18.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସେବା ସମାଚାର ଶୁଣିବାରେ ଏବଂ ପଢିବାରେ ମଧ୍ୟ ତୁମର ସଉକ ରହିବା ଦରକାର କାହିଁକି ନା ଏହା ଦ୍ୱାରା ଉମଙ୍ଗ-ଉତ୍ସାହ ବଢିଥାଏ, ସେବା କରିବାର ସଂକଳ୍ପ ଉତ୍ପନ୍ନ ହୋଇଥାଏ ।”

ପ୍ରଶ୍ନ:-
ସଂଗମଯୁଗରେ ବାବା ତୁମକୁ ସୁଖ ଦେଉନାହାଁନ୍ତି କିନ୍ତୁ ସୁଖର ରାସ୍ତା ଦେଖାଉଛନ୍ତି - କାହିଁକି?

ଉତ୍ତର:-
କାହିଁକି ନା ବାବାଙ୍କର ସମସ୍ତେ ସନ୍ତାନ ଅଟନ୍ତି, ଯଦି ଜଣକୁ ସୁଖ ଦେବେ, ଜଣକୁ ଦେବେ ନାହିଁ ତେବେ ଏହା ମଧ୍ୟ ଠିକ୍ ନୁହେଁ । ଲୌକିକ ପିତାଙ୍କଠାରୁ ପିଲାମାନଙ୍କୁ ସମାନ ଅଧିକାର ମିଳିଥାଏ, ବେହଦର ପିତା କାହାକୁ ସମ୍ପତ୍ତିର ଭାଗ୍ୟ ବାଣ୍ଟନ୍ତି ନାହିଁ କିନ୍ତୁ ସୁଖର ରାସ୍ତା ଦେଖାଇଥା’ନ୍ତି । ଯେଉଁମାନେ ସେହି ରାସ୍ତାରେ ଚାଲିଥା’ନ୍ତି, ପୁରୁଷାର୍ଥ କରିଥା’ନ୍ତି ସେହିମାନଙ୍କୁ ଉଚ୍ଚ ପଦ ମିଳିଥାଏ । ତେଣୁ ପିଲାମାନଙ୍କୁ ପୁରୁଷାର୍ଥ କରିବାକୁ ହେବ କାରଣ ସବୁ କିଛି ପୁରୁଷାର୍ଥ ଉପରେ ନିର୍ଭର କରୁଛି ।

ଓମ୍ ଶାନ୍ତି ।
ପିଲାମାନେ ଜାଣିଛନ୍ତି ବାବା ହିଁ ମୁରଲୀ ଶୁଣାଉଛନ୍ତି । ଏହି ମୁରଲୀ ସମସ୍ତଙ୍କ ପାଖକୁ ପଠା ଯାଉଛି ଏବଂ ଯିଏ ମୁରଲୀ ପଢି ସେବା କରୁଛନ୍ତି ତାଙ୍କର ସମାଚାର ମାସିକ ପତ୍ରିକାରେ ଛପା ଯାଉଛି । ତେବେ ଯେଉଁ ପିଲାମାନେ ପତ୍ରିକା ପଢୁଛନ୍ତି ସେମାନଙ୍କୁ ସେବାକେନ୍ଦ୍ରର ସେବାର ସମାଚାର ଜଣାପଡିଥାଏ । ଅମୁକ ଅମୁକ ସ୍ଥାନରେ ଏଭଳି ସେବା ହେଉଛି । ଆଉ ଯେଉଁମାନେ ପଢିବେ ନାହିଁ, ସେମାନେ କିଛି ବି ସମାଚାର ଜାଣିପାରିବେ ନାହିଁ ଏବଂ ପୁରୁଷାର୍ଥ ମଧ୍ୟ କରିପାରିବେ ନାହିଁ । ସେବାର ସମାଚାର ଶୁଣି କେତେକଙ୍କର ମନରେ ଆସୁଛି ମୁଁ ମଧ୍ୟ ଏଭଳି ସେବା କରିବି । ପତ୍ରିକାରୁ ଜଣା ପଡିଯାଏ ଯେ, ଆମର ଭାଇ-ଭଉଣୀମାନେ କେତେ ସେବା କରୁଛନ୍ତି । ଏକଥା ତ ପିଲାମାନେ ଜାଣିଛନ୍ତି ଯେତେ ସେବା କରିବ ସେତେ ଉଚ୍ଚ ପଦ ପ୍ରାପ୍ତି ହେବ । ତେଣୁ ପତ୍ରିକା ମଧ୍ୟ ସେବା କରିବାର ଉତ୍ସାହ ଦେଇଥାଏ । ଏହି ପତ୍ରିକା କିଛି ଫାଲତୁରେ ତିଆରି ହେଉନାହିଁ । ଫାଲତୁ ବୋଲି ସେହିମାନେ ଭାବୁଛନ୍ତି ଯେଉଁମାନେ ଏହାକୁ ପଢୁନାହାନ୍ତି । କେହି କେହି କହୁଛନ୍ତି ଆମେ ପଢି ଜାଣିନାହୁଁ, ଆରେ ଯେପରି ରାମାୟଣ, ଭାଗବତ, ଗୀତା ଆଦି ଶୁଣିବାକୁ ଯାଉଛ, ସେହିପରି ଏହାକୁ ମଧ୍ୟ ଶୁଣିବା ଉଚିତ୍ । ନଚେତ୍ ସେବାର ଉମଙ୍ଗ ବଢିବ ନାହିଁ । ଅମୁକ ସ୍ଥାନରେ ଏହି ସେବା ହେଉଛି । ଯଦି ସଉକ ରହିବ ତେବେ ଅନ୍ୟ କାହା ଦ୍ୱାରା ପଢାଇ ମଧ୍ୟ ଶୁଣିପାରିବେ । ଏଭଳି ବହୁତ ସେବାକେନ୍ଦ୍ର ଥିବ ଯେଉଁଠି ମାସିକ ପତ୍ରିକା ପଢୁ ନ ଥିବେ । ବହୁତ ଏମିତି ମଧ୍ୟ ଅଛନ୍ତି ଯାହାଙ୍କର ସେବାର ଚିହ୍ନ ବର୍ଣ୍ଣ ନାହିଁ । ତେବେ ସେମାନେ ପଦ ମଧ୍ୟ ସେହିଭଳି ପାଇବେ । ଏ କଥା ତ ଜାଣୁଛନ୍ତି ଯେ, ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି,ଏଥିରେ ଯିଏ ଯେତେ ପରିଶ୍ରମ କରୁଛନ୍ତି, ସେତେ ଉଚ୍ଚ ପଦ ପ୍ରାପ୍ତ କରୁଛନ୍ତି । ଯଦି ପାଠପଢାରେ ଧ୍ୟାନ ଦେବେ ନାହିଁ ତେବେ ଫେଲ୍ ହୋଇଯିବେ । ତେବେ ବର୍ତ୍ତମାନର ପାଠପଢା ଉପରେ ସବୁ କିଛି ନିର୍ଭର କରୁଛି । ତେଣୁ ଯେତେ ପାଠ ପଢିବ ଏବଂ ଅନ୍ୟମାନଙ୍କୁ ପଢାଇବ, ସେତେ ନିଜର ଲାଭ ହେବ । ବହୁତ ପିଲା ଅଛନ୍ତି ଯେଉଁମାନଙ୍କର ପତ୍ରିକା ପଢିବାର ବିଚାର ମଧ୍ୟ ଆସୁ ନାହିଁ । ସେମାନେ ଦାସ ଦାସୀର ପଦ ପାଇବେ । ସତ୍ୟଯୁଗରେ ଏହି ଭାବନା ରହିବ ନାହିଁ ଯେ, ଇଏ ପୁରୁଷାର୍ଥ କରି ନ ଥିଲା, ସେଥିପାଇଁ ତାକୁ ଏହି ପଦ ମିଳିଲା । ନା । କର୍ମ ବିକର୍ମର କଥା ବର୍ତ୍ତମାନ ସମୟରେ ହିଁ ବୁଦ୍ଧିରେ ରହୁଛି ।

କଳ୍ପର ସଙ୍ଗମଯୁଗରେ ହିଁ ବାବା ଏଠାକୁ ଆସି ବୁଝାଉଛନ୍ତି, ଯେଉଁମାନେ ବୁଝୁନାହାଁନ୍ତି ସେମାନେ ଯେପରି ପଥର ବୁଦ୍ଧି । ତୁମେ ଜାଣିଛ - ଆମେମାନେ ମଧ୍ୟ ପୂର୍ବରୁ ତୁଚ୍ଛ ବୁଦ୍ଧି ଥିଲୁ, ସେଥିରେ ମଧ୍ୟ କମ୍ ବେଶୀର ମାତ୍ରା ରହିଛି । ବାବା ପିଲାମାନଙ୍କୁ ସର୍ବଦା ବୁଝାଇ ଚାଲିଛନ୍ତି - ପିଲାମାନେ ଏବେ ଏହା କଳିଯୁଗ, ଏଠାରେ ଅନେକ ଦୁଃଖ ରହିଛି । ଯିଏ ବୁଦ୍ଧବାନ୍ ହୋଇଥିବେ ସେମାନେ ତୁରନ୍ତ ବୁଝିଯିବେ ଯେ, ଏମାନେ ତ ଠିକ୍ କହୁଛନ୍ତି । ତୁମେ ମଧ୍ୟ ଜାଣୁଛ ଆମେ କେତେ ଦୁଃଖରେ ଥିଲୁ, ଅନେକ ପ୍ରକାରର ଦୁଃଖ ଭିତରେ ବୁଡି ରହିଥିଲୁ । ଏବେ ପୁଣି ଅପାର ସୁଖକୁ ଯାଉଛୁ । ଏହା କଳିଯୁଗ ରାବଣ ରାଜ୍ୟ - ଏ କଥା ତୁମେମାନେ ଭଲ ଭାବରେ ଜାଣିଛ । ଏ କଥା ନିଜେ ଜାଣିଛ କିନ୍ତୁ ଅନ୍ୟମାନଙ୍କୁ ବୁଝାଉ ନାହଁ । ତେଣୁ ବାବା କହୁଛନ୍ତି ଇଏତ କିଛି ଜାଣିନାହିଁ । ଜାଣିଛ ବୋଲି ସେତେବେଳେ କହିବ ଯେତେବେଳେ ସେବା କରିବ ଏବଂ ତାଙ୍କର ସମାଚାର ମାସିକ ପତ୍ରିକାରେ ଛପିବ । ଦିନକୁ ଦିନ ବାବା ମଧ୍ୟ ବହୁତ ସହଜ ପଏଣ୍ଟ ଶୁଣାଇ ଚାଲିଛନ୍ତି । ଦୁନିଆର ମନୁଷ୍ୟମାନେ ଭାବୁଛନ୍ତି କଳିଯୁଗ ଏବେ ଛୋଟ ପିଲା ଅର୍ଥାତ୍ ଆରମ୍ଭ ମାତ୍ର । ଯଦି ସେମାନେ ସଙ୍ଗମଯୁଗକୁ ବୁଝିଯିବେ ତେବେ ସତ୍ୟଯୁଗ ଏବଂ କଳିଯୁଗର ତୁଳନା କରିପାରିବେ । କଳିଯୁଗରେ ତ ଅପାର ଦୁଃଖ ରହିଛି ଏବଂ ସତ୍ୟଯୁଗରେ ଅପାର ସୁଖ । ସେମାନଙ୍କୁ କୁହ, ବାବା ହିଁ ଆମକୁ ଅପାର ସୁଖ ଦେଉଛନ୍ତି, ଯାହାକି ଆମେ ଆପଣଙ୍କ ନିକଟରେ ବର୍ଣ୍ଣନା କରୁଛୁ । ଅନ୍ୟ କେହି ଏଭଳି ବୁଝାଇ ପାରିବେ ନାହିଁ । ତୁମେମାନେ ହିଁ ନୂଆ କଥା ଶୁଣାଉଛ, ଆଉ କେହି ଏଭଳି ପଚାରି ପାରିବେ ନାହିଁ ଯେ, ତୁମେ ସ୍ୱର୍ଗବାସୀ ନା ନର୍କବାସୀ ? ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଅଛନ୍ତି, ସେମାନେ ଏତେ ପଏଣ୍ଟ ମନେ ରଖିପାରିବେ ନାହିଁ । ବୁଝାଇବା ସମୟରେ ସେମାନଙ୍କର ଦେହ-ଅଭିମାନ ଆସି ଯାଉଛି । ଆତ୍ମା ହିଁ ଶୁଣୁଛି ଅଥବା ଧାରଣ କରୁଛି । କିନ୍ତୁ ଭଲ ଭଲ ମହାରଥୀମାନେ ମଧ୍ୟ ଏକଥା ଭୁଲିଯାଉଛନ୍ତି । ଦେହ-ଅଭିମାନରେ ଆସି କହୁଛନ୍ତି - ଏମିତି ତ ସମସ୍ତଙ୍କର ହେଉଛି । ବାବା ତ କହୁଛନ୍ତି ବର୍ତ୍ତମାନ ସମସ୍ତେ ପୁରୁଷାର୍ଥୀ । ଏମିତି ନୁହେଁ କି ଆତ୍ମା ମନେ କରି ପରସ୍ପର ସହିତ କଥାବାର୍ତ୍ତା କରୁଛନ୍ତି । ନା, ବାବା ଆତ୍ମା ଭାବି ଜ୍ଞାନ ଦେଉଛନ୍ତି । ବାକି ସମସ୍ତେ ଭାଇ-ଭାଇ ଯିଏକି ଏହି ଅବସ୍ଥାରେ ରହିବା ପାଇଁ ପୁରୁଷାର୍ଥ କରୁଛନ୍ତି । ତେଣୁ ପିଲାମାନଙ୍କୁ ଅନ୍ୟମାନଙ୍କୁ ବୁଝାଇବାକୁ ହେବ - କଳିଯୁଗରେ ଅପାର ଦୁଃଖ ରହିଛି ଏବଂ ସତ୍ୟଯୁଗରେ ଅପାର ସୁଖ । ଏବେ ସଙ୍ଗମଯୁଗ ଚାଲିଛି । ବାବା ସୁଖର ରାସ୍ତା ବତାଉଛନ୍ତି, ଏମିତି ନୁହେଁ କି ବାବା ସୁଖ ଦେଉଛନ୍ତି । ସିଏ ସୁଖର ରାସ୍ତା ବତାଉଛନ୍ତି । ରାବଣ ମଧ୍ୟ ଦୁଃଖ ଦେଉନାହିଁ, କିନ୍ତୁ ଦୁଃଖର ଓଲଟା ରାସ୍ତା ବତାଉଛି । ବାବା ନା ଦୁଃଖ ନା ସୁଖ ଦେଉଛନ୍ତି, ସିଏ ତ ସୁଖର ରାସ୍ତା ବତାଉଛନ୍ତି । ପୁଣି ସେହି ଅନୁସାରେ ଯିଏ ଯେତେ ପୁରୁଷାର୍ଥ କରିବ ତାଙ୍କୁ ସେତେ ସୁଖ ମିଳିବ । ସିଏ ସୁଖ ଦେଉନାହାଁନ୍ତି ବରଂ ବାବାଙ୍କ ଶ୍ରୀମତରେ ଚାଲିବା ଦ୍ୱାରା ତୁମେ ସୁଖ ପ୍ରାପ୍ତ କରୁଛ । ବାବା ତ କେବଳ ରାସ୍ତା ବତାଉଛନ୍ତି, ରାବଣ ଦ୍ୱାରା ଦୁଃଖର ରାସ୍ତା ମିଳୁଛି । ଯଦି ବାବା ସୁଖ ଦେଉଛନ୍ତି ତେବେ ସମସ୍ତଙ୍କୁ ଏକା ପ୍ରକାରର ସମ୍ପତ୍ତି ମିଳିବା ଉଚିତ୍ । ଯେମିତି ଲୌକିକ ପିତା ସମ୍ପତ୍ତିର ଭାଗ କରିଥା’ନ୍ତି । କିନ୍ତୁ ଏଠାରେ ତ ଯିଏ ଯେତିକି ପୁରୁଷାର୍ଥ କରିବ, ସମ୍ପତ୍ତି ସେହି ଅନୁସାରେ ପ୍ରାପ୍ତ କରିବ । ବାବା ତ ରାସ୍ତା ବହୁତ ସହଜ ବତାଉଛନ୍ତି - ଏଭଳି ଏଭଳି କରିବା ଦ୍ୱାରା ଏତେ ଉଚ୍ଚ ପଦ ପ୍ରାପ୍ତ କରିବ । ତେବେ ପିଲାମାନଙ୍କୁ ହିଁ ପୁରୁଷାର୍ଥ କରିବାକୁ ହେବ ଯେ, ମୁଁ ସବୁଠାରୁ ଉଚ୍ଚ ପଦ ପ୍ରାପ୍ତ କରିବି, ସେଥିପାଇଁ ପାଠ ପଢିବାକୁ ହେବ । ଏମିତି