23.03.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଚୁପ୍
ରହିବା ମଧ୍ୟ ବହୁତ ଭଲ ଗୁଣ, ତୁମେ ଚୁପ୍ ରହି ବାବାଙ୍କୁ ମନେ ପକାଇଚାଲ ତେବେ ବହୁତ ରୋଜଗାର ଜମା
କରିଦେବ ।”
ପ୍ରଶ୍ନ:-
କେଉଁ କଥା କର୍ମ
ସନ୍ନ୍ୟାସର ପ୍ରତୀକ ଅଟେ ଯାହାକି ତୁମେ କହିପାରିବ ନାହିଁ?
ଉତ୍ତର:-
ଡ୍ରାମାରେ ଥିଲେ କରିନେବି, ବାବା କହୁଛନ୍ତି ଏହା ତ କର୍ମ ସନ୍ନ୍ୟାସ ହୋଇଗଲା । ତୁମକୁ କର୍ମ ତ
ନିଶ୍ଚିତ କରିବାକୁ ହେବ । ବିନା ପୁରୁଷାର୍ଥରେ ତ ପାଣି ମଧ୍ୟ ମିଳିପାରିବ ନାହିଁ, ସେଥିପାଇଁ
ଡ୍ରାମା କହି ଛାଡି ଦେବା ଉଚିତ୍ ନୁହେଁ । ନୂଆ ରାଜଧାନୀରେ ଯଦି ଉଚ୍ଚ ପଦ ପାଇବାର ଅଛି ତେବେ ଖୁବ୍
ପୁରୁଷାର୍ଥ କର ।
ଓମ୍ ଶାନ୍ତି ।
ପ୍ରଥମେ ପ୍ରଥମେ ପିଲାମାନଙ୍କୁ ସାବଧାନୀ ମିଳୁଛି - ବାବାଙ୍କୁ ମନେ ପକାଅ ଏବଂ ତାଙ୍କର ସମ୍ପତ୍ତି
ଅର୍ଥାତ୍ ସ୍ୱର୍ଗ ଦୁନିଆକୁ ମନେ ପକାଅ । ମନମନାଭବ । ଏହି ଶବ୍ଦ ମଧ୍ୟ ବ୍ୟାସଦେବ ହିଁ ଲେଖିଛନ୍ତି
। ବାବା ସଂସ୍କୃତରେ ତ ବୁଝାଇ ନାହାଁନ୍ତି । ବାବା ତ ହିନ୍ଦୀରେ ହିଁ ବୁଝାଇଛନ୍ତି । ପିଲାମାନଙ୍କୁ
କହୁଛନ୍ତି ଯେ, ବାବାଙ୍କୁ ଏବଂ ବର୍ସାକୁ ମନେ ପକାଅ । ଏହା ତ ବହୁତ ସହଜ କଥା, ହେ ପିଲାମାନେ,
ମୋତେ ମନେ ପକାଅ । ଲୌକିକ ପିତା ଏଭଳି କହିବେ ନାହିଁ ଯେ, ପିଲାମାନେ ମୋତେ ମନେ ପକାଅ । ଏହା
ହେଉଛି ନୂଆ କଥା । ବାବା କହୁଛନ୍ତି ହେ ସନ୍ତାନମାନେ ମୁଁ ନିରାକାର ବାବା, ମୋତେ ମନେ ପକାଅ ।
ଏକଥା ମଧ୍ୟ ସନ୍ତାନମାନେ ଜାଣିଛନ୍ତି ଯେ, ଆତ୍ମିକ ପିତା ଆମ ଆତ୍ମାମାନଙ୍କ ସହିତ କଥାବାର୍ତ୍ତା
ହେଉଛନ୍ତି । ଘଡି ଘଡି ପିଲାମାନଙ୍କୁ କହିବେ ଯେ ତୁମେମାନେ ବାବାଙ୍କୁ ମନେ ପକାଅ, ଏହା ଶୋଭାପାଉ
ନାହିଁ । ଯେବେକି ପିଲାମାନେ ଜାଣିଛନ୍ତି, ଆମର କର୍ତ୍ତବ୍ୟ ହେଲା ବାବାଙ୍କୁ ମନେ ପକାଇବା, ତେବେ
ଯାଇ ବିକର୍ମ ବିନାଶ ହେବ । ତେଣୁ ପିଲାମାନଙ୍କୁ ନିରନ୍ତର ବାବାଙ୍କୁ ମନେ ପକାଇବାର ଚେଷ୍ଟା
କରିବାକୁ ହେବ । ବର୍ତ୍ତମାନ ସମୟରେ ତ କେହି ବି ନିରନ୍ତର ସ୍ମରଣ କରିପାରିବେ ନାହିଁ, ସେଥିପାଇଁ
ସମୟ ଲାଗିବ । ବ୍ରହ୍ମାବାବା ମଧ୍ୟ କହୁଛନ୍ତି, ମୁଁ ମଧ୍ୟ ନିରନ୍ତର ସ୍ମରଣ କରିପାରୁ ନାହିଁ ।
ସେଭଳି ଅବସ୍ଥା ତ ଶେଷ ସମୟରେ ହିଁ ହେବ । ତୁମ ସନ୍ତାନମାନଙ୍କୁ ପ୍ରଥମେ ବାବାଙ୍କୁ ସ୍ମରଣ
କରିବାର ପୁରୁଷାର୍ଥ ହିଁ କରିବାକୁ ହେବ । ଶିବବାବାଙ୍କଠାରୁ ବର୍ସା ମିଳୁଛି । ଏହା
ଭାରତବାସୀମାନଙ୍କର ହିଁ କଥା ଅଟେ । ଏଠାରେ ତ ଦୈବୀ ରାଜଧାନୀର ସ୍ଥାପନା ହେଉଛି । ଅନ୍ୟ ଯେଉଁ
ଧର୍ମ ସ୍ଥାପକମାନେ ନିଜ ଧର୍ମର ସ୍ଥାପନା କରନ୍ତି, ସେଥିରେ କୌଣସି କଷ୍ଟ ନ ଥାଏ କାରଣ ସେମାନଙ୍କ
