27.02.25 Avyakt Bapdada Odia Murli 17.02.2004 Om Shanti Madhuban
“ସମସ୍ତଙ୍କୁ ସହଯୋଗ ଦିଅ
ଏବଂ ସହଯୋଗୀ କର, ସର୍ବଦା ଅଖଣ୍ଡ ଖାଦ୍ୟ ଭଣ୍ଡାର ଖୋଲା ରହିଥାଉ”
ଆଜି ସ୍ୱୟଂ ବାପଦାଦା
ନିଜ ସହିତ ପିଲାମାନଙ୍କର ହୀରାତୁଲ୍ୟ ଜନ୍ମ ଦିନ ଶିବଜୟନ୍ତୀ ପାଳନ କରିବା ପାଇଁ ଆସିଛନ୍ତି । ତୁମେ
ପିଲାମାନେ ନିଜର ପାରଲୌକିକ, ଅଲୌକିକ ପିତାଙ୍କର ଜନ୍ମ ଦିନ ପାଳନ କରିବା ପାଇଁ ଆସିଛ ଏବଂ ବାବା
ମଧ୍ୟ ତୁମମାନଙ୍କର ଜନ୍ମ ଦିନ ପାଳନ କରିବା ପାଇଁ ଆସିଛନ୍ତି । ବାବା ପିଲାମାନଙ୍କର ଭାଗ୍ୟକୁ ଦେଖି
ହର୍ଷିତ ହେଉଛନ୍ତି ବାଃ ମୋ’ର ଶ୍ରେଷ୍ଠ ଭାଗ୍ୟବାନ ପିଲାମାନେ ବାଃ! ଯେଉଁମାନେ କି ବିଶ୍ୱର
ଅନ୍ଧକାରକୁ ଦୂର କରିବା ପାଇଁ ବାବାଙ୍କ ସହିତ ଅବତରିତ ହୋଇଛନ୍ତି । ତେଣୁ ସାରା କଳ୍ପ ଭିତରେ ଏଭଳି
ଜନ୍ମ ଦିନ କାହାର ବି ହୋଇପାରିବ ନାହିଁ ଯାହାକି ତୁମେ ପିଲାମାନେ ପରମାତ୍ମା ପିତାଙ୍କ ସହିତ ପାଳନ
କରୁଛୁ । ଏହି ଅଲୌକିକ ଅତି ପ୍ରିୟ ଏବଂ ଅତି ନିଆରା ଜନ୍ମଦିନକୁ ଭକ୍ତ ଆତ୍ମାମାନେ ମଧ୍ୟ ପାଳନ
କରୁଛନ୍ତି କିନ୍ତୁ ତୁମେ ପିଲାମାନେ ମିଳନ କରୁଛ ଏବଂ ଭକ୍ତ ଆତ୍ମାମାନେ କେବଳ ମହିମା ଗାନ
କରୁଛନ୍ତି । ମହିମା ମଧ୍ୟ ଗାଉଛନ୍ତି ଏବଂ ଡାକୁଛନ୍ତି ମଧ୍ୟ, ତେଣୁ ବାପଦାଦା ଭକ୍ତମାନଙ୍କର ମହିମା
ଗାନ ଏବଂ ଡାକରାକୁ ଶୁଣି ସେମାନଙ୍କୁ ମଧ୍ୟ କମ୍ ବେଶି ଭାବନା ଅନୁସାରେ ଫଳ ନିଶ୍ଚିତ ଦେଉଛନ୍ତି ।
କିନ୍ତୁ ଭକ୍ତ ଏବଂ ପିଲାମାନଙ୍କ ଭିତରେ ମହାନ ଅନ୍ତର ରହିଛି । ତୁମମାନଙ୍କର ପୂର୍ବରୁ କରିଥିବା
ଶ୍ରେଷ୍ଠ କର୍ମର ଏବଂ ଶ୍ରେଷ୍ଠ ଭାଗ୍ୟର ସ୍ମାରକୀ ସେମାନେ ବହୁତ ଭଲ ଭାବରେ ପାଳନ କରୁଛନ୍ତି
ସେଥିପାଇଁ ବାପଦାଦା ଭକ୍ତମାନଙ୍କର ଭକ୍ତିର ଲୀଳାକୁ ଦେଖି ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଦେଉଛନ୍ତି
କାହିଁକି ନା ସ୍କାରକୀ ଗୁଡିକୁ ମଧ୍ୟ ଭଲ ଭାବରେ କପୀ କରିଛନ୍ତି । ସେମାନେ ମଧ୍ୟ ଏହି ଦିନ ହିଁ
ବ୍ରତ ରଖୁଛନ୍ତି କିନ୍ତୁ ସେମାନେ ବ୍ରତ ରଖୁଛନ୍ତି ଅଳ୍ପ ସମୟ ପାଇଁ, ଅଳ୍ପ ସମୟର ସାତ୍ୱିକ
ଖାଦ୍ୟପେୟ ଏବଂ ଶୁଦ୍ଧତା ପାଇଁ । କିନ୍ତୁ ତୁମେମାନେ ସମ୍ପୂର୍ଣ୍ଣ ପବିତ୍ରତାର ବ୍ରତ ଧାରଣ କରୁଛ
। ଯେଉଁଥିରେ ପବିତ୍ର ଆହାର-ବ୍ୟବହାର, ବଚନ, କର୍ମ ଅର୍ଥାତ୍ ପୂରା ଜନ୍ମ ପାଇଁ ବ୍ରତ ଧାରଣ କରୁଛ
। ଯେତେ ଦିନ ପର୍ଯ୍ୟନ୍ତ ସଂଗମଯୁଗୀ ଜୀବନରେ ବଞ୍ଚି ରହିଥିବ ସେତେ ଦିନ ପର୍ଯ୍ୟନ୍ତ
