22.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଦେହୀ-ଅଭିମାନୀ ହେବା ଦ୍ୱାରା ତୁମେ ଶୀତଳ ହୋଇଯିବ, ବିକାରର ଦୁର୍ଗନ୍ଧ ସମାପ୍ତ ହୋଇଯିବ, ଅନ୍ତମୁର୍ଖୀ ହେବା ସହିତ ଫୁଲ ଭଳି ମଧ୍ୟ ହୋଇଯିବ ।”

ପ୍ରଶ୍ନ:-
ବାପଦାଦା ସବୁ ପିଲାଙ୍କୁ କେଉଁ ଦୁଇଟି ବରଦାନ ଦେଉଛନ୍ତି? ସେଗୁଡିକୁ ସ୍ୱରୂପରେ ଆଣିବାର ବିଧି କ’ଣ?

ଉତ୍ତର:-
ବାବା ସବୁ ପିଲାଙ୍କୁ ଶାନ୍ତି ଏବଂ ସୁଖର ବରଦାନ ଦେଉଛନ୍ତି । ବାବା କହୁଛନ୍ତି - ପିଲାମାନେ ତୁମେମାନେ ଶାନ୍ତିରେ ରହିବାର ଅଭ୍ୟାସ କର । ଯଦି କେହି ତୁମକୁ ଓଲଟା-ସିଧା କଥାବାର୍ତ୍ତା କରୁଛି, ତେବେ ତୁମେ ତା’ର ଜବାବ ଦିଅ ନାହିଁ। ତୁମକୁ ଶାନ୍ତ ହୋଇ ରହିବାକୁ ହେବ । ବ୍ୟର୍ଥ ଏବଂ ପରଚିନ୍ତନର କଥାବାର୍ତ୍ତା ତୁମକୁ କରିବାର ନାହିଁ । କାହାକୁ ବି ଦୁଃଖ ଦେବାର ନାହିଁ । ମୁଖରେ ଶାନ୍ତି ରୂପକ ମୁହଲରା ରଖି ଦିଅ ତେବେ ଏହି ଦୁଇଟିଯାକ ବରଦାନ ତୁମର ସ୍ୱରୂପରେ ଆସିଯିବ ।

ଓମ୍ ଶାନ୍ତି ।
ମିଠା ମିଠା ପିଲାମାନେ କେବେ ସମ୍ମୁଖରେ ରହୁଛନ୍ତି ତ’ ପୁଣି କେବେ ଦୂରକୁ ଚାଲିଯାଉଛନ୍ତି । ସମ୍ମୁଖରେ ସେହିମାନେ ରହିଥା’ନ୍ତି ଯେଉଁମାନେ ଯୋଗର ଯାତ୍ରାରେ ରହିଥା’ନ୍ତି କାହିଁକିନା ଯୋଗର ଯାତ୍ରାରେ ହିଁ ସବୁକିଛି ସମାହିତ ହୋଇ ରହିଛି । ସେଥିପାଇଁ ନଜର ସେ ନିହାଲ ବୋଲି ଗାୟନ କରାଯାଇଥାଏ ନା । ଆତ୍ମାର ଦୃଷ୍ଟି କେବଳ ପରମପିତା ପରମାତ୍ମାଙ୍କ ଆଡକୁ ହିଁ ଯାଇଥାଏ ଆଉ କିଛି ବି ତାକୁ ଭଲ ଲାଗିନଥାଏ । ତାଙ୍କୁ ମନେପକାଇବା ଦ୍ୱାରା ବିକର୍ମ ବିନାଶ ହୋଇଥାଏ । ତେବେ ନିଜ ପ୍ରତି କେତେ ଖବରଦାର ରହିବା ଦରକାର । ଯୋଗ ନ କରିବା ଦ୍ୱାରା ମାୟା ବୁଝିଯାଏ ଯେ - ଏହାଙ୍କର ଯୋଗ ତୁଟିଯାଇଛି ତେଣୁ ସିଏ ନିଜ ଆଡକୁ ଆକର୍ଷିତ କରିଥାଏ । କିଛି ନା କିଛି ଓଲଟା କର୍ମ କରାଇ ଦେଇଥାଏ । ଏଭଳି କରିବା ଦ୍ୱାରା ବାବାଙ୍କର ନିନ୍ଦା ମଧ୍ୟ କରିଥା’ନ୍ତି । ଭକ୍ତିମାର୍ଗରେ ମଧ୍ୟ ଗାୟନ କରିଥା’ନ୍ତି - ବାବା, ମୋର ତ’ ଏକମାତ୍ର ଆପଣ, ଦ୍ୱିତୀୟ କେହି ନାହାଁନ୍ତି । ତେବେ ବାବା ମଧ୍ୟ କହୁଛନ୍ତି - ପିଲାମାନେ, ଏହି ଲକ୍ଷ୍ୟ ବହୁତ ଉଚ୍ଚ । କାର୍ଯ୍ୟ ଭିତରେ ମଧ୍ୟ ବାବାଙ୍କୁ ମନେପକାଇବା - ଏହା ହେଉଛି ସବୁଠାରୁ ଉଚ୍ଚ ଲକ୍ଷ୍ୟ । ଏଥିରେ ବହୁତ ଅଭ୍ୟାସ କରିବାକୁ ହେବ । ନଚେତ୍ ଓଲଟା କର୍ମ କରି ନିନ୍ଦୁକ ହୋଇଯାଇଥାଆନ୍ତି । ଯଦି କାହା ଭିତରେ କ୍ରୋଧ ଆସିଲା, ତେବେ ପରସ୍ପର ମଧ୍ୟରେ ଲଢ଼େଇ-ଝଗଡା କରିଥା’ନ୍ତି, ଏହା ବାବାଙ୍କର ନିନ୍ଦା ହେଲା ନା, ସେଥିପାଇଁ ବହୁତ ଖବରଦାର ରହିବାକୁ ପଡିବ । ଗୃହସ୍ଥରେ ରହି ମଧ୍ୟ ବୁଦ୍ଧି ବାବାଙ୍କ ସହିତ ଲଗାଇବାକୁ ହେବ । ଏପରି ନୁହେଁ ଯେ, କେହି ସଂପୂର୍ଣ୍ଣ ହୋଇଯାଇଛନ୍ତି । ନାଁ । ଏହିଭଳି ଚେଷ୍ଟା କରିବାକୁ ହେବ - ଯେପରି ମୁଁ ଦେହୀ-ଅଭିମାନୀ ହୋଇଯିବି । କିନ୍ତୁ ଦେହ-ଅଭିମାନରେ ଆସିବା ଦ୍ୱାରା କିଛି ନା କିଛି ଓଲଟା କାମ କରିଦେଉଛନ୍ତି ଅର୍ଥାତ୍ ବାବାଙ୍କର ନିନ୍ଦା କରାଉଛନ୍ତି । ତେଣୁ ବାବା କହୁଛନ୍ତି - ଏଭଳି ସତ୍‌ଗୁରୁଙ୍କର ନିନ୍ଦୁକ ଲକ୍ଷ୍ମୀ-ନାରାୟଣ ହୋଇପାରିବେ ନାହିଁ, ସେଥିପାଇଁ ତୁମେ ପୁରା ପୁରା ପୁରୁଷାର୍ଥ କରିଚାଲ । ଏହା ଦ୍ୱାରା ତୁମେ ବହୁତ ଶୀତଳ ହୋଇଯିବ । ପାଞ୍ଚ ବିକାରର କଥା ସବୁ ସମାପ୍ତ ହୋଇଯିବ । ବାବାଙ୍କଠାରୁ ତୁମକୁ ବହୁତ ଶକ୍ତି ମିଳିଯିବ । ତୁମକୁ କର୍ମ ଧନ୍ଦା ମଧ୍ୟ କରିବାକୁ ହେବ । ବାବା ଏଭଳି କହୁନାହାଁନ୍ତି ଯେ, କର୍ମ କର ନାହିଁ । ସତ୍ୟଯୁଗରେ ତ’ ତୁମର କର୍ମ ଅକର୍ମ ହୋଇଯିବ । କଳିଯୁଗରେ ଯେଉଁ କର୍ମ ହେଉଛି ତାହା ବିକର୍ମ ହୋଇଯାଉଛି । ଏହି ସଙ୍ଗମଯୁଗରେ ତୁମକୁ ଶିଖିବାକୁ ପଡୁଛି, ସତ୍ୟଯୁଗରେ ଶିଖିବାର କୌଣସି ଆବଶ୍ୟକ ନାହିଁ । ଏଠାକାର ଶିକ୍ଷା ହିଁ ସାଥିରେ ଯିବ । ବାବା ପିଲାମାନଙ୍କୁ ବୁଝାଉଛନ୍ତି - ବାହ୍ୟମୁଖତା ଭଲ ନୁହେଁ । ତେଣୁ ତୁମେମାନେ ଅନ୍ତର୍ମୁଖୀ ହୁଅ । ଏଭଳି ସମୟ ଆସିବ ଯେତେବେଳେ ତୁମେମାନେ ଅନ୍ତର୍ମୁଖୀ ହୋଇଯିବ । ବାବାଙ୍କ ବ୍ୟତୀତ ଆଉ କିଛି ବି ମନେପଡିବ ନାହିଁ । ତୁମେମାନେ ଏହିଭଳି ଆସିଥିଲ, କାହା କଥା ତୁମର ମନେ ନ ଥିଲା । ଗର୍ଭରୁ ଯେତେବେଳେ ବାହାରକୁ ଆସନ୍ତି ସେତେବେଳେ ଜାଣନ୍ତି ଯେ, ଇଏ ଆମର ମାତା ପିତା, ଇଏ ଅମୁକ । ଏବେ ସେହିଭଳି ଯିବାକୁ ହିଁ ହେବ । ଆମେମାନେ ଏକମାତ୍ର ବାବାଙ୍କର, ତେଣୁ ତାଙ୍କ ବ୍ୟତୀତ ଆଉ କାହା କଥା ଯେପରି ବୁଦ୍ଧିରେ ନ ଆସୁ । ଯଦିଓ ସମୟ ଅଛି କିନ୍ତୁ ଭଲ ଭାବରେ ପୁରୁଷାର୍ଥ ମଧ୍ୟ କରିବା ଦରକାର ନା । ଶରୀର ଉପରେ ତ’ କୌଣସି ଭରସା ନାହିଁ । ତେଣୁ ଚେଷ୍ଟା କରିଚାଲିବା ଦରକାର, ଘରେ ମଧ୍ୟ ବହୁତ ଶାନ୍ତିରେ ରହିବା ଉଚିତ୍‌, କୌଣସି ପ୍ରକାର କଳହ, କ୍ଳେଶ ଯେପରି ନ ହେଉ । ନଚେତ୍ ସମସ୍ତେ କହିବେ ଏମାନଙ୍କ ଭିତରେ ମଧ୍ୟ କେତେ ଅଶାନ୍ତି ରହିଛି । ତୁମମାନଙ୍କୁ ତ’ ବିଲ୍‌କୁଲ୍ ଶାନ୍ତ ହୋଇ ରହିବାକୁ ହେବ । ତୁମେ ଶାନ୍ତିର ସମ୍ପତ୍ତି