21.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ସକାଳୁ-ସକାଳୁ ଉଠି ବାବାଙ୍କ ସହିତ ମିଠା-ମିଠା କଥା ହୁଅ, ବିଚାର ସାଗର ମନ୍ଥନ କରିବା ପାଇଁ
ସକାଳର ସମୟ ବହୁତ ଭଲ ।”
ପ୍ରଶ୍ନ:-
ଭକ୍ତମାନେ ମଧ୍ୟ
ଭଗବାନଙ୍କୁ ସର୍ବଶକ୍ତିମାନ କହୁଛନ୍ତି ଏବଂ ତୁମେମାନେ ମଧ୍ୟ କହୁଛ, କିନ୍ତୁ ଉଭୟଙ୍କର ମଧ୍ୟରେ
କେଉଁ ଅନ୍ତର ରହିଛି?
ଉତ୍ତର:-
ସେମାନେ କହୁଛନ୍ତି ଭଗବାନ ତ ଯାହା ଚାହିଁବେ ତାହା କରି ପାରିବେ । ସବୁ କିଛି ତାଙ୍କ ହାତରେ ଅଛି
। କିନ୍ତୁ ତୁମେମାନେ ଜାଣିଛ, ବାବା କହିଛନ୍ତି ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି ।
ଡ୍ରାମା ସର୍ବଶକ୍ତିମାନ ଅଟେ । ବାବାଙ୍କୁ ସର୍ବଶକ୍ତିମାନ ଏଥିପାଇଁ କୁହାଯାଉଛି କାରଣ ତାଙ୍କ
ନିକଟରେ ସମସ୍ତଙ୍କୁ ସଦ୍ଗତି ଦେବାର ଶକ୍ତି ରହିଛି । ଏଭଳି ରାଜ୍ୟ ସ୍ଥାପନ କରିଦେଉଛନ୍ତି ଯାହାକୁ
କେବେ କେହି ଛଡାଇ ନେଇ ପାରିବେ ନାହିଁ ।
ଓମ୍ ଶାନ୍ତି ।
କିଏ କହିଲେ?
ବାବା କହିଲେ ଓମ୍ ଶାନ୍ତି - ଏକଥା କିଏ କହିଲେ? ଦାଦା କହିଲେ । ଏବେ ତୁମେ ସନ୍ତାନମାନେ ଏହାକୁ
ଜାଣିପାରିଛ । ଶ୍ରେଷ୍ଠରୁ ଶ୍ରେଷ୍ଠ ତାଙ୍କର ମହିମା ତ ବହୁତ ବହୁତ ଉଚ୍ଚ ଅଟେ । କହନ୍ତି ସିଏ
ସର୍ବଶକ୍ତିମାନ ଅଟନ୍ତି ତେଣୁ ସିଏ କ’ଣ ନ କରିପାରିବେ । ବାସ୍ତବରେ ଭକ୍ତିମାର୍ଗରେ
ସର୍ବଶକ୍ତିମାନ୍ର ଅର୍ଥକୁ ବହୁତ ବିସ୍ତାର କରି ଦେଇଛନ୍ତି । ବାବା କହୁଛନ୍ତି ଡ୍ରାମା ଅନୁସାରେ
ସବୁ କିଛି ହେଉଛି, ମୁଁ କିଛି ବି କରୁ ନାହିଁ । ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି ।
କେବଳ ତୁମେ ବାବାଙ୍କୁ ସ୍ମରଣ କରିବା ଦ୍ୱାରା ସର୍ବଶକ୍ତିମାନ ହୋଇଯାଉଛ । ପବିତ୍ର ହେବା ଦ୍ୱାରା
ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯାଉଛ । ବାବା ସର୍ବଶକ୍ତିମାନ୍ ଅଟନ୍ତି, ତାଙ୍କୁ ଶିଖାଇବାକୁ
ପଡୁଛି । ପିଲାମାନେ, ମୋତେ ସ୍ମରଣ କର ତେବେ ତୁମମାନଙ୍କର ବିକର୍ମ ବିନାଶ ହୋଇଯିବ ପୁଣି
ସର୍ବଶକ୍ତିମାନ ହୋଇ ବିଶ୍ୱ ଉପରେ ରାଜତ୍ୱ କରିବ । ଯଦି ଶକ୍ତି ନ ରହିବ ତେବେ ରାଜତ୍ୱ କିପରି
