21.09.25 Avyakt Bapdada Odia Murli 02.02.2007 Om Shanti Madhuban
“ପରମାତ୍ମ ପ୍ରାପ୍ତି
ଗୁଡିକରେ ସମ୍ପନ୍ନ ଆତ୍ମାର ଲକ୍ଷଣ - ହୋଲୀଏଷ୍ଟ, ହାଇଏଷ୍ଟ ଏବଂ ରିଚେଷ୍ଟ”
ଆଜି ବିଶ୍ୱ ପରିବର୍ତ୍ତକ
ବାପଦାଦା ନିଜର ସାଥୀ ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି । ପ୍ରତ୍ୟେକ ସନ୍ତାନର ମସ୍ତକରେ
ତିନୋଟି ବିଶେଷ ପରମାତ୍ମ ପ୍ରାପ୍ତିକୁ ଦେଖୁଛନ୍ତି, ଗୋଟିଏ ହେଲା ହୋଲୀଏଷ୍ଟ ଅର୍ଥାତ୍
ସର୍ବଶ୍ରେଷ୍ଠ ପବିତ୍ର, ହାଇଏଷ୍ଟ ଅର୍ଥାତ୍ ସର୍ବୋଚ୍ଚ ମହାନ ଏବଂ ରିଚେଷ୍ଟ ଅର୍ଥାତ୍ ସର୍ବ
ଶ୍ରେଷ୍ଠ ଧନବାନ । ତେବେ ଏହି ଜ୍ଞାନର ମୂଳଦୁଆ ହିଁ ପବିତ୍ରତା ଅଟେ । ତେଣୁ ପ୍ରତ୍ୟେକ ସନ୍ତାନ
ଶ୍ରେଷ୍ଠ ପବିତ୍ର ଅଟେ ଏବଂ ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟ ନୁହେଁ କିନ୍ତୁ ମନ-ବାଣୀ-କର୍ମ ଏବଂ
ସମ୍ବନ୍ଧ-ସମ୍ପର୍କରେ ମଧ୍ୟ ପବିତ୍ରତା । ବିଚାର କର ତୁମେ ପରମାତ୍ମ ବ୍ରାହ୍ମଣ ଆତ୍ମାମାନେ
ସୃଷ୍ଟିର ଆଦି-ମଧ୍ୟ-ଅନ୍ତ ତିନୋଟି ଯାକ କାଳରେ ହୋଲୀଏଷ୍ଟ ଅଟ । ପ୍ରଥମେ ପ୍ରଥମେ ଆତ୍ମା ରୂପରେ
ଯେତେବେଳେ ପରମଧାମରେ ରହୁଛ ସେତେବେଳେ ସେଠାର ମଧ୍ୟ ତୁମେମାନେ ହୋଲୀଏଷ୍ଟ ଅଟ, ତା’ପରେ ଯେତେବେଳେ
ଆଦିକାଳ ସତ୍ୟଯୁଗକୁ ଆସୁଛ ସେତେବେଳେ ମଧ୍ୟ ଦେବତା ରୂପରେ ହୋଲୀଏଷ୍ଟ ଅଟ । ତେବେ ହୋଲୀଏଷ୍ଟ
ଅର୍ଥାତ୍ ପବିତ୍ର ଆତ୍ମାର ବିଶେଷତା ହେଲା - ପ୍ରବୃତ୍ତି ଅର୍ଥାତ୍ ଘର ଗୃହସ୍ଥରେ ରହି ମଧ୍ୟ
ସମ୍ପୂର୍ଣ୍ଣ ପବିତ୍ର । ଦୁନିଆରେ ଅନ୍ୟମାନେ ମଧ୍ୟ ପବିତ୍ର ରହୁଛନ୍ତି କିନ୍ତୁ ତୁମମାନଙ୍କର
ପବିତ୍ରତାର ବିଶେଷତା ହେଲା - ସ୍ୱପ୍ନ ମାତ୍ରରେ ମଧ୍ୟ ଅପବିତ୍ରତା ମନ-ବୁଦ୍ଧିକୁ ସ୍ପର୍ଶ କରୁ ନ
ଥିବ । ସତ୍ୟଯୁଗରେ ତୁମର ଆତ୍ମା ମଧ୍ୟ ପବିତ୍ର ହେବ ଏବଂ ଶରୀର ମଧ୍ୟ ପବିତ୍ର ହେବ । ତେଣୁ ଆତ୍ମା
ଏବଂ ଶରୀର ଉଭୟର ପବିତ୍ରତା ଯାହାକି ଦେବାତ୍ମା ରୂପରେ ତୁମମାନଙ୍କର ରହୁଛି - ତାହା ହିଁ ହେଉଛି
ସର୍ବଶ୍ରେଷ୍ଠ ପବିତ୍ରତା । ତେବେ ଯେତିକି ତୁମେମାନେ ହୋଲୀଏଷ୍ଟ ହେଉଛ ସେତିକି ହାଇଏଷ୍ଟ ମଧ୍ୟ
ହେଉଛ । ସବୁଠାରୁ ଉଚ୍ଚରୁ ଉଚ୍ଚ ହେଲେ ବ୍ରାହ୍ମଣ ଆତ୍ମା ଏବଂ ଉଚ୍ଚରୁ ଉଚ୍ଚ ପିତାଙ୍କର ସନ୍ତାନ
ମଧ୍ୟ ଅଟ । ଆଦି ସମୟରେ ପରମଧାମରେ ମଧ୍ୟ ସର୍ବୋଚ୍ଚ ସ୍ଥିତିରେ ରହୁଛ ଅର୍ଥାତ୍ ବାବାଙ୍କ ସାଥୀରେ
ରହୁଛ ଏବଂ ମଝି ସମୟରେ ମଧ୍ୟ ପୂଜ୍ୟ ଆତ୍ମା ହେଉଛ । ସେତେବେଳେ କେତେ ସବୁ ମନ୍ଦିର ତୁମମାନଙ୍କର
