19.02.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା କିଛି ପଢ଼ିଛ ସେଗୁଡିକୁ ଭୁଲିଯାଅ, ବଞ୍ଚି ଥାଉ ଥାଉ ମରିବା ଅର୍ଥାତ୍ ସବୁ କିଛି ଭୁଲିଯିବା, ପଛ କଥା କିଛି ବି ମନେ ନ ପଡୁ ।”

ପ୍ରଶ୍ନ:-
ଯେଉଁମାନେ ବଞ୍ଚିଥାଉ ଥାଉ ପୂର୍ଣ୍ଣ ରୂପରେ ମରିନାହାଁନ୍ତି ସେମାନଙ୍କର ଲକ୍ଷଣ କ’ଣ ହୋଇଥିବ?

ଉତ୍ତର:-
ସେମାନେ ବାବାଙ୍କ ସହିତ ମଧ୍ୟ ଯୁକ୍ତିତର୍କ କରିଚାଲିବେ । ଶାସ୍ତ୍ର ପୁରାଣର ଉଦାହରଣ ଦେଉଥିବେ । ଯେଉଁମାନେ ସଂପୂର୍ଣ୍ଣ ରୂପେ ମରିଯାଇଛନ୍ତି ସେମାନେ କହିବେ ବାବା ଯାହା ଶୁଣାଉଛନ୍ତି ତାହା ହିଁ ସତ୍ୟ ଅଟେ । ଆମେ ଅଧାକଳ୍ପ ଯାହାସବୁ ଶୁଣିଥିଲୁ ତାହା ମିଥ୍ୟା ଥିଲା, ସେଥିପାଇଁ ଏବେ ସେଗୁଡିକୁ ମୁଖରେ ମଧ୍ୟ ଉଚ୍ଚାରଣ କରିବାର ନାହିଁ । ବାବା କହୁଛନ୍ତି ଖରାପ କଥା ଶୁଣ ନାହିଁ .... ।

ଗୀତ:-
ଓମ୍ ନମୋ ଶିବାୟ ....

ଓମ୍ ଶାନ୍ତି ।
ପିଲାମାନଙ୍କୁ ବୁଝାଯାଇଛି ଯେତେବେଳେ ଶାନ୍ତିରେ ବସାଉଛ ଯାହାକୁ ନିଷ୍ଠା ବୋଲି କୁହାଯାଉଛି, ସେତେବେଳେ ଏହି ଡ୍ରିଲ୍ ଶିଖାଯାଉଛି । ଏବେ ବାବା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି କି - ଯେଉଁମାନେ ବଞ୍ଚି ଥାଉ ଥାଉ ମରିଯାଇଛନ୍ତି, ସେମାନେ କହୁଛନ୍ତି ଆମେ ବଞ୍ଚିଥାଉ ଥାଉ ମରିଯାଇଛୁ, ଯେପରି ମନୁଷ୍ୟ ମରିଗଲେ ସବୁ କିଛି ଭୁଲିଯାଇଥାଏ କେବଳ ସଂସ୍କାର ରହିଯାଇଥାଏ । ଏବେ ତୁମେ ମଧ୍ୟ ବାବାଙ୍କର ହୋଇ ଏହି ଦୁନିଆରୁ ମରିଯାଇଛ । ବାବା କହୁଛନ୍ତି ତୁମ ପାଖରେ ଭକ୍ତିର ସଂସ୍କାର ଥିଲା, ଏବେ ସେହି ସଂସ୍କାର ବଦଳୁଛି ତେଣୁ ବଞ୍ଚିଥାଉ ଥାଉ ତୁମେ ମରିଯାଉଛ ନା । ମନୁଷ୍ୟ ଯାହା ପଢ଼ିଥାଏ ମରିଗଲା ପରେ ସବୁ କିଛି ଭୁଲିଯାଇଥାଏ ପୁଣି ପର ଜନ୍ମରେ ନୂଆ ଭାବରେ ପାଠପଢ଼ିବାକୁ ପଡ଼ିଥାଏ । ବାବା ମଧ୍ୟ କହୁଛନ୍ତି ତୁମେ ଯାହା କିଛି ପଢ଼ିଛ ତାକୁ ଭୁଲିଯାଅ । ତୁମେ ତ ବାବାଙ୍କର ହୋଇଛ ନା । ମୁଁ ତୁମକୁ ନୂଆ କଥା ଶୁଣାଉଛି । ତେଣୁ ଏବେ ବେଦ, ଶାସ୍ତ୍ର, ଗ୍ରନ୍ଥ, ଜପ, ତପ ଆଦି ସବୁ କଥା ଭୁଲିଯାଅ । ସେଥିପାଇଁ କହୁଛନ୍ତି - ଖରାପ କଥା ଶୁଣନାହିଁ, ଖରାପ କଥା ଦେଖ ନାହିଁ ... । ଏହା ତୁମ ପିଲାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ । କେହି କେହି ବହୁତ ଶାସ୍ତ୍ର ଆଦି ପଢ଼ିଥା’ନ୍ତି, ପୂର୍ଣ୍ଣ ରୂପରେ ମରିନାହାଁନ୍ତି, ତେଣୁ ସେମାନେ ଫାଲତୁ ଯୁକ୍ତି ତର୍କ କରିଥା’ନ୍ତି । ପୂରା ମରିଗଲେ କେବେ ବି ଯୁକ୍ତିତର୍କ କରିବେ ନାହିଁ । କହିବେ ବାବା ଯାହା ଶୁଣାଉଛନ୍ତି ତାହା ହିଁ ସତ୍ୟ, ବାକି କଥା ଆମେ ମୁଖରେ କାହିଁକି ଧରିବୁ! ବାବା କହୁଛନ୍ତି ଏ କଥା ମୁଖରେ ଧର ହିଁ ନାହିଁ । ଖରାପ କଥା ଶୁଣ ନାହିଁ । ବାବା ନିର୍ଦ୍ଦେଶ ଦେଇଛନ୍ତି ନା - କିଛି ବି ଶୁଣନାହିଁ । କୁହ ଏବେ ଆମେ ଜ୍ଞାନ ସାଗରଙ୍କର ସନ୍ତାନ ହୋଇଛୁ, ତେଣୁ ଭକ୍ତିକୁ କାହିଁକି ମନେ ପକାଇବୁ! ଆମେ ଏକମାତ୍ର ଭଗବାନଙ୍କୁ ହିଁ ମନେପକାଉଛୁ । ବାବା କହିଛନ୍ତି ଭକ୍ତିମାର୍ଗକୁ ଭୁଲିଯାଅ । ମୁଁ ତୁମକୁ ସହଜ କଥା ଶୁଣାଉଛି କି ମୁଁ ବୀଜ ମୋତେ ମନେପକାଅ ତେବେ ସାରା ବୃକ୍ଷ ବୁଦ୍ଧିରେ ଆସି ହିଁ ଯିବ । ଗୀତା ତୁମର ମୁଖ୍ୟ ଶାସ୍ତ୍ର ଅଟେ । ଗୀତାରେ ହିଁ ଭଗବାନ ବୁଝାଇଛନ୍ତି । ତେବେ ଏହା ହେଉଛି ନୂଆ କଥା । ନୂଆ କଥା ଉପରେ ସର୍ବଦା ଅଧିକ ଧ୍ୟାନ ଦିଆଯାଇଥାଏ । କଥା ମଧ୍ୟ ବହୁତ ସାଧାରଣ ଅଟେ । ସବୁଠାରୁ ବଡ଼ କଥା ହେଲା ତାଙ୍କୁ ମନେ ପକାଇବା । ତେଣୁ ବାରମ୍ବାର କହିବାକୁ ପଡ଼ୁଛି - ମନମନାଭବ । ବାବାଙ୍କୁ ମନେ ପକାଅ, ଏହା ବହୁତ ଗୁହ୍ୟ କଥା । ଏଥିରେ ହିଁ ବିଘ୍ନ ପଡ଼ୁଛି । ଅନେକ ସନ୍ତାନ ଅଛନ୍ତି ଯିଏକି ସାରା ଦିନରେ ଦୁଇମିନିଟ୍ ମଧ୍ୟ ମନେ ପକାଉ ନାହାଁନ୍ତି । ବାବାଙ୍କର ହୋଇ ମଧ୍ୟ ଭଲ କର୍ମ କରୁନାହାଁନ୍ତି, ତେଣୁ ମନେ ମଧ୍ୟ ପକାଉ ନାହାଁନ୍ତି, ବିକର୍ମ କରି ଚାଲିଛନ୍ତି । ବୁଦ୍ଧିରେ ରହୁ ହିଁ ନାହିଁ, ତେଣୁ କୁହାଯିବ ଏହା ବାବାଙ୍କ ଆଜ୍ଞାର ନିରାଦର ଅଟେ, ସେମାନେ ପାଠ ପଢ଼ିପାରିବେ ନାହିଁ, ତାଙ୍କୁ ସେଭଳି ଶକ୍ତି ମଧ୍ୟ ମିଳିବ ନାହିଁ । ଶାରୀରିକ ପାଠପଢ଼ା ଦ୍ୱାରା ମଧ୍ୟ ବଳ ମିଳିଥାଏ ନା । ପାଠପଢ଼ା ରୋଜଗାରର ଆଧାର ଅଟେ । ଶରୀର ନିର୍ବାହ ହୋଇଥାଏ ତାହା ମଧ୍ୟ ଅଳ୍ପ କାଳ ପାଇଁ । ଯଦି କେହି ପଢ଼ୁ-ପଢ଼ୁ ମରିଯାଆନ୍ତି ତେବେ ସେ ପାଠପଢ଼ା କ’ଣ ସାଥିରେ ନେଇଯିବେ । ପରଜନ୍ମରେ ପୁଣି ନୂଆ ରୂପରେ ପାଠ ପଢ଼ିବାକୁ ପଡ଼ିବ । ଏଠାରେ ତ ତୁମେ ଯେତେ ପଢ଼ୁଛ, ତାକୁ ସାଥିରେ ନେଇଯିବ, କାହିଁକି ନା ତୁମେ ପରଜନ୍ମରେ ଏହାର