20.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ମାୟା ରାବଣର ସଂଗରେ ଆସି ତୁମେମାନେ ବାଟବଣା ହୋଇଯାଇଛ, ପବିତ୍ର ଆତ୍ମାମାନେ ଅପବିତ୍ର ହୋଇଯାଇଛ ତେଣୁ ଏବେ ପୁନର୍ବାର ପବିତ୍ର ହୁଅ ।”

ପ୍ରଶ୍ନ:-
ପ୍ରତ୍ୟେକ ସନ୍ତାନକୁ ନିଜ ଉପରେ କେଉଁ କଥାରେ ଆଶ୍ଚର୍ଯ୍ୟ ଲାଗୁଛି? ବାବାଙ୍କୁ ପିଲାମାନଙ୍କ ଉପରେ କେଉଁ କଥାରେ ଆଶ୍ଚର୍ଯ୍ୟ ଲାଗୁଛି?

ଉତ୍ତର:-
ପିଲାମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ଆମେ କ’ଣ ଥିଲୁ, କାହାର ସନ୍ତାନ ଥିଲୁ, ଏଭଳି ବାବାଙ୍କଠାରୁ ଆମକୁ ସମ୍ପତ୍ତି ମିଳିଥିଲା, ଶେଷରେ ସେହି ବାବାଙ୍କୁ ହିଁ ଆମେ ଭୁଲିଗଲୁ । ରାବଣ ଆସିବା ଦ୍ୱାରା ଜୀବନର ଏତେ ଅଜ୍ଞାନ ଅନ୍ଧକାର ଆସିଗଲା ଯାହାକି ରଚୟିତା ବାବା ଏବଂ ତାଙ୍କର ରଚନା ସମ୍ପୂର୍ଣ୍ଣ ରୂପେ ଭୁଲି ହୋଇଗଲା । ବାବାଙ୍କୁ ପିଲାମାନଙ୍କ ଉପରେ ଆଶ୍ଚର୍ଯ୍ୟ ଲାଗୁଛି, ଯେଉଁ ପିଲାମାନଙ୍କୁ ମୁଁ ଏତେ ଉଚ୍ଚ ଅର୍ଥାତ୍ ଶ୍ରେଷ୍ଠ କରିଥିଲି, ରାଜ୍ୟ ଭାଗ୍ୟ ଦେଇଥିଲି, ସେହି ପିଲାମାନେ ହିଁ ମୋର ନିନ୍ଦା କରିବାରେ ଲାଗିପଡିଲେ । ରାବଣର ସଂଗରେ ପଡି ସବୁ କିଛି ହରାଇ ଦେଲେ ।

ଓମ୍ ଶାନ୍ତି ।
କ’ଣ ଭାବୁଛ? ପୁରୁଷାର୍ଥର କ୍ରମାନୁସାରେ ପ୍ରତ୍ୟେକ ଜୀବ ଆତ୍ମା ଏବେ ନିଜ ଉପରେ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ ଆମେ କ’ଣ ଥିଲୁ । କାହାର ସନ୍ତାନ ଥିଲୁ! ବାସ୍ତବରେ ଆମକୁ ବାବାଙ୍କଠାରୁ ସମ୍ପତ୍ତି ମିଳିଥିଲା ପୁଣି କିପରି ଆମେ ଭୁଲି ଗଲୁ! ଆମେ ସତ୍ତ୍ୱପ୍ରଧାନ ଦୁନିଆରେ ସାରା ବିଶ୍ୱର ମାଲିକ ଥିଲେ ବହୁତ ସୁଖୀ ଥିଲେ, ପୁଣି ଧୀରେ ଧୀରେ ସିଢୀରେ ତଳକୁ ଖସିଲେ । ରାବଣ ଆସିବା ଦ୍ୱାରା ଯେପରି କୁହୁଡି ଆସିଗଲା ଯାହା ଦ୍ୱାରା ରଚୟିତା ଏବଂ ରଚନାକୁ ଆମେ ଭୁଲିଗଲେ । କୁହୁଡିରେ ମନୁଷ୍ୟ ରାସ୍ତା ଆଦି ଭୁଲି ଯାଇଥାଏ ନା । ତେଣୁ ଆମର ଘର କେଉଁଠି, କେଉଁଠିକାର ନିବାସୀ ଥିଲୁ ଏ ସବୁ କିଛି ଭୁଲି ଗଲୁ । ବାବା ଦେଖୁଛନ୍ତି, ମୋର ପିଲାମାନଙ୍କୁ ୫ ହଜାର ବର୍ଷ ପୂର୍ବରୁ ରାଜ୍ୟ ଭାଗ୍ୟ ଦେଇ ଯାଇଥିଲି, ସେମାନେ ବହୁତ ଆନନ୍ଦ ମୌଜରେ ଥିଲେ, ଏବେ ଏହି ଭୂମି କ’ଣ ହୋଇଯାଇଛି! କିପରି ରାବଣର ରାଜ୍ୟକୁ ଆସିଗଲୁ! ପରର ରାଜ୍ୟରେ ତ ନିଶ୍ଚିତ ଦୁଃଖ ହିଁ ମିଳିବ । ତୁମେମାନେ କେତେ ଭଟକୁଛ! ଅନ୍ଧଶ୍ରଦ୍ଧାରେ ବାବାଙ୍କୁ ତୁମେ କେତେ ଖୋଜିଛ କିନ୍ତୁ ସିଏ ମିଳିବେ ବା କେଉଁଠି । ଯାହାଙ୍କୁ ତୁମେ ଗୋଡି-ମାଟିରେ ଅଛନ୍ତି ବୋଲି କହୁଛ ତେବେ ସିଏ ମିଳିବେ ବା କିପରି! ଅଧାକଳ୍ପ ପର୍ଯ୍ୟନ୍ତ ଚାରିଆଡେ ଘୂରି ଘୂରି ତୁମେ ଯେପରି ଥକିଯାଇଛ । ନିଜର ଅଜ୍ଞାନତା କାରଣରୁ ରାବଣ ରାଜ୍ୟରେ ତୁମେ କେତେ ଦୁଃଖ ଭୋଗ କରୁଛ । ଭାରତ ଭକ୍ତିମାର୍ଗରେ କେତେ ଗରିବ ହୋଇଯାଇଛି । ବାବା ପିଲାମାନଙ୍କୁ ଦେଖି ମନରେ ବିଚାର କରୁଛନ୍ତି - ଭାବୁଛନ୍ତି, ପିଲାମାନେ ଭକ୍ତିମାର୍ଗରେ କେତେ ଘୂରିବୁଲିଛନ୍ତି! ଅଧାକଳ୍ପ ଭକ୍ତି କରିଛନ୍ତି, କିନ୍ତୁ କାହା ପାଇଁ? ଭଗବାନଙ୍କ ସହିତ ମିଶିବା ପାଇଁ । ଭକ୍ତି ପରେ ହିଁ ଭଗବାନ ଭକ୍ତିର ଫଳ ଦିଅନ୍ତି । ତେବେ କ’ଣ ଫଳ ଦିଅନ୍ତି? ତାହା ତ କେହି ଜାଣନ୍ତି ନାହିଁ । ବିଲ୍‌କୁଲ୍ ନିର୍ବୋଧ ହୋଇଯାଇଛନ୍ତି । ତେଣୁ ଏସବୁ କଥା ବୁଦ୍ଧିରେ ଆସିବା ଦରକାର - ଆମେ କ’ଣ ଥିଲୁ, କିପରି ରାଜ୍ୟ ଭୋଗ କରୁଥିଲୁ, ପୁଣି କିପରି ସିଢୀରେ ତଳକୁ ଖସି-ଖସି ରାବଣର ଜଞ୍ଜିରରେ ବାନ୍ଧି ହୋଇଗଲୁ । ଏହାଦ୍ୱାରା ଆମେ ଅପରମଅପାର ଦୁଃଖ ଭୋଗ କରିଲୁ । ପ୍ରଥମେ ପ୍ରଥମେ ତୁମେ ଅପରମଅପାର ସୁଖରେ ଥିଲ । ତେଣୁ ମନରେ ଆସିବା ଦରକାର, ନିଜ ରାଜ୍ୟରେ କେତେ ସୁଖ ଥିଲା, ଆଉ ପରର ରାଜ୍ୟରେ କେତେ ଦୁଃଖ ଭୋଗ କରୁଛୁ । ଯେପରି ଲୋକମାନେ ଭାବୁଛନ୍ତି ଇଂରେଜ ଶାସନ ସମୟରେ ଆମେ ବହୁତ ଦୁଃଖ ଭୋଗ କରିଛୁ । ଏବେ ତୁମେ ଏଠାରେ ବସିଛ, ତୁମ ମନରେ ଏହି ବିଚାର ଆସିବା ଦରକାର - ଆମେ କିଏ ଥିଲୁ, କାହାର ସନ୍ତାନ ଥିଲୁ? ବାବା ଆମକୁ ସାରା ବିଶ୍ୱର ରାଜ୍ୟ ଭାଗ୍ୟ ଦେଲେ ପୁଣି କିପରି ଆମେ ରାବଣ ରାଜ୍ୟରେ ଫସି ଗଲେ । କେତେ ଦୁଃଖ ଦେଖିଲେ, କେତେ ଖରାପ କର୍ମ କରିଲେ । ସୃଷ୍ଟିର ଦିନକୁ ଦିନ ଅଧୋପତନ ହୋଇଚାଲିଛି । ମନୁଷ୍ୟମାନଙ୍କର ସଂସ୍କାର ଦିନକୁ ଦିନ ଆସୁରୀ ହୋଇ ଚାଲିଛି । ତେଣୁ ପିଲାମାନଙ୍କର ଏସବୁ କଥା ସ୍ମୃତିରେ ରହିବା ଦରକାର । ବାବା ଦେଖୁଛନ୍ତି - ଏମାନେ ପବିତ୍ର ଆତ୍ମା ଥିଲେ, ଏମାନଙ୍କୁ ମୁଁ ରାଜ୍ୟ ଭାଗ୍ୟ ଦେଇଥିଲି ପୁଣି ଏମାନେ ମୋର କର୍ତ୍ତବ୍ୟକୁ ହିଁ ଭୁଲିଗଲେ । ଏବେ ପୁଣି ତୁମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ଚାହୁଁଛ ତ କେବଳ ମୋତେ ମନେ ପକାଅ ତେବେ ତୁମର ସବୁ ପାପ ସମାପ୍ତ ହୋଇଯିବ । କିନ୍ତୁ ତୁମେ ମୋତେ ମନେ ପକାଇ ପାରୁନାହଁ, ଘଡି-ଘଡି କହୁଛ ବାବା ମୁଁ ଭୁଲି ଯାଉଛି । ଆରେ, ତୁମେ ଯଦି ମୋତେ ମନେ ପକାଇବ ନାହିଁ ତେବେ ପାପ କିପରି ଭସ୍ମ ହେବ? ପ୍ରଥମେ ତୁମେ ବିକାରଗ୍ରସ୍ତ ହୋଇ ପତିତ ହୋଇଗଲ ପୁଣି ଦ୍ୱିତୀୟରେ ବାବାଙ୍କୁ ଗାଳିଦେଲ । ମାୟାର ସଂଗରେ ଆସି ତୁମେ ଏତେ ତଳକୁ ଖସିଗଲ ଯେ, ତୁମକୁ ଯିଏ ଉପରକୁ ଉଠାଇଥିଲେ ତାଙ୍କୁ ମଧ୍ୟ ତୁମେ ମାଟି ଗୋଡିରେ ଅଛନ୍ତି ବୋଲି କହିଦେଲ, ମାୟାର ସଂଗରେ ଆସି ତୁମେ ଏଭଳି ସବୁ କର୍ମ କରିଲ! ଏହା ବୁଦ୍ଧିରେ ଆସିବା ଦରକାର ନା । ଏକଦମ୍ ପଥର ବୁଦ୍ଧି ତ ହେବା ଉଚିତ୍ ନୁହେଁ । ବାବା ପ୍ରତ୍ୟେକ ଦିନ କହୁଛନ୍ତି - ମୁଁ ତୁମକୁ ବହୁତ ଫାଷ୍ଟକ୍ଲାସ ପଏଣ୍ଟ ଶୁଣାଉଛି ।

ଯେମିତି ବମ୍ବେରେ ସଂଗଠନ ହେବା, ସେଠାରେ ତୁମେମାନେ କହିପାରିବ ଯେ ବାବା କହୁଛନ୍ତି - ହେ ଭାରତବାସୀ, ମୁଁ ତୁମମାନଙ୍କୁ ରାଜ୍ୟ ଭାଗ୍ୟ ଦେଇଥିଲି । ତୁମେ ଦେବତାମାନେ ସ୍ୱର୍ଗରେ ଥିଲ ପୁଣି ତୁମେ ରାବଣ ରାଜ୍ୟକୁ କିପରି ଆସିଲ, ଏହା ମଧ୍ୟ ଡ୍ରାମାରେ ପାର୍ଟ ଅଛି । ତେଣୁ ତୁମମାନଙ୍କୁ ଏବେ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିବାକୁ ହେବ ତେବେ ଯାଇ ଉଚ୍ଚ ପଦ ପ୍ରାପ୍ତ କରିପାରିବ । ଆଉ ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ । ଯଦିଓ ଏଠାରେ ସମସ୍ତେ ବସିଛ କିନ୍ତୁ କାହାର ବୁଦ୍ଧି କେଉଁଠି ତ ପୁଣି ଆଉ କାହାର ବୁଦ୍ଧି ଆଉ କେଉଁଠି । ବୁଦ୍ଧିରେ ଆସିବା ଦରକାର - ଆମେ କେଉଁଠି ଥିଲେ, ଏବେ ଆମେ ଆସି ରାବଣ ରାଜ୍ୟରେ ପଡିଛୁ, କେତେ ଦୁଃଖି ହୋଇଯାଇଛୁ । ଶିବାଳୟରେ ବହୁତ ସୁଖୀ ଥିଲେ । ଏବେ ବାବା ଆସିଛନ୍ତି, ବେଶ୍ୟାଳୟରୁ ବାହାର କରିବା ପାଇଁ, ତଥାପି ମଧ୍ୟ ବାହାରୁ ନାହାଁନ୍ତି । ବାବା କହୁଛନ୍ତି ତୁମେମାନେ ଶିବାଳୟକୁ ଚାଲିଯିବ ପୁଣି ସେଠାରେ ତୁମକୁ ଏହି ବିଷ ମିଳିବ ନାହିଁ । ଏଠିକାର ଅଶୁଦ୍ଧ ଖାଦ୍ୟ ପାନୀୟ ସେଠାରେ ମିଳିବ ନାହିଁ । ଇଏ (ବ୍ରହ୍ମା) ତ ବିଶ୍ୱର ମାଲିକ ଥିଲେ ନା । ପୁଣି ଇଏ କେଉଁ ଆଡେ ଗଲେ? ଏବେ ପୁଣି ଥରେ ନିଜର ଭାଗ୍ୟ ତିଆରି କରୁଛନ୍ତି । କେତେ ସହଜ ନା । ଏକଥା ମଧ୍ୟ ବାବା ବୁଝାଉଛନ୍ତି ଯେ, ସମସ୍ତେ ତ ସେବାଧାରୀ ହେବେ ନାହିଁ । କାରଣ କ୍ରମାନୁସାରେ ରାଜଧାନୀ ସ୍ଥାପନ କରିବାକୁ ହେବ, ଯେମିତି ୫ ହଜାର ବର୍ଷ ପୂର୍ବରୁ କରିଥିଲି । ତେଣୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବାବା କହୁଛନ୍ତି - ଏହା ତମଃପ୍ରଧାନ ପୁରୁଣା