23.01.26 Morning Odia Murli Om Shanti BapDada Madhuban
ମିଠେ ବଚ୍ଚେ:- ତୁମ
ମୁଖରୁ ସର୍ବଦା ଜ୍ଞାନ ରତ୍ନ ହିଁ ବାହାରିବା ଉଚିତ୍, ତୁମର ଚେହେରା ସର୍ବଦା ହର୍ଷିତ ରହିବା
ଉଚିତ୍” ।
ପ୍ରଶ୍ନ:-
ଯେଉଁ ପିଲାମାନେ
ବ୍ରାହ୍ମଣ ଜୀବନରେ ଜ୍ଞାନର ଧାରଣା କରିଛନ୍ତି, ସେମାନଙ୍କର ଲକ୍ଷଣ କିପରି ହୋଇଥିବ?
ଉତ୍ତର:-
(୧) ସେମାନଙ୍କର ଚାଲି-ଚଲଣ ଦେବତାଙ୍କ ଭଳି ହୋଇଥିବ, ସେମାନେ ଦୈବୀଗୁଣର ଧାରଣା କରିଥିବେ (୨)
ସେମାନଙ୍କର ଜ୍ଞାନର ବିଚାର ସାଗର ମନ୍ଥନ କରିବାର ଅଭ୍ୟାସ ଥିବ । ସେମାନେ କେବେ ହେଲେ ଆସୁରୀ
କଥାର ଅର୍ଥାତ୍ କାଦୁଅର ମନ୍ଥନ କରିବେ ନାହିଁ । (୩) ସେମାନଙ୍କ ଜୀବନରୁ ଗାଳି ଦେବା ଏବଂ ଗ୍ଲାନୀ
ଅର୍ଥାତ୍ ନିନ୍ଦା କରିବା ସମାପ୍ତ ହୋଇଯାଇଥାଏ । (୪) ସେମାନଙ୍କର ମୁଖମଣ୍ଡଳ ସର୍ବଦା ହର୍ଷିତ
ଅବସ୍ଥାରେ ରହିଥାଏ ।
ଓମ୍ ଶାନ୍ତି ।
ବାବା ଆସି ଜ୍ଞାନ ଏବଂ ଭକ୍ତି ସମ୍ବନ୍ଧରେ ବୁଝାଉଛନ୍ତି । ଏ କଥା ତ ପିଲାମାନେ ବୁଝିଗଲେଣି ଯେ
ଭକ୍ତି ଦ୍ୱାରା ସଦ୍ଗତି ହୋଇ ନ ଥାଏ ଏବଂ ସତ୍ୟଯୁଗରେ ଭକ୍ତି ନ ଥାଏ । ଜ୍ଞାନ ମଧ୍ୟ ସତ୍ୟଯୁଗରେ
ମିଳେ ନାହିଁ । ଶ୍ରୀକୃଷ୍ଣ ନା ଭକ୍ତି କରିଥା’ନ୍ତି ନା ଜ୍ଞାନର ମୁରଲୀ ବଜାଇଥା’ନ୍ତି । ମୁରଲୀ
ଅର୍ଥାତ୍ ଜ୍ଞାନ ଦେବା । ଗାୟନ ମଧ୍ୟ ରହିଛି ନା ମୁରଲୀରେ ଯାଦୁ । ତେବେ ନିଶ୍ଚିତ କୌଣସି ଯାଦୁ
ଥିବ ନା! କେବଳ ମୁରଲୀ ବଜାଇବା, ତାହା ତ ସାଧାରଣ ଫକୀରମାନେ ମଧ୍ୟ ବଜାଉଛନ୍ତି । କିନ୍ତୁ ଏହି
ମୁରଲୀରେ ଜ୍ଞାନର ଯାଦୁ ଅଛି । ଅଜ୍ଞାନକୁ ଯାଦୁ ତ କୁହାଯିବ ନାହିଁ । ସେଥିପାଇଁ ମୁରଲୀକୁ ଯାଦୁ
କୁହାଯାଏ । ଜ୍ଞାନ ଦ୍ୱାରା ହିଁ ମନୁଷ୍ୟରୁ ଦେବତା ହୋଇଥା’ନ୍ତି । ସତ୍ୟଯୁଗ (ସ୍ୱର୍ଗ) ହେଉଛି ଏହି
ଜ୍ଞାନ ଦ୍ୱାରା ମିଳୁଥିବା ସମ୍ପତ୍ତି । ସେଠାରେ ଭକ୍ତି ନ ଥାଏ । ଦ୍ୱାପର ଯୁଗଠାରୁ ଭକ୍ତି ଆରମ୍ଭ
ହୁଏ, ଯେତେବେଳେ କି ଦେବତାରୁ ମନୁଷ୍ୟ ହୋଇଯା’ନ୍ତି । ମନୁଷ୍ୟମାନଙ୍କୁ ବିକାରୀ, ଦେବତାମାନଙ୍କୁ
ନିର୍ବିକାରୀ କୁହାଯାଏ । ଦେବତାମାନଙ୍କର ସୃଷ୍ଟିକୁ ପବିତ୍ର ଦୁନିଆ କୁହାଯାଏ । ଏବେ ତୁମେମାନେ
ଦେବତା ହେବାକୁ ଯାଉଛ । ଜ୍ଞାନ କାହାକୁ କୁହାଯାଏ? ପ୍ରଥମେ ନିଜର ବା ବାବାଙ୍କର ପରିଚୟ ଏବଂ
ଦ୍ୱିତୀୟରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ଜ୍ଞାନ କୁହାଯାଏ । ଜ୍ଞାନ ଦ୍ୱାରା ସଦ୍ଗତି
ହୋଇଥାଏ । ପୁଣି ଯେତେବେଳେ ଭକ୍ତି ଆରମ୍ଭ ହୁଏ ତାକୁ ଅବନତିର କଳା ଅର୍ଥାତ୍ ପତନର ସମୟ ବୋଲି
କୁହାଯାଏ କାରଣ ଭକ୍ତିକୁ ରାତି ଏବଂ ଜ୍ଞାନକୁ ଦିନ କୁହାଯାଏ । ଏହା ତ ଯେ କେହି ବି ବୁଝିପାରିବେ