ମନ-ବଚନ-କର୍ମରେ ପବିତ୍ର ରହିବାକୁ ହିଁ ହେବ । ନା କେବଳ ନିଜେ ପବିତ୍ର ହେବ, ତା’ ସହିତ
ଅନ୍ୟମାନଙ୍କୁ ପବିତ୍ର କରିବାକୁ ମଧ୍ୟ ହେବ । ତେଣୁ ଦେଖ ଭକ୍ତମାନଙ୍କର ବୁଦ୍ଧି ମଧ୍ୟ କିଛି କମ୍
ନୁହେଁ । ସ୍କାରକୀ ମଧ୍ୟ ଭଲ ଭାବରେ କପୀ କରୁଛନ୍ତି । ତୁମେ ସମସ୍ତେ ନିଜର ସବୁ ବ୍ୟର୍ଥ ଗୁଡିକୁ
ସମର୍ପଣ କରି ସମର୍ଥ ହେଉଛ ଅର୍ଥାତ୍ ନିଜର ଅପବିତ୍ର ଜୀବନକୁ ସମର୍ପଣ କରିଛ ତେଣୁ ତୁମମାନଙ୍କର
ସମର୍ପଣତାର ସ୍କାରକୀ ରୂପରେ ସେମାନେ ବଳୀ ଚଢାଉଛନ୍ତି । ଦେଖ କେତେ ଭଲ ଭାବରେ କପୀ କରିଛନ୍ତି,
ତେବେ ବୋଦା ଅର୍ଥାତ୍ ଅଣ୍ଡିରା ଛେଳିକୁ କାହିଁକି ବଳୀ ଚଢାଉଛନ୍ତି? ଏହାର କପୀ ମଧ୍ୟ ବହୁତ
ସୁନ୍ଦର କରିଛନ୍ତି, ବୋଦା କ’ଣ କରୁଛି? ମେଁ, ମେଁ, ମେଁ କରିଥାଏ ନା! ଏବଂ ତୁମେମାନେ କ’ଣ
ସମର୍ପଣ କରୁଛ? ମେଁ-ମେଁ ଅର୍ଥାତ୍ ମୁଁ ପଣିଆକୁ ସର୍ମପଣ କରୁଛ । ଦେହ-ଅଭିମାନଯୁକ୍ତ ମୁଁ ପଣିଆକୁ,
କାହିଁକି ନା ଏହି ମୁଁ ପଣିଆ ଦ୍ୱାରା ହିଁ ଦେହ-ଅଭିମାନ ଆସିଥାଏ ଯାହାକି ସବୁ ବିକାରର ବୀଜ ଅଟେ ।
ବାପଦାଦା ତ ପୂର୍ବରୁ
ମଧ୍ୟ ଶୁଣାଇଛନ୍ତି ଯେ ସର୍ବ ସମର୍ପିତ ହେବାରେ ଏହି ଦେହ ଅଭିମାନର ମୁଁ ପଣିଆ ହିଁ ବାଧା ସୃଷ୍ଟି
କରିଥାଏ । ତେବେ ସାଧାରଣ ମୁଁ ପଣିଆ, ଯଥା ମୁଁ ଦେହ ଅଟେ ବା ଦେହର ସମ୍ବନ୍ଧର ମୁଁ ପଣିଆର ବା
ଦେହର ପଦାର୍ଥ ଗୁଡିକର ସମର୍ପଣ କରିବା ତ ସହଜ ଅଟେ । ଏଗୁଡିକୁ ତ କରିନେଇଛ ନା? ନା ନାହିଁ? କ’ଣ
ଏହା ମଧ୍ୟ ହୋଇନାହିଁ! ଯେତେଯେତେ ଆଗକୁ ବଢିଚାଲିଛ ସେହି ଅନୁସାରେ ମୁଁ ପଣିଆ ମଧ୍ୟ ଅତି ସୂକ୍ଷ୍ମ
ହେବାରେ ଲାଗିଛି । ଏହି ସବୁ ମୋଟା ମୋଟା ମୁଁ ପଣିଆ ସମାପ୍ତ ହେବା ତ ସହଜ ଅଟେ, କିନ୍ତୁ ସୂକ୍ଷ୍ମ
ମୁଁ ପଣିଆ ହେଲା - ପରମାତ୍ମ ଜନ୍ମ ସିଦ୍ଧ ଅଧିକାର ରୂପରେ ଯେଉଁ ବିଶେଷତା କୁହ ବା ପ୍ରଭୁଙ୍କର
ଦାନ କୁହ, ଯଦି ତା’ର ମୁଁ ପଣିଆ ଆସିଲା ତେବେ ତାକୁ କୁହାଯାଏ ସୂକ୍ଷ୍ମ ମୁଁ ପଣିଆ । ମୁଁ ଯାହା
କରୁଛି ତାହା ହିଁ ଠିକ୍, ତାହା ହିଁ ହେବା ଦରକାର,ଏହିଭଳି ରାଜକୀୟ ମୁଁ ପଣିଆ ଉଡିବାର କଳାକୁ
ଯିବା ପାଇଁ ବୋଝ ହୋଇଯାଉଛି । ତେଣୁ ବାବା କହୁଛନ୍ତି ଏହି ମୁଁ ପଣିଆକୁ ମଧ୍ୟ ସମର୍ପଣ କର କାରଣ
ପ୍ରଭୁଙ୍କର ଦାନରେ ମୁଁ ପଣିଆର ସ୍ଥାନ ନାହିଁ, ନା ମୁଁ, ନା ମୋ’ର । ଏସବୁ ପ୍ରଭୁଙ୍କର ଦାନ,
ପ୍ରଭୁଙ୍କର ବରଦାନ, ପ୍ରଭୁଙ୍କର ବିଶେଷତା ଅଟେ, ତେଣୁ ତୁମମାନଙ୍କର ସମର୍ପଣ କେତେ ସୂକ୍ଷ୍ମ ଅଟେ!
କେବେ ଏହାକୁ ଚେକ୍ କରିଛ? ସାଧାରଣ ମୁଁ ପଣିଆକୁ ଏବଂ ରାଜକୀୟ ରୂପର ମୁଁ ପଣିଆକୁ ସମର୍ପଣ କରିଛ?
