25.02.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ବ୍ରାହ୍ମଣରୁ ଦେବତା ହେଉଛ, ତୁମେମାନେ ହିଁ ଭାରତକୁ ସ୍ୱର୍ଗରେ ପରିଣତ କରୁଛ, ତେଣୁ ତୁମକୁ ନିଜର ବ୍ରାହ୍ମଣ ଜାତିର ନିଶା ରହିବା ଉଚିତ୍ ।”

ପ୍ରଶ୍ନ:-
ସଚ୍ଚା ବ୍ରାହ୍ମଣମାନଙ୍କର ମୁଖ୍ୟ ଲକ୍ଷଣଗୁଡିକ କ’ଣ ହୋଇଥିବ?

ଉତ୍ତର:-
ସଚ୍ଚା ବ୍ରାହ୍ମଣମାନଙ୍କର ଏହି ପୁରୁଣା ଦୁନିଆରୁ ଲଙ୍ଗର ଉଠିଯାଇଥିବ ଅର୍ଥାତ୍ ବୁଦ୍ଧି ଯୋଗ ତୁଟିଯାଇଥିବ । ସେମାନେ ଯେପରିକି ଏହି ଦୁନିଆ ରୂପୀ କୂଳକୁ ଛାଡି ଦେଇଥିବେ । (୨) ସଚ୍ଚା ବ୍ରାହ୍ମଣ ସିଏ ଯିଏକି ହାତରେ କର୍ମ କରୁଥିବେ ଏବଂ ବୁଦ୍ଧିରେ ସର୍ବଦା ବାବାଙ୍କ ସ୍ମୃତିରେ ରହୁଥିବେ ଅର୍ଥାତ୍ କର୍ମଯୋଗୀ ହୋଇଥିବେ (୩) ବ୍ରାହ୍ମଣ ଅର୍ଥାତ୍ କମଳ ପୁଷ୍ପ ସମାନ ପବିତ୍ର ଜୀବନ (୪) ବ୍ରାହ୍ମଣ ଅର୍ଥାତ୍ ସର୍ବଦା ଆତ୍ମ ଅଭିମାନୀ ରହିବାର ପୁରୁଷାର୍ଥ କରୁଥିବା ଆତ୍ମା । (୫) ବ୍ରାହ୍ମଣ ଅର୍ଥାତ୍ କାମ ବିକାର ରୂପୀ ମହାଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିଥିବା ଆତ୍ମା ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ପିଲାମାନେ କିଏ? ଏହି ବ୍ରାହ୍ମଣମାନେ । ଏକଥା କେବେ ବି ଭୁଲିଯାଅ ନାହିଁ ଯେ ଆମେ ବ୍ରାହ୍ମଣ, ଦେବତା ହେବାକୁ ଯାଉଛୁ । ବର୍ଣ୍ଣଗୁଡିକୁ ମଧ୍ୟ ସ୍ମୃତିରେ ରଖିବାକୁ ପଡୁଛି । ଏଠାରେ ତୁମେମାନେ ପରସ୍ପର କେବଳ ବ୍ରାହ୍ମଣ ହିଁ ଅଟ । ବ୍ରାହ୍ମଣମାନଙ୍କୁ ହିଁ ବେହଦର ପିତା ପଢାଉଛନ୍ତି । ଏହି ବ୍ରହ୍ମା ପଢାଉନାହାଁନ୍ତି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ପଢାଉଛନ୍ତି । ବ୍ରାହ୍ମଣମାନଙ୍କୁ ହିଁ ପଢାଉଛନ୍ତି । ଶୁଦ୍ରରୁ ବ୍ରାହ୍ମଣ ହେବା ବିନା କେହି ଦେବୀ-ଦେବତା ହୋଇପାରିବେ ନାହିଁ । ସମ୍ପତ୍ତି ଶିବବାବାଙ୍କ ଠାରୁ ହିଁ ମିଳିଥାଏ । ସେହି ଶିବବାବା ତ ସମସ୍ତଙ୍କର ପିତା ଅଟନ୍ତି । ଏହି ବ୍ରହ୍ମାଙ୍କୁ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦିପିତା କୁହାଯାଏ । ଲୌକିକ ପିତା ତ ସମସ୍ତଙ୍କର ଭିନ୍ନ ଭିନ୍ନ ଅଛନ୍ତି । ପାରଲୌକିକ ପିତାଙ୍କୁ ଭକ୍ତିମାର୍ଗରେ ମନେ ପକାଇଥାନ୍ତି । ଏବେ ତୁମେ ପିଲାମାନେ ଜାଣୁଛ ଯେ ଇଏ ବ୍ରହ୍ମା ହେଲେ ଅଲୌକିକ ପିତା ଯାହାଙ୍କୁ କେହି ଜାଣିନାହାଁନ୍ତି । ଯଦିଓ ବ୍ରହ୍ମାଙ୍କର ମନ୍ଦିର ମଧ୍ୟ ଅଛି, ଏଠାରେ ମଧ୍ୟ ପ୍ରଜାପିତା ଆଦିଦେବଙ୍କର ମନ୍ଦିର ରହିଛି । ତାଙ୍କୁ କେହି ମହାବୀର କହୁଛନ୍ତି, ଦିଲ୍‌ବାଲା ମଧ୍ୟ କହୁଛନ୍ତି । କିନ୍ତୁ ବାସ୍ତବରେ ଦିଲ୍ ଅର୍ଥାତ୍ ହୃଦୟ ଅଧିଶ୍ୱର ହେଉଛନ୍ତି ଶିବବାବା, ପ୍ରଜାପିତା ଆଦିଦେବ ବ୍ରହ୍ମା ନୁହଁନ୍ତି । ସମସ୍ତ ଆତ୍ମାମାନଙ୍କର ସଦା ସୁଖଦାତା, ଖୁସି କରିବାବାଲା ଏକମାତ୍ର ବାବା ହିଁ ଅଟନ୍ତି । ଏକଥା ମଧ୍ୟ କେବଳ ତୁମେମାନେ ହିଁ ଜାଣିଛ । ଦୁନିଆରେ ତ ମନୁଷ୍ୟ କିଛି ବି ଜାଣିନାହାଁନ୍ତି । ତୁଚ୍ଛ ବୁଦ୍ଧି ଅଟନ୍ତି । ଆମେ ବ୍ରାହ୍ମଣମାନେ ହିଁ ଶିବବାବାଙ୍କ ଠାରୁ ସମ୍ପତ୍ତି ନେଉଛେ । ତୁମେ ମଧ୍ୟ ଏହି କଥା ବାରମ୍ବାର ଭୁଲିଯାଉଛ । ବାବାଙ୍କୁ ମନେ ପକାଇବା ବହୁତ ସହଜ କିନ୍ତୁ ଯୋଗ ଅକ୍ଷର ସନ୍ନ୍ୟାସୀମାନେ କହିଛନ୍ତି । ତୁମେ ତ ବାବାଙ୍କୁ ମନେ ପକାଉଛ । ଯୋଗ ସାଧାରଣ ଶବ୍ଦ ଅଟେ । ଏହାକୁ ଯୋଗ ଆଶ୍ରମ ମଧ୍ୟ କୁହାଯିବ ନାହିଁ କାହିଁକି ନା ପିଲାମାନେ ଏବଂ ପିତା ଏକତ୍ର ଅଛନ୍ତି । ପିଲାମାନଙ୍କର କର୍ତ୍ତବ୍ୟ ହେଲା - ବେହଦର ପିତାଙ୍କୁ ମନେ ପକାଇବା । ଆମେ ବ୍ରାହ୍ମଣ ଅଟୁ, ପିତାଙ୍କଠାରୁ ସମ୍ପତ୍ତି ବ୍ରହ୍ମାଙ୍କ ଦ୍ୱାରା ନେଉଛୁ ସେଥିପାଇଁ ଶିବବାବା କହୁଛନ୍ତି ଯେତେ ଦୂର ସମ୍ଭବ ବାବାଙ୍କୁ ମନେ ପକାଅ । ଚିତ୍ର ମଧ୍ୟ ପାଖରେ ରଖ ତେବେ ସ୍ମୃତି ରହିବ । ମୁଁ ବ୍ରାହ୍ମଣ ଅଟେ ବାବାଙ୍କଠାରୁ ସମ୍ପତ୍ତି ନେଉଛି । ବ୍ରାହ୍ମଣମାନେ କେବେ ନିଜର ଜାତିକୁ ଭୁଲନ୍ତି ନାହିଁ? ତୁମେ ଶୁଦ୍ରମାନଙ୍କ ସଙ୍ଗରେ ରହିବା କାରଣରୁ ବ୍ରାହ୍ମଣ ପଣିଆ ଭୁଲିଯାଉଛ । ବ୍ରାହ୍ମଣ ତ ଦେବତାମାନଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟନ୍ତି କାରଣ ତୁମେ ବ୍ରାହ୍ମଣମାନେ ଜ୍ଞାନବାନ ଅଟ । ଭଗବାନଙ୍କୁ ସର୍ବଜ୍ଞାତା କହୁଛନ୍ତି କିନ୍ତୁ ତା’ର ଅର୍ଥ କେହି ଜାଣି ନାହାଁନ୍ତି । ଏପରି ନୁହେଁ ଯେ ସମସ୍ତଙ୍କର ମନ ଭିତରେ କ’ଣ ଅଛି ତାକୁ ଜାଣୁଛନ୍ତି । ନା, ତାଙ୍କୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଜଣାଅଛି । ସିଏ ବୀଜରୂପ ଅଟନ୍ତି । କଳ୍ପ ବୃକ୍ଷର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ତେବେ ଏଭଳି ପିତାଙ୍କୁ ବହୁତ ମନେ ପକାଇବାକୁ ପଡିବ । ୟାଙ୍କର ଆତ୍ମା ମଧ୍ୟ ସେହି ବାବାଙ୍କୁ ମନେ ପକାଉଛି । ସେହି ବାବା କହୁଛନ୍ତି ଏହି ବ୍ରହ୍ମା ମଧ୍ୟ ମୋତେ ମନେ ପକାଇଲେ ଏହି ନାରାୟଣ ପଦ ପାଇବେ । ତୁମେମାନେ ମଧ୍ୟ ମୋତେ ମନେ ପକାଇଲେ ଯାଇ ଉଚ୍ଚପଦ ପାଇବ । ପ୍ରଥମେ ପ୍ରଥମେ ତୁମେ ଅଶରୀରୀ ହୋଇ ଆସିଥିଲ ପୁଣି ଅଶରୀରୀ ହୋଇ ଫେରିଯିବାକୁ ହେବ । ଆଉ ସମସ୍ତେ ତୁମକୁ ଦୁଃଖ ଦେଉଛନ୍ତି, ତେଣୁ ସେମାନଙ୍କୁ କାହିଁକି ମନେ ପକାଇବ । ଯେବେକି ମୁଁ ତୁମକୁ ମିଳିଯାଇଛି, ତୁମକୁ ନୂଆ ଦୁନିଆକୁ ନେଇଯିବା ପାଇଁ ଆସିଛି । ସେଠାରେ କୌଣସି ଦୁଃଖ ନ ଥାଏ । ତାହା ହେଲା ଦୈବୀ ସମ୍ବନ୍ଧ । ଏଠାରେ ପ୍ରଥମ ଦୁଃଖ ମିଳିଥାଏ ସ୍ତ୍ରୀ ପୁରୁଷର ସମ୍ବନ୍ଧ କାରଣରୁ ସେମାନେ ବିକାରୀ ହୋଇଥାନ୍ତି । ତୁମକୁ ମୁଁ ବର୍ତ୍ତମାନ ସେହି ପବିତ୍ର ଦୁନିଆର ଯୋଗ୍ୟ କରୁଛି ଯେଉଁଠି ବିକାରର କଥା ନ ଥାଏ । ଏହି କାମ ବିକାର ମହାଶତ୍ରୁ ବୋଲି ଗାୟନ ଅଛି ଯାହାକି ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇଥାଏ । କ୍ରୋଧ ପାଇଁ ଏପରି କୁହାଯିବ ନାହିଁ ଯେ ଇଏ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇଥାଏ । କାମ ବିକାରକୁ ଜିତିବାକୁ ହେବ । ତାହା ହିଁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇଥାଏ । ମନୁଷ୍ୟକୁ ପତିତ କରିଦିଏ । ପତିତ ଅକ୍ଷର କାମ ବିକାର ପାଇଁ କୁହାଯାଏ । ଏହି ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ତୁମେ ଜାଣିଛ ଆମେ ସ୍ୱର୍ଗର ଦେବୀ-ଦେବତା ହେବାକୁ ଯାଉଛୁ । ଯେ ପର୍ଯ୍ୟନ୍ତ ଏହି କଥା ଉପରେ ନିଶ୍ଚୟ ହୋଇନାହିଁ ସେ ପର୍ଯ୍ୟନ୍ତ କିଛି ପାଇପାରିବ ନାହିଁ ।

ବାବା ବୁଝାଉଛନ୍ତି ପିଲାମାନଙ୍କୁ ମନ-ବଚନ-କର୍ମରେ ସଠିକ ଭାବରେ ଚାଲିବାକୁ ହେବ । ପରିଶ୍ରମ କରିବାକୁ ହେବ । ଦୁନିଆରେ ଏକଥା କାହାକୁ ବି ଜଣା ନାହିଁ ଯେ ତୁମେ ଭାରତକୁ ସ୍ୱର୍ଗରେ ପରିଣତ କରୁଛ । ଆଗକୁ ଗଲେ ବୁଝିଯିବେ । ସମସ୍ତେ ଚାହୁଁଛନ୍ତି ଗୋଟିଏ ବିଶ୍ୱ, ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ, ଗୋଟିଏ ଭାଷା ହେଉ । ତୁମେ ବୁଝାଇପାରିବ ସତ୍ୟଯୁଗରେ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ଥିଲା ଯାହାକୁ ସ୍ୱର୍ଗ କୁହାଯାଉଛି । ରାମରାଜ୍ୟ ଏବଂ ରାବଣ ରାଜ୍ୟକୁ ମଧ୍ୟ କେହି ଜାଣିନାହାଁନ୍ତି । ଶତପ୍ରତିଶତ ତୁଚ୍ଛ ବୁଦ୍ଧିରୁ ଏବେ ତୁମେ ସ୍ୱଚ୍ଛ ବୁଦ୍ଧି ହେଉଛ ପୁରୁଷାର୍ଥର କ୍ରମ ଅନୁସାରେ । ବାବା ଆସି ତୁମକୁ ପଢାଉଛନ୍ତି । କେବଳ ବାବାଙ୍କର ମତରେ ଚାଲ । ବାବା କହୁଛନ୍ତି ଯେ ପୁରୁଣା ଦୁନିଆରେ ରହି ମଧ୍ୟ କମଳ ପୁଷ୍ପ ସମାନ ପବିତ୍ର ରୁହ । ମୋତେ ମନେ ପକାଅ । ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି । ମୁଁ ଆତ୍ମାମାନଙ୍କୁ ହିଁ ପଢାଇବାକୁ ଆସିଛି ବ୍ରହ୍ମାଙ୍କର ମୁଖ ଦ୍ୱାରା । ତୁମେ ଆତ୍ମାମାନେ ମଧ୍ୟ ଇନ୍ଦ୍ରିୟ ଦ୍ୱାରା ଶୁଣୁଛ । ପିଲାମାନଙ୍କୁ ଆତ୍ମ ଅଭିମାନୀ ହେବାକୁ ପଡିବ । ଏହା ତ ପୁରୁଣା ଛି ଛି ପତିତ ଶରୀର ଅଟେ । ତୁମେ ବ୍ରାହ୍ମଣ ପୂଜାର ଯୋଗ୍ୟ ନୁହଁ । ତୁମେ ଗାୟନ ଯୋଗ୍ୟ ଅଟ, ପୂଜା ପାଇବାର ଯୋଗ୍ୟ ଦେବତାମାନେ ଅଟନ୍ତି । ତୁମେମାନେ ଶ୍ରୀମତ ଆଧାରରେ ବିଶ୍ୱକୁ ପବିତ୍ର, ସ୍ୱର୍ଗ କରୁଛ । ସେଥିପାଇଁ ତୁମର ଗାୟନ ରହିଛି । ତୁମର ପୂଜା ହୋଇପାରିବ ନାହିଁ । ଗାୟନ ମଧ୍ୟ କେବଳ ବ୍ରାହ୍ମଣମାନଙ୍କର ହିଁ ହେଉଛି, ଦେବତାମାନଙ୍କର ନୁହେଁ । ବାବା ତୁମକୁ ହିଁ ଶୁଦ୍ରରୁ ବ୍ରାହ୍ମଣ କରୁଛନ୍ତି । ଜଗଦମ୍ବା ବା ବ୍ରହ୍ମାଙ୍କର ମନ୍ଦିର ତିଆରି କରୁଛନ୍ତି କିନ୍ତୁ ସେମାନଙ୍କୁ ଏକଥା ଜଣା ନାହିଁ ଯେ ଏମାନେ କିଏ? ଜଗତପିତା ବ୍ରହ୍ମା ହେଲେ ନା । ତାଙ୍କୁ ଦେବତା କୁହାଯିବ ନାହିଁ । ଦେବତାମାନଙ୍କର ଆତ୍ମା ଏବଂ ଶରୀର ଦୁଇଟିଯାକ ପବିତ୍ର ଅଟେ । ଏବେ ତୁମର ଆତ୍ମା ପବିତ୍ର ହେବାରେ ଲାଗିଛି । ଶରୀର ପବିତ୍ର ନୁହେଁ । ଏବେ ତୁମେମାନେ ଈଶ୍ୱରଙ୍କ ମତ ଅନୁସାରେ ଭାରତକୁ ସ୍ୱର୍ଗରେ ପରିଣତ କରୁଛ । ତୁମେ ମଧ୍ୟ ସ୍ୱର୍ଗକୁ ଯିବାର ଯୋଗ୍ୟ ହେଉଛ । ତେଣୁ ତୁମକୁ ସତୋପ୍ରଧାନ ନିଶ୍ଚିତ ହେବାକୁ ପଡିବ । କେବଳ ତୁମ ବ୍ରାହ୍ମଣମାନଙ୍କୁ ହିଁ ବାବା ଆସି ପାଠ ପଢାଉଛନ୍ତି । ବ୍ରାହ୍ମଣମାନଙ୍କର ବୃକ୍ଷ ବୃଦ୍ଧି ପ୍ରାପ୍ତ ହୋଇ ଚାଲିବ । ଯେଉଁ ବ୍ରାହ୍ମଣମାନେ ପକ୍କା (ସମ୍ପୂର୍ଣ୍ଣ) ହୋଇଯିବେ ସେମାନେ ପୁଣି ଦେବତା ହୋଇ ସତ୍ୟଯୁଗକୁ ଯିବେ । ଏହା ନୂଆ ବୃକ୍ଷ ଅଟେ । ଏହାକୁ ମାୟାର ତୋଫାନ ମଧ୍ୟ ଲାଗୁଛି । ସତ୍ୟଯୁଗରେ କୌଣସି ତୋଫାନ ନ ଥାଏ । ଏଠାରେ ମାୟା ବାବାଙ୍କ ସ୍ମୃତିରେ ରହିବାକୁ ଦେଉନାହିଁ । ଆମେ ଚାହୁଁଛୁ ବାବାଙ୍କ ସ୍ମୃତିରେ ରହିବୁ । ତମୋରୁ ସତ୍ତ୍ୱପ୍ରଧାନ ହେବୁ । ସବୁ କଥା ନିର୍ଭର କରୁଛି ଯୋଗ ଉପରେ । ଭାରତର ପ୍ରାଚୀନ ଯୋଗ ପ୍ରଖ୍ୟାତ ଅଟେ । ବିଦେଶୀମାନେ ମଧ୍ୟ ଚାହୁଁଛନ୍ତି ଯେ ଭାରତର ପ୍ରାଚୀନଯୋଗ କେହି ଆସି ଶିଖାନ୍ତୁ । ଯୋଗ ମଧ୍ୟ ଦୁଇ ପ୍ରକାରର ଅଟେ ପ୍ରଥମତଃ ହଠଯୋଗୀ ଅନ୍ୟଟି ରାଜଯୋଗୀ । ତୁମେ ହେଲ ରାଜଯୋଗୀ । ଏହା ଭାରତର ପ୍ରାଚୀନ ରାଜଯୋଗ ଅଟେ, ଯାହାକି ବାବା ହିଁ ଶିଖାଉଛନ୍ତି । କେବଳ ଗୀତାରେ ମୋ ନାମ ପରିବର୍ତ୍ତେ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । କେତେ ଫରକ ହୋଇଯାଇଛି । ଯେତେବେଳେ ଶିବଜୟନ୍ତୀ ହେଉଛି ତେବେ ବୈକୁଣ୍ଠର ଜୟନ୍ତୀ ମଧ୍ୟ ହେଉଛି, ଯେଉଁଠାରେ ଶ୍ରୀକୃଷ୍ଣଙ୍କର ରାଜ୍ୟ ଥିଲା । ତୁମେ ଜାଣିଛ ଶିବବାବାଙ୍କର ଜୟନ୍ତୀ ହିଁ ଗୀତା ଜୟନ୍ତୀ ଅଟେ । ବୈକୁଣ୍ଠ ବା ସ୍ୱର୍ଗର ମଧ୍ୟ ଜୟନ୍ତୀ ହେଉଛି ଯେଉଁଥିରେ ତୁମେମାନେ ପବିତ୍ର ହୋଇଯିବ । କଳ୍ପ ପୂର୍ବ ଭଳି ବୈକୁଣ୍ଠର ସ୍ଥାପନା ମଧ୍ୟ କରୁଛନ୍ତି । ବାବା କହୁଛନ୍ତି ମୋତେ ମନେ ପକାଅ । ଯୋଗଯୁକ୍ତ ହୋଇ ନ ରହିବା ଦ୍ୱାରା ମାୟା କିଛି ନା କିଛି ବିକର୍ମ କରାଇ ଦେଇଥାଏ । ଯୋଗଯୁକ୍ତ ନ ରହିଲେ ମାୟାର ଚାପୁଡା ଲାଗିଯିବ । ଯୋଗଯୁକ୍ତ ରହିଲେ ମାୟାର ଥାପଡ ଲାଗିବ ନାହିଁ । ଏହିଭଳି ମାୟା ସହିତ ତୁମର ମୁଷ୍ଟିଯୁଦ୍ଧ ଚାଲିଛି । ତୁମେ ଜାଣିଛ ଆମର ଶତ୍ରୁ କୌଣସି ମନୁଷ୍ୟ ନୁହେଁ, ରାବଣ ଅଟେ ।

ବାବା କହୁଛନ୍ତି ଏହି ସମୟରେ ବିବାହ ହିଁ ବରବାଦ କାରଣ । ପରସ୍ପରକୁ ବରଦାଦ କରିଦେଇଥାନ୍ତି । (ପତିତ କରିଦେଇଥାନ୍ତି) । ଏବେ ପାରଲୌକିକ ପିତା ଆସି ଅଧ୍ୟାଦେଶ ଜାରି କରିଛନ୍ତି ଯେ ପିଲାମାନେ ଏହି କାମ ବିକାର ମହାଶତ୍ରୁ ଅଟେ । ଏହା ଉପରେ ବିଜୟ ପ୍ରାପ୍ତ କର ଏବଂ ପବିତ୍ରତାର ପ୍ରତିଜ୍ଞା ମଧ୍ୟ କର । କେହି ବି ପତିତ ନ ହୁଅନ୍ତୁ । ଜନ୍ମ ଜନ୍ମାନ୍ତର ତୁମେ ଏହି ବିକାର ଦ୍ୱାରା ପତିତ ହୋଇ ଆସିଛ, ସେଥିପାଇଁ କାମ ବିକାରକୁ ମହାଶତ୍ରୁ ବୋଲି କୁହାଯାଉଛି । ସାଧୁ, ସନ୍ଥ, ଆଦି ସମସ୍ତେ କହୁଛନ୍ତି ହେ ପତିତ ପାବନ ଆସ । ସତ୍ୟଯୁଗରେ କେହି ପତିତ ନ ଥାନ୍ତି । ବାବା ଆସି ଜ୍ଞାନ ଦ୍ୱାରା ସମସ୍ତଙ୍କର ସଦ୍‌ଗତି କରିଥାନ୍ତି । ଏବେ ସମସ୍ତେ ଦୁର୍ଗତିରେ ଅଛନ୍ତି । ଜ୍ଞାନଦାତା କେହି ବି ନାହାଁନ୍ତି । ଜ୍ଞାନଦାତା ଏକମାତ୍ର ଜ୍ଞାନ ସାଗର ଅଟନ୍ତି । ଜ୍ଞାନ ଦ୍ୱାରା ଦିନ ହେଉଛି । ଦିନ ହେଲା ରାମଙ୍କର ଏବଂ ରାତି ହେଲା ରାବଣର । ଏହି ଅକ୍ଷର ଗୁଡିକର ଯଥାର୍ଥ ଅର୍ଥ ମଧ୍ୟ ତୁମେ ପିଲାମାନେ ଜାଣିଛ । କେବଳ ପୁରୁଷାର୍ଥରେ ଦୁର୍ବଳତା ରହିଛି । ବାବା ତ ବହୁତ ଭଲ ଭାବରେ ବୁଝାଉଛନ୍ତି । ତୁମେ ୮୪ ଜନ୍ମ ନେଇ ସାରିଛ, ଏବେ ପବିତ୍ର ହୋଇ ଫେରିଯିବାକୁ ହେବ । ତୁମର ତ ଶୁଦ୍ଧ ଅହଂକାର ଅର୍ଥାତ୍ ସ୍ୱାଭିମାନ ରହିବା ଦରକାର । ଆମେ ଆତ୍ମାମାନେ ବାବାଙ୍କର ମତ ଅନୁସାରେ ଏହି ଭାରତକୁ ସ୍ୱର୍ଗ କରୁଛୁ ଯେଉଁ ସ୍ୱର୍ଗରେ ପୁଣି ଆମେ ରାଜତ୍ୱ କରିବୁ । ଯେତେ ମେହନତ କରିବ ସେତେ ଉଚ୍ଚ ପଦ ପାଇବ । ଚାହେଁ ରାଜା-ରାଣୀ ହୁଅ, ଚାହେଁ ପ୍ରଜା ହୁଅ । ରାଜା-ରାଣୀ କିପରି ହେଉଛନ୍ତି, ତାହା ମଧ୍ୟ ଦେଖୁଛ । ସବୁବେଳେ ଫଲୋ ଫାଦର ଅର୍ଥାତ୍ ପିତାଙ୍କୁ ଅନୁକରଣ କର, ଏହା ବର୍ତ୍ତମାନର କଥା । ଏହା ଲୌକିକ ସମ୍ବନ୍ଧଙ୍କ ପାଇଁ କୁହାଯାଏ ନାହିଁ । ଏହି ବାବା ମନ୍ତ୍ର ଦେଉଛନ୍ତି - କେବଳ ମୋତେ ମନେ ପକାଅ ତେବେ ବିକର୍ମ ବିନାଶ ହେବ । ତୁମେ ଜାଣୁଛ ଏବେ ଆମେ ଶ୍ରୀମତକୁ ପାଳନ କରୁଛୁ । ବହୁତଙ୍କର ସେବା କରୁଛୁ । ପିଲାମାନେ ଯେତେବେଳେ ବାବାଙ୍କ ପାଖକୁ ଆସୁଛନ୍ତି ତେବେ ଶିବବାବା ମଧ୍ୟ ଜ୍ଞାନ ଦ୍ୱାରା ଖୁସି କରାଉଛନ୍ତି । ଇଏ ବି ତ ଶିଖୁଛନ୍ତି ନା । ଶିବବାବା କହୁଛନ୍ତି ମୁଁ ଆସୁଛି ସକାଳ ସମୟରେ । ଆଚ୍ଛା ପରେ ଯଦି କେହି ମିଶିବା ପାଇଁ ଆସନ୍ତି ତେବେ କ’ଣ ଇଏ ବୁଝାଇବେ ନାହିଁ । କ’ଣ ଏମିତି କହିବେ କି ଯେ ବାବା ଆପଣ ଆସି ବୁଝାନ୍ତୁ, ମୁଁ ବୁଝାଇବି ନାହିଁ । ଏହା ବଡ ଗୁପ୍ତ ଏବଂ ଗହନ କଥା ଅଟେ ନା । ମୁଁ ତ ସମସ୍ତଙ୍କଠାରୁ ଭଲ ବୁଝାଇପାରିବି । ତୁମେ ଏମିତି କାହିଁକି ଭାବୁଛ ଯେ କେବଳ ଶିବବାବା ହିଁ ବୁଝାଉଛନ୍ତି, ଇଏ ବୁଝାଉ ନ ଥିବେ । ଏକଥା ମଧ୍ୟ ଜାଣିଛ କଳ୍ପ ପୂର୍ବେ ମଧ୍ୟ ଇଏ ଜ୍ଞାନ ବୁଝାଇଥିଲେ, ସେଥିପାଇଁ ତ ଏହି ପଦ ପାଇଛନ୍ତି । ମମ୍ମା ମଧ୍ୟ ବୁଝାଉଥିଲେ ନା । ତେଣୁ ସିଏ ମଧ୍ୟ ଉଚ୍ଚ ପଦ ପାଉଛନ୍ତି । ମମ୍ମା-ବାବାଙ୍କୁ ସୂକ୍ଷ୍ମବତନରେ ସମ୍ପୂର୍ଣ୍ଣ ସ୍ୱରୂପରେ ଦେଖୁଛ ତେଣୁ ପିଲାମାନଙ୍କୁ ଫଲୋଫାଦର କରିବାର ଅଛି । ଯଜ୍ଞରେ ସମର୍ପଣ ତ ଗରିବମାନେ ହିଁ ହେଉଛନ୍ତି, ଧନବାନ ତ ସହଜରେ ସମର୍ପଣ ହୋଇପାରିବେ ନାହିଁ । ଗରିବ ହିଁ କହୁଛନ୍ତି - ବାବା ଏ ସବୁ କିଛି ଆପଣଙ୍କର ଅଟେ । ଶିବବାବା ତ ଦାତା ଅଟନ୍ତି । ସିଏ କେବେ କିଛି ନିଅନ୍ତି ନାହିଁ । ପିଲାମାନଙ୍କୁ କହୁଛନ୍ତି - ମୋର ସବୁକିଛି ତୁମର ଅଟେ । ମୁଁ ନିଜ ପାଇଁ ମହଲ ନା ଏଠି ନା ସେଠି ତିଆରି କରୁଛି । ତୁମକୁ ସ୍ୱର୍ଗର ମାଲିକ କରୁଛି । ଏବେ ଏହି ଜ୍ଞାନ ରତ୍ନ ଦ୍ୱାରା ନିଜର ବୁଦ୍ଧିରୂପି ଝୁଲା ଭରିବାର ଅଛି । ଭକ୍ତିମାର୍ଗରେ ମନ୍ଦିରକୁ ଯାଇ କହୁଛନ୍ତି ମୋର ଝୁଲା ଭରିଦିଅ । କିନ୍ତୁ କେଉଁ ପ୍ରକାରର ଏବଂ କେଉଁ ଜିନିଷରେ ଝୁଲା ଭରିଦେବେ ତାହା ଜାଣିନାହାଁନ୍ତି । ଝୁଲା ଭରିଲାବାଲା ତ ଲକ୍ଷ୍ମୀ ଅଟନ୍ତି, ଯିଏକି ପଇସା ଦେଇଥାନ୍ତି । ଶିବଙ୍କ ପାଖକୁ ତ ଝୁଲା ଭରିବାକୁ ଯାଆନ୍ତି ନାହିଁ, ଶଙ୍କରଙ୍କ ପାଖକୁ ଯାଇ କୁହନ୍ତି । ଭାବନ୍ତି ଶିବ ଏବଂ ଶଙ୍କର ଏକା ଅଟନ୍ତି କିନ୍ତୁ ଏପରି ତ ନୁହେଁ ନା ।

ବାବା ଆସି ସତ୍ୟ କଥା ଶୁଣାଉଛନ୍ତି । ବାବା ହିଁ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି । ତୁମମାନଙ୍କୁ ଗୃହସ୍ଥ ବ୍ୟବହାରରେ ମଧ୍ୟ ରହିବାକୁ ହେବ । କର୍ମଧନ୍ଦା ମଧ୍ୟ କରିବାକୁ ହେବ । ପ୍ରତ୍ୟେକ ନିଜ ପାଇଁ ରାଏ (ପରାମର୍ଶ) ମାଗୁଛନ୍ତି - ବାବା ମୋତେ ଏହି କଥାରେ ମିଛ କହିବାକୁ ପଡୁଛି । ବାବା ପ୍ରତ୍ୟେକଙ୍କର ଅବସ୍ଥା ଦେଖି ମତାମତ ଦେଇଥାନ୍ତି କାହିଁକି ନା ବାବା ଜାଣିଛନ୍ତି ମୁଁ କହୁଥିବି ଏବଂ ସିଏ କରିପାରୁ ନ ଥିବେ, ତେବେ ମୁଁ ଏଭଳି ରାୟ କାହିଁକି ଦେବି । ପ୍ରତ୍ୟେକଙ୍କର ଅବସ୍ଥାକୁ ଦେଖି ଏଭଳି ରାୟ ଦିଆଯାଉଛି ଯାହା ସିଏ ପାଳନ କରିପାରିବେ । ମୁଁ କହୁଥିବି ଏବଂ ସିଏ କରିପାରୁ ନ ଥିବେ ତେବେ ଅବଜ୍ଞାକାରୀଙ୍କ ତାଲିକାରେ ଆସିଯିବେ । ପ୍ରତ୍ୟେକଙ୍କର ନିଜ ନିଜର ହିସାବ-କିତାବ ରହିଛି । ଡାକ୍ତର ତ ଜଣେ ହିଁ ଅଟନ୍ତି ସମସ୍ତଙ୍କୁ ତାଙ୍କ ପାଖକୁ ଆସିବାକୁ ପଡିବ । ସିଏ ହିଁ ଠିକ୍ ରାୟ ଦେବେ । ସମସ୍ତଙ୍କୁ ପଚାରିବା ଦରକାର - ବାବା ଏହିଭଳି ପରିସ୍ଥିତିରେ ମୋତେ କିପରି ଚାଲିବାକୁ ହେବ? ଏବେ କ’ଣ କରାଯିବ? ବାବା ସ୍ୱର୍ଗକୁ ତ ନେଇଯାଉଛନ୍ତି । ତୁମେ ଜାଣିଛ ଆମେ ସ୍ୱର୍ଗବାସୀ ତ ହେବାକୁ ଯାଉଛୁ । ଏବେ ଆମେ ସଂଗମବାସୀ ଅଟୁ । ଆମେ ଏବେ ନା ନର୍କରେ ଅଛୁ ନା ସ୍ୱର୍ଗରେ ଅଛୁ । ଯେଉଁମାନେ ବ୍ରାହ୍ମଣ ହୋଇଛନ୍ତି ସେମାନଙ୍କର