ନୁହେଁ କି ଇଏ ଭଲେ ଉଚ୍ଚ ପଦ ପ୍ରାପ୍ତ କରୁ, ମୁଁ ଏତିକିରେ ରହିବି । ନା, ପ୍ରଥମେ ପୁରୁଷାର୍ଥ କରିବା ଉଚିତ୍ । ତେବେ ଡ୍ରାମା ଅନୁସାରେ ପୁରୁଷାର୍ଥ ନିଶ୍ଚିତ୍ କରିବାକୁ ହେବ । କେହି ତ ତୀବ୍ର ପୁରୁଷାର୍ଥ କରୁଛନ୍ତି ଆଉ କେହି କମ୍ ପୁରୁଷାର୍ଥ କରୁଛନ୍ତି । ତେଣୁ ସମସ୍ତ ଆଧାର ପୁରୁଷାର୍ଥ ଉପରେ ନିର୍ଭର କରୁଛି । ବାବା ତ ରାସ୍ତା ବତାଇଛନ୍ତି କେବଳ ମୋତେ ମନେ ପକାଅ । ଯିଏ ଯେତେ ବାବାଙ୍କୁ ମନେ ପକାଇବ ତାଙ୍କର ସେତେ ବିକର୍ମ ବିନାଶ ହେବ । ସବୁ ଡ୍ରାମା ଉପରେ ଛାଡି ଦେବା ଉଚିତ୍ ନୁହେଁ । ଏ ସବୁ ତ ବୁଝିବାର କଥା ନା ।

ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି । ତେଣୁ ଯିଏ ଯେଭଳି ଅଭିନୟ କରି ଆସିଛନ୍ତି ସେମାନେ ନିଶ୍ଚିତ ସେହିଭଳି ଅଭିନୟ କରିବେ । ସବୁ ଧର୍ମ ମଧ୍ୟ ପୁଣି ନିଜ ସମୟରେ ଆସିବେ । ଧରିନିଅ ଖ୍ରୀଷ୍ଟିୟାନ ଏବେ ୧୦୦ କୋଟି ଅଛନ୍ତି, ତେବେ କଳ୍ପ ପରେ ମଧ୍ୟ ଏତିକି ସଂଖ୍ୟକ ହିଁ ପାର୍ଟ ବଜାଇବେ । ନା ଆତ୍ମା କେବେ ବିନାଶ ହେଉଛି ନା ତା’ର ପାର୍ଟ କେବେ ବିନାଶ ହେଉଛି । ଏ ସବୁ ବୁଝିବାର କଥା । ଯିଏ ନିଜେ ବୁଝୁଥିବେ ସିଏ ଅନ୍ୟମାନଙ୍କୁ ନିଶ୍ଚିତ ବୁଝାଉଥିବେ । ଏହା ଏଭଳି ଧନ ଯାହାକି ଯେତେ ଦେଲେ ମଧ୍ୟ ସରିବ ନାହିଁ । ନିଜେ ଧାରଣା କରିଚାଲିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସାହୁକାର କରିବା ପାଇଁ ସେବା କରିବେ କିନ୍ତୁ ଯଦି ଭାଗ୍ୟରେ ନ ଥିବ ତେବେ ନିଜକୁ ନିରୁପାୟ ମନେ କରିବେ । ତେବେ ବାବା କହିବେ - ତୁମେ ଯଦି ଜ୍ଞାନ ଶୁଣାଇ ପାରିବ ନାହିଁ ତେବେ ତୁମର ଭାଗ୍ୟରେ ବହୁତ କମ୍ ପଦ ରହିଛି । ଯଦି ଭାଗ୍ୟରେ ନାହିଁ ତେବେ କି ପୁରୁଷାର୍ଥ କରିବ । ଏହା ହେଉଛି ବେହଦର ପାଠଶାଳା । ପ୍ରତ୍ୟେକ ଶିକ୍ଷକଙ୍କର ବିଷୟ ବସ୍ତୁ ନିଜସ୍ୱ ହୋଇଥାଏ । କିନ୍ତୁ ବାବାଙ୍କର ପଢାଇବା ଉପାୟ ବାବା ହିଁ ଜାଣିଛନ୍ତି ଏବଂ ତୁମେ ପିଲାମାନେ ଜାଣିଛ, ଆଉ କେହି ଜାଣିପାରିବେ ନାହିଁ । ତୁମେ ପିଲାମାନେ ଅନ୍ୟମାନଙ୍କୁ ବୁଝାଇବା ପାଇଁ କେତେ ଚେଷ୍ଟା କରୁଛ । କିନ୍ତୁ ସେମାନଙ୍କର ବୁଦ୍ଧିରେ ଏହି ଜ୍ଞାନ ରହୁ ନାହିଁ । ଯେତେ ଯେତେ ସମୟ ପାଖେଇ ଆସୁଥିବ ସେତେ ସେତେ ଚତୁର ହୋଇ ଚାଲୁଥିବେ । ତେଣୁ ମ୍ୟୁଜିୟମ୍‌, କଲେଜ୍ ଆଦି ମଧ୍ୟ ଖୋଲାଯାଉଛି । ତୁମର ନାମ ତ ସବୁଠାରୁ ଭିନ୍ନ ଏବଂ ଏହାର ନାମ ମଧ୍ୟ ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟ । ଦିନ ଆସିବ ସରକାର ମଧ୍ୟ ଦେଖିବ । ତୁମେ କୁହ - ଆପଣଙ୍କର ଲୌକିକ ବିଶ୍ୱ ବିଦ୍ୟାଳୟ, ଏହା ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ । ଏଠାରେ ଆତ୍ମା ପାଠ ପଢୁଛି । ସାରା ୮୪ ଜନ୍ମର ଚକ୍ରରେ ଆତ୍ମିକ ପିତା ଥରେ ମାତ୍ର ଆସି ଆତ୍ମିକ ପିଲାମାନଙ୍କୁ ପାଠ ପଢାଉଛନ୍ତି । ସିନେମାରେ ତୁମେ ଦେଖିଥିବ ପ୍ରତି ୩ ଘଣ୍ଟାରେ ଅବିକଳ ସେହି ଡ୍ରାମାର ପୁନରାବୃତ୍ତି ହୋଇଥାଏ । ଏହା ମଧ୍ୟ ୫ ହଜାର ବର୍ଷର ଚକ୍ର, ଯାହାର କି ଅବିକଳ ପୁନରାବୃତ୍ତି ହେଉଛି । ଏକଥା ତୁମେ ପିଲାମାନେ ହିଁ ଜାଣୁଛ । ଭକ୍ତିରେ ମନୁଷ୍ୟ କେବଳ ଶାସ୍ତ୍ରକୁ ହିଁ ଠିକ୍ ବୋଲି ଭାବୁଛି । କିନ୍ତୁ ତୁମ ପାଖରେ ତ କିଛି ଶାସ୍ତ୍ର ନାହିଁ । ତୁମକୁ ବାବା ବସି ଶୁଣାଉଛନ୍ତି, ସିଏ କ’ଣ କୌଣସି ଶାସ୍ତ୍ର ପଢିଛନ୍ତି କି? ଦୁନିଆରେ ମନୁଷ୍ୟମାନେ ଗୀତା ପଢି ଶୁଣାଉଛନ୍ତି । ମା ପେଟରୁ ତ ଗୀତା କଣ୍ଠସ୍ଥ କରି କେହି ଜନ୍ମ ହୁଅନ୍ତି ନାହିଁ । ବେହଦର ବାବା ହିଁ ପାଠ ପଢାଇବାର ପାର୍ଟ ବଜାଉଛନ୍ତି । ସିଏ ଆସି ନିଜର ପରିଚୟ ଦେଉଛନ୍ତି । ଏ କଥା ତ ଦୁନିଆକୁ ଜଣା ହିଁ ନାହିଁ । ଗାୟନ ମଧ୍ୟ କରୁଛନ୍ତି - ବାବା ହିଁ ଜ୍ଞାନର ସାଗର । କିନ୍ତୁ କୃଷ୍ଣଙ୍କ ପାଇଁ ଏଭଳି ମହିମା କରନ୍ତି ନାହିଁ । ଏହି ଲକ୍ଷ୍ମୀ-ନାରାୟଣ କ’ଣ ଜ୍ଞାନର ସାଗର ଅଟନ୍ତି ? ନା । ଏହା ହିଁ ହେଉଛି ଆଶ୍ଚର୍ଯ୍ୟର କଥା । ଆମେ ବ୍ରାହ୍ମଣମାନେ ହିଁ ଶ୍ରୀମତ ଅନୁସାରେ ଏହି ଜ୍ଞାନ ଅନ୍ୟମାନଙ୍କୁ ଶୁଣାଉଛୁ । ତୁମେ ଅନ୍ୟମାନଙ୍କୁ ବୁଝାଉଛ ଯେ, ଏହି ହିସାବରେ ଆମେ ବ୍ରାହ୍ମଣ ହିଁ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟୁ । ଆମେ ଅନେକ ଥର ତାଙ୍କର ସନ୍ତାନ ହୋଇଛୁ, ପୁଣି ମଧ୍ୟ ହେବୁ । ଏ କଥା ମନୁଷ୍ୟମାନେ ଯେତେବେଳେ ବୁଝିଯିବେ, ସେତେବେଳେ ଯାଇ ମାନିବେ । ତୁମେ ଜାଣିଛ ଆମେ କଳ୍ପ କଳ୍ପ ପ୍ରଜାପିତା ବ୍ରହ୍ମାଙ୍କର ପୋଷ୍ୟ ସନ୍ତାନ ହେଉଛୁ । ତେବେ ଏ କଥା ଯିଏ ବୁଝୁଛନ୍ତି ସିଏ ନିଶ୍ଚୟ ବୁଦ୍ଧି ମଧ୍ୟ ହୋଇଯାଉଛନ୍ତି । ବ୍ରାହ୍ମଣ ହେବା ବିନା ଦେବତା ହୋଇପାରିବ ନାହିଁ । ତେବେ ସବୁକିଛି ପ୍ରତ୍ୟେକଙ୍କର ବୁଦ୍ଧି ଉପରେ ନିର୍ଭର କରେ । ସ୍କୁଲରେ ମଧ୍ୟ କେହି କେହି ବିଦ୍ୟାର୍ଥୀ ବୃତ୍ତି ପାଆନ୍ତି ତ କେହି କେହି ଫେଲ୍ ହୋଇଯାଆନ୍ତି । ପୁଣି ନୂଆରୁ ପାଠ ପଢନ୍ତି । ତେଣୁ ବାବା କହୁଛନ୍ତି ଯଦି ବିକାରଗ୍ରସ୍ଥ ହେବ ତଳକୁ ଖସିଯିବ ଏବଂ କରିଥିବା ରୋଜଗାର ସବୁ ସମାପ୍ତ ହୋଇଯିବ । ପୁଣି ବୁଦ୍ଧିରେ ଆଉ ଜ୍ଞାନ ରହିବ ନାହିଁ, ଭିତରେ ପଶ୍ଚାତାପ କରିଚାଲିବ ।

