24.06.25 Avyakt Bapdada Odia Murli Om Shanti Madhuban
“ମାତେଶ୍ୱରୀଙ୍କର ପୁଣ୍ୟ
ସ୍ମୃତି ଦିବସରେ ପ୍ରାତଃ କ୍ଲାସ୍ରେ ଶୁଣାଇବା ପାଇଁ ମଧୁର ମହାବାକ୍ୟ”
ଗୀତ:- ମେରା ଛୋଟା ସା
ଦେଖୋ ୟେ ସଂସାର ହୈ.....
ଏହା କୌଣସି ସମୟର ଗାୟନ
ଅଟେ କାହିଁକି ନା ଏହି ସଂଗମ ସମୟରେ ହିଁ ଆମ ବ୍ରାହ୍ମଣ ମାନଙ୍କର ଏହା ଏକ ଛୋଟିଆ ସଂସାର । ତେବେ
ଏହା ଆମର କେଉଁ ପରିବାର ଏକଥା ପିଲାମାନେ କ୍ରମଅନୁସାରେ ଜାଣିଛନ୍ତି ଏବଂ କହୁଛନ୍ତି । ଆମେ
ପରମପିତା ପରମାତ୍ମା ଶିବଙ୍କର ନାତି ନାତୁଣୀ ତଥା ବ୍ରହ୍ମା ସରସ୍ୱତୀଙ୍କର ମୁଖବଂଶୀ ସନ୍ତାନ ଅଟୁ
। ବିଷ୍ଣୁ ଏବଂ ଶଙ୍କର ଆମର ବଡ ବାପା ଅଟନ୍ତି । ଆମେ ପରସ୍ପର ଭାଇ ଭଉଣୀ ଅଟୁ । ଏହା ଆମର ବହୁତ
ଛୋଟିଆ ସଂସାର । ଏହା ବ୍ୟତୀତ ଆମର ଅନ୍ୟ କୌଣସି ସମ୍ବନ୍ଧ ହିଁ ନାହିଁ । ବର୍ତ୍ତମାନ ସମୟରେ ଆମର
କେବଳ ଏତିକି ହିଁ ସମ୍ବନ୍ଧ ରହିଛି । ଦେଖ ଆମର ସମ୍ବନ୍ଧ କେତେ ବଡ ଅଧିକାରୀଙ୍କ ସହିତ ରହିଛି ।
ଆମର ଜେଜେବାପା ଶିବ ଅଟନ୍ତି, ତାଙ୍କର ନାମ କେତେ ଶ୍ରେଷ୍ଠ ଅଟେ ଯିଏକି ସାରା ମନୁଷ୍ୟ ସୃଷ୍ଟିର
ବୀଜରୂପ ଅଟନ୍ତି । ସବୁ ଆତ୍ମାମାନଙ୍କର କଲ୍ୟାଣକାରୀ ଅଟନ୍ତି, ତେଣୁ ତାଙ୍କୁ ହର ହର ଭୋଳାନାଥ
ଶିବ ମହାଦେବ କୁହାଯାଉଛି । ସେ ସାରା ସୃଷ୍ଟିର ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି, ଯାହାଙ୍କ
ଦ୍ୱାରା ଆମମାନଙ୍କୁ ସୁଖ ଶାନ୍ତି ପବିତ୍ରତାର ବହୁତ ବଡ ଅଧିକାର ପ୍ରାପ୍ତ ହେଉଛି । ଯେତେବେଳେ
ସମସ୍ତେ ଶାନ୍ତିରେ ରହୁଛନ୍ତି ସେତେବେଳେ କର୍ମବନ୍ଧନର କୌଣସି ହିସାବ ନଥାଏ କିନ୍ତୁ ତାହା ମଧ୍ୟ
ପବିତ୍ରତା ଆଧାରରେ ପ୍ରାପ୍ତ ହୋଇଥାଏ । ଯେପର୍ଯ୍ୟନ୍ତ ପିତାଙ୍କର ପାଳନା ରୂପୀ ସମ୍ପୂର୍ଣ୍ଣ
ସମ୍ପତ୍ତି ପ୍ରାପ୍ତ କରିନାହଁ, ପିତାଙ୍କ ଠାରୁ ପ୍ରମାଣପତ୍ର ମିଳିନାହିଁ ସେ ପର୍ଯ୍ୟନ୍ତ ବିଶ୍ୱର
ରାଜ୍ୟଭାଗ୍ୟର ସମ୍ପତ୍ତି ମିଳିପାରିବ ନାହିଁ । ଦେଖ ବ୍ରହ୍ମାବାବାଙ୍କ ଉପରେ କେତେ ବଡ କାମ ରହିଛି
- ୫ ବିକାର ଦ୍ୱାରା ମଇଳା ହୋଇଯାଇଥିବା ଆତ୍ମାମାନଙ୍କୁ ପବିତ୍ର କରୁଛନ୍ତି । ଯେଉଁ ଅଲୌକିକ
କାର୍ଯ୍ୟର ପ୍ରାପ୍ତି ଅର୍ଥାତ୍ ପ୍ରାରବ୍ଧ ରୂପରେ ସତ୍ୟଯୁଗର ପ୍ରଥମ ନମ୍ବର ଶ୍ରୀକୃଷ୍ଣ ପଦର
ପ୍ରାପ୍ତି ହେଉଛି । ଏବେ ଦେଖ ସେହି ପିତାଙ୍କ ସହିତ ସମ୍ବନ୍ଧ କିପରି ରହିଛି! ତେଣୁ କେତେ
ନିଶ୍ଚିନ୍ତ ଏବଂ ଖୁସି ହେବା ଦରକାର ।ଏବେ ପ୍ରତ୍ୟେକ ନିଜର ହୃଦୟକୁ ପଚାର ମୁଁ ସମ୍ପୂର୍ଣ୍ଣ ରୂପରେ
ତାଙ୍କର ହୋଇଯାଇଛି ତ?
ଭାବିବା ଦରକାର ଯେ
ଯେହେତୁ ପିତା ପରମାତ୍ମା ଆସିଛନ୍ତି ତେଣୁ ତାଙ୍କଠାରୁ ମୁଁ ସମ୍ପୂର୍ଣ୍ଣ ସମ୍ପତ୍ତି କିପରି ନେବି
। ବିଦ୍ୟାର୍ଥୀମାନଙ୍କର କାମ ହେଲା ସମ୍ପୂର୍ଣ୍ଣ ପୁରୁଷାର୍ଥ କରି ସ୍କଲାରଶିପ୍ (ବୃତ୍ତି) ନେବା ।
ତେଣୁ ମୁଁ କାହିଁକି ପ୍ରଥମ ଲଟେରୀ ନ ଜିତିବି! ଏହାକୁ ହିଁ ବିଜୟ ମାଳରେ ଗୁନ୍ଥା ହେବା କୁହାଯିବ
। କିନ୍ତୁ ଏମିତି ବହୁତ ଅଛନ୍ତି ଯେଉଁମାନେ କି ଦୁଇଟି ଲଡୁ ଧରି ବସିଛନ୍ତି । ଏଠିକାର ବିନାଶୀ
ଲୌକିକ ସୁଖ ମଧ୍ୟ ନେବି ଏବଂ ବୈକୁଣ୍ଠର ସୁଖ ମଧ୍ୟ ନେବି । ଏପରି ବିଚାରଧାରା ରଖୁଥିବା
ଆତ୍ମାମାନଙ୍କୁ ମଧ୍ୟମ ବା କନିଷ୍ଠ ପୁରୁଷାର୍ଥୀ କୁହାଯିବ, ସର୍ବୋତ୍ତମ ପୁରୁଷାର୍ଥୀ ନୁହେଁ ।
ଯଦି ବାବା ଦେବାରେ ଅବହେଳା କରୁନାହାଁନ୍ତି ତେବେ ନେବାବାଲା ଅବହେଳା କାହିଁକି କରୁଛନ୍ତି!
ସେଥିପାଇଁ ଗୁରୁ ନାନକ କହିଛନ୍ତି ପରମାତ୍ମା ତ ଦାତା ଅଟନ୍ତି, ସମର୍ଥ ଅଟନ୍ତି କିନ୍ତୁ
ଆତ୍ମାମାନଙ୍କ ଭିତରେ ନେବାର ମଧ୍ୟ ଶକ୍ତି ନାହିଁ, କଥାରେ ଅଛି - “ଦେନ୍ଦା ଦେ, ଲେନ୍ଦା ଥକ୍
ପାୱେ.....” (ଦେବାବାଲା ଦେଉଛନ୍ତି, କିନ୍ତୁ ନେବାବାଲା ଥକିଯାଉଛନ୍ତି) । ତୁମମାନଙ୍କ ମନରେ
ଆସୁଥିବ ଯେ ଆମେ କାହିଁକି ନ ଚାହିଁବୁ ଆମକୁ ମଧ୍ୟ ସେଭଳି ପଦ ମିଳୁ! କିନ୍ତୁ ଦେଖ ବାବା କେତେ
ମେହନତ କରୁଛନ୍ତି ତଥାପି ମାୟା କେତେ ବିଘ୍ନ ପକାଉଛି, କାହିଁକି ଜାଣିଛ? କାହିଁକି ନା ଏବେ ମାୟାର
ରାଜ୍ୟ ସମାପ୍ତ ହେବାକୁ ଯାଉଛି । ଏବେ ମାୟା ଏହି ଦୁନିଆରୁ ସୁଖ ଶାନ୍ତି ରୂପୀ ସାର ହିଁ ସମାପ୍ତ
କରିଦେଇଛି । ସେଥିପାଇଁ ତ ପରମପିତା ପରମାତ୍ମା ଆସିଛନ୍ତି । ତାଙ୍କ ଭିତରେ ହିଁ ସବୁ ରସ ସମାହିତ
ଅଟେ । ତାଙ୍କଠାରୁ ହିଁ ସବୁ ସମ୍ବନ୍ଧର ସ୍ୱାଦ ମିଳୁଛି । ସେଥିପାଇଁ ତ୍ୱମୈବ ମାତାଶ୍ଚ ପିତା.....
ଆଦି ସବୁ ମହିମା ଏକମାତ୍ର ପରମାତ୍ମାଙ୍କ ନାମରେ ଗାୟନ ହେଉଛି । ତେଣୁ ଏହାକୁ ବର୍ତ୍ତମାନ ସମୟର
ହିଁ ମହାନତା କୁହାଯିବ । ଯାହାକି ପରମାତ୍ମାଙ୍କ ସହିତ ଏହିଭଳି ସମ୍ବନ୍ଧ ଯୋଡି ହୋଇଛି ।
ତେଣୁ ପରମାତ୍ମାଙ୍କ
ସହିତ ଏଭଳି ସମ୍ପୂର୍ଣ୍ଣ ସମ୍ବନ୍ଧ ଯୋଡିବାକୁ ହେବ ଯାହା ଦ୍ୱାରା ୨୧ ଜନ୍ମ ପାଇଁ ସବୁ ସୁଖ
ମିଳିଯିବ । ଏହା ହିଁ ହେଉଛି ପୁରୁଷାର୍ଥର ସିଦ୍ଧି । କିନ୍ତୁ ୨୧ ଜନ୍ମର ନାମ ଶୁଣି ଥଣ୍ଡା
ହୋଇଯାଅ ନାହିଁ । ଏମିତି ଭାବ ନାହିଁ ଯେ ୨୧ ଜନ୍ମ ପାଇଁ ଯଦି ଏବେ ଏତେ ପୁରୁଷାର୍ଥ କରିବୁ ପୁଣି
ବି ୨୧ ଜନ୍ମ ପରେ ତ ତଳକୁ ଖସିବାକୁ ହିଁ ହେବ । ତେବେ ଏଥିରୁ ସିଦ୍ଧି କ’ଣ ମିଳିଲା! କିନ୍ତୁ
