18.07.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜ
ଉପରେ ନିଜେ ହିଁ ଦୟା କର, ବାବା ଯେଉଁ ଶ୍ରୀମତ ଦେଉଛନ୍ତି ସେହି ଅନୁସାରେ ଚାଲୁଥାଅ, ବାବାଙ୍କର
ଶ୍ରୀମତ ହେଲା - ପିଲାମାନେ, ସମୟ ନଷ୍ଟ କର ନାହିଁ, ଠିକ୍ କାମ କର ।”
ପ୍ରଶ୍ନ:-
ଯେଉଁମାନେ
ଭାଗ୍ୟବାନ ସନ୍ତାନ ଅଟନ୍ତି, ସେମାନଙ୍କର ମୁଖ୍ୟ ଧାରଣା କ’ଣ ହୋଇଥିବ?
ଉତ୍ତର:-
ଭାଗ୍ୟବାନ ପିଲାମାନେ ସକାଳୁ-ସକାଳୁ ଉଠି ବାବାଙ୍କୁ ବହୁତ ସ୍ନେହରେ ମନେ ପକାଇବେ । ବାବାଙ୍କ
ସହିତ ମିଠା ମିଠା କଥା ହେବେ । କେବେ ବି ନିଜ ଉପରେ ନିର୍ଦ୍ଦୟ ହେବେ ନାହିଁ । ସେମାନେ ସମ୍ମାନର
ସହିତ ପାସ୍ ହେବାର ପୁରୁଷାର୍ଥ କରି ନିଜକୁ ରାଜ ପଦ ପାଇବା ପାଇଁ ଯୋଗ୍ୟ କରିବେ ।
ଓମ୍ ଶାନ୍ତି ।
ପିଲାମାନେ
ବାବାଙ୍କ ସାମ୍ନାରେ ବସିଛନ୍ତି, ତେଣୁ ଜାଣିଛନ୍ତି ଯେ ଇଏ ଆମର ବେହଦର ବାବା ଅଟନ୍ତି ଏବଂ ଆମକୁ
ବେହଦର ସୁଖ ଦେବା ପାଇଁ ଶ୍ରୀମତ ଦେଉଛନ୍ତି । ତାଙ୍କ ପାଇଁ ଗାୟନ କରାଯାଇଛି ଦୟାର-ସାଗର,
ମୁକ୍ତିଦାତା... ବହୁତ ମହିମା କରିଥାନ୍ତି । ବାବା କହୁଛନ୍ତି କେବଳ ମହିମାର ମଧ୍ୟ କଥା ନୁହେଁ ।
ପିଲାମାନଙ୍କୁ ମତ ଦେବା ତ ପିତାଙ୍କର କର୍ତ୍ତବ୍ୟ । ବେହଦର ବାବା ମଧ୍ୟ ମତ ଦେଉଛନ୍ତି । ସେ
ସର୍ବୋଚ୍ଚ ବାବା ଅଟନ୍ତି, ତେବେ ନିଶ୍ଚିତ ତାଙ୍କର ମତ ମଧ୍ୟ ସର୍ବୋଚ୍ଚ ହେବ । ଆତ୍ମା ହିଁ ମତ
ଗ୍ରହଣ କରିଥାଏ, ଆତ୍ମା ହିଁ ଭଲ କିମ୍ବା ମନ୍ଦ କାମ କରିଥାଏ । ଏହି ସମୟରେ ଦୁନିଆକୁ ରାବଣର ମତ
ମିଳୁଛି । ତୁମ ପିଲାମାନଙ୍କୁ ରାମଙ୍କର ମତ ମିଳୁଛି । ରାବଣର ମତ ଦ୍ୱାରା ନିଜ ଉପରେ ନିର୍ଦ୍ଦୟ
ହୋଇ ଓଲଟା କାମ କରିଥା’ନ୍ତି । ତେଣୁ ବାବା ଶ୍ରୀମତ ଦେଉଛନ୍ତି - କହୁଛନ୍ତି ଭଲ କାମ କର ।
ସବୁଠାରୁ ଭଲ କାର୍ଯ୍ୟ ହେଉଛି ନିଜ ଉପରେ ଦୟା କରିବା । ତୁମେ ଜାଣୁଛ ଯେ ମୁଁ ଆତ୍ମା
ସତ୍ତ୍ୱପ୍ରଧାନ ଥିଲି, ବହୁତ ସୁଖି ଥିଲି, ପୁଣି ରାବଣର ମତ ମିଳିବା ଦ୍ୱାରା ତୁମେ ତମୋପ୍ରଧାନ
ହୋଇଯାଇଛି । ଏବେ ବାବା ପୁଣି ମତ ଦେଉଛନ୍ତି ଯେ ପ୍ରଥମେ ବାବାଙ୍କ ସ୍ମୃତିରେ ରୁହ । ଏବେ ନିଜ
ଉପରେ ଦୟା କର - ବାବା ଏହି ମତ ଦେଉଛନ୍ତି । ବାବା ଦୟା କରି ନ ଥାନ୍ତି । ବାବା ତ ଶ୍ରୀମତ
ଦେଇଥାନ୍ତି - ଏଭଳି-ଏଭଳି କର୍ମ କର । ନିଜ ଉପରେ ନିଜେ ହିଁ ଦୟା କରିବା । ନିଜକୁ ଆତ୍ମା ଭାବ ଏବଂ
ନିଜର ପତିତ-ପାବନ ବାବାଙ୍କୁ ମନେ ପକାଅ, ତେବେ ତୁମେ ପାବନ ହୋଇଯିବ । ତୁମେ ପାବନ କିପରି
