26.05.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସର୍ବଦା ଏହି ଖୁସିରେ ରୁହ ଯେ ସ୍ୱୟଂ ଭଗବାନ ଶିକ୍ଷକ ହୋଇ ଆମକୁ ପାଠ ପଢାଉଛନ୍ତି, ଆମେ ତାଙ୍କଠାରୁ ରାଜଯୋଗ ଶିକ୍ଷା କରୁଛୁ, ପ୍ରଜାଯୋଗ ନୁହେଁ ।”

ପ୍ରଶ୍ନ:-
ଏହି ପାଠପଢାର ବିଶେଷତ୍ୱ କ’ଣ? ତୁମମାନଙ୍କୁ କେତେ ଦିନ ପର୍ଯ୍ୟନ୍ତ ପୁରୁଷାର୍ଥ କରିବାକୁ ହେବ?

ଉତ୍ତର:-
ଏହି ପାଠପଢାକୁ ଯେଉଁମାନେ ବହୁତ ଦିନରୁ ପଢି ଆସିଛନ୍ତି, ସେମାନଙ୍କଠାରୁ ନୂଆ ପିଲାମାନେ ତୀବ୍ରଗତିରେ ଆଗକୁ ବଢିଯାଉଛନ୍ତି । ଏହା ମଧ୍ୟ ଏହି ପାଠପଢାର ବିଶେଷତ୍ୱ ଅଟେ, ଯାହାକି ତିନି ମାସର ନୂଆ ତୀବ୍ର ପୁରୁଷାର୍ଥୀ ପିଲାମାନେ ପୁରୁଣାମାନଙ୍କଠାରୁ ମଧ୍ୟ ଆଗକୁ ଯାଇପାରିବେ । ତୁମମାନଙ୍କୁ ପୁରୁଷାର୍ଥ ସେ ପର୍ଯ୍ୟନ୍ତ କରିବାକୁ ହେବ ଯେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଉତ୍ତୀର୍ଣ୍ଣ ନ ହୋଇଛ ବା କର୍ମାତୀତ ଅବସ୍ଥା ନ ହୋଇଛି ବା ସବୁ ହିସାବ-କିତାବ ଚୁକ୍ତ ନ ହୋଇଛି ।

ଓମ୍ ଶାନ୍ତି ।
ପିଲାମାନେ କେଉଁଠାରେ ବସିଛନ୍ତି? ବେହଦ ବାବାଙ୍କର ସ୍କୁଲରେ । ସେଥିପାଇଁ ପିଲାମାନଙ୍କୁ ବହୁତ ଉଚ୍ଚ ନିଶା ରହିବା ଉଚିତ୍ । କାହାର ପିଲାମାନଙ୍କୁ? ବେହଦ ବାବାଙ୍କର ପିଲାମାନଙ୍କୁ ଅଥବା ରୁହାନୀ ସନ୍ତାନମାନଙ୍କୁ । ବାବା ଆତ୍ମାମାନଙ୍କୁ ହିଁ ପାଠ ପଢାଉଛନ୍ତି । ଗୁଜୁରାଟୀ ବା ମରାଠୀମାନଙ୍କୁ ପଢାଉ ନାହାଁନ୍ତି । ତାହା ତ ନାମ ରୂପ ହୋଇଗଲା । ବାବା ଆତ୍ମାମାନଙ୍କୁ ହିଁ ପାଠ ପଢାଉଛନ୍ତି । ତୁମେ ପିଲାମାନେ ମଧ୍ୟ ବୁଝୁଛ ଆମର ବେହଦର ପିତାଙ୍କୁ ଭଗବାନ କୁହାଯାଉଛି । ଭଗବାନଉବାଚ ମଧ୍ୟ ନିଶ୍ଚିତ ଅଛି କିନ୍ତୁ ଭଗବାନ କାହାକୁ କୁହାଯାଉଛି ଏକଥା ବୁଝିନାହାଁନ୍ତି । କହୁଛନ୍ତି ମଧ୍ୟ ଶିବପରମାତ୍ମାୟେ ନମଃ । ପରମାତ୍ମା ତ ଜଣେ ହିଁ ଅଟନ୍ତି । ସିଏ ହେଲେ ସର୍ବୋଚ୍ଚ ନିରାକାର । ତୁମକୁ ଶ୍ରୀକୃଷ୍ଣ ଭଗବାନ ପଢାଉନାହାଁନ୍ତି । ନା ପୂର୍ବରୁ କେବେ ପଢାଇଥିଲେ । ତୁମେ ଜାଣିଛ ଆମ ଆତ୍ମାମାନଙ୍କର ପିତା ଆମକୁ ପାଠ ପଢାଉଛନ୍ତି । ଭଗବାନ ତ ନିରାକାର ହିଁ ଅଟନ୍ତି । ଶିବଙ୍କର ମନ୍ଦିରକୁ ଯାଉଛନ୍ତି, ତାଙ୍କର ପୂଜା ମଧ୍ୟ କରୁଛନ୍ତି ତେବେ ନିଶ୍ଚିତ ତାଙ୍କର କୌଣସି ଅସ୍ତିତ୍ୱ ଥିବ । ନାମ ରୂପଠାରୁ ଭିନ୍ନ କୌଣସି ଜିନିଷ କେବେ ଥାଏ କି । ଏକଥା ମଧ୍ୟ ତୁମେମାନେ ଏବେ ବୁଝୁଛ । ସାରା ଦୁନିଆରେ ଏକଥା କେହି ବି ଜାଣିନାହାଁନ୍ତି । ତୁମେମାନେ ମଧ୍ୟ ଏବେ ଜାଣିବାରେ ଲାଗିପଡିଛ । ବହୁତ ସମୟରୁ ଜାଣି ଆସିଲଣି । ଏମିତି ବି ନୁହେଁ ଯେ ବହୁତ ପୁରୁଣାମାନଙ୍କଠାରୁ ନୂଆମାନେ ତୀବ୍ର ବେଗରେ ଯାଇପାରିବେ ନାହିଁ ଅଥବା ତୀବ୍ର ପୁରୁଷାର୍ଥ କରିପାରିବେ ନାହିଁ । ଏହା ମଧ୍ୟ ଏହି ପାଠପଢାର ବିଶେଷତ୍ୱ ଅଟେ । ତିନି ମାସର ନୂଆ ପିଲାମାନେ ମଧ୍ୟ ବହୁତ ବୁଦ୍ଧିମାନ ହୋଇପାରିବେ । କହୁଛନ୍ତି ମଧ୍ୟ ବାବା ଏହି ଆତ୍ମାର ବୁଦ୍ଧି ବହୁତ ପ୍ରଖର ଅଟେ । ନୂଆମାନେ ଯେତେବେଳେ ଏହି ଜ୍ଞାନ ଶୁଣୁଛନ୍ତି, ତେବେ ବହୁତ ଗଦଗଦ୍ ହୋଇଯାଉଛନ୍ତି । ଏମତି ତ ସମସ୍ତେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟନ୍ତି । ନିରାକାର ବାବା ଯିଏ ଜ୍ଞାନର ସାଗର ଅଟନ୍ତି, ସିଏ ପଢାଉଛନ୍ତି । ଭଗବାନଉବାଚ ମଧ୍ୟ ଗାୟନ କରାଯାଉଛି । କିନ୍ତୁ କେବେ? ତାହା ଭୂଲି ଗଲେଣି ।

ଏବେ ତୁମେ ପିଲାମାନେ ଜାଣିଛ - ଏଭଳି ମଧ୍ୟ କେହି କେହି ଅଛନ୍ତି ଯାହାଙ୍କର ପିତା ଶିକ୍ଷକ ମଧ୍ୟ ହୋଇଥାନ୍ତି । କିନ୍ତୁ ସିଏ କେବଳ ଗୋଟିଏ ବିଷୟ ପଢାଇବେ, ଅନ୍ୟ ସବୁ ବିଷୟ ଅନ୍ୟ ଶିକ୍ଷକ ପଢାଇଥାନ୍ତି । ଏଠାରେ ତ ବାବା ସବୁ ପିଲାମାନଙ୍କର ଶିକ୍ଷକ ଅଟନ୍ତି । ଏହା ବଡ ଆଶ୍ଚର୍ଯ୍ୟଜନକ କଥା । ଅନେକ ସନ୍ତାନ ଅଛନ୍ତି, ଯେଉଁମାନଙ୍କର ନିଶ୍ଚୟ ଅଛି ଯେ ଶିବବାବା ଆମକୁ ପାଠ ପଢାଉଛନ୍ତି । ଶ୍ରୀକୃଷ୍ଣଙ୍କୁ ବାବା କହିପାରିବା ନାହିଁ । ଶ୍ରୀକୃଷ୍ଣଙ୍କୁ ଏଭଳି ଶିକ୍ଷକ, ଗୁରୁ ମଧ୍ୟ କେହି ଭାବି ନ ଥାନ୍ତି । ଇଏ (ବାବା) ତ ବାସ୍ତବିକ ଭାବରେ ପାଠ ପଢାଉଛନ୍ତି । ତୁମେମାନେ ସବୁ ଭିନ୍ନ ଭିନ୍ନ ପ୍ରକାରର ବିଦ୍ୟାର୍ଥୀ ଏଠାରେ ବସିଛ । ବାବା ଶିକ୍ଷକ ହୋଇ ପାଠ ପଢାଉଛନ୍ତି, ଯେ ପର୍ଯ୍ୟନ୍ତ ତୁମେ ପାସ ନ ହୋଇଛ । ପୁରୁଷାର୍ଥ ମଧ୍ୟ ସେ ପର୍ଯ୍ୟନ୍ତ କରିବାକୁ ପଡିବ ଯେ ପର୍ଯ୍ୟନ୍ତ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ ନ କରିଛ । କର୍ମର ହିସାବ କିତାବରୁ ମୁକ୍ତ ହେବାକୁ ପଡିବ । ତୁମକୁ ଭିତରେ ଭିତରେ ବହୁତ ଖୁସି ହେବା ଦରକାର - ବାବା ଆମକୁ ଏହିଭଳି ଦୁନିଆକୁ ନେଇଯାଉଛନ୍ତି । ଏଭଳି ଆଉ କୌଣସି ସ୍କୁଲ ନାହିଁ ଯେଉଁଠାରେ ପିଲାମାନେ ବସିଥିବେ ଏବଂ ଭାବୁଥିବେ ପରମଧାମ ନିବାସୀ ବାବା ଆସି ଆମକୁ ପାଠ ପଢାଇବେ । ଏବେ ତୁମେ ଏଠାରେ ବସି ଭାବୁଛ ଯେ ଆମର ବେହଦର ପିତା ଆମକୁ ପଢାଇବା ପାଇଁ ଆସୁଛନ୍ତି । ତେଣୁ ତୁମ ଭିତରେ ବହୁତ ଖୁସି ରହିବା ଉଚିତ୍ । ବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ଏହା ପ୍ରଜାଯୋଗ ନୁହେଁ, ଏହା ହେଉଛି ରାଜଯୋଗ । ଏହି ସ୍ମୃତିରେ ହିଁ ପିଲାମାନଙ୍କର ଖୁସିର ପାରଦ ଚଢିବା ଦରକାର । କେତେ ବଡ ପରୀକ୍ଷା ଅଟେ ଏବଂ ତୁମେମାନେ କେତେ ସାଧାରଣ ଭାବରେ ବସିଛ । ଯେପରି ମୁସଲମାନମାନେ ତାଙ୍କ ପିଲାମାନଙ୍କୁ ଦରୀ ଉପରେ ବସାଇ ପାଠ ପଢାଇଥାନ୍ତି । ତୁମେମାନେ ଏହି ନିଶ୍ଚୟର ସହିତ ଏଠାକୁ ଆସୁଛ । ଏବେ ବାବାଙ୍କର ସମ୍ମୁଖରେ ବସିଛ । ବାବା ମଧ୍ୟ କହୁଛନ୍ତି ମୁଁ ଜ୍ଞାନର ସାଗର ଅଟେ । ମୁଁ କଳ୍ପ କଳ୍ପ ଆସି ତୁମକୁ ରାଜଯୋଗ ଶିଖାଉଛି । ଶ୍ରୀକୃଷ୍ଣଙ୍କର ୮୪ ଜନ୍ମ କୁହ ବା ବ୍ରହ୍ମାଙ୍କର ୮୪ ଜନ୍ମ କୁହ, କଥା ତ ଗୋଟିଏ । ବ୍ରହ୍ମା ହିଁ ଶ୍ରୀକୃଷ୍ଣ ଅଟନ୍ତି । ଏହି କଥାକୁ ଭଲ ଭାବରେ ବୁଦ୍ଧିରେ ଧାରଣ କରିବାକୁ ହେବ । ବାବାଙ୍କ ସହିତ ବହୁତ ସ୍ନେହ ରହିବା ଉଚିତ୍ । ଆମେ ଆତ୍ମାମାନେ ସେହି ପିତାଙ୍କର ସନ୍ତାନ ଅଟୁ, ସେହି ପରମପିତା ପରମାତ୍ମା ଆସି ଆମକୁ ପାଠ ପଢାଉଛନ୍ତି । ଶ୍ରୀକୃଷ୍ଣ ତ ପାଠ ପଢାଇପାରିବେ ନାହିଁ । ଏମିତି ନୁହେଁ ଶ୍ରୀକୃଷ୍ଣ ଆସି ମୁକୁଟ ଆଦି ଓହ୍ଲାଇ ଦେଇ ଏଠାରେ ପାଠ ପଢାଇଥିବେ । ତେବେ ଶିକ୍ଷାଦାତା ତ ବୟସ୍କ ହେବା ଉଚିତ୍ । ବାବା କହୁଛନ୍ତି ମୁଁ ବୟସ୍କ ଶରୀର ନେଇଛି, ଏହି ଶରୀର ମଧ୍ୟ ନିଧାର୍ଯ୍ୟ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ହିଁ ପାଠ ପଢାଉଛନ୍ତି । କହୁଛନ୍ତି ମଧ୍ୟ ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି । ତେବେ ବ୍ରହ୍ମା କେଉଁଠୁ ଆସିଲେ, ଏକଥା କେହି ଜାଣନ୍ତି ନାହିଁ । ବାବା ଆସି ବାରମ୍ବାର ପିଲାମାନଙ୍କୁ ଜାଗ୍ରତ କରୁଛନ୍ତି । ମାୟା ପୁଣି ଶୁଆଇ ଦେଉଛି । ଏବେ ତୁମେମାନେ ସମ୍ମୁଖରେ ବସିଛ, ଭାବୁଛ ଯେ ମୁଁ ତୁମର ରୁହାନୀ ପିତା ଅଟେ । ମୋତେ ଜାଣିଛ ନା । ଗାୟନ ମଧ୍ୟ କରୁଛନ୍ତି ପରମପିତା ପରମାତ୍ମା ଜ୍ଞାନର ସାଗର, ପତିତ ପାବନ, ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି । ଶ୍ରୀକୃଷ୍ଣଙ୍କ ପାଇଁ ଏହି ମହିମା କେବେ ହେଲେ କୁହାଯାଇପାରିବ ନାହିଁ । ସମସ୍ତଙ୍କୁ ତ ଏକାଠି ପାଠ ପଢାଯାଇପାରିବ ନାହିଁ । ମଧୁବନରେ ମୁରଲୀ ଶୁଣାଯାଉଛି, ତାହା ପୁଣି ସବୁ ସେଣ୍ଟରମାନଙ୍କୁ ଯାଉଛି । ତୁମେମାନେ ଏବେ ସମ୍ମୁଖରେ ବସିଛ । ଜାଣିଛ କଳ୍ପ ପୂର୍ବରୁ ମଧ୍ୟ ବାବା ଆସି ଏହିଭଳି ପାଠପଢାଇ ଥିଲେ । ଏହି ସମୟ ମଧ୍ୟ ପୂର୍ବରୁ ଥିଲା ଯାହାକି ଏବେ ଅତୀତ ହୋଇଯାଇଛି । ତାହା ପୁନଃ ବର୍ତ୍ତମାନ ହେବାକୁ ଯାଉଛି । ଭକ୍ତିମାର୍ଗର କଥା ସବୁ ତ ଏବେ ଛାଡି ଦେବାକୁ ହେବ । ଏବେ ତୁମର ଜ୍ଞାନ ଏବଂ ଜ୍ଞାନଦାତାଙ୍କ ସହିତ ପ୍ରୀତି ରହିଛି । କେହି କେହି ଯେବେ ଶିକ୍ଷକଙ୍କ ପାଖରେ ପାଠ ପଢୁଥାନ୍ତି ତାଙ୍କୁ ଉପହାର ମଧ୍ୟ ଦେଇଥାନ୍ତି । ଏହି ବାବା ତ ନିଜେ ହିଁ ଆମକୁ ସ୍ୱର୍ଗର ଉପହାର ଦେଉଛନ୍ତି । ଏଠାକୁ ଆସି ସାକାରରେ ପିଲାମାନଙ୍କୁ ଦେଖୁଛନ୍ତି, କହୁଛନ୍ତି ଏମାନେ ମୋର ସନ୍ତାନ । ଏହି ଜ୍ଞାନ ମଧ୍ୟ ପିଲାମାନଙ୍କୁ ମିଳିଛି ଯେ - ସମସ୍ତେ ୮୪ ଜନ୍ମ ନେଉନାହାଁନ୍ତି । ଯଦି କାହାର ଗୋଟିଏ ଜନ୍ମ ହୋଇଥାଏ ତେବେ ବି ସେହି ଗୋଟିଏ ଜନ୍ମରେ ତାଙ୍କୁ ସୁଖ ଦୁଃଖ ସବୁ କିଛି ଅତିକ୍ରମ କରିବାକୁ ହେବ । ଏବେ ତୁମେ ଏହି ସବୁ କଥାକୁ ଜାଣିଗଲଣି । ଏହା ମନୁଷ୍ୟ ସୃଷ୍ଟିର ବଂଶାବଳୀ ଅଟେ । ଯେଉଁଥିରେ ପ୍ରଥମ ନମ୍ବରରେ ବ୍ରହ୍ମା, ସରସ୍ୱତୀ, ଆଦିଦେବ, ଆଦିଦେବୀ ଅଛନ୍ତି । ପରେ ପୁଣି ଅନେକ ଧର୍ମ ବଢି ବଢି ଚାଲିଥାଏ । ଶିବବାବା ହେଲେ ସର୍ବ ଆତ୍ମାମାନଙ୍କର ବୀଜ । ବାକି ସମସ୍ତେ ହେଲେ ପତ୍ର । ପ୍ରଜାପିତା ବ୍ରହ୍ମା ସମସ୍ତଙ୍କର ପିତା ଅଟନ୍ତି । ଏହି ସମୟରେ ହିଁ ପ୍ରଜାପିତା ଉପସ୍ଥିତ ଅଛନ୍ତି । ବର୍ତ୍ତମାନ ସିଏ ଶୁଦ୍ରମାନଙ୍କୁ ପରିବର୍ତ୍ତନ କରି ବ୍ରାହ୍ମଣ କରୁଛନ୍ତି । ଏଭଳି କେହି କରିପାରିବେ ନାହିଁ । ବାବା ହିଁ ତୁମକୁ ଶୁଦ୍ରରୁ ବ୍ରାହ୍ମଣ କରି ପୁଣି ଦେବତା କରିବା ପାଇଁ ପାଠ ପଢାଉଛନ୍ତି । ଏହା ହିଁ ସହଜ ରାଜଯୋଗର ପାଠପଢା । ରାଜା ଜନକ ମଧ୍ୟ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ପାଇଥିଲେ ଅର୍ଥାତ୍ ସ୍ୱର୍ଗବାସୀ ହୋଇଥିଲେ । ଏହି କଥା ଲୋକମାନେ ଗାୟନ ମଧ୍ୟ କରୁଛନ୍ତି କିନ୍ତୁ ଏହାର ଅର୍ଥ ବୁଝାଇପାରିବେ ନାହିଁ । ଏବେ ବାବା କହୁଛନ୍ତି ପିଲାମାନେ ଦେହୀ-ଅଭିମାନୀ ହୁଅ । ତୁମେମାନେ ଅଶରିରୀ ଅବସ୍ଥାରେ ଆସିଥିଲ ପୁଣି ଶରୀର ଧାରଣ କରି ଅଭିନୟ କରି ଆସିଲ । ନିଶ୍ଚିତ ଭାବରେ ୮୪ ଜନ୍ମ ନେଇ ସାରିଛ । ବାବା ଯିଏକି ସତ୍ୟ ଅଟନ୍ତି, ସିଏ ସତ୍ୟ କଥା ହିଁ ଶୁଣାଇବେ । ତେବେ ରାଜଧାନୀ ହେଲା ନା । ତେଣୁ ରାଜଯୋଗ କ’ଣ ଜଣେ ଶିକ୍ଷା କରିବ କି । ତୁମେ ସମସ୍ତେ ଏବେ କଣ୍ଟାରୁ ଫୁଲ ହେଉଛ । କଣ୍ଟା ଏବଂ ଫୁଲ କାହାକୁ କୁହାଯାଉଛି - ଏ କଥା ମଧ୍ୟ ଏବେ ତୁମେ ବୁଝୁଛ । ଏହା ହିଁ ହେଉଛି ଛି-ଛି ବିକାରୀ କଣ୍ଟାର ଦୁନିଆ । ଆମେ ୮୪ ଜନ୍ମର ଚକ୍ର ଲଗାଇ ନର୍କବାସୀ ହୋଇଯାଇଛୁ । ଏବେ ପୁନର୍ବାର ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେବ । ଆମେ ପୁନର୍ବାର ନିଶ୍ଚିତ ସ୍ୱର୍ଗବାସୀ ହେବୁ । କଳ୍ପ କଳ୍ପ ଆମେ ହିଁ ହେଉଛେ । ବାରମ୍ବାର ଏହି କଥାକୁ ସ୍ମରଣ କରିବାକୁ ହେବ ଏବଂ ଜ୍ଞାନ ବୁଝାଇବାକୁ ହେବ । ଏହି ଲକ୍ଷ୍ମୀ-ନାରାୟଣ ସୂର୍ଯ୍ୟବଂଶୀ ଥିଲେ । ଯୀଶୁଖ୍ରୀଷ୍ଟ ଆସିବା ପୂର୍ବରୁ ବହୁତ କମ୍ ମନୁଷ୍ୟ ଥିଲେ, କୌଣସି ରାଜଧାନୀ ନ ଥିଲା । ଏବେ ବାବା ଆସି ସତ୍ୟଯୁଗୀ ରାଜଧାନୀ ସ୍ଥାପନା କରୁଛନ୍ତି । ସ୍ଥାପନା ସଂଗମଯୁଗରେ ହିଁ ହୋଇଥାଏ । ଏବେ ତୁମ ବୁଦ୍ଧିରେ ଅଛି ଯେ - ଏହା ହେଉଛି ପ୍ରକୃତ କୁମ୍ଭମେଳା । ଆତ୍ମାମାନେ ତ ଅନେକ ଅଛନ୍ତି କିନ୍ତୁ ପରମାତ୍ମା ଜଣେ । ପରମାତ୍ମା ପିତା ପିଲାମାନଙ୍କୁ ପବିତ୍ର କରିବା ପାଇଁ ଆସୁଛନ୍ତି । ଏହାକୁ ହିଁ ସଂଗମଯୁଗର କୁମ୍ଭମେଳା କୁହାଯାଉଛି । ଏବେ ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି । ବାବା ଆସି ସ୍ୱର୍ଗବାସୀ କରୁଛନ୍ତି, ତେଣୁ ପୁରୁଣା ଦୁନିଆ ରୂପୀ ନର୍କର ବିନାଶ ନିଶ୍ଚିତ ହେବା ଦରକାର । କଳ୍ପ କଳ୍ପ ବିନାଶ ହୋଇଆସୁଛି । ନୂଆରୁ ପୁରୁଣା, ପୁରୁଣାରୁ ନୂଆ ହେଉଛି । ତେବେ ଏହା ତ ନିଶ୍ଚିତ ହେବ । ନୂଆକୁ ସ୍ୱର୍ଗ, ପୁରୁଣାକୁ ନର୍କ କୁହାଯାଏ । ଏବେ ତ ମନୁଷ୍ୟମାନଙ୍କର କେତେ ବୃଦ୍ଧି ହୋଇଚାଲିଛି । ଯଦି ଖାଦ୍ୟଶସ୍ୟ ନ ମିଳୁଛି ତେବେ ଭାବୁଛନ୍ତି ବହୁତ ଶସ୍ୟ ଉତ୍ପାଦନ କରିବୁ, କିନ୍ତୁ କେତେ ସଂଖ୍ୟାରେ ଶିଶୁ ଜନ୍ମ ହୋଇଚାଲିଛନ୍ତି । ଏତେ ଖାଦ୍ୟ ଶସ୍ୟ କେଉଁଠୁ ଆଣିବେ ।

ଏବେ ତୁମ ପିଲାମାନଙ୍କର ଧ୍ୟାନରେ ଅଛି ଯେ ଏହି ସାରା ପୁରୁଣା ଦୁନିଆ ସମାପ୍ତ ହେବାକୁ ଯାଉଛି । ଲୋକମାନଙ୍କୁ ଏହି ଜ୍ଞାନ ଭଲ ତ ଲାଗୁଛି କିନ୍ତୁ ବୁଦ୍ଧିରେ କିଛି ବି ଧାରଣ ହେଉନାହିଁ । ତୁମ ବୁଦ୍ଧିରେ ରହିଛି ଯେ ନର୍କ ଦୁନିଆ ସମାପ୍ତ ହେବା ପରେ ସ୍ୱର୍ଗ ଦୁନିଆ ଆସିବ । ସତ୍ୟଯୁଗର ଦେବୀ-ଦେବତାମାନେ ଏଠାରେ ରାଜ୍ୟ କରି ଯାଇଛନ୍ତି । ପ୍ରଥମେ ଏହି ଲକ୍ଷ୍ମୀ-ନାରାୟଣ ଭାରତର ମାଲିକ ଥିଲେ, ତାହାର ଚିତ୍ର ମଧ୍ୟ ରହିଛି । ସତ୍ୟଯୁଗରେ ହେଉଛି ଆଦି ସନାତନ ଦେବୀ ଦେବତା ଧର୍ମ । ଏବେ କେହି ବି ନିଜକୁ ଦେବତା ଧର୍ମର ବୋଲି କହୁନାହାଁନ୍ତି, ତା ପରିବର୍ତ୍ତେ ହିନ୍ଦୁ କହିଦେଉଛନ୍ତି । ପିଲାମାନେ ଭଲ ଭାବରେ ଜାଣିଛନ୍ତି ଯେ ଆମେ ଏହି ଦେବୀ ଦେବତା ହେବୁ । ବାବା ଆମକୁ ପାଠ ପଢାଉଛନ୍ତି, ଏହି କର୍ମେନ୍ଦ୍ରିୟ ଦ୍ୱାରା ଅର୍ଥାତ୍ ବ୍ରହ୍ମାଙ୍କ ଶରୀର ଦ୍ୱାରା । ବାବା କହୁଛନ୍ତି ନଚେତ୍ ମୁଁ ତୁମକୁ ପଢାଇବି କିପରି । ଆତ୍ମାମାନଙ୍କୁ ହିଁ ପାଠ ପଢାଉଛନ୍ତି କାରଣ ଆତ୍ମାରେ ହିଁ ବିକାର ରୂପୀ ଖାଦ ମିଶିଯାଇଛି । ଏବେ ତୁମକୁ ଖାଣ୍ଟି ସୁନା ହେବାକୁ ପଡିବ, ସୁବର୍ଣ୍ଣ ଯୁଗରୁ ରୌପ୍ୟଯୁଗକୁ ଆସିବା ଅର୍ଥ ଚାନ୍ଦିର ଖାଦ ମିଶିବା ଦ୍ୱାରା ତୁମେ ଚନ୍ଦ୍ରବଂଶୀ ହୋଇଯାଉଛ । ଯେଉଁମାନେ ସତ୍ୟଯୁଗରେ ସୁବର୍ଣ୍ଣ ଯୁଗରେ ଥିଲେ, ସେହିମାନେ ପୁଣି ତଳକୁ ଖସୁଛନ୍ତି । ପୁଣି ବୃଦ୍ଧି ମଧ୍ୟ ହୋଇଥାଏ । ଏବେ ତୁମ ବୁଦ୍ଧିରେ ରହିଛି - ଆମେ ସୁବର୍ଣ୍ଣଯୁଗ, ରୌପ୍ୟଯୁଗ, ତାମ୍ରଯୁଗ ଏବଂ ଲୌହଯୁଗରେ ୮୪ ଜନ୍ମର ଚକ୍ର ଲଗାଇ ଆସିଛୁ । ଅନେକ ଥର ଏହି ଅଭିନୟ କରିଛୁ, କେହି ବି ଏହି ଅଭିନୟରୁ ମୁକୁଳି ପାରିବେ ନାହିଁ । ସେମାନେ କହୁଛନ୍ତି ଆମକୁ ମୋକ୍ଷ ଦରକାର କିନ୍ତୁ ବାସ୍ତବରେ ବ୍ୟସ୍ତ ତ ତୁମେମାନେ ହିଁ ହେବା ଉଚିତ୍ କାରଣ ୮୪ ଜନ୍ମର ଲମ୍ବା ଚକ୍ର ତ ତୁମେ ଲଗାଇଛ । ଲୋକମାନେ ଭାବୁଛନ୍ତି ଆସିବା ଯିବା ତ ଲାଗିଥାଏ, ତେଣୁ ଏଥିରୁ କାହିଁକି ଆମେ ମୁକ୍ତ ହୋଇ ନ ଯିବା । କିନ୍ତୁ ଏପରି ତ ହୋଇପାରିବ ନାହିଁ । ଗୁରୁମାନେ ମଧ୍ୟ କହି ଦେଉଛନ୍ତି - ତୁମେ ମୋକ୍ଷ ପ୍ରାପ୍ତ କରିପାରିବ । ବ୍ରହ୍ମକୁ ମନେ ପକାଇ ବ୍ରହ୍ମରେ ଲୀନ ହୋଇଯିବ । ଅନେକ ମତ-ମତାନ୍ତର ଭାରତରେ ହିଁ ରହିଛି ଅନ୍ୟ କୌଣସି ଖଣ୍ଡରେ ଏତେ ମତ ନାହିଁ । ଅନେକରୁ ଅନେକ ମତ ରହିଛି, ଗୋଟିଏ ମତ ସହିତ ଆଉ ଗୋଟିଏ ମତ ମିଶୁ ନାହିଁ । ରିଦ୍ଧି-ସିଦ୍ଧି ମଧ୍ୟ ବହୁତ ଶିକ୍ଷା କରୁଛନ୍ତି । କେହି ତନ୍ତ୍ର ଦ୍ୱାରା କେଶର ବାହାର କଲାଣି ତ ଆଉ କେହି ଆଉ କଣ ବାହାର କଲାଣି.... ଏଥିରେ ମନୁଷ୍ୟ ବହୁତ ଖୁସି ହୋଇଯାଉଛନ୍ତି । ଏହା ତ ହେଉଛି ଆଧ୍ୟାତ୍ମିକ ଜ୍ଞାନ । ତୁମେ ଜାଣିଛ - ଇଏ ହେଉଛନ୍ତି ଆତ୍ମିକ ପିତା, ଆମ ଆତ୍ମାମାନଙ୍କର ପିତା । ଆତ୍ମିକ ପିତା ରୁହ ଅର୍ଥାତ୍ ଆତ୍ମାମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ସତ୍ୟ ନାରାୟଣଙ୍କ କଥା ଶୁଣାଉଛନ୍ତି ବା ଅମର କଥା ଶୁଣାଉଛନ୍ତି, ଯାହା ଦ୍ୱାରା ଅମର ଲୋକର ମାଲିକ କରୁଛନ୍ତି ବା ନରରୁ ନାରାୟଣ କରୁଛନ୍ତି । ପୁଣି ତୁମେ କଉଡି ତୁଲ୍ୟ ହୋଇଯାଉଛ । ଏବେ ତୁମକୁ ହୀରା ଭଳି ମୂଲ୍ୟବାନ ଜନ୍ମ ମିଳିଛି, ତେଣୁ ତୁମେ ବିନାଶୀ ଧନ ପଛରେ କାହିଁକି ସମୟ ନଷ୍ଟ କରୁଛ । ଏହି ଦୁନିଆ ଆଉ କେତେ ବର୍ଷ ବାକି ଥିବ! କେତେ ଲଢେଇ ଝଗଡା ଲାଗି ରହିଛି, ସବୁ କିଛି ସମାପ୍ତ ହୋଇଯିବ । ମୃତ୍ୟୁ ସମ୍ମୁଖରେ ଛିଡା ହୋଇଛି ତେଣୁ ଏତେ ଲକ୍ଷ-ଲକ୍ଷ କୋଟି-କୋଟି ଟଙ୍କା କିଏ ବସି ଖାଇବ । ଏବେ ଏହାକୁ ସେବାରେ ସଫଳ କାହିଁକି ନ କରିବ! ଏହି ରୁହାନୀ କଲେଜ ଖୋଲିବା ଦ୍ୱାରା ମନୁଷ୍ୟ ସଦା ସୁସ୍ଥ, ସଦା ସମ୍ପତ୍ତିବାନ ଏବଂ ସୁଖୀ ହୋଇଯାଇଥାନ୍ତି । ଚିକିତ୍ସାଳୟ ସହିତ ବିଶ୍ୱବିଦ୍ୟାଳୟ ମିଳିତ ଭାବେ ରହିଛି । ସ୍ୱାସ୍ଥ୍ୟ, ସମ୍ପତ୍ତି ଏବଂ ସୁଖ ତ ନିଶ୍ଚିତ ମିଳିବ । ନିଶ୍ଚିତ ଭାବରେ ଯୋଗ ଦ୍ୱାରା ଲମ୍ବା ଆୟୁଷ ମିଳିଥାଏ । ତୁମେମାନେ କେତେ ସ୍ୱାସ୍ଥ୍ୟବାନ ହୋଇଯାଉଛ । ପୁଣି କୁବେରର ସମ୍ପତ୍ତି ମିଳିଯାଉଛି । ଆଲ୍ଲା ଅବଲଦୀନର ନାଟକ ମଧ୍ୟ ଦେଖାଇଥାନ୍ତି । ତୁମେ ଜାଣିଛ ବାବା ଯେଉଁ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି, ସେଥିରେ ବହୁତ ସୁଖ ରହିଛି । ଯାହାର ନାମ ହିଁ ହେଉଛି ସ୍ୱର୍ଗ ଦୁନିଆ । ତୁମେମାନେ ଶାନ୍ତିଧାମର ନିବାସୀ ଥିଲ, ପୁଣି ତୁମେ ପ୍ରଥମେ ସୁଖଧାମକୁ ଆସିଲ ପୁଣି ୮୪ ଜନ୍ମ ନେଇ ନେଇ ତଳକୁ ଖସି ଖସି ଆସିଛ । କଳ୍ପ କଳ୍ପ ମୁଁ ତୁମ ସନ୍ତାନମାନଙ୍କୁ ଏହିଭଳି ବୁଝାଉଛି । ତୁମେମାନେ ନିଜର ଜନ୍ମକୁ ଜାଣିନାହଁ, ମୁଁ ତୁମକୁ ଶୁଣାଉଛି । ତୁମେ ୮୪ ଜନ୍ମ ନେଇଛ, ଏହି ଶରୀର ପତିତ ଅଟେ । ଆତ୍ମା ମଧ୍ୟ ତମୋପ୍ରଧାନ ହୋଇଯାଇଛି । ବାବା ଠିକ୍ କଥା କହୁଛନ୍ତି । ବାବା କେବେ ଭୁଲ୍ କଥା କହିବେ ନାହିଁ । ସିଏ ତ ସତ୍ୟ ହିଁ ଅଟନ୍ତି । ସତ୍ୟଯୁଗ ହିଁ ହେଉଛି ନିର୍ବିକାରୀ ଦୁନିଆ, ନୀତିନିଷ୍ଠ ଅର୍ଥାତ୍ ଶ୍ରେଷ୍ଟାଚାରୀ ଦୁନିଆ, ଯାହାକୁ ପୁଣି ରାବଣ ନୀତିଭ୍ରଷ୍ଟ ଅର୍ଥାତ୍ ଭ୍ରଷ୍ଟାଚାରୀ କରିଦେଇଛି । ଏହା ହେଉଛି ହିଁ ମିଛ ଦୁନିଆ । ଗାୟନ ମଧ୍ୟ କରୁଛନ୍ତି ମିଛ ମାୟା, ମିଛ କାୟା, ମିଛ ମାୟା ସଂସାର... ତେବେ କେଉଁ ସଂସାର? ଏହି ସାରା ପୁରୁଣା ସଂସାର ମିଥ୍ୟା ଅଟେ । ସତ୍ୟଯୁଗରେ ସତ୍ୟର ସଂସାର ଥିଲା । ଦୁନିଆ ସେହି ଗୋଟିଏ, ଦୁଇଟି ଦୁନିଆ ନାହିଁ । ନୂଆ ଦୁନିଆରୁ ପୁଣି ପୁରୁଣା ଦୁନିଆ ହୋଇଥାଏ । ନୂଆ ଘର ପୁରୁଣା ଘର ଭିତରେ ପାର୍ଥକ୍ୟ ତ ରହିବ । ଯେତେବେଳେ ନୂଆ ଘର ତିଆରି ହୋଇଯାଉଛି, ତେବେ ଭାବିଥାନ୍ତି ନୂଆ ଘରେ ରହିବା । ଏଠାରେ ମଧ୍ୟ ବାବା ପିଲାମାନଙ୍କ ପାଇଁ ନୂଆ ଘର ତିଆରି କରୁଛନ୍ତି, କାରଣ ସନ୍ତାନମାନଙ୍କର ସଂଖ୍ୟାବୃଦ୍ଧି ହୋଇ ଚାଲିବ । ତୁମ ପିଲାମାନଙ୍କୁ ତ ବହୁତ ଖୁସି ଲାଗିବା ଉଚିତ୍ । ବାବା କହୁଛନ୍ତି ମୁଁ ଜ୍ଞାନର ସାଗର କିନ୍ତୁ ମୋର ପିଲାମାନେ ସମସ୍ତେ କାମ ଅଗ୍ନିରେ ବସି ଏକଦମ ଜଳି ଗଲେଣି । ବାବା ପୁଣି ସେମାନଙ୍କୁ ଜ୍ଞାନ ଚିତା ଉପରେ ବସାଉଛନ୍ତି । ଜ୍ଞାନଚିତା ଉପରେ ବସାଇ ସ୍ୱର୍ଗର ମାଲିକ କରୁଛନ୍ତି । କାମଚିତା ଉପରେ ବସିବା ଦ୍ୱାରା ବିଲ୍‌କୁଲ୍ କଳା ହୋଇଯାଇଛନ୍ତି । ଶ୍ରୀକୃଷ୍ଣଙ୍କୁ ଶ୍ୟାମ-ସୁନ୍ଦର ନାମ ଦେଇଛନ୍ତି । କିନ୍ତୁ ଏହାର ଅର୍ଥ କେହି ବି ବୁଝୁ ନାହାଁନ୍ତି । ଏବେ ତୁମେମାନେ କ’ଣରୁ କ’ଣ ହେବାକୁ ଯାଉଛ! ବାବା କଉଡିରୁ ହୀରା ତୁଲ୍ୟ କରୁଛନ୍ତି, ତେଣୁ ଏଥିପ୍ରତି ସେତିକି ଧ୍ୟାନ ଦେବା ଦରକାର । ବାବାଙ୍କୁ ମନେ ପକାଇବା ଦରକାର । ମନେ ପକାଇବା ଦ୍ୱାରା ହିଁ ତୁମେ ସ୍ୱର୍ଗର ମାଲିକ ହୋଇପାରିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ହୀରା ତୁଲ୍ୟ ଅମୂଲ୍ୟ ଜୀବନକୁ କଉଡି ପଛରେ ହରାଇ ଦେବାର ନାହିଁ । ମୃତ୍ୟୁ ସମ୍ମୁଖରେ ଛିଡା ହୋଇଛି, ତେଣୁ ନିଜର ସବୁକିଛି ରୁହାନୀ ସେବାରେ ସଫଳ କରିବାର ଅଛି ।

(୨) ପାଠପଢା ସହିତ ଏବଂ ଶିକ୍ଷକଙ୍କ ସହିତ ସଚ୍ଚା ପ୍ରୀତି ରଖିବାର ଅଛି । ସ୍ୱୟଂ ଭଗବାନ ଆମକୁ ପାଠ ପଢାଉଛନ୍ତି, ଏହି ଖୁସିରେ ରହିବାର ଅଛି ।

ବରଦାନ:-
କ୍ୟାଚିଙ୍ଗ୍ ପାୱାର ଅର୍ଥାତ୍ ଗ୍ରହଣ କରିବାର ଶକ୍ତି ଦ୍ୱାରା ନିଜର ଅସଲୀ ସଂସ୍କାର ଗୁଡିକୁ ଗ୍ରହଣ କରି ତା’ର ସ୍ୱରୂପ ହେଉଥିବା ଶକ୍ତିଶାଳୀ ଆତ୍ମା ଭବ ।

ପୁରୁଷାର୍ଥର ମୁଖ୍ୟ ଆଧାର କ୍ୟାଚିଙ୍ଗ୍ ପାୱାର ଅର୍ଥାତ୍ ଗ୍ରହଣ କରିବାର ଶକ୍ତି ଅଟେ । ଯେପରି ବୈଜ୍ଞାନିକମାନେ ବହୁତ ବର୍ଷ ପୂର୍ବର ଶବ୍ଦକୁ କ୍ୟାଚ୍ କରି ପାରୁଛନ୍ତି ସେହିପରି ତୁମେମାନେ ସାଇଲେନ୍ସ ଅର୍ଥାତ୍ ଶାନ୍ତିର ଶକ୍ତି ଦ୍ୱାରା ନିଜର ଆଦି ସମୟର ଦୈବୀ ସଂସ୍କାରକୁ କ୍ୟାଚ୍ କର, ଏଥିପାଇଁ ସର୍ବଦା ଏହି ସ୍ମୃତି ରହୁ ଯେ ମୁଁ ଏଇଆ ହିଁ ଥିଲି ଏବଂ ଏବେ ପୁଣି ହେଉଛି । ଯେତେ ଯେତେ ସେହି ସଂସ୍କାରଗୁଡିକୁ ନିଜ ଭିତରେ ଗ୍ରହଣ କରିବ ବା ଧାରଣ କରିବ ସେହି ଅନୁସାରେ ତା’ର ସ୍ୱରୂପ ହୋଇଯିବ । ୫ ହଜାର ବର୍ଷର କଥା ଏତେ ସ୍ପଷ୍ଟ ଭାବରେ ଅନୁଭବ ହେଉ ଯେପରି କାଲିର କଥା ଅଟେ । ନିଜର ସ୍ମୃତିକୁ ସେତିକି ଶ୍ରେଷ୍ଠ ଏବଂ ସ୍ପଷ୍ଟ କର ତେବେ ଯାଇ ଶକ୍ତିଶାଳୀ ହେବ ।

ସ୍ଲୋଗାନ:-
ବ୍ରାହ୍ମଣ ଜୀବନର ଶ୍ୱାସ କ୍ରିୟା ଖୁସି ଅଟେ, ତେଣୁ ଶରୀର ପଛେ ଚାଲିଯାଉ କିନ୍ତୁ ଖୁସି ନ ଯାଉ ।

ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।

ଏକାଥରକେ ସୌଦା କରିବାବାଲା ପିଲାମାନେ ଜଣଙ୍କର ହୋଇଥିବା କାରଣରୁ ସର୍ବଦା ଏକରସ ସ୍ଥିତିରେ ରହିଥାଆନ୍ତି । ବାକି ଯେଉଁମାନେ ଅଳ୍ପ ଅଳ୍ପ କରି ସୌଦା କରିଥାଆନ୍ତି, ଗୋଟିଏ ପରିବର୍ତ୍ତେ ଦୁଇଟି ନାବରେ ପାଦ ରଖିଥାଆନ୍ତି, ସେମାନେ ସର୍ବଦା କୌଣସି ନା କୌଣସି ଦ୍ୱନ୍ଦ୍ୱର ହଲଚଲ ଭିତରେ ରହି ଏକରସ ରହିପାରନ୍ତି ନାହିଁ, ସେଥିପାଇଁ ଯଦି ସୌଦା କରିବାର ଅଛି ତେବେ ଗୋଟିଏ ସେକେଣ୍ଡରେ ସୌଦା କର । ଦିଲ୍‌କୁ ଭାଗ ଭାଗ କର ନାହିଁ ।