26.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ଅନାଦି ଡ୍ରାମା ଘୂରି ଚାଲିଛି, ଘଣ୍ଟା କଣ୍ଟା ଭଳି ଟିକ୍‌-ଟିକ୍ ହୋଇ ଆଗକୁ ଆଗକୁ ବଢି ଚାଲିଛି, ଏଥିରେ ଜଣଙ୍କର ପାର୍ଟ ଅନ୍ୟ ଜଣଙ୍କ ସହିତ ମିଶୁ ନାହିଁ, ତେଣୁ ଏହାକୁ ଯଥାର୍ଥ ଭାବରେ ବୁଝି ସର୍ବଦା ହର୍ଷିତ ହୋଇ ରହିବାକୁ ହେବ ।”

ପ୍ରଶ୍ନ:-
କେଉଁ ଉପାୟରେ ତୁମେ ପ୍ରମାଣିତ କରି କହିପାରିବ ଯେ ଭଗବାନ ଆସି ଯାଇଛନ୍ତି ବୋଲି?

ଉତ୍ତର:-
କାହାକୁ ବି ସିଧା ସିଧା କହିବା ଉଚିତ୍ ନୁହେଁ ଯେ, ଭଗବାନ ଆସିଯାଇଛନ୍ତି, ଏଭଳି କହିବା ଦ୍ୱାରା ଲୋକମାନେ ପରିହାସ କରିବେ, ଅନେକ ପ୍ରକାରର କଥା କହିବେ, କାହିଁକି ନା ଆଜିକାଲି ନିଜକୁ ଭଗବାନ ବୋଲାଉଥିବା ବ୍ୟକ୍ତି ବହୁତ ଅଛନ୍ତି । ସେଥିପାଇଁ ତୁମେ କାଇଦାର ସହିତ ପ୍ରଥମେ ଦୁଇ ଜଣ ପିତାଙ୍କର ପରିଚୟ ଦିଅ । ଜଣେ ହେଲେ ଲୌକିକ ପିତା, ଅନ୍ୟ ଜଣେ ବେହଦର ପିତା ଅର୍ଥାତ୍ ପାରଲୌକିକ ପିତା । ଲୌକିକ ପିତାଙ୍କଠାରୁ ବିନାଶୀ ସମ୍ପତ୍ତି ମିଳୁଛି । ଏବେ ବେହଦର ପିତା ବେହଦର ସମ୍ପତ୍ତି ଦେଉଛନ୍ତି, ଏହିଭଳି କହିବା ଦ୍ୱାରା ବୁଝିଯିବେ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି ଯେ, ଏହିଠାରେ ହିଁ ସୃଷ୍ଟି ରହିଛି ଏବଂ ବାବାଙ୍କୁ ମଧ୍ୟ ବୁଝାଇବା ପାଇଁ ଏଠାକୁ ଆସିବାକୁ ପଡୁଛି । ବ୍ରହ୍ମଲୋକରେ ତ’ ବୁଝାଇ ପାରିବେ ନାହିଁ । ସୂକ୍ଷ୍ମଲୋକରେ ହିଁ ବୁଝାଯାଉଛି । ବାବା ଜାଣିଛନ୍ତି ଏବେ ସବୁ ପିଲାମାନେ ପତିତ, କୌଣସି କାମର ନୁହଁନ୍ତି । ଏହି ଦୁନିଆରେ କେବଳ ଦୁଃଖ ହିଁ ଦୁଃଖ ରହିଛି । ବାବା ବୁଝାଉଛନ୍ତି - ଏବେ ତୁମେମାନେ ବିଷୟ ସାଗରରେ ପଡିଛ, ବାସ୍ତବରେ ତୁମେ କ୍ଷୀର ସାଗରରେ ଥିଲ । ବିଷ୍ଣୁପୁରୀକୁ କ୍ଷୀର ସାଗର କୁହାଯାଏ । ତେବେ କ୍ଷୀରର ସାଗର ତ ଏଠାରେ ହୋଇପାରିବ ନାହିଁ । ତେଣୁ ପୋଖରୀ ଖୋଲାଇ ଦେଇଛନ୍ତି । କହୁଛନ୍ତି ସେଠାରେ ତ’ କ୍ଷୀରର ନଦୀ ବହୁଥିଲା । ସେଠାକାର ଗାଈ ମଧ୍ୟ ବହୁତ ଫାଷ୍ଟ୍‌କ୍ଲାସ୍ ପ୍ରସିଦ୍ଧ ହେବେ । ଏଠାରେ ତ’ ମନୁଷ୍ୟ ମଧ୍ୟ ରୋଗରେ ପଡୁଛନ୍ତି, ସେଠାରେ ଗାଈ ବି କେବେ ରୋଗରେ ପଡିବେ ନାହିଁ । ସବୁ ଗାଈ ବହୁତ ଫାଷ୍ଟ୍‌କ୍ଲାସ୍ ହେବେ । ଜୀବଜନ୍ତୁ ଆଦି କେବେ ବେମାର ହେବେ ନାହିଁ । ଏହି କଳିଯୁଗ ଏବଂ ସତ୍ୟଯୁଗ ମଧ୍ୟରେ ବହୁତ ଫରକ ରହିଛି । ଏ କଥା ବାବା ହିଁ ଆସି ବୁଝାଉଛନ୍ତି । ଏକଥା ଦୁନିଆରେ କେହି ବି ଜାଣିନାହାନ୍ତି । ତୁମେମାନେ ଜାଣିଛ ଏହା ପୁରୁଷୋତ୍ତମ ସଙ୍ଗମଯୁଗ, ଯେତେବେଳେ କି ବାବା ଆସି ସମସ୍ତଙ୍କୁ ଘରକୁ ନେଇଯାଉଛନ୍ତି । ବାବା କହୁଛନ୍ତି - ଯେଉଁମାନେ ବି ମୋର ସନ୍ତାନ ଅଛନ୍ତି କିଏ ଆଲ୍ଲାଙ୍କୁ, କିଏ ଗଡ୍‌ଙ୍କୁ, କେହି ପୁଣି ଭଗବାନଙ୍କୁ ଡାକୁଛନ୍ତି । ମୋର ତ’ ବହୁତ ନାମ ରଖିଦେଇଛନ୍ତି । ଭଲ ମନ୍ଦ ଯାହା ଆସିଲା ସେହିପରି ନାମ ରଖିଦେଉଛନ୍ତି । ଏବେ ତୁମେମାନେ ଜାଣୁଛ ଯେ, ବାବା ଆସିଛନ୍ତି । ଦୁନିଆ ତ’ ଏକଥା ବୁଝିପାରିବ ନାହିଁ । ସେହିମାନେ ହିଁ ବୁଝିବେ ଯେଉଁମାନେ କି ୫ ହଜାର ବର୍ଷ ପୂର୍ବରୁ ବୁଝିଥିଲେ । ସେଥିପାଇଁ ଗାୟନ ଅଛି କୋଟିକରୁ କେହି ଜଣେ, ସେହି ଜଣକ ଭିତରୁ ମଧ୍ୟ ଜଣେ, ଏହି ଜ୍ଞାନକୁ ବୁଝିବେ । ମୁଁ ଯିଏ, ଯେପରି ଅଟେ, ପିଲାମାନଙ୍କୁ କ’ଣ ଶିଖାଉଛି, ତାହା ତ’ ତୁମେମାନେ ହିଁ ଜାଣିଛ ଆଉ କେହି ବୁଝିପାରିବେ ନାହିଁ । ଏ କଥା ମଧ୍ୟ ତୁମେ ଜାଣିଛ ଯେ, ଆମେ କୌଣସି ସାକାରଙ୍କଠାରୁ ପାଠ ପଢ଼ୁନାହୁଁ । ଆମକୁ ନିରାକାର ବାବା ପାଠ ପଢ଼ାଉଛନ୍ତି । ଏ କଥାରେ ମନୁଷ୍ୟମାନେ ନିଶ୍ଚତ ଭାବରେ ଦ୍ୱନ୍ଦ୍ୱରେ ପଡିବେ । ନିରାକାର ତ’ ଉପରେ ରହୁଛନ୍ତି, ସିଏ କିପରି ପାଠ ପଢ଼ାଇବେ? ତୁମେ ଆତ୍ମାମାନେ ମଧ୍ୟ ଉପରେ ରହୁଛ । ପୁଣି ଏହି ଶରୀରର ଭ୍ରୃକୁଟୀ ରୂପି ସିଂହାସନକୁ ଆସୁଛ । ଏହି ସିଂହାସନ ତ’ ବିନାଶୀ, ଆତ୍ମା ତ’ ଅକାଳ (ଅମର) । ଏହାର କେବେ ମୃତ୍ୟୁ ନାହିଁ । ଶରୀରର ମୃତ୍ୟୁ ହୋଇଥାଏ, ଏହା ହେଲା ଚୈତନ୍ୟ ତଖତ୍ । ଅମୃତସରରେ ମଧ୍ୟ ଅକାଳ ତଖତ ରହିଛି ନା । ତାହା ତ’ କାଠର ସିଂହାସନ । ବିଚରା ସେମାନେ ଜାଣି ନାହାଁନ୍ତି ଯେ, ଅକାଳ ତ’ ଆତ୍ମା । ଯାହାକୁ କେବେ କାଳ ଖାଇ ପାରେ ନାହିଁ । ଅକାଳ ମୂରତ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଇଥାଏ । ତାଙ୍କର ମଧ୍ୟ ରଥ ଦରକାର ନା । ନିରାକାର ବାବାଙ୍କର ମଧ୍ୟ ନିଶ୍ଚିତ ଭାବରେ ମନୁଷ୍ୟ ଶରୀର ରୂପି ରଥ ଦରକାର, କାହିଁକି ନା ବାବା ହେଉଛନ୍ତି ଜ୍ଞାନର ସାଗର, ଜ୍ଞାନେଶ୍ୱର । ତେବେ ଜ୍ଞାନେଶ୍ୱର ନାମ ତ’ ବହୁତ ଜଣଙ୍କର ରହିଛି । ସମସ୍ତେ ନିଜକୁ ଈଶ୍ୱର ବୋଲି ଭାବୁଛନ୍ତି ନା । ଭକ୍ତିମାର୍ଗରେ ଶାସ୍ତ୍ର କଥା ହିଁ ଶୁଣାଉଛନ୍ତି । ନାମ ମଧ୍ୟ ରଖୁଛନ୍ତି ଜ୍ଞାନେଶ୍ୱର ଅର୍ଥାତ୍ ଜ୍ଞାନର ଦାତା ଈଶ୍ୱର । ସେଥିପାଇଁ ତ’ ଜ୍ଞାନର ସାଗରଙ୍କ ଆବଶ୍ୟକତା ରହିଛି । ତାଙ୍କୁ ହିଁ ଈଶ୍ୱର ପିତା ବୋଲି କୁହାଯାଉଛି । ଏଠାରେ ତ’ ଢ଼େର ଭଗବାନ ହୋଇଗଲେଣି । ଯେତେବେଳେ ବହୁତ ଗ୍ଳାନୀ ହୋଇଥାଏ, ଦାରିଦ୍ର‌୍ୟତା ଆସିଥାଏ, ଦୁଃଖୀ ହୋଇଯା’ନ୍ତି ସେତେବେଳେ ଯାଇ ବାବା ଆସନ୍ତି, ସେଥିପାଇଁ ବାବାଙ୍କୁ ଦୀନବନ୍ଧୁ ବୋଲି କୁହାଯାଉଛି । ଶେଷରେ ସେହି ଦିନ ଆସିଛି, ଯେତେବେଳେ ଦୀନବନ୍ଧୁ ବାବା ଆସୁଛନ୍ତି । ପିଲାମାନେ ମଧ୍ୟ ଜାଣିଛନ୍ତି ବାବା ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି । ସେଠାରେ ତ’ ଅସରନ୍ତି ଧନ ହେବ, ପଇସା କେବେ ଗଣାଯିବ ନାହିଁ, ଏଠାରେ ହିସାବ ବାହାର କରୁଛନ୍ତି, ଏତେ ଅରବ ଖରବ ଖର୍ଚ୍ଚ ହେଲା । ସେଠାରେ ଏହି ନାମ ହିଁ ରହିବ ନାହିଁ, ଅସରନ୍ତି ଧନ ରହିବ ।

ଏବେ ତୁମେମାନେ ଜାଣୁଛ ବାବା ଆମକୁ ନିଜ ଘରକୁ ନେଇଯିବା ପାଇଁ ଆସିଛନ୍ତି । ପିଲାମାନେ ନିଜ ଘରକୁ ଭୁଲିଯାଇଛନ୍ତି । ଏଠାରେ ଭକ୍ତିମାର୍ଗରେ ଧକ୍କା ଖାଇ ଚାଲିଛନ୍ତି, ସେଥିପାଇଁ ଏହାକୁ ରାତ୍ରି ବୋଲି କୁହାଯାଉଛି । ସମସ୍ତେ ଭଗବାନଙ୍କୁ ଖୋଜି ଚାଲିଛନ୍ତି, କିନ୍ତୁ ଭଗବାନ କାହାକୁ ମିଳୁନାହାନ୍ତି । ବର୍ତ୍ତମାନ ଭଗବାନ ଆସିଛନ୍ତି, ଏକଥା ମଧ୍ୟ ତୁମେମାନେ ଜାଣିଛ, ତୁମର ନିଶ୍ଚୟ ମଧ୍ୟ ଅଛି । ଏପରି ନୁହେଁ ଯେ, ସମସ୍ତଙ୍କର ପକ୍କା ନିଶ୍ଚୟ ଅଛି । କେବେ କେବେ ମାୟା ଭୁଲାଇ ଦେଇଥାଏ, ସେଥିପାଇଁ ବାବା କହୁଛନ୍ତି ଆଶ୍ଚର୍ଯ୍ୟ ଭାବେ ମୋତେ ଦେଖୁଛନ୍ତି, ମୋର ହେଉଛନ୍ତି, ଅନ୍ୟମାନଙ୍କୁ ଜ୍ଞାନ ଶୁଣାଉଛନ୍ତି, ମାୟା ତୁମେ କେତେ ଶକ୍ତିଶାଳୀ ଯେ ମୋଠାରୁ ମୋ ପିଲାମାନଙ୍କୁ ଛଡାଇ ନେଉଛ । ଏହିଭଳି ବହୁତ ବାବାଙ୍କ ହାତ ଛାଡି ପଳାଇଯାଉଛନ୍ତି । ଛାଡପତ୍ର ଦେଇ ପଳାଇଯାଉଛନ୍ତି । ପୁଣି ସିଏ କେଉଁଠାରେ ଯାଇ ଜନ୍ମ ନେବେ! ବହୁତ ସାଧାରଣ ଜନ୍ମ ପାଇବେ । ପରୀକ୍ଷାରେ ଫେଲ୍ ବି ହୋଇଯାଉଛନ୍ତି । ଏହା ହେଲା ମନୁଷ୍ୟରୁ ଦେବତା ହେବାର ପରୀକ୍ଷା । ବାବା ଏପରି ତ’ କହିବେ ନାହିଁ ଯେ, ସମସ୍ତେ ନାରାୟଣ ହେବେ । ନାଁ, ଯିଏ ଭଲ ପୁରୁଷାର୍ଥ କରିବେ ସିଏ ଭଲ ପଦ ମଧ୍ୟ ପାଇବେ । ବାବା ଜାଣିଛନ୍ତି କେଉଁମାନେ ଭଲ ପୁରୁଷାର୍ଥୀ - ଯିଏ ଅନ୍ୟମାନଙ୍କୁ ମଧ୍ୟ ମନୁଷ୍ୟରୁ ଦେବତା ହେବାର ପୁରୁଷାର୍ଥ କରାଉଛନ୍ତି ଅର୍ଥାତ୍ ବାବାଙ୍କର ପରିଚୟ ଦେଉଛନ୍ତି । ଆଜିକାଲି ଏଦ୍ୱାରା ବିରୁଦ୍ଧଚରଣ କରି କେତେକ ମନୁଷ୍ୟ ନିଜକୁ ଭଗବାନ ବୋଲି କହିଦେଉଛନ୍ତି । ତୁମକୁ ଅବଳା ବୋଲି ଭାବୁଛନ୍ତି, ତେବେ ସେମାନଙ୍କୁ କିପରି ବୁଝାଇବ କି ଭଗବାନ ଆସିଛନ୍ତି ବୋଲି । ସିଧା ସଳଖ ଭଗବାନ ଆସିଛନ୍ତି ବୋଲି କହିଲେ କେହି ମାନିବେ ନାହିଁ । ବୁଝାଇବା ପାଇଁ ମଧ୍ୟ ଯୁକ୍ତି ଦରକାର । ଏଭଳି କେବେ କାହାକୁ କହିବା ଉଚିତ୍ ନୁହେଁ ଯେ, ଭଗବାନ ଆସିଛନ୍ତି । ସେମାନଙ୍କୁ ବୁଝାଇବାକୁ ହେବ ଯେ ତୁମର ଦୁଇ ଜଣ ପିତା ଅଛନ୍ତି, ଜଣେ ପାରଲୌକିକ ବେହଦର ପିତା, ଅନ୍ୟ ଜଣେ ଲୌକିକ ହଦର ପିତା, ସେମାନଙ୍କୁ ଭଲ ଭାବରେ ପରିଚୟ ଦେବା ଦରକାର, ଯାହାଦ୍ୱାରା ବୁଝିପାରିବେ ଯେ, ଇଏ ଠିକ୍ କହୁଛନ୍ତି । ବେହଦର ବାବାଙ୍କଠାରୁ କିପରି ବର୍ସା ମିଳୁଛି - ଏକଥା କେହି ଜାଣିନାହାନ୍ତି । ବାବାଙ୍କଠାରୁ ହିଁ ବର୍ସା ମିଳୁଛି । ଆଉ କେହି ବି ଏପରି କହିବେ ନାହିଁ ଯେ ମନୁଷ୍ୟମାନଙ୍କର ଦୁଇ ଜଣ ପିତା ଅଛନ୍ତି । ତୁମେମାନେ ସମସ୍ତଙ୍କୁ ପ୍ରମାଣିତ କରି କହୁଛ, ହଦର ଲୌକିକ ପିତାଙ୍କଠାରୁ ହଦର ବର୍ସା ଏବଂ ପାରଲୌକିକ ବେହଦ ପିତାଙ୍କଠାରୁ ବେହଦ ଅର୍ଥାତ୍ ନୂଆ ଦୁନିଆର ବର୍ସା ମିଳିଥାଏ । ନୂଆ ଦୁନିଆ ହେଲା ସ୍ୱର୍ଗ, ସେହି ବର୍ସା ତ’ ବାବା ଆସିଲେ ହିଁ ଦେବେ ନା । ବାବା ହେଉଛନ୍ତି ନୂଆ ସୃଷ୍ଟିର ରଚୟିତା, ବାକି ତୁମେ ଯଦି କହିବ ଯେ ଭଗବାନ ଆସିଛନ୍ତି - ତେବେ କେବେ ହେଲେ ମାନିବେ ନାହିଁ, ଆହୁରି ଟିକା ଟିପ୍‌ପଣୀ କରିବେ । ଶୁଣିବେ ହିଁ ନାହିଁ । ସତ୍ୟଯୁଗରେ ତ’ ବୁଝାଇବାକୁ ପଡି ନ ଥାଏ । ସେତେବେଳେ ବୁଝାଇବାକୁ ପଡିଥାଏ, ଯେତେବେଳେ ବାବା ଆସି ଶିକ୍ଷା ଦେଇଥା’ନ୍ତି । ସୁଖରେ କେହି ସ୍ମରଣ କରନ୍ତି ନାହିଁ, ଦୁଃଖରେ ସମସ୍ତେ କରନ୍ତି । ତେଣୁ ସେହି ପାରଲୌକିକ ବାବାଙ୍କୁ ହିଁ ଦୁଃଖହର୍ତ୍ତା ସୁଖକର୍ତ୍ତା କୁହାଯାଉଛି । ବାବା ଆମକୁ ଦୁଃଖରୁ ଉଦ୍ଧାର କରି ଗାଇଡ୍ ହୋଇ ପୁଣି ସାଥିରେ ନିଜ ଘର ଶାନ୍ତିଧାମକୁ ନେଇଯାଉଛନ୍ତି । ତାକୁ ସୁଇଟ୍ ସାଇଲେନ୍ସ ହୋମ୍ ବୋଲି କୁହାଯାଉଛି । ସେଠାକୁ ଆମେ କିପରି ଯିବା - ଏ କଥା କେହି ଜାଣିନାହାନ୍ତି । ନା ରଚୟିତା, ନା ରଚନାର ଆଦି-ମଧ୍ୟ-ଅନ୍ତକୁ କେହି ଜାଣିଛନ୍ତି । ତୁମେମାନେ ଜାଣିଛ, ବାବା ଆମକୁ ନିର୍ବାଣଧାମ ନେଇଯିବା ପାଇଁ ଆସିଛନ୍ତି । ବାବା ସବୁ ଆତ୍ମାମାନଙ୍କୁ ନେଇଯିବେ । କେହି ଜଣଙ୍କୁ ବି ଛାଡିବେ ନାହିଁ । ତାହା ଆତ୍ମାମାନଙ୍କର ଘର, ଏହା ଶରୀରର ଘର । ତେଣୁ ପ୍ରଥମେ ପ୍ରଥମେ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବା ଉଚିତ୍ । ସିଏ ନିରାକାର ବାବା, ତାଙ୍କୁ ପରମପିତା ମଧ୍ୟ କୁହାଯାଉଛି, ପରମପିତା ଶବ୍ଦ ଠିକ୍ ଏବଂ ବହୁତ ମଧୁର ମଧ୍ୟ । କେବଳ ଭଗବାନ୍‌, ଈଶ୍ୱର କହିବା ଦ୍ୱାରା ବର୍ସାର ସୁଗନ୍ଧ ଆସି ନ ଥାଏ । ତୁମେ ପରମପିତା ପରମାତ୍ମାଙ୍କୁ ମନେପକାଉଛ ତେଣୁ ତୁମକୁ ବର୍ସା ମିଳୁଛି । କାହିଁକି ନା ସିଏ ପିତା ଅଟନ୍ତି ନା । ଏ କଥା ମଧ୍ୟ ପିଲାମାନଙ୍କୁ ବୁଝାଯାଉଛି ଯେ, ସତ୍ୟଯୁଗ ହେଲା ସୁଖଧାମ । ସ୍ୱର୍ଗକୁ ଶାନ୍ତିଧାମ କୁହାଯିବ ନାହିଁ । ଶାନ୍ତିଧାମରେ ଆତ୍ମାମାନେ ରହିଥା’ନ୍ତି, ଏହି କଥାକୁ ପକ୍କା ନିଶ୍ଚୟ କରାଇ ଦିଅ ।

ବାବା କହୁଛନ୍ତି - ପିଲାମାନେ, ତୁମେ ଏହି ବେଦ ଶାସ୍ତ୍ର ଆଦି ପଢ଼ିବା ଦ୍ୱାରା ତୁମକୁ କିଛି ବି ପ୍ରାପ୍ତି ହେଉନାହିଁ । ଶାସ୍ତ୍ର ପଢ଼ୁଛନ୍ତି ଭଗବାନଙ୍କୁ ପାଇବା ପାଇଁ କିନ୍ତୁ ଭଗବାନ ସ୍ୱୟଂ କହୁଛନ୍ତି ଶାସ୍ତ୍ର ପଢ଼ିବା ଦ୍ୱାରା ମୁଁ କାହାକୁ ମିଳି ନ ଥାଏ । ମୋତେ ଏଠାକୁ ଡାକୁଛନ୍ତି, କହୁଛନ୍ତି, ଆସି ଏହି ପତିତ ଦୁନିଆକୁ ପବିତ୍ର କର । କିନ୍ତୁ ଏହି କଥାକୁ କେହି ବୁଝୁନାହାନ୍ତି, ପଥରବୁଦ୍ଧି ଅଟନ୍ତି ନା । ସ୍କୁଲ୍‌ରେ ପିଲା ପାଠ ନ ପଢ଼ିଲେ କହିଥା’ନ୍ତି ନା ତୁମେ ପଥରବୁଦ୍ଧି ଅଟ । ସତ୍ୟଯୁଗରେ ଏପରି କହିବେ ନାହିଁ । ବେହଦର ବାବା ପରମପିତା ପରମାତ୍ମା ହିଁ ପାରସବୁଦ୍ଧି କରୁଛନ୍ତି । ବର୍ତ୍ତମାନ ତୁମର ବୁଦ୍ଧି ପାରସ ହୋଇଯାଇଛି, କାହିଁକିନା ତୁମେ ବାବାଙ୍କ ସାଥିରେ ଅଛ । ପୁଣି ସତ୍ୟଯୁଗରେ ଗୋଟିଏ ଜନ୍ମ ପରେ ନିଶ୍ଚିତ ଟିକିଏ ଫରକ ରହିବ । ୧୨୫୦ ବର୍ଷରେ ୨ କଳା କମ୍ ହୋଇଯାଉଛି । ୧୨୫୦ ବର୍ଷରେ ପ୍ରତି ସେକେଣ୍ଡରେ କଳା କମି କମି ଯାଇଥାଏ । ତୁମର ଜୀବନ ଏହି ସମୟରେ ଏକଦମ୍ ପରଫେକ୍ଟ ହେଉଛି ଯେତେବେଳେ କି ତୁମେ ବାବାଙ୍କ ସମାନ ଜ୍ଞାନର ସାଗର, ସୁଖ ଶାନ୍ତିର ସାଗର ହେଉଛ, ବାବାଙ୍କଠାରୁ ତୁମେ ସବୁର ବର୍ସା ନେଉଛ । ବାବା ଆସୁଛନ୍ତି ବର୍ସା ଦେବା ପାଇଁ । ପ୍ରଥମେ ପ୍ରଥମେ ତୁମେ ଶାନ୍ତିଧାମକୁ ଯାଉଛ ପୁଣି ସୁଖଧାମକୁ ଆସୁଛ । ଶାନ୍ତିଧାମରେ ତ’ ଶାନ୍ତି ରହିଛି । ପୁଣି ତୁମେ ସୁଖଧାମକୁ ଯାଉଛ, ସେଠାରେ ଅଶାନ୍ତିର ଟିକିଏ ବି କଥା ରହିବ ନାହିଁ । ପୁଣି ତଳକୁ ଖସିବାକୁ ହେବ । ପ୍ରତି ମିନିଟ୍‌ରେ ତୁମେ ତଳକୁ ତଳକୁ ଖସି ଚାଲିବ । ଦୁନିଆ ନୂଆରୁ ପୁରୁଣା ହେବ । ସେଥିପାଇଁ ବାବା କହିଥିଲେ ହିସାବ ବାହାର କର, ୫ ହଜାର ବର୍ଷରେ ଏତେ ମାସ, ଏତେ ଘଣ୍ଟା... ତେବେ ମନୁଷ୍ୟମାନେ ଆଶ୍ଚର୍ଯ୍ୟ ହେବେ । ଏମାନେ ତ’ ପୁରା ହିସାବ ବତାଉଛନ୍ତି, ତେଣୁ ସଠିକ୍ ହିସାବ ଲେଖିବା ଦରକାର, ଏଥିରେ ଟିକିଏ ବି ଫରକ ପଡିପାରିବ ନାହିଁ । ମିନିଟ୍ ପରେ ମିନିଟ୍ ଟିକ୍ ଟିକ୍ ହୋଇଚାଲିଛି, ଏହିପରି ସାରା ରିଲ୍ ରିପିଟ୍ ହୋଇଚାଲିଛି, ବୁଲି ବୁଲି ପୁଣି ରିଲ୍ ଗୁଡାଇ ହୋଇଯାଏ ପୁଣି ତାହାର ହିଁ ପୁନରାବୃତ୍ତି ହୁଏ । ଏହି ଅଭିନୟ ବହୁତ ଆଶ୍ଚର୍ଯ୍ୟଜନକ, ଏହାର ମାପ ଆଦି ତୁମେ କରିପାରିବ ନାହିଁ । ସାରା ଦୁନିଆର ଅଭିନୟ ଏହିଭଳି ଟିକ୍ ଟିକ୍ ହୋଇ ଚାଲିଥାଏ । ଗୋଟିଏ ସେକେଣ୍ଡ ମଧ୍ୟ ଅନ୍ୟ ସେକେଣ୍ଡ ସହିତ ମିଶିପାରିବ ନାହିଁ । ଏହି ଚକ୍ର ଘୂରିଚାଲିଛି, ତାହା ହେଲା ହଦର ଡ୍ରାମା । ଏହା ବେହଦର ଡ୍ରାମା । ଆଗରୁ ତୁମେ କିଛି ବି ଜାଣି ନ ଥିଲ ଏହା ହେଉଛି ଅବିନାଶୀ ଡ୍ରାମା । ସବୁ ପୂର୍ବ ପ୍ରସ୍ତୁତ... ଯାହା ହେବାର ଅଛି ତାହା ହିଁ ହେଉଛି । କିଛି ନୂଆ କଥା ନୁହେଁ । ଅନେକଥର ସେକେଣ୍ଡ ପରେ ସେକେଣ୍ଡ ଡ୍ରାମାର ପୁନରାବୃତ୍ତି ହୋଇ ଆସିଛି । ଆଉ କେହି ଏ କଥା ବୁଝାଇ ପାରିବେ ନାହିଁ । ପ୍ରଥମେ ପ୍ରଥମେ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ ଯେ, ବେହଦର ବାବା ବେହଦର ବର୍ସା ଦେଉଛନ୍ତି । ତାଙ୍କର ଗୋଟିଏ ନାମ ହିଁ ହେଲା ଶିବ । ବାବା କହୁଛନ୍ତି - ମୁଁ ସେତେବେଳେ ଆସୁଛି ଯେତେବେଳେ ଅତି ଧର୍ମର