22.01.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ନିଜର
ପାଠପଢାର ଏବଂ ଦୈବୀ ଚାଳିଚଳଣିର ରେଜିଷ୍ଟର ରଖ, ପ୍ରତ୍ୟେକ ଦିନ ଚେକ୍ କର, ମୋ ଦ୍ୱାରା କୌଣସି
ଭୁଲ୍ ହୋଇ ନାହିଁ ତ ।”
ପ୍ରଶ୍ନ:-
ତୁମେ ପିଲାମାନେ
କେଉଁ ପୁରୁଷାର୍ଥ ଆଧାରରେ ରାଜପଦର ତିଳକ ପ୍ରାପ୍ତ କରିପାରିବ?
ଉତ୍ତର:-
ସର୍ବଦା ଆଜ୍ଞାକାରୀ ହେବାର ପୁରୁଷାର୍ଥ କର । ଯଦି ସଂଗମଯୁଗରେ ଆଜ୍ଞାକାରୀ ହେବାର ଟୀକା ଲଗାଇବ
ତେବେ ରାଜ୍ୟଭାଗ୍ୟର ତିଳକ ମିଳିଯିବ । ଅବଜ୍ଞାକାରୀ ବା ଅବିଶ୍ୱସ୍ତ ପିଲାମାନେ ରାଜତିଳକ ପ୍ରାପ୍ତ
କରିପାରିବେ ନାହିଁ (୨) କୌଣସି ପ୍ରକାରର ବେମାରୀ ଅର୍ଥାତ୍ ଦୋଷ-ଦୁର୍ବଳତା ଆତ୍ମିକ ଚିକିତ୍ସକଙ୍କ
ପାଖରେ ଲୁଚାଅ ନାହିଁ । ଯଦି ଲୁଚାଇବ ତେବେ ପଦ କମ୍ ହୋଇଯିବ । ବାବାଙ୍କ ଭଳି ପ୍ରେମର ସାଗର
ହୋଇପାରିଲେ ସତ୍ୟଯୁଗୀ ରାଜତିଳକ ମିଳିଯିବ ।
ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ପାଠ ପଢିବା ଅର୍ଥ ଜ୍ଞାନ ପ୍ରାପ୍ତି ହେବା
। ତୁମେ ପିଲାମାନେ ଜାଣୁଛ ଯେ ଏହି ପାଠ ବହୁତ ଶ୍ରେଷ୍ଠ, ବହୁତ ସହଜ ତଥା ଉଚ୍ଚ ପଦ ପ୍ରାପ୍ତ
କରାଇବାର ଆଧାର ଅଟେ । ଏହା କେବଳ ତୁମେ ପିଲାମାନେ ଜାଣିଛ, ଏହି ପାଠପଢା ଦ୍ୱାରା ଆମେ ବିଶ୍ୱର
ମାଲିକ ହୋଇପାରିବୁ । ତେଣୁ ପିଲାମାନେ ବହୁତ ଖୁସି ହେବା ଦରକାର । ବିଚାର କର - ଏହି ପାଠପଢା କେତେ
ଶ୍ରେଷ୍ଠ ଅଟେ । ଏହା ମଧ୍ୟ ସେହି ଗୀତାର ଅଧ୍ୟାୟ ଅଟେ । ବର୍ତ୍ତମାନ ସେହି ସଂଗମଯୁଗ ମଧ୍ୟ ଚାଲିଛି
। ତୁମେ ପିଲାମାନେ ଏବେ ଜାଗ୍ରତ ହୋଇଯାଇଛ, ବାକି ସମସ୍ତେ ଶୋଇ ରହିଛନ୍ତି । ଗାୟନ ମଧ୍ୟ ରହିଛି
ମାୟାର ନିଦରେ ଶୋଇଯାଇଛନ୍ତି । ତୁମକୁ ବାବା ଆସି ଜାଗ୍ରତ କରିଛନ୍ତି । କେବଳ ଗୋଟିଏ କଥା
ବୁଝାଉଛନ୍ତି - ମିଠେ ବଚ୍ଚେ, ଯୋଗର ଯାତ୍ରା ବଳରେ ତୁମେମାନେ ସାରା ବିଶ୍ୱ ଉପରେ ରାଜ୍ୟ କର ।
ଯେମିତି କଳ୍ପ ପୂର୍ବରୁ କରିଥିଲ । ଏହି ସ୍ମୃତିକୁ ବାବା ଆସି ମନେ ପକାଇ ଦେଉଛନ୍ତି । ପିଲାମାନେ
ମଧ୍ୟ ଜାଣୁଛନ୍ତି, ଆମର ସ୍ମୃତି ଆସିଛି - ଆମେ କଳ୍ପ କଳ୍ପ ଯୋଗବଳ ଆଧାରରେ ବିଶ୍ୱର ମାଲିକ ହେଉଛୁ
ଏବଂ ପୁଣି ଦୈବୀଗୁଣ ମଧ୍ୟ ଧାରଣ କରିଛୁ । ତେଣୁ ଯୋଗ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ ।
ଏହି ଯୋଗବଳ ଦ୍ୱାରା ତୁମ ପିଲାମାନଙ୍କ ଭିତରେ ଦୈବୀଗୁଣ ସ୍ୱତଃ ଆସିଯାଉଛି । ବାସ୍ତବରେ ଏହା ହେଉଛି
