19.09.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମର କାମ ହେଲା ନିଜେ ନିଜ ସହିତ କଥାବାର୍ତ୍ତା କରିବା ଏବଂ ପବିତ୍ର ହେବା, ସେଥିପାଇଁ ଅନ୍ୟ ଆତ୍ମାମାନଙ୍କ ବିଷୟରେ ଚିନ୍ତନ କରି ନିଜର ସମୟ ନଷ୍ଟ କର ନାହିଁ ।”

ପ୍ରଶ୍ନ:-
କେଉଁ କଥା ବୁଦ୍ଧିରେ ରହିଲେ ସବୁ ପୁରୁଣା ଅଭ୍ୟାସଗୁଡିକ ସମାପ୍ତ ହୋଇଯିବ?

ଉତ୍ତର:-
ଆମେମାନେ ବେହଦର ପିତା ଅର୍ଥାତ୍ ପରମପିତାଙ୍କର ସନ୍ତାନ ତେଣୁ ବିଶ୍ୱର ମାଲିକୁ ଅଟୁ । ଆମକୁ ଦେବତା ହେବାର ଅଛି - ଯଦି ଏହି କଥା ବୁଦ୍ଧିରେ ରହିବ ତେବେ ସବୁ ପୁରୁଣା ଅଭ୍ୟାସ ଗୁଡିକ ସମାସ୍ତ ହୋଇଯିବ । ତୁମେ କିଛି କୁହ କି ନକୁହ କିନ୍ତୁ ଆପେ ଆପେ ସବୁ କିଛି ଛାଡି ଦେବ । ଓଲଟା ସିଧା ଖାଦ୍ୟପେୟ, ମଦ-ଗଞ୍ଜେଇ ଇତ୍ୟାଦି ଆପେ ଆପେ ଛାଡି ଦେବେ । କହିବେ ବାଃ! ଆମକୁ ତ ଲକ୍ଷ୍ମୀ-ନାରାୟଣଙ୍କ ଭଳି ହେବାର ଅଛି । ଯେହେତୁ ୨୧ ଜନ୍ମର ରାଜ୍ୟ ଭାଗ୍ୟ ମିଳୁଛି, ତେଣୁ ପବିତ୍ର କାହିଁକି ନ ରହିବା ।

ଓମ୍ ଶାନ୍ତି ।
ବାବା ଘଡି ଘଡି ପିଲାମାନଙ୍କୁ ମନେ ପକାଇ ଦେଉଛନ୍ତି, କହୁଛନ୍ତି - ତୁମେମାନେ ବାବାଙ୍କ ସ୍ମୃତିରେ କେତେ ସମୟ ବସୁଛ? ବୁଦ୍ଧି ଅନ୍ୟ ଆଡକୁ ଯାଉନାହିଁ ତ? ବାବାଙ୍କୁ ସମସ୍ତେ ଡାକୁଛନ୍ତି, କହୁଛନ୍ତି ବାବା ଆପଣ ଆସି ଆମକୁ ପବିତ୍ର କରନ୍ତୁ । ପବିତ୍ର ନିଶ୍ଚିତ ହେବାକୁ ପଡିବ । ଏହି ସୃଷ୍ଟିଚକ୍ର କିପରି ଘୂରୁଛି, ଏହି ଜ୍ଞାନ ତୁମେମାନେ କାହାକୁ ମଧ୍ୟ ବୁଝାଇପାରିବ । ଯଦିଓ ଆତ୍ମା ପବିତ୍ର ନୁହେଁ କିନ୍ତୁ ଜ୍ଞାନ ତ ପଢିପାରିବ ନା । ଏହା କିଛି ବଡ କଥା ନୁହେଁ । ୮୪ ଜନ୍ମର ଚକ୍ର ଏବଂ ପ୍ରତ୍ୟେକ ଯୁଗର ଏତିକି ଆୟୁଷ ଏବଂ ପ୍ରତ୍ୟେକ ଯୁଗରେ ଏତିକି ଜନ୍ମ ନେଉଛନ୍ତି - ଏହା ତ ପଢିପାରିବେ ନା । ଏହା ତ ବହୁତ ସହଜ କଥା । ଏହାର ଯୋଗ ସହିତ କୌଣସି ସମ୍ବନ୍ଧ ନାହିଁ, ଏହା ହେଉଛି ପାଠପଢା । ବାବା ତ ଯଥାର୍ଥ କଥା ବୁଝାଉଛନ୍ତି । ବାକି ରହିଲା ସତ୍ତ୍ୱପ୍ରଧାନ ହେବା କଥା । ତାହା ତ ଯୋଗ ଦ୍ୱାରା ହିଁ ହୋଇପାରିବ । ଯଦି ଯୋଗଯୁକ୍ତ ହେବେ ନାହିଁ ତେବେ ବହୁତ ନିଚ୍ଚ ପଦ ପାଇବେ । ଏତେ ଉଚ୍ଚ ପଦ ପାଇବେ ନାହିଁ, ସେଥିପାଇଁ ବାବା ଧ୍ୟାନ ଆକର୍ଷଣ କରାଉଛନ୍ତି । ତୁମମାନଙ୍କର ବୁଦ୍ଧିର ଯୋଗ ବାବାଙ୍କ ସାଥୀରେ ସର୍ବଦା ରହିଥାଉ । ଏହାକୁ ହିଁ ପ୍ରାଚୀନ ଯୋଗ କୁହାଯାଏ । ଶିକ୍ଷକଙ୍କ ସାଥୀରେ ତ ପ୍ରତ୍ୟେକଙ୍କର ବୁଦ୍ଧିଯୋଗ ରହିଛି କିନ୍ତୁ ମୂଳକଥା ହେଉଛି ବାବାଙ୍କୁ ମନେପକାଇବା । ଯୋଗର ଯାତ୍ରା ଦ୍ୱାରା ହିଁ ସତ୍ତ୍ୱପ୍ରଧାନ ହେବାକୁ ପଡିବ ଏବଂ ଘରକୁ ଫେରିଯିବାକୁ ହେବ । ବାକି ଜ୍ଞାନ ତ ବହୁତ ସହଜ । ଛୋଟ ପିଲା ବି ଏହାକୁ ବୁଝିପାରିବ । ଯୋଗଯୁକ୍ତ ହେବା ସମୟରେ ମାୟାର ଯୁଦ୍ଧ ଆରମ୍ଭ ହେଉଛି । ତୁମେମାନେ ବାବାଙ୍କୁ ମନେ ପକାଉଛ କିନ୍ତୁ ମାୟା ନିଜ ଆଡକୁ ଆକର୍ଷିତ କରାଇ ଭୁଲାଇ ଦେଉଛି । ଏମିତି ତ କହିପାରିବ ନାହିଁ ଯେ, ମୋ ଭିତରେ ଶିବବାବା ବସିଛନ୍ତି, ମୁଁ ନିଜେ ଶିବ ଅଟେ । ନା, ମୁଁ ଗୋଟିଏ ଆତ୍ମା ତେଣୁ ନିଜକୁ ଆତ୍ମା ଭାବି ଶିବବାବାଙ୍କୁ ମନେପକାଇବାକୁ ହେବ । ଏମିତି ନୁହେଁ ଯେ, ମୋ ଭିତରେ ଶିବଙ୍କର ପ୍ରବେଶତା ହେଉଛି । ଏମିତି ତ କଦାପି ହୋଇପାରିବ ନାହିଁ । ବାବା କହୁଛନ୍ତି - ମୁଁ ଅନ୍ୟ କାହା ଶରୀରରେ ପ୍ରବେଶ କରୁନାହିଁ । ମୁଁ ଏହି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ତୁମମାନଙ୍କୁ ବୁଝାଉଛି । ହଁ, ଯଦି କେହି ସନ୍ତାନ ଅଳ୍ପ ବୁଦ୍ଧିବାନ ହୋଇଥିବେ ଏବଂ ଜିଜ୍ଞାସୁ ଅଧିକ ବୁଦ୍ଧିବାନ୍ ହୋଇଥିବେ ତେବେ ମୁଁ ସେହି ସନ୍ତାନ ମଧ୍ୟରେ ପ୍ରବେଶ କରି ଜିଜ୍ଞାସୁକୁ ଦୃଷ୍ଟି ଦେଇପାରିବି । ଅଧିକ ସମୟ ପ୍ରବେଶ କରି ରହିପାରିବି ନାହିଁ । ବହୁରୂପ ଧାରଣ କରି କାହାର ବି କଲ୍ୟାଣ କରିପାରିବି । ବାକି ଏମିତି କେହି କହି କହିପାରିବେ ନାହିଁ ଯେ ମୋ ଭିତରେ ଶିବବାବାଙ୍କର ପ୍ରବେଶତା ହୋଇଛି, ଶିବବାବା ମୋତେ ଏ କଥା କହୁଛନ୍ତି । ଶିବବାବା ତ ପିଲାମାନଙ୍କୁ ହିଁ ବୁଝାଉଛନ୍ତି । ମୂଳକଥା ହେଉଛି ପବିତ୍ର ହୋଇ ପବିତ୍ର ଦୁନିଆକୁ ଯିବା । ବାବା ୮୪ ଜନ୍ମର ଚକ୍ରର ରହସ୍ୟକୁ ବହୁତ ସହଜ ରୀତିରେ ବୁଝାଉଛନ୍ତି । ଚିତ୍ର ତ ସାମନାରେ ଲାଗିଛି । ବାବାଙ୍କ ବ୍ୟତୀତ ତ ଏତେ ଜ୍ଞାନ କେହି ଦେଇ ପାରିବେ ନାହିଁ । ଆତ୍ମାକୁ ହିଁ ଜ୍ଞାନ ମିଳୁଛି ନା । ତାକୁ ହିଁ ଜ୍ଞାନର ତୃତୀୟ ନେତ୍ର କୁହାଯାଏ । ଆତ୍ମାକୁ ହିଁ ସୁଖଦୁଃଖର ଅନୁଭବ ହୋଇଥାଏ, ଆତ୍ମାକୁ ଏହି ଶରୀର ମିଳିଛି ନା । ଆତ୍ମା ହିଁ ଦେବତା ହେଉଛି । ଆତ୍ମା ହିଁ ବାରିଷ୍ଟର, ବ୍ୟବସାୟୀ ହେଉଛି । ବର୍ତ୍ତମାନ ବାବା ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି, ନିଜର ପରିଚୟ ଦେଉଛନ୍ତି । ତୁମେ ଯେତେବେଳେ ଦେବତା ଥିଲ, ସେତେବେଳେ ମଧ୍ୟ ମନୁଷ୍ୟ ହିଁ ଥିଲ କିନ୍ତୁ ତୁମ ଆତ୍ମା ପବିତ୍ର ଥିଲା । ଏବେ ତୁମେମାନେ ପବିତ୍ର ନୁହଁ, ତେଣୁ ତୁମକୁ ଦେବତା ବୋଲି କୁହାଯାଇ ପାରିବ ନାହିଁ । ତେଣୁ ଦେବତା