ପ୍ରାରବ୍ଧ ପାଉଛ । ବାକି ତ ସେ ସବୁ ହେଉଛି ଭକ୍ତିମାର୍ଗ । କ’ଣ-କ’ଣ ଜିନିଷ ସବୁ ରହିଛି, ଏ କଥା କେହି ଜାଣିନାହାଁନ୍ତି । ଆତ୍ମିକ ପିତା ତୁମ ଆତ୍ମାମାନଙ୍କୁ ଜ୍ଞାନ ଦେଉଛନ୍ତି । ତେବେ କଳ୍ପରେ ଥରେ ମାତ୍ର ବାବା ଅର୍ଥାତ୍ ପରମାତ୍ମା ଆସି ଆତ୍ମାମାନଙ୍କୁ ଜ୍ଞାନ ଦେଉଛନ୍ତି, ଯାହାଦ୍ୱାରା ତୁମେମାନେ ବିଶ୍ୱର ମାଲିକ ହୋଇଯାଉଛ । ଭକ୍ତିମାର୍ଗରେ ସ୍ୱର୍ଗ ନ ଥାଏ । ଏବେ ତୁମେ ଧଣୀଙ୍କର ଅର୍ଥାତ୍ ବାବାଙ୍କର ହୋଇଛ । ମାୟା ବହୁତ ଥର ପିଲାମାନଙ୍କୁ ଅନାଥ କରିଦେଇଥାଏ, ଛୋଟ-ଛୋଟ କଥାରେ ପରସ୍ପର ସହିତ ଲଢ଼େଇ କରିଥା’ନ୍ତି । ବାବାଙ୍କ ସ୍ମୃତିରେ ରହୁ ନାହାଁନ୍ତି ତେଣୁ ଅନାଥ ହେଲେ ନା । ଅନାଥ ହେଲେ ନିଶ୍ଚିତ କିଛି ନା କିଛି ପାପ କର୍ମ କରି ଦେବେ । ବାବା କହୁଛନ୍ତି ମୋର ହୋଇ ମୋର ନାମ ବଦନାମ କର ନାହିଁ । ପରସ୍ପର ସହିତ ବହୁତ ସ୍ନେହରେ ଚାଲ, ଓଲଟା-ସିଧା କଥା କୁହ ନାହିଁ ।

ବାବାଙ୍କୁ ଏହିପରି ଅହଲ୍ୟା, କୁବ୍‌ଜା, ଶବରୀମାନଙ୍କର ମଧ୍ୟ ଉଦ୍ଧାର କରିବାକୁ ପଡ଼ୁଛି । କହନ୍ତି ଯେ ଶବରୀର କୋଳି ଖାଇଥିଲେ । ଏପରି କ’ଣ କେବେ ଶବରୀ ଠାରୁ ଖାଇବେ । ଶବରୀରୁ ଯେତେବେଳେ ବ୍ରାହ୍ମଣୀ ହୋଇଯାଉଛନ୍ତି ତେବେ ପୁଣି କାହିଁକି ନ ଖାଇବେ! ସେଥିପାଇଁ ବ୍ରହ୍ମାଭୋଜନର ମହିମା ରହିଛି । ଶିବ ବାବା ତ ଖାଇବେ ନାହିଁ । ସେ ତ ଅଭୋକ୍ତା ଅଟନ୍ତି । ବାକି ଏହି ରଥ ତ ଖାଉଛନ୍ତି ନା । ତୁମ ସନ୍ତାନମାନଙ୍କୁ କାହା ସହିତ ଯୁକ୍ତିତର୍କ କରିବା ଦରକାର ନାହିଁ । ସର୍ବଦା ନିଜକୁ ନିରାପଦରେ ରଖିବା ଦରକାର । ଦୁଇଟି ଅକ୍ଷର ହିଁ କୁହ - ଶିବବାବା କହୁଛନ୍ତି । ଶିବବାବାଙ୍କୁ ହିଁ ରୁଦ୍ର କୁହାଯାଉଛି । ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶ ଜ୍ୱାଳା ବାହାରୁଛି ତେଣୁ ରୁଦ୍ର ଭଗବାନ ହେଲେ ନା । କୃଷ୍ଣଙ୍କୁ ତ ରୁଦ୍ର କୁହାଯିବ ନାହିଁ । ବିନାଶ ମଧ୍ୟ କୃଷ୍ଣ କରାଉନାହାଁନ୍ତି । ବାବା ହିଁ ସ୍ଥାପନା, ବିନାଶ, ପାଳନା କରାଉଛନ୍ତି । ନିଜେ କିଛି କରୁନାହାଁନ୍ତି, ନଚେତ୍ ଦୋଷ ଲାଗିଯିବ । ସେ କରନକରାବନହାର (କରିକରାଇଲାବାଲା) ଅଟନ୍ତି । ବାବା କହୁଛନ୍ତି ବିନାଶ କର ବୋଲି ମୁଁ କହୁନାହିଁ । ଏ ସବୁ କିଛି ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଶଙ୍କର