ଡ୍ରାମା ଭିତରେ ଆତ୍ମାର ଯେତିକି ସର୍ବୋତ୍ତମ ସିଦ୍ଧି ନିର୍ଦ୍ଧାରିତ ରହିଛି ତାହା ତ ନିଶ୍ଚିତ
ମିଳିବ । ବାବା ଆସି ଆମକୁ ସମ୍ପୂର୍ଣ୍ଣ ସ୍ଥିତିରେ ପହଞ୍ଚାଇ ଦେଉଛନ୍ତି । କିନ୍ତୁ ଆମେ ପିଲାମାନେ
ବାବାଙ୍କୁ ଭୁଲି ଯାଉଛୁ । ତେଣୁ ନିଶ୍ଚିତ ଭାବରେ ତଳକୁ ଖସିବାକୁ ହିଁ ପଡିବ, ଏଥିରେ ବାବାଙ୍କର
କୌଣସି ଦୋଷ ନାହିଁ । ତେଣୁ ସବୁ ଦୋଷ ତ ଆମର ଅଟେ ନା! ତେବେ ସତ୍ୟଯୁଗ ଏବଂ ତ୍ରେତାଯୁଗର ସାରା
ସୁଖର ଆଧାର ବର୍ତ୍ତମାନ ସମୟର ଏହି ଜନ୍ମର ପୁରୁଷାର୍ଥ ଉପରେ ହିଁ ନିର୍ଭର କରୁଛି । ତେଣୁ କାହିଁକି
ଆମେ ସମ୍ପୂର୍ଣ୍ଣ ପୁରୁଷାର୍ଥ କରି ନିଜର ସର୍ବୋତ୍ତମ ଅଭିନୟକୁ ନିଧାର୍ଯ୍ୟ ନ କରିବା! ପୁରୁଷାର୍ଥ
କରି ସେହିଭଳି ସମ୍ପତ୍ତି କାହିଁକି ନ ନେବା! ମନୁଷ୍ୟ ସର୍ବଦା ସୁଖ ପାଇଁ ହିଁ ପୁରୁଷାର୍ଥ କରିଥାଏ
। ସୁଖ ଦୁଃଖରୁ ନିଆରା ହେବା ପାଇଁ କେହି ବି ପୁରୁଷାର୍ଥ କରନ୍ତି ନାହିଁ । ତାହା ତ ଡ୍ରାମା ଶେଷରେ
ପରମାତ୍ମା ଆସି ସବୁ ଆତ୍ମାମାନଙ୍କୁ ଦଣ୍ଡ ଦେଇ ପବିତ୍ର କରି ପାର୍ଟରୁ ମୁକ୍ତ କରିଥାଆନ୍ତି । ଏହା
ପରମାତ୍ମାଙ୍କର କର୍ତ୍ତବ୍ୟ ଅଟେ । ସେ ନିଜର ନିର୍ଦ୍ଧାରିତ ସମୟରେ ଆପେ ଆପେ ଆସି ସବୁକିଛି
ଶୁଣାଇଥାଆନ୍ତି । ଯଦି ଆତ୍ମାମାନଙ୍କୁ ପୁନର୍ବାର ଆସି ଅଭିନୟ କରିବାକୁ ହିଁ ପଡିବ ତେବେ କାହିଁକି
ସର୍ବୋତ୍ତମ ଅଭିନୟ ନ କରିବା!
ମନୁଷ୍ୟ ସୃଷ୍ଟିକୁ
ସୁଖଦାୟୀ କରୁଥିବା ବାବାଙ୍କୁ ଜଣା ଅଛି ଯେ ଏହି ମନୁଷ୍ୟ ସୃଷ୍ଟି ସୁଖଦାୟୀ କିପରି ହେବ?
ଯେପର୍ଯ୍ୟନ୍ତ ଆତ୍ମାମାନେ ପବିତ୍ର ହୋଇନାହାଁନ୍ତି ସେପର୍ଯ୍ୟନ୍ତ ସଂସାର ମଧ୍ୟ ସୁଖଦାୟୀ
ହୋଇପାରିବ ନାହିଁ । ସେଥିପାଇଁ ସେ ଆସି ପ୍ରଥମେ ଆପଣମାନଙ୍କୁ ହିଁ ପବିତ୍ର କରୁଛନ୍ତି । ଏବେ ତ
ଆତ୍ମା ଭିତରେ ମଇଳା ଲାଗିଛି । ପ୍ରଥମେ ସେହି ମଇଳାକୁ ହିଁ ସଫା କରିବାକୁ ହେବ । ତା’ପରେ ସେହି
ଆତ୍ମିକ ଶକ୍ତି ଦ୍ୱାରା ପ୍ରତ୍ୟେକ ଜିନିଷରୁ ତମୋପ୍ରଧାନତା ପରିବର୍ତ୍ତନ ହୋଇ ସତ୍ତ୍ୱପ୍ରଧାନତା
ଆସିବ । ଯାହାକୁ କୁହାଯାଉଛି ସତ୍ୟଯୁଗୀ ଅବସ୍ଥା ବା ଗୋଲ୍ଡେନ୍ ଏଜେଡ୍ ଷ୍ଟେଜ୍ । ଯାହାଦ୍ୱାରା
ଏହି ତତ୍ତ୍ୱ ଆଦି ସବୁ କିଛି ସତ୍ୟଯୁଗୀ ସ୍ଥିତିକୁ ପ୍ରାପ୍ତ ହୋଇଯାଆନ୍ତି କିନ୍ତୁ ପ୍ରଥମେ
ଆତ୍ମାର ସ୍ଥିତିର ପରିବର୍ତ୍ତନ ହୋଇଥାଏ । ତେବେ ଆତ୍ମାମାନଙ୍କୁ ପରିବର୍ତ୍ତନ କରିବାବାଲା ଅର୍ଥାତ୍
ଆତ୍ମାମାନଙ୍କୁ ପବିତ୍ର କରିବାବାଲା ଅଧିକାରୀ ସେହି ବାବା ହିଁ ଅଟନ୍ତି । ତୁମେମାନେ ଦେଖୁଛ ନା
ଏବେ ଦୁନିଆ କିପରି ବଦଳିବାରେ ଲାଗିଛି । ସେଥିପାଇଁ ପ୍ରଥମେ ତ ନିଜକୁ ହିଁ ପରିବର୍ତ୍ତନ କରିବାକୁ
