19.06.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସବୁଠାରୁ ମୂଳ ବା ପ୍ରଥମ ସେବା ହେଲା ବାବାଙ୍କ ସ୍ମୃତିରେ ରହିବା ଏବଂ ଅନ୍ୟମାନଙ୍କୁ ସ୍ମରଣ କରାଇ ଦେବା, ତୁମେମାନେ କାହାକୁ ବି ବାବାଙ୍କର ପରିଚୟ ଦେଇ ତାଙ୍କର କଲ୍ୟାଣ କରିପାରିବ ।”

ପ୍ରଶ୍ନ:-
କେଉଁ ଗୋଟିଏ ଛୋଟିଆ ଅଭ୍ୟାସ ମଧ୍ୟ ବହୁତ ବଡ ଅବଜ୍ଞା କରାଇ ଦେଇଥାଏ? ସେଥିରୁ ମୁକ୍ତ ରହିବାର ଉପାୟ କ’ଣ?

ଉତ୍ତର:-
ଯଦି କାହା ଭିତରେ କିଛି ବି ଲୁଚାଇବାର ବା ଚୋରି କରିବାର ଅଭ୍ୟାସ ଥିବ ତେବେ ତା’କୁ ବହୁତ ବଡ ଅବଜ୍ଞା କୁହାଯିବ । କଥାରେ ଅଛି - କାଣୀ କଉଡିଟିଏ ଚୋରି କରିବା ଯାହା, ଲକ୍ଷେ ଟଙ୍କା ଚୋରି କରିବା ସେଇଆ । ଲୋଭର ବଶୀଭୂତ ହୋଇ ବା ଭୋକ ଲାଗିବା କାରଣରୁ ହେଉ, ବିନା ଅନୁମତିରେ ଲୁଚାଇ ଖାଇ ଦେବା ବା ଚୋରି କରି ନେବା - ଏହା ବହୁତ ଖରାପ ଅଭ୍ୟାସ । ଏହି ଅଭ୍ୟାସରୁ ମୁକ୍ତ ହେବା ପାଇଁ ବ୍ରହ୍ମାବାବାଙ୍କ ଭଳି ଟ୍ରଷ୍ଟୀ ହୁଅ । ଏହିଭଳି ଯାହା ବି ସବୁ ଖରାପ ଅଭ୍ୟାସ ଅଛି ସେଗୁଡିକୁ ସତ୍ୟତା ପୂର୍ବକ ବାବାଙ୍କୁ ଶୁଣାଇ ଦିଅ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ପିଲାମାନେ ଜାଣିଛନ୍ତି ଆମେ ଅବିନାଶୀ ବାବାଙ୍କ ସମ୍ମୁଖରେ ବସିଛୁ, ଆମେ ଈଶ୍ୱରୀୟ ପରିବାରର ଅଟୁ । ଈଶ୍ୱର ନିରାକାର ଅଟନ୍ତି । ଏକଥା ମଧ୍ୟ ଜାଣିଛନ୍ତି ଯେ, ତୁମେ ଆତ୍ମ- ଅଭିମାନୀ ହୋଇ ବସିଛ । ଏଥିରେ କୌଣସି ପ୍ରକାରର ବିଜ୍ଞାନର ଅହଂକାର ବା ହଠଯୋଗ ଆଦି କରିବାର କଥା ନାହିଁ । ଏହା ହେଉଛି ବୁଦ୍ଧିର କାମ । ଏଥିରେ ଏହି ଶରୀରର କିଛି ବି କାମ ନାହିଁ । ହଠଯୋଗରେ ଶରୀରର କାମ ରହିଥାଏ । ଏଠାରେ ଆମେ ନିଜକୁ ବାବାଙ୍କର ସନ୍ତାନ ମନେ କରି ତାଙ୍କ ସମ୍ମୁଖରେ ବସିଛୁ । ଆମେ ଜାଣିଛୁ ଯେ, ବାବା ଆମକୁ ରାଜଯୋଗର ପାଠ ପଢ଼ାଉଛନ୍ତି । ପ୍ରଥମତଃ ବାବା କହୁଛନ୍ତି ନିଜକୁ ଆତ୍ମା ମନେକରି ବାବାଙ୍କୁ ମନେ ପକାଅ ତେବେ ମିଠା ମିଠା ସନ୍ତାନମାନେ, ତୁମର ସବୁ ପାପ କଟିଯିବ । ତା’ ସହିତ ସ୍ୱଦର୍ଶନ ଚକ୍ର ମଧ୍ୟ ଘୂରାଅ ଏବଂ ଅନ୍ୟମାନଙ୍କର ସେବା କରି ନିଜ ସମାନ କର । ବାବା ଜଣ ଜଣକୁ ଦେଖୁଛନ୍ତି ଯେ ଇଏ କି ସେବା କରୁଛନ୍ତି । ସ୍ଥୂଳ ସେବା, ସୂକ୍ଷ୍ମ ସେବା ଅଥବା ମୂଳ ସେବା କରୁଛନ୍ତି । ତେବେ ବାବା ପ୍ରତି ପିଲାମାନଙ୍କୁ ଦେଖୁଛନ୍ତି । ଇଏ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେଉଛନ୍ତି? ଏହା ହିଁ ହେଉଛି ମୂଳକଥା । