24.03.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ଜ୍ଞାନ ତୁମକୁ ଶୀତଳ କରିଦେଉଛି, ଏହି ଜ୍ଞାନ ଦ୍ୱାରା କାମ-କ୍ରୋଧର ଅଗ୍ନି ସମାପ୍ତ ହୋଇଯାଉଛି, ଭକ୍ତି ଦ୍ୱାରା ଏହି ଅଗ୍ନି ନିର୍ବାପିତ ହୋଇପାରିବ ନାହିଁ ।”

ପ୍ରଶ୍ନ:-
ଯୋଗ କରିବାରେ ମୁଖ୍ୟ ମେହନତ କ’ଣ ରହିଛି?

ଉତ୍ତର:-
ବାବାଙ୍କ ସ୍ମୃତିରେ ବସିବା ସମୟରେ ଦେହ ମଧ୍ୟ ମନେ ନ ପଡୁ । ଆତ୍ମ-ଅଭିମାନୀ ହୋଇ ବାବାଙ୍କୁ ମନେ ପକାଇବା, ଏହା ହିଁ ହେଉଛି ମେହନତର କାମ । ଏଥିରେ ହିଁ ବିଘ୍ନ ପଡିଥାଏ କାହିଁକି ନା ଅଧାକଳ୍ପ ଦେହ-ଅଭିମାନୀ ହୋଇ ରହି ଆସିଛ । ଭକ୍ତିର ଅର୍ଥ ହେଲା ଦେହର ସ୍ମୃତି ।

ଓମ୍ ଶାନ୍ତି ।
ତୁମେ ପିଲାମାନେ ଜାଣିଛ ଯୋଗ କରିବା ପାଇଁ ଏକାନ୍ତର ବହୁତ ଆବଶ୍ୟକତା ରହିଛି । ତୁମେ ଯେତେ ଏକାନ୍ତ ବା ଶାନ୍ତ ଅବସ୍ଥାରେ ବାବାଙ୍କର ସ୍ମୃତିରେ ରହିପାରିବ, ସେତେ ସଂଗଠନରେ ମଧ୍ୟ ରହିପାରିବ ନାହିଁ । ସ୍କୁଲରେ ପଢୁଥିବା ପିଲାମାନେ ମଧ୍ୟ ଏକାନ୍ତରେ ଯାଇ ପାଠ ପଢିଥା’ନ୍ତି । ଏଥିରେ ମଧ୍ୟ ଏକାନ୍ତ ଆବଶ୍ୟକ । ଯଦି କେଉଁ ଆଡକୁ ବୁଲିବାକୁ ବି ଯାଉଛ, ତେବେ ସେଥିରେ ମଧ୍ୟ ଯୋଗର ଯାତ୍ରା ହେଉଛି ମୁଖ୍ୟ । ପାଠପଢା ତ ବିଲ୍‌କୁଲ୍ ସହଜ କାରଣ ଅଧାକଳ୍ପ ହେବ ମାୟାର ରାଜ୍ୟରେ ଆସି ତୁମେ ଦେହ-ଅଭିମାନୀ ହୋଇଯାଇଛ । ଦେହ-ଅଭିମାନ ତୁମର ପ୍ରଥମ ଶତ୍ରୁ । ବାବାଙ୍କୁ ମନେ ପକାଇବା ପରିବର୍ତ୍ତେ ଦେହଧାରୀମାନଙ୍କୁ ମନେ ପକାଉଛ । ଏହାକୁ ଦେହ ଅହଂକାର କୁହାଯାଉଛି । ଏଠାରେ ତୁମମାନଙ୍କୁ କୁହାଯାଉଛି ଆତ୍ମ-ଅଭିମାନୀ ହୁଅ, ଏଥିରେ ହିଁ ମେହନତ କରିବାକୁ ପଡୁଛି । ଏବେ ଭକ୍ତି ତ ଶେଷ ହେବାକୁ ଯାଉଛି । ଭକ୍ତି ହୋଇଥାଏ ଶରୀର ସହିତ । ତୀର୍ଥ ଆଦିକୁ ମଧ୍ୟ ଶରୀର ସହ ଯିବାକୁ ପଡିଥାଏ । ଦର୍ଶନ ଇତ୍ୟାଦି କରିଥା’ନ୍ତି । ତେଣୁ ଶରୀର ସହ ଯିବାକୁ ପଡିଥାଏ । ଏଠାରେ ତୁମକୁ ଏହି ଚିନ୍ତନ କରିବାକୁ ହେବ ଯେ ମୁଁ ଆତ୍ମା, ମୋତେ ପରମପିତା ପରମାତ୍ମା ଶିବବାବାଙ୍କୁ ମନେ ପକାଇବାକୁ ପଡିବ । ବାସ୍ ଯେତେ ବାବାଙ୍କୁ ମନେ ପକାଇବ ସେତିକି ପାପ କଟିବ । ଭକ୍ତିମାର୍ଗରେ ତ କେବେ ହେଲେ ପାପ କଟି ନ ଥାଏ । କେହି-କେହି ବୃଦ୍ଧମାନଙ୍କ ମନରେ ଏହି ଭ୍ରାନ୍ତ ଧାରଣା ରହିଥାଏ ଯେ - ଆମେ ଭକ୍ତି ନ କଲେ କ୍ଷତି ହେବ, ନାସ୍ତିକ ହୋଇଯିବୁ । ଭକ୍ତିର ଯେପରି ନିଆଁ ଲାଗି ରହିଛି ଏବଂ ଜ୍ଞାନ ହେଲା ଶୀତଳତା । ଏଥିରେ କାମ କ୍ରୋଧର