କ’ଣ କିଛି କରୁଛନ୍ତି କି? କିଛି ବି ନୁହେଁ । କେବଳ ଗାୟନ ରହିଛି ଯେ ଶଙ୍କରଙ୍କ ଦ୍ୱାରା ବିନାଶ ହେଉଛି । ବାକି ବିନାଶ ତ ସେ ସ୍ୱତଃ କରୁଛନ୍ତି । ଏହା ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ ଯାହା ବୁଝାଯାଉଛି । ରଚୟିତା ବାବାଙ୍କୁ ହିଁ ସମସ୍ତେ ଭୁଲିଯାଇଛନ୍ତି । କହୁଛନ୍ତି ଈଶ୍ୱର ପିତା ରଚୟିତା ଅଟନ୍ତି କିନ୍ତୁ ତାଙ୍କୁ କେହି ବି ଜାଣିନାହାଁନ୍ତି । ଜାଣିଛନ୍ତି ଯେ ସେ ଦୁନିଆର ସୃଷ୍ଟି କରୁଛନ୍ତି । ବାବା କହୁଛନ୍ତି ମୁଁ ସୃଷ୍ଟି ରଚନା କରୁନାହିଁ, ସୃଷ୍ଟିକୁ ପରିବର୍ତ୍ତନ କରୁଛି । କଳିଯୁଗକୁ ସତ୍ୟଯୁଗ କରୁଛି । ମୁଁ ସଙ୍ଗମଯୁଗରେ ଆସୁଛି, ଯେଉଁଥିପାଇଁ ଗାୟନ ରହିଛି - ସୁପ୍ରିମ ଅସ୍‌ପିସିୟସ୍ ଯୁଗ (ପୁରୁଷୋତ୍ତମ କଲ୍ୟାଣକାରୀ ଯୁଗ) । ଭଗବାନ କଲ୍ୟାଣକାରୀ ଅଟନ୍ତି, ସିଏ ସମସ୍ତଙ୍କର କଲ୍ୟାଣ କରୁଛନ୍ତି କିନ୍ତୁ କିପରି ଏବଂ କ’ଣ କଲ୍ୟାଣ କରୁଛନ୍ତି, ଏ କଥା କିଛି ଜାଣିନାହାଁନ୍ତି । ଇଂରାଜୀରେ ଲିବରେଟ୍‌ର (ମୁକ୍ତିଦାତା), ଗାଇଡ୍ (ପଥପ୍ରଦର୍ଶକ) କହୁଛନ୍ତି କିନ୍ତୁ ଏହାର ଅର୍ଥକୁ ବୁଝିପାରୁ ନାହାଁନ୍ତି । କହୁଛନ୍ତି ଭକ୍ତି ପରେ ଭଗବାନ ମିଳିବେ, ସଦ୍‌ଗତି ମିଳିବ । ସମସ୍ତଙ୍କର ସଦ୍‌ଗତି ତ କୌଣସି ମନୁଷ୍ୟ କରିପାରିବେ ନାହିଁ । ନଚେତ୍ ପରମାତ୍ମାଙ୍କୁ ପତିତ-ପାବନ ସମସ୍ତଙ୍କର ସଦ୍‌ଗତି ଦାତା ବୋଲି କାହିଁକି ଗାୟନ କରାଯାଉଛି? ବାବାଙ୍କୁ କେହି ବି ଜାଣିନାହାଁନ୍ତି, ସମସ୍ତେ ଅନାଥ ହୋଇଯାଇଛନ୍ତି । ବାବାଙ୍କ ଠାରୁ ବିପରୀତ ବୁଦ୍ଧି ହୋଇଯାଇଛି । ଏବେ ବାବା କ’ଣ କରିବେ । ବାବା ତ ନିଜେ ମାଲିକ ଅଟନ୍ତି । ତାଙ୍କର ଶିବଜୟନ୍ତୀ ମଧ୍ୟ ଭାରତରେ ପାଳନ କରୁଛନ୍ତି । ବାବା କହୁଛନ୍ତି ମୁଁ ଆସିଛି ଭକ୍ତମାନଙ୍କୁ ଫଳ ଦେବା ପାଇଁ । ମୁଁ ଭାରତରେ ହିଁ ଆସୁଛି । ଆସିବା ପାଇଁ ମୋର ଶରୀର ତ ନିଶ୍ଚୟ ଦରକାର ନା । ପ୍ରେରଣା ଦ୍ୱାରା କିଛି ହେବ ନାହିଁ । ଏହାଙ୍କ ଶରୀରରେ ପ୍ରବେଶ କରି, ଏହାଙ୍କ ମୁଖ ଦ୍ୱାରା ତୁମକୁ ଜ୍ଞାନ ଦେଉଛି । ଏହା ଗଉମୁଖର କଥା ନୁହେଁ । ଏହା ତ ଏହି ମୁଖର କଥା ଅଟେ । ମୁଖ ତ ମନୁଷ୍ୟର ଦରକାର, ଜୀବଜନ୍ତୁଙ୍କର ନୁହେଁ । ଏତିକି ମଧ୍ୟ ବୁଦ୍ଧି କାମ କରୁନାହିଁ । ଅନ୍ୟ ପଟେ ପୁଣି ଭାଗୀରଥ ଦେଖାଉଛନ୍ତି, ସେ କିପରି ଏବଂ କେବେ ଆସୁଛନ୍ତି, ଟିକିଏ ହେଲେ ବି କାହାକୁ ଜଣା ନାହିଁ । ତେବେ ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମେ ମରିଯାଇଛ, ତେଣୁ ଭକ୍ତିମାର୍ଗକୁ ଏକଦମ୍ ଭୁଲିଯାଅ । ଶିବ ଭଗବାନୁଉବାଚ ମୋତେ ମନେପକାଇଲେ ବିକର୍ମ ବିନାଶ ହୋଇଯିବ । ମୁଁ ହିଁ ପତିତ-ପାବନ ଅଟେ । ତୁମେ ପବିତ୍ର ହୋଇ ଗଲେ ପୁଣି ମୁଁ ସମସ୍ତଙ୍କୁ ଘରକୁ ନେଇଯିବି । ଘରେ-ଘରେ ଏହି ସନ୍ଦେଶ ଦେଇଦିଅ । ବାବା କହୁଛନ୍ତି - ମୋତେ ମନେପକାଅ ତେବେ ବିକର୍ମ ବିନାଶ ହୋଇଯିବ । ତୁମେ ପବିତ୍ର ହୋଇଯିବ । ବିନାଶ ସମ୍ମୁଖରେ ରହିଛି । ତୁମେ ଡାକୁଛ ମଧ୍ୟ ହେ ପତିତ-ପାବନ ଆସ, ପତିତମାନଙ୍କୁ ପବିତ୍ର କରାଅ, ରାମରାଜ୍ୟ ସ୍ଥାପନ କର, ରାବଣ ରାଜ୍ୟରୁ ମୁକ୍ତ କର । ପ୍ରତେକେ ନିଜ-ନିଜ ପାଇଁ ଚେଷ୍ଟା କରୁଛନ୍ତି । ବାବା ତ କହୁଛନ୍ତି ମୁଁ ଆସି ସମସ୍ତଙ୍କୁ ମୁକ୍ତି ପ୍ରଦାନ କରୁଛି । ସମସ୍ତେ ୫ ବିକାର ରୂପୀ ରାବଣର ଜେଲ୍‌ରେ ପଡ଼ିଛନ୍ତି । ମୁଁ ସମସ୍ତଙ୍କର ସଦ୍‌ଗତି କରୁଛି । ମୋତେ ଦୁଃଖହର୍ତ୍ତା ସୁଖକର୍ତ୍ତା ବୋଲି କୁହାଯାଉଛି । ରାମରାଜ୍ୟ ତ ନିଶ୍ଚିତ ନୂଆ ଦୁନିଆରେ ହେବ ।

ତୁମ ପାଣ୍ଡବମାନଙ୍କର ଏବେ ପ୍ରୀତି ବୁଦ୍ଧି ଅଟେ । ଏମିତି ତ ଅନେକ ଅଛନ୍ତି ଯେଉଁମାନଙ୍କର ତୁରନ୍ତ ପ୍ରୀତିବୁଦ୍ଧି ହୋଇଯାଇଥାଏ । କାହାର ପୁଣି ଧିରେ-ଧିରେ ପ୍ରୀତି ହୋଇଥାଏ । କେହି ତ କୁହନ୍ତି ବାସ୍ ଆମେ ସବୁ କିଛି ବାବାଙ୍କୁ ଅର୍ପଣ କରିଦେବୁ । ଏକମାତ୍ର ବାବାଙ୍କ ବିନା ଦ୍ୱିତୀୟ ଆମର କେହି ନାହାଁନ୍ତି । ସମସ୍ତଙ୍କର ସାହାରା ଏକମାତ୍ର ଭଗବାନ ହିଁ ଅଟନ୍ତି । ଏହା କେତେ ସରଳରୁ ସରଳ କଥା । ବାବାଙ୍କୁ ଏବଂ ଚକ୍ରକୁ ମନେ ପକାଅ ତେବେ ଚକ୍ରବର୍ତ୍ତୀ ରାଜା-ରାଣୀ ହୋଇଯିବ । ବିଶ୍ୱର ମାଲିକ ହେବା ପାଇଁ ହିଁ ଏହି ସ୍କୁଲ୍ ରହିଛି, ସେଥିପାଇଁ ଚକ୍ରବର୍ତ୍ତୀ ରାଜା ନାମ ରଖାଯାଇଛି । ଚକ୍ରକୁ ଜାଣିଗଲେ ଚକ୍ରବର୍ତ୍ତୀ ରାଜା ହୋଇପାରିବ । ଏ କଥା ବାବା ହିଁ ବୁଝାଉଛନ୍ତି । ସେଥିପାଇଁ କିଛି ଯୁକ୍ତିତର୍କ କରିବା ଅନୁଚିତ୍ । କୁହ, ଭକ୍ତିମାର୍ଗର ସବୁକଥା ଛାଡ଼ । ବାବା କହୁଛନ୍ତି କେବଳ ମୋତେ ମନେପକାଅ । ଏହା ହିଁ ମୂଳ କଥା ଅଟେ । ଯେଉଁମାନେ ତୀବ୍ର ପୁରୁଷାର୍ଥୀ ହୋଇଥାଆନ୍ତି, ସେମାନେ ପାଠପଢ଼ାରେ ଜୋର୍‌ରେ ଲାଗିଯାଇଥାନ୍ତି, ଯାହାଙ୍କର ପାଠପଢ଼ା ପ୍ରତି ସଉକ ଥାଏ ସେ ସକାଳୁ ସକାଳୁ ଉଠି ପାଠ ପଢ଼ିଥା’ନ୍ତି । ଭକ୍ତିମାର୍ଗରେ ମଧ୍ୟ ସମସ୍ତେ ସକାଳୁ ଉଠିଥା’ନ୍ତି । କେତେକ ନବଧା ଭକ୍ତି ମଧ୍ୟ କରିଥା’ନ୍ତି, ମୁଣ୍ଡ କାଟିବାକୁ ଯିବା ସମୟରେ ତାଙ୍କୁ ସାକ୍ଷତ୍‌କାର ହୋଇଥାଏ । ଏଠାରେ ତ ବାବା କହୁଛନ୍ତି ଏହି ସାକ୍ଷାତ୍‌କାର ମଧ୍ୟ କ୍ଷତିକାରକ ଅଟେ । ସାକ୍ଷାତ୍‌କାର କରିବା ଦ୍ୱାରା ପାଠପଢ଼ା ଏବଂ ଯୋଗ ଉଭୟ ବନ୍ଦ ହୋଇଯାଇଥାଏ । ସମୟ ନଷ୍ଟ ହୋଇଥାଏ ସେଥିପାଇଁ ଧ୍ୟାନ ଆଦିର ସଉକ ତ ବିଲ୍‌କୁଲ୍ ରଖିବାର ନାହିଁ । ଏହା ମଧ୍ୟ ବହୁତ ବଡ଼ ରୋଗ ଅଟେ ଯାହାଦ୍ୱାରା ମାୟାର ପ୍ରବେଶତା ହୋଇଯାଇଥାଏ । ଯେପରି ଯୁଦ୍ଧ ସମୟରେ ସମାଚାର ଶୁଣିବାରେ ମଧ୍ୟ ମଝିରେ ଏପରି ବିଶୃଂଖଳା ସୃଷ୍ଟି କରି ଦେଇଥା’ନ୍ତି ଯେ ଯେପରି କେହି ଶୁଣି ପାରିବେ ନାହିଁ । ସେହିପରି ମାୟା ମଧ୍ୟ ବହୁତଙ୍କର ବିଘ୍ନ ପକାଇଥାଏ । ବାବାଙ୍କୁ ମନେ ପକାଇବାକୁ ଦିଏ ନାହିଁ । ତେବେ ଜଣାପଡିଯାଏ ଯେ, ଏହାଙ୍କ ଭାଗ୍ୟରେ ବହୁତ ବିଘ୍ନ ଅଛି । ଦେଖିବାକୁ ହୁଏ କି ୟାଙ୍କ ଭିତରେ ମାୟା ପ୍ରବେଶ କରି ନାହିଁ ତ? ମର୍ଯ୍ୟାଦା ବର୍ହିଭୁତ କଥା କିଛି କହୁନାହାଁନ୍ତି ତ? ଯଦି ସେପରି କହୁଥା’ନ୍ତି ତେବେ ବାବା ତାକୁ ତୁରନ୍ତ ତଳକୁ ପଠାଇ ଦେଇଥାଆନ୍ତି ଅର୍ଥାତ୍ ସାକ୍ଷାତ୍‌କାର ବନ୍ଦ କରିଦିଅନ୍ତି । ବହୁତ ଲୋକ କହିଥା’ନ୍ତି - ଯଦି ଆମକୁ କେବଳ ସାକ୍ଷାତ୍‌କାର ହେବ ତେବେ ଆମେ ଏତେ ସବୁ ଧନ ସମ୍ପତ୍ତି ଆଦି ଆପଣଙ୍କୁ ଦେଇଦେବୁ । ବାବା କହୁଛନ୍ତି ତୁମେ ତୁମର ଧନ ସମ୍ପତ୍ତି ନିଜ ପାଖରେ ହିଁ ରଖ । ଭଗବାନଙ୍କୁ ତୁମ ଟଙ୍କା ପଇସାର କ’ଣ ଦରକାର? ବାବା ତ ଜାଣିଛନ୍ତି ଏହି ପୁରୁଣା ଦୁନିଆରେ ଯାହା କିଛି ଅଛି, ସବୁ ଭସ୍ମ ହୋଇଯିବ । ବାବା ସେ ସବୁ ନେଇ କ’ଣ କରିବେ? ବାବାଙ୍କ ପାଖରେ ତ ଗରିବ ପିଲାମାନଙ୍କର ଗୋଟିଏ ଗୋଟିଏ ପଇସାରେ ସେବା ହୋଇଯାଉଛି । ବାବା କହୁଛନ୍ତି ମୋ ନିର୍ଦ୍ଦେଶ ଅନୁସାରେ ଚାଲି ଯାହାକିଛି ବି ତୁମ ପାଖରେ ଅଛି ସେଥିରେ ଏହି ସେଣ୍ଟର ଖୋଲ ଯାହାକି ବିଶ୍ୱବିଦ୍ୟାଳୟ ସହିତ ଡାକ୍ତରଖାନା ମଧ୍ୟ ଅଟେ । ଯେଉଁଠାରେ ଯେ କେହି