21.07.24    Avyakt Bapdada     Odia Murli    16.12.20     Om Shanti     Madhuban


“ସାକ୍ଷାତ୍ ବ୍ରହ୍ମାବାବାଙ୍କ ସମାନ କର୍ମଯୋଗୀ ଫରିସ୍ତା ହୁଅ ତେବେ ଯାଇ ସାକ୍ଷାତ୍‌କାର ହେବା ଆରମ୍ଭ ହେବ”


ଆଜି ବ୍ରାହ୍ମଣ ସଂସାରର ରଚୟିତା ବାପଦାଦା ନିଜର ବ୍ରାହ୍ମଣ ସଂସାରକୁ ଦେଖି ହର୍ଷିତ ହେଉଛନ୍ତି । ଏହା କେତେ ଛୋଟିଆ ଏବଂ ପ୍ରିୟ ସଂସାର । ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ମସ୍ତକରେ ଭାଗ୍ୟର ତାରକା ଚମକୁଛି । ସମସ୍ତେ କ୍ରମାନ୍ୱୟରେ ରହିଥିଲେ ମଧ୍ୟ ସମସ୍ତଙ୍କର ତାରାକା ଭିତରେ ଭଗବାନଙ୍କୁ ଚିହ୍ନିବାର ଏବଂ ତାଙ୍କର ସନ୍ତାନ ହେବାର ଶ୍ରେଷ୍ଠ ଭାଗ୍ୟର ଚମକ ରହିଛି । ଯେଉଁ ପିତାଙ୍କର ପରିଚୟକୁ ନ ଜାଣି ଋଷି, ମୁନି, ତପସ୍ୱୀମାନେ ନେତି-ନେତି କହିଚାଲିଗଲେ କିନ୍ତୁ ସେହି ପିତାଙ୍କୁ ବ୍ରାହ୍ମଣ ସଂସାରର ଭୋଲୀ-ଭାଲୀ ଆତ୍ମାମାନେ ଚିହ୍ନିପାରିଲେ ଏବଂ ପାଇଗଲେ । ଏଭଳି ଭାଗ୍ୟ କେଉଁ ଭଳି ଆତ୍ମାମାନଙ୍କୁ ପ୍ରାପ୍ତ ହେଉଛି? ଯେଉଁମାନେ ଅତି ସାଧାରଣ ଆତ୍ମା ଅଟନ୍ତି । ବାବା ମଧ୍ୟ ସାଧାରଣ ଶରୀରରେ ଆସୁଛନ୍ତି ଏବଂ ପିଲାମାନଙ୍କ ଭିତରେ ମଧ୍ୟ ସାଧାରଣ ଆତ୍ମାମାନେ ହିଁ ଚିହ୍ନିପାରୁଛନ୍ତି । ଆଜିର ଏହି ସଭାରେ ଦେଖ କିଏ ସବୁ ବସିଛନ୍ତି? ଅର୍ବପତି-ଖର୍ବପତି ବସିଛନ୍ତି କି? ସାଧାରଣ ଆତ୍ମାମାନଙ୍କର ହିଁ ଗାୟନ ରହିଛି । ବାବାଙ୍କର ଗାୟନ ଦିନବନ୍ଧୁ ନାମରେ ହିଁ ରହିଛି । ଅର୍ବପତି-ଖର୍ବପତିଙ୍କର ବନ୍ଧୁ ବୋଲି ତ ଗାୟନ ହେଉନାହିଁ । ଯିଏ ବୁଦ୍ଧିବାନ ମାନଙ୍କର ବୁଦ୍ଧି ଅର୍ଥାତ୍ ପରମ ବୁଦ୍ଧିବାନ ବାବା କ’ଣ କୌଣସି ଅର୍ବ-ଖର୍ବ ପତିର ବୁଦ୍ଧିକୁ ପରିବର୍ତ୍ତନ କରିପାରିବେ ନାହିଁ? ଏଥିରେ କ’ଣ ବଡ କଥା ଅଛି! କିନ୍ତୁ ଡ୍ରାମାର ନିୟମ ବଡ କଲ୍ୟାଣକାରୀ ରୂପରେ ତିଆରି ହୋଇଛି, ପରମାତ୍ମାଙ୍କର କାର୍ଯ୍ୟରେ ବିନ୍ଦୁ ବିନ୍ଦୁ ଜଳରେ ପୁଷ୍କରିଣୀ ତିଆରି ହେବାର ଅଛି । ଅନେକ ଆତ୍ମାଙ୍କର ଭବିଷ୍ୟତ ନିର୍ମାଣ ହେବାର ଅଛି । ୧୦-୨୦ ଜଣଙ୍କର ନୁହେଁ, ଅନେକ ଆତ୍ମାଙ୍କର ସଫଳ ହେବାର ଅଛି ସେଥିପାଇଁ ଗାୟନ ରହିଛି - ବିନ୍ଦୁ ବିନ୍ଦୁରେ ପୁଷ୍ପରିଣୀ । ତୁମେମାନେ ଯିଏ ଯେତିକ ନିଜର ଶରୀର-ମନ-ଧନ ସଫଳ କରିଚାଲିଛ ସେହି ଅନୁସାରେ ସଫଳତାର ତାରକା ହୋଇଯାଉଛ । ତେବେ ସମସ୍ତେ ସଫଳତାର ତାରକା ହୋଇଗଲଣି ତ? ହୋଇଗଲଣି, ନା ଏବେ ହେବ, ଭାବୁଛନ୍ତି? ଭାବ ନାହିଁ । କରିବି, ଦେଖିବି, କରିବାକୁ ତ ପଡିବ..... ଏହିଭଳି ଭାବି ଚିନ୍ତି ହେବା ମଧ୍ୟ ସମୟ ନଷ୍ଟ କରିବା ବା ଭବିଷ୍ୟତର ଏବଂ ବର୍ତ୍ତମାନର ପ୍ରାପ୍ତିକୁ ହରାଇବା ।

ବାପଦାଦାଙ୍କ ପାଖରେ କେହି କେହି ପିଲାଙ୍କର ଗୋଟିଏ ସଂକଳ୍ପ ପହଞ୍ଚୁଛି । ବାହାରବାଲା ତ ବିଚରା ଅଟନ୍ତି କିନ୍ତୁ ବ୍ରାହ୍ମଣ ଆତ୍ମାମାନେ ବିଚରା ନୁହଁନ୍ତି, ବିଚାରବାନ ଅଟନ୍ତି, ବୁଦ୍ଧିମାନ ଅଟନ୍ତି । କିନ୍ତୁ କେବେ କେବେ କେହି କେହି ପିଲାଙ୍କ ଭିତରେ ଗୋଟିଏ ଦୁର୍ବଳ ସଂକଳ୍ପ ଉଠୁଛି, ଶୁଣିବ, ତାହା କ’ଣ? ସମସ୍ତେ ହାତ ଉଠାଉଛନ୍ତି, ବହୁତ ଭଲ ପିଲାମାନେ କେବେ କେବେ ଭାବୁଛନ୍ତି କ’ଣ ବିନାଶ ହେବ ନା ନାହିଁ! ୯୯ର ଚକ୍ର ତ ପୂରା ହୋଇଗଲା, ୨୦୦୦ ମସିହା ମଧ୍ୟ ନିଶ୍ଚିତ ପୂରା ହୋଇଯିବ, ତେବେ ବିନାଶ ଆଉ କେତେ ଦିନ ରହିଲା? ବାପଦାଦା ଭାବୁଛନ୍ତି - ଏହା ତ ବଡ ହସ ଲାଗିବା ଭଳି କଥା କାରଣ ବିନାଶର କଥା ଭାବିବା ଅର୍ଥ ବାପଦାଦାଙ୍କୁ ବିଦାୟ ଦେଇଦେବା, କାହିଁକି ନା ଯଦି ବିନାଶ ହୋଇଯିବ ତେବେ ବାବା ତ ପରମଧାମକୁ ଚାଲିଯିବେ ନା! ତେବେ କ’ଣ ସଂଗମଯୁଗରୁ ଥକିଗଲଣି କି? ଏହାକୁ ହୀରାତୁଲ୍ୟ ବୋଲି କହୁଛ କିନ୍ତୁ ସୁବର୍ଣ୍ଣ ଯୁଗକୁ ଅଧିକ ମନେ ପକାଉଛ ତେବେ ବିନାଶ ହେବ ତ ନିଶ୍ଚିତ କିନ୍ତୁ ଅପେକ୍ଷା କାହିଁକି କରିଛ? ପୁଣି କେହି କେହି ଭାବୁଛନ୍ତି ସଫଳ ତ କରିଦେବୁ କିନ୍ତୁ ଯଦି କାଲି ପହରିଦିନ ଭିତରେ ବିନାଶ ହୋଇଗଲା ତେବେ ଆମର ଧନ ସମ୍ପତ୍ତି ତ କାମରେ ଲାଗିପାରିଲା ନାହିଁ । ସେବାରେ ଲାଗିପାରିଲା ନାହିଁ । ତେଣୁ କରିବୁ ଯେ କିନ୍ତୁ ଭାବିଚିନ୍ତି କରିବୁ, ହିସାବ ଭିତରେ କରିବୁ, ଅଳ୍ପ ଅଳ୍ପ କରି କରିବୁ । ଏହିଭଳି ସଂକଳ୍ପ ସବୁ ବାବାଙ୍କ ପାଖରେ ପହଞ୍ଚୁଛି । କିନ୍ତୁ ଧରିନିଅ ଆଜି ଯଦି ତୁମେ ନିଜର ଶରୀରକୁ ସେବାରେ ସମର୍ପଣ କରିଦେଲ, ମନକୁ ବିଶ୍ୱ ପରିବର୍ତ୍ତନ କରିବାର ପ୍ରକମ୍ପନ ବିଚ୍ଛୁରିତ କରିବାରେ ନିରନ୍ତର ଲଗାଇ ଦେଲ, ଯାହା ବି ଧନ ସମ୍ପତ୍ତି ତୁମ ପାଖରେ ଅଛି, ଯେତେ ବି ଅଛି ତାହା ତୁମମାନଙ୍କୁ ହେଉଥିବା ପ୍ରାପ୍ତି ତୁଳନାରେ କିଛି ବି ନୁହେଁ, ପୁଣି ବି ଯାହା ଯାହା ଅଛି, ଆଜି ଯଦି ତା’କୁ ତୁମେ ଈଶ୍ୱରୀୟ ସେବାରେ ସଫଳ କରିଦେଲ ଏବଂ କାଲିକୁ ବିନାଶ ହୋଇଗଲା ତେବେ କ’ଣ ତୁମର ସଫଳ ହେଲା ନା ବ୍ୟର୍ଥରେ ଗଲା? ଭାବୁଛ, ସେବାରେ ତ ଲାଗିପାରିଲା ନାହିଁ, ତେବେ ସଫଳ କ’ଣ ହେଲା? ତେବେ ତୁମେମାନେ କାହା ଉଦ୍ଦେଶ୍ୟରେ ସଫଳ କରୁଛ? ବାପଦାଦାଙ୍କ ନିକଟରେ ସଫଳ କରୁଛ ନା? ତେବେ ବାପଦାଦା ତ ଅବିନାଶୀ ଅଟନ୍ତି, ସେ ତ ବିନାଶ ହେବେ ନାହିଁ? ତେଣୁ ଅବିନାଶୀ ବାପଦାଦାଙ୍କ ପାଖରେ, ନିଜର ଅବିନାଶୀ ଖାତାରେ ତୁମେ ଆଜି ଯଦି ଜମା କରିଛ ବା ଗୋଟିଏ ଘଣ୍ଟା ପୂର୍ବରୁ ଜମା କରିଛ ତେବେ ଅବିନାଶୀ ବାବାଙ୍କ ପାଖରେ ତୁମମାନଙ୍କର ଖାତା ଏକର ପଦ୍ମଗୁଣା ହିସାବରେ ଜମା ହୋଇଗଲା ଏବଂ ବାବା ମଧ୍ୟ ଏକର ପଦ୍ମଗୁଣା ହିସାବରେ ଦେବା ପାଇଁ ବନ୍ଧାୟମାନ ଅଟନ୍ତି । ତେବେ ବାବା ତ କୁଆଡେ ଚାଲି ଯିବେ ନାହିଁ ନା! ପୁରୁଣା ସୃଷ୍ଟିର ହିଁ ବିନାଶ ହେବ ନା । କିନ୍ତୁ ତୁମମାନଙ୍କର ଆନ୍ତରିକତାର ସହିତ ସଫଳ କରିଥିବା, ଶରୀର-ମନ-ଧନର, ବାଧ୍ୟବାଧକତାରେ ବା ଦେଖା ଦେଖି ହିସାବରେ କରିଥିବା ଧନର ପୂରା ପ୍ରାପ୍ତି ମିଳିବ ନାହିଁ, ମିଳିବ ତ ନିଶ୍ଚିତ, କାହିଁକି ନା ଦାତାଙ୍କୁ ତ ଦେଇଛ ନା, କିନ୍ତୁ ପୂରା ପ୍ରାପ୍ତି ମିଳିବ ନାହିଁ ସେଥିପାଇଁ ଏଭଳି ଭାବ ନାହିଁ ଯେ ଏବେ ତ ୨୦୦୧ ପର୍ଯ୍ୟନ୍ତ ମଧ୍ୟ ବିନାଶ ହେବାର କୌଣସି ସଂକେତ ଦେଖାଯାଉ ନାହିଁ, ଏବେ ତ ବଡ ବଡ କାର୍ଯ୍ୟକ୍ରମ ଗୁଡିକର ଯୋଜନା ମଧ୍ୟ ହେଉଛି, ଘର ସବୁ ମଧ୍ୟ ତିଆରି ଚାଲିଛି । ବଡ ବଡ ଯୋଜନା ମଧ୍ୟ ହେଉଛି, ତେଣୁ ୨୦୦୧ ପର୍ଯ୍ୟନ୍ତ ତ କିଛି ଦେଖାଯାଉ ନାହିଁ ଏବଂ ଦେଖାଯିବ ନାହିଁ ମଧ୍ୟ । ତେଣୁ କେବେ ବି ଏହି ସବୁ କଥାକୁ ନିଜର ଆଧାର କରି ବେପରୁଆ ହୁଅ ନାହିଁ । କାରଣ ସବୁ କିଛି