ଦୁନିଆ । ଯେତେବେଳେ ଦୁନିଆ ସମ୍ପୂର୍ଣ୍ଣ ପୁରୁଣା ହେବ ସେତେବେଳେ ବାବା ଆସିବେ ନା । ବାବାଙ୍କ ବ୍ୟତୀତ ଆଉ କେହି ତ ବୁଝାଇପାରିବେ ନାହିଁ । ଭଗବାନ ଏହି ବ୍ରହ୍ମାଙ୍କ ରଥ ଦ୍ୱାରା ଆମକୁ ପାଠ ପଢାଉଛନ୍ତି, ଏ କଥା ଯଦି ମନେ ରହିବ, ତେବେ ଯାଇ ବୁଦ୍ଧିରେ ଜ୍ଞାନ ରହିପାରିବ ପୁଣି ଅନ୍ୟମାନଙ୍କୁ ବୁଝାଇ ନିଜ ସମାନ କରିପାରିବ । ବାବା ବୁଝାଉଛନ୍ତି - ପୂର୍ବରୁ ତୁମର ଆସୁରୀ ସ୍ୱଭାବ ଥିଲା, ଯାହା ବହୁତ ମୁସ୍‌କିଲ୍‌ରେ ସୁଧୁରୁଛି । କିନ୍ତୁ ବିକାରୀ ଦୃଷ୍ଟି ଯାଉ ନାହିଁ.... । ପ୍ରଥମେ କାମ ବିକାରର, ଯାହାକୁ ବହୁତ ମୁସ୍‌କିଲରେ ଛାଡୁଛ ପୁଣି ତା’ ସହିତ ୫ ବିକାରକୁ ମଧ୍ୟ ଛାଡିବାକୁ ପଡୁଛି । କ୍ରୋଧ ରୂପକ ବିକାର ମଧ୍ୟ କେତେ ରହିଛି । ବସୁ ବସୁ କ୍ରୋଧର ଭୂତ ଆସିଯାଉଛି । ଏହା ମଧ୍ୟ ବିକାର ହେଲା ନା । ନିର୍ବିକାରୀ ତ କେହି ହୋଇନାହାଁନ୍ତି । ତେବେ ତା’ର ପରିଣାମ କ’ଣ ହେବ! ଶହେ ଗୁଣା ପାପ ହେବ । ଘଡି-ଘଡି କ୍ରୋଧ କରି ଚାଲୁଥିବେ । ବାବା ବୁଝାଇଛନ୍ତି - ତୁମେ ଏବେ ରାଜଣ ରାଜ୍ୟରେ ତ ନାହଁ ନା । ତୁମେ ତ ଈଶ୍ୱରଙ୍କ ପାଖରେ ବସିଛ । ତେଣୁ ଏହି ବିକାରରୁ ମୁକ୍ତ ହେବା ପାଇଁ ପ୍ରତିଜ୍ଞା କରିବାକୁ ହେବ । ବାବା କହୁଛନ୍ତି ଏବେ ମୋତେ ମନେ ପକାଅ । କ୍ରୋଧ କର ନାହିଁ । ୫ ବିକାର ତୁମକୁ ଅଧାକଳ୍ପ ହେବ ତଳକୁ ଖସାଇ ଆଣିଛି । ସବୁଠାରୁ ଶ୍ରେଷ୍ଠ ଏବଂ ସବୁଠାରୁ ଉଚ୍ଚ ତୁମେମାନେ ଥିଲ ପୁଣି ସବୁଠାରୁ ତଳକୁ ମଧ୍ୟ ତୁମେମାନେ ହିଁ ଆସିଲ । ଏହି ୫ ବିକାର ହିଁ ତୁମର ଅଧୋଗତି କରିଛି । ଏବେ ଶିବାଳୟକୁ ଯିବାକୁ ହେବ ତେଣୁ ଏହି ୫ ବିକାରକୁ ବାହାର କରିଦେବାକୁ ହେବ । ଏହି ବେଶ୍ୟାଳୟରୁ ନିଜ ମନକୁ ହଟାଇବାକୁ ହେବ । ବାବାଙ୍କୁ ମନେ ପକାଅ ତେବେ ଅନ୍ତିମ ମତି ଅନୁସାରେ ତୁମର ଗତି ହୋଇଯିବ ଏବଂ ତୁମେ ଘରେ ପହଞ୍ଚି ଯିବ । ଏହି ରାସ୍ତା ବାବାଙ୍କ ବ୍ୟତୀତ ଅନ୍ୟ କେହି ବତାଇପାରିବେ ନାହିଁ । ଭଗବାନୁବାଚ, ମୁଁ କେବେ କହିନାହିଁ - ମୁଁ ସର୍ବବ୍ୟାପୀ ଅଟେ । ମୁଁ ତ ରାଜଯୋଗ ଖିଖାଉଛି ଏବଂ ତୁମକୁ ବିଶ୍ୱର ମାଲିକ କରୁଛି ପୁଣି ସେଠାରେ ତ ଏହି ଜ୍ଞାନର ଆବଶ୍ୟକତା ହିଁ ରହିବ ନାହିଁ । ତୁମେମାନେ ମନୁଷ୍ୟରୁ ଦେବତା ହୋଇଯାଉଛ, ଏବେ ସ୍ୱର୍ଗର ସମ୍ପତ୍ତି ପ୍ରାପ୍ତ କରୁଛ । ଏଥିରେ ହଠଯୋଗ ଆଦିର କଥା ହିଁ ନାହିଁ । ନିଜକୁ ଆତ୍ମା ନିଶ୍ଚୟ କର । ନିଜକୁ ଶରୀର ବୋଲି କାହିଁକି ଭାବୁଛ । ଶରୀର ମନେ କରିଲେ ଜ୍ଞାନ ବୁଦ୍ଧିରେ ରହିବ ନାହିଁ । ଏହା ମଧ୍ୟ ପୂର୍ବ ପ୍ରସ୍ତୁତ ଡ୍ରାମା । ତୁମେମାନେ ଜାଣୁଛ - ଆମେ ରାବଣ ରାଜ୍ୟରେ ଥିଲୁ, ଏବେ ରାମରାଜ୍ୟକୁ ଯିବା ପାଇଁ ପୁରୁଷାର୍ଥ କରୁଛୁ । ତେବେ ଏବେ ଆମେ ପୁରୁଷୋତ୍ତମ ସଂଗମଯୁଗୀ ଅଟୁ ।