ବି ଆସି ପାଠପଢି ବିଶ୍ୱର ମାଲିକ ହୋଇପାରିବେ । ତିନିପାଦ ପୃଥିବୀ ଉପରେ ବସି ତୁମକୁ (ମନୁଷ୍ୟମାନଙ୍କୁ) ନରରୁ ନାରାୟଣ କରିବାକୁ ହେବ । କିନ୍ତୁ ୩ ପାଦ ପୃଥିବୀ ମଧ୍ୟ ମିଳୁନାହିଁ । ବାବା କହୁଛନ୍ତି ମୁଁ ତୁମକୁ ସବୁ ବେଦ-ଶାସ୍ତ୍ରର ସାର କଥା ଶୁଣାଉଛି । ଏହା ଶାସ୍ତ୍ର ସବୁ ଭକ୍ତିମାର୍ଗର ଅଟେ । ବାବା କୌଣସି ନିନ୍ଦା କରୁନାହାଁନ୍ତି । ଏହିପରି ଖେଳ ତିଆରି ହୋଇଛି । ଏ କଥା କେବଳ ବୁଝାଇବା ନିମନ୍ତେ କୁହାଯାଉଛି । ତଥାପି ଏହା ତ ଖେଳ ଅଟେ ନା । ଖେଳର ଆମେ ନିନ୍ଦା କରିପାରିବୁ ନାହିଁ । ଆମେ କହୁଛୁ ହେ ଜ୍ଞାନ ସୂର୍ଯ୍ୟ, ଜ୍ଞାନ ଚନ୍ଦ୍ରମା ତେଣୁ ସେମାନେ ପୁଣି ଚନ୍ଦ୍ର ଆଦିରେ ଯାଇ ଖୋଜୁଛନ୍ତି । ସେଠାରେ କ’ଣ ରାଜପଦ ରଖାଯାଇଛି କି? ଜାପାନୀ ଲୋକମାନେ ସୂର୍ଯ୍ୟଙ୍କୁ ମାନିଥା’ନ୍ତି । ଆମେ ସୂର୍ଯ୍ୟବଂଶୀ ବୋଲି କହୁଛୁ, ସେମାନେ ପୁଣି ସୂର୍ଯ୍ୟଙ୍କର ପୂଜା କରୁଛନ୍ତି, ସୂର୍ଯ୍ୟଙ୍କୁ ପାଣି ଦେଉଛନ୍ତି । ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ କୌଣସି କଥାରେ ଅଧିକ ଯୁକ୍ତିତର୍କ କରିବାର ନାହିଁ । ଗୋଟିଏ କଥା ହିଁ ଶୁଣାଅ ଯେ ବାବା କହୁଛନ୍ତି - ମୋତେ ମନେପକାଇଲେ ପବିତ୍ର ହୋଇଯିବ । ଏବେ ରାବଣ ରାଜ୍ୟରେ ସମସ୍ତେ ପତିତ ହୋଇଯାଇଛନ୍ତି । କିନ୍ତୁ ନିଜକୁ ପତିତ ବୋଲି କେହି ମାନୁନାହାଁନ୍ତି ।

ପିଲାମାନେ, ତୁମର ଗୋଟିଏ ଆଖିରେ ଶାନ୍ତିଧାମ, ଅନ୍ୟ ଆଖିରେ ସୁଖଧାମ ରହୁ ବାକି ଏହି ଦୁଃଖଧାମକୁ ଭୁଲିଯାଅ । ତୁମେ ଚୈତନ୍ୟ ଲାଇଟ୍ ହାଉସ ଅଟ । ଏବେ ପ୍ରଦର୍ଶନୀର ମଧ୍ୟ ନାମ ରଖାଯାଇଛି - ଭାରତ ଦି ଲାଇଟ୍ ହାଉସ ... କିନ୍ତୁ ସେମାନେ ବୁଝିପାରିବେ ନାହିଁ । ତୁମେ ବର୍ତ୍ତମାନ ଲାଇଟ୍ ହାଉସ ଅଟ ନା । ବନ୍ଦରମାନଙ୍କରେ ଲାଇଟ୍ ହାଉସ ଷ୍ଟିମରକୁ ରାସ୍ତା ଦେଖାଇଥାଏ । ତୁମେ ମଧ୍ୟ ସମସ୍ତଙ୍କୁ ମୁକ୍ତି ଏବଂ ଜୀବନମୁକ୍ତିଧାମର ରାସ୍ତା ବତାଉଛ । କେହି ପ୍ରଦର୍ଶନୀକୁ ଆସିଲେ ତାଙ୍କୁ ବହୁତ ସ୍ନେହର ସହିତ କୁହ - ଈଶ୍ୱର ପିତା ତ ସମସ୍ତଙ୍କର ଏକ ଅଟନ୍ତି ନା । ଈଶ୍ୱର ପିତା ଅଥବା ପରମପିତା କହୁଛନ୍ତି କି ମୋତେ ମନେପକାଅ, ତେବେ ନିଶ୍ଚୟ ମୁଖ ଦ୍ୱାରା କହିବେ ନା । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଆମେ ସବୁ ବ୍ରାହ୍ମଣ-ବ୍ରାହ୍ମଣୀମାନେ ବ୍ରହ୍ମାମୁଖ ବଂଶାବଳୀ ଅଟୁ । ହଦର ବ୍ରାହ୍ମଣମାନେ ମଧ୍ୟ ତୁମ ବ୍ରାହ୍ମଣମାନଙ୍କର ମହିମାର ଗାୟନ କରିଥା’ନ୍ତି ଯେ ବ୍ରାହ୍ମଣ ଦେବତାୟ ନମଃ । ଏକମାତ୍ର ବାବା ହିଁ ସର୍ବୋଚ୍ଚ ଅଟନ୍ତି । ସେ କହୁଛନ୍ତି ମୁଁ ତୁମକୁ ସର୍ବୋଚ୍ଚ ରାଜଯୋଗ ଶିଖାଉଛି, ଯାହା ଦ୍ୱାରା ତୁମେ ସାରା ବିଶ୍ୱର ମାଲିକ ହେଉଛ । ସେହି ରାଜତ୍ତ୍ୱ ତୁମଠାରୁ କେହି ଛଡ଼ାଇ ନେଇପାରିବେ ନାହିଁ । ସମଗ୍ର ବିଶ୍ୱ ଉପରେ ଭାରତର ରାଜ୍ୟ ଚାଲିଥିଲା । ଭାରତର କେତେ ମହିମା ରହିଛି । ଏବେ ତୁମେ ଜାଣୁଛ ଯେ ଆମେ ଶ୍ରୀମତ ଆଧାରରେ ଏହି ରାଜ୍ୟ ସ୍ଥାପନ କରୁଛୁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ତୀବ୍ର ପୁରୁଷାର୍ଥୀ ହେବା ପାଇଁ ପାଠପଢ଼ାର ସଉକ ରଖିବାକୁ ହେବ । ସକାଳୁ-ସକାଳୁ ଉଠି ପାଠପଢ଼ିବାକୁ ହେବ । ସାକ୍ଷାତ୍‌କାରର ଆଶା ରଖିବାର ନାହିଁ, କାରଣ ଏଥିରେ ମଧ୍ୟ ସମୟ ନଷ୍ଟ ହୋଇଥାଏ ।

(୨) ଶାନ୍ତିଧାମ ଓ ସୁଖଧାମକୁ ମନେ ପକାଇବାକୁ ହେବ, ଏହି ଦୁଃଖଧାମକୁ ଭୁଲିଯିବାକୁ ହେବ । କାହା ସହିତ ମଧ୍ୟ ଯୁକ୍ତିତର୍କ ନ କରି ସ୍ନେହର ସହିତ ମୁକ୍ତି ଏବଂ ଜୀବନମୁକ୍ତିଧାମର ରାସ୍ତା ବତାଇବାକୁ ହେବ ।

ବରଦାନ:-
ସର୍ବଦା ସୁଖର ସାଗରରେ ଲବଲୀନ ଅର୍ଥାତ୍‌ ମଗ୍ନ ରହୁଥିବା ଅନ୍ତର୍ମୁଖୀ ଆତ୍ମା ଭବ ।

ଗାୟନ ଅଛି ଅନ୍ତର୍ମୁଖୀ ସଦା ସୁଖୀ । ଯେଉଁ ପିଲାମାନେ ସର୍ବଦା ଅନ୍ତର୍ମୁଖୀ ଭବର ବରଦାନ ପ୍ରାପ୍ତ କରିନିଅନ୍ତି ସେମାନେ ବାବାଙ୍କ ସମାନ ସର୍ବଦା ସୁଖର ସାଗରରେ ଲବଲୀନ ରହିଥାଆନ୍ତି, ସୁଖଦାତାଙ୍କର ସନ୍ତାନ ହୋଇଥିବା କାରଣରୁ ନିଜେ ମଧ୍ୟ ସୁଖଦାତା ହୋଇଯାଆନ୍ତି, ସର୍ବ ଆତ୍ମାଙ୍କୁ ସୁଖର ହିଁ ସମ୍ପତ୍ତି ବାଣ୍ଟି ଚାଲନ୍ତି । ତେଣୁ ଏବେ ଅନ୍ତର୍ମୁଖୀ ହୋଇ ଏଭଳି ସମ୍ପନ୍ନ ମୂର୍ତ୍ତି ହୋଇଯାଅ ଯାହାକି ତୁମ ପାଖକୁ ଯିଏ ବି ଆସୁ, ଯେ କୌଣସି ଭାବନା ରଖି ଆସୁ, ନିଜର ଭାବନାକୁ ସମ୍ପନ୍ନ କରିଯାଉ । ଯେପରି ବାବାଙ୍କର ଭଣ୍ଡାରରେ କୌଣସି ବି ବସ୍ତୁ ଅପ୍ରାପ୍ତ ନୁହେଁ ସେହିପରି ତୁମେମାନେ ମଧ୍ୟ ବାବାଙ୍କ ସମାନ ଭରପୁର ହୁଅ ।

ସ୍ଲୋଗାନ:-
ଯଦି ସଦାସର୍ବଦା ନିଜର ଆତ୍ମିକ ସ୍ୱାଭିମାନରେ ରହିବ ତେବେ ଅଭିମାନ କେବେ ବି ଆସିପାରିବ ନାହିଁ ।