ଅଚାନକ ହେବ । ଏବେ ଏଠାରେ ବସିଛ, ଆଉ ଗୋଟିଏ ଘଣ୍ଟା ପରେ ମଧ୍ୟ ହୋଇପାରେ । ତେବେ ଡରିଯାଅ ନାହିଁ ଯେ କିଏ ଜାଣେ ଗୋଟିଏ ଘଣ୍ଟା ପରେ କ’ଣ ହେବ! ହେବାର ମଧ୍ୟ ନାହିଁ କିନ୍ତୁ ସମ୍ଭବ ଅଟେ । ତେଣୁ ଏତିକି ପ୍ରସ୍ତୁତ ହୋଇ ରହିବାକୁ ହିଁ ହେବ । ଶିବରାତ୍ରି ଭିତରେ କରିଦେବୁ, ଏଭଳି ମଧ୍ୟ ଭାବ ନାହିଁ । ସମୟକୁ ଅପେକ୍ଷା କର ନାହିଁ । ସମୟ ତୁମର ରଚନା, ତୁମେ ହେଲ ମାଷ୍ଟର ରଚୟିତା । ରଚୟିତା କେବେ ବି ରଚନାର ଅଧୀନ ହୋଇ ନ ଥାଏ । ସମୟ ତୁମର ରଚନା ତେଣୁ ସେ ତୁମର ଆଦେଶ ଅନୁସାରେ ଚାଲିବ । ତେଣୁ ତୁମେ ସମୟକୁ ଅପେକ୍ଷା କର ନାହିଁ, ଏବେ ତ ସମୟ ତୁମକୁ ଅପେକ୍ଷା କରିଛି । କେତେକ ପିଲା ଭାବୁଛନ୍ତି ଯଦି ୬ ମାସ ପାଇଁ ବାପଦାଦା କହୁଛନ୍ତି ତେବେ ୬ ମାସ ତ ନିଶ୍ଚିତ ରହିବ । ରହିବ ତ ନିଶ୍ଚିତ! କିନ୍ତୁ ବାପଦାଦା କହୁଛନ୍ତି ଏହି ସବୁ ବିନାଶୀ କଥାଗୁଡିକର ଆଧାର ନିଅ ନାହିଁ । ସଦା ପ୍ରସ୍ତୁତ ରୁହ । ସମ୍ପୂର୍ଣ୍ଣ ନିରାଧାର, ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି । ତୁମେମାନେ ଚାଲେଞ୍ଚ କରୁଛ ନା ଗୋଟିଏ ସେକେଣ୍ଡରେ ଜୀବନମୁକ୍ତିର ସମ୍ପତ୍ତି ନିଅ ତେବେ ତୁମେମାନେ କ’ଣ ଗୋଟିଏ ସେକେଣ୍ଡରେ ନିଜକୁ ଜୀବନମୁକ୍ତ କରିପାରିବ ନାହିଁ? ସେଥିପାଇଁ ସମୟକୁ ଅପେକ୍ଷା କର ନାହିଁ, ସମ୍ପନ୍ନ ହେବାର ବ୍ୟବସ୍ଥା କର ।

ବାପଦାଦାଙ୍କୁ ପିଲାମାନଙ୍କର ଖେଳ ଦେଖି ହସ ମଧ୍ୟ ଲାଗୁଛି । ତେବେ କେଉଁ ଖେଳ ଦେଖି ହସ ଲାଗୁଛି । କହିବୁ? ଆଜି ମୁରଲୀ ଶୁଣାଉନାହୁଁ, ସମାଚାର ଶୁଣାଉଛୁ । ଆଜି ପର୍ଯ୍ୟନ୍ତ କେତେକ ପିଲାଙ୍କୁ ଖେଳଣାରେ ଖେଳିବାକୁ ବହୁତ ଭଲ ଲାଗୁଛି । ଛୋଟ ଛୋଟ କଥାର ଖେଳଣାରେ ଖେଳିବା, ଛୋଟ ଛୋଟ କଥାକୁ ଧରିବା, ଏହିଥିରେ ହିଁ ସମୟ ନଷ୍ଟ କରୁଛନ୍ତି । ଏସବୁ ହେଲା ରାସ୍ତାକଡର ଦୃଶ୍ୟ । ଭିନ୍ନ ଭିନ୍ନ ପ୍ରକାରର ସଂସ୍କାରର କଥା ବା କାହାର ଚାଲିଚଳନର କଥା, ଏସବୁ ହେଲା ସମ୍ପୂର୍ଣ୍ଣତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ରାସ୍ତାକଡର ଦୃଶ୍ୟ । ସେଗୁଡିକୁ ଭାବିବା, ତା’ର ପ୍ରଭାବରେ ଆସିବା, ସେଥିରେ ସମୟ ଲଗାଇବା, ଆଗ୍ରହର ସହିତ ଶୁଣିବା ଏବଂ ଶୁଣାଇବା, ବ୍ୟର୍ଥ ବାତାବରଣ ସୃଷ୍ଟି କରିବା.... ଏସବୁ ହେଲା ରାସ୍ତାକଡର ଦୃଶ୍ୟକୁ ଦେଖି ଅଟକିଯିବା । ଏହାଦ୍ୱାରା ସମ୍ପୂର୍ଣ୍ଣତାର ଲକ୍ଷ୍ୟସ୍ଥଳ ପାଖରୁ ଦୂରେଇ ଯାଉଛ । ମେହନତ ବହୁତ କରୁଛ । ଇଚ୍ଛା ବହୁତ ରଖିଛ । “ବାବାଙ୍କ ସମାନ ନିଶ୍ଚିତ ହେବି” ଏହି ଶୁଭେଚ୍ଛା ବା ଶୁଭ ସଂକଳ୍ପ ମଧ୍ୟ ରହିଛି କିନ୍ତୁ ମେହନତ କରୁଥିଲେ ମଧ୍ୟ ବାଧା ଆସିଯାଉଛି । ଯେହେତୁ ଦୁଇଟି କାନ ଅଛି, ଦୁଇଟି ଆଖି ଅଛି, ମୁଖ ମଧ୍ୟ ଅଛି ତେଣୁ ଦେଖିବାକୁ ମଧ୍ୟ ପଡୁଛି, ଶୁଣିବାକୁ ମଧ୍ୟ ପଡୁଛି, କହିବାକୁ ମଧ୍ୟ ପଡୁଛି, କିନ୍ତୁ ବାବାଙ୍କର ଗୋଟିଏ ବହୁତ ପୁରୁଣା ସ୍ଳୋଗାନକୁ ସର୍ବଦା ମନେ ରଖିଥାଅ - ଦେଖୁଥିଲେ ମଧ୍ୟ ଦେଖ ନାହିଁ, ଶୁଣୁଥିଲେ ମଧ୍ୟ ଶୁଣ ନାହିଁ କିମ୍ବା ତାକୁ ଚିନ୍ତା କର ନାହିଁ । ସବୁ ଶୁଣି ତାକୁ ନିଜ ଭିତରେ ସମାହିତ କର ଅର୍ଥାତ୍ ଚାପି ଦିଅ, ଚାରିଆଡ ଖେଳାଅ ନାହିଁ । ଏହି ପୁରୁଣା