23.11.25 Avyakt Bapdada Odia Murli 31.12.2007 Om Shanti Madhuban
“ନୂତନ ବର୍ଷରେ ଅଖଣ୍ଡ
ମହାଦାନୀ, ଅଖଣ୍ଡ ନିର୍ବିଘ୍ନ, ଅଖଣ୍ଡ ଯୋଗୀ ଏବଂ ସଦା ସଫଳତା ମୂରତ ହୁଅ ।”
ଆଜି ବାପଦାଦା ନିଜ
ସମ୍ମୁଖରେ ଦୁଇଟି ସଭାକୁ ଦେଖୁଛନ୍ତି । ଗୋଟିଏ ହେଲା ସାକାର ରୂପରେ ସମ୍ମୁଖରେ ବସିଥିବା
ପିଲାମାନଙ୍କର ସଭା, ଦ୍ୱିତୀୟରେ ଦୂରରେ ବସିଥିଲେ ମଧ୍ୟ ଦିଲ୍ରେ ଅତି ନିକଟରେ ରହିଥିବା
ପିଲାମାନଙ୍କର ସଭା । ତେବେ ଦୁଇଟି ଯାକ ସଭାର ଶ୍ରେଷ୍ଠ ଆତ୍ମା ମାନଙ୍କର ମସ୍ତକରେ ଆତ୍ମା ଦୀପ
ଚମକୁଛି । ଏହା କେତେ ସୁନ୍ଦର ଚମକୁଥିବା ଦୃଶ୍ୟ ଅଟେ । ଏତେ ସବୁ ଆତ୍ମାମାନେ ଏକ ସଂକଳ୍ପ ଏବଂ
ଏକରସ ସ୍ଥିତିରେ ସ୍ଥିତ ରହିବା ସହିତ ପରମାତ୍ମ ସ୍ନେହରେ ଲଭଲୀନ୍ ହୋଇ ନିଜର ଏକାଗ୍ର ବୃଦ୍ଧି
ଦ୍ୱାରା ସ୍ନେହରେ ମଗ୍ନ ରହିଥିବା କାରଣରୁ କେତେ ପ୍ରିୟ ଲାଗୁଛନ୍ତି । ତୁମେମାନେ ମଧ୍ୟ ଆଜି
ବିଶେଷ କରି ନୂତନ ବର୍ଷ ପାଳନ କରିବା ପାଇଁ ଏଠାରେ ପହଞ୍ଚିଯାଇଛ । ବାପଦାଦା ମଧ୍ୟ ସମସ୍ତଙ୍କର
ଉମଙ୍ଗ-ଉତ୍ସାହକୁ ଦେଖି, ଚମକୁଥିବା ଆତ୍ମା ଦୀପକୁ ଦେଖି ହର୍ଷିତ ହେଉଛନ୍ତି ।
ତେବେ ଆଜିର ଦିନଟି
ସଂଗମର ଦିନ ଅଟେ । ଗୋଟିଏ ପୁରୁଣା ବର୍ଷର ବିଦାୟର ଦିନ ଏବଂ ନୂତନ ବର୍ଷର ଅଭିନନ୍ଦନ ହେବାକୁ
ଯାଉଛି । ନୂତନ ବର୍ଷ ଅର୍ଥାତ୍ ନୂଆ ଉମଙ୍ଗ-ଉତ୍ସାହ ସହିତ ସ୍ୱପରିବର୍ତ୍ତନର ଉମଙ୍ଗ ମଧ୍ୟ ରହିଛି
ଏବଂ ନିଜକୁ ସର୍ବ ପ୍ରାପ୍ତ ହେଉଥିବାର ଦେଖି ଆନ୍ତରିକ ଉତ୍ସାହ ଆସିଯାଉଛି । ଦୁନିଆର ଲୋକମାନେ
ମଧ୍ୟ ଏହି ଉତ୍ସବ ପାଳନ କରୁଛନ୍ତି, ସେମାନଙ୍କ ପାଇଁ ତ ଗୋଟିଏ ଦିନର ଉତ୍ସବ, କିନ୍ତୁ ତୁମେ
ଭାଗ୍ୟବାନ ଏବଂ ଗେହ୍ଲା ପିଲାମାନଙ୍କ ପାଇଁ ସଂଗମଯୁଗର ପ୍ରତ୍ୟେକ ଦିନ ଉତ୍ସବ ଅଟେ କାହିଁକି ନା
ଖୁସିର ଉତ୍ସାହ ତୁମ ଭିତରେ ଅଛି । ଦୁନିଆର ଲୋକମାନେ ତ ଲିଭିଯାଇଥିବା ଦୀପକୁ ଅର୍ଥାତ୍ ପୁରୁଣା
ଦୀପ ଗୁଡିକୁ ଜଳାଇ ନୂତନ ବର୍ଷ ପାଳନ କରୁଛନ୍ତି କିନ୍ତୁ ବାପଦାଦା ଏବଂ ତୁମେ ପିଲାମାନେ ଚାରିଆଡର
ଏତେ ସବୁ ଜାଗ୍ରତ ଦୀପମାନଙ୍କ ସହିତ ନୂତନ ବର୍ଷର ଉତ୍ସବ-ପାଳନ କରିବା ପାଇଁ ଆସିଛ । ଏସବୁ ତ
ଦୁନିଆର ପ୍ରଥା ପରମ୍ପରାକୁ ପାଳନ କରିବା ପାଇଁ ନିମିତ୍ତ ମାତ୍ର କରୁଛ କିନ୍ତୁ ତୁମେ ସମସ୍ତେ
ଜାଗ୍ରତ ଦୀପ ହିଁ ଅଟ । ତେଣୁ ନିଜର ଚମକୁଥିବା ଦୀପ ଦେଖାଯାଉଛି ତ! ଯାହାକି ଅବିନାଶୀ ଦୀପ ଅଟେ ।
ତେବେ ଏହି ନୂତନ ବର୍ଷରେ
ସମସ୍ତେ ନିଜର ଦିଲ୍ ଭିତରେ ସ୍ୱପ୍ରତି ଏବଂ ବିଶ୍ୱର ଆତ୍ମାମାନଙ୍କ ପ୍ରତି କୌଣସି ନୂତନ ଯୋଜନା
ପ୍ରସ୍ତୁତ କରିଛ କି? ୧୨ ବାଜିବା ପରେ ତ ନୂତନ ବର୍ଷ ଆରମ୍ଭ ହୋଇଯିବ, ତେଣୁ ଏହି ବର୍ଷକୁ ବିଶେଷ
କରି କେଉଁ ରୂପରେ ପାଳନ କରିବ? ଯେପରି ପୁରୁଣା ବର୍ଷ ବିଦାୟ ନେବାକୁ ଯାଉଛି ସେହିପରି ତୁମେମାନେ
ମଧ୍ୟ ନିଜର ପୁରୁଣା ସଂକଳ୍ପ ଏବଂ ପୁରୁଣା ସଂସ୍କାରକୁ ବିଦାୟ ଦେବାର ସଂକଳ୍ପ କରିଛ ତ? ତେବେ
ପୁରୁଣା ବର୍ଷକୁ ବିଦାୟ ଦେବା ସହିତ ତୁମେମାନେ ମଧ୍ୟ ନିଜର ପୁରୁଣା ସଂକଳ୍ପକୁ ବିଦାୟ ଦେଇ ନୂତନ
ଉମଙ୍ଗ-ଉତ୍ସାହ ଭରା ସଂକଳ୍ପ ଗୁଡିକୁ ବାସ୍ତବିକ ରୂପରେ କାମରେ କରି ଦେଖାଇବ ନା! ତେଣୁ ଚିନ୍ତା
କର ନିଜ ଭିତରେ କେଉଁ ନବୀନତା ଆଣିବ? କେଉଁଭଳି ଭାବରେ ନୂତନ ଉମଙ୍ଗ-ଉତ୍ସାହର ତରଙ୍ଗ ବିଚ୍ଛୁରିତ
କରିବ? ଏବଂ କେଉଁ ବିଶେଷ ସଂକଳ୍ପର ପ୍ରକମ୍ପନ ବିଚ୍ଛୁରିତ କରିବ? କିଛି ଭାବିଛ? କାହିଁକି ନା ତୁମେ
ସବୁ ବ୍ରାହ୍ମଣମାନେ ସାରା ବିଶ୍ୱର ଆତ୍ମାମାନଙ୍କ ପାଇଁ ପରିବର୍ତ୍ତନର ନିମିତ୍ତ ଆତ୍ମା ଅଟ ।
ବିଶ୍ୱର ମୂଳଦୁଆ ଅଟ, ପୂର୍ବଜ ଅଟ ଏବଂ ପୂଜ୍ୟ ମଧ୍ୟ ଅଟ । ତେଣୁ ଏହି ବର୍ଷ ନିଜର ଶ୍ରେଷ୍ଠ
ମନୋବୃତ୍ତି ଦ୍ୱାରା କେଉଁ ପ୍ରକମ୍ପନ ବିଚ୍ଛୁରିତ କରିବ? ଯେପରି ପ୍ରକୃତି ଚତୁର୍ଦ୍ଦିଗରେ କେବେ
ଗରମର, କେବେ ଥଣ୍ଡାର, କେବେ ବସନ୍ତର ପ୍ରକମ୍ପନ ବିଚ୍ଛୁରିତ କରୁଛି ସେହିପରି ତୁମେ ପ୍ରକୃତିର
ମାଲିକ ପ୍ରକୃତିଜିତ୍ ଆତ୍ମାମାନେ କେଉଁଭଳି ପ୍ରକମ୍ପନ ବା ତରଙ୍ଗ ବିଚ୍ଛୁରିତ କରିବ, ଯାହା ଦ୍ୱାରା
ଆତ୍ମାମାନଙ୍କୁ ଅଳ୍ପ ସମୟ ପାଇଁ ହେଉ ପଛକେ ସୁଖ-ଶାନ୍ତିର ଅନୁଭବ ହେବ । ସେଥିପାଇଁ ବାପଦାଦା ଏହି
ସଂକେତ ଦେଉଛନ୍ତି ଯେ ତୁମମାନଙ୍କୁ ଯେଉଁ ସବୁ ସମ୍ପତ୍ତି ଗୁଡିକ ପ୍ରାପ୍ତ ହୋଇଛି ସେଗୁଡିକୁ ସଫଳ
କର ଏବଂ ସଫଳତାସ୍ୱରୂପ ହୁଅ । ବିଶେଷ କରି ସଂଗମଯୁଗର ସମୟ ରୂପୀ ସମ୍ପତ୍ତି କେବେ ବି ଯେପରି
ବ୍ୟର୍ଥରେ ନ ଯାଉ । ବ୍ୟର୍ଥରେ ଯାଉଥିବା, ଗୋଟିଏ ସେକେଣ୍ଡକୁ ମଧ୍ୟ କାର୍ଯ୍ୟରେ ଲଗାଅ । ସମୟକୁ
ସଫଳ କର, ପ୍ରତ୍ୟେକ ନିଶ୍ୱାସକୁ ସଫଳ କର, ପ୍ରତ୍ୟେକ ସଂକଳ୍ପକୁ ସଫଳ କର, ପ୍ରତ୍ୟେକ ଶକ୍ତିକୁ
ସଫଳ କର ଏବଂ ପ୍ରତ୍ୟେକ ଗୁଣକୁ ସଫଳ କର । ଏହି ବର୍ଷକୁ ସଫଳତା ମୂରତ ହେବାର ବିଶେଷ ବର୍ଷ ରୂପରେ
ପାଳନ କର କାହିଁକିନା ସଫଳତା ତୁମର ଜନ୍ମ ସିଦ୍ଧ ଅଧିକାର । ସେହି ଅଧିକାରକୁ ନିଜର କାର୍ଯ୍ୟରେ
ଲଗାଇ ସଫଳତା ମୂରତ ହୁଅ କାହିଁକିନା ବର୍ତ୍ତମାନର ସଫଳତା ଅନେକ ଜନ୍ମ ପର୍ଯ୍ୟନ୍ତ ତୁମ ସାଥୀରେ
ରହିବ । ତୁମର ସମୟକୁ ସଫଳ କରିବାର ପ୍ରାରବ୍ଧ ରୂପରେ ପୂରା ଅଧାକଳ୍ପ ତୁମକୁ ସଫଳତା ରୂପକ ଫଳ
ପ୍ରାପ୍ତ ହେବ । ତେଣୁ ବର୍ତ୍ତମାନର ସମୟକୁ ସଫଳ କରିବାର ପ୍ରାରବ୍ଧ ତୁମକୁ ପୁରା ଅଧାକଳ୍ପ
ପ୍ରାପ୍ତ ହେଉଛି । ନିଶ୍ୱାସକୁ ସଫଳ କରିବା ଦ୍ୱାରା ଭବିଷ୍ୟତରେ ମଧ୍ୟ ଦେଖ ତୁମେ ସମସ୍ତେ ସାରା