ହୋଇପାରିବ, ବାବା ରାୟ ଦେଉଛନ୍ତି । ବାବା ହିଁ ପତିତଙ୍କୁ ପାବନ କରୁଛନ୍ତି । ସେ ଶ୍ରୀମତ
ଦେଉଛନ୍ତି । ଯଦି ତାଙ୍କର ମତରେ ଚାଲୁ ନାହଁ ତେବେ ନିଜ ପ୍ରତି ନିର୍ଦ୍ଦୟ ହେଉଛ । ବାବା ଶ୍ରୀମତ
ଦେଉଛନ୍ତି କି ପିଲାମାନେ ସମୟ ନଷ୍ଟ କର ନାହିଁ । ଏହି ପାଠକୁ ପକ୍କା କରିନିଅ ଯେ ମୁଁ ଆତ୍ମା ଅଟେ
। ଶରୀର ନିର୍ବାହ ପାଇଁ ଧନ୍ଦା ଆଦି ଭଲେ କର, ତଥାପି ମଧ୍ୟ ସମୟ ବାହାର କରି ଉପାୟ ରଚନା କର ।
ଧନ୍ଦା ଆଦି କରୁଥିଲେ ମଧ୍ୟ ଆତ୍ମାର ବୁଦ୍ଧି ବାବାଙ୍କ ଆଡକୁ ରହିବା ଦରକାର । ଯେପରି
ପ୍ରେମିକା-ପ୍ରେମିକ ବି କାମ ତ କରିଥାନ୍ତି ନା । ଉଭୟ ପରସ୍ପର ପ୍ରତି ସମର୍ପଣ ହୋଇଥାନ୍ତି ।
କିନ୍ତୁ ଏଠାରେ ଏପରି ହୁଏ ନାହିଁ । ତୁମେ ଭକ୍ତିମାର୍ଗରେ ବି ମନେ ପକାଉଛ । କେହି କେହି
କହିଥାନ୍ତି ଯେ କିପରି ମନେ ପକାଇବି? ଆତ୍ମାର, ପରମାତ୍ମାଙ୍କର ରୂପ କ’ଣ, ଯାହାକୁ ମନେ ପକାଇବି?
କାହିଁକି ନା ଭକ୍ତିମାର୍ଗରେ ତ ଗାନ କରିଥା’ନ୍ତି ଯେ ପରମାତ୍ମା ନାମ-ରୂପରୁ ଅଲଗା ଅଟନ୍ତି ।
କିନ୍ତୁ ଏପରି ନୁହେଁ । କହିଥାନ୍ତି ମଧ୍ୟ ଭ୍ରୁକୁଟୀ ମଧ୍ୟରେ ଆତ୍ମା ତାରକା ସଦୃଶ ଅଟେ, ପୁଣି
କାହିଁକି କହିଥାନ୍ତି ଯେ ଆତ୍ମା କ’ଣ, ତାକୁ ଦେଖିପାରିବ ନାହିଁ । ତାହା ହିଁ ତ ଜାଣିବାର ଜିନିଷ
। ଆତ୍ମାକୁ ଏବଂ ପରମାତ୍ମାଙ୍କୁ ଜାଣିବାର କଥା । ସେ ଅତି ସୂକ୍ଷ୍ମ ଜିନିଷ ଅଟନ୍ତି । ଜୁଳୁଜୁଳିଆ
ପୋକଠାରୁ ମଧ୍ୟ ସୂକ୍ଷ୍ମ ଅଟନ୍ତି । ଶରୀରରୁ କିପରି ବାହାରିଯାଉଛି, ଜଣା ବି ପଡି ନ ଥାଏ ।
ଆତ୍ମାର, ସାକ୍ଷାତ୍କାର ମଧ୍ୟ ହୋଇଥାଏ । ଆତ୍ମାର ସାକ୍ଷାତ୍କାର ହେଲା ତ କ’ଣ ହେଲା । ତାହା ତ
ତାରକା ସମାନ ସୂକ୍ଷ୍ମ ଅଟେ । ତେଣୁ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଯେପରି ଆତ୍ମା,
ସେହିପରି ପରମାତ୍ମା ମଧ୍ୟ ଆତ୍ମା ଅଟନ୍ତି । କିନ୍ତୁ ପରମାତ୍ମାଙ୍କୁ ସୁପ୍ରିମ୍ ସୋଲ୍ ଅର୍ଥାତ୍
ପରମ ଆତ୍ମା କୁହାଯାଏ । ସେ ଜନ୍ମ ମରଣରେ ଆସି ନ ଥାନ୍ତି । ଆତ୍ମାକୁ ସର୍ବୋଚ୍ଚ ସେତେବେଳେ
କୁହାଯିବ ଯେତେବେଳେ ଜନ୍ମ-ମରଣରୁ ଅଲଗା ହେବ । ବାକି ମୁକ୍ତିଧାମକୁ ତ ସମସ୍ତଙ୍କୁ ପବିତ୍ର ହୋଇ
ଯିବାର ଅଛି । ସେଥିରେ ମଧ୍ୟ କ୍ରମାନୁସାରେ ଅଛନ୍ତି, ଯେଉଁମାନଙ୍କର ହିରୋ-ହିରୋଇନ୍ର ପାର୍ଟ
ରହିଛି । ଆତ୍ମାମାନେ ତ କ୍ରମ ଅନୁସାରେ ଅଛନ୍ତି ନା । ନାଟକରେ ମଧ୍ୟ କେହି ବହୁତ ଦରମା ପାଆନ୍ତି,
କେହି କମ୍ ପାଆନ୍ତି । ଲକ୍ଷ୍ମୀ-ନାରାୟଣଙ୍କର ଆତ୍ମାକୁ ମନୁଷ୍ୟ ଆତ୍ମାମାନଙ୍କ ଭିତରେ ଶ୍ରେଷ୍ଠ
କୁହାଯିବ । ଯଦିଓ ସମସ୍ତେ ପବିତ୍ର ହୋଇଥା’ନ୍ତି ତଥାପି ମଧ୍ୟ କ୍ରମଅନୁସାରେ ପାର୍ଟ ରହିଛି । କିଏ
ମହାରାଜା, କିଏ ଦାସୀ, କିଏ ପ୍ରଜା । ତୁମେ ସମସ୍ତେ କଳାକାର ଅଟ । ଜାଣୁଛ ଯେ ଏତେ ସବୁ
ଦେବୀ-ଦେବତାମାନେ କ୍ରମଅନୁସାରେ ଅଛନ୍ତି । ଭଲ ପୁରୁଷାର୍ଥ କରିବେ, ଶ୍ରେଷ୍ଠ ଆତ୍ମା ହେବେ, ଉଚ୍ଚ
ପଦ ପାଇବେ । ତୁମର ସ୍ମୃତି ଆସିଛି ଯେ ଆମେ ୮୪ ଜନ୍ମ କିପରି ନେଇଛୁ । ଏବେ ବାବାଙ୍କ ନିକଟକୁ
ଯିବାର ଅଛି । ପିଲାମାନଙ୍କୁ ଏହି ଖୁସୀ ବି ଅଛି ତ ନଶା ମଧ୍ୟ ଅଛି । ସମସ୍ତେ କହିଥା’ନ୍ତି ଯେ ଆମେ
ନରରୁ ନାରାୟଣ ବିଶ୍ୱର ମାଲିକ ହେବୁ । ତେବେ ତ ଏହିଭଳି ପୁରୁଷାର୍ଥ କରିବାକୁ ପଡିବ । ପୁରୁଷାର୍ଥ
ଅନୁସାରେ ପଦ ପାଇଥାନ୍ତି । ସମସ୍ତଙ୍କୁ କ୍ରମାନୁସାରେ ପାର୍ଟ ମିଳିଛି । ଏହି ଡ୍ରାମା ପୂର୍ବ
ପ୍ରସ୍ତୁତ ଅଟେ ।
ଏବେ ବାବା ତୁମକୁ
ଶ୍ରେଷ୍ଠ ମତ ଦେଉଛନ୍ତି । କିପରି ବି ହେଉ ବାବାଙ୍କୁ ମନେ ପକାଅ ତେବେ ଯାଇ ବିକର୍ମ ବିନାଶ ହେବ,
ଆଉ ତା’ ସହିତ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇପାରିବ । ପାପର ବୋଝ ତ ମୁଣ୍ଡ ଉପରେ ବହୁତ
ଅଛି । ତାକୁ କିପରି ବି ହେଉ ଏଠାରେ ସମାପ୍ତ କରିଲେ ଆତ୍ମା ପବିତ୍ର ହେବ । ତମୋପ୍ରଧାନ ମଧ୍ୟ ତୁମେ
ଆତ୍ମା ହିଁ ହୋଇଛ ତେଣୁ ସତ୍ତ୍ୱପ୍ରଧାନ ମଧ୍ୟ ତୁମ ଆତ୍ମାକୁ ହେବାର ଅଛି । ଏହି ସମୟରେ ବେଶୀ
ପତିତ ଭାରତ ଅଟେ । ଏହି ଖେଳ ମଧ୍ୟ ଭାରତରେ ହେଉଛି । ବାକି ସେମାନେ ତ କେବଳ ଧର୍ମ ସ୍ଥାପନ କରିବା
ପାଇଁ ଆସିଥାନ୍ତି । ପୁନର୍ଜନ୍ମ ନେଇ-ନେଇ ଶେଷକୁ ସମସ୍ତେ ତମୋପ୍ରଧାନ ହୋଇଥା’ନ୍ତି । ସ୍ୱର୍ଗର
ମାଲିକ ତୁମେ ହେଉଛ । ଜାଣୁଛ ଯେ ଭାରତ ବହୁତ ଶ୍ରେଷ୍ଠ ଦେଶ ଥିଲା । ଏବେ କେତେ ଗରୀବ ହୋଇଯାଇଛି,
ଗରୀବଙ୍କୁ ହିଁ ସବୁ ସାହାଯ୍ୟ ଦେଇଥାନ୍ତି । ପ୍ରତି କଥାରେ ଭିକ୍ଷା ମାଗିଥା’ନ୍ତି । ପୂର୍ବେ ତ
ବହୁତ ଶସ୍ୟ ଏଠାରୁ ବିଦେଶକୁ ଯାଉଥିଲା । ଭାରତ ଏବେ ଗରୀବ ହୋଇଯାଇଛି ତେଣୁ ଏଠାକୁ ଫେରସ୍ତ ହେଉଛି
। ଯାହା ନେଇ ଯାଇଛନ୍ତି ତାହା ଋଣ ରୂପେ ମିଳୁଛି । ଶ୍ରୀକୃଷ୍ଣ ଏବଂ ଖ୍ରୀଷ୍ଟିୟାନ ରାଶି ଗୋଟିଏ ।
ଖ୍ରୀଷ୍ଟିୟାନମାନେ ହିଁ ଭାରତକୁ ଲୁଟି ନେଇଛନ୍ତି । ଏବେ ପୁଣି ଡ୍ରାମାନୁସାରେ ସେମାନେ ପରସ୍ପର