ଗ୍ଳାନୀ ହେଉଛି । ସେଥିପାଇଁ ଏହାକୁ ଘୋର କଳିଯୁଗ କୁହାଯାଉଛି । ଏଠାରେ ବହୁତ ଦୁଃଖ ରହିଛି । ଅନେକ ଅଛନ୍ତି ଯେଉଁମାନେ କହୁଛନ୍ତି କି ଏହି ଘୋର କଳିଯୁଗରେ ପବିତ୍ର କିପରି ରହିପାରିବୁ! କିନ୍ତୁ ସେମାନଙ୍କୁ ଏକଥା ଜଣାନାହିଁ ଯେ, ଆମକୁ ପବିତ୍ର କିଏ କରୁଛନ୍ତି? ବାବା ହିଁ ଏହି ସଙ୍ଗମଯୁଗରେ ଆସି ପବିତ୍ର ଦୁନିଆ ସ୍ଥାପନ କରୁଛନ୍ତି । ସେଠାରେ ସ୍ତ୍ରୀ ପୁରୁଷ ଉଭୟ ପବିତ୍ର ରହିଥା’ନ୍ତି, ଏଠାରେ ତ’ ଉଭୟ ଅପବିତ୍ର । ଏହା ହେଉଛି ଅପବିତ୍ର ଦୁନିଆ । ତାହା ହେଲା ପବିତ୍ର ଦୁନିଆ - ସ୍ୱର୍ଗ, ହେଭେନ୍ । ଏହା ଦୋଜକ ଅର୍ଥାତ୍ ନର୍କ, ହେଲ୍ । ତୁମେମାନେ ଏକଥା ପୁରୁଷାର୍ଥର କ୍ରମାନୁସାରେ ବୁଝିଗଲଣି । ବୁଝାଇବା ପାଇଁ ମଧ୍ୟ ମେହନତ କରିବାକୁ ହେବ । ଗରିବମାନେ ତୁରନ୍ତ ବୁଝିଯାଇଥା’ନ୍ତି । ଦିନକୁ ଦିନ ବୃଦ୍ଧି ହୋଇଚାଲିଛି, ସେଥିପାଇଁ ଘର ମଧ୍ୟ ସେତିକି ବଡ ଦରକାର । ବହୁତ ସନ୍ତାନ ଆସିବେ, କାହିଁକି ନା ବାବା ତ’ ଏବେ କୁଆଡେ ଯିବେ ନାହିଁ । ଆଗରୁ ତ କାହାକୁ ନ କହି ବାବା ସ୍ୱତଃ ଚାଲିଯାଉଥିଲେ । ଏବେ ତ’ ପିଲାମାନେ ଏଠାକୁ ଆସିବାକୁ ଲାଗିବେ, ଥଣ୍ଡାରେ ମଧ୍ୟ ଆସିବାକୁ ପଡିବ । ପ୍ରୋଗ୍ରାମ କରିବାକୁ ପଡିବ । ଅମୁକ ଅମୁକ ସମୟରେ ଆସ, ତେବେ ଭିଡ ହେବ ନାହିଁ । ସମସ୍ତେ ଏକତ୍ର ଗୋଟିଏ ସମୟରେ ତ’ ଆସିପାରିବେ ନାହିଁ । ଦିନକୁ ଦିନ ପିଲାମାନଙ୍କର ବୃଦ୍ଧି ହୋଇଚାଲିବ । ଏଠାରେ ତ ତୁମେମାନେ ଛୋଟ ଛୋଟ ଘର ତିଆରି କରୁଛ । ସେଠାରେ ତ ତୁମକୁ ବହୁତ ବଡ ବଡ ମହଲ ମିଳିବ । ତୁମେମାନେ ଜାଣିଛ - ଟଙ୍କା ପଇସା ସବୁ ମାଟିରେ ମିଶିଯିବ । ଅନେକ ଏହିଭଳି ଅଛନ୍ତି ଯେଉଁମାନେ ମାଟି ଖୋଳି ତା’ ଭିତରେ ଟଙ୍କା, ସୁନା ସବୁ ରଖିଦେଉଛନ୍ତି । ତାହା ତ ପୁଣି ଚୋର ନେଇଯିବ ଅଥବା ମାଟି ଭିତରେ ରହିଯିବ, ମାଟି ଖୋଳିବା ସମୟରେ ପୁଣି ସେହି ଧନ ବାହାରିବ । ଏବେ ତ’ ବିନାଶ ହେବ ସବୁ ମାଟି ତଳେ ଦବିଯିବ । ପୁଣି ସେଠାରେ ସବୁକିଛି ନୂଆ ମିଳିବ । ରାଜାମାନଙ୍କର ଏଭଳି ବହୁତ ଦୁର୍ଗ ଅଛି ଯେଉଁଠାରେ ବହୁତ ସମ୍ପତ୍ତି ମାଟି ତଳେ ଦବି ଯାଇଛି । ବହୁତ ବଡ ବଡ ହୀରା ଖଣ୍ଡ ମଧ୍ୟ ବାହାରିଥାଏ, ସେଥିରୁ ହଜାର ହଜାର, ଲକ୍ଷ-ଲକ୍ଷ ଟଙ୍କାର ଆମଦାନୀ ହୋଇଥାଏ । ଏପରି