ସମୟ ସୁସ୍ଥ ରହୁଛ, ରୋଗ-ବେମାରୀରୁ ମୁକ୍ତ ରହୁଛ । ସେଠାରେ ତ ଡାକ୍ତର ମାନଙ୍କର ଡିପାର୍ଟମେଣ୍ଟ
ହିଁ ନାହିଁ କାହିଁକି ନା ଡାକ୍ତରମାନେ ସେଠାରେ କ’ଣ ହେବେ? ରାଜା ହୋଇଯିବେ! ବିଶ୍ୱର ମାଲିକ
ହୋଇଯିବେ । ତେବେ ବର୍ତ୍ତମାନ ସମୟରେ ତୁମେମାନେ ନିଜର ନିଶ୍ୱାସକୁ ସଫଳ କରୁଛ, ତେଣୁ ସର୍ବ
ଆତ୍ମାଙ୍କୁ ସୁସ୍ଥ ରହିବାର ପ୍ରାରବ୍ଧ ପ୍ରାପ୍ତ ହେଉଛି । ସେହିପରି ଜ୍ଞାନ ରୂପକ ସମ୍ପତ୍ତିକୁ
ସଫଳ କରିବାର ଫଳ ସ୍ୱରୂପ ସ୍ୱର୍ଗ ଦୁନିଆରେ ତୁମେମାନେ ନିଜର ରାଜ୍ୟରେ ଏତେ ବୁଦ୍ଧିମାନ ଏବଂ
ଶକ୍ତିଶାଳୀ ହୋଇଯାଉଛ ଯାହାକି ସେଠାରେ କୌଣସି ମନ୍ତ୍ରୀଠାରୁ ରାୟ ନେବାର ଆବଶ୍ୟକତା ପଡୁ ନାହିଁ,
ନିଜେ ହିଁ ବୁଦ୍ଧିମାନ ଏବଂ ଶକ୍ତିବାନ ହୋଇଯାଉଛ । ଏଠାରେ ତୁମେମାନେ ଶକ୍ତିଗୁଡିକୁ ସଫଳ କରୁଛ,
ଏହାର ପ୍ରାରବ୍ଧ ରୂପରେ ସେଠାରେ ବିଶେଷ କରି ଧର୍ମ ସତ୍ତା ଏବଂ ରାଜ୍ୟ ସତ୍ତା, ଏହି ଦୁଇଟିଯାକ
ସତ୍ତାର ଶକ୍ତି ପ୍ରାପ୍ତ ହେଉଛି । ସେହିପରି ଗୁଣରୂପୀ ସମ୍ପତ୍ତିକୁ ମଧ୍ୟ ସଫଳ କରୁଛ, ତେଣୁ ତା’ର
ପ୍ରାରବ୍ଧ ଦେବତା ପଦର ଅର୍ଥ ହେଉଛି ଦିବ୍ୟଗୁଣଧାରୀ ମନୁଷ୍ୟ ଏବଂ ତା’ ସହିତ ଏବେ ଶେଷ ଜନ୍ମରେ
ମଧ୍ୟ ତୁମମାନଙ୍କର ଜଡମୂର୍ତ୍ତିକୁ ପୁଜା କରୁଛନ୍ତି । ପୁଣି ମହିମା କ’ଣ କରୁଛନ୍ତି? ସର୍ବଗୁଣ
ସମ୍ପନ୍ନ । ତେଣୁ ଏହି ସମୟର ସଫଳତାର ପ୍ରାରବ୍ଧ ସ୍ୱତଃ ହିଁ ପ୍ରାପ୍ତ ହୋଇଯାଉଛି । ସେଥିପାଇଁ
ଚେକ୍ କର ଯେ ସମ୍ପତ୍ତି ଗୁଡିକ ତ ମିଳିଯାଇଛି, ସେଥିରେ ସମ୍ପନ୍ନ ମଧ୍ୟ ହୋଇଯାଇଛ କିନ୍ତୁ ସ୍ୱ
ପ୍ରତି ହେଉ ବା ବିଶ୍ୱ ପ୍ରତି ହେଉ ତା’କୁ କେତେ ସଫଳ କରିଛି? ଯଦି ପୁରୁଣା ବର୍ଷକୁ ବିଦାୟ ଦେଉଛ
ତେବେ ପୁରୁଣା ବର୍ଷରେ ଜମା କରିଥିବା ସମ୍ପତ୍ତିଗୁଡିକୁ କେତେ ସଫଳ କରିଛ? କରିଛ ନା ନାହିଁ? ଏହାକୁ
ଚେକ୍ କରିବା ସହିତ ଆଗାମୀ ବର୍ଷରେ ଜମା କରିଥିବା ସମ୍ପତ୍ତି ଗୁଡିକୁ ବ୍ୟର୍ଥରେ ନଷ୍ଟ ନ କରି
ନିଶ୍ଚିତ ରୂପରେ ସଫଳ କରିବାକୁ ହିଁ ହେବ । ଗୋଟିଏ ସେକେଣ୍ଡ ହେଉ ବା କୌଣସି ଗୋଟିଏ ସମ୍ପତ୍ତି
ହେଉ, ଯେପରି ବ୍ୟର୍ଥରେ ନ ଯାଏ । ପୂର୍ବରୁ ମଧ୍ୟ ଶୁଣାଇଛୁ ଯେ ସଂଗମଯୁଗର ଗୋଟିଏ ସେକେଣ୍ଡ,
ସେକେଣ୍ଡ ନୁହେଁ, ବର୍ଷକ ସହିତ ସମାନ ଅଟେ । ତେଣୁ ଏପରି ଭାବନାହିଁ ଯେ ଗୋଟିଏ ସେକେଣ୍ଡ ବା
ଗୋଟିଏ ମିନିଟ୍ ହିଁ ତ ଯାଇଛି, କାହିଁକି ନା ବ୍ୟର୍ଥରେ ନଷ୍ଟ କରିବାକୁ ହିଁ ଅବହେଳା ପଣିଆ
କୁହାଯାଉଛି । ତେବେ ତୁମମାନଙ୍କର ଲକ୍ଷ୍ୟ ହିଁ ହେଉଛି ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ
ସମ୍ପୂର୍ଣ୍ଣ ହେବା । ତେବେ ବ୍ରହ୍ମାବାବା ତ ନିଜର ସର୍ବ ସମ୍ପତ୍ତିକୁ ଆଦି ସମୟଠାରୁ ଅନ୍ତିମ ଦିନ