ତୁମେମାନେ ବୁଝିପାରୁଛ ଯେ, ଏହି ଜନ୍ମରେ ଯିଏ ଯାହା ପାପ କରିଛନ୍ତି ତାହା ତ ନିଜକୁ ଜଣା ଅଛି । ବାକି ପୂର୍ବ ଜନ୍ମରେ କ’ଣ କରିଛନ୍ତି ତାହା ତ ମନେ ନାହିଁ । କିନ୍ତୁ ପାପ ତ ନିଶ୍ଚିତ କରିଥିବେ । ଯେଉଁମାନେ ପୁଣ୍ୟ ଆତ୍ମା ଥିଲେ ସେହିମାନେ ହିଁ ପୁଣି ପାପ ଆତ୍ମା ହେଉଛନ୍ତି । ଏ ସବୁର ହିସାବ-କିତାବ ବାବା ଶୁଣାଉଛନ୍ତି । ବହୁତ ପିଲା ଅଛନ୍ତି, ଯେଉଁମାନେ କି ଭୁଲିଯାଉଛନ୍ତି । ଭଲ ଭାବରେ ପଢୁନାହାଁନ୍ତି । ଯଦି ନିଜେ ପଢିଥା’ନ୍ତେ ତେବେ ଅନ୍ୟମାନଙ୍କୁ ନିଶ୍ଚିତ ପଢାଇଥାନ୍ତେ । କେହି କେହି ଅଳ୍ପ ବୁଦ୍ଧିବାଲା ମଧ୍ୟ ବୁଦ୍ଧିବାନ୍ ହୋଇଯାଉଛନ୍ତି । ଏହା କେତେ ଶ୍ରେଷ୍ଠ ପାଠପଢା । ବାବାଙ୍କର ଏହି ପାଠ ଦ୍ୱାରା ହିଁ ସୂର୍ଯ୍ୟବଂଶ ଚନ୍ଦ୍ରବଂଶରେ ଆସୁଛନ୍ତି । ସେମାନେ ଏହି ଜନ୍ମରେ ହିଁ ରାଜଯୋଗର ପାଠପଢି ଉଚ୍ଚ ପଦ ପ୍ରାପ୍ତ କରୁଛନ୍ତି । ତୁମେମାନେ ଜାଣିଛ - ଏହି ପାଠପଢା ଦ୍ୱାରା ନୂଆ ଦୁନିଆରେ ପଦ ମିଳିବ । ତାହା ଆଉ ବେଶୀ ଦୂର ନୁହେଁ । ଯେପରି ବସ୍ତ୍ର ପରିବର୍ତ୍ତନ କରାଯାଉଛି ସେହିପରି ପୁରୁଣା ଦୁନିଆକୁ ଛାଡି ନୂଆ ଦୁନିଆକୁ ଯିବାକୁ ହେବ । ବର୍ତ୍ତମାନ ରାଜଧାନୀ ସ୍ଥାପନା ହେଉଛି, ତେଣୁ ଯିଏ ଭଲ ଭାବରେ ପାଠ ପଢିବେ ସିଏ ପ୍ରଥମେ ସ୍ୱର୍ଗରେ ଆସିବେ । ବାକି ଅନ୍ୟ ସମସ୍ତେ ପଛରେ କ୍ରମାନୁସାରେ ଆସିବେ । ସ୍ୱର୍ଗରେ ତ ଆସିପାରିବେ ନାହିଁ । ସ୍ୱର୍ଗରେ ଯେଉଁମାନେ ଦାସ ଦାସୀ ହେବେ, ସେମାନେ ମଧ୍ୟ ବାବାଙ୍କ ହୃଦୟ ସିଂହାସନଧାରୀ ହୋଇଥିବେ । ଏଭଳି ନୁହେଁ ଯେ, ସମସ୍ତେ ସ୍ୱର୍ଗରେ ଆସିଯିବେ । ଏବେ ରୁହାନୀ କଲେଜ ଖୋଲି ଚାଲିଛନ୍ତି, ସମସ୍ତେ ଏଠାକୁ ଆସି ପୁରୁଷାର୍ଥ କରିବେ । ଯେଉଁମାନେ ପାଠପଢାରେ ବହୁତ ଆଗକୁ ଯିବେ, ସେମାନେ ଉଚ୍ଚ ପଦ ପ୍ରାପ୍ତ କରିବେ । ଅଳ୍ପ ବୁଦ୍ଧିବାଲା କମ୍ ପଦ ପ୍ରାପ୍ତ କରିବେ । ଏମିତି ବି ହୋଇପାରେ ଅଳ୍ପ ବୁଦ୍ଧି ବାଲା ଆଗକୁ ଭଲ ପୁରୁଷାର୍ଥ କରିବାରେ ଲାଗିଯିବେ । କେହି କେହି ବୁଦ୍ଧିମାନ୍ ପିଲା ମଧ୍ୟ ତଳକୁ ଖସି ଯାଉଛନ୍ତି । ତେବେ ପୁରୁଷାର୍ଥରୁ ସବୁକିଛି ଜଣା ପଡିଥାଏ । ଡ୍ରାମା ଏହିଭଳି ଚାଲୁଛି । ଆତ୍ମା ଶରୀର ଧାରଣ କରି ଏଠାରେ କର୍ମ କରୁଛି, ପୁଣି ନୂଆ ଶରୀର ଧାରଣ କରି ନୂଆ ପାର୍ଟ ବଜାଇବ । କେବେ କେଉଁ ପାର୍ଟ ତ କେବେ ଆଉ କେଉଁ ପାର୍ଟ ବଜାଉଛି । ତେବେ ଆତ୍ମାରେ ହିଁ ସଂସ୍କାର ଭରି ହୋଇ ରହିଥାଏ । ବାହାର ଲୋକଙ୍କ ପାଖରେ ଜ୍ଞାନ ତ ଟିକିଏ ହେଲେ ବି ନାହିଁ । ଯେତେବେଳେ ବାବା ଆସି ପଢାଇବେ ସେତେବେଳେ ଯାଇ ଜ୍ଞାନ ମିଳିପାରିବ । ଯଦି ଶିକ୍ଷକ ହିଁ ନାହାଁନ୍ତି ତେବେ ଜ୍ଞାନ କେଉଁଠୁ ଆସିବ । ସେମାନେ ହେଲେ ଭକ୍ତ । ଭକ୍ତିରେ ଅପାର ଦୁଃଖ ରହିଛି । ଯଦିଓ ମୀରାକୁ ସାକ୍ଷାତକାର ହୋଇଥିଲା କିନ୍ତୁ କ’ଣ ସୁଖ ମିଳିଥିଲା କି ? ସିଏ କ’ଣ କେବେ ରୋଗରେ ପଡି ନ ଥିବ । ସତ୍ୟଯୁଗରେ ତ କୌଣସି ପ୍ରକାରର ଦୁଃଖ ହୋଇ ନ ଥାଏ । ଏଠାରେ ଅପାର ଦୁଃଖ ମିଳୁଛି କିନ୍ତୁ ସେଠାରେ ଅପାର ସୁଖ ରହିଛି । ଏଠାରେ ସମସ୍ତେ ଦୁଃଖୀ ହେଉଛନ୍ତି, ରାଜାମାନଙ୍କର ମଧ୍ୟ ଦୁଃଖ ରହିଛି ନା । ଏହାର ନାମ ହିଁ ହେଉଛି ଦୁଃଖଧାମ । ତାହା ହେଉଛି ସୁଖଧାମ । ଏହା ସମ୍ପୂର୍ଣ୍ଣ ଦୁଃଖ ଏବଂ ସମ୍ପୂର୍ଣ୍ଣ ସୁଖର ସଂଗମ । ସତ୍ୟଯୁଗରେ ସମ୍ପୂର୍ଣ୍ଣ ସୁଖ ଏବଂ କଳିଯୁଗରେ ହେଉଛି ସମ୍ପୂର୍ଣ୍ଣ ଦୁଃଖ । ଦୁଃଖର ଯେଉଁ ଭିନ୍ନ ଭିନ୍ନ ରୂପ ରହିଛି ତାହା ବର୍ତ୍ତମାନ ବୃଦ୍ଧି ହୋଇ ଚାଲିଛି । ଆଗକୁ ଆହୁରି ଅନେକ ଦୁଃଖ ଭୋଗ କରିବାକୁ ପଡିବ । ଦୁଃଖର ପାହାଡ ଖସିବ ।

ସେମାନେ ତ ତୁମକୁ କହିବା ପାଇଁ ବହୁତ ଅଳ୍ପ ସମୟ ଦେଉଛନ୍ତି । ଦୁଇ ମିନିଟ୍‌ରେ ମଧ୍ୟ ତୁମେ ତାଙ୍କୁ ବୁଝାଅ - ସତ୍ୟଯୁଗରେ ଅସରନ୍ତି ସୁଖ ଥିଲା ଯାହାକି ବର୍ତ୍ତମାନ ବାବା ଆସି ଦେଉଛନ୍ତି । ରାବଣଠାରୁ ଅସରନ୍ତି ଦୁଃଖ ମିଳୁଛି । ତେଣୁ ଏବେ ବାବା କହୁଛନ୍ତି - କାମ ବିକାର ଉପରେ ବିଜୟ ପ୍ରାପ୍ତ କର ତେବେ ଜଗତଜୀତ ହୋଇଯିବ । ଏହି ଜ୍ଞାନର କେବେ ବିନାଶ ହୁଏ ନାହିଁ । ଟିକିଏ ବି ଯଦି ଶୁଣିବ ତେବେ ମଧ୍ୟ ସ୍ୱର୍ଗରେ ଆସିବ । ପ୍ରଜା ତ ବହୁତ ହେଉଛନ୍ତି । ତେବେ କେଉଁଠି ରାଜା କେଉଁଠି ରଙ୍କ । ପ୍ରତ୍ୟେକଙ୍କର ବୁଦ୍ଧି ନିଜସ୍ୱ ଅଟେ । ଯିଏ ନିଜେ ବୁଝି ଅନ୍ୟକୁ ବୁଝାଉଛନ୍ତି, ସିଏ ହିଁ ଉଚ୍ଚ ପଦ ପ୍ରାପ୍ତ କରୁଛନ୍ତି । ଏହି ବିଦ୍ୟାଳୟ ବଡ ଅସାଧାରଣ ଅଟେ । କାରଣ ଏଠାକୁ ଭଗବାନ ଆସି ପାଠ ପଢାଉଛନ୍ତି । ଶ୍ରୀକୃଷ୍ଣ ତ ଦୈବୀଗୁଣଧାରୀ ଦେବତା ଅଟନ୍ତି । ବାବା କହୁଛନ୍ତି ମୁଁ ଦୈବୀଗୁଣ ଏବଂ ଆସୁରୀ ଗୁଣ ଠାରୁ ଭିନ୍ନ ଅଟେ । ମୁଁ ତୁମର ପିତା, ଏଠାକୁ ପଢାଇବା ପାଇଁ ଆସୁଛି । ତେବେ ଏହି ଜ୍ଞାନ ପରମଆତ୍ମା ହିଁ ଦେଉଛନ୍ତି । ଗୀତାର ଜ୍ଞାନ କୌଣସି ଦେହଧାରୀ ମନୁଷ୍ୟ ବା ଦେବତା ଶୁଣାଉନାହାଁନ୍ତି । ବିଷ୍ଣୁ ଦେବତାୟ ନମଃ କହୁଛନ୍ତି, ତେବେ କୃଷ୍ଣ କ’ଣ ? ଦେବତା କୃଷ୍ଣ ହିଁ ବିଷ୍ଣୁ ହେଉଛନ୍ତି - ଏ କଥା କେହି ଜାଣନ୍ତି ନାହିଁ । ତୁମମାନଙ୍କ ଭିତରୁ ମଧ୍ୟ କେତେକ ଭୁଲି ଯାଉଛନ୍ତି । ଯଦି ନିଜେ ଭଲ ଭାବରେ ବୁଝିଥିବେ ତେବେ ଅନ୍ୟକୁ ମଧ୍ୟ ବୁଝାଇ ପାରିବେ । ସେବା କରି ଯଦି ତା’ର ପ୍ରମାଣ ଦେଖାଇବ ତେବେ ଜଣାପଡିବ ଯେ ତୁମେ ସେବା କରିଛ, ସେଥିପାଇଁ ବାବା କହୁଛନ୍ତି - ଲମ୍ବା ଚଉଡା ସମାଚାର ଲେଖ ନାହିଁ - ଅମୁକ ଆସିବାର ଅଛି, ଏପରି କହିଯାଇଛି....