ବି ନୁହେଁ ଯେ ତୁମେ ସ୍ୱର୍ଗରେ ଖୋଳି ଖୋଳି ହୀରା ଆଦି ବାହାର କରିବ । ନାଁ, ସେଠାରେ ତ’ ପ୍ରତ୍ୟେକ ଜିନିଷର ଖଣି ସବୁ ଭରପୂର ହୋଇ ରହିଥିବ । ଏଠାକାର ଟାଙ୍ଗରା ଭୂମିରେ କୌଣସି ତାକତ ନାହିଁ । ତେଣୁ ବୀଜ ବୁଣିଲେ ମଧ୍ୟ ସେଥିରେ ଶକ୍ତି ନାହିଁ । ତେଣୁ ସେଥିରେ ବିଭିନ୍ନ ପ୍ରକାର ଆବର୍ଜନା ଆଦି ପକାଇ ଦେଉଛନ୍ତି । ସେଠାରେ ତ’ ଅଶୁଦ୍ଧ ଜିନିଷର ନାମ ହିଁ ରହିବ ନାହିଁ । ସବୁକିଛି ନୂଆ ହେବ । ସ୍ୱର୍ଗର ସାକ୍ଷାତ୍କାର ମଧ୍ୟ କନ୍ୟାମାନେ କରି ଆସୁଛନ୍ତି । ସେଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିବ । ଏବେ ତୁମେମାନେ ସେହି ଦୁନିଆକୁ ଯିବାକୁ ପୁରୁଷାର୍ଥ କରୁଛ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ସମୟରେ ହିଁ ବାବାଙ୍କ ଭଳି ସମ୍ପୂର୍ଣ୍ଣ ହୋଇ ପୂରା ସମ୍ପତ୍ତି ନେବାକୁ ହେବ । ବାବାଙ୍କର ସମସ୍ତ ଶିକ୍ଷାକୁ ନିଜ ଭିତରେ ଧାରଣ କରି ତାଙ୍କ ଭଳି ଜ୍ଞାନର ସାଗର, ସୁଖ-ଶାନ୍ତିର ସାଗର ହେବାକୁ ପଡିବ ।

(୨) ବୁଦ୍ଧିକୁ ପାରସମଣି ସଦୃଶ କରିବା ପାଇଁ ପାଠପଢା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ହେବ । ନିଶ୍ଚୟ ବୁଦ୍ଧି ହୋଇ ମନୁଷ୍ୟରୁ ଦେବତା ହେବାର ପରୀକ୍ଷାରେ ପାସ୍ ହେବାକୁ ପଡିବ ।

ବରଦାନ:-
ନିଶ୍ଚିତ ବିଜୟର ନିଶାରେ ରହି ବାବାଙ୍କଠାରୁ ପଦ୍ମଗୁଣା ସହଯୋଗ ପ୍ରାପ୍ତ କରୁଥିବା ମାୟାଜିତ୍ ଭବ ।

ବାବାଙ୍କର ପଦ୍ମଗୁଣା ସହଯୋଗର ପାତ୍ର ସନ୍ତାନମାନେ ମାୟାର ଆକ୍ରମଣକୁ ଚାଲେଞ୍ଚ କରୁଛନ୍ତି ଯେ ତୁମର କାମ ହେଲା ଆସିବା ଏବଂ ଆମର କାମ ହେଲା ବିଜୟ ପ୍ରାପ୍ତ କରିବା । ସେମାନେ ମାୟାର ବାଘ ଭଳି ରୂପକୁ ମଧ୍ୟ ପିମ୍ପୁଡି ମନେ କରିଥାଆନ୍ତି କାହିଁକି ନା ଜାଣିଛନ୍ତି ଯେ ଏହି ମାୟାର ରାଜ୍ୟ ଏବେ ସମାପ୍ତ ହେବ, ଆମେ ଅନେକବାର ବିଜୟୀ ଆତ୍ମା ମାନଙ୍କର ବିଜୟ ୧୦୦ ପ୍ରତିଶତ ସୁନିଶ୍ଚିତ । ଏହିଭଳି ନିଶ୍ଚିତ ବିଜୟର ନିଶା ବାବାଙ୍କଠାରୁ ପଦ୍ମଗୁଣା ସହଯୋଗର ଅଧିକାର ପ୍ରାପ୍ତ କରିବାର ଆଧାର ହୋଇଯାଉଛି, ଯାହା ଦ୍ୱାରା ତୁମେ ସହଜରେ ମାୟାଜିତ୍ ହୋଇଯାଉଛ ।

ସ୍ଲୋଗାନ:-
ସଂକଳ୍ପ ଶକ୍ତିକୁ ଜମା କରି ସ୍ୱ-ପ୍ରତି ବା ବିଶ୍ୱ ପ୍ରତି ଏହାକୁ ପ୍ରୟୋଗ କର ।