ହେବ । ଯେତେବେଳେ ଆମେ ନିଜକୁ ପରିବର୍ତ୍ତନ କରିନେବା ତେବେ ଯାଇ ସେହି ଆଧାରରେ ଦୁନିଆର
ପରିବର୍ତ୍ତନ ହେବ । ଯଦି ଏ ପର୍ଯ୍ୟନ୍ତ ଆମମାନଙ୍କ ଭିତରେ ପରିବର୍ତ୍ତନ ଆସି ନାହିଁ ବା ଆମେ ନିଜକୁ
ହିଁ ପରିବର୍ତ୍ତନ କରିନାହୁଁ, ତେବେ ଦୁନିଆ କିପରି ପରିବର୍ତ୍ତନ ହେବ? ସେଥିପାଇଁ ନିଜକୁ ଚେକ୍ କର
- ଯେପରି ଆୟ-ବ୍ୟୟର ରଖିବାବାଲା ପ୍ରତିଦିନ ରାତିରେ ନିଜର ଖାତାକୁ ଚେକ୍ କରିଥାଆନ୍ତି ଆଜି ମୋର
ଜମା କେତେ ହେଲା? ସମସ୍ତେ ନିଜର ହିସାବ ରଖିଥାଆନ୍ତି ନା! ସେହିପରି ତୁମମାନଙ୍କୁ ମଧ୍ୟ ନିଜର
ହିସାବ ରଖିବାକୁ ହେବ ଯେ ସାରା ଦିନ ଭିତରେ ମୋର କେତେ ଲାଭ ହେଲା ଏବଂ କେତେ କ୍ଷତି ହେଲା? ଯଦି
କ୍ଷତି ଅଧିକ ହୋଇଥିବ ତେବେ ଆର ଦିନ ପାଇଁ ସାବଧାନ ରହିବାକୁ ହେବ । ଏହିଭଳି ନିଜ ଉପରେ ଧ୍ୟାନ
ଦେଲେ ଆମେ ନିଶ୍ଚିତ ଲାଭରେ ରହିବା ଏବଂ ନିଜର ପୋଜିସନ୍ରେ ପହଞ୍ଚି ପାରିବା । ଏହିଭଳି ନିଜକୁ
ଚେକ୍ କରି ନିଜର ପରିବର୍ତ୍ତନର ଅନୁଭବ କରିବା ଦରକାର । ଏପରି ନୁହେଁ ଯେ ଆମେ ତ ଦେବତା ନିଶ୍ଚିତ
ହେବୁ....କିନ୍ତୁ ତାହା ତ ପରେ ହେବ, ଏବେ ଯେପରି ଅଛ ଠିକ୍ ଅଛ । ନା । ଏବେଠାରୁ ହିଁ ଦେବତାର
ସଂସ୍କାର ଧାରଣ କରିବାକୁ ହେବ । ଏପର୍ଯ୍ୟନ୍ତ ଯେଉଁ ୫ ବିକାରର ସଂସ୍କାର ଥିଲା, ଦେଖିବାକୁ ହେବ
ସେହି ସବୁ ବିକାରୀ ସଂସ୍କାରଗୁଡିକ ପରିବର୍ତ୍ତନ ହେଉଛି ତ! ମୋ ଭିତରେ ଯେଉଁ କ୍ରୋଧ ଆଦି ଥିଲା
ତାହା ବାହାରିଗଲାଣି ତ? ଲୋଭ, ମୋହ ଆଦି ସବୁ ଯେଉଁ ବିକାରୀ ସଂସ୍କାରଗୁଡିକ ଥିଲା ତାହା
ପରିବର୍ତ୍ତନ ହେଉଛି ତ? ଯଦି ସେଗୁଡିକ ପରିବର୍ତ୍ତନ ହୋଇ ଚାଲିଛି ବା ସେଥିରୁ ମୁଁ ମୁକ୍ତ ହେଉଛି
ତେବେ ଜାଣିନିଅ ମୁଁ ଧୀରେ ଧୀରେ ପରିବର୍ତ୍ତନ ହେଉଛି । ଯଦି ସେଥିରୁ ମୁକ୍ତ ହୋଇନାହଁ ତେବେ
ଜାଣିନିଅ ଏପର୍ଯ୍ୟନ୍ତ ମୁଁ ପରିବର୍ତ୍ତନ ହୋଇନାହିଁ ।ତେଣୁ ପରିବର୍ତ୍ତନର ଫରକ ଅନୁଭବ ହେବା
ଦରକାର । ନିଜ ଭିତରେ ପ୍ରଥମେ ପରିବର୍ତ୍ତନ ଆସିବା ଦରକାର । ଏମିତି ନୁହେଁ ଯେ ଦିନ ସାରା ବିକାରୀ
ଖାତା ହିଁ ଜମା ହେଉଥିବ! ଏପରି ମଧ୍ୟ ନୁହେଁ ଯେ ମୁଁ ତ ଦାନ ପୁଣ୍ୟ କରୁଛି ବାସ୍ ହୋଇଗଲା । ନା ।
ଆମର ଯେଉଁ କର୍ମରୂପୀ ଖାତା ଜମା ହେଉଛି ସେହି ଅନୁସାରେ ହିଁ ଆମକୁ ସତର୍କ ହୋଇ ଚାଲିବାକୁ ହେବ ।
ଆମେ ଯାହା କିଛି ବି କରୁଛୁ ସେଥିରେ କୌଣସି ବିକାରର ବଶବର୍ତ୍ତୀ ହୋଇ ନିଜର ବିକର୍ମର ଖାତା ଜମା
କରୁନାହୁଁ ତ? ଏଥିରେ ନିଜେ ନିଜକୁ ସମ୍ଭାଳିବାକୁ ହେବ ଅର୍ଥାତ୍ ଠିକ୍ ରାସ୍ତାରେ ଚଲାଇବାକୁ ହେବ
। ଏହିସବୁର ହିସାବ ଅର୍ଥାତ୍ ଚାର୍ଟ ରଖିବାକୁ ପଡିବ ଏବଂ ଶୋଇବା ପୂର୍ବରୁ ୧୦-୧୫ ମିନିଟ୍ ନିଜକୁ
ଦେଖିବା ଦରକାର ଯେ - ସାରା ଦିନଟି ମୋର କିପରି ବିତିଲା? କେହି କେହି ତ ନୋଟ୍ ମଧ୍ୟ କରିଥାଆନ୍ତି
କାହିଁକି ନା ପୂର୍ବଜନ୍ମର ଯେଉଁ ପାପର ବୋଝ ମୁଣ୍ଡ ଉପରେ ରହିଛି ସେଗୁଡିକୁ ମଧ୍ୟ ସମାପ୍ତ କରିବାକୁ
ହେବ । ସେଥିପାଇଁ ବାବା ଆଦେଶ ଦେଉଛନ୍ତି - ମୋତେ ମନେ ପକାଅ, ତାହା ମଧ୍ୟ ଦେଖିବା ଦରକାର ଯେ ମୁଁ
କେତେ ସମୟ ବାବାଙ୍କୁ ମନେ ପକାଉଛି? କାହିଁକି ନା ଏହିଭଳି ଚାର୍ଟ ରଖିବା ଦ୍ୱାରା ଆର ଦିନ ପାଇଁ
ସାବଧାନ ରହିବ ଏବଂ ସାବଧାନ ରହି ଧୀରେ ଧୀରେ ପୁରା ସାବଧାନ ହୋଇଯିବ ଏବଂ ତୁମର ପ୍ରତ୍ୟେକ କର୍ମ
ବହୁତ ଭଲ ହୋଇଯିବ । ଆଉ କୌଣସି ପାପ କର୍ମ ହେବ ନାହିଁ । କାହିଁକି ନା ପାପ କର୍ମରୁ ତ ରକ୍ଷା
ପାଇବାକୁ ହେବ ନା! ଆଚ୍ଛା! ମିଠା ମା’ଙ୍କର ମିଠା ମିଠା ସନ୍ତାନମାନଙ୍କ ପ୍ରତି ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ଗୁଡ୍ମର୍ଣ୍ଣିଙ୍ଗ୍ ।
ସନ୍ଦେଶୀଙ୍କ ଶରୀର
ଦ୍ୱାରା ସରସ୍ୱତୀ ମା’ ଙ୍କ ସହିତ ଅବ୍ୟକ୍ତି ପ୍ରଭୁଙ୍କର ମିଳନ ଏବଂ ବାର୍ତ୍ତାଳାପ:-
ବେଟୀ ଶ୍ରୀ ରାଧେ ଦେଖ,
ତୁମ ପାଖକୁ କିଏ ଆସି ବିରାଜମାନ ହୋଇଛନ୍ତି? କେତେ ବଡ ଶକ୍ତି ତୁମ ସହିତ କଥାବାର୍ତ୍ତା କରୁଛନ୍ତି!
ମୋ’ର ଆସିବାର ରହସ୍ୟ ଦ୍ୱାରା ତୁମେ ନିଜକୁ ମଧ୍ୟ ଜାଣିପାରିବ । ଆସିବାବାଲାଙ୍କର ପୋଜିଶନ୍ ସହିତ
ନିଜର ପୋଜିଶନ୍କୁ ଅର୍ଥାତ୍ ପଦବୀକୁ ମଧ୍ୟ ଜାଣିପାରିବ । ହେ ରାଧେ ବେଟୀ, ତୁମେ ମୋ’ର ଚତ୍ମକାରୀ
ଦେଖିବାକୁ ଚାହୁଁଛ! ଯଦି ମୁଁ ଚାହିଁବି ତେବେ ଗୋଟିଏ ସେକେଣ୍ଡରେ ବିନାଶ କରାଇପାରିବି କିନ୍ତୁ
କରୁନାହିଁ । କାହିଁକି ନା ଏହି ବିରାଟ ଫିଲ୍ମ ଅନୁସାରେ ଯେଉଁ ଯେଉଁ କର୍ତ୍ତବ୍ୟ ଯାହା
ଯାହାଦ୍ୱାରା ସମ୍ପାଦିତ ହେଦା ଦରକାର ତାହା ନିଶ୍ଚିତ ହେବ । ଅବ୍ୟକ୍ତ ପ୍ରଭୁ ଅନାଦି କାଇଦା
କାନୁନ୍କୁ ଜାଣିଛନ୍ତି । ତେଣୁ ସେହିଁ ଆସି ଅନାଦି କାଇଦା ଅର୍ଥାତ୍ ବିଧିବିଧାନର ପରିଚୟ
ଦେଉଛନ୍ତି । ସାରା ସୃଷ୍ଟିର ଏହି ଅନାଦି ଖେଳ ଚାଲିଛି । ତେଣୁ ବାସ୍ତବିକ ରୂପରେ ଖେଳ ଚାଲିବା
ପାଇଁ ସମୟ ଲାଗୁଛି । ଯଦି ଏତେ ବର୍ଷର ଖେଳକୁ ଏକ ସେକେଣ୍ଡରେ ପୁରା କରିଦେବି ତେବେ ବାକି ଖେଳ
କ’ଣ ଚାଲିବ! ତେଣୁ ଯେଉଁ ଯେଉଁ କଷ୍ଟକୁ ଯେପରି ଦେଖିବା ଅର୍ଥାତ୍ ସହନ କରିବା ଦରକାର ତାହା
ସେହିପରି ହିଁ ଜଟିଳ ରହସ୍ୟର ସହିତ ପୁନରାବୃତ୍ତି ହେଉଛି । ଏହା ବଡ ଜଟିଳ ପୁନରାବୃତ୍ତି ଅଟେ,
ଯାହାକୁ ହେ ମୋ’ର ପ୍ରିୟ ରାଧେ ତୁମେ ଏବଂ ମୁଁ ଦେଖି କେତେ ହର୍ଷିତ ହେଉଛେ ।