ତିଆରି ହେଉଛି ଏବଂ କେତେ ବିଧିପୂର୍ବକ ପୂଜା ମଧ୍ୟ ହେଉଛି । ଯେତିକି ବିଧିପୂର୍ବକ ପୂଜା ତୁମ
ଦେବୀ-ଦେବତାମାନଙ୍କର ମନ୍ଦିରରେ ହେଉଛି ସେତିକି ବିଧିପୂର୍ବକ ପୂଜା ଯଦିଓ ଅନ୍ୟମାନଙ୍କର ମନ୍ଦିର
ତିଆରି ହେଉଛି କିନ୍ତୁ ବିଧିପୂର୍ବକ ପୂଜା କେବଳ, ଦେବତାମାନଙ୍କର ହିଁ ହେଉଛି । ତେଣୁ ହୋଲୀଏଷ୍ଟ
ମଧ୍ୟ ଅଟ ଏବଂ ହାଇଏଷ୍ଟ ମଧ୍ୟ ଅଟ, ତା’ ସହିତ ରିଚେଷ୍ଟ ମଧ୍ୟ ଅଟ । ଦୁନିଆରେ କୁହନ୍ତି ରିଚେଷ୍ଟ
ଇନ୍ ଦି ୱାଲ୍ଡ ଅର୍ଥାତ୍ ସାରା ବିଶ୍ୱର ସର୍ବାଧିକ ଧନଶାଳୀ କିନ୍ତୁ ତୁମେ ଶ୍ରେଷ୍ଠ ଆତ୍ମାମାନେ
ରିଚେଷ୍ଟ ଇନ୍ କଳ୍ପ ଅଟ ଅର୍ଥାତ୍ ସାରା କଳ୍ପ ଭିତରେ ରିଚେଷ୍ଟ ଅଟ । ତେବେ ନିଜର ସମ୍ପତ୍ତିଗୁଡିକ
ସ୍ମୃତିରେ ଆସୁଛି ତ, କେତେ ସମ୍ପତ୍ତିର ମାଲିକ ଅଟ! ଏହି ଗୋଟିଏ ଜନ୍ମରେ ଯେଉଁ ସବୁ ଅବିନାଶୀ
ସମ୍ପତ୍ତିଗୁଡିକ ତୁମେ ପ୍ରାପ୍ତ କରୁଛ ତାହା ଅନେକ ଜନ୍ମ ପର୍ଯ୍ୟନ୍ତ ସାଥୀରେ ରହୁଛି । ଆଉ କାହାର
ବି ସମ୍ପତ୍ତି ଅନେକ ଜନ୍ମ ପର୍ଯ୍ୟନ୍ତ ସାଥୀରେ ଯାଇ ନ ଥାଏ । କିନ୍ତୁ ତୁମମାନଙ୍କର ସମ୍ପତ୍ତି
ଆଧ୍ୟାତ୍ମିକ ଅଟେ । ଶକ୍ତି ରୂପୀ ସମ୍ପତ୍ତି, ଜ୍ଞାନର ସମ୍ପତ୍ତି, ଗୁଣ ରୂପୀ ସମ୍ପତ୍ତି,
ଶ୍ରେଷ୍ଠ ସଂକଳ୍ପର ସମ୍ପତ୍ତି ତଥା ବର୍ତ୍ତମାନର ସମୟ ରୂପୀ ସମ୍ପତ୍ତି, ଏହି ସମସ୍ତ ସମ୍ପତ୍ତି
ଜନ୍ମ ଜନ୍ମ ପର୍ଯ୍ୟନ୍ତ ଚାଲିଥାଏ । ଏହି ଗୋଟିଏ ଜନ୍ମରେ ପ୍ରାପ୍ତ ହୋଇଥିବା ସମ୍ପତ୍ତି ହିଁ
ସାଥୀରେ ଯାଇଥାଏ କାହିଁକି ନା ସର୍ବ ସମ୍ପତ୍ତିର ଦାତା ସ୍ୱୟଂ ପରମାତ୍ମା ପିତାଙ୍କ ଦ୍ୱାରା
ପ୍ରାପ୍ତ ହେଉଛି । ତେଣୁ ଆମର ସମ୍ପତ୍ତି ଅବିନାଶୀ ଅଟେ - ଏହି ନିଶା ଅଛି ତ?
ଏହିଭଳି ଆଧ୍ୟାତ୍ମିକ
ସମ୍ପତ୍ତିକୁ ପ୍ରାପ୍ତ କରିବା ପାଇଁ ହିଁ ତୁମେ ସହଜଯୋଗୀ ହୋଇଛ ଏବଂ ଯୋଗର ଶକ୍ତି ଦ୍ୱାରା ହିଁ
ସମ୍ପତ୍ତିଗୁଡିକୁ ଜମା କରୁଛ । ବର୍ତ୍ତମାନ ମଧ୍ୟ ଏହିସବୁ ସମ୍ପତ୍ତି ଗୁଡିକରେ ସମ୍ପନ୍ନ
ଚିନ୍ତାମୁକ୍ତ ସମ୍ରାଟ ଅଟ । କ’ଣ ତୁମର କିଛି ଚିନ୍ତା ଅଛି କି? ଅଛି ଚିନ୍ତା? କାହିଁକି ନା ଏହା
ଏଭଳି ସମ୍ପତ୍ତି ଯାହାକୁ ଚୋର ଲୁଟିପାରିବ ନାହିଁ, କି ରାଜା ଅର୍ଥାତ୍ ସରକାର ନେଇପାରିବେ ନାହିଁ
କି ପାଣିରେ ବୁଡେଇ ପାରିବ ନାହିଁ, ସେଥିପାଇଁ ତୁମେମାନେ ଚିନ୍ତାମୁକ୍ତ ସମ୍ରାଟ ଅଟ । ତେଣୁ ଏହି
ସମ୍ପତ୍ତିଗୁଡିକ ସର୍ବଦା ସ୍ମୃତିରେ ରହୁଛି ତ! ଏବଂ ତୁମମାନଙ୍କର ଯୋଗ ମଧ୍ୟ ସହଜ କାହିଁକି ଅଟେ?
କାହିଁକି ନା ସବୁଠାରୁ ଅଧିକ ମନେ ପଡିବାର ଗୋଟିଏ ଆଧାର ହେଲା ସମ୍ବନ୍ଧ, ଆଉ ଗୋଟିଏ ହେଲା
ପ୍ରାପ୍ତି । ସମ୍ବନ୍ଧ ଯେତିକି ପ୍ରିୟ ହୋଇଥାଏ ସ୍ମୃତି ମଧ୍ୟ ସେତିକି ସ୍ୱତଃ ହିଁ ଆସିଥାଏ
କାହିଁକି ନା ସମ୍ବନ୍ଧ ଭିତରେ ସ୍ନେହ ଥାଏ ଏବଂ ଯେଉଁଠି ସ୍ନେହ ଥାଏ ସେଠାରେ ସ୍ନେହୀ ଆତ୍ମାକୁ ମନେ
ପକାଇବା ପାଇଁ କଷ୍ଟ ଲାଗି ନ ଥାଏ, କିନ୍ତୁ ଭୁଲିବା କଷ୍ଟକର ହୋଇଥାଏ । ତେଣୁ ବାବା ତୁମମାନଙ୍କୁ
ସର୍ବ ସମ୍ବନ୍ଧର ଆଧାର କରିଦେଇଛନ୍ତି । ତେଣୁ ସମସ୍ତେ ନିଜକୁ ସହଜଯୋଗୀ ଅନୁଭବ କରୁଛ ତ? ନା
ମୁଶକିଲ୍ ଯୋଗୀ ଅଟ? ସହଜ ତ? ନା କେବେ ସହଜ, କେବେ ମୁଶକିଲ୍? ଯେତେବେଳେ ବାବାଙ୍କୁ ସମ୍ବନ୍ଧ ଏବଂ
ସ୍ନେହର ସହିତ ମନେ ପକାଉଛ ସେତେବେଳେ ମନେ ପକାଇବା ପାଇଁ କଷ୍ଟ ଲାଗୁନାହିଁ, ତେଣୁ
ପ୍ରାପ୍ତିଗୁଡିକୁ ମଧ୍ୟ ମନେ ପକାଅ । ସର୍ବ ପ୍ରାପ୍ତିର ଦାତା ତୁମମାନଙ୍କୁ ସର୍ବ ପ୍ରାପ୍ତି କରାଇ
ଦେଇଛନ୍ତି । ତେଣୁ ତୁମେମାନେ ନିଜକୁ ସର୍ବ ସମ୍ପତ୍ତିରେ ସମ୍ପନ୍ନ ଅନୁଭବ କରୁଛ ତ? ତେବେ
ସମ୍ପତ୍ତିଗୁଡିକୁ ଜମା କରିବାର ସହଜ ବିଧି ମଧ୍ୟ ବାପଦାଦା ଶୁଣାଇ ଦେଇଛନ୍ତି ତେଣୁ ଯାହା ବି ସବୁ
ଅବିନାଶୀ ସମ୍ପତ୍ତିଗୁଡିକ ରହିଛି ସେଗୁଡିକୁ ପ୍ରାପ୍ତ କରିବାର ବିଧି ହେଲା - ବିନ୍ଦୁ । ଯେପରି
ବିନାଶୀ ସମ୍ପତ୍ତିରେ ଅର୍ଥାତ୍ ସଂଖ୍ୟାରେ ଯେତେ ବିନ୍ଦୁ ଲଗାଇ ଚାଲିଥିବ ତାହା ସେତେ ବଡ ସଂଖ୍ୟା
ହେଉଥିବ, ସେହିଭଳି ଅବିନାଶୀ ସମ୍ପତ୍ତିକୁ ଜମା କରିବାର ବିଧି ହେଉଛି ବିନ୍ଦୁ ଲଗାଇବା । ବିନ୍ଦୁ
ମଧ୍ୟ ତିନୋଟି ରହିଛି - ଗୋଟିଏ ହେଲା ମୁଁ ଆତ୍ମା ବିନ୍ଦୁ, ବାବା ମଧ୍ୟ ବିନ୍ଦୁ ଏବଂ ଡ୍ରାମାରେ
ଯାହା ବି ବିତିଯାଉଛି ତାକୁ ଫୁଲଷ୍ଟପ ଅର୍ଥାତ୍ ବିନ୍ଦୁ ଲଗାଇ ଦିଅ । ତେବେ ଏହି ବିନ୍ଦୁ ଲଗାଇବା
ଜଣା ଅଛି ତ? ସବୁଠାରୁ ଅଧିକ ସହଜ ମାତ୍ରା କ’ଣ ଅଟେ? ବିନ୍ଦୁ ଲଗାଇବା ଅଟେ ନା! ତେବେ ମୁଁ ଆତ୍ମା
ବିନ୍ଦୁ ଅଟେ ଏବଂ ବାବା ମଧ୍ୟ ବିନ୍ଦୁ ଅଟନ୍ତି, ଏହି ସ୍ମୃତି ଦ୍ୱାରା ସ୍ୱତଃ ହିଁ ସମ୍ପତ୍ତି ଜମା
ହୋଇଥାଏ । ତେଣୁ ବିନ୍ଦୁକୁ ଗୋଟିଏ ସେକେଣ୍ଡ ଭିତରେ ମନେ ପକାଇବା ଦ୍ୱାରା କେତେ ଖୁସି ମିଳିଥାଏ!
ତେବେ ଏହି ସମ୍ପତ୍ତିଗୁଡିକ ମଧ୍ୟ ତୁମମାନଙ୍କର ଏହି ବ୍ରାହ୍ମଣ ଜୀବନର ଅଧିକାର ଅଟେ, କାହିଁକି ନା
ସନ୍ତାନ ହେବା ଅର୍ଥାତ୍ ସମ୍ପତ୍ତିର ଅଧିକାରୀ ହେବା ଏବଂ ଅଧିକାର ମଧ୍ୟ ବିଶେଷ ତିନୋଟି ସମ୍ବନ୍ଧରେ
ପ୍ରାପ୍ତି ହେଉଛି - ପରମାତ୍ମାଙ୍କୁ ପିତା ମଧ୍ୟ କରିଛ, ଶିକ୍ଷକ ମଧ୍ୟ କରିଛ ଏବଂ ସତ୍ଗୁରୁ ମଧ୍ୟ
କରିଛ । ତେଣୁ ଏହି ତିନୋଟିଯାକ ସମ୍ବନ୍ଧ ଦ୍ୱାରା ପାଳନା ମଧ୍ୟ ମିଳିଛି, ପାଠପଢା ଦ୍ୱାରା ରୋଜଗାର
କରିବାର ରାସ୍ତା(ମାଧ୍ୟମ) ମିଳିଯାଉଛି ଏବଂ ସତ୍ଗୁରୁଙ୍କ ଦ୍ୱାରା ବରଦାନ ପ୍ରାପ୍ତ ହେଉଛି । କେତେ
କେତେ ସହଜରେ ବରଦାନ ମିଳିଯାଉଛି? କାହିଁକି ନା ପୁତ୍ରର ଜନ୍ମ ସିଦ୍ଧ ଅଧିକାର ହେଉଛି ପିତାଙ୍କର
ବରଦାନ ପ୍ରାପ୍ତ କରିବା ।
ତେବେ ବାପଦାଦା
ପ୍ରତ୍ୟେକ ସନ୍ତାନର ଜମାର ଖାତାକୁ ଚେକ୍ କରୁଛନ୍ତି । ତୁମେମାନେ ମଧ୍ୟ ନିଜର ସବୁ ସମୟର ଜମାର