ପଛେ ପଛେ ତାଙ୍କ ଧର୍ମର ଆତ୍ମାମାନେ ପରମଧାମରୁ ଆସିବାକୁ ଲାଗିଥାଆନ୍ତି । ଏଠାରେ ତ ଯେଉଁମାନେ
ଦେବୀ-ଦେବତା ଧର୍ମର ଆତ୍ମା ଅଛନ୍ତି, ସେମାନଙ୍କୁ ଜ୍ଞାନ ଦ୍ୱାରା ଜାଗ୍ରତ କରିବାକୁ ପଡୁଛି ।
ସେଥିପାଇଁ କେତେ କଷ୍ଟ କରିବାକୁ ପଡୁଛି । ଗୀତା, ଭାଗବତ ଆଦି ଶାସ୍ତ୍ରମାନଙ୍କରେ ମଧ୍ୟ ଏକଥା ନାହିଁ
ଯେ, ଭଗବାନ ସଂଗମରେ ରାଜଧାନୀ ସ୍ଥାପନ କରିଥା’ନ୍ତି । ଗୀତାରେ ଲେଖାଯାଇଛି ଯେ, ପାଣ୍ଡବମାନେ
ପାହାଡ ଉପରକୁ ଚାଲିଗଲେ, ପ୍ରଳୟ ହୋଇଗଲା ଆଦି ଆଦି... । ବାସ୍ତବରେ ଏଭଳି କିଛି କଥା ତ ନାହିଁ ।
ତୁମେମାନେ ଏବେ ଭବିଷ୍ୟତ ୨୧ ଜନ୍ମ ପାଇଁ ପାଠ ପଢୁଛ । ଅନ୍ୟ ସବୁ ସ୍କୁଲମାନଙ୍କରେ ଏହି ଦୁନିଆ
ପାଇଁ ହିଁ ପାଠ ପଢାଇଥା’ନ୍ତି । ସାଧୁ ସନ୍ଥ ଆଦି ଯିଏବି ଅଛନ୍ତି ସେମାନେ ଭବିଷ୍ୟତ ପାଇଁ ହିଁ
ପାଠ ପଢାଇଥା’ନ୍ତି କାରଣ ସେମାନେ ଭାବନ୍ତି, ଆମେ ଶରୀର ଛାଡି ମୁକ୍ତିଧାମକୁ ଚାଲିଯିବୁ, ବ୍ରହ୍ମରେ
ଲୀନ ହୋଇଯିବୁ । ଆତ୍ମା ପରମାତ୍ମାଙ୍କ ସହିତ ମିଶିଯିବ । ତେବେ ତାହା ମଧ୍ୟ ଭବିଷ୍ୟତ ପାଇଁ ହେଲା
ନା । କିନ୍ତୁ ଭବିଷ୍ୟତ ପାଇଁ ପାଠ ତ ଏକମାତ୍ର ବାବା ହିଁ ପଢାଇଥା’ନ୍ତି, ଅନ୍ୟ କେହି ନୁହଁନ୍ତି
। ଗାୟନ ମଧ୍ୟ ରହିଛି ସମସ୍ତଙ୍କର ସଦ୍ଗତି ଦାତା କେବଳ ଜଣେ । ସେମାନେ ସବୁ ତ ଅଯଥାର୍ଥ ହୋଇଗଲେ
। ଏକଥା ବାବା ହିଁ ଆସି ବୁଝାଉଛନ୍ତି । ସେମାନେ ମଧ୍ୟ ସାଧନା କରିଚାଲିଛନ୍ତି । କିନ୍ତୁ ବ୍ରହ୍ମରେ
ଲୀନ ହେବାର ସାଧନା ଅଯଥାର୍ଥ ଅଟେ । ବାସ୍ତବରେ ଲୀନ ତ କେହି ବି ହୁଅନ୍ତି ନାହିଁ । ବ୍ରହ୍ମ ମହତତ୍ୱ
କୌଣସି ଭଗବାନ ନୁହେଁ । ଏସବୁ ହେଲା ଭୁଲ୍ କଥା । ମିଥ୍ୟାଖଣ୍ଡରେ ସମସ୍ତେ ମିଥ୍ୟା ହିଁ
କହିଥା’ନ୍ତି । ସତ୍ୟଖଣ୍ଡ ଅର୍ଥାତ୍ ସତ୍ୟଯୁଗରେ ସମସ୍ତେ ସତ୍ୟ ହିଁ କହିଥା’ନ୍ତି । ତୁମେ ଜାଣିଛ
ଯେ ସତ୍ୟଖଣ୍ଡ ଭାରତରେ ଥିଲା ଯାହାକି ଏବେ ମିଥ୍ୟାଖଣ୍ଡ ହୋଇଯାଇଛି । ବାବା ମଧ୍ୟ ଭାରତରେ ହିଁ
ଆସିଥା’ନ୍ତି । ଶିବଜୟନ୍ତୀ ପାଳନ କରୁଛନ୍ତି ସତ, କିନ୍ତୁ ଏକଥା କେହି ଜାଣି ନାହାଁନ୍ତି ଯେ,
ଶିବବାବା ହିଁ ଆସି ଭାରତକୁ ସତ୍ୟଖଣ୍ଡରେ ପରିଣତ କରିଥିଲେ । ସେମାନେ ଭାବୁଛନ୍ତି ଯେ, ଶିବ ତ
ଆସନ୍ତି ହିଁ ନାହିଁ କାରଣ ସିଏ ନାମ ରୂପରୁ ନିଆରା । ତାଙ୍କର କେବଳ ଯାହା ମହିମାର ଗାୟନ କରୁଛନ୍ତି
- ପତିତ-ପାବନ, ଜ୍ଞାନର ସାଗର । ତାହା ତ କେବଳ ଶୁଆ ଭଳି କହିଦେଉଛନ୍ତି । ଏକଥା ବାବା ହିଁ ଆସି
ବୁଝାଉଛନ୍ତି । ଶ୍ରୀକୃଷ୍ଣ ଜୟନ୍ତୀ ପାଳନ କରୁଛନ୍ତି, ଗୀତା ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି ।
ଶିବଜୟନ୍ତୀ ବିଷୟରେ କାହାକୁ ବି ଜଣା ନାହିଁ ଯେ, ଶିବ ଆସି କ’ଣ କରିଥିଲେ । ଆସିବେ ବି କିପରି?
ଯେତେବେଳେ କହୁଛନ୍ତି ନାମ ରୂପରୁ ନିଆରା । ବାବା କହୁଛନ୍ତି ମୁଁ ହିଁ ଆସି ପିଲାମାନଙ୍କୁ ବୁଝାଉଛି,
ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଉଛି । ବାବା ନିଜେ କହୁଛନ୍ତି ଯେ, ମୁଁ ହିଁ ଆସି ଭାରତକୁ
ପୁନର୍ବାର ସ୍ୱର୍ଗରେ ପରିଣତ କରୁଛି । କେହି ତ ପତିତ-ପାବନ ହୋଇଥିବେ ନା । ମୁଖ୍ୟ ହେଲା ଭାରତର
କଥା । ଭାରତ ହିଁ ପତିତ ଅଟେ । ପତିତ-ପାବନଙ୍କୁ ମଧ୍ୟ ଭାରତରେ ହିଁ ଡାକୁଛନ୍ତି । ନିଜେ କହୁଛନ୍ତି
ସାରା ବିଶ୍ୱରେ ଏବେ ଶୈତାନର ରାଜ୍ୟ ଚାଲିଛି, ବୋମା ଆଦି ତିଆରି କରିଚାଲିଛନ୍ତି । ଏସବୁ ଦ୍ୱାରା
ବିନାଶ ହିଁ ହେବ । ବିନାଶ ପାଇଁ ସବୁ ପ୍ରକାରର ପ୍ରସ୍ତୁତି କରି ଚାଲିଛନ୍ତି । ସେମାନେ ଯେପରି
ରାବଣ ଦ୍ୱାରା ପ୍ରେରିତ ହୋଇ କରୁଛନ୍ତି । ଏହି ରାବଣର ରାଜ୍ୟ କେବେ ସମାପ୍ତ ହେବ? ଭାରତବାସୀମାନେ
କହିବେ ଯେବେ ଶ୍ରୀକୃଷ୍ଣ ଆସିବେ । ତୁମେମାନେ ବୁଝାଉଛ ଶିବବାବା ଆସିଯାଇଛନ୍ତି । ସିଏ ହିଁ
ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । ବାବା କହୁଛନ୍ତି ମୋତେ ମନେ ପକାଅ । ଏହି କଥା ଆଉ କେହି
କହିପାରିବେ ନାହିଁ । ବାବା ହିଁ କହୁଛନ୍ତି, ଯଦି ମୋତେ ମନେ ପକାଇବ ତେବେ ଆତ୍ମାରେ ଥିବା ଖାଦ
ବାହାରିଯିବ । ତୁମେମାନେ ସତ୍ତ୍ୱପ୍ରଧାନ ଥିଲ, ଏବେ ତୁମ ଆତ୍ମାରେ ଖାଦ ମିଶିଯାଇଛି । ତାହା ଯୋଗ
ଦ୍ୱାରା ହିଁ ବାହାରିବ, ଏହାକୁ ଯୋଗର ଯାତ୍ରା କୁହାଯାଉଛି । ମୁଁ ହିଁ ପତିତପାବନ ଅଟେ । ମୋତେ ମନେ
ପକାଇଲେ ତୁମର ବିକର୍ମ ବିନାଶ ହେବ, ତେଣୁ ଏହାକୁ ଯୋଗ ଅଗ୍ନି ମଧ୍ୟ କୁହାଯାଉଛି । ସୁନାକୁ ନିଆଁରେ
ପୋଡି ସେଥିରୁ ଖାଦ ବାହାର କରାଯାଇଥାଏ । ପୁଣି ସୁନାରେ ଖାଦ ମିଶାଇବା ପାଇଁ ମଧ୍ୟ ନିଆଁରେ
ପକାଇବାକୁ ପଡିଥାଏ । ବାବା କହୁଛନ୍ତି ତାହା ହେଉଛି କାମ ଚିତା । ଏହା ହେଉଛି ଜ୍ଞାନ ଚିତା । ଏହି
ଯୋଗ ଅଗ୍ନି ଦ୍ୱାରା ତୁମର ଖାଦ ବାହାରିଯିବ ଏବଂ ତୁମେ ଶ୍ରୀକୃଷ୍ଣପୁରୀକୁ ଯିବାର ଯୋଗ୍ୟ ହୋଇଯିବ
। ଶ୍ରୀକୃଷ୍ଣ ଜୟନ୍ତୀ ଦିନ ଶ୍ରୀକୃଷ୍ଣଙ୍କୁ ଡାକଥା’ନ୍ତି । ତୁମେ ଜାଣିଛ ଶ୍ରୀକୃଷ୍ଣଙ୍କୁ ମଧ୍ୟ
ବାବାଙ୍କ ଠାରୁ ହିଁ ବର୍ସା ମିଳିଥାଏ । ଶ୍ରୀକୃଷ୍ଣ ସ୍ୱର୍ଗର ମାଲିକ ଥିଲେ । ବାବା ହିଁ
ଶ୍ରୀକୃଷ୍ଣଙ୍କୁ ଏହି ପଦ ଦେଇଥିଲେ । ରାଧେ କୃଷ୍ଣ ହିଁ ପୁଣି ଲକ୍ଷ୍ମୀ-ନାରାୟଣ ହୋଇଥା’ନ୍ତି ।
ରାଧା କୃଷ୍ଣଙ୍କର ଜନ୍ମ ଦିନ ପାଳନ କରାଯାଇଥାଏ କିନ୍ତୁ ଲକ୍ଷ୍ମୀ-ନାରାୟଣଙ୍କର ଜନ୍ମ ଦିନ ବିଷୟରେ
କାହାକୁ ବି ଜଣା ନାହିଁ । ମନୁଷ୍ୟ ତ ବିଲ୍କୁଲ୍ ଦ୍ୱନ୍ଦ୍ୱ ଭିତରେ ଅଛନ୍ତି । ଏବେ ତୁମେ
ପିଲାମାନେ ଠିକ ଭାବେ ବୁଝିଛ ତେଣୁ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ହେବ । ପ୍ରଥମେ ପ୍ରଥମେ
ପଚାରିବାକୁ ହେବ ଯେ, ଗୀତାରେ ଯାହା କୁହାଯାଇଛି କେବଳ ମୋତେ ମନେ ପକାଅ, ଏହି କଥା କିଏ କହିଛନ୍ତି?