ପର୍ଯ୍ୟନ୍ତ ସଫଳ କରିଛନ୍ତି, ଯାହାର ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ତୁମେମାନେ ଦେଖିଲ - ସମ୍ପୂର୍ଣ୍ଣ
ଫରିସ୍ତା ହୋଇଗଲେ । ତୁମର ପ୍ରିୟ ଦାଦୀକୁ ମଧ୍ୟ ଦେଖିଲ, ନିଜେ ମଧ୍ୟ ସଫଳ କରିଲେ ଏବଂ
ଅନ୍ୟମାନଙ୍କୁ ମଧ୍ୟ ସଫଳ କରିବା ପାଇଁ ପ୍ରେରଣା ଦେଉଥିଲେ । ତେଣୁ ଡ୍ରାମା ଅନୁସାରେ ବିଶେଷ କରି
ବିଶ୍ୱ ସେବାର ଅଲୌକିକ ପାର୍ଟର ନିମିତ୍ତ ହୋଇଗଲା ।
ତେଣୁ ଏହି ବର୍ଷ, ଆସନ୍ତା
କାଲିଠାରୁ ପ୍ରତ୍ୟେକ ଦିନ ନିଜର ଚାର୍ଟ ରଖ - ସଫଳ ଏବଂ ବ୍ୟର୍ଥ - କ’ଣ ହେଲା, କେତେ ହେଲା ।
ଅମୃତବେଳାରୁ ହିଁ ଦୃଢ ସଂକଳ୍ପ କର ଯେ ସଫଳତା ମୋ’ର ଜନ୍ମସିଦ୍ଧ ଅଧିକାର । ସଫଳତା ମୋ’ର ଗଳାର
ହାର ଅଟେ ଏବଂ ସଫଳତା ସ୍ୱରୂପ ହେବା ହିଁ ବାପ ସମାନ ହେବା । ବ୍ରହ୍ମାବାବାଙ୍କ ସହିତ ସ୍ନେହ ଅଛି
ନା । ତେବେ ବ୍ରହ୍ମାବାବାଙ୍କର ସବୁଠାରୁ ଅଧିକ ସ୍ନେହ କାହା ସହିତ ଥିଲା? ଜାଣିଛ, କାହା ସହିତ
ଥିଲା? ମୁରଲୀ ସହିତ, ଶେଷ ଦିନ ପର୍ଯ୍ୟନ୍ତ ମଧ୍ୟ ମୁରଲୀର ପାଠ ବନ୍ଦ କରିନାହାଁନ୍ତି । ତେଣୁ
ସମାନ ହେବା ପାଇଁ ଏହି କଥା ଚେକ୍ କର ଯେ ବ୍ରହ୍ମାବାବାଙ୍କର ଯାହା ପ୍ରତି ସ୍ନେହ ଥିଲା, ତା’
ପ୍ରତି ମୋ’ର ସ୍ନେହ ମଧ୍ୟ ସ୍ୱତଃ ଏବଂ ସହଜ ହେବା ଦରକାର - ଏହା ହିଁ ହେଉଛି ବ୍ରହ୍ମାବାବାଙ୍କ
ପ୍ରତି ସ୍ନେହର ପ୍ରମାଣ । ତେବେ ବ୍ରହ୍ମାବାବାଙ୍କର ଆଉ କ’ଣ ବିଶେଷତା ଥିଲା? ସଦାସର୍ବଦା ସଜାଗ
ରହିବା, ଅବହେଳା ପଣିଆ ନୁହେଁ, ସଜାଗ । ଶେଷ ଦିନରେ ମଧ୍ୟ କେତେ ସଜାଗ ରହି ନିଜର ସେବାର ପାର୍ଟକୁ
ସମ୍ପନ୍ନ କରିଥିଲେ? ଶରୀର ଦୁର୍ବଳ ଥିଲେ ମଧ୍ୟ କିପରି ସଜାଗ ହୋଇ ବସିଥିଲେ, କୌଣସି ଆଧାର ନେଇ
ନଥିଲେ, ସଜାଗ ହୋଇ ବସିଥିଲେ ଏବଂ ପିଲାମାନଙ୍କୁ ସଜାଗ କରି ବିଦାୟ ନେଲେ । ତିନୋଟି କଥାର ମନ୍ତ୍ର
ଦେଇଯାଇଥିଲେ । କ’ଣ ସମସ୍ତଙ୍କର ମନେ ଅଛି ତ? ତେଣୁ ଯେତେ ଯେତେ ସଜାଗ ରହିବ, ନିଜର ପିତାଙ୍କୁ
ଅନୁକରଣ କରିବ ସେହି ଅନୁସାରେ ଅବହେଳା ପଣିଆ ସମାପ୍ତ ହେବ । ତେବେ ଅବହେଳା ପଣିଆରର ବିଶେଷ ଭାଷା
ବାପଦାଦା ବହୁତ ଶୁଣୁଛନ୍ତି । ଜାଣିଛ ତ ସମସ୍ତେ! ଯଦି ତିନୋଟି ଯାକ ଶବ୍ଦକୁ (ନିରାକାରୀ,
ନିର୍ବିକାରୀ ଏବଂ ନିରହଂକାରୀ) ସଦାସର୍ବଦା ମନ ଭିତରେ ଅଭ୍ୟାସ କରିବା ସହିତ ଅନୁଭବ କରିଚାଲିବ
ତେବେ ସହଜରେ ଏବଂ ସ୍ୱତଃ ହିଁ ସମାନ ହୋଇଯିବ । ତେଣୁ ଗୋଟିଏ କଥା ହେଲା - ସଫଳ କର ଏବଂ ସଫଳତା
ମୂରତ ହୁଅ ।
ବାପଦାଦା ପିଲାମାନଙ୍କର
ବର୍ଷକର ଫଳାଫଳ ଦେଖିଛନ୍ତି । ଜାଣିଛ କ’ଣ ଦେଖିଛନ୍ତି? ମହାଦାନୀ ହୋଇଯାଇଛ କିନ୍ତୁ ଅଖଣ୍ଡ
ମହାଦାନୀ, ଅଖଣ୍ଡ ଯୋଗୀ, ଅଖଣ୍ଡ ନିର୍ବିଘ୍ନ - ଏହା ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ହେବ ।
କ’ଣ ଅଖଣ୍ଡ ହୋଇପାରିବ? ହୋଇପାରିବ? ପ୍ରଥମ ଧାଡିବାଲା କୁହ - ଅଖଣ୍ଡ ହୋଇପାରିବ? ଯଦି ହୋଇପାରିବ
ତେବେ ହାତ ଉଠାଅ । କରିପାରିବ? ମଧୁବନ ନିବାସୀ ମଧ୍ୟ ହାତ ଉଠାଉଛନ୍ତି । ବାପଦାଦା ମଧୁବନ
ନିବାସୀଙ୍କୁ ପ୍ରଥମେ ଦେଖୁଛନ୍ତି । ମଧୁବନ ସହିତ ସ୍ନେହ ଅଛି ନା । ଶାନ୍ତିବନ ହେଉ ବା
ପାଣ୍ଡବଭବନ ହେଉ ବା ଯେଉଁମାନେ ବି ଦାଦୀଙ୍କର ସହଯୋଗୀ ଭୁଜା ଅଟନ୍ତି, ବାପଦାଦା ସମସ୍ତଙ୍କୁ
ଧ୍ୟାନର ସହିତ ଦେଖୁଛନ୍ତି । ଯଦି ଅଖଣ୍ଡ ସ୍ଥିତି ହୋଇଗଲା ତେବେ ସଂକଳ୍ପ ଦ୍ୱାରା ଶକ୍ତିର
ପ୍ରକମ୍ପନ ଖେଳାଇବାର ସେବାରେ ସର୍ବଦା ବ୍ୟସ୍ତ ରୁହ, ବାଣୀ ଦ୍ୱାରା ଜ୍ଞାନର ସେବା ଏବଂ କର୍ମ
ଦ୍ୱାରା ଗୁଣଦାନ ବା ଗୁଣର ସହଯୋଗ ଦେବାର ସେବା କର ।
ଆଜିକାଲି ଚାହେଁ ଅଜ୍ଞାନୀ
ଆତ୍ମା ହୁଅନ୍ତୁ, ଚାହେଁ ବ୍ରାହ୍ମଣ ଆତ୍ମା ହୁଅନ୍ତୁ, ସମସ୍ତଙ୍କୁ ଗୁଣର ଦାନ ବା ଗୁଣର ସହଯୋଗ
ଦେବା ଆବଶ୍ୟକ ଅଟେ । ଯଦି ନିଜେ ସହଜରେ ଏବଂ ସାଧାରଣ ରୂପରେ ଉଦାହରଣ ମୂରତ ହୋଇ ଦେଖାଇବ ତେବେ ଆପେ
ଆପେ ଅନ୍ୟମାନଙ୍କୁ ତୁମର ଗୁଣମୂରତ ସ୍ଥିତିର ସହଯୋଗ ମିଳିଯିବ । ଆଜିକାଲି ତ ବ୍ରାହ୍ମଣ ଆତ୍ମାମାନେ
ମଧ୍ୟ ସାମ୍ପୂଲ ଅର୍ଥାତ୍ ନମୂନା ଦେଖିବାକୁ ଚାହୁଁଛନ୍ତି, ଶୁଣିବାକୁ ଚାହୁଁ ନାହାଁନ୍ତି ।
ଦେଖିବାକୁ ଚାହୁଁଛନ୍ତି । ତୁମେମାନେ ପରସ୍ପରକୁ ମଧ୍ୟ କ’ଣ କହୁଛ? କିଏ ହେଲାଣି କି? ତା’ ଅର୍ଥ
ପ୍ରତ୍ୟକ୍ଷ ରୂପରେ ଗୁଣ ମୂରତ ସ୍ଥିତି ଦେଖିବାକୁ ଚାହୁଁଛ । ତେବେ ନିଜର କର୍ମ ଦ୍ୱାରା ବିଶେଷ କରି
ଗୁଣର ସହଯୋଗ ବା ଦାନ ଦେବାର ଆବଶ୍ୟକତା ରହିଛି । ଶୁଣିବାକୁ କେହି ବି ଚାହୁଁ ନାହାଁନ୍ତି,
ଦେଖିବାକୁ ଚାହୁଁଛନ୍ତି । ତେଣୁ ବର୍ତ୍ତମାନ ଏହି କଥା ବିଶେଷ ଭାବରେ ଧ୍ୟାନରେ ରଖିବାକୁ ହେବ ଯେ
ବାଣୀ ଦ୍ୱାରା ଜ୍ଞାନ ଶୁଣାଇବାର ସେବା ତ କରି ଆସୁଛ ଏବଂ ଆଗକୁ ମଧ୍ୟ କରିବ, ଛାଡିବାର ତ ନାହିଁ
କିନ୍ତୁ ଏବେ କର୍ମ ଦ୍ୱାରା ତଥା ନିଜର ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ଶୁଦ୍ଧ ତରଙ୍ଗ ବିଚ୍ଛୁରିତ କର
ଏବଂ ଶକ୍ତିଶାଳୀ କିରଣ ବିଚ୍ଛୁରିତ କର । କାରଣ ଶକ୍ତିଶାଳୀ କିରଣ ହେଉ ବା ପ୍ରକମ୍ପନ ହେଉ ଦୂରରେ
ରହି ମଧ୍ୟ ସବୁଆଡେ ପହଞ୍ଚାଇ ପାରିବ । ନିଜର ଶୁଭଭାବନା, ଶୁଭକାମନା ଦ୍ୱାରା କୌଣସି ବି ଆତ୍ମାକୁ
ସଂକଳ୍ପ ଶକ୍ତିର ସେବା ଆଧାରରେ ଶକ୍ତିଶାଳୀ ପ୍ରକମ୍ପନ ବା ସକାଶ ଅର୍ଥାତ୍ ଶକ୍ତିଶାଳୀ କିରଣ
ଦେଇପାରିବ । ତେଣୁ ଏହି ବର୍ଷ ଗୋଟିଏ ହେଲା ସଂକଳ୍ପ ଦ୍ୱାରା ଶକ୍ତିଗୁଡିକର ପ୍ରକମ୍ପନ, ଶକ୍ତିଶାଳୀ