ନିଆଁ ସମାପ୍ତ ହୋଇଯାଇଥାଏ । ଭକ୍ତିମାର୍ଗରେ ମନୁଷ୍ୟ କେତେ ଭାବନା ରଖିଥା’ନ୍ତି, ମେହନତ କରିଥା’ନ୍ତି । ଧରିନିଅ ବଦ୍ରିନାଥକୁ ଗଲେ, ମୂର୍ତ୍ତିର ସାକ୍ଷାତ୍କାର ହେଲା ପୁଣି କଣ ହେବ! ତୁରନ୍ତ ଭାବନା ଆସିଯାଏ, ପୁଣି ବଦ୍ରିନାଥଙ୍କ ବିନା ଆଉ କାହାର ସ୍ମୃତି ବୁଦ୍ଧିରେ ଆସି ନ ଥାଏ । ଆଗରୁ ତ ପାଦରେ ଚାଲି ଚାଲି ଯାଉଥିଲେ । ବାବା କହୁଛନ୍ତି ଭକ୍ତିମାର୍ଗରେ ମୁଁ ଅଳ୍ପକାଳ ପାଇଁ ମନକାମନା ପୂର୍ଣ୍ଣ କରିଦେଉଛି, ସାକ୍ଷାତ୍‌କାର କରାଇ ଦେଉଛି । ବାକି ମୁଁ ଏ ସବୁଥିରେ ମିଳେ ନାହିଁ । ତେଣୁ ମୋ ବିନା ବର୍ସା ଅର୍ଥାତ୍ ଈଶ୍ୱରୀୟ ସମ୍ପତ୍ତି ମଧ୍ୟ ମିଳିପାରିବ ନାହିଁ । ସମ୍ପତ୍ତି ତ ତୁମକୁ ମୋଠାରୁ ହିଁ ମିଳିଥାଏ । ଏମାନେ ତ ସମସ୍ତେ ଦେହଧାରୀ ଅଟନ୍ତି । ସମ୍ପତ୍ତି ତ ଏକମାତ୍ର ରଚୟିତା ବାବାଙ୍କ ଠାରୁ ହିଁ ମିଳିଥାଏ, ବାକି ଯେଉଁମାନେ ବି ଜଡ ଅଥବା ଚୈତନ୍ୟ ରୂପରେ ଅଛନ୍ତି ସମସ୍ତେ ରଚନା ଅଟନ୍ତି । ରଚନାଠାରୁ କେବେ ବର୍ସା ମିଳିପାରିବ ନାହିଁ । ପତିତ-ପାବନ ଏକମାତ୍ର ବାବା ହିଁ ଅଟନ୍ତି । କୁମାରୀମାନଙ୍କୁ ତ ସଙ୍ଗଦୋଷରୁ ବହୁତ ଦୂରେଇ ରହିବା ଉଚିତ୍ । ବାବା କହୁଛନ୍ତି ଏହି ପତିତପଣିଆରୁ ତୁମେ ଆଦି-ମଧ୍ୟ-ଅନ୍ତ ଦୁଃଖ ପାଉଛ । ବର୍ତ୍ତମାନ ସମସ୍ତେ ହେଉଛନ୍ତି ପତିତ । ତୁମକୁ ଏବେ ପବିତ୍ର ହେବାକୁ ପଡିବ । ନିରାକାର ବାବା ହିଁ ଆସି ତୁମକୁ ପାଠ ପଢାଉଛନ୍ତି । ଏପରି କେବେ ହେଲେ ଭାବ ନାହିଁ ଯେ ବ୍ରହ୍ମା ପାଠ ପଢାଉଛନ୍ତି । ସମସ୍ତଙ୍କର ବୁଦ୍ଧି ଶିବବାବାଙ୍କ ଆଡକୁ ରହିବା ଉଚିତ୍ । ଶିବବାବା ଏହାଙ୍କ ଦ୍ୱାରା ପାଠ ପଢାଉଛନ୍ତି । ତୁମକୁ (ଦାଦୀମାନଙ୍କୁ) ମଧ୍ୟ ଶିବବାବା ହିଁ ପାଠ ପଢାଉଛନ୍ତି । ତେବେ ତୁମେମାନେ ତାଙ୍କର କି ଆତିଥ୍ୟ କରିବ! ତୁମେ ଶିବବାବାଙ୍କ ପାଇଁ ଅଙ୍ଗୁର, ଆମ୍ବ ନେଇ ଆସୁଛ, ଶିବବାବା କହୁଛନ୍ତି - ମୁଁ ତ ଅଭୋକ୍ତା । ଏସବୁ ତୁମମାନଙ୍କ ପାଇଁ । ଭକ୍ତମାନେ ଭୋଗ ଲଗାଇ ବାଣ୍ଟି କରି ଖାଇଥା’ନ୍ତି । ମୁଁ ଖାଉ ନାହିଁ । ବାବା କହୁଛନ୍ତି ମୁଁ ତ ଆସିଛି, ତୁମ ସନ୍ତାନମାନଙ୍କୁ ପାଠ ପଢାଇ ପବିତ୍ର କରାଇବା ପାଇଁ । ପବିତ୍ର ହେଲେ ତୁମେ ଏତେ ଉଚ୍ଚ ପଦ ପାଇବ । ଏହା ହିଁ ମୋର ଧନ୍ଦା । କହୁଛନ୍ତି ମଧ୍ୟ ଶିବ ଭଗବାନୁବାଚ । ବ୍ରହ୍ମା ଭଗବାନୁବାଚ ତ କହୁନାହାଁନ୍ତି । ବ୍ରହ୍ମାଉବାଚ ମଧ୍ୟ କହୁନାହାଁନ୍ତି । ଯଦିଓ ଇଏ ମଧ୍ୟ ମୁରଲୀ ଶୁଣାଉଛନ୍ତି କିନ୍ତୁ ସର୍ବଦା