22.12.24 Avyakt Bapdada Odia Murli 17.03.2003 Om Shanti Madhuban
“ସର୍ବଦା ନିଜର ସ୍ୱମାନରେ
ରୁହ, ସମସ୍ତଙ୍କୁ ସମ୍ମାନ ଦିଅ, ସମସ୍ତଙ୍କର ସହଯୋଗୀ ହୁଅ ଏବଂ ସେମାନଙ୍କୁ ସମର୍ଥ କର ”
ଆଜି ଭାଗ୍ୟ ବିଧାତା
ବାପଦାଦା ଚାରିଆଡର ପ୍ରତ୍ୟେକ ସନ୍ତାନର ମସ୍ତକରେ ଭାଗ୍ୟର ତିନୋଟି ରେଖାକୁ ଦେଖୁଛନ୍ତି । ଗୋଟିଏ
ହେଲା ପରମାତ୍ମ ପାଳନାର ଭାଗ୍ୟବାନ ରେଖା, ଦ୍ୱିତୀୟରେ ସତ୍ ଶିକ୍ଷକଙ୍କର ଶ୍ରେଷ୍ଠ ଶିକ୍ଷାର
ଭାଗ୍ୟବାନ ରେଖା ଏବଂ ତୃତୀୟରେ ଶ୍ରୀମତର ଚମକୁଥିବା ରେଖା । ତେବେ ଚାରିଆଡର ପିଲାମାନଙ୍କର
ମସ୍ତକରେ ମଧ୍ୟ ଭାଗ୍ୟର ତିନୋଟିଯାକ ରେଖା ବହୁତ ଭଲ ଭାବରେ ଚମକୁଛି । ତୁମେମାନେ ମଧ୍ୟ ନିଜର
ତିନୋଟିଯାକ ଭାଗ୍ୟର ରେଖାକୁ ଦେଖିପାରୁଛ ନା! ଯେବେକି ଭାଗ୍ୟବିଧାତା ତୁମମାନଙ୍କର ପିତା ଅଟନ୍ତି,
ତେଣୁ ତୁମମାନଙ୍କ ବ୍ୟତୀତ ଶ୍ରେଷ୍ଠ ଭାଗ୍ୟ ଆଉ କାହାର ହୋଇପାରିବ! ବାପଦାଦା ଦେଖୁଛନ୍ତି ଯେ ସାରା
ବିଶ୍ୱରେ କେତେ କୋଟି ଆତ୍ମା ଅଛନ୍ତି କିନ୍ତୁ ସେହି କୋଟି କୋଟି ଆତ୍ମମାନଙ୍କ ଭିତରୁ ୬ ଲକ୍ଷ
ପରିବାର.... କେତେ ଅଳ୍ପ ସଂଖ୍ୟକ ଅଟ! ତେଣୁ କୋଟିକ ଭିତରେ କେହି ହୋଇଗଲ ନା! ଏମିତି ବି
ପ୍ରତ୍ୟେକ ମନୁଷ୍ୟ ଜୀବନରେ ଏହି ତିନୋଟି ଯାକ କଥା ପାଳନା, ଶିକ୍ଷା ଏବଂ ଶ୍ରେଷ୍ଠ ମତ,
ତିନୋଟିଯାକ ହିଁ ଆବଶ୍ୟକ । କିନ୍ତୁ ଏହି ପରମାତ୍ମ ପାଳନା ଏବଂ ଦେବାତ୍ମା ବା ମନୁଷ୍ୟ
ଆତ୍ମାମାନଙ୍କର ପାଳନା, ମତ ଏବଂ ପାଠପଢା ଭିତରେ ରାତି ଦିନର ଅନ୍ତର ରହିଛି । ତେବେ ଏତେ ଶ୍ରେଷ୍ଠ
ଭାଗ୍ୟ ଯାହାକି ସଂକଳ୍ପରେ ମଧ୍ୟ ନ ଥିଲା କିନ୍ତୁ ଏବେ ସମସ୍ତଙ୍କର ଦିଲ୍ ଏହି ଗୀତ ଗାଉଛି ଯେ ମୁଁ
ପାଇଯାଇଛି । କ’ଣ ପାଇ ସାରିଛ ନା ପାଇବ? କ’ଣ କହୁଛ? ପାଇସାରିଛ ନା! ବାବା ମଧ୍ୟ ଏହିଭଳି
ପିଲାମାନଙ୍କର ଭାଗ୍ୟକୁ ଦେଖି ହର୍ଷିତ ହେଉଛନ୍ତି । ପିଲାମାନେ କହୁଛନ୍ତି ବାଃ ବାବା ବାଃ! ଏବଂ
ବାବା କହୁଛନ୍ତି ବାଃ ପିଲାମାନେ ବାଃ! ବାସ୍ ଏହିଭଳି ଭାଗ୍ୟକୁ କେବଳ ସ୍ମୃତିରେ ରଖିବାର ନାହିଁ
କିନ୍ତୁ ସର୍ବଦା ଏହାର ସ୍ମୃତି ସ୍ୱରୂପ ସ୍ଥିତିରେ ରହିବାର ଅଛି । କେତେକ ପିଲା ବହୁତ ଭଲ ଭଲ
ଭାବୁଛନ୍ତି କିନ୍ତୁ କେବଳ ଭାବିବାର ସ୍ୱରୂପ ହେବାର ନାହିଁ, ସ୍ମୃତି ସ୍ୱରୂପ ହେବାର ଅଛି କାହିଁକି
ନା ସ୍ମୃତି ସ୍ୱରୂପ ହିଁ ସମର୍ଥ ସ୍ୱରୂପ ଅଟେ । କେବଳ ଭାବିବାର ସ୍ୱରୂପ ସମର୍ଥ ସ୍ୱରୂପ ନୁହେଁ ।
ବାପଦାଦା ପିଲାମାନଙ୍କର
ଭିନ୍ନ ଭିନ୍ନ ଲୀଳକୁ ଦେଖି ହସୁଛନ୍ତି । କେହି କେହି ପିଲା ଭାବିବାର ସ୍ୱରୂପ ହୋଇଯାଉଛନ୍ତି,
କିନ୍ତୁ ସ୍ମୃତି ସ୍ୱରୂପ ସଦାକାଳ ରହୁ ନାହାଁନ୍ତି । କେବେ ଭାବିବାର ସ୍ୱରୂପ କେବେ ସ୍ମୃତି
ସ୍ୱରୂପ । ଯେଉଁମାନେ ସ୍ମୃତି ସ୍ୱରୂପ ସ୍ଥିତିରେ ରହୁଛନ୍ତି, ସେମାନେ ନିରନ୍ତର ଏବଂ ସ୍ୱାଭାବିକ
ଭାବରେ ସ୍ୱ-ସ୍ଥିତିରେ ରହୁଛନ୍ତି । ଯେଉଁମାନେ କେବଳ ଭାବିବାର ସ୍ୱରୂପରେ ରହୁଛନ୍ତି, ସେମାନଙ୍କୁ
