଣୁ ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ଯେପରି ମନେ ନ ପଡନ୍ତୁ ।

ବାବା ବୁଝାଉଛନ୍ତି ପିଲାମାନେ ଏବେ ଆଉ କୌଣସି ତ୍ରୁଟି କର ନାହିଁ । ସ୍ୱଦର୍ଶନ ଚକ୍ରଧାରୀ ହୁଅ, ଲାଇଟ୍ ହାଉସ୍ ହୁଅ । ଯଦି ସ୍ୱଦର୍ଶନ ଚକ୍ରଧାରୀ ହେବାର ଅଭ୍ୟାସ ପକ୍କା ହୋଇଯିବ, ତେବେ ତୁମେ ଯେପରି ଜ୍ଞାନର ସାଗର ହୋଇଯିବ । ଯେପରି ଛାତ୍ରମାନେ ମଧ୍ୟ ପାଠପଢି ଟୀଚର ହୋଇଯାଆନ୍ତି, ସେହିପରି ତୁମମାନଙ୍କର ଧନ୍ଦା ହିଁ ଏହା ଅଟେ । ଯଦି ତୁମେ ସମସ୍ତଙ୍କୁ ସ୍ୱଦର୍ଶନ ଚକ୍ରଧାରୀ କରିବ ତେବେ ଯାଇ ଚକ୍ରବର୍ତ୍ତୀ ରାଜା ରାଣୀ ହୋଇପାରିବ । ସେଥିପାଇଁ ବାବା ସବୁବେଳେ ପିଲାମାନଙ୍କୁ ପଚାରୁଛନ୍ତି ସ୍ୱଦର୍ଶନ ଚକ୍ରଧାରୀ ହୋଇ ବସିଛ ତ? ବାବା ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ଅଟନ୍ତି ନା । ବାବା ତ ତୁମଭଳି ମିଠା ସନ୍ତାନମାନଙ୍କୁ ଘରକୁ ନେଇଯିବା ପାଇଁ ହିଁ ଆସିଛନ୍ତି । ତୁମମାନଙ୍କ ବିନା ମୋତେ ମଧ୍ୟ ସେଠାରେ ଆରାମ ଲାଗିବ ନାହିଁ । ଯେତେବେଳେ ଆସିବାର ସମୟ ହୋଇଯାଉଛି, ସେତେବେଳେ ଆଉ ସେଠାରେ ଆରାମ ଲାଗୁନାହିଁ । ବାସ୍‌, ଏବେ ମୁଁ ଯିବି । ପିଲାମାନେ ବହୁତ ଡାକୁଛନ୍ତି । ବହୁତ ଦୁଃଖୀ ହୋଇଗଲେଣି । ତେଣୁ ବହୁତ ଦୟା ଲାଗିଥାଏ । ତେଣୁ ଏବେ ତୁମମାନଙ୍କୁ ଘରକୁ ଫେରିଯିବାକୁ ହେବ । ପୁଣି ସେଠାରୁ ତୁମେମାନେ ଆପେ ଆପେ ସୁଖଧାମକୁ ଆସିଯିବ । ସେଠାରେ କିନ୍ତୁ ମୁଁ ତୁମର ସାଥୀ ହେବି ନାହିଁ । ନିଜର ଅବସ୍ଥା ଅନୁସାରେ ତୁମମାନଙ୍କର ଆତ୍ମା ସୁଖଧାମରେ ପାର୍ଟ କରିବା ପାଇଁ ଚାଲିଯିବ ।