ଏହି ବିରାଟ ଡ୍ରାମାର ସବୁ
ଅଭିନୟ ପରୀକ୍ଷା ନେବା ପାଇଁ ହିଁ ତିଆରି ହୋଇଛି । ତେଣୁ ଏହି ଖେଳକୁ ପରିଚାଳିତ କରାଇବାବାଲା ଯଦି
ଚାହିଁବେ ତେବେ ଗୋଟିଏ ସେକେଣ୍ଡରେ ଏହି ଡ୍ରାମାକୁ ଡ୍ରପ୍ କରିଦେଇପାରିବେ ଅର୍ଥାତ୍ ସମାପ୍ତ କରି
ପୁନର୍ବାର ନୂଆ ରୂପରେ ଆରମ୍ଭ କରିପାରିବେ । କିନ୍ତୁ କରୁନାହାଁନ୍ତି କାହିଁକି ନା ଈଶ୍ୱରଙ୍କୁ
ମଧ୍ୟ ଏହିଭଳି ସାଧାରଣ ରୀତିରେ କର୍ତ୍ତବ୍ୟ କରିବାକୁ ପଡୁଛି । ସ୍ୱୟଂ ସର୍ବଶକ୍ତିବାନ ନିରାକାର
ଈଶ୍ୱର ସାକାର ସ୍ୱରୂପରେ ଅଛନ୍ତି କିନ୍ତୁ ସାଧାରଣ ବେଶରେ ଅଛନ୍ତି । ଏହା ହିଁ ତ ଭୁଲ୍ ଭୁଲୈୟାର
ଖେଳ । ଏହାକୁ ଯିଏ ଜାଣିଛି ତାକୁ ହିଁ ସର୍ବଜ୍ଞ କୁହାଯିବ ।
ବେଟୀ ଶ୍ରୀ ରାଧେ, ମୋ’ର
ସମସ୍ତ ପ୍ରିୟ ବତ୍ସମାନଙ୍କୁ ଏହି ସହନ କରିବାର ମାର୍ଗକୁ ମଧ୍ୟ ନିଶ୍ଚିତ ଅତିକ୍ରମ କରିବାକୁ ହେବ
। ଯଦି ମୁଁ ଚାହିଁବି ତେବେ ନିଜର ସନ୍ତାନମାନଙ୍କ ପାଇଁ ଏହାର ସହଜ ମାର୍ଗ ମଧ୍ୟ ତିଆରି କରିପାରିବି
। କାହିଁକି ନା ସାକ୍ଷାତ୍କାର କରାଇବାର ଚାବୀ ମୋ ପାଖରେ ଅଛି । ଯଦି କୌଣସି ବି ଧନବାନ ଭକ୍ତକୁ
କୌଣସି ଦେବତାର ସାକ୍ଷାତ୍କାର କରାଇଦେବି ତେବେ ସେ ତା’ର ସବୁ ଧନ ସମ୍ପତ୍ତି ଯଜ୍ଞରେ ସ୍ୱାହା
କରିଦେବ । କାହିଁକି ନା ଈଶ୍ୱର ସବୁ ଧନବାନଙ୍କର ଧନବାନ ଅଟନ୍ତି! କିନ୍ତୁ ତୁମର ପିତା ଚାହୁଁଛନ୍ତି
ଯେ ମୁଁ ମୋ’ର ପ୍ରିୟ ଭିକାରୀ ସନ୍ତାନମାନଙ୍କୁ ରାଜକୁମାର-ରାଜକୁମାରୀ କରିବି । ସେଥିପାଇଁ
ତୁମେମାନେ ଏସବୁକୁ ସହନ କରିବା ପରେ ଯାଇ ରାଜକୁମାର-ରାଜକୁମାରୀ ହେବ । ବାବା ଜାଣିଛନ୍ତି ଯେ
ପିଲାମାନଙ୍କୁ ଏହି ସହନ କରିବାର ମାର୍ଗକୁ ନିଶ୍ଚିତ ଅତିକ୍ରମ କରିବାକୁ ପଡିବ କାରଣ ସହନ କରିବା
ମଧ୍ୟ ଏକ ଈଶ୍ୱରୀୟ ଗୁଣ ବା ଦୈବୀଗୁଣ ଅଟେ । ଯେଉଁଥିରେ ହିଁ ଖୁସି ସମାହିତ ହୋଇ ରହିଛି । ଯେଉଁ
ଗୁଣ ଆଧାରରେ ଈଶ୍ୱରୀୟ ସୁଖର ଅନୁଭୂତି ହୋଇଥାଏ । ତେବେ ସବୁକିଛି ସହନ କରୁଥିଲେ ମଧ୍ୟ ତୁମେମାନେ
କେତେ ମଉଜରେ ରହୁଛ ଏହା ହିଁ ହେଉଛି ଏହି ଗୋପନୀୟ ଜ୍ଞାନର ଚତ୍ମକାରୀ । ଏହିଭଳି ଅନାସକ୍ତ
ଯୋଗୀମାନେ ହିଁ ସ୍ଥାୟୀ ସୁଖ ପ୍ରାପ୍ତ କରିଥାଆନ୍ତି ।
ଏବେ ତ ପରୀକ୍ଷାର ସମୟ
ମଧ୍ୟ ପାଖେଇ ଆସିଲାଣି । ତେଣୁ ପ୍ରତ୍ୟେକ ସନ୍ତାନ ଆଗାମୀ ପରୀକ୍ଷାଗୁଡିକୁ ପୂର୍ବରୁ ହିଁ
ସମ୍ମୁଖରେ ରଖି ସେହି ଅଭ୍ୟାସ ଅନୁସାରେ ଚାଲୁଥାଆନ୍ତୁ । ଯଦିଓ କେହି କେହି ସନ୍ତାନଙ୍କୁ ଖାଦ୍ୟ
ପାନୀୟ ଇତ୍ୟାଦି ନ ମିଳିପାରେ ପୁଣି ବି ସର୍ବଦା ଚିନ୍ତାମୁକ୍ତ ରାଜା ହୋଇ ଉପସ୍ଥିତ ରହିଥାଆନ୍ତୁ