ଭାବ ଶିବବାବା ଶୁଣାଉଛନ୍ତି । କୌଣସି ପିଲାକୁ ଯଦି ତୀର ଲଗାଇବାକୁ (ଅନୁଭବ କରାଇବାକୁ) ଥିବ ତେବେ ନିଜେ (ବାବା) ପ୍ରବେଶ କରିଯିବେ । ଜ୍ଞାନର ତୀର ବଡ ତୀକ୍ଷଣ ବୋଲି ଗାୟନ ରହିଛି ନା । ବିଜ୍ଞାନରେ ମଧ୍ୟ କେତେ ଶକ୍ତି ରହିଛି । ବମ୍ ଆଦି ଦ୍ୱାରା କେତେ ଧମାକା (ବିସ୍ଫୋରଣ) ହେଉଛି । ତୁମେ କେତେ ସାଇଲେନ୍ସରେ (ନୀରବତାରେ) ରହୁଛ । ବିଜ୍ଞାନ ଉପରେ ଶାନ୍ତି ବିଜୟ ପ୍ରାପ୍ତ କରୁଛି ।

ତୁମେ ଏହି ସୃଷ୍ଟିକୁ ପବିତ୍ର କରାଉଛ । ପ୍ରଥମେ ତ ନିଜକୁ ପବିତ୍ର ହେବାକୁ ପଡିବ । ଡ୍ରାମା ଅନୁସାରେ ପବିତ୍ର ହେବାକୁ ହିଁ ପଡିବ, ସେଥିପାଇଁ ବିନାଶ ମଧ୍ୟ ନିର୍ଦ୍ଧାରିତ ହୋଇ ରହିଛି । ଡ୍ରାମାକୁ ବୁଝି ବହୁତ ହର୍ଷିତ ରହିବା ଉଚିତ୍ । ଏବେ ଆମକୁ ଶାନ୍ତିଧାମକୁ ଯିବାକୁ ହେବ । ବାବା କହୁଛନ୍ତି ତାହା ତୁମର ଘର ଅଟେ । ଘରକୁ ତ ଖୁସିରେ ଯିବା ଉଚିତ୍ ନା । ଏଥିରେ ଦେହୀ ଅଭିମାନୀ ହେବା ପାଇଁ ବହୁତ ମେହନତ କରିବାକୁ ହେବ । ଏହି ୟାଦର ଯାତ୍ରା ଉପରେ ହିଁ ବାବା ବହୁତ ଜୋର ଦେଉଛନ୍ତି, ଏଥିରେ ହିଁ ପରିଶ୍ରମ କରିବାକୁ ପଡୁଛି । ବାବା ପଚାରୁଛନ୍ତି ଚଲାବୁଲା କରି ୟାଦ କରିବା ସହଜ ଅଟେ ଅଥବା ଗୋଟିଏ ଜାଗାରେ ବସି ୟାଦ କରିବା ସହଜ ଅଟେ? ଭକ୍ତିମାର୍ଗରେ ମଧ୍ୟ କେତେ ମାଳା ଗଡାଇଥାନ୍ତି, ରାମ-ରାମ ଜପ କରିଥାନ୍ତି । ଫାଇଦା ତ କିଛି ହେଲେ ନାହିଁ । ବାବା ତ ତୁମ ପିଲାମାନଙ୍କୁ ବିଲ୍‌କୁଲ୍ ସହଜ ଯୁକ୍ତି ବତାଉଛନ୍ତି - ଭୋଜନ ତିଆରି କର, କିଛି ବି କର, ବାବାଙ୍କୁ ୟାଦ କର । ଭକ୍ତିମାର୍ଗରେ ଶ୍ରୀନାଥ ଦ୍ୱାରରେ (ଶ୍ରୀନାଥଙ୍କ ମନ୍ଦିରରେ) ଭୋଗ ତିଆରି କଲାବେଳେ, ମୁହଁରେ ପଟ୍ଟୀ ବାନ୍ଧି ଦେଇଥାନ୍ତି । ଶବ୍ଦ ଟିକିଏ ହେଲେ ବି ନ ହେଉ । ତାହା ହେଉଛି ଭକ୍ତିମାର୍ଗ । ତୁମକୁ ତ ବାବାଙ୍କୁ ୟାଦ କରିବାକୁ ହେବ । ସେମାନେ ଏତେ ଭୋଗ ଲଗାଉଛନ୍ତି, ତେବେ ତାକୁ କ’ଣ ଶ୍ରୀନାଥ ଖାଉଛନ୍ତି କି? ପଣ୍ଡାମାନଙ୍କର ଯେଉଁ କୁଟୁମ୍ବ ଅଛନ୍ତି, ସେମାନେ ଖାଉଛନ୍ତି । ତୁମେ ଏଠାରେ ଜାଣୁଛ ଯେ ଆମକୁ ଶିବବାବା ପଢାଉଛନ୍ତି । ଭକ୍ତିରେ କ’ଣ ଏ କଥା କେହି ଭାବନ୍ତି କି ଆମକୁ ଶିବବାବା ପଢାଉଛନ୍ତି । ଯଦିଓ ଶିବ ପୁରାଣ ତିଆରି କରିଛନ୍ତି କିନ୍ତୁ ସେଥିରେ ଶିବ-ପାର୍ବତୀ, ଶିବ-ଶଙ୍କର ସମସ୍ତଙ୍କୁ ମିଶାଇ ଦେଇଛନ୍ତି, ତାକୁ ପଢିବା ଦ୍ୱାରା କୌଣସି ଲାଭ ମିଳେ ନାହିଁ । ପ୍ରତ୍ୟେକ ଧର୍ମାବଲମ୍ବୀଙ୍କୁ ନିଜର ଶାସ୍ତ୍ର