ମେହନତ କରିବାକୁ ପଡୁଛି । ତେବେ ଏହି ସଂଗମଯୁଗ ମେହନତ କରିବାର ଯୁଗ ନୁହେଁ, ସର୍ବପ୍ରାପ୍ତିର
ଅନୁଭବ କରିବାର ଯୁଗ । ୬୩ ଜନ୍ମ ତ ମେହନତ କରିଲ କିନ୍ତୁ ଏବେ ସେହି ମେହନତର ଫଳ ପ୍ରାପ୍ତ କରିବାର
ଯୁଗ ବା ସମୟ ।
ବାପଦାଦା ଦେଖୁଛନ୍ତି ଯେ
ଦୈହିକ ସ୍ମୃତିରେ ରହିବା ପାଇଁ କ’ଣ ମେହନତ କରିଛ - ମୁଁ ଅମୁକ, ମୁଁ ସମୁକ... ଏହିଭଳି ମେହନତ
କରିଛ କି? ଏହି ସ୍ମୃତି ସ୍ୱାଭାବିକ ଭାବରେ ରହୁଛି ନା! ଏହା ତୁମର ସ୍ୱଭାବରେ ପରିଣତ ହୋଇଯାଇଛି ।
ଦେହ-ଅଭିମାନରେ ରହିବା ଏତେ ପକ୍କା ହୋଇଯାଇଛି ଯାହାକି ଏବେ ବି କେବେ କେବେ କେତେକ ପିଲାଙ୍କୁ
ଆତ୍ମ-ଅଭିମାନୀ ହେବା ସମୟରେ ମଧ୍ୟ ଦେହ-ଅଭିମାନ ନିଜ ଆଡକୁ ଆକର୍ଷିତ କରିନେଉଛି । ଭାବୁଛନ୍ତି
ମୁଁ ଆତ୍ମା, ମୁଁ ଆତ୍ମା କିନ୍ତୁ ଦେହଭାନ୍ ଅର୍ଥାତ୍ ଦେହର ସ୍ମୃତି ଏଭଳି ସ୍ୱାଭାବିକ ହୋଇଯାଇଛି
ଯାହାକି ବାରମ୍ବାର ନ ଚାହିଲେ ମଧ୍ୟ, ନ ଭାବିଲେ ମଧ୍ୟ ଦେହର ସ୍ମୃତିରେ ଆସିଯାଉଛନ୍ତି । ବାପଦାଦା
କହୁଛନ୍ତି ଏବେ ଏହି ମରଜୀବା ଜନ୍ମରେ ଆତ୍ମ-ଅଭିମାନୀ ଅର୍ଥାତ୍ ଦେହୀ-ଅଭିମାନୀ ସ୍ଥିତି ମଧ୍ୟ
ଏହିଭଳି ତୁମର ସ୍ୱଭାବରେ ପରିଣତ ହୋଇଯାଉ ଏବଂ ସ୍ୱାଭାବିକ ହୋଇଯାଉ । ମେହନତ କରିବାକୁ ନ ପଡୁ,
ମୁଁ ଆତ୍ମା, ମୁଁ ଆତ୍ମା । ଯେପରି କୌଣସି ଛୋଟ ପିଲା ଜନ୍ମ ହେବା ପରେ ଯେତେବେଳେ ତା’ର ଟିକିଏ
ବୁଦ୍ଧି ଆସିଯାଏ ସେତେବେଳେ ତାକୁ ପରିଚୟ ଦେଇଥାଆନ୍ତି ତୁମେ କିଏ, କାହାର ସନ୍ତାନ, ସେହିପରି
ତୁମେମାନେ ଯେତେବେଳେ ବ୍ରାହ୍ମଣ ଜନ୍ମ ନେଲ ସେତେବେଳେ ଜନ୍ମ ହେବା ମାତ୍ରକେ ତୁମକୁ କ’ଣ ପରିଚୟ
ମିଳିଥିଲା? ତୁମେ କିଏ ଅଟ? ଆତ୍ମାର ପାଠ ପକ୍କା କରାଇଥିଲେ ନା! ତେଣୁ ଏହି ପ୍ରଥମ ପରିଚୟ ତୁମର
ସ୍ୱାଭାବିକ ନେଚର ହୋଇଯାଉ । ପ୍ରତ୍ୟେକଙ୍କର ନେଚର ବା ସ୍ୱଭାବ ନିରନ୍ତର ଏବଂ ସ୍ୱାଭାବିକ ଭାବରେ
ସ୍ମୃତିରେ ରହିଥାଏ, ତାକୁ ମନେ ପକାଇବାକୁ ପଡେ ନାହିଁ । ସେହିପରି ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନର
ବର୍ତ୍ତମାନ ସମୟ ଅନୁସାରେ ଏବେ ଦେହୀ-ଅଭିମାନୀ ସ୍ଥିତି ସ୍ୱାଭାବିକ ହୋଇଯିବା ଦରକାର ।
କେତେକଙ୍କର ମଧ୍ୟ ହୋଇଯାଇଛି ଭାବିବାକୁ ପଡୁନାହିଁ, ସ୍ମୃତି ସ୍ୱରୂପ ଅଟନ୍ତି । ଏବେ ନିରନ୍ତର ଏବଂ
ସ୍ୱାଭାବିକ ସ୍ମୃତି ସ୍ୱରୂପ ହେବାକୁ ହିଁ ପଡିବ । ସବୁ ବ୍ରାହ୍ମଣ ପିଲାଙ୍କୁ ଶେଷ ସମୟରେ ଏହି
ଛୋଟିଆ ପରୀକ୍ଷାଟି ନିଶ୍ଚିତ ଦେବାକୁ ପଡିବ ତାହା ହେଲା - “ନଷ୍ଟୋମୋହା ସ୍ମୃତି ସ୍ୱରୂପ” ।
ତେବେ ଏହି ବର୍ଷ କ’ଣ ସବୁ
କରିବ? କେତେକ ପିଲା ପଚାରୁଛନ୍ତି - ଏହି ବର୍ଷ ବିଶେଷ କରି କ’ଣ ଲକ୍ଷ୍ୟ ରଖିବୁ? ବାପଦାଦା
କହୁଛନ୍ତି - ସର୍ବଦା ଦେହୀ-ଅଭିମାନୀ, ସ୍ମୃତି ସ୍ୱରୂପ ଭବ । ଜୀବନମୁକ୍ତି ତ ନିଶ୍ଚିତ ପ୍ରାପ୍ତ
ହେବ କିନ୍ତୁ ଜୀବନମୁକ୍ତ ହେବା ପୂର୍ବରୁ ମେହନତ ମୁକ୍ତ ହୁଅ । ଏହି ସ୍ଥିତି ସମୟକୁ ସମୀପକୁ
ଅର୍ଥାତ୍ ନିକଟକୁ ନେଇ ଆସିବ ଏବଂ ତୁମର ସାରା ବିଶ୍ୱର ଭାଇଭଉଣୀମାନଙ୍କୁ ଦୁଃଖ ଏବଂ ଅଶାନ୍ତିରୁ
ମୁକ୍ତ କରିବ । ତୁମମାନଙ୍କର ଏହି ସ୍ଥିତି ଆତ୍ମାମାନଙ୍କ ପାଇଁ ମୁକ୍ତିଧାମର ଫାଟକ ଖୋଲିଦେବ ।
ତେଣୁ ନିଜର ଭାଇଭଉଣୀମାନଙ୍କ ଉପରେ କ’ଣ ଦୟା ଲାଗୁ ନାହିଁ! ଚାରିଆଡେ ଆତ୍ମାମାନେ କେତେ ଚିତ୍କାର
କରୁଛନ୍ତି, ତେବେ ତୁମମାନଙ୍କର ମୁକ୍ତି ହିଁ ସମସ୍ତଙ୍କୁ ମୁକ୍ତି ପ୍ରାପ୍ତ କରାଇଦେବ । ତେଣୁ
ଏହାକୁ ଚେକ୍ କର - ସ୍ୱାଭାବିକ ଭାବରେ ସ୍ମୃତି ସ୍ୱରୂପ ତଥା ସମର୍ଥ ସ୍ୱରୂପ କେତେ ପରିମାଣରେ
ହେଲିଣି? କାରଣ ସମର୍ଥ ସ୍ୱରୂପ ହେବା ଦ୍ୱାରା ବ୍ୟର୍ଥ ସହଜରେ ସମାପ୍ତ ହୋଇଯିବ, ବାରମ୍ବାର ମେହନତ
କରିବାକୁ ପଡିବ ନାହିଁ ।
ଏହି ବର୍ଷ ବାପଦାଦା
ପିଲାମାନଙ୍କ ପ୍ରତି ସ୍ନେହ ଥିବା କାରଣରୁ କୌଣସି ବି ସନ୍ତାନକୁ କୌଣସି ସମସ୍ୟା ପାଇଁ ମେହନତ
କରିବାର ଦେଖିବାକୁ ଚାହୁଁ ନାହାଁନ୍ତି । ସମସ୍ୟା ଗୁଡିକ ସମାପ୍ତ ହୋଇଯାଉ ଏବଂ ତୁମେ ସମାଧାନ
ସ୍ୱରୂପ, ସମର୍ଥ ସ୍ୱରୂପ ହୋଇଯାଅ । କ’ଣ ଏହା ହୋଇପାରିବ? ଦାଦୀମାନେ କୁହ ହୋଇପାରିବ? ଟୀଚରମାନେ
କୁହ ହୋଇପାରିବ? ପାଣ୍ଡବମାନେ ହୋଇପାରିବ? ତା’ପରେ ଆଉ କୌଣସି ବାହାନା ଶୁଣାଇବ ନାହିଁ, ଏହିଭଳି
ଥିଲା ନା, ଏହିଭଳି ହେଲା ନା... । ଏମିତି ହୋଇଥିଲେ ଏମିତି ହୋଇଥାଆନ୍ତ ...... । ବାପଦାଦା ତୁମର
ବହୁତ ମିଠା ମିଠା ଖେଳ ଦେଖି ସାରିଲେଣି । କିଛି ବି ହୋଇଯାଉ, ହିମାଳୟ ଠାରୁ ମଧ୍ୟ ବଡ ଶହେଗୁଣା
ସମସ୍ୟାର ସ୍ୱରୂପ ହୋଇଥାଉ, ଚାହେଁ ଶରୀର ଦ୍ୱାରା, ଚାହେଁ ମନ ଦ୍ୱାରା, ଚାହେଁ ବ୍ୟକ୍ତି ଦ୍ୱାରା,
ଚାହେଁ ପ୍ରକୃତି ଦ୍ୱାରା ସମସ୍ୟା ବା ପରିସ୍ଥିତି ଆସିଯାଉ କିନ୍ତୁ ସେହି ପରିସ୍ଥିତି ଅର୍ଥାତ୍
ପର-ସ୍ଥିତି ତୁମର ସ୍ୱ ସ୍ଥିତି ତୁଳନାରେ କିଛି ବି ନୁହେଁ ଏବଂ ତୁମର ସ୍ୱ ସ୍ଥିତିର ଆଧାର ହେଲା -
ତୁମର ସ୍ୱମାନ । ସ୍ୱମାନର ସ୍ଥିତ ସ୍ୱାଭାବିକ ହେଉ । ମନେ ପକାଇବାକୁ ନ ପଡୁ, ବାରମ୍ବାର ମେହନତ
କରିବାକୁ ନ ପଡୁ, ମୁଁ ତ ସ୍ୱଦର୍ଶନ ଚକ୍ରଧାରୀ ଅଟେ ବା ନୁରେ ରତ୍ନ ଅଟେ ବା ହୃଦୟ ସିଂହାସନର
ଅଧିକାରୀ ଆତ୍ମା ଅଟେ... ନା, ମୁଁ ହିଁ ଅଟେ । କ’ଣ ଆଉ କେହି ହେବାର ଅଛି କି? କଳ୍ପ ପୂର୍ବରୁ
କିଏ ହୋଇଥିଲା? ଆଉ କେହି ହୋଇଥିଲେ ନା ତୁମେ ହୋଇଥିଲ? ତୁମେମାନେ ହିଁ ହୋଇଥିଲ, ତୁମେମାନେ ହିଁ
ଅଟ ଏବଂ କଳ୍ପ କଳ୍ପ ତୁମେମାନେ ହିଁ ହେବ । ଏହା ସୁନିଶ୍ଚିତ ଅଟେ । ବାପଦାଦା ସମସ୍ତଙ୍କର
ଚେହେରାକୁ ଦେଖୁଛନ୍ତି - ଏମାନେ ସେହି କଳ୍ପ ପୂର୍ବର ଆତ୍ମା ଅଟନ୍ତି । କ’ଣ କେବଳ ଏହି କଳ୍ପର ଅଟ
ନା ଅନେକ କଳ୍ପର ଅଟ? ଅନେକ କଳ୍ପର ଅଟ ନା! ଅଟ ତ? ତେବେ ହାଠ ଉଠାଅ, ଯେଉଁମାନେ ସବୁ କଳ୍ପର
ଅଟନ୍ତି ସେମାନେ ହାତ ଉଠାଅ । ତେବେ ତ ହେବା ସୁନିଶ୍ଚିତ ଅଟେ ନା, ତୁମମାନଙ୍କୁ ତ ପାସ୍ ହେବାର
ପ୍ରମାଣ ପତ୍ର ମିଳିଗଲା ନା, ନା ନେବାକୁ ପଡିବ? ମିଳିଗଲା ନା? କ’ଣ ମିଳିଗଲା, ନା ନେବାର ଅଛି?