ହେବା ପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡିବ । ସେଥିପାଇଁ ବାବାଙ୍କୁ ମନେ ପକାଇବାକୁ ହେବ । ଅଧିକାଂଶ ପିଲାମାନେ କହୁଛନ୍ତି ବାବା, ମୁଁ ଦେହ-ଅଭିମାନୀ ହୋଇଗଲି ତେଣୁ ମୋ ଦ୍ୱାରା ଏହି ଭୁଲ୍ ହୋଇଗଲା । ବର୍ତ୍ତମାନ ବାବା ଆସି ବୁଝାଉଛନ୍ତି - କହୁଛନ୍ତି ପିଲାମାନେ, ତୁମକୁ ପବିତ୍ର ନିଶ୍ଚିତ ହେବାକୁ ପଡିବ । କୌଣସି ବିକର୍ମ କର ନାହିଁ । ତୁମକୁ ଏହିଠାରେ ହିଁ ସର୍ବଗୁଣ ସମ୍ପନ୍ନ ହେବାକୁ ପଡିବ । ତୁମେ ପବିତ୍ର ହୋଇ ମୁକ୍ତିଧାମକୁ ଚାଲିଯିବ । ଏଥିରେ ଅନ୍ୟ କିଛି ପ୍ରଶ୍ନ ପଚାରିବାର କଥା ହିଁ ନାହିଁ । ତୁମେ ନିଜେ ନିଜ ସହିତ କଥାବାର୍ତ୍ତା କର, ଅନ୍ୟ ଆତ୍ମାଙ୍କର ଚିନ୍ତନ କର ନାହିଁ । କହୁଛନ୍ତି ଲଢେଇରେ ଦୁଇ କୋଟି ଲୋକ ମୃତ୍ୟୁବରଣ କଲେ । ଏତେ ସବୁ ଆତ୍ମା କେଉଁଆଡେ ଗଲେ? ଆରେ, ସେମାନେ କେଉଁଆଡେ ବି ଯାଆନ୍ତୁ, ସେଥିରେ ତୁମର କ’ଣ ଯାଉଛି । ତୁମେ କାହିଁକି ନିଜର ସମୟ ନଷ୍ଟ କରୁଛ? ଅନ୍ୟ କୌଣସି କଥା ପଚାରିବାର ଆବଶ୍ୟକତା ହିଁ ନାହିଁ । ତୁମର କାମ ହେଉଛି ପାବନ ହୋଇ ପାବନ ଦୁନିଆର ମାଲିକ ହେବା । ଯଦି ଅନ୍ୟ କଥାରେ ଯିବ ତେବେ ଦ୍ୱନ୍ଦ୍ୱରେ ପଡିଯିବ । କାହାକୁ ଯଦି ସଠିକ୍ ଉତ୍ତର ମିଳୁନାହିଁ ତେବେ ସିଏ ଦ୍ୱନ୍ଦ୍ୱରେ ପଡିଯାଆନ୍ତି ନା ।

ବାବା କହୁଛନ୍ତି - ମନମନାଭବ । ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କର, କାରଣ ତୁମକୁ ମୋ ନିକଟକୁ ଆସିବାକୁ ହେବ । ମନୁଷ୍ୟ ଶରୀର ଛାଡିଲେ ଶ୍ମଶାନକୁ ନେଲା ବେଳେ ତା’ର ମୁହଁ ଘର ଆଡକୁ ରଖନ୍ତି ଏବଂ ପାଦ ଶ୍ମଶାନ ଆଡକୁ ରଖନ୍ତି ପୁଣି ଯେତେବେଳେ ଶ୍ମଶାନ ପାଖରେ ପହଞ୍ଚିଯାଆନ୍ତି ସେତେବେଳେ ପାଦ ଘର ଆଡକୁ ଏବଂ ମୁହଁ ଶ୍ମଶାନ ଆଡକୁ କରିଦିଅନ୍ତି । ତୁମର ଘର ମଧ୍ୟ ଉପରେ ରହିଛି ନା । ଉପରକୁ (ପରମଧାମକୁ) କେହି ପତିତ ଯାଇପାରିବେ ନାହିଁ । ତେଣୁ ପବିତ୍ର ହେବା ପାଇଁ ବୁଦ୍ଧିର ଯୋଗ ବାବାଙ୍କ ସହିତ ଲଗାଇବାକୁ ହେବ । ତୁମକୁ ବାବାଙ୍କ ନିକଟକୁ ମୁକ୍ତିଧାମକୁ ଯିବାକୁ ହେବ । ବର୍ତ୍ତମାନ ସମସ୍ତେ ପତିତ ତେଣୁ ବାବାଙ୍କୁ ଡାକୁଛନ୍ତି, କହୁଛନ୍ତି ଆପଣ ଆସି ଆମକୁ ପବିତ୍ର କରନ୍ତୁ, ଉଦ୍ଧାର କରନ୍ତୁ । ସେଥିପାଇଁ ବାବା କହୁଛନ୍ତି, ଏବେ ପବିତ୍ର ହୁଅ । ବାବା ଏବେ ଯେଉଁ ଭାଷାରେ ଆମକୁ ବୁଝାଉଛନ୍ତି, ସେହି ଭାଷାରେ କଳ୍ପ କଳ୍ପ ବୁଝାଇବେ । ଯେଉଁ ଭାଷା ବ୍ରହ୍ମାଙ୍କର, ସେହି ଭାଷାରେ ବୁଝାଇବେ ନା । ଆଜିକାଲି