ତେଣୁ ତୁମେମାନେ ଯେତେ ଯେତେ ବାବାଙ୍କର ସ୍ମୃତିରେ ରହିବ ସେହି ଅନୁସାରେ ଅନ୍ୟମାନଙ୍କୁ ଜ୍ଞାନ ଶୁଣାଇବାରେ ପ୍ରଭାବ ପଡିବ । ତୁମମାନଙ୍କର କଥାବାର୍ତ୍ତା କରିବା ଅଧିକ ହେବା ଉଚିତ୍ ନୁହେଁ । ଯଦି ଆତ୍ମ ଅଭିମାନୀ ହୋଇ ଅଳ୍ପ ବୁଝାଇ ଦେବ ତେବେ ବି ତୀର ଲାଗିଯିବ । ତେଣୁ ବାବା କହୁଛନ୍ତି ପିଲାମାନେ ବିତିଯାଇଥିବା କଥାକୁ ଭୁଲିଯାଅ । ଏବେ ପ୍ରଥମେ ନିଜକୁ ସୁଧାର । ନିଜେ ଯୋଗ କରୁ ନଥିବ କିନ୍ତୁ ଅନ୍ୟକୁ କହୁଥିବ, ଏଭଳି ଠକାମୀ ଚାଲିପାରିବ ନାହିଁ । ଭିତରେ ଭିତରେ ମନ ନିଶ୍ଚିତ ଖାଉଥିବ । ବାବାଙ୍କ ସହିତ ଭଲ ଭାବରେ ସ୍ନେହ ନ ଥିବା କାରଣରୁ ପିଲାମାନେ ଶ୍ରୀମତରେ ଚାଲୁ ନାହାଁନ୍ତି । ବେହଦର ପିତାଙ୍କ ଭଳି ଶିକ୍ଷା ତ ଆଉ କେହି ଦେଇପାରିବେ ନାହିଁ । ବାବା କହୁଛନ୍ତି ମିଠା ମିଠା ସନ୍ତାନମାନେ, ଏବେ ଏହି ପୁରୁଣା ଦୁନିଆକୁ ଭୁଲିଯାଅ । ଶେଷ ସମୟରେ ତ ଏସବୁ ଭୁଲିବାକୁ ହିଁ ପଡିବ । ବୁଦ୍ଧି ଶାନ୍ତିଧାମ ଏବଂ ସୁଖଧାମ ସହିତ ଲାଗିଯିବ । ବାବାଙ୍କୁ ବହୁତ ମନେ ପକାଇ ଶେଷରେ ତାଙ୍କ ପାଖକୁ ଚାଲିଯିବ । ପତିତ ଆତ୍ମା ତ ସେଠାକୁ ଯାଇପାରିବ ନାହିଁ । ତାହା ତ ହେଲା ପବିତ୍ର ଆତ୍ମାମାନଙ୍କର ଘର । ଏହି ଶରୀର ତ ପାଞ୍ଚ ତତ୍ତ୍ୱରେ ତିଆରି ହୋଇଛି । ତେଣୁ ପାଞ୍ଚ ତତ୍ତ୍ୱ ତୁମକୁ ଏଠାରେ ରହିବା ପାଇଁ ଆକର୍ଷିତ କରୁଛନ୍ତି କାହିଁକିନା ଆତ୍ମା ଯେପରି ଏହି ପାଞ୍ଚ ତତ୍ତ୍ୱର ସମ୍ପତ୍ତିକୁ ଅଧିକାର କରିଛି ସେଥିପାଇଁ ଶରୀର ପ୍ରତି ମୋହ ଆସିଯାଇଛି । ଏବେ ଏହାଠାରୁ ମୋହ ତୁଟାଇ ନିଜର ଘରକୁ ଯିବାକୁ ହେବ । ସେଠାରେ ତ ଏହି ପାଞ୍ଚ ତତ୍ତ୍ୱ ନାହିଁ । ସତ୍ୟଯୁଗରେ ମଧ୍ୟ ଯୋଗବଳ ଦ୍ୱାରା ଶରୀର ତିଆରି ହେବ । ସେଠାରେ ପ୍ରକୃତି ସତ୍ତ୍ୱପ୍ରଧାନ ହୋଇଥିବା କାରଣରୁ ଆତ୍ମାକୁ ଆକର୍ଷିତ କରି ନଥାଏ । ତେଣୁ କାହାକୁ ଦୁଃଖ ଲାଗେ ନାହିଁ । ଏସବୁ ବୁଝିବା ପାଇଁ ବଡ ଗହନ କଥା । ଏଠାରେ ତ ପାଞ୍ଚ ତତ୍ତ୍ୱର ବଳ ଆତ୍ମାକୁ ଆକର୍ଷିତ କରୁଛି, ସେଥିପାଇଁ ଶରୀର ଛାଡିବା ପାଇଁ ଇଚ୍ଛା ହେଉ ନାହିଁ । ନଚେତ୍ ଶରୀର ଛାଡିବା ସମୟରେ ଆହୁରି ଖୁସି ହେବା ଦରକାର । ପବିତ୍ର ହୋଇଗଲେ ତୁମେମାନେ ଏତେ ସହଜରେ ଶରୀର ଛାଡିବ ଯେପରି ଲହୁଣୀରୁ କେଶ ଆଦି ସହଜରେ ବାହାରିଯାଇଥାଏ, ତେଣୁ ଶରୀରଠାରୁ ଏବଂ ସବୁଥିରୁ ସମ୍ପୂର୍ଣ୍ଣ ମୋହ ତୁଟାଇ ଦେବା ଦରକାର ଯେ, ଏହା ସହିତ ମୋ’ର କୌଣସି ସମ୍ପର୍କ ନାହିଁ । ବାସ୍‌, ମୁଁ ଏବେ ବାବାଙ୍କ ପାଖକୁ ଯାଉଛି । ଏହି ଦୁନିଆରୁ ନିଜର ସବୁ ଜିନିଷ ପତ୍ର ଏକାଠି କରି ପୂର୍ବରୁ ହିଁ ପଠାଇ ଦେଇଛି । କାରଣ ଏଗୁଡିକ ତ ସାଥୀରେ ଯାଇପାରିବ ନାହିଁ । କେବଳ ଆତ୍ମାମାନଙ୍କୁ ହିଁ ଯିବାର ଅଛି । ଶରୀରକୁ ମଧ୍ୟ ଏହିଠାରେ ହିଁ ଛାଡିଯିବାକୁ ହେବ । ବାବା ତ ନୂଆ ଶରୀରର ସାକ୍ଷାତ୍‌କାର ମଧ୍ୟ କରାଇଦେଇଛନ୍ତି । ସେଠାରେ ତୁମକୁ ହୀରା ନୀଳାର ମହଲ ମିଳିଯିବ । ଏଭଳି ସୁଖଧାମକୁ ଯିବାପାଇଁ କେତେ ମେହନତ କରିବା ଦରକାର । ଏଥିରେ କେବେ ବି ଥକିଯିବା ଉଚିତ୍ ନୁହେଁ । ରାତିଦିନ ବହୁତ ରୋଜଗାର ଜମା କରିବାକୁ ହେବ, ସେଥିପାଇଁ ବାବା କହୁଛନ୍ତି ହେ ନିଦ୍ରାଜିତ୍ ପିଲାମାନେ କେବଳ ମୋତେ ହିଁ ମନେ ପକାଅ ଏବଂ ବିଚାର ସାଗର ମନ୍ଥନ କର । ଡ୍ରାମାର ରହସ୍ୟକୁ ବୁଦ୍ଧିରେ ରଖିବା ଦ୍ୱାରା ବୁଦ୍ଧି ଏକଦମ୍ ଶୀତଳ ହୋଇଯିବ । ଯେଉଁମାନେ ମହାରଥୀ ହୋଇଥିବେ, ସେମାନେ କେବେ ବି ହଲ୍‌ଚଲ୍ ହୋଇପାରିବେ ନାହିଁ । ଯଦି ତୁମେ ଶିବବାବାଙ୍କୁ ଯୋଗ କରିବ ତେବେ ସେ ମଧ୍ୟ ତୁମର ଦାୟିତ୍ୱ ନେବେ ।