ସେମାନେ ଭାବୁଛନ୍ତି ଶ୍ରୀକୃଷ୍ଣ ହିଁ କହିଛନ୍ତି । ତୁମେମାନେ ଜାଣିଛ ଯେ, ସେ ଭଗବାନ ନିରାକାର
ଅଟନ୍ତି । ତାଙ୍କଠାରୁ ହିଁ ଉଚ୍ଚ ଅର୍ଥାତ୍ ଶ୍ରେଷ୍ଠ ମତ ମିଳୁଛି । ପରମପିତା ପରମାତ୍ମା ହିଁ
ସର୍ବଶ୍ରେଷ୍ଠ ଅଟନ୍ତି । ତେଣୁ ନିଶ୍ଚିତ ଭାବରେ ତାଙ୍କର ମତ ଶ୍ରେଷ୍ଠରୁ ଶ୍ରେଷ୍ଠ ମତ ହେବ । ସେହି
ଜଣଙ୍କର ଶ୍ରୀମତ ଆଧାରରେ ହିଁ ସମସ୍ତଙ୍କର ସଦଗତି ହୋଇଥାଏ । ଗୀତାର ଭଗବାନ ବ୍ରହ୍ମା ବିଷ୍ଣୁ
ଶଙ୍କରଙ୍କୁ ମଧ୍ୟ କୁହାଯାଇପାରିବ ନାହିଁ । କିନ୍ତୁ ମନୁଷ୍ୟ ପୁଣି ଶରୀରଧାରୀ ଶ୍ରୀକୃଷ୍ଣଙ୍କୁ
ଗୀତାର ଭଗବାନ ବୋଲି କହିଦେଉଛନ୍ତି । ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ନିଶ୍ଚିତ କେଉଁଠି ଭୂଲ୍
ରହିଯାଇଛି । ତୁମେମାନେ ବୁଝୁଛ ଯେ, ମନୁଷ୍ୟମାନଙ୍କ ବୁଦ୍ଧିରେ ବହୁତ ଭୂଲ ଧାରଣା ରହିଛି ।
ରାଜଯୋଗ ତ ବାବା ହିଁ ଶିଖାଇଛନ୍ତି ଏବଂ ସେ ହିଁ ପତିତ-ପାବନ ଅଟନ୍ତି । ଯେଉଁ ସବୁ ବଡ ବଡ
ଭୂଲଗୁଡିକ ରହିଛି ତା ଉପରେ ଅଧିକ ଧ୍ୟାନ ଦେବା ଦରକାର । ପ୍ରଥମତଃ ଈଶ୍ୱରଙ୍କୁ ସର୍ବବ୍ୟାପୀ କହିବା,
ଦ୍ୱିତୀୟତଃ ଗୀତାର ଭଗବାନ ଶ୍ରୀକୃଷ୍ଣଙ୍କୁ କହିବା, କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ କହିବା - ଏ
ସବୁ ହେଲା ବଡ ବଡ ଭୂଲ । କଳ୍ପ ତ ଲକ୍ଷ ଲକ୍ଷ ବର୍ଷର ହୋଇପାରିବ ନାହିଁ । ପରମାତ୍ମା ମଧ୍ୟ
ସର୍ବବ୍ୟାପୀ ହୋଇପାରିବେ ନାହିଁ । କହୁଛନ୍ତି ସିଏ ପ୍ରେରଣା ଦ୍ୱାରା ସବୁ କିଛି କରୁଛନ୍ତି,
କିନ୍ତୁ ନା । ପ୍ରେରଣା ଦ୍ୱାରା ସୃଷ୍ଟିକୁ ପାବନ କରି ପାରିବେ ନାହିଁ । ଏଠାରେ ତ ବାବା ସମ୍ମୁଖରେ
ବସି ବୁଝାଉଛନ୍ତି ଯେ କେବଳ ମୋତେ ମନେ ପକାଅ । ପ୍ରେରଣା ଶବ୍ଦ ସମ୍ପୂର୍ଣ୍ଣ ଭୂଲ୍ । ଯଦିଓ
କୁହାଯାଉଛି ଶଙ୍କରଙ୍କର ପ୍ରେରଣା ଦ୍ୱାରା ବୋମା ଆଦି ତିଆରି କରୁଛନ୍ତି କିନ୍ତୁ ଏ ସବୁ ଡ୍ରାମାରେ
ନିଧାର୍ଯ୍ୟ ରହିଛି । ଏହି ଯଜ୍ଞରୁ ହିଁ ବିନାଶର ଜ୍ୱାଳା ବାହାରି ଥିଲା । ବାସ୍ତବରେ କେହି
ପ୍ରେରଣା ଦେଉ ନାହାଁନ୍ତି । ଏମାନେ ତ ବିନାଶ ପାଇଁ ନିମିତ୍ତ ହୋଇଛନ୍ତି । ଏହା ଡ୍ରାମାରେ
ନିଧାର୍ଯ୍ୟ ଅଛି । ଶିବବାବାଙ୍କର ସାରା ପାର୍ଟ ରହିଛି । ତାଙ୍କ ପରେ ପୁଣି ବ୍ରହ୍ମା, ବିଷ୍ଣୁ,
ଶଙ୍କରଙ୍କର ପାର୍ଟ ରହିଛି । ବ୍ରହ୍ମା ବ୍ରାହ୍ମଣମାନଙ୍କର ରଚନା କରିଥା’ନ୍ତି । ସେହିମାନେ ହିଁ
ପୁଣି ବିଷ୍ଣୁପୁରୀର ମାଲିକ ହୋଇଥା’ନ୍ତି । ପୁଣି ୮୪ ଜନ୍ମର ଚକ୍ର ଲଗାଇ ତୁମେ ଆସି ବର୍ତ୍ତମାନ
ବ୍ରହ୍ମାବଂଶୀ ଅର୍ଥାତ୍ ବ୍ରାହ୍ମଣ ହୋଇଛ । ଲକ୍ଷ୍ମୀ-ନାରାୟଣ ହିଁ ପୁନର୍ବାର ବ୍ରହ୍ମା ସରସ୍ୱତୀ