ଯଦି କଳ୍ପ ପୂର୍ବରୁ ମିଳିଥିଲା ତେବେ ଏବେ କାହିଁକି ନ ମିଳିବ! ତେଣୁ ଏହିଭଳି ସ୍ମୃତି ସ୍ୱରୂପ
ହୁଅ ଯେ ମୋତେ ସାର୍ଟିଫିକେଟ୍ ମିଳିଯାଇଛି । ହୁଏତ ସମ୍ମାନର ସହିତ ପାସ୍ ହେବାର ହେଉ ବା ସାଧାରଣ
ପାସ୍ ହେଉ, ଏହି ଫରକ ତ ରହିବ କିନ୍ତୁ ମୁଁ ହିଁ ଅଟେ, ଏହା ତ ପକ୍କା ଅଟେ ନା! ନା ଟ୍ରେନ୍ରେ
ଯାଉ ଯାଉ ଭୁଲିଯିବ ବା ପ୍ଳେନରେ ଯିବାବେଳେ ଉଡିଯିବ? ନା ।
ଯେପରି ଦେଖ ଏହି ବର୍ଷ
ଦୃଢ ସଂକଳ୍ପ କରିଥିଲ ଯେ ଶିବରାତ୍ରି ପର୍ବକୁ ଚାରିଆଡେ ଉମଙ୍ଗ-ଉତ୍ସାହର ସହିତ ପାଳନ କରିବାକୁ
ହେବ, ତେଣୁ ପାଳନ କରିଦେଲ ନା! ଦୃଢ ସଂକଳ୍ପରେ ଯାହା ଭାବିଥିଲ ତାହା ହୋଇଗଲା ନା! ତେବେ ଏହା କେଉଁ
କଥାର ଚମତ୍କାରୀ ଅଟେ? ଏକତା ଏବଂ ଦୃଢତା । ଭାବିଥିଲ ସ୍ଥାପନାର ୬୭ ବର୍ଷ ଲପଲକ୍ଷେ ୬୭ଟି
କାର୍ଯ୍ୟକ୍ରମ କରିବୁ କିନ୍ତୁ କେହି ତ ତା’ଠାରୁ ଅଧିକ ମଧ୍ୟ କରିଛନ୍ତି । ଏହା ହିଁ ହେଉଛି ସମର୍ଥ
ସ୍ୱରୂପର ଚିହ୍ନ, ଉମଙ୍ଗ-ଉତ୍ସାହର ପ୍ରତ୍ୟକ୍ଷ ପ୍ରମାଣ । ସ୍ୱତଃ ହିଁ ଚାରିଆଡେ କାର୍ଯ୍ୟକ୍ରମ
କରିଦେଲ ନା! ସେହିଭଳି ସମସ୍ତେ ମିଶି ପରସ୍ପରର ସାହସକୁ ବଢାଇବା ସହିତ ଏହି ସଂକଳ୍ପ କର ଯେ - ଏବେ
ସମୟକୁ ସମୀପକୁ ଆଣିବାକୁ ହିଁ ହେବ । ଆତ୍ମାମାନଙ୍କୁ ମୁକ୍ତି ଦେବାକୁ ହିଁ ହେବ । କିନ୍ତୁ ଏହା
ସେତେବେଳେ ହୋଇପାରିବ ଯେତେବେଳେ ତୁମେମାନେ ଭାବିବା ସ୍ୱରୂପରୁ ସ୍ମୃତି ସ୍ୱରୂପକୁ ଆସିବ ।
ବାପଦାଦା ଶୁଣୁଛନ୍ତି ଯେ ବିଦେଶୀ ପିଲାମାନଙ୍କର ବିଶେଷ ସ୍ନେହ ମିଳନ ବା ମିଟିଙ୍ଗ୍ ହେବାର ଅଛି
ଏବଂ ଭାରତବାସୀଙ୍କର ମଧ୍ୟ ମିଟିଙ୍ଗ୍ ଅଛି ତେବେ ମିଟିଙ୍ଗ୍ରେ କେବଳ ସେବାର ଯୋଜନା କରିବାର ନାହିଁ,
କର କିନ୍ତୁ ସନ୍ତୁଳନ ହିସାବରେ କର । ପରସ୍ପରର ଏଭଳି ସହଯୋଗୀ ହୁଅ ଯାହା ଦ୍ୱାରା ସମସ୍ତେ ମାଷ୍ଟର
ସର୍ବଶକ୍ତିବାନ ହୋଇ ଆଗକୁ ଉଡି ଚାଲିବେ । ତେଣୁ ଦାତା ହୋଇ ସହଯୋଗ ଦିଅ । କୌଣସି କଥାକୁ ଦେଖ ନାହିଁ
କିନ୍ତୁ ସହଯୋଗୀ ହୁଅ । ନିଜେ ସ୍ୱମାନରେ ରୁହ ଏବଂ ସମସ୍ତଙ୍କୁ ସ୍ୱମାନ ଦେଇ ତା’ର ସହଯୋଗୀ ହୁଅ
କାହିଁକି ନା କୌଣସି ବି ଆତ୍ମାକୁ ଯଦି ତୁମେ ଆନ୍ତରିକତା ପୂର୍ବକୁ ସମ୍ମାନ ଦେବ ତେବେ ଏହା ମଧ୍ୟ
ବହୁତ ବହୁତ ବଡ ପୁଣ୍ୟ ଅଟେ କାହିଁକି ନା ଦୁର୍ବଳ ଆତ୍ମାକୁ ଯଦି ଉମଙ୍ଗ-ଉତ୍ସାହରେ ଆଣିପାରିଲ ତେବେ