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେଉଛନ୍ତି, ଅନ୍ୟମାନଙ୍କୁ ବୁଝାଉଛନ୍ତି ଯେ ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ଜନ୍ମ ଜନ୍ମାନ୍ତରର ପାପ କଟିଯିବ । ଏହି ସେବା କେତେ କରୁଛନ୍ତି? ନିଜ ସହିତ ତୁଳନା କରୁଛନ୍ତି, ସବୁଠାରୁ ଅଧିକ ସେବା କିଏ କରୁଛି? ମୁଁ କାହିଁକି ଏହାଙ୍କଠାରୁ ଅଧିକ ସେବା ନ କରିବି! ମୁଁ ଏହାଙ୍କଠାରୁ ମଧ୍ୟ ଅଧିକ ଯୋଗ ରୂପୀ ଯାତ୍ରାରେ ରହିପାରିବି ନା ନାହିଁ? ବାବା ସମସ୍ତଙ୍କୁ ଦେଖୁଛନ୍ତି । ବାବା ସମସ୍ତଙ୍କୁ ସମାଚାର ପଚାରୁଛନ୍ତି - କ’ଣ କ’ଣ ସେବା କରୁଛ? କାହାକୁ ବାବାଙ୍କର ପରିଚୟ ଦେଇ ତାଙ୍କର କଲ୍ୟାଣ କରୁଛ? ସମୟ ନଷ୍ଟ କରୁନାହଁ ତ’? ଏହା ହିଁ ହେଉଛି ମୂଳକଥା, ବର୍ତ୍ତମାନ ସମସ୍ତେ ଅନାଥ ହୋଇଯାଇଛନ୍ତି । ଅବିନାଶୀ ବାବାଙ୍କୁ କେହି ବି ଜାଣିନାହାଁନ୍ତି । ବାବାଙ୍କଠାରୁ ସମ୍ପତ୍ତି ତ’ ନିଶ୍ଚିତ ଭାବରେ ମିଳୁଛି । ତୁମ ବୁଦ୍ଧିରେ ମୁକ୍ତି-ଜୀବନ ମୁକ୍ତିଧାମ ଉଭୟ ରହିଛି । ପିଲାମାନେ ଏକଥା ମଧ୍ୟ ବୁଝିବା ଦରକାର ଯେ ଆମେ ଏବେ ପାଠ ପଢ଼ୁଛୁ ପୁଣି ସ୍ୱର୍ଗକୁ ଆସି ଜୀବନମୁକ୍ତିର ରାଜ୍ୟଭାଗ୍ୟ ନେବୁ, ବାକି ଅନ୍ୟ ଧର୍ମର ଯେଉଁ ଅନେକ ଆତ୍ମାମାନେ ଅଛନ୍ତି, ସେମାନେ ତ’ କେହି ବି ରହିବେ ନାହିଁ । କେବଳ ଆମେ ହିଁ ଭାରତରେ ରହିବୁ । ବାବା ବସି ପିଲାମାନଙ୍କୁ ଶିଖାଉଛନ୍ତି - ତୁମମାନଙ୍କ ବୁଦ୍ଧିରେ କ’ଣ କ’ଣ ସବୁ ରହିବା ଦରକାର? ଏବେ ତୁମେ ସଙ୍ଗମ ଯୁଗରେ ଅଛ, ତେଣୁ ତୁମର ଖାଇବା ପିଇବା ମଧ୍ୟ ଶୁଦ୍ଧ ପବିତ୍ର ହେବା ଦରକାର । ତୁମେ ଜାଣିଛ ଆମେ ଭବିଷ୍ୟତରେ ସର୍ବଗୁଣ ସମ୍ପନ୍ନ, ୧୬ କଳା ସଂପୂର୍ଣ୍ଣ, ସଂପୂର୍ଣ୍ଣ ନିର୍ବିକାରୀ ହେବୁ । ଏହି ମହିମା ହେଲା ଶରୀରଧାରୀ ଆତ୍ମାମାନଙ୍କର, କେବଳ ଆତ୍ମାର ମହିମା ନୁହେଁ । ପ୍ରତ୍ୟେକ ଆତ୍ମାମାନଙ୍କର ଅଭିନୟ ନିଜସ୍ୱ ଅଟେ, ଯାହାକି ଏଠାରେ ଆସି କରୁଛନ୍ତି । ତୁମ ବୁଦ୍ଧିରେ ଏହି ଲକ୍ଷ୍ୟ ଉଦ୍ଦେଶ୍ୟ ଅଛି ଯେ, ଆମକୁ ମଧ୍ୟ ଏହାଙ୍କ ପରି ହେବାକୁ ପଡିବ । ବାବାଙ୍କର ନିର୍ଦ୍ଦେଶ ହେଲା - ପିଲାମାନେ ପବିତ୍ର ହୁଅ । ତେବେ ପଚାରୁଛନ୍ତି କିପରି ପବିତ୍ର ରହିବୁ? କାହିଁକି ନା ମାୟାର ବହୁତ ତୋଫାନ ଆସୁଛି । ବୁଦ୍ଧି କୁଆଡେ-କୁଆଡେ ଚାଲି ଯାଉଛି । ତାକୁ କିପରି ଛାଡିବୁ? ପିଲାମାନଙ୍କର ବୁଦ୍ଧି ତ’ ଚାଲୁଛି ନା । ଆଉ କାହାର ବୁଦ୍ଧି ଚାଲୁନାହିଁ । ତୁମକୁ ପିତା, ଶିକ୍ଷକ, ଗୁରୁ ମଧ୍ୟ ମିଳିଛନ୍ତି । ଏକଥା ମଧ୍ୟ ତୁମେ ଜାଣିଛ - ସର୍ବୋଚ୍ଚ ହେଲେ ଭଗବାନ । ସିଏ ପିତା, ଶିକ୍ଷକ, ଜ୍ଞାନର ସାଗର ମଧ୍ୟ ଅଟନ୍ତି । ବାବା ଆସିଛନ୍ତି ଆମ ଆତ୍ମାମାନଙ୍କୁ ସାଥିରେ ନେଇଯିବା ପାଇଁ । ସତ୍ୟଯୁଗରେ ବହୁତ କମ୍ ସଂଖ୍ୟକ ଦେବୀ-ଦେବତା ରହିବେ, ଏ ସବୁ କଥା ତୁମ ବ୍ୟତୀତ ଆଉ କାହାରି ବୁଦ୍ଧିରେ ନ ଥିବ । ତୁମ ବୁଦ୍ଧିରେ ଅଛି ଯେ ବିନାଶ ପରେ କେବଳ ଆମେମାନେ ହିଁ ରହିବୁ, ଆଉ ଏତେ ସବୁ ଧର୍ମ, ରାଷ୍ଟ୍ର ଆଦି ରହିବ ନାହିଁ । ଆମେ ହିଁ ବିଶ୍ୱର ମାଲିକ ହେବୁ । ଆମର ଏକମାତ୍ର ରାଜ୍ୟ ହେବ, ତାହା ବହୁତ ସୁଖର ରାଜ୍ୟ ହେବ । ବାକି ସେଠାରେ ଭିନ୍ନ ଭିନ୍ନ ପଦ ରହିବ । ଆମର ପଦ କ’ଣ ହେବ? ଆମେ କେତେ ଆତ୍ମିକ ସେବା କରୁଛୁ? ବାବା ମଧ୍ୟ ପଚାରୁଛନ୍ତି, ଏପରି ନୁହେଁ ଯେ ବାବା ଅନ୍ତର୍ଯ୍ୟାମୀ, ପ୍ରତ୍ୟେକ ସନ୍ତାନ ନିଜେ ଜାଣିପାରିବେ ଯେ - ଆମେ କ’ଣ କରୁଛୁ? ଏକଥା ତୁମେ ନିଶ୍ଚିତ ଭାବରେ ଜାଣିଛ ଯେ ଶ୍ରୀମତ ଆଧାରରେ ପ୍ରଥମ ନମ୍ବର ସେବା ଏହି ଦାଦା ହିଁ କରୁଛନ୍ତି । ବାରମ୍ବାର ବାବା ବୁଝାଉଛନ୍ତି - ମିଠା ମିଠା ସନ୍ତାନମାନେ - ନିଜକୁ ଆତ୍ମା ମନେ କର, ଦେହ-ଅଭିମାନକୁ ଛାଡ । ତେବେ ନିଜକୁ କେତେ ସମୟ ଆତ୍ମ ନିଶ୍ଚୟ କରୁଛ? ଏହି କଥା ପକ୍କା କରିବାକୁ ହେବ ଯେ - ଆମେ ଆତ୍ମା ଅଟୁ । ଆମକୁ ବାବାଙ୍କୁ ହିଁ ମନେପକାଇବାକୁ ହେବ, ଏହା ଦ୍ୱାରା ହିଁ ଜୀବନ ରୂପୀ ନୌକା ପାରି ହୋଇଯିବ । ବାବାଙ୍କୁ ମନେ ପକାଇ ପକାଇ ଆମେ ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଚାଲିଯିବୁ, ଏବେ ବାକି ଅଳ୍ପ ସମୟ ଅଛି । ପୁଣି ଆମେ ନିଜର ସୁଖଧାମକୁ ଚାଲିଯିବୁ । ମୁଖ୍ୟ ଆତ୍ମିକ ସେବା ହେଲା - ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବା, ଏହା ହେଲା ସବୁଠାରୁ ସହଜ କଥା । ସ୍ଥୂଳ ସେବା କରିବାରେ, ଭୋଜନ ପ୍ରସ୍ତୁତ କରିବାରେ, ଖାଇବାରେ ମଧ୍ୟ ମେହେନତ କରିବାକୁ ପଡିଥାଏ । କିନ୍ତୁ ଏଥିରେ ତ’ ମେହେନତର କୌଣସି କଥା ହିଁ ନାହିଁ । କେବଳ ନିଜକୁ ଆତ୍ମା ଭାବିବାକୁ ହେବ । ଆତ୍ମା ଅବିନାଶୀ, ଶରୀର ବିନାଶୀ । ଆତ୍ମା ହିଁ ସମସ୍ତ ଅଭିନୟ କରୁଛି । ଏହି ଶିକ୍ଷା