ହୋଇଥା’ନ୍ତି । ଏକଥା ମଧ୍ୟ ବାବା ବୁଝାଇଛନ୍ତି, ଯେହେତୁ ବାବା ଏହି ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ
ସନ୍ତାନ ଗ୍ରହଣ କରୁଛନ୍ତି ତେଣୁ ବ୍ରହ୍ମାଙ୍କୁ ବଡ ମମ୍ମା ବା ମା କୁହାଯାଉଛି । ସିଏ ଅର୍ଥାତ୍
ଜଗଦମ୍ବା ପୁଣି ସେମାନଙ୍କର ପାଳନା କରିବା ପାଇଁ ନିମିତ୍ତ ହୋଇଛନ୍ତି । ଜ୍ଞାନର କଳଷ ମାତାମାନଙ୍କୁ
ଦିଆଯାଉଛି । ସବୁଠାରୁ ବଡ ବୀଣା ସରସ୍ୱତୀଙ୍କୁ ଦେଇଛନ୍ତି । ସିଏ ସବୁଠାରୁ ତୀକ୍ଷ୍ମ ବୁଦ୍ଧି
ମଧ୍ୟ ଅଟନ୍ତି । ବାକି ବୀଣା ବା ବାଜା ଆଦି କିଛି ନାହିଁ । ସରସ୍ୱତୀଙ୍କର ଜ୍ଞାନ ମୁରଲୀ ବହୁତ
ସୁନ୍ଦର ଥିଲା । ତାଙ୍କର ମହିମା ମଧ୍ୟ ଭଲ ଥିଲା । ଦେବୀମାନଙ୍କର ନାମ ତ ବହୁତ ଲେଖି ଦେଇଛନ୍ତି ।
ଦେବୀମାନଙ୍କର ପୂଜା ମଧ୍ୟ ବହୁତ ହେଉଛି । ତୁମେ ଏବେ ଜାଣୁଛ ଯେ, ଆମେ ହିଁ ପୂଜ୍ୟ ହେଉଛୁ ପୁଣି
ପୂଜାରୀ ହୋଇ ନିଜର ହିଁ ପୂଜା କରିବୁ । ଏବେ ଆମେ ବ୍ରାହ୍ମଣ ହୋଇଛୁ ପୁଣି ଆମେ ହିଁ ପୂଜ୍ୟ
ଦେବୀ-ଦେବତା ହେବୁ, ଯଥା ରାଜା ରାଣୀ ତଥା ପ୍ରଜା । ଦେବୀମାନଙ୍କ ମଧ୍ୟରେ ଯେଉଁମାନେ କି ଉଚ୍ଚ ପଦ
ପାଉଛନ୍ତି ସେହିମାନଙ୍କର ମନ୍ଦିର ମଧ୍ୟ ବହୁତ ତିଆରି ହେଉଛି, ନାମ ବିଖ୍ୟାତ ମଧ୍ୟ ସେହିମାନଙ୍କର
ବହୁତ ହେଉଛି ଯେଉଁମାନେ ଭଲ ଭାବରେ ପାଠ ପଢୁଛନ୍ତି ଏବଂ ଅନ୍ୟମାନଙ୍କୁ ପଢାଉଛନ୍ତି । ତେବେ
ବର୍ତ୍ତମାନ ତୁମେ ଜାଣୁଛ ଯେ, ପୂଜ୍ୟ ଏବଂ ପୂଜାରୀ ଆମେ ହିଁ ହେଉଛୁ । ଶିବବାବା ତ ସର୍ବଦା ପୂଜ୍ୟ
ଅଟନ୍ତି । ଯେଉଁମାନେ ସୂର୍ଯ୍ୟବଂଶୀ ଦେବୀ-ଦେବତା ଥିଲେ, ସେହିମାନେ ହିଁ ପୂଜାରୀ ଭକ୍ତ ହେଉଛନ୍ତି
। ବାବା ନିଜେ ହିଁ ପୂଜ୍ୟ ଏବଂ ନିଜେ ହିଁ ପୂଜାରୀର ସିଢି ବିଷୟରେ ବହୁତ ଭଲ ଭାବରେ ବୁଝାଉଛନ୍ତି
। ବିନା ଚିତ୍ରରେ ମଧ୍ୟ ତୁମେ କାହାକୁ ବୁଝାଇପାରିବ । ଯେଉଁମାନେ ଏହିଠାରୁ ଶିକ୍ଷା ଗ୍ରହଣ
କରିଯାଉଛନ୍ତି ସେମାନଙ୍କ ବୁଦ୍ଧିରେ ସାରା ଜ୍ଞାନ ରହିଛି । ୮୪ ଜନ୍ମର ସିଢି ଭାରତବାସୀ ହିଁ
ଚଢୁଛନ୍ତି ଏବଂ ଓହ୍ଲାଉଛନ୍ତି । ସେହିମାନଙ୍କର ହିଁ ୮୪ ଜନ୍ମ ହେଉଛି । ଆମେ ପୂଜ୍ୟ ଥିଲେ ପୁଣି
ଆମେ ପୂଜାରୀ ହୋଇଛେ । ହମ ସୋ, ସୋ ହମର ଅର୍ଥକୁ ମଧ୍ୟ ତୁମେମାନେ ଭଲ ଭାବରେ ବୁଝିଛ । ଆତ୍ମା କେବେ
ପରମାତ୍ମା ହୋଇପାରିବ ନାହିଁ । ବାବା ହିଁ ହମ ସୋ, ସୋ ହମର ଅର୍ଥକୁ ବୁଝାଇଛନ୍ତି । ହମ ସୋ ଦେବତା,
ସୋ କ୍ଷତ୍ରିୟ, ସୋ ବୈଶ୍ୟ ହେଉଛେ । ହମ ସୋର ଅନ୍ୟ କୌଣସି ଅର୍ଥ ହିଁ ନାହିଁ । ପୂଜ୍ୟ ଏବଂ ପୂଜାରୀ
