25.06.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ତୁମମାନଙ୍କୁ ନୂଆ ଦୁନିଆକୁ ଯିବା ପାଇଁ ରାଜଯୋଗ ଶିଖାଉଛନ୍ତି, ସେଥିପାଇଁ ଏହି ପୁରୁଣା ଦୁନିଆର ବିନାଶ ମଧ୍ୟ ନିଶ୍ଚିତ ହେବ ।”

ପ୍ରଶ୍ନ:-
ମନୁଷ୍ୟମାନଙ୍କ ଭିତରେ କେଉଁ ଏକ ଭଲ ଅଭ୍ୟାସ ରହିଛି କିନ୍ତୁ ତା’ ଦ୍ୱାରା ମଧ୍ୟ କୌଣସି ପ୍ରାପ୍ତି ହେଉ ନାହିଁ?

ଉତ୍ତର:-
ମନୁଷ୍ୟମାନଙ୍କର ଭଗବାନଙ୍କୁ ମନେ ପକାଇବାର ଅଭ୍ୟାସ ରହିଛି, ଯେବେ କୌଣସି ଅସୁବିଧା ହେଉଛି ସେତେବେଳେ କହିଦେଉଛନ୍ତି - ହେ ଭଗବାନ! ଶିବଲିଙ୍ଗର ଦୃଶ୍ୟ ସମ୍ମୁଖକୁ ଆସିଯାଉଛି କିନ୍ତୁ ଯଥାର୍ଥ ପରିଚୟ ନ ଥିବା କାରଣରୁ କୌଣସି ପ୍ରାପ୍ତି ହେଉନାହିଁ, ପୁଣି କହିଦେଉଛନ୍ତି ସୁଖ-ଦୁଃଖ ସବୁକିଛି ସେ ହିଁ ଦେଉଛନ୍ତି । କିନ୍ତୁ ତୁମେମାନେ ବର୍ତ୍ତମାନ ଏପରି କହିବ ନାହିଁ ।

ଓମ୍ ଶାନ୍ତି ।
ବାବା ଯାହାଙ୍କୁ ରଚୟିତା ବୋଲି କୁହାଯାଉଛି, କାହାର ରଚୟିତା? ନୂଆ ଦୁନିଆର ରଚୟିତା । ନୂଆ ଦୁନିଆକୁ କୁହାଯାଉଛି ସ୍ୱର୍ଗ ଅଥବା ସୁଖଧାମ, ନାମ ତ କହୁଛନ୍ତି କିନ୍ତୁ ବୁଝୁ ନାହାଁନ୍ତି । ଶ୍ରୀକୃଷ୍ଣଙ୍କ ମନ୍ଦିରକୁ ମଧ୍ୟ ସୁଖଧାମ କହୁଛନ୍ତି । ତେବେ ତାହା ତ ଛୋଟ ମନ୍ଦିର ହୋଇଗଲା । କୃଷ୍ଣ ତ ବିଶ୍ୱର ମାଲିକ ଥିଲେ । ବେହଦର ମାଲିକଙ୍କୁ ଯେପରିକି ହଦର ମାଲିକ କରିଦେଉଛନ୍ତି । କୃଷ୍ଣଙ୍କର ଛୋଟ ମନ୍ଦିରକୁ ସୁଖଧାମ କହୁଛନ୍ତି । ବୁଦ୍ଧିରେ ଏକଥା ଆସୁନାହିଁ କି ସେ ତ ବିଶ୍ୱର ମାଲିକ ଥିଲେ । ଭାରତରେ ହିଁ ରହୁଥିଲେ । ତୁମକୁ ମଧ୍ୟ ପୂର୍ବରୁ କିଛି ଜଣା ନ ଥିଲା । ବାବାଙ୍କୁ ତ ସବୁ କିଛି ଜଣା ଅଛି, ସେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ଏବେ ତୁମେ ପିଲାମାନେ ଜାଣୁଛ, ଦୁନିଆରେ ତ ଏକଥା ମଧ୍ୟ କାହାକୁ ଜଣା ନାହିଁ - ବ୍ରହ୍ମା-ବିଷ୍ଣୁ-ଶଙ୍କର କିଏ? ଶିବ ତ ହେଉଛନ୍ତି ସର୍ବୋଚ୍ଚ ଭଗବାନ । ଆଚ୍ଛା, ପୁଣି ପ୍ରଜାପିତା ବ୍ରହ୍ମା କୁଆଡୁ ଆସିଲେ? ସେ ତ ମନୁଷ୍ୟ ହିଁ ଅଟନ୍ତି ନା । ପ୍ରଜାପିତା ବ୍ରହ୍ମା ତ ନିଶ୍ଚୟ ଏ ଦୁନିଆରେ ହିଁ ଆବଶ୍ୟକ ନା, ଯାହାଙ୍କ ଦ୍ୱାରା ବ୍ରାହ୍ମଣ ସୃଷ୍ଟି ହେବେ । ପ୍ରଜାପିତା ଅର୍ଥ ମୁଖ ଦ୍ୱାରା ପୋଷ୍ୟ କରାଇବାବାଲା । ତୁମେ ହେଉଛ ମୁଖ ବଂଶାବଳୀ । ଏବେ ତୁମେ ଜାଣୁଛ କି