ବାବା ତ ତୁମମାନଙ୍କୁ ଦୁଃଖରୁ ମୁକ୍ତ କରି ଶାନ୍ତିର ଦାନ ଦେଉଛନ୍ତି । ତୁମକୁ ମଧ୍ୟ ଅନ୍ୟମାନଙ୍କୁ ଶାନ୍ତିର ଦାନ ଦେବାକୁ ହେବ । ତୁମର ଏହି ଅବିନାଶୀ ଶାନ୍ତି ଅର୍ଥାତ୍ ଯୋଗର ଶକ୍ତି ଅନ୍ୟମାନଙ୍କୁ ମଧ୍ୟ ଏକଦମ୍ ଶାନ୍ତ କରିଦେବ । ତୁମେମାନେ ବାବାଙ୍କ ସ୍ମୃତିରେ ରହି ଦେଖ ଏହି ଆତ୍ମା ଆମ କୁଳର ନା ନାହିଁ? ଯଦି ହୋଇଥିବ, ତେବେ ଏକଦମ୍ ଶାନ୍ତ ହୋଇଯିବ । ଯେଉଁମାନେ ଏହି କୁଳର ହୋଇଥିବେ ସେହିମାନଙ୍କୁ ହିଁ ଏହି ସବୁ କଥା ପ୍ରତି ଆଗ୍ରହ ଆସିବ । ପିଲାମାନେ ଯଦି ମନେ ପକାଉଛନ୍ତି ତେବେ ବାବା ମଧ୍ୟ ସ୍ନେହ ଦେଉଛନ୍ତି । ଆତ୍ମାକୁ ହିଁ ସ୍ନେହ କରାଯାଏ । ଏକଥା ମଧ୍ୟ ଜଣା ଅଛି ଯେ ଅଧିକ ଭକ୍ତି ଯେଉଁମାନେ କରିଥିବେ ସେହିମାନେ ହିଁ ଅଧିକ ପଢିବେ । ସେମାନଙ୍କ ଚେହେରାକୁ ଦେଖି ଜଣାପଡିଯିବ ଯେ ବାବାଙ୍କ ପ୍ରତି ଏହାଙ୍କର କେତେ ସ୍ନେହ ଅଛି । ଆତ୍ମା ହିଁ ବାବାଙ୍କୁ ଦେଖିଥାଏ । ବାବା ଆମ ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି । ବାବା ମଧ୍ୟ ଭାବୁଛନ୍ତି ମୁଁ ଏତେ ଛୋଟ ଆତ୍ମା ବିନ୍ଦୁକୁ ହିଁ ପାଠ ପଢାଉଛି । ଆଗକୁ ଗଲେ ତୁମର ଏହିଭଳି ଅବସ୍ଥା ହୋଇଯିବ । ତୁମେମାନେ ମଧ୍ୟ ଭାବିବ ମୁଁ ଆତ୍ମା ଭାଇକୁ ପଢାଉଛି । ଚେହେରା ଭଉଣୀର ହୋଇଥିଲେ ମଧ୍ୟ ତୁମର ଦୃଷ୍ଟି ଆତ୍ମା ଆଡକୁ ଯିବା ଉଚିତ୍ । ଶରୀର ପ୍ରତି କେବେ ବି ଦୃଷ୍ଟି ନ ଯାଉ । ଏଥିରେ ବହୁତ ମେହନତ କରିବାକୁ ହେବ । ଏସବୁ ବଡ ଗହନ କଥା । ଏହା ବହୁତ ଉଚ୍ଚ ପାଠପଢା ଅଟେ । ଅନ୍ୟ ପାଠପଢା ସହିତ ଏହାକୁ ତୁଳନା କରିଲେ ଏହାର ପଲା ବହୁତ ଭାରୀ ହୋଇଯିବ । ଆଚ୍ଛା!