ମଧ୍ୟ ଭାରତବାସୀ ହିଁ ହେଉଛନ୍ତି । ଅନ୍ୟ ଧର୍ମରେ କେହି ପୂଜାରୀ ହୋଇ ନ ଥା’ନ୍ତି । ତୁମେମାନେ
ହିଁ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ହେଉଛ । ତୁମକୁ ଜ୍ଞାନ କେତେ ଭଲ ଭାବରେ ମିଳିଯାଇଛି । ହମ (ଆମେ)
ସୋ ଦେବୀ ଦେବତା ଥିଲେ । ହମ ଆତ୍ମା ନିର୍ବାଣ ଧାମର ନିବାସୀ ଅଟୁ । ଏହି ଚକ୍ର ଘୂରି ଚାଲିଛି ।
ଯେତେବେଳେ ଦୁଃଖ ସମ୍ମୁଖକୁ ଆସିଯାଉଛି, ସେତେବେଳେ ବାବାଙ୍କୁ ସମସ୍ତେ ମନେ ପକାଉଛନ୍ତି । ବାବା
କହୁଛନ୍ତି, ମୁଁ ଦୁଃଖ ସମୟରେ ହିଁ ଆସି ସୃଷ୍ଟିକୁ ପରିବର୍ତ୍ତନ କରୁଛି । ଏପରି ନୁହେଁ କି
ସମ୍ପୂର୍ଣ୍ଣ ନୂଆ ଦୁନିଆ ସର୍ଜନା କରୁଛି । ନା । ପୁରୁଣାକୁ ନୂଆ କରିବା ପାଇଁ ମୁଁ ଆସୁଛି! ବାବା
ସଂଗମଯୁଗରେ ହିଁ ଆସୁଛନ୍ତି । ଏବେ ନୂଆ ଦୁନିଆ ତିଆରି ହେଉଛି । ପୁରୁଣା ସମାପ୍ତ ହେବାକୁ ଯାଉଛି
। ଏ ସବୁ ହେଲା ବେହଦର କଥା ।
ତୁମେମାନେ ପ୍ରସ୍ତୁତ ହୋଇଗଲେ ସାରା ରାଜଧାନୀ ମଧ୍ୟ ପ୍ରସ୍ତୁତ ହୋଇଯିବ । କଳ୍ପ କଳ୍ପ ଯେଉଁମାନେ
ଯେଉଁ ପଦ ପାଇଛନ୍ତି ସେହି ଅନୁସାରେ ହିଁ ପୁରୁଷାର୍ଥ କରିଚାଲିଛନ୍ତି । ଏମିତି ବି ନୁହେଁ ଯେ,
ଡ୍ରାମାରେ ଯାହା ପୁରୁଷାର୍ଥ କରିଥିବି ତାହା ହିଁ ହେବ । ପ୍ରଥମେ ପୁରୁଷାର୍ଥ କରିବାକୁ ପଡିଥାଏ,
ପୁଣି କୁହାଯାଏ କଳ୍ପ ପୂର୍ବରୁ ମଧ୍ୟ ଏହିଭଳି ପୁରୁଷାର୍ଥ କରିଥିଲି । ସର୍ବଦା ପୁରୁଷାର୍ଥକୁ ବଡ
କୁହାଯାଉଛି । ପ୍ରାରବ୍ଧକୁ ଦେଖି ବସିଯିବା ଉଚିତ୍ ନୁହେଁ । ପୁରୁଷାର୍ଥ ବିନା ପ୍ରାରବ୍ଧ
ମିଳିପାରିବ ନାହିଁ । ପୁରୁଷାର୍ଥ ନ କଲେ ପାଣି ମଧ୍ୟ ପିଇପାରିବ ନାହିଁ । କର୍ମ ସନ୍ନ୍ୟାସ ଅକ୍ଷର
ହିଁ ଭୂଲ ଅଟେ । ବାବା କହୁଛନ୍ତି, ଗୃହସ୍ଥ ବ୍ୟବହାରରେ ମଧ୍ୟ ରୁହ । ବାବା ସମସ୍ତଙ୍କୁ ତ ଏଠାରେ
ଅର୍ଥାତ୍ ଆବୁରେ ରଖିବେ ନାହିଁ । ଶରଣାଗତି ଶବ୍ଦର ମଧ୍ୟ ଗାୟନ ରହିଛି । ଭଟ୍ଟୀ ଅର୍ଥାତ୍
ସାଙ୍ଗଠନିକ ଯୋଗ ହେବାର ଥିଲା କାରଣ ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା । ତେଣୁ ବାବାଙ୍କ
ପାଖରେ ଆସି ଶରଣ ନେଇଥିଲେ । ଶରଣ ତ ଦେବାକୁ ପଡିବ ନା । ଶରଣ ତ କେବଳ ପରମପିତା ପରମାତ୍ମାଙ୍କ
ନିକଟରେ ନିଆଯାଇଥାଏ । ଗୁରୁ ଆଦିଙ୍କ ନିକଟରେ ଶରଣ ନିଆଯାଏ ନାହିଁ । ଯେତେବେଳେ ବହୁତ ଦୁଃଖ
ଭୋଗିଥା’ନ୍ତି ସେତେବେଳେ ଦୁଃଖରେ ବ୍ୟତିବ୍ୟସ୍ତ ହୋଇ ଆସି ଶରଣ ନେଇଥା’ନ୍ତି । ଗୁରୁମାନଙ୍କ ପାଖକୁ
କେହି ବ୍ୟତିବ୍ୟସ୍ତ ହୋଇ ଯାଇ ନ ଥା’ନ୍ତି । ସେଠାକୁ ତ ଏମିତି ହିଁ ଯାଇଥା’ନ୍ତି । ତୁମେ ରାବଣ
ଦ୍ୱାରା ବହୁତ ହଇରାଣ ହୋଇଛ । ଏବେ ରାମ ଅର୍ଥାତ୍ ବାବା ଆସିଛନ୍ତି, ରାବଣଠାରୁ ମୁକ୍ତ କରିବା ପାଇଁ