ମଧ୍ୟରେ ଲଢେଇ କରିବେ, ଲହୁଣୀ ତୁମମାନଙ୍କୁ ମିଳିବ । ଏପରି ନୁହେଁ ଯେ ଶ୍ରୀକୃଷ୍ଣଙ୍କ ମୁଖରେ
ଲହୁଣୀ ଥିଲା । ଏହା ତ ଶାସ୍ତ୍ରରେ ଲେଖି ଦେଇଛନ୍ତି । ସମଗ୍ର ଦୁନିଆ ଶ୍ରୀକୃଷ୍ଣଙ୍କ ଅଧିନକୁ
ଆସିଥାଏ । ସାରା ବିଶ୍ୱର ତୁମେ ମାଲିକ ହେଉଛ । ତୁମେ ପିଲାମାନେ ଜାଣୁଛ ଯେ ଆମେ ବିଶ୍ୱର ମାଲିକ
ହେଉଛୁ । ତେବେ ତୁମେ କେତେ ଖୁସୀ ହେବା ଦରକାର । ତୁମର ପ୍ରତି ପାଦରେ ପଦ୍ମର ପ୍ରାପ୍ତି ହେଉଛି ।
କେବଳ ଜଣେ ଲକ୍ଷ୍ମୀ-ନାରାୟଣଙ୍କର ତ ରାଜ୍ୟ ନ ଥିଲା । ରାଜବଂଶ ଥିଲା ନା । ଯଥା ରାଜା-ରାଣୀ ତଥା
ପ୍ରଜା - ସଭିଙ୍କ ପାଦରେ ପଦ୍ମ ହୋଇଥାଏ । ସେଠାରେ ତ ଅଗଣିତ ଧନ ରହିବ । ପଇସା ପାଇଁ କେହି ପାପ
ଆଦି କରି ନ ଥାନ୍ତି, ଅମାପ ଧନ ଥାଏ । ଆଲ୍ଲା ଅବଲଦିନ୍ର ଖେଳ ଦେଖାଇଥାନ୍ତି ନା । ଆଲ୍ଲା ଯିଏ
ଅବଲଦିନ ଅର୍ଥାତ୍ ଯିଏ ଦେବୀ ଦେବତା ଧର୍ମ ସ୍ଥାପନ କରିଥାନ୍ତି । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି
ଦେଇ ଦେଇଥା’ନ୍ତି । ଗୋଟିଏ ସେକେଣ୍ଡରେ ଅମାପ ସମ୍ପତ୍ତିର ସାକ୍ଷାତ୍କାର କରାଇଥା’ନ୍ତି । ମୀରା
କୃଷ୍ଣଙ୍କ ସହିତ ସାକ୍ଷାତ୍କାରରେ ନାଚୁଥିଲେ । ତାହା ଥିଲା ଭକ୍ତିମାର୍ଗ । ଏଠାରେ ଭକ୍ତିମାର୍ଗର
କଥା ନାହିଁ । ତୁମେ ତ ବୈକୁଣ୍ଠରେ ପ୍ରତ୍ୟକ୍ଷରେ ଯାଇ ରାଜତ୍ୱ କରିବ । ଭକ୍ତିମାର୍ଗରେ କେବଳ
ସାକ୍ଷାତ୍କାର ହୋଇଥାଏ । ଏହି ସମୟରେ ତୁମେ ପିଲାମାନେ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟର ସାକ୍ଷାତ୍କାର
କରୁଛ । ଜାଣୁଛ ଯେ ଆମେ ଏହା ହେବୁ । ପିଲାମାନେ ଭୁଲିଯାଉଛନ୍ତି, ତେଣୁ ବ୍ୟାଜ୍ ଦିଆଯାଇଥାଏ । ଏବେ
ଆମେ ବେହଦ ପିତାଙ୍କର ସନ୍ତାନ ହୋଇଛେ । ତେବେ କେତେ ଖୁସୀ ହେବା ଦରକାର । ଏହା ତ ପ୍ରତି
ସେକେଣ୍ଡରେ ଦୃଢ ନିଶ୍ଚିତ କରିବା ଦରକାର । କିନ୍ତୁ ମାୟା ବିରୋଧ କରୁଥିବାରୁ ଖୁସୀ ମଧ୍ୟ
ଚାଲିଯାଉଛି । ଯଦି ବାବାଙ୍କୁ ସର୍ବଦା ମନେ ପକାଉଥିବେ ତେବେ ନିଶା ରହିବ ଯେ ବାବା ଆମକୁ ବିଶ୍ୱର
ମାଲିକ କରୁଛନ୍ତି । ପୁଣି ମାୟା ଭୁଲାଇ ଦେଉଛି । ତେଣୁ କିଛି ନା କିଛି ବିକର୍ମ ହୋଇଯାଉଛି । ତୁମ
ପିଲାମାନଙ୍କର ସ୍ମୃତି ଆସିଯାଇଛି ଯେ ଆମେ ୮୪ ଜନ୍ମ ନେଇଛୁ, ଆଉ କେହି ୮୪ ଜନ୍ମ ନେଇ ନ ଥାନ୍ତି ।
ଏହା ମଧ୍ୟ ବୁଝିବା ଦରକାର ଯେ ବାବାଙ୍କୁ ଆମେ ଯେତେ ମନେ ପକାଇବା ସେତେ ଉଚ୍ଚ ପଦ ପାଇବା ଏବଂ ତା’