ଏହା କେତେ ବଡ ପୁଣ୍ୟ ଅଟେ? ତେଣୁ ପଡିଯାଇଥିବା ଆତ୍ମାକୁ ଆହୁରି ତଳେ ପକାଅ ନାହିଁ, ତାକୁ ଗଳାରେ
ଲଗାଅ ଅର୍ଥାତ୍ ଶରୀରର ଗଳାରେ ଲଗାଇବାର ନାହିଁ, ଗଳାରେ ଳଗାଇବା ଅର୍ଥ ତାକୁ ବାବାଙ୍କ ସମାନ କରିବା,
ସହଯୋଗ ଦେବା ।
ତେବେ ପିଲାମାନେ
ପଚାରିଛନ୍ତି ନା ଏହି ବର୍ଷ କ’ଣ କ’ଣ କରିବା? ବାସ୍ ସମସ୍ତଙ୍କୁ ସମ୍ମାନ ଦେବା ଏବଂ ସ୍ୱମାନରେ
ରହିବା । ନିଜେ ସମର୍ଥ ହୋଇ ସମସ୍ତଙ୍କୁ ସମର୍ଥ କରିବା ଏବଂ ବ୍ୟର୍ଥ କଥାରେ ଯିବାର ନାହିଁ ।
ଦୁର୍ବଳ ଆତ୍ମା ତ ଦୁର୍ବଳ ହିଁ ଅଟେ ତୁମେ ଯଦି ତା’ର ଦୁର୍ବଳତା ଗୁଡିକୁ ଦେଖି ଚାଲିବ ତେବେ ତା’ର
ସହଯୋଗୀ କିପରି ହେବ! ଯଦି ସହଯୋଗ ଦେବ ତେବେ ତା’ଠାରୁ ଆଶୀର୍ବାଦ ମିଳିବ । ଯଦି ଆଉ କିଛି କରି ନ
ପାରୁଛ ତେବେ ନ କର କିନ୍ତୁ ସବୁଠାରୁ ସହଜ ପୁରୁଷାର୍ଥ ହେଲା ଆଶୀର୍ବାଦ ଦିଅ, ଆଶୀର୍ବାଦ ନିଅ ।
ଅନ୍ୟକୁ ସମ୍ମାନ ଦିଅ ଏବଂ ନିଜେ ମହିମା ଯୋଗ୍ୟ ହୁଅ । ଅନ୍ୟକୁ ସମ୍ମାନ ଦେବାବାଲା ହିଁ ସମସ୍ତଙ୍କ
ଦ୍ୱାରା ମାନନୀୟ ହୋଇଥା’ନ୍ତି । ବର୍ତ୍ତମାନ ଯେତିକି ମାନନୀୟ ହେବ ସେହି ଅନୁସାରେ ହିଁ ରାଜ୍ୟ
ଅଧିକାରୀ ଏବଂ ପୂଜ୍ୟ ଆତ୍ମା ହେବ । କେବଳ ଦେଇଚାଲ, କିଛି ବି ନେବାର ନାହିଁ । ନେବା ଏବଂ ଦେବା
ଏହା ତ ବ୍ୟବସାୟୀମାନଙ୍କର କାମ । ତୁମେମାନେ ତ ଦାତାଙ୍କର ସନ୍ତାନ । ବାକି ବାପଦାଦା ଚାରିଆଡର
ପିଲାମାନଙ୍କର ସେବାକୁ ଦେଖି ଖୁସି ହେଉଛନ୍ତି, ସମସ୍ତେ ବହୁତ ଭଲ ସେବା କରିଛନ୍ତି, କିନ୍ତୁ ଏବେ
ଆହୁରି ଆଗକୁ ବଢିବାକୁ ହେବ ନା! ବାଣୀ ଦ୍ୱାରା ସମସ୍ତେ ବହୁତ ଭଲ ସେବା କରିଛନ୍ତି, ସାଧନଗୁଡିକ
ଦ୍ୱାରା ମଧ୍ୟ ଭଲ ସେବା କରିଛନ୍ତି ଏବଂ ଫଳାଫଳ ମଧ୍ୟ ମିଳିଛି । ଅନେକ ଆତ୍ମାଙ୍କର ଉଲୁଗୁଣା ଦେବା
ମଧ୍ୟ ସମାପ୍ତ କରି ଦେଇଛନ୍ତି । ଏହା ସହିତ ସମୟର ତୀବ୍ରଗତିର ବେଗକୁ ଦେଖି ବାପଦାଦା ଏହି କଥା
ଚାହୁଁଛନ୍ତି ଯେ କେବଳ ଅଳ୍ପ ସଂଖ୍ୟକ ଆତ୍ମାମାନଙ୍କର ସେବା କରିବାର ନାହିଁ କିନ୍ତୁ ବିଶ୍ୱର ସର୍ବ
ଆତ୍ମାଙ୍କର ମୁକ୍ତିଦାତା ନିମିତ୍ତ ତ ତୁମେମାନେ ହିଁ ଅଟ କାହିଁକିନା ବାବାଙ୍କର ସାଥୀ ଅଟ, ତେଣୁ
ସମୟର ଗତିକୁ ଦେଖି ବର୍ତ୍ତମାନ ଏକା ସାଥୀରେ ତିନି ପ୍ରକାରର ସେବା ଏକାଠି କରିବାକୁ ହେବ, ତାହା -
ଗୋଟିଏ ହେଲା ବାଣୀ ଦ୍ୱାରା, ଦ୍ୱିତୀୟରେ ନିଜର ଶକ୍ତିଶାଳୀ ସ୍ଥିତି ଦ୍ୱାରା ଏବଂ ତୃତୀୟରେ