ମନୁଷ୍ୟରୁ ଦେବତା ହେବାର ପରୀକ୍ଷା । ତୁମେ ଯୋଗବଳ ଦ୍ୱାରା ମନୁଷ୍ୟରୁ ଦେବତା ହେବା ପାଇଁ ଏଠାକୁ
ଆସିଛ । ଆଉ ଏକଥା ମଧ୍ୟ ଜାଣିଛ ଯେ ଆମର ଏହି ଯୋଗବଳ ଦ୍ୱାରା ସାରା ବିଶ୍ୱ ପବିତ୍ର ହେବ । ପ୍ରଥମେ
ପବିତ୍ର ଥିଲା ଏବେ ଅପବିତ୍ର ହୋଇଯାଇଛି । ତୁମେମାନେ ଏବେ ପୁରା ଚକ୍ରର ଜ୍ଞାନକୁ ଜାଣିଯାଇଛ । ସବୁ
କଥା ତୁମର ସ୍ମୃତିରେ ମଧ୍ୟ ଆସିଯାଇଛି । ନୂଆ କେହି ଆସିଲେ ମଧ୍ୟ ଏହି ଜ୍ଞାନକୁ ସହଜରେ ବୁଝିଯିବେ
। ତୁମେ ପୁଜ୍ୟ ଦେବୀ-ଦେବତା ଥିଲ, ପୁଣି ଏବେ ତମୋପ୍ରଧାନ ପୂଜାରୀ ହୋଇଯାଇଛ, ଏ କଥା ଆଉ କେହି
କହିପାରିବେ ନାହିଁ । ବାବା ସ୍ପଷ୍ଟ ଭାବରେ କହୁଛନ୍ତି ତାହା ଭକ୍ତିମାର୍ଗ, ଏହା ଜ୍ଞାନମାର୍ଗ ।
ଭକ୍ତି ଅତୀତ ହୋଇଗଲା । ତେଣୁ ଅତୀତର କଥାକୁ ଚିତ୍ତରେ ଆଣ ନାହିଁ । ତାହା ତ ଥିଲା ତଳକୁ
ଓହ୍ଲାଇବାର କଥା, ବାବା ଏବେ ଉପରକୁ ଚଢିବାର କଥା ଶୁଣାଉଛନ୍ତି । ପିଲାମାନେ ମଧ୍ୟ ଜାଣିଛନ୍ତି -
ଏବେ ଆମକୁ ନିଶ୍ଚିତ ଭାବରେ ଦୈବୀଗୁଣ ଧାରଣ କରିବାକୁ ହେବ । ତେଣୁ ପ୍ରତିଦିନ ଚାର୍ଟ ଲେଖିବା
ଦରକାର - ଆମେ କେତେ ସମୟ ବାବାଙ୍କ ସ୍ମୃତିରେ ରହିଲେ? ଆମ ଦ୍ୱାରା କ’ଣ କ’ଣ ଭୁଲ ହେଲା? କାରଣ
ଭୁଲର ବହୁତ ବଡ ଦଣ୍ଡ ମିଳିଥାଏ । ଲୌକିକ ପାଠପଢାରେ ମଧ୍ୟ ଚରିତ୍ର ଦେଖାଯାଏ । ଏହି ପାଠପଢାରେ
ମଧ୍ୟ ଚରିତ୍ର ଦେଖାଯାଏ । ଏସବୁ କଥା ବାବା ତୁମର କଲ୍ୟାଣ ପାଇଁ କହୁଛନ୍ତି । ସେ ପାଠପଢାରେ ମଧ୍ୟ
ପାଠପଢା ଏବଂ ଚରିତ୍ରର ରେଜିଷ୍ଟର ରଖାଯାଏ । ଏଠାରେ ମଧ୍ୟ ପିଲାମାନଙ୍କୁ ଦୈବୀ ଚରିତ୍ର ଗଢିବାକୁ
ହେବ । କୌଣସି ଭୁଲ ନ ହୋଇଯାଉ ଏ କଥାରେ ଧ୍ୟାନ ଦେବାକୁ ହେବ । ମୋ ଦ୍ୱାରା କୌଣସି ଭୁଲ୍ ହେଉ ନାହିଁ
ତ? ଏଥିପାଇଁ କର୍ମେନ୍ଦ୍ରିୟମାନଙ୍କର କଚେରୀ ବସାଯାଏ । ଅନ୍ୟ ସ୍କୁଲ ମାନଙ୍କରେ ଏଭଳି କଚେରୀ ଆଦି
ବସେ ନାହିଁ । ନିଜ ହୃଦୟକୁ ପଚାରିବା ଦରକାର । ବାବା ବୁଝାଇଛନ୍ତି ମାୟା ଯୋଗୁଁ କିଛି ନା କିଛି
ଅବଜ୍ଞା ହୋଇ ଚାଲିଛି । ଆରମ୍ଭରେ ମଧ୍ୟ କଚେରୀ ବସୁଥିଲା । ପିଲାମାନେ ସବୁ ସତ କଥା କହୁଥିଲେ ।
ବାବା ବୁଝାଉଛନ୍ତି - ଯଦି ସତ ନ କହିବ ତେବେ ସେହି ଭୁଲ୍ ବୃଦ୍ଧି ହୋଇ ଚାଲିବ, ଓଲଟା କର୍ମ ବା
ଭୁଲ କର୍ମର ଦଣ୍ଡ ଭୋଗିବାକୁ ପଡିବ । ନିଜର ଭୁଲକୁ ବାବାଙ୍କୁ ନ ଜଣାଇଲେ ପୁଣି ଅବଜ୍ଞାକାରୀର ଟୀକା