ଖାତାକୁ ଚେକ୍ କର, ଦେଖ - ଜମା ହେଲା କି ନାହିଁ । ତେବେ ଏହାକୁ ଚେକ୍ କରିବାର ବିଧି ହେଲା ଯାହା
ବି କର୍ମ କରୁଛ ସେହି କର୍ମରେ ନିଜେ ମଧ୍ୟ ସନ୍ତୁଷ୍ଟ ଏବଂ ଯାହାଙ୍କ ସହିତ କର୍ମ କରିଲ ସେ ମଧ୍ୟ
ସନ୍ତୁଷ୍ଟ ହେଉଥିବ । ଯଦି ଦୁଇଜଣ ଯାକ ସନ୍ତୁଷ୍ଟ ତେବେ ଜାଣ କର୍ମର ଖାତା ଜମା ହୋଇଛି, ଯଦି
ଉଭୟଙ୍କ ମଧ୍ୟ କେହି ଜଣେ ମଧ୍ୟ ଅସନ୍ତୁଷ୍ଟ ଅଟେ ତେବେ କର୍ମର ଖାତା ଜମା ହେଲା ନାହିଁ । ତେବେ
ବାପଦାଦା ସବୁପିଲାଙ୍କୁ ସମୟର ସୂଚନା ମଧ୍ୟ ଦେଇଚାଲିଛନ୍ତି । ବର୍ତ୍ତମାନ ସଙ୍ଗମର ସମୟ ସାରା
କଳ୍ପ ଭିତରେ ଶ୍ରେଷ୍ଠରୁ ଶ୍ରେଷ୍ଠ ସମୟ ଅଟେ କାହିଁକି ନା ଏହି ସଙ୍ଗମ ହିଁ ଶ୍ରେଷ୍ଠ କର୍ମର ବୀଜ
ବପନ କରିବାର ସମୟ ଅଟେ । ପ୍ରତ୍ୟକ୍ଷ ଫଳ ପ୍ରାପ୍ତ କରିବାର ମଧ୍ୟ ସମୟ ଅଟେ । ଏହି ସଙ୍ଗମଯୁଗର
ଗୋଟିଏ ଗୋଟିଏ ସେକେଣ୍ଡ ଶ୍ରେଷ୍ଠରୁ ଶ୍ରେଷ୍ଠ ଅଟେ । ତେବେ ସମସ୍ତେ ଗୋଟିଏ ସେକେଣ୍ଡରେ ଅଶରୀରୀ
ସ୍ଥିତିରେ ସ୍ଥିତ ହୋଇପାରିବ? ବାପଦାଦା ଏହାର ଏକ ସହଜ ବିଧି ମଧ୍ୟ ଶୁଣାଉଛନ୍ତି ଯେ ନିରନ୍ତର ଯୋଗୀ
ହେବା ପାଇଁ ଗୋଟିଏ ବିଧି ଆପଣାଅ – ତାହା ହେଲା ସାରା ଦିନ ଭିତରେ ସମସ୍ତେ ଦୁଇଟି ଶବ୍ଦ ଅନେକ ଥର
ବ୍ୟବହାର କରୁଛ, ସେହି ଦୁଇଟି ଶବ୍ଦ ହେଲା “ମୁଁ” ଏବଂ “ମୋର” । ତେଣୁ ଯେତେବେଳେ ମୁଁ ଶବ୍ଦ କହୁଛ,
ବାବା ତ ତୁମମାନଙ୍କୁ ପରିଚୟ ଦେଇଦେଇଛନ୍ତି ଯେ ମୁଁ ଆତ୍ମା ଅଟେ । ତେଣୁ ଯେତେବେଳେ ବି ମୁଁ ଶବ୍ଦ
କହୁଛ ଭାବ ଯେ ମୁଁ ଆତ୍ମା ଅଟେ । କେବଳ ମୁଁ ଶବ୍ଦ ଭାବ ନାହିଁ, ମୁଁ ଆତ୍ମା ଅଟେ, ଏହାକୁ ତା’
ସହିତ ଭାବ କାହିଁକି ନା ତୁମେ ତ ଜାଣିଛ ନା ଯେ ମୁଁ ଏକ ଶ୍ରେଷ୍ଠ ଆତ୍ମା ଅଟେ ଏବଂ ପରମାତ୍ମାଙ୍କର
ପାଳନାରେ ପାଳିତ ହେଉଥିବା ଆତ୍ମା ଅଟେ । ପୁଣି ଯେତେବେଳେ ମୋର ଶବ୍ଦ କହୁଛ ସେତେବେଳେ ଭାବ ମୋ’ର
କିଏ? ମେରା ବାବା ଅର୍ଥାତ୍ ପରମାତ୍ମା ପିତା । ତେଣୁ ଯେତେବେଳେ ବି ମୁଁ ଏବଂ ମୋ’ର ଶବ୍ଦ କହୁଛ
ସେଥିରେ ମୁଁ ସହିତ ଅତ୍ମା ଏବଂ ମୋ’ର ସହିତ ବାବା ଶବ୍ଦକୁ ମିଶାଇ କୁହ । ମୁଁ ଆତ୍ମା ଏବଂ ମୋ’ର
ବାବା । ତେବେ ବାବାଙ୍କ ପ୍ରତି ଯେତେ ଯେତେ ମୋ’ର ପଣିଆ ଆଣିବ ସେତେ ସେତେ ମନେ ପକାଇବା ସହଜ ହୋଇ
ଚାଲିବ କାହିଁକି ନା ମୋ’ର କୁ କେବେ ଭୁଲି ହୁଏ ନାହିଁ । ସାରା ଦିନ ଭିତରେ ଦେଖ ମୋ’ର ଶବ୍ଦ ହିଁ
ବହୁତ ମନେ ପଡୁଛି । ତେଣୁ ଏହି ବିଧି ଦ୍ୱାରା ସହଜରେ ନିରନ୍ତର ଯୋଗୀ ହୋଇପାରିବ । ବାପଦାଦା ତ ସବୁ
ପିଲାଙ୍କୁ ସ୍ୱମାନର ଆସନ ଉପରେ ବସାଇଛନ୍ତି, ତେଣୁ ଏହି ସ୍ୱମାନଗୁଡିକର ତାଲିକାକୁ ଯଦି ସ୍ମୃତିରେ
ଆଣିବ ତେବେ ତାହା କେତେ ଲମ୍ବା ଅଟେ! କାହିଁକି ନା ଯଦି ସ୍ୱମାନରେ ସ୍ଥିତ ରହିବ ତେବେ
ଦେହ-ଅଭିମାନ ଆସିପାରିବ ନାହିଁ । ହୁଏ ତ ଦେହ-ଅଭିମାନ ରହିବ ନଚେତ୍ ସ୍ୱମାନ ରହିବ । ସ୍ୱମାନର
ଅର୍ଥ ହେଲା - ସ୍ୱ ଅର୍ଥାତ୍ ଆତ୍ମାର ଶ୍ରେଷ୍ଠ ସ୍ମୃତିର ସ୍ଥାନ । ତେଣୁ ସମସ୍ତେ ନିଜ ନିଜର
ସ୍ୱମାନରେ ସ୍ଥିତ ଅଛ ତ? ତେବେ ଯେତିକି ଯେତିକି ସ୍ୱମାନରେ ସ୍ଥିତ ରହୁଥିବ ସେତିକି ଅନ୍ୟମାନଙ୍କୁ
ସମ୍ମାନ ଦେବା ମଧ୍ୟ ଆପେ ଆପେ ହୋଇଯିବ । ତେଣୁ ସ୍ୱମାନରେ ସ୍ଥିତ ରହିବା କେତେ ସହଜ ଅଟେ!
