19.01.25    Avyakt Bapdada     Odia Murli    30.11.2003     Om Shanti     Madhuban


“ଚାରୋଟି ଯାକ ବିଷୟରେ ଅନୁଭବର ଅଧିକାରୀ ହୋଇ ସମସ୍ୟାଗୁଡିକୁ ସମାଧାନ ସ୍ୱରୂପରେ ପରିବର୍ତ୍ତନ କର”


ଆଜି ବ୍ରାହ୍ମଣ ସଂସାରର ରଚୟିତା ନିଜର ଚାରିଆଡର ବ୍ରାହ୍ମଣ ପିଲାମାନଙ୍କୁ ଦେଖୁଛନ୍ତି । ଏହି ବ୍ରାହ୍ମଣ ସଂସାର ଛୋଟିଆ ହେଲେ ମଧ୍ୟ ଅତି ଶ୍ରେଷ୍ଠ ଏବଂ ଅତି ପ୍ରିୟ ସଂସାର ଅଟେ । ଏହି ବ୍ରାହ୍ମଣ ସଂସାର ସାରା ବିଶ୍ୱର ବିଶେଷ ଆତ୍ମାମାନଙ୍କର ସଂସାର । ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା କୋଟିକ ଭିତରେ କେହି, କେହି କେହିଙ୍କ ଭିତରେ ମଧ୍ୟ କେହି ଅଟନ୍ତି କାହିଁକି ନା ନିଜର ସତ୍ୟ ପିତାଙ୍କୁ ଜାଣି, ତାଙ୍କର ସମ୍ପତ୍ତିର ଅଧିକାରୀ ହୋଇଯାଇଛନ୍ତି । ଯେପରି ବାବା ଉଚ୍ଚରୁ ଉଚ୍ଚ ଅଟନ୍ତି ସେହିପରି ବାବାଙ୍କୁ ଚିହ୍ନି ତାଙ୍କର ସନ୍ତାନ ହୋଇଥିବା ଆତ୍ମାମାନେ ମଧ୍ୟ ବିଶେଷ ଆତ୍ମା ଅଟନ୍ତି । ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ଜନ୍ମ ନେବା ମାତ୍ରକେ ସ୍ୱୟଂ ଭାଗ୍ୟବିଧାତା ପିତା ତା’ର ମସ୍ତକରେ ଶ୍ରେଷ୍ଠ ଭାଗ୍ୟର ରେଖା ଟାଣି ଦେଇଛନ୍ତି, ଏଭଳି ଶ୍ରେଷ୍ଠ ଭାଗ୍ୟବାନ ଆତ୍ମା ଅଟ । ତେବେ ତୁମେମାନେ ମଧ୍ୟ ନିଜକୁ ଏହିଭଳି ଭାଗ୍ୟବାନ ମନେ କରୁଛ ତ? ଏତେ ଶ୍ରେଷ୍ଠ ଆତ୍ମିକ ନିଶାର ଅନୁଭବ ହେଉଛି ତ? ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ଦିଲ୍‌କୁ ଦିଲାରାମ ବାବା ନିଜର ଦିଲ୍‌ର ଦୁଲାର ଅର୍ଥାତ୍ ନିବିଡ ସ୍ନେହ ଦେଉଛନ୍ତି । ଏହି ପରମାତ୍ମ ସ୍ନେହ ସାରା କଳ୍ପ ଭିତରେ କେବଳ ଜଣଙ୍କ ଦ୍ୱାରା ଏବଂ ଏହି ଗୋଟିଏ ସମୟରେ ହିଁ ପ୍ରାପ୍ତ ହୋଇଥାଏ । ଏହିଭଳି ଆତ୍ମିକ ନିଶା ସର୍ବଦା ପ୍ରତ୍ୟେକ କର୍ମରେ ରହୁଛି ତ? କାହିଁକି ନା ତୁମେମାନେ ବିଶ୍ୱକୁ ଚାଲେଞ୍ଚ କରୁଛ ଯେ ଆମେ କର୍ମଯୋଗୀ ଜୀବନଧାରୀ ବିଶେଷ ଆତ୍ମା ଅଟୁ । କେବଳ ଯୋଗ ଲଗାଉଥିବା ଯୋଗୀ ନୁହେଁ, ଯୋଗୀ ଜୀବନଧାରୀ ଅଟ । ଜୀବନ ସଦାକାଳର ହୋଇଥାଏ । ସ୍ୱାଭାବିକ ଏବଂ ନିରନ୍ତର ମଧ୍ୟ ହୋଇଥାଏ । ୮ ଘଣ୍ଟାର ବା ୬ ଘଣ୍ଟାର ଯୋଗୀ ଜୀବନ ଧାରୀ ନୁହେଁ । ଯୋଗ ଅର୍ଥାତ୍ ପରମାତ୍ମାଙ୍କୁ ମନେ ପକାଇବା ତ ବ୍ରାହ୍ମଣ ଜୀବନର ଲକ୍ଷ୍ୟ ହିଁ ଅଟେ । ତେଣୁ ନିଜର ଜୀବନର ଲକ୍ଷ୍ୟ ସ୍ୱତଃ ହିଁ ମନେ ରହିଥାଏ ଏବଂ ଯେପରି ଲକ୍ଷ୍ୟ ସେହିପରି ଲକ୍ଷଣ ସ୍ୱତଃ ହିଁ ଆସିଥାଏ ।

ଏବେ ବାପଦାଦା ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ମସ୍ତକରେ ଚମକୁଥିବା ଭାଗ୍ୟର ତାରକାକୁ ଦେଖୁଛନ୍ତି । ବାପଦାଦା ସର୍ବଦା ପ୍ରତ୍ୟେକ ସନ୍ତାନକୁ ଶ୍ରେଷ୍ଠ ସ୍ୱମାନଧାରୀ ଏବଂ ସ୍ୱରାଜ୍ୟଧାରୀ ରୂପରେ ହିଁ ଦେଖୁଛନ୍ତି । ତେଣୁ ତୁମେମାନେ ମଧ୍ୟ ନିଜକୁ ସ୍ୱମାନଧାରୀ ଏବଂ ସ୍ୱରାଜ୍ୟଧାରୀ ଆତ୍ମା ଅଟେ - ଏହିଭଳି ଅନୁଭବ କରୁଛ ତ? ଯଦି ଗୋଟିଏ ସେକେଣ୍ଡରେ ସ୍ମୃତିରେ ଆଣିବ ଯେ ମୁଁ ସ୍ୱମାନଧାରୀ ଆତ୍ମା ଅଟେ ତେବେ ଗୋଟିଏ ସେକେଣ୍ଡ ଭିତରେ ସ୍ୱମାନର କେତେ ବଡ ତାଲିକା ତୁମ ସମ୍ମୁଖକୁ ଆସିଯିବ! ଏବେ ବି ନିଜର ସ୍ୱମାନ ଗୁଡିକର ତାଲିକା ସ୍ମୃତିରେ ଆସିଗଲାଣି ନା? ତାଲିକା ତ ଲମ୍ବା ଅଟେ ନା! ତେବେ ସ୍ୱମାନ ଅଭିମାନକୁ ସମାପ୍ତ କରିଦିଏ କାହିଁକି ନା ସ୍ୱମାନର ଅର୍ଥ ହେଲା ଶ୍ରେଷ୍ଠ ଅଭିମାନ । ତେଣୁ ଶ୍ରେଷ୍ଠ ଅଭିମାନ ଭିନ୍ନ ଭିନ୍ନ ଅଶୁଦ୍ଧ ଅଭିମାନକୁ ସମାପ୍ତ କରିଦେଇଥାଏ । ଯେପରି ଲାଇଟ୍‌ର ସ୍ୱୀଚ୍ ଅନ୍ କରିବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ଅନ୍ଧକାର ଦୂର ହୋଇଯାଏ ତାକୁ ତଡିବାକୁ ପଡି ନ ଥାଏ କିମ୍ବା କୌଣସି ମେହନତ କରିବାକୁ ପଡି ନ ଥାଏ । ସ୍ୱୀଚ୍ ଅନ୍ କରିବା ମାତ୍ରକେ ଅନ୍ଧକାର ସ୍ୱତଃ ହିଁ ସମାପ୍ତ ହୋଇଯାଏ । ସେହିପରି ସ୍ୱମାନର ସ୍ୱୀଚ୍ ଅନ କରିବା ଦ୍ୱାରା ଭିନ୍ନ ଭିନ୍ନ ଦେହ ଅଭିମାନକୁ ସମାପ୍ତ କରିବାର ମେହନତ କରିବାକୁ ପଡି ନ ଥାଏ । ବାପଦାଦା ପିଲାମାନଙ୍କର ଏକ ଖେଳ ମଧ୍ୟ ଦେଖୁଛନ୍ତି - ସ୍ୱମାନକୁ ଦିଲ୍ ଭିତରେ ବର୍ଣ୍ଣନା ମଧ୍ୟ କରୁଛନ୍ତି - “ମୁଁ ବାପଦାଦାଙ୍କର ଦିଲ୍‌ତଖତ୍ ନସୀନ୍ ଅର୍ଥାତ୍ ହୃଦୟ ସିଂହାସନ ଅଧିକାରୀ ଅଟେ” ବର୍ଣ୍ଣନା ମଧ୍ୟ କରୁଛନ୍ତି, ମନରେ ମଧ୍ୟ ଭାବୁଛନ୍ତି କିନ୍ତୁ ଅନୁଭବର ଆସନ ଉପରେ ବସୁ ନାହାଁନ୍ତି । କାରଣ ଯାହା ଭାବୁଛ ତାହା ଅନୁଭବ ହେବା ଜରୁରୀ ଅଟେ କାହିଁକି ନା ସବୁଠାରୁ ଶ୍ରେଷ୍ଠ ଅଥୋରିଟୀ ବା ଅଧିକାରୀପଣିଆ ହେଲା ଅନୁଭବର ଅଥୋରିଟୀ ହେବା । ତେଣୁ ବାପଦାଦା ଦେଖୁଛନ୍ତି - ପିଲାମାନେ ବହୁତ ଭଲ ଭାବରେ ଶୁଣୁଛନ୍ତି ଏବଂ ବିଚାର ମଧ୍ୟ କରୁଛନ୍ତି କିନ୍ତୁ ଶୁଣିବା ଏବଂ ଭାବିବା ଅଲଗା କଥା କିନ୍ତୁ ଏହାର ଅନୁଭବୀ ସ୍ୱରୂପ ହେବା ହିଁ ବ୍ରାହ୍ମଣ ଜୀବନର ଶ୍ରେଷ୍ଠ ଅଥୋରିଟୀ । ଏହା ହିଁ ହେଉଛି ଭକ୍ତି ଏବଂ ଜ୍ଞାନ ଭିତରେ ଅନ୍ତର । ଭକ୍ତିମାର୍ଗରେ ମଧ୍ୟ ଶୁଣିବାର ମସ୍ତିରେ ବହୁତ ମସ୍ତ ହୋଇଯାଉଛନ୍ତ ଏବଂ ଭାବୁଛନ୍ତି ମଧ୍ୟ କିନ୍ତୁ ଅନୁଭବ କରିପାରୁ ନାହାଁନ୍ତି । ତେବେ ଜ୍ଞାନର ଅର୍ଥ ହେଲା ଜ୍ଞାନୀ ଆତ୍ମା ପ୍ରତ୍ୟେକ ସ୍ୱମାନର ଅନୁଭବୀ । ଏହି ଅନୁଭବୀ ସ୍ୱରୂପ ଦ୍ୱାରା ହିଁ ଆତ୍ମିକ ନିଶା ଚଢିଥାଏ । ଜୀବନରେ ଅନୁଭବ କେବେ ବି ଜୀବନରେ ଭୁଲି ହୁଏ ନାହିଁ । ଶୁଣିଥିବା କଥା ବା ଭାବିଥିବା କଥା ଭୁଲି ହୋଇଯାଇପାରେ କିନ୍ତୁ ଅନୁଭବୀର ଅଥୋରିଟୀ କେବେ ବି କମ୍ ହୋଇ ନ ଥାଏ । ତେଣୁ ବାପଦାଦା ପିଲାମାନଙ୍କୁ ଏହି କଥା ମନେ ପକାଇ ଦେଉଛନ୍ତି ଯେ - ପ୍ରତ୍ୟେକ ଶୁଣିଥିବା କଥାଗୁଡିକ ଯାହାକୁ ଭଗବାନ ପିତାଙ୍କଠାରୁ ଶୁଣିଛ ତା’ର ଅନୁଭବୀ ମୂରତ ହୁଅ । ଅନୁଭବ କରିଥିବା କଥାକୁ ଯଦି ହଜାରେ ଲୋକ ଭୁଲାଇ ଦେବା ପାଇଁ ବା ଲିଭାଇ ଦେବା ପାଇଁ ଚାହିଁବେ ତେବେ ବି ତାହା ଲିଭି ପାରିବ ନାହିଁ । ଯେପରି ଶରୀର ଧାରଣ କରିବା ମାତ୍ରକେ ଅନୁଭବ କରୁଛ ଯେ ମୁଁ ଅମୁକ ଅଟେ, ଏହା କେତେ ପକ୍କା ହୋଇଯାଉଛି, କେବେ ନିଜର ଦେହର ନାମ ଭୁଲି ହୋଇଯାଉଛି କି? କେହି ଯଦି ତୁମକୁ କହିବ ତୁମେ ଅମୁକ ନୁହେଁ ଅମୁକ ଅଟେ ତେବେ ତୁମେ ମାନିବ କି? ସେହିପରି ତାଲିକାରେ ଥିବା ପ୍ରତ୍ୟେକ ସ୍ୱମାନକୁ ଅନୁଭବ କରିବା ଦ୍ୱାରା ସ୍ୱମାନ ଗୁଡିକ କେବେ ବି ଭୁଲି ହୋଇପାରିବ ନାହିଁ । ତେଣୁ ବାପଦାଦା ପିଲାମାନଙ୍କୁ ଯେତେବେଳେ ମେହନତ କରିବାର ଦେଖୁଛନ୍ତି, ସେତେବେଳେ ପିଲାମାନଙ୍କ ଉପରେ ବହୁତ ସ୍ନେହ ଆସିଯାଉଛି । ପରମାତ୍ମାଙ୍କର ସନ୍ତାନ ଆଉ ମେହନତ! କାରଣ ଅନୁଭବୀ ମୂରତ ହେବାର କମୀ । ଯେବେକି ଦେହ-ଅଭିମାନର ଅନୁଭବ ଯାହାବି ହୋଇଯାଉ, ଯେକୌଣସି କର୍ମ କରୁଥିଲେ ମଧ୍ୟ ଭୁଲି ହେଉନାହିଁ, ତେବେ ବ୍ରାହ୍ମଣ ଜୀବନ ତ କର୍ମର ଯୋଗୀ ଜୀବନ ଅଟେ, ତେଣୁ ଯୋଗୀ ଜୀବନର ଅନୁଭବ କିପରି ଭୁଲିପାରିବ?

ତେଣୁ ଚେକ୍ କର - ମୁଁ ପ୍ରତ୍ୟେକ ବିଷୟର ଅନୁଭବୀ ଅଟେ ତ? ଜ୍ଞାନକୁ ଶୁଣିବା ବା ଶୁଣାଇବା ତ ସହଜ କଥା କିନ୍ତୁ ତୁମକୁ ଜ୍ଞାନର ସ୍ୱରୂପ ହେବାର ଅଛି । ଯଦି ଜ୍ଞାନକୁ ନିଜର ସ୍ୱରୂପରେ ଆଣି ପାରିଲ ତେବେ ସ୍ୱତଃ ହିଁ ପ୍ରତ୍ୟେକ କର୍ମ ଜ୍ଞାନ ସମ୍ପନ୍ନ ଅର୍ଥାତ୍ ଜ୍ଞାନର ଲାଇଟ୍ ମାଇଟ୍ ବାଲା ହେବ, କାରଣ ଜ୍ଞାନକୁ ହିଁ ଆଲୋକ ଏବଂ ଶକ୍ତି କୁହାଯାଏ । ସେହିପରି ଯୋଗୀ ସ୍ୱରୂପର ଅର୍ଥ ହେଲା ଯୋଗଯୁକ୍ତ ଏବଂ ଯୁକ୍ତିଯୁକ୍ତ ସ୍ୱରୂପ । ଧାରଣା ସ୍ୱରୂପର ଅର୍ଥ ହେଲା ପ୍ରତ୍ୟେକ କର୍ମ, ପ୍ରତ୍ୟେ କର୍ମେନ୍ଦ୍ରିୟ । ପ୍ରତ୍ୟେକ ଗୁଣର ଧାରଣା ସ୍ୱରୂପ ହୋଇଥିବ ଏବଂ ସେବାର ଅନୁଭବୀ ମୂରତ ସେବାଧାରୀର ଅର୍ଥ ହେଲା ନିରନ୍ତର ଏବଂ ସ୍ୱତଃ ସେବାଧାରୀ, ଚାହେଁ ସଂକଳ୍ପ ଦ୍ୱାରା ସେବା, ଚାହେଁ ବାଣୀ ଦ୍ୱାରା ସେବା, ଚାହେଁ କର୍ମଣା ଦ୍ୱାରା ସେବା, ଚାହେଁ ସମ୍ବନ୍ଧ-ସମ୍ପର୍କ ଦ୍ୱାରା ସେବା, ପ୍ରତ୍ୟେକ କର୍ମ ଦ୍ୱାରା ସ୍ୱାଭାବିକ ଭାବରେ ସେବା ହୋଇ ଚାଲିଥିବ, ଏହାକୁ ହିଁ କୁହାଯାଏ ଚାରୋଟିଯାକ ବିଷୟରେ ଅନୁଭବୀ ସ୍ୱରୂପ ହେବା । ତେଣୁ ସମସ୍ତେ ଚେକ୍ କର - ମୁଁ କେତେ ପରିମାଣରେ ଅନୁଭବୀମୂରତ ହେଲିଣି? ପ୍ରତ୍ୟେକ ଗୁଣର ଅନୁଭବୀ, ପ୍ରତ୍ୟେକ ଶକ୍ତିର ଅନୁଭବୀ । ଏମିତି ବି କଥାରେ ଅଛି ଅନୁଭବ ଆବଶ୍ୟକ ସମୟରେ ବହୁତ କାମରେ ଆସିଥାଏ । ତେଣୁ ଅନୁଭବୀ ମୂରତ ଆତ୍ମାର ଅନୁଭବ ଯେପରି ବି ସମସ୍ୟା ଆସୁ ତାକୁ ନିଜର ଅନୁଭବର ଅଥୋରିଟୀ ଦ୍ୱାରା ଗୋଟିଏ ସେକେଣ୍ଡରେ ସମାଧାନ ସ୍ୱରୂପରେ ପରିବର୍ତ୍ତନ କରିଦେଇଥାଏ । ସମସ୍ୟା ସମସ୍ୟା ହୋଇ ରହେ ନାହିଁ, ସମାଧାନ ସ୍ୱରୂପ ହୋଇଯାଏ, ବୁଝିପାରିଲ!