କିନ୍ତୁ ଦୈବୀ ଗୁଣର ଧାରଣା ହୋଇ ପାରୁନାହିଁ । ଯଦି ଦୈବୀଗୁଣ ଅଛି ତେବେ ବୁଝିବାକୁ ହେବ ଯେ,
ଜ୍ଞାନର ଧାରଣା ରହିଛି । ଜ୍ଞାନକୁ ଧାରଣ କରୁଥିବା ଆତ୍ମାମାନଙ୍କର ଚାଲି-ଚଳଣ ଦେବତାଙ୍କ ଭଳି
ହୋଇଥାଏ । କମ୍ ଧାରଣା କରୁଥିବା ଆତ୍ମାମାନଙ୍କର ମିଶ୍ରିତ ଅର୍ଥାତ୍ କିଛି ଆସୁରୀ କିଛି ଦୈବୀ ଚଳଣି
ହୋଇଥାଏ । ଯଦି ଜ୍ଞାନର ଧାରଣା ନାହିଁ, ତେବେ ସେମାନେ ମୋର ସନ୍ତାନ ହିଁ ନୁହଁନ୍ତି । ଲୋକମାନେ
ବାବାଙ୍କର କେତେ ନିନ୍ଦା କରୁଛନ୍ତି । କିନ୍ତୁ ବ୍ରାହ୍ମଣ କୁଳକୁ ଆସିଗଲା ପରେ ଗାଳିଦେବା, ଗ୍ଲାନୀ
କରିବା ବନ୍ଦ ହୋଇଯାଏ । ତୁମକୁ ଏବେ ଜ୍ଞାନ ମିଳୁଛି, ଯାହାର ବିଚାର ସାଗର ମନ୍ଥନ କରିଲେ ଅମୃତ
ମିଳିଥାଏ । ଯଦି ଏହି ଜ୍ଞାନର ବିଚାର ସାଗର ମନ୍ଥନ ହେଉନାହିଁ, ତେବେ ବୁଦ୍ଧିରେ କ’ଣ ମନ୍ଥନ
ହେଉଥିବ? ଆସୁରୀ ବିଚାର । ସେଥିରୁ ତ ଆର୍ବଜନା ହିଁ ବାହାରିବ । ଏବେ ତୁମେ ଈଶ୍ୱରୀୟ ବିଦ୍ୟାର୍ଥୀ
ଅଟ । ତୁମେ ଜାଣିଛ ଆମେ ମନୁଷ୍ୟରୁ ଦେବତା ହେବାର ପାଠ ପଢୁଛୁ । ଏହି ପାଠ ଦେବତାମାନେ ପଢାଇବେ
ନାହିଁ । ଦେବତାମାନଙ୍କୁ କେବେ ଜ୍ଞାନର ସାଗର କୁହାଯାଏ ନାହିଁ । ଜ୍ଞାନର ସାଗର ତ ଜଣଙ୍କୁ ହିଁ
କୁହାଯାଏ । ଦୈବୀଗୁଣ ମଧ୍ୟ ଜ୍ଞାନ ଦ୍ୱାରା ହିଁ ଧାରଣ ହୋଇଥାଏ । ଏହି ଜ୍ଞାନ ଯାହାକି ବର୍ତ୍ତମାନ
ତୁମମାନଙ୍କୁ ମିଳୁଛି ତାହା ସତ୍ୟଯୁଗରେ ନ ଥାଏ କିନ୍ତୁ ଦେବତାମାନଙ୍କ ଭିତରେ ଦୈବୀଗୁଣ ଥାଏ ।
ତୁମେମାନେ ସେମାନଙ୍କର ମହିମା ମଧ୍ୟ କରୁଛ ସର୍ବଗୁଣ ସମ୍ପନ୍ନ... ତେବେ ବର୍ତ୍ତମାନ ତୁମକୁ
ସେହିଭଳି ହେବାକୁ ପଡିବ । ତେଣୁ ନିଜକୁ ପଚାରିବା ଦରକାର ଯେ, ମୋ ଭିତରେ ସବୁ ଦୈବୀଗୁଣ ଅଛି ନା
କୌଣସି ଆସୁରୀ ଅବଗୁଣ ରହିଛି? ଯଦି ଆସୁରୀ ଅବଗୁଣ ଅଛି, ତେବେ ତାକୁ ବାହାର କରିଦେବା ଦରକାର, ତେବେ
ଯାଇ ଦେବତା କୁହାଯିବ । ନଚେତ୍ କମ୍ ପଦ ପାଇବ ।
ଏବେ ତୁମେ ପିଲାମାନେ ଦେବୀଗୁଣ ଧାରଣ କରୁଛ । ଅନ୍ୟମାନଙ୍କୁ ବହୁତ ଭଲ ଭଲ କଥା ଶୁଣାଉଛ । ଏହାକୁ
ହିଁ ପୁରୁଷୋତ୍ତମ ସଂଗମଯୁଗ କୁହାଯାଉଛି, ଯେତେବେଳେ କି ତୁମେମାନେ ପୁରୁଷୋତ୍ତମ ହେଉଛ, ତେଣୁ
ବାତାବରଣ ମଧ୍ୟ ବହୁତ ଭଲ ହେବା ଦରକାର । ମୁଖରୁ କୌଣସି ଛି-ଛି କଥା ଅର୍ଥାତ୍ ବିକାରୀ କଥା
ବାହାରିବା ଉଚିତ୍ ନୁହେଁ । ନଚେତ୍ କୁହାଯିବ ଇଏ ବହୁତ ଛୋଟ ପଦ ପାଇବେ । ତେବେ କଥାବାର୍ତ୍ତା ଏବଂ
ବାତାବରଣରୁ ସବୁକିଛି ତୁରନ୍ତ ଜଣା ପଡିଯାଇଥାଏ । ତୁମର ଚେହେରା ସର୍ବଦା ହର୍ଷିତ ରହିବା ଉଚିତ୍ ।
ନଚେତ୍ କୁହାଯିବ ୟାଙ୍କ ଭିତରେ ଜ୍ଞାନ ନାହିଁ । ମୁଖରୁ ସର୍ବଦା ଜ୍ଞାନ ରତ୍ନ ହିଁ ବାହାରୁଥାଉ ।
ଏହି ଲକ୍ଷ୍ମୀ-ନାରାୟଣଙ୍କୁ ଦେଖ କେତେ ହର୍ଷିତମୁଖ ଅଟନ୍ତି । କାରଣ ଏମାନଙ୍କର ଆତ୍ମା ଏହି ଜ୍ଞାନ
ରତ୍ନକୁ ସମ୍ପୂର୍ଣ୍ଣ ରୂପେ ଧାରଣ କରିଥିଲା । ତେଣୁ ତାଙ୍କ ମୁଖରୁ ସର୍ବଦା ଜ୍ଞାନ ରତ୍ନ ହିଁ
ବାହାରିଥାଏ । ସେହି ଜ୍ଞାନ ରତ୍ନକୁ ଶୁଣିବା ଏବଂ ଶୁଣାଇବା ଦ୍ୱାରା କେତେ ଖୁସି ମିଳିଥାଏ ।
ଜ୍ଞାନ ରତ୍ନ ଯାହାକି ଏବେ ତୁମକୁ ମିଳୁଛି, ତାହା ପୁଣି ଭବିଷ୍ୟତରେ ହୀରା-ନୀଳାରେ ପରିଣତ ହୋଇଯିବ
। ନବ ରତ୍ନର ମାଳା କୌଣସି ହୀରା-ନୀଳାର ନୁହେଁ ତାହା ଏହି ଜ୍ଞାନ ରତ୍ନର ହିଁ ମାଳା ଅଟେ । ଯାହାକୁ
ମନୁଷ୍ୟମାନେ ସ୍ଥୂଳ ରତ୍ନ ମନେ କରି ମୁଦି ଇତ୍ୟାଦି ତିଆରି କରି ପିନ୍ଧିଥା’ନ୍ତି । ଏହି ଜ୍ଞାନ
ରତ୍ନର ମାଳା ପୁରୁଷୋତ୍ତମ ସଂଗମଯୁଗରେ ହିଁ ତୁମମାନଙ୍କ ଗଳାରେ ପଡିଥାଏ । ଏହି ରତ୍ନ ହିଁ ତୁମକୁ
ଭବିଷ୍ୟତ ୨୧ ଜନ୍ମ ପାଇଁ ମାଲାମାଲ କରି ଦେଇଥାଏ । ଯାହାକୁ ତୁମଠାରୁ କେହି ବି ଲୁଟି ନେଇପାରିବେ
ନାହିଁ । ଏଠାରେ ଯଦି ତୁମେ କୌଣସି ହୀରା-ନୀଳାର ଅଳଙ୍କାର ପିନ୍ଧିବ, ତେବେ ତୁରନ୍ତ ଲୁଟି ନେଇଯିବେ
। ତେବେ ନିଜକୁ ବହୁତ ବହୁତ ବୁଦ୍ଧିମାନ କରିବାକୁ ହେବ । ଆସୁରୀ ଅବଗୁଣକୁ ନିଜ ଭିତରୁ ବାହାର
କରିବାକୁ ହେବ । ଆସୁରୀ ଅବଗୁଣ ଦ୍ୱାରା ଚେହେରା ହିଁ ପରିବର୍ତ୍ତନ ହୋଇଯାଇଥାଏ । କ୍ରୋଧ ଆସିଲେ
ମୁହଁ ଯେପରି ତମ୍ବା ଭଳି ଲାଲ ହୋଇଯାଏ । କାମ ବିକାରରେ ଆସକ୍ତ ମନୁଷ୍ୟ ତ କଳା ଅର୍ଥାତ୍ ପତିତ
ହୋଇଯାଇଥାଆନ୍ତି । ତେବେ ପିଲାମାନଙ୍କୁ ପ୍ରତ୍ୟେକ କଥାରେ ବିଚାର ସାଗର ମନ୍ଥନ କରିବା ଦରକାର ।
କାରଣ ଏହି ପାଠପଢା ହିଁ ବହୁତ ଧନ ଉପାର୍ଜନ କରାଇଥାଏ । ଦୁନିଆର ପାଠପଢାକୁ ରତ୍ନ କୁହାଯିବ ନାହିଁ
। ହଁ, ସେହି ପାଠପଢି ଚାକିରିରେ ଉଚ୍ଚପଦ ପାଇଥା’ନ୍ତି । ତେବେ ପାଠପଢା କାମରେ ଆସେ, ପଇସା ନୁହେଁ
। ତେଣୁ ବିଦ୍ୟା ହିଁ ଧନ ଅଟେ । ତାହା ହେଲା ବିନାଶୀ ଧନ, ଏହା ହେଲା ଅବିନାଶୀ ଧନ । କିନ୍ତୁ ଉଭୟ
ପାଠପଢା ହିଁ ଅଟେ । ଏବେ ତୁମେମାନେ ଜାଣୁଛ ବାବା ଆମକୁ ପାଠପଢାଇ ବିଶ୍ୱର ମାଲିକ କରିଦେଉଛନ୍ତି ।
ତାହା ତ ଗୋଟିଏ ଜନ୍ମ ପାଇଁ ଅଳ୍ପକାଳ କ୍ଷଣଭଙ୍ଗୁର ପାଠପଢା ଅଟେ । ଯାହାକି ପରବର୍ତ୍ତି ଜନ୍ମରେ
ନୂଆ ଭାବରେ ପଢିବାକୁ ପଡିବ । ସେଠାରେ ଅର୍ଥାତ୍ ସ୍ୱର୍ଗରେ ଧନ ଉପାର୍ଜନ ପାଇଁ ପାଠପଢିବାର
ଆବଶ୍ୟକତା ନାହିଁ । ସେଠାରେ ତ ବର୍ତ୍ତମାନର ପୁରୁଷାର୍ଥ ଅନୁସାରେ ପ୍ରଚୁର ଧନ ମିଳିଯାଏ ଏବଂ ତାହା
ମଧ୍ୟ ଅବିନାଶୀ ହୋଇଯାଏ । ଦେବତାମାନଙ୍କ ପାଖରେ ଧନ ବହୁତ ଥିଲା, ଭକ୍ତିମାର୍ଗ ଅର୍ଥାତ୍ ରାବଣ
ରାଜ୍ୟକୁ ଯେତେବେଳ ଆସିଲେ ସେତେବେଳେ ମଧ୍ୟ କେତେ ସମ୍ପତ୍ତି ଥିଲା, କେତେ ମନ୍ଦିର ସବୁ ତିଆରି
କରିଛନ୍ତି । ପୁଣି ମୁସଲମାନମାନେ ଆସି ଧନ ସବୁ ଲୁଟି ନେଲେ । ସେମାନେ କେତେ ଧନବାନ ଥିଲେ!
ଆଜିକାଲିର ପାଠପଢା ଦ୍ୱାରା ଏତେ ଧନବାନ କେହି ହୋଇପାରିବେ ନାହିଁ । ତୁମେ ଜାଣିଛ ଯେ ଆମେ ଏବେ ଏତେ
ଉଚ୍ଚ ପାଠ ପଢୁଛୁ, ଯାହାଦ୍ୱାରା ଦେବୀ-ଦେବତା ହୋଇଯାଉଛୁ । ତେବେ ଏହି ପାଠପଢା ଦ୍ୱାରା ଦେଖ
ମନୁଷ୍ୟ କ’ଣ ହୋଇପାରୁଛି! ଗରିବରୁ ସାହୁକାର । ଏବେ ଭାରତ ମଧ୍ୟ କେତେ ଗରିବ ହୋଇଯାଇଛି ।
ସାହୁକାରମାନଙ୍କୁ ତ ଫୁରସତ୍ ହିଁ ନାହିଁ । ସେମାନଙ୍କୁ ତ ନିଜର ଅହଂକାର ରହିଥାଏ - ମୁଁ ଅମୁକ ଅଟେ
। ଏଥିରେ ତ ଅହଂକାର ଇତ୍ୟାଦି ସବୁ ସମାପ୍ତ ହୋଇଯିବା ଦରକାର । ମୁଁ ଆତ୍ମା, ଆତ୍ମା ନିକଟରେ ତ
ଧନ-ଦୌଲତ, ହୀରା-ନୀଳା ଆଦି କିଛି ବି ନାହିଁ । ବାବା ମଧ୍ୟ କହୁଛନ୍ତି ଦେହ ସହିତ ଦେହର ସବୁ
ସମ୍ବନ୍ଧକୁ ଛାଡ । ଆତ୍ମା ଶରୀର ଛାଡି ଦେଲେ ତାର ସାହୁକାରୀ ଆଦି ସବୁ କିଛି ସମାପ୍ତ ହୋଇଯାଏ ।
ସିଏ ପରବର୍ତ୍ତୀ ଜନ୍ମରେ ପୁଣି ନୂଆ ଭାବରେ ପାଠପଢି ରୋଜଗାର କରି ଧନ ଜମା କରିବ କିମ୍ବା ପୂର୍ବ
ଜନ୍ମରେ ଯଦି ଭଲ ଦାନ-ପୁଣ୍ୟ ଆଦି କରିଥିବ, ତେବେ ଧନୀ ପରିବାରରେ ଜନ୍ମ ନେବ । ସେଥିପାଇଁ
କୁହାଯାଏ ପୂର୍ବ ଜନ୍ମର କର୍ମର ଫଳ । ଯଦି ଜ୍ଞାନର ଦାନ କରିଥିବେ ବା କଲେଜ-ଧର୍ମଶାଳା ଆଦି ତିଆରି
କରିଥିବେ, ତେବେ ତାର ଫଳ ତ ପରବର୍ତ୍ତୀ ଜନ୍ମରେ ମିଳିଥାଏ କିନ୍ତୁ ତାହା ମଧ୍ୟ ଅଳ୍ପକାଳ ପାଇଁ ।
ଏହି ଦାନପୁଣ୍ୟ ମଧ୍ୟ ଏହିଠାରେ ହିଁ କରାଯାଇଥାଏ । ସତ୍ୟଯୁଗରେ କରାଯାଏ ନାହିଁ । ସତ୍ୟଯୁଗରେ
କେବଳ ଭଲ କର୍ମ ହିଁ ହୋଇଥାଏ କାରଣ ବର୍ତ୍ତମାନ ସମୟର ପୁରୁଷାର୍ଥ ଦ୍ୱାରା ସମ୍ପତ୍ତି ମିଳିଥାଏ ।
ସେଠାରେ କାହା ଦ୍ୱାରା ବିକର୍ମ ହୁଏ ନାହିଁ କାରଣ ରାବଣ ହିଁ ନ ଥାଏ । ସେଠାରେ ଗରିବମାନଙ୍କ
ଦ୍ୱାରା ମଧ୍ୟ ବିକର୍ମ ହୁଏ ନାହିଁ । ଏଠାରେ ତ ଧନୀଲୋକମାନଙ୍କର ମଧ୍ୟ ବିକର୍ମ ହେଉଛି, ସେଥିପାଇଁ
ତ ବେମାରୀ ଆଦି ଦ୍ୱାରା ଦୁଃଖ ମିଳୁଛି । ସେଠାରେ କେହି ବିକାରରେ ଯା’ନ୍ତି ହିଁ ନାହିଁ, ତେବେ
ବିକର୍ମ କିପରି ହେବ । ତେବେ ସବୁ କିଛି କର୍ମ ଉପରେ ନିର୍ଭର କରୁଛନ୍ତି । ଏହା ମାୟା ଅଥବା ରାବଣର
ରାଜ୍ୟ ଅଟେ, ଯେଉଁଥିପାଇଁ ମନୁଷ୍ୟମାନେ ବିକାରୀ ହୋଇ ଯାଇଥା’ନ୍ତି । ଏବେ ବାବା ଆସି ନିର୍ବିକାରୀ
ହେବା ପାଇଁ ପାଠ ପଢାଉଛନ୍ତି । ବାବା ନିର୍ବିକାରୀ କରୁଛନ୍ତି ମାୟା ପୁଣି ବିକାରୀ କରିଦେଉଛି ।
ରାମବଂଶୀ ଏବଂ ରାବଣ ବଂଶୀଙ୍କର ଯୁଦ୍ଧ ହେଉଛି । ତୁମେମାନେ ବାବାଙ୍କର ସନ୍ତାନ ଅଟ, ସେମାନେ
ରାବଣର ସନ୍ତାନ ଅଟନ୍ତି । କେତେ ଭଲ ଭଲ ସନ୍ତାନମାନେ ମଧ୍ୟ ମାୟାଠାରୁ ହାରିଯାଉଛନ୍ତି । ମାୟା
ବହୁତ ଶକ୍ତିଶାଳୀ ଅଟେ । ତଥାପି ମଧ୍ୟ ଆଶା ରଖାଯାଉଛି କାରଣ ଅଧମରୁ ଅଧମ ଅର୍ଥାତ୍ ବିଲକୁଲ୍
ପତିତମାନଙ୍କର ମଧ୍ୟ ଉଦ୍ଧାର କରିବାକୁ ପଡିଥାଏ ନା । ବାବାଙ୍କୁ ତ ସାରା ବିଶ୍ୱର ଉଦ୍ଧାର କରିବାକୁ
ପଡିଥାଏ । ଏଭଳି ବହୁତ ଅଛନ୍ତି ଯେଉଁମାନେ କି ତଳକୁ ଖସିପଡିଥା’ନ୍ତି । ଏହି ମାର୍ଗରେ ଚାଲୁ ଚାଲୁ
କାମ ବିକାରର ଅଧୀନ ହୋଇଯାଇଥାନ୍ତି, ତେବେ ସେମାନେ ନିଜର ହିଁ କ୍ଷତି କରୁଛନ୍ତି, ଏକଦମ୍ ଅଧମରୁ
ଅଧମ ହୋଇଯାଉଛନ୍ତି । ଏହିଭଳି ଆତ୍ମାମାନଙ୍କର ମଧ୍ୟ ବାବା ଉଦ୍ଧାର କରୁଛନ୍ତି । ରାବଣ ରାଜ୍ୟରେ ତ
ସମସ୍ତେ ଅଧମ, କିନ୍ତୁ ବାବା ଆସି ସମସ୍ତଙ୍କର ରକ୍ଷା କରୁଛନ୍ତି । ତଥାପି ବି ତଳକୁ ଖସି
ଚାଲୁଥା’ନ୍ତି, ତେଣୁ ସେମାନେ ବହୁତ ଅଧମ ହୋଇଯାଇଥା’ନ୍ତି । ସେମାନେ ପୁଣି ଉପରକୁ ଉଠିପାରନ୍ତି
ନାହିଁ । ତାଙ୍କର ସେହି ଅଧମପଣିଆ ଅର୍ଥାତ୍ ବିକାରୀ କର୍ମ ଭିତରେ ଭିତରେ ମନକୁ ଘାରିଥାଏ । ଯେପରି
ତୁମେମାନେ କହୁଛ ଯେ ଅନ୍ତକାଳେ ଜୋ ସ୍ତ୍ରୀ ସିମରେ.... ଅର୍ଥାତ୍ ଅନ୍ତିମ ସମୟରେ ଯିଏ କାମ
ବିକାରର ଇଚ୍ଛା ରଖିଥା’ନ୍ତି ତାଙ୍କର ପରବର୍ତ୍ତୀ ଜନ୍ମ ମଧ୍ୟ ଅତି ବିକାରୀମାନଙ୍କ ପାଖରେ ହୋଇଥାଏ
। ତାଙ୍କ ବୁଦ୍ଧିରେ ସେହି ଅଧମ ପଣିଆ ହିଁ ମନେ ପଡିଥାଏ । ତେବେ ବାବା ଆସି ପିଲାମାନଙ୍କୁ
ବୁଝାଉଛନ୍ତି । କଳ୍ପ କଳ୍ପ ତୁମେମାନେ ହିଁ ଦେବତା ହେଉଛ । ଜୀବଜନ୍ତୁମାନେ ତ ହେବେ ନାହିଁ ।
ମନୁଷ୍ୟମାନେ ହିଁ ହୋଇଥା’ନ୍ତି ଏବଂ ବୁଝିଥାଆନ୍ତି, ତେଣୁ ବାବା ବୁଝାଉଛନ୍ତି ଏହି
ଲକ୍ଷ୍ମୀ-ନାରାୟଣଙ୍କର ମଧ୍ୟ ନାକ କାନ ଅଛି, ସେମାନେ ମଧ୍ୟ ମନୁଷ୍ୟ ଅଟନ୍ତି ନା! କିନ୍ତୁ ସେମାନେ
ଦୈବୀଗୁଣଧାରୀ ଅଟନ୍ତି ସେଥିପାଇଁ ତାଙ୍କୁ ଦେବତା କୁହାଯାଉଛି । ଏମାନେ ଏଭଳି ସୁନ୍ଦର ଦେବତା
କିପରି ହେଉଛନ୍ତି ଏବଂ କିପରି ତଳକୁ ଖସୁଛନ୍ତି, ଏହି ଚକ୍ର ବିଷୟରେ ତୁମକୁ ଜ୍ଞାନ ମିଳିଗଲା ।
ଯେଉଁମାନେ ବିଚାର ସାଗର ମନ୍ଥନ କରୁଥିବେ ସେମାନଙ୍କର ଧାରଣା ମଧ୍ୟ ବହୁତ ଭଲ ହୋଇଥିବ । ଯେଉଁମାନେ
ବିଚାର ସାଗର ମନ୍ଥନ କରନ୍ତି ନାହିଁ ସେମାନେ ନିର୍ବୋଧ ଅଟନ୍ତି, ଯେଉଁମାନେ ମୁରଲୀ ଶୁଣାନ୍ତି,
ସେମାନଙ୍କ ବୁଦ୍ଧିରେ ବିଚାର ସାଗର ମନ୍ଥନ ଚାଲିଥାଏ । ଏହି ବିଷୟ ଉପରେ ଏହି କଥା ସବୁ ବୁଝାଇବାକୁ
ହେବ । ତାଙ୍କ ଭିତରେ ଆପେ ଆପେ ବିଚାର ସାଗର ମନ୍ଥନ ଚାଲିଥାଏ । ଅମୁକ-ଅମୁକ ବୁଝିବା ପାଇଁ ଆସିବେ,
ତେଣୁ ସେମାନଙ୍କୁ ମଧ୍ୟ ବହୁତ ଉତ୍ସାହର ସହିତ ବୁଝାଇବି । ହୋଇପାରେ ସେମାନେ କିଛି
ବୁଝିଯାଇପାରନ୍ତି । ତେବେ ସବୁ କିଛି ତାଙ୍କ ଭାଗ୍ୟ ଉପରେ ନିର୍ଭର କରେ । କାହାର ତୁରନ୍ତ ନିଶ୍ଚୟ
ହୋଇଯାଇଥାଏ ତ କାହାର ହୁଏ ନାହିଁ । ତଥାପି ଆଶା ରଖାଯାଏ । ଏବେ ବୁଝିନାହାଁନ୍ତି ତ ସମୟ ଆସିଲେ
ନିଶ୍ଚିତ ବୁଝିବେ । ଆଶା ରଖିବା ଦରକାର ନା । ଆଶା ରଖିବା ଅର୍ଥାତ୍ ସେବାର ସଉକ ଅଛି । ଏଥିରେ
ଥକିଯିବାର ନାହିଁ । ଯଦିଓ କେହି-କେହି ଜ୍ଞାନକୁ ବୁଝିବା ପରେ ମଧ୍ୟ ଅଧମ ଅର୍ଥାତ୍ ବିକାରୀ
ହୋଇଯାଇଛନ୍ତି କିନ୍ତୁ ପୁଣି ଯଦି ସେ ଆସୁଛନ୍ତି ତେବେ ତାଙ୍କୁ ନିଶ୍ଚିତ ଭିଜିଟିଂ ରୁମ ଅର୍ଥାତ୍
ବୈଠକ ଗୃହରେ ବସାଇବା ଉଚିତ୍ । ଏପରି ନୁହେଁ କି ଚାଲିଯିବାକୁ କହିବ ? ତାଙ୍କୁ ପଚାରିବା ଦରକାର
ଯେ, ଏତେ ଦିନ ହେଲା କାହିଁକି ଆସୁ ନ ଥିଲ । ସେମାନେ କହିବେ ଯେ, ମାୟାଠାରୁ ହାରିଯାଇଥିଲି ।
ଏହିଭଳି ଅନେକ ପିଲା ଆସୁଛନ୍ତି । ସେମାନେ ଜାଣିଛନ୍ତି ଜ୍ଞାନ ବହୁତ ଭଲ କିନ୍ତୁ ମାୟା ମୋତେ
ହରାଇଦେଲା । ଜ୍ଞାନର ସ୍ମୃତି ତ ରହିଥାଏ ନା । ଭକ୍ତିରେ ତ ହାରିବା ଏବଂ ଜିତିବାର କଥା ନ ଥାଏ ।
ତେବେ ଏହି ଜ୍ଞାନକୁ ଧାରଣା କରିବାକୁ ହେବ । ଏବେ ତୁମେ ବାବାଙ୍କ ଦ୍ୱାରା ସତ୍ୟଗୀତା ଶୁଣୁଛ
ଯାହାଦ୍ୱାରା ଦେବତା ହୋଇଯାଉଛ । ଯେ ପର୍ଯ୍ୟନ୍ତ ବ୍ରାହ୍ମଣ ନ ହୋଇଛ ସେ ପର୍ଯ୍ୟନ୍ତ ଦେବତା
ହୋଇପାରିବ ନାହିଁ । ଖ୍ରୀଷ୍ଟିୟାନ୍, ପାର୍ସୀ ଏବଂ ମୁସଲମାନ ଧର୍ମରେ ବ୍ରାହ୍ମଣ ନ ଥା’ନ୍ତି ।
ଏହି ସବୁ କଥାକୁ ଏବେ ତୁମେମାନେ ଜାଣୁଛ ।
ତୁମେମାନେ ଜାଣିଛ, ଏବେ ଅଲଫ ଅର୍ଥାତ୍ ବାବାଙ୍କୁ ମନେ ପକାଇବାକୁ ହେବ । ସେହି ଅଲଫଙ୍କୁ ସ୍ମରଣ
କରିବା ଦ୍ୱାରା ହିଁ ସତ୍ୟଯୁଗୀ ରାଜତ୍ୱର ପ୍ରାପ୍ତି ହୋଇଥାଏ । ଯେତେବେଳେ ବି ତୁମକୁ କେହି
ମୁସଲମାନ ଆଦି ମିଳିଯାଉଛନ୍ତି ତେବେ ତାଙ୍କୁ କୁହ ଅଲଫଙ୍କୁ ସ୍ମରଣ କର । ଅଲଫଙ୍କୁ ହିଁ ଉଚ୍ଚରୁ
ଉଚ୍ଚ କୁହାଯାଏ । ଆଙ୍ଗୁଳି ଉପରକୁ କରି ଅଲଫଙ୍କ ଆଡକୁ ଇଙ୍ଗିତ କରିଥା’ନ୍ତି ନା! ଅଲଫଙ୍କୁ କେବଳ