ଭଲେ ଘର ଗୃହସ୍ଥରେ ରୁହ । କାରଣ ଏତେ ସବୁ ଏଠାରେ କେଉଁଠି ରହିବେ । ବ୍ରାହ୍ମଣ ହୋଇ ମଧ୍ୟ ଏତେ ସବୁ ବ୍ରହ୍ମାଙ୍କ ପାଖରେ ରହିପାରିବେ ନାହିଁ । ସମସ୍ତଙ୍କୁ ନିଜ ଘରେ ରହିବାକୁ ହେବ ଏବଂ ବୁଦ୍ଧିରେ ଭାବିବାକୁ ହେବ ଯେ, ଆମେ ଶୂଦ୍ର ନୋହୁଁ, ବ୍ରାହ୍ମଣ । ଶ୍ରେଷ୍ଠ ବ୍ରାହ୍ମଣମାନଙ୍କର ସମ୍ପ୍ରଦାୟ କେତେ ଛୋଟ । ତେବେ ଘର ଗୃହସ୍ଥରେ ରହି, ଶରୀର ନିର୍ବାହ ଅର୍ଥେ କର୍ମଧନ୍ଦା ଆଦି କରି କେବଳ ବାବାଙ୍କୁ ମନେ ପକାଅ । ଆମେ କ’ଣ ଥିଲୁ, ଏବେ ରାବଣ ରାଜ୍ୟରେ ଆସି ପଡିଛୁ । କେତେ ଦୁଃଖୀ ହୋଇଯାଇଛୁ । ଏବେ ବାବା ଆମକୁ ପୁଣି ଥରେ ନେଇଯାଉଛନ୍ତି । ତେଣୁ ଘର ଗୃହସ୍ଥରେ ରହି ମଧ୍ୟ ସେହି ଅବସ୍ଥାକୁ ଧାରଣ କରିବାକୁ ହେବ । ଆରମ୍ଭରେ କେତେ ବଡ ବଡ ପରିବାର ଆସିଲେ, ପୁଣି ସେଥିରୁ କେହି ରହିଗଲେ, କେହି ଚାଲିଗଲେ । ତୁମର ବୁଦ୍ଧିରେ ଅଛି ଯେ, ଆମେ ପ୍ରଥମେ ନିଜ ରାଜ୍ୟରେ ଥିଲୁ, ପୁଣି ଏବେ ଆସି କେଉଁଠି ପଡିଛୁ । ପୁଣି ଏବେ ନିଜ ରାଜ୍ୟକୁ ଯାଉଛୁ । ତୁମେମାନେ ଲେଖୁଛ ଅଥବା କହୁଛ - ବାବା, ଅମୁକ ଆତ୍ମା ବହୁତ ଭଲ, ନିୟମିତ ବିଦ୍ୟାର୍ଥୀ ଥିଲେ ପୁଣି ଏବେ ଆଉ ଆସୁ ନାହାଁନ୍ତି । ଆସୁନାହାଁନ୍ତି ଅର୍ଥାତ୍ ବିକାରରେ ବଶୀଭୂତ ହୋଇ ତଳକୁ ଖସିଯାଇଛନ୍ତି ତେବେ ଆଉ ଜ୍ଞାନର ଧାରଣା ହୋଇପାରିବ ନାହିଁ । ତାଙ୍କର ଉନ୍ନତି ହେବା ବଦଳରେ ତଳକୁ ଖସି ଖସି ପାଇ ପଇସାର ପଦ ପାଇବେ । କେଉଁଠି ରାଜା, ଆଉ କେଉଁଠି ନୀଚ୍ଚ ପଦ! ଯଦିଓ ସେଠାରେ ସୁଖ ବହୁତ ଅଛି କିନ୍ତୁ ଉଚ୍ଚ ପଦ ପ୍ରାପ୍ତ କରିବା ପାଇଁ ପୁରୁଷାର୍ଥ କରିବାକୁ ହେବ । ବଡ ପଦବୀ କିଏ ପ୍ରାପ୍ତ କରିବେ? ଏହା ତ ସମସ୍ତେ ବୁଝିପାରୁଥିବେ, ଏବେ ସମସ୍ତେ ପୁରୁଷାର୍ଥ କରୁଛନ୍ତି । ଭୋପାଳର ରାଜା ମହେନ୍ଦ୍ର ମଧ୍ୟ ପୁରୁଷାର୍ଥ କରୁଛନ୍ତି । ତେବେ ସିଏ ତ ହେଲେ ପାଇ ପଇସାର ରାଜା, କିନ୍ତୁ ଇଏ (ବ୍ରହ୍ମା) ତ ସୂର୍ଯ୍ୟବଂଶୀ ରାଜଧାନୀକୁ ଯାଉଛନ୍ତି । ତେଣୁ ପୁରୁଷାର୍ଥ ଏଭଳି କରିବା ଦରକାର ଯାହାକି ବିଜୟ ମାଳାରେ ଆସିପାରିବ । ବାବା ପିଲାମାନଙ୍କୁ ବୁଝାଉଛନ୍ତି ନିଜକୁ ଯାଞ୍ଚ କରିବାକୁ ହେବ ଯେ, ମୋ ଆଖି ବିକାରୀ ହେଉ ନାହିଁ ତ? ଯଦି ଆଖି ନିର୍ବିକାରୀ ହୋଇଯିବ ତେବେ ଆଉ କ’ଣ ଦରକାର । ଯଦିଓ ବିକାରଗ୍ରସ୍ତ ହେଉନାହାଁନ୍ତି କିନ୍ତୁ ଆଖି କିଛି ନା କଛି ଧୋକା ଦେଇଦେଉଛି । ପ୍ରଥମ ନମ୍ବରର ବିକାର ହେଉଛି କାମ ବିକାର, ବିକାରୀ ଦୃଷ୍ଟି ବହୁତ ଖରାପ ସେଥିପାଇଁ ନାମ ରଖାଯାଇଛି, ବିକାରୀ ଦୃଷ୍ଟି, ନିର୍ବିକାରୀ ଦୃଷ୍ଟି । ବେହଦର ବାବା ପିଲାମାନଙ୍କୁ ଜାଣିଛନ୍ତି ନା - ଇଏ କି-କି କର୍ମ କରୁଛନ୍ତି, କେତେ ସେବା କରୁଛନ୍ତି? ଅମୁକର ବିକାରୀ ଦୃଷ୍ଟି ଏ ପର୍ଯ୍ୟନ୍ତ ଯାଇ ନାହିଁ - ଏବେ ମଧ୍ୟ ଏହିଭଳି ଗୁପ୍ତ ସମାଚାର ଆସୁଛି । ପରବର୍ତ୍ତୀ ସମୟରେ ନିର୍ଭୁଲ୍ ସମାଚାର ଲେଖି ପଠାଇବେ ନିଜେ ମଧ୍ୟ ଅନୁଭବ କରିବେ - ମୁଁ ଏତେ ସମୟ ଧରି ମିଛ କହିଥିଲି, ଭୁଲ କରିଥିଲି, କାରଣ ବୁଦ୍ଧିରେ ପୂରା ଜ୍ଞାନ ନଥିଲା । ଏହି କାରଣରୁ ମୋର ଅବସ୍ଥା ଭଲ ହୋଇପାରିଲା ନାହିଁ । ବାବାଙ୍କ ନିକଟରେ ବହୁତ ଲୁଛାଉଛନ୍ତି । ଏମିତି ଅନେକ ପିଲା ଲୁଚାଉଛନ୍ତି । ଡାକ୍ତରଙ୍କ ନିକଟରେ ୫ ବିକାରର ବେମାରୀ ଲୁଚାଇବାର ନାହିଁ, ସତ୍ୟ କହିଦେବା ଉଚିତ୍ ଯେ, ମୋର ବୁଦ୍ଧି ଅନ୍ୟ ଆଡକୁ ଯାଉଛି, ଶିବବାବାଙ୍କ ଆଡକୁ ଯାଉ ନାହିଁ । ବାବାଙ୍କୁ ନ କହିଲେ ତାହା ବୃଦ୍ଧି ହୋଇ ଚାଲିବ । ଏବେ ବାବା ବୁଝାଉଛନ୍ତି - ପିଲାମାନେ, ଦେହୀ-ଅଭିମାନୀ ହୁଅ, ନିଜକୁ ଆତ୍ମା ନିଶ୍ଚୟ କର । ଆତ୍ମା-ଆତ୍ମା ଭାଇ ଭାଇ । ତୁମେ ଯେତେବେଳେ ପୂଜ୍ୟ ଥିଲ, ସେତେବେଳେ କେତେ ସୁଖୀ ଥିଲ । ଏବେ ତୁମେ ପୂଜାରୀ, ଦୁଃଖୀ ହୋଇଯାଇଛ । ତୁମର କ’ଣ ହୋଇଯାଇଛି! ସମସ୍ତେ କହୁଛନ୍ତି ଏହି ଗୃହସ୍ଥ ଆଶ୍ରମ ତ ପରମ୍ପରାରୁ ଚାଲିଆସୁଛି । ରାମ-ସୀତାଙ୍କର କ’ଣ ସନ୍ତାନ ନ ଥିଲେ! କିନ୍ତୁ ସେଠାରେ ବିକାରରୁ ପିଲା ଜନ୍ମ ହୁଅନ୍ତି ନାହିଁ । ଆରେ, ତାହା ତ ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ । ସେଠାରେ ଭ୍ରଷ୍ଟାଚାରରୁ ଜନ୍ମ ହୁଅନ୍ତି ନାହିଁ, କାରଣ ସେଠାରେ ବିକାର ନାହିଁ । ସେଠାରେ ଏହି ରାବଣ ରାଜ୍ୟ ନ ଥିଲା ତାହା ତ ରାମରାଜ୍ୟ । ସେଠାରେ ରାବଣ କେଉଁଠାରୁ ଆସିଲା । ମନୁଷ୍ୟମାନଙ୍କର ବୁଦ୍ଧି ବିଲ୍‌କୁଲ୍ ତମଃପ୍ରଧାନ ହୋଇଯାଇଛି । ତେବେ ଏମିତି କିଏ କରିଲା? ମୁଁ ତୁମକୁ ସତ୍ତ୍ୱପ୍ରଧାନ କରିଥିଲି, ତୁମର ବେଡା ପାର କରିଥିଲି ପୁଣି ତୁମକୁ ତମଃପ୍ରଧାନ କିଏ କରିଲା? ରାବଣ । ଏକଥା ମଧ୍ୟ ତୁମେମାନେ ଭୁଲିଯାଉଛ । ମନୁଷ୍ୟମାନେ କହୁଛନ୍ତି ଏହା ତ ପରମ୍ପରାରୁ ଚାଲିଆସୁଛି । ଆରେ ପରମ୍ପରା ମାନେ କେବେଠାରୁ? କିଛି ହିସାବ ତ କୁହ । କିଛି ବି ବୁଝୁ ନାହାଁନ୍ତି । ବାବା ବୁଝାଉଛନ୍ତି - ମୁଁ ତୁମକୁ ରାଜ୍ୟଭାଗ୍ୟ ଦେଇ ଯାଇଥିଲି । ତୁମେ ଭାରତବାସୀ ବହୁତ ଖୁସୀରେ ଥିଲ, ସେତେ ଖୁସୀରେ ଆଉ କେହି ନଥିଲେ । ଖ୍ରୀଷ୍ଟୀୟାନ୍‌ମାନେ ମଧ୍ୟ କହୁଛନ୍ତି ସ୍ୱର୍ଗ ଥିଲା, ଦେବତାମାନଙ୍କର ଚିତ୍ର ମଧ୍ୟ ରହିଛି, ସେମାନଙ୍କଠାରୁ ପୁରୁଣା ଆଉ କୌଣସି ଚିତ୍ର ନାହିଁ । ସବୁଠାରୁ ପୁରୁଣା ଏହି ଲକ୍ଷ୍ମୀ-ନାରାୟଣ ହେବେ ନଚେତ୍ ୟାଙ୍କର କୌଣସି ବସ୍ତୁ ହୋଇଥିବ । ସବୁଠାରୁ ପୁରୁଣା ହେଉଛନ୍ତି ଶ୍ରୀକୃଷ୍ଣ ଏବଂ ସବୁଠାରୁ ନୂଆ ମଧ୍ୟ ଶ୍ରୀକୃଷ୍ଣ ଥିଲେ । ପୁଣି ପୁରୁଣା କାହିଁକି କୁହାଯାଉଛି? କାହିଁକି ନା ଅତୀତ ହୋଇଗଲା ନା । ତୁମେମାନେ ହିଁ ଗୋରା ଥିଲ ପୁଣି ଶ୍ୟାମଳ ହେଲ । ଲୋକମାନେ ଶ୍ୟାମଳ କୃଷ୍ଣଙ୍କ ମୂର୍ତ୍ତିୀକୁ ଦେଖି ବହୁତ ଖୁସି ହେଉଛନ୍ତି । ତାଙ୍କୁ ଝୁଲାରେ ମଧ୍ୟ ଝୁଲାଉଛନ୍ତି । ତାଙ୍କୁ କ’ଣ ଜଣା ଅଛି ଇଏ କେବେ ଗୋରା ଥିଲେ! କୃଷ୍ଣଙ୍କୁ କେତେ ସ୍ନେହ କରୁଛନ୍ତି! କିନ୍ତୁ ରାଧା କ’ଣ କରିଥିଲେ?

ବାବା କହୁଛନ୍ତି - ତୁମେମାନେ ଏଠାରେ ସତ୍ୟର ସଙ୍ଗରେ ରହିଛ, ବାହାରେ କୁସଂଗରେ ମିଶିବା ଦ୍ୱାରା ସବୁ ଭୁଲିଯାଉଛ । ମାୟା ବହୁତ ଶକ୍ତିଶାଳୀ । ଦେଖାଇଛନ୍ତି ଗଜକୁ କୁମ୍ଭୀର କାବୁ କରିନେଲା । ଏପରି ମଧ୍ୟ ଅଛନ୍ତି ମାୟାର ବଶବର୍ତ୍ତୀ ହୋଇ ବାବାଙ୍କ ହାତ ଛାଡି ଦେଉଛନ୍ତି । ଟିକିଏ ବି ଅହଂକାରରେ ଆସିବା ଦ୍ୱାରା ନିଜର ସତ୍ୟାନାଶ କରିଦେଉଛନ୍ତି । ବେହଦର ବାବା ତ ସବୁବେଳେ ବୁଝାଇବେ । ଏଥିରେ ବ୍ୟତିବ୍ୟସ୍ତ ହେବା ଉଚିତ୍‌ ନୁହେଁ । ବାବା ଏମିତି କାହିଁକି କହିଲେ, ମୋର ଇଜ୍ଜତ ଚାଲିଗଲା! ଆରେ ତୁମର ଇଜ୍ଜତ ରାବଣ ରାଜ୍ୟରେ ଚାଲିଯାଇଛି । ତେବେ ଦେହ-ଅଭିମାନରେ ଆସିବା ଦ୍ୱାରା ନିଜର ହିଁ କ୍ଷତି କରିଥା’ନ୍ତି ଏବଂ ତା’ଦ୍ୱାରା ପଦ ମଧ୍ୟ ଭ୍ରଷ୍ଟ ହୋଇଯାଏ । କ୍ରୋଧ, ଲୋଭ ମଧ୍ୟ ଆସୁରୀ ସଂସ୍କାର ଅଟେ । ଆଖିରେ ଦେଖୁଛନ୍ତି ସେଥିପାଇଁ ତ ଲୋଭ ହେଉଛି ।