। ଏହିଭଳି ନିଜର ସୁନ୍ଦର ଅବସ୍ଥାର ଅଭ୍ୟାସ ବହୁତ ସମୟ ଧରି ଜାରି ରଖିବାକୁ ପଡିବ । ଯଦି କେହି
ଭାବୁଛନ୍ତି ଯେ ଅନ୍ତିମ ସମୟରେ ଆମେ ଆପେ ଆପେ ହୋଇଯିବୁ ତେବେ ଏଭଳି ଭାବିବା ଅର୍ଥାତ୍ ନିଜକୁ ଧୋକା
ଦେବା, ସେଥିପାଇଁ ପୂର୍ବରୁ ହିଁ ସାବଧାନ ହୋଇ ରହିବାକୁ ହେବ ।
ମୋର ଅତି ପ୍ରିୟ
ସନ୍ତାନମାନେ ଯୋଗରେ ତ ବସୁଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ସେହି ଲାଇଟ୍ର ତେଜ ମୋର ବତନ ଅର୍ଥାତ୍
ରହିବାର ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିନାହିଁ । ଯେତେବେଳେ ସମସ୍ତେ ଲାଇଟ୍ ସ୍ୱରୂପ ହୋଇ ଉପସ୍ଥିତ
ରହିବେ ସେତେବେଳେ ସେମାନଙ୍କର ଯୋଗର ତେଜ ମୋର ବତନ ପର୍ଯ୍ୟନ୍ତ ଆସିବ ତେବେ ଯାଇ ପ୍ରତ୍ୟେକଙ୍କର
ସମ୍ପୂର୍ଣ୍ଣ ଲାଇଟ୍ ତାଙ୍କ ଭିତରେ ପ୍ରବେଶ କରିବ । ସେତେବେଳେ ଯାଇ ଶକ୍ତିମାନଙ୍କର ମହିମା
ଜଣାପଡିବ । ତେଣୁ ସମସ୍ତଙ୍କୁ ନିଜର ନିଶ୍ଚୟରେ ଏଭଳି ସ୍ଥିର ହୋଇ ରହିବାକୁ ହେବ ଯାହାକି ମୁଁ
ମଧ୍ୟ ଯଦି ସେହି ଆସନରୁ ଖସାଇବାକୁ ଚାହିଁବି ତେବେ ବି ଖସାଇ ପାରିବି ନାହିଁ ।
ହେ ଶିରୋମଣୀ ଶକ୍ତି ରାଧେ
ଶକ୍ତିମାନଙ୍କୁ ଜ୍ଞାନର ନେଷ୍ଠା ବଳରେ ଏବଂ ମୁଖ ଦ୍ୱାରା ଜ୍ଞାନ ମୁରଲୀ ବଜାଇବାରେ ପ୍ରସ୍ତୁତ
ରହିବା ଦରକାର । ତୁମକୁ ନିଜର ଏକରସ ଈଶ୍ୱରୀୟ ଦୃଷ୍ଟି ଦ୍ୱାରା ସମସ୍ତଙ୍କୁ କୃତାର୍ଥ କରି ନିଜର
ମଧୁର ବାଣୀ ଦ୍ୱାରା ପରିଚୟ ଦେବାକୁ ହେବ ଯେ ମୁଁ କିଏ ଏବଂ ମୋର ପିତା କିଏ? ଏବଂ ବ୍ରହ୍ମାଙ୍କ
ଶରୀରରେ କିପରି ଭଗବାନ ପ୍ରତ୍ୟକ୍ଷ ହେଉଛନ୍ତି ଯିଏକି ଏହି ଅନ୍ତିମ ସମୟରେ ଆସୁରୀ ଦୁନିଆକୁ
ସମାପ୍ତ କରି ନିଜର ସ୍ୱ ଦେଶକୁ ଏବଂ ଦୈବୀ ଦୁନିଆକୁ ନେଇଯାଉଛନ୍ତି ।
ହେ ରାଧେ ବେଟୀ,
ଯେତେବେଳେ ସମସ୍ତଙ୍କର ଅବସ୍ଥା ଦୀପକର ଜ୍ୟୋତି ସଦୃଶ ସ୍ଥିର ରହିବ ସେତେବେଳେ ଯାଇ ଅନ୍ତିମ
ସୂକ୍ଷ୍ମ ପ୍ରେରଣା ଗୁଡିକୁ ଗ୍ରହଣ କରି ନିଜର କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ସିଦ୍ଧି କରିପାରିବେ
। ତେବେ ଯାହାର ଯେତିକି ଜ୍ଞାନ ଅନୁସାରେ ଅବସ୍ଥା ହୋଇଥିବ ସେ ସେହି ଅନୁସାରେ ପ୍ରେରଣାଗୁଡିକୁ
ଗ୍ରହଣ କରିପାରିବ, ଏବଂ ଯେତେ ଯେତେ ସେହି ଅବସ୍ଥାରେ ସବୁବେଳେ ରହିବ ସେତେ ସେତେ ସମ୍ପୂର୍ଣ୍ଣ
ପ୍ରେରଣାଗୁଡିକ ଅନୁଭବ ହୋଇପାରିବ ।
ଅହୋ! ରାଧେ ବେଟୀ, ମୋ’ର
ସ୍ୱରୂପକୁ ତ ଦେଖ, କ’ଣ ମୋର ବତ୍ସମାନେ ମୋ’ର ସ୍ୱରୂପକୁ ଦେଖିପାରୁ ନାହାଁନ୍ତି! ମୁଁ କିପରି
ଅଖଣ୍ଡ ଜ୍ୟୋତି ତତ୍ତ୍ୱରୁ ଆସି ସାକ୍ଷାତ୍ ପ୍ରବେଶ କରି କଥା କହୁଛି! ମୋ’ ଦ୍ୱାରା ହିଁ ଏହି ସବୁ