ଜଣେ ବୋଲି ମଧ୍ୟ କୁହାଯାଏ । ଭଗବାନ କେବଳ ସେହି ଜଣେ ହିଁ ଅଟନ୍ତି । ବାକି ତ ସମସ୍ତେ ହେଲେ
ତାଙ୍କର ସନ୍ତାନ । ବାବା ତ ସର୍ବଦା ଅଲଫ ହିଁ ଅଟନ୍ତି । ସିଏ ସତ୍ୟଯୁଗରେ ରାଜତ୍ୱ କରନ୍ତି ନାହିଁ
। ସିଏ ଜ୍ଞାନ ମଧ୍ୟ ଦେଇଥା’ନ୍ତି ଏବଂ ନିଜର ସନ୍ତାନ ମଧ୍ୟ କରିଥା’ନ୍ତି । ତେବେ ସନ୍ତାନମାନେ ସଦା
ସର୍ବଦା ଖୁସିରେ ରହିବା ଦରକାର ଯେ, ବାବା ଆମର କେତେ ସେବା କରୁଛନ୍ତି । ଆମକୁ ବିଶ୍ୱର ମାଲିକ
କରୁଛନ୍ତି କିନ୍ତୁ ନିଜେ ସେହି ପବିତ୍ର ନୂଆ ଦୁନିଆକୁ ଆସନ୍ତି ନାହିଁ । ବାବା କହୁଛନ୍ତି ପବିତ୍ର
ଦୁନିଆକୁ ମୋତେ କେହି ଡାକନ୍ତି ବି ନାହିଁ । ପତିତ ମନୁଷ୍ୟମାନେ ଏହି ପତିତ ଦୁନିଆକୁ ହିଁ
ଡାକିଥା’ନ୍ତି । ପବିତ୍ର ଦୁନିଆକୁ ଆସି ସେ କ’ଣ କରିବେ । ତାଙ୍କର ତ ନାମ ହିଁ ପତିତ-ପାବନ ଅଟେ ।
ତେଣୁ ପୁରୁଣା ଦୁନିଆକୁ ନୂଆ କରିବା ତାଙ୍କର କର୍ତ୍ତବ୍ୟ । ବାବାଙ୍କର ନାମ ହେଲା ଶିବ ଏବଂ
ପିଲାମାନଙ୍କୁ ଶାଳଗ୍ରାମ କୁହାଯାଏ । ସେମାନଙ୍କର ପୂଜା ହୋଇଥାଏ । ତାଙ୍କୁ ଶିବବାବା ବୋଲି କହି
ସମସ୍ତେ ମନେ ପକାଇଥା’ନ୍ତି । ଆହୁରି ମଧ୍ୟ ବ୍ରହ୍ମାଙ୍କୁ ବାବା ବୋଲି କୁହାଯାଏ । ପ୍ରଜାପିତା
ବ୍ରହ୍ମା ବୋଲି ବହୁତ କହିଥା’ନ୍ତି କିନ୍ତୁ ତାଙ୍କୁ ଯଥାର୍ଥ ଭାବରେ କେହି ଜାଣିନାହାଁନ୍ତି ।
ବ୍ରହ୍ମା କାହାର ସନ୍ତାନ? ତୁମେ କହିବ ପରମପିତା ପରମାତ୍ମା ଶିବ ହିଁ ତାଙ୍କୁ ସନ୍ତାନ ରୂପରେ
ଗ୍ରହଣ କରିଛନ୍ତି । ଇଏ (ବ୍ରହ୍ମା) ତ ଶରୀରଧାରୀ ଅଟନ୍ତି ନା! ସବୁ ଆତ୍ମାମାନେ ଈଶ୍ୱରଙ୍କର
ସନ୍ତାନ ଅଟନ୍ତି । ସବୁ ଆତ୍ମାଙ୍କର ନିଜ ନିଜର ଶରୀର ଅଛି । ସର୍ବ ଆତ୍ମାମାନଙ୍କୁ ଅଲଗା ଅଲଗା
ପାର୍ଟ ମିଳିଛି, ଯେଉଁ ପାର୍ଟ ସମସ୍ତଙ୍କୁ ବଜାଇବାକୁ ହିଁ ହେବ । ଏହା ପରମ୍ପରାରୁ ଚାଲି ଆସୁଛି ।
ଅନାଦି ଅର୍ଥାତ୍ ଯାହାର ଆଦି ମଧ୍ୟ ଅନ୍ତ ନାହିଁ । ଲୋକମାନେ ଯେତେବେଳେ ଶୁଣୁଛନ୍ତି ଯେ ଦୁନିଆ
ବିନାଶ ହେବାକୁ ଯାଉଛି, ତେଣୁ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି, ପୁଣି ତିଆରି ହେବ କିପରି? ବାବା
ବୁଝାଉଛନ୍ତି ଏହା ଅନାଦି ଅବିନାଶୀ ଅଟେ । କେବେ ତିଆରି ହୋଇଛି ଏକଥା ପଚରାଯାଇ ପାରିବ ନାହିଁ ।
ଶାସ୍ତ୍ରରେ ଯେଉଁଭଳି ଅତିରଞ୍ଜିତ କରି ଲେଖିଦେଇଛନ୍ତି ବାସ୍ତବରେ ସେହିଭଳି ପ୍ରଳୟ ଅର୍ଥାତ୍
ସମ୍ପୂର୍ଣ୍ଣ ଧ୍ୱଂସ କେବେ ବି ହୁଏ ନାହିଁ । ସତ୍ୟଯୁଗରେ ବହୁତ କମ୍ ସଂଖ୍ୟକ ମନୁଷ୍ୟ ରହନ୍ତି