ମିଠେ ମିଠେ ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାମାନଙ୍କୁ ନମସ୍ତେ ।

ଅବ୍ୟକ୍ତ ମହାବାକ୍ୟ ପୁନରାବୃତ୍ତି: ୯-୧୨-୭୫

ମହାବୀର ପିଲାମାନଙ୍କର ସଂଗଠନର ବିଶେଷତା ହେଲା - ଏକରସ ଏବଂ ଏକନିଷ୍ଠ ସ୍ଥିତି

ମହାବୀର ଅର୍ଥାତ୍ ବିଶେଷ ଆତ୍ମା । ଏହିଭଳି ମହାବୀର, ବିଶେଷ ଆତ୍ମାମାନଙ୍କର ସଂଗଠନର ବିଶେଷତା ବର୍ତ୍ତମାନ ସମୟରେ ଏହିଭଳି ହେବା ଦରକାର ଯାହାକି ଏକା ସମୟରେ ସମସ୍ତଙ୍କର ଏକରସ ଏବଂ ଏକନିଷ୍ଠ ଅବସ୍ଥା ହୋଇପାରୁଥିବ ଅର୍ଥାତ୍ ଯେତେ ସମୟ ପର୍ଯ୍ୟନ୍ତ ଯେଉଁ ସ୍ଥିତିରେ ରହିବା ପାଇଁ ଚାହିଁବ, ସେତିକି ସମୟ ସେହି ସ୍ଥିତିରେ ସଂଗଠିତ ରୂପରେ ସ୍ଥିତ ହୋଇଯାଉଥିବ । ସଂଗଠିତ ରୂପରେ ସମସ୍ତଙ୍କର ସଂକଳ୍ପ ରୂପୀ ଆଙ୍ଗୁଳୀ ଏକାଭଳି ହେବା ଉଚିତ୍ । ଯେତେ ଦିନ ପର୍ଯ୍ୟନ୍ତ ସଂଗଠନର ଏହିଭଳି ଅଭ୍ୟାସ ପଡି ନାହିଁ ସେତେ ଦିନ ପର୍ଯ୍ୟନ୍ତ ସିଦ୍ଧି ମିଳିପାରିବ ନାହିଁ । ଯଦି ସଂଗଠନ ଭିତରେ ଏବେ ନିର୍ଦ୍ଦେଶ ମିଳିବ ଯେ ପାଞ୍ଚ ମିନିଟ୍ ପାଇଁ ବ୍ୟର୍ଥ ସଂକଳ୍ପକୁ ବିଲ୍‌କୁଲ୍ ସମାପ୍ତ କରି ନିଜର ଶକ୍ତିଶାଳୀ ବୀଜରୂପ ସ୍ଥିତିରେ ଏକରସ ଅର୍ଥାତ୍ ସ୍ଥିର ଭାବରେ ସ୍ଥିତ ହୋଇଯାଅ, କ’ଣ ଏହିଭଳି ଅଭ୍ୟାସ ଅଛି ତ? ଏମିତି ନୁହେଁ ଯେ କିଏ ମନନ କରିବାର ସ୍ଥିତିରେ ଥିବ, ଆଉ କିଏ ଆତ୍ମିକ ବାର୍ତ୍ତାଳାପ କରୁଥିବ, ଆଉ କିଏ ଅବ୍ୟକ୍ତ ସ୍ଥିତିରେ ରହିଥିବ । ଯଦି ନିର୍ଦ୍ଦେଶ ମିଳିଥିବ ବୀଜରୂପ ସ୍ଥିତିରେ ସ୍ଥିତ ହେବା ପାଇଁ କିନ୍ତୁ ତୁମେ ଆତ୍ମିକ ବାର୍ତ୍ତାଳାପ କରୁଥିବ ତେବେ ଆଦେଶକୁ ତ ମାନିଲ ନାହିଁ ନା! ତେବେ ଏହିଭଳି ଅଭ୍ୟାସ ସେତେବେଳେ ହେବ ଯେତେବେଳେ ପ୍ରଥମେ ବ୍ୟର୍ଥ ସଂକଳ୍ପକୁ ସମାପ୍ତ କରିବ । କେବଳ ବ୍ୟର୍ଥ ସଂକଳ୍ପ ପାଇଁ ହିଁ ସ୍ଥିତି ହଲଚଲ୍ ହୋଇଥାଏ । ଏହିସବୁ ବ୍ୟର୍ଥ ସଂକଳ୍ପଗୁଡିକୁ ସମାପ୍ତ କରିବା ପାଇଁ, ଏବଂ ନିଜର ସଂଗଠନକୁ ଶକ୍ତିଶାଳୀ ବା ଏକମତ କରିବା ପାଇଁ କେଉଁ ଶକ୍ତି ଆବଶ୍ୟକ?