ସହିତ ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କରିବାକୁ ହେବ, ପ୍ରଜା ମଧ୍ୟ ତିଆରି କରିବାକୁ ହେବ । ତେଣୁ
ପ୍ରଥମେ ନିଜ ପରିବାରରୁ ଆରମ୍ଭ କରିବାକୁ ହେବ । ତୀର୍ଥକୁ ମଧ୍ୟ ପ୍ରଥମେ ନିଜେ ଯାଇଥାନ୍ତି ପୁଣି
ମିତ୍ର-ସମ୍ବନ୍ଧୀ ଆଦିଙ୍କୁ ମଧ୍ୟ ଏକାଠି କରି ନେଇ ଯାଇଥା’ନ୍ତି । ତେଣୁ ତୁମେ ମଧ୍ୟ ସ୍ନେହରେ
ସମସ୍ତଙ୍କୁ ବୁଝାଅ । ସମସ୍ତେ ବୁଝିବେ ନାହିଁ । ଗୋଟିଏ ଘରେ ବାପା ବୁଝିବେ ତ ପିଲା ବୁଝିବ ନାହିଁ
। ମା-ବାପା କେତେ ବି ପିଲାମାନଙ୍କୁ କହିବେ ଯେ ପୁରୁଣା ଦୁନିଆରେ ମନ ଲଗାଅ ନାହିଁ ତଥାପି ମଧ୍ୟ
ମାନିବେ ନାହିଁ । ହଇରାଣ କରିଥା’ନ୍ତି । ଯେଉଁମାନେ ଏହି କୂଳର ଚାରା ହୋଇଥିବେ ସେମାନେ ପୁଣି ଆସି
ବୁଝିବେ । ଏହି ଧର୍ମର ସ୍ଥାପନା ଦେଖ କିପରି ହେଉଛି, ଅନ୍ୟ ଧର୍ମାବଲମ୍ବୀମାନଙ୍କର ଚାରା ଲାଗୁନାହିଁ
। ସେମାନେ ତ’ ଉପରୁ ଆସିଥାନ୍ତି । ସେମାନଙ୍କର ଶିଷ୍ୟ ମଧ୍ୟ ଆସିଥାନ୍ତି । ଶିବବାବା ତ ସ୍ଥାପନା
କରୁଛନ୍ତି ପୁଣି ସମସ୍ତଙ୍କୁ ପବିତ୍ର କରି ନେଇଯାଉଛନ୍ତି ସେଥିପାଇଁ ତାଙ୍କୁ ସତଗୁରୁ, ମୁକ୍ତିଦାତା
କୁହାଯାଏ । ସତ୍ୟଗୁରୁ ଜଣେ ହିଁ ଅଟନ୍ତି । ମନୁଷ୍ୟ କେବେ କାହାର ସଦ୍ଗତି କରି ନ ଥାନ୍ତି । ସଦ୍ଗତି
ଦାତା କେବଳ ଜଣେ, ତାଙ୍କୁ ହିଁ ସତ୍ୟଗୁରୁ କୁହାଯାଉଛି । ଭାରତକୁ ସତ୍ୟଖଣ୍ଡ ମଧ୍ୟ ସେ କରୁଛନ୍ତି
। ରାବଣ ଅସତ୍ୟ ଖଣ୍ଡ କରିଦେଇଥାଏ । ବାବାଙ୍କ ପାଇଁ ମଧ୍ୟ ମିଥ୍ୟା, ଦେବତାମାନଙ୍କ ପାଇଁ ମଧ୍ୟ
ମିଥ୍ୟା କହିଦେଇଥାନ୍ତି । ତେଣୁ ବାବା କହୁଛନ୍ତି ଖରାପ କଥା ଶୁଣ ନାହିଁ... ଏହାକୁ ବେଶ୍ୟାଳୟ
କୁହାଯାଏ । ସତ୍ୟଯୁଗ ହେଉଛି ଶିବାଳୟ । ଏ କଥା ମନୁଷ୍ୟ ବୁଝୁ ନାହାଁନ୍ତି । ସେମାନେ ତ ନିଜ ମତରେ
ଚାଲୁଛନ୍ତି । କେତେ ଲଢେଇ ଝଗଡା ଚାଲୁଛି । ପିଲା ମାଆକୁ, ପତି ସ୍ତ୍ରୀକୁ ମାରୁଛି । ଜଣେ-ଜଣକୁ
ମାରିଦେଉଛି । ପିଲା ଦେଖୁଛି ବାପାଙ୍କ ପାଖରେ ବହୁତ ଧନ ଅଛି, ଦେଉ ନାହିଁ ତେଣୁ ମାରିବାରେ ମଧ୍ୟ
ଡେରି କରୁନାହିଁ । କିପରି ଖରାପ ଦୁନିଆ ହୋଇଯାଇଛି । ଦେଖ ଏବେ ତୁମେ କେତେ ଶ୍ରେଷ୍ଠ ହେଉଛ ।
ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅର୍ଥାତ୍ ସତ୍ୟଯୁଗୀ ରାଜତ୍ୱ ସାମ୍ନାରେ ରହିଛି । ତୁମେ ତ କେବଳ
କହୁଥିଲ ହେ ପତିତ-ପାବନ ଆସି ଆମକୁ ପବିତ୍ର କର । ଏପରି କ’ଣ କହୁଥିଲ, ଯେ ବିଶ୍ୱର ମାଲିକ କର ।
ଈଶ୍ୱର ତ ସ୍ୱର୍ଗର ସ୍ଥାପନା କରନ୍ତି ତେବେ ଆମେ କାହିଁକି ସ୍ୱର୍ଗରେ ନାହୁଁ । ପୁଣି ରାବଣ ତୁମକୁ
