23.09.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ପ୍ରତ୍ୟେକ କଥାରେ ଯୋଗ ଶକ୍ତିକୁ କାର୍ଯ୍ୟରେ ଲଗାଅ, ବାବାଙ୍କୁ କିଛି ବି ପଚାରିବାର ଆବଶ୍ୟକତା ନାହିଁ, ତୁମେ ସମସ୍ତେ ଈଶ୍ୱରୀୟ ସନ୍ତାନ ତେଣୁ କୌଣସି ବି ଆସୁରୀ କାମ କର ନାହିଁ ।”

ପ୍ରଶ୍ନ:-
ତୁମର ଏହି ଯୋଗବଳର କରାମତି କ’ଣ?

ଉତ୍ତର:-
ଏହି ଯୋଗବଳ ଦ୍ୱାରା ହିଁ ସବୁ କର୍ମେନ୍ଦ୍ରିୟ ତୁମର ଅଧୀନ ହୋଇଯାଉଛି । ଯୋଗବଳ ବିନା ତୁମେ ପବିତ୍ର ହୋଇପାରିବ ନାହିଁ । ଯୋଗବଳ ଦ୍ୱାରା ହିଁ ସାରା ସୃଷ୍ଟି ପବିତ୍ର ହେଉଛି ସେଥିପାଇଁ ନିଜେ ପବିତ୍ର ହେବା ପାଇଁ ବା ଭୋଜନକୁ ଶୁଦ୍ଧ କରିବା ପାଇଁ ଯୋଗର ଯାତ୍ରାରେ ରୁହ । ବୁଦ୍ଧିମାନ ହୋଇ କାର୍ଯ୍ୟ କର । ନମ୍ରତାର ସହିତ ବ୍ୟବହାର କର ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଦୁନିଆରେ କାହାକୁ ହେଲେ ଜଣା ନାହିଁ ଯେ ଆତ୍ମିକ ପିତା ଆସି ସ୍ୱର୍ଗ ଅଥବା ନୂଆ ଦୁନିଆର ସ୍ଥାପନା କିପରି କରୁଛନ୍ତି । ଏକଥା କେହି ହେଲେ ଜାଣି ନାହାଁନ୍ତି । ତୁମକୁ ବାବାଙ୍କ ଠାରୁ କିଛି ମାଗିବା ଦରକାର ନାହିଁ । ବାବା ସବୁ କିଛି ବୁଝାଉଛନ୍ତି । କିଛି ହେଲେ ବି ପଚାରିବାର ଆବଶ୍ୟକତା ନାହିଁ, ସବୁ କିଛି ସ୍ୱତଃ ବୁଝାଉଛନ୍ତି । ବାବା କହୁଛନ୍ତି ମୋତେ କଳ୍ପ-କଳ୍ପ ଏହି ଭାରତ ଖଣ୍ଡରେ ଆସି କ’ଣ କରିବାକୁ ହେବ, ତାହା ମୁଁ ଜାଣିଛି, ତୁମେ ଜାଣିନାହଁ । ପ୍ରତ୍ୟହ ବୁଝାଉଛନ୍ତି । କେହି ଗୋଟିଏ ଅକ୍ଷର ବି ନ ପଚାରିଲେ ବି ସବୁ କିଛି ବୁଝାଉଛନ୍ତି । କେବେ ପଚାରୁଛନ୍ତି ଖାଇବା-ପିଇବାର ଅସୁବିଧା ହେଉନି ତ? ଏହା ତ ବୁଝିବାର କଥା ଅଟେ । ବାବା କହୁଛନ୍ତି - ସବୁ କଥାରେ ଯୋଗବଳ ଦ୍ୱାରା କାମ କର ଏବଂ ଯେଉଁ ସ୍ଥାନକୁ ଯାଉଛ ସବୁଠୁ ବଡ କଥା ହେଲା ବାବାଙ୍କୁ ନିଶ୍ଚୟ ମନେ ପକାଅ । ଆଉ କୌଣସି ଆସୁରୀ କାର୍ଯ୍ୟ କର ନାହିଁ । ଆମେ ଈଶ୍ୱରୀୟ ସନ୍ତାନ ଅଟୁ, ସେ ସମସ୍ତଙ୍କର ପିତା, ସମସ୍ତଙ୍କ ପାଇଁ ଏହି ଗୋଟିଏ ହିଁ ଶିକ୍ଷା ଦେଉଛନ୍ତି । ବାବା ଶିକ୍ଷା ଦେଉଛନ୍ତି - ପିଲାମାନେ ତୁମକୁ ସ୍ୱର୍ଗର ମାଲିକ ହେବାର ଅଛି । ରାଜତ୍ୱରେ ମଧ୍ୟ ପଦବୀ ତ ରହିଥାଏ ନା । ପ୍ରତ୍ୟେକଙ୍କୁ ପୁରୁଷାର୍ଥ ଅନୁସାରେ ପଦବୀ ମିଳିଥାଏ । ପିଲାମାନଙ୍କୁ ହିଁ ପୁରୁଷାର୍ଥ କରିବାକୁ ହେବ ଏବଂ ପ୍ରାରବ୍ଧ ମଧ୍ୟ ପ୍ରାପ୍ତ କରିବାକୁ ହେବ । ପୁରୁଷାର୍ଥ କରାଇବା ପାଇଁ ବାବା ଆସୁଛନ୍ତି । ତୁମକୁ କିଛି ହେଲେ ଜଣା ନଥିଲା ଯେ ବାବା କେବେ ଆସିବେ, ଆସି କ’ଣ କରିବେ, ଆମକୁ କେଉଁ ଆଡେ ନେଇଯିବେ । ବାବା ହିଁ ଆସି ବୁଝାଉଛନ୍ତି, ଡ୍ରାମାର ପ୍ଲାନ ଅନୁସାରେ ତୁମର କେଉଁଠାରୁ ପତନ ହୋଇଛି । କହୁଛନ୍ତି ଏକଦମ୍ ଉଚ୍ଚରୁ ଖସି ଆସିଛ । ଟିକିଏ ହେଲେ ବି ବୁଦ୍ଧିରେ ଆସୁ ନାହିଁ ଯେ ଆମେ କିଏ । ଏବେ ଅନୁଭବ କରୁଛ ନା । ତୁମେ ସ୍ୱପ୍ନରେ ସୁଧା ଭାବିନଥିଲ ଯେ ବାବା ଆସି କ’ଣ କରିବେ । ତୁମେ ମଧ୍ୟ କିଛି ଜାଣିନଥିଲ । ଏବେ ବାବା ମିଳିଛନ୍ତି ତେଣୁ ବୁଝୁଛ ଯେ ଏପରି ବାବାଙ୍କ ଉପରେ ପୁରା ସମର୍ପଣ ହୋଇଯିବା ଉଚିତ୍ । ଯେପରି ପତିବ୍ରତା ସ୍ତ୍ରୀ ସ୍ୱାମୀ ନିକଟରେ ସମର୍ପଣ ହୋଇଥାଏ । ଚିତାଗ୍ନିରେ ଝାସ ଦେବାକୁ ମଧ୍ୟ ଡରିନଥାଏ । କେତେ ବାହାଦୁର ହୋଇଥାନ୍ତି । ଆଗରୁ ବହୁତ ନିଆଁରେ ଝାସ ଦେଉଥିଲେ । ଏଠାରେ ବାବା ତ ଏପରି କୌଣସି କଷ୍ଟ ଦେଉ ନାହାଁନ୍ତି । ଏଠାରେ ଭଲେ ଜ୍ଞାନ ଚିତା ନାମ ହୋଇଥିଲେ ମଧ୍ୟ ଜଳିବାର କୌଣସି କଥା ନାହିଁ । ବାବା ଲହୁଣୀରୁ ଚୂଟୀ ବାହାର କରିବା ସଦୃଶ ସବୁକିଛି ବୁଝାଉଛନ୍ତି । ପିଲାମାନେ ବୁଝୁଛନ୍ତି ଜନ୍ମ-ଜନ୍ମାନ୍ତରର ପାପର ବୋଝ ମୁଣ୍ଡ ଉପରେ ରହିଛି । ଅଜାମିଳ ଜଣେ ନୁହେଁ । ଏଠାରେ ପ୍ରତ୍ୟେକ ମନୁଷ୍ୟ ଜଣେ ଜଣଙ୍କ ଠାରୁ ଅଧିକ ଅଜାମିଳ ଅଟନ୍ତି । ମନୁଷ୍ୟମାନଙ୍କୁ କ’ଣ ବା ଜଣା ଯେ ପୂର୍ବ ଜନ୍ମରେ କ’ଣ-କ’ଣ କରିଥିଲେ । ଏବେ ତୁମେ ବୁଝୁଛ ଯେ ଆମେ ପାପ ହିଁ କରିଥିଲୁ, ବାସ୍ତବରେ ଏବେ ଜଣେ ହେଲେ ପୁଣ୍ୟ ଆତ୍ମା ନାହାଁନ୍ତି । ସମସ୍ତେ ପାପ ଆତ୍ମା ଅଟନ୍ତି । ଯଦି ପୁଣ୍ୟ କରିବେ ତେବେ ପୁଣ୍ୟ ଆତ୍ମା ହୋଇଯିବେ । ସତ୍ୟଯୁଗରେ ପୁଣ୍ୟ ଆତ୍ମାମାନେ ରହିଥା’ନ୍ତି । କେହି ଯଦି ଡାକ୍ତରଖାନା ଆଦି ତିଆରି କରୁଛନ୍ତି ତେବେ ତାହା ଦ୍ୱାରା କ’ଣ ହେବ । ସିଡି ତଳକୁ ଓହ୍ଲାଇବାରୁ ତ ମୁକୁଳି ପାରିବେ ନାହିଁ । ଆରୋହଣ କଳା ତ ହେଉ ନାହିଁ ନା ବରଂ ଆହୁରି ତଳକୁ ଖସିଯାଉଛନ୍ତି । ବାବା ଏତେ ପରମ ପ୍ରିୟ ଅଟନ୍ତି ଯେ ଯାହାଙ୍କ ନିମନ୍ତେ କୁହାଯାଉଛି ଜୀଇଁ ଥାଉ ଥାଉ ସମର୍ପଣ ହୋଇଯାଅ କାହିଁକି ନା ସିଏ ପତିମାନଙ୍କର ପତି, ପିତାମାନଙ୍କର ପିତା ସର୍ବୋଚ୍ଚ ଅଟନ୍ତି ।

ପିଲାମାନଙ୍କୁ ଏବେ ବାବା ଜାଗ୍ରତ କରୁଛନ୍ତି । ସ୍ୱର୍ଗର ମାଲିକ କରାଉଥିବା ବାବା କେତେ ସାଧାରଣ ଅଟନ୍ତି! ଆରମ୍ଭ ସମୟରେ କନ୍ୟାମାନେ ଯେତେବେଳେ ରୋଗରେ ପଡୁଥିଲେ ସେତେବେଳେ ବାବା ନିଜେ ତାଙ୍କର ସେବା କରୁଥିଲେ । ଅହଂକାର ଟିକିଏ ବି ନ ଥିଲା । ବାପଦାଦା ଉଚ୍ଚରୁ ଉଚ୍ଚ ଅଟନ୍ତି । କହୁଛନ୍ତି ଯେପରି ବି କର୍ମ ହେଉ ମୁଁ ଏହାଙ୍କ ଦ୍ୱାରା କରାଇବି ଅଥବା କରିବି । ଉଭୟ ଯେପରି ଏକ ହୋଇଯାଉଛନ୍ତି । ଜଣା ପଡୁ ନାହିଁ ବାବା କ’ଣ କରୁଛନ୍ତି, ଦାଦା କ’ଣ କରୁଛନ୍ତି । କର୍ମ-ଅକର୍ମ-ବିକର୍ମର ଗତି ବାବା ହିଁ ବସି ବୁଝାଉଛନ୍ତି । ବାବା ବହୁତ ଉଚ୍ଚ ଅଟନ୍ତି । ମାୟାର ମଧ୍ୟ କେତେ ପ୍ରଭାବ ରହିଛି । ଈଶ୍ୱର ପିତା କହୁଛନ୍ତି ଏପରି କର ନାହିଁ ତଥାପି ମଧ୍ୟ କଥା ମାନୁ ନାହାଁନ୍ତି । ଭଗବାନ କହୁଛନ୍ତି - ମଧୁର ସନ୍ତାନମାନେ, ଏହି କାମ କର ନାହିଁ, ତଥାପି ମଧ୍ୟ ଓଲଟା କାମ କରିଦେଉଛନ୍ତି । ଓଲଟା କାମ ପାଇଁ ହିଁ ମନା କରିବେ ନା । କିନ୍ତୁ ମାୟା ମଧ୍ୟ ବହୁତ ଜବରଦସ୍ତ ଅଟେ । ଭୁଲ୍‌ରେ ମଧ୍ୟ ବାବାଙ୍କୁ ଭୁଲିଯାଅ ନାହିଁ, ଯାହା କିଛି ବି କରନ୍ତୁ, ମାରନ୍ତୁ ଅଥବା ପିଟନ୍ତୁ । ଏପରି କିଛି ବାବା କରୁ ନାହାଁନ୍ତି, କିନ୍ତୁ କଥାରେ ଏହିଭଳି କୁହାଯାଉଛି । ଗୀତ ମଧ୍ୟ ଅଛି - ତୁହ୍ମାରେ ଦର୍ କୋ କଭି ନେହିଁ ଛୋଡେଙ୍ଗେ (ତୁମ ଦ୍ୱାରକୁ କେବେ ଛାଡିବୁ ନାହିଁ) । ଯାହା କିଛି ବି କୁହ । ବାହାର ଦୁନିଆରେ କ’ଣ ଅଛି । ବୁଦ୍ଧି ମଧ୍ୟ କହୁଛି ବାବାଙ୍କ ଘର ଛାଡି କୁଆଡେ ଯିବୁ? ବାବା ବର୍ତ୍ତମାନ ହିଁ ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି ପୁଣି କେବେ ମିଳିବ ନାହିଁ । ଏପରି ନୁହେଁ ଯେ ପରଜନ୍ମରେ କିଛି ମିଳିବ । ନା । ଏହି ପାରଲୌକିକ ପିତା ହିଁ ତୁମକୁ ବେହଦ ସୁଖଧାମର ମାଲିକ କରାଉଛନ୍ତି । ବାବା ଏହି ରାୟ ଦେଉଛନ୍ତି ଯେ, ପିଲାମାନଙ୍କୁ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ଯଦି ପୋଲିସ୍ ଚାକିରୀ କରିଛ, ତେବେ ନିଜ କର୍ତ୍ତବ୍ୟ କର, ନଚେତ୍ ଡିସ୍‌ମିସ୍ କରିଦେବେ । ନିଜର କାମ ତ କରିବାକୁ ହିଁ ପଡିବ, ଆଖି ଦେଖାଇବାକୁ ପଡିବ । ଯେତେ ଦୂର ସମ୍ଭବ ସ୍ନେହର ସହିତ କାମ କର । ନଚେତ୍ ଯୁକ୍ତିର ସହିତ ଆଖି ଦେଖାଅ । କାହା ଉପରେ ହାତ ଉଠାଅ ନାହିଁ । ବାବାଙ୍କର କେତେ ଢେର ସନ୍ତାନ ଅଛନ୍ତି । ବାବାଙ୍କର ମଧ୍ୟ ପିଲାମାନଙ୍କ ପ୍ରତି ଖିଆଲ (ଧ୍ୟାନ) ରହୁଛି ନା । ମୂଳ କଥା ହେଉଛି ପବିତ୍ର ରହିବା । ଜନ୍ମ-ଜନ୍ମାନ୍ତର ତୁମେ ଡାକିଛ ନା - ହେ ପତିତ-ପାବନ ଆସ, ଆସି ଆମକୁ ପବିତ୍ର କରାଅ । କିନ୍ତୁ ଅର୍ଥ କିଛି ହେଲେ ବୁଝୁ ନାହାଁନ୍ତି । ଡାକୁଛନ୍ତି, ତେବେ ନିଶ୍ଚୟ ପତିତ ଅଟନ୍ତି ନା । ନଚେତ୍ ଡାକିବାର ଆବଶ୍ୟକତା ନାହିଁ । ପୂଜା କରିବା ମଧ୍ୟ ଦରକାର ନାହିଁ । ବାବା ବୁଝାଉଛନ୍ତି ତୁମ ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି, ସହନ କରିବାକୁ ହିଁ ପଡିବ । ଉପାୟମାନ ମଧ୍ୟ ବତାଉଛନ୍ତି । ବହୁତ ନମ୍ରତାର ସହିତ ଚାଲ । କୁହ, ତୁମେ ତ ମୋ ପାଇଁ ଭଗବାନ ଅଟ ପୁଣି ଇଏ କ’ଣ ମାଗୁଛ? ହାତଗଣ୍ଠି ପଡିବା ସମୟରେ କହିଥା’ନ୍ତି - ମୁଁ ତୁମର ପତି ଈଶ୍ୱର ଗୁରୁ ସବୁ କିଛି, ଏବେ ମୁଁ ପବିତ୍ର ରହିବାକୁ ଚାହୁଁଛି ତେବେ ତୁମେ କାହିଁକି ଅଟକାଉଛ । ଭଗବାନଙ୍କୁ ତ ପତିତ-ପାବନ କୁହାଯାଉଛି ନା । ତୁମେ ହିଁ ପବିତ୍ର କରାଇଲାବାଲା ହୋଇଯାଅ । ଏହିପରି ସ୍ନେହ ଏବଂ ନମ୍ରତାର ସହିତ କଥା ହେବା ଉଚିତ୍ । ଯଦି କ୍ରୋଧ କଲେ ତେବେ ଫୁଲର ବର୍ଷା କର । ମାରିଥା’ନ୍ତି ପୁଣି ପଶ୍ଚାତାପ ମଧ୍ୟ କରିଥାନ୍ତି । ଯେପରି ମଦ ପିଇଲେ ବହୁତ ନିଶା ଚଢିଯାଇଥାଏ । ନିଜକୁ ରାଜା ଭାବିଥା’ନ୍ତି । ତେଣୁ ଏହି ବିଷ ମଧ୍ୟ ଏପରି ଜିନିଷ ଯାହା ନ କହିଲେ ଭଲ । ପଶ୍ଚାତାପ ମଧ୍ୟ କରନ୍ତି କିନ୍ତୁ ଅଭ୍ୟାସ ହୋଇଯାଇଥିବାରୁ ଅଭ୍ୟାସ ଭାଙ୍ଗୁ ନାହିଁ । ଥରେ-ଦୁଇଥର ବିକାରଗ୍ରସ୍ତ ହେଲେ ବାସ୍ ନିଶା ଚଢିଗଲା, ପୁଣି ତଳକୁ ଖସିଚାଲିଥା’ନ୍ତି । ଯେପରି ନିଶା ଜିନିଷଗୁଡିକ ଖୁସି ଆଣିଥାଏ, ବିକାର ମଧ୍ୟ ସେହିପରି ଅଟେ । ଏଠାରେ ବହୁତ ମେହନତ ରହିଛି । ଯୋଗବଳ ବିନା କେହି ମଧ୍ୟ କର୍ମେନ୍ଦ୍ରିୟକୁ ବଶୀଭୂତ କରିପାରିବେ ନାହିଁ । ଯୋଗବଳର ହିଁ କରାମତି ରହିଛି ସେଥିପାଇଁ ତ ଯୋଗର ନାମ ପ୍ରସିଦ୍ଧ ଅଟେ, ବାହାରୁ ଏଠାକୁ ଆସୁଛନ୍ତି ଯୋଗ ଶିଖିବା ପାଇଁ । ଶାନ୍ତିରେ ବସି ରହିଥା’ନ୍ତି । ଘର ପରିବାର ଠାରୁ ଦୂରେଇ ଯାଇଥା’ନ୍ତି । ତାହା ତ ଅଧାକଳ୍ପ ନିମନ୍ତେ ଆର୍ଟିଫିସିଆଲ୍ (କୃତ୍ରିମ) ଶାନ୍ତି ଅଟେ । ପ୍ରକୃତ ଶାନ୍ତି ବିଷୟରେ କାହାକୁ ହେଲେ ଜଣା ନାହିଁ । ବାବା କହୁଛନ୍ତି ପିଲାମାନେ ତୁମର ସ୍ୱଧର୍ମ ହିଁ ଶାନ୍ତ ଅଟେ, ଏହି ଶରୀର ଦ୍ୱାରା ତୁମେ କର୍ମ କରୁଛ । ଯେ ପର୍ଯ୍ୟନ୍ତ ଶରୀର ଧାରଣ ନ କରିଛି ସେ ପର୍ଯ୍ୟନ୍ତ ଆତ୍ମା ଶାନ୍ତ ରହିଥାଏ । ପୁଣି କେଉଁଠି ନା କେଉଁଠି ଯାଇ ପ୍ରବେଶ କରିଥାଏ । ଏଠାରେ ତ ପୁଣି କେହି-କେହି ସୂକ୍ଷ୍ମ ଶରୀର ସହିତ ଧକ୍କା ଖାଉଛନ୍ତି । ତାହା ଛାୟାର ଶରୀର ହୋଇଥାଏ, କେହି ଦୁଃଖ ଦେଇଥାନ୍ତି, କେହି ଭଲ ମଧ୍ୟ ହୋଇଥା’ନ୍ତି, ଏଠାରେ ମଧ୍ୟ ଭଲ ମନୁଷ୍ୟ ଅଛନ୍ତି ଯିଏକି କାହାକୁ ଦୁଃଖ ଦେଇ ନ ଥା’ନ୍ତି । କେହି ତ ବହୁତ ଦୁଃଖ ଦେଇଥାନ୍ତି । କେହି ପୁଣି ଯେପରି ସାଧୁ ମହାତ୍ମା ହୋଇଥା’ନ୍ତି ।

ବାବା ବୁଝାଉଛନ୍ତି ମିଠା ମିଠା ସିକିଲଧେ (ବହୁତ ଦିନରୁ ଦୂରରେ ରହି ପୁଣି ଫେରିଆସିଥିବା ଆଦରର) ସନ୍ତାନମାନେ ତୁମେ ୫ ହଜାର ବର୍ଷ ପରେ ଆସି ମିଶିଛ । କ’ଣ ନେବା ପାଇଁ? ବାବା କହିଛନ୍ତି ତୁମକୁ କ’ଣ ମିଳିବ । ବାବା ଆପଣଙ୍କଠାରୁ କ’ଣ ମିଳିବ, ଏହି ପ୍ରଶ୍ନ ମଧ୍ୟ ମନରେ ଆସୁ ନାହିଁ । ଆପଣ ତ ସ୍ୱର୍ଗର ରଚୟିତା ଈଶ୍ୱର ପିତା ଅଟନ୍ତି । ନୂଆ ଦୁନିଆର ରଚୟିତା ଅଟନ୍ତି । ତେବେ ନିଶ୍ଚୟ ଆପଣଙ୍କଠାରୁ ବାଦଶାହୀ ହିଁ ମିଳିବ । ବାବା କହୁଛନ୍ତି ଅଳ୍ପ କିଛି ବୁଝି କରି ଗଲେ ମଧ୍ୟ ସ୍ୱର୍ଗକୁ ନିଶ୍ଚୟ ଯିବ । ଆମେ ସ୍ୱର୍ଗର ସ୍ଥାପନା କରିବାକୁ ଆସିଛୁ । ସବୁଠାରୁ ବଡ ଆସାମୀ ହେଉଛନ୍ତି ଭଗବାନ ଏବଂ ପ୍ରଜାପିତା ବ୍ରହ୍ମା । ତୁମେ ଜାଣିଛ ଯେ ବିଷ୍ଣୁ କିଏ? ଏକଥା ଆଉ କାହାକୁ ହେଲେ ଜଣା ନାହିଁ । ତୁମେ କହୁଛ ଆମେ ତାଙ୍କ କୁଳର ଅଟୁ, ଏହି ଲକ୍ଷ୍ମୀ-ନାରାୟଣ ତ ସତ୍ୟଯୁଗରେ ରାଜତ୍ୱ କରନ୍ତି । ବାସ୍ତବରେ ଏହି ଚକ୍ର ଆଦି ବିଷ୍ଣୁଙ୍କର ନାହିଁ । ଏହି ଅଳଙ୍କାର ହେଉଛି ଆମ ବ୍ରାହ୍ମଣମାନଙ୍କର । ଏବେ ଏହି ଜ୍ଞାନ ରହିଛି । ସତ୍ୟଯୁଗରେ ଏହିଭଳି କେହି ବୁଝାଇବେ ନାହିଁ । ଏପରି କଥା କହିବା ପାଇଁ କାହା ପାଖରେ ଶକ୍ତି ନାହିଁ । ତୁମେ ଏହି ୮୪ ଜନ୍ମର ଚକ୍ରକୁ ଜାଣିଛ । ଏହାର ଅର୍ଥ କେହି ବୁଝି ପାରିବେ ନାହିଁ । ବାବା ହିଁ ପିଲାମାନଙ୍କୁ ବୁଝାଉଛନ୍ତି । ପିଲାମାନେ ବୁଝିଗଲେଣି, ଆମକୁ ଏହି ଅଳଙ୍କାର ଶୋଭା ପାଉ ନାହିଁ । ଆମେ ଏବେ ଶିକ୍ଷା ପାଉଛୁ । ପୁରୁଷାର୍ଥ କରୁଛୁ । ପୁଣି ଏହିପରି ହୋଇଯିବୁ । ସ୍ୱଦର୍ଶନ ଚକ୍ର ଘୂରାଇ ଘୂରାଇ ଆମେ ଦେବତା ହୋଇଯିବୁ । ସ୍ୱଦର୍ଶନ ଚକ୍ର ଅର୍ଥାତ୍ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିବା । ସାରା ଦୁନିଆରେ କେହି ହେଲେ ବି ବୁଝାଇପାରିବେ ନାହିଁ ଯେ ଏହି ସୃଷ୍ଟି ଚକ୍ର କିପରି ଘୂରୁଛି । ବାବା କେତେ ସହଜ କରି ବୁଝାଉଛନ୍ତି - ଏହି ଚକ୍ରର ଆୟୁଷ ଏତେ ବଡ ତ ହୋଇ ପାରିବ ନାହିଁ । ମନୁଷ୍ୟ ସୃଷ୍ଟିର ହିଁ ସମାଚାର ଶୁଣାଯାଉଛି ଯେ କି ଏତେ ମନୁଷ୍ୟ ଅଛନ୍ତି । ଏପରି କୁହାଯାଉନାହିଁ ଯେ, କଇଁଛ, ମାଛ ଆଦି କେତେ ଅଛନ୍ତ । ଏଠାରେ ମନୁଷ୍ୟମାନଙ୍କର ହିଁ ଗଣନା କରାଯାଉଛି । ତୁମକୁ ମଧ୍ୟ ପ୍ରଶ୍ନ ପଚାରୁଛନ୍ତି, ବାବା ସବୁ କିଛି ବତାଇ ଚାଲିଛନ୍ତି । କେବଳ ତାହା ଉପରେ ପୂରା ଧ୍ୟାନ ଦେବାକୁ ହେବ ।

ବାବା ବୁଝାଉଛନ୍ତି - ଯୋଗବଳ ଦ୍ୱାରା ତୁମେ ସୃଷ୍ଟିକୁ ପବିତ୍ର କରୁଛ ତେବେ କ’ଣ ଏହା ଦ୍ୱାରା ଖାଦ୍ୟ ଶୁଦ୍ଧ ହୋଇପାରିବ ନାହିଁ? ଆଚ୍ଛା, ତୁମେ ତ ଏପରି ହୋଇଛ । ପୁଣି କାହାକୁ ନିଜ ସମାନ କରାଉଛ? ଏବେ ତୁମେ ପିଲାମାନେ ବୁଝୁଛ ଯେ ବାବା ଆସିଛନ୍ତି ସ୍ୱର୍ଗର ବାଦଶାହୀ ପୁଣି ଥରେ ଦେବା ପାଇଁ । ତେଣୁ ଏହାକୁ ମନା କରିବାର ନାହିଁ । ବିଶ୍ୱର