ପଢିବା ଉଚିତ୍ । ଭାରତବାସୀଙ୍କର ହେଲା ଏକମାତ୍ର ଗୀତା । ଖ୍ରୀଷ୍ଟିୟାନମାନଙ୍କର ଗୋଟିଏ ହିଁ ବାଇବେଲ୍ ଅଛି । ଦେବୀ-ଦେବତା ଧର୍ମର ଶାସ୍ତ୍ର ହେଉଛି ଗୀତା । ସେଥିରେ ହିଁ ଜ୍ଞାନ ରହିଛି । ଜ୍ଞାନ ହିଁ ପଢାଯାଏ । ତୁମକୁ ନଲେଜ ପଢିବାକୁ ପଡିବ । ଯେଉଁ ପୁସ୍ତକ ମାନଙ୍କରେ ଲଢେଇ ଆଦିର କଥା ଲେଖା ରହିଛି, ସେଥିରେ ତୁମର କୌଣସି କାମ ନାହିଁ । ଆମେ ହେଉଛୁ ଯୋଗବଳବାଲା ପୁଣି ବାହୁବଳବାଲାଙ୍କର କାହାଣୀ କାହିଁକି ଶୁଣିବା! ବାସ୍ତବରେ ତୁମର ଲଢେଇ ଆଦି କିଛି ନାହିଁ । ତୁମେ ଯୋଗବଳ ଦ୍ୱାରା ୫ ବିକାର ଉପରେ ବିଜୟ ପାଉଛ । ତୁମର ୫ ବିକାର ସହିତ ଲଢେଇ ହେଉଛି । ସେମାନେ ତ ମନୁଷ୍ୟ, ମନୁଷ୍ୟଙ୍କ ସହିତ ଲଢେଇ କରୁଛନ୍ତି । ତୁମେ ନିଜ ଭିତରେ ଥିବା ବିକାର ସହିତ ଲଢେଇ କରୁଛ । ଏହିସବୁ କଥା ସନ୍ନ୍ୟାସୀ ଆଦି କେହି ବୁଝାଇ ପାରିବେ ନାହିଁ । ତୁମକୁ କୌଣସି ବ୍ୟାୟାମ ଆଦି ଶିଖାଯାଉନାହିଁ । ତୁମର ଡ୍ରିଲ୍ (ବ୍ୟାୟାମ) ହେଉଛି ଗୋଟିଏ (ବାବାଙ୍କୁ ମନେ ପକାଇବା) । ତୁମର ହେଉଛି ଯୋଗବଳ । ୟାଦର ଶକ୍ତିରେ ୫ ବିକାର ଉପରେ ବିଜୟ ପ୍ରାପ୍ତ କରୁଛ । ଏହି ୫ ବିକାର ହେଉଛନ୍ତି ଶତ୍ରୁ । ସେଥିରେ ମଧ୍ୟ ନମ୍ବରୱାନ ହେଉଛି ଦେହ-ଅଭିମାନ । ବାବା କହୁଛନ୍ତି ତୁମେ ତ ଆତ୍ମା ଅଟ ନା । ତୁମେ ଆତ୍ମା ଆସୁଛ, ଗର୍ଭରେ ପ୍ରବେଶ କରୁଛ । ମୁଁ ତ ଏହି ଶରୀରରେ ବିରାଜମାନ ହୋଇଛି । ମୁଁ କ’ଣ କୌଣସି ଗର୍ଭରେ ଆସିଥାଏ କି? ସତ୍ୟଯୁଗରେ ତୁମେ ଗର୍ଭ ମହଲରେ ରହିଥାଅ । ପୁଣି ରାବଣ ରାଜ୍ୟରେ ଗର୍ଭ ଜେଲକୁ ଯାଉଛି । ମୁଁ ତ ପ୍ରବେଶ କରିଥାଏ । ଏହାକୁ ଦିବ୍ୟ ଜନ୍ମ କୁହାଯାଏ । ଡ୍ରାମା ଅନୁସାରେ ମୋତେ ଏହାଙ୍କ ମଧ୍ୟରେ ଆସିବାକୁ ପଡିଥାଏ । ଏହାଙ୍କ ନାମ ବ୍ରହ୍ମା ରଖିଥାଏ, କାରଣ ମୋର ହୋଇଗଲା ନା । ଯେଉଁମାନେ ପୋଷ୍ୟ ହୋଇଥାନ୍ତି ସେମାନଙ୍କୁ ବହୁତ ଭଲ ଭଲ ନାମ ଦେଇଥାନ୍ତି । ତୁମମାନଙ୍କର ମଧ୍ୟ ବହୁତ ଭଲ-ଭଲ ନାମ ରଖାଯାଇଥିଲା । ବଡ ଆଶ୍ଚର୍ଯ୍ୟଜନକ ନାମର ତାଲିକା ସନ୍ଦେଶୀଙ୍କ ଦ୍ୱାରା ଆସିଥିଲା । ବାବାଙ୍କୁ କ’ଣ ସବୁ ନାମ ମନେ ଅଛି । ନାମ ସହିତ କୌଣସି କାମ ନାହିଁ । ଶରୀରର ନାମ ରଖାଯାଇଥାଏ ନା । ଏବେ ତ ବାବା କହୁଛନ୍ତି ନିଜକୁ ଆତ୍ମା ଭାବ, ବାବାଙ୍କୁ ମନେ ପକାଅ । ବାସ୍ । ତୁମେ ଜାଣିଛ ଆମେ ପୂଜ୍ୟ ଦେବତା ହେଉଛୁ ପୁଣି ରାଜ୍ୟ କରିବୁ । ପୁଣି ଭକ୍ତିମାର୍ଗରେ ଆମର ହିଁ ଚିତ୍ର ତିଆରି କରିବେ । ଦେବୀମାନଙ୍କର ବହୁତ ଚିତ୍ର ତିଆରି କରିଥା’ନ୍ତି । ଆତ୍ମାମାନଙ୍କର ମଧ୍ୟ ପୂଜା ହୋଇଥାଏ । ମାଟିର ଶାଳଗ୍ରାମ ତିଆରି କରନ୍ତି ପୁଣି ରାତିରେ ଭାଙ୍ଗି ଦିଅନ୍ତି । ଦେବୀମାନଙ୍କୁ ମଧ୍ୟ ସଜେଇ, ପୁଜା କରି ସମୁଦ୍ରରେ ପକାଇ ଦିଅନ୍ତି । ବାବା କହୁଛନ୍ତି ମୋର ମଧ୍ୟ ରୂପ ତିଆରି କରି, ଖୁଆଇ-ପିଆଇ ପୁଣି କହିଦିଅନ୍ତି ଗୋଡି-ମାଟି ଭିତରେ ଅଛନ୍ତି । ସବୁଠାରୁ ଅଧିକ ଦୁର୍ଦ୍ଦଶା ତ ମୋର କରିଛନ୍ତି । ଏବେ ତୁମେ ବହୁତ ଗରୀବ ହୋଇଯାଇଛ । ଗରିବ ହିଁ ଉଚ୍ଚ ପଦ ପାଇଥାଆନ୍ତି । ସାହୁକାର ଏହି ଜ୍ଞାନକୁ କ୍ୱଚିତ୍ ଗ୍ରହଣ କରନ୍ତି । ବାବା ମଧ୍ୟ ସାହୁକାରଙ୍କ ଠାରୁ ଏତେ ନେଇ କଣ କରିବେ! ଏଠାରେ ତ ଗରିବମାନଙ୍କର ବୁନ୍ଦା-ବୁନ୍ଦାରେ ଘର ଇତ୍ୟାଦି ତିଆରି ହେଉଛି । କହିଥା’ନ୍ତି ବାବା ଆମର ବି ଗୋଟିଏ ଇଟ୍ଟା ଲଗାଇ ଦିଅ । ଜାଣିଛନ୍ତି ଏହାର ପ୍ରତି ବଦଳରେ ଆମକୁ ସୁନା-ଚାନ୍ଦିର ମହଲ ମିଳିବ । ସେଠାରେ ତ ବହୁତ ସୁନା ଥାଏ । ସୁନାର ଇଟ୍ଟା ତିଆରି ହୋଇ ସେଥିରେ ଘର ତିଆରି ହେବ । ବାବା ବହୁତ ସ୍ନେହରେ ବୁଝାଉଛନ୍ତି - ମିଠା-ମିଠା ପିଲାମାନେ, ବର୍ତ୍ତମାନ ମୋତେ ମନେ ପକାଅ, ଏବେ ନାଟକ ପୁରା ହେବାକୁ ଯାଉଛି । ବାବା ଗରୀବ ପିଲାମାନଙ୍କୁ ସାହୁକାର କରିବାର ଯୁକ୍ତି ବତାଉଛନ୍ତି - ମିଠେ ବଚ୍ଚେ, ତୁମ ପାଖରେ ଯାହା କିଛି ବି ଅଛି (ହସ୍ତାନ୍ତର) ଟ୍ରାନ୍ସଫର କରିଦିଅ ଅର୍ଥାତ୍ ସେବାରେ ଲଗାଇ ଦିଅ । ଏଠାରେ କିଛି ରହିବ ନାହିଁ । ଏଠାରେ ଯାହା ଟ୍ରାନ୍ସଫର କରିବ ତାହା ନୂଆ ଦୁନିଆରେ ତୁମକୁ ଶହେ ଗୁଣା ହୋଇ ମିଳିବ । ବାବା କିଛି ବି ମାଗୁ ନାହାଁନ୍ତି । ସେ ତ ହେଉଛନ୍ତି ଦାତା, ସିଏ ଏହି ଉପାୟ ବତାଉଛନ୍ତି । ଏଠାରେ ତ ଯାହା କିଛି ବି ଅଛି ସବୁ ମାଟିରେ ମିଶିଯିବ । ଯଦି ଟ୍ରାନ୍ସଫର କରିଦେବ ତେବେ ତୁମକୁ ନୂଆ ଦୁନିଆରେ ମିଳିଯିବ । ଏବେ ପୁରୁଣା ଦୁନିଆର ବିନାଶର ସମୟ । ଏ ସବୁ କିଛି ବି କାମରେ ଆସିବ ନାହିଁ ତେଣୁ ବାବା କହୁଛନ୍ତି ଘରେ-ଘରେ ବିଶ୍ୱବିଦ୍ୟାଳୟ ସହିତ ହସ୍‌ପିଟାଲ୍ ଅର୍ଥାତ୍ ସେବାକେନ୍ଦ୍ର ଖୋଲ, ଯେଉଁଥିରୁ ହେଲ୍‌ଥ୍ (ସ୍ୱାସ୍ଥ୍ୟ) ଏବଂ ୱେଲଥ୍ (ସମ୍ପତ୍ତି) ମିଳିବ । ଏହା ହେଉଛି ମୁଖ୍ୟ ସେବା । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ରାତ୍ରି କ୍ଲାସ୍ (୧୨-୩-୬୮)

ତୁମେ ଗରୀବ ସାଧାରଣ ମାତାମାନେ ଏହି ସମୟରେ ପୁରୁଷାର୍ଥ କରି ଉଚ୍ଚ ପଦ ପାଇଯାଉଛ । ଯଜ୍ଞରେ ମାତାମାନେ ହିଁ ବହୁତ ସାହାଯ୍ୟ ଆଦି ମଧ୍ୟ କରୁଛନ୍ତି, ପୁରୁଷ ବହୁତ କମ୍ ଥା’ନ୍ତି ଯେଉଁମାନେ ସାହାଯ୍ୟକାରୀ ହୋଇଥା’ନ୍ତି । ମାତାମାନଙ୍କୁ ଉତ୍ତରାଧିକାରୀପଣିଆର ନିଶା ନ ଥାଏ । ସେମାନେ ମଞ୍ଜି ବୁଣି ଚାଲିଥା’ନ୍ତି ଅର୍ଥାତ୍ ସେବାରେ ଲଗାଇଥାନ୍ତି, ନିଜ ଜୀବନ ଅର୍ଥାତ୍ ଭାଗ୍ୟ ଗଢି ଚାଲିଥା’ନ୍ତି । ତୁମର ଜ୍ଞାନ ହେଉଛି ଯଥାର୍ଥ । ବାକି ସବୁ ଭକ୍ତି । ଆତ୍ମିକ ପିତା ହିଁ ଆସି ଜ୍ଞାନ ଦେଉଛନ୍ତି । ବାବାଙ୍କୁ ଯଦି ଜାଣିଯିବେ ତେବେ ନିଶ୍ଚିତ ଆସି ବାବାଙ୍କଠାରୁ ସମ୍ପତ୍ତି ନେବେ । ତୁମକୁ ବାବା ପୁରୁଷାର୍ଥ କରାଇ ଚାଲିଛନ୍ତି, ବୁଝାଇ ଚାଲିଛନ୍ତି । ସମୟ ନଷ୍ଟ କର ନାହିଁ । ବାବା ଜାଣିଛନ୍ତି କେହି ଭଲ ପୁରୁଷାର୍ଥୀ ଅଛନ୍ତି, କେହି ସାଧାରଣ, କେହି ତୃତୀୟ ଶ୍ରେଣୀର । ଯଦି ବାବାଙ୍କୁ ପଚାରିବ ତେବେ ବାବା ତୁରନ୍ତ କହିଦେବେ - ତୁମେ ପ୍ରଥମ, ନା ଦ୍ୱିତୀୟ, ନା ତୃତୀୟ ଶ୍ରେଣୀର । ଯଦି କାହାକୁ ଜ୍ଞାନ ଦେଉନାହଁ ତେବେ ତୃତୀୟ ଶ୍ରେଣୀର ଅଟ । ସେବାର ପ୍ରମାଣ ଦେଉନାହଁ ତେବେ ବାବା ନିଶ୍ଚିତ କହିବେ ନା । ଭଗବାନ ଆସି ଯେଉଁ ଜ୍ଞାନ ଶିଖାଉଛନ୍ତି, ତାହା ପୁଣି ପ୍ରାୟଃ ଲୋପ ହୋଇଯିବ । ଏ କଥା କାହାକୁ ବି ଜଣା ନାହିଁ । ଡ୍ରାମାର ଯୋଜନା ଅନୁସାରେ ଏହା ହେଉଛି ଭକ୍ତିମାର୍ଗ, ଏଥିରେ କେହି ମୋତେ ପ୍ରାପ୍ତ କରିପାରିବେ ନାହିଁ । ସତ୍ୟଯୁଗକୁ କେହି ଯାଇପାରିବେ ନାହିଁ । ଏବେ ତୁମେ ପିଲାମାନେ ପୁରୁଷାର୍ଥ କରୁଛ । କଳ୍ପପୂର୍ବ ଭଳି ଯିଏ ଯେତିକି ପୁରୁଷାର୍ଥ କରିଛନ୍ତି, ସେତିକି କରୁଛନ୍ତି । ବାବା ବୁଝିପାରୁଛନ୍ତି ଯେ କେଉଁମାନେ ନିଜର କଲ୍ୟାଣ କରୁଛନ୍ତି । ବାବା ତ କହୁଛନ୍ତି ପ୍ରତିଦିନ ଏହି ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ସମ୍ମୁଖରେ ଆସି ବସ । ବାବା ଆପଣଙ୍କ ଶ୍ରୀମତରେ ଚାଲି ଏହି ସମ୍ପତ୍ତି ଆମେ ନିଶ୍ଚିତ ନେବୁ । ନିଜ ସମାନ କରିବାର ସେବାର ସଉକ ନିଶ୍ଚିତ ରହିବା ଆବଶ୍ୟକ । ସେଣ୍ଟରବାଲାଙ୍କ ପାଖକୁ ପତ୍ର ଲେଖୁଛି, ଏତେ ବର୍ଷ ହେଲା ପଢୁଛ, କାହାକୁ ପଢାଇ ପାରୁନାହଁ, ତେବେ ତୁମେ କ’ଣ ପଢିଛ! ପିଲାମାନଙ୍କର ଉନ୍ନତି କରିବା ଦରକାର ନା । ବୁଦ୍ଧିରେ ସାରା ଦିନ ସେବାର ଚିନ୍ତନ ଚାଲିବା ଦରକାର ।