କରିଦେଇଛ ନା ଏବେ କରୁଛ? ତେବେ କରିବାକୁ ତ ପଡିବ ନିଶ୍ଚିତ । ତୁମେମାନେ ପରସ୍ପର ଭିତରେ ହସମଜାରେ
କହୁଛ ନା, ମରିବାକୁ ତ ପଡିବ ନିଶ୍ଚିତ । କିନ୍ତୁ ଏହିଭଳି ମରିବା ଅର୍ଥ ଭଗବାନଙ୍କର କୋଳରେ
ବଞ୍ଚିବା । ଏହି ମରିବା ମରିବା ନୁହେଁ । ୨୧ ଜନ୍ମ ପର୍ଯ୍ୟନ୍ତ ଦେବାତ୍ମାମାନଙ୍କ କୋଳରେ ଜନ୍ମ
ନେବାର ଅଛି ତେଣୁ ଖୁସି ଖୁସିରେ ସମର୍ପିତ ହେଉଛ ନା! ଚିତ୍କାର କରି ଜବରଦସ୍ତି ସମର୍ପିତ ହେଉ ନାହିଁ
ତ? ନା । ଭକ୍ତିମାର୍ଗରେ ମଧ୍ୟ ଚିତ୍କାର କରିଥିବା ବଳୀ ସ୍ୱୀକାର ହୋଇ ନଥାଏ । ତେଣୁ ଯେଉଁମାନେ
ଖୁସି ଖୁସିରେ ବିନାଶୀ ମୁଁ ଏବଂ ମୋ’ର ଠାରୁ ସମର୍ପିତ ହୋଇଥାଆନ୍ତି ସେମାନେ ଜନ୍ମ ଜନ୍ମ ପାଇଁ
ସମ୍ପତ୍ତିର ଅଧିକାରୀ ହୋଇଯାଆନ୍ତି ।
ତେଣୁ ଚେକ୍ କର - କୌଣସି
ବି ବ୍ୟର୍ଥ ସଂକଳ୍ପ, ବ୍ୟର୍ଥ ବାଣୀ, ବ୍ୟର୍ଥ ଚାଲିଚଳନକୁ ପରିବର୍ତ୍ତନ କରିବାରେ ଖୁସି ଖୁସିରେ
ପରିବର୍ତ୍ତନ କରିଛି ନା ବାଧ୍ୟବାଧକତାରେ କରିଛ? ମୋହବତ୍ରେ ପରିବର୍ତ୍ତନ ହେଉଛ, ନା ମେହନତ କରି
ପରିବର୍ତ୍ତନ ହେଉଛ? ତୁମେ ସମସ୍ତେ ଜନ୍ମ ନେବା ମାତ୍ରକେ ବିଶ୍ୱକୁ ପରିବର୍ତ୍ତନ କରିବାବାଲା ବିଶ୍ୱ
ପରିବର୍ତ୍ତକର କର୍ତ୍ତବ୍ୟକୁ ଆପଣାଇ ନେଇଛ । ଏହା ତୁମମାନଙ୍କର ବ୍ରାହ୍ମଣ ଜନ୍ମର ପେଶା ଅଟେ ନା!
ଯଦି ଏହା ପକ୍କା ଅଟେ ତେବେ ହାତ ଉଠାଅ । ପତାକା ହଲାଉଛନ୍ତି, ବହୁତ ଭଲ । (ସମସ୍ତେ ହାତରେ
ଶିବବାବାଙ୍କର ଛୋଟ ଛୋଟ ପତାକା ଧରି ହଲାଉଛନ୍ତି) । ଆଜି ପତାକାର ଦିନ ଅଟେ ନା, ବହୁତ ଭଲ ଲାଗୁଛି
। କିନ୍ତୁ ଏମିତି ଶୁଖିଲାରେ ପତାକା ହଲାଅ ନାହିଁ । ଏହିଭଳି ପତାକା ହଲାଇବା ତ ବହୁତ ସହଜ, ମନକୁ
ହଲଚଲ୍ କରିବାକୁ ହେବ ଅର୍ଥାତ୍ ମନକୁ ପରିବର୍ତ୍ତନ କରିବାକୁ ହେବ । ସାହସୀ ଅଟ ନା । କ’ଣ ସାହସ
ଅଛି ତ? ବହୁତ ସାହସ ଅଛି, ଆଚ୍ଛା!
ବାପଦାଦା ଗୋଟିଏ ଖୁସି
ଖବରବାଲା କଥା ଦେଖିଲେ, ତାହା କ’ଣ ଜାଣିଛ? ବାପଦାଦା ଏହି ବର୍ଷ ପାଇଁ ଗୋଟିଏ ବିଶେଷ ଉପହାର
ଦେଇଥିଲେ - ଏହି ବର୍ଷ ଯଦି ଟିକିଏ ସାହସ ରଖିବ, ଯେକୌଣସି କାର୍ଯ୍ୟରେ, ଚାହେଁ ସ୍ୱ ପରିବର୍ତ୍ତନରେ,
ଚାହେଁ କର୍ମାତୀତ ସେବାରେ, ଚାହେଁ ବିଶ୍ୱ ସେବାରେ ଯଦି ସାହସର ସହିତ କରିବ ତେବେ ଏହି ବର୍ଷକୁ
ଅତିରିକ୍ତ ସାହାଯ୍ୟ ମିଳିବାର ବରଦାନ ମିଳିଛି । ତେବେ ବାପଦାଦା ଖୁସି ଖବର ବା ଖୁସିର ଦୃଶ୍ୟ ।
କ’ଣ ଦେଖିଲେ! ଏଥର ଶିବଜୟନ୍ତୀ ସେବାରେ ଚାରିଆଡେ ସମସ୍ତେ ବହୁତ ବହୁତ ବହୁତ ଭଲ ସାହସ ଏବଂ ଉମଙ୍ଗ
ଉତ୍ସାହର ସହିତ ଆଗକୁ ବଢୁଛନ୍ତି । (ସମସ୍ତେ ତାଳି ବଜାଇଲେ) ଠିକ୍ ଅଛି ଯଦି ତାଳି ବଜାଉଛ ବଜାଅ
କିନ୍ତୁ ସବୁବେଳେ ଏହିଭଳି ତାଳି ବଜାଇବ, ନା କେବଳ ଶିବରାତ୍ରିରେ ବଜାଇବ? ସବୁବେଳ ବଜାଉଥାଅ ।
ଆଚ୍ଚା, ଚାରିଆଡୁ ତ ମଧୁବନକୁ ସମାଚାର ଲେଖି ପଠାଉଛନ୍ତି ଏବଂ ବାପଦାଦ ବତନରୁ ହିଁ ଦେଖି ନେଉଛନ୍ତି
। ପିଲାମାନଙ୍କର ଉମଙ୍ଗ-ଉତ୍ସାହ ରଖିବା ଅର୍ଥ ବିଶ୍ୱର ଆତ୍ମାମାନଙ୍କ ଭିତରେ ଉମଙ୍ଗ ଉତ୍ସାହ
ବଢାଇବା । ଦେଖ ନିମିତ୍ତ ଦାଦୀଙ୍କର କଲମ ତ କମାଲ କରିଛି ନା! ଫଳାଫଳ ମଧ୍ୟ ବହୁତ ଭଲ ମିଳିଛି ।
ସେଥିପାଇଁ ବାପଦାଦା ଏବେ ଗୋଟିଏ ଗୋଟିଏ ସେଣ୍ଟରର ନାମ ତ ଶୁଣାଇବେ ନାହିଁ କିନ୍ତୁ ବିଶେଷ କରି ସବୁ
ଆଡର ସେବାର ଫଳାଫଳ ହିସାବରେ ବାପଦାଦା ପ୍ରତ୍ୟେକ ସେବାଧାରୀ ସନ୍ତାନର ବିଶେଷତା ଏବଂ ନାମ ଧରି
ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି ଏବଂ ଦେଖୁଛନ୍ତି ପିଲାମାନେ ନିଜ ନିଜ ସ୍ଥାନରେ ରହି ମଧ୍ୟ ଦେଖି
ଖୁସି ହେଉଛନ୍ତି । ବିଦେଶରେ ମଧ୍ୟ ଖୁସି ହେଉଛନ୍ତି କାହିଁକି ନା ତୁମେମାନେ ତ ବିଶ୍ୱର
ଆତ୍ମାମାନଙ୍କ ପାଇଁ କଳ୍ପ ପୂର୍ବର ସେହି ଇଷ୍ଟଦେବୀ ଏବଂ ଇଷ୍ଟ ଦେବତା ଅଟ ନା! ତେଣୁ ବାପଦାଦା
ଯେତେବେଳେ ପିଲାମାନଙ୍କର ସଭାକୁ ଦେଖୁଛନ୍ତି ଏକାବେଳେ ତିନୋଟି ରୂପରେ ଦେଖୁଛନ୍ତି । (୧)
ବର୍ତ୍ତମାନ ସ୍ୱରାଜ୍ୟ ଅଧିକାରୀ ଅର୍ଥାତ୍, ଏବେ ମଧ୍ୟ ରାଜା ଅଟ । ଲୌକିକରେ ମଧ୍ୟ ପିତା ତା’ର
ପୁତ୍ରକୁ କହିଥାଏ ତୁ ମୋ’ର ରାଜା ସନ୍ତାନ । ଚାହେଁ ଗରୀବ ପଛକେ ହୋଇଥାଉ କିନ୍ତୁ କହିବ ରାଜା
ସନ୍ତାନ । କିନ୍ତୁ ବର୍ତ୍ତମାନ ସ୍ୱରାଜ୍ୟ ଅଧିକାରୀ ଅଟ ଏବଂ (୨) ଭବିଷ୍ୟତରେ ହେବ ବିଶ୍ୱରାଜ୍ୟ
ଅଧିକାରୀ ଏବଂ (୩) ଦ୍ୱାପରଠାରୁ କଳିଯୁଗ ଶେଷ ପର୍ଯ୍ୟନ୍ତ ପୂଜ୍ୟ ଅର୍ଥାତ୍ ପୂଜା ପାଇବାର ଅଧିକାରୀ
ହେବ । ତେବେ ଏହି ତିନୋଟିଯାକ ରୂପରେ ବାପଦାଦା ସବୁ ପିଲାଙ୍କୁ ଦେଖୁଛନ୍ତି । ସାଧାରଣ ରୂପରେ ଦେଖୁ
ନାହାଁନ୍ତି । ତୁମେ ଯେପରି ବି ହୋଇଥାଅ ନା କାହିଁକି ବାପଦାଦା କିନ୍ତୁ ପ୍ରତ୍ୟେକ ସନ୍ତାନକୁ
ସ୍ୱରାଜ୍ୟ ଅଧିକାରୀ ରାଜା ସନ୍ତାନ ରୂପରେ ଦେଖୁଛନ୍ତି । ରାଜଯୋଗୀ ଅଟ ନା! ତୁମ ଭିତରେ କେହି
ପ୍ରଜାଯୋଗୀ ଅଛନ୍ତି କି? ନାହାନ୍ତିଁ ନା । ସମସ୍ତେ ରାଜଯୋଗୀ । ତେଣୁ ରାଜଯୋଗୀ ଅର୍ଥାତ୍ ରାଜା ।
ଏହିଭଳି ସ୍ୱରାଜ୍ୟ ଅଧିକାରୀ ପିଲାମାନଙ୍କର ଜନ୍ମ ଦିନ ପାଳନ କରିବା ପାଇଁ ବାବା ନିଜେ ଆସିଛନ୍ତି
। ଦେଖ, ତୁମେ ଡବଲ ବିଦେଶୀ ପିଲାମାନେ ତ ଜନ୍ମ ଦିନ ପାଳନ କରିବା ପାଇଁ ବିଦେଶରୁ ଆସିଛ । ଡବଲ
ବିଦେଶୀମାନେ ହାତ ଉଠାଅ । ତେବେ ଅଧିକରୁ ଅଧିକ ଦୂର ଦେଶଟି କ’ଣ? ଆମେରିକା ନା ତା’ ଠାରୁ ମଧ୍ୟ
ଦୂର କେହି ଅଛି? କିନ୍ତୁ ବାପଦାଦା କେଉଁଠୁ ଆସିଛନ୍ତି? ବାପଦାଦା ତ ପରମଧାମରୁ ଆସିଛନ୍ତି । ତେଣୁ
ପିଲାମାନଙ୍କ ପ୍ରତି ସ୍ନେହ ଅଛି ନା! ସେଥିପାଇଁ ଏହି ଜନ୍ମ ଦିନଟି କେତେ ଶ୍ରେଷ୍ଠ ଅଟେ ଯାହାକି
ଭଗବାନଙ୍କୁ ମଧ୍ୟ ଆସିବାକୁ ପଡୁଛି । (ସବୁ ଭାଷାରେ ଲେଖା ହୋଇଥିବା ଏକ ଜନ୍ମ ଦିନର ବ୍ୟାନର
ବାପଦାଦାଙ୍କୁ ଦେଖାଉଛନ୍ତି) ହଁ ଏହା ମଧ୍ୟ ଭଲ ହୋଇଛି, ସବୁ ଭାଷାରେ ଲେଖିଛନ୍ତି । ବାପଦାଦା ସବୁ
ଦେଶର ସବୁ ଭାଷା ଭାଷୀ ପିଲାମାନଙ୍କୁ ଜନ୍ମ ଦିନର ଅଭିନନ୍ଦନ ଦେଉଛନ୍ତି ।
ଦେଖ ବାବାଙ୍କର ଜନ୍ମଦିନ
ଶିବଜୟନ୍ତୀ ତ ପାଳନ କରୁଛନ୍ତି କିନ୍ତୁ ବାବା କ’ଣ ଅଟନ୍ତି? ବିନ୍ଦୁ । ବିନ୍ଦୁର ଜୟନ୍ତୀ ବା
ଅବତରଣ ଉତ୍ସବ ପାଳନ କରୁଛନ୍ତି । ତେବେ ସବୁଠାରୁ ହୀରାତୁଲ୍ୟ ଜୟନ୍ତୀ କାହାର ଅଟେ? ବିନ୍ଦୁର ଏବଂ
ବିନ୍ଦୀର । ତେବେ ବିନ୍ଦୀ ଅର୍ଥାତ୍ ଶୂନର ମଧ୍ୟ କେତେ ମହିମା ଅଟେ! ସେଥିପାଇଁ ବାପଦାଦା ସବୁବେଳେ
କହୁଛନ୍ତି ଯେ ତିନୋଟି ବିନ୍ଦୁକୁ ସର୍ବଦା ମନେରଖ - ସାତ ବା ଆଠକୁ ଲେଖିବା ବେଳେ ପୁଣି ବି କିଛି
ଗଡବଡ ହୋଇପାରେ କିନ୍ତୁ ବିନ୍ଦୁ ଲେଖିବା କେତେ ସହଜ । ତେଣୁ ତିନୋଟି ବିନ୍ଦୁକୁ ସର୍ବଦା ମନେ ରଖ
। ଏହି ତିନୋଟି ଯାକକୁ ତ ଭଲ ଭାବରେ ଜାଣିଛ ନା । ତୁମେମାନେ ମଧ୍ୟ ବିନ୍ଦୁ, ବାବା ମଧ୍ୟ ବିନ୍ଦୁ
। ବିନ୍ଦୁ ପିତାଙ୍କର ସନ୍ତାନ ବିନ୍ଦୁ ଅଟ ଏବଂ କାର୍ଯ୍ୟ ବ୍ୟବହାରରେ ଯେତେବେଳେ ଆସୁଛ, ତେବେ ଏହି
ସୃଷ୍ଟିମଞ୍ଚ ଉପରେ କର୍ମ କରିବା ପାଇଁ ତ ଆସିଛ, ତେଣୁ ଏହି ସୃଷ୍ଟି ତ ଏକ ଡ୍ରାମା ଅଟେ । ତେଣୁ
ଡ୍ରାମାରେ ଯାହାବି କର୍ମ କରିଲ, ସମୟ ବିତିଗଲା, ତାକୁ ଫୁଲଷ୍ଟପ୍ ଲଗାଅ । ତେବେ ଫୁଲଷ୍ଟପ୍ ମଧ୍ୟ
କ’ଣ? ବିନ୍ଦୁ । ସେଥିପାଇଁ ତିନୋଟି ବିନ୍ଦୁ ସର୍ବଦା ମନେ ରଖ ଏବଂ ବିନ୍ଦୁର ସାରା କମାଲ ଦେଖ ।
ଆଜିକାଲିର ଦୁନିଆରେ ସବୁଠାରୁ ଅଧିକ ମହତ୍ୱ କାହାର? ପଇସାର । ପଇସା ଅର୍ଥାତ୍ ଧନର ମହତ୍ୱ ରହିଛି
ନା! ମା’ ବାପା ମଧ୍ୟ କିଛି ନୁହଁନ୍ତି, ପଇସା ହିଁ ସବୁ କିଛି ଅଟେ । ସେଥିରେ ମଧ୍ୟ ଦେଖ ଯଦି ଏକ
ସଂଖ୍ୟା ପାଖରେ ଗୋଟିଏ ବିନ୍ଦୀ ଅର୍ଥାତ୍ ଶୁନ ଲଗାଇ ଦେବ ତେବେ କ’ଣ ହୋଇଯିବ! ୧୦ ହୋଇଯିବ ନା! ଆଉ
ଗୋଟିଏ ବିନ୍ଦୀ ଲଗାଅ, ୧୦୦ ହୋଇଯିବ । ତୃତୀୟ ବିନ୍ଦି ଲଗାଅ ୧୦୦୦ ହୋଇଯିବ । ତେଣୁ ବିନ୍ଦୀର
କମାଲ ହେଲା ନା । ଟଙ୍କା ପଇସାରେ ମଧ୍ୟ ବିନ୍ଦୀର କମାଲ ରହିଛି ଏବଂ ଶ୍ରେଷ୍ଠ ଆତ୍ମା ହେବାରେ
ମଧ୍ୟ ବିନ୍ଦୀର କମାଲ ରହିଛି ଏବଂ ନିର୍ଦ୍ଦେଶକର୍ତ୍ତା ବାବା ମଧ୍ୟ ବିନ୍ଦୁ ଅଟନ୍ତି । ତେଣୁ
ସବୁଆଡେ କାହାର ମହତ୍ୱ ହେଲା? ବିନ୍ଦୁର ନା! ବାସ୍ କେବଳ ବିନ୍ଦୁକୁ ମନେ ରଖ ଅଧିକ ବିସ୍ତାରକୁ
ଯାଅ ନାହିଁ, ବିନ୍ଦୁକୁ ତ ମନେ ପକାଇପାରିବ ନା । ନିଜେ ବିନ୍ଦୁ ହୁଅ, ବିନ୍ଦୁକୁ ମନେ ପକାଅ ଏବଂ
ବିନ୍ଦୁ ଲଗାଅ, ବାସ୍ । ଏହା ହିଁ ହେଉଛି ତୁମମାନଙ୍କର ପୁରୁଷାର୍ଥ । କ’ଣ ଏଥିରେ କିଛି ମେହନତ ଅଛି
କି? ନା ସହଜ ଅଟେ? ଯେଉଁମାନେ ଭାବୁଛନ୍ତି ସହଜ ଅଟେ ସେମାନେ ହାତ ଉଠାଅ । ଯଦି ସହଜ ତେବେ ବିନ୍ଦୁ
ଲଗାଇବାକୁ ପଡିବ । ଯେତେବେଳେ ବି କୌଣସି ସମସ୍ୟା ଆସୁଛି ସେତେବେଳେ ବିନ୍ଦୁ ଲଗାଉଛ, ନା
ପ୍ରଶ୍ନବାଚକ ଚିହ୍ନ ଲଗାଉଛ? ତେଣୁ ପ୍ରଶ୍ନବାଚକ ଲଗାଅ ନାହିଁ, ବିନ୍ଦୁ ଲଗାଅ । ପ୍ରଶ୍ନବାଚକ
ଚିହ୍ନ କେତେ ତେଢା-ମେଢା ଅଟେ । ଗୋଟିଏ ପ୍ରଶ୍ନବାଚକ ଚିହ୍ନ ଲେଖି ତା’କୁ ଦେଖ ତ କେତେ ତେଢା ଅଟେ
ଏବଂ ବିନ୍ଦୁ କେତେ ସହଜ ଅଟେ । ତେଣୁ ବିନ୍ଦୁ ହେବା ଜଣା ଅଛି ତ? ଜାଣିଛ ତ? ସମସ୍ତେ ବୁଦ୍ଧିମାନ
ଅଟନ୍ତି ।
ବାପଦାଦା ବିଶେଷ କରି
ସେବାର ଉମଙ୍ଗ-ଉତ୍ସାହ ପାଇଁ ଅଭିନନ୍ଦନ ତ ଦେଇଛନ୍ତି ସେବା ମଧ୍ୟ ବହୁତ ଭଲ କରୁଛ ଏବଂ କରିବ ମଧ୍ୟ
କିନ୍ତୁ ଆଗକୁ ସବୁ ସମୟରେ, ସବୁ ଦିନ ନିଜକୁ ମୁଁ ବିଶ୍ୱ ସେବକ ଅଟେ - ଏହି କଥା ମନେ ରଖିବ ।
ତୁମମାନଙ୍କର ମନେ ଅଛି ବ୍ରହ୍ମାବାବା କ’ଣ ଦସ୍ତଖତ କରୁଥିଲେ । ୱାଲ୍ଡ ସର୍ଭେଣ୍ଟ ଅର୍ଥାତ୍ ବିଶ୍ୱ
ସେବାଧାରୀ । ତେଣୁ ତୁମେମାନେ ବିଶ୍ୱ ସେବାଧାରୀ ଅଟ । କେବଳ ଶିବରାତ୍ରିର ସେବାରେ ବିଶ୍ୱର ସେବା
ସମାପ୍ତ ହେବ ନାହିଁ । ଲକ୍ଷ୍ୟ ରଖ ଯେ ମୁଁ ବିଶ୍ୱ ସେବାଧାରୀ ଅଟେ, ତାହାହେଲେ ବିଶ୍ୱର ସେବା
ପ୍ରତ୍ୟେକ ନିଃଶ୍ୱାସରେ, ପ୍ରତି ମୂହୁର୍ତ୍ତରେ କରିବାକୁ ହେବ । ଯିଏବି ତୁମ ପାଖକୁ ଆସୁଛି ବା
ଯାହା ସହିତ ମଧ୍ୟ ସମ୍ପର୍କ ଅଛି ଦାତା ହୋଇ ତା’କୁ କିଛି ନା କିଛି ଦେବାକୁ ହିଁ ହେବ । ଖାଲି
ହାତରେ କେହି ଯେପରି ନ ଯାଆନ୍ତୁ । ଅଖଣ୍ଡ ଭଣ୍ଡାରା ଅର୍ଥାତ୍ ଖାଦ୍ୟ ଭଣ୍ଡାର ସବୁ ସମୟରେ ଖୋଲା
ରହିଥାଉ ଅତି କମ୍ରେ ସମସ୍ତଙ୍କ ପ୍ରତି ଶୁଭଭାବ ଏବଂ ଶୁଭଭାବନା ଏତିକି ନିଶ୍ଚିତ ଦିଅ । ଶୁଭଭାବ
ରଖି ଦେଖ, ଶୁଣ, ସମ୍ବନ୍ଧରେ ଆସ ଏବଂ ଶୁଭଭାବନାର ସହିତ ସେମାନଙ୍କୁ ସହଯୋଗ ଦିଅ । ଏବେ ସର୍ବ
ଆତ୍ମାଙ୍କୁ ତୁମର ସହଯୋଗର ବହୁତ ବହୁତ ଆବଶ୍ୟକତା ରହିଛି । ତେଣୁ ସହଯୋଗ ଦିଅ ଏବଂ ସହଯୋଗୀ କର ।
ଚାହେଁ ସଂକଳ୍ପ ଦ୍ୱାରା, ଚାହେଁ ବାଣୀ ଦ୍ୱାରା, ଚାହେଁ ସମ୍ବନ୍ଧ-ସମ୍ପର୍କ ଦ୍ୱାରା କୌଣସି ନା
କୌଣସି ସହଯୋଗ ନିଶ୍ଚିତ ଦିଅ । ତେବେ ଏହି ଶିବରାତ୍ରି ଜନ୍ମ ଉତ୍ସବର ବିଶେଷ ସ୍ଳୋଗାନ ମନେ ରଖ -
ସହଯୋଗ ଦିଅ ଏବଂ ସହଯୋଗୀ କର । ଅତିକମରେ ଯେଉଁମାନେ ବି ସମ୍ବନ୍ଧ-ସମ୍ପର୍କରେ ଆସୁଛନ୍ତି
ସେମାନଙ୍କୁ ସହଯୋଗ ଦିଅ ଏବଂ ସହଯୋଗୀ କର । କେହି ନା କେହି ତ ସମ୍ବନ୍ଧରେ ନିଶ୍ଚିତ ଆସୁଛନ୍ତି ।
ତା’ର ଅନ୍ୟ କୌଣସି ସତ୍କାର ପଛେ ନ କର କିନ୍ତୁ ସମସ୍ତଙ୍କୁ ଦିଲଖୁସ୍ ମିଠେଇ ନିଶ୍ଚିତ ଖୁଆଅ ।
ରୋଷେଇ ଘରେ ତିଆରି ହେଉଥିବା ମିଠେଇ ଖୁଆଅ ନାହିଁ, କିନ୍ତୁ ତା’ର ଦିଲ ଖୁସ୍ କରିଦିଅ ଅର୍ଥାତ୍
ମନକୁ ଖୁସି କରିଦିଅ । ତେବେ ଦିଲ୍ ଖୁସ କରିବା ଅର୍ଥ ଦିଲ୍ ଖୁସ ମିଠେଇ ଖୁଆଇବା । କ’ଣ ଖୁଆଇବ ତ!