ହିନ୍ଦୀ ଭାଷା ସବୁଆଡେ ପ୍ରଚଳିତ ହେଉଛି । ଏମିତି ନୁହେଁ ବ୍ରହ୍ମାଙ୍କ ଭାଷା ବଦଳାଇ ଆଉ କିଛି ଭାଷା ପ୍ରୟୋଗ କରିବେ । ନାହିଁ, ସଂସ୍କୃତ ଭାଷା ଇତ୍ୟାଦି ଦେବତାମାନଙ୍କର ଭାଷା ନୁହେଁ । ହିନ୍ଦୁ ଧର୍ମର ଭାଷା ସଂସ୍କୃତ ନୁହେଁ, ହିନ୍ଦୀ ହେବା ଉଚିତ୍ । ପୁଣି ସେମାନେ ସଂସ୍କୃତ କାହିଁକି କହୁଛନ୍ତି? ତେବେ ବାବା ବୁଝାଉଛନ୍ତି - ତୁମେ ଏଠାରେ ଯେତେବେଳେ ବସୁଛ ସେତେବେଳେ ବାବାଙ୍କ ସ୍ମୃତିରେ ହିଁ ବସିବାକୁ ହେବ, ଅନ୍ୟ କୌଣସି କଥାରେ ତୁମେ ମୁଣ୍ଡ ଖେଳାଅ ନାହିଁ । ଏତେ ମଶାମାଛି ଜନ୍ମ ନେଉଛନ୍ତି, କୁଆଡେ ଯାଉଛନ୍ତି? ଭୂମିକମ୍ପରେ ଅନେକ ମରୁଛନ୍ତି, ଏତେ ଆତ୍ମା କେଉଁଆଡେ ଯାଉଛନ୍ତି? ଏଥିରେ ତୁମର କ’ଣ ଯାଉଛି । ତୁମକୁ ବାବା ଶ୍ରୀମତ ଦେଇଛନ୍ତି ଯେ, ପ୍ରଥମେ ନିଜର ଉନ୍ନତି ପାଇଁ ପୁରୁଷାର୍ଥ କର । ଅନ୍ୟର କଥା ଚିନ୍ତନ କର ନାହିଁ । ଏମିତି ହେଲେ ଅନେକ କଥାର ଚିନ୍ତନ ବୁଦ୍ଧିରେ ଆସିବ । ବାସ୍‌, ତୁମେ କେବଳ ମୋତେ ମନେ ପକାଅ । ଯେଉଁଥିପାଇଁ ମୋତେ ଡାକିଛ ସେହି ଯୁକ୍ତି ଅନୁସାରେ ଚାଲ । ତୁମକୁ ବାବାଙ୍କ ନିକଟରୁ ସମ୍ପତ୍ତି ନେବାର ଅଛି, ଅନ୍ୟ କୌଣସି କଥାରେ ଯିବା ଉଚିତ୍ ନୁହେଁ । ବାବା ଘଡି ଘଡି ଧ୍ୟାନ ଆକର୍ଷଣ କରାଉଛନ୍ତି । କହୁଛନ୍ତି - ବୁଦ୍ଧି ଅନ୍ୟ କେଉଁ ଆଡକୁ ଯାଉ ନାହିଁ ତ? ଭଗବାନଙ୍କର ଶ୍ରୀମତ ତ ମାନିବା ଉଚିତ୍ ନା । ଅନ୍ୟ କୌଣସି କଥାରେ କିଛି ବି ଫାଇଦା ନାହିଁ । ପବିତ୍ର ହେବା ହିଁ ହେଉଛି ମୁଖ୍ୟ କଥା । ଏହି କଥାକୁ ଭଲ ଭାବରେ ମନେ ରଖ ଯେ ବାବା ଆମର ବାବା ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ସତ୍‌ଗୁରୁ ମଧ୍ୟ ଅଟନ୍ତି । ଏହି କଥାକୁ ନିଶ୍ଚିତ ନିଜ ମନରେ ରଖିବାକୁ ହେବ ଯେ - ବାବା, ବାବା ମଧ୍ୟ ଅଟନ୍ତି, ଆମକୁ ପାଠ ପଢାଉଛନ୍ତି ଏବଂ ଯୋଗ ମଧ୍ୟ ଶିଖାଉଛନ୍ତି । ଶିକ୍ଷକ ପାଠ ପଢାଇବା ସମୟରେ ବିଦ୍ୟାର୍ଥୀ ମାନଙ୍କର ବୁଦ୍ଧିର ଯୋଗ ଶିକ୍ଷକଙ୍କ ସହିତ ଏବଂ ପାଠପଢା ସହିତ ଥାଏ । ଏହି ବାବା ମଧ୍ୟ କହୁଛନ୍ତି - ତୁମେମାନେ ତ ବାବାଙ୍କର ସନ୍ତାନ ହୋଇଛ, ସେଥିପାଇଁ ତ ଏଠାରେ ବସିଛ ଶିକ୍ଷକଙ୍କଠାରୁ ପାଠ ପଢୁଛ । ତୁମେମାନେ ବାବାଙ୍କର ହୋଇଯାଇଛ, ତେଣୁ କେଉଁଠାରେ ରହି ମଧ୍ୟ ପାଠପଢା ପ୍ରତି ଧ୍ୟାନ ଦେଇପାରିବ । ଯଦି ତାଙ୍କୁ ମନେପକାଇବ ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ଏହି ଜ୍ଞାନ ତୁମକୁ ଅନ୍ୟ କେହି ଦେଇ ପାରିବେ ନାହିଁ । ମନୁଷ୍ୟମାନେ ଏବେ ଘୋର ଅନ୍ଧକାରରେ ଅଛନ୍ତି ନା । ଜ୍ଞାନରେ ଦେଖ କେତେ ଶକ୍ତି ଅଛି । ତେବେ ଶକ୍ତି କେଉଁଠାରୁ ମିଳୁଛି? ବାବାଙ୍କଠାରୁ ଶକ୍ତି ମିଳୁଛି ଯାହା ଦ୍ୱାରା ତୁମେମାନେ ପବିତ୍ର ହୋଇଯାଉଛ । ଏହା ସହିତ ତୁମର ପାଠପଢା ମଧ୍ୟ ବହୁତ ସହଜ । ଦୁନିଆର ପାଠପଢାରେ ତ ବହୁତ ମାସ ଲାଗିଥାଏ । ଏଠାରେ କେବଳ ୭ ଦିନର କୋର୍ସ କରାଯାଏ । ତା’ଦ୍ୱାରା ତୁମେମାନେ ସବୁ କିଛି ବୁଝିଯିବ । କିନ୍ତୁ ସବୁ କିଛି ନିଜର ବୁଦ୍ଧି ଉପରେ ନିର୍ଭର କରୁଛି । ବୁଝିବାରେ କେହି ଅଧିକ ସମୟ ଲଗାଉଛନ୍ତି, କେହି କମ୍ ସମୟ ଲଗାଉଛନ୍ତି । କେହି କେହି ତ ଦୁଇ ତିନି ଦିନରେ ହିଁ ଭଲ ଭାବରେ ବୁଝିଯାଉଛନ୍ତି । ଏଥିରେ ମୁଖ୍ୟ କଥା ହେଉଛି ବାବାଙ୍କୁ ମନେ ପକାଇବା ଏବଂ ପବିତ୍ର ହେବା, ଏହା ହିଁ କଷ୍ଟସାଧ୍ୟ ହୋଇଯାଉଛି । ବାକି ପାଠପଢା ତ ବହୁତ ସହଜ । ତୁମକୁ ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ । ତୁମେମାନେ, ଗୋଟିଏ ଦିନର କୋର୍ସରେ ମଧ୍ୟ ସବୁ କିଛି ବୁଝିପାରିବ ଯେ, ଆମେ ଆତ୍ମାମାନେ ବେହଦ ବାବାଙ୍କର ସନ୍ତାନ ଅଟୁ ତେବେ ନିଶ୍ଚିତ ଆମେ ବିଶ୍ୱର ମାଲିକ ହେଲୁ ନା । ଏହି କଥା ବୁଦ୍ଧିରେ ସର୍ବଦା ରହିବା ଦରକାର । ଯଦି ଦେବତା ହେବାକୁ ଚାହୁଁଛ ତେବେ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ଯାହାଙ୍କ ବୁଦ୍ଧିରେ ଧାରଣ ହୋଇଗଲା ସିଏ ତୁରନ୍ତ ସବୁ ଖରାପ ଅଭ୍ୟାସ ଛାଡି ଦେବେ, ତୁମେ କୁହ ବା ନ କୁହ ସ୍ୱତଃ ଛାଡିଦେବେ । ଅଶୁଦ୍ଧ ଖାଦ୍ୟ-ପାନୀୟ, ମଦ ଆଦି ଆପେ ଆପେ ଛାଡିଦେବେ । କୁହନ୍ତି - ବାଃ, ଆମକୁ ଏହିଭଳି ଶ୍ରେଷ୍ଠ ହେବାର ଅଛି । ଆମକୁ ୨୧ ଜନ୍ମର ରାଜତ୍ୱ ମିଳୁଛି, ତେବେ କାହିଁକି ମୁଁ ପବିତ୍ର ନ ହେବି । ଏକଦମ୍ ପୁରୁଷାର୍ଥରେ ଲାଗିଯିବା ଦରକାର । ମୁଖ୍ୟ କଥା ହେଉଛି ଯୋଗର ଯାତ୍ରା । ବାକି ୮୪ ଜନ୍ମ ଚକ୍ରର ଜ୍ଞାନ ତ ଗୋଟିଏ ସେକେଣ୍ଡରେ ମିଳିଯାଇଛି । ଦେଖୁ ଦେଖୁ ବୁଝିଯିବେ । ନୂଆ ବୃକ୍ଷ ନିଶ୍ଚିତ ଛୋଟ ହୋଇଥିବ । ଏବେ ଏହା କେତେ ବଡ ବୃକ୍ଷ ହୋଇଯାଇଛି ତଥା ସମ୍ପୂର୍ଣ୍ଣ ତମଃପ୍ରଧାନ ହୋଇଯାଇଛି । ପୁଣି ଭବିଷ୍ୟତରେ ଛୋଟ ଏବଂ ନୂଆ ହୋଇଯିବ । ତୁମେମାନେ ଜାଣିଛ ଏହି ଜ୍ଞାନ କେଉଁଠାରୁ କେବେ ବି ମିଳିବ ନାହିଁ । ଏହା ହେଉଛି ପାଠପଢା । ତୁମମାନଙ୍କୁ ପ୍ରଥମ ଶିକ୍ଷା ମିଳୁଛି - ବାବାଙ୍କୁ ମନେ ପକାଅ । ବାବା ପାଠ ପଢାଉଛନ୍ତି, ଏହା ନିଶ୍ଚୟ କରିନିଅ । ଭଗବାନୁବାଚ - ମୁଁ ତୁମକୁ ରାଜଯୋଗ ଶିଖାଉଛି । ଆଉ କୌଣସି ମନୁଷ୍ୟ ଏଭଳି କହିପାରିବେ ନାହିଁ । ଶିକ୍ଷକ ପଢାଉଛନ୍ତି ତେବେ ନିଶ୍ଚିତ ଶିକ୍ଷକ ହିଁ ବୁଦ୍ଧିରେ ରହିବେ ନା । ଇଏ ଆମର ବେହଦର ପିତା ଅଟନ୍ତି, ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି । କିନ୍ତୁ ଆତ୍ମା କିଭଳି ପବିତ୍ର ହେବ - ଏ କଥା କେହି ବି ବୁଝାଇ ପାରିବେ ନାହିଁ । ନିଜକୁ ଭଗବାନ କୁହନ୍ତୁ ବା ଅନ୍ୟ କିଛି ବି କୁହନ୍ତୁ କିନ୍ତୁ ନିଜକୁ ପବିତ୍ର କରିପାରିବେ ନାହିଁ । ଆଜିକାଲି ତ ବହୁତ ଭଗବାନ ହୋଇଗଲେଣି । ସେଥିପାଇଁ ମନୁଷ୍ୟ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି । କହୁଛନ୍ତି ବର୍ତ୍ତମାନ ଅନେକ ଧର୍ମ ହୋଇଗଲାଣି । ଜଣା ନାହିଁ କେଉଁଟି ଠିକ୍ । ଯଦିଓ ତୁମର ପ୍ରଦର୍ଶନୀ ବା ମ୍ୟୁଜିୟମ୍ ଆଦିର ଉଦ୍‌ଘାଟନ କରୁଛନ୍ତି କିନ୍ତୁ କିଛି ବି ବୁଝୁନାହାଁନ୍ତି । ବାସ୍ତବରେ ଉଦ୍‌ଘାଟନ ତ ହୋଇ ହିଁ ଗଲାଣି । ପ୍ରଥମେ ମୂଳଦୁଆ ପଡେ, ତା’ପରେ ଘର ତିଆରି ହେଲାପରେ ଉଦ୍‌ଘାଟନ କରାଯାଏ । ମୂଳଦୁଆର ସ୍ଥାପନା ପାଇଁ ମଧ୍ୟ ବଡ ବଡ ଲୋକଙ୍କୁ ଆମନ୍ତ୍ରଣ କରିଥା’ନ୍ତି । ତେବେ ଏଠାରେ ମଧ୍ୟ ବାବା ସ୍ଥାପନା କରିସାରିଛନ୍ତି, ବାକି ନୂଆ ଦୁନିଆର ଉଦ୍‌ଘାଟନ ତ ସମୟ ଅନୁଯାୟୀ ହୋଇ ହିଁ ଯିବ, ସେଥିରେ କାହାକୁ ଉଦ୍‌ଘାଟନ କରିବାର ଦରକାର ନାହିଁ । ଉଦ୍‌ଘାଟନ ତ ସ୍ୱତଃ ହିଁ ହୋଇଯିବ । ଏଠାରେ ପାଠପଢି ଆମେ ସମସ୍ତେ ନୂଆ ଦୁନିଆକୁ ଚାଲିଯିବା ।

ତୁମେମାନେ ଜାଣିଛ - ଏବେ ଆମେ ସ୍ଥାପନା କାର୍ଯ୍ୟରେ ନିୟୋଜିତ ଅଛୁ, ସେଥିପାଇଁ ମେହନତ କରିବାକୁ ପଡୁଛି । ପୁରୁଣା ଦୁନିଆ ବିନାଶ ପରେ ପୁଣି ନୂଆରେ ପରିବର୍ତ୍ତନ ହୋଇଯିବ । ପୁଣି ତୁମେମାନେ ନୂଆ ଦୁନିଆକୁ ରାଜତ୍ୱ କରିବା ପାଇଁ ଆସିଯିବ । ସତ୍ୟଯୁଗର ସ୍ଥାପନା ବାବା ହିଁ କରୁଛନ୍ତି, ତୁମେମାନେ ଯଦି ବାବାଙ୍କ ନିକଟକୁ ଆସିବ, ତେବେ ତୁମକୁ ସ୍ୱର୍ଗର ରାଜଧାନୀ ମିଳିଯିବ । କିନ୍ତୁ ତାହାର ଉଦ୍‌ଘାଟନ କିଏ କରିବେ? ବାବା ତ ସ୍ୱର୍ଗକୁ ଆସୁନାହାଁନ୍ତି । ଭବିଷ୍ୟତରେ ଦେଖିବ ସ୍ୱର୍ଗରେ କ’ଣ କ’ଣ ସବୁ ହେବ । ଶେଷ ସମୟରେ କ’ଣ ହେବ... ଭବିଷ୍ୟତରେ ବୁଝିଯିବ । ତୁମେ ପିଲାମାନେ ଜାଣିଛ, ପବିତ୍ରତା ବିନା ସମ୍ମାନର ସହ ଉତ୍ତୀର୍ଣ୍ଣ ହୋଇ ସ୍ୱର୍ଗକୁ ଯାଇପାରିବା ନାହିଁ । ଉଚ୍ଚ ପଦ ମଧ୍ୟ ପ୍ରାପ୍ତ କରିପାରିବା ନାହିଁ । ସେଥିପାଇଁ ବାବା କହୁଛନ୍ତି, ବହୁତ ପୁରୁଷାର୍ଥ କର । କର୍ମଧନ୍ଦା ଆଦି ଭଲେ କର କିନ୍ତୁ ଅଧିକ ପଇସା କ’ଣ କରିବ । ଭୋଗ କରିପାରିବ ନାହିଁ । ତୁମର ପୁଅ-ନାତି ଭୋଗ କରିପାରିବେ ନାହିଁ । ସବୁ କିଛି ମାଟିରେ ମିଶିଯିବ, ସେଥିପାଇଁ ଯୁକ୍ତିର ସହିତ ଅଳ୍ପ କିଛି ଜମା କରି ରଖ । ବାକି ସବୁ କିଛି ସ୍ୱର୍ଗ ରାଜ୍ୟକୁ ଟ୍ରାନସ୍‌ଫର କରିଦିଅ । ସମସ୍ତେ ତ ଟ୍ରାନସ୍‌ଫର କରିପାରିବେ ନାହିଁ । ଗରୀବ ଲୋକମାନେ ଶୀଘ୍ର ଟ୍ରାନସ୍‌ଫର କରିଦିଅନ୍ତି । ଭକ୍ତିର୍ମାଗରେ ମଧ୍ୟ ପରବର୍ତ୍ତୀ ଜନ୍ମ ପାଇଁ ଟ୍ରାନସ୍‌ଫର କରନ୍ତି କିନ୍ତୁ ତାହା ହେଉଛି - ପରୋକ୍ଷ ଏବଂ ଏହା ହେଉଛି ପ୍ରତ୍ୟକ୍ଷ । ପତିତ ମନୁଷ୍ୟମାନଙ୍କର ପତିତଙ୍କ ସହିତ ହିଁ ନେଣ-ଦେଣ ହୋଇଥାଏ । ଏବେ ତ ବାବା ଆସିଛନ୍ତି, ତେଣୁ ତୁମର ପତିତମାନଙ୍କ ସହିତ ଆଉ ନେଣ-ଦେଣ ନାହିଁ । ତୁମେ ବ୍ରାହ୍ମଣ ଅଟ, ତୁମକୁ ବ୍ରାହ୍ମଣମାନଙ୍କୁ ହିଁ ସହଯୋଗ କରିବାକୁ ହେବ । ଯେଉଁମାନେ ନିଜେ ସେବା କରୁଛନ୍ତି, ସେମାନଙ୍କୁ ତ ସାହାଯ୍ୟର ଆବଶ୍ୟକତା ହିଁ ନାହିଁ । ଏଠାକୁ ଗରୀବ, ସାହୁକାର ଆଦି ସମସ୍ତେ ଆସୁଛନ୍ତି । କିନ୍ତୁ କୋଟି ପତି ବହୁତ ମୁସ୍‌କିଲ୍‌ରେ ଆସିବେ । ବାବା କହୁଛନ୍ତି - ମୁଁ ହେଉଛି ଗରୀବମାନଙ୍କର ବନ୍ଧୁ । ଭାରତ ଗରୀବ ଦେଶ । ବାବା କହୁଛନ୍ତି - ମୁଁ ଭାରତକୁ ହିଁ ଆସୁଛି, ଏଥିରେ ମଧ୍ୟ ଆବୁ ସବୁଠାରୁ ବଡ ତୀର୍ଥ, ଯେଉଁଠାକୁ ବାବା ଆସି ବିଶ୍ୱର ସଦ୍‌ଗତି କରୁଛନ୍ତି । ଏହା ତ ନର୍କ ଅଟେ । ପୁଣି ନର୍କ କିପରି ସ୍ୱର୍ଗ ହେଉଛି ତାହା ତୁମେମାନେ ହିଁ ଜାଣିଛ । ଏବେ ତୁମ ବୁଦ୍ଧିରେ ସମସ୍ତ ଜ୍ଞାନ ଭରି ହୋଇ ରହିଛି । ବାବା ତୁମକୁ ପବିତ୍ର ହେବାର ଏଭଳି ଯୁକ୍ତି ବତାଉଛନ୍ତି, ଯାହା ଦ୍ୱାରା ସମସ୍ତଙ୍କର କଲ୍ୟାଣ ହୋଇଯାଉଛି । ସତ୍ୟଯୁଗରେ କେବେ ଅକଲ୍ୟାଣ ହୁଏ ନାହିଁ ଅର୍ଥାତ୍ କେହି କାନ୍ଦନ୍ତି ନାହିଁ । ଏବେ ବାବାଙ୍କର ଯେଉଁ ମହିମା ଗାନ କରାଯାଉଛି ଯେ ଜ୍ଞାନର ସାଗର, ସୁଖର ସାଗର, ଏହି ମହିମା ତୁମମାନଙ୍କର ମଧ୍ୟ । ତୁମେମାନେ ମଧ୍ୟ ଆନନ୍ଦର ସାଗର ହେଉଛ, ବହୁତଙ୍କୁ ସୁଖ ଦେଉଛ ପୁଣି ତୁମର ଆତ୍ମା ଯେତେବେଳେ ସଂସ୍କାର ନେଇ ନୂଆ ଦୁନିଆକୁ ଚାଲିଯିବ ସେତେବେଳେ ସେଠାରେ ତୁମର ମହିମା ବଦଳିଯିବ । ପୁଣି ତୁମକୁ ସର୍ବଗୁଣ ସମ୍ପନ୍ନ.... କୁହାଯିବ । ଏବେ ତୁମେମାନେ ନର୍କରେ ବସିଛ, ଏହାକୁ କଣ୍ଟାର ଜଙ୍ଗଲ କୁହାଯାଏ । ବାବାଙ୍କୁ ହିଁ ବଗିଚାର ମାଳୀ, ନାଉରିଆ କୁହାଯାଏ । ସମସ୍ତେ ଗାୟନ ମଧ୍ୟ କରୁଛନ୍ତି ଯେ, ଆମର ଦୁଃଖର ନୌକା ପାର କର, ତେବେ ନିଶ୍ଚିତ ଦୁଃଖୀ ଅଟନ୍ତି