ଏବେ ସମୟର ସମୀପତା ଅର୍ଥାତ୍ ପାଖେଇ ଆସିବା ଏବଂ ବାବାଙ୍କ ସମାନ ହେବାର ସମୀପତା ତୁମମାନଙ୍କୁ ସମାଧାନ ସ୍ୱରୂପର ଅନୁଭବ କରାଉ । ବହୁତ ସମୟ ପର୍ଯ୍ୟନ୍ତ ସମସ୍ୟା ଆସିବା ଏବଂ ତାକୁ ସମାଧାନ କରିବାର ମେହନତ କରିଆସିଲ, ଏବେ ବାପଦାଦା ପ୍ରତ୍ୟେକ ସନ୍ତାନକୁ ସ୍ୱମାନଧାରୀ, ସ୍ୱରାଜ୍ୟ ଅଧିକାରୀ, ସମାଧାନ ସ୍ୱରୂପ ସ୍ଥିତିରେ ଦେଖିବାକୁ ଚାହୁଁଛନ୍ତି । କାରଣ ଅନୁଭବୀ ମୂରତ ଆତ୍ମା ଗୋଟିଏ ସେକେଣ୍ଡ ଭିତରେ ପରିବର୍ତ୍ତନ ସବୁ କିଛି କରିଦେଇପାରିବ । ଆଚ୍ଛା!

ସବୁଆଡୁ ପିଲାମାନେ ଆସି ପହଞ୍ଚି ଯାଇଛନ୍ତି । ଡବଲ ବିଦେଶୀ ପିଲାମାନେ ମଧ୍ୟ ସବୁ ଗ୍ରୃପ୍‌ରେ ନିଜର ସୁଯୋଗ ନେଇ ଯାଉଛନ୍ତି । ଆଚ୍ଛା - ଏହି ଗ୍ରୃପରେ ପାଣ୍ଡବମାନେ ମଧ୍ୟ କମ୍ ଆସି ନାହାଁନ୍ତି । ଏବେ ସବୁ ପାଣ୍ଡବମାନେ ହାତ ଉଠାଅ । ମାତାମାନେ, କୁମାରୀମାନେ, ଟୀଚରମାନେ ମଧ୍ୟ ହାତ ଉଠାଅ । ପ୍ରଥମ ଗ୍ରୃପରେ ମାତାମାନେ ଅଧିକ ଥିଲେ କିନ୍ତୁ ଏହି ଗ୍ରୃପରେ ପାଣ୍ଡବମାନେ ମଧ୍ୟ ଭଲ ରେସ୍ କରିଛନ୍ତି । ପାଣ୍ଡବମାନଙ୍କର ନିଶା ଏବଂ ନିଶ୍ଚୟର ଗାୟନ ଏବେ ପର୍ଯ୍ୟନ୍ତ ମଧ୍ୟ ହେଉଛି । ତାହା କ’ଣ ଜାଣିଛ? ଜାଣିଛ? ପାଣ୍ଡବ ମାତ୍ର ପାଞ୍ଚ ଜଣ ଥିଲେ କିନ୍ତୁ ନିଜର ନିଶା ଏବଂ ନିଶ୍ଚୟ ଆଧାରରେ ବିଜୟୀ ହୋଇଗଲେ । ଏହି ଗାୟନ ତ ଏବେ ପର୍ଯ୍ୟନ୍ତ ମଧ୍ୟ ହେଉଛି । ତେବେ ଏହିଭଳି ପାଣ୍ଡବ ଅଟ ତ? ଆଚ୍ଛା! ନିଶା ଅଛି ତ? ତେଣୁ ପାଣ୍ଡବମାନେ ଯେତେବେଳେ ବି ଶୁଣୁଥିବେ ଯେ ଆମେ ପାଣ୍ଡବ ଅଟୁ ସେତେବେଳେ ପାଣ୍ଡବ ପତିଙ୍କୁ ତ କେବେ ବି ଭୁଲି ଯାଉ ନ ଥିବେ! କ’ଣ କେବେ କେବେ ଭୁଲିଯାଉଛ କି? ପାଣ୍ଡବ ଏବଂ ପାଣ୍ଡବପତି । ପାଣ୍ଡବମାନେ କେବେ ବି ପାଣ୍ଡବପତିଙ୍କୁ ଭୁଲିପାରିବେ ନାହିଁ । ପାଣ୍ଡବମାନଙ୍କ ଭିତରେ ଏହି ନିଶା ରହିବା ଦରକାର ଯେ ଆମେ ପାଣ୍ଡବମାନେ କଳ୍ପ କଳ୍ପ ପାଣ୍ଡବପତିଙ୍କର ପ୍ରିୟ ଅଟୁ । ସ୍ମାରକୀ ହିସାବରେ ପାଣ୍ଡବ ମାନଙ୍କର ନାମ ମଧ୍ୟ କିଛି କମ୍ ନୁହେଁ । ପାଣ୍ଡବମାନଙ୍କର ଉପାଧି ହେଲା ବିଜୟୀ ପାଣ୍ଡବ । ତେବେ ଏହିଭଳି ପାଣ୍ଡବ ଅଟ ତ? ଆମେ ବିଜୟୀ ପାଣ୍ଡବ, କେବଳ ପାଣ୍ଡବ ନୁହେଁ, ବିଜୟୀ ପାଣ୍ଡବ । ବିଜୟର ଅବିନାଶୀ ତିଳକ ମସ୍ତକରେ ସର୍ବଦା ଲାଗି ରହିଛି । ତେବେ ମାତାମାନଙ୍କ ଭିତରେ କେଉଁ ନିଶା ରହୁଛି? ମାତାମାନେ ନିଶାର ସହିତ କହୁଛନ୍ତି ବାବା କେବଳ ଆମମାନଙ୍କ ପାଇଁ ହିଁ ଆସିଛନ୍ତି । ଏଇଆ ନା! କାହିଁକି ନା ଅଧାକଳ୍ପ ଭିତରେ ମାତାମାନଙ୍କୁ କୌଣସି ପଦବୀ ବା ସମ୍ମାନ ମିଳି ନାହିଁ, ଏବେ ସଂଗମଯୁଗରେ ରାଜନୀତି କ୍ଷେତ୍ରରେ ମଧ୍ୟ ମାତାମାନଙ୍କୁ ଅଧିକାର ମିଳୁଛି । ସବୁ ବିଭାଗରେ ତୁମେ ଶକ୍ତିମାନଙ୍କୁ ବାବା ଆଗରେ ରଖିଛନ୍ତି ନା, ତେଣୁ ସଂସାରରେ ମଧ୍ୟ ପ୍ରତ୍ୟେକ ବର୍ଗରେ ଏବେ ମାତାମାନଙ୍କୁ ଅଧିକାର ମିଳୁଛି । ଏଭଳି କୌଣସି ବର୍ଗ ନାହିଁ ଯେଉଁଠି ମାତାମାନେ ନଥିବେ । ଏହା ସଂଗମଯୁଗର ପଦବୀ ଅଟେ । ତେଣୁ ମାତାମାନଙ୍କ ଭିତରେ ରହୁଛି - ବାବା ଆମର ଅଟନ୍ତି । ମେରା ବାବା ଶବ୍ଦ ସ୍ମୃତିରେ ରହୁଛି ତ? ନିଶା ଅଛି ତ? ମାତାମାନେ ହାତ ହଲାଉଛନ୍ତି । ଭଲ କଥା - ଭଗବାନଙ୍କୁ ନିଜର କରିନେଇଛ, ତେଣୁ ପ୍ରକୃତ ଯାଦୁକର ତ ମାତାମାନେ ହେଲେ ନା! ବାପଦାଦା ଦେଖୁଛନ୍ତି ଚାହେଁ ମାତା ହୁଅନ୍ତୁ ବା ପାଣ୍ଡବ ହୁଅନ୍ତୁ, ବା ବାପଦାଦାଙ୍କ ସହିତ ସ୍ନେହ ପୂର୍ବକ ସର୍ବସମ୍ବନ୍ଧ ତ ରଖିଛନ୍ତି କିନ୍ତୁ କାହାକୁ କେଉଁ ବିଶେଷ ସମ୍ବନ୍ଧ ଅଧିକ ପ୍ରିୟ ଅଟେ, ତାହା ମଧ୍ୟ ଦେଖୁଛନ୍ତି । କେତେକ ପିଲାଙ୍କୁ ଖୁଦା ଅର୍ଥାତ୍ ଭଗବାନଙ୍କୁ ନିଜର ସାଥୀ କରିବା ପାଇଁ ଭଲ ଲାଗୁଛି ସେଥିପାଇଁ ଖୁଦା ଦୋସ୍ତର ଏକ କାହାଣୀ ମଧ୍ୟ ଅଛି । ତେବେ ବାପଦାଦା ଏହି କଥା କହୁଛନ୍ତି ଯେ ଯେଉଁ ସମୟରେ ଯେଉଁ ସମ୍ବନ୍ଧର ଆବଶ୍ୟକତା ଥିବ ଭଗବାନଙ୍କୁ ସେହି ସମ୍ବନ୍ଧରେ ନିଜର କରିପାରିବ । ଏହିଭଳି ସର୍ବ ସମ୍ବନ୍ଧର ରସର ଅନୁଭବ କରିପାରିବ । ପିଲାମାନେ କହୁଛନ୍ତି ବାବା ମୋ’ର ଏବଂ ବାବା କହୁଛନ୍ତି ମୁଁ ତୋ’ର ।

ଏବେ ମଧୁବନର ଶୋଭା ଭଲ ଲାଗୁଛି ନା! ଚାହେଁ ଯେତେ ବି ଦୂରରେ ବସି ଶୁଣୁଥାଅ ବା ଦେଖୁଥାଅ କିନ୍ତୁ ମଧୁବନର ଶୋଭ ଅର୍ଥାତ୍ ଅନୁଭବ ସ୍ୱତନ୍ତ୍ର ଅଟେ । ମଧୁବନରେ ବାପଦାଦା ମିଳନ ତ କରୁଛନ୍ତି କିନ୍ତୁ ଆହୁରି କେତେ ପ୍ରକାରର ପ୍ରାପ୍ତି ହେଉଛି ଯଦି ଏହାର ତାଲିକା କାହାର କରିବ ତେବେ କେତେ ପ୍ରାପ୍ତି ହେଉଛି? ସବୁଠାରୁ ବଡରୁ ବଡ ପ୍ରାପ୍ତି ହେଲା ସହଜ ଯୋଗ ଏବଂ ସ୍ୱତଃ ଯୋଗ ଲାଗି ରହୁଛି । ମେହନତ କରିବାକୁ ପଡୁନାହିଁ । ଯଦି କେହି ମଧୁବନର ବାୟୁମଣ୍ଡଳର ମହତ୍ୱ ଉପରେ ଧ୍ୟାନ ଦେଉଛି ତେବେ ମଧୁବନର ବାତାବରଣ, ମଧୁବନର ଦିନଚର୍ଯ୍ୟା ସହଜଯୋଗୀ ସ୍ୱତଃଯୋଗୀ କରିଦେଉଛି । କାହିଁକି ଜାଣିଛ? ମଧୁବନରେ ବୁଦ୍ଧିରେ କେବଳ ଗୋଟିଏ ହିଁ କାମ ରହୁଛି, କେହି କେହି ସେବାଧାରୀ ହିସାବରେ ମଧ୍ୟ ଆସୁଛନ୍ତି ତାହା ଅଲଗା କଥା କିନ୍ତୁ ଯେଉଁମାନେ ନିଜକୁ ରିଫ୍ରେସ୍ କରିବା