ଏଥିରେ ତ କୌଣସି ମେହନତ ନାହିଁ । ନା କୌଣସି ମେହନତ ଅଛି, ନା ଅଧିକ ସମୟ ଦେବାର ଅଛି । କେବଳ
ଶୁଭଭାବନାର ସହିତ ଦିଲ୍ଖୁସ୍ ମିଠେଇ ଖୁଆଅ । ତୁମେ ମଧ୍ୟ ଖୁସି ହୁଅ, ସିଏ ବି ଖୁସି ହେଉ, ଆଉ
କ’ଣ ଦରକାର । ତେଣୁ ଖୁସିରେ ରହିବ ଏବଂ ଖୁସି ଦେବ । କେବେ ବି ତୁମମାନଙ୍କର ଚେହେରା ଅଧିକ
ଗମ୍ଭୀର ହେବା ଉଚିତ୍ ନୁହେଁ । ଅତ୍ୟଧିକ ଗମ୍ଭୀରତା ମଧ୍ୟ ଭଲ ଲାଗେ ନାହିଁ । ସ୍ମିତ ହାସ୍ୟ
ଚେହେରା ରହିବା ଦରକାର । ଏମିତି ବି ଗମ୍ଭୀର ରହିବା ମଧ୍ୟ ଭଲ କଥା କିନ୍ତୁ ଅତ୍ୟଧିକ ଗମ୍ଭୀର
ରହୁଥିବା ବ୍ୟକ୍ତି ଏପରି ଲାଗନ୍ତି ଯେପରି ଆଉ କେଉଁଠି ଅଛନ୍ତି । ଦେଖୁଛନ୍ତି, କଥା କହୁଛନ୍ତି
କିନ୍ତୁ ଏଠାରେ ନ ଥିବା ଭଳି ଜଣାପଡୁଛନ୍ତି । ତେଣୁ ସେଭଳି ଚେହେରା ଭଲ ନୁହେଁ । ତୁମର ଚେହେରା
ସର୍ବଦା ହସ ହସ ରହିବା ଦରକାର । ଚେହେରାକୁ କେବେ ବି ସିରିୟସ୍ ଅର୍ଥାତ୍ ଅଧିକ ଚିନ୍ତାଗ୍ରସ୍ତ କର
ନାହିଁ । କ’ଣ କରିବି, କେହି କେହି ଏହିଭଳି ଚିନ୍ତାଗ୍ରସ୍ତ ହୋଇଯାଆନ୍ତି । ବହୁତ ପରିଶ୍ରମ
କରିବାକୁ ପଡୁଛି, ବହୁତ କାମ ଅଛି... ଏହିଭଳି ଅଧିକ ସିରିୟସ୍ ହୋଇଯାଉଛ କିନ୍ତୁ ଯେତେ ଅଧିକ କାମ
ସେତେ ଅଧିକ ହସ ହସ ଚେହେରା । କ’ଣ ମୁରୁକୀ ହସିବା ଜଣା ଅଛି ତ? ଜାଣିଛ ତ? ତୁମମାନଙ୍କର ଜଡ
ଚିତ୍ରକୁ ଦେଖ, କେବେ ବି ସେଭଳି ସିରିୟସ୍ ଚେହେରା ଦେଖାଇ ନ ଥାଆନ୍ତି । ଯଦି ଟିକିଏ ସିରିୟସ୍
ଦେଖାଯିବ ତେବେ କହିବେ ଆର୍ଟିଷ୍ଟି ଠିକ୍ ନୁହେଁ । ତେଣୁ ତୁମେମାନେ ବି ଯଦି ସିରିୟସ୍ ରହିବ ତେବେ
କହିବେ ଏମାନଙ୍କୁ ବଞ୍ଚିବାର କଳା ଜଣା ନାହିଁ । ସେଥିପାଇଁ କ’ଣ କରିବ? ଟୀଚରମାନେ କ’ଣ କରିବ?
ଆଚ୍ଛା, ବହୁତ ଟୀଚର ଅଛନ୍ତି, ତେଣୁ ଟୀଚର ମାନଙ୍କୁ ଅଭିନନ୍ଦନ । ସେବାର ଅଭିନନ୍ଦନ । ଆଚ୍ଛା!