ସ୍ଳୋଗାନଟିକୁ ମନେ ରଖିବା ବହୁତ ଜରୁରୀ ଅଟେ । କାହିଁକି ନା ଦିନକୁ ଦିନ ଯେପରି ସମସ୍ତଙ୍କର ପୁରୁଣା ଶରୀରର ହିସାବ କିତାବ ଚୁକ୍ତ ହୋଇଚାଲିଛି, ସେହିପରି ସମସ୍ତଙ୍କର ପୁରୁଣା ସଂସ୍କାର ଗୁଡିକ, ପୁରୁଣା ରୋଗ ବ୍ୟାଧି ଗୁଡିକ ମଧ୍ୟ ବାହାରକୁ ବାହାରିବ ଏବଂ ସବୁଦିନ ପାଇଁ ସମାପ୍ତ ହେବ ସେଥିପାଇଁ ବିଚଳିତ ହୁଅ ନାହିଁ ଯେ ଏବେ ତ ଆହୁରି ସମସ୍ୟା ବଢି ବଢି ଚାଲିଛି, ପୂର୍ବରୁ ତ ଏତେ ନ ଥିଲା । ଯାହା ପୂର୍ବରୁ ନ ଥିଲା ତାହା ମଧ୍ୟ ଏବେ ବାହାରୁଛି ଏବଂ ବାହାରିବ ନିଶ୍ଚିତ । ଏହା ତୁମମାନଙ୍କର ସମାହିତ କରିବାର ଶକ୍ତିର, ସହନଶକ୍ତିର, ଏକତ୍ରିକରଣ କରିବାର ଶକ୍ତିର, ନିର୍ଣ୍ଣୟ ଶକ୍ତିର ପରୀକ୍ଷା ହେଉଛି । ଏବେ କ’ଣ ୧୦ ବର୍ଷ ର୍ପୂବର ପରୀକ୍ଷା ଆସିବ କି! ବି.ଏ. ପରୀକ୍ଷାର ପ୍ରଶ୍ନ କ’ଣ ଏମ୍‌.ଏ. ପରୀକ୍ଷାରେ ଆସିବ? ସେଥିପାଇଁ ବିଚଳିତ ହୁଅ ନାହିଁ, ଏସବୁ କ’ଣ ହେଉଛି, ଏମିତି କାହିଁକି ହେଉଛ, ସେମିତି କାହିଁକି ହେଉଛି... କେବଳ ଖେଳ ଦେଖ । ପରୀକ୍ଷାକୁ ତ ପ୍ରଥମେ ପାସ୍ ହୋଇଯାଅ ବା ପାସ୍ ୱିଥ୍ ଅନର ହୋଇଯାଅ, ତା’ପରେ ଦେଖିବ ।

ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇ ଦେଇଛନ୍ତି ଯେ ପରୀକ୍ଷାରେ ପାସ୍ ହେବାର ସବୁଠାରୁ ସହଜ ସାଧନ ହେଲା - ସର୍ବଦା ବାପଦାଦାଙ୍କ ପାଖରେ ରୁହ, ଯେଉଁ ଦୃଶ୍ୟଗୁଡିକ ତୁମର କାମର ନୁହେଁ ତାକୁ ପାସ୍ କରିଚାଲ, ଅର୍ଥାତ୍ ପାସ୍ ରହୋ, ପାସ୍ କରୋ ଔର ପାସ୍ ହୋ ଯାଓ । ଏଥିରେ ମୁଶକିଲ୍ କ’ଣ ଅଛି? ଟୀଚରମାନେ ଶୁଣାଅ, ମଧୁବନବାଲା ଶୁଣାଅ । ମଧୁବନ ନିବାସୀ ସବୁ ହାତ ଉଠାଅ । ମଧୁବନବାଲା ବଡ ଚତୁର ଅଟନ୍ତି, ସର୍ବଦା ଆଗକୁ ଆସିଯାଉଛନ୍ତି, ଭଲେ ଆସ । ବାପଦାଦା ଖୁସି ହେଉଛନ୍ତି କାରଣ ଏମାନେ ନିଜର ହକ ନେଉଛନ୍ତି ନା! ବହୁତ ଭଲ କଥା, ବାପଦାଦା ଏଥିରେ ନାରାଜ ନୁହଁନ୍ତି, ଚାହୁଁଛ ଯଦି ଆଗରେ ବସ । ଯେହେତୁ ମଧୁବନରେ ରହୁଛନ୍ତି ତେଣୁ ଏମାନଙ୍କ ପାଇଁ କିଛି ତ ପାସ୍ ଖାତିରୀ ଅର୍ଥାତ୍ ପକ୍ଷପାତ ହେବା ଦରକାର ନା! କିନ୍ତୁ ପାସ୍ ଶବ୍ଦକୁ ଅର୍ଥାତ୍ ନିକଟରେ ରହିବାକୁ ଭୁଲିବ ନାହିଁ । ମଧୁବନରେ ଆଜିକାଲି ନୂଆ ନୂଆ ଘଟଣା ସବୁ ଘଟୁଛି ନା, ଡାକୁ ମଧ୍ୟ ଆସିଯାଉଛନ୍ତି । ଅନେକ ନୂଆ କଥା ସବୁ ଦେଖିବାକୁ ମିଳୁଛି, ସେଗୁଡିକୁ ବାବା ଏବେ ସମସ୍ତଙ୍କ ସମୁଖରେ ଶୁଣାଉ ନାହାଁନ୍ତି । ଟିକିଏ ଗୁପ୍ତରେ ରଖୁଛନ୍ତି କିନ୍ତୁ ମଧୁବନ ନିବାସୀ ଜାଣିଛନ୍ତି । ତେଣୁ ସବୁଥିରେ ମନୋରଞ୍ଜନର ଅନୁଭବ କର, ଦ୍ୱନ୍ଦ୍ୱରେ ରୁହ ନାହିଁ । ତେବେ ଯେକୌଣସି କଥା ହେଉ ଯଦି ତା’କୁ ମନୋରଞ୍ଜନ ମନେକରି ଖୁସି ମଉଜରେ ଅତିକ୍ରମ ନ କରିପାରିବ ତେବେ ନିଶ୍ଚିତ ଦ୍ୱନ୍ଦ୍ୱରେ ରହିବ । ତେଣୁ ଦ୍ୱନ୍ଦ୍ୱରେ ରହିବା ଭଲ ନା ତାକୁ ପାସ୍ କରି ଖୁସି ମଉଜରେ ରହିବା ଭଲ? ପାସ୍ ତ କରିବାର ଅଛି ନା! ପାସ୍ ହେବାର ମଧ୍ୟ ଅଛି ନା! ତେଣୁ ପାସ୍ କର । ଏଥିରେ କ’ଣ ବଡ କଥା ଅଛି? କିଛି ବି ବଡ କଥା ନାହିଁ । ତେବେ କଥାକୁ ବଡ କରିବା ବା ଛୋଟ କରିବା ନିଜ ବୁଦ୍ଧି ଉପରେ ନିର୍ଭର କରେ । ଯେଉଁମାନେ କଥାକୁ ବଡ କରିଦିଅନ୍ତି ସେମାନଙ୍କୁ ଅଜ୍ଞାନ କାଳରେ କୁହନ୍ତୀ ଇଏ ତ ରସୀକୁ ସାପ କରିବାବାଲା ଅଟେ । ସିନ୍ଧୀ ଭାଷାରେ କୁହନ୍ତି, “ନୋରୀକୋ ନାଗ” କରୁଛି । ଏଭଳି ଖେଳ କର ନାହିଁ । ଏବେ ଏହି ଖେଳ ସବୁ ସମାପ୍ତ କର ।

ଆଜି ବିଶେଷ ସମାଚାର ତ ଶୁଣାଇଲୁ ନା, ବାପଦାଦା ଏବେ ଗୋଟିଏ ସହଜ ପୁରୁଷାର୍ଥ ଶୁଣାଉଛନ୍ତି, ମୁଶକିଲ୍ ନୁହେଁ । ସମସ୍ତଙ୍କ ଭିତରେ ଏହି ସଂକଳ୍ପ ତ ନିଶ୍ଚିତ ଅଛି ଯେ ଆମକୁ ବାବାଙ୍କ ସମାନ ନିଶ୍ଚିତ ହେବାକୁ ପଡିବ । ନିଶ୍ଚିତ ହେବୁ, ଏହା ପକ୍କା ଅଟେ ତ! କ’ଣ ବିଦେଶୀମାନଙ୍କୁ ନିଶ୍ଚିତ ହେବାର ଅଛି ନା? ଟୀଚରମାନଙ୍କୁ ହେବାର ଅଛି ନା? ଏତେ ସବୁ ଟୀଚରମାନେ ଆସିଛନ୍ତି! ବାଃ! ଟୀଚରମାନଙ୍କର ତ କମାଲ କୁହାଯିବ । ବାପଦାଦା ଆଜି ଟୀଚରମାନଙ୍କର ଗୋଟିଏ ଖୁସି ଖବର ଶୁଣିବାକୁ ପାଇଲେ । ତାହା କ’ଣ କୁହ ତ! ଟୀଚରମାନଙ୍କୁ ଆଜି ସୁନାର ବ୍ୟାଜ୍ ମିଳିଛି । ଯେଉଁମାନଙ୍କୁ ଗୋଲଡେନ୍ ମେଡାଲ୍ ମିଳିଛି ସେମାନେ ହାତ ଉଠାଅ । କ’ଣ ପାଣ୍ଡବମାନଙ୍କୁ ମଧ୍ୟ ମିଳିଛି? ବାବାଙ୍କର ସମବର୍ଗୀ ସାଥୀମାନେ ତ ବଞ୍ଚିତ ରହିବା ଉଚିତ୍ ନୁହେଁ । ତେବେ ପାଣ୍ଡବମାନେ ବ୍ରହ୍ମାବାବାଙ୍କର ସମର୍ବଗୀରେ ବା ସାଥୀ ଅଟନ୍ତି ନା! (ସେମାନଙ୍କୁ ଅନ୍ୟ ପ୍ରକାରର ସୁନାର ବ୍ୟାଜ୍ ମିଳିଛି) ତେବେ ପାଣ୍ଡବମାନଙ୍କୁ ରୟାଲ ଗୋଲ୍ଡ ମେଡାଲ ମିଳିଛି । ତେବେ ସମସ୍ତ ଗୋଲ୍ଡ ମେଡାଲ୍ ବାଲାଙ୍କୁ ବାପଦାଦାଙ୍କର ଅର୍ବ-ଖର୍ବବାର ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ ।

ଦେଶ-ବିଦେଶରେ ଯେଉଁମାନେ ବି ଶୁଣୁଛନ୍ତି ଯେ ଗୋଲ୍ଡ ମେଡାଲ୍ ମିଳିଛି, ସେମାନେ ମଧ୍ୟ ଭାବନ୍ତୁ ଯେ ବାପଦାଦା ଆମକୁ ମଧ୍ୟ ଅଭିନନ୍ଦନ ଦେଇଛନ୍ତି, ଚାହେଁ ପାଣ୍ଡବ ହୋଇଥାଆନ୍ତୁ କି ଶକ୍ତି ସେନା ହୋଇଥାଆନ୍ତୁ । ଯେକୌଣସି କାର୍ଯ୍ୟରେ ନିମିତ୍ତ ହେବା ବାଲାଙ୍କୁ ଖାସ କରି ଦାଦୀମାନେ, ପରିବାର ଭିତରେ ରହୁଥିବା ବାଲାଙ୍କୁ ମଧ୍ୟ ବିଶେଷ ଭାବରେ କୌଣସି ନା କୌଣସି ବିଶେଷତା ଆଧାରରେ ଗୋଲ୍‌ଡେନ୍ ମେଡାଲ୍ ଦେଇଥାଆନ୍ତି । ତେଣୁ ଯାହାକୁ ବି ଯେଉଁ ବିଶେଷତା ଆଧାରରେ ଚାହେଁ ସମର୍ପଣ ହୋଇଥିବା କାରଣରୁ ହେଉ ବା କୌଣସି ବି ସେବାରେ ବିଶେଷ ରୂପରେ ଆଗକୁ ବଢିବାବାଲାଙ୍କୁ ଦାଦିମାନଙ୍କ ଦ୍ୱାରା ମଧ୍ୟ ଗୋଲଡେନ୍ ମେଡାଲ୍ ମିଳିଛି, ତେଣୁ ଦୂରରେ ବସି ଶୁଣୁଥିବା ପିଲାମାନଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ । ତୁମେ ସମସ୍ତେ ଦୂରରେ ବସି ମୁରଲୀ ଶୁଣିବା ବାଲାଙ୍କ ପାଇଁ ଏବଂ ଗୋଲଡେନ୍ ମେଡାଲ ବାଲାଙ୍କ ପାଇଁ ଗୋଟିଏ ହାତର ତାଳି ବଜାଅ । ସେମାନେ ମଧ୍ୟ ତୁମମାନଙ୍କର ତାଳିକୁ ଦେଖୁଛନ୍ତି । ସେମାନେ ମଧ୍ୟ ହସୁଛନ୍ତି ଏବଂ ଖୁସି ହେଉଛନ୍ତି ।

ତେବେ ବାପଦାଦା ସହଜ ପୁରୁଷାର୍ଥର କଥା ଶୁଣାଉଥିଲେ - ଏବେ ତ ସବୁକିଛି ଅଚାନକ ହେବାର ସମୟ ତେଣୁ ଗୋଟିଏ ଘଣ୍ଟା ପୂର୍ବରୁ ମଧ୍ୟ ବାପଦାଦା ଜଣାଇବେ ନାହିଁ ବା ଘୋଷଣା କରିବେ ନାହିଁ, କରିବେ ନାହିଁ, କରିବେ ନାହିଁ । ନଚେତ୍ କ୍ରମାନ୍ୱୟ କିପରି ହେବ? ଯଦି ଅଚାନକ ନ ହେବ ତେବେ ତାକୁ ପରୀକ୍ଷା କିପରି କୁହାଯିବ? ସମ୍ମାନର ସହିତ ପାସ୍ କରିବାର ସାର୍ଟିଫିକେଟ୍ ବା ଫାଇନାଲ୍ ସାର୍ଟିଫିକେଟ୍‌ର ପରୀକ୍ଷା ତ ଅଚାନକ ଭିତରେ ହିଁ ହେବ ସେଥିପାଇଁ ଦାଦୀମାନଙ୍କର ଗୋଟିଏ ସଂକଳ୍ପ ମଧ୍ୟ ବାପଦାଦାଙ୍କ ପାଖରେ ପହଞ୍ଚୁଛି । ଦାଦୀମାନେ ଚାହୁଛନ୍ତି ଯେ ଏବେ ବାପଦାଦା ସାକ୍ଷାତ୍‌କାରର ଚାବି ଖୋଲି ଦିଅନ୍ତୁ, ଏହା ହିଁ ସେମାନଙ୍କର ସଂକଳ୍ପ । କ’ଣ ତୁମେମାନେ ମଧ୍ୟ ଏହି କଥା ଚାହୁଁଛ? ଯଦି ବାପଦାଦା ଚାବୀ ଖୋଲି ଦେବେ ତେବେ ତୁମେମାନେ ନିମିତ୍ତ ହେବ ତ? ଆଚ୍ଛା, ବାପଦାଦା ଚାବୀ ଖୋଲିବେ, ଠିକ୍ ଅଛି । ବାପଦାଦା ହାଁ ଜୀ କରୁଛନ୍ତି (ତାଳି ବଜାଇ ଦେଲେ) ପ୍ରଥମେ ପୂରା କଥା ଶୁଣ, ତା’ପରେ ତାଳି ବଜାଅ । ବାପଦାଦାଙ୍କୁ ଚାବି ଖୋଲିବାକୁ ଡେରି କାହିଁକି ଲାଗିବ, କିନ୍ତୁ ଏସବୁ କରାଇବେ କାହା ଦ୍ୱାରା? ବାବାଙ୍କୁ ପ୍ରତ୍ୟକ୍ଷ କିଏ କରିବେ? ପିଲାମାନେ ନା ବାବା? ପିଲାମାନଙ୍କ ଦ୍ୱାରା ହିଁ ବାବାଙ୍କୁ ପ୍ରତ୍ୟକ୍ଷ କରିବାକୁ ହେବ କାହିଁକି ନା ଯଦି ଜ୍ୟୋତି ବିନ୍ଦୁର ସାକ୍ଷାତ୍‌କାର ମଧ୍ୟ ହୋଇଯିବ ତେବେ କେହି ତ ବିଚରା... ବିଚରା ଅଟନ୍ତି ନା! ବୁଝି ବି ପାରିବେ ନାହିଁ ଯେ ଏହା କ’ଣ ଅଟେ । କାରଣ ଶେଷ ସମୟରେ ଶକ୍ତିମାନଙ୍କ ଦ୍ୱାରା ଏବଂ ପାଣ୍ଡବମାନଙ୍କ ଦ୍ୱାରା ହିଁ ବାବାଙ୍କୁ ପ୍ରତ୍ୟକ୍ଷ ହେବାର ଅଛି । ତେଣୁ ବାପଦାଦା ଏହି କଥା କହୁଛନ୍ତି ଯେ ସବୁ ପିଲାଙ୍କର ଯଦି ଏହି ଗୋଟିଏ ହିଁ ସଂକଳ୍ପ ଅଛି ଯେ ଆମକୁ ବାବାଙ୍କ ସମାନ ହିଁ ହେବାର ଅଛି, ଏଥିରେ ତ ସମସ୍ତେ ଏକମତ ଅଟ ନା! ଦ୍ୱିତୀୟ ବିଚାର ତ କିଛି ନାହିଁ ନା । ତେଣୁ ବ୍ରହ୍ମାବାବାଙ୍କୁ ଅନୁକରଣ କର । ତାହାହେଲେ ଅଶରୀରୀ ହେବା ବା ବିନ୍ଦୁ ହେବା ଆପେ ଆପେ ହୋଇଯିବ । ବ୍ରହ୍ମାବାବାଙ୍କ ସହିତ ତ ସମସ୍ତଙ୍କର ସ୍ନେହ ଅଛି ନା! ସବୁଠାରୁ ଅଧିକ ଦେଖିବାକୁ ମିଳୁଛି ଯେ ବିଦେଶୀମାନଙ୍କର ବ୍ରହ୍ମାବାବାଙ୍କ ପ୍ରତି ବହୁତ ସ୍ନେହ ରହିଛି, ଏମିତି ତ ସମସ୍ତଙ୍କର ଅଛି କିନ୍ତୁ ସେମାନେ ଯଦିଓ ଏହି ନେତ୍ର ଦ୍ୱାରା ବ୍ରହ୍ମାବାବାଙ୍କୁ ଦେଖି ନାହାଁନ୍ତି କିନ୍ତୁ ଅନୁଭବର ନେତ୍ର ଦ୍ୱାରା ଅଧିକାଂଶ ପିଲା ବ୍ରହ୍ମାବାବାଙ୍କୁ ଦେଖିଛନ୍ତି ଏବଂ ସେମାନଙ୍କର ବହୁତ ସ୍ନେହ ମଧ୍ୟ ରହିଛି । ଏମିତି ତ ଭାରତର ଗୋପୀମାନେ, ପାଣ୍ଡବମାନେ ମଧ୍ୟ ଅଛନ୍ତି ପୁଣି ବି ବାପଦାଦା କେବେକେବେ ବିଦେଶୀମାନଙ୍କର ଅନୁଭବର କାହାଣୀ ମଧ୍ୟ ଶୁଣୁଛନ୍ତି, ଭାରତବାସୀ ଟିକିଏ ଗୁପ୍ତ ରଖୁଛନ୍ତି, ସେମାନେ ଯେତେବେଳେ ବ୍ରହ୍ମାବାବାଙ୍କ ବିଷୟରେ ଶୁଣାନ୍ତି ତାହା ବାପଦାଦା ମଧ୍ୟ ଶୁଣନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଶୁଣାନ୍ତି ତେଣୁ ବିଦେଶୀମାନଙ୍କୁ ଅଭିନନ୍ଦନ । ଲଣ୍ଡନ, ଆମେରିକା, ଅଷ୍ଟ୍ରେଲିଆ, ଆଫ୍ରିକା, ଏସିଆ, ରସିଆ, ଜର୍ମାନୀ.... ଅର୍ଥାତ୍ ସବୁଆଡର ବିଦେଶୀ ପିଲାମାନଙ୍କୁ ତଥା ଯେଉଁମାନେ ଏବେ ଦୂରରେ ରହି ମଧ୍ୟ ଶୁଣୁଛନ୍ତି, ସେମାନଙ୍କୁ ବାପଦାଦା ଅଭିନନ୍ଦନ ଦେଉଛନ୍ତି, ଖାସ କରି ବ୍ରହ୍ମାବାବା ମଧ୍ୟ ଅଭିନନ୍ଦନ ଦେଉଛନ୍ତି । ଭାରତବାସୀଙ୍କର ସ୍ନେହ ଟିକିଏ ଗୁପ୍ତରେ ଅଛି, ଏତେ ପ୍ରସିଦ୍ଧ କରିପାରନ୍ତି ନାହିଁ ତେଣୁ ଟିକିଏ ଗୁପ୍ତରେ ରଖନ୍ତି । କିନ୍ତୁ ଏବେ ପ୍ରତ୍ୟକ୍ଷ କର । ବାକି ଭାରତରେ ମଧ୍ୟ ବହୁତ ଭଲ ଭଲ ସ୍ନେହୀ ପିଲାମାନେ ଅଛନ୍ତି । ଏଠାରେ ଏଭଳି ଗୋପୀମାନେ ମଧ୍ୟ ଅଛନ୍ତି । ଯେଉଁମାନଙ୍କର ଅନୁଭବ ଆଜିକାଲିର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମଧ୍ୟ ଶୁଣିଲେ ସେମାନଙ୍କ ଆଖିରେ ବି ଲୁହ ଆସିଯିବ । ଏଭଳି ଅନୁଭବ ମଧ୍ୟ ଅଛି କିନ୍ତୁ ତାକୁ ଗୁପ୍ତ ରଖୁଛନ୍ତି, ଏତେ ଖୋଲୁ ନାହାଁନ୍ତି । ସେମାନଙ୍କୁ ସୁଯୋଗ ମଧ୍ୟ କମ୍ ମିଳୁଛି । ତେବେ ବାପଦାଦା ଏହି କଥା କହୁଛନ୍ତି ଯେ ବ୍ରହ୍ମାବାବାଙ୍କ ସହିତ ସମସ୍ତଙ୍କର ସ୍ନେହ ତ ଅଛି, ସେଥିପାଇଁ ତ ନିଜକୁ ବ୍ରହ୍ମାକୁମାରୀ ବୋଲି କହୁଛ, ନା ଶିବକୁମାରୀ କହୁଛ! ବ୍ରହ୍ମାକୁମାରୀ କହୁଛ ନା ତେଣୁ ବ୍ରହ୍ମାବାବାଙ୍କ ସହିତ ସ୍ନେହ ତ ନିଶ୍ଚିତ ଅଛି ନା । ଆଚ୍ଛା ଠିକ୍ ଅଛି ଅଶରୀରୀ ହେବାରେ ଟିକିଏ ମେହନତ ମଧ୍ୟ କରିବାକୁ ପଡୁଛି କିନ୍ତୁ ବ୍ରହ୍ମାବାବା ଏବେ କେଉଁ ରୂପରେ ଅଛନ୍ତି? କୁହ - କେଉଁ ରୂପରେ ଅଛନ୍ତି? (ଫରିସ୍ତା ରୂପରେ ଅଛନ୍ତି) ତେଣୁ ବ୍ରହ୍ମାବାବାଙ୍କ ସହିତ ସ୍ନେହ ଅର୍ଥାତ୍ ଫରିସ୍ତା ସ୍ୱରୂପ ସହିତ ସ୍ନେହ । ଆଚ୍ଛା, ଠିକ୍ ଅଛି ବିନ୍ଦୁ ହେବା ପାଇଁ କଷ୍ଟ ଲାଗୁଛି, ଫରିସ୍ତା ହେବା ତ ତା’ଠାରୁ ସହଜ ନା! ସମସ୍ତେ କୁହ, ବିନ୍ଦୁ ସ୍ୱରୂପ ଠାରୁ ଫରିସ୍ତା ସ୍ୱରୂପରେ ସ୍ଥିତ ହେବା ତ ସହଜ ଅଟେ ନା! ତୁମେମାନେ ଏକାଉଣ୍ଟ କାର୍ଯ୍ୟ କରିବା ସମୟରେ ବିନ୍ଦୁ ସ୍ୱରୂପ ହୋଇପାରିବ? କିନ୍ତୁ ଫରିସ୍ତା ହୋଇପାରିବ ନା! ବିନ୍ଦୁ ରୂପରେ କର୍ମ କରୁ କରୁ କେବେ କେବେ ବ୍ୟକ୍ତ ଶରୀରକୁ ଆସିବାକୁ ପଡୁଛି କିନ୍ତୁ ବାପଦାଦା ଦେଖିଛନ୍ତି ବୈଜ୍ଞାନିକମାନେ ଲାଇଟ୍ ଦ୍ୱାରା ଚାଲୁଥିବା ଗୋଟିଏ ରୋବର୍ଟ ଅର୍ଥାତ୍ ଯନ୍ତ୍ରମାନବ ନିର୍ମାଣ କରିଛନ୍ତି, ଶୁଣିଛ ନା! ଯଦିଓ ଦେଖି ନାହଁ କିନ୍ତୁ ଶୁଣିଛ ତ! ମାତାମାନେ ଶୁଣିଛ? ତୁମମାନଙ୍କୁ ଚିତ୍ର ଦେଖାଇଦେବା । ସେମାନେ ଲାଇଟ୍ ଆଧାରରେ ଯେଉଁ ରୋବର୍ଟ ତିଆରି କରିଛନ୍ତି ସେ ସବୁ କାମ କରିପାରୁଛି । ଆହୁରି ତୀବ୍ରବେଗରେ କରୁଛି, ତାହା ମଧ୍ୟ ଲାଇଟ୍ ଆଧାରରେ ଏବଂ ଏହା ହେଉଛି ବିଜ୍ଞାନର ପ୍ରତ୍ୟକ୍ଷ ପ୍ରମାଣ । ସେଥିପାଇଁ ବାପଦାଦା କହୁଛନ୍ତି ଯୋଗର ଶକ୍ତି ଯୋଗର ଲାଇଟ୍ ଆଧାରରେ ତୁମେମାନେ କ’ଣ କାର୍ଯ୍ୟ କରି ପାରିବ ନାହିଁ? କରିପାରିବ ନା ନାହିଁ? ଇଞ୍ଜିନିୟର ଏବଂ ବୈଜ୍ଞାନିକମାନେ ମଧ୍ୟ ବସିଛନ୍ତି! ତେଣୁ ତୁମେମାନେ ମଧ୍ୟ ଏଭଳି ଏକ ଆତ୍ମିକ ଶକ୍ତିର ଯନ୍ତ୍ରମାନବ ଭଳି ସ୍ଥିତିର ଉଦ୍ଭାବନ କର ଯାହାକୁ କୁହାଯିବ ଆଧ୍ୟାତ୍ମିକ କର୍ମଯୋଗୀ ବା ଫରିସ୍ତା କର୍ମଯୋଗୀ । ପ୍ରଥମେ ତୁମେମାନେ ପ୍ରସ୍ତୁତ ହୋଇଯାଅ । ଇଞ୍ଜିନିୟର ମଧ୍ୟ ଅଛନ୍ତି, ବୈଜ୍ଞାନିକମାନେ ମଧ୍ୟ ଅଛନ୍ତି ପ୍ରଥମେ ତୁମେମାନେ ଅନୁଭବ କର । କରିବ ତ? କରିପାରିବ? ଆଚ୍ଛା ଏହିଭଳି ଯୋଜନା ପ୍ରସ୍ତୁତ କର । ବାପଦାଦା ଏହିଭଳି ଆଧ୍ୟାତ୍ମିକ ଚଳପ୍ରଚଳ କରୁଥିବା କର୍ମଯୋଗୀ ଫରିସ୍ତା ଦେଖିବାକୁ ଚାହୁଁଛନ୍ତି । ତେଣୁ ଅମୃତବେଳାରେ ଉଠ, ବାପଦାଦାଙ୍କ ସହିତ ମିଳନ କର, ଆତ୍ମିକ ବାର୍ତ୍ତାଳାପ କର, ବରଦାନ ନିଅ । ତା’ପରେ ଯାହା କରିବାର ଅଛି କର । କିନ୍ତୁ ପ୍ରତିଦିନ ଅମୃତବେଳାରେ କର୍ମଯୋଗୀ ଫରିସ୍ତା ଭବର ବରଦାନ ନେଇ ତା’ପରେ ନିଜର କର୍ମକ୍ଷେତ୍ରକୁ ଯାଅ । ଏହିପରି ହୋଇପାରିବ?