ପାଇଁ ଅର୍ଥାତ୍ ତାଜା କରିବା ପାଇଁ ଆସୁଛନ୍ତି ସେମାନଙ୍କର ମଧୁବନରେ ଆଉ କ’ଣ କାମ ଅଛି? କୌଣସି ଦାୟିତ୍ୱ ଅଛି କି? ଖାଅ, ପିଅ, ମଉଜ କର, ପାଠପଢ । ତେଣୁ ମଧୁବନ ମଧୁବନ ହିଁ ଅଟେ । ବିଦେଶରେ ମଧ୍ୟ ଘରେ ବସି ମୁରଲୀ ଶୁଣୁଛନ୍ତି କିନ୍ତୁ ସେଠାରେ ବସି ଶୁଣିବା ଏବଂ ମଧୁବନକୁ ଆସିବା, ଏଥିରେ ରାତି ଦିନର ପାର୍ଥକ୍ୟ ରହିଛି । ବାପଦାଦା ତ ବିଜ୍ଞାନର ସାଧନ ଗୁଡିକ ଦ୍ୱାରା ଦେଖୁଥିବା, ଶୁଣୁଥିବା ପିଲାମାନଙ୍କୁ ମଧ୍ୟ ୟାଦପ୍ୟାର ଦେଉଛନ୍ତି, କେତେକ ପିଲା ରାତି ଅନିଦ୍ରା ହୋଇ ମଧ୍ୟ ଶୁଣୁଛନ୍ତି । ନ ଆସିପାରିବା ଠାରୁ ଏହା ନିଶ୍ଚିତ ଭଲ ଅଟେ ନା କିନ୍ତୁ ଭଲରୁ ଭଲ ହେଉଛି ମଧୁବନ ପ୍ରିୟ ଘରକୁ ଆସିବା । କ’ଣ ମଧୁବନକୁ ଆସିବା ଭଲ ଲାଗୁଛି ନା ସେଠାରେ ବସି ମୁରଲୀ ଶୁଣିନେଲେ ଚଳିବ! କ’ଣ ଭଲ ଲାଗୁଛି? ସେଠାରେ ବି ତ ସେହି ମୁରଲୀ ଶୁଣୁଛ ନା! ଏଠାରେ ବି ପଛରେ ବସିଥିଲେ ଟି.ଭି. ଦ୍ୱାରା ଦେଖୁଛ, ତେଣୁ ଯେଉଁମାନେ ଭାବୁଛନ୍ତି ମଧୁବନକୁ ଆସିବା ହିଁ ଭଲ ଅଟେ ସେମାନେ ହାତ ଉଠାଅ । (ସମସ୍ତେ ହାତ ଉଠାଇଲେ) ଆଚ୍ଛା! ପୁଣି ବି ଦେଖ ଭକ୍ତିମାର୍ଗରେ କ’ଣ ଗାୟନ ଅଛି? ମଧୁବନରେ ମୁରଲୀ ବାଜେ । ଏହା ତ ନାହିଁ ଯେ ଲଣ୍ଡନରେ ବାଜେ । ଯେଉଁଠାରେ ବି ରହୁଥାଅ ନା କାହିଁକି ମଧୁବନର ମହିମାକୁ ଜାଣିବା ଅର୍ଥାତ୍ ନିଜକୁ ମହାନ କରିବା ।

ଆଚ୍ଛା - ତେବେ ଯେଉଁମାନେ ବି ଏଠାକୁ ଆସିଛନ୍ତି ସମସ୍ତେ ଯୋଗୀ ଜୀବନର, ଜ୍ଞାନୀ ଜୀବନର, ତଥା ଧାରଣା ସ୍ୱରୂପର ଅନୁଭବ କରୁଛନ୍ତି । ତେବେ ପ୍ରଥମ ପାଳିରେ ଏହି ସିଜିନ୍ ପାଇଁ ବାପଦାଦା ବିଶେଷ ଭାବରେ ଧ୍ୟାନ ଦେବା ପାଇଁ କହିଥିଲେ ଯେ ଆସନ୍ତା ପୂରା ସିଜିନ୍‌ରେ ସମସ୍ତେ ନିଜେ ସନ୍ତୁଷ୍ଟମଣୀ ହୋଇ ରହିବ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବ । କେବଳ ନିଜେ ସନ୍ତୁଷ୍ଟମଣୀ ହୋଇଯିବ ତାହା ନୁହେଁ ଅନ୍ୟମାନଙ୍କୁ ମଧ୍ୟ କରିବାକୁ ହେବ । ଏହା ବ୍ୟତୀତ ଏବେ ସମୟ ଅନୁସାରେ କେବେ ବି କିଛି ବି ହୋଇପାରେ, ତେଣୁ କେହି ପ୍ରଶ୍ନ ପଚାର ନାହିଁ ଯେ କେବେ ହେବ? ବର୍ଷକ ପରେ ହେବ କି ମାସକ ପରେ ହେବ? ଅଚାନକ କେତେବେଳେ ବି କ’ଣ ବି ହୋଇପାରେ ସେଥିପାଇଁ ନିଜର ସ୍ମୃତିରୂପୀ ସ୍ୱିଚ୍‌କୁ ବହୁତ ଶକ୍ତିଶାଳୀ କର । ଗୋଟିଏ ସେକେଣ୍ଡରେ ସ୍ୱୀଚ୍ ଅନ୍ କରି ଏବଂ ଅନୁଭବୀ ସ୍ୱରୂପ ହୋଇଯାଅ, କିନ୍ତୁ ସ୍ୱୀଚ୍ ଯଦି ଟିକିଏ ବି ଢିଲାଥିବ ତେବେ ବାରମ୍ବାର ଅନ୍ ଅଫ୍ କରିବାକୁ ପଡିବ ଏବଂ ଠିକ୍ ହେବା ପାଇଁ ସମୟ ମଧ୍ୟ ଲାଗିବ । ତେଣୁ ଗୋଟିଏ ସେକେଣ୍ଡରେ ସ୍ୱମାନର, ସ୍ୱରାଜ୍ୟ ଅଧିକାରୀ ସ୍ଥିତିର ସ୍ୱୀଚ୍ ଅନ୍ କର ଏବଂ ଅର୍ନ୍ତମୁଖୀ ହୋଇ ଅନୁଭବ କରିଚାଲ । ଅନୁଭବର ସାଗରରେ ସମାହିତ ହୋଇଯାଅ । କାହିଁକି ନା ଅନୁଭବର ଅଥୋରିଟୀକୁ କୌଣସି ବି ଅଥୋରିଟୀ ଜିତିପାରିବ ନାହିଁ । ଏବେ ବୁଝିପାରିଲ ତ କ’ଣ କରିବ? ବାପଦାଦା ସଂକେତ ତ ଦେଇ ଦେଉଛନ୍ତି ତେଣୁ ଅପେକ୍ଷାରେ ରୁହ ନାହିଁ, କେବେ କେବେ ମଧ୍ୟ କୁହ ନାହିଁ, ଏବେ କର । ସଦାପ୍ରସ୍ତୁତ ରୁହ, ତେବେ ଗୋଟିଏ ସେକେଣ୍ଡ ଭିତରେ ସ୍ମୃତିର ସ୍ୱୀଚ୍ ଅନ୍ କରିପାରିବ? କରି ପାରିବ? ଯେପରି ବି ବାତାବରଣ ହୋଇଥାଉ, ଯେପରିବି ସମସ୍ୟା ହୋଇଥାଉ, କିନ୍ତୁ ତୁମେ ସ୍ମୃତିର ସ୍ୱୀଚ୍ ଅନ୍ କର । ଏହାର ଅଭ୍ୟାସ କର କାହିଁକି ନା ଅନ୍ତିମ ପରୀକ୍ଷା ଗୋଟିଏ ସେକେଣ୍ଡ ପାଇଁ ହିଁ ଆସିବ, ଗୋଟିଏ ମିନିଟ୍ ମଧ୍ୟ ନୁହେଁ । ସେତେବେଳେ ଭାବିବାବାଲା ପାସ୍ କରିପାରିବେ ନାହିଁ, ଅନୁଭବ ବାଲା ପାସ୍ ହୋଇଯିବେ । ତେଣୁ ଏବେ ଗୋଟିଏ ସେକେଣ୍ଡ ଭିତରେ ସମସ୍ତେ “ମୁଁ ପରମଧାମ ନିବାସୀ ଶ୍ରେଷ୍ଠ ଆତ୍ମା ଅଟେ” ଏହି ସ୍ମୃତିର ସ୍ୱୀଚ୍‌କୁ ଅନ୍ କର, ଅନ୍ୟ କୌଣସି ବି ସ୍ମୃତି ନ ରହୁ । ବୁଦ୍ଧିରେ କୌଣସି ହଲଚଲ୍ ନ ରହୁ, ଅଚଳ ସ୍ଥିତି । ଆଚ୍ଛା (ଡ୍ରିଲ୍‌)

ଚାରିଆଡର ଶ୍ରେଷ୍ଠ ସ୍ୱମାନଧାରୀ ଅନୁଭବୀ ଆତ୍ମାମାନଙ୍କୁ, ସର୍ବଦା ପ୍ରତ୍ୟେକ ବିଷୟକୁ ଅନୁଭବରେ ଆଣୁଥିବା ସର୍ବଦା ଯୋଗୀ ଜୀବନରେ ଚାଲୁଥିବା ନିରନ୍ତର ଯୋଗୀ ଆତ୍ମାମାନଙ୍କୁ, ସର୍ବଦା ନିଜର ବିଶେଷ ଭାଗ୍ୟକୁ ପ୍ରତ୍ୟେକ କର୍ମରେ ଜାଗ୍ରତ ସ୍ୱରୂପରେ ସ୍ମୃତିରେ ରଖୁଥିବା କୋଟିକ ଭିତରେ କେହି, କେହିଙ୍କ ଭିତରେ ମଧ୍ୟ କେହି ବିଶେଷ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ଦାଦୀଜୀଙ୍କ ସହିତ:- ସମସ୍ତଙ୍କୁ ଉମଙ୍ଗ-ଉତ୍ସାହ ଆଣିବାର ବହୁତ କଲ କାମ କରୁଛ । (ଏବେ ତ କୋଟି କୋଟି ଆତ୍ମାଙ୍କୁ ସନ୍ଦେଶ ଦେବାର ଯୋଜନା ଚାଲିଛି) । କୋଟି କୋଟି କ’ଣ ସାରା ବିଶ୍ୱର ଆତ୍ମାମାନଙ୍କୁ ସନ୍ଦେଶ ମିଳିବାର ଅଛି । ଅହୋ ପ୍ରଭୁ ତ କହିବେ ନା! ଅହୋ ପ୍ରଭୁ କହିବା ପାଇଁ ତ ସେମାନଙ୍କୁ ପ୍ରସ୍ତୁତ କରିବାକୁ ପଡିବ ନା! (ଦାଦିମାନଙ୍କୁ) ଏମାନେ ମଧ୍ୟ ସହଯୋଗ ଦେଉଛନ୍ତି । ଭଲ କଥା, ମଧୁବନକୁ ସମ୍ଭାଳିଛନ୍ତି । ବହୁତ ଭଲ ସହଯୋଗୀ ଗ୍ରୃପ୍ ମିଳିଛି ନା! ସମସ୍ତଙ୍କର କିଛି ନା କିଛି ବିଶେଷତା ରହିଛି । ପୁଣି ବି ଆଦି ରତ୍ନ ଦାଦୀମାନଙ୍କର ପ୍ରଭାବ ପଡୁଛି । ଚାହେଁ ଯେତେ ବି ଆୟୁଷ ବଢିଯାଉ, ନୂଆ ନୂଆ ଟୀଚରମାନେ ମଧ୍ୟ ଆଗକୁ ବାହାରୁଛନ୍ତି, ପୁଣି ବି ଆଦି ରତ୍ନମାନଙ୍କର ପାଳନା ସ୍ୱତନ୍ତ୍ର ଅଟେ, ସେଥିପାଇଁ ଏହି ଗ୍ରୃପ୍‌ଟି ବହୁତ ଭଲ ।