କରିବ । ଯୋଗ ଦ୍ୱାରା ଶକ୍ତି ମିଳୁଛି ସେଥିପାଇଁ ଭାରତର ପ୍ରାଚୀନ ଯୋଗର ବହୁତ ଗାୟନ ରହିଛି । ତୁମେ
ସନ୍ତାନମାନେ କ୍ରମଅନୁସାରେ ଯୋଗଯୁକ୍ତ ହୋଇ ଖୁସିରେ ରହୁଛ । ତୁମେ ଜାଣିଛ ଯେ ଆମେ ଆତ୍ମାମାନେ
ବାବାଙ୍କୁ ସ୍ମରଣ କରିବା ଦ୍ୱାରା ବିଶ୍ୱ ଉପରେ ରାଜତ୍ୱ ପ୍ରାପ୍ତ କରିପାରିବୁ । ଏଭଳି କାହାର
ଶକ୍ତି ନାହିଁ ଯାହାକି ଛଡାଇ ନେଇ ପାରିବେ । ସମସ୍ତେ ଶ୍ରେଷ୍ଠରୁ ଶ୍ରେଷ୍ଠ ବାବାଙ୍କର ମହିମା
କରୁଛନ୍ତି କିନ୍ତୁ କିଛି ବୁଝି ନାହାଁନ୍ତି । କେହି ଜଣେ ହେଲେ ବି ମନୁଷ୍ୟକୁ ଜଣା ନାହିଁ ଯେ ଏହା
ଏକ ନାଟକ ଅଟେ । ଯଦି ଭାବୁଛ ଯେ ଏହା ଏକ ନାଟକ ତେବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାହା ମନେ ରହିବା
ଦରକାର । ନଚେତ ନାଟକ କହିବା ହିଁ ଭୁଲ୍ ହୋଇଯାଉଛି । କହୁଛନ୍ତି ମଧ୍ୟ ଏହା ଏକ ନାଟକ, ଆମେ ଏଠାକୁ
ଅଭିନୟ କରିବାକୁ ଆସିଛୁ । ତେବେ ସେହି ନାଟକର ଆଦି-ମଧ୍ୟ-ଅନ୍ତକୁ ମଧ୍ୟ ଜାଣିବା ଦରକାର ନା । ଏକଥା
ମଧ୍ୟ କହନ୍ତି ଯେ ଆମେ ଉପରୁ ଆସୁଛୁ ସେଥିପାଇଁ ତ ବୃଦ୍ଧି ହେଉଛି ନା । ସତ୍ୟଯୁଗରେ ବହୁତ କମ୍
ମନୁଷ୍ୟ ଥିଲେ । ଏତେ ସବୁ ଆତ୍ମାମାନେ କେଉଁଠୁ ଆସିଲେ, ଏ କଥା କେହି ବୁଝୁ ନାହାଁନ୍ତି ଯେ ଏହା
ଅନାଦି ପୂର୍ବ-ପ୍ରସ୍ତୁତ ଅବିନାଶୀ ଡ୍ରାମା ଅଟେ । ଯାହାର କି ଆଦିରୁ ଅନ୍ତ ପର୍ଯ୍ୟନ୍ତ
ପୁନରାବୃତ୍ତି ହୋଇଥାଏ । ତୁମେ ସିନେମା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖି ପୁଣି ଥରେ ଯଦି
ପୁନରାବୃତ୍ତି କରି ଦେଖିବ ତେବେ ସେହି ଚକ୍ରର ନିଶ୍ଚୟ ଅବିକଳ ପୁନରାବୃତ୍ତି ହେବ । ଟିକିଏ ହେଲେ
ଫରକ ହେବ ନାହିଁ ।
ବାବା ମିଠା-ମିଠା ସନ୍ତାନମାନଙ୍କୁ କିପରି ବସି ବୁଝାଉଛନ୍ତି । ବାବା କେତେ ମିଠା ଅଟନ୍ତି । ବାବା
ଆପଣ କେତେ ମିଠା । ବାବା ବାସ୍, ଏବେ ତ ଆମେ ଆମର ସୁଖଧାମକୁ ଯାଉଛୁ । ଏବେ ଏକଥା ଜଣା ପଡିଲା ଯେ
ଆତ୍ମା ପାବନ ହୋଇଗଲେ ସେଠାରେ କ୍ଷୀର ମଧ୍ୟ ପବିତ୍ର ମିଳିବ । ଶ୍ରେଷ୍ଠାଚାରୀ ମାତାମାନେ ବହୁତ
ମିଠା ହୋଇଥା’ନ୍ତି, ଉଚିତ ସମୟରେ ପିଲାମାନଙ୍କୁ ସ୍ୱତଃ କ୍ଷୀର ପିଆଇଥା’ନ୍ତି । ପିଲାମାନଙ୍କୁ