ସେଥିପାଇଁ କହନ୍ତି ସମ୍ପୂର୍ଣ୍ଣ ପ୍ରଳୟ ହୋଇଗଲା । ବାବାଙ୍କ ଭିତରେ ଯେଉଁ ଜ୍ଞାନ ଅଛି ତାହା ଏବେ
ହିଁ ପ୍ରକଟ ହେଉଛି । ସେଥିପାଇଁ କୁହାଯାଏ ଯେ ସାରା ସାଗରକୁ କାଳି କରିଦିଅ.... ତଥାପି ମଧ୍ୟ
ଜ୍ଞାନର ଅନ୍ତ ହୋଇପାରିବ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ହର୍ଷିତମୁଖ ଚେହେରା ଦ୍ୱାରା ବାବାଙ୍କର ନାମକୁ ବିଖ୍ୟାତ କରିବାକୁ ହେବ । ଜ୍ଞାନ ରତ୍ନକୁ ହିଁ
ଶୁଣିବାକୁ ହେବ ଏବଂ ଶୁଣାଇବାକୁ ହେବ । ଗଳାରେ ସର୍ବଦା ଜ୍ଞାନ ରତ୍ନର ମାଳା ହିଁ ପଡିରହିଥାଉ ।
ଆସୁରୀ ଅବଗୁଣ ଗୁଡିକୁ ବାହାର କରିଦେବାକୁ ହେବ ।
(୨) ସେବାରେ କେବେ ହେଲେ
ଥକିଯିବାର ନାହିଁ । ଅଶାବାଦୀ ହୋଇ ବଡ ଆଗ୍ରହର ସହିତ ସେବା କରିବାକୁ ହେବ । ବିଚାର ସାଗର ମନ୍ଥନ
କରି ସର୍ବଦା ପ୍ରଫୁଲ୍ଲିତ ହୋଇ ରହିବାକୁ ହେବ ।
ବରଦାନ:-
ଦ୍ୱନ୍ଦ୍ୱରେ
ପଡିବା ପରିବର୍ତ୍ତେ ଢିଲା ରହୁଥିବା କନେକ୍ଶନ୍ ଅର୍ଥାତ୍ ଯୋଗକୁ ଠିକ୍ କରୁଥିବା ସମସ୍ୟାମୁକ୍ତ
ଆତ୍ମା ଭବ ।
ସବୁ ସମସ୍ୟାର ମୂଳ କାରଣ
ହେଲା ବାବାଙ୍କ ସହିତ ବୁଦ୍ଧିରୂପୀ ତା’ରର ସଂଯୋଗ ଢିଲା ହେବା । କେବଳ ସେହି କନେଶନ୍କୁ ଠିକ୍
କରିଦିଅ, ତେବେ ସର୍ବଶକ୍ତିଗୁଡିକ ତୁମର ଆଗରେ ଉପସ୍ଥିତ ହୋଇଯିବ । ଯଦି କନେକ୍ଶନ୍ ଯୋଡିବା ପାଇଁ
ମିନିଟିଏ ବା ଦୁଇମିନିଟ୍ ମଧ୍ୟ ଲାଗିଯାଉଛି, ତେବେ ବି ସାହସ ହରାଇ ଦ୍ୱନ୍ଦ୍ୱରେ ପଡ ନାହିଁ ।
ନିଜର ନିଶ୍ଚୟର ମୂଳଦୁଆକୁ ଦୋହଲାଅ ନାହିଁ । ମୁଁ ବାବାଙ୍କର, ବାବା ମୋ’ର - ଏହି ସ୍ମୃତି ଆଧାରରେ
ମୂଳଦୁଆକୁ ମଜ୍ବୁତ କର, ତାହା ହେଲେ ସମସ୍ୟା ମୁକ୍ତ ହୋଇଯିବ ।
ସ୍ଲୋଗାନ:-
ବୀଜରୂପ
ଅବସ୍ଥାରେ ସ୍ଥିତ ରହିବା ହିଁ ପୁରୁଣା ସଂସ୍କାରକୁ ପରିବର୍ତ୍ତନ କରିବାର ବିଧି ଅଟେ ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ଯେତେବେଳେ ସେବାରେ ବା
ନିଜର ପୁରୁଣା ସଂସ୍କାରକୁ ପରିବର୍ତ୍ତନ କରିବାରେ ସଫଳତା ମିଳୁନାହିଁ, ତେବେ ତୁମେମାନେ କୌଣସି ନା
କୌଣସି ବିଘ୍ନର ବଶବର୍ତ୍ତୀ ହୋଇଯାଉଛ । ପୁଣି ତା’ଠାରୁ ମୁକ୍ତ ହେବା ପାଇଁ ଇଚ୍ଛା ରଖୁଛ, କିନ୍ତୁ
ବିନା ଶକ୍ତିରେ ଏହି ଇଚ୍ଛା ପୂରଣ ହୋଇପାରିବ ନାହିଁ, ସେଥିପାଇଁ ଏବେ ଅଳଙ୍କାରୀ ରୂପ ଧାରଣ କର,
ଶକ୍ତି ରୂପ ଧାରଣ କର, ତାହା ହେଲେ ବନ୍ଧନମୁକ୍ତ ହୋଇଯିବ ।