ବାବା ଥରେ ମାତ୍ର ଆସି ଦେଇଥା’ନ୍ତି, ଯେତେବେଳେ କି ବିନାଶର ସମୟ ହୋଇଥାଏ । ନୂଆ ଦୁନିଆ ଦେବୀ-ଦେବତାମାନଙ୍କର ହିଁ ଅଟେ, ତେଣୁ ନୂଆ ଦୁନିଆକୁ ନିଶ୍ଚିତ ଭାବରେ ଯିବାକୁ ହେବ । ବାକି ସାରା ଦୁନିଆର ଆତ୍ମାମାନେ ଶାନ୍ତିଧାମକୁ ଯିବେ, ଏହି ପୁରୁଣା ଦୁନିଆ ରହିବ ନାହିଁ । ତୁମେ ନୂଆ ଦୁନିଆରେ ଥିବା ସମୟରେ ପୁରୁଣା ଦୁନିଆ ମନେପଡିବ କି? ମୋଟେ ନୁହେଁ । ତୁମେ ସ୍ୱର୍ଗରେ ହିଁ ରହି, ରାଜ୍ୟ କରିବ । ଏହି କଥା ବୁଦ୍ଧିରେ ରହିଲେ ଖୁସି ମିଳିଥାଏ । ସ୍ୱର୍ଗର ତ ଅନେକ ନାମ ଦିଆଯାଇଛି, ନର୍କକୁ ମଧ୍ୟ ଅନେକ ନାମ ଦେଇଛନ୍ତି - ପାପ ଆତ୍ମାମାନଙ୍କର ଦୁନିଆ, ହେଲ୍‌, ଦୁଃଖଧାମ । ଏବେ ତୁମେମାନେ ଜାଣୁଛ - ଅବିନାଶୀ ପିତା କେବଳ ଜଣେ । ଆମେମାନେ ତାଙ୍କର ସିକିଲଧେ ସନ୍ତାନ ଅଟୁ, ତେଣୁ ଏଭଳି ବାବାଙ୍କ ପ୍ରତି ବହୁତ ସ୍ନେହ ରହିବା ଉଚିତ୍ । ବାବାଙ୍କର ମଧ୍ୟ ପିଲାମାନଙ୍କ ପ୍ରତି ବହୁତ ସ୍ନେହ ରହିଛି, ଯିଏକି ବହୁତ ସେବା କରି କଣ୍ଟାରୁ ଫୁଲ କରୁଛନ୍ତି । ଆମକୁ ମନୁଷ୍ୟରୁ ଦେବତା ହେବାକୁ ପଡିବ ନା । ବାବା ନିଜେ ହେଉନାହାଁନ୍ତି, ଆମକୁ ପାବନ ଦେବତା କରିବା ପାଇଁ ଆସିଛନ୍ତି । ତେଣୁ ତୁମକୁ ବହୁତ ଖୁସିରେ ରହିବା ଉଚିତ୍ । ସ୍ୱର୍ଗରେ ଆମେ କେଉଁ ପଦ ପାଇବୁ? ଆମେ କ’ଣ ସେବା କରୁଛୁ? ଘରେ ଚାକର, ବାକର ଅଛନ୍ତି ତେବେ ସେମାନଙ୍କୁ ମଧ୍ୟ ବାବାଙ୍କର ପରିଚୟ ଦେବା ଉଚିତ୍ । ଯେଉଁମାନେ ନିଜ ସମ୍ପର୍କରେ ଆସୁଛନ୍ତି - ସେମାନଙ୍କୁ ଶିକ୍ଷା ଦେବା ଦରକାର । ଅବଳା, ଗରିବ, ଶବର ଆଦି ସମସ୍ତଙ୍କର ସେବା କରିବାକୁ ହେବ ନା । ଗରିବ ତ’ ବହୁତ ଅଛନ୍ତି, ସେମାନେ ସୁଧୁରିଯିବେ, କୌଣସି ପାପ ଆଦି କରିବେ ନାହିଁ । ଦେଖୁଛ କେତେ ମିଛ, ଚୋରୀ ଇତ୍ୟାଦି ହେଉଛି । ଚାକରମାନେ ମଧ୍ୟ ଚୋରୀ କରୁଛନ୍ତି । ନଚେତ୍ ଘରେ ତ ପିଲାମାନେ ଅଛନ୍ତି ପୁଣି ତାଲା କାହିଁକି ପକାଉଛ । କିନ୍ତୁ ଆଜିକାଲି ପିଲା ମଧ୍ୟ ଚୋର ହୋଇ ଯାଉଛନ୍ତି । କିଛି ନା କିଛି ଲୁଚାଇ ଉଠାଇ ନେଉଯାଉଛନ୍ତି । କାହାକୁ ଭୋକ ଲାଗିଲେ ଲୋଭ କାରଣରୁ ଖାଇଦେଉଛନ୍ତି । ଲୋଭୀ କିଛି ନା କିଛି ଚୋରି କରି ଖାଇଦେଉଥିବ । ଏହା ଶିବବାବାଙ୍କର ଭଣ୍ଡାର, ଏଥିରୁ ପଇସାଟିଏ ମଧ୍ୟ ଚୋରି କରିବା ଉଚିତ୍ ନୁହେଁ । ବ୍ରହ୍ମା ତ’ ନିମିତ୍ତ ଅଟନ୍ତି । ଅବିନାଶୀ ଈଶ୍ୱର ପିତା ତୁମ ପାଖକୁ ଆସିଛନ୍ତି, ଭଗବାନଙ୍କ ଘରେ କ’ଣ କେହି କେବେ ଚୋରି କରୁଥିବେ? ସ୍ୱପ୍ନରେ ମଧ୍ୟ ନୁହେଁ । ତୁମେ ଜାଣିଛ ସବୁଠାରୁ ଉଚ୍ଚରୁ ଉଚ୍ଚ ହେଲେ ଶିବ ଭଗବାନ୍‌, ଆମେମାନେ ତାଙ୍କର ସନ୍ତାନ । ତେଣୁ ଆମକୁ ଦୈବୀ କର୍ମ କରିବାକୁ ହେବ ।

ତୁମେ ଚୋରୀ କଲାବାଲାଙ୍କୁ ମଧ୍ୟ ଜେଲ୍‌କୁ ଯାଇ ଜ୍ଞାନ ଦେଉଛ । ଏଠାରେ କ’ଣ ଚୋରୀ କରିବେ? କେବେ ଆମ୍ବ ଉଠାଇଲେ, କେବେ କୌଣସି ଜିନିଷ ଉଠାଇ ଖାଇଲେ - ଏହା ମଧ୍ୟ ଚୋରୀ ଅଟେ ନା । ତେଣୁ ନ ପଚାରି କୌଣସି ଜିନିଷ ଉଠାଇବା ଉଚିତ୍ ନୁହେଁ । ହାତ ମଧ୍ୟ ଲଗାଇବା ଉଚିତ୍ ନୁହେଁ । ଶିବବାବା ଆମର ପିତା, ସିଏ ସବୁ ଶୁଣୁଛନ୍ତି, ସବୁ ଦେଖୁଛନ୍ତି । ସିଏ ପଚାରୁଛନ୍ତି ପିଲାମାନେ ତୁମମାନଙ୍କ ଭିତରେ କୌଣସି ଅବଗୁଣ ନାହିଁ ତ? ଯଦି କୌଣସି ଅବଗୁଣ ଅଛି ତେବେ ଶୁଣାଇ ଦିଅ, ଦାନ ଦେଇଦିଅ । ଦାନ ଦେଇ ପୁଣି ଯଦି କୌଣସି ଅବଜ୍ଞା କରିବ ତେବେ ବହୁତ ଦଣ୍ଡ ପାଇବ । ଚୋରୀର ଅଭ୍ୟାସ ବହୁତ ଖରାପ । ଧରିନିଅ କେହି ସାଇକେଲ୍ ଉଠାଇ ନେଇଯାଉଛନ୍ତି କିନ୍ତୁ ଧରାପଡିଯାଉଛନ୍ତି । କେହି ଦୋକାନକୁ ଯାଇ ବିସ୍କୁଟ୍ ଡବା ଲୁଚାଇ ଦେଲେ ଅଥବା କୌଣସି ଛୋଟ ଛୋଟ ଜିନିଷ ଲୁଚାଇ ଦିଅନ୍ତି ତେବେ ଦୋକାନୀ ଏଥିପ୍ରତି ବହୁତ ନଜର ରଖିଥା’ନ୍ତି । ଏହା ତ ବହୁତ ବଡ ସରକାର । ପାଣ୍ଡବ ସରକାର ନିଜର ଦୈବୀ ରାଜତ୍ୱ ସ୍ଥାପନ କରୁଛନ୍ତି । ବାବା କହୁଛନ୍ତି - ମୁଁ ତ’ ରାଜତ୍ୱ କରୁନାହିଁ, ତୁମେମାନେ ପାଣ୍ଡବମାନେ ହିଁ ସେଠାକୁ ଯାଇ ରାଜ୍ୟ କରୁଛ । ସେମାନେ ପୁଣି କୃଷ୍ଣଙ୍କୁ ପାଣ୍ଡବପତି ବୋଲି କହିଦେଉଛନ୍ତି ତେବେ ପାଣ୍ଡବ ପିତା କିଏ? ତୁମେ ଜାଣିଛ - ସିଏ ଆମର ସମ୍ମୁଖରେ ବସିଛନ୍ତି । ତେବେ ପ୍ରତ୍ୟେକ ନିଜକୁ ଜାଣିଛନ୍ତି - ଆମେ ବାବାଙ୍କର କି ସେବା କରୁଛୁ । ବାବା ଆମକୁ ବିଶ୍ୱର ବାଦଶାହୀ ଦେଇ ନିଜେ ବାନପ୍ରସ୍ଥକୁ ଚାଲି ଯାଉଛନ୍ତି । ବାବା କେତେ ନିଷ୍କାମ ସେବା କରୁଛନ୍ତି । ଏହା ଦ୍ୱାରା ସମସ୍ତେ ସୁଖୀ ଏବଂ ଶାନ୍ତ ହୋଇଯାଉଛନ୍ତି । ମନୁଷ୍ୟମାନେ ତ’ କେବଳ କହୁଛନ୍ତି ବିଶ୍ୱରେ ଶାନ୍ତି ହୋଇଯାଉ, ସେଥିପାଇଁ ଶାନ୍ତିର ପୁରସ୍କାର ମଧ୍ୟ ଦେଉଛନ୍ତି । ଏଠାରେ ତୁମେ ଜାଣୁଛ ଆମକୁ ବହୁତ ବଡ ପୁରସ୍କାର ମିଳୁଛି । ଯିଏ ଭଲ ସେବା କରୁଛନ୍ତି, ତାଙ୍କୁ ବଡ ପୁରସ୍କାର ମିଳିଥାଏ । ସର୍ବୋଚ୍ଚ ସେବା ହେଲା - ବାବାଙ୍କର ପରିଚୟ ଦେବା, ଏହା ତ’ କେହି ବି କରିପାରିବେ । ପିଲାମାନଙ୍କୁ ଦେବତା ହେବାର ଅଛି ତେଣୁ ସେବା ମଧ୍ୟ କରିବା ଦରକାର ନା । ଏହି ବ୍ରହ୍ମାଙ୍କୁ ଦେଖ ଏହାଙ୍କର ମଧ୍ୟ ଲୌକିକ ପରିବାର ଥିଲା । ଶିବବାବା ପୁଣି ଏହାଙ୍କ ଦ୍ୱାରା କରାଇଲେ । ଏହାଙ୍କ ଶରୀରରେ ପ୍ରବେଶ କରି ଏହାଙ୍କୁ କହୁଛନ୍ତି ଏବଂ ତୁମକୁ ମଧ୍ୟ କହୁଛନ୍ତି ଯେ, ଏହି ସେବା କର । ମୋତେ କିପରି କହିବେ? ମୋ ଭିତରେ ପ୍ରବେଶ ହୋଇ କରାଉଛନ୍ତି । ବାବା କରନକରାବନହାର ଅଟନ୍ତି ନା । ବାବାଙ୍କ ଶରୀରରେ ପ୍ରବେଶ କରି କହିଲେ ଏହି ପୁରୁଣା ଦୁନିଆକୁ ଛାଡ, ଏହା ତ’ ବିକାରୀ ଦୁନିଆ, ଏବେ ତୁମେ ବୈକୁଣ୍ଠକୁ ଚାଲ । ଏବେ ତୁମକୁ ବୈକୁଣ୍ଠର ମାଲିକ ହେବାକୁ ପଡିବ । ତେଣୁ ବୈରାଗ୍ୟ ଆସିଗଲା । ତାଙ୍କୁ ଦେଖି ଅନ୍ୟମାନେ ଭାବୁଥିଲେ - ଏହାଙ୍କର କ’ଣ ହୋଇଛି । ଏତେ ବଡ ଲାଭଦାୟକ ବ୍ୟବସାୟର ମାଲିକ ଏସବୁ କ’ଣ କରୁଛନ୍ତି! ଏକଥା କ’ଣ ଜାଣିଥିଲେ ଯେ, ଏସବୁ ତ୍ୟାଗ କରିବା ଦ୍ୱାରା କ’ଣ ହେବେ? ତ୍ୟାଗ କରିବା କ’ଣ ବଡ କଥା କି! ବାସ୍‌, ସବୁକିଛି ତ୍ୟାଗ କରିଦେଲେ ଏବଂ ସମସ୍ତଙ୍କୁ ମଧ୍ୟ ତ୍ୟାଗ କରାଇଲେ । ପିଲାମାନଙ୍କୁ ମଧ୍ୟ ତ୍ୟାଗ କରାଇଲେ । ବର୍ତ୍ତମାନ ଏହି ଆତ୍ମିକ ସେବା କରି, ସମସ୍ତଙ୍କୁ ପବିତ୍ର କରିବାକୁ ହେବ । ସମସ୍ତେ କହୁଥିଲେ - ଆମେ ଜ୍ଞାନ ଅମୃତ ପିଇବାକୁ ଯାଉଛୁ । ତେବେ ଏହି ଯୁକ୍ତି କିଏ ରଚନା କରିଛନ୍ତି? ଶିବବାବା ଏହାଙ୍କର ଶରୀରରେ ପ୍ରବେଶ କରି କେତେ ଭଲ ଯୁକ୍ତି ରଚନା କରୁଛନ୍ତି । ଯିଏ କେହି ବି ଆସିବ, ଜ୍ଞାନ ଅମୃତ ପିଇବ । ଏ କଥାର ମଧ୍ୟ ଗାୟନ ଅଛି ଯେ ଅମୃତ ଛାଡି ବିଷ କାହିଁକି ପିଇଲ । ଏହି ବିଷ ଛାଡି ଜ୍ଞାନ ଅମୃତ ପିଇ ପବିତ୍ର ଦେବତା ହେବାକୁ ପଡିବ । ଆରମ୍ଭରୁ ଏହି କଥା ଥିଲା । କେହି ବି ଆସିଲେ ତାଙ୍କୁ ପବିତ୍ର ହେବା ପାଇଁ କହୁଥିଲେ । ଯଦି ଅମୃତ ପିଇବାର ଅଛି ତେବେ ବିଷ ଛାଡିବାକୁ ହେବ । ପବିତ୍ର ବୈକୁଣ୍ଠର ମାଲିକ ହେବାର ଅଛି ତ’ କେବଳ ଜଣଙ୍କୁ ମନେପକାଇବାକୁ ହେବ । ତେଣୁ ନିଶ୍ଚିତ ଭାବରେ ଝଗଡା ଚାଲିବ ନା । ଆରମ୍ଭରୁ ହୋଇଥିବା ଗଣ୍ଡଗୋଳ ଏବେ ମଧ୍ୟ ଚାଲିଛି । ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି । ଯେତେ ଯେତେ ତୁମେ ପକ୍କା ହୋଇଯିବ ତେବେ ଜାଣିଯିବ ଯେ ପବିତ୍ରତା ତ’ ବହୁତ ଭଲ । ସେଥିପାଇଁ ଡାକୁଛ - ବାବା ଏଠାକୁ ଆସି ଆମକୁ ପବିତ୍ର କର । ଆଗରୁ ତୁମର ଚରିତ୍ର କ’ଣ ଥିଲା? ଏବେ କ’ଣ ହେବାକୁ ଯାଉଛି? ଆଗରୁ ଦେବତାମାନଙ୍କ ଆଗରେ ଯାଇ କହୁଥିଲ ଆମେ ପାପୀ । ବର୍ତ୍ତମାନ ତୁମେ ଏପରି କହିପାରିବ ନାହିଁ, କାହିଁକିନା ତୁମେ ଜାଣିଛ ଆମେ ଏବେ ଦେବତା ହେବାକୁ ଯାଉଛୁ ।

ପିଲାମାନେ ନିଜକୁ ପଚାରିବା ଦରକାର - ଆମେ କେତେ ସେବା କରୁଛୁ? ଯେପରି ଭଣ୍ଡାରୀ ତୁମ ପାଇଁ କେତେ ସେବା କରୁଛି ତେଣୁ ତାଙ୍କର କେତେ ପୁଣ୍ୟ ହେଉଛି । ଅନେକଙ୍କର ସେବା କରୁଥିବାରୁ ସମସ୍ତଙ୍କର ଆଶୀର୍ବାଦ ମଧ୍ୟ ମିଳୁଛି । ଏହିଭଳି ତାଙ୍କର ବହୁତ ମହିମା ଲେଖିଥା’ନ୍ତି । ସାରା ଚମତ୍କାରୀତା ତ ଭଣ୍ଡାରୀଙ୍କର, କେତେ ସବୁ ପ୍ରବନ୍ଧ କରୁଛନ୍ତି । ଏହା ତ’ ହେଲା ସ୍ଥୂଳ ସେବା ପୁଣି ସୂକ୍ଷ୍ମ ସେବା ମଧ୍ୟ କରିବା ଦରକାର । ପିଲାମାନେ କହୁଛନ୍ତି - ବାବା, ଏହି ୫ ଭୂତ ବହୁତ ଶକ୍ତିଶାଳୀ, ଯାହାକି ବାବାଙ୍କର ସ୍ମୃତିରେ ରହିବାକୁ ଦେଉ ନାହିଁ । ବାବା କହୁଛନ୍ତି - ପିଲାମାନେ ଶିବବାବାଙ୍କୁ ମନେ ପକାଇ ଭୋଜନ ପ୍ରସ୍ତୁତ କର । ଏକମାତ୍ର ଶିବବାବାଙ୍କ ବ୍ୟତୀତ ଆଉ କେହି ନାହାନ୍ତି । ସିଏ ହିଁ ସହାୟତା କରୁଛନ୍ତି । ଗାୟନ ମଧ୍ୟ ଅଛି ଶରଣ ପଡି ମେଁ ତେରେ... । ସତ୍ୟଯୁଗରେ କ’ଣ ଏପରି କହିବା କି? ଏବେ ତୁମେ ଶରଣକୁ ଆସିଛ । କାହାକୁ ଭୂତ ଲାଗିଲେ ବହୁତ ପୀଡା ଦେଇଥାଏ । ତାହା ହେଲା ଅଶୁଦ୍ଧ ଆତ୍ମା । ତେବେ ତୁମଠାରେ ମଧ୍ୟ କେତେ ଭୂତ ଲାଗୁଛି । କାମ, କ୍ରୋଧ, ଲୋଭ, ମୋହ... ଏହି ଭୁତ ତୁମକୁ ବହୁତ ପୀଡା ଦେଇଥାଏ । ସେହି ଅଶୁଦ୍ଧ ଆତ୍ମା ତ’ କାହାକୁ କାହାକୁ ହଇରାଣ କରିଥାଏ, କିନ୍ତୁ ତୁମେମାନେ ଜାଣିଛ - ଏହି ୫ଟି ଭୂତ ୨୫୦୦ ବର୍ଷ ହେଲା ତୁମକୁ ହଇରାଣ କରିଆସୁଛି । ଏଥିପାଇଁ ତୁମେ କେତେ ବିରକ୍ତ ହୋଇଗଲଣି । ତୁମକୁ ଏହି ୫ଟି ଭୂତ କାଙ୍ଗାଳ କରିଦେଇଛନ୍ତି । ଦେହ-ଅଭିମାନର ଭୂତ ହେଉଛି ନମ୍ବରୱାନ୍‌, କାମ ବିକାରର ଭୂତ ମଧ୍ୟ ବହୁତ ବଡ, ଏହା ତୁମକୁ କେତେ ହଇରାଣ କରିଛି, ଏକଥା ମଧ୍ୟ ବାବା କହୁଛନ୍ତି । କଳ୍ପ କଳ୍ପ ତୁମେ ଏହାଦ୍ୱାରା ଦୁଃଖୀ ହେଉଛ । ଯେପରି ରାଜା ରାଣୀ ସେହିପରି ପ୍ରଜାମାନେ ମଧ୍ୟ ବିକାରୀ ହୋଇଯାଉଛନ୍ତି । ତେଣୁ ଏହାକୁ ଭୂତର ଦୁନିଆ ବୋଲି କୁହାଯିବ । ରାବଣରାଜ୍ୟ ଅର୍ଥାତ୍ ଆସୁରୀ ରାଜ୍ୟ । କିନ୍ତୁ ସତ୍ୟଯୁଗ-ତ୍ରେତା ଯୁଗରେ ଏହି ଭୂତ ରହିବ ନାହିଁ, ଗୋଟିଏ ବିକାର ରୂପୀ ଭୂତ ମଧ୍ୟ କେତେ ହଇରାଣ କରିଦେଉଛି । ଏହାକୁ କେହି ଜାଣିନାହାନ୍ତି । ତେଣୁ ୫ ବିକାର ରୂପୀ ରାବଣର ଭୂତଠାରୁ ବାବା ଆସି ଉଦ୍ଧାର କରୁଛନ୍ତି । ତୁମମାନଙ୍କ ଭିତରେ ମଧ୍ୟ କେହି କେହି ଜ୍ଞାନୀ ଅଛନ୍ତି, ଯେଉଁମାନଙ୍କର ବୁଦ୍ଧିରେ ଏକଥା ରହୁଛି । ଏହି ଜନ୍ମରେ ତ’ ତୁମର ଏଭଳି କୌଣସି କାମ କରିବାର ନାହିଁ । ଚୋରୀ କଲ, ଦେହ-ଅଭିମାନ ଆସିଲା ତେବେ ଏହାର ଫଳାଫଳ କ’ଣ ହେବ? ପଦଭ୍ରଷ୍ଟ ହୋଇଯିବ ନା । କିଛି ନା କିଛି ଉଠାଇ ନେଇଥା’ନ୍ତି । କଥାରେ ଅଛି ଛୋଟ ଚୋରରୁ ବଡ ଚୋର । ଯଜ୍ଞରେ ତ’ ଏଭଳି କାମ କେବେ କରିବା ଉଚିତ୍ ନୁହେଁ । ଅଭ୍ୟାସ ହୋଇ ଗଲେ ପୁଣି ତାହା କେବେ ଛାଡି ପାରନ୍ତି ନାହିଁ । କେତେ ପଶ୍ଚାତାପ କରୁଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସ୍ଥୂଳ ସେବା ସାଥୀରେ ସୂକ୍ଷ୍ମ ସେବା ଏବଂ ମୂଳ ସେବା ମଧ୍ୟ କରିବାକୁ ହେବ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବା, ଆତ୍ମାମାନଙ୍କର କଲ୍ୟାଣ କରିବା, ଯୋଗର ଯାତ୍ରାରେ ରହିବା ଏହା ହେଉଛି ପ୍ରକୃତ ସେବା । ଏହି ସେବାରେ ତତ୍‌ପର ରହିବାକୁ ହେବ, ନିଜର ସମୟକୁ ନଷ୍ଟ କରିବାର ନାହିଁ ।

(୨) ଜ୍ଞାନବାନ ହୋଇ ପାଞ୍ଚ ବିକାର ରୂପୀ ଭୂତମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଚୋରି କରିବା ବା ମିଛ କହିବାର ଅଭ୍ୟାସକୁ ଛାଡି ଦେବାକୁ ହେବ । ଦାନ ଦେଇଥିବା ଜିନିଷକୁ ଫେରସ୍ତ ନେବାର ନାହିଁ ।

ବରଦାନ:-
ଶାରୀରିକ ବ୍ୟାଧିଗୁଡିକର ଚିନ୍ତନରୁ ମୁକ୍ତ ହୋଇ ଜ୍ଞାନ ଚିନ୍ତନ ବା ସ୍ୱଚିନ୍ତନ କରୁଥିବା ଶୁଭଚିନ୍ତକ ହୁଅ ।

ଗୋଟିଏ ହେଲା ଶାରୀରିକ ବ୍ୟାଧିଗ୍ରସ୍ତ ହେବା, ଆଉ ଗୋଟିଏ ହେଲା ସେହି ବ୍ୟାଧି କାରଣରୁ ହଲ୍‌ଚଲ୍ ହୋଇଯିବା, ବ୍ୟାଧି ଆସିବା - ଏହା ତ ପୂର୍ବ ନିଧାର୍ଯ୍ୟ ଅଟେ କିନ୍ତୁ ନିଜର ଶ୍ରେଷ୍ଠ ସ୍ଥିତି ହଲଚଲ୍ ହୋଇଯିବା - ଏହା ବନ୍ଧନଯୁକ୍ତ ହେବାର ଲକ୍ଷଣ ଅଟେ । ଯେଉଁମାନେ ଶାରୀରିକ ବ୍ୟାଧିର ଚିନ୍ତନରୁ ମୁକ୍ତ ରହି ସ୍ୱଚିନ୍ତନ ଏବଂ ଜ୍ଞାନ ଚିନ୍ତନ କରିଥାଆନ୍ତି ସେହିମାନେ ହିଁ ଶୁଭଚିନ୍ତକ ଅଟନ୍ତି । ଦେହ ଅର୍ଥାତ୍ ପ୍ରକୃତିର ଚିନ୍ତନ ଅଧିକ କରିବା ଦ୍ୱାରା ତାହା ଚିନ୍ତାର ରୂପ ଧାରଣ କରିନିଏ, ତେଣୁ ଏହି ବନ୍ଧନଠାରୁ ମୁକ୍ତ ହେବାକୁ ହିଁ କର୍ମାତୀତ ସ୍ଥିତି କୁହାଯାଏ ।

ସ୍ଲୋଗାନ:-
ସ୍ନେହର ଶକ୍ତି ସମସ୍ୟା ରୂପୀ ପାହାଡକୁ ପାଣି କରିଦିଏ ।