25.01.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବୁଦ୍ଧିମାନ ବିଦ୍ୟାର୍ଥୀ ହୋଇ ଭଲ ନମ୍ବର ରଖି ପାସ୍ ହେବାର ପୁରୁଷାର୍ଥ କର, ଅଳସୁଆ ବିଦ୍ୟାର୍ଥୀ ହୁଅ ନାହିଁ, ଅଳସୁଆ ବିଦ୍ୟାର୍ଥୀ ସେମାନଙ୍କୁ କୁହାଯିବ, ଯେଉଁମାନଙ୍କର ସାରାଦିନ ମିତ୍ର-ସମ୍ବନ୍ଧୀ ମନେ ପଡିଥା’ନ୍ତି ।”

ପ୍ରଶ୍ନ:-
ସଂଗମଯୁଗରେ ସବୁଠାରୁ ଅଧିକ ଭାଗ୍ୟଶାଳୀ କାହାକୁ କୁହାଯିବ?

ଉତ୍ତର:-
ଯେଉଁମାନେ ନିଜର ତନ, ମନ, ଧନ, ସବୁ କିଛି ସଫଳ କରିଛନ୍ତି କିମ୍ବା କରୁଛନ୍ତି, ସେହିମାନେ ହିଁ ଭାଗ୍ୟଶାଳୀ ଅଟନ୍ତି । କେହି କେହି ତ ବହୁତ କଞ୍ଜୁସ୍ ଥା’ନ୍ତି, ସେଥିରୁ ଜଣାପଡିଯାଏ ଯେ ୟାଙ୍କ ଭାଗ୍ୟରେ ନାହିଁ । ବୁଝିପାରନ୍ତି ନାହିଁ ଯେ ବିନାଶ ସମ୍ମୁଖରେ ଦଣ୍ଡାୟମାନ, କିଛି ତ ଭଲ କାମ କରିନେବା ଦରକାର । ଭାଗ୍ୟବାନ ପିଲାମାନେ ଭାବନ୍ତି ନିଜେ ବାବା ଏବେ ସମ୍ମୁଖକୁ ଆସିଛନ୍ତି, ତେଣୁ ଆମେ ନିଜର ସବୁ କିଛି ସଫଳ କରି ନେବୁ । ସାହସ କରି ଅନେକଙ୍କର ଭାଗ୍ୟ ଗଢିବାରେ ନିମିତ୍ତ ହେବୁ ।

ଗୀତ:-
ତକଦୀର ଜଗାକର ଆୟୀ ହୁଁ....

ଓମ୍ ଶାନ୍ତି ।
ଏବେ ତ ତୁମେ ପିଲାମାନେ ନିଜର ଭାଗ୍ୟ ନିର୍ମାଣ କରୁଛ । ଗୀତାରେ ଶ୍ରୀକୃଷ୍ଣର ନାମ ଲେଖି ଦେଇଛନ୍ତି ଏବଂ କହୁଛନ୍ତି ଭଗବାନଉବାଚ ମୁଁ ତୁମକୁ ରାଜଯୋଗ ଶିଖାଉଛି । ବାସ୍ତବରେ କୃଷ୍ଣ ଭଗବାନଉବାଚ କିଛି ନାହିଁ । ଏହି ଶ୍ରୀକୃଷ୍ଣ ତ ତୁମ ପାଠପଢାର ଲକ୍ଷ୍ୟ ଅଟନ୍ତି । ଶିବ ଭଗବାନଉବାଚ - ମୁଁ ତୁମକୁ ରାଜାମାନଙ୍କର ରାଜା କରୁଛି । ତେବେ ନିଶ୍ଚିତ ପ୍ରଥମ ରାଜକୁମାର କୃଷ୍ଣ ହିଁ ହେବେ । ବାସ୍ତବରେ କୃଷ୍ଣ ଭଗବାନଉବାଚ ନୁହେଁ । କୃଷ୍ଣ ସଦୃଶ ହେବା ତ ତୁମମାନଙ୍କର ପାଠପଢାର ଲକ୍ଷ୍ୟ ଅଟେ, ଏହା ତ ପାଠଶାଳା ଅଟେ ନା ଯେଉଁଠି ସ୍ୱୟଂ ଭଗବାନ ପାଠ ପଢାଉଛନ୍ତି । ତୁମେ ସମସ୍ତେ ରାଜକୁମାର ରାଜକୁମାରୀ ହେଉଛ ।

ବାବା କହୁଛନ୍ତି ବହୁତ ଜନ୍ମର ଅନ୍ତିମର ମଧ୍ୟ ଅନ୍ତିମ ଅବସ୍ଥାରେ ମୁଁ ତୁମକୁ ଏହି ଜ୍ଞାନ ଶୁଣାଉଛି ତୁମକୁ ପୁଣି ସେହି ଶ୍ରୀକୃଷ୍ଣଙ୍କ ଭଳି କରିବା ପାଇଁ । ଏହି ପାଠଶାଳାର ଶିକ୍ଷକ ଶିବବାବା ଅଟନ୍ତି, ଶ୍ରୀକୃଷ୍ଣ ନୁହଁନ୍ତି । ଶିବବାବା ହିଁ ଦୈବୀ ଧର୍ମର ସ୍ଥାପନା କରିଥା’ନ୍ତି । ତୁମେ ପିଲାମାନେ କହୁଛ ଆମେ ଆସିଛୁ ଆମର ଭାଗ୍ୟ ଗଢିବା ପାଇଁ । ଆତ୍ମା ଜାଣିଛି, ମୁଁ ପରମପିତା ପରମାତ୍ମାଙ୍କ ଦ୍ୱାରା ଏବେ ଭାଗ୍ୟ ଗଢିବା ପାଇଁ ଆସିଛି । ଏହା ହେଉଛି ରାଜକୁମାର, ରାଜକୁମାରୀ ହେବାର ଭାଗ୍ୟ । ରାଜଯୋଗ ଅଟେ ନା । ଶିବବାବାଙ୍କ ଦ୍ୱାରା ପ୍ରଥମେ ସ୍ୱର୍ଗର ଦୁଇଟି ପତ୍ର ରାଧା ଓ କୃଷ୍ଣ ବାହାରିଥା’ନ୍ତି । ଏହି ଯେଉଁ ଚିତ୍ର ତିଆରି ହୋଇଛି, ତାହା ସଠିକ୍ ଅଟେ ଏବଂ ତାହା ବୁଝାଇବା ପାଇଁ ମଧ୍ୟ ବହୁତ ଭଲ । ଗୀତାର ଜ୍ଞାନ ଦ୍ୱାରା ହିଁ ଭାଗ୍ୟ ତିଆରି ହୋଇଥାଏ । ତୁମର ଭାଗ୍ୟ ଜାଗ୍ରତ ହୋଇଥିଲା, ତାହା ପୁଣି ବିଗିଡି ଯାଇଛି । ବହୁତ ଜନ୍ମର ଶେଷରେ ତୁମେ ପୁଣି ଏକଦମ୍ ତମଃପ୍ରଧାନ, କାଙ୍ଗାଳ ହୋଇଯାଇଛ । ଏବେ ପୁଣି ରାଜକୁମାର ହେବାକୁ ପଡିବ । ପ୍ରଥମେ ତ ନିଶ୍ଚିତ ରାଧା-କୃଷ୍ଣ ହିଁ ହେବେ ପୁଣି ତାଙ୍କର ମଧ୍ୟ ରାଜଧାନୀ ସ୍ଥାପନା ହେବ । ସେଠାରେ କେବଳ ଜଣେ ତ ନ ଥିବେ ନା । ସ୍ୱୟଂବର ପରେ ରାଧା କୃଷ୍ଣ ହିଁ ପୁଣି ଲକ୍ଷ୍ମୀ-ନାରାୟଣ ହୋଇଥା’ନ୍ତି । ନରରୁ ରାଜକୁମାର ବା ନାରାୟଣ ହେବା ଏକା କଥା ଅଟେ । ତୁମେମାନେ ଜାଣିଛ ଏହି ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ । ତେବେ ସ୍ୱର୍ଗର ସ୍ଥାପନା ତ ନିଶ୍ଚିତ ସଂଗମଯୁଗରେ ହିଁ ହୋଇଥିବ । ସେଥିପାଇଁ ସଂଗମଯୁଗକୁ ପୁରୁଷୋତ୍ତମ ଯୁଗ କୁହାଯାଏ । ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହୋଇଯିବ ବାକି ଅନ୍ୟ ସବୁ ଧର୍ମ ବିନାଶ ହୋଇଯିବ । ସତ୍ୟଯୁଗରେ ନିଶ୍ଚିତ ଭାବରେ ଗୋଟିଏ ହିଁ ଧର୍ମ ଥିଲା । ସେହି ଇତିହାସ-ଭୂଗୋଳର ନିଶ୍ଚିତ ଭାବରେ ପୁନରାବୃତ୍ତି ହେବ । ପୁନର୍ବାର ସ୍ୱର୍ଗର ସ୍ଥାପନା ହେବ । ଯେଉଁଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ପରିସ୍ତାନ ଥିଲା, ତାହା ଏବେ ତ ଶ୍ମଶାନ ପାଲଟି ଯାଇଛି । ସମସ୍ତେ କାମ ଚିତା ଉପରେ ବସି ଭସ୍ମ ହୋଇଯିବେ । ସତ୍ୟଯୁଗରେ ତୁମେ ମହଲ ଇତ୍ୟାଦି ନିର୍ମାଣ କରିବ । ଏପରି ନୁହେଁ କି ମାଟି ତଳୁ କୌଣସି ସୁନାର ଦ୍ୱାରିକା ବା ଲଙ୍କା ବାହାରି ଆସିବ । ହୁଏତ ଦ୍ୱାରିକା ବାହାରି ପାରେ କିନ୍ତୁ ଲଙ୍କା ତ ନ ଥିବ । ରାମରାଜ୍ୟକୁ ସୁବର୍ଣ୍ଣଯୁଗ କୁହାଯାଏ । ଖାଣ୍ଟି ସୁନା ଯାହା କିଛି ଥିଲା ସେ ସବୁ ଲୁଟ୍ ହୋଇଯାଇଛି । ତୁମେମାନେ ଜାଣିଛ ଭାରତ କେତେ ଧନବାନ ଥିଲା । ଏବେ ତ କାଙ୍ଗାଳ ହୋଇଯାଇଛି । କାଙ୍ଗାଳ ଶବ୍ଦ ଲେଖିବା ମଧ୍ୟ କୌଣସି ଖରାପ କଥା ନୁହେଁ । ତୁମେମାନେ ବୁଝାଇ ପାରିବ ସତ୍ୟଯୁଗରେ ଗୋଟିଏ ମାତ୍ର ଧର୍ମ ଥିଲା । ସେଠାରେ ଅନ୍ୟ କୌଣସି ଧର୍ମ ରହିବ ନାହିଁ । କେହି-କେହି କହିଥା’ନ୍ତି ଏହା କିପରି ସମ୍ଭବ ହେବ, କ’ଣ କେବଳ ଦେବତାମାନେ ହିଁ ରହିବେ? ଅନେକ ମତ ମତାନ୍ତର ରହିଛି, ଗୋଟିଏ ମତ ଅନ୍ୟ ମତ ସହିତ ମିଶୁ ନାହିଁ । କେତେ ଆଶ୍ଚର୍ଯ୍ୟର କଥା । କେତେ ଅଭିନେତା ଅଛନ୍ତି । ଏବେ ସ୍ୱର୍ଗର ସ୍ଥାପନା ହେଉଛି । ଆମେ ସ୍ୱର୍ଗବାସୀ ହେବାକୁ ଯାଉଛୁ, ଏ କଥା ମନେ ରହିଲେ ସର୍ବଦା ହର୍ଷିତମୁଖ ହୋଇ ରହିପାରିବେ । ତୁମମାନଙ୍କୁ ବହୁତ ଖୁସିରେ ରହିବା ଦରକାର । ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତ ବହୁତ ଶ୍ରେଷ୍ଠ ଅଟେ ନା । ଆମେ ମନୁଷ୍ୟରୁ ଦେବତା, ସ୍ୱର୍ଗବାସୀ ହେବାକୁ ଯାଉଛୁ । ଏ କଥା ମଧ୍ୟ ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ ଯେ ଏବେ ସ୍ୱର୍ଗର ସ୍ଥାପନା ହେଉଛି । ଏହା ମଧ୍ୟ ସର୍ବଦା ମନେ ରହିବା ଦରକାର କିନ୍ତୁ ମାୟା ବାରମ୍ବାର ଭୁଲାଇ ଦେଉଛି । ଭାଗ୍ୟରେ ନାହିଁ ତେଣୁ ସୁଧୁରୁ ନାହାଁନ୍ତି । ମିଛ କହିବାର ଅଭ୍ୟାସ ଅଧାକଳ୍ପରୁ ରହି ଆସିଛି ଯାହାକି ଛାଡି ପାରୁନାହାଁନ୍ତି । ମିଥ୍ୟାକୁ ମଧ୍ୟ ଯେପରି ସମ୍ପତ୍ତି ଭାବି ନେଇଛନ୍ତି, ମିଛ କହିବା ଛାଡି ପାରୁ ନାହାଁନ୍ତି ତେଣୁ ବୁଝିବାକୁ ହେବ ଯେ ୟାଙ୍କର ଭାଗ୍ୟ ହିଁ ଏହିପରି ଅଟେ । ବାବାଙ୍କୁ ମନେ ପକାଉ ନାହାଁନ୍ତି । ଯୋଗ ମଧ୍ୟ ସେତେବେଳେ ଲାଗିବ ଯେତେବେଳେ ପୁରା ମୋହ ତୁଟିଯିବ । ସାରା ଦୁନିଆରୁ ବୈରାଗ୍ୟ ଆସିଯିବ । ମିତ୍ର-ସମ୍ବନ୍ଧୀଙ୍କୁ ଦେଖୁଥିଲେ ମଧ୍ୟ ଯେପରି ଦେଖୁ ନାହାଁନ୍ତି । ଜାଣିଥା’ନ୍ତି ଏମାନେ ସମସ୍ତେ ନର୍କବାସୀ, ଶ୍ମଶାନବାସୀ ଅଟନ୍ତି । ଏମାନେ ସମସ୍ତେ ବିନାଶ ହେବାକୁ ଯାଉଛନ୍ତି । ଏବେ ଆମକୁ ଘରକୁ ଫେରିବାକୁ ହେବ, ତେଣୁ ସୁଖଧାମ, ଶାନ୍ତିଧାମକୁ ମନେ ପକାଉଛୁ । କାଲି ଆମେ ସ୍ୱର୍ଗବାସୀ ଥିଲୁ, ରାଜ୍ୟ କରୁଥିଲୁ ଯାହାକୁ ଆମେ ହରାଇ ଦେଇଛୁ । ପୁଣି ଆମେ ରାଜ୍ୟ ପ୍ରାପ୍ତ କରୁଛୁ । ପିଲାମାନେ ଜାଣୁଛନ୍ତି ଯେ, ଭକ୍ତିମାର୍ଗରେ କେତେ ମୁଣ୍ଡ ନୁଆଁଇବା ସହିତ ଧନ ମଧ୍ୟ ବରବାଦ୍ କରିବାକୁ ପଡୁଛି । ଚିତ୍କାର କରୁଛନ୍ତି କିନ୍ତୁ କିଛି ବି ମିଳୁନାହିଁ । ଆତ୍ମା ଡାକୁଛି, ବାବା ଆସ ଆମକୁ ସୁଖଧାମକୁ ନେଇଚାଲ, ତାହା ମଧ୍ୟ ଯେତେବେଳେ ଶେଷ ସମୟରେ ବହୁତ ଦୁଃଖ ହୋଇଥାଏ ସେତେବେଳେ ମନେ ପକାଉଛନ୍ତି ।

ତୁମେମାନେ ଦେଖୁଛ, ଏବେ ଏହି ପୁରୁଣା ଦୁନିଆ ବିନାଶ ହେବାକୁ ଯାଉଛି । ଏବେ ଆମର ଏହା ଅନ୍ତିମ ଜନ୍ମ ଅଟେ । ଏହି ଜନ୍ମରେ ହିଁ ଆମକୁ ସାରା ଜ୍ଞାନ ମିଳିଛି ଯାହାକୁ ସମ୍ପୂର୍ଣ୍ଣ ରୂପେ ଧାରଣ କରିବାକୁ ହେବ । ଭୂମିକମ୍ପ ଇତ୍ୟାଦି ଅଚାନକ ହୋଇଥାଏ ନା । ହିନ୍ଦୁସ୍ତାନ, ପାକିସ୍ତାନର ବିଭାଜନ ସମୟରେ କେତେ ମରିଥିବେ । ତୁମମାନଙ୍କୁ ସୃଷ୍ଟି ଆରମ୍ଭରୁ ନେଇ ସୃଷ୍ଟି ଶେଷ ପର୍ଯ୍ୟନ୍ତ ସମସ୍ତ ଜ୍ଞାନ ଜଣା ଅଛି । ବାକି ଯାହା ରହିଯାଇଛି ତାହା ମଧ୍ୟ ଜଣା ପଡିଯିବ । କେବଳ ଗୋଟିଏ ସୋମନାଥଙ୍କ ମନ୍ଦିରରେ ତ ସୁନା ନ ଥିବ, ଆହୁରି ମଧ୍ୟ ବହୁତଙ୍କର ମହଲ, ମନ୍ଦିର ଇତ୍ୟାଦି ସୁନାର ଥିବ । ତା’ପରେ ପୁଣି କଣ ହୁଏ, କେଉଁଠି ଅର୍ନ୍ତଦ୍ଧାନ ହୋଇଗଲା? ନା ଭୂମିକମ୍ପରେ ଏପରି ତଳକୁ ଚାଲିଗଲା ଯାହା ଆଉ ବାହାରିପାରୁ ନାହିଁ? ଭିତରେ ଭିତରେ ନଷ୍ଟ ହୋଇଗଲା ନା କ’ଣ ହେଲା? ଭବିଷ୍ୟତରେ ତୁମମାନଙ୍କୁ ଏ ସବୁ କଥା ଜଣାପଡିବ । କହୁଛନ୍ତି ସୁନାର ଦ୍ୱାରିକା ସମୁଦ୍ର ଗର୍ଭକୁ ଚାଲିଯାଇଛି । ଏବେ ତୁମେମାନେ କହିବ ଡ୍ରାମା ଅନୁସାରେ ଯାହା ତଳକୁ ଚାଲିଯାଇଛି ଅର୍ଥାତ୍ ଅତୀତ ହୋଇଯାଇଛି ପୁଣି ଚକ୍ର(ସୃଷ୍ଟିଚକ୍ର) ଘୂରି ଆସିଲେ ତାହା ଉପରକୁ ଅର୍ଥାତ୍ ବର୍ତ୍ତମାନକୁ ଆସିଯିବ । ତାକୁ ମଧ୍ୟ ପୁନର୍ବାର ତିଆରି କରିବାକୁ ପଡିବ । ଏହି ଚକ୍ରକୁ ବୁଦ୍ଧିରେ ସ୍ମରଣ କରି ବହୁତ ଖୁସୀରେ ରହିବା ଉଚିତ୍ । ଏହି ଚିତ୍ର ବି ପକେଟ୍‌ରେ ରଖିବା ଦରକାର । ଏହି ବ୍ୟାଜ୍ ଦ୍ୱାରା ବହୁତ ସେବା ହୋଇପାରିବ । କିନ୍ତୁ ଏଭଳି ସେବା କେହି କରୁନାହାଁନ୍ତି । ତୁମେମାନେ ଟ୍ରେନ୍‌ରେ ମଧ୍ୟ ବହୁତ ସେବା କରିପାରିବ କିନ୍ତୁ କେହି ବି କେବେ ସେବା ସମାଚାର ଜଣାଉ ନାହାଁନ୍ତି ଯେ ଟ୍ରେନ୍‌ରେ କିପରି ସେବା କଲୁ । ତୃତୀୟ ଶ୍ରେଣୀର ଯାତ୍ରୀମାନଙ୍କର ମଧ୍ୟ ସେବା ହୋଇପାରିବ ଯେଉଁମାନେ କଳ୍ପ ପୂର୍ବେ ବୁଝିଥିବେ, ମନୁଷ୍ୟରୁ ଦେବତା ହୋଇଥିବେ ସେହିମାନେ ହିଁ ବୁଝିବେ । ମନୁଷ୍ୟରୁ ଦେବତା ବୋଲି ଗାୟନ ରହିଛି । ମନୁଷ୍ୟରୁ ଖ୍ରୀଷ୍ଟିୟାନ କିମ୍ବା ମନୁଷ୍ୟରୁ ଶିଖ୍‌, ଏପରି ତ ଗାୟନ କରାଯାଏ ନାହିଁ । ନାଁ । ମନୁଷ୍ୟରୁ ଦେବତା ହୋଇଥିଲେ ଅର୍ଥାତ୍ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହୋଇଥିଲା । ବାକି ସମସ୍ତେ ନିଜ ନିଜ ଧର୍ମକୁ ଚାଲିଗଲେ । କଳ୍ପବୃକ୍ଷରେ ଦର୍ଶାଯାଇଛି ଯେ ଅମୁକ ଅମୁକ ଧର୍ମ ପୁଣି କେବେ ସ୍ଥାପନ ହେବ? ଦେବତାମାନେ ପ୍ରଥମେ ହିନ୍ଦୁ ଧର୍ମର ହୋଇଗଲେ । ହିନ୍ଦୁ ଧର୍ମରୁ ପୁଣି ଅନ୍ୟ ଅନ୍ୟ ଧର୍ମକୁ ଚାଲିଗଲେ । ଏପରି ମଧ୍ୟ ବହୁତ ବାହାରିବେ ଯେଉଁମାନେ ନିଜର ଶ୍ରେଷ୍ଠ ଧର୍ମ କର୍ମକୁ ଛାଡି ଅନ୍ୟ ଧର୍ମରେ ଯାଇ ପଡିରହିଛନ୍ତି, ସେମାନେ ସମସ୍ତେ ବାବାଙ୍କ ନିକଟକୁ ଫେରିବେ । ଶେଷ ସମୟରେ ଅଳ୍ପ କିଛି ବୁଝିବେ ଏବଂ ପ୍ରଜାରେ ଆସିବେ । ଦେବୀ-ଦେବତା ଧର୍ମରେ ତ ସମସ୍ତେ ଆସିପାରିବେ ନାହିଁ । ସମସ୍ତେ ନିଜ ନିଜ ଧର୍ମର ବିଭାଗକୁ ଚାଲିଯିବେ । ତୁମ ବୁଦ୍ଧିରେ ଏହି ସବୁ କଥା ଅଛି । ଦୁନିଆରେ ତ କ’ଣ ନା କ’ଣ କରି ଚାଲିଛନ୍ତି । ଖାଦ୍ୟ ଶସ୍ୟ ପାଇଁ କେତେ ବ୍ୟବସ୍ଥା କରୁଛନ୍ତି । ବଡ ବଡ ମେଶିନ୍ ଆଦି ଲଗାଉଛନ୍ତି । ହେଲେ କିଛି ଲାଭ ହେଉନାହିଁ । ସୃଷ୍ଟିକୁ ତ ତମଃପ୍ରଧାନ ହେବାକୁ ହିଁ ପଡିବ । ସିଡି ତଳକୁ ଖସିବାକୁ ହିଁ ପଡିବ । ଡ୍ରାମାରେ ଯାହା ନିଧାର୍ଯ୍ୟ ରହିଛି ତାହା ହୋଇ ଚାଲିଛି । ପୁଣି ନୂଆ ଦୁନିଆର ସ୍ଥାପନା ହେବାର ହିଁ ଅଛି । ଏବେ ଯେଉଁ ସବୁ ବିଜ୍ଞାନ ଶିଖୁଛନ୍ତି, ଅଳ୍ପ ବର୍ଷ ମଧ୍ୟରେ ସେମାନେ ବହୁତ ଦକ୍ଷ ହୋଇଯିବେ । ଯାହା ଦ୍ୱାରା ପୁଣି ସେଠାରେ ବହୁତ ଭଲ ଭଲ ଜିନିଷ ତିଆରି ହେବ । ଏହି ବିଜ୍ଞାନ ମଧ୍ୟ ସେଠାରେ ସୁଖଦାୟୀ ହେବ । ବିଜ୍ଞାନ ଏଠାରେ ସୁଖ କମ ଏବଂ ଦୁଃଖ ଅଧିକ ଦେଉଛି । ଏହି ବିଜ୍ଞାନର ଆବିଷ୍କାର କେତେ ବର୍ଷ ହେଲା ହୋଇଛି? ଆଗରୁ ତ ଏହି ବିଜୁଳି, ଗ୍ୟାସ ଆଦି କିଛି ବି ନ ଥିଲା । ଏବେ ତ ଦେଖ କ’ଣ ସବୁ ହୋଇଗଲାଣି । ସ୍ୱର୍ଗରେ ତ କେବଳ ଜଣେ ଅନ୍ୟ ଜଣଙ୍କଠାରୁ ଶିଖି ଚାଲିବେ । ଶୀଘ୍ର ଶୀଘ୍ର କାମ ହୋଇଯିବ । ଏଠାରେ ମଧ୍ୟ ଦେଖ ଘର ସବୁ କିପରି ତିଆରି କରୁଛନ୍ତି । ସବୁ କିଛି ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି । କେତେ କେତେ ମହଲା ଘର ତିଆରି କରୁଛନ୍ତି । ସେଠାରେ ଏପରି ହେବ ନାହିଁ । ସେଠାରେ ତ ସମସ୍ତଙ୍କର ନିଜ ନିଜର ବାଡି-ବଗିଚା ରହିବ । ଟିକସ୍ ଆଦି କିଛି ବି ଦେବାକୁ ପଡିବ ନାହିଁ । ସେଠାରେ ତ ପ୍ରଚୁର ଧନ ସମ୍ପତ୍ତି ରହିବ । ଭୂସମ୍ପତ୍ତି ମଧ୍ୟ ବହୁତ ରହିବ । ନଦୀ ତ ସବୁ ରହିବ କିନ୍ତୁ କେନାଲ୍ ଇତ୍ୟାଦି ନ ଥିବ ଯାହା ପୁଣି ପରେ ଖୋଳାଯାଏ ।