ବୁଦ୍ଧିଯୋଗ ଏହି ପୁରୁଣା ଦୁନିଆରୁ ଉଠିଯାଇଛି । ତୁମେମାନେ କଳିଯୁଗ ଦୁନିଆକୁ ବୁଦ୍ଧିରେ ଭୁଲିଯାଇଛ । ୟାଦର ଯାତ୍ରାରେ କେହି ବ୍ରାହ୍ମଣ ତୀବ୍ରଗତିରେ ଯାଉଛନ୍ତି ତ କେହି ଧିରେ ଧିରେ ଯାଉଛନ୍ତି । କେହି ବାବାଙ୍କର ହାତ ମଧ୍ୟ ଛାଡି ଦେଉଛନ୍ତି ଅର୍ଥାତ୍ ପୁନର୍ବାର କଳିଯୁଗକୁ ଚାଲିଯାଉଛନ୍ତି । ତୁମେ ଜାଣିଛ ନାଉରିଆ ବାବା ଆମକୁ ଏବେ ସେ ପାରିର ସ୍ୱର୍ଗ ଦୁନିଆକୁ ନେଇଯାଉଛନ୍ତି । ଭକ୍ତିମାର୍ଗର ତୀର୍ଥଯାତ୍ରା ଅନେକ ପ୍ରକାରର ରହିଛି । ତୁମର ତ ଗୋଟିଏ ପ୍ରକାରର ଯାତ୍ରା ଅଟେ । ଏହା ବିଲ୍‌କୁଲ୍ ଅଲଗା ପ୍ରକାରର ଯାତ୍ରା । ହଁ ତୋଫାନ ଆସୁଛି ଯାହାକି ତୁମର ଯୋଗକୁ ଭାଙ୍ଗି ଦେଉଛି । ଏହି ସ୍ମୃତିର ଯାତ୍ରାକୁ ମଜବୁତ୍ କର । ଏଥିପାଇଁ ପରିଶ୍ରମ କର । ତୁମେମାନେ କର୍ମଯୋଗୀ ଅଟ । ଯେତେ ଦୂର ସମ୍ଭବ ହାତରେ କାମ କର, ବୁଦ୍ଧିରେ ରାମଙ୍କୁ ମନେ ପକାଅ । ଅଧାକଳ୍ପ ତୁମେ ପ୍ରେମିକାମାନେ ପ୍ରେମିକଙ୍କୁ ମନେ ପକାଇ ଆସିଛ ଯେ ବାବା ଏଠାରେ ବହୁତ ଦୁଃଖ, ଏବେ ଆମକୁ ସୁଖଧାମର ମାଲିକ କରିଦିଅ । ଯୋଗର ଯାତ୍ରାରେ ରହିଲେ ତୁମର ପାପ ବିନାଶ ହୋଇଯିବ । ତୁମେମାନେ ହିଁ ସ୍ୱର୍ଗର ସମ୍ପତ୍ତି ପାଇଥିଲ ଏବେ ହରାଇ ଦେଇଛ । ଭାରତ ସ୍ୱର୍ଗ ଥିଲା ସେଥିପାଇଁ କହୁଛନ୍ତି ପ୍ରାଚୀନ ଭାରତ । ଭାରତକୁ ହିଁ ବହୁତ ସମ୍ମାନ ଦେଉଛନ୍ତି । ଭାରତ ସବୁଠାରୁ ଶ୍ରେଷ୍ଠ ସବୁଠାରୁ ପୁରୁଣା ମଧ୍ୟ ଅଟେ । ଏବେ ତ ଭାରତ କେତେ ଗରିବ ହୋଇଯାଇଛି ସେଥିପାଇଁ ସମସ୍ତେ ତାକୁ ସାହାଯ୍ୟ କରୁଛନ୍ତି । ସେମାନେ ଭାବୁଛନ୍ତି ଆମ ପାଖରେ ବହୁତ ଶସ୍ୟ ହୋଇଯିବ ଯଦ୍ୱାରା କେଉଁଠାରୁ ମଗାଇବାକୁ ପଡିବ ନାହିଁ । କିନ୍ତୁ ଏକଥା ତ ତୁମେ ଜାଣିଛ - ବିନାଶ ସମ୍ମୁଖରେ ଦଣ୍ଡାୟମାନ । ଯେଉଁଥିପାଇଁ ଭଲ ଭାବରେ ବୁଝୁଛନ୍ତି ସେମାନଙ୍କର ଭିତରେ ଭିତରେ ବହୁତ ଖୁସି ରହୁଛି । ପ୍ରଦର୍ଶନୀକୁ କେତେ ସବୁ ଆସୁଛନ୍ତି । କହୁଛନ୍ତି ତୁମେ ସତ୍ୟ କହୁଛ କିନ୍ତୁ ଏକଥା ବୁଝିଯିବେ ଯେ ମୋତେ ବି ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି, ସେ କଥା ବୁଦ୍ଧିରେ ଆସୁ ନାହିଁ । ଏଠାରୁ ବାହାରକୁ ଗଲେ ଜ୍ଞାନ ବୁଦ୍ଧିରୁ ହଜିଯାଉଛି । ତୁମେ ଜାଣିଛ ବାବା ଆମକୁ ସ୍ୱର୍ଗକୁ ନେଇଯାଉଛନ୍ତି । ସେଠାରେ ନା ଗର୍ଭଜେଲ୍ ନା ସ୍ଥୂଳ ଜେଲ୍ ରହିବ । ଏବେ ଜେଲ ଯିବା ମଧ୍ୟ କେତେ ସହଜ ହୋଇଗଲାଣି । ପୁଣି ସତ୍ୟଯୁଗରେ ଜେଲ ରହିବ ନାହିଁ । ଉଭୟ ଜେଲ୍ ରହିବ ନାହିଁ । ଏଠାରେ ତ ସବୁ କିଛି ମାୟାର ଜାକଜମକ । ବଡ ବଡିଆଙ୍କୁ ତ ଯେମିତିକି ତଳିତଳାନ୍ତ କରିଦେଉଛନ୍ତି । ଆଜି ବହୁତ ସମ୍ମାନ ଦେଉଛନ୍ତି କାଲି ପୁଣି ବେଇଜ୍ଜତି କରୁଛନ୍ତି । ଆଜି କାଲି ପ୍ରତ୍ୟେକ କଥା ତୁରନ୍ତ ହୋଇଯାଉଛି । ସେହିପରି ମୃତ୍ୟୁ ମଧ୍ୟ ତୁରନ୍ତ ହେବ । ସତ୍ୟଯୁଗରେ ଏଭଳି କୌଣସି ଉପଦ୍ରବ ବା ପ୍ରାକୃତିକ ବିପର୍ଯ୍ୟୟ ହେବ ନାହିଁ । ଆଗକୁ ଗଲେ ଦେଖିବ କ’ଣ କ’ଣ ହେଉଛି । ବହୁତ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିବ । ତୁମେ ପିଲାମାନେ ସାକ୍ଷାତ୍‌କାର ମଧ୍ୟ କରିଛ । ପିଲାମାନଙ୍କ ପାଇଁ ମୁଖ୍ୟ କଥା ହେଲା ଯୋଗର ଯାତ୍ରା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ମନ-ବଚନ-କର୍ମରେ ବହୁତ ବହୁତ ସଠିକ୍ ଭାବରେ ଚାଲିବାକୁ ହେବ । ବ୍ରାହ୍ମଣ ହେବା ପରେ ଆଉ କୌଣସି ଶୁଦ୍ରଙ୍କ ଭଳି କର୍ମ କରିବାର ନାର୍ହି ।

(୨) ବାବାଙ୍କଠାରୁ ଯେଉଁ ମତ ମିଳୁଛି ତା ଉପରେ ଭଲ ଭାବରେ ଚାଲି ଆଜ୍ଞାକାରୀ ସନ୍ତାନ ହେବାକୁ ପଡିବ । କର୍ମଯୋଗୀ ହୋଇ ପ୍ରତ୍ୟେକ କାର୍ଯ୍ୟ କରିବାକୁ ହେବ । ସମସ୍ତଙ୍କର ବୁଦ୍ଧିରୂପୀ ଝୁଲାକୁ ଜ୍ଞାନରତ୍ନରେ ଭରିବାକୁ ହେବ ।

ବରଦାନ:-
ଡବଲ ଲାଇଟ୍ ହୋଇ କର୍ମାତୀତ ଅବସ୍ଥାର ଅନୁଭବ କରୁଥିବା କର୍ମଯୋଗୀ ଭବ ।

ଯେପରି କର୍ମ କରିବା ସ୍ୱାଭାବିକ ହୋଇଯାଇଛି ସେହିପରି କର୍ମାତୀତ ହେବା ମଧ୍ୟ ସ୍ୱାଭାବିକ ହୋଇଯାଉ, ଏଥିପାଇଁ ସର୍ବଦା ଡବଲ ଲାଇଟ୍ ସ୍ଥିତିରେ ରୁହ ଏବଂ ଡବଲ ଲାଇଟ୍ ସ୍ଥିତିରେ ରହିବା ପାଇଁ କର୍ମ କରିବା ସମୟରେ ନିଜକୁ ଟ୍ରଷ୍ଟୀ ମନେ କର ଏବଂ ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର । ଏହି ଦୁଇଟି କଥା ପ୍ରତି ଧ୍ୟାନ ଦେଲେ ଗୋଟିଏ ସେକେଣ୍ଡ ଭିତରେ କର୍ମାତୀତ ଏବଂ ଗୋଟିଏ ସେକେଣ୍ଡ ଭିତରେ କର୍ମଯୋଗୀ ହୋଇପାରିବ । ନିମିତ୍ତ ମାତ୍ର କର୍ମ କରିବା ପାଇଁ କର୍ମଯୋଗୀ ହୁଅ, ତା’ପରେ ପୁଣି କର୍ମାତୀତ ଅବସ୍ଥାର ଅନୁଭବ କର ।

ସ୍ଲୋଗାନ:-
ଯେଉଁମାନଙ୍କର ହୃଦୟ ବିଶାଳ ଅଟେ, ସେମାନଙ୍କ ପାଇଁ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଯାଏ ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।

ତୁମ ଭିତରେ ଯେଉଁ ସବୁ ବିଶେଷତାଗୁଡିକ ଅଛି ସେଗୁଡିକୁ ସମ୍ମୁଖରେ ରଖ, ଦୁର୍ବଳତା ଗୁଡିକୁ ନୁହେଁ, ଏହା ଦ୍ୱାରା ନିଜ ଉପରେ ବିଶ୍ୱାସ ରହିବ । ଯଦି ନିଜର ଦୋଷ-ଦୁର୍ବଳତାଗୁଡିକୁ ଅଧିକ ଚିନ୍ତନ କରିବ ନାହିଁ ତେବେ ସର୍ବଦା ଖୁସିରେ ରହିବା ସହିତ ଆଗକୁ ଆଗକୁ ବଢିଚାଲିବ । ବାସ୍ତବିକ ଭାବରେ ଅନେକ ଦେଶ, ଅନେକ ଭାଷା, ଅନେକ ପ୍ରକାରର ରୂପ-ରଙ୍ଗ ଥିଲେ ମଧ୍ୟ ଅନେକତା ଭିତରେ ସମସ୍ତଙ୍କ ହୃଦୟରେ ଏକତା ରହିଛି ନା! କାରଣ ସମସ୍ତଙ୍କ ହୃଦୟରେ ଏକମାତ୍ର ବାବା ହିଁ ଅଛନ୍ତି ଏବଂ ସମସ୍ତେ ଏକମତ ଅର୍ଥାତ୍ ଶ୍ରୀମତରେ ଚାଲୁଛ । ଅନେକ ଭାଷାଭାଷୀ ହୋଇଥିଲେ ମଧ୍ୟ ସମସ୍ତଙ୍କର ମନର ଗୀତ ବା ମନର ଭାଷା ଏକ ଅଟେ ।