ବରଦାନ:-
ବିଘ୍ନ ପ୍ରୃଫ୍ ଅର୍ଥାତ୍ ବିଘ୍ନର ପ୍ରଭାବରୁ ମୁକ୍ତ ଚମକଦାର ଫରିସ୍ତା ପୋଷାକ ଧାରଣ କରୁଥିବା ସଦା ବିଘ୍ନ ବିନାଶକ ଆତ୍ମା ହୁଅ ।

ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ସର୍ବଦା ବିଘ୍ନ ବିନାଶକ ହେବା ପାଇଁ ପ୍ରଶ୍ନବାଚକ ଚିହ୍ନକୁ ବିଦାୟ ଦିଅ ଏବଂ ଫୁଲଷ୍ଟପ୍‌ର ମାତ୍ରା ଲଗାଇ ନିଜ ଭିତରେ ସର୍ବଶକ୍ତିର ଫୁଲ୍ ଷ୍ଟକ୍ ଜମା କର, ସର୍ବଦା ବିଘ୍ନ ପ୍ରୃଫ୍ ଚମକିଲା ଫରିସ୍ତା ଡ୍ରେସ୍ ପିନ୍ଧିଥାଅ, ମାଟିର ଡ୍ରେସ୍ ପିନ୍ଧ ନାହିଁ । ଏହା ସହିତ ସର୍ବଗୁଣର ଗହଣାରେ ସଜେଇ ହୋଇ ରୁହ । ସର୍ବଦା ଅଷ୍ଟଶକ୍ତିରେ ସମ୍ପନ୍ନ ଶସ୍ତ୍ରଧାରୀ ମୂର୍ତ୍ତି ହୋଇ ରୁହ ଏବଂ ପଦ୍ମ ଫୁଲ ଆସନ ଉପରେ ନିଜର ଶ୍ରେଷ୍ଠ ଜୀବନର ପାଦ ରଖ ।

ସ୍ଲୋଗାନ:-
ଯଦି ଅଭ୍ୟାସ ଉପରେ ପୂରା ପୂରା ଧ୍ୟାନ ଦେଉଥିବ ତେବେ ଫାଷ୍ଟ ଡିଭିଜନ୍‌ରେ ନମ୍ବର ଆସିଯିବ ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର (୧୯) ଯେପରି ବାଣୀ ଦ୍ୱାରା ସେବା କରିବା ସ୍ୱାଭାବିକ ହୋଇଗଲାଣି, ସେହିପରି ସଂକଳ୍ପ ଦ୍ୱାରା ସେବା କରିବା ମଧ୍ୟ ଏକାଠି ଏବଂ ସ୍ୱାଭାବିକ ହେବା ଦରକାର । ଯଦି ବାଣୀର ସେବା ସହିତ ସଂକଳ୍ପ ଶକ୍ତି ଦ୍ୱାରା ସେବା କରିବ ତେବେ ତୁମକୁ କଥାବାର୍ତ୍ତା ମଧ୍ୟ କମ୍ କରିବାକୁ ପଡିବ । କଥାବାର୍ତ୍ତା କରିବାରେ ଯେଉଁ ଶକ୍ତି ଖର୍ଚ୍ଚ କରୁଛ ତାହା ଜମା ହୋଇଯିବ ଏବଂ ସଂକଳ୍ପ ଶକ୍ତିର ଶକ୍ତିଶାଳୀ ସେବା ସଫଳତା ଅଧିକ ଅନୁଭବ କରାଇବ । ସୂଚନା:- ଆଜି ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ତୃତୀୟ ରବିବାର ସଂଧ୍ୟା ୬ଟା ୩୦ ମି. ଠାରୁ ୭ଟା ୩୦ମି, ପର୍ଯ୍ୟନ୍ତ ସମସ୍ତ ଭାଇ-ଭଉଣୀମାନେ ସଂଗଠିତ ରୂପରେ ଗୋଟିଏ ହିଁ ଶୁଦ୍ଧ ସଂକଳ୍ପ ଦ୍ୱାରା ପ୍ରକୃତି ସହିତ ବିଶ୍ୱର ସର୍ବ ଆତ୍ମାମାନଙ୍କୁ ଶାନ୍ତି ଏବଂ ଶକ୍ତିର ସକାଶ ଦେବାର ବିଶେଷ ସେବା କରିବେ । ଅନୁଭବ କରିବେ ଯେ ବାପଦାଦାଙ୍କର ମସ୍ତକରୁ ଶକ୍ତିଶାଳୀ କିରଣ ବାହାରି ମୋ’ର ଭ୍ରୃକୁଟୀ ଉପରେ ପଡୁଛି ଏବଂ ମୋ’ଠାରୁ ସାରା ବିଶ୍ୱ ରୂପୀ ଗ୍ଲୋବ ଉପରକୁ ଯାଉଛି ।