ଏଥିପାଇଁ ଗୋଟିଏ ହେଲା ବିଶ୍ୱାସ, ଦ୍ୱିତୀୟରେ ସମାହିତ କରିବାର ଶକ୍ତି ମଧ୍ୟ ଦରକାର । ତେବେ ସଂଗଠନକୁ ଯୋଡି ରଖିବାର ସୂତ୍ର ହେଲା - ବିଶ୍ୱାସ । କେହି ଯଦି କିଛି କରିଛି, ଧରିନିଅ ଭୁଲ୍ ବି କରିଛି, କିନ୍ତୁ ସଂଗଠନ ଅନୁସାରେ ବା ନିଜର ସଂସ୍କାର ଅନୁସାରେ ବା ସମୟ ଅନୁସାରେ ସେ ଯାହା ବି କରିଛି ତା’ର ମଧ୍ୟ ନିଶ୍ଚିତ କୌଣସି ଉଦ୍ଦେଶ୍ୟ ବା ଅର୍ଥ ଥିବ । ସଂଗଠିତ ରୂପରେ ଯେଉଁଠି ସେବା ଅଛି, ସେଠାରେ ତା’ର ସଂସ୍କାରକୁ ମଧ୍ୟ ଦୟାଶୀଳ ଦୃଷ୍ଟିରେ ଦେଖିବା ସହିତ, ସଂସ୍କାରକୁ ସାମ୍‌ନାରେ ନରଖି ଏଥିରେ ମଧ୍ୟ କୌଣସି କଲ୍ୟାଣ ଥିବ, ତେଣୁ ତାଙ୍କୁ ସାଥୀରେ ନେଇ ଚାଲିବାରେ ହିଁ କଲ୍ୟାଣ ରହିଛି । ସଂଗଠନ ଭିତରେ ଯେତେବେଳେ ପରସ୍ପର ପ୍ରତି ଏହିଭଳି ବିଶ୍ୱାସ ରହିବ ତେବେ ଯାଇ ସଫଳତା ମିଳିପାରିବ । ତେଣୁ ପ୍ରଥମରୁ ହିଁ ବ୍ୟର୍ଥ ସଂକଳ୍ପ ଚଲାଇବା ଉଚିତ୍ ନୁହେଁ । ଯେପରିକି କେହି କେହି ନିଜର ଭୁଲ୍‌କୁ ହୃଦ୍‌ବୋଧ କରୁଛନ୍ତି କିନ୍ତୁ ତାକୁ କେବେ ବି ଅନ୍ୟମାନଙ୍କୁ ଜଣାଇବା ପାଇଁ ଚାହିଁବେ ନାହିଁ ବରଂ ତାକୁ ମନ ଭିତରେ ରଖିଦେବେ । ଅନ୍ୟ କେହି ବି ଯଦି କାହାକୁ ଶୁଣାଇ ଦେବ ତା’ହେଲେ ବି ଖରାପ ଲାଗିବ । ସେହିପରି ଅନ୍ୟମାନଙ୍କର ଭୁଲ୍‌କୁ ମଧ୍ୟ ନିଜର ଭୁଲ୍ ଭାବି କାହା ଆଗରେ ବର୍ଣ୍ଣନା କରିବା ଉଚିତ୍ ନୁହେଁ । ବ୍ୟର୍ଥ ସଂକଳ୍ପ ମଧ୍ୟ ଚଲାଇବା ଉଚିତ୍ ନୁହେଁ ବରଂ ତାକୁ ମଧ୍ୟ ମନ ଭିତରେ ଲୁଚାଇ ଦେବା ଦରକାର । ପରସ୍ପର ପ୍ରତି ଏତିକି ବିଶ୍ୱାସ ରହିବା ଦରକାର! ବରଂ ସ୍ନେହର ଶକ୍ତି ଦ୍ୱାରା ତାକୁ ଠିକ୍ କରିଦେବା ଦରକାର । ଯେପରି ଲୌକିକ ହିସାବରେ ମଧ୍ୟ ଘର କଥା ବାହାରକୁ ଦିଅନ୍ତି ନାହିଁ, ନଚେତ୍ ଘରର ହିଁ ଇଜ୍ଜତ୍ ହାନୀ ହୋଇଥାଏ । ସେହିପରି ସଂଗଠନ ଭିତରେ ମଧ୍ୟ ତୁମର ସାଥୀ ଯଦି କିଛି ବି କରିଛି ତେବେ ସେଥିରେ ନିଶ୍ଚିତ କିଛି ରହସ୍ୟ ଥିବ, ଯଦି ସେ ଭୁଲ୍ ବି କରିଛି ତେବେ ବି ତାକୁ ପରିବର୍ତ୍ତନ କରିଦେବା ଉଚିତ୍ । ଏହି ଦୁଇ ପ୍ରକାରର ବିଶ୍ୱାସ ରଖି ପରସ୍ପର ସହିତ ସମ୍ପର୍କରେ ଆସିଲେ ସଂଗଠନର ସଫଳତା ହୋଇପାରିବ, ଏଥିରେ ସମାହିତ କରିବାର ଶକ୍ତି ଅଧିକ ଦରକାର । ବ୍ୟର୍ଥ ସଂକଳ୍ପକୁ ମଧ୍ୟ ନିଜ ଭିତରେ ସମାହିତ କରିବାକୁ ହେବ । ତେବେ ବିତିଯାଇଥିବା ସଂସ୍କାରକୁ କେବେ ବି ବର୍ତ୍ତମାନ ସମୟ ସହିତ ମିଶାଅ ନାହିଁ ଅର୍ଥାତ୍ ଅତୀତକୁ ବର୍ତ୍ତମାନ କର ନାହିଁ । ଯେତେବେଳେ ଅତୀତକୁ ବର୍ତ୍ତମାନ ସହିତ ମିଶାଇ ଦେଉଛ ସେତେବେଳେ ହିଁ ସଂକଳ୍ପର ଧାଡି ଲମ୍ବା ହୋଇଯାଉଛି ଏବଂ ଯେତେବେଳ ପର୍ଯ୍ୟନ୍ତ ଏହିଭଳି ବ୍ୟର୍ଥ ସଂକଳ୍ପର ଲମ୍ବାଧାଡି ରହିଥିବ, ସେତେବେଳ ପର୍ଯ୍ୟନ୍ତ ସଂଗଠିତ ରୂପରେ ଏକରସ ସ୍ଥିତି ହୋଇପାରିବ ନାହିଁ ।

ଅନ୍ୟର ଭୁଲ୍‌କୁ ନିଜର ଭୁଲ୍ ମନେ କରିବା - ଏହା ହିଁ ହେଉଛି ସଂଗଠନକୁ ମଜବୁତ କରିବା । ଏହା ମଧ୍ୟ ସେତେବେଳେ ହେବ ଯେତେବେଳେ ପରସ୍ପର ପ୍ରତି ବିଶ୍ୱାସ ଥିବ । ପରିବର୍ତ୍ତନ କରିବାର ବିଶ୍ୱାସ ବା କଲ୍ୟାଣ କରିବାର ବିଶ୍ୱାସ, ଏଥିରେ ସମାହିତ କରିବାର ଶକ୍ତି ନିଶ୍ଚିତ ଦରକାର । ସବୁକିଛି ଦେଖିଲ, ଶୁଣିଲ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ନିଜ ଭିତରେ ସମାହିତ କରି ପୂର୍ବ ଭଳି ଆତ୍ମିକ ଦୃଷ୍ଟି ଏବଂ କଲ୍ୟାଣର ଭାବନା ରହୁ । ଏବେ ତ ପିଲାମାନଙ୍କ ଭିତରେ ଦୟାର ଭାବନା କମ୍ ରହୁଛି କାହିଁକି ନା ଆତ୍ମିକ ସ୍ଥିତିର ଅଭ୍ୟାସ କମ୍ ଅଛି ।