ଲାଗିଯିବ । ଆଉ ରାଜପଦର ତିଳକ ମିଳିବ ନାହିଁ । ଆଜ୍ଞା ନ ମାନିଲେ, ବିଶ୍ୱାସଘାତକ ହେଲେ ତ ରାଜପଦ
ପାଇବ ନାହିଁ । ଅବିନାଶୀ ଡାକ୍ତର ଭିନ୍ନ ଭିନ୍ନ ପ୍ରକାରରେ ବୁଝାଇ ଚାଲିଛନ୍ତି । ଯଦି ଡାକ୍ତରଙ୍କ
ପାଖରେ ରୋଗ ଲୁଚାଇବ ତେବେ ପଦ କମିଯିବ । ଡାକ୍ତରଙ୍କୁ ସତ କଥା କହିଦେଲେ, ଦଣ୍ଡ ତ ମିଳିବ ନାହିଁ
ନା । ବାବା କେବଳ କହିବେ - ଆଗକୁ ସାବଧାନ ହୋଇଯାଅ । ପୁଣି ଯଦି ଏପରି ଭୁଲ୍ କରିବ ତେବେ ତୁମର
ହିଁ କ୍ଷତି ହେବ । ସେଠାରେ ବହୁତ କମ ପଦ ମିଳିବ । ସେଠାରେ ତ ସମସ୍ତଙ୍କର ସ୍ୱତଃ ଦୈବୀ ଚଳଣି
ରହିବ । ଏଠାରେ ପୁରୁଷାର୍ଥ କରିବାକୁ ପଡିବ । ବାରମ୍ବାର ଯେପରି ଫେଲ ନ ହୁଅ । ବାବା କହୁଛନ୍ତି -
ପିଲାମାନେ ବେଶୀ ଭୁଲ୍ କର ନାହିଁ । ବାବା ବହୁତ ସ୍ନେହର ସାଗର ଅଟନ୍ତି । ତେଣୁ ପିଲାମାନଙ୍କୁ
ମଧ୍ୟ ସେହିପରି ହେବାକୁ ପଡିବ । ଯେମିତି ବାବା ସେମିତି ପିଲା । ଯଥା ରାଜାରାଣୀ ତଥା ପ୍ରଜା ।
ବାବା ତ ରାଜା ନୁହଁନ୍ତି । ତୁମେ ଜାଣିଛ, ବାବା ଆମକୁ ତାଙ୍କ ଭଳି କରୁଛନ୍ତି । ତେଣୁ ବାବାଙ୍କର
ଯେଉଁ ମହିମା କରୁଛନ୍ତି, ତାହା ପିଲାମାନଙ୍କର ମଧ୍ୟ ହେବା ଉଚିତ୍ । ବାବାଙ୍କ ଭଳି ହେବାକୁ ପଡିବ
। କିନ୍ତୁ ମାୟା ବଡ ବଳବାନ, ତୁମକୁ ରେଜିଷ୍ଟର ରଖିବାକୁ ଦେଉନାହିଁ । ତୁମେ ମାୟାର ଜାଲରେ ପୁରା
ଫସି ଯାଇଛ । ମାୟାର ଜେଲ୍ରୁ ତୁମେ ମୁକୁଳି ପାରୁ ନାହଁ । ବାବାଙ୍କୁ ସତ କଥା କହୁ ନାହଁ, ତେଣୁ
ବାବା କହୁଛନ୍ତି ଯୋଗର ଆକ୍ୟୁରେଟ ଚାର୍ଟ ରଖ । ସକାଳୁ ଉଠି ବାବାଙ୍କୁ ମନେ ପକାଅ । ବାବାଙ୍କର
ମହିମା କର । ବାବା ଆପଣ ଆମକୁ ସାରା ବିଶ୍ୱର ମାଲିକ କରୁଛନ୍ତି ତେଣୁ ଆମେ ଆପଣଙ୍କର ମହିମା କରିବୁ
। ଭକ୍ତିମାର୍ଗରେ ତାଙ୍କର କେତେ ମହିମା ଗାଇଥା’ନ୍ତି, କିନ୍ତୁ ସେମାନଙ୍କୁ ତ କିଛି ବି ଜଣା ନାହିଁ
ଯେ ଦେବତାମାନଙ୍କର କିଛି ମହିମା ହିଁ ନାହିଁ । ସବୁ ମହିମା ତୁମ ବ୍ରାହ୍ମଣମାନଙ୍କର । ସମସ୍ତଙ୍କୁ
ସଦ୍ଗତି ତ ଏକ ବାବା ହିଁ ଦେଇଥା’ନ୍ତି । ସେ ରଚୟିତା ଏବଂ ନିର୍ଦ୍ଦେଶକ ଉଭୟ ଅଟନ୍ତି । ସିଏ
ତୁମମାନଙ୍କର ସେବା ମଧ୍ୟ କରୁଛନ୍ତି ଏବଂ ବାସ୍ତବ କଥା କ’ଣ ତାହା ମଧ୍ୟ ସନ୍ତାନମାନଙ୍କୁ
ବୁଝାଉଛନ୍ତି । ସେମାନେ ତ ଶାସ୍ତ୍ରରେ ଲେଖାଥିବା ଭଗବାନଉବାଚ ଶବ୍ଦକୁ କେବଳ ଶୁଣି ଚାଲିଛନ୍ତି ।
ଗୀତା ପଢି ଚାଲିଛନ୍ତି, ପୁଣି ସେଥିରୁ ମିଳୁଛି କ’ଣ? କେତେ ଶ୍ରଦ୍ଧାରେ ବସି ପଢୁଛନ୍ତି, ଭକ୍ତି
କରୁଛନ୍ତି । କିନ୍ତୁ ଜାଣିନାହାଁନ୍ତି, ସେଥିରୁ କ’ଣ ମିଳିବ! ଏକଥା ମଧ୍ୟ ଜାଣିନାହାଁନ୍ତି ଯେ
ସେମାନେ ସିଢି ତଳକୁ ଖସୁଛନ୍ତି । ଦିନକୁ ଦିନ ତମୋପ୍ରଧାନ ହେବାକୁ ହିଁ ହେବ । ଡ୍ରାମାରେ ଏହିଭଳି
ନିଧାର୍ଯ୍ୟ ରହିଛି । ଏହି ସିଢିର ରହସ୍ୟକୁ ବାବାଙ୍କ ବ୍ୟତୀତ ଅନ୍ୟ କେହି ବୁଝାଇ ପାରିବେ ନାହିଁ
। ଶିବବାବା ହିଁ ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି । ସେ (ବ୍ରହ୍ମାବାବା) ମଧ୍ୟ ତାଙ୍କଠାରୁ ବୁଝି
ପୁଣି ତୁମମାନଙ୍କୁ ବୁଝାଉଛନ୍ତି । ମୂଳ ବଡ ଶିକ୍ଷକ ତଥା ବଡ ଡାକ୍ତର ଏକମାତ୍ର ବାବା ହିଁ ଅଟନ୍ତି
। ତେଣୁ ତାଙ୍କୁ ମନେ ପକାଇବାକୁ ପଡିବ । ଏମିତି କୁହାଯାଏ ନାହିଁ ଯେ ବ୍ରାହ୍ମଣୀଙ୍କୁ ମନେ ପକାଅ
। କେବଳ ଜଣଙ୍କୁ ହିଁ ମନେ ପକାଇବାକୁ ପଡିବ । କେବେ ବି କାହା ସହିତ ମୋହ ରଖିବା ଉଚିତ୍ ନୁହେଁ ।
କେବଳ ଏକ ବାବାଙ୍କ ଠାରୁ ହିଁ ଶିକ୍ଷା ଗ୍ରହଣ କରିବାକୁ ହେବ । ନିର୍ମୋହୀ ମଧ୍ୟ ହେବାକୁ ପଡିବ ।
ଏଥିପାଇଁ ବହୁତ ମେହନତ ଆବଶ୍ୟକ । ସାରା ପୁରୁଣା ଦୁନିଆରୁ ବୈରାଗ୍ୟ ଆସିବା ଉଚିତ୍ । କାରଣ ଏହି
ପୁରୁଣା ଦୁନିଆ ତ ବିନାଶ ହେବାକୁ ଯାଉଛି । ତେଣୁ ଏହି ଦୁନିଆ ସହିତ ସ୍ନେହ ବା ଆସକ୍ତି ରଖିବା
ଉଚିତ୍ ନୁହେଁ । କେତେ ବଡ ବଡ କୋଠା ଆଦି ତିଆରି କରୁଛନ୍ତି । ତାଙ୍କୁ ଏ କଥା ମାଲୁମ ନାହିଁ ଯେ,
ଏହି ପୁରୁଣା ଦୁନିଆ ଆଉ କେତେ ସମୟ ରହିବ । ତୁମେମାନେ ଏବେ ଜାଗ୍ରତ ହୋଇଛ ତେଣୁ ଅନ୍ୟମାନଙ୍କୁ
ମଧ୍ୟ ଜାଗ୍ରତ କରୁଛ । ବାବା ଆତ୍ମାମାନଙ୍କୁ ହିଁ ଜାଗ୍ରତ କରୁଛନ୍ତି ଏବଂ ବାରମ୍ବାର କହୁଛନ୍ତି,
ନିଜକୁ ଆତ୍ମା ନିଶ୍ଚୟ କର । ନିଜକୁ ଶରୀର ଭାବୁଛ ତେଣୁ ଯେପରି ଅଜ୍ଞାନ ନିଦରେ ଶୋଇ ଯାଇଛ । ଏବେ
ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ । ଆତ୍ମା ପତିତ ତେଣୁ ଶରୀର ମଧ୍ୟ ପତିତ ମିଳିଛି
। ଆତ୍ମା ପବିତ୍ର ହେଲେ ଶରୀର ମଧ୍ୟ ପବିତ୍ର ମିଳିବ । ବାବା ବୁଝାଉଛନ୍ତି, ତୁମେ ହିଁ ଦେବୀ-ଦେବତା
କୁଳର ଥିଲ । ପୁଣି ତୁମେମାନେ ସେହି କୁଳର ହୋଇଯିବ । ଏହା କେତେ ସହଜ କଥା । ତେଣୁ ଏପରି ବେହଦର
ବାବାଙ୍କୁ ଆମେ କାହିଁକି ମନେ ନ ପକାଇବୁ । ସକାଳୁ ସକାଳୁ ଉଠି ମଧ୍ୟ ବାବାଙ୍କ ସ୍ମୃତିରେ ବସ ।
ବାବା, ସବୁ ଚମତ୍କାର ତ ଆପଣଙ୍କର, ଆପଣ ଆମକୁ ଶ୍ରେଷ୍ଠ ଦେବୀ-ଦେବତା କରି ପୁଣି ନିର୍ବାଣଧାମକୁ