ଏ ସବୁ ଲେଖିବାର ଆବଶ୍ୟକତା ନାହିଁ । କମ୍ ଶଦ୍ଦରେ ଲେଖିବା ଦରକାର । ଦେଖ ଯିଏ ବି ଏଠାକୁ ଆସୁଛନ୍ତି ସେମାନେ ରହୁଛନ୍ତି ନା ନାହିଁ ? ଯଦି ନିଜେ ବୁଝି ଅନ୍ୟମାନଙ୍କର ସେବାରେ ଲାଗିଯାଉଛ ତେବେ ସେହି ସମାଚାର ଲେଖ । କେହି କେହି ଦେଖାଣିଆ ସମାଚାର ଦେଉଛନ୍ତି । ବାବାଙ୍କୁ ପ୍ରତ୍ୟେକ ସେବାର ଫଳାଫଳ ଦରକାର । ଏମିତି ତ ବାବାଙ୍କ ନିକଟକୁ ବହୁତ ଆସୁଛନ୍ତି, ପୁଣି ଚାଲିଯାଉଛନ୍ତି, ତେବେ ତା’ଦ୍ୱାରା କ’ଣ ଫାଇଦା । ବାବା ସେମାନଙ୍କର କ’ଣ କରିବେ । ନା ତାଙ୍କର କିଛି ଲାଭ ହେଇଛି ନା ତୁମର । ତୁମ ମିଶନରେ ବୃଦ୍ଧି ତ ଏ ପର୍ଯ୍ୟନ୍ତ ହୋଇ ନାହିଁ । ଆଚ୍ଛା-

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କୌଣସି କଥାରେ ବିବଶ ହେବା ଉଚିତ୍ ନୁହେଁ । ନିଜ ଭିତରେ ଜ୍ଞାନକୁ ଧାରଣ କରି ଦାନ କରିବାକୁ ହେବ । ଅନ୍ୟମାନଙ୍କର ମଧ୍ୟ ଭାଗ୍ୟକୁ ଜାଗ୍ରତ କରିବାକୁ ହେବ ।

(୨) କାହା ସହିତ ବି କଥାବାର୍ତ୍ତା କରିବା ସମୟରେ ନିଜକୁ ଆତ୍ମା ମନେକରି ଆତ୍ମା ସହିତ କଥାବାର୍ତ୍ତା କରିବାକୁ ହେବ । ଯେପରି ଟିକିଏ ବି ଦେହ-ଅଭିମାନ ନ ଆସିବ । ବାବାଙ୍କଠାରୁ ଯେଉଁ ଅପାର ସୁଖ ମିଳିଛି ତା’କୁ ଅନ୍ୟମାନଙ୍କୁ ବାଣ୍ଟିବାକୁ ହେବ ।

ବରଦାନ:-
ଦିଲ୍ ଅର୍ଥାତ୍ ଆନ୍ତରିକ ସ୍ନେହ ସହିତ ଦିମାଗ ଅର୍ଥାତ୍ ବୁଦ୍ଧିର ସନ୍ତୁଳନ ଦ୍ୱାରା ସେବା କରୁଥିବା ସଦା ସଫଳତାମୂରତ ହୁଅ ।

କେବେ କେବେ ପିଲାମାନେ ସେବା କରିବାରେ କେବଳ ବୁଦ୍ଧିକୁ ବ୍ୟବହାର କରିଥାଆନ୍ତି, କିନ୍ତୁ ଆନ୍ତରିକ ସ୍ନେହ ସହିତ ବୁଦ୍ଧିକୁ ମିଶାଇ ସେବା କରିବା ଦ୍ୱାରା ସହଜରେ ସଫଳତା ମୂରତ ହୋଇପାରିବ । ଯେଉଁମାନେ କେବଳ ବୁଦ୍ଧିବଳ ଦ୍ୱାରା ସେବା କରନ୍ତି ସେମାନଙ୍କ ବୁଦ୍ଧିରେ ଅଳ୍ପ ସମୟ ପାଇଁ ବାବାଙ୍କର ସ୍ମୃତି ରହିଥାଏ ଯେ ବାବା ହିଁ କରାଉଛନ୍ତି କିନ୍ତୁ ଅଳ୍ପ ସମୟ ପରେ ପୁନର୍ବାର ସେହି ମୁଁ ପଣିଆ ଆସିଯାଏ । କିନ୍ତୁ ଯେଉଁମାନେ ଦିଲ୍‌ର ସହିତ ସେବା କରିଥାଆନ୍ତି ସେମାନଙ୍କ ଦିଲ୍‌ରେ ସର୍ବଦା ବାବାଙ୍କର ସ୍ମୃତି କାୟମ ରହିଥାଏ ଏବଂ ଯଦି ଦିଲ୍‌ର ସହିତ ସେବା କରିବ ତେବେ ସଦା ସଫଳତାମୂରତ ହୋଇଯିବ ।

ସ୍ଲୋଗାନ:-
ସର୍ବଦା ବେହଦର ସ୍ଥିତିରେ ସ୍ଥିତ ରହିଲେ ହଦ୍‌ର ସମସ୍ୟାଗୁଡିକ ସ୍ୱତଃ ସମାପ୍ତ ହୋଇଯିବ ।