ତୁମେ ବାନପ୍ରସ୍ଥୀ ଅଟ ନା । ବାନପ୍ରସ୍ଥିମାନଙ୍କର ମଧ୍ୟ ଆଶ୍ରମ ଥାଏ । ବାନପ୍ରସ୍ଥିମାନଙ୍କ ପାଖକୁ ଯିବା ଦରକାର, ମରିବା ପୂର୍ବରୁ ଲକ୍ଷ୍ୟ ତ କହିଦିଅ । ବାଣୀରୁ ଉର୍ଦ୍ଧ୍ୱକୁ ତୁମର ଆତ୍ମା କିପରି ଯିବ! ପତିତ ଆତ୍ମା ତ ଯାଇପାରିବ ନାହିଁ । ଭଗବାନୁବାଚ ମାମେକମ୍ ୟାଦ କରୋ ଅର୍ଥାତ୍ କେବଳ ମୋତେ ମନେ ପକାଅ, ତେବେ ତୁମେ ବାନପ୍ରସ୍ଥକୁ ଅର୍ଥାତ୍ ନିର୍ବାଣଧାମକୁ ଚାଲିଯିବ । ବନାରସରେ ବହୁତ ସେବା ରହିଛି । ବହୁତ ସାଧୁ ଲୋକମାନେ କାଶୀବାସ କରିବା ପାଇଁ ସେଠାରେ ରହିଥାନ୍ତି, ସାରାଦିନ କହିଚାଲିଥା’ନ୍ତି ଶିବକାଶୀ ବିଶ୍ୱନାଥ ଗଙ୍ଗା । ତୁମ ଭିତରେ ସର୍ବଦା ଖୁସୀର ତାଳି ବାଜି ଚାଲିବା ଉଚିତ୍ । ତୁମେ ବିଦ୍ୟାର୍ଥୀ ଅଟ ନା! ସେବା ମଧ୍ୟ କରୁଛ ଏବଂ ପଢୁଛ ମଧ୍ୟ । ତେଣୁ ବାବାଙ୍କୁ ମନେ ପକାଇବାକୁ ହେବ, ବର୍ସା ନେବାକୁ ହେବ । ଆମେ ଏବେ ଶିବବାବାଙ୍କ ପାଖକୁ ଯାଉଛୁ । ଏହା ହିଁ ମନମନାଭବ ଅଟେ । କିନ୍ତୁ ବହୁତଙ୍କର ୟାଦ ରହୁ ନାହିଁ । ସବୁବେଳେ ପରଚିନ୍ତନର ବାର୍ତ୍ତାଳାପ କରି ଚାଲିଥା’ନ୍ତି । ମୁଳକଥା ହେଉଛି ଯୋଗର । ଯୋଗରେ ହିଁ ଖୁସୀ ଆସିଥାଏ । ସମସ୍ତେ ତ ଚାହୁଁଛନ୍ତି ଯେ ବିଶ୍ୱରେ ଶାନ୍ତି ହେଉ । ବାବା ବି କହୁଛନ୍ତି ସେମାନଙ୍କୁ ବୁଝାଅ ଯେ ବିଶ୍ୱରେ ଶାନ୍ତି ଏବେ ସ୍ଥାପନ ହେଉଛି, ତେଣୁ ବାବା ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ରକୁ ବହୁତ ମହତ୍ୱ ଦେଉଛନ୍ତି । କୁହ, ଏବେ ସେହି ଦୁନିଆର ସ୍ଥାପନା ହେଉଛି, ଯେଉଁଠି ସୁଖ-ଶାନ୍ତି, ପବିତ୍ରତା ସବୁକିଛି ଥିଲା । ସମସ୍ତେ କହୁଛନ୍ତି ବିଶ୍ୱରେ ଶାନ୍ତି ହେଉ । ବହୁତଙ୍କୁ ପୁରସ୍କାର ମଧ୍ୟ ମିଳୁଛି । ଯିଏ ବିଶ୍ୱରେ ଶାନ୍ତି ସ୍ଥାପନ କରୁଛନ୍ତି ସିଏ ତ ନିଶ୍ଚିତ ମାଲିକ ହୋଇଥିବେ ନା । ଏମାନଙ୍କ (ଲକ୍ଷ୍ମୀ-ନାରାୟଣଙ୍କ) ରାଜ୍ୟରେ ବିଶ୍ୱରେ ଶାନ୍ତି ଥିଲା । ଗୋଟିଏ ଭାଷା, ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ଥିଲା । ବାକି ସବୁ ଆତ୍ମାମାନେ ନିରାକାରୀ ଦୁନିଆରେ ଥିଲେ । ଏପରି ଦୁନିଆ କିଏ ସ୍ଥାପନ କରିଥିଲେ! ଶାନ୍ତି କିଏ ସ୍ଥାପନ କରିଥିଲେ! ବିଦେଶୀମାନେ ମଧ୍ୟ ବୁଝିବେ ଯେ ଏହି ଭାରତ ପାରାଡାଇଜ୍ (ସ୍ୱର୍ଗ) ଥିଲା, ଏମାନଙ୍କର ରାଜ୍ୟ ଥିଲା । ବିଶ୍ୱରେ ଶାନ୍ତି ତ ଏବେ ସ୍ଥାପନ ହେଉଛି । ବାବା ବୁଝାଇଥିଲେ ପ୍ରଭାତ ଫେରି ସମୟରେ ମଧ୍ୟ ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସାଥିରେ ନିଅ । ଯାହାଦ୍ୱାରା ସମସ୍ତଙ୍କ କାନରେ ଏହି ଶବ୍ଦ ପଡିବ ଯେ ଏହି ରାଜ୍ୟର ସ୍ଥାପନା ହେଉଛି । ନର୍କର