କିପରି ବ୍ରହ୍ମାଙ୍କୁ ଶିବବାବା ନିଜର କରି ମୁଖ ବଂଶାବଳୀ ସନ୍ତାନ ରଚନା କରିଛନ୍ତି, ଏହାଙ୍କ ମଧ୍ୟରେ ପ୍ରବେଶ ମଧ୍ୟ କଲେ ପୁଣି କହିଲେ ଏମାନେ ମୋର ସନ୍ତାନ ଅଟନ୍ତି । ତୁମେ ଜାଣିଛ ବ୍ରହ୍ମା ନାମ କିପରି ରଖାଗଲା, କିପରି ଜନ୍ମ ହେଲେ, ଏ କଥା ଆଉ କେହି ବି ଜାଣି ନାହାଁନ୍ତି । କେବଳ ମହିମା ଗାନ କରୁଛନ୍ତି ଯେ ପରମପିତା ପରମାତ୍ମା ସର୍ବୋଚ୍ଚ ଅଟନ୍ତି । କିନ୍ତୁ ଏହା କାହାରି ବୁଦ୍ଧିରେ ଆସୁ ନାହିଁ ଯେ ସେ ହେଉଛନ୍ତି ସର୍ବୋଚ୍ଚ ବାବା । ସେ ଆମ ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି । ସେ ମଧ୍ୟ ବିନ୍ଦୁ ରୂପ ହିଁ ଅଟନ୍ତି, ତାଙ୍କ ପାଖରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ଏହି ଜ୍ଞାନ ମଧ୍ୟ ତୁମକୁ ଏବେ ହିଁ ମିଳୁଛି । ପୂର୍ବରୁ ଟିକିଏ ହେଲେ ବି ଏହି ଜ୍ଞାନ ନ ଥିଲା । ମନୁଷ୍ୟ କେବଳ କହୁଛନ୍ତି ବ୍ରହ୍ମା-ବିଷ୍ଣୁ-ଶଙ୍କର, କିନ୍ତୁ କିଛି ହେଲେ ଜାଣିନାହାଁନ୍ତି । ତେଣୁ ସେମାନଙ୍କୁ ମଧ୍ୟ ବୁଝାଇବାକୁ ହେବ । ଏବେ ତୁମେ ବୁଦ୍ଧିମାନ ହୋଇଛ । ଜାଣିଛ ଯେ ବାବା ହେଉଛନ୍ତି ଜ୍ଞାନର ସାଗର, ଯିଏ ଆମକୁ ଜ୍ଞାନ ଶୁଣାଉଛନ୍ତି, ପଢାଉଛନ୍ତି । ଏହି ରାଜଯୋଗ ହେଉଛି ସତ୍ୟଯୁଗ ନୂଆ ଦୁନିଆ ପାଇଁ, ତେବେ ନିଶ୍ଚୟ ପୁରୁଣା ଦୁନିଆର ବିନାଶ ହେବା ଉଚିତ୍ । ସେଥିପାଇଁ ହିଁ ଏହି ମହାଭାରତ ଲଢେଇ ହେଉଛି । ଅଧାକଳ୍ପରୁ ତୁମେ ଭକ୍ତିମାର୍ଗର ଶାସ୍ତ୍ର ପଢି ଆସିଛ । ଏବେ ତ ସିଧାସଳଖ ବାବାଙ୍କଠାରୁ ଶୁଣୁଛ । ବାବା ବସି କୌଣସି ଶାସ୍ତ୍ର ଶୁଣାଉ ନାହାଁନ୍ତି । ଜପ, ତପ କରିବା, ଶାସ୍ତ୍ର ଆଦି ପଢିବା ଏସବୁ ହେଉଛି - ଭକ୍ତି । ଏବେ ଭକ୍ତମାନଙ୍କୁ ଭକ୍ତିର ଫଳ ଦରକାର, କାହିଁକି ନା ଭଗବାନଙ୍କ ସହିତ ମିଶିବା ପାଇଁ ପରିଶ୍ରମ କରୁଛନ୍ତି । କିନ୍ତୁ ଜ୍ଞାନ ଦ୍ୱାରା ହିଁ ସଦ୍‌ଗତି ହୋଇଥାଏ । ଜ୍ଞାନ ଏବଂ ଭକ୍ତି ଉଭୟ ଏକାଠି ଚାଲିପାରିବ ନାହିଁ । ଏବେ ହେଉଛି ହିଁ ଭକ୍ତିର ରାଜ୍ୟ । ସମସ୍ତେ ଭକ୍ତ ଅଟନ୍ତି । ପ୍ରତ୍ୟେକଙ୍କ ମୁଖରୁ ହେ ଭଗବାନ ନିଶ୍ଚୟ ବାହାରିବ । ଏବେ ତୁମେ ପିଲାମାନେ ଜାଣୁଛ ଯେ ବାବା ନିଜର ପରିଚୟ ଦେଇଛନ୍ତି ଯେ ମୁଁ ଛୋଟ ବିନ୍ଦୁ ଅଟେ । ମୋତେ ହିଁ ଜ୍ଞାନର ସାଗର କହୁଛନ୍ତି । ମୁଁ ବିନ୍ଦୁ ରୂପ ମୋ ମଧ୍ୟରେ ସମସ୍ତ ଜ୍ଞାନ ଭରି ରହିଛି । ଆତ୍ମାରେ ହିଁ ଜ୍ଞାନ ରହିଥାଏ । ଏବେ ତୁମେ ବୁଝୁଛ ଯେ ତାଙ୍କୁ ହିଁ ପରମପିତା ପରମାତ୍ମା କୁହାଯାଇଥାଏ । ସେ ହେଉଛନ୍ତି ସୁପ୍ରିମ୍ ସୋଲ୍ ଅର୍ଥାତ୍ ସର୍ବୋଚ୍ଚ । ପତିତ-ପାବନ ବାବା ହିଁ ସୁପ୍ରିମ ଅଟନ୍ତି ନା । ମନୁଷ୍ୟ “ହେ ଭଗବାନ” କହିଲେ ଶିବଲିଙ୍ଗ ହିଁ ମନେ ପଡିବ । ତାହା ମଧ୍ୟ ଯଥାର୍ଥ ରୀତିରେ ନୁହେଁ । ସାଧାରଣ ଭାବେ ଭଗବାନଙ୍କୁ ମନେ ପକାଇବା ଯେପରି ଏକ ଅଭ୍ୟାସ ହୋଇଯାଇଛି । କହିଥାଆନ୍ତି ଭଗବାନ ହିଁ ସୁଖ ଦୁଃଖ ଦେଉଛନ୍ତି । ଏବେ ତୁମେ ପିଲାମାନେ ଏପରି କହିବ ନାହିଁ । ତୁମେ ଜାଣିଛ ଯେ ବାବା ତ ହେଉଛନ୍ତି ସୁଖଦାତା । ସତ୍ୟଯୁଗରେ ସୁଖଧାମ ଥିଲା । ସେଠାରେ ଦୁଃଖର ନାମ ମଧ୍ୟ ନ ଥିଲା । କଳିଯୁଗରେ କେବଳ ଦୁଃଖ ହିଁ ରହିଛି । ଏଠାରେ ସୁଖର ନାମ ହିଁ ନାହିଁ । ଭଗବାନ ହେଉଛନ୍ତି ସର୍ବୋଚ୍ଚ ସେ ସର୍ବ ଆତ୍ମାମାନଙ୍କର ପିତା ଅଟନ୍ତି । ଏକଥା କାହାକୁ ମଧ୍ୟ ଜଣାନାହିଁ ଯେ ଆତ୍ମାମାନଙ୍କର ପିତା ମଧ୍ୟ ଅଛନ୍ତି, କହୁଛନ୍ତି ମଧ୍ୟ ଆମେ ସବୁ ଭାଇ-ଭାଇ ଅଟୁ, ତେବେ ନିଶ୍ଚୟ ସମସ୍ତେ ଏକ ବାବାଙ୍କର ସନ୍ତାନ ହେଲେ ନା । କେହି ପୁଣି କହିଦେଉଛନ୍ତି ସେ ତ ସର୍ବବ୍ୟାପୀ ଅଟନ୍ତି - ତୁମ ଭିତରେ ବି ଅଛନ୍ତି, ମୋ ଭିତରେ ବି ଅଛନ୍ତି... । ଆରେ, ତୁମେ ତ ଆତ୍ମା ଅଟ, ଏହା ତୁମର ଶରୀର ଅଟେ ପୁଣି ତୃତୀୟ ବସ୍ତୁ କିପରି ରହିପାରିବ! ଆତ୍ମାକୁ କ’ଣ ପରମାତ୍ମା କୁହାଯିବ କି? ଜୀବ ଆତ୍ମା କୁହାଯାଇଥାଏ । ଜୀବ ପରମାତ୍ମା କୁହାଯାଏ ନାହିଁ । ତେବେ ପରମାତ୍ମା ସର୍ବବ୍ୟାପୀ କିପରି ହୋଇପାରିବେ! ବାବା ସର୍ବବ୍ୟାପୀ ହୋଇଥିଲେ ତ’ ଫାଦରହୁଡ୍ ଅର୍ଥାତ୍ ପିତୃଭାବ ହୋଇଯାଇଥାଆନ୍ତା । ପିତାଙ୍କୁ ପିତାଠାରୁ ବର୍ସା ମିଳିପାରିବ ନାହିଁ । ପିତାଙ୍କଠାରୁ ତ ସନ୍ତାନ ହିଁ ସଂପତ୍ତି ନେଇଥାଏ । ସମସ୍ତେ ପିତା କିପରି ହୋଇପାରିବେ, ଏତେ ସାମାନ୍ୟ କଥା ମଧ୍ୟ କେହି ବୁଝିପାରୁ ନାହାଁନ୍ତି । ସେଥିପାଇଁ ବାବା କହୁଛନ୍ତି - ପିଲାମାନେ, ମୁଁ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ତୁମକୁ କେତେ ବୁଦ୍ଧିବାନ କରାଇଥିଲି, ତୁମେ ସଦା ସୁସ୍ଥ, ସମୃଦ୍ଧ ଓ ବୁଦ୍ଧିମାନ ଥିଲ । ଏହାଠାରୁ ଅଧିକ ବୁଦ୍ଧିମାନ କେହି ହୋଇପାରିବେ ନାହିଁ । ତୁମକୁ ଏବେ ଯେଉଁ ଜ୍ଞାନ ମିଳୁଛି ତାହା ପୁଣି ସେଠାରେ (ସତ୍ୟଯୁଗରେ) ରହିବ ନାହିଁ । ସେଠାରେ ଏକଥା ଜଣାପଡିବ ନାହିଁ ଯେ ଆମେ ପୁଣି ତଳକୁ ଖସିବୁ । ଅଧୋଗତି କଥା ଜଣା ପଡିଗଲେ ପୁଣି ସୁଖର ଅନୁଭବ ହିଁ ହେବ ନାହିଁ । ଏହି ଜ୍ଞାନ ପୁଣି ପ୍ରାୟ ଲୋପ ହୋଇଯାଇଥାଏ । ଏହି ଡ୍ରାମାର ଜ୍ଞାନ କେବଳ ବର୍ତ୍ତମାନ ତୁମ ବୁଦ୍ଧିରେ ଅଛି । ବ୍ରାହ୍ମଣ ହିଁ ଜ୍ଞାନର ଅଧିକାରୀ ହୋଇଥା’ନ୍ତି । ତୁମ ବୁଦ୍ଧିରେ ଅଛି ଯେ ଏବେ ଆମେ ବ୍ରାହ୍ମଣ ବର୍ଣ୍ଣର ଅଟୁ, ବ୍ରାହ୍ମଣଙ୍କୁ ହିଁ ବାବା ଜ୍ଞାନ ଶୁଣାଇଥା’ନ୍ତି, ବ୍ରାହ୍ମଣ ପୁଣି ସମସ୍ତଙ୍କୁ ଶୁଣାଇଥା’ନ୍ତି । ଗାୟନ ମଧ୍ୟ ରହିଛି ଭଗବାନ ଆସି ସ୍ୱର୍ଗର ସ୍ଥାପନା କରିଥିଲେ, ରାଜଯୋଗ ଶିଖାଇଥିଲେ । ଦେଖ ଶ୍ରୀକୃଷ୍ଣ ଜୟନ୍ତୀ ପାଳନ କରୁଛନ୍ତି, ଭାବୁଛନ୍ତି ଯେ କୃଷ୍ଣ ବୈକୁଣ୍ଠର ମାଲିକ ଥିଲେ, କିନ୍ତୁ ସେ ବିଶ୍ୱର ମାଲିକ ଥିଲେ - ଏହି କଥା ବୁଦ୍ଧିରେ ଆସୁ ନାହିଁ । ଯେତେବେଳେ ତାଙ୍କର ରାଜତ୍ୱ ଥିଲା ସେ ସମୟରେ ଅନ୍ୟ କୌଣସି ଧର୍ମ ନ ଥିଲା । ତାଙ୍କର ହିଁ ସାରା ବିଶ୍ୱ ଉପରେ ରାଜ୍ୟ ଥିଲା ଏବଂ ତାହା ଯମୁନା କୂଳରେ ଥିଲା । ଏବେ ତୁମକୁ ଏହା କିଏ ବୁଝାଉଛନ୍ତି? ଭଗବାନୁବାଚ, ବାକି ସାଧୁସନ୍ଥମାନେ ଯାହା କିଛି ବି ବେଦଶାସ୍ତ୍ର ଆଦି ଶୁଣାଉଛନ୍ତି ସେ ସବୁ ହେଉଛି ଭକ୍ତିମାର୍ଗର । ଏଠାରେ ତ ସ୍ୱୟଂ ଭଗବାନ ତୁମକୁ ଶୁଣାଉଛନ୍ତି । ଏବେ ତୁମେ ଜାଣୁଛ ଆମେ ପୁରୁଷୋତ୍ତମ ହେଉଛୁ । ତୁମ ବୁଦ୍ଧିରେ ଏହା ଅଛି ଯେ ଆମେ ଶାନ୍ତିଧାମର ବାସିନ୍ଦା ଅଟୁ ପୁଣି ଆମେ ଆସି ୨୧ ଜନ୍ମର ପ୍ରାରବ୍ଧ ଭୋଗ କରିବୁ ।

ତୁମେ ପିଲାମାନେ ଆନ୍ତରିକ ଖୁସିରେ ଗଦ୍‌ଗଦ୍ ହେବା ଉଚିତ୍‌, ଯେ ବେହଦର ବାବା ଶିବବାବା ଆମକୁ ପଢାଉଛନ୍ତି, ସେ ଜ୍ଞାନର ସାଗର ଅଟନ୍ତି, ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ଏପରି ଶ୍ରେଷ୍ଠ ପିତା ଆମ ପାଇଁ ଆସିଛନ୍ତି, ତେଣୁ ଖୁସିରେ କୁରୁଳି ଉଠୁଛ । ବାବାଙ୍କୁ କହୁଛ ଆମେ ତୁମକୁ ନିଜର ଉତ୍ତରାଧିକାରୀ କରିଛୁ । ପିତା ପିଲାମାନଙ୍କ ଉପରେ ସମର୍ପିତ ହୋଇଥା’ନ୍ତି । ସନ୍ତାନମାନେ ପୁଣି କହୁଛନ୍ତି ଯେ ଭଗବାନ ଆପଣ ଯେବେ ଆସିବେ ତେବେ ଆମେ ଆପଣଙ୍କ ଉପରେ ହିଁ ସମର୍ପିତ ହେବୁ ଅର୍ଥାତ୍ ଆପଣଙ୍କୁ ସନ୍ତାନ କରିବୁ । ଶିବବାବା ମଧ୍ୟ ନିଜ ସନ୍ତାନମାନଙ୍କୁ ହିଁ ଉତ୍ତରାଧିକାରୀ କରୁଛନ୍ତି । ବାବାଙ୍କୁ କିପରି ଉତ୍ତରାଧିକାରୀ କରିବ । ଏହା ମଧ୍ୟ ଗୁହ୍ୟ କଥା ଅଟେ । ନିଜର ସବୁ କିଛି ଅଦଳବଦଳ କରିବାକୁ ହେବ - ଏହା ସବୁ ହେଉଛି ବୁଦ୍ଧିର କାମ ଅଟେ । ଗରୀବମାନେ ତ ତୁରନ୍ତ ବଦଳାଇ ଦେବେ, ସାହୁକାରମାନେ କଷ୍ଟରେ କରିବେ । ଯେ ପର୍ଯ୍ୟନ୍ତ ସେମାନେ ସମ୍ପୂର୍ଣ୍ଣ ରୂପେ ଜ୍ଞାନ ବୁଝି ନାହାଁନ୍ତି । ସେମାନଙ୍କର ଏତେ ସାହସ ନ ଥାଏ । ଗରୀବମାନେ ତ ତୁରନ୍ତ କହିଦେଇଥା’ନ୍ତି - ବାବା ଆମେ ତ ଆପଣଙ୍କୁ ହିଁ ଉତ୍ତରାଧିକାରୀ କରିବୁ । ଆମ ପାଖରେ କ’ଣ ବା ଅଛି । ଉତ୍ତରାଧିକାରୀ କରି ପୁଣି ନିଜର ଶରୀର ନିର୍ବାହ ପାଇଁ କର୍ମଧନ୍ଦା ମଧ୍ୟ କରିବାକୁ ହେବ । କେବଳ ନିମିତ୍ତ ଭାବି ରହିବାକୁ ହେବ । ବହୁତ ଉପାୟ ବତାଉଛନ୍ତି । ବାବା ତ କେବଳ ଦେଖୁଛନ୍ତି କି କୌଣସି ପାପ କର୍ମରେ ପଇସା ନଷ୍ଟ କରୁ ନାହାଁନ୍ତି ତ? ମନୁଷ୍ୟଙ୍କୁ ପୁଣ୍ୟ ଆତ୍ମା କରିବା ପାଇଁ ପଇସା ଲଗାଉଛନ୍ତି? ସେବା ମଧ୍ୟ ଶ୍ରୀମତ ପ୍ରମାଣ କରୁଛନ୍ତି ତ? ଏ ସବୁର ପୁରା ଯାଞ୍ଚ କରାଯିବ, ପୁଣି ମତ ଦିଆଯିବ । ଏଇ ବ୍ରହ୍ମାବାବା ମଧ୍ୟ ନିଜର ବ୍ୟବସାୟରୁ ଈଶ୍ୱରଙ୍କ ନିମନ୍ତେ ଅର୍ଥାତ୍ ଧର୍ମକାର୍ଯ୍ୟ ପାଇଁ ପଇସା ବାହାର କରୁଥିଲେ ନା । ତାହା ତ ଥିଲା ପରୋକ୍ଷ । ଏବେ ବାବା ସିଧାସଳଖ ଆସିଛନ୍ତି । ମନୁଷ୍ୟ ଭାବୁଛନ୍ତି ଆମେ ଯାହା କିଛି କରୁଛୁ ତା’ର ଫଳ ଈଶ୍ୱର ପର ଜନ୍ମରେ ଦେଇଥା’ନ୍ତି । କେହି ଗରୀବ ଦୁଃଖୀ ହୋଇଥିଲେ ବୁଝିବେ ଯେ ସେ କର୍ମ ହିଁ ଏହିପରି କରିଛନ୍ତି । ଭଲ କର୍ମ କରିଥିଲେ ସୁଖୀ ହୋଇଥା’ନ୍ତି । ବାବା ତୁମ ସନ୍ତାନମାନଙ୍କୁ କର୍ମର ଗତି ଉପରେ ବୁଝାଉଛନ୍ତି, ରାବଣ ରାଜ୍ୟରେ ତୁମର ସବୁ କର୍ମ ବିକର୍ମ ହିଁ ହୋଇଯାଉଛି । ସତ୍ୟଯୁଗ ଏବଂ ତ୍ରେତାରେ ରାବଣ ହିଁ ନ ଥାଏ । ସେଥିପାଇଁ ସେଠାରେ କୌଣସି କର୍ମ ବିକର୍ମ ହୋଇ ନ ଥାଏ । ଏଠାରେ ଯାହା କିଛି ଭଲ କର୍ମ କରୁଛ ତାହାର ଫଳରେ ମଧ୍ୟ ଅଳ୍ପ କାଳ ପାଇଁ ସୁଖ ମିଳୁଛି । ତଥାପି ବି କୌଣସି ନା କୌଣସି ରୋଗ, ଖିଟ୍‌ପିଟ୍ ତ ହେଉଛି କାହିଁକି ନା ଏହା ହେଉଛି ଅଳ୍ପ କାଳର ସୁଖ । ଏବେ ବାବା କହୁଛନ୍ତି ଏହି ରାବଣ ରାଜ୍ୟ ହିଁ ଶେଷ ହୋଇଯିବ । ରାମରାଜ୍ୟର ସ୍ଥାପନା ଶିବବାବା କରୁଛନ୍ତି ।