ନେଉଛ ନା । ଏବେ ତୁମେମାନେ କଣ୍ଟା (ପତିତ)ମାନଙ୍କ ଗହଣରେ ରହୁଛ, ଫୁଲ (ପବିତ୍ର) ମାନଙ୍କ ଗହଣରେ ନୁହେଁ । ତୁମକୁ କଣ୍ଟାମାନଙ୍କ ମଧ୍ୟରେ ରହି ମଧ୍ୟ ଫୁଲ ହେବାକୁ ପଡିବ । ତେଣୁ ତୁମେମାନେ କଣ୍ଟା ହେବା ଉଚିତ୍ ନୁହେଁ । ତୁମେ ଯେତେ ବାବାଙ୍କୁ ମନେପକାଇବ ସେତେ ଶାନ୍ତ ରହିବ । ଯଦି କେହି ଓଲଟା ସିଧା କଥାବାର୍ତ୍ତା କରୁଛନ୍ତି, ତେବେ ମଧ୍ୟ ତୁମେ ଶାନ୍ତିରେ ରୁହ । ଆତ୍ମାର ସ୍ୱଧର୍ମ ତ’ ଶାନ୍ତ । ଆତ୍ମା ତ ହେଉଛି ହିଁ ଶାନ୍ତ ସ୍ୱରୂପ । ତୁମେମାନେ ଜାଣିଛ, ଏବେ ଆମକୁ ଘରକୁ ଯିବାକୁ ହେବ, ବାବା ମଧ୍ୟ ଶାନ୍ତିର ସାଗର ଅଟନ୍ତି । କହୁଛନ୍ତି, ତୁମକୁ ମଧ୍ୟ ଶାନ୍ତିର ସାଗର ହେବାକୁ ପଡିବ । ପରଚିନ୍ତନ-ପରଦର୍ଶନ ବହୁତ କ୍ଷତି କରିଥାଏ । ତେଣୁ ବାବା ନିର୍ଦ୍ଦେଶ ଦେଉଛନ୍ତି - ଏଭଳି କଥା ହେବା ଉଚିତ୍ ନୁହେଁ, ଏହା ଦ୍ୱାରା ତୁମେମାନେ ବାବାଙ୍କର ନିନ୍ଦା କରାଉଛ । ଶାନ୍ତିରେ ଥିବା ସମୟରେ କୌଣସି ବିକର୍ମ ବା ନିନ୍ଦା ହୋଇ ନ ଥାଏ । ବାବାଙ୍କୁ ମନେ ପକାଇବା ଦ୍ୱାରା ଆହୁରି ବିକର୍ମ ବିନାଶ ହୋଇଥାଏ । ତେଣୁ ନା ନିଜେ ଅଶାନ୍ତ ହୁଅ ନା ଅନ୍ୟମାନଙ୍କୁ ଅଶାନ୍ତ କର । କାହାକୁ ଦୁଃଖ ଦେଲେ ଆତ୍ମା ନାରାଜ ହୋଇଥାଏ । ଅନେକ ଅଛନ୍ତି ଯେଉଁମାନେ ରିପୋର୍ଟ ଲେଖି ପଠାଇଥା’ନ୍ତି - ବାବା, ଇଏ ଘରକୁ ଆସିବା ମାତ୍ରେ ବହୁତ ଗଣ୍ଡଗୋଳ ସୃଷ୍ଟି ହେଉଛି । ତେବେ ବାବା ମଧ୍ୟ ପ୍ରତ୍ୟୁତ୍ତରରେ ଲେଖନ୍ତି ତୁମେ ନିଜ ଶାନ୍ତି ସ୍ୱଧର୍ମରେ ସ୍ଥିତ ହୋଇ ରୁହ । ହାତମତାୟୀର କାହାଣୀ ମଧ୍ୟ ଅଛି ନା, ତାକୁ କହିଲେ ତୁମେ ମୁଖରେ ମୁହଲରା ଦେଇଦିଅ ତେବେ କୌଣସି ଶବ୍ଦ ବାହାରିବ ନାହିଁ, କୌଣସି କଥା ମଧ୍ୟ କହିପାରିବ ନାହିଁ ।

ତୁମମାନଙ୍କୁ ଶାନ୍ତିରେ ରହିବାକୁ ହେବ । ମନୁଷ୍ୟ ତ ଶାନ୍ତି ପାଇବା ପାଇଁ ବହୁତ ଧକ୍କା ଖାଉଛନ୍ତି । ଏ କଥା ମଧ୍ୟ ତୁମେମାନେ ଜାଣିଛ ଯେ, ଆମର ମିଠା ବାବା ଶାନ୍ତିର ସାଗର । ଶାନ୍ତି କରାଇ କରାଇ ବିଶ୍ୱରେ ଶାନ୍ତି ସ୍ଥାପନ କରୁଛନ୍ତି । ତୁମେ ନିଜ ଭବିଷ୍ୟତର ପଦକୁ ମଧ୍ୟ ମନେପକାଅ । ସେଠାରେ କେବଳ ଗୋଟିଏ ଧର୍ମ ହିଁ ରହିବ, ଅନ୍ୟ କୌଣସି ଧର୍ମ ରହିବ ନାହିଁ । ତାକୁ ହିଁ ବିଶ୍ୱରେ ଶାନ୍ତି ବୋଲି କୁହାଯାଉଛି । ପୁଣି ଯେତେବେଳେ ଅନ୍ୟସବୁ ଧର୍ମ ଆସୁଛନ୍ତି ସେତେବେଳେ ଗଣ୍ଡଗୋଳ ଆରମ୍ଭ ହୋଇଯାଉଛି । ଏବେ କେତେ ଶାନ୍ତି ରହୁଛି । ତୁମେମାନେ ଜାଣିଛ, ତାହା ହିଁ ଆମର ଘର । ଆମର ସ୍ୱଧର୍ମ ହେଉଛି