ବାବା ଆସି ନିଜର ଭିନ୍ନ ଭିନ୍ନ ଫୁଲର ବଗିଚାକୁ ଦେଖୁଛନ୍ତି । ଏଠାରୁ ଯାଇ ପୁଣି ସେହି ସତ୍ୟଯୁଗୀ ଫୁଲର ବଗିଚାକୁ ମଧ୍ୟ ଦେଖୁଛନ୍ତି । ଭକ୍ତିରେ ଶିବବାବାଙ୍କୁ ଫୁଲ ମଧ୍ୟ ଚଢାଇଥା’ନ୍ତି । ସିଏ ତ ନିରାକାର, ଚୈତନ୍ୟ ଫୁଲ ଅଟନ୍ତି । ଏବେ ତୁମେମାନେ ପୁରୁଷାର୍ଥ କରି ଏଭଳି ଫୁଲ ହେଉଛ । ବାବା କହୁଛନ୍ତି - ମିଠା-ମିଠା ସନ୍ତାନମାନେ, ଯାହା କିଛି ବିତିଗଲା, ତାକୁ ଡ୍ରାମା ବୋଲି ଭାବ । ଚିନ୍ତା କର ନାହିଁ । ପ୍ରଜା ମଧ୍ୟ ଦରକାର ନା । ଟିକିଏ ଶୁଣିଲେ ମଧ୍ୟ ପ୍ରଜାରେ ଆସିଯିବେ । ପ୍ରଜା ତ ଅନେକ ହେବେ । ଜ୍ଞାନର କେବେ ବିନାଶ ହୁଏ ନାହିଁ । ଥରେ ଶୁଣିଲେ ଇଏ ଶିବବାବା ଅଟନ୍ତି, ତେବେ ମଧ୍ୟ ସିଏ ପ୍ରଜାରେ ଆସିଯିବେ । ତୁମର ଏହି ସ୍ମୃତି ଆସିବା ଦରକାର ଯେ ଆମେ ଆରମ୍ଭରେ ଯେଉଁ ରାଜ୍ୟରେ ଥିଲେ, ଏବେ ପୁଣି ଥରେ ସେହି ରାଜ୍ୟ ପ୍ରାପ୍ତ କରୁଛୁ, ତେଣୁ ସେଥିପାଇଁ ପୁରା ପୁରୁଷାର୍ଥ କରିବା ଦରକାର । ବିଲ୍‌କୁଲ୍ ଠିକ୍ ଭାବରେ ସେବା ଚାଲିଛି । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଶିବାଳୟକୁ ଯିବା ପାଇଁ ଏହି ସବୁ ବିକାର ଗୁଡିକୁ ନିଜ ଭିତରୁ ବାହାର କରିଦେବାକୁ ହେବ । ଏହି ବେଶ୍ୟାଳୟ ସଦୃଶ ଦୁନିଆଠାରୁ ମନକୁ ଫେରାଇ ଆଣିବାକୁ ହେବ । ଶୂଦ୍ରମାନଙ୍କର ସଂଗଠାରୁ ଦୂରେଇ ରହିବାକୁ ହେବ ।

(୨) ଯାହା କିଛି ବିତିଯାଇଛି ତା’କୁ ଡ୍ରାମା ମନେ କରି କୌଣସି ବିଚାର କରିବାର ନାହିଁ । ଅହଂକାରରେ କେବେ ହେଲେ ଆସିବାର ନାହିଁ । କେବେ ଯଦି କୌଣସି ଶିକ୍ଷା ବା ସାବଧାନୀ ମିଳୁଛି ତେବେ ସେଥିରେ ଅସନ୍ତୁଷ୍ଟ ହେବାର ନାହିଁ ।

ବରଦାନ:-
ଖୁସି ରୂପକ ସମ୍ପତ୍ତିରେ ସମ୍ପନ୍ନ ହୋଇ ଦୁଃଖୀ ଆତ୍ମାମାନଙ୍କୁ ଖୁସିର ଦାନ ଦେଉଥିବା ପୁଣ୍ୟ ଆତ୍ମା ଭବ ।

ବର୍ତ୍ତମାନ ସମୟରେ ଦୁନିଆରେ ସବୁ ସମୟରେ ଦୁଃଖ ରହିଛି ଏବଂ ତୁମ ପାଖରେ ସବୁ ସମୟରେ ଖୁସି ରହିଛି । ତେବେ ଦୁଃଖୀ ଆତ୍ମାମାନଙ୍କୁ ଖୁସିର ଦାନ ଦେବା ହିଁ ସବୁଠାରୁ ବଡରୁ ବଡ ପୁଣ୍ୟ ଅଟେ । ଦୁନିଆର ଲୋକମାନେ ଖୁସି ପାଇବା ପାଇଁ କେତେ ସମୟ, କେତେ ସମ୍ପତ୍ତି ଖର୍ଚ୍ଚ କରୁଛନ୍ତି କିନ୍ତୁ ତୁମମାନଙ୍କୁ ସହଜରେ ଖୁସି ରୂପକ ସମ୍ପତ୍ତି ମିଳିଯାଇଛି । ଏବେ କେବଳ ଯାହା ସବୁ ମିଳିଛି ତା’କୁ ବାଣ୍ଟିଚାଲ । ବାଣ୍ଟିବା ଅର୍ଥ ବଢାଇବା । ଯିଏ ବି ତୁମମାନଙ୍କ ସମ୍ବନ୍ଧରେ ଆସୁଛି ସେ ଅନୁଭବ କରୁ ଯେ ଏମାନଙ୍କୁ କୌଣସି ଶ୍ରେଷ୍ଠ ପ୍ରାପ୍ତି ହୋଇଛି ଯାହାର ଖୁସିରେ ଏମାନେ ରହୁଛନ୍ତି ।

ସ୍ଲୋଗାନ:-
ଅନୁଭବୀ ଆତ୍ମା କେବେ ବି କୌଣସି କଥାରେ ଧୋକା ଖାଇପାରିବ ନାହିଁ, ସେ ସର୍ବଦା ବିଜୟୀ ହୋଇଥାଏ ।