ଏହି ନୂତନ ବର୍ଷରେ ଲକ୍ଷ୍ୟ ରଖ - ସଂସ୍କାର ପରିବର୍ତ୍ତନ, ନିଜର ଏବଂ ନିଜର ସହଯୋଗ ଦ୍ୱାରା ଅନ୍ୟମାନଙ୍କର ମଧ୍ୟ ସଂସ୍କାର ପରିବର୍ତ୍ତନ ।

କେହି ଯଦି ଦୁର୍ବଳ ଅଛ ତେବେ ସହଯୋଗ ଦିଅ, କିନ୍ତୁ ବର୍ଣ୍ଣନା କର ନାହିଁ କିମ୍ବା ସେହିଭଳି ବାତାବରଣ ସୃଷ୍ଟି କର ନାହିଁ ହେଲେ ସହଯୋଗ ଦିଅ । ଏହି ବର୍ଷର ବିଷୟ ବସ୍ତୁ ହେଲା “ସଂସ୍କାର ପରିବର୍ତ୍ତନ” । ତେଣୁ ଫରିସ୍ତାର ସଂସ୍କାର ହେଉ ବା ବ୍ରହ୍ମାବାବାଙ୍କ ସମାନ ହେବାର ସଂସ୍କାର ହେଉ । ଏହା ସହଜ ପୁରୁଷାର୍ଥ ନା କଷ୍ଟକର ପୁରୁଷାର୍ଥ? ଅଳ୍ପ ଅଳ୍ପ କଷ୍ଟକର? ତେବେ କେବେ ବି କୌଣସି କାର୍ଯ୍ୟ ଆରମ୍ଭରୁ କଷ୍ଟକର ହୋଇ ନ ଥାଏ କିନ୍ତୁ ନିଜର ଦୁର୍ବଳତା ହିଁ ତାକୁ କଷ୍ଟକର କରିଦିଏ । ସେଥିପାଇଁ ବାପଦାଦା କହୁଛନ୍ତି “ହେ ମାଷ୍ଟର ସର୍ବଶକ୍ତିମାନ ପିଲାମାନେ ଏବେ ଶକ୍ତିଶାଳୀ ବାତାବରଣ ସୃଷ୍ଟି କର” । ଏବେ ବାତାବରଣକୁ ତୁମମାନଙ୍କର ବହୁତ-ବହୁତ-ବହୁତ ଆବଶ୍ୟକତା ରହିଛି । ଯେପରି ଆଜିକାଲି ସାରା ବିଶ୍ୱରେ ପ୍ରଦ୍ୟୁଷଣର ସମସ୍ୟା ରହିଛି, ସେହିପରି ସାରା ବିଶ୍ୱରେ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ମନର ଶାନ୍ତି, ଏବଂ ସୁଖର ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି କାହିଁକି ନା ମନର ପ୍ରଦ୍ୟୁଷଣ ପ୍ରବଳ ରହିଛି, ବାତାବରଣର ପ୍ରଦ୍ୟୁଷଣ ଠାରୁ ଅଧିକ ପ୍ରଦ୍ୟୁଷଣ ମନ ଭିତରେ ଅଛି । ଆଚ୍ଛା!

ଚାରିଆଡର ବାପଦାଦାଙ୍କ ସମାନ ନିଶ୍ଚିତ ହେବୁ - ଏହିଭଳି ଲକ୍ଷ୍ୟ ରଖିଥିବା ନିଶ୍ଚୟ ବୁଦ୍ଧି ବିଜୟୀ ଆତ୍ମାମାନଙ୍କୁ, ସର୍ବଦା ପୁରୁଣା ସଂସାର ଏବଂ ପୁରୁଣା ସଂସ୍କାରକୁ ନିଜର ଦୃଢ ସଂକଳ୍ପ ଦ୍ୱାରା ପରିବର୍ତ୍ତନ କରୁଥିବା ମାଷ୍ଟର ସର୍ବଶକ୍ତିବାନ ଆତ୍ମାମାନଙ୍କୁ, ସର୍ବଦା କୌଣସି ନା କୌଣସି କାରଣରୁ, ପରିସ୍ଥିତି କାରଣରୁ ହେଉ ବା ସ୍ୱଭାବ ସଂସ୍କାର କାରଣରୁ ହେଉ, ନିଜର ଦୁର୍ବଳ ସାଥୀମାନଙ୍କୁ ବା ଆତ୍ମାମାନଙ୍କୁ ସହଯୋଗ ଦେଉଥିବା, କାରଣ ଦେଖିବାବାଲା ନୁହେଁ ନିବାରଣ କରିବାଲା ସାହସୀ ଆତ୍ମାମାନଙ୍କୁ, ସର୍ବଦା ବ୍ରହ୍ମାବାବାଙ୍କର ସ୍ନେହର ପ୍ରତିଦାନ ଦେଉଥିବା କର୍ମଯୋଗୀ ଫରିସ୍ତା ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ବରଦାନ:-
ଶୁଭଚିନ୍ତକ ସ୍ଥିତି ଦ୍ୱାରା ସମସ୍ତଙ୍କର ସହଯୋଗ ପ୍ରାପ୍ତ କରୁଥିବା ସମସ୍ତଙ୍କର ସ୍ନେହୀ ହୁଅ ।

ଶୁଭଚିନ୍ତକ ଆତ୍ମାମାନଙ୍କ ପ୍ରତି ପ୍ରତ୍ୟେକଙ୍କ ମନ ଭିତରେ ସ୍ନେହ ଉତ୍ପନ୍ନ ହୋଇଥାଏ ଏବଂ ସେହି ସେହ୍ନ ହିଁ ସହଯୋଗୀ କରିଦିଏ । ଯେଉଁଠାରେ ସ୍ନେହ ଥାଏ ସେଠାରେ ସମୟ, ସମ୍ପତ୍ତି, ସହଯୋଗ ଲୁଟାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଆନ୍ତି । ତେଣୁ ଶୁଭଚିନ୍ତକ ସ୍ଥିତି ସ୍ନେହୀ କରିଦେବ ଏବଂ ସ୍ନେହ ହିଁ ସବୁପ୍ରକାରର ସହଯୋଗ କରିବାରେ ସ୍ୱାହା କରାଇଦେବ ସେଥିପାଇଁ ସର୍ବଦା ନିଜର ଶୁଭଚିନ୍ତନରେ ସମ୍ପନ୍ନ ରୁହ ଏବଂ ଶୁଭଚିନ୍ତକ ହୋଇ ସମସ୍ତଙ୍କୁ ସ୍ନେହୀ, ସହଯୋଗୀ କର ।

ସ୍ଲୋଗାନ:-
ଯଦି ଏହି ସମୟରେ ତୁମେ ଦାତା ହେବ ତେବେ ତୁମ ରାଜ୍ୟରେ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ଆତ୍ମା ସବୁଥିରେ ଭରପୂର ରହିବେ ।


ସୂଚନା:- ଆଜି ମାସର ତୃତୀୟ ରବିବାର ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ, ସମସ୍ତ ବ୍ରହ୍ମାବତ୍ସ ସଂଗଠିତ ରୂପରେ ସଂଧ୍ୟା ୬.୩୦ ରୁ ୭.୩୦ ପର୍ଯ୍ୟନ୍ତ ବିଶେଷ କରି ନିଜର ମାଷ୍ଟର ସର୍ବଶକ୍ତିମମାନ ସ୍ୱରୂପରେ ସ୍ଥିତି ହୋଇ ସମସ୍ତ ନିର୍ବଳ, ଦୁର୍ବଳ ଆତ୍ମାମାନଙ୍କୁ ଶୁଭଭାବନାର କିରଣ ଦେବେ । ସେମାନଙ୍କୁ ପରମାତ୍ମ ଶକ୍ତିର ଅନୁଭବ କରାଇବା ସହିତ ଚତୁର୍ଦ୍ଦିଗରେ ଶକ୍ତିଶାଳୀ ବାତାବରଣ ସୃଷ୍ଟି କରିବାର ସେବା କରିବା ହେବେ ।