ତୁମେ ଜାଣିଛ ଏହି ଚକ୍ର କିପରି ଘୂରୁଛି । ଭାରତ ହିଁ ପୁଣି ଗରୀବ ହୋଇଯାଉଛି । ଭାରତ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ସ୍ୱର୍ଗ ଥିଲା, ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ପ୍ରଥମେ ଏମାନଙ୍କର ରାଜତ୍ୱ ଥିଲା । ରାଜକୁମାର ଶ୍ରୀକୃଷ୍ଣ ପୁଣି ସ୍ୱୟଂବର ହେବା ପରେ ରାଜା ହେଲେ । ଶ୍ରୀନାରାୟଣ ନାମ ରଖାଗଲା । ଏ କଥା ମଧ୍ୟ ତୁମେ ଏବେ ବୁଝୁଛ ତେଣୁ ତୁମକୁ ଆଶ୍ଚର୍ଯ୍ୟ ଲାଗୁଛି । ବାବା ଆପଣ ସାରା ରଚୟିତା ଏବଂ ରଚନାର ଜ୍ଞାନ ଶୁଣାଉଛନ୍ତି । ଆପଣ ଆମମାନଙ୍କୁ କେତେ ଶ୍ରେଷ୍ଠ ପାଠ ପଢାଉଛନ୍ତି । ଆପଣଙ୍କ ନିକଟରେ ସମର୍ପଣ ହୋଇଯିବୁ, ଆମକୁ ତ କେବଳ ଏକ ବାବାଙ୍କ ବ୍ୟତୀତ ଆଉ କାହାକୁ ୟାଦ କରିବାର ନାହିଁ । ଶେଷ ପର୍ଯ୍ୟନ୍ତ ପଢିବାକୁ ହେବ ତେଣୁ ନିଶ୍ଚୟ ଶିକ୍ଷକଙ୍କୁ ୟାଦ କରିବାକୁ ହେବ । ସ୍କୁଲ୍‌ରେ ଶିକ୍ଷକଙ୍କୁ ମନେ ପକାଇଥା’ନ୍ତି ନା । ସେହି ସ୍କୁଲମାନଙ୍କରେ ତ ଅନେକ ଶିକ୍ଷକ ରହିଥାନ୍ତି । ପ୍ରତ୍ୟେକ ଶ୍ରେଣୀର ଶିକ୍ଷକ ଅଲଗା ଥା’ନ୍ତି, ଏଠାରେ ତ ଜଣେ ମାତ୍ର ଶିକ୍ଷକ ରହିଛନ୍ତି । କେତେ ପ୍ରିୟ ଅଟନ୍ତି । ପ୍ରିୟ ବାବା, ପ୍ରିୟ ଶିକ୍ଷକ...ଆଗରୁ ଭକ୍ତିମାର୍ଗରେ ଅନ୍ଧଶ୍ରଦ୍ଧାରେ ମନେ ପକାଉଥିଲ । ଏବେ ତ ସିଧାସଳଖ ବାବା ପଢାଉଛନ୍ତି, ତେଣୁ କେତେ ଖୁସି ହେବା ଉଚିତ୍ ତଥାପି ମଧ୍ୟ କହୁଛନ୍ତି ବାବା ଆମେ ଭୁଲିଯାଉଛୁ । ଜଣା ନାହିଁ ଆମର ବୁଦ୍ଧି ଆପଣଙ୍କୁ କାହିଁକି ମନେ ପକାଇ ପାରୁ ନାହିଁ । ଗାୟନ ମଧ୍ୟ କରୁଛନ୍ତି ଈଶ୍ୱରଙ୍କର ଗତି-ମତି ଭିନ୍ନ ଅଟେ । ବାବା ଆପଣଙ୍କର ଗତି ଏବଂ ସଦ୍‌ଗତିର ମତ ତ ବହୁତ ଆଶ୍ଚର୍ଯ୍ୟଜନକ ଅଟେ । ଏପରି ବାବାଙ୍କୁ ୟାଦ କରିବା ଉଚିତ୍ । ସ୍ତ୍ରୀ ନିଜ ସ୍ୱାମୀର ଗୁଣଗାନ କରିଥାଏ ନା! ମୋ ପତି ବହୁତ ଭଲ ଅଟନ୍ତି, ତାଙ୍କର ଏହି ସବୁ ସମ୍ପତ୍ତି ଅଛି, ଭିତରେ ଖୁସି ରହିଥାଏ ନା । ବାବା ତ ହେଉଛନ୍ତି ପତିମାନଙ୍କର ପତି, ପିତାଙ୍କର ପିତା, ତାଙ୍କଠାରୁ ଆମକୁ କେତେ ସୁଖ ମିଳୁଛି, ଆଉ ସମସ୍ତଙ୍କଠାରୁ ତ ଦୁଃଖ ମିଳୁଛି । ହଁ, ଶିକ୍ଷକଙ୍କ ଠାରୁ ସୁଖ ମିଳିଥାଏ - କାହିଁକି ନା ପାଠପଢା ଦ୍ୱାରା ରୋଜଗାର ହୋଇଥାଏ । ଗୁରୁ ସର୍ବଦା ବାନପ୍ରସ୍ଥ ଅବସ୍ଥାରେ କରାଯାଇଥାଏ । ବାବା କହୁଛନ୍ତି ମୁଁ ବାନପ୍ରସ୍ଥ ସମୟରେ ଆସୁଛି । ଇଏ ମଧ୍ୟ ବାନପ୍ରସ୍ଥୀ, ମୁଁ ମଧ୍ୟ ବାନପ୍ରସ୍ଥୀ ଅଟେ । ଏସବୁ ମୋର ସନ୍ତାନମାନେ ମଧ୍ୟ ବାନପ୍ରସ୍ଥୀ ଅଟନ୍ତି । ପିତା, ଶିକ୍ଷକ, ଗୁରୁ ତିନିଜଣ ଏକତ୍ର ରହିଛନ୍ତି । ବାବା ଶିକ୍ଷକ ମଧ୍ୟ ହେଉଛନ୍ତି ପୁଣି ଗୁରୁ ହୋଇ ସାଥିରେ ନେଇଯାଉଛନ୍ତି । ସେହି ଏକ ବାବାଙ୍କର ହିଁ ମହିମା, ଏହି କଥା ସବୁ ଅନ୍ୟ କୌଣସି ଶାସ୍ତ୍ର ଆଦିରେ ନାହିଁ । ବାବା ପ୍ରତ୍ୟେକ କଥା ଭଲ ଭାବରେ ବୁଝାଉଛନ୍ତି । ଏହାଠାରୁ ଶ୍ରେଷ୍ଠ ଜ୍ଞାନ ଆଉ କିଛି ନାହିଁ, ତେଣୁ ଆଉ କିଛି ଜାଣିବା ଦରକାର ରହେ ନାହିଁ । ଆମେ ସବୁ କିଛି ଜାଣି ବିଶ୍ୱର ମାଲିକ ହୋଇଯାଉଛୁ, ଆଉ ଅଧିକା ଜାଣି କ’ଣ କରିବୁ । ପିଲାମାନଙ୍କ ବୁଦ୍ଧିରେ ଏକଥା ରହିଲେ ଖୁସୀରେ ରହିବେ ଏବଂ ବାରମ୍ବାର ସେହି ସ୍ମୃତିରେ ରହିବେ । ପୁଣ୍ୟ ଆତ୍ମା ହେବା ପାଇଁ ୟାଦରେ ନିଶ୍ଚୟ ରହିବା ଦରକାର । ମାୟାର ଧର୍ମ ହେଉଛି ତୁମକୁ ବିସ୍ମୃତି କରାଇବା । ଯୋଗରେ ହିଁ ମାୟା ବିଘ୍ନ ପକାଉଛି, ଭୁଲିଯାଉଛ । ମାୟାର ତୋଫାନ ବହୁତ ଆସୁଛି । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ସବୁଠାରୁ ଆଗରେ ତ ଇଏ ବ୍ରହ୍ମାବାବା ଅଛନ୍ତି, ତେଣୁ ୟାଙ୍କୁ ସବୁ ଅନୁଭବ ହେଉଛି । ବ୍ରହ୍ମାବାବା କହୁଛନ୍ତି ମୋ ପାଖକୁ ପ୍ରଥମେ ତୋଫାନ ଆସିଲେ ତ ମୁଁ ଯାଇ ସମସ୍ତଙ୍କୁ ବୁଝାଇବି ନା । ଏହିପରି ମାୟାର ତୋଫାନ ଆସିବ । ବ୍ରହ୍ମାବାବାଙ୍କ ପାଖକୁ ମଧ୍ୟ ଆସୁଛି । ତୁମ ପାଖକୁ ମଧ୍ୟ ଆସିବ । ଯଦି ମାୟାର ତୋଫାନ ଆସିବ ନାହିଁ, ଯୋଗ ଲାଗି ରହିବ ତେବେ ତ’ ତୁରନ୍ତ କର୍ମାତୀତ ଅବସ୍ଥା ହୋଇଯିବ । ପୁଣି ଆମେ ଏଠାରେ ରହିପାରିବା ନାହିଁ । କର୍ମାତୀତ ଅବସ୍ଥା ହୋଇଗଲେ ପୁଣି ସମସ୍ତେ ଉପରକୁ ଚାଲିଯିବେ । ଶିବଙ୍କର ବରଯାତ୍ରୀ ବୋଲି ଗାୟନ ରହିଛି ନା । ଶିବବାବା ଆସିବେ ତେବେ ଯାଇ ଆମେ ସମସ୍ତେ ଆତ୍ମାମାନେ ଯିବା । ଶିବବାବା ଆସୁଛନ୍ତି ସମସ୍ତଙ୍କୁ ନେଇଯିବା ପାଇଁ । ସତ୍ୟଯୁଗରେ କ’ଣ ଏତେ ଆତ୍ମା ରହିପାରିବେ କି? ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଶିବବାବାଙ୍କୁ ନିଜର ଉତ୍ତରାଧିକାରୀ କରି ସବୁ କିଛି ଅଦଳ ବଦଳ କରିଦେବାକୁ ହେବ । ବାବାଙ୍କୁ ଉତ୍ତରାଧିକାରୀ କରି, ଶରୀର ନିର୍ବାହ ମଧ୍ୟ କରିବାକୁ ପଡିବ, ନିଜକୁ ନିମିତ୍ତ ମନେ କରି ରହିବାକୁ ହେବ । ନିଜର ଟଙ୍କା ପଇସା କୌଣସି ପାପ କର୍ମରେ ଲଗାଇବାର ନାହିଁ ।