ଚାଲିଯାଉଛନ୍ତି । ଏତେ ଉଚ୍ଚ ତ ଆଉ କେହି କରିପାରିବେ ନାହିଁ । ଆପଣ କେତେ ସହଜରେ ସବୁ କିଛି
ବୁଝାଇ ଦେଉଛନ୍ତି । ବାବା କହୁଛନ୍ତି - କାମଧନ୍ଦା କରି ମଧ୍ୟ ଯେତିକି ସମୟ ମିଳୁଛି ତା ଭିତରେ
ବାବାଙ୍କୁ ମନେ ପକାଇପାରିବ । ବାବାଙ୍କ ସ୍ମୃତି ହିଁ ତୁମର ଜୀବନ ରୂପି ନୌକାକୁ ପାରି କରିବ
ଅର୍ଥାତ୍ କଳିଯୁଗରୁ ସେପାରି ଶିବାଳୟକୁ ନେଇଯିବ । ତେଣୁ ଶିବାଳୟକୁ ମଧ୍ୟ ମନେ ପକାଇବାକୁ ହେବ,
ଏବଂ ଶିବବାବାଙ୍କ ଦ୍ୱାରା ସ୍ଥାପନା କରାଯାଇଥିବା ସ୍ୱର୍ଗ - ଉଭୟର ସ୍ମୃତି ଆଣିବାକୁ ହେବ ।
ଶିବବାବାଙ୍କୁ ମନେ ପକାଇଲେ ଆମେ ସ୍ୱର୍ଗର ମାଲିକ ହୋଇଯିବା । ଏହି ପାଠପଢା ନୂଆ ଦୁନିଆ ପାଇଁ ।
ବାବା ମଧ୍ୟ ନୂଆ ଦୁନିଆ ସ୍ଥାପନ କରିବାକୁ ଆସିଥା’ନ୍ତି । ତେଣୁ ବାବା ନିଶ୍ଚିତ ଭାବରେ କୌଣସି
କର୍ତ୍ତବ୍ୟ କରିଥିବେ ନା । ତୁମେ ଦେଖୁଛ ମୁଁ ମଧ୍ୟ ଡ୍ରାମା ଅନୁସାରେ ଅଭିନୟ କରୁଛି । ତୁମ
ପିଲାମାନଙ୍କୁ ୫ ହଜାର ବର୍ଷ ପୂର୍ବଭଳି ଯୋଗର ଯାତ୍ରା ଏବଂ ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛି
। ତୁମେ ଜାଣୁଛ ଯେ, ପ୍ରତି ୫ ହଜାର ବର୍ଷ ପରେ ବାବା ଆମ ସମ୍ମୁଖକୁ ଆସିଥାଆନ୍ତି । ଆତ୍ମା ହିଁ
କହିଥାଏ, ଶରୀର କୁହେ ନୁହିଁ । ବାବା ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି - ଆତ୍ମାକୁ ହିଁ ପବିତ୍ର
ହେବାକୁ ପଡିବ । ପ୍ରତି କଳ୍ପରେ ଥରେ ମାତ୍ର ଆତ୍ମାକୁ ହିଁ ପବିତ୍ର ହେବାକୁ ପଡେ । ବାବା
କହୁଛନ୍ତି, ମୁଁ ଅନେକ ଥର ତୁମମାନଙ୍କୁ ଏହି ରାଜଯୋଗର ପାଠ ପଢାଇଛି ପୁଣି ଆଗକୁ ମଧ୍ୟ ପଢାଇବି ।
କୌଣସି ସନ୍ନ୍ୟାସୀ ଏ କଥା କହିପାରିବେ ନାହିଁ । ବାବା କହୁଛନ୍ତି - ପିଲାମାନେ, ଡ୍ରାମା ପ୍ଳାନ
ଅନୁସାରେ ମୁଁ ତୁମମାନଙ୍କୁ ପାଠ ପଢାଇବାକୁ ଆସିଛି । ପୁଣି ୫ ହଜାର ବର୍ଷ ପରେ ଆସି ଏମିତି ପାଠ
ପଢାଇବି, ଯେମିତି କଳ୍ପ ପୂର୍ବରୁ ତୁମକୁ ପାଠ ପଢାଇ ରାଜଧାନୀ ସ୍ଥାପନ କରିଥିଲି । ଅନେକ ଥର
ତୁମମାନଙ୍କୁ ଏହିଭଳି ପଢାଇ ରାଜଧାନୀ ସ୍ଥାପନ କରିଛି । ଏହା କେତେ ବିଚିତ୍ର କଥା ଯାହାକି ବାବା
ଆସି ବୁଝାଉଛନ୍ତି । ଶ୍ରୀମତ କେତେ ଶ୍ରେଷ୍ଠ । ଏହି ଶ୍ରୀମତ ଆଧାରରେ ହିଁ ଆମେମାନେ ବିଶ୍ୱର
ମାଲିକ ହେଉଛୁ । ଯାହାକି ବହୁତ ବଡ ପଦବୀ ଅଟେ । କାହାକୁ ଯଦି ବହୁତ ବଡ ଲଟେରୀ ମିଳୁଛି, ତେବେ