ଶ୍ରେଷ୍ଠ ଭାଇବ୍ରେଶନ୍ ଅର୍ଥାତ୍ ଆତ୍ମିକ ପ୍ରକମ୍ପନ ଦ୍ୱାରା । ଯେଉଁଠାରେ ବି ସେବା କର ସେଠାରେ
ଏଭଳି ଆତ୍ମିକ ପ୍ରକମ୍ପନ ବିଚ୍ଛୁରିତ କର ଯାହାକି ସେହି ପ୍ରକମ୍ପନର ପ୍ରଭାବରେ ଆତ୍ମାମାନେ ସହଜରେ
ଆକର୍ଷିତ ହେବାକୁ ଲାଗିବେ । ଦେଖ, ଏବେ ଶେଷ ଜନ୍ମରେ ମଧ୍ୟ ତୁମମାନଙ୍କର ଜଡ ଚିତ୍ର କିପରି ସେବା
କରୁଛି? ସେମାନେ କ’ଣ ବାଣୀ ଦ୍ୱାରା କହୁଛନ୍ତି? ସେମାନଙ୍କର ଭାଇବ୍ରେଶନ ଏଭଳି ରହିଛି ଯାହାଦ୍ୱାରା
ଭକ୍ତମାନଙ୍କକର ଭାବନାର ଫଳ ସହଜରେ ମିଳିଯାଉଛି । ଏହିଭଳି ତୁମମାନଙ୍କର ଭାଇବ୍ରେଶନ ମଧ୍ୟ
ଶକ୍ତିଶାଳୀ ହେଉ ଏବଂ ସେହି ସଂକଳ୍ପର ଭାଇବ୍ରେଶନ ଦ୍ୱାରା ସର୍ବଶକ୍ତିର କିରଣ ଚତୁର୍ଦ୍ଦିଗରେ
ବିଚ୍ଛୁରିତ ହେଉ ଯାହାଦ୍ୱାରା ବାୟୁମଣ୍ଡଳ ମଧ୍ୟ ପରିବର୍ତ୍ତନ ହୋଇଯିବ । ତେବେ ଏହି ଭାଇବ୍ରେଶନ
ଏଭଳି ଜିନିଷ ଯାହା ଦ୍ୱାରା ହୃଦୟରେ ଛାପ ଲାଗିଯାଏ । ତୁମମାନଙ୍କର ତ ଅନୁଭବ ଥିବ ଯେ କୌଣସି ଆତ୍ମା
ପ୍ରତି ଯଦି କୌଣସି ପ୍ରକାରର ଭଲ ବା ମନ୍ଦ ଭାଇବ୍ରେଶନ ତୁମ ଦିଲ୍ରେ ରହିଯାଉଛି ତେବେ ତାହା କେତେ
ସମୟ ପର୍ଯ୍ୟନ୍ତ ଚାଲୁଛି? ବହୁତ ସମୟ ଚାଲୁଛି ନା! ତାକୁ ବାହାର କରି ଦେବାକୁ ଚାହିଁଲେ ମଧ୍ୟ
ବାହାରୁ ନାହିଁ, ଯଦି କାହା ପ୍ରତି ଖରାପ ଭାଇବ୍ରେଶନ ବସା ବାନ୍ଧି ଦେଉଛି, ତେବେ କ’ଣ ସହଜରେ
ବାହାରି ପାରୁଛି? ତେଣୁ ତୁମମାନଙ୍କର ସର୍ବଶକ୍ତିର କିରଣର ଭାଇବ୍ରେଶନ ଛାପର କାମ କରିବ । ବାଣୀକୁ
ଭୁଲି ଯାଇପାରିବେ କିନ୍ତୁ ଭାଇବ୍ରେଶନର ଛାପକୁ ସହଜରେ ଭୁଲି ହେବ ନାହିଁ । ଅନୁଭବ ଅଛି ନା! କ’ଣ
କହୁଛ ଅଛି ନା ଅନୁଭବ!
ତେବେ ଗୁଜୁରାଟ ଏବଂ
ବମ୍ବେ ଯେଉଁଭଳି ଉମଙ୍ଗ-ଉତ୍ସାହ ଦେଖାଇଛନ୍ତି ତାଙ୍କୁ ମଧ୍ୟ ବାପଦାଦା ପଦ୍ମାପଦ୍ମ ଗୁଣା
ଅଭିନନ୍ଦନ ଦେଉଛନ୍ତି । କାହିଁକି ଜାଣିଛ? ସେଥିରେ ବିଶେଷତା କ’ଣ ଥିଲା? ଅଭିନନ୍ଦନ କାହିଁକି
ଦେଉଛନ୍ତି? ବହୁତ ବଡ ବଡ କାର୍ଯ୍ୟକ୍ରମ ତ ସମସ୍ତେ କରୁଛନ୍ତି କିନ୍ତୁ ଏଥିରେ ବିଶେଷ ଅଭିନନ୍ଦନ
କାହିଁକି ଦିଆଯାଉଛି? କାହିଁକି ନା ଏଥିରେ ଦୁଇ ପ୍ରକାରର ବିଶେଷତା ଥିଲା - ଏକତା ଏବଂ ଦୃଢତାର
ବିଶେଷତା । ଯେଉଁଠାରେ ଏକତା ଏବଂ ଦୃଢତା ଅଛି ସେଠାରେ ଏକ ବର୍ଷ ପରିବର୍ତ୍ତେ ଏକ ମାସ ମଧ୍ୟ ବର୍ଷ
ସହିତ ସମାନ ଅଟେ । ଶୁଣିଲ ତ ଗୁଜୁରାଟ ଏବଂ ବମ୍ବେ ନିବାସୀ ପିଲାମାନେ! ଆଚ୍ଛା!