ସାକ୍ଷାତ୍କାର ଗୁଡିକ ହେଉଛି କାହିଁକି ନା ମୁଁ ହିଁ ସମସ୍ତଙ୍କର ମୂଳ ସମୁହ ଅଟେ । ଦେଖ, ପ୍ରକୃତି
ମଧ୍ୟରେ କିପରି ଜ୍ଞାନର ଲାଇଟ୍ ଚମକୁଛି । ବତ୍ସମାନେ କେବଳ ଏତିକି ବିଚାର କରନ୍ତୁ ଯେ ଆହା!,
ଯାହାଙ୍କୁ ସାରା ସୃଷ୍ଟି ଡାକୁଛି ସେହି ସ୍ୱୟଂ ସର୍ବଶକ୍ତିବାନ ଈଶ୍ୱର ଏହି ଯଜ୍ଞରେ ଆମ
ପିଲାମାନଙ୍କ ସମ୍ମୁଖରେ ଉପସ୍ଥିତ ଅଛନ୍ତି । ତାଙ୍କର ଶୀତଳ କୋଳରେ ବସିଲେ ହୃଦୟ ଶାନ୍ତି ହୋଇଯାଉଛି
। ଯଦି ରଚନାକୁ ତା’ର ରଚୟିତା ମିଳିଗଲେ, ତେବେ ତାଙ୍କୁ ଛାଡି ତାଙ୍କର ରଚନାମାନଙ୍କ ପାଖକୁ
କାହିଁକି ଯିବା! ସବୁଠାରୁ ଉଚ୍ଚରୁ ଉଚ୍ଚ ନିଜେ ସର୍ବଶକ୍ତିର ଅଧିକାରୀ ଯାହାଙ୍କ ଠାରୁ ସମସ୍ତ
ଶକ୍ତି ପ୍ରକଟ ହୋଇଛି ଯଦି ତାଙ୍କର ପରିଚୟ ମିଳିଯାଇଛି ତେବେ ତାଙ୍କର କୋଳ ଛାଡିବା ଅସମ୍ଭବ
ହୋଇଯିବ । ଯେତେବେଳେ ସ୍ୱୟଂ ରଚୟିତାଙ୍କର ପରିଚୟ ମିଳିଯିବ, ସେତେବେଳେ ହିଁ ଜାଣିପାରିବ ଯେ ଇଏ
କିଏ! ବୁଝିଲ ତ ଶିରୋମଣୀ ରାଧେ । ଆଚ୍ଛା! ଓମ୍ ଶାନ୍ତି ।
ବରଦାନ:-
ସର୍ବଦା
ଅତୀନ୍ଦ୍ରିୟ ସୁଖର ଝୁଲଣାରେ ଝୁଲୁଥିବା ସଂଗମଯୁଗର ସର୍ବ ଅଲୌକିକ ପ୍ରାପ୍ତିଗୁଡିକରେ ସମ୍ପନ୍ନ ଭବ
।
ଯେଉଁ ପିଲାମାନେ ଅଲୌକିକ
ପ୍ରାପ୍ତି ଗୁଡିକରେ ସର୍ବଦା ସମ୍ପନ୍ନ ଅଟନ୍ତି ସେମାନେ ଅତୀନ୍ଦ୍ରିୟ ସୁଖର ଝୁଲଣାରେ ଝୁଲୁ
ଥାଆନ୍ତି, ସେହିପରି ସର୍ବପ୍ରାପ୍ତି ସମ୍ପନ୍ନ ବ୍ରାହ୍ମଣମାନଙ୍କର ଝୁଲଣା ହେଲା ଅତୀନ୍ଦ୍ରିୟ ସୁଖର
ଝୁଲଣା । ଏହି ଝୁଲଣାରେ ସର୍ବଦା ଝୁଲୁଥାଅ, କେବେ ବି ଦେହ-ଅଭିମାନରେ ଆସ ନାହିଁ । ଯେଉଁମାନେ
ଝୁଲଣାରୁ ଓହ୍ଲାଇ ମାଟି ଉପରେ ପାଦ ରଖିଥାଆନ୍ତି, ସେମାନେ ମଇଳା ହୋଇଯାଆନ୍ତି । ତେଣୁ ଉଚ୍ଚରୁ
ଉଚ୍ଚ ପିତାଙ୍କର ସ୍ୱଚ୍ଛ ପିଲାମାନେ ସର୍ବଦା ଅତୀନ୍ଦ୍ରିୟ ସୁଖର ଝୁଲଣାରେ ଝୁଲୁଥାଆନ୍ତି, ସେମାନେ
କେବେହେଲେ ମାଟି ଉପରେ ପାଦ ରଖିପାରିବେ ନାହିଁ ।
ସ୍ଲୋଗାନ:-
“ମୁଁ ତ୍ୟାଗୀ
ଅଟେ” ଏହି ଅଭିମାନର ତ୍ୟାଗ ହିଁ ସଚ୍ଚା ତ୍ୟାଗ ଅଟେ ।
ଅବ୍ୟକ୍ତ ଇଶାରା:-
ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ । ଯଦି ନିଜକୁ ଅକାଳମୂରତ ଆତ୍ମା
ମନେ କରିବ ତେବେ ଅକାଳମୃତ୍ୟୁ ଠାରୁ, ଅକାଳ ଦୁର୍ଭିକ୍ଷରୁ ଏବଂ ସର୍ବ ସମସ୍ୟାଠାରୁ ସୁରକ୍ଷିତ
ରହିପାରିବ । ମାନସୀକ ଚିନ୍ତା ଏବଂ ମାନସୀକ ପରିସ୍ଥିତି ଗୁଡିକୁ ଦୂର କରିବାର ଏକାମାତ୍ର ଉପାୟ
ହେଲା - ନିଜର ଏହି ପୁରୁଣା ଶରୀରର ଚେତନାକୁ ସମାପ୍ତ କରିବା । ତେବେ ନିଜର ଦେହ-ଅଭିମାନକୁ
ସମାପ୍ତ କରିବା ଦ୍ୱାରା ସବୁ ପ୍ରକାରର ପରିସ୍ଥିତି ଆପେ ଆପେ ସମାପ୍ତ ହୋଇଯିବ ।