ନର୍କବାସୀ କରିଦେଇଥାଏ । କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ କହିବା ଦ୍ୱାରା ଭୁଲି ଯାଇଛନ୍ତି । ବାବା
କହୁଛନ୍ତି ତୁମେ ସ୍ୱର୍ଗର ମାଲିକ ଥିଲ । ଏବେ ପୁଣି ଚକ୍ର ଲଗାଇ ନର୍କର ମାଲିକ ହୋଇଛ । ଏବେ ପୁଣି
ବାବା ତୁମକୁ ସ୍ୱର୍ଗର ମାଲିକ କରୁଛନ୍ତି । କହୁଛନ୍ତି ସ୍ନେହୀ ଆତ୍ମାମାନେ, ବାବାଙ୍କୁ ମନେ ପକାଅ,
ତେବେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ତମୋପ୍ରଧାନ ହେବା ପାଇଁ ଅଧାକଳ୍ପ ଲାଗିଲା, କିନ୍ତୁ
ଏହାକୁ ସାରା କଳ୍ପ ହିଁ କହିବା କାହିଁକି ନା କଳା ତ କମ୍ ହୋଇ ଚାଲିଥାଏ । ଏହି ସମୟରେ କୌଣସି କଳା
ନାହିଁ । କହୁଛନ୍ତି ମୁଁ ନିର୍ଗୁଣ ମୋ ଭିତରେ କୌଣସି ଗୁଣ ନାହିଁ, ଏହାର ଅର୍ଥ କେତେ ସ୍ପଷ୍ଟ ଅଟେ
। ଏଠାରେ ପୁଣି ର୍ନିଗୁଣ ବାଳକର ସଂସ୍ଥା ମଧ୍ୟ ରହିଛି । ବାଳକମାନଙ୍କ ଭିତରେ କୌଣସି ଗୁଣ ନାହିଁ
। ନ ହେଲେ ବାଳକଙ୍କୁ ମହାତ୍ମାଙ୍କଠାରୁ ଶ୍ରେଷ୍ଠ କୁହାଯାଇଛି, ତାଙ୍କୁ ବିକାର କ’ଣ ଜଣା ନାହିଁ ।
ମହାତ୍ମାମାନଙ୍କୁ ତ ବିକାର କ’ଣ ଜଣା ଅଛି ତେବେ ଅକ୍ଷର ମଧ୍ୟ କେତେ ଭୁଲ୍ କହୁଛନ୍ତି । ମାୟା ବିଲ୍କୁଲ୍
ଅସତ୍ୟ କରିଦେଇଛି । ଗୀତା ମଧ୍ୟ, ପଢିଥାନ୍ତି କହିଥାନ୍ତି ଯେ ଭଗବାନ ଉବାଚ - କାମ ବିକାର
ମହାଶତ୍ରୁ, ଏହା ଆଦି-ମଧ୍ୟ-ଅନ୍ତ ଦୁଃଖଦାୟୀ ଅଟେ ତଥାପି ମଧ୍ୟ ପବିତ୍ର ହେବାରେ କେତେ ବିଘ୍ନ
ପକାଉଛନ୍ତି । ପୁଅ ବିବାହ କରୁ ନାହିଁ ତ କେତେ ଗାଳି ଦେଇଥାନ୍ତି । ବାବା କହୁଛନ୍ତି ତୁମ
ପିଲାମାନଙ୍କୁ ଶ୍ରୀମତ ଆଧାରରେ ଚାଲିବା ଉଚିତ୍ । ଯିଏ ଫୁଲ ହେବା ପାଇଁ ଯୋଗ୍ୟ ନୁହେଁ, କେତେ ବି
ବୁଝାଅ କେବେ ହେଲେ ମାନିବେ ନାହିଁ । କେଉଁଠାରେ ପିଲାମାନେ ପୁଣି କହିଥାନ୍ତି ଯେ ଆମେ ବିବାହ
କରିବୁ ନାହିଁ, ତେବେ ମାଆ-ବାପା କେତେ ଅତ୍ୟାଚାର କରିଥା’ନ୍ତି ।
ବାବା କହୁଛନ୍ତି
ଯେତେବେଳେ ଜ୍ଞାନ ଯଜ୍ଞ ରଚନା କରିଥାଏ ସେତେବେଳେ ଅନେକ ପ୍ରକାରର ବିଘ୍ନ ପଡିଥାଏ । ତିନି ପାଦ
ଭୂମି ମଧ୍ୟ ଦେଇ ନ ଥାନ୍ତି । ତୁମେ କେବଳ ବାବାଙ୍କ ମତରେ ଚାଲି ତାଙ୍କୁ ମନେପକାଇ ପବିତ୍ର ହେଉଛ,
ଆଉ କୌଣସି କଷ୍ଟ ନାହିଁ । କେବଳ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଯେପରି ତୁମେ
ଆତ୍ମାମାନେ ଏହି ଶରୀରରେ ଅବତରିତ ହୋଇଛ ସେହିଭଳି ବାବା ମଧ୍ୟ ଅବତରିତ ହୋଇଛନ୍ତି । ପୁଣି କଛପ