ବାଦଶାହୀକୁ ମନା କଲେ ତ ସବୁ ଶେଷ ହୋଇଯିବ ଅର୍ଥାତ୍ ଆବର୍ଜନାର ଡବାରେ ଯାଇ ପଡିବ । ଏହି ସାରା ଦୁନିଆ ହିଁ ଆବର୍ଜନାରେ ପରିପୂର୍ଣ୍ଣ । ତେଣୁ ଏହାକୁ ଆବର୍ଜନାର ଡବା ହିଁ କୁହାଯିବ । ଦୁନିଆର ଅବସ୍ଥା ଦେଖ କ’ଣ ହୋଇଯାଇଛି । ତୁମେ ତ ଜାଣିଛ ଆମେ ବିଶ୍ୱର ମାଲିକ ହେଉଛୁ । ଏକଥା କାହାକୁ ହେଲେ ଜଣା ନାହିଁ ଯେ ସତ୍ୟଯୁଗରେ ଗୋଟିଏ ହିଁ ରାଜ୍ୟ ଥିଲା, ଏ କଥାକୁ କେହି ମାନିବେ ନାହିଁ । ନିଜର ଅହଂକାର ଥିବାରୁ ଟିକିଏ ହେଲେ ବି ଶୁଣୁ ନାହାଁନ୍ତି, କହୁଛନ୍ତି ଏସବୁ ତୁମର କଳ୍ପନା । କଳ୍ପନା ଦ୍ୱାରା ହିଁ ଏହି ଶରୀର ଆଦି ତିଆରି ହୋଇଛି । ଅର୍ଥ କିଛି ହେଲେ ବୁଝୁ ନାହାଁନ୍ତି । ବାସ୍ ଏହା ଈଶ୍ୱରଙ୍କର କଳ୍ପନା, ଈଶ୍ୱର ଯେଉଁଭଳି ଚାହୁଁଛନ୍ତି ସେହିପରି ହେଉଛନ୍ତି, ତାଙ୍କର ଏହା ଖେଳ ଅଟେ । ଏପରି କଥାମାନ କହୁଛନ୍ତି, ସେ କଥା ନ କହିଲେ ଭଲ । ଏବେ ତୁମେ ପିଲାମାନେ ଜାଣିଛ ବାବା ଆସିଛନ୍ତି । ବୁଢୀମାତାମାନେ ମଧ୍ୟ କହୁଛନ୍ତି - ବାବା ପ୍ରତ୍ୟେକ ୫ ହଜାର ବର୍ଷରେ ଥରେ ଆମେ ଆପଣଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ନେଉଛୁ । ଆମେ ଏବେ ସ୍ୱର୍ଗର ରାଜତ୍ୱ ନେବାକୁ ଆସିଛୁ । ତୁମେ ଜାଣିଛ ଯେ ସମସ୍ତ ଅଭିନେତାଙ୍କର ନିଜସ୍ୱ ପାର୍ଟ ରହିଛି । ଜଣଙ୍କର ପାର୍ଟ ଅନ୍ୟ ସହିତ ମିଶିପାରିବ ନାହିଁ । ତୁମେ ପୁଣି ଏହି ନାମ ରୂପରେ ଆସି ଏହି ସମୟରେ ବାବାଙ୍କଠାରୁ ବର୍ସା ନେବାର ପୁରୁଷାର୍ଥ କରିବ । ଏହା କେତେ ଅସରନ୍ତି ରୋଜଗାର ଅଟେ । ଯଦିଓ ବାବା କହୁଛନ୍ତି ଅଳ୍ପ ଶୁଣିଲେ ମଧ୍ୟ ସ୍ୱର୍ଗକୁ ଆସିଯିବ । କିନ୍ତୁ ପ୍ରତ୍ୟେକ ମନୁଷ୍ୟ ଉଚ୍ଚ ହେବା ପାଇଁ ତ ପୁରୁଷାର୍ଥ କରୁଛନ୍ତି ନା । ତେଣୁ ପ୍ରଥମେ ହେଲା ପୁରୁଷାର୍ଥ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବା ଯେପରି ସନ୍ତାନମାନଙ୍କର ସେବା କରୁଛନ୍ତି, କୌଣସି ଅହଂକାର ନାହିଁ, ସେହିପରି ପିତାଙ୍କୁ ଅନୁକରଣ କରିବାକୁ ହେବ । ବାବାଙ୍କ ଶ୍ରୀମତରେ ଚାଲି ବିଶ୍ୱର ରାଜତ୍ୱ ନେବାକୁ ହେବ, ମନା କରିବା ଅନୁଚିତ୍ ।

(୨) ପିତାମାନଙ୍କର ପିତା, ପତିମାନଙ୍କର ପତି ଯିଏକି ସର୍ବୋଚ୍ଚ ଅଟନ୍ତି, ଅତିପ୍ରିୟ ଅଟନ୍ତି ତାଙ୍କ ଉପରେ ସମର୍ପିତ ହେବାକୁ ପଡିବ । ଜ୍ଞାନ ଚିତା ଉପରେ ବସିବାକୁ ହେବ । ଭୁଲ୍‌ରେ ମଧ୍ୟ କେବେହେଲେ ବାବାଙ୍କୁ ଭୁଲି ଓଲଟା କାମ କରିବାର ନାହିଁ ।

ବରଦାନ:-
ଖୁସି ରୂପକ ଅସରନ୍ତି ସମ୍ପତ୍ତିରେ ଭରପୂର ସଦା ଚିନ୍ତାମୁକ୍ତ ସମ୍ରାଟ ଭବ ।

ଖୁସିର ସାଗରଙ୍କ ଦ୍ୱାରା ପ୍ରତିଦିନ ତୁମକୁ ଖୁସିର ଅସରନ୍ତି ସମ୍ପତ୍ତି ମିଳୁଛି ସେଥିପାଇଁ ଯେକୌଣସି ପରିସ୍ଥିତିରେ ତୁମର ଖୁସି ହଜିଯାଇପାରିବ ନାହିଁ ଏବଂ କୌଣସି କଥାର ଚିନ୍ତା ଲାଗିପାରିବ ନାହିଁ । ଏମିତି ନୁହେଁ ଯେ ସମ୍ପତ୍ତି ସବୁର କ’ଣ ହେବ, ପରିବାରର କ’ଣ ହେବ! ପରିବର୍ତ୍ତନ ତ ହେବ ନା! ପୁରୁଣା ଦୁନିଆରେ ଯିଏ ଯେତେ ବି ଶ୍ରେଷ୍ଠ ହୋଇଥାଉ ନା କାହିଁକି ସବୁ ପୁରୁଣା ହିଁ ଅଟେ, ସେଥିପାଇଁ ତୁମେମାନେ ନିଶ୍ଚିନ୍ତ ହୋଇଯାଇଛ । ଯାହା ବି ହେବ ଭଲ ହେବ । ବ୍ରାହ୍ମଣମାନଙ୍କ ପାଇଁ ସବୁ ଭଲ, କିଛି ବି ଖରାପ ନୁହେଁ । ତୁମମାନଙ୍କ ପାଖରେ ଏଭଳି ଚିନ୍ତାମୁକ୍ତ ରାଜତ୍ୱ ରହିଛି ଯାହାକୁ କେହି ବି ଛଡାଇ ନେଇପାରିବେ ନାହିଁ ।

ସ୍ଲୋଗାନ:-
ଏହି ସଂସାରକୁ ଏକ ଅଲୌକିକ ଖେଳ ଏବଂ ପରିସ୍ଥିତି ଗୁଡିକୁ ଖେଳନା ମନେ କରି ଚାଲିଲେ କେବେ ବି ନିରାଶ ହେବ ନାହିଁ ।

ଅବ୍ୟକ୍ତ ଈଶାରା:- ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।

ଶେଷରେ ଆସି ତୀବ୍ର ପୁରୁଷାର୍ଥ କରିବା ପାଇଁ ଜ୍ୱାଳା ସ୍ୱରୂପ ସ୍ଥିତି ହିଁ ଏକମାତ୍ର ଆଧାର । ପାଣ୍ଡବମାନଙ୍କ ପାଇଁ ହିଁ ଯାଦବମାନେ ଅଟକି ରହିଛନ୍ତି । ପାଣ୍ଡବମାନଙ୍କର ଶ୍ରେଷ୍ଠ ଶାନ୍ ବା ଆତ୍ମିକ ଶାନ୍ ଅର୍ଥାତ୍ ଗାରିମାମୟ ସ୍ଥିତି ହିଁ ଯାଦବ ଅର୍ଥାତ୍ ୟୁରୋପବାସୀମାନଙ୍କର ଦୁଃଖମୟ ପରିସ୍ଥିତିକୁ ସମାପ୍ତ କରିବ । ତେଣୁ ନିଜର ଶାନ୍ ଦ୍ୱାରା ପରେଶାନ୍ ଅର୍ଥାତ୍ ଦୁଃଖୀ ଆତ୍ମାମାନଙ୍କୁ ଶାନ୍ତି ଏବଂ ନିଶ୍ଚିନ୍ତତାର ବରଦାନ ଦିଅ । ଜ୍ୱାଳା ସ୍ୱରୂପ ଅର୍ଥାତ୍ ଲାଇଟ୍ ହାଉସ୍ ଏବଂ ମାଇଟ୍ ହାଉସ୍ ସ୍ଥିତିକୁ ଭଲ ଭାବରେ ବୁଝି ସେହି ଅନୁସାରେ ପୁରୁଷାର୍ଥ କର ।