। ସିଏ ହିଁ ତୁମକୁ ଶରଣକୁ ନେଉଛନ୍ତି । ତୁମେମାନେ କହୁଛ ବାବା ମୁଁ ଆପଣଙ୍କର ଅଟେ । ଗୃହସ୍ଥ
ବ୍ୟବହାରରେ ରହି ମଧ୍ୟ ଶରଣ ଶିବବାବାଙ୍କ ନିକଟରେ ନେଇଛ । ବାବା ମୁଁ ଆପଣଙ୍କର ମତରେ ହିଁ ଚାଲିବି
।
ବାବା ଶ୍ରୀମତ ଦେଉଛନ୍ତି - ଗୃହସ୍ଥ ବ୍ୟବହାରରେ ରହି କେବଳ ମୋତେ ମନେ ପକାଅ ଏବଂ ଆଉ ସମସ୍ତଙ୍କର
ସ୍ମୃତିକୁ ତ୍ୟାଗ କରିଦିଅ । ମୋତେ ସ୍ମରଣ କରିଲେ ହିଁ ବିକର୍ମ ବିନାଶ ହେବ । କେବଳ ଶରଣ ନେବାର
କଥା ନାହିଁ । ସବୁ କିଛି ଯୋଗ ଉପରେ ହିଁ ନିର୍ଭର କରୁଛି । ବାବାଙ୍କ ବିନା ଏହିଭଳି କେହି ବୁଝାଇ
ପାରିବେ ନାହିଁ । ପିଲାମାନେ ବୁଝୁଛନ୍ତି, ବାବାଙ୍କ ପାଖରେ ଏତେ ଲକ୍ଷ-ଲକ୍ଷ କେଉଁଠି ଆସି ରହିବେ
। ପ୍ରଜା ମଧ୍ୟ ନିଜ ନିଜ ଘରେ ରହିଥା’ନ୍ତି, ରାଜାଙ୍କ ପାଖରେ କ’ଣ ସମସ୍ତେ ରହିଥା’ନ୍ତି କି! ତେବେ
ତୁମକୁ କେବଳ ଗୋଟିଏ କଥା କୁହାଯାଉଛି ଯେ କେବଳ ଜଣଙ୍କୁ ହିଁ ମନେ ପକାଅ । ବାବା ମୁଁ ଆପଣଙ୍କର ଅଟେ
। ଆପଣ ହିଁ ମୂହୁର୍ତ୍ତକ ମଧ୍ୟରେ ସଦ୍ଗତି ଦେବାବାଲା ଅଟନ୍ତି । ରାଜଯୋଗ ଶିଖାଇ ରାଜାଙ୍କର ରାଜା
କରୁଛନ୍ତି । ବାବା କହୁଛନ୍ତି, ଯେଉଁମାନେ କଳ୍ପ ପୂର୍ବରୁ ବାବାଙ୍କର ବର୍ସା ନେଇଛନ୍ତି, ସେହିମାନେ
ହିଁ ଆସି ନେବେ । ଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଆସି ବାବାଙ୍କଠାରୁ ବର୍ସା ନେବାର ଅଛି ।
ବର୍ତ୍ତମାନ ତୁମେ ପତିତ ହୋଇଥିବା କାରଣରୁ ନିଜକୁ ଦେବତା କହିପାରିବ ନାହିଁ । ବାବା ସବୁ କଥା
ବୁଝାଉଛନ୍ତି । ବାବା କହୁଛନ୍ତି, ହେ ମୋର ନୟନ ପିତୁଳାମାନେ ଯେତେବେଳେ ତୁମେମାନେ ସତ୍ୟଯୁଗକୁ
ଆସୁଛ, ସେତେବେଳେ ତୁମେ ୧ (ୱାନ) ୧(ୱାନ) ଠାରୁ ରାଜତ୍ୱ ଆରମ୍ଭ କରୁଛ । ଅନ୍ୟ
ଧର୍ମାବଲମ୍ବୀମାନଙ୍କର ତ ଯେତେବେଳେ ବହୁତ ବୃଦ୍ଧି ହେବ, ଲକ୍ଷ ଲକ୍ଷ ସଂଖ୍ୟାରେ ହୋଇଯିବେ
ସେତେବେଳେ ଯାଇ ରାଜତ୍ୱ ଆରମ୍ଭ କରିବେ । ତୁମକୁ ଲଢେଇ ଆଦି କରିବାର ଆବଶ୍ୟକତା ନାହିଁ । ତୁମେମାନେ
ଯୋଗବଳ ଦ୍ୱାରା ବାବାଙ୍କଠାରୁ ବର୍ସା ପ୍ରାପ୍ତ କରୁଛ । ତେଣୁ ଚୁପ ରହି କେବଳ ବାବାଙ୍କୁ ଏବଂ
ବର୍ସାକୁ ସ୍ମରଣ କର । ଶେଷ ସମୟରେ ତୁମେ ଚୁପ ରହିବ ଏବଂ ଏହି ଚିତ୍ର ସବୁ କିଛି ବି କାମରେ ଆସିବ
ନାହିଁ । ତୁମେ ହୁସିଆର ହୋଇଯିବ । ବାବା କହୁଛନ୍ତି - କେବଳ ମୋତେ ମନେ ପକାଅ ତେବେ ବିକର୍ମ
ବିନାଶ ହେବ । ଏବେ କର, ନ କର ତୁମମାନଙ୍କର ଇଚ୍ଛା । କୌଣସି ଦେହଧାରୀର ନାମ ରୂପରେ ଫସିବାର ନାହିଁ
। ବାବାଙ୍କୁ ସ୍ମରଣ କର ତେବେ ଅନ୍ତ ମତି ସୋ ଗତି ଅର୍ଥାତ୍ ଅନ୍ତିମ ସ୍ମୃତି ଅନୁସାରେ ଗତି
