24.02.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ନିଜ ଜୀବନର ଡୋରକୁ ଏକମାତ୍ର ବାବାଙ୍କ ସହିତ ବାନ୍ଧି ଦେଇଛ, ତୁମର ସମ୍ପର୍କ ଜଣଙ୍କ ସହିତ ରହିଛି, ତେଣୁ ତୁମକୁ ଜଣଙ୍କ ସହିତ ହିଁ ସମ୍ବନ୍ଧ ରକ୍ଷା କରିବାକୁ ହେବ” ।

ପ୍ରଶ୍ନ:-
ସଂଗମଯୁଗରେ ଆତ୍ମା ନିଜର ଜୀବନର ଡୋର ପରମାତ୍ମାଙ୍କ ସହିତ ଯୋଡିଥାଏ, ଏହି ପ୍ରଥା ଅଜ୍ଞାନ କାଳରେ କେଉଁ ରୀତିରେ ପାଳନ ହୋଇ ଆସୁଛି?

ଉତ୍ତର:-
ବିବାହ ସମୟରେ ସ୍ତ୍ରୀର ପଣତକୁ ସ୍ୱାମୀ ସହିତ ବାନ୍ଧି ଦେଇଥାନ୍ତି । ସ୍ତ୍ରୀ ଭାବିଥାଏ ସାରା ଜୀବନ ଏହାଙ୍କ ସାଥୀ ହୋଇ ରହିବି । ତୁମେମାନେ ତ ଏବେ ତୁମର ପଣତକୁ ବାବାଙ୍କ ସହିତ ଯୋଡି ଦେଇଛ । ତୁମେ ଜାଣିଛ ଅଧାକଳ୍ପ ପାଇଁ ଆମର ପାଳନା ବାବାଙ୍କ ଦ୍ୱାରା ହେବ ।

ଗୀତ:-
ଜୀବନ ଡୋର ତୁହ୍ମୀ ସଙ୍ଗ ବାନ୍ଧୀ...

ଓମ୍ ଶାନ୍ତି ।
ଦେଖ, ଗୀତରେ କୁହାଯାଇଛି, ଜୀବନର ଡୋରକୁ ତୁମ ସହିତ ବାନ୍ଧିଛି । ଯେପରି କୌଣସି କନ୍ୟା ନିଜର ଜୀବନର ଡୋରକୁ ପତି ସହିତ ବାନ୍ଧିଥାଏ । ଭାବିଥାଏ ଯେ ଜୀବନ ସାରା ତାଙ୍କ ସାଥୀରେ ରହିବି । ତାଙ୍କୁ ଅର୍ଥାତ୍ ସ୍ୱାମୀଙ୍କୁ ସ୍ତ୍ରୀର ପାଳନା କରିବାକୁ ପଡିଥାଏ । ଏମିତି ନୁହେଁ କି ସ୍ତ୍ରୀକୁ ସ୍ୱାମୀର ଭରଣ-ପୋଷଣ କରିବାକୁ ପଡିବ । ନା, ସାରା ଜୀବନ ସ୍ୱାମୀଙ୍କୁ ହିଁ ପାଳନା କରିବାକୁ ହେବ । ତୁମେ ପିଲାମାନେ ମଧ୍ୟ ନିଜ ଜୀବନର ଡୋର ବାବାଙ୍କ ସହିତ ବାନ୍ଧିଛ । ତାଙ୍କୁ ବେହଦର ବାବା କୁହ, ଶିକ୍ଷକ କୁହ, ଗୁରୁ କୁହ ଯାହା କିଛି ବି କୁହ... ଏହା ହେଲା ଆତ୍ମାମାନଙ୍କର ଜୀବନର ଡୋର ପରମାତ୍ମାଙ୍କ ସହିତ ବାନ୍ଧିବାର କଥା । ତାହା ହେଲା ବିନାଶୀ ଦୁନିଆର ସ୍ଥୂଳ କଥା ଏହା ହେଲା ସୂକ୍ଷ୍ମ କଥା । କନ୍ୟାର ଜୀବନର ଡୋର ପତି ସହିତ ବାନ୍ଧି ଦିଆଯାଏ । ସିଏ ତାଙ୍କ ଘରକୁ ଯାଇଥାଏ । ଦେଖ, ଏଠାରେ ପ୍ରତ୍ୟେକ କଥାକୁ ବୁଝିବା ପାଇଁ ବୁଦ୍ଧି ଦରକାର । କଳିଯୁଗରେ ହେଲା ସବୁ କିଛି ଆସୁରୀମତର କଥା । ତୁମେ ଜାଣିଛ ଯେ ଆମେ ନିଜ ଜୀବନର ଡୋରକୁ ଜଣଙ୍କ ସହିତ ବାନ୍ଧିଛୁ । ତୁମର ସମ୍ପର୍କ ଜଣଙ୍କ ସହିତ ଅଛି, ତେଣୁ ସେହି ଜଣଙ୍କ ସହିତ ହିଁ ସମ୍ବନ୍ଧ ରକ୍ଷା କରିବାକୁ ହେବ କାହିଁକି ନା ତାଙ୍କଠାରୁ ଆମକୁ ବହୁତ ବହୁତ ସୁଖ ମିଳିଥାଏ । ସିଏ ତ ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି, ତେଣୁ ଏହିଭଳି ପିତାଙ୍କର ଶ୍ରୀମତରେ ଚାଲିବା ଦରକାର । ଏହା ହିଁ ହେଉଛି ଆତ୍ମିକ ଡୋର ବା ରସି । ଆତ୍ମା ହିଁ ଶ୍ରୀମତକୁ ଗ୍ରହଣ କରୁଛି । ଆସୁରୀ ମତ ଦ୍ୱାରା ହିଁ ତ ତଳକୁ ଖସିଯାଇଛ । ସେଥିପାଇଁ ଏବେ ବାବାଙ୍କର ଶ୍ରୀମତ ଅନୁସାରେ ଚାଲିବା ଉଚିତ୍ ।

ତୁମେ ଜାଣିଛ ଆମେ ନିଜର ଆତ୍ମାର ଡୋର ପରମାତ୍ମାଙ୍କ ସହିତ ବାନ୍ଧିଛୁ, ତେଣୁ ତାଙ୍କଠାରୁ ଆମକୁ ୨୧ ଜନ୍ମ ପାଇଁ ସଦା ସୁଖୀ ହେବାର ବର୍ସା ମିଳୁଛି । ସେହି ଅଳ୍ପକାଳର ଜୀବନ ଡୋରକୁ ବାନ୍ଧିବା କାରଣରୁ ତ ତଳକୁ ତଳକୁ ଖସି ଆସିଛ । ଏଠାରେ ତ ୨୧ ଜନ୍ମ ପାଇଁ ଗ୍ୟାରେଣ୍ଟି ରହିଛି । ତୁମର କେତେ ବଡ ରୋଜଗାର ହେଉଛି, ତେଣୁ ଏଥିରେ କୌଣସି ଭୁଲ କରିବା ଉଚିତ୍ ନୁହେଁ । ମାୟା ବହୁତ ଭୁଲ କରାଇଦେଉଛି । ଏହି ଲକ୍ଷ୍ମୀ-ନାରାୟଣ ନିଶ୍ଚିତ ଭାବରେ କାହା ସହିତ ନିଜର ଜୀବନର ଡୋରକୁ ବାନ୍ଧିଥିଲେ ଯାହାଙ୍କଠାରୁ ୨୧ ଜନ୍ମର ସମ୍ପତ୍ତି ମିଳିଛି । କଳ୍ପ କଳ୍ପ ତୁମ ଆତ୍ମାମାନଙ୍କର ଜୀବନର ଡୋରକୁ ପରମାତ୍ମାଙ୍କ ସହିତ ବନ୍ଧାଯାଉଛି । ତାର ତ ଗଣନା କରି ହେବ ନାହିଁ । ଏବେ ବୁଦ୍ଧିରେ ଆସୁଛି - ମୁଁ ଶିବବାବାଙ୍କର ହୋଇଯାଇଛି, ତାଙ୍କ ସହିତ ଜୀବନର ଡୋରକୁ ବାନ୍ଧିଛି । ପ୍ରତ୍ୟେକ କଥା ବାବା ଆସି ବୁଝାଉଛନ୍ତି । ତୁମେ ଜାଣିଛ କଳ୍ପ ପୂର୍ବରୁ ମଧ୍ୟ ବାନ୍ଧିଥିଲୁ । ଶିବଜୟନ୍ତୀ ପାଳନ କରୁଛନ୍ତି କିନ୍ତୁ କାହାର ପାଳନ କରୁଛନ୍ତି, ତାହା କାହାକୁ ବି ଜଣା ନାହିଁ । ଶିବବାବା ପତିତ ପାବନ ଅଟନ୍ତି, ତେବେ ନିଶ୍ଚିତ ସିଏ ସଂଗମଯୁଗରେ ଆସିବେ । ଏକଥା ତୁମେମାନେ ଜାଣିଛ, ଦୁନିଆ ଜାଣିନାହିଁ ସେଥିପାଇଁ ଗାୟନ ଅଛି କୋଟିକରେ କେହି... । ଆଦି ସନାତନ ଦେବୀ-ଦେବତା ଧର୍ମ ପ୍ରାୟଃ ଲୋପ ହୋଇଯାଇଛି । ଆଉ ସବୁ ଧର୍ମ ଶାସ୍ତ୍ରର କାହାଣୀ ଆଦି ରହିଛି । ସେହି ଧର୍ମ ତ ନାହିଁ, ତେଣୁ ଜାଣିବେ କିପରି । ଏବେ ତୁମେମାନେ ଜୀବନର ଡୋରକୁ ବାବାଙ୍କ ସହିତ ବାନ୍ଧୁଛ । ଆତ୍ମାମାନଙ୍କର ପରମାତ୍ମାଙ୍କ ସହିତ ଡୋର ଯୋଡି ହୋଇଛି, ଏଥିରେ ଶରୀରର କୌଣସି ସମ୍ବନ୍ଧ ନାହିଁ । ପଛକେ ଘରେ ରୁହ କିନ୍ତୁ ବୁଦ୍ଧିରେ ବାବାଙ୍କୁ ସ୍ମରଣ କରିବାକୁ ହେବ । ତୁମ ଆତ୍ମାମାନଙ୍କର ଜୀବନର ଡୋର ବନ୍ଧା ହୋଇଛି । ଯେପରି ପଣତ ବାନ୍ଧିଥା’ନ୍ତି ନା । ତାହା ହେଲା ସ୍ଥୂଳ ପଣତ, ଏହା ହେଉଛି ଆତ୍ମାମାନଙ୍କର ପରମାତ୍ମାଙ୍କ ସହିତ ଯୋଗ ଅର୍ଥାତ୍ ସମ୍ବନ୍ଧ ଯୋଡିବା । ଭାରତରେ ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ ସେ କେବେ ଆସିଥିଲେ, ଏକଥା କେହି ଜାଣିନାହାଁନ୍ତି । ଶ୍ରୀକୃଷ୍ଣଙ୍କର ଜୟନ୍ତୀ କେବେ ହୋଇଥିଲା, ରାମଙ୍କର ଜୟନ୍ତୀ କେବେ ହୋଇଥିଲା ଏକଥା ଜାଣିନାହାଁନ୍ତି । ତୁମେ ପିଲାମାନେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ଅକ୍ଷର ତ ଲେଖୁଛ କିନ୍ତୁ ବର୍ତ୍ତମାନ ତିନି ମୂର୍ତ୍ତି ତ ନାହାଁନ୍ତି । ତୁମେ କହିବ ଶିବବାବା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରୁଛନ୍ତି । ତେଣୁ ବ୍ରହ୍ମା ନିଶ୍ଚିତ ଭାବରେ ସାକାର (ସ୍ଥୁଳ) ଶରୀରଧାରୀ ହେବା ଦରକାର ନା । ବାକି ବିଷ୍ଣୁ ଏବଂ ଶଙ୍କର ବର୍ତ୍ତମାନ କେଉଁଠି ଅଛନ୍ତି, ଯାହାଙ୍କୁ ତୁମେ ତ୍ରିମୂର୍ତ୍ତି ବୋଲି କହୁଛ । ଏ ସବୁ ବହୁତ ବୁଝିବାର କଥା । ତ୍ରିମୂର୍ତ୍ତିର ଅର୍ଥ ହିଁ ବ୍ରହ୍ମା-ବିଷ୍ଣୁ-ଶଙ୍କର । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ତାହା ତ ଏହି ସମୟରେ ହିଁ ହୋଇଥାଏ । ସତ୍ୟଯୁଗରେ ବିଷ୍ଣୁଙ୍କ ଦ୍ୱାରା ପାଳନା ହେବ । ବିନାଶର କାର୍ଯ୍ୟ ଅନ୍ତିମ ସମୟରେ ହେବ । ଏହି ଆଦି ସନାତନ ଦେବୀ-ଦେବତା ଧର୍ମ ଏକମାତ୍ର ଭାରତର ହିଁ ଧର୍ମ ଅଟେ । ସେମାନେ ଅର୍ଥାତ୍ ଅନ୍ୟ ଧର୍ମ ସ୍ଥାପକମାନେ ତ ନିଜର ଧର୍ମ ସ୍ଥାପନ କରିବା ପାଇଁ ଆସିଥାନ୍ତି । ସମସ୍ତେ ମଧ୍ୟ ଜାଣିଛନ୍ତି ଯେ ଅମୁକ ଏହି ଧର୍ମ ସ୍ଥାପନ କରିଛନ୍ତି ଏବଂ ତାଙ୍କର ସମ୍ବତ୍ ଏହି ସମୟଠାରୁ ଆରମ୍ଭ ହେଲା । ଅମୁକ ସମୟରେ ଅମୁକ ଏହି ଧର୍ମର ସ୍ଥାପନା କରିଥିଲେ । କିନ୍ତୁ ଭାରତର ଧର୍ମ ବିଷୟରେ କାହାକୁ ଜଣା ନାହିଁ । ଗୀତା ଜୟନ୍ତୀ ଏବଂ ଶିବଜୟନ୍ତୀ କେବେ ହୋଇଥିଲା ଏକଥା କାହାକୁ ଜଣାନାହିଁ । ଶ୍ରୀକୃଷ୍ଣ ଏବଂ ରାଧାଙ୍କର ବୟସରେ ଦୁଇ-ତିନି ବର୍ଷର ଫରକ ଥିବ । ସତ୍ୟଯୁଗରେ ନିଶ୍ଚିତ ପ୍ରଥମେ ଶ୍ରୀକୃଷ୍ଣ ଜନ୍ମ ନେଇଥିବେ ତାପରେ ରାଧା ଜନ୍ମ ନେଇଥିବେ । କିନ୍ତୁ ସତ୍ୟଯୁଗ କେବେ ଥିଲା, ଏ କଥା କାହାକୁ ଜଣାନାହିଁ । ତୁମକୁ ମଧ୍ୟ ଏକଥା ବୁଝିବା ପାଇଁ ବହୁତ ବର୍ଷ ଲାଗିଲା । ତେବେ ଦୁଇଦିନ ମଧ୍ୟରେ କିଏ କେତେ ପର୍ଯ୍ୟନ୍ତ ବୁଝିପାରିବ । ବାବା ତ ବହୁତ ସହଜ ଭାବରେ ବୁଝାଉଛନ୍ତି, ସିଏ ହେଲେ ବେହଦର ପିତା, ନିଶ୍ଚୟ ତାଙ୍କଠାରୁ ସମସ୍ତଙ୍କୁ ବର୍ସା ମିଳିବା ଦରକାର ନା । ସେଥିପାଇଁ ତାଙ୍କୁ ଗଡ୍ ଫାଦର, ହେ ଈଶ୍ୱର ପିତା କହି ମନେ ପକାଉଛନ୍ତି । ଏବେ ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ବହୁତ ରହିଛି । ଏମାନେ ସ୍ୱର୍ଗରେ ରାଜତ୍ୱ କରୁଥିଲେ କିନ୍ତୁ ଏମାନଙ୍କୁ ଏହି ସମ୍ପତ୍ତି କିଏ ଦେଇଥିଲା? ନିଶ୍ଚିତ ସ୍ୱର୍ଗର ରଚୟିତା ହିଁ ଦେଇଥିବେ । କିନ୍ତୁ କେବେ ଓ କିପରି ଦେଇଥିଲେ ତାହା କେହି ବି ଜାଣିନାହାଁନ୍ତି । ତୁମେ ପିଲାମାନେ ଜାଣିଛ ଯେ, ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନ ଥିଲା । ସତ୍ୟଯୁଗରେ ଆମେ ପବିତ୍ର ଥିଲେ, କଳିଯୁଗରେ ପତିତ । ତେବେ ବାବା ସଂଗମଯୁଗରେ ହିଁ ଜ୍ଞାନ ଦେଇଥିବେ, ସତ୍ୟଯୁଗରେ ନୁହେଁ । ସେଠାରେ ତ ପ୍ରାରବ୍ଧ ଥାଏ । ତେବେ ନିଶ୍ଚିତ ପୂର୍ବ ଜନ୍ମରେ ଜ୍ଞାନ ପ୍ରାପ୍ତ କରିଥିବେ । ତୁମେମାନେ ମଧ୍ୟ ଏବେ ଜ୍ଞାନ ପ୍ରାପ୍ତ କରୁଛ । ତୁମେ ଜାଣିଛ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ବାବା ହିଁ କରିବେ । ଶ୍ରୀକୃଷ୍ଣ ତ ସତ୍ୟଯୁଗରେ ଥିଲେ ତାଙ୍କୁ ଏହି ପ୍ରାରବ୍ଧ କେଉଁଠୁ ମିଳିଲା? ଲକ୍ଷ୍ମୀ-ନାରାୟଣ ହିଁ ରାଧେ-କୃଷ୍ଣ ଥିଲେ, ଏକଥା କେହି ବି ଜାଣିନାହାଁନ୍ତି । ବାବା କହୁଛନ୍ତି ଯେଉଁମାନେ କଳ୍ପ ପୂର୍ବରୁ ବୁଝିଥିଲେ ସେହିମାନେ ହିଁ ବୁଝିବେ । ଏଠାରେ ଏବେ ଅତି ମଧୁର ବୃକ୍ଷ ଅର୍ଥାତ୍ ଦୈବୀ ପରିବାରର ଚାରା ଲଗାଯାଉଛି । ତୁମେମାନେ ଜାଣିଛ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ବାବା ଆସି ମନୁଷ୍ୟରୁ ଦେବତା କରିଥିଲେ । ଏବେ ତୁମେମାନେ କଳିଯୁଗରୁ ସତ୍ୟଯୁଗକୁ ଟ୍ରାନ୍‌ସଫର ହେଉଛ । ସେଥିପାଇଁ ପ୍ରଥମେ ବ୍ରାହ୍ମଣ ହେବାକୁ ପଡିବ । ବାଜୋଲୀ ଖେଳରେ ପାଦ ଏବଂ ଚୁଟୀ ଏକାଠି ହୋଇଥାଏ । ବାସ୍ତବରେ ଏବେ ଆମେ ଶୁଦ୍ରରୁ ବ୍ରାହ୍ମଣ ହୋଇଛୁ ଅର୍ଥାତ୍ ପାଦରୁ ଚୁଟୀ ହୋଇଛୁ । ଯଜ୍ଞରେ ତ ନିଶ୍ଚିତ ବ୍ରାହ୍ମଣ ଦରକାର । ଏହା ଶିବ ବା ରୁଦ୍ରଙ୍କର ଯଜ୍ଞ ଅଟେ । ସେଥିପାଇଁ ରୁଦ୍ର ଜ୍ଞାନ ଯଜ୍ଞ ବୋଲି କୁହାଯାଏ । ଶ୍ରୀକୃଷ୍ଣ କୌଣସି ଯଜ୍ଞ ରଚନା କରି ନ ଥିଲେ । ଏହି ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶର ଜ୍ୱାଳା ପ୍ରଜ୍ୱଳିତ ହୋଇଥାଏ । ଶିବବାବାଙ୍କର ଏହି ଯଜ୍ଞ ପତିତମାନଙ୍କୁ ପାବନ କରିବା ପାଇଁ ଉଦ୍ଦିଷ୍ଟ । ରୁଦ୍ର ଶିବବାବା ନିରାକାର ଅଟନ୍ତି, ତେବେ ସିଏ ଯଜ୍ଞ କିପରି ରଚନା କରିବେ ଯେ ପର୍ଯ୍ୟନ୍ତ ମନୁଷ୍ୟ ଶରୀରରେ ନ ଆସିଛନ୍ତି । ମନୁଷ୍ୟ ହିଁ ଯଜ୍ଞ ରଚନା କରିଥାନ୍ତି । ସ୍ଥୂକ୍ଷ୍ମ ଅଥବା