ଏବେ ଗୋଟିଏ ସେକେଣ୍ଡରେ
ଜ୍ଞାନ ସୂର୍ଯ୍ୟ ସ୍ଥିତିରେ ସ୍ଥିତ ହୋଇ ଚାରିଆଡର ଭୟଭୀତ ଏବଂ ହଲ୍ଚଲ୍ବାଲା ଆତ୍ମାମାନଙ୍କ ଉପରେ
ସର୍ବଶକ୍ତିର କିରଣ ବିଚ୍ଛୁରିତ କର । ସେମାନେ ବହୁତ ଭୟଭୀତ ଅବସ୍ଥାରେ ଅଛନ୍ତି, ତେଣୁ ତାଙ୍କୁ
ଶକ୍ତି ଦିଅ । ଭାଇବ୍ରେଶନ ଖେଳାଅ । ଆଚ୍ଛା (ବାପଦାଦା ଡ୍ରିଲ୍ କରାଇଲେ) ଚାରିଆଡର ପିଲାମାନଙ୍କର
ଭିନ୍ନ ଭିନ୍ନ ୟାଦପ୍ୟାର ଏବଂ ସମାଚାରର ପତ୍ର ଏବଂ ଇମେଲ୍ ଗୁଡିକ ବାବାଙ୍କ ପାଖରେ ପହଞ୍ଚି ଯାଇଛି
। ସମସ୍ତେ କହୁଛନ୍ତି ମୋ କଥା ବାବାଙ୍କୁ ଜଣାଇବେ... ତେଣୁ ବାପଦାଦା କହୁଛନ୍ତି ମୋର ପ୍ରିୟ
ପିଲାମାନଙ୍କର ୟାଦପ୍ୟାର ବାପଦାଦାଙ୍କ ନିକଟରେ ପହଞ୍ଚି ଯାଇଛି କାରଣ ଦୂରଦେଶରେ ବସିଥିଲେ ମଧ୍ୟ
ପିଲାମାନେ ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ଅଟନ୍ତି । ତେଣୁ ତୁମମାନଙ୍କୁ ଯେଉଁମାନେ ବି
କହିଛନ୍ତି ମୋ କଥା ଜଣାଇବ, ମୋ’ କଥା ଜଣାଇବ.... ତାହା ସବୁ ବାବାଙ୍କ ପାଖରେ ପହଞ୍ଚି ଯାଇଛି ।
ଏହା ହିଁ ହେଉଛି ପିଲାମାନଙ୍କର ଏବଂ ବାବାଙ୍କର ସ୍ନେହ ଯାହାକି ପିଲାମାନଙ୍କୁ ଉଡିବାରେ ସାହାଯ୍ୟ
କରୁଛି । ଆଚ୍ଛା!
ଚାରିଆଡର ଅତି ଶ୍ରେଷ୍ଠ
ଭାଗ୍ୟବାନ୍ କୋଟିକ ଭିତରେ କେହି ବିଶେଷ ଆତ୍ମାମାନଙ୍କୁ, ସର୍ବଦା ସ୍ୱମାନରେ ରହି ଅନ୍ୟମାନଙ୍କୁ
ସମ୍ମାନ ଦେଉଥିବା ଯୋଗ୍ୟ ସେବାଧାରୀ ପିଲାମାନଙ୍କୁ, ସର୍ବଦା ସ୍ମୃତି ସ୍ୱରୂପ ତଥା ସମର୍ଥ
ଆତ୍ମାମାନଙ୍କୁ, ସର୍ବଦା ଅଚଳ-ଅଟଳ ସ୍ଥିତିର ଆସନ ଉପରେ ସ୍ଥିତ ହୋଇଥିବା ସର୍ବଶକ୍ତିର ସ୍ୱରୂପ
ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
ଦିଦିଜୀଙ୍କ ସହିତ :-
ବାପଦାଦା ତୁମ ଉପରେ ବିଶେଷ ଭାବରେ ଖୁସି ଅଛନ୍ତି । କାହିଁକି ଖୁସି ଅଛନ୍ତି? ବିଶେଷ କରି ଏହି କଥା
ଉପରେ ଖୁସି ଅଛନ୍ତି ଯେ ବ୍ରହ୍ମାବାବା ଯେପରି ସମସ୍ତଙ୍କୁ ଆଦେଶ ଦେଉଥିଲେ - ଏହି କଥା କରିବାକୁ
ହେବ, ଏବେ ହିଁ କରିବାକୁ ହେବ, ସେହିପରି ତୁମେ ମଧ୍ୟ ବ୍ରହ୍ମାବାବାଙ୍କୁ ଅନୁକରଣ କରିଛ । (ଆପଣ
ମଧ୍ୟ ମୋ ସାଥୀରେ ଅଛନ୍ତି) ତାହା ତ ଠିକ୍ କଥା କିନ୍ତୁ ନିମିତ୍ତ ତ ତୁମେ ହୋଇଛ ନା ଏବଂ ଏଭଳି
ଦୃଢ ସଂକଳ୍ପ କରିଛ ଯାହାକି ଚାରିଆଡେ ସଫଳତା ହିଁ ସଫଳତା ମିଳୁଛି । ସେଥିପାଇଁ ତୁମ ଭିତରେ ବହୁତ
ଆତ୍ମିକ ଶକ୍ତି ଗୁପ୍ତ ରୂପରେ ଭରି ହୋଇ ରହିଛି । ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ଅଛି । ତୁମ ଭିତରେ
ଆତ୍ମିକ ଶକ୍ତି ଏତେ ମାତ୍ରାରେ ଭରି ରହିଛି ଯାହାକି ସ୍ୱାସ୍ଥ୍ୟର କୌଣସି ପ୍ରଭାବ ପଡୁ ନାହିଁ ।
ଏହା ଚମତ୍କାର ଅଟେ ନା! ତେବେ ଦାଦିମାନଙ୍କୁ ବାବାଙ୍କ ସହିତ ମିଶିବାର ଦେଖି ସମସ୍ତଙ୍କର ମନ ହେଉଛି
ଆମେ ବି ଯଦି ଦାଦି ହୋଇଥା’ନ୍ତୁ ତେବେ ଆମେ ମଧ୍ୟ ବାବାଙ୍କ ସହିତ ମିଶିଥାଆନ୍ତୁ । ତେବେ ତୁମେମାନେ