ହୋଇଯିବ । ତୁମେ ମୋ ପାଖକୁ ଆସିଯିବ । ଯେଉଁମାନେ ଫୁଲ୍ ପାସ୍ ହେବେ, ସେହିମାନଙ୍କୁ ରାଜତ୍ୱ
ମିଳିବ । ସବୁ କିଛି ଯୋଗର ଯାତ୍ରା ଉପରେ ନିର୍ଭର କରୁଛି । ଆଗକୁ ଗଲେ ନୂଆ ନୂଆ ମାନେ ମଧ୍ୟ ବହୁତ
ଆଗକୁ ଚାଲିଯିବେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କୌଣସି
ଦେହଧାରୀର ନାମ ରୂପରେ ଆକର୍ଷିତ ହେବାର ନାହିଁ । ଏକମାତ୍ର ବାବାଙ୍କର ଶ୍ରୀମତରେ ଚାଲି ସଦଗତିକୁ
ପ୍ରାପ୍ତ କରିବାକୁ ହେବ । ଚୁପ ରହିବାକୁ ହେବ ।
(୨) ଭବିଷ୍ୟତ ୨୧ ଜନ୍ମ
ପାଇଁ ଭଲ ଭାବରେ ପଢିବାକୁ ହେବ ଏବଂ ଅନ୍ୟମାନଙ୍କୁ ପଢାଇବାକୁ ହେବ । ନିଜେ ପଢିବା ସହିତ
ଅନ୍ୟମାନଙ୍କୁ ପଢାଇବା ଦ୍ୱାରା ହିଁ ନାମ ବିଖ୍ୟାତ ହେବ ।
ବରଦାନ:-
ମନମତ, ପରମତକୁ
ସମାପ୍ତ କରି ଶ୍ରୀମତ ଆଧାରରେ ପଦ୍ମର ରୋଜଗାର ଜମା କରୁଥିବା ପଦ୍ମାପଦ୍ମ ଭାଗ୍ୟଶାଳୀ ଭବ ।
ଶ୍ରୀମତ ଅନୁସାରେ
ଚାଲୁଥିବା ଆତ୍ମାମାନେ ଗୋଟିଏ ସଂକଳ୍ପ ମଧ୍ୟ ମନମତ ବା ପରମତ ଅନୁସାରେ କରିପାରିବେ ନାର୍ହିଁ ।
ତୁମର ସ୍ଥିତିର ଗତି ଯଦି କ୍ଷୀପ୍ର ହେଉ ନାହିଁ ତେବେ ନିଶ୍ଚିତ ଭାବରେ ଶ୍ରୀମତରେ କିଛି ନା କିଛି
ମନମତ ବା ପରମତର ମିଶ୍ରଣ ହୋଇଛି । ମନମତ ଅର୍ଥାତ୍ ଅଳ୍ପଜ୍ଞ ଆତ୍ମାର ସଂସ୍କାର ଅନୁସାରେ ଯେଉଁ
ସଂକଳ୍ପ ଉତ୍ପନ୍ନ ହୋଇଥାଏ ତାହା ସ୍ଥିତିକୁ ଟଳମଳ କରିଥାଏ, ସେଥିପାଇଁ ନିଜେ ଚେକ୍ କର ଏବଂ କରାଅ,
ବିନା ଶ୍ରୀମତରେ ଗୋଟିଏ ପାଦ ବି ନ ପଡୁ ତେବେ ଯାଇ ପଦ୍ମର ରୋଜଗାର ଜମା କରି ପଦ୍ମାପଦ୍ମ
ଭାଗ୍ୟଶାଳୀ ହୋଇପାରିବ ।
ସ୍ଲୋଗାନ:-
ମନ ଭିତରେ
ସମସ୍ତଙ୍କର କଲ୍ୟାଣର ଭାବନା କାୟମ ରହୁ - ଏହା ହିଁ ହେଉଛି ବିଶ୍ୱ କଲ୍ୟାଣକାରୀ ଆତ୍ମାର
କର୍ତ୍ତବ୍ୟ ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।
ପରିସ୍ଥିତି ଯେଉଁଭଳି ବି
ହୋଇଥାଉ କିନ୍ତୁ ନିଶ୍ଚୟ ବୁଦ୍ଧି ପିଲାମାନେ ସବୁ ପରିସ୍ଥିତିରେ ନିଜର ସ୍ୱସ୍ଥିତିର ଶକ୍ତି ଦ୍ୱାର
ସର୍ବଦା ନିଜକୁ ବିଜୟୀ ଅନୁଭବ କରିଥାଆନ୍ତି । ଚାହେଁ ଦୁନିଆର ଲୋକ ହୁଅନ୍ତୁ ବା ବ୍ରାହ୍ମଣ
ପରିବାରର ସମ୍ବନ୍ଧ-ସମ୍ପର୍କରେ ଥିବା ଆତ୍ମାମାନେ ଭାବନ୍ତୁ ବା କୁହନ୍ତୁ ଯେ ଇଏ ହାରିଗଲା -
କିନ୍ତୁ ତାହା ପରାଜୟ ନୁହେଁ, ବିଜୟ ଅଟେ । ଯଦି କୌଣସି ବି ସେବାର, ସଂଗଠନର ବା ପ୍ରକୃତିର
ପରିସ୍ଥିତି ସ୍ୱସ୍ଥିତିକୁ ବା ନିଜର ଶ୍ରେଷ୍ଠ ସ୍ଥିତିକୁ ଟଳମଳ କରୁଛି ତେବେ ଏହା ମଧ୍ୟ
ବନ୍ଧନମୁକ୍ତ ସ୍ଥିତି ନୁହେଁ, ତେଣୁ ଏହିଭଳି ବନ୍ଧନଠାରୁ ମଧ୍ୟ ମୁକ୍ତ ହୁଅ ।