ସେଥିପାଇଁ ଆତ୍ମା ଡାକୁଛି । ଯଦିଓ ବାବାଙ୍କର ମହିମା ଗାୟନ କରୁଛନ୍ତି, କିନ୍ତୁ କିଛି ବି ବୁଝୁ ନାହାଁନ୍ତି । ଯାହା ଆସିଲା ତାହା କହି ଦେଉଛନ୍ତି । ସର୍ବୋଚ୍ଚ ଭଗବାନଙ୍କର ନିନ୍ଦା କରିଚାଲିଛନ୍ତି । ତୁମେମାନେ ସେମାନଙ୍କୁ କହୁଛ ଯେ ଆମେ ଆସ୍ତିକ ଅଟୁ । ସମସ୍ତଙ୍କର ସଦ୍‌ଗତି ଦାତା ବାବାଙ୍କୁ ଆମେ ଜାଣିଗଲୁଣି । ବାବା ଆସି ନିଜେ ନିଜର ପରିଚୟ ଦେଉଛନ୍ତି । ତୁମେମାନେ ଭକ୍ତି କରୁନାହଁ ତେଣୁ ଦୁନିଆବାଲା କେତେ ହଇରାଣ କରୁଛନ୍ତି । ସେମାନଙ୍କର ସଂଖ୍ୟା ଅଧିକ, ଆଉ ତୁମର ସଂଖ୍ୟା କମ୍ । ତୁମର ସଂଖ୍ୟା ଯେତେବେଳେ ବଢିଯିବ ସେମାନେ ମଧ୍ୟ ଆକର୍ଷିତ ହେବେ । ସେମାନଙ୍କର ବୁଦ୍ଧିର ତାଲା ଖୋଲିଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜର ଉନ୍ନତିର ହିଁ ଚିନ୍ତନ କରିବାର ଅଛି । ଅନ୍ୟ କୌଣସି କଥାରେ ମୁଣ୍ଡ ଖେଳାଇବାର ନାହିଁ । ପାଠପଢା ଏବଂ ଯୋଗ ଉପରେ ପୁରା ପୁରା ଧ୍ୟାନ ଦେବାର ଅଛି । ବୁଦ୍ଧିକୁ ଏଣେ ତେଣେ ଭ୍ରମିତ କରିବାର ନାହିଁ ।

(୨) ବର୍ତ୍ତମାନ ପରମପିତା ପରମାତ୍ମା ନିଜେ ଧରାଧାମକୁ ଆସିଛନ୍ତି ସେଥିପାଇଁ ନିଜର ସବୁକିଛି କାଇଦାର ସହିତ ଈଶ୍ୱରୀୟ ସେବାରେ ଲଗାଇବାକୁ ହେବ । ପତିତ ଆତ୍ମାମାନଙ୍କ ସହିତ କୌଣସି ଲେଣ-ଦେଣ କରିବାର ନାହିଁ । ସମ୍ମାନର ସହିତ ସ୍ୱର୍ଗକୁ ଯିବା ପାଇଁ ପବିତ୍ର ନିଶ୍ଚିତ ହେବାର ଅଛି ।

ବରଦାନ:-
ମନ ଏବଂ ବୁଦ୍ଧିକୁ ବ୍ୟର୍ଥଠାରୁ ମୁକ୍ତ ରଖି ବ୍ରାହ୍ମଣର ସଂସ୍କାର ନିର୍ମାଣ କରୁଥିବା ଶାସନକର୍ତ୍ତା ଭବ ।

ଯେକୌଣସି ଛୋଟିଆ ବ୍ୟର୍ଥ କଥା, ବ୍ୟର୍ଥ ବାତାବରଣ, ବ୍ୟର୍ଥ ଦୃଶ୍ୟର ପ୍ରଭାବ ପ୍ରଥମେ ମନ ଉପରେ ପଡିଥାଏ ତା’ପରେ ବୁଦ୍ଧି ତାକୁ ସହଯୋଗ ଦିଏ । ଯଦି ମନ ଏବଂ ବୁଦ୍ଧି ସେହିଭଳି ଭାବରେ କାର୍ଯ୍ୟ କରିଚାଲିବେ ତେବେ ତାହା ସଂସ୍କାରରେ ପରିଣତ ହୋଇଯିବ, ଯାହା ଦ୍ୱାରା ଭିନ୍ନ ଭିନ୍ନ ପ୍ରକାରର ସଂସ୍କାର ଦେଖାଯାଇଥାଏ ଯାହାକି ବ୍ରାହ୍ମଣମାନଙ୍କର ସଂସ୍କାର ନୁହେଁ । ତେବେ କୌଣସି ବି ବ୍ୟର୍ଥ ସଂସ୍କାରର ବଶୀଭୂତ ହେବା, ନିଜ ସହିତ ଯୁଦ୍ଧ କରିବା ବା ବାରମ୍ବାର ଖୁସି ହଜିଯିବା - ଏସବୁ କ୍ଷତ୍ରିୟ ପଣିଆର ସଂସ୍କାର ଅଟେ । ବ୍ରାହ୍ମଣ ଅର୍ଥାତ୍ ରୁଲର୍ ବା ଶାସନକର୍ତ୍ତା ଯିଏକି ବ୍ୟର୍ଥ ସଂସ୍କାରଠାରୁ ମୁକ୍ତ ହୋଇଥିବେ, ତା’ର ଅଧୀନ ନୁହେଁ ।

ସ୍ଲୋଗାନ:-
ମାଷ୍ଟର ସର୍ବଶକ୍ତିବାନ ସିଏ ଯିଏକି ଦୃଢ ପ୍ରତିଜ୍ଞା ଦ୍ୱାରା ସର୍ବ ସମସ୍ୟାକୁ ଅତିକ୍ରମ କରିଯାଉଥିବ ।