ପିଲାମାନଙ୍କର ମନ ଭିତରେ କେତେ ଖୁସୀ ରହିବା ଦରକାର ଯେ ଆମକୁ ଡବଲ ଇଞ୍ଜିନ୍ ମିଳିଯାଇଛି । ପାହାଡ ଚଢିବା ବେଳେ ଟ୍ରେନ୍‌ରେ ଦୁଇଟି ଇଞ୍ଜିନ୍ ଲାଗିଥାଏ । ତୁମେ ପିଲାମାନେ ମଧ୍ୟ ଆଙ୍ଗୁଳି ଲଗାଉଛ ନା ଅର୍ଥାତ୍ ବାବାଙ୍କର ଏହି ଦିବ୍ୟ କର୍ତ୍ତବ୍ୟରେ ସହଯୋଗୀ ହେଉଛ । ତୁମେ କେତେ ଅଳ୍ପ ସଂଖ୍ୟକ ଅଛ । ତୁମମାନଙ୍କର ମହିମାର ମଧ୍ୟ ଗାୟନ ଅଛି । ତୁମେମାନେ ଜାଣିଛ, ଆମେ ଈଶ୍ୱରୀୟ ସେବାଧାରୀ ଅଟୁ । ଶ୍ରୀମତ ଅନୁସାରେ ସେବା କରୁଛୁ । ବାବା ମଧ୍ୟ ସେବା କରିବା ପାଇଁ ଆସିଛନ୍ତି । ଗୋଟିଏ ଧର୍ମର ସ୍ଥାପନା ଓ ଅନେକ ଧର୍ମର ବିନାଶ କରାଇ ଦେଉଛନ୍ତି । ନିକଟ ଭବିଷ୍ୟତରେ ଦେଖିବ ବହୁତ ପ୍ରକାର ବିଶୃଙ୍ଖଳା ହେବ । ଏବେ ମଧ୍ୟ ଭୟ କରୁଛନ୍ତି - କିଏ ଜାଣେ ଲଢେଇ କରୁ କରୁ ବୋମା ପକାଇ ନ ଦେବେ ବୋଲି । ବିବାଦ ତ ବହୁତ ପ୍ରକାରର ଲାଗି ରହିଛି । ବାରମ୍ବାର ନିଜ ନିଜ ମଧ୍ୟରେ ଲଢେଇ କରୁଛନ୍ତି । ପିଲାମାନେ ଜାଣିଛନ୍ତି ପୁରୁଣା ଦୁନିଆ ତ ବିନାଶ ହେବ ହିଁ ହେବ । ପୁଣି ଆମେ ନିଜ ଘରକୁ ଚାଲିଯିବା । ଏବେ ୮୪ ଜନ୍ମର ଚକ୍ର ଶେଷ ହେବାକୁ ଯାଉଛି । ସମସ୍ତେ ଏକାଠି ଚାଲିଯିବେ । ତୁମମାନଙ୍କ ଭିତରେ ମଧ୍ୟ ବହୁତ କମ୍ ଅଛନ୍ତି ଯେଉଁମାନଙ୍କର ସବୁବେଳେ ମନେ ରହୁଛି । ଡ୍ରାମା ଅନୁସାରେ ଚୁସ୍ତ ଅର୍ଥାତ୍ ଫୂର୍ତ୍ତି ଏବଂ ସୁସ୍ତ ଅର୍ଥାତ୍ ମାନ୍ଦା ଦୁଇ ପ୍ରକାରର ବିଦ୍ୟାର୍ଥୀ ଅଛନ୍ତି । ଫୁର୍ତ୍ତି ବିଦ୍ୟାର୍ଥୀମାନେ ଭଲ ନମ୍ବର ରଖି ପାସ୍ ହୋଇଯାଆନ୍ତି । ଯିଏ ମାନ୍ଦା ହୋଇଥିବ ତାର ତ ସାରା ଦିନ ଲଢେଇ ଝଗଡାରେ ହିଁ କଟୁଥିବ । ସେମାନେ ବାବାଙ୍କୁ ମନେ ପକାନ୍ତି ନାହିଁ । ସାରା ଦିନ ମିତ୍ର-ସମ୍ବନ୍ଧୀ ହିଁ ମନେ ପଡିଥା’ନ୍ତି । ଏଠାରେ ତ ସବୁକିଛି ଭୁଲିଯିବାକୁ ହେବ । ମୁଁ ଆତ୍ମା, ଏହି ଶରୀର ମୋର ଲାଞ୍ଜ ସଦୃଶ ଅଟେ । ଆମେ କର୍ମାତୀତ ଅବସ୍ଥାରେ ପହଞ୍ଚି ଗଲେ ଏହି ଶରୀର ରୂପକ ଲାଞ୍ଜଠାରୁ ମୁକ୍ତ ହୋଇଯିବା । ଏବେ ଗୋଟିଏ ମାତ୍ର ଚିନ୍ତା ରହିଛି, କିପରି ଆମେ କର୍ମାତୀତ ହେବା ଏବଂ ଏହି ଶରୀରରୁ ମୁକ୍ତ ହୋଇ ଶ୍ୟାମରୁ ସୁନ୍ଦର ହୋଇଯିବା । ସେଥିପାଇଁ ପରିଶ୍ରମ ତ କରିବାକୁ ହେବ ନା । ପ୍ରଦର୍ଶନୀମାନଙ୍କରେ ଦେଖ କେତେ ପରିଶ୍ରମ କରୁଛନ୍ତି । ମହେନ୍ଦ୍ର (ଭୋପାଳର ବରିଷ୍ଠ ଭାଇ)କୁ ଦେଖ କେତେ ସାହସ ଦେଖାଇଛନ୍ତି । ଏକୁଟିଆ କେତେ ପରିଶ୍ରମ କରି ପ୍ରଦର୍ଶନୀ ଆଦି କରୁଛନ୍ତି । ପରିଶ୍ରମର ଫଳ ମଧ୍ୟ ମିଳିବ ନା । ଏକୁଟିଆ କେତେ ଚମତ୍କାର କରିପାରିଛନ୍ତି । କେତେ ଆତ୍ମାଙ୍କର କଲ୍ୟାଣ କରିଛନ୍ତି । ମିତ୍ର-ସମ୍ବନ୍ଧୀମାନଙ୍କର ସାହାଯ୍ୟରେ ହିଁ କେତେ କାମ କରିପାରିଛନ୍ତି । ବଡ ଚମତ୍କାର କଥା! ମିତ୍ର-ସମ୍ବନ୍ଧୀମାନଙ୍କୁ କହୁଛନ୍ତି