କିରଣ ଦିଅ ଏବଂ କର୍ମ ଦ୍ୱାରା ବ୍ରାହ୍ମଣ ଆତ୍ମାମାନଙ୍କୁ ଗୁଣର ସହଯୋଗ ଦିଅ, ତଥା ଅଜ୍ଞାନୀ
ଆତ୍ମାମାନଙ୍କୁ ଗୁଣର ଦାନ ଦିଅ ।
ତେବେ ନୂତନ ବର୍ଷରେ
ଉପହାର ମଧ୍ୟ ଦେଉଛ ନା, ତେଣୁ ଏହି ବର୍ଷ ନିଜେ ଗୁଣ ମୂରତ ହୋଇ ସମସ୍ତଙ୍କୁ ଦିବ୍ୟଗୁଣର ଉପହାର
ଦିଅ । ଦିବ୍ୟଗୁଣ ରୂପୀ ଟୋଲୀ ଖୁଆଉଛ ନା! ଯେତେବେଳେ ପରସ୍ପର ମିଶୁଛ, ସେତେବେଳେ ଟୋଲୀ ଖୁଆଉଛ
ନା! ଟୋଲୀ ଖୁଆଇବା ଦ୍ୱାରା ଖୁସି ହୋଇଯାଆନ୍ତି ନା! କେହି କେହି ଜ୍ଞାନ ଛାଡି ଦେଇଥିବା ଆତ୍ମାମାନେ
ମଧ୍ୟ ଟୋଲୀକୁ ମନେ ପକାଉଛନ୍ତି । ଅନ୍ୟ ସବୁ କଥା ଭୁଲିଯାଉଛନ୍ତି କିନ୍ତୁ ଟୋଲୀ ମନେ ପଡୁଛି ।
ତେଣୁ ଏହି ବର୍ଷ କେଉଁ ଟୋଲୀ ଖୁଆଇବ? ଦିବ୍ୟଗୁଣର ଟୋଲୀ ଖୁଆଅ ଏବଂ ଦିବ୍ୟଗୁଣର ପିକ୍ନିକ୍ କର
କାହିଁକି ନା ବାପ୍ ସମାନ ହେବାର ସମୟ ପାଖେଇ ଆସୁଥିବା କାରଣରୁ ଏବଂ ଦାଦୀଙ୍କଠାରୁ ମିଳିଥିବା
ଶିକ୍ଷା ଅନୁସାରେ ଅଚାନକ ଭାବରେ କେତେବେଳେ ବି ସମୟ ସମାପ୍ତ ହୋଇଯାଇପାରେ, ସେଥିପାଇଁ ବାପ ସମାନ
ହେବାର ହେଉ ବା ଦାଦୀଙ୍କର ସ୍ନେହର ପ୍ରତିଦାନ ଦେବାର ହେଉ, ସଂକଳ୍ପ ଦ୍ୱାରା ଏବଂ କର୍ମ ଦ୍ୱାରା
ସହଯୋଗୀ ହେବାର ଆବଶ୍ୟକତା ରହିଛି । ଏଥିରେ କିଏ କିପରି ବି ହୋଇଥାଉ କିନ୍ତୁ ତୁମେ ଏପରି ଭାବ ନାହିଁ
ଯେ ଇଏ ଯଦି ହେବ ତେବେ ମୁଁ ବି ହେବି । ଯଦି ନମ୍ବରୱାନ ହେବାକୁ ଚାହୁଁଛ ତେବେ ଏପରି କେବେ ବି
ଭାବ ନାହିଁ ଯେ ଇଏ ହେଲେ ଯାଇ ମୁଁ ହେବି । ଏହାଦ୍ୱାରା ଯିଏ ପ୍ରଥମ ନମ୍ବର ହେବା କଥା ସେ ତ
ହୋଇଯିବ କିନ୍ତୁ ତୁମ ନମ୍ବର ପଛକୁ ଆସିଯିବ । କ’ଣ ତୁମେ ଦ୍ୱିତୀୟ ନମ୍ବର ହେବାକୁ ଚାହୁଛଁ ନା
ପ୍ରଥମ ନମ୍ବର ହେବାକୁ ଚାହୁଁଛ? ଏମିତି ତ ଯଦି କାହାକୁ କୁହାଯିବ ତୁମେ ଦ୍ୱିତୀୟ ନମ୍ବର ସ୍ଥାନ
ଗ୍ରହଣ କର, ତେବେ ସେ ରାଜି ହେବ କି? ସମସ୍ତେ କହିବେ ମୋତେ ପ୍ରଥମ ନମ୍ବର ହେବାର ଅଛି । ସେଥିପାଇଁ
ପ୍ରଥମ ନମ୍ବର ନିମିତ୍ତ ହେବାକୁ ପଡିବ । ତେଣୁ ତୁମେ ଅନ୍ୟକୁ କାହିଁକି ନିମିତ୍ତ କରୁଛ, ନିଜକୁ
ନିମତ୍ତ କର ନା! ବ୍ରହ୍ମାବାବା କ’ଣ କହୁଥିଲେ? ସବୁ କଥାରେ ନିଜେ ପ୍ରଥମେ ନିମିତ୍ତ ହୋଇ
ଅନ୍ୟମାନଙ୍କୁ ମଧ୍ୟ କରାଇଥିଲେ । ହେ ଅର୍ଜୁନ ହୋଇ ପାର୍ଟ କରୁଥିଲେ । ମୋତେ ନିମିତ୍ତ ହେବାର ଅଛି
। ମୋତେ ହିଁ କରିବାର ଅଛି । ମୋତେ ଦେଖି ଅନ୍ୟମାନେ କରିବେ, ଅନ୍ୟମାନଙ୍କୁ ଦେଖି ମୁଁ କରିବି,
ତାହା ନୁହେଁ । ମୋତେ ଦେଖି ଅନ୍ୟମାନେ କରିବେ । ଏହା ବ୍ରହ୍ମାବାବାଙ୍କର ପ୍ରଥମ ଧାରଣା ଥିଲା ।
ତେବେ ଶୁଣିଲ ତ କ’ଣ କରିବ? କେବଳ ସଫଳତା ମୂରତ ନୁହେଁ ସଫଳ ସଫଳତାମୂରତ, ଅଖଣ୍ଡ ଦାନୀ,