କାନ୍ଦିବାର କୌଣସି ଆବଶ୍ୟକତା ପଡି ନ ଥାଏ । ଏହିପରି ଭାବେ ବିଚାର-ସାଗର ମନ୍ଥନ କରିବା ଉଚିତ୍ ।
ସକାଳୁ ସକାଳୁ ବାବାଙ୍କ ସହିତ କଥା ହେବାକୁ ବହୁତ ମଜା ଲାଗିଥାଏ । ଶ୍ରେଷ୍ଠାଚାରୀ ରାଜ୍ୟ ସ୍ଥାପନ
କରିବା ପାଇଁ ବାବା ଆପଣ କେତେ ଭଲ ଯୁକ୍ତି ଶିଖାଉଛନ୍ତି । ପୁଣି ଆମେ ଶ୍ରେଷ୍ଠାଚାରୀ
ମାତାମାନଙ୍କର କୋଳକୁ ଯିବୁ । ଅନେକ ଥର ଆମେ ହିଁ ସେହି ନୂଆ ସୃଷ୍ଟିକୁ ଯାଇଛୁ । ଏବେ ଆମର ଖୁସିର
ଦିନ ଆସୁଛି । ଏହା ଖୁସିର ଖୋରାକ ଅଟେ ସେଥିପାଇଁ ଗାୟନ ମଧ୍ୟ ରହିଛି, ଯଦି ଅତିନ୍ଦ୍ରିୟ ସୁଖ
ପଚାରିବାର ଅଛି ତ ଗୋପ-ଗୋପୀମାନଙ୍କୁ ପଚାର । ଏବେ ଆମକୁ ବେହଦର ବାବା ମିଳିଛନ୍ତି । ଆମକୁ
ପୁନର୍ବାର ସ୍ୱର୍ଗର ମାଲିକ ଶ୍ରେଷ୍ଠାଚାରୀ କରାଉଛନ୍ତି । କଳ୍ପ-କଳ୍ପ ଆମେ ନିଜର ରାଜ୍ୟ-ଭାଗ୍ୟ
ନେଉଛୁ । ହାରି ଯାଇ ପୁଣି ବିଜୟ ପ୍ରାପ୍ତ କରୁଛୁ । ଏବେ ବାବାଙ୍କୁ ସ୍ମରଣ କରିଲେ ହିଁ ରାବଣ ଉପରେ
ବିଜୟ ପ୍ରାପ୍ତ କରିବୁ, ପୁଣି ଆମେ ପବିତ୍ର ହୋଇଯିବୁ । ସେଠାରେ ଲଢେଇ, ଦୁଃଖ ଆଦିର ନାମ ମଧ୍ୟ
ରହିବ ନାହିଁ କୌଣସି ଖର୍ଚ୍ଚ ମଧ୍ୟ ନାହିଁ । ଭକ୍ତିମାର୍ଗରେ ଜନ୍ମ-ଜନ୍ମାନ୍ତର ତୁମେ କେତେ
ଖର୍ଚ୍ଚ କରିଆସିଲ, କେତେ ଧକ୍କା ଖାଇଲ, କେତେ ଗୁରୁ କଲ । ଏବେ ପୁଣି ଅଧାକଳ୍ପ ଆମେ କୌଣସି ଗୁରୁ
କରିବୁ ନାହିଁ । ଏବେ ଶାନ୍ତିଧାମ ସୁଖଧାମକୁ ଯିବୁ । ବାବା କହୁଛନ୍ତି ତୁମେ ସୁଖଧାମର ପଥିକ ଅଟ ।
ଏବେ ଦୁଃଖଧାମରୁ ସୁଖଧାମକୁ ଯିବାକୁ ହେବ । ବାଃ ଆମର ବାବା, କିପରି ଆମକୁ ପାଠ ପଢାଉଛନ୍ତି । ଆମର
ସ୍ମୃତିଚିହ୍ନ ମଧ୍ୟ ଏହିଠାରେ ରହିଛି । ଏହା ତ ବହୁତ ବଡ ଚମତ୍କାର । ଏହି ଦିଲୱାଡା ମନ୍ଦିରର ତ
ଅପରମଅପାର ମହିମା ରହିଛି । ଏବେ ଆମେ ରାଜଯୋଗ ଶିଖୁଛୁ । ଯାହାର ସ୍ମୃତିଚିହ୍ନ ତ ନିଶ୍ଚୟ ରହିବ
ନା । ଏହା ପ୍ରକୃତରେ ଆମର ସ୍ମୃତିଚିହ୍ନ ଅଟେ । ବାବା, ମମ୍ମା ଏବଂ ସନ୍ତାନମାନେ ବସିଛନ୍ତି । ତଳେ
ଯୋଗ ଶିଖୁଛନ୍ତି, ଉପରେ ସ୍ୱର୍ଗର ରାଜତ୍ୱ ରହିଛି । କଳ୍ପବୃକ୍ଷର ଚିତ୍ରରେ ମଧ୍ୟ ଏକଥା କେତେ
ପ୍ରାଞ୍ଜଳ ଭାବରେ ରହିଛି । ବାବା କିପରି ସାକ୍ଷାତ୍କାର କରାଇଛନ୍ତି ପୁଣି ତା’ର ଚିତ୍ର ତିଆରି
କରାଇଛନ୍ତି । ବାବା ହିଁ ସାକ୍ଷାତ୍କାର କରାଇ ପୁଣି ଠିକ୍ ମଧ୍ୟ କରିଛନ୍ତି । କେତେ ଆଶ୍ଚର୍ଯ୍ୟ
ଅଟେ । ଏସବୁ ନୂଆ ଜ୍ଞାନ ଅଟେ । କାହାକୁ ହେଲେ ଏହି ଜ୍ଞାନ ବିଷୟରେ ଜଣା ନାହିଁ । ବାବା ହିଁ ବସି
ବୁଝାଉଛନ୍ତି, ମନୁଷ୍ୟ କେତେ ତମୋପ୍ରଧାନ ହୋଇଚାଲିଛନ୍ତି । ମନୁଷ୍ୟ ସୃଷ୍ଟି ବଢିଚାଲିଛି । ଭକ୍ତି
ମଧ୍ୟ ବଢି ବଢି ତମୋପ୍ରଧାନ ହୋଇଚାଲିଛି । ଏଠାରେ ଏବେ ତୁମେ ସତ୍ତ୍ୱପ୍ରଧାନ ହେବା ପାଇଁ
ପୁରୁଷାର୍ଥ କରୁଛ । ଗୀତାରେ ମଧ୍ୟ ମନମନାଭବର ଶବ୍ଦ ରହିଛି । କେବଳ ଏତିକି ଜାଣି ନାହାଁନ୍ତି ଯେ
ଭଗବାନ କିଏ । ଏବେ ତୁମକୁ ସକାଳୁ-ସକାଳୁ ଉଠି ବିଚାର ସାଗର ମନ୍ଥନ କରିବାକୁ ହେବ ଯେ
ମନୁଷ୍ୟମାନଙ୍କୁ ଭଗବାନଙ୍କର ପରିଚୟ କିପରି ଦେବୁ । ଭକ୍ତିରେ ମଧ୍ୟ ମନୁଷ୍ୟ ସକାଳୁ-ସକାଳୁ ଉଠି
କୋଠିରେ ବସି ଭକ୍ତି କରିଥା’ନ୍ତି । ଏହା ମଧ୍ୟ ବିଚାର ସାଗର ମନ୍ଥନ ହେଲା ନା । ଏବେ ତୁମକୁ
ଜ୍ଞାନର ତୃତୀୟ ନେତ୍ର ମିଳିଛି । ବାବା ତୃତୀୟ ନେତ୍ର ପ୍ରଦାନ କରିବାର କଥା ଶୁଣାଉଛନ୍ତି । ଏହାକୁ
ହିଁ ପୁଣି ତିଜରୀର କଥା ବୋଲି କହିଦେଇଛନ୍ତି । ତିଜରୀ କଥା, ଅମରକଥା, ସତ୍ୟ ନାରାୟଣଙ୍କର କଥା
ମଧ୍ୟ ପ୍ରସିଦ୍ଧ ଅଟେ । ଏହି କଥା ଏକମାତ୍ର ବାବା ହିଁ ଶୁଣାଉଛନ୍ତି ଯାହା ପୁଣି ଭକ୍ତିମାର୍ଗରେ
ପ୍ରଚଳିତ ହୁଏ । ଜ୍ଞାନ ଦ୍ୱାରା ତୁମେ ସନ୍ତାନମାନେ ଧନଶାଳୀ ହେଉଛ, ସେଥିପାଇଁ ଦେବତାମାନଙ୍କୁ ପଦ୍ମପତି
କୁହାଯାଏ । ଦେବତାମାନେ ବହୁତ ଧନବାନ୍, ପଦ୍ମପତି ହୋଇଥାଆନ୍ତି । କଳିଯୁଗକୁ ବି ଦେଖ ଏବଂ
ସତ୍ୟଯୁଗକୁ ବି ଦେଖ, ରାତି-ଦିନର ଫରକ ରହିଛି । ସାରା ଦୁନିଆ ପରିଷ୍କାର ହେବା ପାଇଁ ସମୟ ଲାଗୁଛି
ନା । ଏହା ବେହଦର ଦୁନିଆ ଅଟେ । ଭାରତ ହେଉଛି ହିଁ ଅବିନାଶୀ ଖଣ୍ଡ । ଏହା କେବେ ପ୍ରାୟ ଲୋପ ହୁଏ
ନାହିଁ । ଅଧାକଳ୍ପ ଗୋଟିଏ ରାଷ୍ଟ୍ର ରହିଥାଏ । ପୁଣି କ୍ରମାନ୍ୱୟରେ ଅନ୍ୟ ସବୁ ରାଷ୍ଟ୍ର ସ୍ଥାପିତ
ହେବ । ତୁମ ସନ୍ତାନମାନଙ୍କୁ କେତେ ଜ୍ଞାନ ମିଳୁଛି । ସମସ୍ତଙ୍କୁ କୁହ - ବିଶ୍ୱର ଇତିହାସ-ଭୂଗୋଳ
କିପରି ଚକ୍ର ଲଗାଉଛି, ଏଠାକୁ ଆସି ବୁଝ । ପ୍ରାଚୀନ ଋଷି ମୁନିମାନଙ୍କର କେତେ ସମ୍ମାନ ରହିଛି,