ଏହି ଟଙ୍କା ପଇସା ସବୁ ଏହି କାର୍ଯ୍ୟରେ ଲଗାଅ, ସଞ୍ଚୟ କରି କ’ଣ କରିବ? ସାହାସ କରି ସେଣ୍ଟର ମଧ୍ୟ ଖୋଲିଛନ୍ତି । କେତେ ଆତ୍ମାଙ୍କର ଭାଗ୍ୟ ଗଢିପାରିଛନ୍ତି । ଏହିପରି ୫-୭ ଜଣ ସନ୍ତାନ ଆସିଗଲେ କେତେ ସେବା ହୋଇଯିବ । କେହି କେହି ତ ବହୁତ କଞ୍ଜୁସ୍ ଥା’ନ୍ତି, ବୁଝିବାକୁ ହୁଏ ଯେ, ଏହାଙ୍କର ଭାଗ୍ୟରେ ନାହିଁ । ବୁଝୁପାରୁ ନାହାଁନ୍ତି କି ବିନାଶ ତ ସମ୍ମୁଖରେ ଉପସ୍ଥିତ, କିଛି ହେଲେ ଭଲ କାମ କରିଦେବା । ମନୁଷ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ଦାନ ଆଦି କରିବେ ସେଥିରୁ କିଛି ବି ମିଳିବ ନାହିଁ । ଇଶ୍ୱର ତ ଏବେ ସ୍ୱର୍ଗର ରାଜପଦ ଦେବା ପାଇଁ ଆସିଛନ୍ତି । ଦାନ-ପୁଣ୍ୟ କଲାବାଲାଙ୍କୁ କିଛି ବି ମିଳିବ ନାହିଁ । ଏହି ସଂଗମ ଯୁଗରେ ଯେଉଁମାନେ ନିଜର ଶରୀର, ମନ, ଧନ ସବୁକିଛି ସଫଳ କରିଛନ୍ତି, ସେହିମାନେ ହିଁ ଭାଗ୍ୟଶାଳୀ ଅଟନ୍ତି । କିନ୍ତୁ ଭାଗ୍ୟରେ ନାହିଁ ତେଣୁ କିଛି ବି ବୁଝୁ ନାହାଁନ୍ତି । ତୁମେମାନେ ଜାଣୁଛ, ସେମାନେ ମଧ୍ୟ ବ୍ରାହ୍ମଣ, ଆମେ ମଧ୍ୟ ବ୍ରାହ୍ମଣ । ଆମେ ହେଲୁ ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ । ଦୁନିଆରେ ଏତେ ସବୁ ବ୍ରାହ୍ମଣମାନେ ହେଲେ କୁଖ ବଂଶାବଳୀ, ତୁମେମାନେ ହେଲ ମୁଖ ବଂଶାବଳୀ । ଶିବଜୟନ୍ତୀ ସଂଗମ ଯୁଗରେ ହୋଇଥାଏ । ଏବେ ସ୍ୱର୍ଗ ସ୍ଥାପନ କରିବା ପାଇଁ ବାବା ମନ୍‌ମନାଭବର ମନ୍ତ୍ର ଦେଉଛନ୍ତି । ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇଯିବ । ଦୁନିଆରେ ଅନେକ ଆତ୍ମା ଶରୀର ଛାଡୁଛନ୍ତି । ଯେଉଁଠାରେ କେହି ଶରୀର ଛାଡୁଛନ୍ତି ସେଠାରେ ପରିଚୟ ପତ୍ର ବାଣ୍ଟିବା ଦରକାର । ସେହିପରି ଅର୍ଥ ପୂର୍ଣ୍ଣ ପରିଚୟ ପତ୍ର ଛପାଇବା ଦରକାର । ବାବା ଯେତେବେଳେ ଆସନ୍ତି ସେତେବେଳେ ଯାଇ ପୁରୁଣା ଦୁନିଆର ବିନାଶ ହୁଏ ଏବଂ ସ୍ୱର୍ଗର ଦ୍ୱାର ଖୋଲିଥାଏ । ଯଦି କେହି ସୁଖଧାମକୁ ଯିବାକୁ ଚାହୁଁଥା’ନ୍ତି ତେବେ ସେଥିପାଇଁ ଏହି ମନ୍‌ମନାଭବର ମନ୍ତ୍ର ଦିଆଯାଉଛି । ଏହିଭଳି ଆକର୍ଷଣୀୟ, ଛପା ଯାଇଥିବା ପରିଚୟ ପତ୍ର ସମସ୍ତଙ୍କ ପାଖରେ ରହିବା ଦରକାର । ଶ୍ମଶାନରେ ମଧ୍ୟ ପରିଚୟ ପତ୍ର ବାଣ୍ଟି ପାରିବ । ପିଲାମାନଙ୍କର ସେବା କରିବାର ସଉକ ରହିବା ଦରକାର । ସେବାର ଉପାୟ ତ ବହୁତ ବତାଇ ଦିଆଯାଉଛି । ଏସବୁ ତ ଭଲ ଭାବରେ ଲେଖି ଦେବା ଦରକାର । ଲକ୍ଷ୍ୟ ଉଦ୍ଦେଶ୍ୟ ଲେଖି ଦିଆଯାଇଛି । ବୁଝାଇବା ପାଇଁ ବହୁତ ଭଲ ଯୁକ୍ତି ଦରକାର । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ ଏହି ଶରୀର ରୂପକ ଲାଞ୍ଜକୁ ଭୁଲି ଯିବାକୁ ହେବ । କେବଳ ବାବାଙ୍କ ବ୍ୟତୀତ କୌଣସି ମିତ୍ର-ସମ୍ବନ୍ଧୀ ମନେ ନ ପଡନ୍ତୁ, ସେହିଭଳି ପରିଶ୍ରମ କରିବାକୁ ହେବ ।