ତେବେ ସମସ୍ତେ ସବୁବେଳେ
ଖୁସିବାସିଆ ସ୍ଥିତିରେ ରହୁଛ ତ? କାହିଁକି ନା ନିଜେ ଖୁସିବାସିଆ ସ୍ଥିତିରେ ରହୁଥିବା ଆତ୍ମା
ଅନ୍ୟମାନଙ୍କୁ ମଧ୍ୟ ଖୁସିବାସିଆ କରିଦେଇଥାଏ । ତେଣୁ ବାପଦାଦା ସବୁବେଳେ କହୁଛନ୍ତି ଯେ ସାରା ଦିନ
ଭିତରେ ଖୁସିକୁ କେବେ ବି ଯିବାକୁ ଦିଅ ନାହିଁ । କାହିଁକି ଜାଣିଛ? କାହିଁକି ନା ଖୁସି ଏଭଳି
ଜିନିଷ ଯାହାକି ଖୁସି ଭିତରେ ସ୍ୱାସ୍ଥ୍ୟ ମଧ୍ୟ ଅଛି, ସମ୍ପତ୍ତି ମଧ୍ୟ ଅଛି ଏବଂ ସୁଖ ମଧ୍ୟ ଅଛି ।
ଯଦି ଖୁସି ନାହିଁ ତେବେ ଜୀବନ ନୀରଶ ଲାଗିଥାଏ । ଖୁସି ପାଇଁ ହିଁ ଗାୟନ ରହିଛି - “ଖୁସି ଭଳି
କୌଣସି ସମ୍ପତ୍ତି ନାହିଁ” । ଯେତେ ବି ଧନ ସମ୍ପତ୍ତି ଥାଉ ଯଦି ଖୁସି ନାହିଁ ତେବେ ସମ୍ପତ୍ତିରୁ
ମଧ୍ୟ ପ୍ରାପ୍ତି କରିପାରିବ ନାହିଁ । ସେହି ଖୁସି ପାଇଁ ହିଁ କୁହାଯାଇଛି - ଖୁସି ଭଳି ଭୋଜନ ନାହିଁ
। ତେଣୁ ସମ୍ପତ୍ତି ମଧ୍ୟ ଖୁସି, ସ୍ୱାସ୍ଥ୍ୟ ମଧ୍ୟ ଖୁସି ଏବଂ ମନ ଖୁସି ଥିଲେ ଜୀବନ ମଧ୍ୟ ଖୁସି ।
ତେଣୁ ଖୁସି ଭିତରେ ହିଁ ତିନୋଟିଯାକ ଅନ୍ତର୍ନିହିତ ଅଟେ ଏବଂ ବାବା ମଧ୍ୟ ତୁମମାନଙ୍କୁ ଅବିନାଶୀ
ଖୁସିର ସମ୍ପତ୍ତି ଦେଇଛନ୍ତି, ତେଣୁ ପିତାଙ୍କର ସମ୍ପତ୍ତିକୁ କେବେ ମଧ୍ୟ ବି ହରାଇବ ନାହିଁ । ତେବେ
ସମସ୍ତେ ଖୁସିରେ ରହୁଛ ତ?
ଯେହେତୁ ବାପଦାଦା
ତୁମମାନଙ୍କୁ ହୋମୱାର୍କ ଦେଇଦେଲେ ନିଜେ ଖୁସିରେ ରହିବ ଏବଂ ଅନ୍ୟମାନଙ୍କୁ ଖୁସି ବାଣ୍ଟିବ କାହିଁକି
ନା ଖୁସି ଏଭଳି ଜିନିଷ ଯାହାକି ଯେତେ ବାଣ୍ଟୁଥିବ ସେତେ ବଢୁଥିବ । ଅନୁଭବ କରିଦେଖିଛ ନା! କରିଛ
ନା ଅନୁଭବ? ଯଦି କାହାକୁ ଖୁସି ବାଣ୍ଟିବ ତେବେ ବାଣ୍ଟିବା ପୂର୍ବରୁ ତୁମ ଭିତରେ ଖୁସି ବଢିଯିବ ।
ଅନ୍ୟକୁ ଖୁସି କରିବା ପୂର୍ବରୁ ପ୍ରଥମେ ନିଜେ ଖୁସି ହୋଇଯିବ । ତେଣୁ ସମସ୍ତେ ଏହି ହୋମୱାର୍କ
ଅର୍ଥାତ୍ ଘରେ କରିବା ପାଇଁ ପାଠପଢା କରିଛ ତ? କରିଛ ତ? ଯେଉଁମାନେ କରିଛ ସେମାନେ ହାତ ଉଠାଅ ।
ଯେଉଁମାନେ କରିଛ ସେମାନେ ହାତ ଉଠାଅ । ଯେଉଁମାନେ କରିଛ - ମୋତେ ଖୁସିରେ ରହିବାକୁ ହେବ, କାରଣ
ନୁହେଁ, ନିବାରଣ କରିବାକୁ ହିଁ ହେବ, ସମାଧାନ ସ୍ୱରୂପ ହେବାକୁ ହିଁ ପଡିବ, ସେମାନେ ହାତ ଉଠାଅ ।
ଏବେ ଆଉ କହିବ ନାହିଁ ତ - ଏମିତି ହେଲା, ସେମିତି ହେଲା! ବାପଦାଦାଙ୍କ ପାଖରେ କେତେକ ପିଲା
ସେମାନଙ୍କର ହୋମୱାର୍କର ଫଳାଫଳ ଲେଖି ପଠାଇଛନ୍ତି, ଆମେ କେତେ ପ୍ରତିଶତ ଓକେ ରହିଛୁ । ଯଦି
ଲକ୍ଷ୍ୟ ରଖିବ ତେବେ ଲକ୍ଷ୍ୟ ଆଧାରରେ ଲକ୍ଷଣ ମଧ୍ୟ ସ୍ୱତଃ ହିଁ ଆସିବ । ଆଚ୍ଛା ।
ଡବଲ ବିଦେଶୀ:-
ବିଦେଶୀମାନେ ନିଜର ବାସ୍ତବିକ ବିଦେଶକୁ ତ ଭୁଲି ନଥିବେ ନା! ତୁମେମାନେ ପ୍ରକୃତରେ କେଉଁ ଦେଶର ଅଟ,
ତାହା ତ ମନେ ରହୁଛି ନା! ସେଥିପାଇଁ ସମସ୍ତେ ତୁମକୁ ଡବଲ ବିଦେଶୀ କହୁଛନ୍ତି । କେବଳ ବିଦେଶୀ ନୁହେଁ,