ଶାନ୍ତି । ଏପରି କହିପାରିବ ନାହିଁ ଯେ, ଶରୀରର ସ୍ୱଧର୍ମ ଶାନ୍ତ । ଶରୀର ବିନାଶୀ, ଆତ୍ମା ଅବିନାଶୀ । ଆତ୍ମା ଯେତିକି ସମୟ ସେଠାରେ ରହିଥାଏ କେତେ ଶାନ୍ତ ରହିଥାଏ । ଏଠାରେ ତ’ ସାରା ଦୁନିଆରେ ଅଶାନ୍ତି ହିଁ ଅଶାନ୍ତି ରହିଛି, ସେଥିପାଇଁ ଶାନ୍ତି ମାଗୁଛନ୍ତି । ଯଦି କେହି ଚାହିଁବେ ଯେ ମୁଁ ସର୍ବଦା ଶାନ୍ତ ହୋଇ ରହିବି, ତାହା କେବେ ବି ହୋଇପାରିବ ନାହିଁ । ଯଦିଓ ୬୩ ଜନ୍ମ ପର୍ଯ୍ୟନ୍ତ ସେଠାରେ ରହୁଛ କିନ୍ତୁ ଏଠାକୁ ନିଶ୍ଚିତ ଭାବରେ ଆସିବାକୁ ପଡିବ । ଏଠାରେ ନିଜର ଦୁଃଖ ସୁଖର ଅଭିନୟ କରି ପୁଣି ଚାଲିଯିବେ । ତେଣୁ ଡ୍ରାମାକୁ ଭଲ ଭାବରେ ଧ୍ୟାନରେ ରଖିବାକୁ ହେବ ।

ତୁମମାନଙ୍କର ମଧ୍ୟ ଧ୍ୟାନ ରହୁ ଯେ, ବାବା ଆମକୁ ସୁଖ ଏବଂ ଶାନ୍ତିର ବରଦାନ ଦେଉଛନ୍ତି । ବ୍ରହ୍ମାଙ୍କର ଆତ୍ମା ମଧ୍ୟ ସବୁକିଛି ଶୁଣୁଛି । ସବୁଠାରୁ ନିକଟରେ ଏହି ବ୍ରହ୍ମାଙ୍କର କାନ ଶୁଣୁଛି । ଏହାଙ୍କର ମୁଖ ମଧ୍ୟ କାନର ନିକଟରେ ଅଛି, ତୁମର ପୁଣି ଏତେ ଦୂରରେ ଅଛି । ତେଣୁ ଇଏ ତୁରନ୍ତ ଶୁଣିଥା’ନ୍ତି । ସବୁକଥା ବୁଝି ମଧ୍ୟ ପାରୁଛନ୍ତି । ବାବା କହୁଛନ୍ତି ମିଠ ମିଠା ପିଲାମାନେ! ମିଠା ମିଠା ତ’ ସମସ୍ତଙ୍କୁ କହୁଛନ୍ତି କାହିଁକିନା ସମସ୍ତେ ତ’ ବାବାଙ୍କର ସନ୍ତାନ । ଯେତେ ବି ଜୀବ ଆତ୍ମାମାନେ ଅଛନ୍ତି ସେମାନେ ସମସ୍ତେ ବାବାଙ୍କର ଅବିନାଶୀ ସନ୍ତାନ । ଶରୀର ତ’ ବିନାଶୀ, ବାବା ଅବିନାଶୀ । ତେବେ ପିଲାମାନେ ଅର୍ଥାତ୍ ଆତ୍ମାମାନେ ମଧ୍ୟ ଅବିନାଶୀ । ବାବା ଏହିପରି ପିଲାମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି, ଏହାକୁ ଆତ୍ମିକ ଜ୍ଞାନ କୁହାଯାଉଛି । ପରମ ଆତ୍ମା ବସି ଏହି କଥା ବୁଝାଉଛନ୍ତି । ବାବାଙ୍କର ସ୍ନେହ ତ’ ନିଶ୍ଚିତ ଭାବରେ ରହିଛି । ଏଠାରେ ଯେତେ ବି ଆତ୍ମା ଅଛନ୍ତି, ଯଦିଓ ତମଃପ୍ରଧାନ ଅଟନ୍ତି, କିନ୍ତୁ ଜାଣିଛନ୍ତି ଏମାନେ ସମସ୍ତେ ଯେତେବେଳେ ଘରେ ଥିଲେ ସେତେବେଳେ ସତ୍ତ୍ୱପ୍ରଧାନ ଥିଲେ । ବାବା କହୁଛନ୍ତି - ମୁଁ ସମସ୍ତଙ୍କୁ କଳ୍ପ କଳ୍ପ ଆସି ଶାନ୍ତିର ରାସ୍ତା ଦେଖାଉଛି । ଏଠାରେ ବର ଦେବାର କୌଣସି କଥା ନାହିଁ । ବାବା ଏପରି କହୁନାହାଁନ୍ତି ଯେ, ଧନବାନ୍ ହୁଅ, ଆୟୁଷ୍ମାନ ହୁଅ । ନାଁ । ସତ୍ୟଯୁଗରେ ତୁମେମାନେ ଏହିପରି ଥିଲ । ବାବା କୌଣସି ଆଶୀର୍ବାଦ ଦେଉ ନାହାଁନ୍ତି । ତେଣୁ ତୁମର କୃପା ବା ଆଶୀର୍ବାଦ ମାଗିବାର ନାହିଁ । ବାବା ଆମର ପିତା ଏବଂ ଶିକ୍ଷକ - ଏହି କଥା ମନେ ରଖିବାକୁ ହେବ । ଓହୋ! ଶିବବାବା ପିତା, ଶିକ୍ଷକ ଏବଂ ଜ୍ଞାନର ସାଗର । ବାବା ହିଁ ଆସି ନିଜର ଏବଂ ରଚନାର ଆଦି, ମଧ୍ୟ, ଅନ୍ତର ଜ୍ଞାନ ଶୁଣାଉଛନ୍ତି । ଯାହାଦ୍ୱାରା ତୁମେମାନେ ଚକ୍ରବର୍ତ୍ତୀ ମହାରାଜା ହେଉଛ । ଇଏ ସାରା ଅଲରାଉଣ୍ଡ ଚକ୍ର ଅଟେ ନା । ବାବା ବୁଝାଉଛନ୍ତି ବର୍ତ୍ତମାନ ସମୟରେ ସାରା ଦୁନିଆ ହେଉଛି ରାବଣର ରାଜ୍ୟ । ରାବଣ କେବଳ ଲଙ୍କାରେ ନାହିଁ, ଏବେ ତ ସାରା ଦୁନିଆ ହିଁ ଅବିନାଶୀ ଲଙ୍କା ଅଟେ । ଚାରିଆଡେ କେବଳ ପାଣି ହିଁ ପାଣି ରହିଛି । ସାରା ଲଙ୍କା ରାବଣର ଥିଲା, ଏବେ ପୁଣି ରାମଙ୍କର ହେଉଛି । ଲଙ୍କା ତ’ ସୁନାର ଥିଲା, ସେଠାରେ ବହୁତ ସୁନା ଥିଲା । ଗୋଟିଏ ଦୃଷ୍ଟାନ୍ତ ମଧ୍ୟ ରହିଛି ଯେ, ଜଣେ ଧ୍ୟାନରେ ଯାଇ ସୁନାର ଇଟା ଦେଖିଲେ, ଯେପରି ଏଠାରେ ମାଟିର ଇଟା ତିଆରି ହୋଇଛି ସେହିପରି ସେଠାରେ ସୁନାର ଇଟା ସବୁ ଥିବ, ତେଣୁ ତାଙ୍କର ବିଚାର ଆସିଲା ଏଠାରୁ ସୁନା ନେଇଯିବି ଏହିଭଳି ଭିନ୍ନ ଭିନ୍ନ ନାଟକ ସବୁ ତିଆରି କରିଛନ୍ତି । ଭାରତର ନାମ ତ’ ବହୁତ ପ୍ରସିଦ୍ଧ ଅଟେ । ଅନ୍ୟ ସବୁ ଦେଶମାନଙ୍କରେ ଏତେ ସବୁ ହୀରାନୀଳା ନାହିଁ । ବାବା କହୁଛନ୍ତି - ମୁଁ ଗାଇଡ୍ ହୋଇ ସମସ୍ତଙ୍କୁ ଘରକୁ ନେଇଯାଉଛି । ପିଲାମାନେ ଚାଲ, ଏବେ ଘରକୁ ଯିବାକୁ ହେବ । ଏବେ ତ ସମସ୍ତ ଆତ୍ମାମାନେ ପତିତ, ଯେ ପର୍ଯ୍ୟନ୍ତ ପବିତ୍ର ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଘରକୁ ଯାଇପାରିବେ ନାହିଁ । ତେବେ ପତିତ ଆତ୍ମାମାନଙ୍କୁ ପବିତ୍ର ଏକମାତ୍ର ବାବା ହିଁ କରନ୍ତି, ସେଥିପାଇଁ ସମସ୍ତେ ଏହିଠାରେ ହିଁ ଅଛନ୍ତି । ଘରକୁ କେହି ବି ଯାଇପାରିବେ ନାହିଁ । ଏପରି ନିୟମ ହିଁ ନାହିଁ । ବାବା କହୁଛନ୍ତି - ପିଲାମାନେ, ମାୟା ତୁମକୁ ଆହୁରି ଜୋରରେ ଅଧିକ ଦେହ-ଅଭିମାନରେ ଆଣିବ । ବାବାଙ୍କୁ ମନେପକାଇବାକୁ ଦେବ ନାହିଁ । ତେଣୁ ତୁମକୁ ଖବରଦାର ରହିବାକୁ ହେବ । ଏହା ଉପରେ ହିଁ ଯୁଦ୍ଧ ହେଉଛି । ଆଖି ମଧ୍ୟ ବହୁତ ଧୋକା ଦେଇଥାଏ । ତେଣୁ ଏହି ଆଖିକୁ ନିଜ ଅଧିନରେ ରଖିବାକୁ ହେବ । ଏବେ ତ ଭାଇ ଭଉଣୀ ଭିତରେ ମଧ୍ୟ ଦୃଷ୍ଟି ଠିକ୍ ରହୁନାହିଁ । ତେଣୁ ବାବା ବୁଝାଯାଉଛନ୍ତି - ନିଜକୁ ଆତ୍ମା ଭାଇ ଭାଇ ମନେ କର । ଏକଥା ତ’ ସମସ୍ତେ କହୁଛନ୍ତି ଆମେ ସମସ୍ତେ ପରସ୍ପର ଭାଇ ଭାଇ । କିନ୍ତୁ କିଛି ହେଲେ ବି ବୁଝୁନାହାଁନ୍ତି । ଯେପରି ବେଙ୍ଗ କେଁ କଟର କରିଥାଏ କିନ୍ତୁ ଅର୍ଥ କିଛି ବି ବୁଝି ନ ଥାଏ । ଏବେ ତୁମେମାନେ ପ୍ରତ୍ୟେକ କଥାର ଯଥାର୍ଥ ଅର୍ଥକୁ ବୁଝିଗଲଣି ।