ଗୋଟିଏ ସେକେଣ୍ଡ ଭିତରେ
ନିଜର ପୂର୍ବଜ ଏବଂ ପୂଜ୍ୟ ସ୍ୱରୂପକୁ ପ୍ରକଟ କରିପାରିବ? କଳ୍ପ ପୂର୍ବର ଦେବୀ-ଦେବତା ସ୍ୱରୂପର
ସ୍ମୃତିରେ ନିଜକୁ ଦେଖି ପାରିବ? ଯେକୌଣସି ଦେବୀ ବା ଦେବତା ରୂପରେ ଦେଖିପାରିବ? । ମୁଁ ପୂର୍ବଜ
ଅଟେ, ସଂଗମଯୁଗରେ ପୂର୍ବଜ ଅଟେ ଏବଂ ଦ୍ୱାପର ଯୁଗଠାରୁ ପୂଜ୍ୟ ଅଟେ । ସତ୍ୟ-ତ୍ରେତାଯୁଗରେ ରାଜ୍ୟ
ଅଧିକାରୀ ଅଟେ । ତେଣୁ ଗୋଟିଏ ସେକେଣ୍ଡ ଭିତରେ ଅନ୍ୟ ସବୁ ସଂକଳ୍ପକୁ ସମାପ୍ତ କରି ନିଜର ପୂର୍ବଜ
ଏବଂ ପୂଜ୍ୟ ସ୍ୱରୂପରେ ସ୍ଥିତ ହୋଇଯାଅ । ଆଚ୍ଛା!
ଚାରିଆଡର ଅଲୌକିକ ଦିବ୍ୟ
ଅବତରଣ କରିଥିବା ପିଲାମାନଙ୍କୁ ବାବାଙ୍କର ଜନ୍ମ ଦିନ ଏବଂ ପିଲାମାନଙ୍କର ଜନ୍ମ ଦିନର ଆଶୀର୍ବାଦ
ସହିତ ସ୍ନେହ ସମ୍ପନ୍ନ ଶୁଭଚ୍ଛୋ । ତେବେ ଦିଲାରାମ୍ ବାବାଙ୍କର ଦିଲ୍ ଭିତରେ ବିଶେଷ ସେବାଧାରୀ
ପିଲାମାନେ ସର୍ବଦା ମିଶି ରହିଛନ୍ତି । ତେଣୁ ଏହିଭଳି ହୃଦୟ ସିଂହାସନ ଅଧିକାରୀ ଶ୍ରେଷ୍ଠ
ଆତ୍ମାମାନଙ୍କୁ, ସର୍ବଦା ବିନ୍ଦୁର ମହତ୍ୱକୁ ଜାଣିଥିବା ଶ୍ରେଷ୍ଠ ବିନ୍ଦୁ ସ୍ୱରୂପ ପିଲାମାନଙ୍କୁ,
ସର୍ବଦା ନିଜର ସ୍ୱମାନରେ ସ୍ଥିତ ରହି ସମସ୍ତଙ୍କୁ ଆତ୍ମିକ ସମ୍ମାନ ହେଉଥିବା ସ୍ୱମାନଧାରୀ
ଆତ୍ମାମାନଙ୍କୁ, ସର୍ବଦା ଦାତାଙ୍କର ସନ୍ତାନ ହିସାବରେ ମାଷ୍ଟର ଦାତା ହୋଇ ସର୍ବଆତ୍ମାଙ୍କୁ ନିଜର
ଅଖଣ୍ଡ ଭଣ୍ଡାର ମଧ୍ୟରୁ କିଛି ନା କିଛି ଦାନ କରୁଥିବା ମାଷ୍ଟର ଦାତା ପିଲାମାନଙ୍କୁ ବାପଦାଦାଙ୍କର
ବହୁତ ବହୁତ ପଦ୍ମଗୁଣା, କୋହିନୂର ହୀରାଠାରୁ ମଧ୍ୟ ଅଧିକ ମୂଲ୍ୟବାନ ପ୍ରଭୁଙ୍କର ନୂର ଅର୍ଥାତ୍
ଜ୍ୟୋତି ସ୍ୱରୂପ ପିଲାମାନଙ୍କୁ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
ବରଦାନ:-
ପ୍ରତ୍ୟେକ
ଶକ୍ତିକୁ ନିଜର ଆଦେଶ ଅନୁସାରେ ଚଲାଉଥିବା ମାଷ୍ଟର ରଚୟିତା ହୁଅ ।
କୌଣସି ବି କର୍ମ ଆରମ୍ଭ
କରିବା ପୂର୍ବରୁ ଯେପରି କର୍ମ ସେହିପରି ଶକ୍ତିକୁ ଆବାହନ କର । ମାଲିକ ହୋଇ ଆଦେଶ ଦିଅ । କାହିଁକି
ନା ଏହି ସବୁ ଶକ୍ତିଗୁଡିକ ତୁମର ଭୁଜା ଅର୍ଥାତ୍ ହାତ ଭଳି ବିଶେଷ ସହଯୋଗୀ ଅଟନ୍ତି, ତେଣୁ ତୁମର
ଭୁଜାମାନେ ତୁମର ଆଦେଶ ବିନା କିଛି କରିପାରିବେ ନାହିଁ । ସହନଶକ୍ତିକୁ ଆଦେଶ ଦିଅ କାର୍ଯ୍ୟକୁ ସଫଳ
କରିବା ପାଇଁ ଦେଖିବ ସଫଳତା ହୋଇ ରହିଛି । କିନ୍ତୁ ତୁମେମାନେ ଆଦେଶ ଦେବା ପରିବର୍ତ୍ତେ ଡରିଯାଉଛ
- କରିପାରିବି କି ନାହିଁ । ଯଦି ଏହିଭଳି ଡର ରହିବ ତେବେ ତୁମର ଆଦେଶ କାମ କରିବ ନାହିଁ ।
ସେଥିପାଇଁ ମାଷ୍ଟର ରଚୟିତା ହୋଇ ପ୍ରତ୍ୟେକ ଶକ୍ତିକୁ ଆଦେଶ ଅନୁସାରେ ଚଲାଇବା ପାଇଁ ନିର୍ଭୟ ହୁଅ
।
ସ୍ଲୋଗାନ:-
ସହାରାଦାତା
ବାବାଙ୍କୁ ପ୍ରତ୍ୟକ୍ଷ କରି ସମସ୍ତଙ୍କୁ କୂଳରେ ଲଗାଅ ।