ଡବଲ ବିଦେଶୀ । ତେଣୁ ତୁମେମାନେ ନିଜର ମିଠାଘରକୁ କେବେ ବି ଭୁଲୁ ନ ଥିବ । ତେବେ ତୁମେମାନେ
କେଉଁଠି ରହୁଛ? ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ଅଟ ନା । ବାପଦାଦା କହୁଛନ୍ତି ଯେତେବେଳେ
କୌଣସି ବି ଛୋଟ-ମୋଟ ସମସ୍ୟା ଆସୁଛି, ତାହା ସମସ୍ୟା ନୁହେଁ ବରଂ ଆଗକୁ ବଢାଇବାର ପରୀକ୍ଷା ଅଟେ ।
ତେଣୁ ବାପଦାଦାଙ୍କର ହୃଦୟ ସିଂହାସନ ଉପରେ ତ ତୁମର ଅଧିକାର ରହିଛି । ତେଣୁ ତୁମେ ଯଦି ହୃଦୟ
ସିଂହାସନର ଅଧିକାରୀ ହୋଇଯିବ ତେବେ ସବୁ ସମସ୍ୟା ଖେଳଣା ଭଳି ହୋଇଯିବ, ତାକୁ ଦେଖି ଭୟ କରିବ ନାହିଁ,
ତା ସହିତ ଖେଳିବ । ଭାବିବ ଏହା ତ ଖେଳଣା ଅଟେ । ତେବେ ସମସ୍ତେ ତ ଉଡିବାକଳାବାଲା ଅଟ ନା? କ’ଣ
ଉଡିବାବାଲା ଅଟ ତ, ନା ଚାଲିବାବାଲା ଅଟ? ଯେଉଁମାନେ ଉଡିବାବାଲା ଅଟ ସେମାନେ ହାତ ଉଠାଅ? କ’ଣ
ଉଡିବାବାଲା ତ? ଏଥିରେ ଅଧା ଅଧା ହାତ ଉଠାଉଛନ୍ତି । ଉଡିବାବାଲା ଅଟ ତ? ଆଚ୍ଛା କେବେ କେବେ ଉଡିବା
ଛାଡିଦେଉଛ କି? ଚାଲୁଛି ତ... ନା, କେହି କେହି ବାପଦାଦାଙ୍କୁ କହୁଛନ୍ତି ବାବା - ମୁଁ ବହୁତ ଭଲରେ
ଚାଲୁଛି । ତେଣୁ ବାପଦାଦା ପଚାରୁଛନ୍ତି ଚାଲୁଛ, ନା ଉଡୁଛ? ଏବେ ଆଉ ଚାଲିବାର ସମୟ ନାହିଁ, ଏବେ ତ
ଉହିବାର ସମୟ । ଉମଙ୍ଗ-ଉତ୍ସାହର ଏବଂ ସାହସର ଡେଣା ତ ସମସ୍ତଙ୍କୁ ମିଳିଯାଇଛି ତେଣୁ ଡେଣା ଦ୍ୱାରା
ଉଡିବା ହୋଇଥାଏ । ସେଥିପାଇଁ ପ୍ରତିଦିନ ଏହି କଥା ଚେକ୍ କର ଯେ ମୁଁ ଉଡିବାର କଳାରେ ଉଡୁଛି ତ?
ବହୁତ ଭଲ କଥା, ତେବେ ଫଳାଫଳ ରୂପରେ ବାପଦାଦା ଦେଖୁଛନ୍ତି ଯେ ବିଦେଶରେ ମଧ୍ୟ ସେବାକେନ୍ଦ୍ର
ବଢିଚାଲିଛି ଏବଂ ଆହୁରି ମଧ୍ୟ ବଢିବ । ତେଣୁ ତୁମେମାନେ ଯେପରି ଡବଲ ବିଦେଶୀ ଅଟ ସେହିପରି ସଂକଳ୍ପ
ଦ୍ୱାରା ଏବଂ ବାଣୀ ଦ୍ୱାରା ଡବଲ ସେବା କରିଚାଲ । ନିଜର ମାନସୀକ ଶକ୍ତି ଦ୍ୱାରା ଆତ୍ମାମାନଙ୍କର
ଆତ୍ମିକ ମନୋବୃତ୍ତି ନିର୍ମାଣ କର, ଆତ୍ମିକ ବାତାବରଣ ସୃଷ୍ଟି କର । ଏବେ ତ ଦୁନିଆରେ ଦୁଃଖ
ଅଶାନ୍ତି ବଢି ବଢି ଚାଲିଛି, ତାକୁ ଦେଖି ତୁମକୁ କ’ଣ ଦୟା ଲାଗୁନାହିଁ? ତୁମମାନଙ୍କର ଜଡ ଚିତ୍ର
ସମ୍ମୁଖରେ ଦୟା କର, କୃପା କର କହି ଚିତ୍କାର କରୁଛନ୍ତି ନା । ତେଣୁ ଏବେ ଦୟାଳୁ, କୃପାଳୁ ହୁଅ ।
ନିଜ ଉପରେ ମଧ୍ୟ ଦୟାକର ଏବଂ ଅନ୍ୟ ଆତ୍ମାମାନଙ୍କ ଉପରେ ମଧ୍ୟ ଦୟା କର । ବହୁତ ଭଲ କଥା ଯାହାକି
ଏମାନେ ସବୁ ସିଜିନ୍ରେ ସବୁ ପାଳିରେ ଆସିଯାଉଛନ୍ତି । ଏହାଦ୍ୱାରା ସମସ୍ତେ ଖୁସି ହେଉଛନ୍ତି, ତେଣୁ
ନିଜେ ଉଡିଚାଲ ଏବଂ ଅନ୍ୟମାନଙ୍କୁ ମଧ୍ୟ ଉଡାଇଚାଲ । ବହୁତ ଭଲ, ଫଳାଫଳ ରୂପରେ ଦେଖିବାକୁ ମିଳୁଛି
ଯେ ଏବେ ନିଜକୁ ପରିବର୍ତ୍ତନ କରିବାରେ ମଧ୍ୟ ତୀବ୍ରଗତିରେ ଆଗକୁ ବଢୁଛନ୍ତି । ତେବେ ସ୍ୱର
ପରିବର୍ତ୍ତନର ଗତି ବିଶ୍ୱର ପରିବର୍ତ୍ତନର ଗତିକୁ ବୃଦ୍ଧି କରିଥାଏ । ଆଚ୍ଛା!