(୨) ମନ ଖୁସିରେ ଉଛୁଳି ଉଠିବା ଦରକାର ଯେ ସ୍ୱୟଂ ଜ୍ଞାନର ସାଗର ବାବା ଆମକୁ ପାଠ ପଢାଉଛନ୍ତି । ପୁଣ୍ୟ ଆତ୍ମା ହେବା ପାଇଁ ବାବାଙ୍କ ସ୍ମୃତିରେ ରହିବାକୁ ହେବ, ମାୟାର ତୋଫାନକୁ ଡରିବାର ନାହିଁ ।

ବରଦାନ:-
ସତ୍ୟତା ଆଧାରରେ ଏକମାତ୍ର ପିତାଙ୍କୁ ପ୍ରତ୍ୟକ୍ଷ କରୁଥିବା ନିର୍ଭିକ ଏବଂ ଅଧିକାରୀ ସ୍ୱରୂପ ଆତ୍ମା ହୁଅ ।

ସତ୍ୟତା ହିଁ ପ୍ରତ୍ୟକ୍ଷତାର ଆଧାର ତେଣୁ ବାବାଙ୍କୁ ପ୍ରତ୍ୟକ୍ଷ କରିବା ପାଇଁ ନିର୍ଭିକ ଅଧିକାରୀ ସ୍ୱରୂପ ହୋଇ ଶୁଣାଅ, ସଂକୋଚରେ ନୁହେଁ । ଯେତେବେଳେ ଅନେକ ମତରେ ଚାଲୁଥିବା ଆତ୍ମାମାନେ କେବଳ ଗୋଟିଏ କଥାକୁ ମାନିନେବେ ଯେ ଆମ ସମସ୍ତଙ୍କର ପିତା ଜଣେ ଏବଂ ସେ ହିଁ ଏବେ କାର୍ଯ୍ୟ କରୁଛନ୍ତି, ଆମେ ସମସ୍ତେ ସେହି ଜଣଙ୍କର ସନ୍ତାନ ହିସାବରେ ଏକ ଅଟୁ ଏବଂ ଏହି ଗୋଟିକ ହିଁ ଯଥାର୍ଥ ଅଟେ.... ତେବେ ବିଜୟର ପତାକା ଉଡିବାକୁ ଲାଗିବ ଏବଂ ଏହି ସଂକଳ୍ପକୁ ନେଇ ମୁକ୍ତିଧାମକୁ ଯିବେ, ପୁଣି ଯେତେବେଳେ ନିଜ ନିଜର ପାର୍ଟ କରିବା ପାଇଁ ଆସିବେ ପ୍ରଥମେ ଏହି ସଂସ୍କାର ପ୍ରକଟ ହେବ - ଗଡ୍ ଇଜ୍ ୱାନ ଅର୍ଥାତ୍ ଈଶ୍ୱର ଜଣେ ହିଁ ଅଟନ୍ତି । ଏହା ହିଁ ହେଉଛି ସତ୍ୟଯୁଗୀ ସ୍ମୃତି ।

ସ୍ଲୋଗାନ:-
ସହନ କରିବା ହିଁ ନିଜର ଶକ୍ତି ରୂପକୁ ପ୍ରତ୍ୟକ୍ଷ କରିବା ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।

ଯେପରି ଏହି ଦେହ ସ୍ପଷ୍ଟ ରୂପରେ ଦେଖାଯାଉଛି ସେହିପରି ନିଜର ଆତ୍ମାର ସ୍ୱରୂପ ମଧ୍ୟ ସ୍ପଷ୍ଟ ଦେଖାଯାଉ ଅର୍ଥାତ୍ ଅନୁଭବ ହେଉ । ମସ୍ତକରେ ଅର୍ଥାତ୍ ବୁଦ୍ଧିର ସ୍ମୃତିରେ ବା ଦୃଷ୍ଟିରେ ଆତ୍ମିକ ସ୍ୱରୂପ ବ୍ୟତୀତ ଅନ୍ୟ କିଛି ବି ଦେଖା ନ ଯାଉ ବା ସ୍ମୃତିକୁ ନ ଆସୁ । ଏହିଭଳି ନିରନ୍ତର ତପସ୍ୱୀ ହୁଅ, ତେବେ ଯାଇ ପ୍ରତ୍ୟେକ ଆତ୍ମାଙ୍କ ପ୍ରତି କଲ୍ୟାଣର ଶୁଭ ସଂକଳ୍ପ ଉତ୍ପନ୍ନ ହେବ । ଯଦିଓ କେହି ବି ନିଜର ସ୍ୱଭାବ-ସଂସ୍କାରର ବଶୀଭୂତ ହୋଇ ତୁମର ପୁରୁଷାର୍ଥରେ ପରୀକ୍ଷା ନେବାର ନିମିତ୍ତ ହେଉଥିବ, ତା’ ପ୍ରତି ମଧ୍ୟ ସର୍ବଦା କଲ୍ୟାଣର ସଂକଳ୍ପ ଉତ୍ପନ୍ନ ହେଉ ।