ଯେତେବେଳେ ସଂଗଠନ ଏହିଭଳି ଶକ୍ତିଶାଳୀ ହୋଇଯିବ, ସେତେବେଳେ ହିଁ ସିଦ୍ଧି ପ୍ରାପ୍ତ କରିବ । ଏବେ ତୁମେମାନେ ସିଦ୍ଧି ବା ସଫଳତାକୁ ଆବାହନ କରୁଛ, କିନ୍ତୁ ଆଗକୁ ଗଲେ ସିଦ୍ଧି ସ୍ୱୟଂ ହିଁ ତୁମ ପାଖରେ ନତମସ୍ତକ ହେବ । ଯେପରି ସତ୍ୟଯୁଗରେ ପ୍ରକୃତି ଦାସୀ ହୋଇଯାଉଛି, ସେହିପରି ସିଦ୍ଧି ତୁମ ପାଖରେ ସ୍ୱୟଂ ହିଁ ମୁଣ୍ଡ ନୁଆଇଁବ । ସିଦ୍ଧି ତୁମମାନଙ୍କୁ ଆବାହନ କରିବ । ଯେହେତୁ ଜ୍ଞାନ ଶ୍ରେଷ୍ଠ ଅଟେ, ସ୍ଥିତି ଶକ୍ତିଶାଳୀ ଅଟେ, ତେବେ ସିଦ୍ଧି ପ୍ରାପ୍ତ କରିବା କ’ଣ ବଡ କଥା? ସଦାସର୍ବଦା ଏକରସ ସ୍ଥିତିରେ ରହୁଥିବା ଆତ୍ମାମାନଙ୍କୁ ସିଦ୍ଧି ପ୍ରାପ୍ତ ନ ହେବ, ଏହା ଅସମ୍ଭବ ଅଟେ କିନ୍ତୁ ଏଥିପାଇଁ ସଂଗଠନର ଶକ୍ତି ଦରକାର । ଜଣେ ଯଦି କିଛି କହିଲା ତେବେ ଅନ୍ୟ ଜଣେ ତାକୁ ସ୍ୱୀକାର କରିନେବା ଉଚିତ୍ । କେବେ ବି ସାମ୍‌ନା କରିବାର ଶକ୍ତିକୁ ବ୍ରାହ୍ମଣ ପରିବାର ଭିତରେ ବ୍ୟବହାର କରିବାର ନାହିଁ । ତା’କୁ ମାୟା ପାଖରେ ବ୍ୟବହାର କରିବାର ଅଛି । ପରିବାର ସହିତ ସମ୍ମୁଖୀନ କରିବାର ଶକ୍ତିକୁ ବ୍ୟବହାର କରିବା ଦ୍ୱାରା ସଂଗଠନ ଶକ୍ତିଶାଳୀ ହୋଇ ନ ଥାଏ । ଯଦି କାହାର କୌଣସି କଥା ତୁମକୁ ଠିକ୍ ଲାଗୁନାହିଁ, ତେବେ ବି ପରସ୍ପରକୁ ସମ୍ମାନ ଦେବାକୁ ପଡିବ । ସେହି ସମୟରେ କାହାର ସଂକଳ୍ପକୁ ବା କଥାକୁ କଟ୍ କରିଦେବା ଉଚିତ୍ ନୁହେଁ । ସେଥିପାଇଁ ଏବେ ସମାହିତ କରିବାର ଶକ୍ତିକୁ ଧାରଣ କର ।

ସଂଗଠିତ ରୂପରେ ତୁମ ବ୍ରାହ୍ମଣ ପିଲାମାନଙ୍କର ପାରସ୍ପରିକ ସମ୍ପର୍କର ଭାଷା ମଧ୍ୟ ଅବ୍ୟକ୍ତ ଭାବଯୁକ୍ତ ହେବା ଉଚିତ୍ ଯେପରି ଫରିସ୍ତାମାନେ ବା ଆତ୍ମାମାନେ ଆତ୍ମାମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ଶୁଣିଥିବା କାହାର ଭୁଲ୍‌କୁ ସଂକଳ୍ପରେ ମଧ୍ୟ ସ୍ୱୀକାର କରିବା ଉଚିତ୍ ନୁହେଁ କି କାହାକୁ ସ୍ୱୀକାର କରାଇବା ଉଚିତ୍ ନୁହେଁ । ଯେତେବେଳେ ତୁମର ସ୍ଥିତି ଏହିଭଳି ହୋଇଯିବ ସେତେବେଳେ ହିଁ ବାବାଙ୍କର ସଂଗଠନ ପ୍ରତି ଯେଉଁ ଶୁଭକାମନା ରହିଛି ତାହା ବାସ୍ତବରେ ହୋଇପାରିବ । ଏଥିପାଇଁ ବିଶେଷ ପୁରୁଷାର୍ଥର ବା ବିଶେଷ ଅନୁଭବର ପରସ୍ପର ସହିତ ଆଦାନ ପ୍ରଦାନ କର । ସଂଗଠିତ ରୂପରେ ଯଦି ବିଶେଷ ଯୋଗ ତପସ୍ୟାର କାର୍ଯ୍ୟକ୍ରମ ଚାଲୁ ରହିବ, ତେବେ ବିନାଶ ଜ୍ୱାଳାକୁ ମଧ୍ୟ ଅଧିକ ପ୍ରଜ୍ୱଳିତ କରିବ । ଯୋଗର ଅଗ୍ନି ଦ୍ୱାରା ବିନାଶର ଅଗ୍ନି ପ୍ରଜ୍ୱଳିତ ହେବ । ଆଚ୍ଛା! ଓମ୍ ଶାନ୍ତି ।