ମଧ୍ୟ ଦିନେ ଦିଦି ହେବ । ଏବେ ବାପଦାଦା ମନ ଭିତରେ ଗୋଟିଏ ପ୍ଳାନ ରଖିଛନ୍ତି ଯାହାକୁ ଏବେ ଜଣାଉ
ନାହାଁନ୍ତି । ତେଣୁ ଯେଉଁମାନେ ବ୍ରହ୍ମାବାବାଙ୍କର ସାକାରରେ ଥିବାବେଳେ ଆଦି ରତ୍ନମାନେ ବାହାରି
ଥିଲେ ସେମାନଙ୍କର ସଂଗଠନକୁ ମଜବୁତ କରିବାକୁ ହେବ । (କେବେ କରିବୁ?) ଯେତେବେଳେ ତୁମେ କରିପାରିବ
। ଏହି ଡ୍ୟୁଟୀ ତୁମର (ଦାଦି ଜାନକୀଙ୍କୁ) ତୁମର ଦିଲ୍ରେ ସଂକଳ୍ପ ତ ଅଛି ନା? କାହିଁକି ନା ଯେପରି
ତୁମେ ଦାଦି ମାନଙ୍କର ଏକତାର ଏବଂ ଦୃଢତାର ସଂଗଠନ ମଜବୁତ ଅଛି, ସେହିପରି ଆଦି ସେବାର
ରତ୍ନମାନଙ୍କର ସଂଗଠନ ମଧ୍ୟ ମଜବୁତ ହେବା ଦରକାର । ଏହାର ବହୁତ ବହୁତ ଆବଶ୍ୟକତା ରହିଛି କାହିଁକି
ନା ସେବା ତ ନିଶ୍ଚିତ ବଢିବ । ତେବେ ସଂଗଠନର ଶକ୍ତି ଯାହା ଚାହିଁବ ତାହା କରିପାରିବ ଏବଂ ସଂଗଠନର
ସ୍ମାରକୀର ପ୍ରତୀକ ହେଲେ ପାଞ୍ଚପାଣ୍ଡବ । ପାଞ୍ଚ ଜଣ ହୋଇଥିଲେ ମଧ୍ୟ ସଂଗଠନର ପ୍ରତୀକ ଅଟନ୍ତି ।
ଆଚ୍ଛା - ଏବେ ଯେଉଁମାନେ ସାକାର ବ୍ରହ୍ମାବାବା ଥିବା ସମୟର ପିଲାମାନେ ସେବା ଅର୍ଥେ ସେବାକେନ୍ଦ୍ର
ମାନଙ୍କରେ ରହୁଛନ୍ତି, ସେବାରେ ଲାଗି ରହିଛନ୍ତି ସେମାନେ ଉଠ । ଭାଇମାନେ ମଧ୍ୟ ଅଛନ୍ତି ।
ପାଣ୍ଡବମାନଙ୍କ ବିନା କ’ଣ ଗତି ଅଛି । ଏଠାରେ ତ ଅଳ୍ପ ଅଳ୍ପ ଅଛନ୍ତି କିନ୍ତୁ ଆହୁରି ମଧ୍ୟ ବହୁତ
ଅଛନ୍ତି । ସଂଗଠନକୁ ମଜବୁତ କରିବାର ଦାୟିତ୍ୱ ଦାଦି ମାନଙ୍କର ଅଟେ । ଇଏ ପ୍ରକାଶମଣୀ ଦାଦି ତ
ବ୍ୟାକ୍ବୋନ୍ ଅର୍ଥାତ୍ ମୁଖ୍ୟ ଆଧାର ଅଟେ । ବହୁତ ଭଲ ଭଲ ରତ୍ନ ଅଛନ୍ତି । ଆଚ୍ଛା! ସବୁକିଛି ଠିକ୍
ଚାଲିଛି । ଯାହା ବି କରୁଥାଅ ନା କାହିଁକି ତୁମମାନଙ୍କର ସଂଗଠନର ମହାନତା ରହିଛି ଏବଂ ସଂଗଠନ କିଲା
ବହୁତ ମଜବୁତ ଅଛି । ଆଚ୍ଛା!
ବରଦାନ:-
ସ୍ୱମାନର ଆସନ
ଉପରେ ସ୍ଥିତ ରହି ପ୍ରତ୍ୟେକ ପରିସ୍ଥିତିକୁ ଅତିକ୍ରମ କରୁଥିବା ସଦା ବିଜୟୀ ହୁଅ ।
ସର୍ବଦା ନିଜର ଏହି
ସ୍ୱମାନର ଆସନ ଉପରେ ସ୍ଥିତ ରୁହ ଯେ ମୁଁ ବିଜୟୀ ରତ୍ନ ଅଟେ । ମାଷ୍ଟର ସର୍ବଶକ୍ତିମାନ ଅଟେ । ତେବେ
ବସିବାର ଆସନ ଯେପରି ହୋଇଥାଏ, ବସିବାବାଲାଙ୍କ ଭିତରେ ଲକ୍ଷଣ ମଧ୍ୟ ସେହିପର ଦେଖାଯାଏ । ଯଦି କୌଣସି
ବି ପରିସ୍ଥିତି ସମ୍ମୁଖକୁ ଆସୁଛି, ତେବେ ଗୋଟିଏ ସେକେଣ୍ଡ ଭିତରେ ନିଜର ଏହି ଆସନ ଉପରେ ସ୍ଥିତ
ହୋଇଯାଅ କାହିଁକି ନା ଆସନ ଉପରେ ବସିଥିବା ଅଧିକାରୀର ଆଦେଶକୁ ହିଁ ସମସ୍ତେ ମାନିଥାଆନ୍ତି । ତେଣୁ
ସର୍ବଦା ଯଦି ସ୍ୱମାନ ରୂପୀ ଆସନ ଉପରେ ବସିଥିବ, ତେବେ ବିଜୟୀ ହୋଇଯିବ । ସଂଗମଯୁଗ ହିଁ ହେଉଛି
ସର୍ବଦା ବିଜୟୀ ହେବାର ଯୁଗ । ଏହି ଯୁଗକୁ ବରଦାନ ମିଳିଛି, ତେଣୁ ବରଦାନୀ ହୋଇ ବିଜୟୀ ହୁଅ ।
ସ୍ଲୋଗାନ:-
ଶିବଶକ୍ତି
ପାଣ୍ଡବ ସେନା ହିଁ ସବୁ ପ୍ରକାରର ଆସକ୍ତି ଉପରେ ବିଜୟ ପ୍ରାପ୍ତ କରିପାରିବେ ।