ଅବତାର, ମତ୍ସ୍ୟ ଅବତାର କିପରି ହୋଇପାରିବ! କେତେ ନିନ୍ଦା କରିଦେଇଛନ୍ତି । କହିଥାନ୍ତି
ଗୋଡି-ପଥରରେ ମଧ୍ୟ ଭଗବାନ ଅଛନ୍ତି । ବାବା କହୁଛନ୍ତି ମୋର ଏବଂ ଦେବତାମାନଙ୍କର ନିନ୍ଦା କରୁଛନ୍ତି
। ମୋତେ ଆସିବାକୁ ପଡୁଛି, ମୁଁ ଆସି ତୁମ ପିଲାମାନଙ୍କୁ ପୁଣି ଥରେ ସମ୍ପତ୍ତି ଦେଉଛି । ମୁଁ
ଆଶୀର୍ବାଦ ଦେଉଛି, ଆଉ ରାବଣ ଅଭିଶାପ ଦେଉଛି, ଏହା ହିଁ ହେଉଛି ଖେଳ । ଯେଉଁମାନେ ଶ୍ରୀମତ ପାଳନ
କରୁ ନାହାଁନ୍ତି ତେବେ ବୁଝିବାକୁ ହେବ ଯେ ସେମାନଙ୍କର ଭାଗ୍ୟ ଏତେ ଶ୍ରେଷ୍ଠ ନୁହେଁ । ଭାଗ୍ୟବାନ
ହୋଇଥିଲେ ସକାଳୁ-ସକାଳୁ ଉଠି ବାବାଙ୍କୁ ମନେ ପକାଇବେ, ବାବାଙ୍କ ସହିତ କଥାବାର୍ତ୍ତା କରିବେ ।
ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ । ଖୁସୀର ପାରଦ ଚଢିବ ।
ଯେଉଁମାନେ ସମ୍ମାନର ସହିତ ପାସ୍ ହୋଇଥା’ନ୍ତି ସେମାନେ ହିଁ ରାଜପଦ ପାଇଁ ଯୋଗ୍ୟ ହୋଇପାରିବେ ।
କେବଳ ଏକ ଲକ୍ଷ୍ମୀ-ନାରାୟଣ ରାଜ୍ୟ କରି ନ ଥା’ନ୍ତି । ରାଜଧାନୀ ଅଟେ ନା । ଏବେ ବାବା କହୁଛନ୍ତି
ତୁମର ବୁଦ୍ଧି କେତେ ସ୍ୱଚ୍ଛ ହେଉଛି । ଏହାକୁ ସତ୍ସଙ୍ଗ କୁହାଯାଇଛି । ସତ୍ସଙ୍ଗ ଗୋଟିଏ ହିଁ
ହୋଇଥାଏ । ଯାହାକି ବାବା ସତ୍ୟଜ୍ଞାନ ଦେଇ ସତ୍ୟଖଣ୍ଡର ମାଲିକ କରାଉଛନ୍ତି । କଳ୍ପର ସଂଗମଯୁଗରେ
ହିଁ ସତ୍ୟର ସଙ୍ଗ ମିଳୁଛି । ସ୍ୱର୍ଗରେ କୌଣସି ପ୍ରକାରର ସତ୍ସଙ୍ଗ ହୁଏ ନାହିଁ ।
ଏବେ ତୁମେ ଆତ୍ମିକ
ଉଦ୍ଧାରକାରୀ ସୈନ୍ୟ ଅଟ । ତୁମେ ବିଶ୍ୱର ନୌକା ପାର କରୁଛ । ତୁମର ଉଦ୍ଧାରକର୍ତ୍ତା ଶ୍ରୀମତ ଦାତା
ବାବା ଅଟନ୍ତି । ତୁମର ମହିମା ବହୁତ ଶ୍ରେଷ୍ଠ ଅଟେ । ବାବାଙ୍କର ମହିମା, ଭାରତର ମହିମା ଅପରମଅପାର
ଅଟେ । ତୁମ ପିଲାମାନଙ୍କର ମହିମା ମଧ୍ୟ ଅପରମଅପାର ଅଟେ । ତୁମେ ବ୍ରହ୍ମାଣ୍ଡର ଏବଂ ବିଶ୍ୱର ମଧ୍ୟ
ମାଲିକ ହେଉଛ । ମୁଁ ତ କେବଳ ବ୍ରହ୍ମାଣ୍ଡର ମାଲିକ ଅଟେ । ପୂଜା ମଧ୍ୟ ତୁମର ଡବଲ ହୋଇଥାଏ । ମୁଁ
ତ ଦେବତା ହେଉ ନାହିଁ ଯାହା ଦ୍ୱାରା ଡବଲ ପୂଜା ହେବ । ତୁମମାନଙ୍କ ଭିତରେ ମଧ୍ୟ କ୍ରମଅନୁଯାୟୀ
ବୁଝିଥାନ୍ତି ଏବଂ ଖୁସୀରେ ଆସି ପୁରୁଷାର୍ଥ କରିଥାନ୍ତି । ପାଠପଢାରେ ପାର୍ଥକ୍ୟ କେତେ ରହିଛି ।
ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଚାଲେ । ସେଠାରେ ମନ୍ତ୍ରୀ ନ ଥାନ୍ତି ।
ଲକ୍ଷ୍ମୀ-ନାରାୟଣ, ଯାହାଙ୍କୁ ଭଗବାନ-ଭଗବତୀ କହିଥାନ୍ତି ସେ ପୁଣି ମନ୍ତ୍ରୀର ରାୟ ନେବେ କି?