ବରଦାନ:-
ବ୍ୟକ୍ତରେ ରହି ଅବ୍ୟକ୍ତ ଫରିସ୍ତା ରୂପର ସାକ୍ଷାତ୍‌କାର କରାଉଥିବା ଶ୍ୱେତ ବସ୍ତ୍ରଧାରୀ ଏବଂ ଶ୍ୱେତ ଆଲୋକଧାରୀ ହୁଅ ।

ଏବେ ଚାରିଆଡେ ଯେପରି ଏହି ସମାଚାର ପ୍ରଚାର ହେବାରେ ଲାଗିଛି ଯେ ଏହି ଶ୍ୱେତବସ୍ତ୍ରଧାରୀ ମାନେ କିଏ ଅଟନ୍ତି ଏବଂ କେଉଁଠୁ ଆସିଛନ୍ତି? ସେହିପରି ଏବେ ଫରିସ୍ତା ରୂପର ସାକ୍ଷାତ୍‌କାର କରାଅ - ଏହାକୁ କୁହାଯାଏ ଡବଲ ସେବାର ରୂପ । ବାଦଲ ଯେପରି ଚାରିଆଡେ ଖେଳିଯାଇଥାଏ, ସେହିପରି ଚାରିଆଡେ ଫରିସ୍ତା ରୂପରେ ପ୍ରକଟ ହୋଇଯାଅ, ଯେଉଁଆଡେ ବି ଦେଖନ୍ତୁ ଫରିସ୍ତା ହିଁ ଦୃଷ୍ଟିକୁ ଆସନ୍ତୁ । କିନ୍ତୁ ଏଭଳି ସେତେବେଳେ ହୋଇପାରିବ ଯେତେବେଳେ ତୁମେମାନେ ଶରୀରଠାରୁ ଅଲଗା ହୋଇ ଅନ୍ତବାହାକ ଶରୀର ଦ୍ୱାରା ଚକ୍ର ଲଗାଇବାର ଅଭ୍ୟାସୀ ହେବ ଏବଂ ତୁମମାନଙ୍କର ମାନସୀକ ସ୍ଥିତି ଶକ୍ତିଶାଳୀ ହେବ ।

ସ୍ଲୋଗାନ:-
ସର୍ବଗୁଣ ବା ସର୍ବଶକ୍ତିର ଅଧିକାରୀ ହେବା ପାଇଁ ଆଜ୍ଞାକାରୀ ହୁଅ ।

ଅବ୍ୟକ୍ତ ଈଶାରା:- ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର । ଯେପରି ବାବା ସର୍ବଦା ସ୍ୱତନ୍ତ୍ର ଅଟନ୍ତି - ସେହିପରି ବାପ୍ ସମାନ ହୁଅ । ବାପଦାଦା ଏବେ ପିଲାମାନଙ୍କୁ ପରତନ୍ତ୍ର ଅବସ୍ଥାରେ ଦେଖିପାରୁ ନାହାଁନ୍ତି । ଯଦି ତୁମେ ନିଜକୁ ସ୍ୱତନ୍ତ୍ର କରିପାରୁ ନାହଁ, ନିଜେ ହିଁ ନିଜର ଦୁର୍ବଳତା ଠାରୁ ହାରିଯାଉଛ ତେବେ ବିଶ୍ୱ ପରିବର୍ତ୍ତକ କିପରି ହେବ? ତେଣୁ ଏବେ ଏହି ସ୍ମୃତିକୁ ବଢାଅ ଯେ ମୁଁ ମାଷ୍ଟର ସର୍ବଶକ୍ତିମାନ ଅଟେ, ଏହାଦ୍ୱାରା ସବୁ ପ୍ରକାରର ପଞ୍ଜୁରୀରୁ ମୁକ୍ତ ହୋଇ ଉଡନ୍ତା ପକ୍ଷୀ ହୋଇଯିବ ।