ତା’ର ମୁଣ୍ଡ ଖରାପ ହୋଇଯାଇଥାଏ । କେହି ଚାଲୁ ଚାଲୁ ଆଶା ଶୂନ୍ୟ ହୋଇଯାଉଛନ୍ତି । ଆମେ ତ ଏହି ପାଠ
ପଢିପାରିବୁ ନାହିଁ । ବିଶ୍ୱର ବାଦଶାହୀ କିପରି ନେବୁ! ତୁମେ ପିଲାମାନେ ବହୁତ ଖୁସିରେ ରହିବା
ଉଚିତ୍ । ବାବା କହୁଛନ୍ତି ଅତିନ୍ଦ୍ରିୟ ସୁଖ ଏବଂ ଖୁସି କ’ଣ ତାହା ମୋ’ର ସନ୍ତାନମାନଙ୍କୁ ପଚାର ।
ତୁମେ ସମସ୍ତଙ୍କୁ ଖୁସିର କଥା ଶୁଣାଇବା ପାଇଁ ଯାଉଛ । ତୁମେ ହିଁ ବିଶ୍ୱର ମାଲିକ ଥିଲ, ପୁଣି ୮୪
ଜନ୍ମ ନେଇ ଏବେ ଗୋଲାମ ହୋଇଯାଇଛ । ସେଥିପାଇଁ ଗାୟନ ମଧ୍ୟ କରୁଛନ୍ତି, ମୁଁ ତୁମର ଗୋଲାମ ।
ଭାବୁଛନ୍ତି ନିଜକୁ ନୀଚ୍ଚ କହିବା, ଛୋଟ ହୋଇ ରହିବା ଭଲ । ଦେଖ ତୁମର ବାବା କିଏ! ତାଙ୍କୁ କେହି
ଜାଣିନାହାଁନ୍ତି । ତାଙ୍କୁ କେବଳ ତୁମେ ଜାଣିଛ । ବାବା କିପରି ଆସି ସମସ୍ତଙ୍କୁ ବଚ୍ଚା-ବଚ୍ଚା କହି
ବୁଝାଉଛନ୍ତି । ଏହା ଆତ୍ମା ଏବଂ ପରମାତ୍ମାଙ୍କର ମେଳା ଅଟେ । ତାଙ୍କଠାରୁ ଆମକୁ ସ୍ୱର୍ଗର ରାଜତ୍ୱ
ମିଳୁଛି । ବାକି ଗଙ୍ଗାସ୍ନାନ ଆଦି କରିବା ଦ୍ୱାରା ସ୍ୱର୍ଗର ରାଜପଦ ମିଳି ନ ଥାଏ । ଗଙ୍ଗାସ୍ନାନ
ତ ବହୁତ ଥର କରିଆସିଛ । ଏମିତି ତ ପାଣି ସାଗରରୁ ଆସିଥାଏ, ମାତ୍ର ବର୍ଷା କିପରି ହୋଇଥାଏ, ଏହାକୁ
ମଧ୍ୟ ପ୍ରକୃତି କୁହାଯାଏ । ଏବେ ବାବା ତୁମକୁ ସବୁ କିଛି ବୁଝାଉଛନ୍ତି । ତେବେ ଧାରଣା ଆତ୍ମା ହିଁ
କରେ, ଶରୀର ନୁହେଁ । ତୁମେ ଅନୁଭବ କରୁଛ ସତରେ ବାବା ଆମକୁ କ’ଣରୁ କ’ଣ କରିଦେଇଛନ୍ତି । ଏବେ ବାବା
କହୁଛନ୍ତି - ପିଲାମାନେ, ନିଜ ଉପରେ ଦୟା କର । କୌଣସି ଅବଜ୍ଞା କର ନାହିଁ । ଦେହ-ଅଭିମାନୀ ହୁଅ
ନାହିଁ, ନ ହେଲେ ଅଯଥାରେ ନିଜର ପଦ କମିଯିବ । ଶିକ୍ଷକ ତ ତୁମମାନଙ୍କୁ ବୁଝାଇବେ ନା । ତୁମେ
ଜାଣିଛ ବାବା ବେହଦର ଶିକ୍ଷକ ଅଟନ୍ତି । ଦୁନିଆରେ କେତେ ପ୍ରକାରର ଭାଷା ରହିଛି । ତେଣୁ କୌଣସି
ଜିନିଷ ଯଦି ଛପାଉଛ, ତେବେ ସବୁ ଭାଷାରେ ଛପାଇବା ଦରକାର । ଯଦି କୌଣସି ସାହିତ୍ୟ ଛପାଉଛ, ତେବେ
ଗୋଟେ ଗୋଟେ କପି ସମସ୍ତଙ୍କ ପାଖକୁ ପଠାଇଦିଅ । ଗୋଟେ ଗୋଟେ କପି ଲାଇବ୍ରେରୀକୁ ପଠାଇ ଦେବା ଦରକାର
। ଖର୍ଚ୍ଚର ଚିନ୍ତା କର ନାହିଁ । ବାବାଙ୍କ ଭଣ୍ଡାର ବହୁତ ଭରପୁର ହୋଇଯିବ । ପଇସା ନିଜ ପାଖରେ ରଖି
କ’ଣ କରିବ । ଘରକୁ ତ ନେଇ ଯାଇପାରିବ ନାହିଁ । ଯଦି କିଛି ଘରକୁ ନେଇଯିବ ତେବେ ପରମାତ୍ମାଙ୍କ
ଯଜ୍ଞରେ ଚୋରୀ ହୋଇଯିବ । ହାୟ-ହାୟ ଏପରି ବୁଦ୍ଧି କାହାର ନ ହେଉ । ପରମାତ୍ମାଙ୍କ ଯଜ୍ଞରେ ଚୋରୀ!
ତାଙ୍କ ସଦୃଶ ମହାନ୍ ପାପାତ୍ମା ଆଉ କେହି ହୋଇପାରିବେ ନାହିଁ । ତାଙ୍କର କେତେ ଅଧମଗତି ହୋଇଯିବ ।
ବାବା କହୁଛନ୍ତି, ଏ ସବୁ ଡ୍ରାମାରେ ପାର୍ଟ ରହିଛି । ତୁମେ ରାଜତ୍ୱ କରିବ, ସେମାନେ ତୁମର ଚାକର
ହେବେ । ଚାକର-ବାକର ବିନା ରାଜ୍ୟ କିପରି ଚାଲିବ! କଳ୍ପ ପୂର୍ବରୁ ମଧ୍ୟ ଏହିପରି ସ୍ଥାପନା ହୋଇଥିଲା
।
ଏବେ ବାବା କହୁଛନ୍ତି - ଯଦି ନିଜର କଲ୍ୟାଣ କରିବାକୁ ଚାହୁଁଛ ତେବେ ଶ୍ରୀମତ ଅନୁସାରେ ଚାଲିବାକୁ
ହେବ । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । କ୍ରୋଧ କରିବା ଦୈବୀଗୁଣ ନୁହେଁ । ତାହା ଆସୁରୀଗୁଣ
ଅଟେ । କେହି କ୍ରୋଧ କଲେ ଚୁପ୍ ରହିବା ଦରକାର । ତାଙ୍କୁ କୌଣସି ଉତ୍ତର ଦେବା ଉଚିତ୍ ନୁହେଁ ।
ପ୍ରତ୍ୟେକଙ୍କର ଚାଲି-ଚଳଣିରୁ ସବୁ କିଛି ଜଣାପଡିଯାଏ । ଅବଗୁଣ ତ ସମସ୍ତଙ୍କ ଭିତରେ ରହିଛି । ଯଦି
କେହି କ୍ରୋଧ କରନ୍ତି ତେବେ ତାଙ୍କର ମୁହଁ ତମ୍ବା ଭଳି ଲାଲ୍ ହୋଇଯାଏ । ମୁହଁରୁ ବମ୍ ବାହାରିଲା
ପରି ଲାଗେ । ସେମାନେ ନିଜର ହିଁ କ୍ଷତି କରିଥାଆନ୍ତି । ସେମାନଙ୍କର ପଦ ଭ୍ରଷ୍ଟ ହୋଇଯାଏ । ତେଣୁ
ବୁଦ୍ଧିମାନ ହେବା ଦରକାର । ବାବା କହୁଛନ୍ତି, ଯାହାବି ପାପ କର୍ମ କରିଛ, ତାହା ଲେଖି ବାବାଙ୍କୁ
ଜଣାଅ । ବାବାଙ୍କୁ କହିଦେଲେ କ୍ଷମା ମିଳିଯିବ । ବୋଝ ହାଲୁକା ହୋଇଯିବ । ଜନ୍ମ ଜନ୍ମାନ୍ତରରୁ
ତୁମେମାନେ ବିକାରରେ ଯାଇଛ । ଯଦି ଏହି ସମୟରେ ତୁମେ କୌଣସି ପାପ କର୍ମ କରିବ ତେବେ ଶହେଗୁଣା ଦଣ୍ଡ
ହୋଇଯିବ । ବାବାଙ୍କ ସମ୍ମୁଖରେ ଭୁଲ କଲେ ଶହେ ଗୁଣା ଦଣ୍ଡ ଭୋଗ କରିବାକୁ ପଡିବ । ପାପ କରି ଯଦି
ବାବାଙ୍କୁ ନ ଜଣାଇବ ତେବେ ତାହା ଆହୁରି ବଢିଯିବ । ବାବା ତ ବୁଝାଇବେ କି ନିଜର କ୍ଷତି କର ନାହିଁ
। ବାବା ପିଲାମାନଙ୍କର ବୁଦ୍ଧିକୁ ଶୁଦ୍ଧ କରିବା ପାଇଁ ଆସିଛନ୍ତି । ଜାଣିଛନ୍ତି ଇଏ କେଉଁ ପଦ
ପାଇବେ । ତାହା ମଧ୍ୟ ୨୧ ଜନ୍ମର କଥା । ଯିଏ ସେବାଧାରୀ ସନ୍ତାନ ଅଟନ୍ତି, ତାଙ୍କର ସ୍ୱଭାବ ବହୁତ
ମିଠା ହେବା ଦରକାର । କେହି ସଙ୍ଗେ ସଙ୍ଗେ ବାବାଙ୍କୁ କହିଦିଅନ୍ତି - ବାବା ଏହି ଭୁଲ୍ ହୋଇଗଲା ।
ବାବା ଖୁସି ହୋଇଥା’ନ୍ତି । ଯଦି ଭଗବାନ ଖୁସି ହୋଇଗଲେ ତେବେ ଆଉ କ’ଣ ଦରକାର । ଇଏ ତ ପିତା,
ଶିକ୍ଷକ, ଗୁରୁ ତିନିଜଣ ଯାକ ଜଣେ ହିଁ ଅଟନ୍ତି । ନଚେତ୍ ତିନିଜଣ ନାରାଜ ହୋଇଥା’ନ୍ତେ । ଆଚ୍ଛା !