ଯାହାଦ୍ୱାରା ମାୟାକୁ ଆସିବାକୁ ସାହସ ହେବ ନାହିଁ । ଯଦି ଅଖଣ୍ଡ ମହାଦାନୀ ହୋଇଯିବ, ନିରନ୍ତର
ସେବାଧାରୀ ହୋଇ ରହିବ, ସେବାରେ ହିଁ ବ୍ୟସ୍ତ ରହିବ, ମନ-ବୁଦ୍ଧି ସେବାଧାରୀ ପାଲଟିଯିବ ତେବେ ମାୟା
କେଉଁଠି ଆସିବ? ତେଣୁ ଏହି ବର୍ଷରେ କ’ଣ ହେବାର ଅଛି? ସମସ୍ତଙ୍କ ଅନ୍ତରରୁ ଗୋଟିଏ ଶବ୍ଦ ବାହାରୁ
ଯାହାକୁ ବାପଦାଦା ଚାହୁଁଛନ୍ତି, ତାହା କ’ଣ? ସମସ୍ୟାମୁକ୍ତ ଏବଂ ସମ୍ପୂର୍ଣ୍ଣ । ସମସ୍ୟାଠାରୁ
ମୁକ୍ତ ହୋଇ ସମ୍ପୂର୍ଣ୍ଣ ହେବାର ଅଛି । ଦୃଢ ନିଶ୍ଚୟ ବୁଦ୍ଧି ହୋଇ ବିଜୟମାଳାରେ ନିକଟତମ ଦାନା
ହେବାକୁ ପଡିବ । ଏହା ଠିକ୍ କଥା ନା! ହେବ ନା! କ’ଣ ମଧୁବନବାଲା ହେବ ତ? କୌଣସି ଅଭିଯୋଗ ଆସିବ
ନାହିଁ ତ? କୌଣସି ପ୍ରକାରର ନୁହେଁ । ଯେଉଁମାନେ ସାହସ କରୁଛ ସେମାନେ ହାତ ଉଠାଅ । କୌଣସି ଅଭିଯୋଗ
ଆସିବ ନାହିଁ ତ? ବାଃ! ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ ।
ଦେଖ ନିଶ୍ଚୟର
ପ୍ରତ୍ୟକ୍ଷ ପ୍ରମାଣ ହେଲା ଆତ୍ମିକ ନିଶା । ଯଦି ଆତ୍ମିକ ନିଶା ନାହିଁ, ତେବେ ନିଶ୍ଚୟ ମଧ୍ୟ ନାହିଁ
। ପୂରା ନିଶ୍ଚୟ ନାହିଁ, ଅଳ୍ପ ବହୁତ ଅଛି । ତେଣୁ ନିଶା ରଖିବା କିଛି ବଡ କଥା ନୁହେଁ । କେତେ
କଳ୍ପ ତୁମେମାନେ ବାପ ସମାନ ହୋଇଛ, ମନେ ଅଛି? ଅଗଣିତ ଥର ହୋଇସାରିଛ । ତେଣୁ ଏହି ନିଶା ରଖ ଯେ ଆମେ
ହିଁ ହୋଇଥିଲୁ, ଆମେ ହିଁ ଅଟୁ ଏବଂ ଆମେ ହିଁ ବାରମ୍ବାର ହେଉଥିବୁ । ଏହିଭଳି ନିଶା ସଦାସର୍ବଦା
ପ୍ରତ୍ୟେକ କର୍ମରେ ଦେଖାଯାଉ । ସଂକଳ୍ପରେ ନୁହେଁ, ବାଣୀରେ ନୁହେଁ କିନ୍ତୁ କର୍ମରେ ଦେଖାଯାଉ
ଅର୍ଥାତ୍ ଚାଲିଚଳନରେ ଏବଂ ଚେହେରାରେ ଦେଖାଯାଉ । ତେବେ ହୋମ୍ୱାର୍କ ମିଳିଗଲା ନା! ଏବେ ଦେଖିବା
ନମ୍ବରୱାନ ହେଉଛ କି କ୍ରମାନ୍ୱୟରେ ରହୁଛ! ଆଚ୍ଛା!
ବାପଦାଦାଙ୍କ ପାଖରେ
କାର୍ଡ ଦ୍ୱାରା, ପତ୍ର ଦ୍ୱାରା, ଇମେଲ୍ ଏବଂ କମ୍ପ୍ୟୁଟର ଦ୍ୱାରା ମଧ୍ୟ ବହୁତ ଶୁଭେଚ୍ଛାବାର୍ତ୍ତା
ପହଞ୍ଚିଛି ଏବଂ ବାପଦାଦା ଦୂରରେ ବସିଥିବା ହୃଦୟ ସିଂହାସନ ଅଧିକାରୀ ପିଲାମାନଙ୍କୁ, ସମସ୍ତଙ୍କୁ
ନାମ ସହିତ ଏବଂ ବିଶେଷତା ସହିତ ସମ୍ମୁଖରେ ପ୍ରକଟ କରି ୟାଦପ୍ୟାର ଏବଂ ଆନ୍ତରିକ ଆଶୀର୍ବାଦ
ଦେଉଛନ୍ତି । ବାପଦାଦା ଏକଥା ମଧ୍ୟ ଜାଣିଛନ୍ତି ଯେ ବାପଦାଦାଙ୍କ ପ୍ରତି ତ ସମସ୍ତଙ୍କର ସ୍ନେହ
ରହିଛି ଏବଂ ବାପଦାଦା ସର୍ବଦା ଅମୃତବେଳାରେ ବିଶେଷ କରି ବ୍ରାହ୍ମଣ ଆତ୍ମାମାନଙ୍କୁ ୟାଦପ୍ୟାରର
ପ୍ରତ୍ୟୁତ୍ତର ବିଶେଷ ଭାବରେ ଦେଉଛନ୍ତି । ସେଥିପାଇଁ କାର୍ଡଗୁଡିକ ମଧ୍ୟ ଭଲ ଭଲ ତିଆରି କରିଛନ୍ତି,
ସେଗୁଡିକୁ ତ ଏଠାରେ ଷ୍ଟେଜ୍ ଉପରେ ରଖାଯାଉଛି କିନ୍ତୁ ପ୍ରଥମେ ବତନରେ ହିଁ ବାପଦାଦାଙ୍କ ପାଖରେ
ପହଞ୍ଚିଯାଉଛି । ଆଚ୍ଛା!