ଯେଉଁମାନେ ପ୍ରଥମ ଥର
ପାଇଁ ଆସିଛ ସେମାନେ ଉଠ :-
ତୁମ ସମସ୍ତଙ୍କୁ
ବ୍ରାହ୍ମଣ ଜନ୍ମର ଅଭିନନ୍ଦନ । ଭଲ ଭଲ ମିଠେଇ ତ ମିଳିବ କିନ୍ତୁ ବାପଦାଦା ତୁମମାନଙ୍କୁ ଦିଲ୍ଖୁସ୍
ମିଠେଇ ଖୁଆଉଛନ୍ତି । ପ୍ରଥମ ଥର ପାଇଁ ମଧୁବନକୁ ଆସିବାର ଏହି ଦିଲ୍ଖୁସ୍ ମିଠେଇକୁ ସବୁ ଦିନ ପାଇଁ
ମନେ ରଖିଥିବ । ଖାଇବାର ମିଠେଇକୁ ତ ପାଟିରେ ରଖିବା ମାତ୍ରକେ ସରିଯବ କିନ୍ତୁ ଦିଲ୍ଖୁସ୍ ମିଠେଇ
ସବୁ ଦିନ ପାଇଁ ସାଥୀରେ ରହିବ । ଆସିଛ ଭଲ କରିଛ, ବାପଦାଦା ଦେଶ ବିଦେଶର ଏବଂ ସାରା ପରିବାର
ତୁମମାନଙ୍କୁ ଦେଖି ବହୁତ ଖୁସି ହେଉଛନ୍ତି । ସମସ୍ତେ ତୁମକୁ ଦେଖୁଛନ୍ତି । ଆମେରିକା ମଧ୍ୟ ଦେଖୁଛି,
ଆଫ୍ରିକା ମଧ୍ୟ ଦେଖୁଛି, ରୁଷିଆବାଲା ମଧ୍ୟ ଦେଖୁଛନ୍ତି, ଲଣ୍ଡନବାଲା ମଧ୍ୟ ଦେଖୁଛନ୍ତି,
ପାଞ୍ଚୋଟିଯାକ ମହାଦ୍ୱୀପର ପିଲାମାନେ ତୁମକୁ ଦେଖୁଛନ୍ତି । ତେଣୁ ସେଠାରେ ବସିଥିଲେ ମଧ୍ୟ ସମସ୍ତେ
ତୁମମାନଙ୍କୁ ଜନ୍ମଦିନର ଅଭିନନ୍ଦନ ଦେଉଛନ୍ତି । ଆଚ୍ଛା!
ବାପଦାଦାଙ୍କର ଆତ୍ମିକ
ଡ୍ରିଲ୍ ମନେ ଅଛି ତ! ଏବେ ବାପଦାଦା ସବୁ ପିଲାଙ୍କଠାରୁ ଚାହେଁ ନୂଆ ହୋଇଥାଆନ୍ତୁ, ଚାହେଁ ପୁରୁଣା
ହୋଇଥାଆନ୍ତୁ, ଛୋଟ ହୋଇଥାଆନ୍ତୁ କି ବଡ ହୋଇଥାଆନ୍ତୁ, ବରଂ ଛୋଟମାନେ ଆହୁରି ଶୀଘ୍ର ବାବାଙ୍କ
ସମାନ ହୋଇପାରିବେ, ତେଣୁ ବାପଦାଦା ସମସ୍ତଙ୍କଠାରୁ ଏହି କଥା ଆଶା ରଖୁଛନ୍ତି ଯେ ଏବେ ଗୋଟିଏ
ସେକେଣ୍ଡ ଭିତରେ ମନକୁ ଯେଉଁଠି ବି ଲଗାଇବାକୁ ଚାହିଁବ ସେଠାରେ ମନ ଏକାଗ୍ର ହୋଇଯାଉଥିବ । ଏହିଭଳି
ଏକାଗ୍ରତାର ଡ୍ରିଲ୍ ସବୁ ସମୟରେ କରିଚାଲିଥାଅ । ଏବେ ଗୋଟିଏ ସେକେଣ୍ଡ ଭିତରେ ମନର ମାଲିକ ହୋଇ
ମୁଁ ଏବଂ ମୋ’ର ବାବା ସଂସାର ଅଟନ୍ତି, ଦ୍ୱିତୀୟ କେହି ବି ନୁହେଁ । ଏହିଭଳି ଏକାଗ୍ରତାର ସ୍ମୃତିରେ
ସ୍ଥିତ ହୋଇଯାଅ । ଆଚ୍ଛା!
ଚାରିଆଡର ସମସ୍ତ ତୀବ୍ର
ପୁରୁଷାର୍ଥୀ ପିଲାମାନଙ୍କୁ, ସର୍ବଦା ଉମଙ୍ଗ ଉତ୍ସାହର ଡେଣା ଦ୍ୱାରା ଉଡିବା କଳାର ଅନୁଭବୀ ମୂରତ
ପିଲାମାନଙ୍କୁ, ସର୍ବଦା ନିଜର ସ୍ୱମାନର ଆସନ ଉପରେ ସ୍ଥିତ ରହୁଥିବା ପିଲାମାନଙ୍କୁ, ସର୍ବଦା
ଦୟାଶୀଳ ହୋଇ ବିଶ୍ୱର ଆତ୍ମାମାନଙ୍କୁ ମାନସୀକ ଶକ୍ତି ଦ୍ୱାରା କିଛି ନା କିଛି ସୁଖ-ଶାନ୍ତିର
ଆଞ୍ଜୁଳୀ ଦେଉଥିବା ଦୟାଳୁ, କୃପାଳୁ ଅଧିକାରୀ ପିଲାମାନଙ୍କୁ, ସର୍ବଦା ବାବାଙ୍କର ସ୍ନେହରେ
ସମାହିତ ହୋଇଥିବା ହୃଦୟ ସିଂହାସନ ଅଧିକାରୀ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ନମସ୍ତେ ।
ସମସ୍ତେ ବହୁତ, ବହୁତ,
ବହୁତ ଖୁସି ଅଛନ୍ତି । କ’ଣ ଖୁସି ଅଛ ତ? କେତେ ଅଧିକ ଖୁସି ଅଛ? ତେବେ ସର୍ବଦା ଏହିଭଳି ଖୁସିରେ
ରହିବ । ଯାହାବି ହେଉଛି ହେଉ କିନ୍ତୁ ଏବେ ତୁମକୁ ଖୁସିରେ ରହିବାକୁ ହିଁ ହେବ । ମୋତେ ଉଡିବାର ଅଛି,
କେହି ମୋତେ ତଳକୁ ଆଣିପାରିବେ ନାହିଁ । କ’ଣ ଏହା ପକ୍କା ତ? ଦୃଢ ପ୍ରତିଜ୍ଞା କରୁଛ ତ? କେତେ ଦୃଢ
ପ୍ରତିଜ୍ଞା କରୁଛ? ବାସ୍ କେବଳ ଖୁସିରେ ରୁହ ଏବଂ ସମସ୍ତଙ୍କୁ ଖୁସି ଦିଅ, ଯଦି କୌଣସି କଥା ଭଲ
ଲାଗୁନାହିଁ ତେବେ ବି ଖୁସିକୁ ଛାଡ ନାହିଁ । କଥାକୁ ଚଳେଇ ନିଅ କିନ୍ତୁ ଖୁସିକୁ ଯିବାକୁ ଦିଅ ନାହିଁ,
କାହିଁକି ନା କଥା ତ ନିଶ୍ଚିତ ଚାଲିଯିବ କିନ୍ତୁ ଖୁସି ତ ସାଥୀରେ ଯିବ ନା! ତେଣୁ ଯିଏ ସାଥୀରେ
ଯିବ ତାକୁ ଛାଡିଦେଉଛ ଏବଂ ଯିଏ ଚାଲିଯିବ ତାକୁ ପାଖରେ ରଖୁଛ । ଏଭଳି କର ନାହିଁ । ପ୍ରତିଦିନ
ଅମୃତବେଳାରେ ନିଜେ ନିଜକୁ ଖୁସି ରୂପକ ଭୋଜନ ଖୁଆଅ, ଆଚ୍ଛା!