କିନ୍ତୁ ସେମାନେ ମଧ୍ୟ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣି ନାହାଁନ୍ତି । ସେମାନେ ହେଲେ ହଠଯୋଗୀ ।
ହଁ, ବାକି ସେମାନଙ୍କ ପାଖରେ ପବିତ୍ରତାର ଶକ୍ତି ରହିଛି ଯାହା ଦ୍ୱାରା ଭାରତକୁ (ବାବା ଆସିବା
ପର୍ଯ୍ୟନ୍ତ) ଅଟକାଇ ରଖୁଛନ୍ତି । ନଚେତ୍ ଜଣା ନାହିଁ ଭାରତର କ’ଣ ହୋଇଯାଇଥାନ୍ତା । ଘରକୁ ରଙ୍ଗ
କରାଯାଇଥାଏ ନା - ଯାହାଦ୍ୱାରା ଶୋଭା ପାଇଥାଏ । ଭାରତ ମହାନ ପବିତ୍ର ଥିଲା, ଏବେ ତାହା ପତିତ
ହୋଇଯାଇଛି । ସେଠାରେ ତୁମର ସୁଖ ମଧ୍ୟ ବହୁତ ସମୟ ଚାଲିବ । ତୁମ ପାଖରେ ବହୁତ ଧନ ରହିବ । ତୁମେ
ଭାରତରେ ହିଁ ରହୁଥିଲ । ସେଠାରେ କେବଳ ତୁମର ରାଜ୍ୟ ଥିଲା, ଏହା କାଲିର କଥା ଅଟେ । ପୁଣି ପରେ
ଅନ୍ୟ ଧର୍ମ ଆସିଥାଆନ୍ତି, ସେମାନେ ଆସି କିଛି ସୁଧାର କରି ନିଜକୁ ପ୍ରସିଦ୍ଧ କରିଛନ୍ତି ।
ବର୍ତ୍ତମାନ ସେମାନେ ମଧ୍ୟ ସମସ୍ତେ ତମୋପ୍ରଧାନ ହୋଇଗଲେଣି । ଏବେ ତୁମେ ସନ୍ତାନମାନେ କେତେ ଖୁସି
ହେବା ଉଚିତ । ଏସବୁ କଥା ନୂଆମାନଙ୍କୁ ଶୁଣାଇବା ଅନୁଚିତ । ପ୍ରଥମେ ପ୍ରଥମେ ତ ବାବାଙ୍କର ପରିଚୟ
ଦେବାକୁ ହେବ । ବାବାଙ୍କର ନାମ, ରୂପ, ଦେଶ, କାଳକୁ ଜାଣିଛ? ଶ୍ରେଷ୍ଠରୁ ଶ୍ରେଷ୍ଠ ବାବାଙ୍କର
ପାର୍ଟ ତ ପ୍ରସିଦ୍ଧ ଅଟେ ନା । ଏବେ ତୁମେ ଜାଣିଛ - ସେହି ବାବା ହିଁ ଆମକୁ ନିର୍ଦ୍ଦେଶ ଦେଉଛନ୍ତି
। ତୁମେମାନେ ପୁନର୍ବାର ନିଜର ରାଜଧାନୀ ସ୍ଥାପନ କରୁଛ । ତୁମେ ସନ୍ତାନମାନେ ମୋର ସହଯୋଗୀ ଅଟ ।
ତୁମେ ପବିତ୍ର ହେଉଛ । ତୁମ ନିମନ୍ତେ ପବିତ୍ର ଦୁନିଆ ନିଶ୍ଚୟ ସ୍ଥାପନ ହେବ । ତୁମେ ଏକଥା
ଲେଖିପାରିବ ଯେ ପୁରୁଣା ଦୁନିଆ ବଦଳୁଛି । ପୁଣି ଏହି ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀଙ୍କର ରାଜ୍ୟ ହେବ
। ତା’ପରେ ପୁଣି ରାବଣ ରାଜ୍ୟ ହେବ । ଚିତ୍ର ଆଧାରରେ ବୁଝାଇବାକୁ ବହୁତ ମିଠା ଲାଗିଥାଏ । ଏଥିରେ
ତିଥି-ତାରିଖ ସବୁ ଲେଖାଯାଇଛି । ଭାରତର ପ୍ରାଚୀନ ରାଜଯୋଗ ଅର୍ଥାତ୍ ବାବାଙ୍କର ସ୍ମୃତି । ଯୋଗ
କରିବା ଦ୍ୱାରା ବିକର୍ମ ବିନାଶ ହେଉଛି ଏବଂ ପାଠପଢା ଦ୍ୱାରା ଷ୍ଟାଟସ୍ ଅର୍ଥାତ୍ ପଦବୀ ମିଳୁଛି ।
ସେଥିପାଇଁ ଦୈବୀଗୁଣ ଧାରଣ କରିବାକୁ ହେବ । ହଁ, ଏ କଥା ନିଶ୍ଚିତ ଯେ ମାୟାର ତୋଫାନ ତ ଆସିବ ।
ତେଣୁ ସକାଳୁ ସକାଳୁ ଉଠି ବାବାଙ୍କ ସହିତ କଥା ହେବା ବହୁତ ଭଲ । ଭକ୍ତି ଏବଂ ଜ୍ଞାନ ଉଭୟ ପାଇଁ ଏହି
ସମୟ ବହୁତ ଭଲ । ବାବାଙ୍କ ସହିତ ମିଠା-ମିଠା କଥା ହେବା ଉଚିତ୍ । ଏବେ ଆମେ ଶ୍ରେଷ୍ଠାଚାରୀ
ଦୁନିଆକୁ ଯିବୁ । ବୁଢାମାନଙ୍କ ମନରେ ତ ଏକଥା ରହିଥାଏ ନା, ଆମେ ଏହି ଶରୀରକୁ ଛାଡି ଗର୍ଭକୁ ଯିବୁ
। ବାବା କେତେ ନିଶା ଚଢାଉଛନ୍ତି । ନିଜ ସହିତ ଏହିଭଳି କଥା ହୁଅ ତେବେ ତୁମର ଜମା ହୋଇଯିବ ।
ଶିବବାବା ଆମକୁ ନର୍କବାସୀରୁ ସ୍ୱର୍ଗବାସୀ କରୁଛନ୍ତି । ପ୍ରଥମେ ପ୍ରଥମେ ଆମେ ଆସୁଛୁ, ତେଣୁ
ଅଲରାଉଣ୍ଡର ପାର୍ଟ ଆମେ କରୁଛୁ । ବର୍ତ୍ତମାନ ବାବା କହୁଛନ୍ତି ଏହି ବିକାରୀ ଶରୀରକୁ ଛାଡି ଦିଅ ।
ଦେହ ସହିତ ସାରା ଦୁନିଆକୁ ଭୁଲିଯାଅ । ଏହା ହେଉଛି ବେହଦର ସନ୍ନ୍ୟାସ । ସେଠାରେ ମଧ୍ୟ ତୁମେ ବୁଢା
ହେଲେ ସାକ୍ଷାତ୍କାର ହେବ - ମୁଁ ପିଲା ହୋଇ ଜନ୍ମ ନେବି । ଖୁସି ମିଳିଥାଏ । ଶୈଶବ ତ ସବୁଠାରୁ
ଭଲ । ଏହିପରି ସକାଳୁ ଉଠି ବିଚାର-ସାଗର ମନ୍ଥନ କରିବା ଉଚିତ । ପଏଣ୍ଟସ୍ ବାହାରିଲେ ତୁମକୁ ଖୁସି
ମିଳିବ । ଖୁସିରେ ଘଣ୍ଟାଏ ଦେଢଘଣ୍ଟା ବିତିଯାଇଥାଏ । ଯେତେ ଅଭ୍ୟାସ ହୋଇଚାଲିବ ସେତେ ଖୁସି ବଢି
ଚାଲିବ । ବହୁତ ମଜା ଆସିବ ଏବଂ ଚାଲିବା ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେ ପକାଇବାକୁ ହେବ ।
ଫୁରସତ ବହୁତ ରହିଛି, ହଁ ବିଘ୍ନ ତ ନିଶ୍ଚିତ ପଡିବ, ଏଥିରେ କୌଣସି ସନ୍ଦେହ ନାହିଁ । ଧନ୍ଦା କରିବା
ସମୟରେ ମନୁଷ୍ୟମାନଙ୍କୁ ନିଦ ଆସେ ନାହିଁ । ଅଳସୁଆ ଲୋକେ ଶୋଇଥା’ନ୍ତି । ତୁମେ ଯେତେ ସମ୍ଭବ
ଶିବବାବାଙ୍କୁ ହିଁ ମନେ ପକାଇଚାଲ । ତୁମ ବୁଦ୍ଧିରେ ରହୁଛି ଯେ, ଶିବବାବାଙ୍କ ନିମନ୍ତେ ଆମେ ଭୋଜନ
ତିଆରି କରୁଛୁ । ଆମେ ଏହା ଶିବବାବାଙ୍କ ନିମନ୍ତେ କରୁଛୁ । ଭୋଜନ ମଧ୍ୟ ବହୁତ ଶୁଦ୍ଧିର ସହିତ
ପ୍ରସ୍ତୁ୍ତ କରିବା ଉଚିତ୍ । ଏପରି ଜିନିଷ ନ ହେଉ ଯାହା ଦ୍ୱାରା ଖିଟ୍ପିଟ୍ ହୋଇଯିବ । ବାବା