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଶ୍ରୀମତ
ଅନୁସାରେ ଚାଲି ନିଜର ବୁଦ୍ଧିକୁ ସ୍ୱଚ୍ଛ ରଖିବାକୁ ହେବ । କୌଣସି ପ୍ରକାରର ଅବଜ୍ଞା କରିବାର ନାହିଁ
। କ୍ରୋଧର ବଶୀଭୂତ ହୋଇ ମୁଖ ଦ୍ୱାରା ବୋମା ଫୁଟାଇବାର ନାହିଁ, ଚୁପ୍ ରହିବାର ଅଛି ।
(୨) ହୃଦୟର ସହିତ
ଏକମାତ୍ର ବାବାଙ୍କର ମହିମା କରିବାର ଅଛି । ଏହି ପୁରୁଣା ଦୁନିଆ ପ୍ରତି ଆସକ୍ତି ବା ସ୍ନେହ
ରଖିବାର ନାହିଁ । ବେହଦର ବୈରାଗୀ ଏବଂ ନିର୍ମୋହୀ ହେବାର ଅଛି ।
ବରଦାନ:-
ଯୋଗର ଆଧାର
ଦ୍ୱାରା ମାୟାର ପଙ୍କଠାରୁ ଉର୍ଦ୍ଧ୍ୱରେ ରହୁଥିବା ସଦା ପ୍ରଫୁଲ୍ଲ ଭବ ।
ଯେମିତି ବି ପରିସ୍ଥିତି
ତୁମ ସମ୍ମୁଖକୁ ଆସୁ ନା କାହିଁକି ତାକୁ କେବଳ ବାବାଙ୍କ ଉପରେ ଛାଡି ଦିଅ । ଦିଲ୍ର ସହିତ କୁହ -
“ବାବା” । ତେବେ ସବୁ କଥା ସମାପ୍ତ ହୋଇଯିବ । ଏହିଭଳି ବାବା ଶବ୍ଦକୁ ଦିଲ୍ର ସହିତ କହିବା ହିଁ
ଯାଦୁମନ୍ତ୍ର ଅଟେ । ତେଣୁ ମାୟା ସର୍ବ ପ୍ରଥମେ ବାବାଙ୍କୁ ହିଁ ଭୁଲାଇ ଦେଇଥାଏ, ସେଥିପାଇଁ କେବଳ
ଏହି କଥା ଉପରେ ଯଦି ବିଶେଷ ଧ୍ୟାନ ଦେବ, ତେବେ ନିଜର ଜୀବନକୁ କମଳପୁଷ୍ପ ଭଳି ଅନୁଭବ କରିବ । ଯୋଗ
ବଳ ଆଧାରରେ ମାୟାର ସମସ୍ୟା ରୂପୀ ପଙ୍କଠାରୁ ସର୍ବଦା ଉର୍ଦ୍ଧ୍ୱରେ ରହିବ । କେବେ ବି କୌଣସି କଥାରେ
ହଲଚଲ୍ରେ ଆସିବ ନାହିଁ, ସର୍ବଦା ଗୋଟିଏ ପ୍ରକାରର ହିଁ ମୁଡ୍ ରହିବ - ସଦା ପ୍ରଫୁଲ୍ଲ ।
ସ୍ଲୋଗାନ:-
ପବ୍ରିତତା ରୂପୀ
ଧାରଣାକୁ ବା ଧର୍ମକୁ ଜୀବନରେ ଧାରଣ କରିବାବାଲା ହିଁ ମହାନ ଆତ୍ମା ଅଟନ୍ତି ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ନିଜକୁ ସର୍ବ ବନ୍ଧନରୁ
ମୁକ୍ତ କରିବା ପାଇଁ ନିଜର ଚାଲିଚଳନକୁ ଏବଂ ଯେଉଁ ସବୁ କଡା ସଂସ୍କାରଗୁଡିକ ଅଛି ସେଗୁଡିକୁ
ପରିବର୍ତ୍ତନ କର । ବନ୍ଧନ ସୃଷ୍ଟି କରିବାବାଲା ସେମାନଙ୍କର କାମ କରନ୍ତୁ ଏବଂ ତୁମେ ତୁମ କାମ କର
। ତାଙ୍କ କାମକୁ ଦେଖି ବିଚଳିତ ହୁଅ ନାହିଁ । ସେମାନେ ନିଜର କାମକୁ ଯେତିକି ବଳ ଲଗାଇ କରୁଛନ୍ତି,
ତୁମେ ମଧ୍ୟ ସେତିକି ବଳ ଲଗାଇ ନିଜ କାମ କର । ସେମାନଙ୍କ ଠାରୁ ଭଲ ଗୁଣ ଗ୍ରହଣ କର ଯେ ସେମାନେ
କିପରି ନିଜର କର୍ତ୍ତବ୍ୟ କରୁଛନ୍ତି, ସେହିପରି ତୁମେ ମଧ୍ୟ କର । ନିଜକୁ ବନ୍ଧନ ଗୁଡିକ ଠାରୁ
ମୁକ୍ତ କରିବା ପାଇଁ ଉପାୟ ବାହାର କର ।