ବରଦାନ:-
ମଧୁର ଶାନ୍ତିର
ଲଭଲୀନ ସ୍ଥିତି ଦ୍ୱାରା ନଷ୍ଟୋମୋହା ସମର୍ଥ ସ୍ୱରୂପ ଭବ ।
ଦେହ, ଦେହର ସମ୍ବନ୍ଧ,
ଦେହର ସଂସ୍କାର, ବ୍ୟକ୍ତି ବା ବୈଭବ, ବାୟୁମଣ୍ଡଳ, ଭାଇବ୍ରେଶନ ସବୁକିଛି ଥିଲେ ମଧ୍ୟ ସେଗୁଡିକ
ନିଜ ଆଡକୁ ଆକର୍ଷିତ ନ କରୁ । ଲୋକମାନେ ଚିତ୍କାର କରୁଥିବେ କିନ୍ତୁ ତୁମେ ଅଚଳ ସ୍ଥିତିରେ ରହୁଥିବ
। ପ୍ରକୃତି, ମାୟା ସବୁ କିଛି ଅନ୍ତିମ ସୁଯୋଗ ନେବା ପାଇଁ ଯେତେ ବି ନିଜ ଆଡକୁ ଆକର୍ଷିତ କରନ୍ତୁ
କିନ୍ତୁ ତୁମେମାନେ ସବୁଥିରୁ ନ୍ୟାରା ଏବଂ ବାବାଙ୍କର ପ୍ୟାରା ହେବାର ସ୍ଥିତିରେ ସ୍ଥିତ ରୁହ -
ଏହାକୁ ହିଁ କୁହାଯାଏ ଦେଖୁଥିଲେ ମଧ୍ୟ ଦେଖୁ ନାହିଁ, ଶୁଣୁଥିଲେ ମଧ୍ୟ ଶୁଣୁ ନାହିଁ - ଏହା ହିଁ
ହେଉଛି ମିଠା ଶାନ୍ତ ସ୍ୱରୂପ ଲଭଲୀନ ସ୍ଥିତି । ଯେତେବେଳେ ତୁମର ସ୍ଥିତି ଏହିଭଳି ହୋଇଯିବ ତେବେ
କୁହାଯିବ ନଷ୍ଟୋମୋହା ସମର୍ଥ ସ୍ୱରୂପ ସ୍ଥିତି ବାଲା ବରଦାନୀ ଆତ୍ମା ।
ସ୍ଲୋଗାନ:-
ହୋଲୀହଂସ ହୋଇ
ଅବଗୁଣ ରୂପୀ ଗୋଡିକୁ ଛାଡି ଦିବ୍ୟଗୁଣ ରୂପୀ ମୋତି ଗ୍ରହଣ କରିଚାଲ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର । ଜ୍ୱାଳା ସ୍ୱରୂପ ହେବା ପାଇଁ ସର୍ବଦା
ଏହି ଲଗନ ଲାଗି ରହୁ ଯେ ଏବେ ଘରକୁ ଫେରିବାକୁ ହେବ । ଯିବାକୁ ହେବ ଅର୍ଥାତ୍ ଉପରାମ ସ୍ଥିତି । ଯଦି
ନିଜର ନିରାକାର ଘରକୁ ଯିବାକୁ ହେବ ତେବେ ନିଜର ବେଶକୁ ମଧ୍ୟ ସେହିଭଳି କରିବାକୁ ହେବ । ତେବେ
ଯିବାକୁ ମଧ୍ୟ ହେବ ଏବଂ ସମସ୍ତଙ୍କୁ ସାଥୀରେ ଘରକୁ ନେଇଯିବାକୁ ମଧ୍ୟ ହେବ - ଏହି ସ୍ମୃତି ଦ୍ୱାରା
ସ୍ୱତଃ ହିଁ ସର୍ବ ସମ୍ବନ୍ଧ ଏବଂ ସର୍ବ ପ୍ରକୃତିର ଆକର୍ଷଣ ଠାରୁ ଉପରାମ ଅର୍ଥାତ୍ ସାକ୍ଷୀ ହୋଇଯିବ
ଏବଂ ସାକ୍ଷୀ ସ୍ଥିତି ଦ୍ୱାରା ଅତି ସହଜରେ ବାବାଙ୍କର ସାଥୀ ବା ବାବାଙ୍କ ସମାନ ହୋଇଯିବ । ସୂଚନା:-
ଆଜି ମାସର ତୃତୀୟ ରବିବାର । ସମସ୍ତ ରାଜଯୋଗୀ ଭାଇ ଭଉଣୀମାନେ ସଂନ୍ଧ୍ୟା ୬.୩୦ରୁ ୭.୩୦
ପର୍ଯ୍ୟନ୍ତ ବିଶେଷ ଯୋଗାଭ୍ୟାସ ସମୟରେ ନିଜର ଆକାରୀ ଫରିସ୍ତା ସ୍ୱରୂପରେ ସ୍ଥିତ ହୋଇ
ଭକ୍ତମାନଙ୍କର ଡାକରା ଶୁଣିବା ସହିତ ସେମାନଙ୍କର ଉପକାର କରିବା ହେବେ ଏବଂ ମାଷ୍ଟର ଦୟାଳୁ, କୃପାଳୁ
ହୋଇ ସମସ୍ତଙ୍କ ଉପରେ ଦୟାର ଦୃଷ୍ଟି ରଖିବା ସହିତ ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତିର ବରଦାନ ଦେବେ
।