ନିଜେ ମଧ୍ୟ ସ୍ମରଣ କରୁଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ସକାଳୁ-ସକାଳୁ ଉଠି ବାବାଙ୍କ ସହିତ ମିଠା-ମିଠା କଥା ହେବାକୁ ପଡିବ । ପ୍ରତ୍ୟହ ଖୁସିରୂପକ ଭୋଜନ
କରିବା ସହିତ ଅତିନ୍ଦ୍ରିୟ ସୁଖର ଅନୁଭବ କରିବାକୁ ହେବ ।
(୨) ସତ୍ୟଯୁଗୀ ରାଜଧାନୀ
ସ୍ଥାପନ କରିବାରେ ବାବାଙ୍କର ସମ୍ପୂର୍ଣ୍ଣ ସହଯୋଗୀ ହେବା ପାଇଁ ପବିତ୍ର ହେବାକୁ ପଡିବ, ଯୋଗବଳ
ଦ୍ୱାରା ନିଜର ବିକର୍ମ ବିନାଶ କରିବାକୁ ହେବ, ଭୋଜନକୁ ମଧ୍ୟ ଶୁଦ୍ଧତାପୂର୍ବକ ପ୍ରସ୍ତୁତ କରିବାକୁ
ହେବ ।
ବରଦାନ:-
ଦିବ୍ୟଗୁଣର
ଆବାହନ ଦ୍ୱାରା ସର୍ବ ଅବଗୁଣ ଗୁଡିକୁ ଆହୁତି ଦେଉଥିବା ସନ୍ତୁଷ୍ଟ ଆତ୍ମା ଭବ ।
ଯେପରି ଦୀପାବଳୀ ପର୍ବରେ
ବିଶେଷ କରି ସ୍ୱଚ୍ଛତା ଏବଂ ରୋଜଗାର ପ୍ରତି ଧ୍ୟାନ ଦେଇଥାଆନ୍ତି, ସେହିଭଳି ତୁମେମାନେ ମଧ୍ୟ ସବୁ
ପ୍ରକାରର ସ୍ୱଚ୍ଛତା ଏବଂ ରୋଜଗାର ପ୍ରତି ଲକ୍ଷ୍ୟ ରଖି ସନ୍ତୁଷ୍ଟ ଆତ୍ମା ହୁଅ । କାରଣ ସନ୍ତୁଷ୍ଟତା
ଦ୍ୱାରା ହିଁ ସର୍ବ ଦିବ୍ୟଗୁଣଗୁଡିକୁ ଆବାହନ କରିପାରିବ, ଯାହାଦ୍ୱାରା ଅବଗୁଣ ଗୁଡିକର ଆହୁତି
ସ୍ୱତଃ ହିଁ ହୋଇଯିବ । ମନ ଭିତରେ ଯାହା ସବୁ ଦୋଷ-ଦୁର୍ବଳତା ଗୁଡିକ ବା ନିର୍ବଳତା, କୋମଳତା ରହିଛି
ସେଗୁଡିକୁ ସମାପ୍ତ କରି ଏବେ ନୂତନ ଖାତା ଆରମ୍ଭ କର ଏବଂ ନୂଆ ସଂସ୍କାର ରୂପୀ ନୂଆବସ୍ତ୍ର ଧାରଣ
କରି ସଚ୍ଚା ଦୀପାବଳୀ ପାଳନ କର ।
ସ୍ଲୋଗାନ:-
ସ୍ୱମାନର ଆସନ
ଉପରେ ଯଦି ସର୍ବଦା ସ୍ଥିତ ରହିବାକୁ ଚାହୁଁଛ ତେବେ ଦୃଢ ସଂକଳ୍ପ ରୂପୀ ବେଲ୍ଟକୁ ଭଲ ଭାବରେ ବାନ୍ଧି
ଦିଅ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ଶାନ୍ତିର ଶକ୍ତିର
ପ୍ରୟୋଗ ପ୍ରଥମେ ନିଜ ଉପରେ, ନିଜର ଶାରୀରିକ ବ୍ୟାଧି ଉପରେ କରି ଦେଖ । ଏହି ଶକ୍ତିର ପ୍ରୟୋଗ
ଦ୍ୱାରା କର୍ମବନ୍ଧନର ରୂପ ମିଠା ସମ୍ବନ୍ଧର ରୂପରେ ପରିବର୍ତ୍ତନ ହୋଇଯିବ । ଏହି ସବୁ କର୍ମଭୋଗ,
କର୍ମର କଡା ବନ୍ଧନଗୁଡିକ ଶାନ୍ତିର ଶକ୍ତି ଦ୍ୱାରା ପାଣିର ଗାର ଭଳି ଅନୁଭବ ହେବ । ମୁଁ
ଭୋଗିବାବାଲା ଅଟେ ବା କର୍ମଭୋଗକୁ ଚୁକ୍ତ କରୁଛି - ଏହା ନୁହେଁ ବରଂ ସାକ୍ଷୀଦ୍ରଷ୍ଟା ହୋଇ ଏହି ସବୁ
ହିସାବ-କିତାବର ଦୃଶ୍ୟକୁ ମଧ୍ୟ ଦେଖିବ ।
“ମାତେଶ୍ୱରୀଜୀଙ୍କର