ଯେତେବେଳେ ପତିତ ରାଜା ହୋଇଥାନ୍ତି ସେତେବେଳେ ପୁଣି ମନ୍ତ୍ରୀ ଆଦି ରଖିଥାନ୍ତି । ଏବେ ତ
ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି । ତୁମ ପିଲାମାନଙ୍କର ଏହି ପୁରୁଣା ଦୁନିଆରୁ ବୈରାଗ୍ୟ
ହୋଇଛି । ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ । ଜ୍ଞାନ କେବଳ ରୁହାନୀ ବାବା ଶିଖାଇଥା’ନ୍ତି, ଆଉ କେହି
ଶିଖାଇପାରିବେ ନାହିଁ । ବାବା ହିଁ ପତିତ-ପାବନ ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କୁ
ମନେ ପକାଇବା ସହିତ ଅନ୍ୟମାନଙ୍କୁ ନିଜ ଭଳି କରିବାର ସେବା ମଧ୍ୟ କରିବା ଉଚିତ୍ । ଚେରିଟୀ ବିଗନ୍ସ
ଏଟ୍ ହୋମ୍... (ଦାନପୁଣ୍ୟ ନିଜ ଘରୁ ଆରମ୍ଭ କରାଯାଏ) ସମସ୍ତଙ୍କୁ ସ୍ନେହର ସହିତ ବୁଝାଇବାକୁ ହେବ
।
(୨) ଏହି ପୁରୁଣା
ଦୁନିଆଠାରୁ ବେହଦର ବୈରାଗୀ ହେବାକୁ ପଡିବ । ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ...
ଆମେ ସେହି ବେହଦ ବାବାଙ୍କର ସନ୍ତାନ ଅଟୁ, ସେ ଆମକୁ କୁବେରର ସମ୍ପତ୍ତି ଦେଉଛନ୍ତି, ଏହି ଖୁସିରେ
ରହିବାର ଅଛି ।
ବରଦାନ:-
ନିଜର ପ୍ରତ୍ୟେକ
ସଂକଳ୍ପ, ବାଣୀ ଏବଂ କର୍ମକୁ ଫଳଦାୟକ କରୁଥିବା ଆତ୍ମିକ ପ୍ରଭାବଶାଳୀ ଆତ୍ମା ହୁଅ ।
ଯେତେବେଳେ ବି କୌଣସି
ଆତ୍ମାର ସମ୍ପର୍କରେ ଆସୁଛ, ତା’ ପ୍ରତି ତୁମର ମନର ଭାବନା, ସ୍ନେହ, ସହଯୋଗ ଏବଂ କଲ୍ୟାଣ
ପ୍ରଭାବଶାଳୀ ହେଉ । ତୁମର ପ୍ରତ୍ୟେକ ବାଣୀ କାହାକୁ ବି ସାହସ ଏବଂ ଶକ୍ତି ଦେବାରେ ପ୍ରଭାବଶାଳୀ
ହେଉ । ସାଧାରଣ କଥାବାର୍ତ୍ତାରେ ତୁମର ସମୟ ନ ଯାଉ । ସେହିଭଳି ତୁମର ପ୍ରତ୍ୟେକ କର୍ମ ମଧ୍ୟ
ଫଳଦାୟକ ହେଉ - ଚାହେଁ ନିଜ ପ୍ରତି ହେଉ ବା ଅନ୍ୟମାନଙ୍କ ପ୍ରତି ହେଉ । ପରସ୍ପର ଭିତରେ ମଧ୍ୟ ସବୁ
ପ୍ରକାରରେ ପ୍ରଭାବଶାଳୀ ହୁଅ । ତେବେ ସେବାକ୍ଷେତ୍ରରେ ଯଦି ଆତ୍ମିକ ପ୍ରଭାବଶାଳୀ ହେବ ତେବେ ଯାଇ
ବାବାଙ୍କୁ ପ୍ରତ୍ୟକ୍ଷ କରିବାର ନିମିତ୍ତ ହୋଇପାରିବ ।
ସ୍ଲୋଗାନ:-
ଏଭଳି
ଶୁଭଚିନ୍ତକମଣୀ ହୁଅ, ଯାହାକି ତୁମର କିରଣ ବିଶ୍ୱକୁ ଆଲୋକିତ କରିପାରିବ ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
ବର୍ତ୍ତମାନର ସମୟ
ଅନୁସାରେ ଶୀତଳତାର ଶକ୍ତି ଦ୍ୱାରା ପ୍ରତ୍ୟେକ ପରିସ୍ଥିତିରେ ନିଜର ସଂକଳ୍ପର ଗତିକୁ ଏବଂ ବାଣୀକୁ
ଶୀତଳ ତଥା ଧୈର୍ଯ୍ୟଶୀଳ କର । ଯଦି ତୁମର ସଂକଳ୍ପର ଗତି ତୀବ୍ରବେଗୀ ହୋଇଥିବ, ତେବେ ବହୁତ ସମୟ
ବ୍ୟର୍ଥରେ ନଷ୍ଟ ହୋଇଯିବ, ଯାହାକୁ ତୁମେ ନିୟନ୍ତ୍ରଣ କରିପାରିବ ନାହିଁ । ସେଥିପାଇଁ ଯଦି
ଶୀତଳତାର ଶକ୍ତିକୁ ଧାରଣ କରିନେବ ତେବେ ବ୍ୟର୍ଥ ଠାରୁ ସୁରକ୍ଷିତ ହୋଇଯିବ ଏବଂ କାହିଁକି.., କ’ଣ...,
ଏମିତି ନୁହେଁ ସେମିତି..., ଏହିଭଳି ବ୍ୟର୍ଥର ତୀବ୍ରଗତି ଠାରୁ ମୁକ୍ତ ହୋଇଯିବ ।