ସ୍ଥୂଳଲୋକରେ ଏସବୁ କଥା ନଥାଏ । ବାବା ବୁଝାଉଛନ୍ତି ଏହା ସଂଗମଯୁଗ ଅଟେ । ଯେତେବେଳେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ସେତେବେଳେ ସତ୍ୟଯୁଗ ଥିଲା । ଏବେ ପୁନର୍ବାର ତୁମେ ସେହିଭଳି ହେବାକୁ ଯାଉଛ । ଆମମାନଙ୍କର ଏହି ଜୀବନର ଡୋର ପରମାତ୍ମାଙ୍କ ସହିତ ରହିଛି । ଏହି ଡୋର କାହିଁକି ବନ୍ଧା ହୋଇଛି? ସଦା ସୁଖର ସମ୍ପତ୍ତି ପାଇବା ପାଇଁ । ତୁମେ ଜାଣିଛ ବେହଦର ବାବାଙ୍କ ଦ୍ୱାରା ଆମେ ଏହିଭଳି ଲକ୍ଷ୍ମୀ-ନାରାୟଣ ହେଉଛୁ । ବାବା ବୁଝାଉଛନ୍ତି ତୁମେମାନେ ସେହି ଦେବୀ-ଦେବତା ଧର୍ମର ଥିଲ । ସେଠାରେ ତୁମର ରାଜ୍ୟ ଥିଲା । ପରେ ପୁଣି ତୁମେ ପୁନର୍ଜନ୍ମ ନେଇ ନେଇ କ୍ଷତ୍ରିୟ ଧର୍ମକୁ ଆସିଲ । ସୂର୍ଯ୍ୟବଂଶୀ ରାଜତ୍ୱ ସମାପ୍ତ ହୋଇ ଚନ୍ଦ୍ରବଂଶୀଙ୍କର ରାଜ୍ୟ ଚାଲିଲା । ତୁମକୁ ଜଣାଅଛି ଯେ ଆମେ ଏହି ୮୪ ଜନ୍ମର ଚକ୍ରର ପରିକ୍ରମା କିପରି କରୁଛୁ? ଏତିକି ଏତିକି ଜନ୍ମ ନେଇଛୁ? ଭଗବାନୁଉବାଚ - ହେ ସନ୍ତାନମାନେ, ତୁମେମାନେ ନିଜର ଜନ୍ମକୁ ଜାଣିନାହଁ, ମୁଁ ଜାଣିଛି । ଏବେ ଏହି ସମୟରେ ଏହି ଶରୀରରେ ବ୍ରହ୍ମାଙ୍କର ଆତ୍ମା ଏବଂ ଶିବ ପରମାତ୍ମା ଦୁଇଜଣ ଅଛନ୍ତି । ବର୍ତ୍ତମାନ ଏହି ଦୁଇମୂର୍ତ୍ତି ଏକାଠି ଅଛନ୍ତି । ଶଙ୍କର ତ କେବେ ପାର୍ଟ କରନ୍ତି ନାହିଁ । ବାକି ରହିଲେ ବିଷ୍ଣୁ ଯିଏକି ସତ୍ୟଯୁଗରେ ଥା’ନ୍ତି । ଏବେ ତୁମେମାନେ ବ୍ରାହ୍ମଣରୁ ପୁନର୍ବାର ଦେବତା ହେବ । ଗୀତାରେ ବର୍ଣ୍ଣିତ ଥିବା ହମ ସୋର ଅର୍ଥ ବାସ୍ତବରେ ଏହା ହିଁ ଅଟେ । କିନ୍ତୁ ସେମାନେ ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା ବୋଲି କହିଦେଇଛନ୍ତି । କେତେ ଫରକ କରିଦେଇଛନ୍ତି । ରାବଣ ଆସିବା ପରେ ହିଁ ରାବଣର ମତରେ ଚାଲିବା ଆରମ୍ଭ ହୋଇଗଲା । ସତ୍ୟଯୁଗରେ ତ ଏହି ଜ୍ଞାନ ହିଁ ପ୍ରାୟଃ ଲୋପ ହୋଇଯିବ । ଏସବୁ ହେବା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ତେବେ ଯାଇ ତ ବାବା ଆସି ସ୍ଥାପନ କରିବେ । ବର୍ତ୍ତମାନ ସଂଗମଯୁଗ । ବାବା କହୁଛନ୍ତି ମୁଁ କଳ୍ପ-କଳ୍ପ କଳ୍ପର ସଂଗମଯୁଗରେ ଆସି ତୁମମାନଙ୍କୁ ମନୁଷ୍ୟରୁ ଦେବତା କରୁଛି । ଜ୍ଞାନ ଯଜ୍ଞର ରଚନା କରୁଛି । ବାକି ଯାହା କିଛି ବି ଅଛି ତାହା ଏହି ଯଜ୍ଞରେ ସ୍ୱାହା ହୋଇଯିବ । ବିନାଶର ଜ୍ୱାଳା ଏହି ଯଜ୍ଞରୁ ହିଁ ପ୍ରଜ୍ୱଳିତ ହେବ । ପତିତ ଦୁନିଆର ବିନାଶ ତ ନିଶ୍ଚିତ ହେବ ନଚେତ୍ ପାବନ ଦୁନିଆ କିପରି ହେବ । ତୁମେମାନେ ମଧ୍ୟ କହୁଛ ଯେ ହେ ପତିତ-ପାବନ ଆସ । ତେବେ ପତିତ ଦୁନିଆ ଏବଂ ପାବନ ଦୁନିଆ ଏକାଠି ରହି ପାରିବ କି? ପତିତ ଦୁନିଆର ବିନାଶ ହେବ, ଏଥିରେ ତ ଖୁସି ହେବା ଦରକାର । ମହାଭାରତ ଲଢେଇ ନିଶ୍ଚିତ ଲାଗିଥିଲା ଯାହା ଦ୍ୱାରା ସ୍ୱର୍ଗର ଗେଟ୍ ଖୋଲିଲା । କହୁଛନ୍ତି ଏହା ସେହି ମହାଭାରତ ଲଢେଇ ଅଟେ । ତେବେ ଏହା ତ ଭଲ କଥା ଯାହା ଦ୍ୱାରା ପତିତ ଦୁନିଆ ସମାପ୍ତ ହୋଇଯିବ । ଶାନ୍ତି ପାଇଁ ଏତେ ଯୋଜନା କରିବାର ଆବଶ୍ୟକତା ନାହିଁ । ତୁମକୁ ବର୍ତ୍ତମାନ ଯେଉଁ ତୃତୀୟ ନେତ୍ର ମିଳିଛି, ତାହା ଆଉ କାହା ନିକଟରେ ନାହିଁ । ତେଣୁ ତୁମମାନେ ବହୁତ ଖୁସି ହେବା ଦରକାର - ଆମେ ବେହଦ ବାବାଙ୍କଠାରୁ ପୁନର୍ବାର ବର୍ସା ନେଉଛୁ । ବାବା-ଆମେ ଅନେକଥର ଆପଣଙ୍କଠାରୁ ବର୍ସା ନେଇଛୁ । ରାବଣ ପୁଣି ଅଭିଶାପ ଦେଇଛି । ଏହିସବୁ କଥାକୁ ମନେ ପକାଇବା ଅତି ସହଜ । ବାକି ସବୁ ହେଲା ଦନ୍ତ କଥା ଅର୍ଥାତ୍ ମନଗଢା କଥା । ତୁମମାନଙ୍କୁ ଏତେ ଧନବାନ କରିଯାଇଥିଲି ତୁମେମାନେ ପୁଣି ଗରିବ କାହିଁକି ହେଲ? ଏହିଭଳି ହେବାର ଡ୍ରାମାରେ ନିଧାର୍ଯ୍ୟ ଅଛି । ଗାୟନ ମଧ୍ୟ ଅଛି - ଜ୍ଞାନ, ଭକ୍ତି ଓ ବୈରାଗ୍ୟ । ଭକ୍ତିଠାରୁ ବୈରାଗ୍ୟ ସେତେବେଳେ ହେବ ଯେତେବେଳେ ଜ୍ଞାନ ମିଳିବ । ତୁମକୁ ଜ୍ଞାନ ମିଳିଲା ତେବେ ଯାଇ ଭକ୍ତିଠାରୁ ବୈରାଗ୍ୟ ଆସିଲା । ସାରା ପୁରୁଣା ଦୁନିଆଠାରୁ ବୈରାଗ୍ୟ ଆସିଲା । ଏହା ତ ଶ୍ମଶାନ ଅଟେ । ତୁମେମାନେ ୮୪ ଜନ୍ମର ଚକ୍ର ଲଗାଇଛ । ଏବେ ଘରକୁ ଯିବାକୁ ହେବ । ମୋତେ ମନେ ପକାଇଲେ ମୋ ପାଖକୁ ଆସିଯିବ, ବିକର୍ମ ସବୁ ବିନାଶ ହୋଇଯିବ । ବିକର୍ମାଜିତ୍ ହେବାର ଅନ୍ୟ କୌଣସି ଉପାୟ ନାହିଁ । ଯୋଗ ଅଗ୍ନି ଦ୍ୱାରା ପାପ ଭସ୍ମ ହେବ । ଗଙ୍ଗାସ୍ନାନ ଦ୍ୱାରା ନୁହେଁ ।

ବାବା କହୁଛନ୍ତି ମାୟା ହିଁ ତୁମକୁ ମୁର୍ଖ କରିଦେଇଛି, ଏପ୍ରିଲ ଫୁଲ୍ କହିଥା’ନ୍ତି ନା । ଏବେ ମୁଁ ତୁମକୁ ଲକ୍ଷ୍ମୀ-ନାରାୟଣଙ୍କ ସଦୃଶ କରିବା ପାଇଁ ଆସିଛି । ଚିତ୍ର ତ ବହୁତ ଭଲ-ଭଲ ରହିଛି । ଆଜି ଆମେ କ’ଣ ଅଛୁ, କାଲି ଆମେ କ’ଣ ହେବୁ? କିନ୍ତୁ ମାୟା ମଧ୍ୟ କିଛି କମ୍ ନୁହେଁ । ମାୟା ଡୋର ବାନ୍ଧିବାକୁ ଦେଉନାହିଁ । ଟଣା ଭିଡା ଚାଲିଛି । ଆମେ ତ ବାବାଙ୍କୁ ସ୍ମରଣ କରୁଛୁ କିନ୍ତୁ କାହିଁକି କେଜାଣି ପୁଣି ଭୁଲିଯାଉଛୁ । ଏଥିରେ ପରିଶ୍ରମ କରିବାକୁ ହେବ । ସେଥିପାଇଁ ଭାରତର ପ୍ରାଚୀନ ଯୋଗ ବିଖ୍ୟାତ ଅଟେ । ସେମାନଙ୍କୁ ବର୍ସା କିଏ ଦେଇଥିଲେ, ଏକଥା କେହି ବି ବୁଝି ନାହାଁନ୍ତି । ବାବା କହୁଛନ୍ତି ପିଲାମାନେ ମୁଁ ତୁମକୁ ପୁନର୍ବାର ସମ୍ପତ୍ତି ଦେବା ପାଇଁ ଆସିଛି । ଏହା ତ ବାବାଙ୍କର କର୍ତ୍ତବ୍ୟ ଅଟେ । ବର୍ତ୍ତମାନ ସମସ୍ତେ ନର୍କବାସୀ ଅଟନ୍ତି । ତୁମେମାନେ ଖୁସି ହେଉଛ । ଏଠାକୁ ଯଦି କେହି ଆସୁଛନ୍ତି ଏବଂ ବୁଝୁଛନ୍ତି ତେବେ ଖୁସି ହେଉଛନ୍ତି, ବାସ୍ତବରେ ଏହି ଜ୍ଞାନ ଠିକ୍ । ୮୪ ଜନ୍ମର ହିସାବ ରହିଛି । ବାବାଙ୍କଠାରୁ ବର୍ସା ନେବାର ଅଛି । ବାବା ଜାଣିଛନ୍ତି ଅଧାକଳ୍ପ ଭକ୍ତି କରି କରି ତୁମେମାନେ ଥକିଯାଇଛ । ମଧୁର ସନ୍ତାନମାନେ - ବାବା ତୁମମାନଙ୍କର ସମସ୍ତ କ୍ଲାନ୍ତି ଦୂର କରିଦେବେ । ବର୍ତ୍ତମାନ ଭକ୍ତିର ଅନ୍ଧକାର ମାର୍ଗ ଶେଷ ହେବାକୁ ଯାଉଛି । କେଉଁଠି ଏହି ଦୁଃଖଧାମ, କେଉଁଠି ସୁଖଧାମ । ମୁଁ ଦୁଃଖଧାମକୁ ସୁଖଧାମ କରିବା ପାଇଁ କଳ୍ପର ସଂଗମଯୁଗରେ ଆସୁଛି । ତୁମକୁ ସମସ୍ତଙ୍କୁ ବାବାଙ୍କର ପରିଚୟ ହେବାକୁ ହେବ । ବାବା ବେହଦର ବର୍ସା ଦେଇଥା’ନ୍ତି, ତେଣୁ ସେହି ଜଣଙ୍କର ହିଁ ବହୁତ ମହିମା ରହିଛି । ଶିବବାବା ନ ଥିଲେ ତୁମକୁ ପବିତ୍ର କିଏ କରିଥାନ୍ତେ । ଡ୍ରାମାରେ ଏସବୁ ନିଧାର୍ଯ୍ୟ ଅଛି । କଳ୍ପ କଳ୍ପ ତୁମେମାନେ ମୋତେ ଡାକିଆସିଛ, ହେ ପତିତପାବନ ଆସ । ଶିବଙ୍କର ଜୟନ୍ତୀ ମଧ୍ୟ ହେଉଛି । ମନୁଷ୍ୟମାନେ କହୁଛନ୍ତି ବ୍ରହ୍ମା ହିଁ ସ୍ୱର୍ଗର ସ୍ଥାପନା କରିଛନ୍ତି, ତେବେ ଶିବ କ’ଣ କରିଛନ୍ତି ଯାହାଦ୍ୱାରା ତାଙ୍କର ଶିବଜୟନ୍ତୀ ପାଳନ କରୁଛନ୍ତି । କିଛି ବି ଜାଣି ନାହାଁନ୍ତି । ତୁମ ବୁଦ୍ଧିରେ ଜ୍ଞାନ ଭଲ ଭାବରେ ଧାରଣ ହେବା ଦରକାର । ଯଦି ଜଣଙ୍କ ସହିତ ଡୋର ବାନ୍ଧିଛ ତେବେ ଆଉ କାହା ସହିତ ବାନ୍ଧ ନାହିଁ । ନଚେତ୍ ତଳକୁ ଖସିପଡିବ । ପାରଲୌକିକ ପିତା ଶିବବାବା ଅତି ସାଧାରଣ ଅଟନ୍ତି । ତାଙ୍କର କୌଣସି ଆଡମ୍ବର ନାହିଁ । ଲୌକିକ ପିତାମାନେ ତ ମଟର ଗାଡିରେ, ଉଡାଜାହାଜ ଆଦିରେ ଯିବା-ଆସିବା କରିଥା’ନ୍ତି । ଏହି ବେହଦର ପିତା (ଶିବବାବା) କହୁଛନ୍ତି ମୁଁ ପତିତ ଦୁନିଆ, ପତିତ ଶରୀରରେ ପିଲାମାନଙ୍କର ସେବା କରିବା ପାଇଁ ଆସିଛି । ତୁମେମାନେ ଦ୍ୱାପର ଯୁଗରୁ ମୋତେ ଡାକି ଆସିଛ ଯେ, ହେ ଅବିନାଶୀ ବୈଦ୍ୟ ଆସ, ଏଠାକୁ ଆସି ଆମକୁ ଜ୍ଞାନର ଇଞ୍ଜେକ୍‌ସନ୍ ଦିଅ । ବର୍ତ୍ତମାନ ଇଞ୍ଜେକ୍‌ସନ୍ ଲଗାଯାଉଛି । ବାବା କହୁଛନ୍ତି ମୋ ସହିତ ଯୋଗ ଲଗାଅ, ତେବେ ତୁମର ପାପ ସବୁ ଭସ୍ମ ହୋଇଯିବ । ବାବା ହିଁ ୬୩ ଜନ୍ମର ଦୁଃଖହର୍ତ୍ତା ଏବଂ ୨୧ ଜନ୍ମର ସୁଖକର୍ତ୍ତା ଅଟନ୍ତି ।