ବିନାଶ ସମ୍ମୁଖରେ ଉପସ୍ଥିତ । ଏହା ତ ଜାଣୁଛ ଡ୍ରାମା ଅନୁସାରେ ବୋଧ ହୁଏ ବିଳମ୍ବ ଅଛି । ବଡ-ବଡଙ୍କ ଭାଗ୍ୟରେ ଏବେ ନାହିଁ । ପୁଣି ବି ବାବା ପୁରୁଷାର୍ଥ କରାଇ ଚାଲିଛନ୍ତି । ଡ୍ରାମା ଅନୁସାରେ ସେବା ହୋଇ ଚାଲିଛି । ଆଚ୍ଛା! ଗୁଡ୍ ନାଇଟ୍ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସଂଗଦୋଷରୁ ନିଜକୁ ବହୁତ-ବହୁତ ଦୂରେଇ ରଖିବାକୁ ହେବ । କେବେ ବି ପତିତମାନଙ୍କ ସଂଗରେ ମିଶିବାର ନାହିଁ । ଶାନ୍ତିର ଶକ୍ତି ଅର୍ଥାତ୍ ଯୋଗବଳ ଦ୍ୱାରା ଏହି ସୃଷ୍ଟିକୁ ପବିତ୍ର କରିବାର ସେବା କରିବାକୁ ହେବ ।

(୨) ଡ୍ରାମାକୁ ଭଲ ରୂପେ ବୁଝି ସର୍ବଦା ହର୍ଷିତ ରହିବାକୁ ହେବ । ନିଜର ସବୁ କିଛି ନୂଆ ଦୁନିଆକୁ ଟ୍ରାନ୍ସଫର ଅର୍ଥାତ୍ ସ୍ଥାନାନ୍ତର କରି ଦେବାକୁ ପଡିବ ।

ବରଦାନ:-
ବାବାଙ୍କ ଦ୍ୱାରା ସଫଳତାର ତିଳକ ପ୍ରାପ୍ତ କରୁଥିବା ସଦା ଆଜ୍ଞାକାରୀ, ତଥା ହୃଦୟ ସିଂହାସନ ଅଧିକାରୀ ଭବ ।

ଭାଗ୍ୟବିଧାତା ପିତା ପ୍ରତିଦିନ ଅମୃତବେଳାରେ ନିଜର ଆଜ୍ଞାକାରୀ ପିଲାମାନଙ୍କର ମସ୍ତକରେ ସଫଳତାର ତିଳକ ଲଗାଇଥାଆନ୍ତି । ତେଣୁ ଆଜ୍ଞାକାରୀ ବ୍ରାହ୍ମଣ ପିଲାମାନେ କେବେ ବି ମେହନତ ବା ମୁଶକିଲ୍ ଶବ୍ଦ ମୁଖ ଦ୍ୱାରା କହିବା ତ ଦୂରର କଥା ସଂକଳ୍ପରେ ମଧ୍ୟ ଆଣିପାରିବେ ନାହିଁ । ସେମାନେ ସହଜଯୋଗୀ ହୋଇଯାଆନ୍ତି, ସେଥିପାଇଁ କେବେ ବି ନିରାଶ ହୁଅ ନାହିଁ ବରଂ ସର୍ବଦା ବାବାଙ୍କର ହୃଦୟ ସିଂହାସନର ଅଧିକାରୀ ହୋଇ ରୁହ, ଦୟାଶୀଳ ହୁଅ । ନିଜର ଅଂହକାରକୁ ଏବଂ ଭ୍ରାନ୍ତ ଧାରଣା ଗୁଡିକୁ ସମାପ୍ତ କର ।

ସ୍ଲୋଗାନ:-
ବିଶ୍ୱ ପରିବର୍ତ୍ତନର ତାରିଖ କଥା ନ ଭାବି ନିଜର ପରିବର୍ତ୍ତନର ଘଡି ବା ସମୟକୁ ନିଧାର୍ଯ୍ୟ କର ।

ଅବ୍ୟକ୍ତ ଈଶାରା:- ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ

(୨୪) ଯେଉଁମାନେ ପବିତ୍ରତାର ବ୍ୟକ୍ତିତ୍ୱରେ ସମ୍ପନ୍ନ ଆତ୍ମା ହୋଇଥିବେ ସେମାନଙ୍କୁ ସଭ୍ୟତାର ଦେବୀ କୁହାଯାଏ । ସେମାନଙ୍କ ଭିତରେ କ୍ରୋଧ ବିକାରର ଅପବିତ୍ରତା ମଧ୍ୟ ରହିପାରିବ ନାହିଁ । ଯଦି କ୍ରୋଧର ସୂକ୍ଷ୍ମ ରୂପ ଈର୍ଷା, ଦ୍ୱେଷ, ଘୃଣା ମଧ୍ୟ ଥିବ ତେବେ ତାହା ମଧ୍ୟ ଅଗ୍ନି ଅଟେ, ଯାହାକି ଭିତରେ ଭିତରେ ଜଳାଇଥାଏ । ବାହାରରୁ ଦେଖିଲେ ଲାଲ, ହଳଦିଆ ଦେଖାଯାଆନ୍ତି ନାହିଁ, କିନ୍ତୁ କଳା ହୋଇଥାଆନ୍ତି । ତେଣୁ ବର୍ତ୍ତମାନ ଏହି କାଳିଆ ପଣିଆକୁ ସମାପ୍ତ କରି ସଚ୍ଚା ଏବଂ ସ୍ୱଚ୍ଛ ହୁଅ ।