ବାବା ମିଠା ମିଠା ପିଲାମାନଙ୍କୁ ବୁଝାଉଛନ୍ତି ଯେ, ତୁମେମାନେ ଭକ୍ତିମାର୍ଗରେ ମଧ୍ୟ ପ୍ରେମିକା ହୋଇ ପ୍ରେମିକଙ୍କୁ ମନେପକାଉଥିଲ । ଦୁଃଖରେ ତୁରନ୍ତ ତାଙ୍କୁ ମନେପକାଇଥା’ନ୍ତି ଓ କହିଥାଆନ୍ତି ହାଏ ରାମ, ହେ ଭଗବାନ ଦୟା କର! ସ୍ୱର୍ଗରେ ତ’ ଏପରି କେବେ କହିବ ନାହିଁ, କାରଣ ସେଠାରେ ରାବଣ ରାଜ୍ୟ ହିଁ ରହିବ ନାହିଁ । ବାବା ତୁମମାନଙ୍କୁ ଏବେ ରାମରାଜ୍ୟକୁ ନେଇ ଯାଉଛନ୍ତି ତେଣୁ ତାଙ୍କ ମତ ଅନୁସାରେ ଚାଲିବା ଦରକାର ନା । ଏବେ ତୁମକୁ ଈଶ୍ୱରୀୟ ମତ ମିଳୁଛି ପୁଣି ତୁମକୁ ଦୈବୀ ମତ ମିଳିବ । ଏହି କଲ୍ୟାଣକାରୀ ସଙ୍ଗମଯୁଗକୁ କେହି ବି ଜାଣିନାହାଁନ୍ତି, କାହିଁକିନା ସମସ୍ତଙ୍କୁ କୁହାଯାଇଛି ଯେ, କଳିଯୁଗ ଏବେ ଛୋଟ ପିଲା ଅର୍ଥାତ୍ ଏହା ଏବେ ଆରମ୍ଭ ହେଲା, ଆହୁରି ଲକ୍ଷ ଲକ୍ଷ ବର୍ଷ ଚାଲିବ । ବାବା କହୁଛନ୍ତି, ଏହା ହେଲା ଭକ୍ତିର ଘୋର ଅନ୍ଧକାର । ଜ୍ଞାନ ହେଲା ଆଲୋକ । ଡ୍ରାମା ଅନୁସାରେ ଭକ୍ତି ମଧ୍ୟ ନିର୍ଦ୍ଧାରିତ ରହିଛି ଏହା ପୁଣି ମଧ୍ୟ ହେବ । ଏବେ ତୁମେମାନେ ବୁଝିପାରୁଛ ଯେ, ଭଗବାନ ମିଳିଯାଇଛନ୍ତି ସେଥିପାଇଁ ଏଣେ ତେଣେ ଘୁରିବୁଲିବାର କୌଣସି ଆବଶ୍ୟକତା ନାହିଁ । ତୁମେମାନେ କହୁଛ ଆମେ ବାବାଙ୍କ ପାଖକୁ ଅଥବା ବାପଦାଦାଙ୍କ ପାଖକୁ ଯାଉଛୁ । ଏହି କଥାକୁ ମନୁଷ୍ୟମାନେ ବୁଝିପାରିବେ ନାହିଁ । ତୁମମାନଙ୍କ ଭିତରୁ ମଧ୍ୟ ଯେଉଁମାନଙ୍କର ପୁରା ନିଶ୍ଚୟ ନାହିଁ ମାୟା ସେମାନଙ୍କୁ ଏକଦମ୍ ଗ୍ରାସ କରିଦେଉଛି । ଯେପରି ଗଜକୁ ଗ୍ରାହ (କୁମ୍ଭୀର) ଏକଦମ୍ ଗ୍ରାସ କରିଦେଇଥାଏ । ଆଶ୍ଚର୍ଯ୍ୟ ଭାବେ ଶୁଣନ୍ତି... ପୁରୁଣାମାନେ ତ’ ଚାଲିଗଲେ, ତାଙ୍କର ମଧ୍ୟ ଗାୟନ ଅଛି, ଭଲ ଭଲ ମହାରଥୀମାନଙ୍କୁ ମାୟା ହରାଇ ଦେଇଥାଏ । ତେଣୁ ବାବାଙ୍କୁ ଚିଠି ଲେଖୁଛନ୍ତି - ବାବା, ଆପଣ ମାୟାକୁ ପଠାନ୍ତୁ ନାହିଁ । ଆରେ, ଇଏ କ’ଣ ମୋର କି! ରାବଣ ନିଜର ରାଜ୍ୟ କରୁଛି, ମୁଁ ନିଜର ରାଜ୍ୟ ସ୍ଥାପନ କରୁଛି । ଏ ସବୁ କଥା ପରମ୍ପରାରୁ ଚାଲିଆସୁଛି । ରାବଣ ହିଁ ତୁମର ସବୁଠାରୁ ବଡ ଶତ୍ରୁ, ଏକଥା ତୁମେମାନେ ହିଁ ଜାଣିଛ, ସେଥିପାଇଁ ତ ତାକୁ ପ୍ରତିବର୍ଷ ଜଳାଉଛ । ମହିଶୂରରେ ତ’ ଦଶହରା ବହୁତ ଆଡମ୍ବରରେ ପାଳନ କରିଥା’ନ୍ତି, କିନ୍ତୁ କିଛି ହେଲେ ବି ବୁଝୁନାହାଁନ୍ତି । ତୁମର ନାମ ହେଲା ଶିବଶକ୍ତି ସେନା । ସେମାନେ ପୁଣି ବାନରସେନା ନାମ ରଖିଦେଇଛନ୍ତି । ତୁମେମାନେ ଜାଣିଛ, ବାସ୍ତବରେ ଆମେ ବାନର ସମାନ ଥିଲୁ, ଏବେ ଶିବବାବାଙ୍କଠାରୁ ଶକ୍ତି ନେଇ, ରାବଣ ଉପରେ ବିଜୟ ପ୍ରାପ୍ତ କରୁଛୁ । ଆମକୁ ବାବା ହିଁ ଆସି ରାଜଯୋଗ ଶିଖାଉଛନ୍ତି । ତେବେ ଏହା ଉପରେ ଭକ୍ତିର ଅନେକ କାହାଣୀ ଲେଖିଦେଇଛନ୍ତି । ଅମର କଥା ମଧ୍ୟ କହୁଛନ୍ତି । ତୁମେମାନେ ଜାଣିଛ, ବାବା ଆମକୁ ଅମରକଥା ଶୁଣାଉଛନ୍ତି । ବାକି କୌଣସି ପାହାଡ ଇତ୍ୟାଦି ଉପରେ ବସି ଶୁଣାଉନାହାଁନ୍ତି । କହୁଛନ୍ତି, ଶଙ୍କର ପାର୍ବତୀଙ୍କୁ ଅମର କଥା ଶୁଣାଇଥିଲେ । ଶିବ ଶଙ୍କରଙ୍କର ଚିତ୍ର ମଧ୍ୟ ରଖୁଛନ୍ତି । ଉଭୟଙ୍କୁ ପୁଣି ମିଶାଇ ଦେଇଛନ୍ତି । ଏ ସବୁ ହେଲା ଭକ୍ତିମାର୍ଗ । ଦିନକୁ ଦିନ ସମସ୍ତେ ତମଃପ୍ରଧାନ ହୋଇ ଚାଲିଛନ୍ତି । ସତ୍ତ୍ୱପ୍ରଧାନରୁ ସତ୍ତ୍ୱ ହେଲେ ଦୁଇକଳା କମ୍ ହୋଇଯାଇଥାଏ । ବାସ୍ତବରେ ତ୍ରେତା ଯୁଗକୁ ମଧ୍ୟ ସ୍ୱର୍ଗ କୁହାଯିବ ନାହିଁ । ବାବା ତୁମମାନଙ୍କୁ ସ୍ୱର୍ଗବାସୀ କରିବା ପାଇଁ ଆସୁଛନ୍ତି । ବାବା ଜାଣିଛନ୍ତି ବ୍ରାହ୍ମଣ କୁଳ ଏବଂ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ କୁଳ, ଉଭୟ ସ୍ଥାପନ ହେଉଛି । ରାମଚନ୍ଦ୍ରଙ୍କୁ କ୍ଷତ୍ରିୟର ଚିହ୍ନ ଦେଇଛନ୍ତି । ତୁମେ ସମସ୍ତେ କ୍ଷତ୍ରିୟ ନା, ଯେଉଁମାନେ କି ମାୟା ଉପରେ ବିଜୟପ୍ରାପ୍ତ କରୁଛ । ଯେଉଁମାନେ କମ୍ ନମ୍ବର ରଖି ପାସ୍ କରୁଛନ୍ତି ତାଙ୍କୁ ଚନ୍ଦ୍ରବଂଶୀ କୁହାଯାଉଛି, ସେଥିପାଇଁ ରାମଙ୍କୁ ଶସ୍ତ୍ରଧାରୀ ଦେଖାଇଛନ୍ତି । ତେବେ ତ୍ରେତା ଯୁଗରେ ମଧ୍ୟ ହିଂସା ହୋଇ ନ ଥାଏ । ଗାୟନ ମଧ୍ୟ ରହିଛି ରାମ ରାଜା, ରାମ ପ୍ରଜା... କିନ୍ତୁ କ୍ଷତ୍ରିୟର ଚିହ୍ନ ଦେଇ ଦେଇଥିବାରୁ ମନୁଷ୍ୟମାନେ ଦ୍ୱନ୍ଦରେ ପଡୁଛନ୍ତି । ସେଠାରେ ଏହି ହତିଆର ଆଦି ରହିବ ନାହିଁ । ଶକ୍ତିମାନଙ୍କର ମଧ୍ୟ ଖଡ୍‌ଗ ଆଦି ଦେଖାଉଛନ୍ତି କିନ୍ତୁ କିଛି ବି ବୁଝୁନାହାଁନ୍ତି । ତୁମେ ଏବେ ଜାଣିଗଲଣି ଯେ, ବାବା ଜ୍ଞାନର ସାଗର । ସେଥିପାଇଁ ବାବା ହିଁ ସୃଷ୍ଟିର ଆଦି, ମଧ୍ୟ, ଅନ୍ତର ରହସ୍ୟକୁ ବୁଝାଉଛନ୍ତି । ବେହଦର ବାବାଙ୍କର ପିଲାମାନଙ୍କ ପ୍ରତି ଯେଉଁ ସ୍ନେହ ରହିଛି ତାହା ହଦର ପିତା କରିପାରିବେ ନାହିଁ । ବାବା ୨୧ ଜନ୍ମ ପାଇଁ ପିଲାମାନଙ୍କୁ ସୁଖଦାୟୀ କରିଦେଉଛନ୍ତି । ତେଣୁ ବାବା ସ୍ନେହୀ ହେଲେ ନା । ବାବା ଏତେ ସ୍ନେହୀ, ଯିଏକି ତୁମର ସବୁ ଦୁଃଖ ଦୂର କରିଦେଉଛନ୍ତି । ସେଥିପାଇଁ ତୁମକୁ ସୁଖର ବର୍ସା ମିଳିଯାଉଛି । ସେଠାରେ ଦୁଃଖର ଚିହ୍ନ ବର୍ଣ୍ଣ ରହିବ ନାହିଁ । ବର୍ତ୍ତମାନ ଏହିସବୁ କଥା ତୁମମାନଙ୍କ ବୁଦ୍ଧିରେ ରହିବା ଉଚିତ୍ ନା । ଏହି କଥାକୁ କେବେ ବି ଭୁଲିବା ଉଚିତ୍ ନୁହେଁ । ଏହା କେତେ ସହଜ, କେବଳ ମୁରଲୀ ପଢ଼ି ଶୁଣାଇବାକୁ ହେବ, ତଥାପି ବି କହୁଛନ୍ତି ବ୍ରାହ୍ମଣୀ ଦରକାର । ବ୍ରାହ୍ମଣୀ ବିନା ଧାରଣା ହୋଇ ନ ଥାଏ । ଆରେ, ସତ୍ୟ ନାରାୟଣଙ୍କର କଥା ତ’ ଛୋଟ ପିଲା ମଧ୍ୟ ମନେରଖି ଶୁଣାଇଥାଏ । ମୁଁ ତୁମକୁ ପ୍ରତ୍ୟେକ ଦିନ ବୁଝାଉଛି, କେବଳ ମୋତେ ମନେପକାଅ । ଏହି ଜ୍ଞାନ ତ’ ୭ ଦିନରେ ବୁଦ୍ଧିରେ ରହିଯିବା ଦରକାର । କିନ୍ତୁ ପିଲାମାନେ ଭୁଲିଯାଉଛନ୍ତି, ବାବା ତ’ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଆଚ୍ଛା ।

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କୁ ଆଶୀର୍ବାଦ ବା କୃପା ମାଗିବାର ନାହିଁ । ପିତା, ଶିକ୍ଷକ ଏବଂ ଗୁରୁଙ୍କୁ ମନେ ପକାଇ ନିଜ ଉପରେ ନିଜକୁ ହିଁ କୃପା କରିବାକୁ ହେବ । ମାୟା ପ୍ରତି ସାବଧାନ ରହିବାକୁ ହେବ । ଆଖି ସର୍ବଦା ଧୋକା ଦେଇଥାଏ ସେଥିପାଇଁ ତାକୁ ନିଜର ଅଧିକାରରେ ରଖିବାକୁ ହେବ ।

(୨) ବ୍ୟର୍ଥ ଏବଂ ପରଚିନ୍ତନର କଥାବାର୍ତ୍ତା ବହୁତ କ୍ଷତି କରିଥାଏ, ସେଥିପାଇଁ ଯେତେ ଦୂର ସମ୍ଭବ ଶାନ୍ତ ରହିବାକୁ ହେବ, ମୁଖରେ ମୁହଲରା ରଖିଦେବାକୁ ହେବ । କେବେ ହେଲେ ଓଲଟା-ପାଲଟା କଥା କହିବାର ନାହିଁ । ନିଜେ ଅଶାନ୍ତି ହେବାର ନାହିଁ କିମ୍ବା କାହାରିକୁ ଅଶାନ୍ତ କରିବାର ନାହିଁ ।

ବରଦାନ:-
ବାବାଙ୍କର ସହଯୋଗ ଦ୍ୱାରା ଶୂଳୀକୁ କଣ୍ଟା କରୁଥିବା ସଦା ନିଶ୍ଚିତ ଏବଂ ଟ୍ରଷ୍ଟୀ ଭବ ।

ପିଛିଲା ହିସାବ-କିତାବ ଶୂଳୀ ସଦୃଶ ଅଟେ କିନ୍ତୁ ବାବାଙ୍କର ସହଯୋଗ ଦ୍ୱାରା ତାହା କଣ୍ଟା ପାଲଟି ଯାଉଛି । ପରିସ୍ଥିତି ଗୁଡିକ ତ ଆସିବ ନିଶ୍ଚିତ କାହିଁକି ନା ସବୁ କିଛି ଏହିଠାରେ ହିଁ ଚୁକ୍ତ କରିବାକୁ ହେବ, କିନ୍ତୁ ବାବାଙ୍କର ସହଯୋଗ ସେଗୁଡିକୁ ଶୂଳୀରୁ କଣ୍ଟା କରିଦେଉଛି, ବଡ କଥାକୁ ଛୋଟ କରି ଦେଉଛି କାହିଁକି ନା ବଡରୁ ବଡ ପିତା ସାଥୀରେ ଅଛନ୍ତି । ତେଣୁ ଏହି ନିଶ୍ଚୟ ଆଧାରରେ ସର୍ବଦା ନିଶ୍ଚିନ୍ତ ରୁହ ଏବଂ ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ହୋଇ ମୋ’ରକୁ ତୋ’ରରେ ପରିବର୍ତ୍ତନ କରି ହାଲୁକା ହୋଇଯାଅ, ତାହାହେଲେ ସବୁ ବୋଝ ଗୋଟିଏ ସେକେଣ୍ଡରେ ସମାପ୍ତ ହୋଇଯିବ ।

ସ୍ଲୋଗାନ:-
ଶୁଭଭାବନାର ଷ୍ଟକ ଦ୍ୱାରା ନକାରାତ୍ମକ କଥାକୁ ସକାରାତ୍ମକରେ ପରିବର୍ତ୍ତନ କର ।