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜର ବୁଦ୍ଧିରୂପୀ ଆତ୍ମିକ ଡୋରକୁ ଏକମାତ୍ର ବାବାଙ୍କ ସହିତ ବାନ୍ଧିବାକୁ ହେବ । ଜଣଙ୍କର ହିଁ ଶ୍ରୀମତ ଅନୁସାରେ ଚାଲିବାକୁ ହେବ ।

(୨) ଆମେମାନେ ମିଠାରୁ ମିଠା ବୃକ୍ଷ ଅର୍ଥାତ୍ ଦୈବୀ ପରିବାରର କଲମୀ (ଚାରା) ଲଗାଉଛୁ, ସେଥିପାଇଁ ପ୍ରଥମେ ନିଜକୁ ହିଁ ବହୁତ ବହୁତ ମିଠା କରିବାକୁ ହେବ । ଯୋଗର ଯାତ୍ରାରେ ତତ୍‌ପର ରହି ବିକର୍ମ ବିନାଶ କରିବାକୁ ହେବ ।

ବରଦାନ:-
ମନନ ଶକ୍ତି ଦ୍ୱାରା ଜ୍ଞାନର ପ୍ରତ୍ୟେକ ପଏଣ୍ଟର ଅନୁଭବୀ ହେଉଥିବା ସଦାଶକ୍ତିଶାଳୀ ମାୟାପ୍ରୃଫ୍‌, ବିଘ୍ନ ପ୍ରୃଫ ଅର୍ଥାତ୍ ବିଘ୍ନ ଠାରୁ ମୁକ୍ତ ଭବ ।

ଯେପରି ଶାରୀରିକ ଶକ୍ତି ପାପ୍ତ କରିବା ପାଇଁ ପାଚନ ଶକ୍ତିର ବା ହଜମ କରିବାର ଶକ୍ତି ଆବଶ୍ୟକ ସେହିପରି ଆତ୍ମାକୁ ଶକ୍ତିଶାଳୀ କରିବା ପାଇଁ ମନନ ଶକ୍ତି ଆବଶ୍ୟକ । ମନନ ଶକ୍ତି ଦ୍ୱାରା ଅନୁଭବ ସ୍ୱରୂପ ହୋଇଯିବା ହିଁ ସବୁଠାରୁ ବଡରୁ ବଡ ଶକ୍ତି ଅଟେ । ଏହିଭଳି ଅନୁଭବୀ ଆତ୍ମାମାନେ କେବେହେଲେ ଧୋକା ଖାଇପାରିବେ ନାହିଁ ବା ଶୁଣାଶୁଣି କଥାରେ ବିଚଳିତ ହୋଇପାରିବେ ନାହିଁ । ସେମାନେ ସର୍ବଦା ସମ୍ପନ୍ନ ସ୍ଥିତିରେ ରହିଥାଆନ୍ତି ଏବଂ ସଦାକାଳ ପାଇଁ ଶକ୍ତିଶାଳୀ, ମାୟାପ୍ରୃଫ୍ ଏବଂ ବିଘ୍ନପ୍ରୃଫ ହୋଇଯାଆନ୍ତି ।

ସ୍ଲୋଗାନ:-
ଯଦି ଖୁସି ରୂପକ ସମ୍ପତ୍ତି ସଦାସର୍ବଦା ସାଥୀରେ ରହିବ ତେବେ ଅନ୍ୟ ସବୁ ସମ୍ପତ୍ତି ଆପେ ଆପେ ଆସିଯିବ ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।

ସଫଳତା ସମ୍ପନ୍ନ ହେବା ପାଇଁ ହେଲେ ସାଧାରଣ କାର୍ଯ୍ୟ କରୁଥିଲେ ମଧ୍ୟ ଫରିସ୍ଥା ଭଳି ଚାଲିଚଳନ ଏବଂ ଫରିସ୍ତା ଭଳି ସ୍ଥିତି ରହୁ । ଏଭଳି କୁହନାହିଁ ଯେ ମୁଁ କ’ଣ କରିବି କଥାଟା ସେହିଭଳି ଥିଲା, କାମଟା ସେହିଭଳି ଥିଲା, ପରିସ୍ଥିତି ସେହିଭଳି ଥିଲା ବା ସମସ୍ୟା ହିଁ ସେହିଭଳି ଥିଲା, ସେଥିପାଇଁ ସାଧାରଣତା ଆସିଗଲା । ତେଣୁ ଯେ କୌଣସି ସମୟରେ ଯେ କୌଣସି ପରିସ୍ଥିତିରେ ତୁମର ଅଲୌକିକ ସ୍ୱରୂପ ପ୍ରତ୍ୟେକଙ୍କୁ ଅନୁଭବ ହେଉ । ଯେଉଁଭଳି କଥା ହୋଇଥିବ ସେହିଭଳି ନିଜର ସ୍ୱରୂପ କର ନାହିଁ । କୌଣସି କଥା ତୁମକୁ ବଦଳାଇ ନ ଦେଉ, ତେବେ ଯାଇ ସମସ୍ତଙ୍କର ନିକଟବର୍ତ୍ତୀ ହୋଇପାରିବ ଏବଂ ଏକତାର ସଂଗଠନ ମଜବୁତ ହେବ ।