(୨) ଶ୍ରୀମତ ଅନୁସାରେ ଈଶ୍ୱରୀୟ ସେବାଧାରୀ ହେବାକୁ ପଡିବ । ତନ, ମନ, ଧନ ସବୁ କିଛି ସଫଳ କରି ନିଜର ଉଚ୍ଚ ଭାଗ୍ୟ ଗଢିବାକୁ ହେବ ।

ବରଦାନ:-
କର୍ମଭୋଗ ରୂପୀ ପରିସ୍ଥିତିର ଆକର୍ଷଣକୁ ମଧ୍ୟ ସମାପ୍ତ କରୁଥିବା ସମ୍ପୂର୍ଣ୍ଣ ନଷ୍ଟୋମୋହା ହୁଅ ।

ଏବେ ପର୍ଯ୍ୟନ୍ତ ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ଗୁଡିକ ଅବସ୍ଥାକୁ କିଛି ନା କିଛି ନିଜ ଆଡକୁ ଆକର୍ଷିତ କରୁଛି । ସବୁଠାରୁ ଅଧିକ ନିଜର ଦେହର ହିସାବ-କିତାବ ବାକି ରହିଥିବା କର୍ମଭୋଗ ରୂପରେ ଆସୁଥିବା ପରିସ୍ଥିତି ନିଜ ଆଡକୁ ଆକର୍ଷିତ କରୁଛି । ଯେତେବେଳେ ଏଗୁଡିକ ସବୁ ସମାପ୍ତ ହୋଇଯିବ, ସେତେବେଳେ କୁହାଯିବ ସମ୍ପୂର୍ଣ୍ଣ ନଷ୍ଟୋମୋହା । କୌଣସି ବି ଦେହର ବା ଦେହର ଦୁନିଆର ପରିସ୍ଥିତି ତୁମର ସ୍ଥିତିକୁ ହଲଚଲ୍ କରିପାରୁ ନ ଥିବ, ତେବେ କୁହାଯିବ ସମ୍ପୂର୍ଣ୍ଣ ସ୍ଥିତି । ଯେତେବେଳେ ଏହିଭଳି ସ୍ଥିତିରେ ପହଞ୍ଚିଯିବ ସେତେବେଳେ ନିଜର ମାଷ୍ଟର ସର୍ବଶକ୍ତିମାନ ସ୍ଥିତିରେ ସହଜରେ ସ୍ଥିତ ହୋଇପାରିବ ।

ସ୍ଲୋଗାନ:-
ପବିତ୍ରତାର ବ୍ରତ ସବୁଠାରୁ ଶ୍ରେଷ୍ଠ ସତ୍ୟ-ନାରାୟଣ ବ୍ରତ - ଏହା ଭିତରେ ହିଁ ଅତୀନ୍ଦ୍ରିୟ ସୁଖ ଅନ୍ତର୍ନିହିତ ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର

(୨୫) ମାନସିକ ସେବା ଅର୍ଥାତ୍ ସଂକଳ୍ପ ଶକ୍ତି ଦ୍ୱାରା ସେବା ସୀମାହୀନ ଅଟେ । ଯେତେ ଯେତେ ତୁମେ ସଂକଳ୍ପରେ, ବାଣୀରେ ସାମ୍ପୂଲ ଅର୍ଥାତ୍ ନମୁନା ବା ଦୃଷ୍ଟାନ୍ତ ହେବ, ତୁମକୁ ଦେଖି ଅନ୍ୟମାନେ ସ୍ୱତଃ ହିଁ ଆକର୍ଷିତ ହେବେ । ତେଣୁ ଯେ କୌଣସି ସ୍ଥୂଳ କାର୍ଯ୍ୟ କରୁଥାଅ ନା କାହିଁକି ନିଜର ମାନସିକ ବୃତ୍ତି ଦ୍ୱାରା ଶୁଦ୍ଧ ପ୍ରକମ୍ପନ ବିଚ୍ଛୁରିତ କରିବାର ସେବା କରୁଥାଅ । ଯେପରି କେହି ଯଦି ବ୍ୟବସାୟ କରୁଥିବ ତେବେ ସେ ସ୍ୱପ୍ନରେ ମଧ୍ୟ ନିଜର ବ୍ୟବସାୟକୁ ଦେଖିବ - ସେହିପରି ତୁମମାନଙ୍କର କାମ ହେଲା ବିଶ୍ୱ କଲ୍ୟାଣ କରିବା । ଏହା ହିଁ ତୁମର ପେଶା ଅଟେ, ଏହି ପେଶା ବା ବୃତ୍ତିକୁ ସ୍ମୃତିରେ ରଖି ସର୍ବଦା ସେବାରେ ବ୍ୟସ୍ତ ରୁହ ।