ଚାରିଆଡର ଚମକୁଥିବା
ଆତ୍ମା ରୂପୀ ଦୀପମାନଙ୍କୁ, ସର୍ବଦା ସଫଳ କରୁଥିବା ସଫଳତା ସ୍ୱରୂପ ପିଲାମାନଙ୍କୁ, ସର୍ବଦା ଅଖଣ୍ଡ
ମହାଦାନୀ, ଅଖଣ୍ଡ ନିର୍ବିଘ୍ନ, ଅଖଣ୍ଡ ଜ୍ଞାନ ଏବଂ ଯୋଗଯୁକ୍ତ, ସର୍ବଦା ଏକ ସମୟରେ ତିନୋଟି ସେବା
କରୁଥିବା, ସଂକଳ୍ପର ପ୍ରକମ୍ପନ ଦ୍ୱାରା, ବାୟୁମଣ୍ଡଳ ଦ୍ୱାରା, ନିଜର ବାଣୀ ଦ୍ୱାରା, ଚାଲିଚଳନ ଏବଂ
ଚେହେରା ଦ୍ୱାରା ଅର୍ଥାତ୍ କର୍ମ ଦ୍ୱାରା ତିନୋଟି ଯାକ ସେବା ଏକ ସମୟରେ ଯଦି ଏକାଠି ହେଉଥିବ ତେବେ
ଯାଇ ତୁମମାନଙ୍କର ପ୍ରଭାବ ଭଲ ଭଲ କହୁଥିବା ବାଲାଙ୍କ ଉପରେ ନୁହେଁ, କିନ୍ତୁ ଭଲ ହେବାକୁ
ଚାହୁଁଥିବା ଆତ୍ମାମାନଙ୍କର ଉପରେ ପଡିବ । ତେଣୁ ଏହିଭଳି ଅନୁଭବୀ ମୂରତ ଦ୍ୱାରା ଅନୁଭବ କରାଉଥିବା
ପିଲାମାନଙ୍କୁ ବାପଦାଦାଙ୍କର ନୂତନ ବର୍ଷ ପାଇଁ ପଦ୍ମାପଦ୍ମଗୁଣା ୟାଦପ୍ୟାର, ଆଶୀର୍ବାଦ ।
ବାବାଙ୍କର ହୃଦୟ ରୂପୀ ସିଂହାସନ ସର୍ବଦା ବିଶ୍ୱର ସିଂହାସନର ଅଧିକାରୀ କରାଇଥାଏ, ସେଥିପାଇଁ
ଚାରିଆଡର ପିଲାମାନଙ୍କୁ ଯେଉଁମାନେ ବି ସମ୍ମୁଖରେ ଅଛନ୍ତି ବା ଦୂରରେ ବସିଥିଲେ ମଧ୍ୟ ହୃଦୟ
ସିଂହାସନ ଉପରେ ବସିଛନ୍ତି, ସମସ୍ତଙ୍କୁ ନାମ ଏବଂ ବିଶେଷତା ସହିତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ନମସ୍ତେ ।
ଆଚ୍ଛା! ଯେଉଁମାନେ
ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଛିଡା ହୋଇଯାଅ । ହାତ ହଲାଅ । ଦେଖ ଅଧାକ୍ଲାସ ତ ପ୍ରଥମ ଥର
ଆସିବାବାଲା ହିଁ ଅଛନ୍ତି । ପଛବାଲା ହାତ ହଲାଅ । ଟିଭିରେ ଦେଖାଯାଉଛି । ବହୁତ ଅଛନ୍ତି । ଆଚ୍ଛା
ପ୍ରଥମ ଥର ଆସିବାବାଲାଙ୍କୁ ବାପଦାଦାଙ୍କର ବହୁତ ବହୁତ ଆନ୍ତରିକ ଅଭିନନ୍ଦନ ମଧ୍ୟ ଏବଂ ଆନ୍ତରିକ
ଶୁଭେଚ୍ଛା ମଧ୍ୟ । ତେବେ ଏଠାରେ ଉପସ୍ଥିତ ଥିବା ସବୁ ପିଲାଙ୍କୁ ବାପଦାଦା ଅମର ଭବର ବରଦାନ
ଦେଉଛନ୍ତି ।
ବରଦାନ:-
ନିନ୍ଦୁକ
ଆତ୍ମାକୁ ମଧ୍ୟ ଗୁଣର ମାଳା ପିନ୍ଧାଉଥିବା ଇଷ୍ଟଦେବ, ମହାନ ଆତ୍ମା ହୁଅ ।
ଯେପରି ଆଜିକାଲି ତୁମ
ବିଶେଷ ଆତ୍ମାମାନଙ୍କୁ ସ୍ୱାଗତ କରିବା ସମୟରେ ଯଦି କେହି ତୁମ ଗଳାରେ ସ୍ଥୂଳ ଫୁଲ ହାର
ପିନ୍ଧାଉଛନ୍ତି ତେବେ ତୁମେମାନେ ତାକୁ ପିନ୍ଧାଇବାବାଲାର ଗଳାରେ ପିନ୍ଧାଇ ଦେଉଛ, ଅର୍ଥାତ୍ ତାଙ୍କୁ
ଫେରସ୍ତ କରିଦେଉଛ, ସେହିପରି ନିନ୍ଦା କରିବାବାଲାକୁ ମଧ୍ୟ ତୁମେ ଗୁଣର ମଳା ପିନ୍ଧାଅ, ତାହାହେଲେ
ସେ ମଧ୍ୟ ଆପେ ଆପେ ତୁମକୁ ଗୁଣ ରୂପୀ ମାଳା ଫେରସ୍ତ କରିବ, କାହିଁକି ନା ନିନ୍ଦା କରିବାବାଲାଙ୍କୁ
ଗୁଣର ମାଳା ପିନ୍ଧାଇବା ଅର୍ଥ ଜନ୍ମ ଜନ୍ମ ପାଇଁ ଭକ୍ତ କରିଦେବା । ଏହିଭଳି ଦେବା ହିଁ ଅନେକ ଥର
ପାଇଁ ନେବା ହୋଇଯିବ । ଏହି ବିଶେଷତା ହିଁ ତୁମକୁ ଇଷ୍ଟଦେବ, ମହାନ ଆତ୍ମା କରିଦେବ ।
ସ୍ଲୋଗାନ:-
ନିଜର
ମନୋବୃତ୍ତିକୁ ଯଦି ସର୍ବଦା ଶ୍ରେଷ୍ଠ ଏବଂ ଶକ୍ତିଶାଳୀ କରିବ ତେବେ ଖରାପ କଥା ମଧ୍ୟ ଭଲ ହୋଇଯିବ ।
ଅବ୍ୟକ୍ତ ଈଶାରା:-
ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ । ଚାରିଆଡୁ କର୍ମଧନ୍ଦାର ଯେତେ ବି ଟଣାଭିଡା
ଚାଲିଥାଉ, ବୁଦ୍ଧି ସେବା କାର୍ଯ୍ୟରେ ଅତ୍ୟଧିକ ବ୍ୟସ୍ତ ଥାଉ - ଏହିଭଳି ସମୟରେ ଅଶରୀରୀ ହେବାର
ଅଭ୍ୟାସ କରି ଦେଖ । ଯଥାର୍ଥ ସେବା କେବେ ବି ବନ୍ଧନରେ ବାନ୍ଧି ନ ଥାଏ, କାହିଁକି ନା ଯୋଗଯୁକ୍ତ,
ଯୁକ୍ତିଯୁକ୍ତ ସେବାଧାରୀ ସର୍ବଦା ସେବା କରୁଥିଲେ ମଧ୍ୟ ଉପରାମ ରହିଥାଏ । ଏମିତି ନୁହେଁ ଯେ ସେବା
ଅଧିକ ଅଛି ସେଥିପାଇଁ ଅଶରୀରୀ ହୋଇପାରିବି ନାହିଁ, କିନ୍ତୁ ମନେରଖ ସେବା ମୋ’ର ନୁହେଁ, ବାବା
ଦେଇଛନ୍ତି, ତେବେ ଯାଇ ନିର୍ବନ୍ଧନ ରହିପାରିବ ।