ଅମୂଲ୍ୟ ମହାବାକ୍ୟ”
“ଏହି ଅବିନାଶୀ ଈଶ୍ୱରୀୟ ଜ୍ଞାନ ପ୍ରାପ୍ତ କରିବା ପାଇଁ ଅନ୍ୟ କୌଣସି ବି ଭାଷା ଶିଖିବାକୁ ପଡେ
ନାହିଁ”
ଆମର ଏହି ଯେଉଁ ଈଶ୍ୱରୀୟ
ଜ୍ଞାନ ରହିଛି, ଏହା ବହୁତ ସହଜ ଏବଂ ବହୁତ ମିଠା, ଯାହାଦ୍ୱାରା ଜନ୍ମ-ଜନ୍ମାନ୍ତରର ରୋଜଗାର ଜମା
ହୋଇଥାଏ । ଏହି ଜ୍ଞାନ ଏତେ ସହଜ ଯେ ଯାହାକୁ କେହି ବି ମହାନ ଆତ୍ମା, ଅହଲ୍ୟା ଭଳି ପଥରବୁଦ୍ଧି ବା
ଅନ୍ୟ କୌଣସି ବି ଧର୍ମାବଲମ୍ବୀ, ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ କେହି ବି
ପ୍ରାପ୍ତ କରିପାରିବେ । ଦେଖ, ଏହି ଜ୍ଞାନ ଏତେ ସହଜ ହେଲେ ମଧ୍ୟ ଦୁନିଆର ମନୁଷ୍ୟମାନେ ବହୁତ କଷ୍ଟ
ବୋଲି ଭାବୁଛନ୍ତି । କେହି କେହି ଭାବୁଛନ୍ତି ଯଦି ଆମେ ବହୁତ ବେଦ, ଶାସ୍ତ୍ର, ଉପନିଷେଦ ପଢି
ବିଦ୍ୱାନ ହୋଇଛୁ ତେବେ ତାକୁ ଶିଖିବା ପାଇଁ ପୁଣି ଭାଷା ଶିଖିବାକୁ ପଡିଲା । ବହୁତ ହଠଯୋଗ କଲୁ
ତେବେ ଯାଇ ତାହା ପ୍ରାପ୍ତ ହୋଇପାରିଲା, କିନ୍ତୁ ଆମେ ତ ଏହା ନିଜର ଅନୁଭବ ଦ୍ୱାରା ଜାଣିଗଲୁ ଯେ
ଏହି ଜ୍ଞାନ ବହୁତ ସହଜ ଏବଂ ସରଳ କାରଣ ସ୍ୱୟଂ ପରମାତ୍ମା ଆସି ଏହି ପାଠ ପଢାଉଛନ୍ତି, ଏଥିରେ ନା
କୌଣସି ହଠକ୍ରିୟା, ନା ଜପ, ତପ, ନା କୌଣସି ଶାସ୍ତ୍ରବାଦୀ ପଣ୍ଡିତ ହେବାକୁ ପଡିବ, ନା ଏଥିପାଇଁ
ସଂସ୍କୃତ ଭାଷା ଶିଖିବାକୁ ପଡିବ, ଏଠାରେ ତ ଆତ୍ମାକୁ ନିଜର ପିତା ପରମାତ୍ମାଙ୍କ ସହିତ ଯୋଗ
ଲଗାଇବାକୁ ହେବ । ଯଦିଓ କେହି ଏହି ଜ୍ଞାନକୁ ଧାରଣା କରି ପାରୁନାହିଁ କିନ୍ତୁ ତଥାପି କେବଳ ଯୋଗ
ଦ୍ୱାରା ମଧ୍ୟ ବହୁତ ଲାଭ ହେବ । ଏହାଦ୍ୱାରା ପ୍ରଥମତଃ ଆତ୍ମା ପବିତ୍ର ହୋଇଯିବ, ଦ୍ୱିତୀୟତଃ
କର୍ମବନ୍ଧନ ଭସ୍ମିଭୂତ ହୋଇଯିବ ଏବଂ କର୍ମାତୀତ ଅବସ୍ଥା ହୋଇଯିବ, ସର୍ବଶକ୍ତିମାନ ପରମାତ୍ମାଙ୍କ
ସ୍ମୃତିରେ ଏତେ ଶକ୍ତି ରହିଛି । ଯଦିଓ ସିଏ ସାକାର ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଆମକୁ ଯୋଗ
ଶିଖାଉଛନ୍ତି କିନ୍ତୁ ଯୋଗ ପୁଣି ବି ସିଧା ସେହି ଜ୍ୟୋତି ସ୍ୱରୂପ ପରମାତ୍ମାଙ୍କୁ କରିବାକୁ ହେବ,
ସେହି ଯୋଗବଳ ଦ୍ୱାରା ହିଁ କର୍ମବନ୍ଧନ ରୂପି ମଇଳା ସଫା ହେବ । ଆଚ୍ଛା । । ଓମ୍ ଶାନ୍ତି ।